search in www.iswarchandraworld.blogspot.com

Wednesday 25 March 2020

Odia Article ସଂସ୍କୃତିର ସଂକରିକରଣ

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ସଂସ୍କୃତିର ସଂକରିକରଣ

କୌଣସି ଏକ ଜାତି ବା ଦେଶର ସଂସ୍କୃତି ହିଁ ଏହାର ପରିଚୟ । ହେଲେ ବିଜ୍ଞାନର ଦୃତ ଅଗ୍ରଗତୀ ଓ ଆଜିର ଜଗତୀକରଣ ପୃଥିବୀର ଅନେକ ଦେଶର ସଂସ୍କୃତିର ମୌଳିକତାକୁ କ୍ଷୂର୍ଣ୍ଣ କରିସାରିଲାଣି ଏଥିରେ ସନ୍ଦେହ ନାହିଁ । ପୃଥିବୀର ଏକୋଣରୁ ସେକୋଣକୁ ପହଞ୍ôଚବା ପାଇଁ ସମୟର ଆବଶ୍ୟମ୍ଭାବୀ ସ୍ୱଳ୍ପତା, ଏହାର ପ୍ରତିଟି ସ୍ଥାନରେ ପ୍ରତିମୁହୁର୍ତ୍ତରେ ଘଟୁଥିବା ଘଟଣାର ଟିକିନିକି ଧାରାବିବରଣୀ ଓ ପ୍ରତ୍ୟକ ଦେଶ ବା ଜାତିର ସଂସ୍କୃତି ଓ ପରମ୍ପରା କୁ ଘରେବସି ଉପଭୋଗ କରିପାରୁଥିବାଟା ପୃଥିବୀବାସିଙ୍କୁ ଆଜି ପୃଥିବୀର ଆକାର ଏକ ଗାଁର ଆକାରଠାରୁ ବି ଆହୁରି ସଙ୍କୋଚିତ ବୋଧ ହେଲାଣି । ଆଜିର ଦୂରଭାଷ ଓ ଇଣ୍ଟରନେଟ୍ ସାତସମୁଦ୍ର ଓ ତେରନଈର ଏପାଖେସେପାଖେ ରହୁଥିବା ମଣିଷମଣିଷ ମଧ୍ୟରେ ସର୍ମ୍ପକର ଦୂରତାକୁ ଅତିକ୍ଷୁଦ୍ର କରିସାରିଲାଣି । ସ୍ମାର୍ଟ ଫୋନ୍ ର ଚାରିଇଞ୍ଚ୍ ସ୍କ୍ରିନ୍ ଓ ଇଣ୍ଟରନେଟ୍‌ର ବଳୟରେ ସତେଯେପରି ସମଗ୍ର ପୃଥିବୀକୁ ଆଜିର ମଣିଷ ନିଜ ପକେଟ୍ ଭିତରେ ଧରି ବୁଲିଲାଣି ।
    ଜୀବନ ଜୀବିକା ପାଇଁ ଆଜି ଆଧୁନିକ ମନୁଷ୍ୟର ସ୍ଥାନାନ୍ତର ଆନ୍ତଃରାଜ୍ୟ କିମ୍ବା ଅନ୍ତର୍ଦ୍ଦେଶୀୟରେ ସିମୀତ ନରହି ଏହା ବହିଃର୍ଦେଶୀୟର ପରିସୀମା ଭିତରକୁ ଅନେକାଶଂରେ ଠେଲି ହୋଇଗଲାଣି । ବସ୍ତୁବାଦର ମାୟା ଜାଲରେ ଛନ୍ଦିହୋଇ ଜୀବନରେ ଶାନ୍ତି ପରିବର୍ତ୍ତେ ପ୍ରେୟସୁଖର ଆବଶ୍ୟକତାକୁ ଶ୍ରେୟ ଦେଇ ଏକ ଦୀର୍ଘମିଆଦି ସ୍ଥିରୀକୃତ ଯାଯାବର ଜୀବନ ବିତେଇବାରେ ଆଜିର ମଣିଷ ନିଜକୁ ଅଭ୍ୟସ୍ତ କରିସାରିଲାଣି । ମନୁଷ୍ୟର ଦେଶାନ୍ତର ସହିତ ତା ସଂସ୍କୃତି ଓ ପରମ୍ପରାର ସ୍ଥାନାନ୍ତର ମଧ୍ୟ ଘଟିଥାଏ । ହେଲେ କଥାରେ ଅଛି ନିଜକୁ ଅନ୍ୟତ୍ର ଉତ୍ତମରୂପେ ଖାପଖୁଆଇ ରଖିବାକୁ ହେଲେ ‘ଯେ ଦେଶେ ଯାଇ ସେ ଫଳ ଖାଇ’ ଲୋକ କଥାଟିର ଆଧାରରେ ହିଁ ଚଳିବାକୁ ପଡିଥାଏ । ତେଣୁ ଏହାଦ୍ୱାରା ବିଶ୍ୱର ପ୍ରାୟ ସବୁ ବଡବଡ ଦେଶମାନଙ୍କରେ ଗୋଟିଏ ଫୁଲର ଅନ୍ୟ ଫୁଲ ସହିତ ପରାଗ ସଙ୍ଗମ ପରି ବିଭିନ୍ନ ସଂସ୍କୃତିର ସଂକରିକରଣ ଦେଖିବାକୁ ମିଳିଲାଣି । ଦୂରଦର୍ଶନ ଓ ଇଣ୍ଟରନେଟ୍ ଭଳି ଯୋଗାଯୋଗ ମାଧ୍ୟମର ବିବିଧତା ଏହି ସଂସ୍କୃତି ଓ ପରମ୍ପରାର ସ୍ଥାନାନ୍ତରଣ ଓ ସଂକରିକରଣକୁ ବହୁଗୁଣିତ କରିସାରିଲାଣି । ଏପରି ଦେଶମାନଙ୍କ ମଧ୍ୟରେ ଆମ ଦେଶ ଭାରତ ବହୁ ଆଗରେ । ଯାହାର ପରିଣାମ ସ୍ୱରୁପ ଦେଶର ଯୁବସମାଜଙ୍କ ମଧ୍ୟରେ  ଭ୍ୟାଲେଣ୍ଟାଇନ୍ ଡେ୍‌, ଫ୍ରେଣ୍ଡସିପ୍ ଡେ୍‌, ନିଉ ଇୟର୍ ଡେ ସେଲିବ୍ରେସନ୍ ଏବେ ବହୁ ଆଦୃତ । ଆତିଥେୟତାର ପ୍ରଥମ ସତ୍କାର ଭାରତୀୟ ସଂସ୍କୃତିରେ ‘ନମସ୍କାର’ ବା ‘ପ୍ରଣାମ’ ଆଜି ଏହାର ମୌଳିକତାକୁ ହରାଇବସିଲାଣି । ସ୍ଥଳବିଶେଷରେ ଏ ମାନଙ୍କର ଭଙ୍ଗୀ ଆଜି କଦର୍ଯ୍ୟ । ସଂସ୍କୃତିର ସଂକରିକରଣରେ ନମସ୍କାର ଆଜି ଦୁଇହାତକୁ ନଯୋଡି, ଗୁଡ୍ ମର୍ଣ୍ଣିଙ୍ଗ୍ ଅବା ହ୍ୟାଣ୍ଡସେକ୍ ରେ ପରିବର୍ତ୍ତିତ । ପ୍ରଣାମର ଭଙ୍ଗୀ ଆଜି



ପାଦ ନଛୁଇଁ ଆଣ୍ଠୁଛୁଆଁରେ ସୀମିତ ହେବାକୁ ବସିଲାଣି । ବିବାହରର ପବିତ୍ର ବନ୍ଧନ ଆଉ ଅଗ୍ନୀକୁ ସାକ୍ଷୀରଖି ସାତଜନ୍ମପାଇଁ ପରସ୍ପରପ୍ରତି ବିଶ୍ୱାସ ବିବାହବେଦୀରେ ସିମୀତ ନରହି ବିଚାରାଳୟରେ କାଗଜ କଲମ ଉପରେ ଦସ୍ତଖତ୍ ଓ ଅତିଥୀମାନଙ୍କ ଖାଦ୍ୟପେୟର ଆତିଥେୟତା ବୈଦୀକ ଢାଞ୍ଚାରୁ ଯାଇ ପ୍ଲେଟ୍ ଧରି ଧାଡିରେ ଛିଡାହୋଇ ମାଗିଖାଇବାର ‘ବଫେ’ ପରମ୍ପରାରେ ପରିଣତ ହେଲାଣି । ଜନ୍ମଦିନରେ ଖିରିଖେଚୁଡିକୁ ଠାକୁରଙ୍କ ପାଖରେ ଭୋଗ ଲଗେଇବା ସଂସ୍କୃତି ପରିବର୍ତ୍ତେ କେକ୍ କଟା ଓ ମହମବତୀ ଲିଭେଇବା ସହିତ ‘ହାପି ବର୍ଥଡେ’ ର ଧ୍ୱନୀ ସଂସ୍କୃତିର ସଂକରିକରଣ ନୁହେଁ ତ ଆଉ କଣ । ଭାରତୀୟ ପୁରୁଷ ପରିଧାନ ସଂସ୍କୃତିର ବାର୍ତ୍ତାବହନ କରୁଥିବା ‘ଧୋତି’ ଯାହା ମହାତ୍ମାଗାନ୍ଧି ପିନ୍ଧୁଥିଲେ  ଆଜି ଆସି ପାଶ୍ଚାତ୍ୟର ଫୁଲ୍‌ପ୍ୟାଣ୍ଟ୍‌, ସାଟ୍‌ର୍, କୋଟ୍ ଓ ଟାଇରେ ପରିଣତ ହୋଇଗଲାଣି ।  ଭାରତୀୟ ନାରୀ ଚରିତ୍ରର ଅନନ୍ୟତା ବୋଧହୁଏ ତାର ଶାଢୀପିନ୍ଧା ଶୈଳୀରୁ ଅନେକାଶଂରେ ବାରି ହୋଇପଡେ ମାତ୍ର ଏବେ ମଧ୍ୟ ତାହା ସଂସ୍କୃତିର ସଂକରିକରଣରେ ପାଶ୍ଚାତ୍ୟର ଜିନ୍‌ପ୍ୟାଣ୍ଟ୍ ଓ ସାର୍ଟର କଳେବର ଧାରଣ କଲାଣି । ଦୂର୍ଗାପୂଜା, ଗଣେଷ ପୂଜା, ଲକ୍ଷ୍ମୀପୂଜା, ସରସ୍ୱତୀପୂଜା ଅବା ଖୁଦୁରୀକୁଣି ପୂଜା ହେଉ ଏହି ଦେବାଦେବୀମାନଙ୍କ ଭଷାଣି ସମୟରେ ପାରମ୍ପରିକ ନୃତ୍ୟସହିତ ଢୋଲ, ଘଣ୍ଟ, ମୃଦଙ୍ଗର ମୂର୍ଛନା ଥାଉକି ନଥାଉ ସତେଯେମିତି ଆଧୁନିକ ଡି.ଜେ. ଶଦ୍ଦସହିତ ମଦ ଓ ପାଶ୍ଚାତନୃତ୍ୟର ଆସର ବିନା ଏ ଦେବାଦେବୀମାନେ ମାନବ ମୋହରୁ ମୁକ୍ତି ପାଇପାରୁନାହାଁନ୍ତି ।
      ଆଜିର ଭାରତୀୟ ସିନେଜଗତର ନିର୍ଦ୍ଦେଶକମାନେ ସଂସ୍କୃତିର ସଂକରିକରଣରେ ଧୁରନ୍ଧର । ଆମ ପୈତୃକ ସଂସ୍କୃତିର ରଙ୍ଗଛଡେଇ କିମ୍ବା ମିଶେଇ ପାଶ୍ଚାତ୍ୟ ସଂସ୍କୃତିର ରଙ୍ଗରେ କେତେକ ସିନେମାକୁ ଏପରି ରଙ୍ଗିନ୍ କରିଦେଉଛନ୍ତି ଯେ ଆଜିର ଯୁବସମାଜ ସେଥିରେ ବିଭୋର୍ ହୋଇ ପଡୁଛନ୍ତି । ଫେସନ୍ ପ୍ରବାହିତ ଦିଗତତ୍ତ୍ୱର ପ୍ରସିଦ୍ଧ ଟ୍ରିକଲ୍‌ଡାଉନ୍ ତତ୍ତ୍ୱ (ଞକ୍ସସମଳକ୍ଷର ୟକ୍ଟଙ୍ଗଦ୍ଭ ଗ୍ଧଷରକ୍ଟକ୍ସଚ୍ଚ) ଆଧାରରେ ସିନେମାରେ ପ୍ରଦର୍ଶିତ ତାରକା ମାନଙ୍କର ଅପମିଶ୍ରିତ ସଂସ୍କୃତିର ଚାଲିଚଳନ ଆଚାର ବ୍ୟବହାର ଦ୍ୱାରା କେତେକଙ୍କୁ ଛାଡିଦେଲେ ପ୍ରାୟ ସବୁ ଭାରତୀୟ ଯଥେଷ୍ଟ ପ୍ରଭାବିତ । 
    ଏଭଳି ସଂସ୍କୃତିର ଅପମିଶ୍ରଣ ବା ସଂକରିକରଣର ପ୍ରବାହକୁ କୌଣସିମତେ ରୋକିହେଲା ପରି ମନେହେଉନାହିଁ  କାରଣ ଏହା ସମାଜର ଧାରା ଭାବେ ବର୍ତ୍ତମାନ ପ୍ରବାହମାନ । ହେଲେ  ସଂସ୍କୃତିର ସଂକରିକରଣକୁ ଏକ ରକ୍ଷଣଶୀଳ ଢଙ୍ଗରେ ଯଦି କରାଯାଇପାରନ୍ତା ତେବେ ନିଜ ସଂସ୍କୃତିର ନିଜତ୍ତ୍ୱକୁ ବଜାୟ ରଖା ଯାଇପାରନ୍ତା । ତେବେ ଆସନ୍ତୁନା ଆମ ସଂସ୍କୃତିର ଅନନ୍ୟତାକୁ ଏବେଠାରୁ ରକ୍ଷାକରିବାକୁ ଚେଷ୍ଟାକରିବା ।

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS