search in www.iswarchandraworld.blogspot.com

Sunday 8 March 2020

Odia Article ଫୁଲର ଅଭିଯୋଗ

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ଫୁଲର ଅଭିଯୋଗ

     ଅବସର ଜୀବନରେ ରାମବାବୁଙ୍କର ସବୁଠାରୁ ପ୍ରିୟ କାମ ହେଲା ନିଜ ବଗିଚାର ଜତ୍ନ । ଋତୁ ଚକ୍ର ଅନୁଯାୟୀ ବଗିଚାଟି ମଲ୍ଲୀ, ମନ୍ଦାର, ମାଳତୀ, ଜୁଈ, ଜାଇ, ହେନା, ଟରାଟ, ଟଗର, ଗୋଲାପ, ଅପରଜିତା, ଗେଣ୍ଡୁ ଓ ରଜନୀଗନ୍ଧାରେ ପ୍ରାୟ ସଦା ସର୍ବଦା ପରିପୂର୍ଣ୍ଣ । ପ୍ରତିଦିନ ସକାଳେ ବଗିଚା କାମ ସାରି ଭଲଭାବରେ ଫୁଟିସାରିଥିବା ଫୁଲ ଗୁଡିକୁ ଚାଙ୍ଗୁଡାରେ ତୋଳିଆଣି ପାଖରେ ଥିବା ମନ୍ଦିର କୁ କିଛି ପଠାନ୍ତି ଓ ଘର ଦିଅଁଙ୍କ ପାଇଁ କିଛି ରଖନ୍ତି । ବଳକା ଫୁଲକୁ ବିକିଦିଅନ୍ତି ଦୋକାନିକୁ ପଇସାପାଇଁ ନୁହେଁ ବରଂ ଲାଗୁ ସେବାରେ । ଫେବୃୟାରୀ ୧୭, ୨୦୧୪, ସୋମବାର ‘ସମାଜ’ର ମର୍ମସ୍ପର୍ଶୀ ଆବେଗଭରା ଆଲେଖ୍ୟ ‘ଫୁଲର ବିଳାପ’ ଟି ତାଙ୍କ ମନକୁ ଆନ୍ଦୋଳିତ କରିଛି । ଲେଖାଟିର ମର୍ମ ଏଇଆ ଥିଲା ଯେ ବଗିଚାରୁ ଭଗବାନଙ୍କ ପୂଜାପାଇଁ ଚାଙ୍ଗୁଡାଏ ଚାଙ୍ଗୁଡାଏ ଫୁଲ ଛିଣ୍ଡେଇବା ପ୍ରକୃତିର ପରିପନ୍ଥୀ ଓ ମୂଲ୍ୟହୀନ । ଫୁଲ ତୋଳିବା ଦ୍ୱାରା ଛିନ୍ନହୁଏ ମହୁମାଛି, ପ୍ରଜାପତି ଓ ଭଅଁରର ଫୁଲସହିତ ଥିବା ଆବେଗ ଭରା ଆତ୍ମିକ ସମ୍ପର୍କ ଓ ବ୍ୟାଘାତ ହୁଏ ପରାଗ ସଂଗମ ପ୍ରକାରାନ୍ତେ ଯାହା ମନୁଷ୍ୟର ସ୍ୱାସ୍ଥ୍ୟ ଓ ପରିବେଶ ବିରୋଧୀ ।
ଦୀର୍ଘ ତିନିମାସ ଧରି ସେ ଏଇ ଚିନ୍ତାରେ ବ୍ୟତିବ୍ୟସ୍ତ । ଭାବିଛନ୍ତି ଜର୍ଜ ବର୍ଣ୍ଣାଡ ଶ ଙ୍କର ଫୁଲମାନଙ୍କ ପ୍ରତି ଜୀବନ ଦର୍ଶନ । ଶେଷରେ ଗତ ସପ୍ତାହରେ ନିଷ୍ପତି ନେଲେ ସେ ଆଉ ତାଙ୍କ ବଗିଚାରୁ ଚାଙ୍ଗୁଡାଏ ଚାଙ୍ଗୁଡାଏ ଫୁଲ ତୋଳିବେ ନାହିଁ ଚାହେ ମନ୍ଦିରର ମୂର୍ତ୍ତୀ ଓ ଘରର ଫଟୋ ଦିଅଁ ମାତ୍ର ଦୁଇଟି ଫୁଲରେ ପୂଜା ପାଆନ୍ତୁ । ଆଜକୁ ପାଞ୍ଚ ଦିନ ପରେ ବଗିଚାରେ ସବୁଫୁଲ ଭରିଭରି ଫୁଟି ତଳେ ଝରିପଡିବାକୁ ଆରମ୍ଭକଲେଣି । ରାତିରେ ରାମବାବୁ ଶୋଇଛନ୍ତି ନିଘୋଡ ନିଦରେ । ସ୍ୱପ୍ନରେ ତାଙ୍କ ବଗିଚାର ଗୁଡିଏ ଫୁଲ ଆସି କହୁଛନ୍ତି ହେ ପ୍ରିୟ ବନମାଳୀ , ତୁମର କଠିନ ପରିଶ୍ରମ ଓ ଯତ୍ନ ଆମକୁ ସଂସାରରେ ସଂସାରୀ ହେବାର ସୌଭାଗ୍ୟ ପ୍ରଦାନ କରିଛି । ହେଲେ ଗତ ପାଞ୍ଚ ଦିନ ହେବ ଆମକୁ ଏତେ ହୀନିମାନ ଓ ହତାଦର କରୁଛ କାହିଁକି ? ତୁମେତ ମନୁଷ୍ୟ । ତୁମକୁ ଆମେ ଅଧିକ କଣ ବା ବୁଝେଇପାରିବୁ ? ବୋଧ୍‌ହୁଏ ବହୁଜନ୍ମର ପୂଣ୍ୟ ଫଳରେ ଆମର ଏ ଫୁଲ ଜନ୍ମ ସେହି ପ୍ରଭୂର ଚରଣରେ, ଗଭାରେ ଅବା ଚୂଡାରେ ଶୋଭାପାଇବା ପାଇଁ । ସେହି ପୂଣ୍ୟଫଳରେ ପରମାତ୍ମାଙ୍କ ସାନ୍ନିଧ୍ୟ ଲାଭ ଆଶାରୁ ଆମକୁ ବଞ୍ଚିତ କରୁଛ କାହିଁକି ? ଅଫୁଟା କଅଁଳ କଢୀକୁ ଗଛରୁ ଛିଣ୍ଡେଇ ଫୋପାଡି ଦେଲେ ଅବା ଫୁଟିଲା ଫୁଲକୁ ତୋଳିଆଣି ଅଳିଆଗଦାରେ ଏଣେତେଣେ ଫିଙ୍ଗିଦେଲେସିନା ସୃଷ୍ଟିର ବୈଚିତ୍ର‌୍ୟତାର ପରିପନ୍ଥୀ ହେଲେ ଫୁଟିଲା ଫୁଲକୁ ପରସେବାରେ ବିନିଯୋଗ କଲେ ସେ କଣ ଅପରାଧ ? ଜୀବନରେ ଖାଲିକଣ ଜନ୍ମନେଇ ବଞ୍ଚିରହି ମରିଯିବାରେ ଜୀବନର ସାର୍ଥକତା ? କଥାରେ ଅଛି ପରସେବାରେ ପରମାତ୍ମା ପ୍ରାପ୍ତି । ତୁମେ ଆମକୁ ସେଥିରୁ ବଞ୍ଚିତ କରୁଛ କାହିଁକି? ଆମେ ମାନୁଛୁ ଜନ୍ମରୁ ବାୟୁକୁ ବିଶୁଦ୍ଧ କରୁଛୁ ଓ ମହକ ବାଣ୍ଟୁଛୁ । ଯୌବନର ଚହଟରେ ମହୁମାଛି ତୁମପାଇଁ ସଂଗ୍ରହ କରୁଛି ମଧୂ ଓ ପରାଗ ସଂଗମରେ କରୁଛୁ ସ୍ୱଜାତିର ଅଭିବୃଦ୍ଧି, ହେଲେ ଏତିକିରେ ଆମ ସେବାକୁ ସୀମିତ କରୁଛ କାହିଁକି ? 
ମଧୂଶାଳାର ମଧୂଶଯ୍ୟାରେ ବିଛେଇହୋଇ ଆମର ମଧୂଗନ୍ଧରେ ନବଦମ୍ପତିଙ୍କର ଅନ୍ତରଙ୍ଗ ମୁହୂର୍ତ୍ତକୁ ଆହୁରି ମଧୂମୟ କରିବାର ଆମର ମହତ୍ତ୍ୱାକାକ୍ଷାଂକୁ ମାରି ଦଉଛକାହିଁକି ? ଦୁଇଟି ଅଚିହ୍ନା, ଅଜଣା ଜୀବନର ମନ, ଶରୀର ଓ ଆତ୍ମାର ନୈସର୍ଗିକ ମିଳନରୁ ସଂସାରରେ ପରପିଢୀର ସର୍ଜନା ପାଇଁ ସହଯୋଗୀ ଭାବେ ସେବାକରିବାର ଦାୟୀତ୍ୱକୁ ତୁମେ ଦଳିଦେଉଛ କାହିଁକି ? ସେ ସମୟରେ ଖାଲି ସେବା ନୁହେଁ ସେ ମୂହୁର୍ତ୍ତକୁ ମନଖୋଲି ଉପଭୋଗ କରିବାର ଆମ ଭାଗ୍ୟକୁ କୁଠାରଘାତ କରୁଛ କାହିଁକି ? ଫୁଲମାନେ ଏମିତି ଆହୁରି ଅନେକ ଅବିରାମ ଅଭିଯୋଗ କଲାବେଳକୁ ହଠାତ୍ ରାମବାବୁଙ୍କ ନିଦ ଭାଙ୍ଗିଯାଇଛି । ରାମବାବୁଙ୍କର ମନେ ପଡିଛି ମହାପ୍ରଭୂ ଜଗନ୍ନାଥଙ୍କର ଷାଠିଏ ପଉଟି ଭୋଗ, ରଥଯାତ୍ରାରେ ଫୁଲର ଟାହିଆ, ମନେପଡିଛି ‘କୁଷୁମ ପରଷେ ପଟ୍ଟ ନିସ୍ତରେ’ ଭଳି ଉକ୍ତି ଓ ମାଖନଲାଲ୍ ଚତୁର୍ବେଦୀ ଙ୍କ କବିତା ‘ଫୁଲ୍ କି ଚାହ୍‌’ ଏବଂ କରିଛନ୍ତି ଅନେକ ଯୁକ୍ତି ଚାଙ୍ଗୁଡା ଚାଙ୍ଗୁଡା ଫୁଲର ବ୍ୟବହାର ସମ୍ପର୍କରେ । ଯେତେବେଳେ ମହାପ୍ରଭୂ ଜଗନ୍ନାଥଙ୍କର ପେଟ ଷାଠିଏ ପଉଟିରେ ପୂରେ ତେବେ ଏ ମୋହମାୟାଗ୍ରସ୍ତ ମଣିଷ ଷାଠିଏମହଣ ଫୁଲରେ ତାଙ୍କୁ ସନ୍ତୁଷ୍ଟ କରିବାପାଇଁ ନଭାବିବ ବା କାହିଁକି ? ତାର ନିଦର୍ଶନ ବୋଧହୁଏ ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ନିତି ଫୁଲବେଶ ଓ ରଥଯାତ୍ରାରେ ଜୀଉଙ୍କର ଫୁଲଟାହିଆ । ଅନ୍ଧତ୍ୱର ଜଞ୍ଜିରରେ ଅନ୍ଧ ସୁରଦାସ ଫୁଲବଦଳରେ ଚାଙ୍ଗୁଡା ଚାଙ୍ଗୁଡା ଫୁଲପାଖୁଡା ଭକ୍ତିରେ ଭଗବାନଙ୍କୁ ଦେଇନଥିବେ କାହିଁକି ? କୃଷ୍ଣ ପ୍ରେମରେ ବାୟାଣୀ ମୀରା ଗଳିଗଳି ବୁଲୁଥିବା ବେଳେ ଗଛଲଟାରୁ ମହଣମହଣ ଫୁଲରେ ମୂରଲୀଧରଙ୍କୁ ସଜେଇନଥିବ କାହିଁକି ? କାରଣ ଏ ସବୁ କଥାରେ ବ୍ୟବହୃତ ଫୁଲର ପରିମାଣ ସମ୍ପର୍କିତ କୌଣସି ଐତିହାସିକ ତଥ୍ୟ ନାହିଁ । ପ୍ରସିଦ୍ଧ କବି ମାଖନନଲାଲ୍ ଚତୁର୍ବେଦୀ ଙ୍କ ଲିଖିତ ପ୍ରସିଦ୍ଧ କବିତା ‘ଫୁଲ୍ କି ଚାହ୍‌’ ରେ ଫୁଲର ଦେଶ ରକ୍ଷା ପାଇଁ ପ୍ରାଣବଳି ଦେଉଥିବା ସୈନିକ ର ପାଦ ସ୍ପର୍ଶ ଭଳି ଅନନ୍ୟ ଅଭିଳାଷକୁ ମଧ୍ୟ ମାରିଦେବା ଉଚିତ୍ ନୁହେଁ । ଫୁଲର ସିମିତ ବ୍ୟବହାର କରି ପଟ୍ଟର ନିସ୍ତାରରେ ଆମେ ବାଧା ଦେବା କାହିଁକି ?
ପ୍ରେମ, ଭକ୍ତି ଓ ପ୍ରୀତିର ପ୍ରତୀକ ହେଉଛି ଫୁଲ । ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ମଣିଷ ଜୀବନରେ ଜନ୍ମରୁ ଜୁଇ ପର୍ଯ୍ୟନ୍ତ ପ୍ରାୟ ସବୁ କାମରେ ଫୁଲହିଁ ଲୋଡା । ଓଷାବାହା, ପୁନିଅପରବ, ଯାନିଯାତ୍ରା, ହୋମଯଜ୍ଞ, ବ୍ରତ ଓ କର୍ମକାଣ୍ଡାଦିରେ ଫୁଲ ଅନିର୍ବାର୍ଯ୍ୟ । ଯୁବତୀର ଜୁଡାକୁ ଜାବୁଡିଧରି ତାର ଯୌବନରେ ଚାରିଚାନ୍ଦ ଲଗେଇବାରେ ପାରଙ୍ଗମ ଏ ଫୁଲ । ପ୍ରେମିକାକୁ ପ୍ରେମ ନିବେଦନ ହେଉ ଅବା ମାନିନୀ ପ୍ରିୟତମାର ମନ ମନେଇବାରେ ମୋହିନୀ ଏ ଫୁଲ । ଗୁରୁଶିଷ୍ୟ ପରମ୍ପରାରେ ଗୁରୁପୂଜା ଓ ଆଶୀର୍ବାଦ ର ପ୍ରତୀକ ଏ ଫୁଲ । ମନର ପବିତ୍ରତା ଓ ଭକ୍ତିକୁ କରେ ଋଦ୍ଧିମନ୍ତ ଓ ଜୀବନ୍ତ ଏ ଫୁଲ ।
ଫୁଲର ସୁବ୍ୟବହାର ଅପଚୟ ନୁହେଁ ବରଂ ସଂସାର ଧର୍ମୀ । ଜର୍ଜ ବର୍ଣ୍ଣାଡ ଶ ଙ୍କର ଦର୍ଶନକୁ ସମ୍ମାନଦେଇ ବଗିଚାରୁ କଅଁଳ କଢୀ ଓ ଯୌବନରେ ଉତ୍‌ଫୁଲିତ ଫୁଲଗୁଡିକୁ ଛିଣ୍ଡାଇ ଗୃହ ସଜା କରାନଯାଇପାରେ ମାତ୍ର ଯୌବନର ସୂର୍ଯ୍ୟାସ୍ତରେ ପାଦ ଦେଉଥିବା ଫୁଲଗୁଡିକୁ ତୋଳିଆଣି ସେମାନଙ୍କର ସୌରଭକୁ ଅନ୍ୟ ଜାଗାରେ ବିଞ୍ଚିଦେବାରେ ଭୂଲ୍ କଣ ବରଂ ଫୁଲଟିକୁ ତାର ଅନନ୍ୟ ସେବାପାଇଁ ସୁସ୍ଥ ଶରୀର ଓ ସ୍ମରଣ ଶକ୍ତି ବୃଦ୍ଧିରେ ବଗିଚା ନଥିବା ସ୍ଥାନରେ ସୁଯୋଗ ଦେବା । ଫୁଲର ବ୍ୟବହାରକୁ ସଂକୀର୍ଣ୍ଣ କରିବା ପରିବର୍ତ୍ତେ ଏହାର ଉତ୍ପାଦନକୁ ବହୁଗୁଣିତ କରି ପରିବେଶକୁ ସୁସ୍ଥ, ପରିଷ୍କାର ଓ ଉଛ୍ୱାସମୟ କରିବା ଦରକାର ।
ଆସନ୍ତୁ ସମସ୍ତେ ବନମାଳୀ ହୋଇ ଚାଣକ୍ୟର ଚାତୁରୀରେ ଅସଂଖ୍ୟ ଚନ୍ଦ୍ରଗୁପ୍ତ ରୁୂପକ ଫୁଲଗଛ ଓ ଗୁରୁ ରାମଦାସ୍‌ଙ୍କ ଭଳି ଗୁରୁତ୍ୱରେ ଅଗଣିତ ଶିବାଜୀ ରୂପକ ଫୁଲଗଛକୁ ଉତୁରେଇ ଫୁଲର ଅଭିଯୋଗର ସମାଧାନ, ଅଭିଳାଷ ପୁରଣ ସଙ୍ଗେ ସଙ୍ଗେ ସଂସାରର ମଙ୍ଗଳ ସାଧନ କରିବା । ବଗିଚାରେ ଝଙ୍କାଏ ଝଙ୍କାଏ ଫୁଲ ଫୁଟୁଥିବ ଓ ଚାଙ୍ଗୁଡା ଚାଙ୍ଗୁଡା ତୋଳା ହେଉଥିବ ।

******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS