search in www.iswarchandraworld.blogspot.com

Saturday, 8 May 2021

ସେବେଳ ନା ଏବେଳ(୨୧)

 

ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁଋଷ ପାଟଣା, ଭାଣପୁର

ପୁରୀ-୭୫୨୧୧୪

ମୋ-୯୭୭୮୫୧୯୬୭୮

ସେବେଳ ନା ଏବେଳ(୨୧)

      ଗ୍ରାମାଞ୍ଚଳ ପୂର୍ତ୍ତ ବିଭାଗରେ ପିଅନ ଚାକିରୀରେ ରବି ମଉସାଙ୍କ ଜୀବନ ସରିଗଲା । ଜମି ବାଡି କହିଲେ ଗହୀର ଜମି ମାତ୍ର ଦଶଗୁଣ୍ଠ । ବର୍ଷକରୁ ଦଶ ମାସ ଚାଉଳ କିଣା । ଘରଡିହ ଯେ ବାପାଦାଦା ତିନିଜଣଙ୍କ ନାଁରେ ।  ଭିନ୍ନେ ହେଲାଠାରୁ ଦାଦାପୁଅ ଓ ତାଙ୍କର ଏମିତି ମନମାଳିନ୍ୟ ହୋଇଗଲା ଯେ ଘରଡିହ ବଣ୍ଟା ହୋଇ ପାରିଲା ନାହିଁ । ସାତ ସାତଥର ଅମୀନ ଆସି ମାପଚୁପ କଲା, ହେଲେ ସେ ଛିଣ୍ଡାତୁଟା ହୋଇପାରିଲା ନାହିଁ । ଶେଷରେ ଗାଁର କେତେଜଣ ଘର ଭଙ୍ଗା ଲୋକଙ୍କ ପ୍ରରୋଚନାରେ ଘରଡିହ ଉପରେ କୋର୍ଟରେ ଜାଇ କେସ୍‌ଟେ କରିଦେଲା । ବାସ୍ ତା’ପରେ ତ କଥା ସରିଲା ଯେ ସରିଲା । ଆଜକୁ ପନ୍ଦରବର୍ଷ ହେବ ନ୍ୟାୟ ମିଳି ପାରିଲା ନାହିଁ । ଯେଉଁ ଅଳ୍ପ ଦରମା ଗଣ୍ଡକ ମିଳୁଥିଲା ସେଥିରେ ନିଜ ଚାରିପ୍ରାଣୀର କୁଟୁମ୍ବ ଚଲେଇବା ସହିତ ପୁଅ ଓ ଝିଅଙ୍କର ପାଠପଢା ବି ଥିଲା କଷ୍ଟ । ତା’ସାଙ୍ଗକୁ ଭାଗ୍ୟର ବିଡମ୍ବନା, ଘରଡିହ କେସ୍‌ରେ ଏମିତି ଫସିଗଲେ ଯେ ପଇସା ସେମିତି ପାଣିପରି ବୋହି ଚାଲିଲା କିନ୍ତୁ କେସ୍ ତୁଟି ପାରିଲାନି । ପାଖରେ ଆଉ ସେମିତି ଅଧିକ ଟଙ୍କା ହୋଇପାରିଲା ନାହିଁ ଯେ କେଉଁଠି ଅନ୍ୟଜାଗାରେ ଖଣ୍ଡିଏ ଜାଗା କିଣି ଘର କରି ପାରିଥାନ୍ତେ । ତେଣେ ଗୋଟିଏ ମାତ୍ର ଇନ୍ଦିରା ଆବାସ ଭଳିଆ ଛାତ ଘର ସେ ପୁଣି ଦାଦା ଅଂଶର । ସେଇଥିରେ ଅଛନ୍ତି ଯେ ଅଛନ୍ତି । ସେହି ଘର ଭିତରେ ପୁଅଝିଅ ଓ ସ୍ତ୍ରୀର ଉଠାବସା । ଆଉ ଝିଅ ବଡ ହେଲା ପରଠାରୁ ଆଉ ଖଣ୍ଡିଏ ଚାଳିଆ ଯେଉଁଥିରେ ରୋଷେଇ ଓ ଖାଇବା ପିଇବା କରନ୍ତି ତାରି ଭିତରେ ମୁଣ୍ଡଗେଞ୍ଜି ନିଜେ ରହିଯାଆନ୍ତି । ଟଙ୍କା ପଇସା ହୋଇଥିଲେ ସିନା କ’ଣ କରିଥାନ୍ତେ ।

      ଉପରକୁ ବିଧିର ବିଚିତ୍ର ନ୍ୟାୟ ଯେ ସ୍ତ୍ରୀକୁ ହୃଦରୋଗ । ସ୍ତ୍ରୀକୁ ଛାଡିତ ପାରିବେନି । ତେଣୁ ଉଧାର କରଜ କରି ବାଙ୍ଗାଲୋର ନେଇ ଚିକିତ୍ସା କରିକି ଆଣିଥାନ୍ତି । ତଥାପି ପ୍ରତି ମାସରେ ସ୍ତ୍ରୀ ପାଇଁ ଔଷଧ ନିହାତି ଲୋଡା ନଚେତ ଜୀବନ ପ୍ରତି ବିପଦ । ମନେ ମନେ ଗୋଟିଏ ବିଶ୍ୱାସ ଯେ ଯଦି ଝିଅ ପୁଅ ଉଭୟେ ଭଲ ପାଠ ପଢି ଚାକିରୀ ବାକିରୀ କରି ଯାଆନ୍ତି ତେବେ ପ୍ରଭୁଙ୍କ ଆଶୀର୍ବାଦରୁ ୟାଙ୍କ ଦୁଃଖଦିନ ଚାଲିଯିବ । ନିଜ ପେଟକୁ କାଟି ଝିଅପ୍ରତି ପୁରାପୁରି ଧ୍ୟାନ ଦିଅନ୍ତି । ହେଲେ ଝିଅ ଏସବୁ ଦୁଃଖକୁ ମନ ଭିତରକୁ ନେଇପାରେନା । ତା’ର ଦଶମ ଶ୍ରେଣୀ ଓ +୨ ବିଜ୍ଞାନରେ ସେକେଣ୍ଡ ଡିଭିଜନ ହୁଏ ତଥାପି ତାକୁ +୩ ପଢାନ୍ତି । ମାତ୍ର ଅଳ୍ପ କେଇଦିନ ପରେ ଝିଅ ଗୋଟିଏ ପୁଅ ସାଙ୍ଗରେ ଚାଲିଯାଏ । ରବି ମଉସା ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ତୁଛ କରିଦିଅନ୍ତି । ସତେଯେମିତି ସେ ଜୀବନରେ ଜଣେ ନିସ୍ୱ, ଅସହାୟ ଓ ମାନମହତ ନଥିବା ମଣିଷ ଭଳି ନିଜକୁ ବିବେଚିତ କରି ଜୀବନ କାଟନ୍ତି । ପୁଅ ସେତେବେଳକୁ ଅଷ୍ଟମ ଶ୍ରେଣୀରେ ପଢୁଥାଏ । ମନରେ ଭୟ ପଶେ ତାଙ୍କ ପୁଅ ବି କାହିଁକି ଏମିତି ଛାଡିକି ଦିନେ ନପଳେଇବ । ମୁଣ୍ଡ ଗେଞ୍ଜିବାକୁ ଅସହାୟ ବୃଦ୍ଧ ବୟସରେ ଛାତ ଟିକେବି ନାହିଁ । ଜୀବନ ଯନ୍ତ୍ରଣାର କଷାଘାତରେ ଜୀବନର ଅର୍ଥ ହିଁ ତାଙ୍କ ପାଖରେ ଆଉ କିଛି ନଥାଏ । ଯେତେବେଳେ ଘର ଟିକେ କରିବା ପାଇଁ ଭାବି ବସନ୍ତି ନିଜ ଘର ଡିହକୁ ଦେଖି ଅନୁତାପ କରନ୍ତି । ସବୁଠାରୁ ଛି ଛାକରା ଓ ଧିକକ୍‌ାର କରନ୍ତି ଆଜିର ନ୍ୟାୟ ବ୍ୟବସ୍ଥାକୁ । ମନେ ମନେ ବିିଷ ଉଗାଳନ୍ତି ଆଜିର ଏ କୋର୍ଟ କଚେରୀ ଉପରେ ।

      କି ବିଚିତ୍ର ଏ ଦୁନିଆ । ମନେ ମନେ ଭାବନ୍ତି ଭଲଥିଲା ସେବେଳର ସେ ଗାଁ ଜମିଦାରିଆ କଥା । ସେ ଦେଖି ଆସିଛନ୍ତି ତାଙ୍କ ପିଲାବେଳୁ ଗାଁରେ କେତେଥର ନ୍ୟାୟ ନିସାବ ହୋଇଛି ଗାଁର ଜମିଦାରଙ୍କ ଇଜଲାସରେ । ହଁ ବେଳେବେଳେ ନ୍ୟାୟରେ ପକ୍ଷପାତିତା ହୁଏ ମାତ୍ର ନ୍ୟାୟ ଖୁବ୍ ଜଲଦି ଆଉ ଖୁବ୍ ସହଜରେ ମିଳେ । ବାଡିଆବାଡି, କଳିଝଗଡା, ଜମିବାଡିର ବଣ୍ଟାକୁଣ୍ଟା ଅବା ପୁଅଝିଅଙ୍କର ପ୍ରେମ ସମ୍ପର୍କ ହେଉ ଗୋଟିଏ କିମ୍ବା ଦୁଇଟି ବୈଠକରେ ମାମଲା ରଫାଦଫା । କିଏ ଗାଁ ଲୋକଙ୍କ ଗୋଡତଳେ ପଡି ଭୁଲ ମାଗୁଥିଲା ତ କିଏ ଜୋରିମନା ଭରୁଥିଲା । ସମସ୍ତେ ସେ ନ୍ୟାୟକୁ ମାନିବାକୁ ବାଧ୍ୟ ହେଉଥିଲେ । ନ୍ୟାୟ ମିଳିବା ପାଇଁ ତାରିଖ ଗଡୁ ନଥିଲା । ହେଲେ ଆଜିର କୋଟ କଚେରୀ କଥା ଚିନ୍ତା କଲା ବେଳକୁ ମନେମନେ ଭୟ ଓ ଦୁଃଖ ଲାଗୁଛି । ଥରେ ସେମାନଙ୍କ ପିଣ୍ଢାରେ ଯଦି ପାଦ ରଖିଦେଲେ ତେବେ ଚପଲ ଘୋରି ହୋଇ ଜୀବନ ଅତିବାହିତ ହୋଇଯିବ ହେଲେ ନ୍ୟାୟ ମିଳିପାରିବ ନାହିଁ । ଖାଲି ତାରିଖ ପରେ ତାରିଖ, ତାରିଖ ପରେ ତାରିଖ । ମହକିଲ ଭାବରେ ଓକିଲକୁ ପୋଷିବା ଛଡା ଆଉ କିଛି ହୁଏନି । ଏପଟେ ନିଜ ପେଟକୁ ଦାନାଗଣ୍ଡେ ପଛେ କମ୍ ହୋଇଯାଉ ତାରିଖ ଦିନରେ କୋର୍ଟରେ ହାଜର ହେବା ପାଇଁ ପଇସା କେଉଁଠୁ ନା କେଉଁଠୁ ଯୋଗାଡ କରିବାକୁ ପଡିଥାଏ । ଜୀବନରେ ସର୍ବସ୍ୱ ଲୁଟିଯାଏ କିନ୍ତୁ ନ୍ୟାୟ ମିଳିପାରେନି । ଯଦି କେଉଁଠି ବି ମିଳିଥାଏ, ପୁଣି ବିପକ୍ଷ ଉପର ଅଦାଲତକୁ ଟାଣିନିଏ । ସେଠି ବିଚାର ହେଉ ହେଉ ପୁଣି ସେଇ ଏକା ଦଶା । ତାଙ୍କ ଭଳି ଜୀବନ ତଳିତଳାନ୍ତ ହୋଇଯାଏ । ଯଦି ଆଗଭଳି ଗାଁ ଜମିଦାରୀଙ୍କ ମୂରବୀ ପଣିଆରେ ତାଙ୍କ ଘରଡିହ ବଣ୍ଟା ହୋଇ ପାରିଥାନ୍ତା  ବୋଧହୁଏ ତାଙ୍କ ଜୀବନର ଦୃଶ୍ୟପଟ ଆଜି ଆଉ କ’ଣ ହୋଇଥାନ୍ତା । ଯେତିକି ପଇସା ଏ କୋର୍ଟ କଚେରୀରେ ଚକର ମାରି ଖର୍ଚ୍ଚ କରି ନୟାନ୍ତ ହୋଇ ଗଲେଣି ସେଥିରେ ଏ ବାର୍ଦ୍ଧର୍କ୍ୟ ଜୀବନରେ ମୁଣ୍ଡ ଗେଞ୍ଜିବାକୁ ଘର ଖଣ୍ଡେ ତ କରି ପାରିଥାନ୍ତେ । ଏଭଳି ଭାବୁ ଭାବୁ ଏ ସାମାଜିକ ନ୍ୟାୟ ବ୍ୟବସ୍ଥା ପ୍ରତି ତାଙ୍କର ଘୋର ଅବିଶ୍ୱାସ ଆସେ । ସେ ଜାଣନ୍ତି କଥାରେ ଅଛି ଡେରିରେ ନ୍ୟାୟ ମିଳିବାଟା ନ୍ୟାୟ ନମିଳିବା ସଙ୍ଗେ ସମାନ । ଆଜିର ଏ ବିଚରାଳୟ ମାନଙ୍କରେ କେସ୍‌ର ଫଇସଲା ହେଲା ବେଳକୁ ମୁଦଲା ମାନଙ୍କର ଜୀବନ ଡାଏରୀର ଅନେକ ଅମୁଲ୍ୟ ଫର୍ଦ୍ଦ ଚିରି ନଷ୍ଟଭ୍ରଷ୍ଟ ହୋଇ ଯାଇଥାଏ । ମୁଣ୍ଡରେ ହାତ ଦେଇ ସେ ବୁଝିପାରନ୍ତିନି କେଉଁ ବେଳ ସତରେ ଭଲ ଥିଲା ସେବେଳ ନା ଅଛି ଆଜିର ଏବେଳ ।

*******

ସେବେଳ ନା ଏବେଳ(୨୦)

 

ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁଋଷ ପାଟଣା, ଭାଣପୁର

ପୁରୀ-୭୫୨୧୧୪

ମୋ-୯୭୭୮୫୧୯୬୭୮

ସେବେଳ ନା ଏବେଳ(୨୦)

      ପ୍ରଶାନ୍ତ ବାବୁ ଖୁବ୍ ଖୁସି । ସାଂସାରିକ ଜୀବନର ସମସ୍ତ କର୍ମକୁ ସେ ତୁଲାଇ ସାରିଛନ୍ତି । ମନରେ ଆଉ କୌଣସି ବିଷାଦ ନାହିଁ । ମଙ୍ଗଳମୟ ମଧ୍ୟ ତାଙ୍କୁ ଜୀବନରେ କୌଣସି ଖୁସିରେ ଉଣା କରିନାହାନ୍ତି । ନିଜେ ଥିଲେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଉଚ୍ଚପଦସ୍ତ କର୍ମଚାରୀ । ସ୍ତ୍ରୀ ଜଣେ ଶାନ୍ତ ସରଳ ଗୃହୀଣୀ । ବାପା ବୋଉବି ତାଙ୍କୁ ଛାଡିଯିବାର ଆଜକୁ ପ୍ରାୟ ଦଶ ବର୍ଷ ହୋଇଗଲାଣି । ପୁଅକୁ ଝିଅକୁ ଇଞ୍ଜିନିୟର ପାଠ ପଢାଇ ସାରିବା ପରେ ଝିଅ ବାହାଘର । ଚାରିବର୍ଷ ହେଲା ଝିଅ ଜ୍ୱାଇଁ ବାଙ୍ଗାଲୋରରେ ଘରଦ୍ୱାର କିଣି ନିଜର ଗୋଟିଏ ଝିଅ ସହିତ ଖୁବ୍ ଖୁସିରେ ଅଛନ୍ତି । ଏଇ ଦେଢ ବର୍ଷତଳେ ପୁଅ ବିବାହର କରିଛନ୍ତି ହେଲେ ପୁଅ ଭଲପାଉଥିବା ଗୋଟିଏ ଉତ୍ତରପ୍ରଦେଶଝିଅ ସହିତ । ଉଭୟେ ଭୂବନେଶ୍ୱରର ଦୁଇଟି ଅଲଗା ଅଲଗା କମ୍ପାନୀରେ କାର୍ଯ୍ୟରତ । ପୁଅ ମେକାନିକାଲ ଇଞ୍ଜିନିୟରିଂରେ ବିଟେକ୍ ଓ ଏମ୍‌.ବି.ଏ ତେଣୁ ଗୋଟିଏ ଇଞ୍ଜିନିୟରିଂ ଓ କନସ୍ଟ୍ରକ୍ସନ କମ୍ପାନୀରେ ପ୍ରୋଜେକ୍ଟ ଡାଇରେକ୍ଟର ଓ ବୋହୁ ଅନ୍ୟ ଏକ କମ୍ପାନୀରେ ସିଷ୍ଟମ୍ ଇଞ୍ଜିନିୟର । ଟଙ୍କା  ପଇସାର ଅଭାବ ଆଦୌ ନାହିଁ । ଭୂବନେଶ୍ୱର ଓଲ୍ଡଟାଉନ୍‌ରେ ଏକ କଲୋନୀରେ ଗୋଟିଏ ସୁନ୍ଦର ଘର କରିଛନ୍ତି । ପ୍ରଶାନ୍ତବାବୁଙ୍କ ବର୍ତ୍ତମାନର ନିତିଦିନିଆ କାମ ହେଉଛି ନିଜ ଘର ବାଲକୋନିରେ ବସି ଖବର କାଗଜ ଓ ବହି ପଢାପଢି ସହିତ ଭୂବନେଶ୍ୱରର ପରିବେଶ ସହିତ ନିଜ ଜୀବନକୁ ଉପଭୋଗ କରିବା । ଆଉ ଘରେ ଧର୍ମ ପରାୟଣୀ ପତ୍ନୀ ଦିନତମାମ ଧାର୍ମୀକ ପୁସ୍ତକ ପଢାଠାରୁ ଆରମ୍ଭ କରି ଘରେ ପୂଜା ପାଉଥିବା ଦିଅଁ ଦେବତାଙ୍କ ପାଖରେ ବିଭିନ୍ନ ରିତୀ ନିତି କରିବାରେ ଖୁବ୍ ଆନନ୍ଦ ପାଆନ୍ତି । ଘରେ ପୁଅ ଚାକର ଚାକରାଣୀ ଖଞ୍ଜି ଦେଇଛି ରୋଷେଇ ବାସ କରିବା ପାଇଁ । ଘରେ ଦୁଇଟି କାର୍ । ସେଥିରୁ ପୁରୁଣା ମାରୁତି କାର୍‌ଟି ପ୍ରଶାନ୍ତ ବାବୁଙ୍କର । ଅନ୍ୟ ନୂଆ ମାରୁତୀ ସେଲେରିଓ କାର୍‌ଟି ପୁଅ ବୋହୁଙ୍କର ।

       ପୁଅ ବୋହୁ ପ୍ରଥମେ ପ୍ରଥମେ ବିବାହର ଛଅମାସ ପର୍ଯ୍ୟନ୍ତ କାର୍‌ରେ ସାଙ୍ଗ ହୋଇ ଯାଉଥିଲେ ମାତ୍ର ପରେ ନିଜ ନିଜର ଅଫିସ୍ କାମରେ ସମୟ ବ୍ୟବଧାନ ଅଲଗା ହେବାରୁ ବୋହୁ ନୂଆ କାର୍‌ଟି ଓ ପୁଅ ପୁରୁଣା କାର୍‌ଟି ନେଇକରି ଯାଉଛି । ନାତି ନାତୁଣୀର କିଛି ଆଭାସ୍‌ବି ନଥାଏ । ସେତେବେଳକୁ ପୁଅର ବିବାହ ଆସି ଦେଢବର୍ଷ ବିତି ସାରିଥାଏ । ହଠାତ୍ ପ୍ରଶାନ୍ତବାବୁ ଗୋଟିଏ ଘଟଣା ଦେଖି ଖୁବ୍ ବିବ୍ରତ ହୋଇ ପଡନ୍ତି । ପ୍ରାୟ ପ୍ରତିଦିନ ତାଙ୍କ ବୋହୁ ଅଫି୍‌ସରୁ ଫେରିବା ବେଳକୁ ତା’ ଗାଡିରେ ଆଉ ଜଣେ ପୁରୁଷ ବସିକରି ଆସୁଥାଏ । ଗାଡିରୁ ଓହ୍ଲାଇଲାବେଳେ ଦୁଇଜଣଙ୍କର ଖୁବ୍ ଥଟା ତାମସା ସତେଯେପରି ଦୁଇଜଣଙ୍କର ଅତରଙ୍ଗତା ଖୁବ୍ ଅଧିକ । ଏପରି ଦେଖି ପ୍ରଶାନ୍ତବାବୁଙ୍କୁ  ବେଳେବେଳେ ମାନସିକ ଅଘାତ ଲାଗେ । ପୁଅ ପ୍ରତିଦିନ ଅଫିସ ଫେରିବା ବେଳକୁ କେଉଁ ଦିନ ରାତି ଆଠଟା ତ କେଉଁଦିନ ଦଶଟା ତାହା ଠିକ୍ ନଥାଏ । ଘର ଭିତରେ କିନ୍ତୁ ପୁଅ ବୋହୁଙ୍କର ସମ୍ପର୍କ ଖୁବ୍ ଭଲ । ସେଥିରେ ବି ସେମିତି ମନମାଳିନ୍ୟ ଅବା ସ୍ନେହପ୍ରିତୀରେ କମି କିଛି ବି ନଥାଏ । ମାତ୍ର ଚାରିତ୍ରିକ ଦୃଷ୍ଟିକୋଣରୁ ସଂଯମୀ ପ୍ରଶାନ୍ତବାବୁଙ୍କୁ ଏଭଳି ଆଚରଣ ଖୁବ୍ ବ୍ୟଥିତକରୁଥାଏ ।  ନିଜ ପତ୍ନୀଙ୍କ ମାଧ୍ୟମରେ ଏକଥା ବି ପୁଅକୁ ଖୋଲିକରି କହିଦେବାକୁ ସେ ଉଚିତ୍ ମନେ କରନ୍ତିନି । ଦିନେ ପତ୍ନୀଙ୍କ ମାଧ୍ୟମରେ ବୋହୁକୁ ନାତିନାତୁଣୀର ବ୍ୟବସ୍ଥା କଥା ପଚାରନ୍ତି । ବୋହୁ ହସିଦେଇ ତାଙ୍କ ପତ୍ନୀଙ୍କୁ କହେ ହଁ ମା’ ସମୟ ଆସିଲେ ହେବନି ।

      କିନ୍ତୁ ତାଙ୍କ ବୋହୁର ସେ ପୁରୁଷ ବନ୍ଧୁ ସହିତ ଯା ଆସ ଓ ମିଳାମିଶା ସେମିତି ଥିବାର ଦେଖି ପ୍ରଶାନ୍ତବାବୁ ମନେ ମନେ ଭାବି ବସନ୍ତି ଛି..ଛି..ଛି....ଏ କି ଯୁଗ ହେଲା । ଏଭଳି ଅବିବେକି ଚରିତ୍ର । ଦିନ ଥିଲା ଆମ ବେଳେ ବିବାହିତ ବୋହୁର ବର୍ଷେ ପର୍ଯ୍ୟନ୍ତ କେହି ମୁହଁ ଦେଖି ପାରୁନଥିଲେ । ତାଙ୍କ ପତ୍ନୀ ବର୍ଷେ ଯାଏଁ ମୁଣ୍ଡରୁ ଓଢଣୀ କାଢି ନଥିଲେ । ବାହାର ପୁରୁଷଙ୍କ କଥା ଛାଡନ୍ତୁ । ଘର ଭିତରଟାରେ ବୋହୁ ପରା ଦେଢସୁରଙ୍କୁ ନିଜର ମୁହଁ ଦେଖେଇବା ପାପ ବୋଲି ବିବେଚନା କରାଯାଉଥିଲା । କେତେ ସଂଜତତା ସେବେଳେ । ବୋହୁର ମର୍ଯ୍ୟାଦା ତା’ର ଲଜ୍ଜାବୋଧ ଓ ଚିରାଚରିତ ସାମାଜିକ ପ୍ରଥା ଭିତରେ ହିଁ ସମାଜ ଖୋଜୁଥିଲା । ହେଲେ ଚାହୁଁ ଚାହୁଁ ଏହି ଦୁଇ ଦଶନ୍ଧି ଭିତରେ ସବୁ ବଦଳି ଗଲାଣି । ବିବାହରରେ ବୋହୁର ମୁହଁ ଦେଖେଇ ଉପହାର ଆଦାୟ ହେଲାଣି । ଘରେ ବଡଗୁରୁଜନଙ୍କ ସାମନାରେ ନୂଆ ବୋହୁର ଓଢଣୀ ଭିତରେ ମାନ୍ୟ ସବୁ କୁଆଡେ ଉଭେଇଗଲାଣି । ଏମିତି ଭାବୁ ଭାବୁ ବିରକ୍ତହୋଇ ଭାବି ବସନ୍ତି ଆଜି ପୁଅ ଆସିଲେ ଏକୁଟିଆ ବେଳେ ତାଙ୍କ ବୋହୁର ଏଭଳି ଆଚରଣ କଥା ପଚାରିବେ ।  ସତକୁ ସତ ସେଦିନ ପୁଅକୁ ଏକୁଟିଆ ଅବସ୍ଥାରେ ତାଙ୍କ ବୋହୁର ସେ କଥା ପଚାରିଲା ବେଳକୁ ପୁଅ ଉତ୍ତର ଦିଏ ବାପା ତୁମ ଜମାନା ଆଉ ନାହିଁ । ତୁମେ ଜାଣିନ ବୋଧେ ଭାରତର ମାନ୍ୟବର ଉଚ୍ଚତ୍ତମ ନ୍ୟାୟଳୟ ରାୟରେ କହିଛନ୍ତି  ପର ପୁରୁଷ ସହିତ କୌଣସି ବିବାହିତା ସ୍ତ୍ରୀର ସହମତି ଭିତ୍ତିକ ସମ୍ପର୍କ ଆଇନତଃ ସିଦ୍ଧ । ସେଠି କେହି କିଛି କହି ପାରିବେ ନାହିଁ । ତେଣୁ ତୁମେ ସେଥିରେ କାଇଁ ଏତେ ବ୍ୟସ୍ତ ହେଉଛ । ସେତ ମୋ ସହିତ ମୋ ପତ୍ନୀ ହିସାବରେ ଅଛି ନା ତାହା ସବୁଠୁ ବଡ । ମୁଁ ଚାହିଁଲେ ବି ତାରି ଭଳି ଆଚରଣ କରିପାରେ । ଏ ଉତ୍ତର ଶୁଣି ପ୍ରଶାନ୍ତ ବାବୁ ପୁରାପୁରି ସ୍ତବ୍ଧ । ଆରେ ଆଜିର ପିଢୀତ ଏହାକୁ ଆଦରେ ଗ୍ରହଣ କରି ସାରିଲେଣି । ମାତ୍ର ମୁଁ କାହିଁ ଗ୍ରହଣ କରିପାରୁନି । ନା ନା ମୁଁ ଖୁବ୍ ମରହଟ୍ଟୀ, ପଛୁଆ ହୋଇ ରହି ଯାଇଛି ବୋଧେ । ହେଲେ ଏ ଅବସର ବୟସରେ ନିଜକୁ ଆଉ କ’ଣ ବଦଳେଇ ହେବ । ଏମିତି ଭାବୁ ଭାବୁ ବିଷାଦଗ୍ରସ୍ତ ମନରେ ବୁଝି ପାରୁନଥାନ୍ତି ସତରେ କିଏ ଭଲ ଥିଲା ସେବେଳ ନା ଅଛି ଆଜିର ଏବେଳ ।

*******

 

OLD IS PLATINUM

 DETAILS OF MY EARLIER POSTS