search in www.iswarchandraworld.blogspot.com

Sunday 8 March 2020

Odia Article ଦୋଷୀ ତୁ ନୁହେଁ, ଦୋଷୀ ଆମେ


ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ଦୋଷୀ ତୁ ନୁହେଁ, ଦୋଷୀ ଆମେ

    ପଡୋଶୀ ବନାରୀ ମଉସା ଯେଉଁଦିନ ବୃଦ୍ଧାଶ୍ରମରେ ସବୁଦିନ ପାଇଁ ରହିବାକୁ ବାହାରିଲେ ସେଦିନ ମୋତେ ସେ ତାଙ୍କ ହାତଲେଖା ଡାଏରୀଟି ଦେଇ କହିଲେ ଆରେ; ଏଇଟିକୁ ନେ । ଲେଖାଲେଖିତ କରୁଛୁ, କାଳେ ତୋର କିଛି କାମରେ ଆସିପାରେ । କିଛିଦିନ ପରେ ଡାଏରୀଟିରୁ ଏ ଲେଖାଟି ପଢି ମୋତେ ଲାଗିଲା ଏ ଲେଖାଟି ଆଜିର ସମାଜରେ ସମସ୍ତେ ପଢିିବା ଦରକାର । ଲେଖାଟି ଥିଲା ଏମିତି ।
    କାଲି ଭଳି ଲାଗୁଛି । ତୋ ମା’ ଡାକ୍ତରଖାନାର ଲେବର୍ ରୂମ୍‌ରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥାଏ । ମୁଁ ବାହାରେ ଠିଆ ହୋଇ ଭଗବାନଙ୍କୁ ମନେମନେ ସ୍ମରୁଥାଏ । କିଛିକ୍ଷଣ ପରେ ତୋର କୁଆଁକୁଆଁ ଡାକ ମନର ଭୟାତୁର ନିସ୍ତବ୍ଦତାକୁ ଭାଙ୍ଗିଦେଲା । ପାଖରେ ଠିଆହୋଇ ରହିଥିବା ମୋର ଅତି ଘନିଷ୍ଠ ବନ୍ଧୁ ମୋତେ ହଠାତ୍ କହି ପକେଇଲା, ‘ବାପା’ ଡାକର ମଧୁରତା ଭଗବାନ ତୋପାଇଁ ପଠେଇଦେଲେ । ମୁଁ କିଛିକ୍ଷଣ ବୁଝିପାରିଲିନି । ସତରେ କଣ ‘ବାପା’ ଡାକଟା ଏତେ ମଧୁର? ଦିନ ଗଡି ଚାଲିଲା । ତୁ ଧୀରେଧୀରେ କଡ ଲେଉଟଉ ଲେଉଟଉ ପେଟେଇଲୁ ଓ ବସିବା ବି ଶିଖିଗଲୁ । ବସୁବସୁ ଗୁରୁଣ୍ଡିବା ବି ତୋତେ ଆସିଗଲା । ଏ ସମସ୍ତ ପରିବର୍ତ୍ତନରେ ତୋ ମା’ର ଖୁସି କେତେ ଯେ ଥିଲା ତାହା ମୁଁ ସହଜରେ ଠଉରେଇ ନଉଥିଲି । ହେଲେ ମୋ ମନର ଅପ୍ରକାଶିତ ଆନନ୍ଦକୁ ତୋ ମା’ କଳି ପାରୁନଥିଲା । ତୋ ଦରୋଟି ଓଠରୁ ପ୍ରଥମଥର ମା’ ଶଦ୍ଦରେ ତୋ ମା’ କିପରି ଅନୁଭବ କରିଥିଲା ମୁଁ ତ ତାହା ଜାଣିନି, ମାତ୍ର ସେଦିନ ତୁ ପିଚା ଖସେଇ ଦାଣ୍ଡ ପିଣ୍ଢାରୁ ତଳପାହାଚକୁ ଆସୁଥାଉ ଆଉ ମୁଁ ପାଖରେ ଛିଡା ହୋଇଥାଏ । ଆଗରେ ତେଲଗୁଣି ପୋକଟିଏ ଦେଖି ତୋର ଭୟାଛନ୍ନ କୁନି ଓଠ ଦିଟାରୁ ଅକସ୍ମାତେ ଝରି ପଡିଥିଲା “ବାପା” । କି ମଧୁର ଥିଲା ସେ ଶଦ୍ଦ? ମନ ଓ ଆତ୍ମାରେ ମୋର ଖେଳାଇ ଦେଇଥିଲା କୋଟି ନିଧିର ଆନନ୍ଦ । ସାଙ୍ଗ କଥାର ସତ୍ୟତାକୁ ଅନୁଭବ କରି କାଖକୁ ଉଠେଇ ଆଣି ଗେଲ କରିପେକଇଥିଲି । 
   ତୋ ମା’ର ସ୍ୱପ୍ନଥିଲା ତୁ ତୋ ବାପା ଭଳି ମଣିଷଟିଏ ହଅ ହେଲେ ମୋ ମନରେ ଆଶା ଥିଲା ତୁ ମୋ ସ୍ୱପ୍ନର ମଣିଷଟିଏ ହଅ । ତୋ ମା’ ସିନା ତୋ ଦେହ ଓ ପେଟର ଯତ୍ନ ନେଉଥିଲା ମାତ୍ର ମୁଁ ସାମନା କରିଥିବା କଷ୍ଟ ଆଉ ସଂଘର୍ଷ ତୋ ଜୀବନରେ କିପରି ନଆସୁ ସେଥିପାଇଁ ଅହରହ ଯତ୍ନ କରିଚାଲିଥିଲି । ଇଂରାଜୀ ମାଧ୍ୟମରେ ପଢି ପାରିନଥିବାରୁ ମୁଁ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଥିଲି ତାହା ତୋ ଜୀବନରେ ନଆସୁବୋଲି ତୋତେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନେଇ ଦାଖିଲା କରିଥିଲି । ଇଂରାଜୀ ବିଦ୍ୟାଳୟରେ ତୋର ପଢିବାଟା ମୋ ଠାରୁ ତୋ ମା’କୁ ବେଶୀ ଖୁସି ଦଉଥିଲା । ସେତେବେଳେ ପ୍ରତି ଶ୍ରେଣୀରେ ଓ ପ୍ରତିଟି ବିଷୟରେ ତୋର ଉତ୍କର୍ଷତା ଆମ ଦୁଇଜଣଙ୍କର ଥିଲା ସର୍ବୋତ୍ତମ ଆବଶ୍ୟକତା । ସେଥିପାଇଁ ଆମେ ତୋ ପାଇଁ ସୁଚିନ୍ତିତ ସୁବ୍ୟବସ୍ଥା କରିଥିଲୁ । ବିଦ୍ୟାଳୟ, ବିଦ୍ୟାଳୟପରେ ଟ୍ୟୁସନ୍ ଓ ଟ୍ୟୁସନ୍ ପରେ ଘରପାଠର ଅବଧି ସବୁ ସ୍ଥିରୀକୃତ ହୋଇଥିଲା । ତୋ ପାଠପଢାରେ ବ୍ୟାଘାତ ନଘଟିବା ପାଇଁ ତୋତେ କୈାଣସି ବନ୍ଧୁ ପରିଜନ ଘରକୁ ବୁଲି ଯିବାକୁ ସୁଯୋଗ ଦେଉନଥିଲୁ । ଧୀରେଧୀରେ ତୁ ଏଭଳି ଜୀବନ ସହିତ ଏତେ ଅଭ୍ୟସ୍ତ ହୋଇଗଲୁ ଯେ ତୋର ବି ଆଉ ବନ୍ଧୁପରିବାରଙ୍କ ଘରକୁ ଯିବାକୁ ଇଚ୍ଛା ହେଲାନି । ତୋର ବାଳୁତପଣିଆକୁ ଆମେ ବାନ୍ଧିରଖିଲୁ ପଢା ଭିତରେ । ଶ୍ରେଣୀରେ ଅବା  ପ୍ରତିଯୋଗିତାରେ ତୋ କୃତୀତ୍ୱରେ ଆମ ଅହଙ୍କାର ଅନ୍ୟ ପିଲାଙ୍କ ପିତାମାତାଙ୍କ ଆଗରେ ବହୁଗୁଣିତ ହୋଇଯାଉଥିଲା । ଏ ଅହଂଙ୍କାରକୁ ବଜାୟ ରଖିବା ପାଇଁ ତୋର ଜୀବନରେ ଆବେଗିକ ଆବଶ୍ୟକତାକୁ ଆମେ ସମ୍ପୂର୍ଣ୍ଣ ଭୁଲି ଯାଇଥିଲୁ । ଯଦି କେବେ ପାଠପଢାରେ ତୁ ଅମନଯୋଗ ହେଉ ଆମେ ବୁଝାଉଥିଲୁ ମନେରଖ ତୁ ଆଜି ଯେଉଁ ପରିଶ୍ରମ କରୁଛୁ ତୋ ପାଇଁ କରୁଛୁ । ତୁ ଭଲ ପଢିଲେ ବଡ ମଣିଷଟିଏ ହେବୁ । ବଡ ଚାକିରୀଟିଏ କରିବୁ, ଖୁସିରେ ଜୀବନ ବିତେଇବୁ । ତୁ ଆମ ପାଇଁ କିଛି କରୁନାହୁଁ । ମାତ୍ର ଏ ସବୁ କଥାର ଅନ୍ତରାଳରେ ଥିଲା ତୋ କୃତୀତ୍ୱରେ ଆମର ଆତ୍ମସମ୍ମାନ ଓ ଅହଙ୍କାର ଯାହାକୁ ସେତେବେଳେ ତୋର ବୁଝିବାର ଶକ୍ତି ହିଁ ନଥିଲା । ମାତ୍ର ଏ ସବୁର ପ୍ରାବଧାନ ଭିତରେ ତୁ ବଡହେଲା ବେଳକୁ ସ୍ନେହ, ପ୍ରୀତି, ମମତା ଓ ସେବାରହିତ ଏକ ଯାନ୍ତ୍ରୀକ ମାନବରେ ଯେ ପରିଣତ ହୋଇଯାଇଥିଲୁ ତାହା ଆମେ ବୁଝି ପାରିନଥିଲୁ । ତୁ ପାଠପଢୁଥିବା ପର୍ଯ୍ୟନ୍ତ ଆମର ଖୁସି ଅମାପ ଥିଲା । ତୁ ଚାକିରୀ କଲୁ । ନିଜ ଇଚ୍ଛାରେ ମଧ୍ୟ ତୋ ମନଲାଖି ଝିଅଟିଏ ବାହାହେଲୁ । ଅମାପ ପଇସା ତୋ ପାଖରେ ହେଲା । ଆମେ ଯେମିତି ତୋ ପିଲାଦିନର ଚପଳାମିକୁ ଆମ ଆତ୍ମସନ୍ତୋଷ ପାଇଁ ସମ୍ପୂର୍ଣ୍ଣ ଅଣଦେଖା କରି ଦେଇଥିଲୁ, ଆଜି ତୁ ବି ସେମିତି ତୋ ଚାକିରୀରେ ପ୍ରତିଷ୍ଠା ପାଇଁ ଆମ ଦୁଇଜଣଙ୍କର ବୃଦ୍ଧାବସ୍ଥାର ଯନ୍ତ୍ରଣାକୁ ଅଣଦେଖା କରିବୁନିବା କିପରି? ସେଦିନ ତୁ ଥିଲୁ ଅସହାୟ ଆଜି ଆମେ ହୋଇଛୁ ଲାଚାର । ଜୀବନରେ ସ୍ନେହ, ପ୍ରୀତି, ମମତା ଓ ସେବାର ଆବଶ୍ୟକତା କେତେ ସେଦିନଗୁଡିକରେ ଆମେ ତୋତେ ବତେଇନଥିଲୁ । ବନ୍ଧୁବାନ୍ଧବଙ୍କ ସହିତ ମିଳିମିଶି ପରସ୍ପର ଭିତରେ ସ୍ନେହ ମମତା ବାଣ୍ଟିବା ଓ ଅସହାୟ ଲୋକଙ୍କର ସେବାକରିବା ମାନବ ଜୀବନରେ ମାନବତ୍ୱର ପ୍ରମାଣ ବୋଲି ଆମେ ତୋତେ ଶିଖେଇନଥିଲୁ । ତେଣୁ ତୁ ଆଜି ଆମମାନଙ୍କ ବୃଦ୍ଧାବସ୍ଥାର ଆବଶ୍ୟକ ସେବା ଓ ଯତ୍ନ ବୁଝିପାରିବୁ ବା କିପରି? ଏଥିରେ ଦୋଷୀ ତୁ ନୁହେଁ, ଦୋଷୀ ଆମେ । 
  ସତରେ, ଭୋଗବାଦ ମୁହାଁ ସମାଜରେ ନିଜର ଖୁସି ଓ ଅହଂକାରର ମୋହରେ ପଡି ଆମେ କେବଳ ଆମ ପିଲାମାନଙ୍କୁ ବଡମଣିଷ କରି ଗଢିତୋଳୁଛେ ସିନା ଭଲମଣିଷଟିଏ ହେବାର ମନ୍ତ୍ର ତାକୁ ଶିଖେଇପାରୁନେ । ତେବେ ଆସନ୍ତୁନା ବୃଦ୍ଧାବସ୍ଥାରେ ସନ୍ତାନମାନଙ୍କୁ ଦୋଷ ଦେବା ଅପେକ୍ଷା ତାକୁ ସ୍ନେହ, ପ୍ରିତୀ, ମମତା ଓ ସେବାଭରା ହୃଦୟଥିବା ଭଲ ମଣିଷଟିଏ କରି ଗଢିବାକୁ ଚେଷ୍ଟା କରିବା ଯାହା ଭବିଷ୍ୟତରେ ଆମ ସମସ୍ତଙ୍କୁ ଏକ ଶାନ୍ତିମୟ ବୃଦ୍ଧାବସ୍ଥା ପ୍ରଦାନ କରିବ ।


******* 

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS