ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
୯୭୭୮୫୧୯୬୭୮
ସ୍ୱାର୍ଥ ସର୍ବସ୍ୱ ଦୁନିଆ
ସ୍ୱାର୍ଥ ସର୍ବସ୍ୱ ଏ ଦୁନିଆ । ସ୍ୱାର୍ଥ ସମ୍ବଳିତ ପ୍ରତ୍ୟେକ ସମ୍ପର୍କ । ସ୍ୱାର୍ଥର ସମାପ୍ତିରେ ସମ୍ପର୍କରେ ଫିକା ଅବା ପୂର୍ଣ୍ଣଣ୍ଣଛେଦ । ଏଠି କ୍ଷଣିକ ସ୍ୱାର୍ଥ ପାଇଁ ବି ସମ୍ପର୍କର ମୂଳଦୁଆ ପଡେ । ସ୍ୱାର୍ଥହାନୀରେ ସାତ ଜନ୍ମର ସମ୍ପର୍କ ବି ବଳିପଡେ । ସ୍ୱାର୍ଥ ହିଁ ପ୍ରତିଟି ସମ୍ପର୍କର ଆକର୍ଷଣ । ସ୍ୱାର୍ଥର ଗାଢତା ଯେତେ ଅଧିକ ଆକର୍ଷଣ ମଧ୍ୟ ସେତେ ପ୍ରଖର । ସ୍ୱାର୍ଥ ପାଇଁ ଏଠି ଧନ ଜୀବନ ଓ ଯୈାବନ ବି ଜଳେ । ସ୍ୱାର୍ଥ ପାଇଁ ମିଛ ଲାଞ୍ଚ ଓ କପଟ ଏଠି ଗୋଟି ଖେଳେ ।
ସ୍ୱାର୍ଥ ପାଇଁ ଏଠି କେତେ ଯେ ପାଞ୍ଚ ତାର ପରିମିତ ପରିସୀମା ହିଁ ନାହିଁ । ସମୟେ ସମୟେ ସ୍ୱାର୍ଥ ମାନବିକତାକୁ ବି ମାରିଦିଏ ତ ବେଳେବେଳେ ଭବିଷ୍ୟତର ଆକାଙ୍କ୍କ୍ଷିତ ସ୍ୱାର୍ଥ ଏଠି ମାନବିକତା ଉଜ୍ଜୀବିତ କରେ । କେବେ କେବେ ସ୍ୱାର୍ଥ ଧର୍ମାନ୍ଧ କରେଇ ଦିଏ ତ କେବେ ପୁଣି ଧର୍ମନୁଗାମୀ ।
ସ୍ୱାର୍ଥ ହାନୀ ହିଁ ଅସହିଷ୍ଣୁତାର ବୀଜ ବୁଣେ । ଅପରାରେ ପରଶ୍ରୀକାତରତାର ଅଙ୍କୁରୋଦ୍ମମ ହୁଏ । ନିିଜେ ଅଶାନ୍ତିର ଘନଘଟାରେ ଘାଣ୍ଟିଚକଟି ହୁଏ । ଅନ୍ୟକୁ ବି ଅଶାନ୍ତ କରାଏ । କାହାର ଜୀବନ ସ୍ୱାର୍ଥ ସର୍ବସ୍ୱ ତ କିଏ ପୁଣି ସ୍ୱାର୍ଥାନ୍ଧ । ସ୍ୱାର୍ଥବିନା କେତେ ହଲିଲା ପାଣି ତ ଦୂରର କଥା ସ୍ଥିର ପାଣିରେ ବି ଗୋଡ ଦିଅନ୍ତିନି ଆଉ କେତେ ଅଛନ୍ତି ହଲିଲା ପାଣିରେ ବି ଗୋଡ ହଲେଇ ନିଜ ସ୍ୱାର୍ଥ ସାଧନ କରିପାରନ୍ତି । ସ୍ୱାର୍ଥ ହିଁ ଏମାନଙ୍କୁ
କର୍ମ ଚଞ୍ଚଳ କରିରଖେ । ଏମିତି ବି ଥୋଡେ ଅଛନ୍ତି ନିଜ ସ୍ୱାର୍ଥ ପାଇଁ ନିଜର ମାନ ସମ୍ମାନକୁ ତଳେ ପକେଇବାକୁ ପଛାନ୍ତିନି । ମାତ୍ର ଏମିତିବି ଅଛନ୍ତି ଯେଉଁମାନେ ସ୍ୱସ୍ୱାର୍ଥକୁ
ସେତେଟା ପ୍ରାଧାନ୍ୟ ଦେଇନଥାନ୍ତି । ସ୍ୱସ୍ୱାର୍ଥ ଅପେକ୍ଷା ସାମୁହିକ ସ୍ୱାର୍ଥରେ ସେମାନେ ଆନନ୍ଦିତ । କିନ୍ତୁ ପର ସ୍ୱାର୍ଥରେ ଖୁସି ଅନୁଭବ କରୁଥିବା ବ୍ୟକ୍ତି ଖୁବ୍ ବିରଳ ।
ଆମମାନଙ୍କର ନିତ୍ୟନୈମିତ୍ୟ ପ୍ରତ୍ୟେକ କର୍ମରେ ଆମର ସ୍ୱାର୍ଥ ଜଡିତ । ଏମିତି ବି ଯେଉଁମାନେ ଅନ୍ୟର ସ୍ୱାର୍ଥ ଅବା ସମାଜର ମଙ୍ଗଳପାଇଁ ନିଜର ଜୀବନ ଉତ୍ସର୍ଗ କରିଥାନ୍ତି ସେମାନଙ୍କର ବି କିଛି ନା କିଛି ସ୍ୱାର୍ଥ ରହିଥାଏ । ସ୍ୱାର୍ଥ ପରୋକ୍ଷ ଅବା ପ୍ରତ୍ୟେକ୍ଷରେ ହେଉ ଦୃଶ୍ୟ ଅବା ଅଦୃଶ୍ୟରେ ହେଉ ସେଥିରେ ଲୁକାୟିତ ଥାଏ । ସ୍ୱାର୍ଥ କାୟିକ, ମାନସିକ ଅବା ବସ୍ତୁ ଭିତ୍ତିକ ହୋଇଥାଇପାରେ । ଏହି ମର୍ମରେ କଥାଟିଏ ।
ଅନନ୍ତ ପ୍ରକୃତିରେ ଅଖୋବାଟିଏ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସମାଜବିଜ୍ଞାନରେ ପି.ଏଚ୍.ଡି କରୁଥିଲେ ବି ଗାଁ ମାଟି ମା’କୁ ସେ ଭାରି ଭଲଥାଏ । ତତ୍ସହିତ ଆଧ୍ୟାତ୍ମୀକ ଆଲୋଚନାରେ ଖୁବ୍ ରୁଚି । ସବୁକଥାକୁ ସମାଜ ବିଜ୍ଞାନୀ ଭଳି ଅନୁଶୀଳନ କରେ । ସେଦିନ ତା’ର ସାଙ୍ଗ ଅମୂଲ୍ୟ କହେ ଆରେ ଚାଲେ ଆଜି ତତେ ଜଣେ ମହାନ୍ ବ୍ୟକ୍ତିଙ୍କ ସହିତ ଦେଖା କରେଇବି । ତାଙ୍କ ଜୀବନେଶୈଳୀ ଦେଖିଲେ ତୁ ନିଶ୍ଚୟ ଆଶ୍ଚର୍ଯ୍ୟ ହେବୁ । ଅନନ୍ତ ଆଶ୍ଚର୍ଯ୍ୟ ସହିତ ଅମୂଲ୍ୟକୁ ଚାହେଁ । ଅମୁଲ୍ୟ କହିଚାଲେ ସେ ବ୍ୟକ୍ତି ଜଣେ ଓଡିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଦ୍ୱିତୀୟ ଶ୍ରେଣୀ କର୍ମଚାରୀ । ସାହିତ୍ୟ ସାଧନା ଓ ସମାଜ ସେବାରେ ବ୍ରତୀ । ଅନ୍ୟମାନଙ୍କ ଅସୁବିଧାରେ ଅକଣ୍ଠ ସାହାଯ୍ୟ । ଲୋଭ ମୋହ ତାଙ୍କୁ ସ୍ପର୍ଶହିଁ କରିନି । ସତରେ ନିଃସ୍ୱାର୍ଥପର ବ୍ୟକ୍ତି ଜଣେ ସେ । ଅନନ୍ତ ସବୁ ଧୈର୍ଯ୍ୟର ସହିତ ଶୁଣି ସାରିଲା ପରେ କହେ ନିଶ୍ଚୟ ସେ ଜଣେ ମହାନ୍ ବ୍ୟକ୍ତି ଏଥିରେ ସନ୍ଦେହ ନାହିଁ ହେଲେ ତାଙ୍କର ସେ ସମସ୍ତ କାର୍ଯ୍ୟରେ ସ୍ୱାର୍ଥ ମଧ୍ୟ ଲୁକାୟିତ ଭାବେ ଅଛି । ଅମୁଲ୍ୟ ବିରକ୍ତିରେ କହେ କି ସ୍ୱାର୍ଥ ଅଛି କହିଲୁ । ଅନନ୍ତ କହେ ଆରେ ସେ ସ୍ୱାର୍ଥଟି ହେଉଛି ସେ ସମସ୍ତ କର୍ମରେ ତାଙ୍କୁ ମିଳୁଛି ଅଗାଧ ଆନନ୍ଦ ଓ ଶାନ୍ତି । ତାହାହିଁ ତାଙ୍କର ସ୍ୱାର୍ଥ । ଯାହା ବସ୍ତୁଭିତ୍ତିକ ଅବା କାୟୀକ ସିନା ନୁହେଁ ମାତ୍ର ଅଦୃଶ୍ୟ ମାନସିକ ସ୍ୱାର୍ଥ । ମାତ୍ର ତାଙ୍କର କର୍ମ ମହତ୍ ଓ ସେ ନିଶ୍ଚିତ ମହାନ୍ । ଅମୂଲ୍ୟ ଏକଥା ଶୁଣି ବାଲୁବାଲୁ ହୋଇ ଅନନ୍ତକୁ ଚାହିଁ ରହେ । ଅନନ୍ତର ଯୁକ୍ତିକୁ କାଟିଲାଭଳି ତା’ ପାଖରେ ତର୍କ ହିଁ ନଥାଏ ।
ବାସ୍ତବରେ ପାଠକେ ସ୍ୱାର୍ଥରେ ଚଳମାନ ଏ ସଂସାର । ସ୍ୱାର୍ଥ ବିନା ଏ ସଂସାର ସ୍ଥାଣୁ । ମୁନିଋଷି ନିସର୍ତ୍ତ ତପସ୍ୟାରତ ଜଗତ କଲ୍ୟାଣ ପାଇଁ ହେଲେ ପରମାତ୍ମାଙ୍କ ସହିତ ମିଳନର ସ୍ୱାର୍ଥରେ । ଲେଖକ ନିସର୍ତ୍ତ ଲେଖିଚାଲେ ସମାଜ ପରିବର୍ତ୍ତନ ପାଇଁ ଅବା ଅନ୍ୟର ମନରେ ଖୁୁସି ଭରିଦେବା ପାଇଁ ମାତ୍ର ନିଜ କଲମର ଅମରତ୍ୱ ସାର୍ଥରେ । ମା’ ନିସର୍ତ୍ତ ସେବା କରିଚାଲେ ଗର୍ଭସ୍ଥ ଶିଶୁର ଭୂମିଷ୍ଠ ପର୍ଯ୍ୟନ୍ତ ହେଲେ ମାତୃତ୍ୱର ଉପଲବ୍ଧି ସ୍ୱାର୍ଥରେ । ମହାମାନବମାନେ ଏ ମନୁଷ୍ୟ ସମାଜର ନିସର୍ତ୍ତ ସେବା କରିଥିଲେ ହେଲେ ଆତ୍ମତୃପ୍ତିର ସ୍ୱାର୍ଥରେ ।
ମାତ୍ର ପ୍ରତିଯୋଗିତା ମୂଳକ ପ୍ରଗତି ଓ ଉନ୍ନତି ବୋଧହୁଏ ସ୍ୱାର୍ଥବିନା ଅସମ୍ଭବ । ସ୍ୱସ୍ୱାର୍ଥ ହିଁ ମନୁଷ୍ୟ ମନରେ ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦିତା ଭାବ ଭରିଦିଏ । ଏହି ପ୍ରତିଯୋଗିତା ମନୋଭାବ ସାମାଜିକ ବିକାଶର ଦିଗ ଓ ବେଗ ନିରୁପଣ କରେ । ତେଣୁ ଆସନ୍ତୁ ଯେଉଁ ସ୍ୱାର୍ଥରେ ଜଗତର କଲ୍ୟାଣ ହେବ ସେହିଭଳି ସ୍ୱାର୍ଥକୁ ସାଥୀ କରିବା ।
*******
No comments:
Post a Comment