search in www.iswarchandraworld.blogspot.com

Wednesday 25 March 2020

Odia Article ପ୍ରଥା ପରମ୍ପରା ଓ ସମାଜର ଆର୍ଥିକ ସନ୍ତୁଳନତା

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ପ୍ରଥା ପରମ୍ପରା ଓ ସମାଜର ଆର୍ଥିକ ସନ୍ତୁଳନତା

   କ୍ୟୈଣସି ଜାତିର ସଂସ୍କୃତିରେ ପ୍ରଥାପରମ୍ପରାର ଗୁରୁତ୍ୱ ଯଥେଷ୍ଟ ଅଧିକ । ଏମିତି ମଧ୍ୟ କୁହାଯାଇପାରେ, ପ୍ରଥାପରମ୍ପରା ପ୍ରତ୍ୟେକ ଜାତିକୁ ସ୍ୱତନ୍ତ୍ରତା ପ୍ରଦାନ କରିଥାଏ । ‘ପରମ୍ପରା’ ଏକ ନଦୀର ଧାର ସଦୃଶ ପ୍ରବହମାନ । ‘ପରମ୍ପରା’ ପରିବେଶ ପରିସ୍ଥିତି କୁ ଆପଣେଇବାରେ ଦକ୍ଷ । ସାମାଜିକ ସ୍ଥିତି, ପରିସ୍ଥିତି, ଯାହାକି ଆର୍ଥୀକ, ଶାରିରୀକ, ମାନସିକ ଓ ଆବେଗିକ ସୁସ୍ଥତା ସହିତ ଅଗ୍ରଗତି ର ସମାହାର କୁ ନେଇ ପରମ୍ପରା ନିଜର ରୂପ ଓ ରଙ୍ଗରେ ପରିବର୍ତ୍ତନ କରିଥାଏ । ମାତ୍ର ମଣିଷର ଶିକ୍ଷା ଅନେକାଶଂରେ ସମାଜର ପ୍ରଥା ଓ ପରମ୍ପରା ପରିବର୍ତ୍ତନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଦେଖାଯାଏ ପରମ୍ପରା ନିଜର ରୂପରଙ୍ଗରେ ପରିବର୍ତ୍ତନ ହେବାଟା ଯେତିକି ସହଜ, ‘ପ୍ର୍ରଥା’କୁ ପରିବର୍ତ୍ତନ କରିବା ସାଧାରଣ ମଣିଷ ପକ୍ଷେ ଅସମ୍ଭବ କହିଲେ ଅତ୍ୟୁକ୍ତି ହେବ ନାହିଁ । ସାମାଜିକ ଆନ୍ଦୋଳନ ବିନା ‘ପ୍ରଥା’ର ପରିବର୍ତ୍ତନ ସହଜ ନୁହେଁ । ଇତିହାସ ଏହାର ରାଜସାକ୍ଷୀ । ପ୍ରଥା ପରିବର୍ତ୍ତନ ପାଇଁ ଅଣ୍ଟା ଭିଡିପାରନ୍ତି ମହାମନିଷୀମାନେ । ସାଧାରଣ ମଣିଷର ପରିସୀମା ଭିତରେ ଏହା ସମ୍ଭବ ହୋଇନଥାଏ । ପ୍ରଥାପରମ୍ପରା ଧାର୍ମିକ ଭାବନା ସହିତ ନିବିଡ ଭାବରେ ଜଡିତ । ବିଭିନ୍ନ ଧର୍ମରେ ଛନ୍ଦା ହୋଇଥିବା ପ୍ରଥାପରମ୍ପରା ଭିନ୍ନଭିନ୍ନ । ମନୁଷ୍ୟର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାର ଜୀବନ କାଳଭିତରେ ତାକୁ ଅନେକ ପ୍ରଥାପରମ୍ପରା ଦେଇ ଗତି କରିବାକୁ ପଡିଥାଏ । ପ୍ରଥାପରମ୍ପରା ରୁ କ୍ୟୈଣସି କାରଣବସତ ଯଦି କ୍ୟୈଣସି ମନୁଷ୍ୟର ବିଚ୍ୟୁତି ଘଟେ ତେବେ ତାକୁ ସେହି କ୍ଷୁଦ୍ର ସମାଜ ସହଜରେ ଗ୍ରହଣ କରେ ନାହିଁ । ନାନା ଅପବାଦ ନିନ୍ଦା ତାକୁ ସହିବାକୁ ପଡେ ଅବା ସମୟେ ସମୟେ ସ୍ଥାନ କାଳ ପାତ୍ର ବିଶେଷରେ ତାକୁ ସାମାଜିକ ବାସନ୍ଦର ସାମନା କରିବାକୁ ପଡେ । ପ୍ରଥାପରମ୍ପରାର ଧାର୍ମୀକ ଅବୟବ ଭିତରେ ସେ ବାସ କରୁଥିବା ସମାଜରେ ଗଣତାନ୍ତ୍ରିକ ସ୍ୱାଧୀନତା ବି ସମୟେ ସମୟେ ନିଷ୍ଫଳ ମନେ ହୁଏ । ସ୍ଥାନେସ୍ଥାନେ ପ୍ରତିବାଦର ସ୍ୱର ମଧ୍ୟ ଦେଖାଯାଏ ଏବଂ ବିଜୟ ମଧ୍ୟ ହୁଏ ମାତ୍ର ଯଦି ପିଡୀତ ବ୍ୟକ୍ତି ଶୈକ୍ଷିକ ଓ ଆର୍ଥୀକ ଦୃଷ୍ଟି କୋଣରୁ ସ୍ୱଚ୍ଛଳ ତେବେ ଏହା ସମ୍ଭବ ଅନ୍ୟଥା ପ୍ରତିବାଦ ପରିବର୍ତ୍ତେ ମୁଣ୍ଡ ପାତି ସହିଯିବାଟା ସବୁଠି ଦୃଷ୍ଟି ଗୋଚର ହୋଇଥାଏ ।
    ଆମ ଭାରତୀୟ ସଂସ୍କୃତୀରେ ସତୀଦାହ ପ୍ରଥା ଓ ବାଲ୍ୟ ବିବାହ ପ୍ରଥାକୁ ସମୂଳେ ମୂଳୋତ୍ପାଟନ ପାଇଁ ପାରିବାରିକ ସ୍ତରରୁ ଆରମ୍ଭକରି ଜାତୀୟସ୍ତର ପର୍ଯ୍ୟନ୍ତ କେତେଯେ ଆନ୍ଦୋଳନ ଓ କେତେଯେ ପ୍ରତିବାଦ ତାହାର ହିସାବ ନାହିଁ ମାତ୍ର ତଥାପି ଆଜିବି ଏକବିଂଶ  ଶତାଦ୍ଦୀରେ ଦେଶର ଶିକ୍ଷିତ ଇଲାକାର ଅଶିକ୍ଷିତ ମାନସିକତାରେ କେଉଁଠି ନା କେଉଁଠି ବାଲ୍ୟ ବିବାହ ମୁଣ୍ଡ ଟେକି ଅଛି । ଦେଶ ସ୍ୱାଧୀନର ସତୁରୀ ବର୍ଷବିତିସାରିଲାଣି, ଦେଶ ଆଜି ସମଗ୍ର ବିଶ୍ୱରେ ତାର ଗଣତାନ୍ତ୍ରିକ ଭାବଧାରା ଓ ବିଭିନ୍ନତାରେ ଏକତାର ପରିପାଟି ପାଇଁ ଚର୍ଚ୍ଚିତ ଓ ସମ୍ମାନିତ ତଥାପି  କୁସଂସ୍କାର ପୂର୍ଣ୍ଣ ପ୍ରଥା ଏବେ ବି କେଉଁଠି ନା କେଉଁଠି ଜୀବିତ । ଆର୍ଥୀକ ଅବସ୍ଥା ମଧ୍ୟ ନୂତନ ପ୍ରଥାକୁ ଜନ୍ମ ଦେଇଥାଏ । ଯେମିତି ପରିବାରର ଆର୍ଥୀକ ଦୁସ୍ଥିତି ଆଜିର ଶିଶୁ ଶ୍ରମିକ ପ୍ରଥାର ଜନ୍ମଦାତା । ମନୁଷ୍ୟ ଯେତେ ଶିକ୍ଷିତ ହେଉନା କାହିଁକି ଯଦି ତା ପାଖରେ ନିଜ ଜୀବନ ନିର୍ଦ୍ଧାରଣ ପାଇଁ ଅର୍ଥ ଉପାର୍ଜନର ମାର୍ଗ ନାହିଁ ତେବେ ସେ ବାଧ୍ୟ ହୋଇ କଳୁଷିତ ପ୍ରଥା ସୃଷ୍ଟି କରେ । ସେହିପରି ଆଜିର ସମାଜ ପାଇଁ ଏକ ବିଡମ୍ବିତ ପ୍ରଥା ‘ଶିଶୁ ଶ୍ରମିକ’ । ଆମ ସାମଜରେ କେଉଁ ବ୍ୟକ୍ତି ପାଞ୍ଚକୋଟି ଲୋକଙ୍କୁ ଏକୁଟିଆ ଖାଇବାକୁ ଦେଇପାରିବାର ସାମର୍ଥ୍ୟ ରଖୁଥିବା ବେଳେ କେଉଁ ବ୍ୟକ୍ତି ପାଖରେ ଚା ଟିକେ ପିଇବା ପାଇଁ ପାଞ୍ଚଟଙ୍କା ମଧ୍ୟ ନଥାଏ । ଏଭଳି ଆର୍ଥୀକ ଅସନ୍ତୁଳତା କୁସଂସ୍କାରପୂର୍ଣ୍ଣ ଓ ସମାଜକୁ କ୍ଷତି ପହଞ୍ଚାଉଥିବା ଭଲି ପ୍ରଥାକୁ ଜନ୍ମ ଦେବାକୁ କେତେକ ମନୁଷ୍ୟମାନଙ୍କୁ ବାଧ୍ୟ କରେ । ଦେଖାଯାଏ ପ୍ରଥା ପରମ୍ପରାରେ ପରିବର୍ତ୍ତନ ଆଜିକାଲିକା ସ୍ୱାଧୀନଚେତା ସମାଜରେ ସାଧାରଣତଃ ଆର୍ଥୀକ ଦୃଷ୍ଟି କୋଣରୁ ଅତି ଉଚ୍ଚ ବର୍ଗର ପରିବାର ଠାରୁ ଆରମ୍ଭ ଦେଖାଯାଏ । ସେଭଳି ପରିସ୍ଥିତିରେ ସାମାଜିକ ପ୍ରତିବାଦ ମୂଲ୍ୟହୀନ ହୋଇପଡେ । ଉଦାହରଣ ସ୍ୱରୂପ ଅନ୍ୟ ଧର୍ମ ଓ ଅନ୍ୟ ସମ୍ପ୍ରଦାୟ ଭିତରେ ନିଜ ପୁଅ ଅବା ଝିଅର ବିବାହ, ପରମ୍ପରା ଅନୁଯାୟୀ ଯୁକ୍ତିଯୁକ୍ତ ହୋଇନଥିଲେ ମଧ୍ୟ ଏହା ଯଦି ଉଚ୍ଚ ଧନୀକ ଗୃହରୁ ଘଟେ ତେବେ ସେମାନଙ୍କ ସାମନାରେ ପ୍ରତିବାଦ କରିବାକୁ କେହି ସାହାସ ଜୁଟାଇ ପାରନ୍ତି ନାହିଁ ମାତ୍ର ଯଦି ଗରୀବ ଶିକ୍ଷିତ ଅବା ଅଶିକ୍ଷିତଙ୍କ ଘରୁ ଆରମ୍ଭ ହୁଏ ତେବେ ସେହି କ୍ଷୁଦ୍ର ସମାଜରେ କିଛିଦିନ ପାଇଁ ମୁଣ୍ଡ ଟେକି ନିଜେ ଚାଲିବାକୁ ସେମାନେ ସାହାସ ଜୁଟେଇ ପାରନ୍ତିନି ।
   ଏଠାରେ ବିଚାର କରିବାର କଥା ଏହିକିଯେ ପ୍ରଥା ଓ ପରମ୍ପରାର ପରିବର୍ତ୍ତନ ଓ ନିଜସ୍ୱ ପ୍ରାକୃତିକ ଭାବଧାରାରେ ପ୍ରବହମାନ ଉପରେ ଆର୍ଥୀକ ଅବସ୍ଥାର ପ୍ରଭାବ ଅଛି ନା ନାହିଁ? ଯଦି ସୂକ୍ଷ୍ମଦୃଷ୍ଟିରେ ବିଚାର କରାଯାଏ ଦେଖାଯିବଯେ, ବୋଧହୁଏ ସମାଜର ଆଦ୍ୟାବସ୍ଥାରେ ଆର୍ଥୀକ ସମାନତା ପାଇଁ ଏଭଳି ଅନେକ ଗୁଡିଏ ପ୍ରଥା ପରମ୍ପରା କୁ ଧର୍ମ ମଧ୍ୟରେ ଖଞ୍ଜିଦିଆଯାଇ ପାରିଥାଏ ଯଥା ମନୁଷ୍ୟର ମୃତ୍ୟୁ ଘଟିଲେ ଚଳନ୍ତି ପ୍ରଥା ଅନୁଯାୟୀ ଦଶାହ କର୍ମ ଦିନ ସମସ୍ତେ ନୂତନ ବସ୍ତ୍ର ପରିଧାନ କରିବେ ଅର୍ଥାତ ଲୁଗାବୁଣା ବେଉସା କରୁଥିବା ବ୍ୟକ୍ତି ପାଖକୁ ଅର୍ଥ ଯିବାର ବାଟ ଫିଟିବା ସହିତ କର୍ମ କାଣ୍ଡ କରୂଥିବା ବ୍ରାହ୍ମଣ ଗୋସେଇଁ, ମୁଣ୍ଡନ କରୁଥିବା ନାପିତୀ, ମାଟିରେ ପାତ୍ର ଗଢୁଥିବା କୁମ୍ଭାର ଆଦିଙ୍କ ପାଖକୁ ମଧ୍ୟ ଅର୍ଥ ଯିବାର ସୁଯୋଗ ସୃଷ୍ଟି ହୁଏ । ଠିକ୍ ସେମିତି ବିବାହ ସମୟରେ ବରର ରୋଷଣୀ ଓ ବରଯାତ୍ରୀଙ୍କର ପଟୁଆର ସମୟରେ କଳାକାର, ବାଜାବାଲା ଓ ଚିତ୍ରଶିଳ୍ପୀ ମାନଙ୍କ ପାଖକୁ ଆର୍ଥୀକ ଚଳନ ଘଟିଥାଏ । ଏମିତି ସବୁ ପ୍ରଥା ପରମ୍ପରାଦ୍ୱାରା ଗୋଟିଏ ପରିବାରରୁ ‘ଅର୍ଥ’ ଅନ୍ୟ ପରିବାରକୁ ସହଜରେ ଗତିକରି ସମାଜର ଆର୍ଥୀକ ସନ୍ତୁଳନ ସୁରକ୍ଷିତ ରହେ ।
   ଏହା ସତ୍ୟଯେ ସମାଜର ଆର୍ଥୀକ ଅବସ୍ଥା ହିଁ ପ୍ରଥା ପରମ୍ପରାର ଅବୟବକୁ ପରିବର୍ତ୍ତନ କରିବା ପାଇଁ ମଣିଷକୁ କେଉଁଠି ବାଧ୍ୟକରେତ କେଉଁଠି ମଣିଷ ନିଜର ଅର୍ଥ ବଳରେ ତାକୁ ବଦଳେଇ ଦେଇଥାଏ । ସବୁଠାରୁ ବଡକଥା ହେଲା ଆର୍ଥୀକ ସ୍ୱଚ୍ଛଳତା ପ୍ରଥାପରମ୍ପରାରେ ଲୁଚିକରି ଥିବା ଅନେକ କୁସଂସ୍କାରକୁ କାଢି ଫୋପାଡି ଦେବାରେ ଏକ ମୂଖ୍ୟ ଭୂମିକା ମଧ୍ୟ ଗ୍ରହଣ କରେ । ଆର୍ଥୀକ ସ୍ୱଚ୍ଛଳତା ସହିତ ଯଦି ମନୁଷ୍ୟର ଶିକ୍ଷାଦୀକ୍ଷାର ପରିସର ଅଧିକ ତେବେ ପ୍ରଥାପରମ୍ପରାରେ ବସା ବାନ୍ଧିଥିବା କୁସଂସ୍କାରର ମୂଳୋତ୍ପାଟନ ଆହୁରି ସହଜସାଧ୍ୟ ହୋଇଥାଏ । ଏହା ମଧ୍ୟ ଦେଖାଯାଏଯେ ଯେଉଁ ସମାଜ ଯେତେ ଶିଖିତ ଓ ଆର୍ଥୀକ ଦୃଷ୍ଟି କୋଣରୁ ସ୍ୱଚ୍ଛଳ ସେ ସମାଜ ଅନ୍ଧବିଶ୍ୱାସ ଓ କୁସଂସ୍କାରରୁ ସେତେ ଦୂରରେ । ମାତ୍ର ଏମିତି ମଧ୍ୟ କେତେକ ପରିବାର ଆର୍ଥୀକ ଦୃଷ୍ଟି କୋଣରୁ ସ୍ୱଚ୍ଛଳ ଓ ଶିକ୍ଷିତ ହୋଇଥିଲେ ମଧ୍ୟ ଧର୍ମାନ୍ଧତାର ବଶବର୍ତ୍ତୀ ହୋଇ ସେଭଳି କୁସଂସ୍କାର ଓ ଅନ୍ଧବିଶ୍ୱାସ ଯୁକ୍ତ ପ୍ରଥା ପରମ୍ପରାକୁ ଛାଡି ପାରନ୍ତି ନାହିଁ ଯାହା ଏବେ ମଧ୍ୟ ଆମ ସମାଜରେ ଦେଖାଯାଏ । ତେଣୁ ପ୍ରଥାପରମ୍ପରା ସମାଜରେ ଆର୍ଥୀକ ସନ୍ତୁଳନ ଓ ସମାନତା ପାଇଁ ସାଧାରଣରେ ଏକ ଅଣଦେଖା ଦାୟୀତ୍ୱ ଯେ ତୁଲଉଛି ତାହାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ମାତ୍ର ତା ଭିତରେ ଥିବା ଅନ୍ଧବିଶ୍ୱାସ ଓ କୁସଂସ୍କାର ଯାହାଦ୍ୱାରା ସମାଜ କ୍ଷତିଗ୍ରସ୍ତ ହୁଏ ତାକୁ ବାଦ ଦେଇଦେଲେ ପ୍ରଥାପରମ୍ପରା ମଧ୍ୟ ସମାଜକୁ ଆର୍ଥୀକ ସନ୍ତୁଳନତା ଓ ସମାନତା ପ୍ରଦାନରେ ସହାୟକ ହୋଇଚାଲିଥିବ ଏଥିରେ ସନ୍ଦେହ ନାହିଁ ।
         
*******  

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS