ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
୯୭୭୮୫୧୯୬୭୮
ପ୍ରେମରଙ୍ଗ
ଏ ସଂସାର ପ୍ରେମମୟ । ସ୍ରଷ୍ଟାଙ୍କ ସୃଷ୍ଟିରେ ପ୍ରତିଟି ଜୀବନ୍ତ ଉପାଦାନରେ ଏହା ଆମକୁ ପ୍ରତିୟମାନ ହୋଇଥାଏ । ମାତ୍ର ଜଡମାନଙ୍କରେ ଏହାର ଅସ୍ତିତ୍ୱକୁ ନପାଇବା ଆମର ଅକ୍ଷମତା ହୋଇପାରେ । ହେଲେ କବିର କଲମରେ ଆଉ ଲେଖକର ଲେଖନୀରେ
ଝରଣା ସାଗରକୁ, ପାହାଡ ଆକାଶକୁ ଓ ଲହଡି କୂଳକୁ ପରି, ଜଡବି ପ୍ରେମକରେ । ଏ ଦୁନିଆରେ କେତେ ଯେ ରଙ୍ଗ ତାହା ଅକଳନୀୟ । ଅନେକ ରଙ୍ଗ ଖାଲି ଆଖିକୁ ଦେଖାଯାଏ ମାତ୍ର ଅନ୍ୟ କେତେକ ରଙ୍ଗ ଖାଲି ଆଖିକୁ ଦେଖା ଯାଉନଥିଲେ ମଧ୍ୟ ସେମାନଙ୍କର ପ୍ରଭାବ କଳ୍ପନାତୀତ । ସେମାନଙ୍କ ମଧ୍ୟରୁ ପ୍ରେମରଙ୍ଗ ଅନ୍ୟତମ । ମନୁଷ୍ୟ ଜୀବନକୁ ଏ ପ୍ରେମରଙ୍ଗ ଅତୀବ ପ୍ରଭାବିତ କରେ । ପ୍ରେମ ଅଟେ ଚିରନ୍ତନ ଓ ଶାଶ୍ୱତ । ସର୍ଜନାରୁ ରହିଛି ଧ୍ୱଂସରେ ବି ଥିବ । କାଳଚକ୍ରର ଅନ୍ତରାଳରେ ପ୍ରତ୍ୟେକ ଜୀବନରେ ଏହାର ରଙ୍ଗ ପରିବର୍ତ୍ତିତ । ରଙ୍ଗ ପରିବର୍ତ୍ତନରେ ଜୀବନର ସର୍ବସ୍ୱ ପ୍ରଭାବିତ । କେବେ ଜୀବନକୁ ଅମଡା ରାଇଜକୁ ଟାଣିନେଇ ନୟାନ୍ତ, ସର୍ବସାନ୍ତ କରେତ କେବେ ପୁଣି ଅପନ୍ତରା ଦୁନିଆରୁ ଶୃଙ୍ଖଳିତ ଓ ସ୍ୱଂୟଶାସିତ ଦୁନିଆକୁ ଓଟାରି ଆଣି ବଳବନ୍ତ, ଋଦ୍ଧିମନ୍ତ କରି ଘର ବସେଇଦିଏ । କେବେ ସମୟ, ପରିସ୍ଥିତି ଓ ପାତ୍ରର ସମବୟବତାରେ ଭୟ, ଭକ୍ତି, ଜ୍ଞାନ, ପ୍ରେରଣା ଓ ଘୃଣାର ବୀଜ ବୁଣେ । ପ୍ରେମରଙ୍ଗ ସତ୍ହେଲେ ଶାନ୍ତିମିଳେ । ପ୍ରେମରେ ହିଁ ସମାଜ ନିଜ ଭିତରେ ସମସ୍ତଙ୍କୁ ବାନ୍ଧିରଖେ । ସମାଜ ଶାନ୍ତିରେ ଉନ୍ନତି ପଥରେ ଆଗେଇଚାଲେ । ମାନବ ସମାଜର ମଙ୍ଗଳ ହୁଏ ।
ସତ୍ପ୍ରେମରେ ଭୟର ସ୍ଥାନ ନାହିଁ । ପ୍ରେମ କରେ ନିର୍ଭୀକ । ହେଲେ କାହିଁକି କେଜାଣି ଏ ସମାଜ ପ୍ରେମକୁ ପ୍ରଶୟ ଦିଏନି । ପ୍ରେମରଙ୍ଗ ଲାଗୁଲାଗୁ ଭୟଭୀତ କରେ । ଯନ୍ତ୍ରଣା, ନିନ୍ଦା ଓ ଅପବାଦ ରେ ସମାଜ ସେମାନଙ୍କୁ ନିସ୍ୱଃ କରେ । ହେଲେ ପ୍ରେମ ରଙ୍ଗରେ ଭିଜିଥିବା ହୃଦୟ ଆହୁରି ଟାଣ ହୋଇଚାଲେ । ବିଷକୁ ଅମୃତମଣି ପିଇଚାଲେ । କଷ୍ଟକୁ କୃଷ୍ଣ ବୋଲି ଗ୍ରହଣ କରିନିଏ । ମୀରାକୃଷ୍ଣ, ଲୈଲାମଜ୍ନୁ, ଶିର୍ଫରହାଦ୍ ଅବା ହୀର୍ରାଞ୍ଝା୍ଙ୍କ ଭଳି ଅମର ପ୍ରେମ ଗାଥାରେ ମଧ୍ୟ ଏ ସମାଜ ଥିଲା ଖଳନାୟକ । ବେଳେବେଳେ ଏ ସମାଜର ତାଡନାରେ ସେମାନେ ସିନା ହାରିଯାଆନ୍ତି ହେଲେ ସେମାନଙ୍କ ପ୍ରେମ କିନ୍ତୁ ହାରେନା । ପ୍ରେମ କରେ ସେମାନଙ୍କୁ ଓ ସେମାନଙ୍କ ପ୍ରେମଗାଥାକୁ ଅମର । ସେମାନଙ୍କ ତିରୋଧାନ ସୃଷ୍ଟିକରେ ଅମର ପ୍ରେମର ଅଭିଧାନ ।
ପ୍ରେମର ରଙ୍ଗ ଯଦି ଭକ୍ତିପୂତ ହୁଏ ତେବେ ଜୀବନ ଚରିତାର୍ଥ । ବିଭୂ ପ୍ରେମରେ ଏ ମନ ଆତ୍ମହରା ହୋଇ ଚାଲେ । ଦୁଃଖ ସୁଖକୁ ସମଜ୍ଞାନ କରେ । ବସ୍ତୁବାଦର ମୋହ ଅପସରିଯିବାରେ ଲାଗେ । ଜୀବନ ଲୋଭ ଓ କାମ ଶୂନ୍ୟ ହୋଇପଠେ । ବିଶ୍ୱ ବ୍ରହ୍ମାଣ୍ଡର ପ୍ରତ୍ୟେକ ଉପାଦାନରେ ପ୍ରଭୂସତ୍ତା ପ୍ରତୀୟମାନ ହୁଏ । “ସର୍ବେ ଭବନ୍ତୁଃ ସୁଖୀନଃ” ପରି ମହତ୍ତ ଚିନ୍ତାଧାରାରେ ଶରୀର, ମନ ଓ ପ୍ରାଣ ଆହ୍ଲାଦୀତ ହୁଏ । ଶାନ୍ତି ସାଉଁଟିଚାଲେ
ସକାଳରୁ ସଞ୍ଜ, ସଞ୍ଜରୁ ସକାଳ । ବେଳେବେଳେ ପ୍ରେମର ରଙ୍ଗ ହୁଏ ପ୍ରେରଣା । ପ୍ରେମିକା ଅବା ପ୍ରେମିକର ପ୍ରେରଣାରେ ହୀନ ହୁଏ ମହାନ୍, ମୂର୍ଖ ହୁଏ ଜ୍ଞାନୀ, ଦସ୍ୟୁ ପାଲଟେ ସାଧୁ । ପ୍ରେମ, ଜ୍ଞାନଗଙ୍ଗାର ଉତ୍ସପରି କାମ କରେ । ସାଧାସିଧା ମଣିଷ ଭାବୁକ ହୋଇ ଉଠେ । କେତେବେଳେ କବି ତ କେତେବେଳେ ଲେଖକ ପାଲଟି ଯାଏ । ସୃଷ୍ଟିକରେ କାବ୍ୟ, କବିତା ଅବା କଥାର ଭଣ୍ଡାର । କବିବର ପଡିଥିଲେ ଚିଲିକା ପ୍ରେମରେ, ସ୍ୱଭାବକବି ପଡିଥିଲେ ପ୍ରକୃତିପ୍ରେମରେ ଆଉ ଉତ୍କଳମଣି ପଡିଥିଲେ ମାତୃଭୂମୀ ପ୍ରେମରେ । କି ପ୍ରେରଣା ଥିଲା ସେ । ସୃଷ୍ଟିକଲେ ଅମ୍ଲାନ କାବ୍ୟ ଚିଲିକା, ତପସ୍ୱୀନ ତଥା ବନ୍ଦୀଶାଳାର ଅନୂଭୁତୀରେ କାଳଜୟୀ କାରାକବିତା । କେଉଁଠି ପ୍ରେମରେ ତାଜମହଲ ପରି ପ୍ରେମର ପ୍ରତୀକ ମଧ୍ୟ ଗଢିଉଠେ । ଖାଲି ସେତିକି ନୁହେଁ, ପ୍ରେମରେ ପ୍ରତାରଣାର ରଙ୍ଗ ଲାଗିଲେ ବେଳେବେଳେ ପ୍ରେମ, ପ୍ରେରଣାର ଉତ୍ସମଧ୍ୟ ପାଲଟେ । ହୃଦୟଭଙ୍ଗା ପ୍ରେମିକ ଅବା ପ୍ରେମିକା ଜୀବନକୁ ତର୍ଜମା ଓ ଅନୁଶୀଳନ କରିଚାଲେ । ହାରିଯିବାରେ ଜିତିଯିବାର ସ୍ନୀଗଧତା ବେଳେବେଳେ ତା ମନକୁ ସୁବାସିତ କରେ । ଜୀବନରେ ଅନନ୍ୟତା ଭରିଯାଏ । ଭାଷା, ଭାଷ, ଭାବ, ଭଙ୍ଗୀ ଓ ଜ୍ଞାନର ସ୍ୱତଃ ପରିବର୍ତ୍ତନରେ ସମାଜରେ ହୁଏ ଗନ୍ୟ । ହେଲେ ବେଳେବେଳେ ଏ ପ୍ରତାରଣା, ଘୃଣାସୃଷ୍ଟି କରେ । ଧ୍ୱଂସାଭି ମୂଖୀ ହୁଏ । ନିଜେ ଜଳିବା ସହ ପ୍ରେମିକ ଅବା ପ୍ରେମିକାକୁ ଜାଳିବାକୁ ଚେଷ୍ଟା କରେ । ବଦଲ୍ା ନେବାକୁ ପ୍ରୟାସ କରେ । ସଫଳ ଅବା ବିଫଳହୁଏ । ସାମାଜିକ ସନ୍ତୁଳନ ଚହଲିବସେ । ଧର୍ଷଣ ଅବା ହତ୍ୟାର ଚାଞ୍ଚଲ୍ୟ ରଚେ । ପରିପାଶ୍ୱର୍ ବ୍ୟଥିତ ହୋଇଉଠେ ।
ବାସ୍ତବରେ ପ୍ରେମ ବିନା ଜୀବନ ରଙ୍ଗହୀନ । ଆସନ୍ତୁ ପରସ୍ପରକୁ ପ୍ରେମ କରିବା । ଯେଉଁ ପ୍ରେମର ରଙ୍ଗ କେବଳ ଭକ୍ତି, ଜ୍ଞାନ ପ୍ରେରଣା ଓ ଶାନ୍ତି ସର୍ବସ୍ୱ ହେଉ । ଏ ସଂସାର ଆହୁରି ପ୍ରେମମୟ, ଜ୍ଞାନମୟ ଓ ଶାନ୍ତିମୟ ହୋଇଉଠୁ । ସମାଜ ଶାନ୍ତିରେ ଉନ୍ନତିପଥରେ ଆଗେଇଚାଲୁ ।
*******
No comments:
Post a Comment