ଈଶ୍ୱରଚନ୍ଦ୍ର
ନାୟକ
ବାଙ୍ଗୁଋଷ
ପାଟଣା, ଭାଣପୁର
ପୁରୀ-୭୫୨୧୧୪
ମୋ-୯୭୭୮୫୧୯୬୭୮
ସେବେଳ
ନା ଏବେଳ(୧୩)
ଛବିଷ ବର୍ଷ ବୟସରେ ବଳରାମ ମାଷ୍ଟ୍ରେଙ୍କ ବିବାହ ହୋଇଥିଲା । ମାତ୍ର କେତେ
ଦିଅଁ ଦେବତା ପୂଜିଲାରୁ ବିବାହର ଉଣେଇଶି ବର୍ଷ ପରେ ଷଠିଦୁଷି ତାଙ୍କୁ ଦୁଇବର୍ଷ ବ୍ୟବଧାନରେ ଦୁଇଟି ପୁତ୍ର ସନ୍ତାନ ଆଶିର୍ବାଦ କଲେ । କଥାରେ ଅଛି
ଏ ଜନ୍ମର କର୍ମ ଯେତେ ପୂଣ୍ୟ ହେଉନା କାହିଁକି ପ୍ରାରବ୍ଧ କର୍ମର ଫଳ ମନୁଷ୍ୟକୁ ଭୋଗିବାକୁ
ହିଁ ପଡିଥାଏ । ତେଣୁ ତାଙ୍କୁ
ଯେତେବେଳେ ବାସ୍ତରୀ ବର୍ଷ ସେତେବେଳକୁ ଯାଇ ବଡ ପୁଅର ବିବାହର
ତିଥୀ ଫିଟେ ।
ବଳରାମ
ମାଷ୍ଟ୍ରେଙ୍କ ଗୋଡ ତଳେ ଲାଗୁ ନଥାଏ, ବଡ ପୁଅର ବାହାଘର
ସେଦିନକୁ ଆଉ ଅଠେଇଶଦିନ ବାକିଥାଏ
। କେମିତି ସବୁ ଭଲରେ ଭଲରେ ହେବ ସବୁ ଅତିଥିମାନେ ଠିକ୍ ଚର୍ଚ୍ଚା ହେବେ । ପୁଅ ସାଥିରେ
ଯିବାକୁଥିବା ବରଯାତ୍ରୀ ମାନେ ମଧ୍ୟ ବନ୍ଧୁ ଘରେ କିପରି ଭଲରେ ଚର୍ଚ୍ଚାହୋଇ ଫେରିକି ଆସିବେ ଏଇ ଚିନ୍ତାରେ ବ୍ୟସ୍ତ
ଥାଆନ୍ତି । ଏମିତି ବି
ମନ ତାଙ୍କର କୁଣ୍ଢେମୋଟ ଥାଏ କାରଣ ତାଙ୍କ ଜୀବନରେ ଜଣେ ଶିକ୍ଷକ ହିସାବରେ ସମସ୍ତ ସୁକର୍ମର ଫଳ ବିଶ୍ୱନିୟନ୍ତା ତାଙ୍କୁ
ଦେଇଛନ୍ତି । ତାଙ୍କ ଜୀବଚର୍ଯ୍ୟାରେ
ସେ ଥାନ୍ତି କର୍ମବାଦୀ । କର୍ମ ହିଁ
ମନୁଷ୍ୟର ଭାଗ୍ୟ ନିରୁପଣ କରେ ଏଇ ବିଶ୍ୱାସରେ ଜୀବନର
ସମସ୍ତ କର୍ମକୁ ସେ ସୁଚାରୁ ରୂପେ
ସମ୍ପାଦନ କରିଛନ୍ତି । ଅନେକ ଗରିବ
ପିଲାଙ୍କୁ ନିଜ ଖର୍ଚ୍ଚରେ ପଢାଇ ମଣିଷ କରି ଛାଡିଛନ୍ତି । ପ୍ରକୃତିରେ ଲୋଭି
ମଧ୍ୟ ସେ ନୁହେଁ ।
ଖୁବ୍ ଭଗବତ ବିଶ୍ୱାସୀ । ଜୀବନଯାକ ପିଲାଙ୍କୁ
ପାଠ ପଢାଇବା ବେଳେ ସେମାନଙ୍କ ଚରିତ୍ର ନିର୍ମାଣରେ ଖୁବ୍ ଗୁରୁତ୍ୱ ଦେଇଛନ୍ତି । କେତେ ବାଳୁଙ୍ଗା
ପିଲାଙ୍କୁ ମଧ୍ୟ ନିଜ ବାକ୍ୟ ଏବଂ ବାଡିରେ ସାବାଡ କରି ଭଲ ମଣିଷ କରି
ଗଢି ତୋଳିଛନ୍ତି । ସେ ଅଞ୍ଚଳରେ
ଜଣେ ଖୁବ୍ ଜନପ୍ରିୟ ଶିକ୍ଷକ । ଆଖପାଖ ସବୁ
ଗାଁରେ ଯାନିଜାତ୍ରା ମେଳା ମୈାତ୍ସବରେ ତାଙ୍କର ଉପସ୍ଥିତି ସମସ୍ତଙ୍କ ପାଇଁ ନିହାତି ଲୋଡା । ଗାଁର କେଉଁ
କଳିଝଗଡାର ନ୍ୟାୟନିସାପ ହେଉ ଅବା ଝିଅପୁଅ ବାହାଘରର ଛିଣ୍ଡାତୁଟା ହେଉ ସବୁଥିରେ ୟାଙ୍କର ଉପସ୍ଥିତ ଅନିବାର୍ଯ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କ ସ୍କୁଲକୁ
ଯିବା ଆସିବା ସମୟ ଗାଁର ଚାଷିମୂଲିଆଙ୍କ ଘଣ୍ଟାର ସମୟ କହିଲେ ଚଳିବ । ସମସ୍ତଙ୍କର ତାଙ୍କ
ଉପରେ ଅଗାଧ ଥିଲା ବିଶ୍ୱାସ । ଯେଉଁଦିନ ସେ
ଚାକିରୀରୁ ଅବସର ନେଇଥିଲେ ଆଖପାଖ ଗାଁର ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଆଖିରେ ଥିଲା ଲୁହ ।
ବୋଧହୁଏ
ସେଇ ଲୋକମାନଙ୍କ ଭଲପାଇବା ଓ ତାଙ୍କ ସଚ୍ଚୋଟ
କର୍ମ ତାଙ୍କ ପାଇଁ ଆଶିର୍ବାଦ ପାଲିଟିଛି । ଆଜି ବଡପୁଅ
ପଞ୍ଜାବ ନ୍ୟାସିନାଲ୍ ବ୍ୟାଙ୍କର ପ୍ରୋବେସନାରୀ ଅଫିସର୍ ଭାବେ କାର୍ଯ୍ୟରତ ଥିବାବେଳେ ସାନପୁଅ ଆଇ.ଆଇ.ଟି.
ଖଡଗପୁରର ମେକାନିକାଲ୍ ବ୍ରାଞ୍ଚ୍ର ଦ୍ୱିତୀୟ ବର୍ଷର
ଛାତ୍ର । ତେଣୁ
ସମଗ୍ର ଅଞ୍ଚଳବାସୀ ବିଭାଘରକୁ ଆସିବେ । ବିଭାଘର ଖୁବ୍
ଯାକଜମକରେ ହେବ । ଅଞ୍ଚଳବାସୀ ତାଙ୍କୁ
ଦେଇଥିବା ମାନସମ୍ମାନ, ସ୍ନେହ, ପ୍ରୀତି ସବୁ ସେ ଏଇଠି ହିଁ
ଶୁଝିବାକୁ ଚେଷ୍ଟାକରିବେ । ସେଥିପାଇଁ
ଖୁବ୍ ଚିନ୍ତା ମନରେ । ମାଷ୍ଟ୍ରେ ଆଉ
ତାଙ୍କ ପତ୍ନୀ ସିନା ଗାଁରେ ହେଲେ ବଡପୁଅର ପୋଷ୍ଟିଙ୍ଗ୍ କଟକରେ ହୋଇଥିବାରୁ ଦୁଇପୁଅ କଟକରେ ରୁହନ୍ତି । ମାଷ୍ଟ୍ରେ
ମନେମନେ ବିଚାର କରନ୍ତି ଆସନ୍ତା ରବିବାର ଦିନ ପୁଅମାନେ ଘରକୁ ଆସିଲେ ବିବାହରର ସବୁ ସରଞ୍ଜାମର ତାଲିକା ପ୍ରସ୍ତୁତ କରିବେ ଏବଂ ସମସ୍ତଙ୍କୁ ସବୁ ଦାୟୀତ୍ୱ ବାଣ୍ଟି ଦେବେ ।
ସତକୁ
ସତ ସେଇଆ କରନ୍ତି । ଦୁଇପୁଅ ଶନିବାର
ଦିନ ରାତିରେ ଆସି ଘରେ ପହଞ୍ଚନ୍ତି । ମାଷ୍ଟ୍ରେ କୁହନ୍ତି
ଆରେ ପିଲେ କାଲି ସକାଳେ କେହି କୁଆଡେ ଯିବନାହିଁ ବସିକି ବିଭାଘର ତାଲିକା କରିବା । ତା’ ପର
ଦିନ ସକାଳୁ ବାପାମା ପୁଅ ଚାରିଜଣରେ ତାଲିକା ଲେଖା ହେବା ଆରମ୍ଭ ହୁଏ । ତା’ପୂର୍ବରୁ
ପିଲାଙ୍କ ସହିତ ପରାମର୍ଶ କରି ରିସେପ୍ସନ୍ ଦିନର ଦୁଇ ହଜାର ଲୋକଙ୍କର ଭୋଜିର ଆୟଟମ ଅନୁସାରେ ରୋଷେୟାଙ୍କଠାରୁ ଚିଠା ନେଇ ଆସିଥାନ୍ତି । ସବୁ ଗୋଟି
ଗୋଟି କରି ଲେଖା ଚାଲେ । କେଉଁ ଜିନିଷ
କେଉଁଠାରୁ ଆସିବ ଓ ଆଣିବା ଦାୟିତ୍ୱ
କାହାର ଓ କେବେ ସୁଦ୍ଧା
ଆଣିବ ତାହା ଲିପିବଦ୍ଧ ହୁଏ । ସବୁ ଶେଷହେବା
ବେଳକୁ ସାନପୁଅ ମଣ୍ଟୁ କହେ ବାପା ଗାଁ ଭୋଜି ଓ ବରଯାତ୍ରୀଙ୍କ ପାଇଁ
ଗୋଟିଏ ପେଟି ବିୟର ଓ ଦଶଟା ହାର୍ଡ
ଆସିବ । ବଳରାମ ମାଷ୍ଟ୍ରେ
ଏହା ଶୁଣିବା ମାତ୍ରେ ଉତ୍ତ୍ୟକ୍ତ ହୋଇଯାଆନ୍ତି । କ୍ରୋଧାନ୍ୱିତ ହୋଇ
କହନ୍ତି ତୁମମାନଙ୍କ ମୁଣ୍ଡ କାମ କରୁଛି ନା ନାହିଁ ।
ମଦ ପୁଣି ଆମଘର ଭୋଜିରେ । ଏହା ଆଦ୍ୟୈ
ସମ୍ଭବ ନୁହେଁ । ବଡପୁଅ ଟୁଟୁ
କହେ ବାପା ବିରକ୍ତ ହୁଅନି । ଯୁଗ ବଦଳି
ଗଲାଣି । ତୁମେ ଲକ୍ଷେ
ପ୍ରକାର ଖାଦ୍ୟ ଦିଅନା କାହିଁକି ଯଦି ଆଜିକାଲି ମଦ ପିଇବାକୁ ନଦେବ
ସମସ୍ତେ କହିବେ ଏଡେ ସୁଣ୍ଠାଟା ଯେ ଟୋପେ ନାଲିପାଣି
ପରା ପିଇବାକୁ ଦେଲାନି । ସାଙ୍ଗସାଥୀମାନେ ଶୁଖିଲାକାଠ,
କେନ୍ଦୁକାଠ ଇତ୍ୟାଦି କହି ବହୁତ ଟାହିଟାପରା କରିବେ । ଆମେ ସେମାନଙ୍କୁ
ଆଉ ମୁହଁ ଦେଖାଇ ଚାଲି ପାରିବୁନି । ବଳରାମ ମାଷ୍ଟ୍ରେ
ଖଟ କାନ୍ଥକୁ ଆଉଜି ପଡି କୁହନ୍ତି ହଉ ତୁମେ ସବୁ
ଏଠାରୁ ଯାଅ । ବାପାଙ୍କର ମନ
ଦେଖି ଦୁଇଭାଇ ସେଠାରୁ ଉଠି ପଳାନ୍ତି । ହାତରୁ ପେନ୍ଟି ତଳେ ଥୋଇ
ଦେଇ ହଜି ଯାଆନ୍ତି ଅତୀତର ସ୍ମୁତିରେ । ଭାବି ବସନ୍ତି ନିଜ
ଶିକ୍ଷକତା କାଳରେ ଦିନେ ତାଙ୍କ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କ ବେତ ଛୁଏଁଇ ଶପଥ କରେଇଥିଲେ ଯେ ବଡହେଲେ କେହି
ମଦ ପିଇବ ନାହିଁ ହେଲେ ଆଜି ସିଏ ନିଜେ କିପରି ଲୋକମାନଙ୍କୁ ମଦ ବାଣ୍ଟିବେ ।
ଦିନ ଥିଲା ପିଲା ହୋଇ ଘର ଲୋକଙ୍କ ଆଗରେ
ମଦ ଶବ୍ଦ ପାଟିରେ ଧରିବା ମାଡକୁ ବରଣ କରିବା ସଙ୍ଗେ ସମାନ । ଧର୍ମସଙ୍କଟରେ ପଡିଲା
ପରି ମନେକରି ଏ ସାମାଜିକ ପରିବର୍ତ୍ତନକୁ
ଖୁବ୍ ଧିକ୍କାର କରନ୍ତି । ନିଜ ଔରଷରୁ
ଜାତ ସନ୍ତାନ ବି ଆଜି ନିଜ
ପିତା ଆଗରେ ମଦ ବାଣ୍ଟିବା କଥା
କହି ପାରୁଛନ୍ତି । ମନେମନେ କହି
ଉଠନ୍ତି ହେ ପ୍ରଭୁ ମୁଁ
ବୁଝି ପାରୁନି ଭଳଥିଲା ସେବେଳ ନା ଆଜି ଭଲ
ଏବେଳ ।
*******
No comments:
Post a Comment