ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା, ଭାଣପୁର
ପୁରୀ-୭୫୨୧୧୪
ମୋ-୯୭୭୮୫୧୯୬୭୮
ସେବେଳ
ନା ଏବେଳ(୧)
ଜୀବନରେ
ସବୁକଥା ମନେ ରହେ ନାହିଁ । ହେଲେ କିଛି
କଥା ଭୂଲି ବି ହୁଏନି ।
ମନ ଭିତରେ କେତେକ ଘଟଣା ଏପରି ଛାପ ଛାଡିଯାଏ ଯେ ତାହା ଚିରଦିନ
ପାଇଁ ସେମିତି ମନେ ରହିଥାଏ । ବିତାହୁଆ କେତେକ
ପରିସ୍ଥିତି ଜୀବନକୁ ଆନ୍ଦୋଳିତ କରେ । ସେଦିନ ଆଉ
ଏଦିନ ମଧ୍ୟରେ ଫରକ୍ ଟି ମନକୁ ଅସଜଡା
କରିଦିଏ । ବେଳେବେଳେ ବୁଝିହୁଏନି
ସେବେଳ ଭଲ ଥିଲା ନା
ଆଜିର ଏବେଳ ।
ପରକଥାରେ
ରଙ୍ଗ ଦେଇ ଳେଖିଲେ ଭଲଲାଗେ ସତ ହେଲେ ନିଜ
କଥାକୁ କାଳ୍ପନିକ ଚରିତ୍ର ମାଧ୍ୟମରେ କଲମରେ ଛାପିଲା ବେଳକୁ ଆତ୍ମା କଲମକୁ ଓହ୍ଲେଇ ଆସେ । ଆଉ ଆତ୍ମୀକ
ପରିପ୍ରକାଶ ଅନ୍ୟ ଆତ୍ମାକୁ ଅଚିରେ ଆଲୀଙ୍ଗନ କରେ । ନେଇ ଚାଲେ
ଝାପସା ଝାପସା ଜଣା ପଡୁଥିବା ସେ ନିଜର ବିତିଥିବା
ଦିନମାନଙ୍କୁ । ମନେପଡେ ପିଲାଦିନର
ଖେଳ । ଦାଣ୍ଡଧୂଳୀର ବାସ୍ନା,
ଷଢେଇରେ ମାଟି ତାଡି ଚୁଲି ଆଉ ଘର କରିବାର
ସେ ଅଭୁଲା ଶିଳ୍ପୀଚାତୁରୀ, କଙ୍କି ଆଉ ପ୍ରଜାପତି ଧରିବାର
ସେ ଅସ୍ଫୁରନ୍ତ ଆନନ୍ଦ । ମା’ଠାରୁ
ଶୁଣି ମନରେ ବାବନା ଭୁତର ଭୟ । ଖେଳରେ
ଅନ୍ୟଠୁ ନିଜକୁ ଲୁଚେଇରଖିବାର ପ୍ରୟାସରେ ସେ ଘରର କବାଟକଣ,
ଖଟତଳ, ମନ୍ଦୁରା ମଷିଣା ଘୋଡଣୀ ଅବା କଦଳୀ ଗଛର ମୂଳ ସବୁକିଛି ସେବେଳର ଜୀବନ ସର୍ବସ୍ୱ । ଜଡରେ ଜୀବନର
ଉପସ୍ଥିତି ଅନୁଭବ କରେ ସେ ପିଲାବେଳ ।
କଣ୍ଡେଇକୁ ନିଜର ଜୀବନ୍ତ ପିଲା ବୋଲି ବିଚାରେ ସେ ନିଷ୍ପାପ ମନ
।
ସେଦିନ
ବନାରୀ ମଉସା ରବିବାର ଖବରକାଗଜରେ ‘ପିଲାଦିନ’ ଶୀର୍ଷକ କବିତାଟିଏ ପଢୁପଢୁ ହଜିଯାଆନ୍ତି ନିଜେ ସାକ୍ଷୀ ଥିବା ପିଲାଖେଳର ଏକ ଅଭୁଲା ସ୍ମୃତିରେ
। ସେ ମୋଟା ମୋଟା
ମାଟିକାନ୍ଥର ଦାଣ୍ଡ ଘରେ କିଶୁ ଆଉ ତା’ର
ଦୁଇଜଣ ସାଙ୍ଗ ରୀତି ଓ ସୁକାର ଉପସ୍ଥିତି
ସେ ଘରକୁ କୋଳାହଳମୟ କରିଦେଇଥାଏ । ବୟସ ସମସ୍ତଙ୍କର
ସେହି ତିନି ବର୍ଷ ପାଖାପାଖି । କିଶୁ ହାତରେ
ଥାଏ ଅତି ନିଜର ତା’ଝିଅ କଣ୍ଡେଇ
ଟିଏ । କଣ୍ଡେଇଟିକୁ କୋଳରେ
କିଶୁ ଶୋଇଦେଇ ଧୋରେ ବାଇଆ ଧୋ ନାନାବାୟା ଗୀତକୁ
ମା’ଠାରୁ ମନେରଖି ଗାଇବାରେ ଲାଗିଥାଏ । ରୀତି ଓ
ସୁକା ତାକୁ ଘେରି ବସିଥାନ୍ତି । ହଠାତ୍ ସୁକା
କହେ ଆରେ କିଶୁ ଚାଲେ ବାପାବୋଉ ଖେଳ ଖେଳିବା । ରୀତି ବି
ସାଙ୍ଗେ ସାଙ୍ଗେ ତା’କଥାରେ ହଁ
ମିଶାଇ ତିନିଜଣ ନଥ୍ କିନା ବସି ପଡନ୍ତି ସେଇ ଘର ମାଟି ଚଟାଣ
ଉପରେ । କିଶୁ, ସୁକାଠାରୁ
ଟିକେ ଚେହେରାରେ ବଡ ଦିଶୁଥାଏ ।
ସୁକା, କିଶୁକୁ କହେ ତୁ ବାପା, ରୀତି
ବୋଉ ଆଉ ତୋ କଣ୍ଡେଇଟି
ତୁମ ଦିଜଣଙ୍କର ଝିଅ । କିଶୁ ପଚାରେ
ତୁ କଣ ହେବୁ ।
ସୁକା ଉତ୍ତର ଦିଏ ମୁଁ ତୋ ସାନଭାଇ ।
ରୀତି ମୋର ନୂଆବୋଉ । ଆଉ କାହାକୁ
ଫୁରସତ କାହିଁ? ସୁକାର ନାକରୁ ଅଳ୍ପ ଟିକେଟିକେ ବସଣୀ ବୋହୁଥାଏ । କିଶୁର ବି
ସେଇ ଦଶା ହେଲେ ରୀତିଟି ପୁରା ସଫା ସାର୍ଟଟିଏ ପିନ୍ଧି ଭାରୀ ସୁନ୍ଦର ଦେଖାଯାଉଥାଏ । କିଶୁ ସଙ୍ଗେସଙ୍ଗେ
ଘର ଭିତରୁ ବାପାଙ୍କର ଗୋଟିଏ ଗାମୁଛା ଓ ଦୁଇଟି ହଳୁଆପାଞ୍ଚଣ
ନେଇ ଆସେ । ଦାଣ୍ଡଘର କଣରେ
ପାଞ୍ଚଣର ଢେର ଦେଇ ଦୁଇଜଣ ଲାଗିଯଆନ୍ତି ଗାମୁଛା ଘେରରେ ଘରଟିଏ କରିବା ପାଇଁ । ତେଣେ ରୀତି
ସେହି ଘରବାହାରେ ଷଢେଇ ଆଣି ଚୁଲି ପାରିବାରେ ଲାଗିପଡେ । ତାପରେ ତାଙ୍କ
ଝିଅ ଶୋଇବା ପାଇଁ ମସିଣା ଖୋଜାଯାଏ । ଖୋଜୁ ଖୋଜୁ
ଘରୁ ମିଳିଯାଏ ଗୋଟେ ଛିଣ୍ଡା କନା । ବାଃ, ଆଉ
କଣ ଦରକାର । ରୀତି ଝିଅକୁ
ନେଇ ଛିଣ୍ଡା କନାର ମସିଣା ଉପରେ ଶୋଇଦିଏ । ସୁକା ଚାଲେ
କାଠ ଆଣିବାକୁ ଆଉ କିଶୁ ଯାଏ
ବିଲ କାମରେ । ଏଣେ ରୀତି
ଷଢେଇର ଚୁଲି ଉପରେ ରାନ୍ଧିବାକୁ ବସିପଡେ । କିଛି ସମୟ
ପରେ କିଶୁ ଓ ସୁକା କାମରୁ
ଫେରି ବଡ ଲୋକଭଳି ଥକାମାରି
ବସିବାର ଅଭିନୟ କରୁଥାନ୍ତି । ରୀତି ସଙ୍ଗେ
ସଙ୍ଗେ ପାଣି ଆଣି ତାଙ୍କୁ ପିଇବାକୁ ଦିିଏ । ଠିକ୍ ଏହି
ସମୟରେ କେଜାଣି କାହିଁକି ରୀତି ଦୌଡିଯାଇ କଣ୍ଢେଇଟିକୁ ଉଠାଇ ଆଣି ଗେଲ କରିବାରେ ଲାଗିପଡେ । ମୋ ମା’ଟା କିଛି ଖାଇନି
ଲୋ । ସେମିତି ସକାଳ
ପହରୁ ଶୋଇଛି ଯେ ଶୋଇଛି ।
କାନ୍ଦ ନାହିଁ କି ବୋବା ନାହିଁ
। ବାଡିପୋଷା ବିରାଡିଟି ଡେଇଁପଡିବାରୁ ମୋ ସୁନାର ନିଦ
ଭାଙ୍ଗିଗଲା । କିଶୁ
ଆଉ ସୁକା ଦୁଇଜଣ ରୀତିର ସେ ପ୍ରିତୀବୋଳା କଥାରେ
ହଜିଯାଇ ବାପା ଓ ଦାଦା ହେବାର
ମୁହୁର୍ତ୍ତକୁ ଅନୁଭବ କରୁଥାନ୍ତି । କି ଆବେଗଭରା
ସେ ଦୃଶ୍ୟ ।
ଏମିତି
ଅବଚେତନ ମନଭିତରୁ ବନାରୀମଉସା ବାହାରି ଆସିବା ପୂର୍ବରୁ ଏକ ବ୍ୟଗ୍ରତାର ଶଦ୍ଦ
ମନକୁ ବିଚ୍ୟୁତ କରିଦିଏ । ଯାଇଁଲେ ବନାରୀବାବୁ
ସକାଳୁ ଖବର କାଗଜରେ ପଢିଥିଲି ମୋବାଇଲ୍ରେ ବ୍ଲହ୍ୱେଲ୍ ଖେଳ
ଖେଳି ବାରବର୍ଷ ବାଳକର ଆତ୍ମ ହତ୍ୟା ପୁଣି ଏବେ ଶୁଣିଲି ମୋର ସେ ସାଙ୍ଗ ଶ୍ୟାମପଦ
ନାତିର ବୟସ ମାତ୍ର ଆଠବର୍ଷ, ହେଲେ ସବୁବେଳେ ସେ ମୋବାଇଲ୍ ଓ
କମ୍ପୁଟରରେ ଗେମ୍ ଖେଳିଖେଳି ତା’ର ଆଖିରେ
ଆଜି ଜଣେ ପଚାଶବର୍ଷ ବୟସ ପାଇଁ ଯେଉଁ ପାୱାର ଚଷମା ଦରକାର ସେହି ଚଷମା ସେ ଲଗେଇବାକୁ ଡାକ୍ତର
ତାକୁ ପରାମର୍ଶ ଦେଇଛନ୍ତି । ଏକଥା ଶୁଣି
ବନାରୀ ମଉସା ଭାବି ବସନ୍ତି ବାସ୍ତବରେ ଆଜିର ଏବେଳ ପୁରାପୂରି ବଦଳି ଗଲାଣି । ମାଟିର ସେ
ମୋଟା କାନ୍ଥ ଥିବା ଘର ଆଉ ନାହିଁ
କି ଯୈାଥପରିବାର ନାହିଁ । ପିଲାମାନଙ୍କ ଭିତରେ
ସେପରି ଖେଳ ବି ଆଉ ଦେଖାଯାଉନି
। ମୋବାଇଲ୍ ଗେମ୍, ଦୂରଦର୍ଶନ ଓ କମ୍ପୁଟର୍ରେ
ଗେମ୍ ଖେଳିଖେଳି ସେମାନେ ଅବାସ୍ତବ ଦୁନିଆରେ ବୁଡିରହି ଜୀବନର ଆବଶ୍ୟକ ସେ ପ୍ରେମ ପ୍ରିତୀଭରା
ହୃଦୟଠୁ ଦୂରେଇ ଯିବା ସହିତ ଅନେକ କିଛି ହରାଉଛନ୍ତି । ଏ ଦୁଇଟି
ବେଳ ଭିତରେ ତୁଳନା କଲେ ବେଳେବେଳେ ବୁଝି ହେଉନିି ସତରେ କିଏ ଭଲ ଥିଲା ସେବେଳ
ନା ଅଛି ଆଜିର ଏବେଳ ।
*******
No comments:
Post a Comment