ଈଶ୍ୱରଚନ୍ଦ୍ର
ନାୟକ
ବାଙ୍ଗୁଋଷ
ପାଟଣା, ଭାଣପୁର
ପୁରୀ-୭୫୨୧୧୪
ମୋ-୯୭୭୮୫୧୯୬୭୮
ସେବେଳ
ନା ଏବେଳ(୨)
ସେଦିନ
ଗିରିଧାରୀ ବାବୁ ତାଙ୍କ ପୁଅଠାରୁ ବୁଝି ଜାଣିବାକୁ ପାଆନ୍ତି ଯେଉଁ ସ୍କୁଲରେ ନାତିର ନାମ ଲେଖା ହେବ ସ୍କୁଲଟିରେ ପ୍ରଥମେ ନାତିର ଗୋଟିଏ ପରୀକ୍ଷା ଏବଂ ତାଙ୍କ ପୁଅବୋହୁଙ୍କର ଗୋଟିଏ ସାକ୍ଷାତକାର ହେବ । ଯଦି ସେଥିରେ
ଉଭୟ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ନାତିର ଦାଖିଲା ସମ୍ଭବ ନଚେତ୍ ନାହିଁ । ଗିରିଧାରୀବାବୁଙ୍କ ମନରେ ଟିକେ
ଉତ୍କଣ୍ଠା ବଢିଯାଏ । ସେ ପୁଅକୁ
କହି ନାତିର ଆଡମିଶନ୍ ପରିକ୍ଷା ଦିନ ପୁଅବୋହୁ ନାତିଙ୍କ ସହିତ ସ୍କୁଲକୁ ଯାଆନ୍ତି । ବିଦ୍ୟାଳୟ ପରିବେଶ
ଥାଏ ଅତ୍ୟନ୍ତ ମନୋରମ । ବିଦ୍ୟାଳୟ ବଗିଚାର
ପରିବେଶ ଦେଖି ଗିରିଧାରୀ ବାବୁ ଭାବୁଥାନ୍ତି, ଗଛଗୁଡିକୁ ସେମାନଙ୍କ ନିଜ ଇଚ୍ଛାରେ ବଢିବାକୁ ନଦେଇ ଏ ମାନବ ନିଜର
ମନ ଅନୁସାରେ ସେମାନଙ୍କୁ କାଟିକୁଟି ଏକ ଯାନ୍ତ୍ରିକ ପ୍ରାକୃତିକ
ପରିବେଶ ସୃଷ୍ଟି କରିଛି । ପହଞ୍ଚନ୍ତି ସ୍କୁଲର
ପ୍ରଧାନ ଶିକ୍ଷକଙ୍କ ଅଫିସ୍ରେ । ପ୍ରଧାନ
ଶିକ୍ଷକଙ୍କ ଅଫିସ୍ର ଚାକଚକ୍ୟ ମଧ୍ୟ
ଖୁବ୍ ସୁନ୍ଦର ଥାଏ । ସେମାନେ ନମସ୍କାରଟିଏ
ପକାଇ ତାଙ୍କ ଟେବୁଲ ସମ୍ମୁଖରେ ପଡିଥିବା ସୋଫା ଉପରେ ବସିପଡନ୍ତି । ଯଥୋଚିତ ଆନୁଗତ୍ୟ
ପ୍ରଦର୍ଶନ ପରେ ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶ ମତେ ଅନ୍ୟ ଜଣେ ଶିକ୍ଷକ ଆସି ନାତି ଟୋକାକୁ ଗୋଟିଏ ପ୍ରଶ୍ନ କାଗଜ ଧରେଇ ଦେଇ ତାକୁ ଅନ୍ୟ ଏକ ଚୈାକି ଉପରେ
ବସାଇ ଉତ୍ତର ଲେଖିବାକୁ କୁହନ୍ତି । ଗିରିଧାରୀବାବୁ ଅନୁଭବ
କରନ୍ତି ତାଙ୍କ ପୁଅ ଭଳି ତାଙ୍କ ନାତିର ସେ ବେଳର ସେ
ଭୟ ନଥାଏ । ସେ ଉତ୍ତର
କରିସାରି ଖାତା ଦେଇ ଦିଏ । ନାତି ଟୋକର
ଉତ୍ତର ଖାତା ଦେଖି ସାରିବା ପରେ ପ୍ରଧାନ ଶିକ୍ଷକ ତାଙ୍କ ପୁଅବୋହୁଙ୍କୁ ସେମାନଙ୍କର ଯୋଗ୍ୟତା ବିଷୟରେ ପଚାରନ୍ତି । କୁହନ୍ତି ପୁଅକୁ
ଘରପାଠ ଯାହା ଦିଆଯିବ ପୁଅ ତାହା କଲା ନା ନାହିଁ ସେ
ସବୁ ଆପଣଙ୍କର ଦାୟୀତ୍ୱ । ସଙ୍ଗେ ସଙ୍ଗେ
ନାତିର ଆଡମିଶନ୍ ବି ହୋଇଯାଏ ।
ତା’ ପରେ ସେମାନେ ପ୍ରଧାନ ଶିକ୍ଷକଙ୍କଠାରୁ ମେଲାଣି ନେଇ ମନ ଖୁସିରେ ଘରକୁ
ଫେରନ୍ତି । ଗିରିଧାରୀବାବୁ କିନ୍ତୁ
ବଡ ବିସ୍ମିତ । ପ୍ରଥମ କରି
ପିଲାଟି ବିଦ୍ୟାଳୟକୁ
ଯାଇଛି ହେଲେ ପ୍ରଧାନ ଶିକ୍ଷକ କେବଳ ଆରମ୍ଭରୁ ଖାଲି ପଚାରିଥିଲେ ‘ହ୍ୱାଟ ଇଜ୍ ଇଓର ନେମ୍’ ଓ ଶେଷରେ କହିଲେ
ତୁମେ ଏଥର ସବୁଦିନ ବିଦ୍ୟାଳୟକୁ ଆସିବ । ଏ କି
କଥା । ଏ କଣ
ଗୁରୁ-ଶିଷ୍ୟ ହୃଦୟ ସର୍ମ୍ପକର କଥା । ମୋତେ ଯାହା
ଜଣାପଡୁଛି କଟା ଯାଇ ସୁନ୍ଦର ଦିଶୁଥିବା ବଗିଚାର ଗଛଗୁଡିକ ପରି ନାତିଟୋକାର ଭବିଷ୍ୟତ । ଗାଡି ଭିତରେ
ବସିବା ବେଳେ ଗିରିଧାରୀବାବୁ ଏମିତି ଭାବୁ ଭାବୁ ଅବଚେତନ ମନରେ ହଜିଯାଆନ୍ତି ନିଜର ପିଲାଦିନର ସ୍ମୁତିକୁ ।
ଶ୍ରୀପଞ୍ଚମୀ
ପୂର୍ବଦିନ ବାପା ହାଟରୁ ଗୋଟିଏ ମାଟି ସିଲଟ, ଦୁଦୁଖଡି, ସାନଭାଇ ଓ ମୋ ପାଇଁ
ନୂଆ ସାର୍ଟ ଓ ପ୍ୟାଣ୍ଟ କିଣିକି
ଆଣିଥାନ୍ତି କାରଣ ସାନ ଭାଇର ସେଦିନ ଖଡି ଅନୁକୂଳ ଥାଏ । ଶ୍ରୀପଞ୍ଚମୀ ଦିନ
୧୦ଟା ବେଳକୁ ଆମଦୁହିଁଙ୍କୁ ଗାଧୋଇପାଧୋଇ ନୂଆ ସାର୍ଟପ୍ୟାଣ୍ଟ ପିନ୍ଧାଇ ମୋ ବୋଉ ଆମକୁ
ପ୍ରସ୍ୁତ କରିଦିଏ ।
ବାପା ମଧ୍ୟ ଅନୁରୂପ ନିତ୍ୟକର୍ମସାରି ଧଳା ଧୋତିଟିଏ ପିନ୍ଧି କାନ୍ଧରେ ବାନ୍ଧ ଗାମୁଛାଟିଏ ପକେଇ ଆମକୁ ନେଇ ସ୍କୁଲ ଚାଲନ୍ତି । ସେତେବେଳକୁ ପୂଜା
ଆରମ୍ଭ ପ୍ରାୟ । ଆମେ ବିଦ୍ୟାଳୟ
ହତା ଭିତରେ ପସିଲା ବେଳକୁ ବଳରାମ ସାର୍ଙ୍କ ନଜର ଆମ ଉପରେ ପଡେ
। ବାପା ଓଳଗି ହୁଅନ୍ତି ଓ ଆମେ ସାର୍ଙ୍କ ପାଦଛୁଇଁ ପ୍ରଣାମ କରୁ । ମୋ ସାନଭାଇ
ଭୟ ଓ ଲାଜରେ ଯେତେବେଳେ
ଯାଉଥାଏ ବଳରାମ ସାର୍ ଚୌକୁରୁ ଉଠିପଡି ମୋ ସାନଭାଇ ଆଗରେ
ବସି ପଡନ୍ତି । କୁହନ୍ତି ସୁନା
ପିଲା, ଆଉ ତୋ ନାଁ
କଣ ବାପା । ମୋ ସାନଭାଇ
ପ୍ରତି ସାର୍ଙ୍କ ସେ ସ୍ନେହ ଓ
ଆଦର ବୋଳା କଥାରେ ମୋ ସାନଭାଇ ଟିକେ
ଆଶ୍ୱସ୍ତି ମଣେ ଓ ଉତ୍ତର ଦିଏ
ବିଶ୍ୱନାଥ । ବଢିଆ ନାଁ
। ସାର୍
ନିଜେ ତା’ହାତ ଧରି
ନିଜ ଚଉକି ପାଖକୁ ନେଇ ଯାଆନ୍ତି ଆଉ ତାକୁ କୁହନ୍ତି
ଆଜି ତୁମର ପାଠ ଅନୁକୂଳ ହେବ । ଆଜି ସରସ୍ୱତୀ
ମାଙ୍କୁ ମୁଣ୍ଡିଆମାରି କହିବୁ ମା’ ମୋତେ ବହୁତ ପାଠ ଦିଅ । ମୁଁ ପାଖରେ
ଛିଡା ହୋଇ ଦେଖୁଥାଏ ମୋ ସାର୍ଙ୍କ
ଭଲପାଇବାକୁ । ମୋ ନିଜ
ବାପା ମାଙ୍କ ପରି ଆଦର ସ୍ନେହ ମୋ ସାନଭାଇର ବିଦ୍ୟାଳୟ
ଆସିବାର ଭୟକୁ ସମ୍ପୂର୍ଣ୍ଣ ଦୂର କରିଦିଏ । ସେଦିନ ଖଡି
ଅନୁକୂଳ ଯଥାରୀତି ଆରମ୍ଭ ହୁଏ । ସାର୍ ମାଟିସିଲଟରେ
ତିନୋଟି ମୁଣ୍ଡୁଳା ବୁଲାଇ ସାନ ଭାଇର ହାତଧରି ଲେଖାଇ କୁହନ୍ତି ବ୍ରହ୍ମା.., ବିଷ୍ଣୁ.., ମହେଶ୍ୱର...,ା ସେହିଦିନଠାରୁ
ମୋ ଭାଇ ପିଠିରେ ବହିବସ୍ତାନି ଲଦା ହେବା ଆରମ୍ଭ ହୁଏ । ବିଦ୍ୟାଳୟର ଚାରିକାନ୍ଥ
ଓ ଗଛଲତାର ଗହଳ ପରିବେଶ ଭିତରେ ସେ ମୋରି ଭଳି
ଆଗକୁ ଆଗକୁ ମାଡି ଚାଲେ ।
ମାତ୍ର
ସେ ସମୟ କେତେ ଯଲଦି ବଦଳିଗଲା ଜାଣି ହେଉନି । ନାତିକୁ ତିନିବର୍ଷ
ନପୁରୁଣୁ ଓ ଖଡି ଅନୁକୂଳ
ପୂର୍ବରୁ ତା’ ମା’ ଓ ବାପା ତାକୁ
କାନ୍ଧରେ ପକାଇ କେତେ କଣ ଘୋଷେଇଦେଇଛନ୍ତି ।
ତିନି ବର୍ଷ ପୁରା ବେଳକୁ ପ୍ରାୟ ଅଢେଇଶହ ଇଂରାଜୀ ଶଦ୍ଦର ଅର୍ଥ କହିପାରୁଥିଲା ସେ । ସେବେଳ
ଭଳି ଖଡି ଅନୁକୂଳର ପରମ୍ପରା ଆଉ ନାହିଁ କହିଲେ
ଚଳେ । ପୁଅ ବୋହୁ
ଏ ସରକାରୀ ବିଦ୍ୟାଳୟରେ ପୁଅକୁ ପଢାଇବାକୁ ନାପସନ୍ଦ କରି ତା’ର ଆଜି
ଏ ଇଂରାଜୀ ମିଡିୟମ ସ୍କୁଲରେ ଦାଖିଲା ।
ଅବଚେତନ
ମନରୁ ବାହାରି ଆସିଲା ବେଳକୁ ସେ କିନ୍ତୁ ବୁଝି
ପାରୁନଥାନ୍ତି ସେବେଳର ସେ ଖଡିଅନୁକୂଳ ଭିତରେ
ପ୍ରକାଶ ପାଉଥିବା ଶିକ୍ଷକଙ୍କ ଛାତ୍ର ପ୍ରତି ସ୍ନେହ ପ୍ରିତୀ ଭରା ଆବେଗିକ ସମ୍ପର୍କ ନା ଏ ବେଳର
ଶିଶୁ ଦାଖିଲାର ପରୀକ୍ଷା ଓ ପିତାମାତାଙ୍କର ସାକ୍ଷାତକାର
ଏମାନଙ୍କ ଭିତରୁ କିଏ ଭଲ । କେଉଁ
ବେଳରେ ଶିଶୁ ଭଲ ମଣିଷଟିଏ ହେବା
ପାଇଁ ମାନବୀୟ ମୂଲ୍ୟବୋଧର ଆଧାର ଲୁକାୟିତ । ସତରେ କିଏ
ଭଲ ଥିଲା ସେବେଳ ନା ଅଛି ଆଜିର
ଏବେଳ ।
*******
No comments:
Post a Comment