ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
୯୭୭୮୫୧୯୬୭୮
ଭାଗବତ ଟୁଙ୍ଗୀର କାୟା ପରିବର୍ତ୍ତନ
ଆଜକୁ ପ୍ରାୟ ତିନି ଦଶନ୍ଧି ତଳେ ଆମରାଜ୍ୟର ପ୍ରାୟ ପ୍ରତି ଗାଁର ମଝିରେ ହେଉ ଅବା ଗାଁ ମୁଣ୍ଡରେ ହେଉ ଦେଖୁବାକୁ ମିଳୁଥିଲା ଗୋଟିଏ ଚାଳଛପର ଓ ମାଟି କାନ୍ଥରେ
ତିଆରି ନେଫା ଘରଟିଏ ଯାହାଭିତରେ ପୁଜା ପାଉଥିଲେ ଭାଗବତପୋଥି ଓ ଘରଟିର ନାଁ
ଥିଲା ଭାଗବତ ଟୁଙ୍ଗୀ । ଗାଁରେ ବସବାସ
କରୁଥିବା ଅଧିବାସୀମାନଙ୍କର ଚାଲିଚଲଣ, ଆଚାର ବ୍ୟବହାର, ଚାରିତ୍ରିକ ସଂରଚନା, ଭାବଭଙ୍ଗୀ ଓ ଜୀବନ ଜିଇଁବାର
ଶୈଳୀ ସତେଯେମିତି ଏହି ଭାଗବତ ଟୁଙ୍ଗୀ ଦ୍ୱାରା ସର୍ବାଗ୍ରେ ପ୍ରଭାବିତ ହେଉଥିଲା । ଅତିବଡି ଜଗନ୍ନାଥ
ଦାସଙ୍କ ରଚିତ ଶ୍ରୀମଦ୍ଦ ଭାଗବତ ରସାମ୍ବୃତ ହେଉ, ଶାରଳା ଦାସ ରଚୟିତ ଓଡିଆ ମହାଭାରତ ହେଉ ଅବା ବାଲ୍ମିକୀଙ୍କର ସାତଭାଗ ରାମାୟଣ ହେଉ ପ୍ରତ୍ୟକ ଗ୍ରନ୍ଥର ଭାବ ଓ ଆବେଗକୁ ଭାଗବତ
ଟୁଙ୍ଗୀର ଶ୍ରୋତାଙ୍କ ମଧ୍ୟରେ ଗାଁର ପଣ୍ଡିତ ଏପରି ଭାବରେ ପରିବେଷଣ କରୁଥିଲେ ଯେ ସମସ୍ତେ ହେଉଥିଲେ
ସ୍ତବ୍ଧ, ଶାନ୍ତ, ଅନ୍ତର୍ମୂଖୀ ଓ ସ୍ୱଅନୁଶାସିତ ।
ସେତେବେଳର ମନୁଷ୍ୟ ବସ୍ତୁବାଦୀ ବାସନାର ବହିଃର୍ଭାଗରେ ବଞ୍ଚିରହି ଜୀବନକୁ ଶାନ୍ତିର ବସନ୍ତରେ ବାନ୍ଧି ରଖିଥିଲା । ତା ଜୀବନରେ
ନଥିଲା ସେତେଟା ତୁଳନାତ୍ମକ ଅନୁଶୋଚନା, ପରଶ୍ରୀକାତରତା, ହିଁସା ଓ ଦ୍ୱେଷ । ପ୍ରତିଟି
ସକାଳର କାଉ ର ‘କା’ ଶଦ୍ଦରେ
ନିଦ୍ରାର ଅଳସ ପଣିଆକୁ ଛାଡିଦେଇ
ଗତରାତିର ଭାଗବତ ଟୁଙ୍ଗୀରୁ ଉଦ୍ଭାସିତ ବିଭୂଭାବନାକୁ ମନମଧ୍ୟେ
ଟିକେ ସାଉଁଟି ଧରି ଜୀବନକୁ ସେଦିନପାଇଁ କରିଚାଲୁଥିଲା କର୍ମଚଞ୍ଚଳ । ଶିକ୍ଷା ରହିତ
ଥାଇ ମଧ୍ୟ ଶାରିରୀକ ସୁଖ ଅପେକ୍ଷା ଆତ୍ମସଖରେ ଅଧିକ ମଜଗୁଲ୍ ରହିବାକୁ ପସନ୍ଦ କରୁଥିଲା । ଜୀବନର ପ୍ରକୃତ
ସତ୍ୟକୁ ସତେଅବା ବୁଝିଯାଇଥିଲା । କୌଣସି ମହାପୁରୁଷ
ଅବା ପଣ୍ଡିତଙ୍କ ଜ୍ଞାନବାଣୀ କୁ ନିସନ୍ଦେହରେ ବିଭୂଙ୍କ
ବିଭୂତି ଭାବି ସେଥିରେ ବିମ୍ମୋହିତ ହୋଇ ବିଶ୍ୱର ବିଷୟାଜଞାଳରୁ ବଞ୍ଚିରହିବାକୁ ସଦାସର୍ବଦା ରହୁଥିଲା ଯତ୍ନଶୀଳ ।
ସେତେବେଳର ଗାଁର ଭାଗବତ ଟୁଙ୍ଗୀଥିଲା ଗାଁର ଶାନ୍ତିସ୍ଥଳ । ଜୀବନର ପ୍ରକୃତ
ସତ୍ୟ ଓ ଅର୍ଥକୁ
ଉନ୍ମୋଚନ ଓ
ପ୍ରଚାର କରିବାରେ ଏହାର ଭୂମିକା ଥିଲା ଅବର୍ଣନୀୟ । ପ୍ରତ୍ୟେକ ମନୁଷ୍ୟର
କୁତ୍ସିତ, କଦାକାର ଓ କଳୁଷିତ ଭାବନାକୁ
କଳେବଳେ କୌଶଳେ କବଳିତ କରି ସମାଜରେ ଅବଦମିତ କରିରଖୁଥିଲା ଧର୍ମ
ଓ ସମାଜ ବିରୋଧୀ କର୍ମ ଗୁଡିକୁ । ଜାତି ଓ
ଧର୍ମର ଭାବ ବହନ କରୁଥିଲେ ମଧ୍ୟ ଗାଁର ପ୍ରତ୍ୟକ ବର୍ଗକୁ ବାନ୍ଧିରଖିଥିଲା ଏକ ଜଟିଳ ସୁତ୍ରରେ
ପ୍ରତ୍ୟକଙ୍କୁ ନିଜର ପଦମର୍ଯ୍ୟାଦାର ଏକ ନିର୍ଦ୍ଧିଷ୍ଟ ଆସନ
ଦେଇ । ଗାଁ ଏକତାର
ଏହାଥିଲା ବାର୍ତ୍ତାବହ । ଗାଁର ନ୍ୟାୟନିସାବର
ଏହାଥିଲା ସର୍ବୋଚ୍ଚ ପୀଠ । ନିର୍ଦ୍ଧିଷ୍ଟ ଧାର୍ମୀକ
ନିତୀନିୟମରେ ସମସ୍ତଙ୍କୁ ବାନ୍ଧିରଖି କରୁଥିଲା ଗାଁର ସାମାଜିକ ଜୀବନକୁ ଶୃଙ୍ଖଳିତ ।
ହେଲେ
ଆଜିର ସମୟ ସମ୍ପୁର୍ଣ୍ଣରୂପେ ତାର କାୟାର ବିଲୟ କରିସାରିଲାଣି । କେଉଁ ଗାଁରେ
ଦେଖିବାକୁ ମିଳୁନି ଆଉସେ ଭାଗବତ ଟୁଙ୍ଗୀର ଆସର । ଭାଗବତ ଟୁଙ୍ଗୀର
କଳେବର ଆସି ଆଧୁନିକ ଯୁବ ପିଢୀଙ୍କିର କ୍ଲବରେ ପରିଣତ ହୋଇଗଲାଣି । ଯେଉଁଠାରେ କେବଳ
ଆଜିର ମଦଗନ୍ଧ ବ୍ୟତୀତ ନାହିଁ ଆଉ
ସେ ପୋଥୀପୁରାଣର ଗନ୍ଧ । ପଣ୍ଡିତଙ୍କ ମୂଖରୁ
ଭଗବାନଙ୍କର ଯଶଗାନ ଓ ଗାଥାର ସ୍ୱର
ପରିବର୍ତ୍ତେ ସେଠୁ ଅହରହ ଝରିଆସୁଛି ଆଜିର ମୋବାଇଲ୍ର ମେମୋରିରେ ଥିବା
ଆଧୂନୀକ ଗୀତ । ବେକାର ଓ
ଦିଶାହୀନ ଯୁବକମାନଙ୍କର ଏହା ବର୍ତ୍ତମାନର ଆଡ୍ଡା ଷ୍ଥଳୀ । ଆଜିର ବସ୍ତୁବାଦୀ
ଦୂନିଆର ବସ୍ତୁବାଦରେ ଜର୍ଜରିତ ଅଶିକ୍ଷିତ ଓ ସାକ୍ଷର ଯୁବପିଢୀଙ୍କର
ପ୍ରତ୍ୟକଦିନର ସମାଜ ବିରୋଧୀ କାମର ଏହା ବର୍ତ୍ତମାନର ଯୋଜନା ପ୍ରସ୍ତୁତ କରିବାର ଗୁପ୍ତକ୍ଷେତ୍ର । ଗାଁ ଝିଅର
ବିବାହ ସମୟରେ ବରଯାତ୍ରୀମାନଙ୍କର ସ୍ୱାଗତ ପାଇଁ ଏବେ ଏହି କକ୍ଷ ନିର୍ଦ୍ଧାରିତ ଯେଉଁଠି ସେମାନଙ୍କୁ ଥଣ୍ଡା, ଜଳଖିଆ ଓ ମଦ୍ୟପାନ ଦ୍ୱାରା
ଭବ୍ୟ ଆପ୍ୟାୟିତ କରାଯାଇଥାଏ । ସବୁ କ୍ଲବଯେ
ଏହିପରି ଅପସ୍ମାର ତାହା ମଧ୍ୟ ଭୂଲ୍ । କେଉଁଠିକେଉଁଠି ସମାଜ
ସୁଭଲକ୍ଷଣ ମଧ୍ୟ ଏଠାରେ ଦେଖିବାକୁ ମିଳେ । ଗାଁରେ ସରସ୍ୱତୀ
ପୂଜା, ଗଣେଷ ପୂଜା ଅବା ଲକ୍ଷ୍ମୀ ପୂଜା ହେଉ ଏହିଠାରେ ହିଁ କରାଯାଇଥାଏ ଓ ସବୁଠୁ ବିଚିତ୍ର
କଥା ହେଲା ଏହି ଦେବାଦେବୀଙ୍କର ଭଷାଣୀ
ଦିନ ମଦ, ଡି.ଜେ ଓ
ନାଚବିନା ସତେଯେମିତି ଏ ଦେବାଦେବୀମାନେ ଏ ମାନବ
ମୋହରୁ ଆଉ ମୁକ୍ତି ପାଇପାରୁନାହାନ୍ତି
। ହେଲେ ଆଜିର ବିଡମ୍ବନା ଏହିକିଯେ କେହିହେଲେ ଜଣେ ଏହାର ସକାରାତ୍ମକ ପରିବର୍ତ୍ତନରେ ଯତ୍ନବାନ ନୁହନ୍ତି । ଲାଗୁଛି ଏ
ସ୍ରୋତ ଏକ ଅଣଲେଉଟା ଝରଣାପରି
। ଏ ଭଳି କୁତ୍ସିତ
ସାମାଜିକ ସ୍ରୋତର ଅନ୍ତ କେଉଁଠାରେ ଓ ପୁଣି କେବେ
ସେହି ଆଧୂନିକ କ୍ଲବ୍ର ଗମ୍ଭିରୀରେ ଜୀବନର
ସତ୍ୟ ଓ ପ୍ରକୃତ ଅର୍ଥ
ବହନ କରୁଥିବା ଗ୍ରନ୍ଥର ସ୍ୱର ସୁଣାଯିବ ତାହା ସମୟ ହିଁ କହିବ ।
******
No comments:
Post a Comment