search in www.iswarchandraworld.blogspot.com

Wednesday 25 March 2020

Odia Article ଆମ ଦେଶର ନିର୍ବାଚନୀ ଦୃଶ୍ୟରାଜୀ

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ଆମ ଦେଶର ନିର୍ବାଚନୀ ଦୃଶ୍ୟରାଜୀ

   ଆମ ଦେଶ ପୃଥିବୀର ସର୍ବବୃହତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ଦେଶ । ଗଣତନ୍ତ୍ରର ମୂଳ ଆଧାର ହେଉଛି ପ୍ରତ୍ୟେକ ନାଗରିକର ମତ୍ତଦାନ ଅଧିକାର । ପ୍ରତ୍ୟେକ ନାଗରିକ ଏହି ମତ୍ତଦାନର ଅଧିକାରକୁ ନିର୍ବାଚନ ପ୍ରକ୍ରିୟାରେ ହିଁ ଖଣ୍ଡିଏ ଭୋଟ ମାଧ୍ୟମରେ ସାବସ୍ତ୍ୟ କରିଥାନ୍ତି । ବହୁବିଧ ଭୌଗୋଳିକ ତାରତମ୍ୟ ଭରା ଆମର ଏହି ବିଶାଳ ଭୂଖଣ୍ଡରେ ନିର୍ବାଚନ ପରିଚାଳନା ଏକ ଜଟିଳ ପ୍ରକ୍ରିୟା । ତେବେ ନିର୍ବାଚନରେ କ୍ଷମତାର ବିକେନ୍ଦ୍ରୀକରଣ ଏହି ଜଟିଳ ପ୍ରକ୍ରିୟାକୁ ସରଳ କରିଦେଇଥାଏ । ଦେଶ ଅବା ରାଜ୍ୟରେ ନିର୍ବାଚନ କରାଇବାର ଦାୟୀତ୍ୱ ସମ୍ପୂର୍ଣ୍ଣଭାବେ ନିର୍ବାଚନ ଆୟୋଗଙ୍କ ଉପରେ ନ୍ୟସ୍ତ ଥାଏ । ନିର୍ବାଚନ ଦୁର୍ନିତୀମୁକ୍ତ, ହିଂସାରହିତ ଓ ସର୍ବଜନ ଭାଗିଦାରୀ କରାଇବା ଦିଗରେ ଆୟୋଗ ନାନା ନିୟମ ପ୍ରଣୟନ ମଧ୍ୟ କରିଥାନ୍ତି ।
   ଏ ସବୁର ପରେ ଆମେଦଶରେ ନିର୍ବାଚନର ଅବ୍ୟବହିତ ପୂର୍ବରୁ, ନିର୍ବାଚନ ସମୟରେ ଓ ନିର୍ବାଚନର ଫଳାଫଳ ସମୟର ଦୃଶ୍ୟରାଜୀ ସମଗ୍ର ପରିବେଶକୁ ଏକ ଅନ୍ୟନତା ପ୍ରଦାନ କରିଥାଏ । ନିର୍ବାଚନ ତାରିଖ ଘୋଷଣା ହେବା ସହିତ ଆଚରଣ ବିଧି ଲାଗୁ ହେବା ମାତ୍ରେ ଚାରିଆଡେ ନିର୍ବାଚନୀ ବାତାବରଣ ମୁଣ୍ଡ ଟେକେ । ଗାଁ ସହର, ହାଟ ବଜାର, ବିଦ୍ୟାପୀଠ ଓ ଦେବୀପୀଠ ପ୍ରତିଟି ସ୍ଥାନରେ ନିର୍ବାଚନୀ ଆଲୋଚନାର ଆସର ଦେଖାଯାଏ । ପ୍ରାର୍ଥୀପତ୍ର ଦାଖଲ ସମୟରେ ପ୍ରାର୍ଥୀଙ୍କର ଭବ୍ୟ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରା ପରିବେଶ ପ୍ରଦୁଷଣକୁ ନଜରଅନ୍ଦାଜ କରି ଶହଶହ ମଟର ସାଇକେଲ୍‌ର ଶବ୍ଦ ଓ ପ୍ରାର୍ଥୀ ସମର୍ଥକ ମାନଙ୍କ ଦ୍ୱାରା ସ୍ଲୋଗାନ୍ ରାସ୍ତାଘାଟ ଫଟେଇବାରେ ଲାଗେ । ପ୍ରାର୍ଥୀପତ୍ର ଯାଞ୍ଚହୋଇ କାୟମ ହୋଇଗଲାପରେ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଥାଏ । ପ୍ରାର୍ଥୀଙ୍କୁ ମିଳିଥିବା ନିର୍ବାଚନୀ ଚିହ୍ନକୁ ପ୍ରତି ଜନମାନସ ଭିତରେ ପହଞ୍ଚାଇବା ପାଇଁ ଗାଁ ଗଣ୍ଡା ବଜାର ଘାଟରେ ବଡ ବଡ ପୋଷ୍ଟର୍ ମାନଙ୍କରେ ପ୍ରାର୍ଥୀମାନଙ୍କର ହାତ ଯୋଡା ଫଟୋ ସହିତ ନିଜର ନିର୍ବାଚନ ଚିହ୍ନ ଓ ଭୋଟର ମାନଙ୍କ ମନକୁ ଆକର୍ଷିତ କଲାଭଳି କିଛି କଥା ଲେଖା ଥିବାର ଦେଖିବାକୁ ମିଳେ । ପ୍ରାର୍ଥୀମାନେ ନିଜର ସମର୍ଥକ ମାନଙ୍କ ସହିତ ପଦଯାତ୍ରା ଅବା ମଟର ସାଇକେଲ୍ ରାଲିରେ ନିଜ ନିର୍ବାଚନ ମଣ୍ଡଳୀ ବୁଲିବାର ଦେଖାଯାଏ । ଗାଁ କୁ ଗାଁ ପ୍ରଚାର ଗାଡି ବୁଲିବାରେ ଲାଗିଥାଏ । ପ୍ରଚାର ଗାଡି ମାନଙ୍କରେ ଲାଗିଥିବା ଧ୍ୱନିବାହାକ ଯନ୍ତ୍ରରୁ ଗୁରୁଗର୍ଜ୍ଜନ ଶଦ୍ଦରେ ଅବା ଅତି ସୁଲଳିତ ସଙ୍ଗୀତରେ ଭାସିଆସୁଥାଏ  ବିପକ୍ଷ ଦଳ ମାନଙ୍କର ଦୋଷ ଦୁର୍ବଳତା ଓ ନିଜଦଳ ମାନଙ୍କର ଗୁଣ ଗାରିମା । ଏପରି ପରିସ୍ଥିତିରେ ଶଦ୍ଦ ପ୍ରଦୂଷଣର  କିଛି ମାନେ ରହେନି । ନିର୍ବାଚନ ପ୍ରଚାର ଗାଡି କୌଣସି ଗାଁ ମୁଣ୍ଡରେ ପହଞ୍ଚି ଗଲେ ଗାଁର ଅନେକ ବ୍ୟକ୍ତି ଓ ଛୋଟପିଲା ମାନେ ଚାଲିଆସନ୍ତି ପ୍ରଚାର ଗାଡି ପାଖକୁ । ପ୍ରଚାର ଗାଡି ପାଖରେଥିବା ବ୍ୟକ୍ତି ବାଣ୍ଟି ଚାଲନ୍ତି ଦଳର ନିର୍ବାଚନୀ ଚିହ୍ନ ସହିତ ପ୍ରାର୍ଥୀଙ୍କର  ନାମଥିବା ଲିଫଲେଟ୍ । ଏଭଳି ପ୍ରଚାର ଗାଡିଗୁଡିକ ଗାଁ ମାନଙ୍କୁ ବୁଲିବାକୁ ଆସିବାଟା ପିଲାଙ୍କ ମନରେ ଅନେକ କୌତୁହଳ ଜନ୍ମାଇଥାଏ । ରାତି ହେଲେ ଅନେକ ଗାଁରେ ଦଳୀୟ କର୍ମୀ ଓ ଯୁବଗୋଷ୍ଠୀ ମାନଙ୍କ ପାଇଁ ନିର୍ବାଚନରେ ଲଢୁଥିବା ପ୍ରାର୍ଥୀ ମାନଙ୍କ ପ୍ରୟୋଜିତ ଆମିଷ ଭୋଜି ସହିତ ମଦ୍ୟପାନର ବ୍ୟବସ୍ଥା ଦେଖିବାକୁ ମିଳେ । ମଦ୍ୟପାନ ଯୁବ ଗୋଷ୍ଠୀଙ୍କୁ ବିପଥଗାମୀ କରୁଥିବା ଜାଣିଥିବା ସତ୍ତ୍ୱେ ପ୍ରାର୍ଥୀମାନେ ଏଭଳି ଭୋଜି ଅୟୋଜନରୁ ବିରିତ ରହନ୍ତି ନାହିଁ । ନିର୍ବାଚନ ସମୟରେ ଭୋଟର ମାନଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ପ୍ରତ୍ୟେକ ପ୍ରାର୍ଥୀ ପଇସାକୁ ପାନ ଭଳି ଖର୍ଚ୍ଚ କରିବାରେ ଲାଗିଥାନ୍ତି । 
   ଆମ ଦେଶର ନିର୍ବାଚନରେ ସରକାରୀ କର୍ମଚାରୀମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ତୁଲାଇଥାନ୍ତି । ତଳିଆ କର୍ମଚାରୀଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତେ ନିର୍ବାଚନକୁ ସୂଚାରୁରୂପେ ସମ୍ପାଦନ ପାଇଁ ସମର୍ପିତ ଥାନ୍ତି । ନିର୍ବାଚନର ୨ରୁ ୩ ସପ୍ତାହ ପୂର୍ବରୁ ନିର୍ବାଚନ ଅଧିକାରୀଙ୍କ ଠାରୁ  କର୍ମଚାରୀ ମାନଙ୍କ ପାଖରେ ଇଲେକ୍ସନ୍ ଡିଉଟିର ଅର୍ଡର ସବୁ ଆସି ପହଞ୍ôଚଯାଏ । ଅର୍ଡର ସବୁ ପାଇ ସାରିବା ପରେ ବାଟ ଘାଟରେ ସରକାରୀ କର୍ମଚାରୀ ମାନଙ୍କର ନାନା କଥୋପକଥନ ଦେଖିବାକୁ ମିଳେ । କିଏ କହେ ଆରେ ଭାଇ ମୋର ଜିଲ୍ଲାର ଅତି ସମ୍ବେଦନ ଶୀଳ ବ୍ଲକଟିରେ ଡ୍ୟୁଟି ପଡିଛି ତ ଆଉ କିଏ କହେ ମୋର ତିନିଟା ବ୍ଲକରେ ତିନି ଦିନ ପାଇଁ ନିର୍ବାଚନ ଡ୍ୟୁଟି ପଡିଛି । ପ୍ରତ୍ୟେକ କର୍ମଚାରୀଙ୍କ ମନରେ ନିର୍ବାଚନୀ ହିଂସାର ଶଙ୍କା ସତ୍ତ୍ୱେ ନିର୍ବାଚନ କୁ ସଫଳ କରିବାର ପ୍ରତିବଦ୍ଧତା ମଧ୍ୟ ଥାଏ । 
   ନିର୍ଦ୍ଧାରିତ ଦିନ ନିର୍ବାଚନ ସଂରଞ୍ଜାମ ବିତରଣ କେନ୍ଦ୍ରରୁ ପ୍ରତ୍ୟେକ ନିର୍ବାଚନ ପାର୍ଟିକୁ ଗୋଟିଏ ମଟର ଯାନ ସହିତ ସେମାନଙ୍କ ନିର୍ବାଚନ ବୁଥ୍ ନମ୍ବର, ଆବଶ୍ୟକ ବ୍ୟାଲଟ୍ ପେପର, ନିର୍ବାଚନୀ ମୋହର, ଦସ୍ତାଟ୍ରଙ୍କ, ବ୍ୟାଲଟ୍ ବକ୍ସ, ଲଣ୍ଠନ ଆଦି ଯୋଗାଇ ଦିଆଯାଏ । ନିର୍ବାଚନ ଗନ୍ତବ୍ୟସ୍ଥଳକୁ ଯେତେବେଳେ ନିର୍ବାଚନୀ ପାର୍ଟିମାନେ ବ୍ୟାଲଟ୍ ବକ୍ସ, ଦସ୍ତାଟ୍ରଙ୍କ ଓ ଲଣ୍ଠନ ମାନ ନେଇ ଗାଡିରେ ଯାତ୍ରା କରୁଥାନ୍ତି ତାହା ମଧ୍ୟ ଏକ ନିଆରା ଦୃଶ୍ୟରାଜୀ । 
   ନିର୍ବାଚନ ସକାଳର ବ୍ରାହ୍ମମୁହୁର୍ତ୍ତରୁ କେଉଁ ପ୍ରାର୍ଥୀ ମନ୍ଦିର ଯାଇ ବିଜୟ ଲାଭର ଆଶୀର୍ବାଦ ଭିକ୍ଷା କରନ୍ତି ତ କିଏ ଆଶୀର୍ବାଦ ପାଇଁ ମସଜିତ୍ ଓ ଗିର୍ଜା ଯିବାର ଦେଖିବାକୁ ମିଳେ । ମତ୍ତଦାନ ଦିନ  ମତ୍ତଦାନ କେନ୍ଦ୍ରକୁ ନାରୀ ଓ ପୁରୁଷମାନେ ଗାଧୋଇ ପାଧୋଇ ଆସି ଧାଡିରେ ଠିଆ ହୋଇ ନିଜ ନିଜର ମତ୍ତଦାନ କରିଥାନ୍ତି । ସତେଯେମିତି ମନେହୁଏ ଗନତନ୍ତ୍ର ରୂପକ ମନ୍ଦିରରେ ପାଞ୍ଚ ବର୍ଷ ପାଇଁ ସେମାନଙ୍କର ଭାଗ୍ୟବିଧାତା ସ୍ଥାପନ ନିମନ୍ତେ ନିଜର ଅମୂଲ୍ୟ ମତ୍ତ ରୂପକ ଗୋଟିଏ ଗୋଟିଏ ଭୋଟ ଦେଇ ଚାଲନ୍ତି । ବାସ୍ତବରେ ଏପରି ଧାଡିରେ ଠିଆ ହୋଇ ସୁଧପୁତ ମନରେ ଭୋଟେଦବା ଗଣତନ୍ତ୍ର ଶାସନ ବ୍ୟବସ୍ଥା ଉପରେ ଆମମାନଙ୍କର ଥିବା ଶ୍ରଦ୍ଧା, ନିଷ୍ଠା ଓ ଅଗାଧ ବିଶ୍ୱାସ କୁ ପ୍ରତିପାଦିତ କରେ । ମତଦାନ ସରିଯାଏ । ଭୋଟ ଗଣତି ପରେ ବିଜେତା ଘୋଷଣା ହୋଇଥାଏ । ବିଜେତା ମାନେ ଖୋଲାଗାଡିରେ ବସି ବେକରେ ମୋଟା ମାଳ ପକାଇ ନିଜ ସମର୍ଥକ ମାନଙ୍କ ସହିତ ଗାଁ ଗାଁ ହାଟ ବଜାର ବୁଲି ନିଜ ବିଜୟର ଖୁସି ମନାନ୍ତିତ ହାରିଯାଇଥିବା ପ୍ରାର୍ଥୀସବୁ ନିଜର ଦୋଷତ୍ରୁଟିର ଆତ୍ମ ସମୀକ୍ଷା କରି ଅନ୍ୟ ଏକ ସୁଯୋଗ ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ଅପେକ୍ଷା କରନ୍ତି ।
     ସତରେ ଆମ ଦେଶର ନିର୍ବାଚନୀ ଦୃଶ୍ୟରାଜୀ ଏକ ମହୋତ୍ସବର ଦୃଶ୍ୟରାଜୀ ଠାରୁ କେଉଁ ଗୁଣରେ କମ୍ ନୁହେଁ । ଏହି ଦୃଶ୍ୟରାଜୀ ଭିତରେ ଆମ ଦେଶ ମାତୃକାର ସେବା ଓ ପ୍ରଗତି ପ୍ରତି ଆମମାନଙ୍କର ପ୍ରତିଶ୍ରୁତିବଦ୍ଧତା ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ । 

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS