ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
୯୭୭୮୫୧୯୬୭୮
ଆଶା ଓ ଆସ୍ଥା
ଆଶା ଶୂନ୍ୟ ଜୀବନ ବିରଳ । ଆଶାକୁ ନେଇ ପ୍ରତ୍ୟେକ ମନୁଷ୍ୟର ଜୀବନ ଗତିଶୀଳ । ଯେଉଁ ମହତ୍ପୁରୁଷ ଓ ଜ୍ଞାନୀଜନମାନେ ଆଶାଶୂନ୍ୟ ଜୀବନ ବିତଉଥାନ୍ତି ପ୍ରତିଟି ମୁହୁର୍ତ୍ତରେ ସେମାନେ ଆଶା ବାନ୍ଧି ବସିଥାନ୍ତି ତାଙ୍କ ଜୀବନରେ ଆଶାର ପ୍ରବେଶ କୌଣସି ପରିସ୍ଥିତିରେ ବି ନହେଉ । ମନୁଷ୍ୟ ଶରୀରଧରି ଜନମ ଲଭିଲା ପରଠାରୁ ଏ ମାୟା ସଂସାରର ମାୟା ପ୍ରତ୍ୟେକ ମନ ଭିତରେ “ଆଶା” ବୋଇଚାଲେ । ତତ୍ସହିତ ଆଶାକୁ ଫଳବତୀ ଓ ପ୍ରତିହତ କରିବା ପାଇଁ “ଆସ୍ଥା” ରୂପକ ଅତୀ ସୁନ୍ଦର, ସୂକ୍ଷ୍ମ ଓ ଶକ୍ତିଶାଳୀ ବଳଟିଏ ପ୍ରଦାନ କରେ ।
ଅର୍ନ୍ତଦୃଷ୍ଟିରେ ଅନୁଧ୍ୟାନ କଲେ ଜଣାଯାଏ ଆଶା ଓ ଆସ୍ଥା ଉଭୟଙ୍କ ମଧ୍ୟରେ ଖୁବ୍ ନିବିଡ ସମ୍ପର୍କ । ଆସ୍ଥାବିନା ଆଶାର ପରିଣତି ଅବା ପ୍ରତିହତ ଅସମ୍ଭବ । ଆଉ ଆଶା, ଆସ୍ଥାବିନା ସ୍ଥାଣୁ । ଆଶା ଯେପରି ଓ ଯାହାବି ହେଉନା କାହିଁକି ଏହାର ପୂର୍ତ୍ତୀପାଇଁ ସଂସାରରେ କାହାରି ନା କାହା ଉପରେ ଆସ୍ଥା ରଖିବାକୁ ହିଁ ପଡେ । ସେ ଜଡ ଅବା ଜୀବନ୍ତ ହୋଇପାରେ । ମାତ୍ର ଆସ୍ଥା ଯେତବେଳେ ଆତ୍ମକୈନ୍ଦ୍ରିକ ହୋଇ ଉଠେ ଅନ୍ୟାର୍ଥରେ ମନୁଷ୍ୟ ଆତ୍ମ ବିଶ୍ୱାସୀ ହୋଇଉଠେ, ସେତେବେଳେ ଆଶାକୁ ଫଳବତୀ କରିବା ତାହା ପକ୍ଷେ ସବୁଠାରୁ ସହଜ ହୋଇ ଉଠେ ।
ଆଶାରହିତ ଜୀବନ ଚଳମାନ ହୋଇପାରେ ମାତ୍ର ଅଗ୍ରଗତିଶୂନ୍ୟ । ଆଶାରେ ହିଁ ଦୁନିଆ ସ୍ତମ୍ଭୀତ । ମନୁଷ୍ୟର ଆଶା ହିଁ ତା’ କର୍ମର ଦିଗ ଓ ବେଗ ନିରୁପଣ କରେ । ଆଶାର ପୂର୍ତ୍ତୀ ପାଇଁ ତା’ ଜୀବନ ସଦା ସର୍ବଦା ରହେ କର୍ମ ଚଞ୍ଚଳ । ପ୍ରକାରାନ୍ତେ ଆଶା ନୂତନତ୍ୱ ଅନ୍ୱେଷଣକୁ
ଅଭିପ୍ରେରିତ କରେ । ସ୍ରଷ୍ଟାଙ୍କ ବିବିଧତାଭରା ସୃଷ୍ଟିକୁ ନିଜର ସ୍ୱକୀୟ ଶୈଳୀରେ ଆହୁରି ବିବିଧତା ଭରିବାରେ ଲାଗେ । ମାତ୍ର ଏ ସବୁ ବହୁବିଧ ସଫଳତା ପଛରେ ତା’ ଜୀବନତନ୍ତ୍ରରେ ଭରିରହିଥିବା ଆସ୍ଥା ହିଁ ମୂଖ୍ୟ କାରକ ଏଥିରେ ଦ୍ୱିମତ ନାହିଁ । ପରନ୍ତୁ ପୋଥି ପୁରାଣ ଗୀତା ଭାଗବତ ବେଦ ବେଦାନ୍ତର ସିଦ୍ଧାନ୍ତ ଦର୍ଶାଏ ଆଶା ହିଁ ଦୁଃଖର ଜଡ । ଆଶା ଅଭିପ୍ରେରିତ କର୍ମ, ଆଶାକୁ ପୁରଣ କରିବା ପାଇଁ ଯେତେ ପ୍ରଗାଢ ଓ ନିଖୁଣ ହେଉନା କାହିଁକି ଯଦି ଆଶାର ଫଳ ଦୂରକୁ ଦୂରକୁ ଘୁଞ୍ôଚଘୁଞ୍ôଚ ଚାଲେ ଅବା ଶେଷରେ ବିଫଳତାକୁ ବରଣ କରେ ତେବେ ଦୁଃଖ ଅନିର୍ବାର୍ଯ୍ୟ । କିନ୍ତୁ କର୍ମ ସହିତ ଯଦି ନିଜ ଉପରେ ଥିବା ଆସ୍ଥା ଖୁବ୍ ଦୃଢ ଥାଏ ତେବେ ବିଫଳତାର ହାର ମଧ୍ୟ କମିଯାଏ । ହେଲେ ଏ ସମସ୍ତ ଅନ୍ତରାଳରେ ଆଶାର ପରିଣତିକୁ ପାଥେୟ ନକରି ଆଶା ଅଭିପ୍ରେରିତ କର୍ମରେ ଯେଉଁ ଆନନ୍ଦ ମିଳେ ତାହାକୁ ଲୁଟି ପାରିଲେ ଜୀବନ ଶାନ୍ତିପୂର୍ଣ୍ଣ ହୋଇଉଠେ ଯାହା ଶ୍ରୀମଦ୍ ଭାଗବତ ଗୀତା ତତ୍ତ୍ୱର ଯୁଗଜୟୀ ଜୀବନ ଦର୍ଶନ । ପରନ୍ତୁ କେବଳ ସେହି ଯୋଗୀ, ସନ୍ୟାସୀ, ସାଧୁ, ସନ୍ଥ, ଋଷି ଓ ପ୍ରଜ୍ଞାପୁରୁଷମାନେ ହିଁ କର୍ମରେ ଏପରି ସଫଳତା ଓ ବିଫଳତାକୁ ସମାନ ଭାବେ ଗ୍ରହଣ କରିପାରିଥାନ୍ତି ମାତ୍ର ସାଧାରଣ ମନୁଷ୍ୟ ପକ୍ଷେ ଏତେଟା ସହଜ ନୁହେଁ । ମନ ଭିତରେ ଥିବା ଆସ୍ଥା ହିଁ ମନ ମଧ୍ୟରେ ଏପରି ସମଦର୍ଶୀ ଭାବନା ଜାଗ୍ରତ କରାଇପାରେ । କିଛି ନିର୍ଦ୍ଧିଷ୍ଟ କ୍ଷଣ, କାଳ, ଦଣ୍ଡ ଅବା ସମୟ ଅବଧିରେ ଆଶାର କାୟା ସସୀମ
ମନେ ହେଉଥିଲେହେଁ ବାସ୍ତବରେ ଏହା ଅଦୃଶ୍ୟ ଅସୀମ । ଗୋଟିଏ ଆଶାର ପରିପୂର୍ତ୍ତୀ ଅବା ଅପରିପୂର୍ଣ୍ଣତା, ଜନ୍ମଦିଏ ଏକ ବା ଅନେକ ନୂତନ ଆଶାକୁ । କେତେକ ନିର୍ଦ୍ଧିଷ୍ଟ ପରିସି୍ଥତିରେ ଆଶାକୁ ପରିମାଣ ସୂଚକ ଶଦ୍ଦରେ ପ୍ରକାଶ କରାଯାଇ ପାରେ ମାତ୍ର ଆସ୍ଥା ସଦାସର୍ବଦା ଅକଳନୀୟ ଓ ଏହାକୁ କୈାଣସି ପରିମାଣ ସୂଚକ ଏକକରେ ପ୍ରକାଶ କରିବାଟା ସମ୍ପୂର୍ଣ୍ଣ ଅସମ୍ଭବ । ଆଶା ଓ ଆସ୍ଥା ଉଭୟେ କେତେବେଳେ ଅସୀମ ଆଲୋକରେ ଉଦ୍ଭାସିତ ହୋଇଥାନ୍ତି ତ ଆଉ କେତେବେଳେ ଅସୀମ ଅନ୍ଧାରରେ ଉଦ୍ବେଳିତ । ଆଶା ବଞ୍ôଚବାର ରାହା ଆଉ ଆସ୍ଥା ଆଶା ପୂର୍ତ୍ତିର ଲୁକାୟୀତ ରହସ୍ୟ ।
କ୍ରମବର୍ଦ୍ଧିଷ୍ଣୁ ବୟସ ସହିତ ଆଶା ଓ ଆସ୍ଥା ଉଭୟେ ପରିବର୍ତ୍ତନଶୀଳ । କେବଳ ସେତିକି ନୁହେଁ ଜୀବନରେ ଉତଥାନ୍, ପତନ, ସୁଖ, ଦୁଃଖ, ଭଲମନ୍ଦ ଆଦି ଉଭୟଙ୍କୁ ଘୋର ପ୍ରଭାବିତ କରିଥାନ୍ତି । ଶୈଶବର ଆଶା, ଆନନ୍ଦ ପାଇଁ ସୀମାବଦ୍ଧ ହୋଇଥିବା ବେଳେ ବୟସ ବଢିବା ସହିତ ଏହା ଧୀରେ ଧୀରେ ଅର୍ଥ, ପ୍ରାଚୁର୍ଯ୍ୟ, ପ୍ରଶଂସା ଓ ପ୍ରତିଷ୍ଠା ମୂଖୀ ହୋଇଉଠେ । ଶୈଶବରେ ଆସ୍ଥା ନିଷ୍କପଟ, ଯୁକ୍ତି ଓ ବିଚାରଶୂନ୍ୟ । ବୟସ୍କଙ୍କ କ୍ଷେତ୍ରରେ ଏହା ଯୁକ୍ତିମୂଳକ ବିଚାରଯୁକ୍ତ ଓ ସମୟେସମୟେ କପଟ ପୂର୍ଣ୍ଣ ହୋଇଥାଏ । ବାଳୁତ ବେଳରେ ଶିଶୁ, ଜଡରେ ଜୀବର ଉପସ୍ଥିତି ଅନୁଭବ କରୁଥିବା ବେଳ ବୟସ୍କ କ୍ଷେତ୍ରରେ ଏହା ଦେଖାଯାଏ ନାହିଁ । କଣ୍ଢେଇକୁ ନିଜର ସତସତିକା ଝିଅ ଅବା ପୁଅ ଭାବିବସେ ସେ ନିଷ୍ପାପ ମନ । ଅବିକିଳ ଆଚରଣ କରେ ତା’ ସହିତ । ସେଠି କଣ୍ଢେଇଠାରୁ ତା’ର ପାଇବାର ଆଶା କିଛି ନଥାଏ । ବାସ୍ ସେଥିରେ ସେ ହଜିଯାଏ ଅସୀମ ଆନନ୍ଦ ଭିତରେ । ସେ ନିର୍ବୋଧ ମନର ଅଗଣାରେ ସବୁକିଛି ଆପେ ଆପେ ଘଟିଚାଲିଲା ପରି ମନେ ହୁଏ । କିନ୍ତୁ ବୟସ୍କ ଯେବେ ଜଡ ଉପରେ ଆସ୍ଥା ପ୍ରକଟ କରେ ତେବେ କିଛି ପ୍ରାପ୍ତିର ଆଶା ନେଇ । କାଠ ଓ ପଥରକୁ ପ୍ରଭୂ ବୋଲି ବିବେଚନା କରେ । ଆସ୍ଥା ପ୍ରକଟ କରେ ନିଜର ଆଶା ପୂରଣ ସହିତ ସର୍ବାଙ୍ଗୀନ ମଙ୍ଗଳ ପାଇଁ । ଏଠି ଯେତେବେଳେ ଆସ୍ଥା ଗଭୀରରୁ ଗଭୀରତମ ହୋଇଉଠେ, ସମୟେ ସମୟେ ସେ ଆନନ୍ଦରେ ଅଧୀର ମଧ୍ୟ ହୋଇପଡେ । ମାତ୍ର ଏଠି ସବୁକିଛି ତା’ର ବୋଧ ଉପରେ ପର୍ଯ୍ୟବେସିତ । ଶୈଶବରେ ଶିଶୁର କିଛି ଆଶା ଥିଲେ ହେଁ ସେ ଆଶାକୁ ସେ ପାଥେୟ କରି ବଞ୍ଚେ ନାହିଁ ବରଂ ଆସ୍ଥାରେ ବଞ୍ଚେ । ପିତାମାତା,
ଭାଇଭଉଣୀ,
ସାଙ୍ଗସାଥୀ ଓ ତା’ ସଂସ୍ପର୍ଶରେ ଆସୁଥିବା ଜଡ ପଦାର୍ଥ ମାନଙ୍କ ଉପରେ ଥାଏ ତା’ର ଆସ୍ଥା । ଆଦ୍ୟରୁ ନିଜ ମା’ ଉପରେ ଓ ପରେପରେ ପିତାମାତା ଉଭୟଙ୍କ ଉପରେ ତା’ର ଜନ୍ମେ ଗଭୀର ଆସ୍ଥା ଯେ ସେମାନେ ତା’ର ସବୁକିଛି । ତା’ର ସମସ୍ତ ଆଶା ପୂରଣ ପାଇଁ ସେମାନେ ହିଁ ଏ
ଜଗତରେ ସବୁଠାରୁ ଉଦାରଶୀଳ । ସମୟକ୍ରମେ ବୟସର ବୃଦ୍ଧି ସହିତ ବୌଦ୍ଧିକ ଶକ୍ତିର ବିକାଶ, ଅନୁଭୂତି ଓ ଅଭିଜ୍ଞତାରୁ ସେ ନିଜ ଉପରେ ଓ ନିଜ କର୍ମରେ ଆସ୍ଥା ପ୍ରକଟ କରିବାରେ ଲାଗେ । ତତ୍ସହିତ ତା’ ଜୀବନ, ଆଶାକୁ ନେଇ ପ୍ରବହମାନ ହେବାରେ ଲାଗେ ।
ଆଶା ଓ ଆସ୍ଥା ଜନ୍ମରୁ ଯୁଇ ପର୍ଯ୍ୟନ୍ତ ମନୁଷ୍ୟ ସହିତ ବନ୍ଧା ଓ ଜୀବନର ଦୁଇଟି ଅର୍ନ୍ତନିହିତ ସ୍ୱଂୟକ୍ରିୟ କ୍ରିୟା । କେତେକ ପରିସ୍ଥିତି ଓ କ୍ଷେତ୍ରରେ ଉଭୟେ ସମଧର୍ମୀ ମନେ ହେଉଥିଲେ ହେଁ ଉଭୟଙ୍କ ମଧ୍ୟରେ ଅନେକ ବିବିଧତା ଅଛି । ଆସ୍ଥା, ଆଶା ଠାରୁ ଶକ୍ତିଶାଳୀ । ଆଶା ଓ ଆସ୍ଥା ଉଭୟେ ପରସ୍ପରକୁ ଜନ୍ମ ଦେଇ ପାରନ୍ତି ସତ କିନ୍ତୁ ଆଶାକୁ ଫଳବତୀ, ଅବଦମିତ ଓ ପ୍ରତିହତ କେବଳ ଆସ୍ଥା ହିଁ କରିବାର ସାମର୍ଥ୍ୟ ରଖେ । ଆଶା ଆସ୍ଥାର ଗଭୀରତାକୁ ଖୁବ୍ ପ୍ରଭାବିତ କରେ । ଆଶା ଯେତେବେଳେ ଫଳପ୍ରସୁ ଅବା ନିରାଶାର ରୂପନିଏ ସେତେବେଳେ ଆସ୍ଥାର ଗାଢତାରେ ଅବସମ୍ଭ୍ୟାମୀ ପରିବର୍ତ୍ତନ ଘଟେ । ଆଶା ଓ ଆସ୍ଥା ଉଭୟେ ଜୀବନରେ ଦୁଃଖ ପ୍ରଦାନ କରିପାରନ୍ତି ମାତ୍ର ଆଶା ଜନିତ ଦୁଃଖ ଯୁକ୍ତି ସମ୍ବଳିତ ହୋଇଥିବା ବେଳେ ଆସ୍ଥା ଜନିତ ଦୁଃଖ ଭିତ୍ତିହୀନ । ଏ ସବୁ ସତ୍ତ୍ୱେ ଆଶା ଯଦି ସକାରାତ୍ମକ ଓ ସ୍ୱସ୍ୱାର୍ଥ ସମ୍ବଳିତ ନହୋଇ ଜନହିତକାରୀ ହୁଏ, ସେତେବେଳେ ଆଶାର ପରିଣତି ସଦାସର୍ବଦା ଆଗକୁ ବଢିବାର ଶକ୍ତି ହିଁ ପ୍ରଦାନ କରିଥାଏ ।
ତେବେ ଏସବୁ ସତ୍ୱେ ଏ ଭବ ସଂସାରର ମାୟାକଷଟିରୁ ମୁକ୍ତି ନିମିତ୍ତ ଜୀବନରେ ଆଶା କ’ଣ ଓ କିପରି ହେବା ଆବଶ୍ୟକ ତାହା କେବଳ ଜଣେ ସଦ୍ଗୁରୁ ହିଁ ପରାମର୍ଶ ଦେଇପାରନ୍ତି । କେବଳ ସେତିକି ନୁହେଁ ଆଶା ସହିତ ଯୋଡି ଦିଅନ୍ତି ଆସ୍ଥାର ପ୍ରସସ୍ତ ମାର୍ଗ ଯେଉଁଠି କେବଳ ଜୀବନରେ ଭରିଯାଏ ଅସୀମ ଆଲୋକ ଓ ଆନନ୍ଦ ।
*******
No comments:
Post a Comment