ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
୯୭୭୮୫୧୯୬୭୮
ଏଠି, କିଏ ଠକେ କାହାକୁ
ଠକିବା ଠକିଯିବାଟା ଏଠି ପ୍ରତି ମୁହୁର୍ତ୍ତର ଘଟଣା । କିଏ ଏଠି ଠକିଦେଇ ବାହାସ୍ଫୋଟ ମାରେ ତ କିଏ ଏଠି ଠକିଯାଇ ଭାଗ୍ୟକୁ ଆଦରେ । କେତେଜଣ ଭାବନ୍ତି ଠକିବା, ଏକ କଳା । କିଏ ପୁଣି ଭାବିନେଇଛି ଠକିବା ମୋ ଧର୍ମ ହେଲେ ଠକିଯିବାକୁ ସମସ୍ତେ ଭାବନ୍ତି ଏହା ତାଙ୍କ ବୋକାମି ଅବା ପ୍ରାରବ୍ଧର କର୍ମ । ଏଠି ଠକିବାରେ କେହି କାହାକୁ ଛାଡନ୍ତିନି । ଏକ ଆରେକକୁ ଆରେକ ଏକକୁ । ଠକିବାର ପ୍ରତିସ୍ପର୍ନ୍ଧା ଉଭୟ ମୂଖୀ । ଜନ୍ମଦାତାଜନ୍ମିତ, ପ୍ରେମିକପ୍ରେମିକା, ଗୁରୁଛାତ୍ର, ଶିକ୍ଷିତଅଶିକ୍ଷତ, ନେତାଭୋଟର୍, ଦୋକାନୀଗରାଖ, ଧନିଦରିଦ୍ର ଇତ୍ୟାଦି ସବୁ ସମ୍ପର୍କରେ ଏହାର ଅସ୍ତିତ୍ୱ ସୁସ୍ପଷ୍ଟ ।
ତ୍ୟାଗ ଓ ମମତାରେ ସବୁ ‘ମା’ ବି ସମାନ ନୁହେଁ । ବସ୍ତୁବାଦର ମୋହ, ସ୍ୱାବଲମ୍ବୀର ନିଶା ଓ ଆଧୁନିକ ଚାକଚକ୍ୟର ମାୟାଜାଲରେ ଛନ୍ଦିହୋଇ ଆଜିକାଲି ମାଆ ବି ପଛଉନି ଠକିବାକୁ ଜନ୍ମରୁ ନିଜ ସନ୍ତାନକୁ । ସୈନ୍ଦର୍ଯ୍ୟକୁ ଯାବୁଡି ଧରିବାର ଆଳରେ କ୍ଷୀର ନ ଦେଇ ସ୍ତନରୁ ଧରେଇ ଦିଅନ୍ତି ବୋତଲରେ ଗାଈର କ୍ଷୀରକୁ । ହେଲେ ବୁଝନ୍ତିନି, ଠକିଯାଆନ୍ତି ବୟସର ଅପରାହ୍ନରେ ସନ୍ତାନର ସ୍ନେହ ବିନା ଚାକରର ସ୍ନେହ ଅବା ଜରାଶ୍ରମର ନିଃସଙ୍ଗତାରେ । ପ୍ରେମରେ ବି ଠକିବା ଟା ଏଠି କିଛି କମ୍ ନୁହେଁ । କେଉଁଠି ପ୍ରେମିକ ନିଜ ଚେହେରା, ଚାକିରୀ ଅବା
ବାକ୍ ଚାତୁରୀର ଆକର୍ଷଣରେ କେତେକ ସୁନ୍ଦରିଙ୍କୁ କରିଦିଏ ପ୍ରେମିକା ନିଜ ମାୟାପ୍ରେମ ଜାଲରେ । ଠକିଚାଲେ ସେମାନଙ୍କ ସର୍ବସ୍ୱ ଲୁଟିବା ପର୍ଯ୍ୟନ୍ତ । ଆଉ କେଉଁଠି ସୁନ୍ଦରୀ ପ୍ରେମିକା ବି ନିଜର ଚୋରା ଚାହାଣିର ଆଢୁଆଳରେ
ଟାଣିଆମେ କେତେକ ମନଗ୍ରାହୀ
ଲଫଙ୍ଗାଙ୍କୁ ନିଜର ପ୍ରେମିକ କରି । ଠକିଚାଲେ ମିଛ ପିରତୀର ଅଡୁଆ ସୁତାରେ ସେମାନଙ୍କୁ ସର୍ବସାନ୍ତ କରିବା ପର୍ଯ୍ୟନ୍ତ । ହେଲେ ଏମାନେ ବି ବୁଝନ୍ତିନି ଠକିଯାଆନ୍ତି ଚାରିଦିନର ଚାନ୍ଦିନୀପରେ । ଗୁରୁ ମଧ୍ୟ ଏଠି ଛାତ୍ରକୁ ଠକନ୍ତି । କେବେ ଶ୍ରେଣୀରେ ଆଗ୍ରହର ସହିତ ପଢାନ୍ତି ନାହିିଁତ କେବେ ଅନୁପସ୍ଥିତ ରହନ୍ତି । ପରୀକ୍ଷାରେ ଆସିବାକୁ ଥିବା ପାଠକୁ କହି ତରତରରେ ପଢାନ୍ତି । ବାକିସବୁ ବୁଝିବାକୁ ହେଲେ ତାଙ୍କ ଟ୍ୟସନ୍ ସେଣ୍ଟର୍ କୁ ଯିବାକୁ କୁହନ୍ତି । ହେଲେ ବୁଝନ୍ତିନି ଠକିଯାଆନ୍ତିସେ କାଳର କରାଳରେ ଗୁରୁର ଗରୀମାରେ । ଉଚ୍ଚଶିକ୍ଷିତ ଏଠି ଅଶିକ୍ଷିତ ଓ ସାକ୍ଷରଙ୍କୁ ଠକିବାରେ ଓସ୍ତାଦ୍ । ଚତୁର ଧନୀ ଓ ଶିକ୍ଷିତ ଏଠି ବିନା ପୁଞ୍ଜି, ବିନା କଷ୍ଟ ଓ ବିନା ପରିଶ୍ରମରେ ରାତାରାତି ବିଲଗେଟସ୍ ଓ ଧୀରୁଭାଇ ଅମ୍ବାନୀ ହେବାର ସ୍ୱପ୍ନରେ ହୁଅନ୍ତି ବାଟବଣା । ହରାନ୍ତି ମାନବିକତା । ଠକିଚାଲନ୍ତି ସମାଜର ଦରିଦ୍ର ଅଶିକ୍ଷିତ ଓ ସାକ୍ଷର ମଳିମୁଣ୍ଡିଆଙ୍କୁ । ସ୍ୱପ୍ନ ବୁଣନ୍ତି ଆମ ପାଖେ ସଞ୍ଚିଲେ ଦୁଇ ବର୍ଷରେ ଦୁଇଗୁଣ । ଲୋଭ ଅବା ଲାଳସାରେ ଝିଅ ବାହାଘର ଅବା ପୁଅର ଭବିଷ୍ୟତ ପାଠପଢା ପାଇଁ ପେଟକାଟି ଜୀବନଯାକର ସଞ୍ଚିତ ଅର୍ଥକୁ ଲଗାନ୍ତି ସ୍ୱପ୍ନ ଦେଖାଇଥିବା ସୌଦାଗରଙ୍କର ଜୁଆରେ । ଆଉ ଶେଷରେ ହୁଅନ୍ତି ସର୍ବହରା କାଙ୍ଗାଳ । ଖାଲି ସେତିକିନୁହେଁ କେଉଁଠି କିଏ ସ୍ୱପ୍ନ ଦେଖାନ୍ତି ତାଜମହଲ୍ ପରି ସୁନ୍ଦର ଘର ଅବା ଭବିଷ୍ୟତରେ ଘରପାଇଁ ଛୋଟିଆ ପ୍ଲଟ୍ ଟିଏ ସ୍ୱଳ୍ପ କିସ୍ତୀରେ । ପଦ୍ମ ଘୁଞ୍ଚିଲା ପରି ଦିନ ଘୁଞ୍ଚିଘୁଞ୍ଚି ଯାଏ । ଶେଷରେ ଘର କି ପ୍ଲଟ୍ କିଛି ନଥାଏ । ହେଲେ ବୁଝନ୍ତିନି ସେମାନେ, ଠକୁଠକୁ ନିଜେବି ଠକିଯାଆନ୍ତି ଆଉ ଦିନ କାଟନ୍ତି ବିଚାର ବିଭାଗୀୟ ହାଜତ୍ ର ଏରୁଣ୍ଡିବନ୍ଧ ଭିତରେ ।
ଏଠି ଡାକ୍ତର ଠକେ ରୋଗୀକୁ । ଅର୍ଥର ଲାଳସାରେ ପେଟରେ ଷ୍ଟୋନ୍ କହି କାଢିନିଏ କିଡନୀ୍ କୁ । ହେଲେ ବୁଝେନିସେ ସମାଜ ଆଖିରେ ଠକିଯାଇ ନରରୁ ହୁଏ ନରାଧମ । ଆଧ୍ୟାତ୍ମିକ ଚେତନାର ଦ୍ୱାହିଦେଇ ଏଠି ଠକିଚାଲନ୍ତି ବାବା ମାନେ ନିଜର ଅନୁଗାମୀ ମାନଙ୍କୁ ଭୋଗ, ପ୍ରସାଦ, ଦାନ ଓ ଦକ୍ଷୀଣାର ବାହାନାରେ । ପ୍ରବଚନରେ ନାରୀ ସଂସର୍ଗକୁ ପାପବୋଲି କହି ନିଜେ ବୁଡିରହନ୍ତି ନାରୀର ବାସନାରେ । ହେଲେ ଠକି ଯାଆନ୍ତି ସେମାନେ ସମୟର ସତ୍ୟନ୍ମୋଚନର କ୍ରୁରତାରେ । ନିର୍ବାଚନ ଇସ୍ତାହାରରେ ରାମରାଜ୍ୟର ସ୍ୱପ୍ନଦେଖେଇ ନେତା ଠକେ ଭୋଟର୍ ଙ୍କୁ । ହେଲେ ଏଠି ଭୋଟର୍ ବି ଠକିବାରେ କିଛି କମ୍ ନୁହେଁ । ନିର୍ବାଚନ ସମୟରେ ଜହ୍ନୀଫୁଲଠୁ ମଦପିଇ, କାକୁଡିଫୁଲଠୁ ପଇସା ନେଇ ରଙ୍ଗଣୀ ଫୁଲକୁ ଭୋଟ୍ ଦିଏ ମହାଆନନ୍ଦରେ । ସୁନାରେ ଖାଦ, ଡାଲିରେ ଗୋଡି, ତେଲରେ ମୋବିଲ୍ ଓ ପରିବାରେ ରଙ୍ଗଦେଇ ଦୋକାନୀ ଠକେ ଗରାଖଙ୍କୁ । ହେଲେ ଗରାଖ ବି ଛାଡେନି ଠକିବାକୁ । ବାକି ଆଣି ଦେବିଦେବି କହି ଦୌଡେଇଚାଲେ ଚପଲ ଛିଡେଇବା ପର୍ଯ୍ୟନ୍ତ ଦୋକାନୀକୁ । ହେଲେ ବୁଝନ୍ତିନି କେହି, ସୂକ୍ଷ୍ମରେ ଏ ମଣିଷ ଜୀବନ ଗୋଟିଏ ପଟେ ଦୋକାନୀ ଓ ଅନ୍ୟ ପଟେ ଗରାଖର ସମନ୍ୱୟ । ସତରେ ଏଠି, କିଏ ଠକେ କାହାକୁ, ହେଜନ୍ତିନି କେହି । ଅନାୟାସେ ଠକିଚାଲନ୍ତି ନିଜେ ନିଜକୁ ଜୀବରେ ଜୀବନ ଥିବା ପର୍ଯ୍ୟନ୍ତ । ତେବେ ଆସନ୍ତୁ ଏ ନିଜକୁ ନିଜେ ଠକିବାର ଧୂରୀଣ ଅଭ୍ୟାସଠାରୁ ନିଜକୁ ଦୂରେଇନେବାକୁ ଚେଷ୍ଟା କରିବା ଯାହାଦ୍ୱାରା ଆମର ହିଁ ମଙ୍ଗଳ ହେବ ଅନ୍ୟ କାହାର ନୁହେଁ ।
*******
No comments:
Post a Comment