ଉତ୍ତମ ଚରିତ୍ର ଉନ୍ନତ ରାଷ୍ଟ୍ର
ଜୀବଜଗତରେ ମନୁଷ୍ୟର ଚରିତ୍ର ଅନନ୍ୟ । ଚିନ୍ତା କରିପାରିବାର ଦକ୍ଷତା ଓ ଭଲମନ୍ଦ ବିଚାର କରିବାର ଶକ୍ତି ତା’ର ଚାରିତ୍ରିକ ଅନନ୍ୟତା ମଧ୍ୟରେ ସର୍ବୋତ୍ତମ । ସ୍ୱଇଚ୍ଛାରେ ନିଜର ଆଚରଣ ଅବା ସ୍ୱଭାବକୁ ଆକାଙ୍କ୍ଷିଂତ ଦିଗରେ ପରିବର୍ତ୍ତିତ କରିବାରେ ମାନବ ସକ୍ଷମ । କେବଳ ସେତିକି ନୁହେଁ ନିଜ ସହିତ ଅନ୍ୟମାନଙ୍କ ଚରିତ୍ରକୁ ପ୍ରଭାବିତ କରିବାର ସାମର୍ଥ୍ୟ ମଧ୍ୟ ରଖେ ।
ଚରିତ୍ର କହିଲେ ମନୁଷ୍ୟ ସମାଜରେ ପରିପ୍ରକାଶ କରୁଥିବା ନିଜର ଆଚରଣ ଅବା ସ୍ୱଭାବ । ନିଜର ଚରିତ୍ର ହିଁ ତାକୁ ସମାଜରେ ଅନୁରୂପ ମର୍ଯ୍ୟାଦା ପ୍ରଦାନ କରେ । ମନୁଷ୍ୟ କର୍ମଠ, ସତ୍ୟନିଷ୍ଠ, ପରୋପକାରୀ, ସମଦର୍ଶୀ, ଉଚ୍ଚାଭିଳାଷୀ, ଶାନ୍ତ ଓ ସହିଷ୍ଣ ହେଲେ ଉତ୍ତମ ଚରିତ୍ରର ଅଧିକାରୀ ହୋଇଥାଏ । ଆଉ ଯେତେବେଳେ ମନୁଷ୍ୟର ଚାରିତ୍ରିକ ଅଧୋଗତି ହୁଏ; ସେ ଅଳସୁଆ, ମିଥ୍ୟାବାଦୀ, ପରଅନିଷ୍ଟକାରୀ, ଅଶାନ୍ତ, ଅସହିଷ୍ଣ, ପରିଶ୍ରୀକାତରତା ଓ ନିଚମନା ହୁଏ ।
ଉତ୍ତମ ଚରିତ୍ରର ପ୍ରଥମ ଉପାଦାନ ହେଉଛି କର୍ମଠ । ବ୍ୟକ୍ତିଗତ ଜୀବନରେ ଯଦି ସମସ୍ତେ କର୍ମଠ ହୁଅନ୍ତି ତେବେ ପରିବାରରେ ଆର୍ଥୀକ ଅନଟନ ଦେଖାଯାଏ ନାହିଁ । ମାତ୍ର ଯଦି ପାରିବାରିକ ଜୀବନରେ କେବଳ ପିତା ଅବା ବଡଭାଇଙ୍କ ରୋଜଗାର ଉପରେ ଅନ୍ୟ ସମସ୍ତ ସଦସ୍ୟ ନିର୍ଭର କରି ଚଳନ୍ତି ତେବେ ଆପେ ଆପେ ମୁଣ୍ଡପିଛା ଆୟ ସେହିଠାରେ ହିଁ କମିଯାଏ । ପରିବାରର ବୃଦ୍ଧ ପିତାମାତା ଓ ଶିଶୁମାନଙ୍କୁ ଛାଡିଦେଲେ ଅନ୍ୟ ସମସ୍ତ ସାବାଳକ; ସେ ପୁଅ, ଝିଅ ଅବା ବୋହୁ ହେଉ ସମସ୍ତେ ରୋଜଗାରକ୍ଷମ ହେବା ଆବଶ୍ୟକ । ରୋଜଗାରକ୍ଷମ ହେବା ପାଇଁ କେବଳଯେ ସରକାରୀ ଚାକିରୀ ଅନିର୍ବାର୍ଯ୍ୟ ସେଭଳି ଚିନ୍ତା ମନରେ ରଖିବା ଉଚିତ ନୁହେଁ । ଯେ କୌଣସି ଗୋଟିଏ କଳାତ୍ମକ କାମରେ ନିପୁଣତା ହାସଲ କରିପାରିଲେ ତାହା ଆପେ ଆପେ ଆମକୁ ରୋଜଗାରକ୍ଷମ କରାଇଥାଏ । କୃଷି, ଲୁଗାବୁଣା, ସୁତା, ସିଲେଇ, ପାଣି ପାଇପ୍, ରାଜ ମିସ୍ତ୍ରୀ, ମହାରାଣା, କୁମ୍ଭାର, କମାର ଅବା ବିଦ୍ୟୁତ୍ ମିସ୍ତ୍ରୀ କାମ ହେଉ, ଯେ କୌଣସି ଗୋଟିଏ କାମରେ ଦକ୍ଷତା ହାସଲ କରିପାରିଲେ ଆପେ ଆପେ ଆମକୁ କର୍ମନିଯୁକ୍ତି ମିଳିଯାଏ । ଆମେ ଆଉ କର୍ମ ବିମୂଖ ହୋଇ ପାରେନା । ଆମେ ସ୍ନାତ୍ତକ ପାସ୍ କରି ସାରିଛେ ଭାବି ବିଲକାମକୁ ଯିବା ନାହିଁ ବା ଏଭଳି ଛୋଟମୋଟ କାମ କଲେ ଆମ ମର୍ଯ୍ୟାଦା ଉପରେ ଆଞ୍ଚ୍ ଆସିବ ଏଭଳି ଭ୍ରମାତ୍ମକ ଭାବନା ସବୁକୁ ଆମ ମନ ମଧ୍ୟରେ ସ୍ଥାନ ଦେବା ଆଦ୍ୟୈ ଉଚିତ୍ ନୁହେଁ । ବରଂ ଶିକ୍ଷିତ ବୁଦ୍ଧିକୁ ନିଜ କାମରେ ପ୍ରୟୋଗ କରି ତାହାକୁ ସହଜ, ସରସ, ସୁନ୍ଦର ଓ ଅଧିକ ଲାଭପ୍ରଦ କରାଇ ପାରିଲେ ଆମର ଉପାର୍ଜ୍ଜନ ବଢିବା ସହିତ ଆମେ ସମାଜରେ ଆଦୃତି ଲାଭ କରି ପାରିବା ।
ଆମ ଶରୀର କଥା ଟିକେ ଚିନ୍ତା କରାଯାଉ । କର୍ମ ବିନା ଆମ ଶରୀରର ଅସ୍ତିତ୍ୱ ନାହିଁ । ଶରୀରର କେତେକ ଅଙ୍ଗ ସ୍ୱୟଂ କ୍ରିୟ ଭାବରେ ଜୀବନ ଥିବା ପର୍ଯ୍ୟନ୍ତ କର୍ମ କରି ଚାଲିଛନ୍ତି । କୌଣସି ହେଲେ ଅଙ୍ଗ ନିଜ କାମକୁ କେବେବି ହୀନ ମନେ କରିନି । ଶରୀରର ବର୍ଯ୍ୟବସ୍ତୁ ବୋଲାଉଥିବା ମଳ ପରିଚାଳନାରେ ବୃହଦନ୍ତ୍ର କେବେବି ସଂକୋଚ କରିନି କିମ୍ବା ନିଶ୍ୱାସ ପ୍ରଶ୍ୱାସ ପରିବହନ କରୁଥିବା ଆମର ନାକ ଆମ ସିଙ୍ଘାଣି ବାହାରକୁ ବାହାର କରିବାକୁ କେବେବି ଘୃଣା କରିନି । ଶରୀର ଠାରୁ ଆମେ ଏ ସମସ୍ତ କଥା ଶିକ୍ଷା ଲାଭ କରିବାରେ ଅଛି । ଯେଉଁଠି ଆମ ଶରୀରର ପ୍ରତ୍ୟେକ ଅଙ୍ଗମାନେ ନିଜ ନିଜର କାମକୁ ଛୋଟ ବଡର ସଂଜ୍ଞା ଭିତରେ ନବାନ୍ଧି ଅହରହ ନିଜର କାମ କରି ଆମ ଶରୀରକୁ ଜୀବନ ତନ୍ତ୍ର ଅର୍ପଣ କରି ଚାଲିଛନ୍ତି ତେବେ ଆମେ କାହିଁକି କୌଣସି କର୍ମକୁ ଛୋଟ ବଡର ଦର୍ଜା ଦେବା । ସେଥିପାଇଁ କୁହାଯାଇଛି ଆମେ କେଉଁ କାମ କରୁଛେ ତାହା ଗୁରୁତ୍ୱ ବହନ କରେନା ବରଂ ଆମେ ଯେଉଁ କାମ କରୁଛେ ତାହା କିପରି କରୁଛେ ତାହା ସବୁଠାରୁ ଅଧିକ ଗୁରୁତ୍ୱ ବହନ କରେ । ଆମ ମାନଙ୍କର କାର୍ଯ୍ୟ କରିବାର ଶୈଳୀ ହିଁ ଆମକୁ ସମାଜରେ ଜଣେ ଜଣାଶୁଣା ଓ ପ୍ରତିଷ୍ଠିତ ବ୍ୟକ୍ତିର ମର୍ଯ୍ୟାଦା ପ୍ରଦାନ କରେ । ସଂସାରରେ କୌଣସି କାମ ଛୋଟ ନୁହେଁ କାରଣ କଥାରେ ଅଛି କର୍ମ ହିଁ ଭଗବାନ । ଯେକୌଣସି କାମ ହେଉନା କାହିଁକି ଯଦି ଆମେ ତାକୁ କାୟ, ମନ, ବଚନ ଓ ହୃଦୟର ସହିତ କରିଥାଏଁ ତେବେ ପ୍ରକୃତି ମଧ୍ୟ ସେ କାମରେ ଆମକୁ ସହଯୋଗ କରେ ଓ ସେଥିରେ ଆମର ଉନ୍ନତି ସାଧନ କରିଥାଏ ଏଥିରେ ସନ୍ଦେହ ନାହିଁ ।
ବ୍ୟକ୍ତିଗତ ଜୀବନ ସତ୍ୟନିଷ୍ଠ ହେଲେ ପାରିପାଶ୍ୱିର୍କ ବ୍ୟକ୍ତିଜୀବନ ଅନୁରୂପ ଭାବେ ସତ୍ୟନିଷ୍ଠ ହେବାକୁ ପ୍ରେରିତ ହୁଏ । ପରୋପକାରୀ ମନୁଷ୍ୟର ସମାଜରେ ଉପସ୍ଥିତି ହିଁ ସ୍ନେହ, ପ୍ରିତୀ ଓ ଭାଇଚାରାର ବୀଜ ବୁଣେ । ମନୁଷ୍ୟ ଯଦି ସମଦର୍ଶୀ ଓ ସହିଷ୍ଣୁ ହୁଏ ତେବେ ଧର୍ମ, ଲୀଙ୍ଗ ଓ ଜାତିଗତ ବିଭେଦରୁ ସମାଜ ଆପେ ଆପେ ଦୂରେଇ ଯାଏ । ସମାଜରେ ଧର୍ମୀୟ ବିଦ୍ୱେଷ ଜନିତ କଳହ ଆଦ୍ୟୈ ଦେଖାଯାଏ ନାହିଁ । ସହିଷ୍ଣୁତା ପଣ ଅନ୍ୟମାଙ୍କର ଉନ୍ନତିକୁ ଅବରୋଧ କରେ ନାହିଁ ପରନ୍ତୁ ଉଚ୍ଚସ୍ତରରେ ଥିବା ଲୋକ ନିଜର ସମଦର୍ଶୀ ଭାବନାରେ ତଳ ସ୍ତରରେ ଥିବା ମଣିଷକୁ ଉପରକୁ ଆଣିବାକୁ ପ୍ରୟାସ କରେ । ଜାତିଗତ, ଧର୍ମଗତ ଓ ଲୀଙ୍ଗଗତ ଶୂନ୍ୟ ସମାଜରେ ଶାନ୍ତି ବିରାଜମାନ କରେ । ଏକ ସୁନ୍ଦର ସମାଜିକ ଜୀବନ ଅବସ୍ଥାନ କରେ । ସମଦର୍ଶୀ ଓ ସହିଷ୍ଣୁତା ଗୁଣ ପରିଶ୍ରୀକାତରତାକୁ ପ୍ରଶୟ ଦିଏ ନାହିଁ । ସମଭାବାପର୍ଣ୍ଣ ବିଚାରଧାରାରେ ରାଷ୍ଟ୍ର ଆପଣାଛାଏଁ ଉନ୍ନତି ପଥରେ ଆଗେଇ ଚାଲେ ।
ପରିଶେଷରେ ଏତିକି କୁହାଯାଇପାରେ ମନୁଷ୍ୟର ବ୍ୟକ୍ତିଗତ ଚରିତ୍ର ଉତ୍ତମ ହେଲେ ପାରିବାରିକ ଚରିତ୍ର, ପ୍ରକାରାନ୍ତେ ସାମାଜିକ ଓ ଜାତୀୟ ଚରିତ୍ର ମଧ୍ୟ ଉତ୍ତମ ହୁଏ । ଜାତୀୟ ଚରିତ୍ର ଉତ୍ତମ ହେଲେ ରାଷ୍ଟ୍ର ଆପେ ଆପେ ଉନ୍ନତ ହୋଇଉଠେ ।
******
No comments:
Post a Comment