search in www.iswarchandraworld.blogspot.com

Sunday 29 March 2020

All India Radio Talk ଶକ୍ତି ଶଙ୍କଟ ଓ ଲିଥିୟମ୍‌-ଆୟନ୍ ବ୍ୟାଟେରୀ

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ଶକ୍ତି ଶଙ୍କଟ ଓ ଲିଥିୟମ୍‌-ଆୟନ୍ ବ୍ୟାଟେରୀ 


      ଶକ୍ତି ବିନା ଜୀବନର ପରିକଳ୍ପନା ଅସମ୍ଭବ । ଶକ୍ତି ହେଉଛି ବିକାଶ ଓ ଉନ୍ନତିର ଆଧାର । ଏହା କେବଳ ସାମଗ୍ରିକ ସ୍ତରରେ ପ୍ରଯୁଯ୍ୟ ନୁହେଁ, ଏହା ବ୍ୟକ୍ତିଗତ ସ୍ତରରେ ମଧ୍ୟ ସତ୍ୟ । ଶକ୍ତିବିନା ମନୁଷ୍ୟର ଶରୀର ଯେପରି ଅଚଳ, ଆଜିର ବିଜ୍ଞାନ ଜଗତରେ ସମସ୍ତ ଯନ୍ତ୍ର ଓ ଯନ୍ତ୍ରାଶଂ ମଧ୍ୟ ଶକ୍ତି ବିନା ସେହିପରି ସ୍ଥାଣୁ । ସାଧାରଣତଃ ସମସ୍ତ ପରିବହନୀୟ (Portable) ଇଲେକ୍ଟ୍ରୋନିକ୍ ଯନ୍ତ୍ର ଓ ଯନ୍ତ୍ରାଂଶ ଯଥା ସ୍ମାର୍ଟ ମୋବାଇଲ୍‌, ଲ୍ୟାପ୍‌ଟପ୍‌, କ୍ୟାମେରା, ଟାବ୍ଲେଟ୍ ଆଦି ଏହି ବିଦ୍ୟୁତ୍ ଶକ୍ତି ପାଇଁ ସେଥିରେ ଖଞ୍ଜା ଯାଇଥିବା ବ୍ୟାଟେରୀ ଉପରେ ନିର୍ଭର କରିଥାନ୍ତି ଯାହା ରାସାୟନିକ ଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ରୂପାନ୍ତରିତ କରିଥାଏ । ଏହି ବ୍ୟାଟେରୀ ମାନଙ୍କ ମଧ୍ୟରେ ଲିଥିୟମ ଆୟନ୍ ରିଚାର୍ଜେବଲ୍ ବ୍ୟାଟେରୀର ଶକ୍ତି ସାନ୍ଦ୍ରତା, ବ୍ୟବହାରରେ ନିରାପଦ, କ୍ଷୁଦ୍ର ଆକାର, ପରିବେଶ ପ୍ରଦୂଷଣ ରହିତ, ସ୍ୱଳ୍ପ ମୂଲ୍ୟ ଓ ସହଜ ଉପଲବ୍ଧ ଗୁଣ ଆଜି ବିଜ୍ଞାନ ବିଶ୍ୱକୁ ଦେଇଛି ଏକ ନୂଆ ଦିଗ । ସ୍ମାର୍ଟ ମୋବାଇଲ୍‌ର ବିକାଶ ଓ ବ୍ୟବହାରରେ ଆଜି ଏକ ବିପ୍ଳବ ଆଣି ଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଆଜି ସମଗ୍ର ବିଶ୍ୱର ୭୭୦ କୋଟି ଜନସଂଖ୍ୟାରେ ପ୍ରାୟ ୩୩୦ କୋଟି ସ୍ମାର୍ଟ ମୋବାଇଲ୍ ସହିତ ଟାବଲେଟ୍‌, ଲ୍ୟାପଟପ୍ ଏହିି ଲିଥିୟମ୍‌-ଆୟନ୍ ବ୍ୟାଟେରୀ ମାନଙ୍କ ଦ୍ୱାରା ହିଁ ଚାଳିତ । ସମ୍ପୂର୍ଣ୍ଣ ପ୍ରଦୂଷଣ ରହିତ ବିଦ୍ୟୁତ୍ ଚାଳିତ ଗାଡି ମାନଙ୍କର ଆଜି ଏହାହିଁ ଶକ୍ତିକେନ୍ଦ୍ର । ସମଗ୍ର ମାନବ କଲ୍ୟାଣରେ ଏହାର ଭୂମିକା ଏଇଥିରୁ ହିଁ ସହଜରେ ଅନୁମେୟ । ଯେଉଁଥିପାଇଁ ଏହି ଲିଥିୟମ-ଆୟନ ବ୍ୟାଟେରୀର ସଫଳ ପ୍ରସ୍ତୁତି ଓ ପ୍ରୟୋଗରେ ଜୀବନ ବ୍ୟାପି ସାଧନା ଓ ପରିଶ୍ରମର ଫଳ ସ୍ୱରୁପ ବୈଜ୍ଞାନିକ ଜନ୍ ବି ଗୁଡଏନଫ୍ (John B. goodenough)), ଏମ୍ ଷ୍ଟାନଲି ହ୍ୱିଟି୍‌ଙ୍ଗାମ୍ (M.stanley Whittingham) ଓ  ଆକିରା ୟୋସିନୋ (Akira Yoshino) ଙ୍କୁ ମିଳିଛି ୨୦୧୯ ମସିହା ପାଇଁ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର । 
      ୧୭୮୦ ମସିହାରେ ଲୁଇ ଗାଲ୍‌ଭିନ୍ ତାଙ୍କ ପରୀକ୍ଷାଗାରରେ ଗୋଟିଏ ଧାରୁଆ ଛୁରୀରେ ଲାଗିରହିଥିବା ମୃତ ବେଙ୍ଗଟିଏର ଶୁଖିକରି ଯାକିଯୁକିହୋଇ ଯାଇଥିବା ଦୃଶ୍ୟକୁ ଦେଖି ଭାବିଥିଲେ ଯେ ମୃତ ବେଙ୍ଗ ଶରୀରର ଅସ୍ୱାଭାବିକ ପରିବର୍ତ୍ତନ ସେହି ବେଙ୍ଗ ଶରୀରରେ ଥିବା ଶକ୍ତିର ପରିଣାମ ଏବଂ ତାହାର ସେ ନାମ ରଖିଥିଲେ ଜୈବ ବିଦ୍ୟୁତ୍ । ମାତ୍ର ତାଙ୍କର ସହଯୋଗୀ  ଓ ବନ୍ଧୁ ଆଲେସାଣ୍ଡୋ ଭୋଲ୍ଟା ଏହାକୁ  ଭୂଲ୍ ବୋଲି ବିଚାର କରି, ଭାବିବସିଥିଲେ ଯେ ଏହି ବିଦ୍ୟୁତ୍ ଶକ୍ତି, ଦୁଇଟି ଧାତୁ ବାୟୁମଣ୍ଡଳୀୟ ଆଦ୍ରତା ସଂସ୍ପର୍ଶରେ ଆସିଥିବାରୁ ସୃଷ୍ଟି ହୋଇଛି । ତାଙ୍କର ଦୀର୍ଘ ଏଗାର ବର୍ଷର ସାଧନା ତାଙ୍କର ଅନୁମାନକୁ ସତ୍ୟ ପ୍ରମାଣିତ କରିଥିଲା ଏବଂ ବୈଜ୍ଞାନିକ ଆଲେସାଣ୍ଡୋ ଭୋଲ୍ଟା ୧୮୦୦ ମସିହାରେ ବିଶ୍ୱର ସର୍ବପ୍ରଥମ ବ୍ୟାଟେରୀ ପ୍ରସ୍ତୁତ କରିଥିଲେ ଯାହାର ନାମ ଥିଲା ଭୋଲ୍ଟାଇକ୍ ପାଇଲ୍ । ଏହା ଭିତରେ ଥିବା ରାସାୟନିକ ପଦାର୍ଥ ସହିତ ଧାତବ ଦଣ୍ଡମାନଙ୍କର ସଂଯୋଗ ବିଦ୍ୟୁତ ପ୍ରଦାନ କରିଥିଲା । ପରେ ପରେ ସ୍କଟ୍‌ଲ୍ୟାଣ୍ଡର ବୈଜ୍ଞାନିକ ଉଇଲିୟମ କ୍ରୁଇକ୍‌ସାର୍କ (William Cruickshark) ଓ ଇଂଲଣ୍ଡ ବୈଜ୍ଞାନିକ ଉଇଲିୟମ୍ ଷ୍ଟର୍ଜିୟନ (William Sturgeon) ଉଭୟେ ଭୋଲ୍ଟାଙ୍କ ଦ୍ୱାରା ପ୍ରସ୍ତୁତ ବ୍ୟାଟେରୀରେ ଥିବା କେତେକ ଅସୁବିଧାକୁ ଦୂର କରିଥିଲେ ।
     କିନ୍ତୁ ୧୮୩୬ ମସିହାରେ ବିଶ୍ୱର ସର୍ବପ୍ରଥମ ବ୍ୟବହାରଯୋଗ୍ୟ ବ୍ୟାଟେରୀ ଇଂଲଣ୍ଡର ରସାୟନ ବିଜ୍ଞାନର ପ୍ରଧ୍ୟାପକ ଜନ୍ ଫ୍ରେଡେରିକ୍ ଡାନିଏଲ୍ (John Frederick Daniell)ପ୍ରସ୍ତୁତ କରିଥିଲେ ଏବଂ ଏହାର ନାମ ଥିଲା ଡାନିଏଲ ସେଲ୍ । ଏହା ପୂର୍ଣ୍ଣମାତ୍ରାରେ ଭୋଲ୍ଟାଇକ୍ ପାଇଲ୍ ବ୍ୟାଟେରୀରେ ଥିବା ସମସ୍ତ ଅସୁବିଧାକୁ ଦୂର କରିବାରେ ସକ୍ଷମ ହୋଇଥିଲା । ମାତ୍ର ଏ ସମସ୍ତ ବ୍ୟାଟେରୀ ଗୁଡିକ ଥରେ ମାତ୍ର ବ୍ୟବହାର ଯୋଗ୍ୟ ଅର୍ଥାତ ବ୍ୟାଟେରୀରୁ ରାସାୟନିକ ପଦାର୍ଥ ଓ ଧାତବ ଦଣ୍ଡର କ୍ଷୟପରେ ତାହା ସମ୍ପୂର୍ଣ୍ଣ ଅଯୋଗ୍ୟ ହୋଇ ଯାଉଥିଲା ।
      ମନୁଷ୍ୟର ଅଭିସନ୍ଧିଚ୍ଛୁ ପ୍ରବୃିତ୍ତ ଏଇଠାରେ ହିଁ ସିମୀତ ନରହି ପୁଣି ଲାଗିପଡିଲା ଏହି ବ୍ୟାଟେରୀ ଗୁଡିକ କିପରି ପୁନଃ ଅଥବା ବାରମ୍ବାର ବ୍ୟବାହର ଯୋଗ୍ୟ ହୋଇପାରିବେ । ଏହି ପରିପ୍ରେକ୍ଷୀରେ ୧୮୫୯ ମସିହାରେ ଫ୍ରାନସ୍‌ର ପଦାର୍ଥ ବିଜ୍ଞାନୀ ଗ୍ୟାଷ୍ଟନ୍ ପ୍ଲାଣେ (Gaston Plante) ଶିସା ଓ ଅମ୍ଳକୁ ନେଇ ବିଶ୍ୱର ପ୍ରଥମ ରିଚାର୍ଜେବଲ ବ୍ୟାଟେରୀ ପ୍ରସ୍ତୁତ କରିଥିଲେ ଯାହା ବର୍ତ୍ତମାନ ସୁଦ୍ଧା ବସ୍‌, ଟ୍ରକ୍ ଆଦିମାନଙ୍କରେ ବ୍ୟବହୃତ ହେଉଅଛି । ଏହି ବ୍ୟାଟେରୀ ମଧ୍ୟରେ ବୈଦୁତିକ ଶକ୍ତିକୁ ରାସାୟନିକ ଶକ୍ତିରେ ପରିବର୍ତ୍ତନ କରି ଧରିରଖିବାର କ୍ଷମତା ସହିତ ଆବଶ୍ୟକ ସ୍ଥଳେ ସେହି ରାସାୟନିକ ଶକ୍ତିକୁ ପୁନଃ ବୈଦ୍ୟୁତିକ ଶକ୍ତିରେ ପରିଣତ କରି ବ୍ୟବହାର କରାଯାଇ ପାରିଥିଲା ଯାହା ବିଜ୍ଞାନ ବିଶ୍ୱକୁ ଏକ ଅନବଦ୍ୟ ଦାନ ରୂପେ ବିବେଚିତ ହେଲା । ମାତ୍ର ଏହି ବ୍ୟାଟେରୀ ଗୁଡିକ କ୍ଷୁଦ୍ର ଯନ୍ତ୍ର ଅବା ଯନ୍ତ୍ରାଶଂରେ ବ୍ୟବହାର ଅଯୋଗ୍ୟ ଥିଲା । ପରେ ପରେ ଏହି ରିଚାର୍ଜେବେଲ୍ ବ୍ୟାଟେରୀରେ ବ୍ୟବହୃତ ରାସାୟନିକ ପଦାର୍ଥରେ ପରିବ ନ ଆଣି ଏହାର ଆକାର, ଶକ୍ତି ସାନ୍ଦ୍ରତା ବୃଦ୍ଧି, ବ୍ୟବହାରରେ ନିରାପଦ ଓ ସହଜ ଉପଲବ୍ଧରେ ପରିଣତ କରିବା ପାଇଁ ସମୟ କ୍ରମେ ବିଶ୍ୱର କୋଣ ଅନୁକୋଣର ବୈଜ୍ଞାନିକ ମାନେ ଲାଗିପଡିଲେ ।
      କିନ୍ତୁ ଆଜିର କ୍ଷୁଦ୍ର ଯନ୍ତ୍ର ଅବା ଯନ୍ତ୍ରାଶଂରେ ବହୁଳ ବ୍ୟବହୃତ ଲିଥିୟମ୍‌-ଆୟନ୍ ରିଚାର୍ଜେବଲ ବ୍ୟାଟେରୀର ଜନକ ହେଉଛନ୍ତି ଇଂଲଣ୍ଡ ଜନ୍ମିତ ବୈଜ୍ଞାନିକ ଏମ୍‌. ଷ୍ଟେନଲେ୍ ହ୍ୱିଟଙ୍ଗମ୍ ((M. Stanley Whittingham)
      ସେ ସର୍ବ ପ୍ରଥମେ ୧୯୭୦ ମସିହାରେ ଏହି ବ୍ୟାଟେରୀ ପ୍ରସ୍ତୁତ କରିଥିଲେ । କିନ୍ତୁ ଏହା ଅତ୍ୟଧିକ ବ୍ୟୟ ବହୁଳ ଏବଂ ପରିବେଶ ଉପଯୋଗୀ ହୋଇନଥିବାରୁ ଏହାର ସଫଳ ପ୍ରୟୋଗ ହୋଇପାରିଲା ନଥିଲା । ୧୯୭୯ ମସିହାରେ ଜନ୍‌. ବି. ଗୁଡ୍‌ଏନଫ୍ (John B. goodenough) ଓ ତାଙ୍କ ସହଯୋଗୀ ସହଜରେ ବ୍ୟବହାରଯୋଗ୍ୟ ଲିଥିୟମ୍‌-ଆୟନ୍ ବ୍ୟାଟେରୀ ପ୍ରସ୍ତୁତ କରିଥିଲେ ସତ, ମାତ୍ର ତାହା ମଧ୍ୟ ସେତେଟା ନିରାପଦନଥିଲା କାରଣ ସେହି ବ୍ୟାଟେରୀରେ ବ୍ୟବହୃତ ରାସାୟନିକ ପଦାର୍ଥଟି ଥିଲା ବିସ୍ଫୋରକ ପଦାର୍ଥ । କିନ୍ତୁ ୧୯୮୫ ମସିହାରେ ବୈଜ୍ଞାନିକ ଅକିରା ୟୋଶିନୋ (Akira Yoshino)ଏପରି ଏକ ଲିଥିୟମ୍‌-ଆୟନ୍ ଇଲୋକ୍ଟ୍ରୋଡ୍ ପ୍ରସ୍ତୁତ କଲେ ଯାହା ବ୍ୟାଟେରୀର ଶକ୍ତି ସାନ୍ଦ୍ରତା, ନିରାପଦ ବ୍ୟବହାର ଓ ସହଜ ଉପଲବ୍ଧ୍ ଗୁଣକୁ ଅତି ମାତ୍ରାରେ ବଢେଇ ଦେଇଥିଲା ଯାହା ଫଳରେ ସମଗ୍ର ବିଶ୍ୱରେ ଆଜି ସମସ୍ତ ବହନୀୟ (Portable) ଯନ୍ତ୍ରପାତୀରେ ଏହାର ସଫଳ ବ୍ୟବହାର ହୋଇ ଚାଲିଛି ।  
       କେବଳ ସେତିକି ନୁହେଁ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଓ ତାପାୟନର ମୂଖ୍ୟ କାରଣ ପାଲଟିଥିବା ପ୍ରଚୁର ମାତ୍ରାରେ ଜୈବ ଇନ୍ଧନ, କୋଇଲା ଓ ପ୍ରାକୃତିକ ଗ୍ୟାସ୍‌ର ଦହନକୁ ରୋକିବାରେ ଏହାର ଭୂମିକା ମଧ୍ୟ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ଗମନାଗମନ ଓ ପରିବହନ ପାଇଁ ବ୍ୟବହୃତ ହେଉଥିବା ଜୈବ ଇନ୍ଧନରେ ଚାଳିତ ଯାନମାନଙ୍କ ଦ୍ୱାରା ବାୟୁ ପ୍ରଦୂଷଣ ଉପରେ ଏମାନଙ୍କର ପ୍ରଭାବ ୧୨% ରୁ ୭୦% ଅଟେ । ବିଶ୍ୱର ବୈଜ୍ଞାନିକ ମାନଙ୍କର ଭବିଷ୍ୟବାଣୀ ଅନୁଯାୟୀ ଯଦି ଏହିପରି ମାତ୍ରାରେ ବାୟୁ ସହିତ ଅନ୍ୟାନ୍ୟ ପ୍ରଦୂଷଣ ଚାଲୁରହେ ତେବେ ଆସନ୍ତା ଏକ ଶତାବ୍ଦୀ ମଧ୍ୟରେ ପୃଥିବୀ ପୃଷ୍ଠର ତାପମାତ୍ରା ୨.୫ଂମ ରୁ ୧୦ଂମ ବଢିଯିବ । ମେରୁରେ ଥିବା ଗ୍ଲେସିୟର୍ ମାନେ ତରଳି ଯିବେ ଓ ପୃଥିବୀ ପୃଷ୍ଠରେ ଥିବା ଜଳସ୍ତର ପ୍ରାୟ ୧ ଫୁଟ୍‌ରୁ ୪ ଫୁଟ୍ ଉଚ୍ଚ ହୋଇଯିବ । ଯାହା ଫଳରେ ପୃଥିବୀର ଅନେକ ସ୍ଥଳଭାଗ ସମୁଦ୍ରରେ ଲୀନ ହୋଇଯିବ । ତତ୍‌ସହିତ ଭୟଙ୍କର ଅଂଶୁଘାତ, ମହାବାତ୍ୟା ଓ ସୁନାମୀ ଭଳି ପ୍ରାକୃତିକ ମହା ବିପର୍ଯୟ ଅତି ମାତ୍ରାରେ ବଢିଯିବ । ତେଣୁ ଆମମାନଙ୍କୁ ବଞ୍ଚେଇ ରଖିବାକୁ ହେଲେ ବେଳହୁଁ ସତର୍କ ନିହାତି ଲୋଡା ।
       ଆଉ ଏହି ପରିପ୍ରେକ୍ଷିରେ ସମସ୍ତ ଗମନାଗମନ ଓ ପରିବହନ ପାଇଁ ବ୍ୟବହୃତ ଯାନବାହାନ ଗୁଡିକ ଯଦି ବିଦ୍ୟୁତ୍ ଶକ୍ତି ଦ୍ୱାରା ଯାତାୟତ କରନ୍ତି ତେବେ ପ୍ରଦୂଷଣ ବହୁ ମାତ୍ରାରେ ପ୍ରତିହତ ହେବ । ତେବେ ଏହି ବିଦ୍ୟୁତ୍ ଚାଳିତ ଯାନବାହାନ ପାଇଁ ଅତ୍ୟାବଶ୍ୟକ ଯନ୍ତ୍ରାଶଂଟି ହେଉଛି ବ୍ୟାଟେରୀ । ସୌରଶକ୍ତିରୁ ଜାତ ବିଦ୍ୟୁତ୍ ଶକ୍ତିକୁ ଧରି ରଖି ବିଦ୍ୟୁତ୍ ଚାଳିତ ଯାନବାହାନକୁ ବିଦ୍ୟୁତ୍ ଯୋଗାଇ ପାରୁଥିବା ଆଜିର ଉଦ୍ଭାବିତ ଲିଥିୟମ୍ ଆୟନ୍ ବ୍ୟାଟେରୀ ହିଁ ସମ୍ପୂର୍ଣ୍ଣ ଉପଯୁକ୍ତ ଯାହା ଆଜି ପ୍ରମାଣିତ । 
     ବାସ୍ତବରେ ଲିଥିୟମ୍ ଆୟନ୍ ବ୍ୟାଟେରୀର ଉଦ୍ଭାବନ ମାନବ କଲ୍ୟାଣରେ କେତେଯେ ମହତ୍ୱ ରଖିଛି ଓ ଭବିଷ୍ୟତ ପାଇଁ ଏହାର ମହତ୍ୱ କେତେ ଯେ ଅଧିକ ତାହା ଏବେ ଅକଳ୍ପନୀୟ । କେବଳ ପରିବହନୀୟ (Portable) ଇଲେକ୍ଟ୍ରୋନିକ୍ ଯନ୍ତ୍ର ଓ ଯନ୍ତ୍ରାଂଶ କାହିଁକି ଆଜି ମୋଟୋର୍ ସାଇକେଲ୍ ଠାରୁ ଆରମ୍ଭ କରି କାର୍ ଓ ବସ୍ ଆଦି ଭାରୀଜାନ ମାନେ ମଧ୍ୟ ଏହି ରିଚାର୍ଜେବଲ୍ ବ୍ୟାଟେରୀ ଦ୍ୱାରା ଦୌଡିବା ଆରମ୍ଭ କଲେଣି ଯାହା ନିଶ୍ଚିତ ରୂପେ ଭୟଙ୍କର ପ୍ରଦୂଷଣମୂଖୀ ଭବିଷ୍ୟତର ବିଶ୍ୱକୁ ବଞ୍ଚେଇବାରେ ସାହାଯ୍ୟ କରିବ ଏଥିରେ ଦ୍ୱିମତ ନାହିଁ । 

******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS