search in www.iswarchandraworld.blogspot.com

Saturday 7 March 2020

Odia Article ବିଶ୍ୱାସୀ ମଣିଷ

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
                                                                                          ମୋ-୯୭୭୮୫୧୯୬୭୮

ବିଶ୍ୱାସୀ ମଣିଷ

   ବିଶ୍ୱାସରେ ଚାଲିଛି ବିଶ୍ୱ । ହେଲେ  ଅବିଶ୍ୱାସରେ ଭରା ଏ ସଂସାର ।  ମୁହର୍ତ୍ତକେ ଜନ୍ମ ନିଏ ଏ ଅବିଶ୍ୱାସ ।  ହେଲେ କାଳପରି କାଳଜୟୀ । ଥରେ  ଜନ୍ମ ନେଲେ  କେବେ ଯେ  ମରିବ ତାର ନିର୍ଦ୍ଧିଷ୍ଟତା ନାହିଁ । ଜନ୍ମ ପରର ପୀଡା  ଅତ୍ୟନ୍ତ କଷ୍ଟ ଦାୟକ । ପ୍ରତି ସମ୍ପର୍କରେ ଏହା ଲୁକାୟୀତ । ଥରେ ମୁହଁ କାଢିଲେ ସମ୍ପର୍କରେ ଫାଟ ଅବା ପୂର୍ଣ୍ଣଚ୍ଛେଦ ପଡେ । ଅବିଶ୍ୱାସର ଡେଙ୍ଗୁରା ମଧ୍ୟ ବହୁତ ଜୋରରେ ବାଜେ । କାନ ଅତଡା ପକେଇଦିଏ । କ୍ଷିପ୍ର ବେଗରେ ଦିଗନ୍ତ ମାଡିଚାଲେ । ଏକାନରୁ ସେକାନ, ସେକାନରୁ ଏକାନ । ସମସ୍ତଙ୍କୁ ଜଳଜଳ ହୋଇ ଏ ଅବିଶ୍ୱାସଟି ଦେଖାଯାଏ ।
  ହେଲେ ବିଶ୍ୱାସ ବହୁତ ଧୀର । ସବୁ ସମ୍ପର୍କର ମୂଳଭିତ୍ତୀ । ଏହାର ଜନ୍ମପାଇଁ  ଅନେକ କଷ୍ଟ ଉଠାଇବାକୁ ପଡିଥାଏ । ମାତ୍ର ଏ କଷ୍ଟ ଓ ତ୍ୟାଗ ଆନନ୍ଦ ଦେଇଥାଏ । ଅନେକ କିଛି ତ୍ୟାଗିବାକୁ ପଡେ । ଏହାର ଜନ୍ମ ମଧ୍ୟ ବିଳମ୍ବ । ହେଲେ ଜନ୍ମପରେ, ଏହା ମଧ୍ୟ ମଣିଷଜୀବନ ପରି କ୍ଷଣଭଙ୍ଗୁର । କେତେବେଳେ ଯେ ଭାଙ୍ଗିଯିବ ତାହାର ନିର୍ଦ୍ଧିଷ୍ଟତା ନଥାଏ । ଜୀବଜଗତ ଜୀବ ମାନଙ୍କୁ ନେଇ ପରିପୂର୍ଣ୍ଣ । ସବୁ ଜୀବମାନଙ୍କ ମଧ୍ୟରେ ମନୁଷ୍ୟ ହିଁ ଶ୍ରେଷ୍ଠ । ସମାଜରେ ରହି ସମାଜକୁ ନେଇ ଚଳୁଥିବାରୁ ସାମାଜିକ ପ୍ରଣୀ । ସବୁ ଜୀବଙ୍କ ଭିତରେ ଅଳ୍ପେ ବହୁତେ ବିଶ୍ୱାସ ଓ ଅବିଶ୍ୱାସ ଅଛି । ମାତ୍ର ଆମେ ଆମମାନଙ୍କୁ କହୁଛେ ମନୁଷ୍ୟ ଠାରୁ ଅବିଶ୍ୱାସୀ ପ୍ରାଣୀ ସଂସାରରେ ନାହିଁ ।
ଆମର ବିଶ୍ୱାସୀ ପଣିଆକୁ ଆମେ ନଜର ଅନ୍ଦାଜ୍ କରି ଦେଉନେ କି? ଟିକେ ହେଜିଲେ, ବିଶ୍ୱାସ ବିନା ମନୁଷ୍ୟର ଅସ୍ତିତ୍ୱ ସମ୍ଭବ କି? ମନୁଷ୍ୟର ଜନ୍ମାବସ୍ଥାରୁ ଆଲୋଚନା କରାଯାଉ । ଶିଶୁଟି ମା ପେଟରୁ ବାହାରୁ ବାହାରୁ କାନ୍ଦେ । ଅଥୟ ମା’ ର ସ୍ତନରୁ ଝରି ଆସୁଥିବା କ୍ଷୀରକୁ ମା’ ତା ପାଟିରେ ଦେବାକୁ ଲାଗେ । ଶିଶୁଟି ତୁନିହୁଏ । ମା ମନରେ ବିଶ୍ୱାସ ଜନ୍ମେ ଭୋକ ଯୋଗୁଁ ମୋ ପିଲାଟି କାନ୍ଦୁଥିଲା ।ଏମିତି ସବୁବେଳେ କ୍ଷୀର ଦେଇ ଶିଶୁର କାନ୍ଦକୁ ତୁନାଏ । ଏଣେ ଶିଶୁ ମନରେ ବିଶ୍ୱାସର ଗଣ୍ଠିପଡେ  ଯେ ମୁଁ କାନ୍ଦିଲେ ମା’ ମୋତେ ଖୁଆଉଛି । ଶିଶୁଟିର ତା ମା’ ପ୍ରତି ଏହି ବିଶ୍ୱାସ ବଢିବଢି ଚାଲେ । ଶିଶୁକୁ ଭୟ, ଭୋକ ଅବା କଷ୍ଟରୁ ରକ୍ଷା ପାଇଁ ମା’ ନିଜ କୋଳରେ ଧରି ରଖେ । ଶିଶୁ ମଧ୍ୟ ମା’ କୋଳରେ ନିଜକୁ ସୁରକ୍ଷିତ ମଣେ । ବିଶ୍ୱାସ କରେ ଏ କୋଳ ତା ପାଇଁ ନିର୍ଭୟର ସ୍ଥାନ । ଧୀରେ ଧୀରେ ପିତା ମାତାଙ୍କ ସଂସ୍ପର୍ଶ ରେ ଆସି ସେମାନଙ୍କୁ ଅଗାଧ ବିଶ୍ୱାସ କରିବାକୁ ଲାଗେ । ସ୍ନେହ, ମମତା, ମାଡ, ଗାଳିର ଆସର ତା ମନରେ ବିଶ୍ୱାସ ଜନ୍ମାଏ, ବାପାମା’ ତାର ସବୁକିଛି । ସେମାନେ ଯାହା କରନ୍ତି ତାରି ମଙ୍ଗଳ ପାଇଁ । ଶିକ୍ଷାଦୀକ୍ଷାର ପରିସରରେ ବିଶ୍ୱାସ କରେ ଗୁରୁଙ୍କୁ । ଯଦି ଗୁରୁ ହୃଦୟ ଜିଣିବାରେ ସଫଳ ହେଲେ  ତେବେ ପିତାମାତାଙ୍କ ଠାରୁ ଗୁରୁଙ୍କୁ ଅଧିକ ବିଶ୍ୱାସ କରେ । ବିଶ୍ୱାସ କରେ ବହିରେ ଲେଖାଥିବା ସମସ୍ତ କଥାକୁ । ସଫଳତାପାଇଁ ପିତା, ମାତା ଓ ଗୁରୁଙ୍କ ଆର୍ଶୀବାଦ ସହିତ ଭାଗ୍ୟ ଉପରେ ବିଶ୍ୱାସ କରେ । ବଢୁବଢୁ ଭବିଷ୍ୟତର ସ୍ୱପ୍ନ ବୁଣେ । ସ୍ୱପ୍ନକୁ ଅଭିଳାଷରେ ପରିଣତ କରେ । ଅଭିଳାଷ ପୂରଣ ପାଇଁ ନିଜକୁ ବିଶ୍ୱାସ କରେ । ବିଶ୍ୱାସ ହୁଏ ଆତ୍ମବିଶ୍ୱାସ । ଆତ୍ମବିଶ୍ୱାସ ବଳରେ ହୁଏ ଜଗତଜିତା । ଯଦି ଆତ୍ମବିଶ୍ୱାସ କେବେ ଡଗମଗାଏ ତେବେ ବିଶ୍ୱାସ କରେ ନିଜର ଧୈର୍ଯ୍ୟକୁ । ବଡ ହେଲା ବେଳକୁ ସେ ନିଜର ସାଙ୍ଗ ମାନଙ୍କୁ ବିଶ୍ୱାସ କରେ । ଯଦି ଅକସ୍ମାତେ ପ୍ରେମର ରଙ୍ଗ ଲାଗେ ତେବେ ନିଜର ପ୍ରେମିକ ଅବା ପ୍ରେମିକାକୁ କରିବସେ ଅତି ବିଶ୍ୱାସ । ବିଶ୍ୱାସ ରଖେ ସାତ ଜନ୍ମ ପାଇଁ । ବେଳେବେଳେ କପୋଳକଳ୍ପିତ କଥାକୁ ବିଶ୍ୱାସ କରି ଅନ୍ଧବିଶ୍ୱାସୀ ହୁଏ ଆଉ ହରାଏ ଅନେକ କିଛି । ରୋଗରେ ପଡିଲେ ବଇଦ ଅବା ଡାକ୍ତରଙ୍କୁ ବିଶ୍ୱାସ କରେ । ଯଦି ଡାକ୍ତର ନ ପାରନ୍ତି କିମ୍ବା ଔଷଧ ଫେଲ୍ ମାରେ ତେବେ ମନ୍ତ୍ରତନ୍ତ୍ର ଅବା ଜଡିବୁଟି କୁ ବିଶ୍ୱାସ କରେ । ଯଦି ସେମାନେ ବି ହାର ମାନନ୍ତି ଶେଷରେ ଭଗବାନଙ୍କୁ ବିଶ୍ୱାସ କରେ । ଯେଉଁଠୁ ଏ ଜୀବନର ଆରମ୍ଭ ଓ ଶେଷ । 
   ସତରେ ଏ ମଣିଷ ବହୁତ ବିଶ୍ୱାସୀ । ପ୍ରତି ମୁହୁର୍ତ୍ତରେ କାହାକୁ ନା କାହାକୁ ସେ ବିଶ୍ୱାସ କରିଥାଏ ଜନ୍ମରୁଜୁଇ ପର୍ଯ୍ୟନ୍ତ । ଏ ଜୀବନ ପାଣିଫୋଟକା ଜାଣି ମଧ୍ୟ ପ୍ରତିରାତିରେ ଶୁଏ ଏକ ବିଶ୍ୱାସରେ ଯେ କାଲି ପୁଣି ଆସିବ ଓ ସେ ତା କାମରେ ଯିବ । ତେବେ ଏତେ ବିଶ୍ୱାସୀ ମଣିଷକୁ ସହଜରେ ଆମେ ଅବିଶ୍ୱାସୀ ବୋଲି କହିବା କାହିଁକି? ଆସନ୍ତୁନା ଏ ବିଶ୍ୱାସୀ ମଣିଷକୁ ବିଶ୍ୱାସର ରଙ୍ଗରେ ରଙ୍ଗିିଦେଇ ସଂସାରକୁ ଆନନ୍ଦମୟ କରିଦେବା ।

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS