search in www.iswarchandraworld.blogspot.com

Saturday, 8 May 2021

ସେବେଳ ନା ଏବେଳ(୧୫)

 

ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁଋଷ ପାଟଣା, ଭାଣପୁର

ପୁରୀ-୭୫୨୧୧୪

ମୋ-୯୭୭୮୫୧୯୬୭୮

ସେବେଳ ନା ଏବେଳ(୧୫)

      ପଞ୍ଚୁବାବୁ ଦୋକାନର କ୍ୟାସ୍ କାଉଣ୍ଟରରେ ବସନ୍ତି । ଦୁଇଜଣ ସେଲସ୍‌ମ୍ୟାନ ଗରାଖ ମାନଙ୍କୁ ଯାହା ଦିଅନ୍ତି ତା’ର ହିସାବ କରି ପଇସା ରଖିବା ତାଙ୍କର ଥାଏ କାମ । ସବୁଦିନ ସେ ବସନ୍ତି ନାହିଁ । ମନ ହେଲେ ବସନ୍ତି ନଚେତ୍ ପୁଅ ଯେଉଁଦିନ କେଉଁଆଡେ କାମରେ ଯାଏ ଅବା ମାଲ୍ ପାଇଁ ଯାଇଥାଏ ସେଦିନ ବସିବାକୁ ବାଧ୍ୟ । ଦୋକାନଟି ପିପିଲି-କୋଣାର୍କ ମୂଖ୍ୟ ରାସ୍ତା କଡରେ ହୋଇଥିବାରୁ ଦିନ ତମାମ କୋଣାର୍କ ବୁଲିବାକୁ ଯାଉଥିବା ଅନେକ ଲୋକ ତାଙ୍କ ଦେକାନକୁ ଆସିଥାନ୍ତି । କିଏ ଥଣ୍ଡା ପିଏତ କିଏ ବିସ୍କୁଟ ଅବା ପାଣିବୋତଲ, ସ୍ନାକ୍ସ ଆଦି କିଣିଥାନ୍ତି । ଦୋକାନରେ ବସିବା ସମୟରେ ପଞ୍ଚୁବାବୁ ମୂଖ୍ୟ ରାସ୍ତାରେ ଯିବା ଆସିବା କରୁଥିବା ମଟର ଗାଡି ଓ ଲୋକମାନଙ୍କୁ ଦେଖି ଅନେକ କଥା ଭାବି ବସନ୍ତି । ବେଶୀ ଭାବନ୍ତି ଯୁବପିଢୀ ମାନଙ୍କ ବିଷୟରେ । ସେ ଗୋଟିଏ କଥାକୁ ଭଲଭାବରେ ହୃଦୟଙ୍ଗମ କଲେଣି ଦିନକୁ ଦିନ ଏହି ରାସ୍ତାରେ ଯୁବକ ଯୁବତୀମାନଙ୍କର ମଟର ସାଇକେଲରେ ଯିବା ଆସିବାଟା ବଢିଚାଲିଛି । ବିଚାରି ବସନ୍ତି ଭୂବନେଶ୍ୱରରେ ପୁଞ୍ଜା ପୁଞ୍ଜା ଉଚ୍ଚ ଶିକ୍ଷାନୁଷ୍ଠାନ ଓ ସରକାରଙ୍କର ନାରୀ ଶଶକ୍ତି କରଣର ନାରା ଏ ଝିଅ ମାନଙ୍କର ସଂଖ୍ୟା ଓ ଆଧୁନିକ ମନୋଭାବକୁ ଆଶାତୀତ ଭାବେ ବଢାଇ ଦେଇଛି । ଆଧୁନିକ ପିଢୀର ବୟଫ୍ରେଣ୍ଡ-ଗାର୍ଲଫ୍ରେଣ୍ଡର ପରମ୍ପରା ଏଭଳି ଯୁବକଯୁବତୀ ମାନଙ୍କୁ ଏକାକୀ ମଉଜମସ୍ତିରେ ଯିବାର ବାରମ୍ବାରତାକୁ ମଧ୍ୟ ବଢେଇ ଦେଇଛି । ସେ ବେଶୀ ବିସ୍ମିତ ହୁଅନ୍ତି ଯେତେବେଳେ ଅନେକ ମଟର ସାଇକେଲରେ ଯୁବତୀ ମାନେ ଦସ୍ୟୁ ଫୁଲନ୍ ଦେବୀ ଭଳି ମୁହଁରେ କଳା ଓଢଣୀଟି ଗୁଡେଇ ଦେଇ ଯୁବକମାନଙ୍କୁ ପଛପଟୁ ଆଲିଙ୍ଗନ କଲାଭଳି ମୁଦ୍ରାରେ ବସିଥିବାର ଦେଖନ୍ତି । ଏମିତି କାହିଁକି? ଯଦି ସେମାନେ ପରସ୍ପର ସାଙ୍ଗ ତେବେ ମୁହଁ ଲୁଚାଇବାର ଅଭିପ୍ରାୟ କ’ଣ । କେତେକ କୁହନ୍ତି ସୂର୍ଯ୍ୟଙ୍କ ଟାଣ ଖରା ଆଉ ଧୂଳି ଧୂଆଁରୁ ମୁହଁକୁ ବଞ୍ଚାଇବା ପାଇଁ ଏ ଯୁବତୀ ମାନଙ୍କ କୁଆଡେ ଏମିତି ବେଶ । ସମୟେ ସମୟେ ଜୀବନ ପରିପକ୍ୱତାର ଦ୍ୱାହିଦେଇ ଏ କଥାକୁ ଗ୍ରହଣ କରିନିଅନ୍ତି ସତ ହେଲେ ତାଙ୍କ ମନ ମାନେନି ।

      ହେଲେ ସେଦିନ ଅପ୍ରତ୍ୟାଶିତ ଭାବେ ତାଙ୍କ ଦୋକାନ ସାମନାରେ ଘଟିଯାଇଥିବା ଘଟଣାକୁ ସ୍ୱକ୍ଷୁରେ ଦେଖି ସେ ଖୁବ୍ ଦୁଃଖିତ ହୋଇପଡନ୍ତି । ସେଦିନ ପୁଅ ଦୋକାନରେ ନଥାଏ । ପଞ୍ଚୁବାବୁ ନିଜର ଚିରାଚରିତ ଧଳାହାଫ୍ ସାର୍ଟ ଓ କଳା ଫୁଲପ୍ୟାଣ୍ଟ୍ ଟିଏ ପିନ୍ଧି କ୍ୟାସ୍ କାଉଣ୍ଟରରେ ବସିଥାନ୍ତି । ଦୂରରୁ ଯେ କୌଣସି ବ୍ୟକ୍ତି ଦେଖୁନା କାହିଁକି ତାଙ୍କର ହାବଭାବ ଦେଖିଲେ ବୁଝିନେବ ଯେ ସେ ଜଣେ ଉଚ୍ଚଶିକ୍ଷିତ ଓ ପ୍ରତିଷ୍ଠିତ ବ୍ୟକ୍ତି । ସନ୍ଧ୍ୟା ୫ଟା ସମୟରେ ହଠାତ୍ ତିନୋଟି ନୂଆ ରୟାଲ ଏନ୍‌ଫିଲ୍ଡ ମଟର ସାଇକେଲ୍ ଆସି ଦୋକାନ ସାମନାରେ ଠିଆ ହୋଇଯାଏ । ପ୍ରତ୍ୟେକ ଗାଡିରେ ଜଣେ ଯୁବକ ଓ ଆଉ ଜଣେ ଯୁବତୀ ଥାନ୍ତି । ଯୁବକ ତିନିଜଣ ଯାକ ଚେହେରାରେ ଡଉଲ ଡାଉଲ ଓ ବଡଘରର ପିଲାପରି ଲାଗୁଥାନ୍ତି । ଯୁବତୀ ତିନିଜଣ ତାଙ୍କଠୁ ବଳି । ଜଣେ ଫୁଲନ୍ ଦେବୀ ବେଶରେ ଥିବା ବେଳେ ଆଉ ଦୁଇଜଣ ପୁଅପିଲା ବେଶରେ । ସଭିଏଁ ପୁରାପୁରି ଆଧୁନିକତାର ଉଗ୍ରବାଦରେ ରଙ୍ଗୀନ୍ । ଦୋକାନରୁ ଛଅଟି ଥଣ୍ଡା ବୋତଲ କିଣନ୍ତି । ସମସ୍ତେ ଢୋକେ ଦିଢୋକ ପିଇସାରିଲା ପରେ ଜଣେ ଯୁବକ ଗୋଟିଏ ମଦ ବୋତଲଟିଏ କାଢି ସମସ୍ତଙ୍କ ଥଣ୍ଡା ବୋତଲରେ କିଛି କିଛି ମଦ ମିଶେଇଦିଏ ଓ ସମସ୍ତେ ବହୁ ଆଡମ୍ବରରେ ପିଇ ଚାଲନ୍ତି । ଏପରି ଉନ୍ମାଦନାରୁ ଏମାନେ ସମାଜର କିପରି ଓ କ’ଣ ମଙ୍ଗଳ ସାଧନା କରିବେ? ଏମାନେ କି ଶିକ୍ଷା ପାଉଛନ୍ତି ଆମ ସମାଜର ବଡବଡ ଶିକ୍ଷାନୁଷ୍ଠାନ ମାନଙ୍କରୁ? ସେମାନଙ୍କୁ କିଛି କହିବାର ଅଧିକାର ୟାଙ୍କ ପାଖରେ ନାହିଁ କିମ୍ବା ଆଇନସମ୍ମତ ମଧ୍ୟ ନୁହେଁ ।

       ଏହି ମନକ୍ଳିଷ୍ଟରେ ମନେ ପଡିଯାଏ ତାଙ୍କ ଯୁବାବସ୍ଥାର କଥା । ଦିନଥିଲା ଝିଅମାନେ ଅଜଣା ପୁଅମାନଙ୍କୁ ସାମନା ସାମନି କଥା ହେବାକୁ ଲଜ୍ଜା ବୋଧ କରୁଥିଲେ । ସେମାନଙ୍କର ବେଶଭୁଷାରେ ଏତେ ଶାଳିନତା ଥିଲା ଯେ ଅନ୍ୟ କେହି ତାଙ୍କ ବିଷୟରେ ଖରାପ ଚିନ୍ତା ଆଣିବା ବି କଷ୍ଟ । ନାରୀର ସର୍ବୋତ୍ତମ ଗହଣା କୁହାଯାଉଥିବା ଲଜ୍ଜା ଓ ନମ୍ରତା ସେମାନଙ୍କ ରକ୍ତରେ ପ୍ରବାହିତ ହେଉଥିଲା । ବଡ ଝିଅ ପିଲାମାନେ ମଟର ସାଇକେଲ୍ ପଛରେ ଦୁଇପଟିଆ ଗୋଡବୁଲେଇ ବସିବାକୁ କୁଣ୍ଠାବୋଧ କରୁଥିଲେ । ଯଦି କେବେ ବସୁଥିଲେ ଗୋଟିଏ ପଟକୁ ଦୁଇଟି ଗୋଡ କରି ଖୁବ୍ ସଂଭ୍ରମରେ ବସୁଥିଲେ । ଏହା ଧରି ନେବା ଭୁଲ୍ ଯେ ସେମାନେ ସାହାସୀ ନଥିଲେ । ସେମାନଙ୍କ ପାଖରେ ଖୁବ୍ ସାହାସ, ଧୈର୍ଯ୍ୟ ଓ ଦମ୍ଭ ମଧ୍ୟ ଥିଲା । ପାରିବାରିକ ପରିସ୍ଥିତିକୁ ମୁକାବିଲା କରିବାରେ ସେମାନଙ୍କର ଯୋଗଦାନ ମଧ୍ୟ ଅତୁଳନୀୟ ଥିଲା । ସେବେଳାରେ ସମାଜରେ ନଥିଲା ଏତେ ବଳତ୍କାର ଓ ଗଣଧର୍ଷଣ ଭଳି ସାମାଜିକ କଳଙ୍କ । ସେତେବେଳେ ବି ସାଙ୍ଗ ଥିଲେ । ପୁଅଝିଅ ଭିତରେ ପ୍ରେମ ସମ୍ପର୍କଥିଲା । ହେଲେ ସବୁଥିଲା ନୈସର୍ଗିକ । ଭଲପାଇ ବସିଲେ ନିଜ ପ୍ରେମିକ ଅବା ପ୍ରେମିକାର ଖୁସି ପାଇଁ ଜୀବନ ଦେବାକୁ କୁଣ୍ଠା ବୋଧ କରୁନଥିଲେ । ତାଙ୍କର ସେ ପ୍ରେମକୁ ଦାଣ୍ଡରେ ହାଟ କରିବାକୁ ତାଙ୍କ ଆତ୍ମା ତାଙ୍କୁ ଅନୁମତି ପ୍ରଦାନ କରୁନଥିଲା । ମନଭିତରେ ନିଜର ଭଲପାଇବାକୁ ସାଇତି  ରଖୁଥିଲେ । ସେବେଳର ଚଳଚିତ୍ର ଓ ନାଟକ ମାନ ମଧ୍ୟ ସେମିତି ଥିଲା । ଆଜିର ବୟଫ୍ରେଣ୍ଡ ଓ ଗାର୍ଲଫ୍ରେଣ୍ଡର ଭାବଧାରାରେ ପ୍ରତି ଜାଡରେ କମ୍ବଳ ବଦଳେଇଲା ଭଳି ନିଜର ପ୍ରେମିକ ଅବା ପ୍ରେମିକା ବଦଳଉ ନଥିଲେ । ସେବେଳର ପ୍ରେମଥିଲା ଚିରନ୍ତନ । ଜଣକ ପାଖରେ ଆରମ୍ଭ ତ ଶେଷ ସେଇଠି ହିଁ ହେଉଥିଲା । ଏମିତି ଭାବନା ରାଇଜରୁ ନିଜକୁ ଫେରାଇ ଆଣିବା ଭିତରେ ଉପସଂହାରରେ ପହଞ୍ôଚପାରନ୍ତିନି ସତରେ କିଏ ଥିଲା ଭଲ ସେବେଳ-ନା-ଅଛି ଆଜିର ଏବେଳ ।

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS