ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
୯୭୭୮୫୧୯୬୭୮
ଧୈର୍ଯ୍ୟ ରଖିବା ହିଁ ଧେୟ
ଧୈର୍ଯ୍ୟ ବିନା ସଫଳତା ନାହିଁ । ସେଥିପାଇଁ
ଯଥାର୍ଥରେ କୁହାଯାଇଛି ‘ଧୈର୍ଯ୍ୟ ହେଉଛି ସଫଳତାର ଚାବିକାଠି’ । ଧରିତ୍ରୀପରି ବିନା ପ୍ରତିକ୍ରିୟାରେ ସବୁ ସହିଯିବାଟା ହିଁ ଧୈର୍ଯ୍ୟ । ସର୍ବସ୍ୱ ଲୁଟିଚାଲିଥିବା ବେଳେ ଛାତିକୁ ପଥରକରି ସବୁ ସହିଯିବାଟା ହେଉଛି ଧୈର୍ଯ୍ୟ । ବିନା ପ୍ରତିବାଦରେ ଗର୍ଭରକଷଣକୁ ମା’ ସହିନେବାପରି ସହିଯିବା ହିଁ ଧୈର୍ଯ୍ୟ । ଧୈର୍ଯ୍ୟ ମନୁଷ୍ୟର ମାନସିକ ବ୍ୟଗ୍ରତାକୁ ଶାନ୍ତ କରିବାର ଶକ୍ତି । ମନ ଓ ହୃଦୟ ଭାଙ୍ଗି ପଡିଲେ ଧୈର୍ଯ୍ୟ ହିଁ ଶରୀରକୁ ଶକ୍ତି ଯୋଗାଇଥାଏ । ଜୀବନରେ ଅପମାନକୁ ବରଦାସ୍ତ କରିବା ପାଇଁ ହେଉ ଅବା ମିଳୁଥିବା ମାନସମ୍ମାନକୁ ସ୍ଥାୟୀତ୍ୱ ଦେବାପାଇଁ
ହେଉ ଏହି ଧୈର୍ଯ୍ୟ ହିଁ ଲୋଡା । ହାରିଯାଇଥିବା କାମରେ ପୁନଃ ବିଜୟ ପ୍ରାପ୍ତ ପାଇଁ ଧୈର୍ଯ୍ୟ ହିଁ ଏକମାତ୍ର ଅସ୍ତ୍ର । ବିପଦବେଳେ ଧୈର୍ଯ୍ୟ ହିଁ ଆମର ମାନସିକ ଭରସାମ୍ୟ ରକ୍ଷାକରିଥାଏ । ଦୁଃଖ ଓ ଯନ୍ତ୍ରଣାକୁ ସହିଯିବାର ଶକ୍ତି ଏହି ଧୈର୍ଯ୍ୟ ହିଁ ଦେଇଥାଏ । ମନୁଷ୍ୟ ଯେତେବେଳେ ବିବଶ ଓ ଅସହାୟ ହୋଇପଡେ ସେତେବେଳେ ଧୈର୍ଯ୍ୟ ହିଁ ତାର କେବଳ ସାଥୀ ହୋଇ ତାକୁ ସାହାଯ୍ୟ କରେ । ଧୈର୍ଯ୍ୟ ବିନା ଜ୍ଞାନର ସମାଜ କଲ୍ୟାଣରେ ଉପଯୋଗ ମୂଳତଃ ଅସମ୍ଭବ । ଜ୍ଞାନ ଅନେକ ଥାଉ ହେଲେ ଧୈର୍ଯ୍ୟ ବିନା ମନୁଷ୍ୟ ଜ୍ଞାନୀ ହୋଇପାରେନା । ଧୈର୍ଯ୍ୟ ଓ ଅଧୈର୍ଯ୍ୟ ଦୁଇଟି ଅବସ୍ଥାରେ ଜ୍ଞାନ ଥାଇପାରେ ମାତ୍ର ପ୍ରଜ୍ଞା କେବଳ ଧୈର୍ଯ୍ୟରେ ହିଁ ବୋଧହୁଏ । ଧୈର୍ଯ୍ୟ ବିନା ସ୍ଥିତପ୍ରଜ୍ଞାତାର ଅସ୍ତିତ୍ୱ ନାହିଁ । ଧୈର୍ଯ୍ୟ ସତ୍ୟକୁ ଉନ୍ମୋଚନ କରେ । ଭଲମନ୍ଦ, ଭୂଲ୍ଠିକ୍ର ବିଚାର କରିବାରେ ଧୈର୍ଯ୍ୟ ଆମକୁ ସାହାଯ୍ୟ କରେ । ଧୈର୍ଯ୍ୟ ହିଁ କେବଳ କାଳର କ୍ରୁରତାକୁ ଅବଦମିତ କରି ରଖିପାରେ । ଆମ ଧୈର୍ଯ୍ୟ ହିଁ ଆମପ୍ରତି ଅନ୍ୟାୟ କରିଥିବା କୌଣସି ମଣିଷକୁ ଅନୁତାପ କରିବାକୁ ମଜବୁର୍ କରେ । ଧୈର୍ଯ୍ୟ ଆମର ଚିନ୍ତାଧରାକୁ ବିକ୍ଷିପ୍ତ କରେ । ଧୈର୍ଯ୍ୟ ମନକୁ ଅଶାନ୍ତିର ବଳୟ ଭିତରୁ ଶାନ୍ତିର ନିକାଞ୍ଚନକୁ ଟାଣି ଆଣିପାରେ । ସେଥିପାଇଁ ଭଗବାନ ବୁଦ୍ଧ କହିଥିଲେ ‘ଧୈର୍ଯ୍ୟ ହିଁ ହେଉଛି ସବୁଠାରୁ ଶକ୍ତିଶାଳୀ ପ୍ରାର୍ଥନା’ । ଧୈର୍ଯ୍ୟ ଆମମାନଙ୍କର କର୍ମକୁ ଶୃଙ୍ଖଳିତ ଓ ମାର୍ଜିତ କରେ । ଧୈର୍ଯ୍ୟ ଆମମାନଙ୍କୁୁ ଶାନ୍ତ, ସରଳ ଓ ଶିଷ୍ଟ କରେ । ଧୈର୍ଯ୍ୟ ଏକ ଦୈବୀଗୁଣ । ସେଥିପାଇଁ ରାମପ୍ରେମର ବାର୍ତ୍ତା ଅଟେ ‘ଧୈର୍ଯ୍ୟ ରୂପୀ ଦୈବୀ ଗୁଣ ଯାହା ପାଖରେ ଅଛି, ସଂସାରରେ ତାହାର କିଏ ବା ଅନିଷ୍ଟ କରିବ’ । ମଣିଷ ଯାହା ଚାହେଁ ସବୁବେଳେ
ତାହା ଫଳପ୍ରସୁ ହୁଏନା । କେଉଁଥିରେ ହାରେ ତ କେଉଁଥିରେ କୃତକାର୍ଯ୍ୟ ହୁଏ । ହାରିଗଲେ ପଛକୁ ଫେରିଯିବାଟା ଧେୟ ନୁହେଁ । କେତେକ ଫେରିଯାଆନ୍ତି । ହେଲେ ଅନ୍ୟ କେତେକ ଧୈର୍ଯ୍ୟକୁ ଚାବି କରି ସଫଳତାର ଶିଖରକୁ ଅଗ୍ରସର ହୁଅନ୍ତି । ନ ହେଲେ ମନୁଷ୍ୟ ଏତେ ଆଗକୁ ଆସିପାରିଥାନ୍ତା ବା କିପରି? ଏକ ହଜାର ଥର ନିଜ ପରୀକ୍ଷାନିରୀକ୍ଷାରେ ବିଫଳ ହୋଇଥିଲେ ମଧ୍ୟ ପ୍ରସିଦ୍ଧ ବୈଜ୍ଞାନିକ ଥୋମାସ ଏଡିସନ୍ ଶେଷରେ ବିଶ୍ୱବାସୀଙ୍କ ପାଇଁ ବିଜୁଳି ବଲବ୍ ଟିଏ ଉପହାର ଦେଇ ନିଜ ଧୈର୍ଯ୍ୟର ଉଦାହରଣ ଦେଇଯାଇଛନ୍ତି ।
ହେଲେ ଆଜିର ଦୁନିଆରେ ଆମେ ବହୁତ ବ୍ୟସ୍ତ । ଭୋଗବାଦର ନିଶାରେ ଅତିଷ୍ଟ । ଧୈର୍ଯ୍ୟରେ ଦୀର୍ଘତା ନାହିଁ । ଟିକିଟିକି କଥାରେ ଅବା କାମରେ ଆମେ ମାନେ ଆଜି ଅଧୈର୍ଯ୍ୟ । ସତେଯେମିତି ଧୈର୍ଯ୍ୟ ରଖିବାକୁ ଆମେ ଆଉ ଚାହୁଁନେ । ଚିଡିଚିଡାପଣ ଆମମାନଙ୍କର ସହଚର ପରି ମନେ ହେଲାଣି । ଆମ ପାଖରେ ପାଦରେ ଚାଲିଚାଲିଯିବାକୁ ଧୈର୍ଯ୍ୟ ନାହିଁ । କାହାକୁ ଅପେକ୍ଷା କରିବାକୁ ଧୈର୍ଯ୍ୟନାହିଁ । ଗାଡିରେ ଯାଉଥିଲେ ଉପଯୁକ୍ତ ବେଗର ସୀମା ଭିତରେ ଯିବାକୁ ମଧ୍ୟ ଆମ ପାଖରେ ଧୈର୍ଯ୍ୟନାହିଁ । ପରୀକ୍ଷାରେ ଫେଲ୍ ହୋଇଗଲେ ଆତ୍ମଗ୍ଲାନୀକୁ ସହିବାର ଧୈର୍ଯ୍ୟନାହିଁ । ପ୍ରେମରେ ହାରିଗଲେ ନିଜକୁ ସମ୍ଭାଳିବାକୁ ମଧ୍ୟ ଧୈର୍ଯ୍ୟ ଆମପାଖରେ ନାହିଁ ।
ଧୈର୍ଯ୍ୟ ରଖିବାଟା କଷ୍ଟକର ହୋଇଥିଲେ ମଧ୍ୟ ଏହାର ପରିଣାମ ଅତ୍ୟନ୍ତ ସୁଖକର । ସେଥିପାଇଁ ପ୍ରସିଦ୍ଧ ଦାର୍ଶନିକ ରୁଷୋଙ୍କର ମତଥିଲା ‘ଧୈର୍ଯ୍ୟ ପିତା ଲାଗେ ସତ କିନ୍ତୁ ତାର ଫଳ ବଡ ମଧୁର’ । ସତେଯେପରି ଆମମାନଙ୍କ ଜୀବନ ସମ୍ପୂର୍ଣ୍ଣ ଯାନ୍ତ୍ରିକ । ତେଣୁ ଯନ୍ତ୍ରରେ ଧୈର୍ଯ୍ୟ ଆସିବ ବା କେଉଁଠୁ? ହେଲେ ଧୈର୍ଯ୍ୟ ବିନା ସଂସାରରେ ଜୀବନରେ ଉନ୍ନତି ଅସମ୍ଭବ । ଧୈର୍ଯ୍ୟ ଭିତରେ ହିଁ ସୁଖ, ଶାନ୍ତି ଓ ଆନନ୍ଦ ଲୁଚିକରି ଥାଏ । ସେଥିପାଇଁ ମହାପୁରୁଷ ମହମ୍ମଦଙ୍କର ବାଣୀଥିଲା ‘ଧୈର୍ଯ୍ୟ ହିଁ ସନ୍ତୋଷର ଚାବି’ । ତେଣୁ ଜୀବନକୁ ମଧୁମୟ ଓ ମଙ୍ଗଳମୟ କରିବା ପାଇଁ ଧୈର୍ଯ୍ୟ ରଖିବା ହିଁ ଧେୟ ।
*******
No comments:
Post a Comment