search in www.iswarchandraworld.blogspot.com

Saturday 7 March 2020

Odia Article ସର୍ତ୍ତ-ସ୍ୱାର୍ଥହୀନ ସେବା


ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ସର୍ତ୍ତ-ସ୍ୱାର୍ଥହୀନ ସେବା

      ସେବାମୟ ଏ ସଂସାର । ସେବା ବିନା ଜୀବଜଗତର ପୂର୍ବପିଢୀରୁ ପରପିଢୀ, ପରପିଢୀରୁ ଉତ୍ତରପିଢୀ ଗଡିଚାଲିବା ସମ୍ପୂର୍ଣ୍ଣ ଅସମ୍ଭବ । ପ୍ରତିମୂହୁର୍ତ୍ତରେ ଏ ସଂସାର ଭିତରେ କିଏ କାହାରନା କାହାର ସେବା କରିଚାଲିଛି । ଜଡଜୀବର, ଜୀବ ଜଡର । ଜଡଜଡର ଅବା ଜୀବଜୀବର । କିଏ ସେବା ସ୍ୱାର୍ଥରେ କରେ ତ କିଏ ସର୍ତ୍ତରେ ହେଲେ କିଏ କରେ ନିସର୍ତ୍ତ ଓ ନିସ୍ୱାର୍ଥପର ଭାବରେ । ହେଲେ  ସତକଥା ହେଉଛି ଏ ଜଗତର ପ୍ରତ୍ୟେକ ଉପାଦାନ ଜଡ ଅବା ଜୀବ ଉଭୟେ ତାଙ୍କ ଜୀବନକାଳ ଭିତରେ ଅନ୍ୟର କିଛି ନା କିଛି ସେବାରେ ଆସନ୍ତି । ସେଥିପାଇଁ ଏ ଜୀବଜଗତରେ ସେ ଜୀବ ହେଉ ବା ନିର୍ଜୀବ ସମସ୍ତେ କାହାପାଇଁନା କାହାପାଇଁ ଉପକାରୀ । 
   ଗଛଟିଏ ମଞ୍ଜିରୁ ନିଜର ଆଦ୍ୟାବସ୍ଥାରେ ହିଁ ଅନ୍ୟର ସେବା ଲୋଡେ । ତା’ର ଚେର ପାଣିକୁ ଲୋଡିବା କ୍ଷଣି ବିନା ପ୍ରତିବାଦରେ ସେ ଆସି ତା ଚେରରେ ପ୍ରବେଶ କରେ । ତା’ର କିଛି କଥା କହିବା ପୂର୍ବରୁ ମାଟି ତା’ର ଚେରକୁ ଯାବୁଡି ଧରି ତାକୁ ସଳଖ ରଖେ । ବାୟୁ ମଣ୍ଡଳର ଅମ୍ଲଜାନ ବିନା ଛାଏଁ ତା ପ୍ରଶ୍ୱାସରେ ଯାଏ ଆଉ ଅଙ୍ଗାରକାମ୍ଳ ହୋଇ ତା ନିଶ୍ୱାସରେ ବାହାରି ଆସେ । ଗଛଟିର ଖାଦ୍ୟ ପ୍ରସ୍ତୁତି ପାଇଁ ବାୟୁମଣ୍ଡଳରେ ଥିବା ଅଙ୍ଗାରକାମ୍ଳ ଅନାୟାସେ ତା’ପତ୍ର ଭିତରେ ପ୍ରବେଶ କରେ । ସୂର୍ଯ୍ୟଙ୍କ କଥା ନକହିବା ହିଁ ଭଲ । ସକଳ ଶକ୍ତିର ଆଧାର । ସେବାର ସେ ହେଲେ ପରମ ପ୍ରତୀକ । ନିଃସର୍ତ୍ତ ଆଉ ନିସ୍ୱାର୍ଥପର ସେବାର ସେ ହେଲେ ପ୍ରାରମ୍ଭରୁ ପ୍ରଳୟ ପର୍ଯ୍ୟନ୍ତ ଚଳନ୍ତି ପ୍ରତିମା । ବିନା ଦ୍ୱିଧାରେ ଖୋଲିଦିଅନ୍ତି ନିଜ ଆଲୋକର ପସରା ଯେଉଁଥିରେ ପତ୍ର ରାନ୍ଧିଚାଲେ ନିଜ ସହିତ ସାରା ଜୀବଜଗତ ପାଇଁ ଖାଦ୍ୟ । ଆକାଶ କଥା କଣ ବା କୁହାଯାଇପାରେ । ମେଲି ଦେଇଛି ତା’ର ବିଶାଳ ବକ୍ଷକୁ ସମସ୍ତଙ୍କ ପାଇଁ ବିନା ସର୍ତ୍ତ ଓ ବିନା ସ୍ୱାର୍ଥରେ ।
   ଜଳ ହିଁ ଜୀବନ ହେଲେ ଜଳରଜୀବନ ନାହିଁ । ବାୟୁ ଜୀବନ ପାଇଁ ଅପରିହାର୍ଯ୍ୟ ହେଲେ ସେ ନିଜେ ନିର୍ଜୀବ । ଉତ୍ତାପ ବିନା ଜୀବନ ଅସମ୍ଭବ ହେଲେ ଅଗ୍ନୀ ଜୀବନହୀନ । ଆକାଶରେ ଜୀବ ଭରପୁର ହେଲେ ଆକାଶ ନିଜେ ଜଡ । ମାଟିରେ ଜୀବନ ଅଛି ହେଲେ ମାଟି ନିଜେ ନିସ୍ତେଜ । ଏ କି ବିଚିତ୍ରତା । ନିର୍ଜୀବ ପଞ୍ଚମହାଭୂତର ନିଃସର୍ତ୍ତ ଓ ନିସ୍ୱାର୍ଥପର ସେବାରୁ ହିଁ ସଜୀବର ସର୍ଜନା, ବଂଶବିସ୍ତାର ଓ ବୃଦ୍ଧି । କିନ୍ତୁ ବିଡମ୍ବନା, ଆମେ ସଂସାରର ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ ହୋଇ କେବେ ହେଜୁନୁ କିମ୍ବା ଭାବିବାକୁ ଆମ ପାଖରେ ସମୟ ହିଁ ନାହିଁ ଯେ ଆମେମାନେ କେବଳ କେତେକ ଜଡ ଆଉ ଜୀବ ମାନଙ୍କର ନିସର୍ତ୍ତ ଓ ନିସ୍ୱାର୍ଥପର ସେବାର ଶେଷ ଉତ୍ପାଦ ।


ଆମେ ଆଜି ପ୍ରତ୍ୟେକ ଯେଉଁ ଅବସ୍ଥାରେ ଓ ଯେଉଁ ଭାବରେ ପହଞ୍ôଚଛେ ତା ପଛରେ ଯେଉଁମାନଙ୍କର ନିଃସର୍ତ୍ତ ଓ ନିସ୍ୱାର୍ଥପର ସେବା ଅଛି ଯଦି ତାର ଆମେ ତାଲିକା କରିବସୁ ତେବେ ତାହା ଏକ ଅତି ସୁଦୀର୍ଘ ତାଲିକା ହେବ ଏଥିରେ ଦ୍ୱିମତ ନାହିଁ । ଯେମିତି ଘରର ସମସ୍ତ ନିର୍ଜୀବ ବସ୍ତୁ ଖଟ ଶୋଇବାକୁ, ଚଉକି ବସିବାକୁ, କଲମ ଲେଖିବାକୁ ବହି ପଢିବାକୁ ଏମିତି ଅନେକ......ା ଏମାନଙ୍କର ନାହିଁ ଆମ ପାଖରେ କିଛି ସର୍ତ୍ତ ଆଉ ଆମଠାରୁ କିଛି ସ୍ୱାର୍ଥ । ସେମାନଙ୍କ ଅସ୍ତିତ୍ୱ ଥିବା ପର୍ଯ୍ୟନ୍ତ କୌଣସି ନା କୌଣସି ପ୍ରକାରେ ନିଃସର୍ତ୍ତ ଓ ନିସ୍ୱାର୍ଥପର ଭାବରେ ଆମର ସେବା କରିଚାଲିଥାନ୍ତି । ମାତ୍ର ଆମ ଜୀବନକୁ ଯଦି ଜନ୍ମରୁ ଅନୁଧ୍ୟାନ କରି ଆମେ କେଉଁ ମାନଙ୍କୁ ଓ କେତେ ଜଣଙ୍କୁ ନିଃସର୍ତ୍ତ ଓ ନିସ୍ୱାର୍ଥପର ଭାବରେ ସେବା କରିଛେ ଯଦି ଏକ ତାଲିକା କରେ ତେବେ ବୋଧହୁଏ ତାହା ଏକ କ୍ଷୁଦ୍ର ତାଲିକା ହେବ । ହଁ, କାଁ ଭାଁ  କେତେଜଣ ମନିଷୀଙ୍କର ଲମ୍ବା ହୋଇପାରେ । ଆମେମାନେ ଜୀବଜଗତର ସର୍ବଶ୍ରେଷ୍ଠ ଚତୁର ପ୍ରାଣୀ । ପ୍ରାରବ୍ଧର ପୂଣ୍ୟ ପୁଞ୍ଜିରେ, ଅନେକ ଜନ୍ମ ପରେ ଏଇଟା ଆମର କୁଆଡେ ଦୁର୍ଲ୍ଲଭ ଅବତାର । ହେଲେ ଭୋଗବାଦରେ ଆମେ ଏତେ ଅତିଷ୍ଠ ଯେ ସ୍ୱାର୍ଥ ଆଉ ସର୍ତ୍ତବିନା ସେବା ଆମ ଜୀବନର ପାଖମାଡୁନି । ଜୀବନରେ ଶରୀର ଯେତେବେଳେ ଧୋଖା ଦେବା ଆରମ୍ଭକରେ ମନେପଡେ ସେବା ଭଗବାନଙ୍କ ଆଶୀର୍ବାଦ ପାଇଁ । ଅନ୍ୟଥା ଜୀବନର ଅନ୍ୟ ସମୟରେ କେବଳ ପୂଣ୍ୟ ଅର୍ଜନ ଲାଳସାରେ ହେଉ ଅବା ପ୍ରତିବଦଳରେ କିଛି ସ୍ୱାର୍ଥ ହାସଲ୍ ପାଇଁ ହେଉ, ଆମେ ସେବା କରେ । ହେଲେ ନିଃସର୍ତ୍ତ ଓ ନିସ୍ୱାର୍ଥପର ସେବାର ଛିଟା ପ୍ରାୟ ଆମ ଜୀବନରେ ଲାଗିନଥାଏ କହିଲେ ଚଳେ । ଆଉ ଯେଉଁ ମାନଙ୍କ ଜୀବନରେ ଲାଗିଥାଏ ସେଇମାନଙ୍କ ଜୀବନ ହିଁ ଧନ୍ୟ ।
ତେବେ ଆସନ୍ତୁ ନା ଏ ଅମୂଲ୍ୟ ମାନବ ଜୀବନର କିଛିକ୍ଷଣକୁ ନିସର୍ତ୍ତ ଓ ନିସ୍ୱାର୍ଥପର ସେବାରେ ଭୂଷିତ କରି ଜଗତର କଲ୍ୟାଣ ସହିତ ନିଜ ଜୀବନକୁ ସାର୍ଥକ କରିବା । 

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS