search in www.iswarchandraworld.blogspot.com

Friday 27 March 2020

Odia Novel ଦହ୍ରଯାତ୍ରା


ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ଦହ୍ରଯାତ୍ରା



ଦହ୍ରଯାତ୍ରା (ଉପନ୍ୟାସ)
ଈଶ୍ୱରଚନ୍ଦ୍ର ନାୟକ
ଦୂର ପାହାଡ ପବ୍ଲିକେଶନ୍‌ସ
ବାଙ୍ଗୁଋଷ ପାଟଣା, ଭାଣପୁର, ରେଞ୍ଚ୍‌, ପୁରୀ-୭୫୨୧୧୪
ଫୋନ୍‌: ୭୯୭୮୯୦୩୦୫୫
ପ୍ରଚ୍ଛଦ: ଅଚିନ୍ତ୍ୟ ନାୟକ
ଦ୍ୱିତୀୟ ସଂସ୍କରଣ: ୨୦୨୦
ମୂଲ୍ୟ: ୨୦୦.୦୦

ପ୍ରଥମ ପକ୍ଷ



      ମା’ ମୁଁ ଆସୁଛି । ଆଜି ମୁଁ ସ୍କୁଲ୍‌ରୁ ଜଲଦ୍‌ି ଫେରି ଆସିପାରେ । ଏହା କହି ସତ୍ତ୍ୱରୀସ ଫାଟକ ଖୋଲିବାକୁ ଉଦ୍ୟତ ହୁଏ । ମା’ ସତ୍ତ୍ୱରୀମା ପଛେ ପଛେ ଛିଡା ହୋଇ ଶୁଣୁଥାନ୍ତି । କାହିଁକି, ଆଜି କଣ ସ୍କୁଲ୍ ଛୁଟି ହୋଇଯିବନା କଣ । ନାହିଁ ମା’; ଆଜି ମଧ୍ୟାହ୍ନ ପରେ ଆମ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟରେ କବାଡି ଖେଳ ହେବାରେ ଅଛି । ମୁଁତ କବାଡି ଖେଳରେ ଭାଗ ନେଇନି । ତେଣୁ ଭାବୁଛି ଗୁରୁଜୀଙ୍କୁ କହି ଘରକୁ ପଳେଇ ଆସିବି । କାହିଁ ଖେଳ ଦେଖିବାଟା କଣ ଗୋଟେ ଆନନ୍ଦର କଥା ନୁହେଁ । ମା’ ତା ଠିକ୍ ଯେ, ମୁଁ ଟିକେ ଘରକୁ ଆସି ଏକାନ୍ତରେ ବସି ମୋର କିଛି ପାଠ ପଢିବାକୁ ଚାହୁଁଛି । ହଉ ଠିକ୍ ଅଛି । 
      ସ୍କୁଲଟି ସତ୍ତ୍ୱରୀସର ଘରଠାରୁ ମାତ୍ର ପାଞ୍ଚଶହ ମିଟର ହେବ । ସନାତନ ଚାହିଁଲେ ପ୍ରତିଦିନ ନିଜ ଗାଡିରେ ସତ୍ତ୍ୱରୀସକୁ ଛାଡିଦେଇ ଅଫିସ୍ ଯାଇ ପାରନ୍ତେ ମାତ୍ର ମା’ ସତ୍ତ୍ୱରୀମା ଏହାର ସପକ୍ଷବାଦୀ ନୁହେଁ । ପୁଅ ଆସି ନବମ ଶ୍ରେଣୀରେ ପଢିଲାଣି । ପରିଶ୍ରମ କରୁ । ସ୍କୁଲ୍‌କୁ ଚାଲିଚାଲି ଗଲେ ପ୍ରଥମତଃ ଏକ ପ୍ରକାର ବ୍ୟାୟାମ ହେବ । ଦ୍ୱିତୀୟରେ ମନୁଷ୍ୟର ଏକୁଟିଆ ଚାଲିଚାଲି ଯିବାରେ ଜୀବନର ସ୍ୱତନ୍ତ୍ରତା ଆତ୍ମ ବିଶ୍ୱାସ ଭରା ହୋଇଉଠେ । ଏଥିରେ ସତ୍ତ୍ୱରୀସର ଆନନ୍ଦ ମା’ଠାରୁ ଆହୁରି ଅଧିକ । ଶୈଶବ ଅବସ୍ଥାରୁ ହିଁ ସେ ଏ ପ୍ରକୃତିର ସୁନ୍ଦରତାରେ ନିଜକୁ ଅତ୍ୟନ୍ତ ସୁଖୀ ଅନୁଭବ କରେ । ଖାଲି ସେତିକି ନୁହେଁ ଏକଲା ଜୀବନ ତାକୁ ସବୁଠାରୁ ଅଧିକ ଆନନ୍ଦ  ପ୍ରଦାନ କରେ । ରାଜବଂଶୀୟ ଔରଷରୁ ଜନ୍ମ ନେଇଥିଲେ ମଧ୍ୟ ସତ୍ତ୍ୱରୀସର ସେପରି ରାଜକୀୟ ଠାଣୀ ପ୍ରତୀୟମାନ ହୁଏନି । ମା’ ସତ୍ତ୍ୱରୀମାର ଆଧ୍ୟାତ୍ମୀକ ଗୁଣ ସହିତ ପିତା ସନାତନଙ୍କର ପ୍ରଚଣ୍ଡ ବୁଦ୍ଧି ଓ ବିଶ୍ଳେ୍ଲଷଣାତ୍ମକ ବୈଜ୍ଞାନିକ ଭାବଧାରାକୁ ଅବିକଳ ନକଲ କରି ଆଣିଛି । ମାତ୍ର ସବୁଠାରୁ ନିଆରା ଗୁଣ ଯାହା ତାକୁ ବିଶ୍ୱନିୟନ୍ତା ପ୍ରଦାନ କରିଛନ୍ତି ତାହା ହେଉଛି ତା’ର ମୌନ, ଶାନ୍ତ, ସରଳ, ନମ୍ର, ଭଦ୍ର ଓ ପରୋପକାରୀ ଗୁଣ । ଏସବୁ ଗୁଣ ଭିତରେ ତାର ମୌନ ରହିବା ଗୁଣଟି ସମସ୍ତଙ୍କୁ ସ୍ତମ୍ଭୀଭୁତ କରେ । ଏ ପାର୍ଥୀବ ସଂସାରର ଆକର୍ଷଣ ସତେଯେମିତି ତାକୁ ଆକର୍ଷିତ କରିପାରେନା । ସୁନ୍ଦର ରାଜକୀୟ ଚେହେରାଟି ଭିତରେ ରାଜକୀୟ ପତିଆରା ସିନା ଦେଖାଯାଏନି ମାତ୍ର ବଦନରେ ବିରାଜମାନ ଗୁରୁ ଗାମ୍ଭୀର୍ଯ୍ୟତା ଯାହା ଅନ୍ୟମାନଙ୍କ ମନରେ ଏକ ସ୍ୱତଃ ବିସ୍ମୟ । ହେଲେ ମା’ସତ୍ତ୍ୱରୀମା ଓ ପିତା ସନାତନ ପୁତ୍ରର ଏପରି ଗୁଣରେ ବହୁତ ଖୁସି । ସତ୍ତ୍ୱରୀମା ଜାଣେ ତା’ ପୁଅ ତା’ ବାପାଠାରୁ ବି ଆହୁରି ମାନ ସମ୍ମାନର ଅଧିକାରୀ ହେବ । ଜଗତରେ ଅନେକ ଯଶ କମେଇବ । ସେ  ସତ୍ତ୍ୱରୀସଠାରେ ଥିବା ଆତ୍ମବିଶ୍ୱାସର ଗଭୀରତାକୁ ମଧ୍ୟ ମାପିଛି । ତେଣୁ ସେ ସତ୍ତ୍ୱରୀସ ଭଳି ସନ୍ତାନଟିଏ ପାଇଥିବାରୁ ଜଗତକର୍ତ୍ତିାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଥାଏ । କିନ୍ତୁ ସତ୍ତ୍ୱରୀସ ମନେମନେ ଯେ ଅସ୍ତବ୍ୟସ୍ତ ସେକଥା ସତ୍ତ୍ୱରୀମାକୁ ଜଣାନାହିଁ । ଅନ୍ୟ ଏକ ଦିଗରୁ ଦେଖିଲେ ସତ୍ତ୍ୱରୀସ ମନର ଅସ୍ତବ୍ୟସ୍ତତା ବାହାରକୁ ଆଦ୍ୟୈ ଜଣାପଡୁ ହିଁ ନଥାଏ । 
      ହେଲେ ଦୁଇଦିନ ତଳର ସେ ଜାଡୁଆ ସକାଳର ଘଟଣା ତା’ ମାନସ ପଟକୁ କରାଗ୍ରତ 
କରି ରଖିଥାଏ । ସେ ଚକିତ ଓ ହତବାକ୍ । ଏଭଳି ପରିସ୍ଥିତିକୁ ଜନ୍ମରୁ ସେ କେବେ ବି ଦେଖିନଥିଲା । ସେଦିନ ଥିଲା ଶନିବାର ସକାଳୁଆ ସ୍କୁଲ୍ । ପରିବେଶର ତାପମାତ୍ରା ଥିଲା ଦୁଇ ଡିଗ୍ରି ସେଲିସିଅସ୍ । କୋହଲା ପବନରେ ଦେହ ଥରି ଉଠୁଥାଏ । ସକାଳୁ ସକାଳୁ ରାସ୍ତା ଘାଟ ସବୁ ଖାଁ ଖାଁ । କହିବାକୁ ଗଲେ ସାତଟା ପୂର୍ବରୁ କାହାର ଘର ଦୁଆର ଖୋଲା ହୋଇନଥାଏ । ଯେ କେହି ବି ଜଣେ ଦୁଇଜଣ ବାହାରେ ରାସ୍ତାରେ ଦେଖା ଯାଉଥାନ୍ତି ସମସ୍ତଙ୍କ ଦେହରେ କମ୍ବଳ ଭଳି ମୋଟା ମୋଟା ସୁଏଟର , ଜ୍ୟାକେଟ୍ ଅବା କେହି କେହି କମ୍ବଳ ମଧ୍ୟ ଘୋଡି ହୋଇଥାନ୍ତି । ମୁଣ୍ଡରେ ଟୋପି ହାତରେ ଗ୍ଲୋବ୍‌, ଗୋଡରେ ମୋଜା ସହିତ ଜୋତା, ପାଟି ଉପରେ ମୁଣ୍ଡର ଟୋପି ଘୋଡି ହୋଇ ରହିଥାଏ । ଗୋଟିଏ କଥାରେ କହିବାକୁ ଗଲେ ପ୍ରତିଟି ମଣିଷର ଆଖି ଦୁଇଟିକୁ ଛାଡି ଦେଲେ ଆଉ ସବୁ ଶୀତ ବସ୍ତ୍ରର ମୋଟା ଆବରଣ ତଳେ ଲୁଚିକରି ରହିଥାଏ । ବାହାରେ ଏତେ ଥଣ୍ଡାଯେ ହାତ ଖୋଲିଗଲେ ସତେଯେମିତି ହାତ ଦୁଇଟି ବରଫ ହୋଇଯିବ । ଶରୀରରେ ହାତ ନଥିଲା ପରି ମନେ ହେବ । ରାସ୍ତା କଡର ଗଛ ସବୁ ଶାନ୍ତ ସରଳ ଭାବରେ ଠିଆ ହୋଇଥିଲେ ମଧ୍ୟ ଭିତର ଶରୀରକୁ ହଲେଇଦେଲା ଭଳିଆ ଧୀର କୋହଲା ବାଆ ବହିବାରେ ଲାଗୁଥାଏ । ଏଭଳି ଥଣ୍ଡାରେକିନ୍ତୁ ସ୍କୁଲ ଖୋଲା । ସକାଳ ସାତଟା ପୂର୍ବରୁ ସବୁ ପିଲାମାନେ ସୁଟ୍‌, ବୁଟ୍‌, ସୁଏଟର ଓ ଜୋତା ପିନ୍ଧି ସ୍କୁଲ୍‌ର ନିବୁଜ ବାତାନୁକୁଳିତ ବସ୍ ଭିତରେ ଆରାମରେ ଆସି ବିଦ୍ୟାଳୟରେ ପହଞ୍ôଚ ଯାଆନ୍ତି । ଶ୍ରେଣୀରେ ବସି ପଡିଲେ ବାତାନୁକୁଳିତ ପରିବେଶ ଆଉ ଶୀତର ପ୍ରକୋପକୁ ଅନୁଭବ କରିବାକୁ ଦିଏ ନାହିଁ । କିନ୍ତୁ ସତ୍ତ୍ୱରୀସକୁ ସେହି ଥଣ୍ଡା ପାଗରେ ଘରଠାରୁ ୫୦୦ ମିଟର ଚାଲି ଚାଲି ସ୍କୁଲକୁ ଯିବାକୁ ପଡିବ । ଆପଦ ମସ୍ତକ ଶୀତ ବସ୍ତ୍ରରେ ଭରା । ଠିକ୍ ୬ଟା ୪୫ରେ ଘରୁ ବାହାରିଥାଏ ସତ୍ତ୍ୱରୀସ । ମା’ ସତ୍ତ୍ୱରୀମା ଫାଟକ ପାଖରେ ବିଦାୟ ଦେଇ ଘର ଭିତରକୁ ଚାଲି ଯାଇଥାନ୍ତି ।
      ନିର୍ଜ୍ଜନ ରାସ୍ତା । କେହି କୁଆଡେ ଦେଖାଯାଉ ନଥାନ୍ତି । ସତେଯେମିତି ଶୀତର ପ୍ରହାରରେ ସମସ୍ତେ ଆଲିଜା ହୋଇ ନିଜ ନିଜର ଘର ମାନଙ୍କ ଭିତରେ ଶୋଇ ରହିଥାନ୍ତି । ସତ୍ତ୍ୱରୀସ ଆଗକୁ ଆଗକୁ ବିଦ୍ୟାଳୟର ଲକ୍ଷ ନେଇ ଟପ୍ ଟପ୍ ଜୋତାର ଶଦ୍ଦ କରି ଚାଲିଥାଏ । ନିର୍ଭୟ ମନ । ଖୋଲା ହୃଦୟ ସହିତ ନଥାଏ ଛାତି ଭିତରେ ଦକା । ହଠାତ୍ ସେ ଏକ ବିସ୍ମୟ ଘଟଣାଟିଏ ଦେଖେ । ଜଣେ ବ୍ୟକ୍ତି ଗେରୁଆ ରଙ୍ଗର ଅଣ୍ଟାବସ୍ତ୍ରଟିଏ ପିନ୍ଧି ସେହି ରାସ୍ତାରେ ଆଗକୁ ଆଗକୁ ଚାଲିବାରେ ଲାଗିଛନ୍ତି । ଦେହରେ ବସ୍ତ୍ର ବୋଲି କିଛି ନାହିଁ । ସମ୍ପୂର୍ଣ୍ଣ ଫୁଙ୍ଗୁଳା । ବାସ କାନ୍ଧରେ ଫିତା ଲଗା ଗୋଟିଏ ଓଜନିଆ ବ୍ୟାଗ୍ ଆସି ଠିକ୍ ଅଣ୍ଟା ପାଖରେ ଝୁଲୁଥାଏ । ମୁହଁରେ ଅଳ୍ପଦାଢୀ । ମୁଣ୍ଡରେ କେଶର ପରିମାଣ ଜଣେ ସାଧାରଣ ମଣିଷଠାରୁ ଟିକେ ଅଧିକ । ମାତ୍ର ଚୁଟିଟି ଅଡୁଆତଡୁଆ । ମୁହଁରେ ପ୍ରସନ୍ନତା । ହାତରେ ଛୋଟ ବାଡିଟିଏ । ଲାଗୁଥାଏ ମୃଦୁମଳୟ ଆଚ୍ଛାଦିତ ପରିବେଶ ଭିତରେ ସେ ଆନନ୍ଦରେ ଚାଲିଥାନ୍ତି ନିଜର ଗନ୍ତବ୍ୟ ସ୍ଥଳକୁ । ଏ କି ବିଚିତ୍ର । ଏତେ ଥଣ୍ଡାରେ ସେ ବିବସ୍ତ୍ର । ଶରୀର ତାଙ୍କର ଥରୁନି ମଧ୍ୟ । ଏମିତି କିପରି ସମ୍ଭବ? କେଉଁ ଉପାଦାନରେ ତାଙ୍କ ଶରୀର ଗଢା? କଣ ଖାଦ୍ୟ ଖାଉଛନ୍ତି ଯେ ତାଙ୍କୁ  ଶୀତ ଆଦ୍ୟୈ ଲାଗୁ ନାହିଁ । ଶରୀରର ଶ୍ୟାମଳ ବର୍ଣ୍ଣକୁ ମୁହଁଟିର ପ୍ରସନ୍ନତା ଆହୁରି ମାନୁଥାଏ । ସତ୍ତ୍ୱରୀସର ମନର ବେଗ ଆହୁରି ଚଞ୍ଚଳ ହୋଇ ଉଠେ । ସେ କ୍ଷିପ୍ର ବେଗରେ ଆଗେଇ ଚାଲେ ସେ ବ୍ୟକ୍ତିଙ୍କ ପାଖକୁ । ମାତ୍ର ଏକ ଶହ ଖୋଜ ପରେ ଯେତେବେଳେ ସେ ବ୍ୟକ୍ତିଙ୍କ ପାଖରେ ପହଞ୍ôଚଯାଏ କିଶୋର ଜୀବନର ଚପଳତାରେ ସେ ନିଜକୁ ସଂଜତ କରିପାରେନି ।  
     ବାବା ଆପଣଙ୍କୁ ଶୀତ ଲାଗୁନି? ଏ ଭଳି ହାଡ ଭଙ୍ଗା ଜାଡରେ ଆପଣ ଏ ଫୁଙ୍ଗୁଳା ଦେହରେ କିପରି ରହି ପାରୁଛନ୍ତି?  ସମତାଳ ଦେଇ ବାବାଙ୍କ ପାଖେ ପାଖେ ଚାଲିଥାଏ ସତ୍ତ୍ୱରୀସ ଓ ପଚାରି ଚାଲିଥାଏ ପ୍ରଶ୍ନ । 
     କାରଣ ମୋ ଶରୀରକୁ ମୁଁ ଏ ଶୀତକୁ ଅନୁଭବ କରିବାକୁ ଦିଏନି । ଶୀତ ତା’ ଜାଗାରେ ରହେ ଓ ଶରୀର ତା’ ସ୍ଥାନରେ । ବାବା ଉତ୍ତର ଦିଅନ୍ତି । 
     ଏହା କିପରି ସମ୍ଭବ ବାବା?  ଏ ହାଡଭଙ୍ଗା ଶୀତରେ ଶରୀରର ସମସ୍ତ ଅଙ୍ଗତ ଆପେ ଆପେକଷ୍ଟ ପାଇବାରେ ଲାଗନ୍ତି । ଆଉ ଆପଣ ଏପରି କଣ କହୁଛନ୍ତି । ସତ୍ତ୍ୱରୀସ ପୁଣି ପଚାରି ଚାଲେ ।
      ଆରେ ବାବୁ ଏ ଶରୀର ମା’ ଗର୍ଭରେ ଯେତେବେଳେ ସୃଷ୍ଟି ହୋଇ ଦଶମାସ ପର୍ଯ୍ୟନ୍ତ  ରହିଥିଲା କେତେ ଯେ କଷ୍ଟ ସହିଥିଲା ତାହାର ହିସାବ କେହି କରି ପାରିବେନି । ସେ କଷ୍ଟ ଆଗରେ ଏ ଶୀତ କଷ୍ଟ କଣ । କିଛି ନୁହେଁ । ବାସ୍ ମା’ ଗର୍ଭର ସେ କଷ୍ଟକୁ ଯିଏ ଅନୁଭବ କରିପାରିଛି ତାକୁ ଏ ଜାଡ କାହିଁକି କଷ୍ଟ ଦେଇପାରିବ । ବାବା ବୁଝେଇ ଚାଲନ୍ତି । 
     ମା’ ଗର୍ଭରେ କଷ୍ଟ? ଏ କି ଅଭୁତ ଓ ଆଶ୍ଚର୍ଯ୍ୟ କଥା କହୁଛନ୍ତି ଆପଣ ମୁଁ କାହିଁ ଜମା ବୁଝି ପାରୁନି । ସତ୍ତ୍ୱରୀସ ବିସ୍ମୟତାର ସହ ପ୍ରଶ୍ନ କରେ ।  
     ବାବା ଚଳରୁ ସ୍ଥିର ହୋଇଯାଆନ୍ତି । ସତ୍ତ୍ୱରୀସ ମଧ୍ୟ ସ୍ଥିତ ହୋଇଯାଏ । ସତ୍ତ୍ୱରୀସର ଅହେତୁକ ଜିଜ୍ଞାସା ଦେଖି ବାବା କୁହନ୍ତି ବାବୁରେ ତୁମର ବିଦ୍ୟାଳୟ ସନ୍ନିକଟ ହୋଇଗଲାଣି । ତୁମେ ତୁମ ବିଦ୍ୟାଳୟକୁ ଯାଅ ଓ ବିଦ୍ୟା ଅଧ୍ୟୟନରେ ମନଦିଅ । ଯଦି ସତରେ ତୁମର ଏ ମାତୃଗର୍ଭ କଷ୍ଟ ବିଷୟରେ ଜାଣିବାରେ ଅଛି ତେବେ ଦିନେ ତୁମ ପିତାଙ୍କୁ ନେଇ ଏଇ ନିକଟରେ ମୋ ଆଶ୍ରମକୁ ଆସ । ତୁମକୁ ମୁଁ ସହିଠାରେ ହିଁ କିଛି ବ୍ୟାଖ୍ୟା କରିପାରେ ମାତ୍ର ଏଠାରେ ତାହା ଏ ଅସମୟରେ ସମ୍ଭବ ନୁହେଁ । 
      ସତରେ ବାବା । ତା ହେଲେ ମୁଁ ନିଶ୍ଚୟ ଆପଣଙ୍କ ଆଶ୍ରମକୁ ଆସିବି । ଏତିକି କହି ସତ୍ତ୍ୱରୀସ  ନିଜ ମା’ ଠାରୁ ଶିକ୍ଷା ଲାଭ କରିଥିବା ସଂସ୍କାରରେ ବାବାଙ୍କୁ ନତ ମସ୍ତକ ପ୍ରଣିପାତ କରି ବିଦ୍ୟାଳୟକୁ ଗମନ କରେ ହେଲେ ମନରେ ପାଞ୍ଚେ ଯେ ଏକଥା ସେ ବାପାମା’ଙ୍କୁ ଜଣାଇବ ନାହିଁ । ସେ ନିଜେ ଏକୁଟିଆ ହିଁ ଯିବ । ବାବାଙ୍କଠାରୁ ସେ କିପରି ତାଙ୍କ ମା’ ଗର୍ଭରେ କଷ୍ଟ ପାଇଥିଲେ ତାହା ଶୁଣିକରି ଆସିବ । 
      ସେହି ଦିନଠାରୁ ମା’ଗର୍ଭରେ ଏ ଶରୀର ଲଭୁଥିବା କଷ୍ଟକୁ ଜାଣିବାର ତା’ର ଯେଉଁ ଆଗ୍ରହ ଅଧିକ ଘନୀଭୁତ ହେବାରେ ଲାଗେ । ତାକୁ ସେ କଥାଟି ଏକ ଗୁଢ ରହସ୍ୟ ପରି ମନେ ହୁଏ । ଭିତରେ ଭିତରେ ଶୀଘ୍ର ଗୋଟିଏ ସୁଯୋଗର ଅପେକ୍ଷା କରିଥାଏ ।
      ସୌଭାଗ୍ୟବସତଃ ଆଜି ତା’ପାଖରେ ସେ ସୁଯୋଗ ଆସି ପହଞ୍ôଚଛି । ଆଜି ଠିକ୍ ଦିନ ୧ଟାରେ ସେ ବିଦ୍ୟାଳୟରୁ ଅନୁମତି ଆଣି ଆଶ୍ରମ ଅଭିମୁଖେ ଚାଲିବ । ଆଶ୍ରମରେ ମାତ୍ର ୧ ଘଣ୍ଟା ରହି ଘରେ ଯାଇ ଠିକ୍ ୩ଟା ପହଞ୍ôଚଯିବ । ମା’ ମଧ୍ୟ ବିଳମ୍ବର କାରଣ ଜାଣିପାରିବେ ନାହିଁ । ତେଣୁ ସେ ବିଦ୍ୟାଳୟରୁ ଗୁରୁଜୀଙ୍କ ଠାରୁ ଅନୁମତି ଆଣି ଆଶ୍ରମ ଅଭିମୂଖେ ଯାତ୍ରା କରେ । ଆଶ୍ରମରେ ଠିକ୍ ଦିନ ୧ମ୧୫ ମିନିଟି ରେ ପହଞ୍ôଚ ଦେଖେତ ଝଙ୍କାଳିଆ ଗଛମାନଙ୍କର ଛୋଟ ତୋଟାଟିଏ ଭିତରେ ବାବାଙ୍କର ଆଶ୍ରମ । ଆଶ୍ରମ କହିଲେ ଗୋଟିଏ ଛୋଟ ସୁନ୍ଦର ଚାଳଥିବା କୁଡିଆ ଟିଏ ।ମୁଁ କେଉଁ ପୁସ୍ତକରେ ପଢିବାକୁ ପାଉନି । ସେ କଷ୍ଟ ବିଷୟରେ ମୋତେ କିଛିତ ଧାରଣା ଦିଅନ୍ତୁ ।
କି କଷ୍ଟ ଓ କିପରି କଷ୍ଟ ଏ ଶରୀର, ମାତୃଗର୍ଭରେ ପାଇଥାଏ ତାହା ମୁଁ ଆଦୌ ବୁଝିପାରୁନି ।       ସେ କଷ୍ଟକୁ ଦେବା ଲୋକ କିଏସେ? ମା’ କଣ ସେ କଷ୍ଟର କାରଣ? ନା ଆଉ କିଏ? ଏପରି ପ୍ରଶ୍ନ ମାନଙ୍କୁ ନେଇ ମୁଁ ସେହିଦିନଠାରୁ ବଡ ବିଚଳିତ । ଦୟା କରି ଏହି ପ୍ରଶ୍ନ ଗୁଡିକର ଉତ୍ତର ମୋତେ କୁହନ୍ତୁ ।
       ସତ୍ତ୍ୱରୀସର ଏଭଳି ଉତ୍କଣ୍ଠାରେ ବାବା ବି ଉଲ୍ଲସିତ ହୋଇ ପଡନ୍ତି । ଏ ସନ୍ତାନର ପିତାମାତା ନିଶ୍ଚିତ ଅନେକ ପୂଣ୍ୟ କର୍ମର ଅଧିକାରୀ । ଆଉ ଏ ବାଳକ ଜଣେ ଯୋଗ ଜନ୍ମା ଏଥିରେ ସନ୍ଦେହ ନାହିଁ ।
      ବାବା ସ୍ମିତହସରେ କୁହନ୍ତି ତୁମର ପ୍ରଥମ ପ୍ରଶ୍ନ, ମୋତେ କାହିଁକି ତୁମ ପରି ଶୀତ ଲାଗୁନି । ଏହାର ଉତ୍ତର ହେଉଛି ମୁଁ ମୋ ଶରୀର ଠାରୁ ମୋ’ର ଅନୁଭବ କରିବାର ଶକ୍ତିକୁ ଅଲଗା କରିଦେଇଛି । ଏହା ସମ୍ଭବ ହୋଇଛି ମୋର ଆଧ୍ୟାତ୍ମଜ୍ଞାନ ବଳରେ । ମା’ ଗର୍ଭରେ ମୋ ଜୀବନର ସର୍ଜ୍ଜନାରୁ ହିଁ ମୁଁ ପ୍ରତ୍ୟେକ ଯନ୍ତ୍ରଣାକୁ ସହି ନିଜକୁ ସେ ଯନ୍ତ୍ରଣାରୁ ମୁକ୍ତ କରିବାକୁ ଅବିରତ ଚେଷ୍ଟା  କରିବା ପରେ ଆଜି ଏପରି  କରିବାରେ ସକ୍ଷମ ।  
      ତୁମ ଦ୍ୱିତୀୟ ପ୍ରଶ୍ନର ଉତ୍ତର ମା’ ଗର୍ଭ ଭିତରେ ଏ ଶରୀର ପାଉଥିବା କଷ୍ଟ । ତାହା ମୁଁ ତୁମକୁ ବୁଝାଇଲେ ତୁମେ ବିଶ୍ୱାସ କରିପାର ସତ ମାତ୍ର ଅନୁଭବ କରିପାରିବ ନାହିଁ । ତେଣୁ ଏଥିପାଇଁ ତୁମେ ତୁମ ଆତ୍ମାର ଶରଣକୁ ଯାଅ । ତାଙ୍କୁ ପଚାର, ସେହି ତୁମକୁ ମା’ ଗର୍ଭରେ ତୁମେ ଅତିବାହିତ କରିଥିବା କ୍ଳିଷ୍ଟପୂର୍ଣ୍ଣ ଜୀବନର ରହସ୍ୟ ଭଲଭାବରେ ବ୍ୟାଖା କରିପାରିବେ । ତୁମେ ତୁମ ମା’ଗର୍ଭରେ ବିତାଇଥିବା ପ୍ରତ୍ୟେକ ମୁହୁର୍ତ୍ତକୁ ସେ ତୁମକୁ ଅବିକଳ ମନେପକାଇ ଦେବେ । ତୁମେ ତୁମ ମା’ର ଜଠରରେ କେତେ ଦଣ୍ଡ, କେତେ ନିମିଷ, କେତେ ଘଡି, କେତେ ଦିନ ବିତାଇଥିଲ ସେ ତୁମକୁ ଅବଗତ କରାଇଦେବେ । ତୁମେ ତୁମ ମା’ର ଜରାୟୁରେ ସତରେ ହସିହସି ବଢିଥିଲ ନା କାନ୍ଦିକାନ୍ଦି ଗଢି ହୋଇଥିଲ, ଆନନ୍ଦରେ ଖେଳିଥିଲ ନା ଅନ୍ତଃବେଦନାରେ ଅତିଷ୍ଟ ହୋଇ ପଡିଥିଲ ସବୁକଥା ସେ ତୁମକୁ ଚମତ୍କାର ଭାବରେ ବୁଝାଇବାର କ୍ଷମତା ରଖିଛନ୍ତି । 
      ଏହା କିପରି ସମ୍ଭବ ହେବ ବାବା, ମୁଁ ତ ଆଦ୍ୟୈ ବୁଝି ପାରୁନି । ତେବେ ଏହାର ବାଟ ମୋତେ କୁହନ୍ତୁ । ସତ୍ତ୍ୱରୀସ ଆହୁରି ଆବେଗ ସହ ପଚାରି ବସେ । 
      ତୁମେ ରାତ୍ରିର ନିର୍ଜ୍ଜନତାରେ ତୁମ ଶୟନ କୋଠରୀରେ ପଦ୍ମାସନରେ ରହି ନିଜ ଆତ୍ମାକୁ ଧ୍ୟାନ କର । ତୁମ ପରି ନିଷ୍ପାପ ମନ ଓ ତୁମର ଏ ପବିତ୍ର ଆବେଗରେ ସେହି ଆତ୍ମା ସଦୟ ହୋଇ ତୁମର ସନ୍ଦେହ ନିଶ୍ଚୟ ଦୂର କରିବେ । ବାବା ଉପଦେଶ ଦିଅନ୍ତି । 
      ସତରେ ବାବା । ଏହା କଣ ସମ୍ଭବ?
      ଅସମ୍ଭବ ବୋଲି ଏ ସଂସାରରେ ସେମିତି କିଛି ବି ନାହିଁ ପୁତ୍ର । ବାବା ସତ୍ତ୍ୱରୀସର ମନରେ ଆହୁରି ବିଶ୍ୱାସ ଭରି ଦିଅନ୍ତି । 
      ସେତେବେଳକୁ ସମୟ ଆସି ୨ଟି ୩୦ ମିନିଟ୍ । ସତ୍ତ୍ୱରୀସର ମା’ ଙ୍କ କଥା ମନେ ପଡେ । ବାବାଙ୍କଠାରୁ ଆଶୀର୍ବାଦ ନେଇ ନିଜ ଘର ଅଭିମୂଖେ ପ୍ରସ୍ଥାନ କରେ । ସତ୍ତ୍ୱରୀସର ପ୍ରସ୍ଥାନରେ ବାବା ସତ୍ତ୍ୱରୀସର ଭବିଷ୍ୟତ ଜୀବନକୁ କଳନା କରି ବହୁତ ଖୁସି ଅନୁଭବ କରିବାରେ ଲାଗିଥାନ୍ତି । କିନ୍ତୁ ସତ୍ତ୍ୱରୀସ ରାସ୍ତାସାରା ଭାବିଭାବି ଆସୁଥାଏ ଆଜି ହିଁ ସେ ରାତ୍ରିର ନିର୍ଜନତାରେ ନିଜ ଆତ୍ମାକୁ ପଚାରି ବସିବ, ସେ ମାତୃଗର୍ଭର ବୃତ୍ତାନ୍ତକୁ । 
      ଘରେ ପହଞ୍ôଚ ମା’ ଙ୍କୁ ଏସବୁ କଥା କିଛି ବି କହେ ନାହିଁ । ଦୈନନ୍ଦିନ ପରି ନିଜ ପଢା କାର୍ଯର୍୍ୟରେ ବ୍ୟସ୍ତ ରହି ଅତି ଉତ୍ସାହର ସହିତ ପ୍ରତିକ୍ଷାକରେ ରାତ୍ରିର ନିର୍ଜ୍ଜନତାକୁ । ରାତ୍ରିରେ ସମସ୍ତେ ଶୋଇ ଯାଆନ୍ତି । ସତ୍ତ୍ୱରୀସ ନିଜ ପଢାଘରର ଚଟାଣ ଉପରେ ପଦ୍ମାସନରେ ବସି  ରୁହେ । ନିଜର ଚଞ୍ଚଳ ମନକୁ ସ୍ଥିର କରି ନିଜ ଆତ୍ମା ସହିତ ସମ୍ପର୍କ କରିବାକୁ ଚେଷ୍ଟା କରେ । ଯୋଗମୁଦ୍ରାରେ ଅବସ୍ଥାପିତ ସତ୍ତ୍ୱରୀସ ବର୍ତ୍ତମାନ ପାର୍ଥୀବ ସଂସାରରୁ ଅନେକ ଦୂରରେ । ଆତ୍ମା ସାକ୍ଷାତ ତାର ଏକ ମାତ୍ର ଲକ୍ଷ ଓ ମାତୃଗର୍ଭ ଜ୍ଞାନର ଜିଜ୍ଞାସାରେ ସେ ବିମୋହିତ । ରାତ୍ରିର ନିର୍ଜ୍ଜନତା ମହାନିର୍ଜ୍ଜନତାକୁ ପ୍ରବେଶ କରୁଥାଏ । ଅଦ୍ଭୁତ ଗୁରୁଗାମ୍ଭୀର୍ଯ୍ୟର ଏକ କଣ୍ଠସ୍ୱର ସତ୍ତ୍ୱରୀସ ଶୁଣିବାକୁ ଆରମ୍ଭକରେ ତା’ ଅନ୍ତରଆତ୍ମା ଭିତରୁ । 
      ତୁମ ଜିଜ୍ଞାସା ଓ ଯୋଗରେ ମୁଁ ଆନନ୍ଦିତ । ତୁମ ଇପସିତ୍ ଜ୍ଞାନକୁ ମୁଁ ଆଜି ତୁମ ଆଗରେ ବଖାଣିବାକୁ ଖୁସି ଅନୁଭବ କରୁଛି । ତୁମେ ଧ୍ୟାନ ପୂର୍ବକ ଶୁଣ ..............ା 
     ବେଦବେଦାନ୍ତ, ପୋଥିପୁରାଣ, ଗୀତାଭାଗବତ କୁହନ୍ତି ମୁଁ ହେଉଛି ଅଜର, ଅମର, ଅଭଙ୍ଗ, ଅଚିନ୍ତ୍ୟ, ଅନିନ୍ଦ୍ୟ, ଅବ୍ୟୟ ଓ ଅବିନାଶୀ । ତତ୍ତ୍ୱଦର୍ଶୀ, ଜ୍ଞାନଋଢ, ବିଜ୍ଞ ଓ ବିଦ୍ୱାନ ଆଦି ସମସ୍ତେ ମଧ୍ୟ ଏ କଥାକୁ ଦୃଢତାର ସହ ସମ୍ମତି ପ୍ରଦାନ କରିଥାନ୍ତି । ମୋର ଜନ୍ମ ନାହିଁ କି ମୃତ୍ୟୁ ନାହିଁ । ମୁଁ ସାଧାରଣ ମାନବ ଚିନ୍ତାର ଅଗମ୍ୟ । ମାନବୀୟ ବିଭବତାର ସମସ୍ତ ପ୍ରୟୋଗ ସତ୍ତ୍ୱେ ମୁଁ ହେଉଛି ଦୁର୍ଭେଦ୍ୟ । ମୁଁ ପ୍ରତି ଘଟର ମୂଳ । ଘଟରେ ମୋର ପ୍ରବେଶରେ ଘଟରେ ଜୀବନ ସଂଚାର । ଘଟ ଛାଡିଲେ ଘଟ ହୁଏ ମାଟି ପିଣ୍ଡୁଳା ସଦୃଶ । ପଦ୍ମପତ୍ର ଉପରେ ଜଳପରି ମୁଁ ସମସ୍ତଙ୍କ ସହିତ କ୍ରିଡା କରେ ମାତ୍ର କାହାର ବଶ ହୁଏ ନାହିଁ । ମୋର ସାଙ୍ଗ ଶତ୍ରୁ କେହି ନାହାନ୍ତି । ମୁଁ କେବଳ କାଳ ଦେଖି ଗୋଟିଏ ଘଟରୁ ଅନ୍ୟ ଘଟକୁ ନିଜର ସ୍ଥାନ ପରିବର୍ତ୍ତନ କରେ । ଏକଥା ଅନେକ ଅନୁଭବ କରିଛନ୍ତି ଆଉ ଚିର ସତ୍ୟ ବୋଲି ଗ୍ରହଣ କରିଛନ୍ତି ମଧ୍ୟ । ଏ ଜଗତ ମୋରି ଅସ୍ତିତ୍ୱରେ ଭରା । ତେବେ ଆଉ ବିଶେଷ କିଛି କହିବାର ଅବକାଶ ନାହିଁ । ବର୍ତ୍ତମାନ ତୁମେ ଦ୍ୱନ୍ଦମୁକ୍ତ ହୋଇଯାଅ ଯେ ମୁଁ ହେଉଛି “ଆତ୍ମା” । 
   ଏହା ସତ୍ୟ, ମୁଁ ଅହରହ ପରମାତ୍ମାଙ୍କ ସହିତ ମିଶିଯିବା ପାଇଁ ବ୍ୟାକୁଳ ଓ ଚେଷ୍ଟିତ । ମାତ୍ର ପରମାତ୍ମାଙ୍କ ସହିତ ସିଧାସଳଖ ମିଶିଯିବା ମୋ ଦକ୍ଷତାର ବାହାରେ । ଉଚିତ୍ ମାଧ୍ୟମ ପାଇଲେ ହିଁ ତାଙ୍କ କଳେବରରେ ବିଲୀନ ହୋଇ ମୋ’ର ହୁଏ ମୁକ୍ତି । ଏ ମାଧ୍ୟମ ମାନଙ୍କ ମଧ୍ୟରେ ମନୁଷ୍ୟ ହିଁ ଶ୍ରେଷ୍ଠ । ମୋର କୈାଣସି ଧର୍ମ ନାହିଁ କି ଅଧର୍ମ ନାହିଁ । ପାପ ନାହିଁ କି ପୂଣ୍ୟ ମଧ୍ୟ ନାହିଁ । ମୁଁ ସମସ୍ତଙ୍କ ସଂସର୍ଗରେ ଥାଏ ମାତ୍ର କେଉଁଥିରେ ଲିପ୍ତ ନଥାଏ । ଘଟର ସଙ୍ଗରେ ଶରୀରର କର୍ମ ଦ୍ୱାରା ମୁଁ ଶିକ୍ତ । ଶରୀରର କର୍ମ ହିଁ ମୋର ମାର୍ଗ ନିରୂପଣ କରେ । କର୍ମ ଯଦି ପୂଣ୍ୟ ତେବେ ମୋତେ ଧୀରେ ଧୀରେ ଏ ମଣିଷ ପୂଣ୍ୟତ୍ମା ବୋଲି କହେ ଓ ଯଦି କର୍ମ ଲୋକ ମତରେ ପାପାଚାର ହୁଏ ତେବେ ମୁଁ ପାପତ୍ମା ବୋଲି ଜନମାନସରେ ବିବେଚିତ ହୁଏ । ଶରୀରର କର୍ମ ହିଁ ମୋତେ ମୋ ଲକ୍ଷସ୍ଥଳକୁ ନେବା ପାଇଁ ମୋତେ ଉପଯୁକ୍ତରେ ପରିଣତ କରେ । ସ୍ଥୁଳ ଘଟରେ ମୁଁ ସୁକ୍ଷ୍ମ ଭାବରେ ଥାଏ । ଯଦିଓ ଗ୍ରନ୍ଥରେ ଏହା ବର୍ଣ୍ଣିତ ଯେ, ଏ ଜଗତର ପ୍ରତିଟି ଉପଉଦାନରେ ମୁଁ ବିଦ୍ୟମାନ, ତଥାପି ଅନେକ ସନ୍ଦିହାନ ମଣିଷ ପର୍ବତ ଓ ନଦୀ ପରି ଜଡରେ ମୋର ସତ୍ତାକୁ ଅଗ୍ରାହ୍ୟ କରନ୍ତି । 
      ଏତ ଗଲା ଆଧ୍ୟାତ୍ମବାଦର ବିଶ୍ୱାସ । ହେଲେ ବିଜ୍ଞାନର ଆସ୍ଥା ଏଥିପ୍ରତି ଆଜି ସୁଦ୍ଧା ସେତେ ବଳବତ୍ତର ହୋଇନାହିଁ । ବିଜ୍ଞାନ ତା’ ଭାଷାରେ ସିନା ଅନେକ କଥା କୁହେ ହେଲେ ତା’ ଭିତରେ ମୁଁ ଯେ ଅଛି ସେ ଗ୍ରହଣ କରିପାରେନା । କେତେକ ବିଜ୍ଞାନୀ ମୋତେ ଗ୍ରହଣ କରିବା ବେଳକୁ ଅନେକ ମୋର ଉପସ୍ଥିତିକୁ ହିଁ ପରୀକ୍ଷାଗାରରେ ପ୍ରମାଣିତ ଯୁକ୍ତିସଙ୍ଗତ ନୁହେଁବୋଲି ଦର୍ଶାଇଥାନ୍ତି । ପଶ୍ଚିମ ମୁଲକରେ ଜନ୍ମିତ ଆଇନ୍‌ଷ୍ଟାଇନ୍ ଯାହାଙ୍କୁ ଆଧୁନିକ ବିଜ୍ଞାନର ଜନ୍ମଦାତା ବୋଲି ଏ ଜନସମାଜ ଆଖ୍ୟା ଦେଇଛି ତାଙ୍କ ତତ୍ତ୍ୱରେ “ଏ ବିଶ୍ୱର ସମସ୍ତ ଶକ୍ତିର ପରିମାଣ ଏକ ସ୍ଥିରାଙ୍କ । ଶକ୍ତିର କ୍ଷୟ ନାହିଁ କି ବିନାଶ ନାହିଁ ମାତ୍ର ଏହାର ରୂପାନ୍ତର ଅଛି । ଗୋଟିଏ ଶକ୍ତି କୌଣସି ମାଧ୍ୟମରେ ଅନ୍ୟ ଶକ୍ତିରେ ରୂପାନ୍ତରିତ ହୋଇଥାଏ ।” ହେଲେ ଏଠାରେ କେହି ବିଶ୍ୱାସ କରନ୍ତିନି ଯେ ଆରେ ମୁଁ ହେଉଛି ସେଇ ଶକ୍ତି । ମୁଁ ଅଦୃଶ୍ୟ, ମାତ୍ର ମୋର ଉପସ୍ଥିତି ଅନୁଭବିତ । ମୋର ଉପସ୍ଥତିକୁ ମାନବର ସମସ୍ତ ଇନ୍ଦ୍ରିୟରେ ପରମାତ୍ମା ଆଗରୁ ହିଁ ଶକ୍ତି ଭରିଦେଇଛି । ଠିକ୍ ଯେମିତି ଶକ୍ତିକୁ ଦେଖି ନପାରି ମଧ୍ୟ ତା’ର ପ୍ରଭାବକୁ ଆମେ ପ୍ରତି ମୁହୁର୍ତ୍ତରେ ଅନୁଭବ କରେ । ତେବେ ମୋ ଭିତରେ ଆଉ ଶକ୍ତି ଭିତରେ ପ୍ରଭେଦ କଣ । ମୁଁ ତ ସେଇ ଅବିନାଶି ଶକ୍ତି ମାତ୍ର । ଶକ୍ତିର ରୂପାନ୍ତର ଭଳି ମୁଁ  ମଧ୍ୟ ଗୋଟିଏ ଘଟରୁ ଅନ୍ୟ ଘଟକୁ ରୂପାନ୍ତର ହୋଇଥାଏ । ତେବେ ବିଜ୍ଞାନର ମୂଳତତ୍ତ୍ୱ ଆଉ ମୋ ଭିତରେ ଫରକ ରହିଲା କେଉଁଠି? 
     ମନୁଷ୍ୟ ଯେତେ ପାର୍ଥିବ ହୋଇପଡୁ, ବସ୍ତୁ ବାଦର ଅନ୍ଧଗଳିରେ ନିଜକୁ ହଜେଇ ଚାଲୁ ଅବା ବିଜ୍ଞାନର ପ୍ରାଚୁର୍ଯ୍ୟରେ ନିଜକୁ ସମଗ୍ର ବିଶ୍ୱର ସର୍ବଶ୍ରେଷ୍ଠ ଓ ଶକ୍ତିଶାଳୀ ଜୀବ ବୋଲି ବିବେଚନା    

କରୁ ତଥାପି ସେ ମୋର ବିଶ୍ୱାସକୁ ଏଡାଇ ପାରିନି କି ପାରିବନି । ରୋଗ, କଷ୍ଟ, ଦୁଃଖ,  ଶୋକ, ଭୟ ଓ ତ୍ରାସ ସବୁଥିରେ ଯେତେବେଳେ ସେ ପ୍ରଥମେ ବିଜ୍ଞାନର ସାହାଯ୍ୟ ନେଇ  ଜିତିନପାରି ପରାଜୟର ସ୍ୱାଦ ଚାଖେ ଶେଷରେ ସେ ମୋରି ଦର୍ଶନ ଆଡକୁ ମୁହାଁଏ । ଆଧ୍ୟାତ୍ମ ଦର୍ଶନକୁ ସେ ପାଥେୟ କରିବାକୁ ଶ୍ରେୟମଣେ । କାରଣ ସବୁକିଛି ହରେଇ ସାରିଲା ପରେ ମୋ ଛଡା ତା’ ପାଖରେ ଆଉ କେହି ଥିଲା ଭଳି ତାକୁ ପ୍ରତୀୟ ମାନ ହୁଏ ନାହିଁ । ମୁଁ ତା’ର ଜୀବନବ୍ୟାପି ଚିର ସହଚର ଓ ମୁଁ ହିଁ ତା’ର ଶେଷ ନିଶ୍ୱାସ ବୋଲି ସେ ନିଶ୍ଚୟ ହୁଏ । 
      ସେ ଯାହା ହେଉନା କାହିଁକ, ମୁଁ ଏ ମାନବକୁ ବହୁତ ଭଲପାଏ । କାରଣ ଏ ଜୀବଜଗତରେ ସେ ହିଁ ମୋ ବିଷୟରେ ଚିନ୍ତା କରିବାକୁ ସମର୍ଥ । ଏ ସୃଷ୍ଟିର ଅନନ୍ତ ରହସ୍ୟ କୁ ସେ ଜାଣିବା ପାଇଁ ସଦା ସର୍ବଦା ତତ୍ପର । ତା’ଭଳି ଚିନ୍ତା କରିବାର ଶକ୍ତି ଆଉ କାହା ପାଖରେ ହିଁ ନାହିଁ । ତାଙ୍କ ଭିତରୁ କେତେ ମୋତେ ଚିହ୍ନି ପାରନ୍ତି । କେତେ ମୋତେ ଜିତି ବି ଯାଆନ୍ତି । ମୋତେ ଜିଣି ଜିତାତ୍ମାରେ ଭୂଷିତ ହୁଅନ୍ତି । 
      ପୂର୍ବ ଜନ୍ମ, ପରଜନ୍ମ ଓ ବର୍ତ୍ତମାନରେ ମୋ ଗତି କୁଆଡେ ତାହା ଅନେକ ଶାସ୍ତ୍ରରେ ବର୍ଣ୍ଣିତ । ମୁଁ କିନ୍ତୁ ଆଜି ତୁମର ସେଇ ଦଶ ମାସର ଜୀବନ ଯାତ୍ରାକୁ ବ୍ୟାଖ୍ୟା କରିବାକୁ ଯାଉଛି ଯାହା  ବାସ୍ତବରେ ଏକ ଆନନ୍ଦଦାୟୀ ଓ ଯନ୍ତ୍ରଣା ଜର୍ଜରିତ ରହସ୍ୟପୂର୍ଣ୍ଣ ଯାତ୍ରା । ତୁମେ ଏ କଥା ଶୁଣି ଯେତିକି ଆନନ୍ଦିତ ନହେବ ଅନ୍ୟମାନେ ଶୁଣିଲେ ସେତିକି ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ । 
      ଏ ବିଶ୍ୱସ୍ରଷ୍ଟାଙ୍କ ସୃଷ୍ଟିରେ ମନୁଷ୍ୟ ସୃଷ୍ଟିର ଆଦ୍ୟାବସ୍ଥାରେ ନର ଓ ନାରୀ ସର୍ବପ୍ରଥମେ ଯୋଡି ହୋଇଥିଲେ ନିଜର ଶାରିରୀକ ତୃଷ୍ଣା ମେଣ୍ଟାଇବା ପାଇଁ । ସେମାନଙ୍କୁ ଜଣାନଥିଲା ନାରୀ ଓ ପୁରୁଷ ପରସ୍ପର ସମ୍ଭୋଗରେ ନାରୀ ହେବ ଅନ୍ତସତ୍ୱାଃ ଓ ପରେ ପରେ କିଛିମାସ ଅନ୍ତରାଳରେ ସେ ପ୍ରସବ କରିବ ତାଙ୍କ ପରି ଆଉ ଜଣେ ମାନବ । ଏମିତିତ ଦେଖିବାକୁ ଗଲେ ନାରୀ ଓ ପୁରୁଷ ଜାଣିନଥିଲେ ଉଭୟଙ୍କ ଶରୀର ଗଠନର ତାରତମ୍ୟ କେଉଁଥିପାଇଁ ।  ହେଲେ ପରମାତ୍ମା ପ୍ରତ୍ୟେକ ନାରୀ ଆଉ ପୁରୁଷ ମଧ୍ୟରେ ଖଞ୍ଜିଦେଇଥିବା ଅନନ୍ୟ ବିବିଧତାକୁ ସେମାନେ ଧୀରେ ଧୀରେ ଅନୁଭବ କଲେ । ନାରୀର ଜାତ ହେଲା ପୁରୁଷଠାରେ ଆସକ୍ତି ଓ ପୁରୁଷର ଜାତ ହେଲା ନାରୀଠାରେ କାମନା । ଉଭୟଙ୍କର ପ୍ରଥମ ଆଲିଙ୍ଗନରେ ସେମାନଙ୍କ ଭିତରେ ଖେଳିଯାଇଥିଲା ସେ ବିଦ୍ୟୁତ୍ ତରଙ୍ଗ ଯାହାକି ପରପିଢୀର ସର୍ଜନାର ଥିଲା ମୂଳ ଆଧାର । ଧୀରେ ଧୀରେ ପରସ୍ପରର ଶରୀରର ଆବଶ୍ୟକତାକୁ ଅନୁଭବ କରି ନିଜର କାମନା ପ୍ରବୃତିକୁ ପୂରଣ କରିବାରେ ଲାଗିପଡିଲେ । ହେଲେ କ୍ରମେ ହଠାତ୍ ଦେଖିବାକୁ ପାଇଲେ ନାରୀ ଶରୀରର ଆକସ୍ମିକ ଧୀର ପରିବର୍ତ୍ତନ । ପୁଣି ଧୀରେ ଧୀରେ ସେ ମାତୃତ୍ୱର ସୀମା ରେଖାରେ ପ୍ରବେଶ କରି ବଂଶ ରକ୍ଷା ଓ ବିସ୍ତାରର ଅର୍ଦ୍ଧେକ ଭାର ବୋହିବା ସହିତ ମାତୃତ୍ୱର ଆନନ୍ଦରେ ହଜିଗଲା । ହେଲେ ମୁଁ ତ ଅତ୍ର, ତତ୍ର ଓ ସର୍ବତ୍ର   ବିଦ୍ୟମାନ । ମୋରି ଭଳି ଅସଂଖ୍ୟ ଆତ୍ମା ଏ ବ୍ରହ୍ମାଣ୍ଡର ପ୍ରତ୍ୟେକ ଅଂଶରେ ପରିପୂର୍ଣ୍ଣ । ମୋରି ଭଳି ଅଗଣିତ ଆତ୍ମା ମା’ର ଗର୍ଭାଶ୍ରୟରେ ସୂକ୍ଷ୍ମ ଭାବରେ ସଦାସର୍ବଦା ଅବସ୍ଥିତ ଓ ଚଳଚଞ୍ଚଳ । ସେମିତି ପୁରୁଷ ଶରୀରରେ ମଧ୍ୟ କ୍ଷୁଦ୍ରାତିକ୍ଷୁଦ୍ର ଅଣୁପରମାଣୁ ଭିତ୍ତିକ ଢାଞ୍ଚାଭିତରେ ମୋର ଉପସ୍ଥିତି ଓ ସେ ଜୀବମାନଙ୍କ ଦ୍ୱାରା ମୁଁ ଚଳଚଞ୍ଚଳ । ହେଲେ ସେ ପରମାତ୍ମା ଶରୀରରେ ବିଲୀନ, ପ୍ରତ୍ୟେକ ଆତ୍ମାର ଚରମ ଜିଜ୍ଞାସା । ଅନ୍ୟ ଅର୍ଥରେ ସେ ଯେଉଁ ମହାଶକ୍ତି ବା ପରବ୍ରହ୍ମର ଅଂଶ ବିଶେଷ ସେଇଥିରେ ସେ ମିଶିଯିବା ପାଇଁ ଅହରହ ବ୍ୟଗ୍ର । 
      ମୁଁ ବି ସେଦିନ ବହୁତ ଖୁସି ଓ ବ୍ୟଗ୍ର ଥାଏ । ଅନେକ ଯୋନି ଜନ୍ମିତ ଜୀବ ଭିତରେ ପ୍ରବେଶ କରିି ସେତେବେଳକୁ ମୋର ପୁଣ୍ୟର ଭାର ଟିକେ ବଢି ଯାଇଥାଏ । କାରଣ ମୁଁ ଯେଉଁ ଯେଉଁ ଶରୀରରେ ପୂର୍ବରୁ ପ୍ରବେଶ କରିଥିଲି ସମସ୍ତଙ୍କର ଜୀବନଚକ୍ର ମଧ୍ୟରେ କର୍ମ ଥିଲା ଉତ୍ତମ । ସେମାନଙ୍କର ଜୀବନ ମାର୍ଗ ଥିଲା ପବିତ୍ର ଓ ପୂଣ୍ୟତୟା । ତେଣୁ ମୁଁ ସେଦିନ ସତେଯେମିତି ମୋକ୍ଷ ଦ୍ୱାରର ଆସନ୍ନ ଓ ସେଥିପାଇଁ ମୁଁ ଖୋଜି ବୁଲୁଥାଏ ସଂସାରର ସବୁଠାରୁ ଶ୍ରେଷ୍ଠ ମାଧ୍ୟମ ମୁଷ୍ୟର ଶରୀର । ପୁଣି ସବୁ ମଣିଷ ନୁହେଁ । ସେମିତି ଜଣେ ସାଧୁ, ସଚ୍ଚୋଟ, ତତ୍ତ୍ୱଦର୍ଶୀ ମନୁଷ୍ୟ ମୋର ଲୋଡା ଯାହା ମାଧ୍ୟମରେ ମୁଁ ଆଉ ଏ ଭବଯନ୍ତ୍ରଣା ଭୋଗିବାକୁ ଫେରିବି ନାହିଁ । ସେହି ମନୁଷ୍ୟର କର୍ମ ଦେଇ ଶେଷରେ ମିଶିଯିବି ମୋର ଚିର ଇପସିତ୍ ଲକ୍ଷ ପରବ୍ରହ୍ମ ପରମାତ୍ମାରେ ।
      ମୁଁ ସେଦିନ ସେଇଭଳି ଏକ ପୂଣ୍ୟତୟା ଜୀବନ ସନ୍ଧାନରେ ଆସି ପହଞ୍ôଚଥିଲି ତୁମର ପିତା ସନାତନ ଘରେ । ଖୋଜିବାରେ ମୁଁ ପାଇଥିଲି ସନାତନକୁ ଜଣେ ଶ୍ରେଷ୍ଠ ମାନବ ରୂପରେ । ତା’ରି ପୂଣ୍ୟ କର୍ମର ଫଳ ଯୋଗୁଁ ଆଜି ସେ ଏ ଜନ୍ମରେ ଜନ୍ମ ନେଇଥିଲା ଗୋଟିଏ ରାଜବଂଶର ରାଜାଙ୍କର ତୃତୀୟ ସନ୍ତାନ ଭାବରେ । ଜନ୍ମଠାରୁ ସେ ଅତୁଳନୀୟ । ନଥିଲା କେଉଁ ପାର୍ଥୀବ ଦ୍ରବ୍ୟ ପ୍ରତି ଆଶକ୍ତି ନା ମୋହ । ସତ୍ୟ, ଶାନ୍ତି, ଦୟା, କ୍ଷମାରେ ସେ ଥିଲା ନିତ୍ୟ ଆଭୂଷିତ । ତା’ ନାଁ ର ଯଥାର୍ଥତା ସତେଯେମିତି ତା’କର୍ମ ସହିତ ଥିଲା ଆସୀନ । ତା’ର କର୍ମ ଥିଲା ପୁତଃ । ତା’ର ବାକ୍ୟଥିଲା ପବିତ୍ର । ତା’ର ଆଚରଣ ଥିଲା ସର୍ବ ଜନାଦୃତ । ନଥିଲା ତା’ ମନରେ ରାଜବଂଶର ପ୍ରାଚୁର୍ଯ୍ୟ ପାଇଁ ମୋହ । ବଡଭାଇ ଅବା ମଝିଆଁ ଭାଇ ଏ ସମଗ୍ର ରାଜ୍ୟର ରାଜା ହୁଅନ୍ତୁ ସେଥିରେ ତା’ର କିଛି ଯାଏ ଆସେ ନାହିଁ । ସେ ଲାଗିପଡିଥିଲା ଜୀବସତ୍ତାର ଅନ୍ୱେଷଣରେ । ଜନ୍ମରୁ ପ୍ରଚଣ୍ଡ ଧୀଶକ୍ତିର ଅଧିକାରୀ । ଶିକ୍ଷା କୈନ୍ଦ୍ରିକ ଜୀବନ ଥିଲା ତା’ର ଚରିତ୍ର । ପ୍ରତି ମୁହୁର୍ତ୍ତରେ, ନୂତନତ୍ୱର ଅନୁସନ୍ଧାନରେ ସେ ଥିଲା ବ୍ୟଗ୍ର । ମନୁଷ୍ୟ ସମାଜର ମଙ୍ଗଳ ଥିଲା ତା’ର ଜନ୍ମଗତ ନିଶା । ସେଇଥିପାଇଁ ସେ ଆଜି ସମଗ୍ର ଦେଶର ଜଣେ ଦକ୍ଷ ବୈଜ୍ଞାନିକ । 
      ରାଜବଂଶର ରାଜପଣିଆ ଦେଶ ସ୍ୱାଧୀନତା ପରଠାରୁ ଆଉ ନାହିଁ । ହେଲେ ରାଜସତ୍ତ୍ୱର ଅଧିକାରୀ ଓ ରାଜବଂଶର ପରମ୍ପରା ଏବେବି ପରିବାର ଭିତରେ ବଳବତ୍ତର ସେମିତି ଅଛି ।    ପାଖାପାଖି କୋଡିଏଟି ପଡାରେ ରାଜବଂଶର ନିଜସ୍ୱ ସମ୍ପତ୍ତି । ଆଉ ସେଠାକାର ସମସ୍ତ ବାସିନ୍ଦା ରାଜାଙ୍କର ଅନୁଗତ । ହେଲେ ରାଜାଙ୍କର ଆଉ ସେପରି ଶାସନ ବିଧି ନାହିଁ । ସମସ୍ତଙ୍କର ସମାନ ଅଧିକାର । ମାତ୍ର ମନରେ ସମସ୍ତେ ରାଜବଂଶକୁ ସମ୍ମାନ ଦିଅନ୍ତି । ରାଜବଂଶର ବର୍ତ୍ତମାନର ରାଜା ବି ନିଜର ସେ ରାଜା ପଣିଆକୁ ଆଉ ପ୍ରୟୋଗ କରୁ ନାହାନ୍ତି । ତାଙ୍କ ଅଧୀନରେ ଥିବା ପଡା ମାନଙ୍କର ସମସ୍ତ ଅଧିବାସୀ ମାନଙ୍କୁ ନିଜର ସଦସ୍ୟ ଓ ଅତି ଆପଣାର ବୋଲି ମନେ କରିବା ସହିତ ସମସ୍ତଙ୍କ ସୁଃଖ ଦୁଃଖରେ ପାଖରେ ଠିଆ ହୋଇଥାନ୍ତି । ସେମିତିବି ରାଜାଙ୍କ ପଡା ଭିତରେ ଏବେବି ତିନୋଟି ଛୋଟଛୋଟ ପାହାଡ ରାଜାଙ୍କର । ଯେଉଁଥିରୁ ଗୋଟିଏ ପାହାଡର ଶିଖର ଉପରେ ରାଜା ମା’ଦୂର୍ଗା ଓ ଭଗବାନ ଶିବଙ୍କର ମନ୍ଦିର ନିର୍ମାଣ କରିଛନ୍ତି । ମନ୍ଦିର ପାଖରେ ଛୋଟ ଝରଣାଟିଏ ପାହାଡ ତଳକୁ କୁଳୁକୁଳୁ କରି ଅବିରତ ବୋହିଚାଲିଛି । ପୂଜା ପାର୍ବଣ ଯାନିଯାତ୍ରା ସବୁ ମହା ଆନନ୍ଦରେ ସେହି ପାହାଡ ଉପରେ ମା’ ଦୂର୍ଗାଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ରାଜାଙ୍କ ଅଧିକୃତ ସମସ୍ତ ପଡାରୁ ସବୁ ଲୋକ ଆସି ଆନନ୍ଦରେ ଭାଗ ନେଇଥାନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ରାଜା ଦେଶର ପୋଲିସ୍ ବାହିନୀର ସହାୟତା ଲୋଡିଥାନ୍ତି । ସେ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ରାଜାଙ୍କୁ ଯଥୋଚିତ ସମ୍ମାନ ଦେବାରେ କୁଣ୍ଠା ବୋଧ କରନ୍ତି ନାହିଁ । ରାଜା ଜଣେ ଦେବ ପ୍ରତିମ ଲୋକ । ତାଙ୍କ ଛୋଟ ରାଜ୍ୟର ପ୍ରଜାଙ୍କ ପାଇଁ ସେ ଭଗବାନ କହିଲେ ଚଳେ । 
      ସେ ବଂଶର ପ୍ରତିଟି ଉପାଦାନ ଓ ସଦସ୍ୟ ସତେଯେମିତି ଜନ କଲ୍ୟାଣ ପାଇଁ ଉଦ୍ଧିଷ୍ଟ । ନିଜର ପ୍ରାଚୁର୍ଯ୍ୟଭରା ଜୀବନଶୈଳୀକୁ ରାଜବଂଶର ପ୍ରତ୍ୟେକ ସଦସ୍ୟ ସତେଯେମିତି ବସ୍ତୁବାଦ ଠାରୁ ଅଲଗା କରି ଦେଇଥାନ୍ତି । ସେଭଳି ଘରେ ପ୍ରତ୍ୟେକ ବ୍ୟକ୍ତି ପୂର୍ବଜନ୍ମର ପୂଣ୍ୟ କର୍ମ ନେଇ ଜନ୍ମିତ ବୋଲି ସାଧାରଣରେ ଆଲୋଚିତ । ମୋ ନଜରରେ ସେହିପରି ଏକ ପବିତ୍ର ବଂଶରେ ପୂଣ୍ୟତ୍ମା ସନାତନ ପରି ବ୍ୟକ୍ତି ହିଁ ମୋତେ ମୋ ପରମାତ୍ମାଙ୍କ ସହିତ ମିଳନ କରାଇ ଦେବାର ଯୋଗ୍ୟଥିଲା । ମୁଁ ଏକୁଟିଆ ନୁହେଁ, ଏମିତି ମୋରି ପରି ଅନେକ ପୁଣ୍ୟାତ୍ମା ସନାତନ ଔରଷରୁ ଜନ୍ମିତ ମାନବ ମାଧ୍ୟମ ଦେଇ ସେହି ପରମାତ୍ମାରେ ମିଶିଯିବାକୁ ପ୍ରୟାସରତ ଥାନ୍ତି । ଯାହାବି ସେହି ପରମାତ୍ମା ହିଁ ଜାଣନ୍ତି ପ୍ରକୃତରେ ଆମ ମାନଙ୍କ ଭିତରୁ କିଏ ମୁକ୍ତି ପାଇଁ ଯୋଗ୍ୟ । ତେଣୁ ସମସ୍ତେ ଅପେକ୍ଷା କରିଥାଉ ସନାତନ ଓ ତା’ପତ୍ନୀ ମଧ୍ୟରେ ସେ ପବିତ୍ର ମିଳନ ମୁହୁର୍ତ୍ତକୁ । ହେଲେ ସନାତନର ବିବାହର ସେପର୍ଯ୍ୟନ୍ତ ହୋଇନଥାଏ । ଆଉ ମୁଁ ଜାଣିଥିଲି ଏପରି ଏକ ପବିତ୍ର ଆତ୍ମାକୁ ନିଶ୍ଚିତ ରୂପେ ଜଣେ ଚରିତ୍ରବତ୍ତା, ପୁତ୍ତପବିତ୍ର ପତ୍ନୀଟିଏ ନିଶ୍ଚୟ ମିଳିବ । ସତକୁ ସତ ସେଇଆ ମଧ୍ୟ ଘଟି ଚାଲିଲା । 
      ଆଜି ସନାତନ ଦେଶର ଏକ ପ୍ରସିଦ୍ଧ ମୈାଳିକ ବିଜ୍ଞାନ ଅନୁସନ୍ଧାନ ପରୀକ୍ଷାଗାରାରେ ବୈଜ୍ଞାନିକ । ଜୀବସତ୍ତାର ସୃଷ୍ଟିର ରହସ୍ୟରେ ସେ ଗବେଷଣାରତ । ସନାତନର ବିବାହ ବୟସ   ଯେତିକି ପାଖେଇ ଆସୁଥାଏ  ମୋ ମନର ଚଞ୍ଚଳତା ସେତିକି ସେତିକି ବ୍ୟଗ୍ର ହୋଇ ଆସୁଥାଏ । ମୁଁ କାହିଁକି, ଅନ୍ୟ ସମସ୍ତ ଆତ୍ମାମାନଙ୍କର ବ୍ୟଗ୍ରତା ବି ସେହିପରି ବଢିଚାଲିଥାଏ ଠିକ୍ ଯେପରି  ଡାକ୍ତରଖାନାରେ ହେଉ ଅବା ରେଲୱେ୍ ରିଜର୍ଭେସନ କାଉଣ୍ଟର ସାମନାରେ ଟିକେଟ୍ କରିବା ସମୟରେ ଧାଡିରେ ଠିଆହୋଇ ନିଜର ପାଳି ପାଇଁ ଅପେକ୍ଷା କରିଥିବା ଆଧୁନିକ ମନୁଷ୍ୟ । ହେଲେ ଏଠି ସେପରି ପାଳିର ପ୍ରଶ୍ନହିଁ ନାହିଁ । ଏଠି କାଳ ମାପିବ ସମସ୍ତଙ୍କର ପୂଣ୍ୟର ସାନ୍ଦ୍ରତା । ଯାହାର ପୂଣ୍ୟର ଓଜନ ଯେତେ ଅଧିକ ସେଇ ହିଁ କାଳ ବଳରେ ଆପେଆପେ ପହଞ୍ôଚବ ସେଇ ସନାତନର ଔରଷରେ ଆଉ ନିଜର ପଥ ନିର୍ଦ୍ଧାରଣ କରିବସିବ ସନାତନ ପତ୍ନୀର ଗର୍ଭାଶୟ ଭିତରେ । 
      ସନାତନ ପାଇଁ କନ୍ୟା ଖୋଜା ଚାଲୁଚାଲୁ ରାଜା ପହଞ୍ôଚଥିଲେ ଜଣେ ବୈଜ୍ଞାନିକଙ୍କ କନ୍ୟା ଘରେ । କନ୍ୟାଟିର ନାଁ ଥିଲା ସତ୍ତ୍ୱରୀମା । ମୁଁ ରାଜବଂଶ ସହିତ ସବୁ ଘରକୁ ଦେଖିବାକୁ ଯାଉଥାଏ । ବାସ୍ତବରେ କିଏ ହିଁ ପ୍ରକୃତରେ ସନାତନର ସ୍ତ୍ରୀ ହେବା ପାଇଁ ଯୋଗ୍ୟ ତାହା ଯାଣିବା ପାଇଁ । ମୋତେ ତ କେହି ଦେଖିପାରନ୍ତିନି ହେଲେ ମୁଁ ସବୁବେଳେ ବ୍ୟସ୍ତଥିଲି ମୋ ମାଧ୍ୟମକୁ ସୁନ୍ଦର କରି ଗଢିଦେବା ପାଇଁ ଯାହା ଫଳରେ କି ସେ ମାଧ୍ୟମରେ ମୋର ଯାତ୍ରା ମୋ ପରମାତ୍ମାଙ୍କ ପାଇଁ ହେବ ଅତ୍ୟନ୍ତ ସୁଗମ । ରାଜବଂଶର ସମସ୍ତ ସଦସ୍ୟ ଓ ସନାତନ ସହିତ ମୁଁ ଯେତେବେଳେ ପହଞ୍ôଚ ଯାଇଥିଲି ସତ୍ତ୍ୱରୀମା ପାଖରେ, ମୁଁ ଭାବବିହ୍ୱଳ ହୋଇ ପଡିଥିଲି । ମୁଁ ତାକୁ ଦେଖୁଦେଖୁ ପରଖି ନେଇଥିଲି ଯେ ଏହି ଝିଅ ହିଁ ସନାତନର ଜୀବନସାଥି ହେବା ବିଧେୟ । ସତକୁ ସତ ସେଇଆ ହେଲା । ଭୁଲ୍ ହେବ ବା କେମିତି? ଏତେ ପୂଣ୍ୟ ପଥର ଯାତ୍ରୀ ହୋଇ ଶେଷ ପଥର ଯାତ୍ରୀ ହେବାକୁ ଯେତେବେଳେ ଯାଉଛି ମୁଁ ଜାଣି ନପାରିଥାନ୍ତି ବା କିପରି?
      ମୁଁ ତୁମ ମା’ ସତ୍ତ୍ୱରୀମା କଥା ଟିକେ ନ କହିଲେ ଭଲ ହେବନି । ଚୁଲୁବୁଲିଆ ଝିଅଟିଏ । ଅଦାଗ ଅଭଙ୍ଗା ଶୁଭ୍ର କାଗଜଟିଏ ପରି ତା’ର ଜୀବନ ଫର୍ଦ୍ଦ । ତା’ ସାଧାପଣ ହିଁ ତା’ର ଗହଣା । ନମ୍ର, ଶାନ୍ତଶିଷ୍ଟ ଓ ଧୀର ସ୍ୱଭାବ ଏତେ ଯେ ନିଆରା କେବଳ ତା’ ସାନ୍ନିଧ୍ୟରେ ହିଁ ମନୁଷ୍ୟ ମନର ପଟ ପରିବର୍ତ୍ତନ ସୁନିଶ୍ଚିତ । ଆଖିର ଛନ୍ଦ ଦୈବୀ ଗୁଣରେ ଭରା । ବାକ୍ୟର ମଧୁରତାରେ ପରମାତ୍ମା ବି ତରଳି ଯିବାର ସମ୍ଭାବନା । ରାଜବଂଶର ସମସ୍ତ ସଦସ୍ୟ ସତ୍ତ୍ୱରୀମାକୁ ଦେଖୁଦେଖୁ ଖୁସି ହୋଇଯାଇଥିଲେ । ସନାତନ କିଛି ବି ପ୍ରଶ୍ନ ପଚାରିନଥିଲା । ବାସ, ସତ୍ତ୍ୱରୀମା ସହିତ ତା’ର ଆଖିର ମିଳନ ହିଁ ପ୍ରେମର ପ୍ରତ୍ୟାଶା ବଢାଇଥିଲା । ସତ୍ତ୍ୱରୀମା ସେମାନଙ୍କୁ ସାମନାକୁ ଆସି ବସିଥିବା ବେଳେ ସନାତନର ମା’ ଯାଇ ତା’ ପାଖରେ ବସିପଡି ତାକୁ ଗେଲ କରିଦେଇ କହିଲେ ଆଜିଠୁ ତୁ ମୋର ଝିଅ । ମୋ ଘରର ବୋହୁ ।
      ରାଜବଂଶର ବନ୍ଧୁତ୍ୱରେ ଯାନି ଯୈାତୁକର ପ୍ରଶ୍ନ ହିଁ ନଥିଲା । ସନାତନର ପିତା ସତ୍ୱରୀମାର   ପିତାଙ୍କୁ କହିଥିଲେ, ରାଜବଂଶ ତା’ର ରାଜକୁମାର ପାଇଁ ଯିବାଆସିବାର ସମସ୍ତ ସରଞ୍ଜାମ ଯଥା ବାଜା ବାଇଦଠୁ ଆରମ୍ଭ କରି ଆତସ ବାଜି ଓ ଭୋଜି ପର୍ଯ୍ୟନ୍ତ ସବୁକିଛି ନିଜେ କରିବ । ବାସ୍‌,  ଆଜିଠାରୁ ଆପଣଙ୍କ ଝିଅ ମୋ ରାଜ ପରିବାରର ବୋହୁ । ଆପଣ କୈାଣସି କାମ ପାଇଁ ଚିନ୍ତା କରିପାରିବେ ନାହିଁ ।  ମୋ ରାଜବଂଶର  ପୁରୋଧା, ପୁରୋହିତ, ରାଜକର୍ମଚାରୀ, କଟୁଆଳ ଆସି ଆପଣଙ୍କ ଘରର ସବୁ କାମ କରିବେ । ବିବାହ ରାଜବଂଶ ମଣ୍ଡପରେ ହେବ । ଆପଣଙ୍କ ଝିଅକୁ, ପରିବାରକୁ ଓ ବନ୍ଧୁପରିଜନ ସମସ୍ତଙ୍କୁ ସେଠାକୁ ନେଇଯିବାର ସମସ୍ତ ବିଧାନ ମୋ ରାଜ କର୍ମଚାରୀ ମାନେ କରିଦେବେ । 
      ବିବାହରରେ ମୋ ରାଜବଂଶ ଅଧୀନରେ ଥିବା ସମସ୍ତ ପଡାର ଆବାଳ ବୃଦ୍ଧବନୀତା ଭୋଜିରେ ଆପ୍ୟାୟିତ ହେବେ । ଗରୀବ ମାନଙ୍କୁ ବସ୍ତ୍ର ଦାନ ସହିତ ଅଭ୍ୟର୍ଥନା ପ୍ରଦାନ କରାଯିବ । ଆପଣ କେବଳ ଆପଣଙ୍କ ଝିଅକୁ ବିବାହ ମଣ୍ଡପରେ ମୋ ପୁଅ ହାତରେ ଟେକିଦେବେ । ମୁଁ ସବୁ ଶୁଣୁଥାଏ ଆଉ ଆନନ୍ଦିତ ହେଉଥାଏ । ବୋଧହୁଏ ପରମାତ୍ମାଙ୍କର ମିଳନ ମୋ ପାଇଁ ଆଉ ମାତ୍ର ଅଳ୍ପଦିନ । ଏ ପୂଣ୍ୟତୟା ପରିବାରର ମୋତେ ପ୍ରତିଟି ଉପାଦାନ ପବିତ୍ର ପରି ଦେଖା ଯାଉଥାଏ । ଏତେ ଉଚ୍ଚ ବିଚାର ବୋଧହୁଏ ଏ ଭୋଗବାଦମୁହାଁ ମନୁଷ୍ୟ ମାନଙ୍କ ମଧ୍ୟରେ ଖୁବ୍ କମ ଲୋକଙ୍କ ପାଖରେ ଥାଏ । ମୁଁ ଅତୀବ ଆନନ୍ଦିତ ହୋଇଗଲି । ସେଦିନ ସମସ୍ତେ ଘରକୁ ଫେରିଲେ । ମୋର ଉଦ୍‌ବେଗ ବଢିବଢି ଚାଲିଥାଏ । ପୂର୍ବ ମାନବ ଶରୀର ତ୍ୟାଗ କରିବା ପରଠାରୁ ମୁଁ ଆଜି ପ୍ରତି ମୁହୁର୍ତ୍ତରେ ଚଳଚଞ୍ଚଳ ଓ ବ୍ୟତିବ୍ୟସ୍ତ ପରମାତ୍ମାଙ୍କ ଶରୀରରେ ମିଶିଯିବା ପାଇଁ । ସେଥିପାଇଁ ଶେଷ ମାଧ୍ୟମର ଅନ୍ୱେଷଣରେ ଯଦିଓ ମୁଁ ଆସି ସଠିକ୍ ଯାଗାରେ ପହଞ୍ôଚ ଗଲାଣି ତଥାପି ଘଟ ଭିତରେ ପ୍ରବେଶ ପାଇଁ ପ୍ରତିକ୍ଷା ସମୟ ଏ ପର୍ଯ୍ୟନ୍ତ ପହଞ୍ôଚ ପାରିନି । ଅପେକ୍ଷାରେ  ଥାଏ ସେ ପବିତ୍ର ମିଳନ ମୁହୁର୍ତ୍ତକୁ । ଘଟ ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନର ଘଡିସନ୍ଧି ମୁହୁର୍ତ୍ତକୁ      ମନରେ ଯେତିକି ଉତ୍କଣ୍ଠା ସେତିକି ଉଦବିଗ୍ନ ବି ବସା ବାନ୍ଧିଥାଏ । 
      ବୈଦିକ ରୀତିରେ ରାଜବଂଶର ଆଭିଜାତ୍ୟରେ ବିବାହ ସରିଯାଏ । ସନାତନ ଓ ସତ୍ତ୍ୱରୀମା ପରସ୍ପର ଜୀବନସାଥୀ ହୋଇଯାଆନ୍ତି । ତାଙ୍କ ଚତୁର୍ଥୀ ରାତିର ସେ ପ୍ରଥମ ମିଳନ ସମୟରେ ମୁଁ ତାଙ୍କ ପାଖେ ପାଖେ ଉପସ୍ଥିତ ଥାଏ । ହେଲେ ସେ ସମୟରେ ନୂତନ ଘଟ ସୃଷ୍ଟିର ସମ୍ଭାବନା ହିଁ ନଥାଏ । ତେଣୁ ମୁଁ ଥାଏ ନୀରବ ଓ ଶାନ୍ତ । ପ୍ରତୀକ୍ଷା କରିଥାଏ ସତ୍ତ୍ୱରୀମା ରଜସ୍ୱଳାଃ ହେବା ପର୍ଯ୍ୟନ୍ତ । ବାସ ବିବାହଠାରୁ ଠିକ୍ ଦଶମ ଦିନର ଘଟଣା । ସେଦିନ ଥାଏ ରବିବାର । ସନାତନ ଘରେ ଥାଏ । ସତ୍ତ୍ୱରୀମା ସକାଳର ନିତ୍ୟକର୍ମ ସାରି ପୂଜାଘରେ ପୂଜା ପ୍ରାର୍ଥନାସାରି ନିଜ ଶୋଇଲା ଘରେ ପହଞ୍ଚୁ ପହଞ୍ଚୁ ସେ ହୁଏ ରଜସ୍ୱଳାଃ । ମୋ ଖୁସିର ସୀମା ରହେ ନାହିଁ । ମାତ୍ର ସତ୍ୱରୀମା ବିବ୍ରତ ହୋଇପଡେ ।   
ହିନ୍ଦୁ ଘରର ପରମ୍ପରା ଅନୁଯାୟୀ ପୁଣି ତରତର ହୋଇ ଚାଲିଯାଏ ଗାଧୁଆ ଘର ଭିତରକୁ । ନିଜର କେଶକୁ ଧୋଇ ମୁକୁଳା କରି ନୁତନ ବସ୍ତ୍ର ପରିଧାନ କରି ଯେତେବେଳେ ପୁନଶ୍ଚ ଶୋଇଲା ଘରକୁ ଫେରେ, ସନାତନ ପ୍ରଶ୍ନ କରେ କଣ ହେଲା । ତୁମେ ପୁଣି କାହିଁ ଗାଧୋଇଲ?                                                                           ସତ୍ତ୍ୱରୀମା ମୁରୁକି ହସି କୁହେ ତୁମେ କଣ ଜାଣିପାରୁନ ନା କଣ । ମୋର ପରା ଅସୁବିଧା ହୋଇଗଲା । ଅସୁବିଧା କି ଅସୁବିଧା? ସନାତନ ପ୍ରଶ୍ନ ପଚାରିବସେ । ସତ୍ତ୍ୱରୀମା କହେ ତୁମେ କଣ ସତରେ ଜାଣିପାରୁନ ନା କଣ? ସନାତନ କହିଛି ଆରେ ନାଇଁ । ଜୀବସତ୍ତ୍‌ାର ଅନୁସନ୍ଧାନରେ ଆଜୀବନ ବ୍ରତି ପୁଣି ବିଶିଷ୍ଟ ବୈଜ୍ଞାନିକ, ତଥାପି ଜାଣିପାରୁନ । ଆରେ ମୁଁ ଆଜି ଋତୁବତୀ । ସତ୍ତ୍ୱରୀମା ଏତିକି କହି ଲାଜେଇ ଯାଇଛି । ସନାତନ କହିଛି ଓହୋ । ଆରେ ମୁଁ କେଡେ ବଡ ବୋକାଟିଏ । ତୁମ ସୁନ୍ଦରତା ଆଗରେ ସବୁକିଛି ପାଶୋରି ଯାଉଛି ।
      ମୁଁ ସେତେବେଳେ ସେହି ଘରେ ହିଁ ଥାଏ । ମୁଁ ଜାଣିଛି ଠିକ୍ ଆଜିର ଦୁଇସପ୍ତାହ ପରେ ଅର୍ଥାତ ଆଜିଠାରୁ ଦ୍ୱିତୀୟ ରବିବାର ଦିନ ହିଁ ସତ୍ତ୍ୱରୀମା ଗର୍ଭରେ ପ୍ରବେଶ ପାଇଁ ମୋର ସର୍ବୋକ୍ତୃଷ୍ଟ ସମୟ । ମୁଁ ପରମାତ୍ମାକୁ ସ୍ମରଣ କରିବାରେ ଲାଗେ । ସ୍ମରଣରେ କହେ ହେ ପ୍ରଭୁ ଏହା ମୋ ଜୀବନଚକ୍ରର ଶେଷ ଯୋନିଜନ୍ମ ହେଉ । ଏତିକି ଆଶୀର୍ବାଦ ଢାଳି ଦିଅନ୍ତୁ ପ୍ରଭୁ । ତାପରେ, ପ୍ରତିକ୍ଷା ସେ ଶୁଭ ମୁହୁର୍ତ୍ତକୁ ।
     ତେଣେ ଜୀବସତ୍ତାର ଅନୁସନ୍ଧାନୀ ସନାତନ ନିଜ ବାସ୍ତବ ଜୀବନରେ “ଜୀବସତ୍ତାର ଉଦ୍ଭବ” ତା’ ପାଇଁ ଏକ କ୍ୟୈତୁହଳ ଓ ଅଭିଜ୍ଞତା ହେବାକୁ ଯାଉଥାଏ । ବୈଜ୍ଞାନିକ ଜ୍ଞାନ ପରିସରରୁ ସେ ଯାଣେ, କୈାଣସି ନାରୀ ରଜସ୍ୱଳା ହେବାର ଠିକ୍ ଚତୁର୍ଦ୍ଦଶ ଦିନ ହିଁ ନାରୀ ଗର୍ଭାଶୟର ଡିମ୍ବ କୋଷରୁ ଗୋଟିଏ ପରିପକ୍ୱ ଡିମ୍ବଟିଏ ଫଲୋପିଆନୋ ନଳୀରେ ପ୍ରବେଶ କରେ । ଯଦି ସେହି ଫଲୋପିଆନୋ ନଳୀ ଭିତରେ ପୁରୁଷର ଔରଷରୁ ଆସିଥିବା ଶୁକ୍ରାଣୁ ହିଁ ସେହି ପରିପକ୍ୱ ଡିମ୍ବାଣୁ ସଂସ୍ପର୍ଶରେ ଆସେ ତେବେ ପୁରୁଷର ଶୁକ୍ରାଣୁ ମାନବର ଆଦ୍ୟ ଭ୍ରୁଣର ରୂପ ନିଏ । ତେଣେ ପୁରୁଷ ଔରଷର ଶୁକ୍ରାଣୁ ସହବାସ ସମୟରେ ହିଁ ନାରୀ ଗର୍ଭାଶୟରେ ପ୍ରବେଶ କରିଥାଏ । ଦେଖାଯାଏ ଥରେମାତ୍ର ସହବାସରେ ପାଖାପାଖି ଚାରି ନିୟୁତ ଶୁକ୍ରାଣୁ ପୁରୁଷର ଔରଷରୁ ମାତୃ ଗର୍ଭାଶୟକୁ ପ୍ରବେଶ କରେ । ସେହି କ୍ଷୁଦ୍ରାତି କ୍ଷୁଦ୍ର ଶୁକ୍ରାଣୁ ଗୁଡିକର ଆକୃତି ଲାଞ୍ଜଥିବା ମାଛ ପରି ଯେଉଁମାନେ ମାତୃ ଗର୍ଭାଶୟ ଭିତରେ ଥିବା ତରଳ ପଦାର୍ଥରେ ପହଁରିବାକୁ ସକ୍ଷମ ହୋଇଥାନ୍ତି । ଏହି ସମସ୍ତ ଶୁକ୍ରାଣୁ ଗର୍ଭାଶୟ ଭିତରେ ଏଣେତେଣେ ଘୁରିବୁଲୁବୁଲୁ ଅଳ୍ପ କେତେକ ଶୁକ୍ରାଣୁ ପାଖାପାଖି ମାତ୍ର ଏକ ଶତଟି ସହବାସର ମାତ୍ର ୧୨ ରୁ ୨୪ ଘଣ୍ଟା ଭିତରେ ଫଲୋପିଆନୋ ନଳୀ ଭିତରେ ପହଞ୍ôଚବାକୁ ସକ୍ଷମ ହୋଇଥାନ୍ତି । ଯେଉଁ ମୁହୁର୍ତ୍ତରେ ଫଲୋପିଆନୋ ନଳୀ ଭିତରେ ଆଗରୁ ଉପସ୍ଥିତ ଥିବା ଡିମ୍ବାଣୁ ସହିତ ଗର୍ଭାଶୟ ବାଟ ଦେଇ ଆସିଥିବା ପୁରୁଷ ଔରଷରୁ କୈାଣସି 

ଶୁକ୍ରାଣୁ ମିଳିତ ହୁଏ ତାହା ହିଁ ଭୃଣ ସୃଷ୍ଟିର ଆରମ୍ଭ ଓ ସେହିଠାରୁ ନାରୀ ହୁଏ ଗର୍ଭବତୀ । ସୃଷ୍ଟ ଭୃଣଟି ବାଳକ ଅବା ବାଳିକା ତାହା ଶୁକ୍ରାଣୁ ଓ ଡିମ୍ବାଣୁର ମିଳନ ମୁହୁର୍ତ୍ତରେ ହିଁ ସ୍ଥିରୀକୃତ ହୋଇ ସାରିଥାଏ । ଯଦି ଡିମ୍ବାଣୁଟି ପୁରୁଷ ଶୁକ୍ରାଣୁଠାରୁ ଏକ୍ସ୍ କ୍ରୋମୋଜୋମ୍‌ର ମିଳନରେ ଆସେ ତେବେ ଜନ୍ମ ହେବାକୁ ଥିବା ପିଲାଟି କନ୍ୟା ଓ ଯଦିଏହା ପୁରୁଷ ଶୁକ୍ରାଣୁଠାରୁ ଓା୍ୱଇ୍ କ୍ରୋମୋଜୋମ୍ ଗ୍ରହଣ କରେ ତେବେ ଜନ୍ମ ହେବାକୁ ଥିବା ସନ୍ତାନଟି ବାଳକ ହିଁ ହୋଇଥାଏ । ତେଣୁ ବିଜ୍ଞାନୀ ସନାତନ ନିଜକୁ ପିତା କରାଇବାର ଏ ପ୍ରଥମ ସୁଯୋଗକୁ ହାତ ଛଡା କରିବନି ବୋଲି ମନେମନେ ସ୍ଥିର କରେ । 
      ବୈଜ୍ଞାନିକ ହେଲେ ମଧ୍ୟ ବିଜ୍ଞାନର ସତ୍ୟତାକୁ ସେ ଭଗବତ ସତ୍ତାରେ ପ୍ରତି ମୁହୁର୍ତ୍ତରେ ଅନୁଭବ କରିଛି । ତେଣୁ ଶେଷରେ ସେ ଭାବେ ତା’ ବୈଜ୍ଞାନିକ ଜ୍ଞାନ ଗାରିମାକୁ ନେଇ ତା’ର ପ୍ରଥମ ସନ୍ତାନ ସୃଷ୍ଟି କରିବା ପାଇଁ ସେ ଚେଷ୍ଟା କରିବ । ହେଲେ ସେ ଜାଣେ ତାହା ପ୍ରକୃତରେ ସେହି ବିଶ୍ୱନିୟନ୍ତା ହିଁ ଫଳପ୍ରସୁ କରେଇବେ । ତାଙ୍କର ସଦୟ ବିନା କିଛି ହୋଇପାରିବ ନାହିଁ । ତା’ ଶୁକ୍ରାଣୁ ସତ୍ତ୍ୱରୀମାର ଡିମ୍ବାଣୁ ସଂସ୍ପର୍ଶରେ ହୁଏତ ନ ଆସିପାରେ ଅବା ସତ୍ତ୍ୱରୀମା ଡିମ୍ବାଣୁ ସେ ଶୁକ୍ରାଣୁକୁ ଗ୍ରହଣ ନକରିପାରେ । ତାହା କେବଳ ସେହି ପରମାତ୍ମା ହିଁ ସମ୍ଭବ କରିପାରିବେ । ତଥାପି ସେ ନିଶ୍ଚୟ ବୈଜ୍ଞାନିକ ଦୃଷ୍ଟି କୋଣରୁ ଯଥା ସମ୍ଭବ ଚେଷ୍ଟା କରିବ । 
      ତେଣେ ରଜସ୍ୱଳା ସତ୍ତ୍ୱରୀମାର ମନ ବହୁତ ଖୁସି ଥାଏ । ଏଭଳି ବରଟିଏ ସେ ପାଇଛି ଯେମିତି ସେ ତା’ର ପିଲାଦିନୁ ମନ ମଧ୍ୟରେ ସ୍ୱପ୍ନରେ ଭାବିଥିଲା । ଏକଥା କାହାକୁ ବା ଅଛପା ଅଛି ଯେ ମୁଁ ଆଉ ଏକଥା ବି କହିବି । ତଥାପି ନାରୀ ରଜସ୍ୱଳା ସମୟରେ ଟିକେ ଅଧିକ ସୁନ୍ଦର ଦେଖାଯାଏ । ଖୋଲା କେଶ ସାଙ୍ଗକୁ ତାର ଶରୀରର ଆକର୍ଷଣ ମଧ୍ୟ ଆହୁରି ଅଧିକ  ବଢି ଯାଇଥାଏ । ଏ ସବୁ କଥା ଗୁଡିକ ସନାତନକୁ ଆହୁରି କାମାଶକ୍ତ କରେ । ସତ୍ତ୍ୱରୀମା ରଜସ୍ୱଳା ହେବାର ଠିକ୍ ଛଅ ଦିନ ପରଠାରୁ ଯଦିଓ ସନାତନ ନିଜ ବୈଜ୍ଞାନିକ ବୁଦ୍ଧିରେ ସତ୍ୱରୀମା ସହିତ ରତିକ୍ରିୟା କରିବ ବୋଲି ସ୍ଥିର କରିଥାଏ ତଥାପି ସେ ବେଶ୍ ଉତ୍କଣ୍ଠାର ସହିତ ପ୍ରତିକ୍ଷା କରିଥାଏ ତ୍ରୟଦଶ ଓ ଚତିର୍ଦ୍ଦଶ ଦିନକୁ । 
      ସନାତନ ଘରେ ଆଜି ପ୍ରତି ମୁହୁର୍ତ୍ତରେ ଖୁସି ଓ ସୁଖ ଶାନ୍ତିର ଲହରୀ । ସାନପୁଅ ବର୍ତ୍ତମାନ ବିବାହିତ । ସୁନ୍ଦର ଧନଶାଳୀ ଶିକ୍ଷିତ ଘରର ଝିଅ ଆଜି ରାଜ ପରିବାରର ସାନ ବୋହୁ । ସତ୍ତ୍ୱରୀମା ଘରର ସବୁ ଲୋକଙ୍କ ବ୍ୟବହାରରେ ଅତ୍ୟନ୍ତ ଆନନ୍ଦିତ । ମନରେ ଟିକେହେଲେ ନୂଆ ଘରର ଅଚିହ୍ନାପଣ ତା’ ପାଖରେ ନାହିଁ । ଶାଶୁ ଶ୍ୱଶୁର ଠାରୁ ଆରମ୍ଭ କରି ସମସ୍ତେ ତାକୁ ନିଜ ଝିଅ ଭଳି ସ୍ନେହରେ ବାନ୍ଧିରଖିଥାନ୍ତି । ପ୍ରତ୍ୟେକ ତରୁଣୀ ପରି ସେ ମଧ୍ୟ ତା’ ଜୀବନରେ ଜୀବନସାଥୀର ସେ ଯେଉଁ ଅପୂର୍ବ ସୁଖ ସହିତ ସେ ଆଜି ମସଗୁଲ୍ । ସନାତନ ଓ ସତ୍ତ୍ୱରୀମା ଦୁଇଜଣଙ୍କ ମନ ମଧ୍ୟରେ  ସତେଯେମିତି କାଣିଚାଏ ବି ଫରକ ଜଣାପଡେନା । ଦୁଇଜଣଙ୍କର ରୂପରଙ୍ଗ ଆଚାର ବ୍ୟବହାର ଯେ କେହି ଦୂରରୁ ଦେଖୁନା କାହିଁକି ସେ ନିଶ୍ଚିତ ଅଭିଭୂତ ହୋଇଯିବ । ନିଜ ଘରର ସହରରେ ଅବସ୍ଥିତ ଭାରତ ସରକାରଙ୍କ ଏକ ପ୍ରସିଦ୍ଧ ଆୟୁର୍ବିଜ୍ଞାନ ଅନୁସନ୍ଧାନ ବିଭାଗରେ ସେ ଆଜି ବୈଜ୍ଞାନିକ । ଘରେ ଦୁଇଜଣ ସାଥୀ ହୋଇ ପରିବାର ସହିତ ରହିବାର ସୁଯୋଗ ସେମାନଙ୍କୁ ବି ମିଳିଛି ।
      ସତ୍ତ୍ୱରୀମାର ମନକଥା କାଗଜ କଲମରେ ଲେଖିବାଟା କଷ୍ଟ । ବିବାହର ପରଠାରୁ ସେ ଦିନ ତମାମ୍ ସନାତନର ସ୍ୱପ୍ନରେ ଭାସିବୁଲେ । ଦିନର ଦୀର୍ଘତା ତାକୁ କଷ୍ଟଦିଏ । ସନାତନକୁ ପ୍ରତିକ୍ଷା ତାକୁ ବ୍ୟତିବ୍ୟସ୍ତ କରିପକାଏ । ବିବାହ ପରର ପତିପତ୍ନୀଙ୍କ ଭିତରେ ମିଳନର ସେ ଯେଉଁ ଆସର ତାକୁ କେଉଁ ତରୁଣୀ ବା ନଝୁରିବ । ପ୍ରତି ମୂହୁର୍ତ୍ତରେ ସେ ସନାତନର ପ୍ରତିକ୍ଷାରେ ବ୍ୟାକୁଳ ହୋଇଥାଏ । ଯେତେବେଳେ ସନ୍ଧ୍ୟାରେ ସନାତନ ଅଫିସ୍‌ରୁ ଆସି ଘରେ ପହଞ୍ôଚଯାଏ ତା’ ମନରେ ଆନନ୍ଦର ଅସୁମାରି ଲହରୀ ଖେଳିଯାଏ । 
      ସେଦିନ ରାତିରେ ସମସ୍ତେ ଖାଇ ସାରିବା ପରେ ସେ ଚାଲିଯାଏ ଶୋଇଲା ଘରର ପଲଙ୍କ ଉପରକୁ, ଯାହାଉପରେ ଆଗରୁ ସନାତନ ତକିଆରେ ମୁଣ୍ଡଟି ଦେଇ କଣ ଗୋଟେ ବହି ପଢୁଥାଏ । ସତ୍ତ୍ୱରୀମା ପଲଙ୍କ ଉପରକୁ ଉଠିଯାଇ ଚକା ପକେଇ ବସି ଭଗବାନଙ୍କୁ ପ୍ରଣାମ କରି ସାରିଲା ପରେ ହଠାତ୍ ଯାଇ ଆଉଜିପଡେ ସନାତନର ଶରୀର ଉପରେ । ତା’ ଛାତି ଉପରେ ଆଉଜି ରହି ହଠାତ୍ ପ୍ରଶ୍ନ କରେ ତୁମେ ବର୍ତ୍ତମାନ କଣ ବାପା ହେବାକୁ ଚାହଁନି । ସନାତନ କହିଛି ତୁମେ ଆଗ କୁହ ତୁମେ ମା’ ହେବାକୁ ଚାହୁଁଛ ନା ନାହିଁ । ସତ୍ତ୍ୱରୀମା ଟିକେ ଲାଜେଇ କରି କହେ ମୋର ପୁଅଟିଏ ପାଇଁ ବହୁତ ଇଚ୍ଛା ହେଲାଣି । ସନାତନ ପଚାରିଛି କାହିଁକି ଝିଅ ହେଲେ ହବନି ନା କଣ । ସତ୍ତ୍ୱରୀମା କହିଛି ନାହିଁ ନାହିଁ ଯାହାହେଲେ ଚଳିବ । ଆଜି ସତ୍ତ୍ୱରୀମା ରଜସ୍ୱଳା ହେବାର ସପ୍ତମଦିନ । ସନାତନ ମନେମନେ ହିସାବ ରଖୁଥାଏ । ସତ୍ତ୍ୱରୀମାର ସ୍ନେହବୋଳା କଥାରେ କାମାଶକ୍ତ ଆଚାର ସହଜରେ ବାରି ହୋଇ ପଡୁଥାଏ । କେମିତି ବା ନହେବ । 
      ବିଶ୍ୱନିୟନ୍ତାଙ୍କର ଏ ହେଉଛି ଅପୂର୍ବ ସୃଷ୍ଟି । ପ୍ରତ୍ୟେକ ପୁରୁଷ ନାରୀ ପାଇଁ ଆବଶ୍ୟକ କେବଳ ନିଜ ବଂଶକୁ ଆଗକୁ ବଢେଇବା ପାଇଁ ନୁହେଁ ବରଂ ଅଧିକନ୍ତୁ ଶାରିରୀକ ଆବଶ୍ୟକତାର ପୁର୍ତ୍ତି ପାଇଁ । ଏ କାମରୂପୀ ଶାରିରୀକ ଆବଶ୍ୟକତା ଯେଉଁମାନଙ୍କ ପାଖରେ ନାହିଁ ସେମାନେ ହୁଏତ ଯୋଗୀ, ଯୋଗୀନି ହୋଇ ପାରନ୍ତି ଅବା ସେମାନଙ୍କ ପାଖରେ ପୁରୁଷତ୍ତ୍ୱ ଓ ନାରୀତ୍ତ୍ୱ ନଥାଏ । ଏ ଯେଉଁ ବାସର ଆକର୍ଷଣ ଏହା ସ୍ୱତଃପ୍ରବୃତ । ଏହାର ଆରମ୍ଭରେ ନାରୀ ଆଉ ପୁରୁଷ ଉଭୟେ ହରାଇ ବସନ୍ତି ନିଜତ୍ୱ ଓ ପଶୁତ୍ୱକୁ ପ୍ରବେଶ କରିଯାଇଥାନ୍ତି । ଉଭୟେ ଉଭୟଙ୍କ ଉପରେ ଥିବା ଶାରିରୀକ ଅଧିକାରକୁ ଯଥୋଚିତ ଠାରୁ ଅଧିକ ବ୍ୟବହାର କରିବାକୁ ପଛାନ୍ତିନି । କେହି ଜଣେ  
ଜାଣିଶୁଣି; ଏପରି କଲାପରି ମନେ ହୁଏନି କିନ୍ତୁ ଏହା ଆପେଆପେ ସଂଗଠିତ ହୋଇଥାଏ । 
      ହୁଏତ ଏଭଳି କ୍ରିୟାକୁ ମନୁଷ୍ୟ ତା’ର ଆଦ୍ୟ ଜୀବନରେ ବଣ ଜଙ୍ଗଲରେ ସର୍ବସମ୍ମୁଖରେ ପଶୁପକ୍ଷୀଙ୍କ ଭଳି ହେଉ ଅବା ଗିରିଗୁହା ଭିତରେ ଅବା ଗଛପତ୍ର ଉହାଡରେ କରିଥାଇପାରେ  ମାତ୍ର ଧୀରେଧୀରେ ନିଜକୁ ସାମାଜିକ ଜୀବନର କାଠଗଡା ଭିତରକୁ ନେଇ ଆସିଲା ପରଠାରୁ ସର୍ବସମ୍ମୁଖରେ ଏହା ସବୁଠାରୁ ଲଜ୍ଜାଶୀଳ ଓ ଅସାମାଜିକ କାମ ବୋଲି ବିବେଚନା କଲା । ନିଜକୁ ଶୃଙ୍ଖଳାର ରଜୁରେ ବାନ୍ଧି ରଖିବା ପାଇଁ ଏଭଳି କ୍ରିୟା ପାଇଁ ଏକ ନିର୍ଦ୍ଧିଷ୍ଟ ପରିସୀମା ସୃଷ୍ଟି କଲା । ସଂଭୋଗ ପାଇଁ କିଏ ଯୋଗ୍ୟ କିଏ ଅଯୋଗ୍ୟ, କାହା ସହିତ କରିବା ଉଚିତ କାହା ସହିତ ଅନୁଚି,  କେଉଁ ଭଳି ସ୍ଥାନ ଓ କେଉଁଭଳି ସମୟରେ ଏହା କରାଯାଇପାରେ ତାହା ଧର୍ମଭିତରେ ଗୁନ୍ଥି ଦେଇ ଏକ ନିର୍ଦ୍ଧିଷ୍ଟ ନିତୀ ନିୟମରେ ଅନୁଶାସନ କରିବାରେ ଲାଗିପଡିଲା । ତେଣୁ ପରମ୍ପରା ରିତୀନିତୀ ଓ ଧର୍ମାନୁସାରେ ନାରୀ ଓ ପୁରୁଷ ପରସ୍ପରକୁ ବିବାହ ବନ୍ଧନରେ ବାନ୍ଧିହେବାରେ ହିଁ ସଂଭୋଗ ଅବକାଶର ସ୍ୱୀକୃତି ମିଳେ । ବିବାହ ବନ୍ଧନରେ ନାରୀ ଓ ପୁରୁଷ, ସ୍ତ୍ରୀ ଆଉ ସ୍ୱାମୀର ଆଖ୍ୟା ପାଇ ଏକ କ୍ଷୁଦ୍ର ନୂତନ ସଂସାର ଗଢିବା ସୁଚୀରେ ସ୍ଥାନ ପାଇଥାନ୍ତି । ଏମିତିବି ଏ ସମାଜରେ ଆଜି ସତ୍ତ୍ୱରୀମା ଓ ସନାତନ ସେ ସବୁ ପ୍ରଥା ଦେଇ ଗତିକରି ସାରିଛନ୍ତି । ରାଜବଂଶର ସୁଖ ସୈାହାର୍ଦ୍ଧ ଉହାଡରେ ଆଜି ଉଭୟଙ୍କର କୁନି ସଂସାରର ଅୟମାରମ୍ଭ ସମୟ ଆସି ଉପସ୍ଥିତ ହୋଇ ସାରିଥାଏ । 
      ଆଜି ସତ୍ତ୍ୱରୀମା ରଜସ୍ୱଳା ହେବାର ଅଷ୍ଟମଦିନ ତେଣୁ ମୋର ମନର ଚଞ୍ଚଳତା ବଢିବାରେ ଲାଗିଥାଏ । ମୁଁ ବ୍ୟଗ୍ର ହୋଇ ପଡୁଥାଏ ସେହି ତ୍ରୟୋଦଶ ଓ ସତୁର୍ଦ୍ଦଶ ଦିନ ପାଇଁ ଯେଉଁଦିନ ମୁଁ ପ୍ରବେଶ କରିବି ସନାତନର ଔରଷରେ । ଯଦିଓ ମୁଁ ସନାତନର ଔରଷ ଦେଇ ସତ୍ତ୍ୱରୀମା ଗର୍ଭାଶୟରେ ପ୍ରବେଶ କରିବି । ମୁଁ ସତ୍ତ୍ୱରୀମାର ପାଖ କେତେବେଳେ ଛାଡୁନଥାଏ କାରଣ ମୁଁ ଯେତେବେଳେ ହିଁ ସତ୍ତ୍ୱରୀମା ଗର୍ଭାଶୟକୁ ମୋର ଯାତ୍ରା ଆରମ୍ଭ କରିବି ସେ ସମୟରେ ନିଶ୍ଚିତରୂପେ ସନାତନର ଅବସ୍ଥିତି ଓ ଉପସ୍ଥିତି ସହିତ ସତ୍ତ୍ୱରୀମାର ସମ୍ବାସ ଓ ସତ୍ତା ସମ ପରିମାଣର ଗୁରୁତ୍ୱ ରଖେ ।
      ତମେମାନେ ଏକଥା ବି ଭାବିବା ଉଚିତ୍ ନୁହେଁ ଯେ, ମୁଁ କେବଳ ଗୋଟିଏ ମାତ୍ର ଆତ୍ମା ସେତେବେଳେ ବ୍ୟାକୁଳ ଥାଏ ସତ୍ତ୍ୱରୀମା ଗର୍ଭରେ ସନାତନର ମାଧ୍ୟମେଦଇ ପ୍ରବେଶ କରିବା ପାଇଁ । ମୋ ଭଳି ଅନେକ ପବିତ୍ର ଆତ୍ମା ଆଜି ମୋରି ପରି ଅହରହ ଚଳଚଞ୍ଚଳ ଓ ବ୍ୟତିବ୍ୟସ୍ତ ମଧ୍ୟ ଥାଆନ୍ତି ସନାତନର ଔରଷ ମଧ୍ୟ ଦେଇ ସତ୍ତ୍ୱରୀମା ଗର୍ଭରେ ପ୍ରବେଶ କରି ସେ ପରବ୍ରହ୍ମ ପରମାତ୍ମା ସହିତ ମିଶିଯିବା ଲକ୍ଷରେ । ସେଠି ଆଉ ସେମିତି ଆଜିର ମଣିଷ ସମାଜ ଭଳି ସାମାଜିକ 
ନିତୀ ନିୟମ ନାହିଁ । ଏଠି ସମସ୍ତେ ନିଜ ସ୍ୱାଚ୍ଛନ୍ଦ୍ୟରେ ବୁଲୁଥାନ୍ତି । କେହି କାହା ସହିତ ଧକ୍କା ଖାଉ  ନଥାନ୍ତି କିମ୍ବା ଆଗପଛ ହୋଇ ଛିଡା ହୋଇ କଷ୍ଟ ପାଉନଥାନ୍ତି । କାହାର ପାଳି ପଡିବ ସେଠି ଆମ ମାନଙ୍କର କର୍ତ୍ତୃତ୍ୱ କିଛି ନଥାଏ । ହେଲେ ସମସ୍ତେ ନିଜ ନିଜ ଭିତରେ ଆଶା ବାନ୍ଧି ବସିଥାନ୍ତି ଯେ ବୋଧହୁଏ ପରମାତ୍ମାଙ୍କ ସହିତ ସବୁଦିନ ପାଇଁ ବିଲିନୀ ହେବାରେ ଆଜି ଶେଷ ମାଧ୍ୟମ ସେମାନଙ୍କ ପାଇଁ ସନାତନ ଓ ସତ୍ତ୍ୱରୀମା ହୋଇ ପାରନ୍ତି । ତେଣୁ ସମସ୍ତେ ନିଜନିଜ ଭିତରେ ବ୍ୟାକୁଳ ଥାନ୍ତି । ଆଉ ମନେମନେ ସେହି ପରମପୁରୁଷକୁ ସ୍ମରଣ କରିବାରେ ଲାଗିଥାନ୍ତି । ଏଠି ମଣିଷ ସମାଜ ଭଳି ବଳ, ବିଭବର ପ୍ରଭାବ ନଥାଏ । ଏଠି ସେହି ପରମାତ୍ମାଙ୍କର ଯାହା ଉପରେ କରୁଣା ହେବ ସେଇ ହିଁ ସେ ପଥରେ ପ୍ରବେଶ କରିପାରିବ । ତେଣୁ ସମସ୍ତେ ନିଜ ଭିତରେ ସେହି ପରମ ବିନ୍ଦୁର ଧ୍ୟାନରେ ରତଥାନ୍ତି ।
      ତେଣେ ସନାତନ ନିଜର ବିଜ୍ଞାନୀ ପଣିଆରେ ହିସାବ ପ୍ରତିଦିନର ରଖୁଥାଏ । ଆଜି ଅଷ୍ଟମଦିନ । ସେ ଜାଣେ ନାରୀର ଏହି ମାସିକ ଋତୁବତୀ ହେବାର ସମୟ ଦୁଇଦିନରୁ ସାତଦିନ ପର୍ଯ୍ୟନ୍ତ ହୋଇପାରେ । ନାରୀ ଋତୁବତୀ ହେବାର ମୂଖ୍ୟ କାରଣ ହେଉଛି ତା ଶରୀରରେ ଥିବା ହର୍‌ମୋନ୍ ମାନଙ୍କର ଉତଥାନ୍ ଓ ପତନ । ଏହି ଋତୁବତୀ ଚକ୍ର ନାରୀର ଗର୍ଭାଶୟରେ ଥିବା ଅନ୍ତଃଆଚ୍ଛାଦନ ସ୍ତର ବା ଆସ୍ତରଣ ବୃଦ୍ଧି କାରଣରୁ ହିଁ ହୋଇଥାଏ । ଏହି ରଜସ୍ୱଳା ଚକ୍ରରେ ଗର୍ଭାଶୟର ଅନ୍ତଃ ଆଚ୍ଛାଦିତ ସ୍ତର ମଧ୍ୟରୁ ରକ୍ତ ଏବଂ ମ୍ୟୁକୋଜାଲ୍ ଟିସୁ ନାରୀର ଜନ୍ମବର୍ତ୍ତ ଦେଇ ବାହାରକୁ ଆସିଥାଏ । ଆଜିକୁ ସତ୍ତ୍ୱରୀମା ଯେହେତୁ ଆଠଦିନ ହେଲାଣି ରଜସ୍ୱଳା ହୋଇଥିଲା ତେଣୁ ଧୀରେଧୀରେ ଭିତର ଅନ୍ତଃଆଚ୍ଛାଦିତ ସ୍ତର ଗୁଡିକ ଶୁଖିବା ଆରମ୍ଭ କରିବଣି ଏବଂ ଡିମ୍ବ କୋଷରେ ଡିମ୍ବାଣୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବଣି । ଏଭଳି ସମୟରେ ନାରୀର ଅନେକ ଶାରିରୀକ ପରିବର୍ତ୍ତନ ସହିତ ମାନସିକ ପରିବର୍ତ୍ତନ ମଧ୍ୟ ହୋଇଥାଏ, ଯାହା ସନାତନକୁ ବେଶ ଭଲ ଭାବରେ ଜଣା । ତେଣୁ ସେ ସେଥିପାଇଁ ସତ୍ତ୍ୱରୀମାକୁ ବହୁତ ସ୍ନେହଭରା କଥାରେ ଆପ୍ୟାୟିତ କରେ । ସତ୍ତ୍ୱରୀମାର ବହୁତ ଯତ୍ନ ନିଏ ।
      ସତ୍ତ୍ୱରୀମାର ମନ କଥା ନକହିବା ଭଲ । ତା’ର ଅଳସୀ ମନ ଏ ବେଳାରେ ଅତୀବ କାମାତୁର । ସବୁବେଳେ ସନାତନର ପାଖେପାଖେ ରହିବାକୁ ଇଚ୍ଛା । ସହବାସ ପାଇଁ ସତେଯେମିତି ସେ ଭରପୁର ଆଗ୍ରହୀ । ନିଜକୁ ଅନେକ ସଜେଇ ହୁଏ ସନାତନକୁ ଆକର୍ଷିତ କରିବା ପାଇଁ । ସ୍ନେହବୋଳା କଥାରେ ସନାତନକୁ ପ୍ରତିମୁହୁର୍ତ୍ତରେ ବାନ୍ଧିରଖେ । ସନାତନ ଅଫିସ୍ ଗଲା ବେଳକୁ ତାକୁ ଯେତିକି ଦୁଃଖଲାଗେ ଦିନତମାମ୍ ଅଫିସ୍‌ରେ ରହିବାଟା ତାକୁ ଆହୁରି କଷ୍ଟଦିଏ । ହେଲେ ସନ୍ଧ୍ୟାବେଳେ ସନାତନର ଘରକୁ ପ୍ରତ୍ୟାବର୍ତ୍ତନ ସତ୍ତ୍ୱରୀମା ମନରେ ଭରିଦିଏ ଗଭୀର ଓ ଅବ୍ୟକ୍ତ  ଆନନ୍ଦ । ସବୁ କିଛି ଭୂଲିଯାଏ । ସତେଯେମିତି ସଂସାରର ସବୁସୁଖ ତାକୁ ମିଳିଯାଏ । ଆଜି ନବମ ଦିନର ଉପସ୍ଥିତିରେ ସବୁଆତ୍ମାଙ୍କ ପରି ମୁଁ ବି ମୋ ପରମାତ୍ମାଙ୍କ ଧ୍ୟାନରେ ଥାଏ ।ସେଦିନ ବ୍ରାହ୍ମମୁହୁର୍ତ୍ତରୁ ସତ୍ତ୍ୱରୀମା ଶଯ୍ୟା ତ୍ୟାଗକରି ଶୈଚଯାଏ ଏବଂ ସ୍ନାନ ଶେଷ କରେ । ସତ୍ତ୍ୱରୀମାର ସ୍ନାନ ସରିଲାବେଳକୁ ସନାତନ କିନ୍ତୁ ସେହିପରି ଶେଯରେ ଶୋଇଥାଏ । ଋତୁବତୀ ହେବା ଦିନଠାରୁ ସତ୍ତ୍ୱରୀମା ଘରର ପରମ୍ପରା ଅନୁଯାୟୀ ଆଉ ପୂଜା ଘରକୁ ଯାଇନଥାଏ । ତେଣୁ ସେଥିପାଇଁ ତା’ ମନ ଟିକେ ଦୁଃଖଥାଏ । ପିଲାଟି ଦିନରୁ ଯାହାର ଭଗବାନଙ୍କ ପୂଜା ପାର୍ବଣରେ ଅତୀବ ଦୁର୍ବଳତା ସେ କେମିତିବା ଭଗବାନଙ୍କୁ ପୂଜା ନକରି ମନଶାନ୍ତିରେ ରହିପାରିବ । 
      ତେଣୁ ମନ ତା’ର ସବୁବେଳେ ଅବେଇ ଖବେଇ ହେଉଥାଏ ଯେ ସେ କେମିତି ପୂଜା ଘରକୁ ଯିବ । ତାଙ୍କ ପୂଜାଘରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କୁ ସଜେଇବ । ଫୁଲ ପାଣି ଦେବ । ଚୁଆ ଚନ୍ଦନ ଲଗାଇବ । ଯାହା ହେଉ ଦୀର୍ଘ ଆଠ ଦିନ ପରେ ଆଜି ପୁଣି ସୁଯୋଗ ମିଳିଛି । ତେଣୁ ବହୁତ ଆନନ୍ଦରେ ପଶିଛି ପୂଜା ଘରେ । ଏତେ ସୁନ୍ଦର ଭାବରେ ପୂଜା ଘରଟିକୁ ପ୍ରଥମେ ସଜାଡିବାରେ ଲାଗିଛି ସତେଯେମିତି ଦୀର୍ଘ ଆଠଦିନ ହେଲା ତା’ ଦିଅଁ ବହୁତ ଅସଜଡାରେ ଥିଲେ । ତାର ଏ ଜଗନ୍ନାଥଙ୍କ ପ୍ରତି ଭକ୍ତି ମଧ୍ୟ ଭିନ୍ନ ଧରଣର । ସେ ଜଗନ୍ନାଥଙ୍କୁ ନିଜର ଭଗବାନ କିମ୍ବା ନିଜଠାରୁ ବଡବୋଲି ମନରେ ବିବେଚନା କରେନା । ସେ ଭାବେ ଜଗନ୍ନାଥ ହେଉଛନ୍ତି ତାର ପୁଅ । ମା’ ପୁଅକୁ ପ୍ରୀତିରେ ସଜେଇଦେଲା ଭଳି ଭାରି ଆଦରରେ ତିନି ଠାକୁରଙ୍କୁ ସଜେଇବାରେ ଲାଗେ । ପ୍ରେରଣା ଅବା ବାଧ୍ୟବାଧକତାରେ ନୁହଁ ବରଂ ସ୍ୱକୀୟ ଅନ୍ତର୍ନିହିତ ଆବେଗରେ ।
      ରାଜପରିବାରର ପୂଜାଘରର ସ୍ୟୈନ୍ଦର୍ଯ୍ୟ କିପରି ଯେ ହୋଇଥିବ ତାହା ସତରେ ବର୍ଣ୍ଣନା ଯୋଗ୍ୟ । ପୂଜାଘରର ପ୍ରଥମେ ଯଦି ଆପଣମାନେ ଦ୍ୱାରବନ୍ଧ ସହିତ କବାଟ କଥା ଚିନ୍ତା କରନ୍ତି ଦୁର୍ମୁଲ୍ୟ ଅନନ୍ୟତା ବହନ କରେ । ସମ୍ପୂର୍ଣ୍ଣ କବାଟଟି ଚନ୍ଦନ କାଠରେ ତିଆରି । କବାଟର ମଝିରେ ସତେଯେମିତି ଏକ ଜୀବନ୍ତ ପଦ୍ମଫୁଲ କାରିଗରର ନିଆଣ ମୁନରେ କଥା କହିବା ପରି ଦେଖାଯାଉଛି । କବାଟଟିର ଅନ୍ୟ ସମସ୍ତ କାମ ଏତେ କମକୁଟ ଓ ଚାତୁର୍ଯ୍ୟମୟ ହୋଇଛିଯେ ବାସ୍ ଥରେ ନଜର କବାଟ ଉପରେ ପଡିଗଲେ କବାଟଟିର ସମସ୍ତ ଅଂଶକୁ ନଦେଖିବା ପର୍ଯ୍ୟନ୍ତ ଆଖି ହଟି ପାରିବ ନାହିଁ । କବାଟଟି ପୁରା ଚକ୍‌ଚକ୍ କରୁଥାଏ । କବାଟଟିର ବାସ୍ନା ଘରର ବୋଧହୁଏ ପ୍ରାୟ ସବୁ ଆଡକୁ ବିଛୁରିତ ହେଉଥାଏ । ସେ ଘରର ଦୁଆରକୁ ଦେଖୁଦେଖୁ ଯେକେହିବି କହିପାରେ ସତରେ କଣ ଘର ଭିତରେ ଭଗବାନ ଅଛନ୍ତି ନା କଣ? 
      ଭିତରର ସ୍ୟୈନ୍ଦର୍ଯ୍ୟ କବାଟଠୁ ବଳି । ରତ୍ନସିଂହାସନ ଭଳି ସିଂହାସନ ଲାଗୁଥାଏ ରତ୍ନରେ ତିଆରି । ତିନି ଠାକୁରଙ୍କ ମୂର୍ତ୍ତୀ, ସ୍ୱର୍ଗରୁ ବିଶ୍ୱକର୍ମା ଆସି ଗଢିଦେଇ ଯାଇଛନ୍ତି ସତେ । ଅପରୂପ ସେ । ପୂଜାଘରର ପ୍ରତ୍ୟେକ ଜିନିଷ ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ । ଗୀତା, ଭାଗବତ, ପୋଥି, ପୁରାଣ ପାଇଁ ଅମୂଲ୍ୟ ବ୍ୟାସାସନ । ଦୀପ, ଘଣ୍ଟିର କାରୁକାର୍ଯ୍ୟ ଦେଖିଦେଲେ ମନ ଚହଲି ଯିବ । ପୂଜା ଘର
ଭିତରେ ପୂଜା ପାଇଁ ଆବଶ୍ୟକ ପୂଜା ସଂରଞ୍ଜାମ ଭିତରୁ କଣ ନାହିଁ ବୋଲି ଖୋଜିବାଟା ସମ୍ପୂର୍ଣ୍ଣ ଅସମ୍ଭବ । ପ୍ରତି ଶନିବାର ଦିନ ରାଜପୁରୋହିତ ଆସନ୍ତି । ଥରେ ମାତ୍ର ପୂଜା ଘରର ସବୁ ଜିନିଷକୁ ତଦାରଖ କରିଦେଇ ଯାଆନ୍ତି । ଯାହା ଆବଶ୍ୟକ ସବୁ ରାଜ ପରିବାରର ଗୃହ ଚାକରକୁ ଆଣିବାକୁ ନିର୍ଦ୍ଦେଶ ଦେଇଥାନ୍ତି ଓ ସବୁ ଆସି ଯଥାସ୍ଥାନରେ ସେଇଦିନ ହିଁ ରହିଯାଏ । ଏ ଘରକୁ କେବଳ ବାରମାସରେ ତେର ପର୍ବଦିନ ବ୍ରାହ୍ମଣ ଆସନ୍ତି । ତିନିଠାକୁରଙ୍କ ବେଶ ଓ ରୀତିନୀତି ସବୁ କରିଦେଇ ଯାଆନ୍ତି । ନଚେତ ଆଉ ସବୁଦିନ ରାଜବଂଶର ସମସ୍ତ ସଦସ୍ୟଙ୍କ ପାଇଁ ଏ ହେଲା ପୂଜା ଘର । ବିଶେଷ କରି ଝିଅ ବୋହୁମାନଙ୍କର ଏ ହେଲା ପ୍ରାଥନା ଗୃହ । ସତ୍ତ୍ୱରୀମା ଏ ବଂଶକୁ ବୋହୁ ହୋଇ ଆସିଲା ପରଠାରୁ ଏ ପୂଜାଘର ପ୍ରତି ତା’ର ଅହେତୁକ ଦୁର୍ବଳତା । ପିଲାଦିନୁ ଭଗବାନଙ୍କ ପ୍ରତି ଥିବା ତା’ର ଅଗାଢ ଭକ୍ତି ତାକୁ ଏ ପୂଜାଘର ଦେଖି ଆହୁରି ଆନନ୍ଦିତ କରେ । ସେ ଜୀବନର ଶାନ୍ତି ସବୁଠାରୁ ଏ ପୂଜା ଘରେ ହିଁ ବିବାହ ପରଠାରୁ ଅଧିକ ଅନୁଭବ କରିଛି । 
      ଦୀର୍ଘ ଆଠଦିନ ହେଲା ପୂଜାଘରକୁ ଯାଇନଥିବାରୁ ତା’ ମନ ବହୁତ ଅସ୍ଥିର ଥାଏ । ଆଜି ସେ ପରମ୍ପରାର ଯବନୀକା କାରଣ ରଜସ୍ୱଳା ହେବାର ଆଜି ନବମ ଦିନ । ପୂଜାଘରେ ପୂଜାକରିବାର ସୈାଭାଗ୍ୟ ଆଜି ତା ପାଇଁ ଖୋଲା । ସେଇଥିପାଇଁ ଆଜି ଏ ପୂଜାଘରେ ଠାକୁରଙ୍କୁ ସଜେଇବାରେ ଅନ୍ତର ସହିତ ଲାଗିପଡିଛି । ପୂଜା କାମ ସାରି ଶୋଇବା ଘରକୁ ଆସିଲା ବେଳକୁ ସନାତନ ଖଟଉପରେ ଶୋଇ ଅଳସ ଭାଙ୍ଗୁଥାଏ । ତା’ ଅଳସ ଭାଙ୍ଗିବା ପାଇଁ ସତ୍ତ୍ୱରୀମା ଆଉଟିକେ ସାହାଯ୍ୟ କରେ । ତା’ ଉପରେ ନଦିଘଷି ହୋଇ ସନାତନକୁ ଉଠାଇଦିଏ । ସନାତନ ନିଜର ନିତ୍ୟକର୍ମ ସାରି ଖାଇପିଇ ଅଫିସ୍ ଚାଲିଯାଏ ।
      ଦଶମ ଦିନରେ ପହଞ୍ôଚଲା ବେଳକୁ ମୋ ମନ ଭିତରେ ଥିବା ଅଟଳ ବିଶ୍ୱାସ ଭିତରେ ଟିକେ ଅବିଶ୍ୱାସ ଆସି କାହିଁକି ଭିତରେ ଭିତରେ ଉଙ୍କି ମାରୁଥାଏ । ମୁଁ ଅପେକ୍ଷା କରିଥିବା ସତ୍ତ୍ୱରୀମା ଗର୍ଭରେ ମୋ ବ୍ୟତୀତ ସେ ମଙ୍ଗଳମୟ ପରମାମାô ଆଉ କାହାକୁ ସ୍ଥାନ ଦେଇ ଦେବେନି ତ? ସେହି ପରମାତ୍ମାଙ୍କ ଆରାଧନାରେ ଲୀନ ଥାଏ । ସେଦିନ ସନାତନର ବିଜ୍ଞାନଗାରାରେ କାମ କରୁଥିବା ସମୟରେ ତାର ମନେ ପଡେ ନାରୀର ରଜସ୍ୱଳା ସମୟରେ ତା’ର ଶାରିରୀକ ପରିବର୍ତ୍ତନ । ଆଉ ସେ ପରିବର୍ତ୍ତନଟା ପାଖାପାଖି ଏକ ପକ୍ଷ ପର୍ଯ୍ୟନ୍ତ ରହିଥାଏ । ପରିବର୍ତ୍ତନ ଗୁଡିକ ମଧ୍ୟରେ ଛାତିର ନରମପଣ, ଶରୀରରେ ଅଳସୀ ମନରେ ବେଳେ ବେଳେ ବିରକ୍ତି ନତୁବା ଅସଂଜତତା । ସେ ତିନି ଚାରିଦିନ ହେବ ସତ୍ତ୍ୱରୀମାର ଅଳସପଣକୁ ବେଶ୍ ଠଉରେଇ ପାରିଛି  ହେଲେ ତାର ଛାତିର ନରମତାକୁ ଆଉ ଅସଂଜତତା ପ୍ରତି ଧ୍ୟ୍ୟାନ ଦେଇନି । ମନେ ମନେ ସ୍ଥିର କରେ ଆଜି ଏ ଦୁଇଟି ପରିବର୍ତ୍ତନକୁ ସେ ଘରକୁ ଗଲେ ଭଲ ଭାବରେ ନିରୀକ୍ଷଣ କରିବ । ଆଜି ସେ ସତ୍ତ୍ୱରୀମାର ଶାରିରୀକ ପରିବର୍ତ୍ତନକୁ ସମ୍ପୂର୍ଣ୍ଣ ଭାବରେ ବୁଝିବ । ତେଣୁ ବିଜ୍ଞାନଗାରାରେକାମ ଭିତରେ, ସେ ସତ୍ତ୍ୱରୀମା କଥା ଟିକେ ଅଧିକ ଭାବିବା ଆରମ୍ଭ କରିଦିଏ । ସେ ବି ଜାଣିଛି  ନାରୀ ରଜସ୍ୱଳା ହେବାର ଗୋଟିଏ ସପ୍ତାହ ପରେ ଧୀରେ ଧୀରେ ତା’ର ଜନ୍ମବର୍ତ୍ତ ଆଦ୍ରରୁ ଶୁଷ୍କ ଆଡକୁ ଗତି କରେ । ଜନ୍ମବର୍ତ୍ତର ସମସ୍ତ ଅପରିଷ୍କାର ରକ୍ତର ପ୍ରବାହ ପାୟତଃ ଶେଷ ହୋଇ ଆସିଥାଏ । ଜନ୍ମଗର୍ତ୍ତରେ ଥିବା ଅନ୍ତଃଆଚ୍ଛାଦିତ ସ୍ତର ବର୍ତ୍ତମାନ ତା’ର ପୂର୍ବାବସ୍ଥାକୁ ଫେରିବାକୁ ଲଗିଥାଏ । ଏ ସବୁ ଲକ୍ଷଣତ ସନାତନ ସିଧାସଳଖ ପରୀକ୍ଷା କରିପାରିବନି ମାତ୍ର ସଂଭୋଗରେ ଅନୁଭବ କରିପାରିବ । ତେଣୁ ଏକଥା ତା’ର ମନରେ ଆଜି ଦୃଢ ଭାବରେ ଘରକରୁ ଥାଏ ।
ଘରେ ସତ୍ତ୍ୱରୀମାର ମନ ସବୁଦିନ ପରି ସେମିତି ଅଥୟ । ସନାତନର ପ୍ରତିକ୍ଷାରେ ସେ ବ୍ୟତିବ୍ୟସ୍ତ । ନୂଆ କରି ବିବାହିତା ତରୁଣୀ ପାଇଁ ସେତେବେଳ ସମୟରେ ତା’ର ସ୍ୱାମୀର ସ୍ପର୍ଶ ହିଁ ତା ପାଇଁ ସବୁଠାରୁ ଅଧିକ ଲୋଡା । ରାତି ମିଳନର ଅପେକ୍ଷାରେ ସେ ଅତିଷ୍ଟ ତଥାପି ଭଗବତ ବିଶ୍ୱାସରେ ଗଢା ତା’ର ଜୀବନ, ଘରମଣିଷଙ୍କ ମେଳିର ଆନନ୍ଦରେ ନିଜକୁ ହଜେଇଦିଏ । ରାଜ ପରିବାରର ସମସ୍ତଙ୍କ ସ୍ନେହ ଆଦରରେ ଦିନ ବେଳାର ସେ ପ୍ରତିକ୍ଷା ମଧ୍ୟ ତାକୁ ଆଉ ସେତେ ଆଘାତ ଦେଇ ପାରେନି । ସନ୍ଧ୍ୟା ଆସେ । ସନାତନ ଘରକୁ ଫେରେ । 
      ସେଦିନ ସନାତନ ଘରେ ପହଞ୍ଚ ଜଳଖିଆ ଖାଇ ସାରିଲା ପରେ ସତ୍ତ୍ୱରୀମାକୁ ଟିକେ ନିଆରା ଅନୁସନ୍ଧାନୀ ନଜରରେ ତନ୍ନତନ୍ନ କରି ଚାହେଁ । ସନାତନର ଏଭଳି ଚାହାଣୀ ଦେଖି ସତ୍ତ୍ୱରୀମା ଲାଜରେ ନିଜକୁ ଅସଜଡା ମନେ କରେ । ପଚାରିବସେ ଆଜି ଏମିତି କଣ ଦେଖୁଛ । ସନାତନ ଉତ୍ତର ଦିଏ ନାଇଁ ନାଇଁ ତୁମେ ଆଜି ବହୁତ ସୁନ୍ଦର ଦେଖା ଯାଉଛ । ତୁମର ମୁହଁ ସହିତ ତୁମର ଛାତିର ସୁନ୍ଦରତା ଆଜି ମୋତେ କାହିଁକି ବହୁତ ସୁନ୍ଦର ଲାଗୁଛି । ସତ୍ତ୍ୱରୀମା ଲାଜେଇ ଯାଏ ମାତ୍ର ସନାତନ ପାଖରେ ବସି ପଡି ତାକୁ ଆଉଜି ଯାଏ । ସେ ଦିନ ରାତିର ଶୃଙ୍ଗାରଭେଦ ସମୟରେ ସନାତନ ନିଜ ବିଜ୍ଞାନୀ ଜିଜ୍ଞାସାରେ ସବୁ କିଛି ପରିବର୍ତ୍ତନର ପ୍ରମାଣ ନିଜେ ଖୋଜି ଚାଲେ ଓ ପରଖେ । ପରଖୁ ପରଖୁ ସତ୍ତ୍ୱରୀମା ସେଥିରେ ହୁଏ ଅତ୍ୟନ୍ତ କାମାଶକ୍ତ ଓ ଉଭୟେ ହଜିଯାଆନ୍ତି ଶରୀରର ସେ ଆବଶ୍ୟକ ଆକର୍ଷଣରେ । ତା ପରେ ଉଭୟଙ୍କର ଗତି ନିଦ ମା’କୋଳକୁ ।
      ଏକାଦଶ ଦିନରେ ପଦାର୍ପଣ ହେବାକ୍ଷଣି ସତେଯେମିତି ସେଦିନ ମୋତେ ଅନୁଭବ ହେଲା ମୁଁ ସତ୍ତ୍ୱରୀମାର ମାୟାରେ ପଡିଯାଇଛି । ମୁଁ ନିର୍ଲିପ୍ତତାର ଗୁଣ ବହନ କରୁଥିଲେ ମଧ୍ୟ ପରମାତ୍ମାଙ୍କ ସହିତ ମିଳନର ବାଟ ରୂପେ ସନାତନ ଓ ସତ୍ତ୍ୱରୀମାକୁ ପାଇବା ପାଇଁ ଆଜି ମୋର ଏ ଯେଉଁ ପ୍ରତୀକ୍ଷା ଏକ କାମନାର ରୂପ ନେଇଗଲାଣି । ହେଲେ ମୋତେ ଦୁଃଖତ ସ୍ପର୍ଶ କରିବା କଥା ନୁହେଁ । ମୁଁ ତ ବ୍ୟତିବ୍ୟସ୍ତ, ବ୍ୟଗ୍ରତା ଏ ସବୁଠୁ ବହୁତ ଉର୍ଦ୍ଧରେ । ତେବେ ଏଭଳି ପରିବର୍ତ୍ତନ ମୋ ପାଖରେ କାହିଁକି ପ୍ରତୀୟମାନ ହେଉଥାଏ ମୁଁ ବେଳେବେଳେ ନିଜକୁ ଜାଣି ପାରୁନଥାଏ । ପୁଣି ସେହି ପରମାତ୍ମାଙ୍କ ପାଖକୁ ମୋର ସବୁକିଛିକୁ ଟାଣି ନେଇ ତାଙ୍କରି ଧ୍ୟାନରେ କେନ୍ଦ୍ରୀଭୁତ 
କରିବାରେ ଲାଗିପଡେ । ହେ ଜଗଦୀଶ୍ୱର । ତୁମର ଆଶୀର୍ବାଦ ବିନା ମୋ ଯାତ୍ରା ପାଇଁ ଏ ପଥ ମିଳିବା ସମ୍ପୂର୍ଣ୍ଣ ଅସମ୍ଭବ । ତେଣୁ ମୋତେ ଆପଣଙ୍କର କରୁଣା ଆବଶ୍ୟକ । ଏ ପ୍ରତୀକ୍ଷାବି ମୋତେ ଏକ କାମନାରୂପୀ ଚକ୍ରବ୍ୟୁହରେ ସତେଯେମିତି ଘୁରଉଥାଏ । ସେମିତି ଅହରହ ଧ୍ୟାନରେ ନିଜକୁ ଲୁଚେଇ ଦିଏ ।
      ପୂର୍ବରାତିର ପ୍ରତ୍ୟେକ ପରିବର୍ତ୍ତନର ପରୀକ୍ଷା ସନାତନକୁ ଖୁସି ଦେଇଥାଏ । ସେ ତା’ର ବୈଜ୍ଞାନିକ ଅଭିଧାନରେ ଯାହାସବୁ ପଢିଛି ସେଥିରୁ ସେ ସବୁକିଛି ପାଇଛି ସତ୍ତ୍ୱରୀମା ଶରୀରର ପରିବର୍ତ୍ତନରେ । ମନେମନେ ବୈଜ୍ଞାନିକର ବଳୟ ଭିତରୁ ନିଜକୁ ଓହ୍ଲାଇଆଣି ଆବେଗିକ ଅଳିନ୍ଦ ଭିତରେ ବିଚାର କରେ ବାସ୍ତବିକ ଏ ପ୍ରକୃତିର ବୈଚିତ୍ର‌୍ୟତା କିପରି । ଗୋଟିଏ ନୂତନ ଜୀବର ଜନ୍ମରେ ଏ କିପରି ସ୍ୱତଃ ପରିବର୍ତ୍ତନ । ଏ ସମସ୍ତ ପରିବର୍ତ୍ତନ ଏହି ବିଶ୍ୱର ଜଡତାଠୁ ହିଁ ଆପେ ଆପେ ସଂଗଠିତ, ହେଲେ ତାହା ମଧ୍ୟ ଆଶ୍ଚର୍ଯ୍ୟ । ଶରୀରର କେଉଁ ଶିରା ପ୍ରସିରା କେତେବେଳେ କିପରି ରୂପ ଧାରଣ କରିବ, କଣ ଗ୍ରହଣ କରି କଣ ପରିତ୍ୟାଗ କରିବ ତା ମଧ୍ୟ ଆପେଆପେ ଏ ଶରୀର ନିଜେ ସ୍ଥିରୀକୃତ କରି ଏକ କମ୍ପ୍ୟୁଟର୍‌ରେ ପ୍ରୋଗ୍ରାମ୍ ପରି ଯଥା ସମୟରେ ଯଥୋଚିତ ଭାବରେ କରିଚାଲେ । ସେଦିନ ସେ ନିଜ ପରୀକ୍ଷାଗାରାରେ ଏହିପରି ପରିବର୍ତ୍ତନ ମାନଙ୍କୁ ସେ ନିଜେ ବସି ଶୃଙ୍ଖଳିତ ଅନୁଧ୍ୟାନ କରିବାରେ ଲାଗିଥାଏ । ଲାଗୁଥାଏ ଯେମିତି ସେ ସେଦିନ, ନିଜେ ବୈଜ୍ଞାନିକ ବିଭବରେ ବିଲୀନ । ପ୍ରକୃତିର ପ୍ରାବଧାନକୁ ସେ ଜୀବସତ୍ତାର ଅଭ୍ୟୁଦୟୋରୁ ହିଁ ତର୍ଜମା କରିବାରେ ଲାଗିଥାଏ । ବେଳେବେଳେ ସେ ବି ଭାବିି ପାରୁନଥାଏ ତା’ ମନ ଭିତରେ ଆଜି ଏ କି ପରିବର୍ତ୍ତନ । ସେ ପରିବର୍ତ୍ତନ ତା’ର ଜିଜ୍ଞାସାର ବ୍ୟାପକତାକୁ ଆହୁରି ବ୍ୟାପକ କରି ଦେଇଥାଏ । ସେଦିନ ରାତିରେ ସତ୍ତ୍ୱରୀମାର ଶାରିରୀକ ପରିବର୍ତ୍ତନକୁ ଅନୁଭବ କରି ନିଜକୁ ସେ ବିଶ୍ୱାସ କରି ପାରୁନଥାଏ ।    
      ସତ୍ତ୍ୱରୀମା ଶାଶୁଘରର ସମସ୍ତଙ୍କ ସ୍ନେହ ଆଦରରେ ବାନ୍ଧି ହୋଇ ଯାଇଥିଲେ ସୁଦ୍ଧା ତା’ର ବାପା ମାଆଙ୍କ କଥା ସେଦିନ ମନେ ପଡେ । ବେଶି ମନେ ପଡେ ତା’ ବାପାଙ୍କ କଥା । କେତେ ସ୍ନେହ କରନ୍ତି ତାକୁ । ପିଲାଦିନୁ ତାକୁ ବଡକରି ଗୋଟେ ରାଜବଂଶର ବୋହୁ କରି ଛାଡିଦେଲେ ହେଲେ ଦିନେ ହେଲେ ହେତୁ ପାଇଲା ପରଠାରୁ ତା’ମନରେ ଦୁଃଖ ଦେଇ ନାହାନ୍ତି ସେ । ସବୁ ଅଳୀ ଅର୍ଦ୍ଧଳୀକୁ ପ୍ରତି ମୁହୁର୍ତ୍ତରେ ପୁରା କରିଛନ୍ତି । ମା’ ତାକୁ ବେଳେବେଳେ ଗାଳିଦିଏ ଆଉ ଦଣ୍ଡ ଦିଏ ହେଲେ ତା’ ବାପାକୁ ଏ ଗୁଡିକ ଆଦୈା ଭଲ ଲାଗେନି ।  ସେ ସବୁବେଳେ ମାଆକୁ ବିରୋଧ କରନ୍ତି ଆଉ ଏମିତିବି ହୋଇଛି ଅନେକଥର ମା’ ତା ଲାଗି ବାପାଙ୍କଠାରୁ ଗାଳି ଶୁଣିଛି । ତା’ ବାପାମାଆ ଉଭୟଙ୍କର ସେ ଭଗବଦ୍ ବିଶ୍ୱାସୀ ଗୁଣ ଆଜି ତା’ ପାଖରେ ଭରପୁର ପ୍ରବେଶ କରିଛି, ସେ ଏହା ଜଣେ । ଆଜି ପୂଜାଘରେ ପୂଜାକରୁଥିବା ସମୟରେ ତାର ମନେ ପଡେ ତା’ ମା’ କଥା   
ା ମା’ କିପରି ତାକୁ ପୂଜାଘରେ ବସି ପ୍ରାଥନା କରାଉଥିଲା । ବୁଝାଉଥିଲା ଏ ଭଗବାନଙ୍କ ବିଷୟରେ । ତା’ ମାଆର ଭାଗବତ ଜ୍ଞାନ ବହୁତ । ଅନେକ ପୋଥି ପୁରାଣ ଭାଗବତକୁ ସେ ପଢିଛି ଆଉ ମୁଖସ୍ତ କିରିଛି ମଧ୍ୟ । ଅନେକ ଧାର୍ମୀକ କିମ୍ବଦନ୍ତୀର ଉଦାହରଣ ଦେଇପାରେ । ଜୀବନକୁ ସେ ଅଧ୍ୟାମ୍‌ôୀକ ଦୃଷ୍ଟକୋଣରୁ ଦେଖେ । ଜୀବନର ମୂଳ ଉଦେଶ୍ୟକୁ ସେ ଭଲଭାବରେ ଜାଣେ । ତା’ର ଜୀବନ ନୈସର୍ଗୀକ ଶାନ୍ତିରେ ଗଢା । ବାପା ସିନା ବେଳେବେଳେ ତା’ ମା’ ଉପରେ ରାଗନ୍ତି ହେଲେ ସେ ମଧ୍ୟ ତା’ ମା’ର ଏହି ଅଧ୍ୟାତ୍ମବାଦରେ ଅତୀବ ପ୍ରଭାବିତ । ମା’ର ସେହି ପୂଣ୍ୟ କର୍ମର ଫଳ ବୋଧହୁଏ ତା’ ଉପରେ ପଡିଥିବାରୁ ଏତେ ବଡ ରାଜବଂଶର ବୋହୁ ହେବା ସହିତ ସନାତନ ଭଳି ଜଣେ ବୈଜ୍ଞାନିକର ସେ ଧର୍ମ ପତ୍ନୀ । ସେ ନିଜକୁ ବହୁତ ଭାଗ୍ୟଶାଳୀ ମନେକରେ । ସେ ନିଜର ସୁଖ ଶାନ୍ତିର ସମସ୍ତ ଶ୍ରେୟ ତା’ ବାପା ମା’ଙ୍କର ସେ ପୂଣ୍ୟତୟା ଜୀବନକୁ ହିଁ ଦିଏ । ତା’ ମା’ର ପ୍ରାର୍ଥନା ଆଜି ପୂଜାଘରେ ତା’ପାଇଁ ଏକ ଅଭୁଲା ସ୍ମୃତି । ପ୍ରତିଦିନ ତା’ର ମା’ ପରି ସେ ପ୍ରାର୍ଥନା ନକଲେ ତାକୁ ସେ ଦିନଟା ଆଦୌ ଭଲ ଲାଗେନି । ସେ ତା’ ମା’ ଭଳି ବିଶ୍ୱାସ କରେ ନିଜ ମନ ଓ ଆତ୍ମା ଯଦି ସବୁବେଳେ ନିଷ୍କପଟ, ନୀରଳସ ଓ ପରମଙ୍ଗଳକାରୀ ଭାବରେ ରହେ ତେବେ ଜୀବନରେ ଯନ୍ତ୍ରଣାର ସ୍ଥାନ ବହୁତ ନଗଣ୍ୟ । ଜୀବନ ଅତୀବ ଆନନ୍ଦରେ କଟିବ । ସେହି ମନ୍ତ୍ରକୁ ଆଜି ସେ ନିଜ ଜୀବନର ମନ୍ତ୍ର ବୋଲି ଧରି ନେଇଛି । 
      ମୁଁ ସତ୍ୱରୀମାର ଏଭଳି ଭାବନାରେ ଖୁବ୍ ଆନନ୍ଦ ଅନୁଭବ କରେ । ଏ ଭଳି ଭାବନା ସତ୍ତ୍ୱରୀମାର ଜୀବନକୁ ଆହୁରି ପବିତ୍ର କରିଚାଲେ । ଯଦି ସେହି ମଙ୍ଗଳମୟଙ୍କ କରୁଣାରୁ ସତରେ ମୁଁ ସତ୍ତ୍ୱରୀମା ଗର୍ଭରେ ଏକ ନୂତନ ମନୁଷ୍ୟ ଘଟରେ ପ୍ରବେଶ କରିବାରେ ସକ୍ଷମ ହୁଏ ତେବେ ତାହା ହେବ ମୋ ପାଇଁ ଅତ୍ୟନ୍ତ ଦୁର୍ଲଭ । ସତ୍ତ୍ୱରୀମା ଭଳି ମା’ର ସନ୍ତାନ ଭିତରେ ମୁଁ ନିଶ୍ଚିତରୂପେ ମୋର ଲକ୍ଷ ସ୍ଥଳରେ ପହଞ୍ôଚବାକୁ ମୋ ପଥକୁ ସୁଗମ କରାଇ ପାରିବି । ଏହା ଦୃଢ ନିଶ୍ଚୟ ଯେ ସତ୍ତ୍ୱରୀମା ପ୍ରଭାବରେ ତା’ର ସନ୍ତାନ ତା’ଠାରୁ ପୂଣ୍ୟବାନ ହେବ ଏଥିରେ ସନ୍ଦେହ ନାହିଁ । ତଥାପି ମନ ମୋର ଉଦ୍‌ବିଗ୍ନ ଥାଏ ।
      ପରବର୍ତ୍ତି ଦୁଇଦିନ ଭିତରେ ସତ୍ତ୍ୱରୀମା ଓ ସନାତନ ଆହୁରି ନିବିଡ ହୋଇ ଉଠନ୍ତି । ପରସ୍ପର ଶାରିରୀକ ଓ ମାନସିକ ନିବିଡତାରେ ବୁଡି ରହନ୍ତି । ମୋତେବି ସେମାନଙ୍କର ସେ ମେଳାପି ପଣିଆ ବହୁତ ଭଲ ଲାଗୁଥାଏ । ଯେହେତୁ ଚତୁର୍ଦ୍ଦଶ ଦିନ, ସେଦିନ ମୋ ପ୍ରତିକ୍ଷାର ଶେଷଦିନ ଥାଏ । ସତ୍ତ୍ୱରୀମା ଡିମ୍ବାଶୟରୁ ଗୋଟିଏ ଡିମ୍ବାଣୁ ଯେକୈାଣସି ସଲଗ୍ନ ନଳୀ ଭିତର ଦେଇ ପ୍ରବେଶ କରିବ ନିଶ୍ଚୟ । ବଡିଭୋରରୁ ହିଁ ମୁଁ ସତ୍ତ୍ୱରୀମାର ଡିମ୍ବାଶୟର ପ୍ରତ୍ୟେକ ପରିବର୍ତ୍ତନକୁ ନିରୀକ୍ଷଣ କରୁଥାଏ ।  ମୁଁ ଜାଣିଥାଏ, ପ୍ରତ୍ୟେକ ନାରୀର ଗର୍ଭାଶୟ ଅତ୍ୟନ୍ତ ଦୁର୍ଗନ୍ଧଯୁକ୍ତ । ସେଠାରେ କେତେ କ୍ଷୁଦ୍ର ଜୀବ ଜନ୍ମନ୍ତି, ନିଜ ଜୀବନ ଗଢନ୍ତି, ବିତାନ୍ତି ଓ ମରି ମଧ୍ୟ ଯାଆନ୍ତି । ହେଲେ ଏହା ମଧ୍ୟ ସତ୍ୟଯେ ସେ ପଥ ବିନା ମୋର ମୁକ୍ତି ନାହିଁ । ମୋତେ ତାରି ଭିତରେ ହିଁ ରହିବାକୁ ପଡିବ । ଅଚାନକ ଠିକ୍ ଦିନ ୯ଟା ସମୟରେ ଯେତେବେଳେ ସତ୍ତ୍ୱରୀମା ପୂଜାଘରୁ ପ୍ରାର୍ଥନା ସାରି ଆସେ, ଠିକ୍ ସେଇ ସମୟରେ ତା’ର ବାମ ସଲଗ୍ନ ନଳୀ ଭିତରେ ଡିମ୍ବାଶୟରୁ ଗୋଟିଏ ପରିପକ୍ୱ ଡିମ୍ବାଣୁ ଖସିଆସେ । ମୋ ଭିତରେ ଧଲକାଏ ନିଆଁ ଖସିପଡିଲା ପରି ମୋତେ ଅନୁଭବ ହୁଏ । ମୁଁ ନିଜକୁ ପ୍ରସ୍ତୁତ କରିବାରେ ଲାଗେ । ମୋ ଭଳି ଅସଂଖ୍ୟ ଆତ୍ମା ସତ୍ତ୍ୱରୀମା ଜରାୟୁକୁ ପ୍ରବେଶ କରିବାପାଇଁ ମଧ୍ୟ ଘୁରି ବୁଲୁଥାନ୍ତି । ତଥାପି ସେଦିନ ମୁଁ କାଳବିଳମ୍ବ ନକରି ସନାତନ ଶରୀରରେ ପ୍ରବେଶ କରିଯାଏ । ମୋ ସହିତ ଅସଂଖ୍ୟ ଆତ୍ମା ମଧ୍ୟ ସନାତନ ଶରିରରେ ପ୍ରବେଶ କରନ୍ତି, ଯାହାଫଳରେ କି ସନାତନ ଓ ସତ୍ତ୍ୱରୀମାର ରତିରଙ୍ଗ ସମୟରେ ସନାତନର ଔରଷ ଦେଇ ସତ୍ତ୍ୱରୀମାର ଗର୍ଭାଶୟରେ ପ୍ରବେଶ କରିପାରିବେ । ମୁଁ ବି ଦେଖୁଥାଏ ଆମମାନଙ୍କ ଭିତରେ ସମସ୍ତଙ୍କର ଉଦାମତାକୁ । ସମସ୍ତେ ଅସ୍ଥିର ଓ ଅସଞ୍ଜତ । ତେଣୁ ମୁଁ ରାତ୍ରିର ସେ ଶୁଭ ମୁହୁର୍ତ୍ତକୁ ବଡ ଉତ୍କଣ୍ଠାରେ ଅପେକ୍ଷା କରିଥାଏ ଯେତେବେଳେ ସତ୍ତ୍ୱରୀମା ଓ ସନାତନର ସହବାସ ସଙ୍ଗଠିତ ହେବ ।
      ତେଣେ ସନାତନ ତାର ବିଜ୍ଞାନୀ ମନୋଭାବରେ ପୁରାପୁରି ପ୍ରସ୍ତୁତ । ସିଏ ସିନା ସତ୍ତ୍ୱରୀମାର ଗର୍ଭାଶୟର ଭିତରର କ୍ରିୟା ପ୍ରତିକ୍ରିୟାକୁ ପ୍ରତ୍ୟେକ୍ଷ ଦେଖି ପାରେ ନାହିଁ  କିନ୍ତୁ ତା’ର ଶିକ୍ଷା ସୃଷ୍ଟ ଜ୍ଞାନ ଗୋଚରରେ ସେ ଜାଣେ ଆଜି ହିଁ ସତ୍ତ୍ୱରୀମା ଡିମ୍ବାଶୟରୁ ଗୋଟିଏ ପରିପକ୍ୱ ଡିମ୍ବାଣୁ ଯେମିତି ହେଲେ ଫଲୋପିଆନ୍ ନଳୀ ଦେଇ ଆସିବ । କେତେବେଳେ ତାହା ଖସିବ ତାହା ସେହି ସର୍ବଶକ୍ତିମାନଙ୍କ ୁ ଜଣା । ସନାତନ କିନ୍ତୁ ଅଜ୍ଞ ଥାଏ  ଯେ ଦିନ ସକାଳ ୯ଟା ସମୟରୁ ସତ୍ତ୍ୱରୀମାର ଡିମ୍ବାଶୟରୁ ଗୋଟିଏ ପରିପକ୍ୱ ଡିମ୍ବାଣୁ ଫଲୋପିଆନ୍ ନଳୀକୁ ଖସି ଆସିଲାଣି । କିନ୍ତୁ ସେ ଜାଣେ ସତ୍ତ୍ୱରୀମା ସହିତ ଆଜିର ରତିକ୍ରୀଡା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବିଜ୍ଞାନର ପରିଭାଷାରେ ନାରୀ ଆଉ ପୁରୁଷର ସଂଭୋଗ ସମୟରେ ମାନସିକ ଓ ଶାରିରୀକ ଅବସ୍ଥା ହିଁ ସୃଷ୍ଟି ହେବାକୁ ଥିବା ସନ୍ତାନର ସମସ୍ତ ଧର୍ମକୁ ପ୍ରଭାବିତ କରେ । 
       ତେଣୁ ଆଜି ସନାତନ ମନେମନେ ବହୁତ ଖୁସି ରହିବାକୁ ଚେଷ୍ଟା କରେ । ସତ୍ତ୍ୱରୀମାକୁ ଆହୁରି ଖୁସି ରଖିବା ପାଇଁ ସେଦିନ ଜାଣିଶୁଣି ମଧ୍ୟାହ୍ନରେ ନିଜ ଅଫିସ୍‌ରୁ ଛୁଟି ନେଇ ଘରକୁ ଫେରିଆସେ । ସତ୍ତ୍ୱରୀମା ସହିତ ଅତି ସ୍ନେହ ଓ ଆଦରରେ ଅନେକ କଥା ହୁଏ । ଭଗବାନଙ୍କ କଥା ଆଲୋଚନା କରେ । ପ୍ରକୃତିର ବୈଚିତ୍ର‌୍ୟତା ଓ ଉଚ୍ଚ ଚିନ୍ତାଧାରାରେ ତା’ ସହିତ କଥାବାର୍ତ୍ତାରେ ନିଜକୁ ବ୍ୟସ୍ତ ରଖେ । ହେଲେ ମନରେ ଥାଏ ଆଜିର ସହବାସ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ସହବାସରେ ଯଦି ଆବଶ୍ୟକ ପରିମାଣର ରେତ୍ର ସତ୍ତ୍ୱରୀମାର ଗର୍ଭକୋଷରେ ପ୍ରବେଶ ନକରିପାରେ ତେବେ ସତ୍ତ୍ୱରୀମାର ଡିମ୍ବାଶୟର ସେ ଡିମ୍ବାଣୁକୁ ଜୀବନ ଦାନ ଦେଇ ପାରିବେ ନାହିଁ । ସେ ବି ଜାଣେ ଯେ ପୁରୁଷର ରେତ୍ର ଦେଇ ପ୍ରାୟ ଚାରି ନିୟୁତ ଶୁକ୍ରାଣୁ ନାରୀର ଗର୍ଭାଶୟରେଏହି ସଂଭୋଗ ସମୟରେ ପ୍ରବେଶ କରିଥାନ୍ତି । ଗର୍ଭାଶୟରେ ଏହି ଚାରିନିୟୁତ ଶୁକ୍ରାଣୁ ମଧ୍ୟରୁ ସମସ୍ତେ ଜୀବିତ ରହିପାରନ୍ତି ନାହିଁ । ଏହି ଶୁକ୍ରାଣୁ ଗୁଡିକ ଦେଖିବାକୁ ଅତି କ୍ଷୁଦ୍ରାକାୟ ମାଛ ଭଳି ଯେଉଁ ମାନଙ୍କର ଅତ୍ୟନ୍ତ ଛୋଟଛୋଟ ଲାଞ୍ଜ ଥାଏ । ଏହି ଶୁକ୍ରାଣୁ ଗୁଡିକ ଖାଲି ଆଖିକୁ ଦେଖା ଯାଆନ୍ତି ନାହିଁ । ଏହି ସମସ୍ତ ଶୁକ୍ରାଣୁ ଗୁଡିକ ଗର୍ଭାଶୟ ଭିତରେ ଏଣେତେଣେ ମାଛ ପରି ପହଁରିି ବୁଲନ୍ତି । ସେଥିରୁ ପ୍ରାୟ ସମସ୍ତେ ସହବାସ ଠାରୁ ଅଠର ଘଣ୍ଟା ଭିତରେ ମୃତ୍ୟୁ ବରଣ କରନ୍ତି । ମାତ୍ର ପାଖାପାଖି ଏକ ଶହ ଶୁକ୍ରାଣୁ ଗର୍ଭାଶୟ ଭିତର ଦେଇ ଫଲୋପିଆନ୍ ନଳୀ ଭିତରକୁ ପ୍ରବେଶ କରିବାରେ ସକ୍ଷମ ହୁଅନ୍ତି । ଜଣ ଜଣଙ୍କ କ୍ଷେତ୍ରରେ ସଂଭୋଗର ମାତ୍ର କେଇ ଘଣ୍ଟା ମଧ୍ୟରେ ଏହି ଶୁକ୍ରାଣୁ ଫଲୋପିଆନ୍ ନଳୀ ଭିତରରେ ପହଞ୍ôଚବାକୁ ସକ୍ଷମ ହୁଅନ୍ତି ନଚେତ୍ ପ୍ରାୟ ସେମାନଙ୍କୁ ୧୦ରୁ ୧୨ଘଣ୍ଟା ସମୟ ଲାଗିଥାଏ । ଫଲୋପିଆନ୍ ନଳୀ ଭିତରେ ପହଞ୍ôଚପାରିଥିବା ପାଖାପାଖି ଏକଶହଟି ଶୁକ୍ରାଣୁ ମଧ୍ୟରୁ ମାତ୍ର ଗୋଟିଏ ଶୁକ୍ରାଣୁ ସେଠାରେ ଆଗରୁ ଉପସ୍ଥିତ ଥିବା ପରିପକ୍ୱ ଡିମ୍ବାଣୁ ସଂସ୍ପର୍ଶରେ ଆସେ ଓ ତାର ଉପର ଆସ୍ତରଣକୁ ଭେଦ କରି ପ୍ରବେଶ କରେ । ଠିକ୍ ସେଇ ମୁହୁର୍ତ୍ତରେ ହୁଏ ଏକ ନୂତନ ଜୀବନର ସର୍ଜ୍ଜନା ।
      ଏଠାରେ ମଧ୍ୟ ସନାତନ ଏକଥାବି ଭାବେ, ଯଦି ଆଜି ସତ୍ତ୍ୱରୀମା ଡିମ୍ବାଶୟରୁ ଏକାବେଳେକେ ଦୁଇଟି ପରିପକ୍ୱ ଡିମ୍ବାଣୁ ଖସିଥିବ ତେବେ ଯାଆଁଳା ସନ୍ତାନର ବି ସମ୍ଭାବନା । ବେଳେବେଳେ ବ୍ୟତିକ୍ରମ ଘଟି ଦୁଇରୁ ଅଧିକ ଡିମ୍ବାଣୁ ମଧ୍ୟ ଖସିଥାଏ ଓ ସେଗୁଡିକୁ ଶୁକ୍ରାଣୁ ମାନେ ଭେଦକରି ଏକାଧିକ ନୂତନ ଡିମ୍ବାଣୁ ସୃଷ୍ଟିକରିଥାନ୍ତି । ନୂତନ ଜୀବନଟି ନର କି ନାରୀ ହେବ ତାହା ବି ସେହି ଶୁକ୍ରାଣୁ ଓ ଡିମ୍ବାଣୁର ମିଳନ ମୁହୁର୍ତ୍ତରେ ହିଁ ସ୍ଥିରୀକୃତ ହୋଇଥାଏ । ଡିମ୍ବାଣୁର ମୋଟ ୨୩ଟି କ୍ରୋମେଜୋମ୍ ଓ ଶୁକ୍ରାଣୁର ମୋଟ ୨୩ଟି କ୍ରୋମୋଜୋମ୍ ମିଳନରେ ଆଦ୍ୟ ଭୃଣର ସୃଷ୍ଟି । ନୂତନ ଜୀବନଟି ବହନ କରିବାକୁ ଥିବା ସମସ୍ତ ଗୁଣ ଗୁଡିକ ଏହି କ୍ରୋମୋଜୋମ୍ ଗୁଡିକରେ ହିଁ ନିହିତ ଥାଏ । ନାରୀଠାରୁ ଆସିଥିବା ସମସ୍ତ ଡିମ୍ବାଣୁରେ କେବଳ ଏକ୍ସ୍‌-କ୍ରୋମୋଜୋମ୍ ଥିବା ବେଳେ ପୁରୁଷଠାରୁ ଆସିଥିବା କ୍ରୋମୋଜୋମ୍ ଗୁଡିକରେ ଏକ୍‌୍ସ ଓ ଓା୍ୱଇ୍ କ୍ରୋମୋଜୋମ୍ ଥାନ୍ତି । ଯଦି ପୁରୁଷ ଶୁକ୍ରାଣୁର ଓା୍ୱଇ-କ୍ରୋମୋଜୋମ୍ ନାରୀ ଡିମ୍ବାଣୁରେଥିବା ଏକ୍‌୍ସ-କ୍ରୋମୋଜୋମ୍ ସହିତ ମିଶି ଭୃଣ ସୃଷ୍ଟି କରେ ତେବେ ନୂତନ ସନ୍ତାନ ପୁରୁଷ ହୁଏ ଆଉ ଯଦି ଉଭୟଙ୍କଠାରୁ ଏକ୍ସ୍‌-କ୍ରୋମୋଜୋମ୍ ଆସି ମିଳିତ ହୁଅନ୍ତି ତେବେ ନୂତନ ସନ୍ତାନଟି ନାରୀ ହୁଏ । ତେଣୁ ମା’ ଗର୍ଭରେ ପୁତ୍ର ଅବା କନ୍ୟା ସନ୍ତାନ ହେବା ପୁରୁଷର ଶୁକ୍ରାଣୁ ଉପରେ ହିଁ ସମ୍ପୂର୍ଣ୍ଣ ନିର୍ଭର କରେ । 
      ଯେତେବେଳେ ଶୁକ୍ରାଣୁ ଡିମ୍ବାଣୁକୁ ଭେଦ କରେ ଡିମ୍ବାଣୁ ଉପରେ ଏପରି ଏକ ନୂତନ ଆସ୍ତରଣ ଆପେ ଆପେ ଗଠିତ ହୁଏ ଯାହାଫଳରେକି ଫଲୋପିଆନେ୍ ନଳୀ ଭିତରେ ଥିବା ଅନ୍ୟ ଶୁକ୍ରାଣୁ ମାନେ ତା ଭିତରେ ଆଉ ପ୍ରବେଶ କରିପାରନ୍ତି ନାହିଁ । ମୁଁ କିନ୍ତୁ ଅନ୍ୟ ଆତ୍ମାମାନଙ୍କ
ସହିତ ସନାତନ ରେତ୍ରରେ ସେତେବେଳକୁ ପ୍ରବେଶ କରିସାରି ପ୍ରତିକ୍ଷା କରିଥାଏ ସତ୍ତ୍ୱରୀମା ଓ ସନାତନର ମିଳନ ମୁହୁର୍ତ୍ତକୁ । ରାତ୍ରି ଆସେ । ସତ୍ତ୍ୱରୀମା ଓ ସନାତନର ରତିକୀୟା ସମୟରେ ମୁଁ ଓ ମୋ ସହିତ ପାଖାପାଖି ଚାରିନିୟୁତ ଆତ୍ମା ସନାତନର ରେତ୍ର ଦେଇ ସତ୍ତ୍ୱରୀମା ଗର୍ଭ ଭିତରେ ରାତି ଏକଟାରେ ପ୍ରବେଶ କରୁ । ସତ୍ତ୍ୱରୀମା ରତ୍ୟଙ୍ଗରେ ପ୍ରବେଶ କରିବା ପରେପରେ ଆମେ ସମସ୍ତେ ଚଳଚଞ୍ଚଳ ଓ ବ୍ୟତିବ୍ୟସ୍ତ ଥାଉ । ସମସ୍ତେ ସେ ପରିପକ୍ୱ ଡିମ୍ବାଣୁ ପାଖରେ ପହଞ୍ôଚବା ପାଇଁ ଚେଷ୍ଟାକରି ଚାଲିଥାନ୍ତି । ଜଠରରେ ଆମେ ସମସ୍ତେ ମାଛ ଭଳି ସନ୍ତରଣ କରି ଚାଲିଥାଉ । ବାଉଳା ବାତୁଳାଙ୍କ ଭଳି କେହି ବୁଝି ପାରୁ ନଥାନ୍ତି ସେ ଡିମ୍ବାଣୁଟି କେଉଁଠି ଅଛି । 
      ଏହି ଡିମ୍ବାଣୁ ଖୋଜିବା ସମୟରେ ଆମଭିତରୁ ଅନେକ ଆତ୍ମା ନିଜ ଅଧିଷ୍ଠିତ ଶରୀର କ୍ଷିଣ ହୋଇଗଲା ପରେ ସେ ସ୍ଥାନ ଛାଡି ଚାଲିଯାଉଥାନ୍ତି । ଯୁଦ୍ଧରେ ପାଖ ସୈନିକର ମୃତ୍ୟୁ ଦେଖି ବଞ୍ôଚଥିବା ସୈନିକ ମନରେ ନିଜ ମୃତ୍ୟୁର ଭୟ ଆଉ ସୁନିଶ୍ଚିତ ମୃତ୍ୟୁରେ ଯୁଦ୍ଧ ଜିତିବାର ସାହାସ ଯେପରି ଥାଏ ମୋ ମନ ଠିକ୍ ସେଇ ଅବସ୍ଥା ଦେଇ ଗତି କରୁଥାଏ । ରାତି ପାଖାପାଖି ଦୁଇଟା ବେଳକୁ ଆମମାନଙ୍କ ଭିତରୁ ଅର୍ଦ୍ଧାଧିକ ସେମାନଙ୍କ ଅବୟବର ମୃତରେ ସେ ସ୍ଥାନ ପରିତ୍ୟାଗ କରିସାରି ଥାନ୍ତି । ତାପରେ ଧୀରେଧୀରେ ଆହୁରି ଅନେକଙ୍କ ଶରୀର ମରିଯାଆନ୍ତି । ଶେଷକୁ ଆମେ ଏକଶହରୁ ଦୁଇଶହ ଆତ୍ମା ଭିତରେ ଅଣ୍ଡାଳି ଅଣ୍ଡାଳି ଫଲୋପିଆନୋ ନଳୀ ଭିତରେ ପହଞ୍ôଚ ସାରିଥାଉ । ସେ ନଳୀରେ ନିଜକୁ ପ୍ରବେଶ କରିବା ପାଇଁ ଏମିତିବି କେତେଜଣ ସାହାସ ଜୁଟାଇ ପାରନ୍ତିନି । ସେ ନଳୀଟି ଆମମାନଙ୍କୁ ଗୋଟିଏ ସମୁଦ୍ର ଡେଇଁ ସାରିବା ପରେ ଗୋଟିଏ କଳାଘନକାୟ ଗୁମ୍ଫାଭଳି ଦେଖା ଯାଉଥାଏ । ସେହି ନଳୀ ଭିତରେ ପ୍ରବେଶ କଲା ବେଳକୁ ଆମମାନଙ୍କ ଭିତରୁ ପଚାଶ ଶତାଶଂ ମଧ୍ୟ ଶରୀର କ୍ଷୀଣରେ ସେ ସ୍ଥାନ ଛାଡି ଚାଲି ଯାଆନ୍ତି । ମୁଁ ଆହୁରି ଭୟଭିତ ଓ ଅଣନିଶ୍ୱାସି ହୋଇ ପଡେ । ସେହି ଅନ୍ଧାରିଆ ଗୁମ୍ଫା ଭିତରେ ପାଖାପାଖି ଆମେ ଏକଶହ ଆତ୍ମା ଆଗକୁ ଆଗକୁ ମାଡିଚାଲୁ । ସେ ଅନ୍ଧକାରରେ ଆମମାନଙ୍କ ଭିତରେ ପରସ୍ପର ଧକ୍କା ଓ ଦଳାଚକଟାରେ ଅନେକ ଶରୀର ମୃତ ହୋଇ ଯାଆନ୍ତି ଓ ସେମାନେ ଶରୀରରୁ ବାହାରିଯାଇ ସ୍ଥାନ ପରିତ୍ୟାଗ କରନ୍ତି । 
      ଆମ ଭିତରୁ ପାଖାପାଖି ପଚିଶ ତିରିଶ ଜଣ ପରମାତ୍ମାଙ୍କ ଦତ୍ତ ମାତୃଡିମ୍ବାଶୟରୁ କ୍ଷରିତ ଡିମ୍ବାଣୁ ପାଖରେ ପହଞ୍ôଚ ଯାଇଥାଉ । ଯେଉଁ ମାନେ ଆମେ ଡିମ୍ବାଣୁଟିକୁ ଦେଖି ସରିଥାଉ ସମସ୍ତେ ଭାବବିହ୍ୱଳ ଓ ଚେଷ୍ଟିତ ଥାଉ ତା ଭିତରେ ପ୍ରବେଶ ପାଇଁ । ମାତ୍ର ସେ ପରମପିତା ପରମାତ୍ମାଙ୍କର କାହା ଉପରେ ଆଶୀର୍ବାଦ ହେବ ତାହା ଆମକୁ କାହାକୁ ଜଣା ନଥାଏ । ଆମେ ଯେଉଁ କେତେ ଜଣ ଥାଉ ସେମାନଙ୍କ ଭିତରୁ ସମସ୍ତେ ଜଣକ ପରେ ଜଣେ ସେହି ଡିମ୍ବାଣୁଟିର ଉପର ଆସ୍ତରଣଟିକୁ ଭେଦ କରି ତା ଅନ୍ତଦ୍ଦେର୍ଶରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଚାଲିଥାନ୍ତି । ମାତ୍ର ଅନେକ ପରାଜିତ ହୋଇଯାଆନ୍ତି ଓ ମନ ଦୁଃଖରେ ନିଜକୁ ଅସହାୟ ମନେ କରନ୍ତି । ମୁଁ ବି ପରମାତ୍ମାଙ୍କୁ ପ୍ରାଥନା କରି ଡିମ୍ବାଣୁ ଭିତରେ ପ୍ରବେଶ କରିବାକୁ ଚେଷ୍ଟା କଲି । ବଡ ଆଶ୍ଚର୍ଯ୍ୟ କଥା ମୁଁ ଅନୁଭବ କଲି ଯେ ଯେଉଁ ଡିମ୍ବାଣୁର ବାହ୍ୟ ଆସ୍ତରଣଟି ଶୁକ୍ରାଣୁ ମାନଙ୍କ ପାଇଁ ପଥର ଭଳି ଟାଣ ଥିଲା ମୋ ପାଇଁ ତାହା ଥିଲା ଅତୀବ ନରମ । ଅତି ସହଜରେ ମୁଁ ତା ଭିତରେ ଠିକ୍ ରାତି ଚାରିଟା ତିରିଶ ମିନିଟ୍ ଅର୍ଥାତ୍ ବ୍ରାହ୍ମ ମୁହୁର୍ତ୍ତରେ ପ୍ରବେଶ କଲି । ପ୍ରବେଶ କରିବା ପରେପରେ ଡିମ୍ବାଣୁଟିର ଚତୁପାଶ୍ୱର୍ରେ ଗଢିଉଠିଲା ଏକ କେଶରପରି ଆସ୍ତରଣ । ସେହି ଆସ୍ତରଣ ମଧ୍ୟ ଦେଇ ଜଳ, ବାୟୁ, ଅଗ୍ନୀ ସହିତ ମୋ ବୃଦ୍ଧି ଓ ବିକାଶ ପାଇଁ ଖାଦ୍ୟ ମା’ ଶରୀରରୁ ଯାଆସ କରୁଥାଏ । ଡିମ୍ବାଣୁ ଓ ଶୁକ୍ରାଣୁର ମିଳନରେ ସୃଷ୍ଟି ହେଲା ଏକ ନର ଯୁଗ୍ମଜ ଆଉ ସେହି ଯୁଗ୍ମଜ ଭିତରେ ମୁଁ ରହିଲି ଆତ୍ମା । ସେହି ସମୟରେ ମୁଁ ମନୁଷ୍ୟରୂପୀ କଳେବରର ସର୍ଜ୍ଜନାରେ ଭାଗିଦାରୀ ହୋଇ ତା’ରି ଭିତରେ ଅଧିଷ୍ଠାନ କଲି । ମନରେ ଥିଲା ଅସ୍ଫୁରନ୍ତ ଆନନ୍ଦ । ସତେଯେମିତି ପରମାତ୍ମାଙ୍କର ମୋ ସହିତ ମିଳନ ଆଉ ଅଳ୍ପଦିନ ପରେ ସୁନିଶ୍ଚିତ । 
      ଏହି ନର ମାଧ୍ୟମରେ ମୁଁ ହେବି ମୋ ଜୀବନ ଚକ୍ରର ଶେଷ ଯାତ୍ରାର ଯାତ୍ରୀ । ପରମାତ୍ମାଙ୍କ ସହିତ ବିଲୀନ ହେବାରେ ଆଜିଠାରୁ ଏହି ନର ହିଁ ମୋର ମାଧ୍ୟମ । ନରର ସୁକର୍ମ ଓ ସ୍ୱୀକୃତିରେ ମୁଁ  ମୋର ଚିର ଆକାଙ୍‌କ୍ଷିତ ପ୍ରଭୁ ପାଦରେ ନିଶ୍ଚୟ ମିଶିଯିବି । ବ୍ରାହ୍ମ ମୁହୁର୍ତ୍ତରେ ଶରୀର ସର୍ଜ୍ଜନା ଏକ ପବିତ୍ର କଳେବର ହେବ ଏଥିରେ ସନ୍ଦେହ ଆଉ ମୋ ମନରେ ଆଦୈା ନଥାଏ । ଏହି ନର ଯେ ଜଣେ ଅତ୍ୟନ୍ତ କୂଳଶୀଳ, ଧାର୍ମୀକ ଓ ପବିତ୍ର ଚେତନାର ନର ହେବ ଏଥିରେ ଆଉ ବିରୋଧାଭାଷ ମୋ ପାଖରେ ନଥାଏ । ମୋର ପବିତ୍ରତା ଓ ଏହି ନରର କର୍ମ ପବିତ୍ରତାରେ ପରମାତ୍ମାଙ୍କ ଅଙ୍ଗରେ ଲୀନ ହେବାଟା ନିଶ୍ଚୟ ଏହା ମୋର ଦୃଢ ଧାରଣା ହୋଇ ସାରିଥାଏ ।
      ସତ୍ତ୍ୱରୀମା କିନ୍ତୁ ଏ ସବୁର ପରେ । ସ୍ୱାମୀ ସନାତନର ଅଜସ୍ର ଭଲପାଇବାରେ ସେ କେବଳ ପ୍ରେମାଶକ୍ତ ଥାଏ । ନିଜର କାମ ବାସନାର ପୂର୍ତ୍ତିରେ ସେ ନିଜକୁ ସମ୍ପର୍ଣ୍ଣ ହଜେଇ ଦେଇଥାଏ । କାରଣ ସେ ଏ ମନୁଷ୍ୟ ସୃଷ୍ଟିର ରହସ୍ୟ ସମ୍ବଦ୍ଧରେ ପୁରାପୁରି ଥାଏ ଅଜ୍ଞ । ଗତ ରାତ୍ରିରେ ଯେଉଁ ସବୁ ଅନ୍ତରଙ୍ଗ ମୁହୁର୍ତ୍ତ ସେ ସନାତନ ସହିତ ବିତେଇଥାଏ ସେହି ସବୁ କଥା ଗୁଡିକ ତା’ ମନ ଭିତରେ କେବଳ ସିନେମାର ରିଲ୍ ପରି ଗଡିଚାଲିଥାଏ । ନିଜକୁ ହଜେଇ ଦେଇଥାଏ ଶାରିରୀକ ଓ ମାନସିକ ଆନନ୍ଦରେ । ଆତ୍ମୀକ ସୁଖ ତାକୁ ଜଣାନାହିଁ ବା ସେଥିପାଇଁ ସେ ବ୍ୟଗ୍ର ନଥାଏ । ତା‘ର ଲୋଡାଥାଏ କେବଳ ଶାରିରୀକ ଓ ମାନସିକ ସୁଖ ଯାହା ତା’ର ସ୍ୱାମୀ ସନାତନ ତାକୁ ଭରପୁର ଦେଉଥାଏ । ଗତ ରାତ୍ରିରୁ ତା’ ଗର୍ଭଶୟରେ ଏକ ନୂତନ ପୁରୁଷ ସନ୍ତାନର ସର୍ଜ୍ଜନା ଆରମ୍ଭ ହୋଇ ଗଲାଣି ତାକୁ ଏକଥା ଆଦୌ ଜଣା ନଥାଏ । ସେ ତା’ର ନିତିଦିନ କର୍ମ ଭଳି ଭୋରରୁ ଶଯ୍ୟା ତ୍ୟାଗ କରି ସ୍ନାନଶୈାଚ ସାରି ପୂଜାଘରେ ପୂଜା ପ୍ରାର୍ଥନାରେ ବ୍ୟସ୍ତ ରହେ ।   


*******

ଦ୍ୱିତୀୟ ପକ୍ଷ



      ଆଜି ତୃତୀୟ ସପ୍ତାହର ଆଦ୍ୟଦିନ । ଆଉ ମୋ ପାଇଁ ଥିଲା ପରମାମାôଙ୍କ ସହିତ ବିଲୀନ ହେବାର ମାଧ୍ୟମରେ ମୋ ପ୍ରବେଶର ପ୍ରଥମଦିନ । ଏକ ଅଦ୍ଭୁତ ଆନନ୍ଦରେ ମୋର ସବୁକିଛି ସିହରି ଯାଉଥାଏ । ଅନେକ ଯୋନିଜନ୍ମ ପରେ ଆଜି ବୋଧହୁଏ ମୋ ଜୀବନଚକ୍ରର ଶେଷ ଦହ୍ରରେ ଆଶ୍ରୟ । ଏହା ହିଁ ମୋ ପାଇଁ ଶେଷ ଜନ୍ମ ଆଉ ଏ ଜନ୍ମପରେ ମୁଁ ଏ ଭବସଂସାରର ପ୍ରପଞ୍ଚରେ ଘାଣ୍ଟି ହେବି ନାହିଁ । ସବୁ ଦିନ ପାଇଁ ପରମାତ୍ମାଙ୍କ ସହିତ ବିଲୀନ ହୋଇଯିବି । ସେତେବେଳେ ଆଉ ଏ ମାୟା ସଂସାରର ଦୁଃଖ, ଶୋକ, ରୋଗ, ଭୋକ, ଭୟ ଓ ତ୍ରାସ ଆଉ ମୋତେ ଛୁଇଁ ପାରିବ ନାହିଁ । ଆଦ୍ୟ ଭୃଣର ଅତି ସୂକ୍ଷ୍ମ ଅବସ୍ଥାରେ ସେଦିନ ମୁଁ ଥାଏ । ସତେଯେମିତି ପୂର୍ବଜନ୍ମ ମାନଙ୍କର ପୂଣ୍ୟଫଳ ଆଜି ପରମାତ୍ôମା ମୋ ଉପରେ ଅଜାଡି ଦେଇଛନ୍ତି । ସତ୍ତ୍ୱରୀମା ପରି ପବିତ୍ର ଗର୍ଭ ଆଉ ସନାତନ ପରି ପୂଣ୍ୟାତ୍ମାର ଔରଷ ମାଧ୍ୟମରେ ମୁଁ ଆଜି ମୋ ଶେଷ ପଥର ଯାତ୍ରୀ, ଏହା ଜାଣି ମୋତେ ବହୁତ ଆନନ୍ଦ ଲାଗୁଥାଏ । ଏ ଯାତ୍ରାର ଅନ୍ତ କେବେ ହେବ ତାହାତ ସେଇ ମଙ୍ଗଳମୟଙ୍କୁ ଜଣା ତଥାପି ଏ ଯାତ୍ରାର ଆଜିର ଆଦ୍ୟ ମୁହୁର୍ତ୍ତଗୁଡିକ ମୋତେ ଖୁବ୍ ଆନନ୍ଦ ପ୍ରଦାନ କରୁଥାଏ ।
      ସକାଳୁ କିନ୍ତୁ ନିଦ ଭାଙ୍ଗିଗଲା ପରେ ସନାତନ ସେହି ପଲଙ୍କ ଉପରେ ଶୋଇ ରହି ତା’ ବିଜ୍ଞାନୀ ମନରେ ଭାବିବାରେ ଲାଗିଥାଏ । ଯଦି ଗତକାଲି ପ୍ରକୃତରେ ସତ୍ତ୍ୱରୀମା ଫଲୋପିଆନୋ ନଳୀ ଭିତରେ ତା’ ଡିମ୍ବାଶୟରୁ ପରିପକ୍ୱ ଡିମ୍ବାଣୁଟେ ଆସି ପହଞ୍ôଚଥିବ ତେବେ କାଲି ରାତିର ରତିକ୍ରିୟା ପରଠାରୁ ମାତ୍ର ଦଶରୁ ବାର ଘଣ୍ଟା ମଧ୍ୟରେ ଶୁକ୍ରାଣୁ ଆଉ ଡିମ୍ବାଣୁଟିର ମିଳନ ଘଟିବ । ସେହି ମିଳନ ମୁହୁର୍ତ୍ତ ହିଁ ହେବ ନୂତନ ସନ୍ତାନର ସୃଷ୍ଟିର ମୁହୁର୍ତ୍ତ । ବିଜ୍ଞାନ ଖୁବ୍ ଆଗେଇଥିଲେ ସୁଦ୍ଧା ଏ କଥାକୁ ମାତୃଗର୍ଭର ସେ ଫଲୋପିଆନ ନଳୀ ଭିତରେ ବର୍ତ୍ତମାନ ଦେଖିବା ସମ୍ପୂର୍ଣ୍ଣ ଅସମ୍ଭବ । ସେ ବର୍ତ୍ତମାନ କେବଳ ପଢିଥିବା ଜ୍ଞାନର ଆଧାରରେ ଗଣନା କରି ଚାଲିଥାଏ । ଯଦି ଆଜି ଶୁକ୍ରାଣୁଟି ଡିମ୍ବାଣୁକୁ ଭେଦକରେ ତେବେ ଫଲୋପିଆନ୍ ନଳୀ ଭିତରୁ ଗର୍ଭଗୃହର ସେହି ଯୁଗ୍ମଜଟିକୁ ପହଞ୍ôଚବା ପାଇଁ ପ୍ରାୟ ଦୁଇରୁ ତିନିଦିନ ସମୟ ଲାଗିବ । ତେଣୁ ଏସବୁ ମୁହୁର୍ତ୍ତ ଗୁଡିକ ଗର୍ଭଧାରୀ ନାରୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶରୀରରେ ଯଦି କିଛି ରୋଗ ଜନିତ ବ୍ୟତିକ୍ରମ କିମ୍ବା ମାନସିକ ଆଘାତ ଜନିତ କ୍ରମବିପର୍ଯ୍ୟୟ ଦେଖାଯାଏ ତେବେ ସୃଷ୍ଟ ଭୃଣଟି ଅଚିରେ ନଷ୍ଟ ହୋଇଯିବାର ବି ସମ୍ଭାବନା ଯଥେଷ୍ଟ ଅଧିକ । ତେଣୁ ସନାତନ ମନେମନେ ବିଚାର କରି ସତ୍ତ୍ୱରୀମାକୁ ବହୁତ ଖୁସି ରଖିବାକୁ ଚେଷ୍ଟା କରେ । 
      ସତ୍ତ୍ୱରୀମାର ମନ ଗୋଟିଏ ଗର୍ଭଧାରିଣୀ ନାରୀ ହିସାବରେ ନୁହେଁ ବରଂ ଆଜି ସେ ଜଣେ ସୁନ୍ଦର ସହଧର୍ମିଣୀ ଭାବରେ ନିଜର କର୍ମ ନିପୁଣତାକୁ ପ୍ରତିପାଦନ କରିବାକୁ ଚେଷ୍ଟା କରି ଚାଲିଥାଏ । ଘରେ ଗୁରୁଜନ ମାନଙ୍କଠାରୁ ଆରମ୍ଭ କରି ଲଘୁଜନ ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଯଥୋଚିତ ସମ୍ମାନ, ସ୍ନେହ ଓ ମମତାରେ ବାନ୍ଧି ରଖିଥାଏ । ଜଣେ କୁଶଳୀ ସ୍ୱାମିନୀ ହିସାବରେ ନିଜର ସମସ୍ତ କାମକୁ ଅତି ସୁନ୍ଦର ଭାବରେ କରି ଚାଲିଥାଏ । ଗର୍ଭଧାରଣର ଆନନ୍ଦ ବର୍ତ୍ତମାନ ବୁଝି ପାରିବ କେମିତି? ପୁନଶ୍ଚ ଏ ସନ୍ତାନ ସୃଷ୍ଟିର ରହସ୍ୟ ବିଷୟରେ ସେ ସମ୍ପୂର୍ଣ୍ଣ ଅଜ୍ଞ । ସେ ତାର ଏ ଯୌବନର ସ୍ୱତଃ ଉନ୍ମତ୍ତତାର ପ୍ରସମନ ଆନନ୍ଦରେ ନିଜକୁ ନହଜେଇବ ବା କାହିଁକି? ଏଇତ ମାୟା । ମନୁଷ୍ୟ ମାୟା ସଂସାରରେ ଏହି ଶାରୀରିକ ଆକର୍ଷଣ ମାୟାରୁ ହିଁ ସାଂସାରିକ ମାୟାରେ ପ୍ରବେଶ କରି ପରପିଢୀକୁ ଆଗକୁ ନେଇଚାଲେ ସତ ହେଲେ ଦୁଃଖ ଯନ୍ତ୍ରଣାରେ ନିଜକୁ  ଛନ୍ଦି ଦେବାର ଏହାହିଁ ବୋଧହୁଏ ପ୍ରାରମ୍ଭିକ ଦ୍ୱାରବନ୍ଧ ।
      ମୁଁ ମୋ ସ୍ଥିତ କଳେବରର ବୃଦ୍ଧିକୁ ଭଲଭାବରେ ନିରୀକ୍ଷଣ କରୁଥାଏ । ଯେମିତି ବ୍ରାହ୍ମ ମୁହୁର୍ତ୍ତରେ ଶୁକ୍ରାଣୁ ଆଉ ଡିମ୍ବାଣୁର ସଂଯୋଗ ଘଟି ଯୁଗ୍ମଜର କଳେବରର ସୃଷ୍ଟି ହୋଇଛି ତାପରଠାରୁ ମୁଁ ତାରି ଭିତରେ ରହି ଯୁଗ୍ମଜର ପରିବର୍ତ୍ତନକୁ ଭଲ ଭାବରେ ଦେଖୁଥାଏ । ଏ କି ବିଚିତ୍ରତା? ଚାହୁଁଚାହୁଁ ଏହା ହଠାତ୍ ଦୁଇଗୁଣ, ଚାରିଗୁଣ, ଆଠଗୁଣ ଓ ଶେଷରେ ଷୋହଳଗୁଣ ହୋଇଯାଏ । ମୁଁ ଆତ୍ମା ହୋଇ କେଉଁଥିରେ ଲିପ୍ତ ନଥାଇ ମଧ୍ୟ ପରମାତ୍ମାଙ୍କ ମିଳନର କାମନାରେ ମୁଁ ବି ସେତେବେଳକୁ ସତେଯେମିତି ଧୀରେଧୀରେ ମାୟାଶକ୍ତ ହେବାରେ ଲାଗିଥାଏ । 
      ସନାତନ ଗଣନାକରେଯେ ଯଦି ଯୁଗ୍ମଜଟିର ପ୍ରକୃତରେ ସୃଷ୍ଟି ଘଟିଥିବ ତେବେ ତାହାର ସମବିଭାଜନ ହୋଇଥିବ ଏବଂ ପ୍ରଥମେ ଏହି ସମ ବିଭାଜନ ଦ୍ୱାରା ଯୁଗ୍ମଜ କୋଷଟି ଦୁଇଟି କୋଷରେ ବିଭାଜିତ ହେବ । ସେହି ଦୁଇଟି କୋଷର ପୁଣି ସମବିଭାଜନ ହୋଇ ଚାରୋଟି ଓ ଚାରୋଟି ପୁଣି ଆଠଟି ଓ ଶେଷରେ ସେହି ଆଠଟି କୋଷର ସମବିଭାଜନ ଘଟି ଷୋହଳଟି କୋଷରେ ପରିଣତ ହୋଇ ତାହା ହେବ ଆଦ୍ୟଭୃଣ । ଯାହାକୁ ଡାକ୍ତରୀ ଭାଷାରେ କୁହାଯାଏ  
“ମୋରୁଲା” । ଏହି ମୋରୁଲା ଫଲୋପିଆନୋ ନଳୀ ଭିତରୁ ଧୀରେଧୀରେ ଗର୍ଭାଶୟକୁ ଗତି କରି ତିନିଦିନରୁ ପାଞ୍ଚଦିନ ପରେ ଗର୍ଭାଶୟରେ ଭାଷିବା ଆରମ୍ଭ କରିବ । ଏହି ସମ ବିଭାଜନ ପ୍ରକ୍ରିୟା ଯଦିଓ ଅତି ସୂକ୍ଷ୍ମଭାବେ ସଂଗଠିତ ହୋଇଥାଏ ତଥାପି ଏହାର ପାରିପାଶ୍ୱିର୍କ ପରିସ୍ଥିତି ଏହାର ବେଗ ଉପରେ ନିର୍ଭର କରେ । କିନ୍ତୁ ସନାତନର ଏସବୁ ଗଣନା ଘଟି ପାରେ ଅବା ନଘଟି ପାରେ କାରଣ ସେ ଜାଣିନି ବାସ୍ତବରେ ଶୁକ୍ରାଣୁ ଡିମ୍ବାଣୁ ସହିତ ମିଶିଛି ନା ନାହିଁ ।
      ଷୋଡଶ ଦିନ ବେଳକୁ ମୋର ମାଧ୍ୟମ ପ୍ରକୃତିର ନିୟମ ଅନୁସାରେ ଧୀରେ ଧୀରେ ଗର୍ଭାଶୟ ଆଡକୁ ଗତି କରୁଥାଏ । ଜଠର ସଲଗ୍ନ ନଳୀ ମୋତେ ସେତେବେଳେ ଗୋଟିଏ ବିରାଟ ଅନ୍ଧକାରମୟ ଗୁମ୍ଫା ପରି ମନେ ହେଉଥାଏ । ତଥାପି ମୋ ଅଧିଷ୍ଠିତ ଶରୀର ଆଗକୁ ଆଗକୁ ମାଡି ଚାଲୁଥାଏ । ମୁଁ ଜାଣିଥିଲି ଏହି ଜଠର ସଲଗ୍ନ ନଳୀ ଭିତରୁ ଗର୍ଭାଶୟ ଭିତରେ ପହଞ୍ôଚବାକୁ ମୋ ମାଧ୍ୟମକୁ କେତେଦିନ ଲାଗିବ । ମୁଁ କିନ୍ତୁ ଏକ ନିରାମୟ ଆନନ୍ଦରେ ତା ଭିତରେ ମୋର ଶେଷ ପଥର ଯାତ୍ରୀ ହୋଇ ସାରିଥାଏ । ଭୃଣଟିର ଗତି ମୋତେ ଗୋଟିଏ ଚଳନ୍ତା ରଥର ଗତିପରି ମନେ ହେଉଥାଏ । ସତେଯେମିତି ମୋ ମାଧ୍ୟମକୁ ଆଗରୁ କିଏ ଧୀରେ ଧୀରେ ଟାଣିବାରେ ଲାଗିଛି ।
      ସନାତନର ମନ କିନ୍ତୁ ବ୍ୟାକୁଳ । ଯେଉଁଦିନ ସତ୍ତ୍ୱରୀମାର ପୁନଃ ରଜସ୍ୱଳା ହେବାର ଦିନ ଉପସ୍ଥିତ ହେବ, ସେ ଜାଣେ ସେହିଦିନ ହିଁ ସତ୍ତ୍ୱରୀମାର ପ୍ରସାବ ପରୀକ୍ଷା କରି ଜାଣିପାରିବ ପ୍ରକୃତରେ ସତ୍ତ୍ୱରୀମା ଗର୍ଭବତୀ ହୋଇଛି ନା ନାହିଁ । ଅବଶ୍ୟ ଗର୍ଭବତୀ ହେବା ମାନେ ନାରୀମାନଙ୍କର ଆଉ ମାସିକ ରଜଃସ୍ଖଳନ ହୁଏ ନାହିଁ । ମାତ୍ର ସବୁ ନାରୀଙ୍କର ମାସର ନିର୍ଦ୍ଧିଷ୍ଟ ପାଞ୍ଚ ଦିନରେ ହୋଇପାରେ ନାହିଁ । ପ୍ରକୃତିର ସ୍ଥିରୀକୃତ ନିୟମ ଅନୁସାରେ ଯଦି ନାରୀର ଶାରିରୀକ ସୁସ୍ଥତା ସମ୍ପୂର୍ଣ୍ଣ ଠିକ୍ ଥିବ ତେବେ ସେ ପାଞ୍ଚଦିନର ମାସିକ ଚକ୍ରରେ ଆଦ୍ୟୈ ପରିବର୍ତ୍ତନ ଦେଖାଯାଇ ନଥାଏ । କିନ୍ତୁ ସେମିତି ଶାରିରୀକ ରୂପେ ସମ୍ପୂର୍ଣ୍ଣ ସୁସ୍ଥ ନାରୀ ବହୁତ କମ୍ ଥାନ୍ତି । ତେଣୁ ସେମାନଙ୍କର ଋତୁଚକ୍ର ଟିକେ ଆଗ ପଛ ହୋଇଥାଏ । କିନ୍ତୁ ଏଠାରେ ସନାତନ ଆଗରୁ ବୁଝି ସାରିଛି ଯେ ସତ୍ତ୍ୱରୀମାର ଋତୁଚକ୍ରରେ କୈାଣସି ପରିବର୍ତ୍ତନ ହୁଏ ନାହିଁ । ତା’ର ସୁନ୍ଦରତା ହିଁ ତା’ର ଶାରିରୀକ ସୁସ୍ଥତାର ପରିପ୍ରକାଶ । ତେଣୁ ସେ ଜାଣେ ତା’ର ଆସନ୍ତା ଋତୁଚକ୍ରର ପ୍ରଥମ ଦିନ ହିଁ ସେ ପରୀକ୍ଷା କରି ଜାଣିପାରିବ ତା’ର ଗଣନା ଗୁଡିକ ଠିକ୍ ନା ଭୁଲ୍ । 
      ସତ୍ତ୍ୱରୀମା ମନରେ କିନ୍ତୁ ଏ ବିଷୟରେ ଭାବନା ହିଁ ନାହିଁ । ସେ ସ୍ୱାମୀ, ଶାଶୁ ଓ ଶ୍ୱଶୁର ସେବାରେ ଯେତିକି ନିମଗ୍ନ ଭଗବାନଙ୍କ ପାଖରେ ପୂଜାର୍ଚ୍ଚନାରେ ତାଠାରୁ ଆହୁରି ଅଧିକ ତଲ୍ଲୀନ ଥାଏ । ତା ମୁହଁରେ ନଥାଏ ବିରଷର ଭାବ ନା ବିରକ୍ତିର ପରିପ୍ରକାଶ । ଏକ ପ୍ରଶାନ୍ତ ମନରେ ସେ ତା’ର ମନର ମଣିଷର ସାନିଧ୍ୟରେ ଦିନ ଗୁଡିକ କାଟିଚାଲି ଥାଏ । ମଝିରେ ମଝିରେ ନିଜ ବାପା  ବୋଉଙ୍କ ସହ ଫୋନ୍‌ରେ କଥା ହୋଇ ସେମାନଙ୍କର ଅପାସୋରା ସ୍ନେହକୁ ମନେପକାଇ ସେମାନଙ୍କ ମନରେ ଥିବା କନ୍ୟା ବିଚ୍ଛେଦର  ଯେଉଁ ଗ୍ଳାନି ତାକୁ ଦୂର କରିବାକୁ ଚେଷ୍ଟା କରେ ।
      ସପ୍ତଦଶ ଦିନ ବେଳକୁ ମୋ ମାଧ୍ୟମ ମାତ୍ର ଅଳ୍ପ କିଛିବାଟ ଅତିକ୍ରମ କରିବାକୁ ସକ୍ଷମ ହୋଇଥାଏ । ମୋତେ କାହିଁକି ଲାଗୁଥାଏ ଉଲ୍ୱ ସଲଗ୍ନ ନଳୀଟିର ଦୀର୍ଘତା ସତେଯେମିତି ବହୁତ ଲମ୍ବ । ସର୍ବମୋଟ ସାତରୁ ଆଠ ସେଣ୍ଟି ମିଟର ଯାତ୍ରା ମୋତେ ଯୋଜନ ମାଇଲ୍ ପରି ମନେ ହେଉଥାଏ । ମନରେ ଗୋଟିଏ ଭାବନା ଥାଏ ସତେଯେମିତି ଏ ନଳୀଟିରୁ ମୋ ଶରୀର ବାହାରିଗଲେ ବହୁତ ଆନନ୍ଦ ଲାଗିବ । ଗର୍ଭାଶୟରେ ବିଚରଣ କରିବାକୁ ପ୍ରଶସ୍ତ ସ୍ଥାନ ମୋତେ ମିଳିଯିବ । ସେଠାରେ ଏଭଳି ଅଣନିଶ୍ୱାସୀ ହୋଇ ସଂକୀର୍ଣ୍ଣ ସ୍ଥାନରେ ଆଉ ରହିବାକୁ ପଡିବ ନାହିଁ । ସେ ସ୍ଥାନ ଏ ସ୍ଥାନଠାରୁ ଆହୁରି ଆଲୋକିତ ଥିବ । ସେ ଆଲୋକିତ ସ୍ଥାନରେ ମୁଁ ନିଜକୁ ଖୁବ୍ ଆଶ୍ୱସ୍ତି ମନେ କରିବି । ହେଲେ ପରମାତ୍ମାଙ୍କୁ ଧ୍ୟାନ କରିବା ପାଇଁ ଅତିଶୟ ଦୁଃଖ କିମ୍ବା ଅତିଶୟ ଆନନ୍ଦର ଆବଶ୍ୟକତାର ଗୁରୁତ୍ୱ ଯଥେଷ୍ଟ । ତେଣୁ ଏ ଉଲ୍ୱ ସଲଗ୍ନ ନଳୀ ଭିତରେ ମୁଁ ମୋର କଷ୍ଟକୁ ସେହି ପରମାତ୍ମାଙ୍କ ଧ୍ୟାନରେ ବିନିଯୋଗ କରିବାକୁ ମନସ୍ଥ କରୁଥାଏ । ମୁଁ ଆଉ ମୋର ଗତି ଓ ବେଗ ବିଷୟରେ ଚିନ୍ତା ନକରି ସେହି ପରମପଦଙ୍କ ଧ୍ୟାନରେ ବୁଡି ରହିଲେ ହିଁ ମୋର ଶେଷ ଯାତ୍ରା ସଫଳ ହେବ । ନଚେତ୍ କୈାଣସି ଆଳରେ ପୁଣି ସେ ପରମାତ୍ମା ମୋତେ ନିରାଶ କରିଦେଇ ପାରନ୍ତି ।
      କଥାରେ ଅଛି ମନୁଷ୍ୟ ଯେତେବେଳେ କୈାଣସି ବିଚାର କରିବାକୁ ଅସମର୍ଥ ହୁଏ, କେଉଁଟି କରିବା ଉଚିତ୍ ଓ କେଉଁଟି କରିବା ଉଚିତ୍ ନୁହେଁ ତାହା ଜାଣିପାରେ ନାହିଁ ଓ କଣ କଲେ ନିଜର ଓ ସମାଜର ମଙ୍ଗଳ ହେବ ତାହା ତା’ର ଦ୍ୱନ୍ଦଭିତରେ ରୁହେ ସେତେବେଳେ ବଡମାନେ ତାକୁ ଉପଦେଶ ଦିଅନ୍ତି ନିଜ ଆତ୍ମାକୁ ପଚାରେ । ନିଜ ବିବେକକୁ ପଚାରେ । ସେ ଯାହା କହିବ ସେଇଆ କରିବୁ । ଏହା ହିଁ ଚିରସତ୍ୟ । ଏ ମାନବ ଯେତେବେଳେ ଅସହାୟ ହୋଇ ଧ୍ୟାନରେ ମୋ କଥା ଶୁଣିବାକୁ ଚେଷ୍ଟା କରେ ମୁଁ ସେତେବେଳେ ତାକୁ ସଦ୍‌ବୁଦ୍ଧି ଓ ସତ୍ ବାଟ ହିଁ ଦେଇଥାଏ । ହେଲେ ମୋ ଉପଦେଶକୁ ଶୁଣିକରି ବୁଝିବା ପାଇଁ ସାଧାରଣ ମାନବମାନଙ୍କ ପାଖରେ ଶକ୍ତି ନଥାଏ । 
      ଯେଉଁମାନେ ମୋ କଥାକୁ ଅନୁଭବ କରିବାରେ ସକ୍ଷମ ସେମାନେ ହେଲେ ଏ ସଂସାରରେ ମନିଷୀ । ସେମାନେ ଅମରତ୍ୱ ଲଭନ୍ତି । ଆଉ ସେଭଳି ମହାମାନବ ମାନଙ୍କର ଶରୀରରେ ମୁଁ ଯଦି ଯଧିଷ୍ଠାନ କରେ ତେବେ ମୋର ସେ ପରମପାଦଙ୍କ ଶରୀରରେ ଲୀନ ହେବା ସୁନିଶ୍ଚିତ ।  ହେଲେ ଆଜି ମୁଁ ଏଠି ବହୁତ ଭାଗ୍ୟବାନ କାରଣ ସତ୍ତ୍ୱରୀମା ପରି ଜଣେ ପୂଣ୍ୟତୟା ନାରୀ ଶରୀରରେ ମୁଁ ବିଦ୍ୟମାନ । ଏହା ମଧ୍ୟ ନିସନ୍ଦେହ ଯେ ବର୍ତ୍ତମାନ ମୁଁ ଯେଉଁ ଶରୀର ଭିତରେ ସ୍ଥାନିତ ସେ ହେବ ଜଣେ ଯୋଗଯନ୍ମା । ଆଉ ସେ ମୋର ପରାମର୍ଶ ବିନା କିଛିବି କରିବ ନାହିଁ ଏହା ମୋର ଦୃଢ ବିଶ୍ୱାସ । ଅଷ୍ଟାଦଶ ଦିନରେ ସନାତନ ନିଜ ପରୀକ୍ଷାଗାରରେ ବସି ଅନୁଧ୍ୟାନ କରେ । ଆସନ୍ତା ଦୁଇଦିନ ଭିତରେ ବିକଷିତ ଆଦ୍ୟ ଭୃଣଟି ଏକାନ୍ତ ରୂପେ ଗର୍ଭାଶୟରେ ଯତ୍ନର ସହିତ ପ୍ରବେଶ କରିବାର ଅଛି । ଯଦି କୈାଣସି କାରଣ ବସତଃ ଭୃଣଟି ଜଠରରେ ପହଞ୍ôଚ ନପାରେ ଆଉ ସେହି ଫଲୋପିଆନୋ ନଳୀ ଭିତରେ ହିଁ ନିଜ ସହିତ ଏକ ସୂକ୍ଷ୍ମ କୋଷିକା ଦ୍ୱାରା ସଂଯୁକ୍ତ ହୋଇଯାଏ ତେବେ ତାହା ଏକ ଅସ୍ୱାଭାବିକ ଗର୍ଭରେ ପରିଣତ ହେବ । ସେଠାରେ ଗର୍ଭସ୍ଥ ସନ୍ତାନର ବିକାଶ, ବୃଦ୍ଧି ଓ ଜନ୍ମ ସମ୍ପୂର୍ଣ୍ଣ ବାଧା ପ୍ରାପ୍ତ ହୋଇପାରେ । ତେଣୁ ଏହି ସମୟରେ ଆଦ୍ୟ ବିକଷିତ ଭୃଣର ଫଲୋପିଆନୋ ନଳୀ ମଧ୍ୟରୁ ଗର୍ଭାଶୟ ଭିତରକୁ ଗତି ଅତି ସହଜ ଓ ପ୍ରତିବନ୍ଧକ ଶୂନ୍ୟ ହେବା ଅତ୍ୟନ୍ତ ଆବଶ୍ୟକ । ମା’ର ଏ ସମୟରେ ଶରୀରର ସୁସ୍ଥତା, ମନର ଶାନ୍ତି ସବୁକିଛି ଏଇ ଭୃଣର ଗତୀକୁ ମଧ୍ୟ ପ୍ରଭାବିତ କରେ । ତେଣୁ ସନାତନ ଏସବୁ ଦୃଷ୍ଟିରୁ ମନ ମଧ୍ୟରେ ବିଚାରକରି ସତ୍ତ୍ୱରୀମାକୁ ତା’ ଅଜାଣତରେ ସେହିପରି ପରିବେଷ୍ଟନୀର ସୁଯୋଗ ଦିଏ ।
      ଆଜି ମୋର ବିଂଶତମ ଦିନ । ମୁଁ ମୋର ଚିନ୍ତା ଚୈତନକୁ ଏକାକାର କରି ପରମଯୋଗରେ ନିମଗ୍ନ ଥାଏ । ମୋତେ ଏହି ଚାରିଦିନର ଯାତ୍ରା ଅନେକ କଷ୍ଟ ଦେଇ ସାରିଥାଏ ସତ ମାତ୍ର ଶ୍ରେୟ ସୁଖର ଆଶାରେ ମୁଁ ସେସବୁ କଷ୍ଟକୁ କଷ୍ଟ ବୋଲି ଆଦ୍ୟୈ ମଣୁ ନଥାଏ । ସେ ଅନ୍ଧକାର ଓ ସଂକୀର୍ଣ୍ଣ ସ୍ଥାନର ଘନଘଟା ମୋତେ ଆଉ ସେତେ ବିବ୍ରତ କରିପାରୁ ନଥାଏ । ଏହା ମଧ୍ୟ ମୁଁ ଉଲ୍ୱ ସଲଗ୍ନ ନଳୀ ଭିତରେ ଦେଖିଛି ଆମେ ଯେତେବେଳେ ପାଖାପାଖି ଏକଶତ ଶୁକ୍ରାଣୁ ପରିପକ୍ୱ ଡିମ୍ବାଣୁଟିକୁ ଭେଦକରିବା ପାଇଁ ଡିମ୍ବାଣୁ ସନ୍ନିକଟରେ ପହଞ୍ôଚଥିଲୁ ମୋ ବ୍ୟତିତ ପ୍ରାୟ ସମସ୍ତେ ପରାସ୍ତ ହୋଇଥିଲେ । ପରାଜିତ ସମସ୍ତ ଆତ୍ମା ଯେତେବେଳେ ସେ ସ୍ଥାନ ପରିତ୍ୟାଗ କରି ଚାଲି ଯାଇଥିଲେ ସେତେବେଳେ ସେମାନଙ୍କର ଅଧିଷ୍ଠିତ ଘଟମାନ ସବୁ ମୃତ ଅବସ୍ଥାରେ ପଡି ରହିଥିଲା । ସେମାନଙ୍କର ମୃତ ଦେହ ଗୁଡିକରୁ ଏକ ପ୍ରକାର ଦୁର୍ଗନ୍ଧ ମଧ୍ୟ ଆସୁଥିଲା । ସେମାନଙ୍କର ଅଧିଷ୍ଠିତ କଳେବର ଗୁଡିକ ମୋରି ଭଳି ଏତାଦୃଶ୍ୟ ହୋଇଥିବାରୁ ସେମାନଙ୍କର ମର ଶରୀର ଗୁଡିକରୁ ଆସୁଥିବା ପୂତିଗନ୍ଧ ମୋତେ ଆକଣ୍ଠ କରିବାକୁ ଲଗିଥିଲା । 
      ତୁମେ ଆଉ ଆଶ୍ଚର୍ଯ୍ୟ ହୁଅ ନାହିଁ ଯେ ମୁଁ ତ ଆତ୍ମା ଆଉ ମୋତେ ପୁଣି ଦୁର୍ଗନ୍ଧ ଓ ସୁଗନ୍ଧ କାହିଁକି ବା ଆକଣ୍ଠ କରିବ । ଏହାର ସର୍ବଶ୍ରେଷ୍ଠ କାରଣ ହେଉଛି ବର୍ତ୍ତମାନ ମୁଁ ଅବିଦ୍ୟା ସଂସାରର ମାୟା ଫାନ୍ଦରେ ପଡିଗଲାଣି । ମଙ୍ଗଳମୟ ପରମାତ୍ମାଙ୍କ ଶରୀରରେ ମିଶିବାର ଆସକ୍ତିରେ ମୁଁ ଆଜି ମୋର ମୈାଳିକ ଅସ୍ତିତ୍ୱ ସହିତ ସଂସାରର କୁହୁକ ଛିଟାରେ ଭିଜିବାକୁ ଲାଗିଲାଣି । ବୋଧହୁଏ ମୁଁ ବର୍ତ୍ତମାନ ଏ ଶରୀରର କ୍ଳିଷ୍ଟ ଅବା ସୁଖରୁ ଆଉ ବଞ୍ôଚତ ହୋଇ ରହି ନପାରେ । ମୋତେବି ତା ଭିତରେ ଘାଣ୍ଟି ହେବାକୁ ପଡିବ । ଫରକ ଏତିକି ଅନ୍ୟ ଆତ୍ମାମାନଙ୍କ ଭଳି ମୁଁ କୈାଣସି ପଥଭ୍ରଷ୍ଟ  ଶରୀର ଭିତରେ ପ୍ରବେଶ କରିନି । ଯେହେତୁ ମୁଁ ଗୋଟିଏ ପୂଣ୍ୟ ଘଟରେ ପ୍ରବେଶ କରିଛି ମୁଁ ହେବି ପୂଣ୍ୟତ୍ମା ଓ ଏ ସଂସାର ମାୟା ଚକ୍ରକୁ  ଭେଦ କରିବାକୁ ସକ୍ଷମ । ତେଣୁ ମୋତେ ଏବେଠାରୁ ଏ ସଂସାର ଜୀବନର ସାଂସାରିକ ଗତି ପ୍ରଭାବିତ ଯେ କରିବ ଏଥିରେ ସନ୍ଦେହ ନାହିଁ । ମୁଁ ଆଜି ଏକ ସୂକ୍ଷ୍ମ ଶରୀରରେ ଅବସ୍ଥିତ ଯାହା ମନୁଷ୍ୟର ଖାଲି ଆଖିକୁ ଦୃଶ୍ୟମାନ ନହୋଇପାରେ ସତ ମାତ୍ର ସେ ସୂକ୍ଷ୍ମ ଶରୀରରେ ଜୀବନର ସମସ୍ତ ପଞ୍ଚମାହାଭୁତ ଉପସ୍ଥିତ । ସେମାନେ ହିଁ ମୋର ଅଧିଷ୍ଠିତ ଶରିରର ଲାଳନପାଳନରେ ବିନା ପ୍ରତିବାଦରେ ଲାଗି ପଡିଛନ୍ତି । 
      ସନାତନ, ସତ୍ତ୍ୱରୀମା ଓ ନିଜକୁ ମୁଁ ସେତେବେଳେ ଭଲ ଭାବରେ ପ୍ରତି ମୁହୁର୍ତ୍ତରେ ଅନୁକ୍ଷଣ କରି ଚାଲିଥାଏ । ଏକଥା ସତ ଯେ ସନାତନର ମୋ ଅଧିଷ୍ଠିତ ଶରୀରର ବୃଦ୍ଧି ଓ ବିକାଶରେ ଆଉ କିଛି ପ୍ରତ୍ୟେକ୍ଷ ଭାଗିଦାରି ନାହିଁ । ହେଲେ ସେ ଯେହେତୁ ଏ ଜୀବନର ଆଦ୍ୟ ମାଧ୍ୟମ ସେ ହେଲେ ଏ ସ୍ଥୁଳ ଶରୀରର ସ୍ରଷ୍ଟା । ତା’ର ପ୍ରତିଟି ଚିନ୍ତାଧାରା ଓ କାର୍ଯ୍ୟ ମୋ ଅଧିରୁଢ ଶରୀରର ବିକାଶରେ ସାହାଯ୍ୟ କରିବ ଏଥିରେ ସନ୍ଦେହ ନାହିଁ । ସେ ମଧ୍ୟ ନିଜ ବିଜ୍ଞାନୀ ଦର୍ଶନର ଏକ ପରୀକ୍ଷା ସହିତ ପିତୃତ୍ୱର ଆନନ୍ଦରେ ଆଜି ଅଭିଭୁତ । ପ୍ରତି ମୁହୁର୍ତ୍ତରେ ସତ୍ତ୍ୱରୀମା ଓ ମୋ ବିଷୟରେ ସେଇଥିପାଇଁ ସେ ଚିନ୍ତିତ ।
      ସତ୍ତ୍ୱରୀମା କଥା ଅଧିକ କଣ କହିବି । ତା’ ବିନା ମୋର ଗତି ନହିଁ । ବର୍ତ୍ତମାନ ସେ ମୋର ମା’ । ଏହାହିଁ ସତ୍ୟ ଯେ ମା’ ବିନା ଏ ସଂସାରରେ ମାୟା ହିଁ ନାହିଁ ।  ମା’ ଜନ୍ମ ନଦେଲେ ମାୟା ଗ୍ରାସିବ ବା କିପରି? ମା’ ହିଁ ଯେତେବେଳେ ଗର୍ଭରେ ଧାରଣ କରେ ସେହି ମୁହୁର୍ତ୍ତରୁ ହିଁ ମାୟା ଜୀବକୁ କବଳିତ କରେ । ସୃଷ୍ଟି ଆଦ୍ୟରୁ ମା’ର ଶ୍ରେଷ୍ଠତା ରହିଆସିଛି । ଆଗକୁ ମଧ୍ୟ ଚିରକାଳକୁ ରହିବ ଏଥିରେ ଦ୍ୱିମତ କେହି ହୋଇପାରିବେ ନାହିଁ । ଏ ଭବସଂସାରରେ  ବିଶେଷ କରି ମନୁଷ୍ୟ କ୍ଷେତ୍ରରେ ଗର୍ଭାଶୟରେ ସନ୍ତାନଟିଏ ସ୍ଥାନିତ ପରଠାରୁ ମା’ ମଲା ପର୍ଯ୍ୟନ୍ତ ଜୀବନ ଚକ୍ରରେ ସନ୍ତାନର ସୁଖ ଚିନ୍ତା ତାକୁ ଛାଡିପାରେ ନାହିଁ । ମା’ର ମୂଲକୁ କେହିବି ଦେଇ ପାରିନାହାନ୍ତି । 
      ସତ୍ତ୍ୱରୀମାର ପରିବାର ଆଜି ସେମିତି ନିତିଦିନର ଆନନ୍ଦ ଉଲ୍ଲାସରେ ଗତିଶୀଳ । ପରିବାରରେ ସମସ୍ତଙ୍କ ଜୀବନ ସେମିତି ଚଳଚଞ୍ଚଳ । ସତ୍ତ୍ୱରୀମାର ଶାଶୁଙ୍କ କଥା ନକହିବା ଭଲ । ସତ୍ତ୍ୱରୀମା ପରି ବୋହୁ ପାଇ ତାଙ୍କ ପାଦ ବେଳେବେଳେ ତଳେ ଲାଗୁନଥାଏ । ସତ୍ତ୍ୱରୀମାର ଜୀବନ ଶୈଳୀରେ ସେ ଖୁବ୍ ଖୁସି । ବେଶୀ ଖୁସିଲାଗେ ତାଙ୍କୁ ସତ୍ତ୍ୱରୀମାର ଭଗବାନଙ୍କ ପ୍ରତିଥିବା ଭକ୍ତି ଓ ଅନୁରକ୍ତି । ଶାନ୍ତ ସରଳ ମନୋଭାବରେ ପରିବାରର ସମସ୍ତଙ୍କୁ ଯଥୋଚିତ ସ୍ନେହରେ ଆବଦ୍ଧକରି ରଖିପାରିଥିବା ତା’ ଗୁଣ ମଧ୍ୟ ସନାତନର ମା’ ଙ୍କୁ ଆହୁରି ଆନନ୍ଦିତ କରେ । ସେ ବି ମନେମନେ ଭାବନ୍ତି କେଉଁ ଜନ୍ମରେ କି ପୂଣ୍ୟ କରିଥିଲେ କେଜାଣି ସେ ସତ୍ତ୍ୱରୀମା ଭଳି ବୋହୁଟିଏ ତ ନୁହେଁ ଝିଅଟିଏ ଆଜି ତାଙ୍କର ଅତି ଆଦରର ଗେହ୍ଲାପୁଅ ସନାତନ ପାଇଁ ଖୋଜି ପାଇ ପାରିଛନ୍ତି । ସନାତନର ପିତାଙ୍କ କଥା ଆହୁରି ମଧୁର । ରାଜବଂଶର ରାଜଠାଣି ନଯାଇଥିଲେ ସୁଦ୍ଧା ସେ 
       ସତ୍ତ୍ୱରୀମାର ଆଚାର ସଂହିତାରେ ଖୁବ୍ ଗର୍ବିତ । ତାଙ୍କ ଜୀବନରେ ତାଙ୍କ ସମର୍ଥୀତ ପ୍ରଜାମାନଙ୍କର ସବୁ ସୁଖ-ଦୁଃଖ ଅଭାବ-ଅସୁବିଧାରେ ଛିଡା ହୋଇଛନ୍ତି ଆଉ ଅନେକ ସୁବିଚାର ମଧ୍ୟ କରିଛନ୍ତି । ହେଲେ ଏଭଳି ଏକ ନୀରଳସ, ଶାନ୍ତିପ୍ରିୟ ଜୀବନ ସେ କାହିଁ କେଉଁଠାରେ କେବେ ଦେଖି ନଥିଲେ । ତାଙ୍କ ଜୀବନ କାଳରେ ଜାଣିଶୁଣି କୌଣସି ପ୍ରଜାପ୍ରତି ସେ କାବେବି ଅନ୍ୟାୟ କରିନାହାନ୍ତି ।  ସେ ଆଜି ପ୍ରତି ମୁହୁର୍ତ୍ତରେ ଖୁସି ଅନୁଭବ କରୁଛନ୍ତି । ତାଙ୍କ ସେହି ଜୀବନଯାକର ସତ୍ୟ ସାଧନାର ଫଳ ଆଜି ବୋଧ ହୁଏ ସତ୍ୱରୀମା । ସେ ବି ଦୃଢତାର ସହିତ ବିଶ୍ୱାସ କରନ୍ତି ସତ୍ୱରୀମାର ସନ୍ତାନ ଏ ବଂଶର ପରମ୍ପରା ଓ ଆଦର୍ଶକୁ ନିଶ୍ଚିତ ରୁପେ ଅକ୍ଷୁର୍ଣ୍ଣ ରଖିବ ଏଥିରେ ସନ୍ଦେହ ନାହିଁ । ଏ ସବୁ କଥା ଗୁଡିକ ମୋତେ ସେତେ ପ୍ରଭାବିତ କରୁନଥିଲେ ମଧ୍ୟ ଯେହେତୁ ମୁଁ ମାୟା ଜଗତରେ ପ୍ରବେଶ କରିଗଲାଣି ସ୍ୱତଃ ମୋର ଚିନ୍ତା ଶକ୍ତି, ଅନ୍ୟକୁ ପରଖିବାର ଶକ୍ତି ସେମାନଙ୍କ ପାଖକୁ ଟାଣି ନେଇଯାଉଥାଏ ।
      ଆଜି ମାସର ଚତୁର୍ଥ ସପ୍ତାହର ଆଦ୍ୟ ଦିନ ଅର୍ଥାତ ଦ୍ୱାବିଂଶ ଦିବସ । ମୋର ଯାତ୍ରା ଉଲ୍ୱସଲଗ୍ନ ନଳୀ ଭିତରୁ ଥିରିଥିରି ଆସି ଗତକାଲି ସୁଧା ନଳୀଟିର ଶୀର୍ଷଦେଶ ଅର୍ଥାତ ଜରାୟୁର ନିକଟ ପ୍ରାନ୍ତରେ ପହଞ୍ôଚ ସାରିଥାଏ । ମୁଁ ସେହି ଭିତର ପ୍ରାନ୍ତରୁ ଯେତେବେଳେ ଗର୍ଭାଶୟର ବିସ୍ତୀର୍ଣ୍ଣତାକୁ ଦେଖି ଦେଲି ମୋତେ କାହିଁକି ଖୁସି ହେବା ପରିବର୍ତ୍ତେ ଭୟ ଲାଗିବା ଆରମ୍ଭ ହୁଏ । ଦୀର୍ଘ ଏକ ସପ୍ତାହର ତମସାଛନ୍ନ ଗହ୍ୱରରୁ ବାହାରି ଯିବା ପାଇଁ ଥିବା ମୋ ମନର ଆସକ୍ତି, ଗର୍ଭାଶୟର ମୋ ସ୍ଥିତ ଶରୀରର ଆକାର ତୁଳନାରେ ବ୍ୟାପକତା ଦେଖି ମୋ ଦେହ କାହିଁ ସିହରି ଉଠେ । ମୋତେ ଯେପରି ସେ ଉଲ୍ୱଟି ଏକ ନିର୍ଜ୍ଜନ ଦ୍ୱୀପ ଭଳି ଦୃଶ୍ୟମାନ ହେଉଥାଏ । 
      ମୋ ଶରୀରର ବୃଦ୍ଧିପାଇଁ ଏଭଳି ନିର୍ଜ୍ଜନ ପରିବେଶ ବୋଧହୁଏ ଏକାନ୍ତ ଆବଶ୍ୟକ ନଚେତ୍  ପରଂବ୍ରହ୍ମ  ପରମାତ୍ମା ଏପରି ସର୍ଜନା କରିଥାନ୍ତେ ବା କାହିଁକି? ତେଣୁ ଏଥିରେ ବିଚଳିତ ହେବାର ମାନେ କିଛି ନାହିଁ ବୋଲି କ୍ଷଣେକ୍ଷଣେ ମୋ ମନ ଆନ୍ଦୋଳିତ ମଧ୍ୟ ହେଉଥାଏ । ପୂର୍ବରୁ ଅନେକ ଯୋନିଜନ୍ମରେ ମୁଁ ମୋର ଅଧିଷ୍ଠିତ ଶରୀରର କାୟା ବିସ୍ତାର ଦେଖିଛି ଆଉ ସେ ସବୁ କଷ୍ଟକୁ ମଧ୍ୟ ମୁଁ ସହ୍ୟ କରିଛି । ତେଣୁ ଇଏ କଷ୍ଟ ସେଇ ଭଳି ତ ନିଶ୍ଚୟ ହେବ । ହେଲେ ଏ ଯୋନି ଜନ୍ମର ଯନ୍ତ୍ରଣା ମୋ ଜୀବନ ବୃତ୍ତାନ୍ତର ଶେଷ ଯନ୍ତ୍ରଣା ଯେ ହେବ ତାହା ମୁଁ ଆଶା ବାନ୍ଧି ବସିଥାଏ । କାରଣ ଆଜି ମୁଁ ଦୁର୍ଲ୍ଲଭ ଜନ୍ମ ମନୁଷ୍ୟର ମାଧ୍ୟମ ଦେଇ ମୋର ଶେଷ ଲକ୍ଷ ପର୍ଯ୍ୟନ୍ତ ଏଠି ଯାତ୍ରୀ ।
      ସୌଭାଗ୍ୟ ବସତଃ ମୁଁ ଆଜି ସନାତନ ପରି ପବିତ୍ର ଆତ୍ମାର ନିଷେକ ମାଧ୍ୟମ ଦେଇ ସତ୍ତ୍ୱରୀମା ପରି ପୁତଃ ଶରୀରର ଗର୍ଭରେ ଅବସ୍ଥିତ । ତେଣୁ ଏ କଷ୍ଟ ମୋ ପାଇଁ ମହାଆନନ୍ଦ ହେବା କଥା     
ବୋଲି ମୁଁ ବିଚାର କରୁଥାଏ । ଗତ ରାତିରୁ ଗର୍ଭାଶୟର ଦ୍ୱାର ଦେଶରେ ପହଞ୍ଚୁ ପହଞ୍ଚୁ 
ଗର୍ଭାଶୟର ବିଶାଳତା ଦେଖି ମୋ ମନରେ ଏମିତି ଅନେକ କଥା ଉଙ୍କିମାରି ଚାଲିଥାଏ ।
      ସନାତନର କଥା କିନ୍ତୁ ଭିନ୍ନ । ସେ ଆଜି ଗଣନା କରୁଛି ଯେହେତୁ ଚତୁର୍ଥ ସପ୍ତାହର ଆରମ୍ଭ ତେଣୁ ବିକଷିତ କୋଷଟି ଫଲୋପିିଆନ୍ ନଳୀ ଭିତରୁ ଗର୍ଭାଶୟରେ ପ୍ରବେଶ କରିବାର ସମୟ ଆସି ଉପନୀତ । ଆଜି ହଉ କିମ୍ବା ଆସନ୍ତା କାଲି ହେଉ ତାହା ଗର୍ଭାଶୟରେ ପତିତ ହେବ । ବିକଷିତ ଯୁଗ୍ମଜ ମଧ୍ୟରେ କୋଷ ବିଭାଜନ ଘଟି ଚାଲିଥିବ । ଯୁଗ୍ମଜର ଆଦ୍ୟାବସ୍ଥାରେ ଯୁଗ୍ମଜଟି ଉପରେ ଥିବା ତିନିଗୋଟି ସୂକ୍ଷ୍ମ ଆସ୍ତରଣ ଓ ଅନ୍ତର୍ନିହିତ ସୂକ୍ଷ୍ମ ବସ୍ତୁତ୍ୱରୁ ସୃଷ୍ଟି ହୋଇଥିବ ଏକ କେଶର ଥଳି ଯାହା ଭୃଣଟିରେ ରକ୍ତ ସଂଚାଳନ, ବର୍ଯ୍ୟ ପରିଚାଳନ ଓ ଉଷ୍ମତା ପରିବହନର ଦାୟୀତ୍ୱ ତୁଲାଉଥିବ । ଏହା ମାତୃ ଗର୍ଭରେ ପ୍ରବେଶ କରିବା କ୍ଷଣି କିଛି ଘଣ୍ଟା ଅନ୍ତରାଳରେ ସ୍ୱତଃ ଗର୍ଭାଶୟର କାନ୍ଥରେ ଲାଗିରହି ତା ସହିତ ସଂଯୁକ୍ତ ହେବାକୁ ଚେଷ୍ଟା କରିବ । ଗର୍ଭାଶୟରେ ଥିବା ଅନ୍ତଃଆଚ୍ଛାଦିତ ସ୍ତର ସହିତ ଏହି ବିକଷିତ ଯୁଗ୍ମଜଟି ରୋପିତ ହେବ । ସେହି ରୋପିତ ସ୍ଥଳଟି ଫୁଲ ବା ଇଂରାଜୀରେ ପ୍ଲାସେଣ୍ଟା ନାମରେ ଜଣାଯାଏ । ଅଲଗା ଅର୍ଥରେ କହିବାକୁ ଗଲେ ଯେପରି ମଞ୍ଜିଟ ଗଜା ହୋଇ ବୃକ୍ଷରେ ପରିଣତ ହେଲା ପରେ ସେହି ମଞ୍ଜିରୁ ଚେର ବାହାରି ମାଟିକୁ ଯାବୁଡିଧରେ ଓ ସେହି ଚେର ଦେଇ ଗଛ ମାଟିରୁ ନିଜ ପାଇଁ ଖାଦ୍ୟସାର ଗ୍ରହଣ କରିଥାଏ ଏଠି ଠିକ୍ ସେମିତିକା କଥା । ବିକଷିତ କୋଷରୁ ଚେର ଭଳି ଗୋଟିଏ ସୁକ୍ଷ୍ମ କୋଷିକା ନଳୀ ମା’ର ଗର୍ଭାଶୟର ଅନ୍ତଃଆଚ୍ଛାଦିତ ଆସ୍ତରଣ ଫୁଲ ସହିତ ସଂଯୁକ୍ତ ହେବ । ଏହି ସୂକ୍ଷ୍ମ କୋଷିକା ନଳୀ ଓ ଭୃଣର ସଂଯୋଗ ସ୍ଥଳରେ ହିଁ କେଶର ଥଳୀଟି ସଂଯୁକ୍ତ ହୋଇ ରହିଥିବ । 
      ଏହି ପ୍ଲାସେଣ୍ଟା ବା ଫୁଲ ହିଁ ମା’ ଜଠରରେ ବଢୁଥିବା ଶିଶୁପାଇଁ ସମସ୍ତ ଶକ୍ତିର ଉତ୍ସ । ସେହି ସୁକ୍ଷ୍ମ କୋଷିକା ନଳୀ ହିଁ ଯୁଗ୍ମଜଟିର ଚେର ଯାହା ଦେଇ ସେ ମା’ ଶରୀରରୁ ଖାଦ୍ୟ ପଦାର୍ଥ, ପ୍ରୋଟିନ୍ ଓ ଭିଟାମିନ୍ ଗ୍ରହଣ କରିଥାଏ । ଏହି ସୁକ୍ଷ୍ମ କୋଷିକା ନଳୀଟି ପରବର୍ତ୍ତୀ ସମୟରେ ଧୀରେ ଧୀରେ ବଡ ହୋଇ ନାଭି ନାଡାରେ ପରିଣତ ହୋଇଥାଏ ଯାହାକି ଶିଶୁଟିର ଜନ୍ମ ପର୍ଯ୍ୟନ୍ତ ମା’ ଶରୀରରୁ ଖାଦ୍ୟ ପଦାର୍ଥର ସାର, ପ୍ରୋଟିନ୍ ବା ଭିଟାମିନ୍ ଶିଶୁକୁ ଯୋଗାଇଥାଏ । ଏହା  କହିପାରିବା ଯେ ସେହି ନାଭି ନାଡାଟି ହିଁ ଶିଶୁର ଜୀବନ ରେଖା । ତା’ ବିନା ଶିଶୁର ଜୀବନ ଅସମ୍ଭବ ।
     ସତ୍ତ୍ୱରୀମା ଏସବୁର କାହିଁ କେତେ ଉର୍ଦ୍ଧ୍ୱରେ । ସେ ଆନନ୍ଦ ଉଲ୍ଲାସରେ ମସଗୁଲ୍ । ସ୍ୱାମୀ ସହିତ ସହବାସରେ ସେ ଅଧୀର । ସାଂସାରିକ ଜୀବନର ଜୀବନଚର୍ଯ୍ୟା ଭିତରେ ସେ ନିମଗ୍ନ । ତା’ ମନରେ ନାହିଁ ଅନ୍ୟ କିଛି ଶୋଚନା ନା ଭାବନା । ଏମିତିବି ସେ କାହିଁକି ସେ ବିଷୟରେ ଭାବିବ? ମାତୃତ୍ୱର ଆଭାସ ସିନା ଜାଣି ପାରିଲେ, ତା’ ମନରେ କିଛି କ୍ରିୟା ବା ପ୍ରତିକ୍ରିୟା ଆରମ୍ଭ ହେବ । ହେଲେ ସେମିତି କିଛିବି ସେତେବେଳକୁ ଘଟିନି । ତେଣୁ ସେ ତା’ର ଦୈନଦିନ କାର୍ଯ୍ୟରେ  ଆଜି କିନ୍ତୁ ହଠାତ୍ ଦିବସର ପ୍ରଥମାର୍ଦ୍ଧର ଠିକ୍ କିଛି ଦଣ୍ଡ ପୂର୍ବରୁ ମୋ ଅଧିଷ୍ଠିତ ଶରୀର ବା ବିକଷିତ ଯୁଗ୍ମଜଟି ଉଲ୍ଲ୍ ମଧ୍ୟରେ ପ୍ରବେସ କଲା । ଏହା ଯେତେବେଳେ ଗର୍ଭକୋଷରେ ପ୍ରବେଶ କଲା  ମୋତେ ଲାଗିଲା ମୁଁ କେଉଁ  ନିକାଞ୍ଚନ ଦ୍ୱୀପରେ ଆସି ପହଞ୍ଚି ଗଲି । ମୁଁ ଯେତେବେଳେ ଏହି ପଥ ଦେଇ ସନାତନର ମଜ୍ଜାରସ ମାଧ୍ୟମରେ ଉଲ୍ୱସଲଗ୍ନ ନଳୀରେ ପହଞ୍ଚିବା ପାଇଁ ଯାତ୍ରା କରିଥିଲି ସେତେବେଳର ପରିସ୍ଥିତି ଥିଲା ଭିନ୍ନ । ସେତେବେଳେ ଜଠର ଥିଲା ରେତଃପୂର୍ଣ୍ଣ ତରଳରେ ଆଦ୍ର । ମୋ ଶରୀର ଥିଲା ମତ୍ସ୍ୟପରି । ମୋ ଶରୀରରେ ଥିଲା ଏକ ଲାଞ୍ଜ ଯାହା ମୋତେ ଆଗକୁ ଆଗକୁ ଯିବାକୁ ସାହାଯ୍ୟ କରୁଥିଲା । ଖାଲି ସେତିକି ନୁହଁ ଉଲ୍ୱର ନିଜସ୍ୱ ସ୍ୱତଃ ସଂକୋଚନ ଓ ପ୍ରସାରଣ   ମୋତେ ଉଲ୍ୱ ସଲଗ୍ନ ନଳୀ ଭିତରେ ପ୍ରବେଶ ପାଇଁ ସହାୟକ ମଧ୍ୟ ହୋଇଥିଲା । କିଏ ବୁଝନ୍ତି କି ନ ବୁଝନ୍ତି ତାହା ମୁଁତ ଜାଣିନି ହେଲେ ତାହା ଥିଲା ମୋର ଦଶ ଅବତାର ମଧ୍ୟରୁ ମତ୍ସ୍ୟ ଅବତାର । ତୁମେ ମାନେ ଯେଉଁ ଦଶ ଅବତାର କଥା ରାମାୟଣ ଓ ପୁରାଣରେ ପଢିଛ ତାହା ବାସ୍ତବରେ ମନୁଷ୍ୟ ଜୀବନର ଦଶଟି ଅବସ୍ଥାର ପରିପ୍ରକାଶ ମାତ୍ର । 
      ଏବେ କିନ୍ତୁ ମୁଁ ଏକ ଭୃଣ ଓ ଏକ ବର୍ତ୍ତୁଳାକାର ପିଣ୍ଡ ଭିତରେ ବନ୍ଦି । ମୁଁ ପ୍ରଥମରୁ ବହୁତ ଭୟଭିତ ଓ ଆତଙ୍କିତ ହେବାରେ ଲାଗିଲି । ମୋତେ ଲାଗିଲା ବୋଧହୁଏ ଏ ନିର୍ଜ୍ଜନତାରେ ମୋ ଶରୀର ଆଉ ନିଜକୁ ବଞ୍ଚେଇ ରଖିବାରେ ଅସମ୍ଭବ ହୋଇ ଯାଇପାରେ । ମୁଁ ମୋର ଯାତ୍ରାରୁ ପୁଣି ଲକ୍ଷଚ୍ୟୁତ ହୋଇପାରେ । ଏମିତି ମନେମନେ ଏକ ଅଜଣା ଭୟର ଆତଙ୍କରେ ସେହି ପରମ ପୁରୁଷଙ୍କ ଧ୍ୟ୍ୟାନରେ ପୁଣି ନିଜକୁ ନିମଗ୍ନ କରିବାକୁ ଚେଷ୍ଟା କଲି । ଧୀରେ ଧୀରେ ମୁଁ ଅନୁଭବ କଲି ମୋ ଅଧିଷ୍ଟିତ ଶରୀରଟି ଗର୍ଭାଶୟର କାନ୍ଥରେ ଥିବା ଅର୍ନ୍ତଆଚ୍ଛାଦିତ ଆସ୍ତରଣ ଉପରେ ଯାଇ ଧୀରସ୍ଥିରଭାବରେ ଲାଗିଗଲା । ମୁଁ ଆଉ ସେଠି ନିଜକୁ ଟିକେ ଆଶ୍ୱସ୍ତି ମନେ କରି ଗର୍ଭାାଶୟର ସେ ବିଶାଳ ନିର୍ଜ୍ଜନତାର ଭୟାବହତାକୁ ହିଁ ନଜର କରୁଥାଏ । ଆଜି ମୋର ଅଧିଷ୍ଠିତ ଶରୀରର ଆକାର ଗୋଟିଏ କ୍ଷୁଦ୍ର ମରିଚ ଭଳି ହୋଇ ଗଲାଣି । 
       ଏ ସପ୍ତାହଟି ମୋର ଯାତ୍ରାପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ମୋ ଯାତ୍ରାରେ ଆଦ୍ୟରୁ ଶେଷ ପର୍ଯ୍ୟନ୍ତ ମା’ ଶରୀରରୁ ଆସିବାକୁ ଥିବା ଖାଦ୍ୟ ପଦାର୍ଥର ବାହକନଳୀର ନିର୍ମାଣ ସମୟ । ମୋ ସ୍ଥୂଳ ଘଟଟି ମା’ର ଗର୍ଭାଶୟର ଅର୍ନ୍ତଆଚ୍ଛାଦିତ ସ୍ତର ଉପରେ ଲାଗିଥାଏ । ଧୀରେ ଧୀରେ ମୋରି ସ୍ଥୂଳ ଘଟରୁ ଏକ କୋଷିକାର ସୃଷ୍ଟି ଓ ଏହାର ବୃଦ୍ଧିଘଟି ମାତୃଗର୍ଭକୁ ଛୁଇଁବାକୁ ପ୍ରୟାସରତ ଥାଏ । ମୁଁ ଏହା ମଧ୍ୟ ଜାଣେ ଏହି କୋଷିକା ମୋ ମା ଗର୍ଭରେ ଅର୍ନ୍ତଆଚ୍ଛାଦିତ ଆସ୍ତରଣରେ ଭେଦକରି ତାକୁ ଜାବୁଡିଧରିବାକୁ ପ୍ରାୟ ତିନିରୁ ଚାରିଦିନ ଲାଗିବ । ହେଲେ ସବୁଠାରୁ ଗତକାଲିର ଯାତ୍ରା ମୋ ପାଇଁ ଲୋମହର୍ଷଣକାରୀ ଥିଲା । ଅନେକ ଯୋନିଜନ୍ମର ଉପରାନ୍ତରେ ଆଜି ଆସି ପହଞ୍ôଚଛି ବୋଧହୁଏ ମୋ ପାଇଁ ଶେଷ ଯୋନିଜନ୍ମର କ୍ଷଣଭଙ୍ଗୁର ରାସ୍ତାରେ । ମୁଁ ସବୁଜାଣି  
ପାରୁଥିଲେ ମଧ୍ୟ ଧୀରେ ଧୀରେ ଏସଂସାର ମାୟାରେ ଛନ୍ଦି ହେବାକୁ ବସିଲାଣି । ମାୟା ଫାନ୍ଦରେ ପଡି ସାଂସାରିକ ଯାତନା, ଭୟ, ତ୍ରାସ, କଷ୍ଟ ଓ ଆନନ୍ଦ ମୋତେ ଟିକେ ଟିକେ କବଳିତ କରିବା ଆରମ୍ଭ କଲାଣି । ଆତ୍ମାରୂପରେ ଘୁରି ବୁଲୁଥିବା ସମୟରେ ମୁଁ ଥିଲି ସ୍ଥିତପ୍ରଜ୍ଞ । ମାତ୍ର ଏ ଶେଷ ପଥର ଯାତ୍ରୀ ହେବା ପରଠାରୁ ମୋର ସେ ଅସୀମ ଶକ୍ତିକୁ ମୁଁ ଧୀରେ ଧୀରେ ସତେଯେମିତି ହରେଇବାକୁ ବସିଲାଣି । ମୋର ବେଳେବେଳେ ପୂର୍ବଜନ୍ମର ଯାତ୍ରା କଥା ମନେ ପଡୁଥିଲେ ମଧ୍ୟ
କିଛି କିଚି କଥା ଆପେ ଆପେ ବିସ୍ମରି ଯାଉଛି । ମୋର ମନେ ପଡେ ଏ ଜଗତ ଆତ୍ମାମୟ । ଅତ୍ର, ତତ୍ର ସର୍ବତ୍ର ମୁଁ ବିଦ୍ୟମାନ । ଆଜି ଯେତେବେଳେ ମୋ ଅଧିଷ୍ଠିତ ଶରୀର ପ୍ରଥମେ ଗର୍ଭାଶୟର ବିଷାଳ ବକ୍ଷରେ ପଡିଗଲା ମୁଁ ନିଜକୁ ବିଶ୍ୱାସ କରିପାରିଲିନି । ମୁଁ ଭାବିଥିଲି ମା’ ଗର୍ଭକୁ ମୋ ସହିତ ପୁରୁଷର ମନ୍ଥୀ ଦେଇ ଯେତେ ଆତ୍ମା ଆସିଥିଲେ ସମସ୍ତେ ନିଜନିଜ ସ୍ଥାନକୁ ଫେରି ସାରିଥିବେ ଅବା ବାହାରେ ପୁନଃ ଏକ ଘଟରେ ପ୍ରବେଶ ପାଇଁ ଅପେକ୍ଷା କରିଥିବେ । 
      ମା’ ଗର୍ଭରେ ସେ ବିଶାଳତାରେ ଅସଂଖ୍ୟ ଆତ୍ମାଙ୍କର ଉପସ୍ଥିତି ମୋତେ ବିଚଳିତ କରିଥିଲା । କିଏ କେତେ ଜୀବନ୍ତ ରୂପ ଭିତରେ ବିଦ୍ୟମାନ ତାହା ମୁଁ କଳି ପାରୁନଥାଏ । କୃଷ୍ଣଙ୍କର ବିଶ୍ୱରୂପ ଅର୍ଜ୍ଜୁନ ଦେଖି ଯେମିତି ଭୟାତୁର ହୋଇଥିଲା  ମୁଁ ମଧ୍ୟ ସେହିପରି ଭୟାତୁର ହୋଇଯାଇଥାଏ । ଅର୍ଜ୍ଜୁନ ଦେଖିଥିଲା ସେହି ପରମପୁରୁଷଙ୍କ ଶରୀରରେ ଅସଂଖ୍ୟ ବ୍ରହ୍ମାଣ୍ଡ ବିଦ୍ୟମାନ । ତାଙ୍କ ଶରୀରରେ ଅଗଣିତ ବୀର, ଅବୀର, ସୁର ମାନେ ତାଙ୍କ କରାଳ ଦନ୍ତଯୁକ୍ତ ଓଷ୍ଠଭିତରେ କ୍ଷଣିକେ ଲୀନ ହୋଇଯାଉଛନ୍ତି । ଏଠି ମଧ୍ୟ ଠିକ୍ ସେହିପରି । ମୋ ଶରୀରର ସୂକ୍ଷ୍ମତା ପାଖରେ ଏ ମାତୃଗର୍ଭ ଯେ ଏକ ବିଶାଳ ବ୍ରହ୍ମାଣ୍ଡ ଏଥିରେ  ସଂଶୟ କରିବାର କିଛି ନାହିଁ । ସେହି ଗର୍ଭାଶୟରେ ପ୍ରତିକ୍ଷଣରେ ଅଗଣିତ କ୍ଷୁଦ୍ରାତି କ୍ଷୁଦ୍ରରୁ  ଜୀବ ଅଚିରେ ମୃତ୍ୟୁ ଲଭୁଥାନ୍ତି ଓ ପୁଣି ଜନ୍ମ ନେଉଥାନ୍ତି । 
      ଏ କି ବିଚିତ୍ରତା? ମା’ର ଗର୍ଭତ ଏକ ବିଚିତ୍ର ସ୍ଥାନ । ସତେଯେମିତି ପଞ୍ଚମହାଭୂତକୁ ପରମେଶ୍ୱର ସେଠାରେ ଖଞ୍ଜି ଦେଇଛନ୍ତି । ପ୍ରତି ପଞ୍ଚମହାଭୂତର ସଂଜୋଜନାରେ ନୂତନ ଜୀବନ୍ତ ଉପାଦାନର ସର୍ଜନା ଚାଲିଛି ଓ ପୁଣି ସେହି କାଳର କରାଳ ରୂପରେ ସେହି ମା ଗର୍ଭରେ ହିଁ ମୃତ୍ୟୁ ଲଭୁଛନ୍ତି । ଏଭଳି ଭୟଙ୍କର ପରିସ୍ଥିତିରେ ଯେ ମୋ ଅଧିଷ୍ଟିତ ଶରୀର ସେଠାରେ ନିଜର ଉପସ୍ଥିତିକୁ ମଜବୁତ୍ କରିବ ମୋର ବିଶ୍ୱାସ ବେଳେବେଳେ କମିଯାଉଥାଏ । କାଳର କ୍ରୁରତାରେ ମୁଁ  ବି ଅଚିରେ  ପଥଭ୍ରଷ୍ଟ ହୋଇପାରେ ତାର କିଛି ବି ନିର୍ଦ୍ଧିଷ୍ଟତା ନାହିଁ । ମୋ ପାଖରେ ସେହି ପରବ୍ରହ୍ମଙ୍କ ଯୋଗରେ ମଜିରହିବା ଛଡା ଆଉ କିଛି ବିକଳ୍ପ ହିଁ ନଥାଏ । ମୁଁ ଥାଏ ଲାଚାର । ମୁଁ କିଂ କର୍ତ୍ତବ୍ୟ ମୁଢ ପରି ନିଜକୁ କେବଳ ପ୍ରକୃତିସ୍ଥ କରି ମୋ ସ୍ଥୂଳଘଟ ଭିତରେ ସେମିତି ରହିଥାଏ ।
   ଆଜି ଚତୁର୍ବିଶଂ ଦିବସ । ମୋର ଜୀବନ ରେଖା ରୂପକ ନଳୀ ଯାହାକି ପରବର୍ତ୍ତୀ ସମୟରେ ନାଭିନାଡି ରୂପରେ ଜଣାଯିବ ତାହାର ସଂରଚନା ହେବାରେ ଲାଗିଥାଏ । ଏଣେ ମୋ ଘଟର  
ବିକାଶ ମଧ୍ୟ ନିରନ୍ତର ଘଟି ଚାଲିଥାଏ । 
      ତେଣେ ସନାତନର ମନ ଧୀରେଧୀରେ ଉଦ୍‌ବେଗ ପୂର୍ଣ୍ଣ ହେବାରେ ଲାଗିଥାଏ । ଏ ସପ୍ତାହରେ ଆଦ୍ୟ ଭୃଣ ମା’ ଗର୍ଭରେ ନିଜ ପରିସ୍ଥାନ ସୃଷ୍ଟି କରିବାର ସମୟ । ଜରାୟୁରେ ‘ମୋରୁଲା’ ଯେତେବେଳେ ପହଞ୍ôଚବ ସେତେବେଳେ ‘ମୋରୁଲା’ ରୂପେ ଜଣା ଆଦ୍ୟ ଭୃଣଟିର ଚତୁଃପାଶ୍ୱର୍ ଦେଇ ମାତୃ ଗର୍ଭରୁ ତରଳ ପଦାର୍ଥ ତାହା ଭିତରେ ପ୍ରବେଶ କରିବ । ଯେଉଁଥିରୁକି ଆଦ୍ୟ ଭୃଣର ଆବଶ୍ୟକ ପୋଷଣ ସଂଘଠିତ ହେବ । ତତ୍‌ପରେ ଆଦ୍ୟଭୃଣରୁ କୋଷିକାନଳୀର ପରିବର୍ଦ୍ଧନ ଓ ମାତୃଗର୍ଭର ଅର୍ନ୍ତଆଚ୍ଛାଦିତ ଆସ୍ତରଣ ସହିତ ସଂଯୁକ୍ତ ହେବାର ପ୍ରକ୍ରିୟା ଆରମ୍ଭ ହେବ । ଏହି ପକ୍ରିୟା ପାଇଁ ଅତିକମ୍‌ରେ ତିନିରୁ ଚାରି ଦିନ ଆବଶ୍ୟକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଆଦ୍ୟ ଭୃଣ ଗର୍ଭାଶୟରେ ସଂଯୁକ୍ତ ହେଲା ପରେ ତାହା ସ୍ୱତଃପୁତ ଭାବେ ବିକଷିତ ହୋଇ ତା’ର କଳେବର ମୋଟ୍ ତିନୋଟି ଆସ୍ତରଣରେ ବିଭକ୍ତ ହୋଇଯିବ । 
      ନିକ ଭାଷାରେ ଆସ୍ତରଣ ତିନୋଟିର ନାମ ଏକ୍ଟେଡର୍ମ, ମେଷୋଡର୍ମ ଓ ଏଣ୍ଡୋଡର୍ମ । ଏକ୍ଟୋଡର୍ମ ଆସ୍ତରଣଟି ଶରୀରର ବାହ୍ୟ ଆବରଣ ଯଥା ଚର୍ମ, କେଶ, ଲୋମ, ମୁଖଗହ୍ୱରର ଅନ୍ତଃଆସ୍ତରଣ, ନାସାଗାତ୍ର, ମଳ ନିସ୍କାସନ କେନାଲ୍‌, କନ୍ଦର୍ପକୂପ, ମସ୍ତିଷ୍କ, ମେରୁଦଣ୍ଡ, ଜ୍ଞାନେନ୍ଦ୍ରିୟ ସମୁହ, ଆଖିର ଲେନ୍ସ ଇତ୍ୟାଦି ଗଠନ କରିବାରେ ଭାଗିଦାର ହେବ । ମେଷୋଡର୍ମ ଶରୀରର ମାଂସେପଷୀୟ ଟିସୁ, ଶରୀରର ସମସ୍ତ ସଂଯୋଗ ଟିିସୁ, ରକ୍ତପାତ୍ର, ଅସ୍ଥିପାତ୍ର, ଗଣ୍ଠି ସଂଯୋଗ ଟିସୁ, ବୃକକ୍ ଅନ୍ତଃସଂଯୋଜିତ ଟିସୁ ଆଦି ଗଠନ କରିବା ପାଇଁ ଦାୟୀ ରହିବା ବେଳେ ତୃତୀୟ ସ୍ତର ଏଣ୍ଡୋଡର୍ମ, ଖାଦ୍ୟ ହଜମ ବା ପାଚନ ପ୍ରକ୍ରିୟା ସଂପର୍କିତ ଗ୍ରନ୍ଥି, ଶ୍ୱାସନଳୀ, ଥାଇରଏଡ୍ ଓ ପାରାଥାଇରଏଡ୍ ଗ୍ରନ୍ଥିମାନ ନିର୍ମାଣ କରିବାରେ ଉତ୍ତର ଦାୟୀ ରହିବ । ତେଣୁ ଆଦ୍ୟ ଭୃଣର ସୂକ୍ଷ୍ମ ଓ ଧୀର ବିକାଶ ଏକ ଅନୁକୂଳ ପରିବେଶ ମଧ୍ୟରେ ହେବା ଦରକାର । ଏହି ମାସର ଶେଷ ସୁଦ୍ଧା ଆଦ୍ୟଭୃଣଟି ବିକଷିତ ଭୃଣରେ ରୂପାନ୍ତରିତ ହୋଇଯିବ ।  ବିକଷିତ ଭୃଣଟି ମା’ ଜଠରରେ ସମ୍ପୂର୍ଣ୍ଣ ରୂପେ ରୋପିତ ହୋଇଯିବ ଯାହାକି ରୋପିତ ନଳୀ ହେବ ବିକଷିତ ଶିଶୁର ଜୀବନ ରେଖା । ତା’ରି ମଧ୍ୟଦେଇ ସେ ନିଜ ମା’ ଠାରୁ ବଞ୍ôଚରହିବା ସହିତ ବିକଷିତ ହେବା ପାଇଁ ଆବଶ୍ୟକ ସମସ୍ତ ପ୍ରୋଟିନ୍‌, ଭିଟାମିନ୍‌, ଜୀବସାର ଓ ଖାଦ୍ୟସାର ସଂଗ୍ରହ କରିବ ।
      ଏସବୁ ସନାତନ ମନର ବର୍ତ୍ତମାନ ସୁଦ୍ଧା ଏକ କାଳ୍ପନିକ ଭାବନା । ସେଗୁଡିକ ଏ ପର୍ଯ୍ୟନ୍ତ ସତରେ ଘଟି ଚାଲିଛି ନା କେବଳ ତା’ ମନର କଳ୍ପନାରେ ସେ ତାହା ବି ଜାଣିନି । ତଥାପି ଆଶାର ଦୁନିଆରେ ବଞ୍ôଚଛି । ବୈଜ୍ଞାନିକ ଅନୁସନ୍ଧିଚ୍ଛୁ ମନୋଭାବରେ ଅତି ଉତ୍କଣ୍ଠାରେ ସେ ଅପେକ୍ଷା କରିଛି ସତ୍ତ୍ୱରୀମାର ପୁନଃ ରଜସ୍ୱଳାକୁ । ଯଦି ସତ୍ତ୍ୱରୀମାର ଆସନ୍ତା ମାସରେ ରଜସ୍ୱଳା ପ୍ରକ୍ରିୟା 
ସଙ୍ଘଠିତ ନହୁଏ ସେ ନିଶ୍ଚିତ ହୋଇଯିବ ଯେ ତା’ର ଭାବନା ମୁତାବକ ସବୁକିଛି ବୋଧହୁଏ ଠିକ୍  
ଠାକ୍ ଚାଲିଛି । ସେ ଜାଣେ ଗର୍ଭର ପ୍ରଥମ ମାସରେ ନାରୀ ଶରୀରର ବାହ୍ୟଅଙ୍ଗ ମାନଙ୍କରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହେଉନଥିବା ସ୍ଥଳେ ଆଭ୍ୟନ୍ତରରେ ଅସଂଖ୍ୟ ପରିବର୍ତ୍ତନ ଘଟେ । ଆଭ୍ୟନ୍ତରୀଣ ପରିବର୍ତ୍ତନର ଲକ୍ଷଣ ଗୁଡିକ ଠିକ୍ ପାଞ୍ଚସପ୍ତାହ ପରେ ହିଁ ନାରୀ ଶରୀରର ବାହ୍ୟ ଆଚରଣରେ ପରିବର୍ତ୍ତନ ହୋଇଥାଏ ଓ ତାହା ସ୍ୱୟଂକ୍ରିୟ ଭାବରେ ଘଟିଚାଲେ । ତେଣୁ ଆଉ ମାତ୍ର ଗୋଟିଏ ସପ୍ତାହ ପରେ ସନାତନ ବିଜ୍ଞାନର ସହାୟତାରେ ପୁରାପୁରି ନିର୍ଦ୍ଧିଷ୍ଟତାରେ ଉପନୀତ ହୋଇଯିବ ଯେ ସତରେ ସତ୍ତ୍ୱରୀମା ଆଜି ଅନ୍ତଃସତ୍ତ୍ୱା ନା ଏହା ତା’ ମନର ଦିବା ସ୍ୱପ୍ନ । ସତ୍ତ୍ୱରୀମା କିନ୍ତୁ ନିଜ ଶରୀର ଭିତରେ ଘଟୁଥିବା ପରିବର୍ତ୍ତନ ଗୁଡିକ ବିଷୟରେ ସମ୍ପୂର୍ଣ୍ଣ ଅନବିଜ୍ଞ ଥାଏ ମାତ୍ର ସନାତନର ଭଲପାଇବା ତା’ପ୍ରତି ତାକୁ ଭାବବିହ୍ୱଳ କରି ରଖିଥାଏ । 
      ସନାତନର ଜ୍ଞାତସାରରେ ସେ ସତ୍ତ୍ୱରୀମାକୁ ଯଥା ସମ୍ଭବ ଖୁସି ରଖିବାକୁ ଚେଷ୍ଟା କରେ ଓ ଖୁସି ରଖେ ମଧ୍ୟ । ତା’ ମନରେ ଯେପରି କୌଣସି ପରିସ୍ଥିତିରେ ହେଉ ଅବା କୌଣସି ମୁହୁର୍ତ୍ତରେ ହେଉ ତାକୁ କଷ୍ଟ ନଲାଗୁ । ସେଥିପାଇଁ ସେ ସବୁ ପ୍ରକାର ପ୍ରଯତ୍ନ କରୁଥାଏ । କନ୍ୟା ଯେତେବେଳେ କାନ୍ତା ହୋଇ ନିଜ ସ୍ୱାମୀ ଘରେ ବିବାହପରେ ଦିନ ବିତାଏ ଯଦି ସ୍ୱାମୀ ତାର ଶାରୀରିକ ଓ ମାନସିକ ସୁଖକୁ ଭରପୁର ପୁରଣ କରିପାରେ ତେବେ ସେ ନାରୀ ପାଇଁ ତାହା ସ୍ୱର୍ଗସୁଖ ସଙ୍ଗେ ସମାନ । ସେ ନିଜକୁ ଧନ୍ୟ ମନେକରେ । ଭଗବାନଙ୍କୁ ଧନ୍ୟବାଦ ଦିଏ । ଏକ ଅଜଣା ଅପରିମିତ ସ୍ୱର୍ଗୀକ ସୁଖ ଆକାଶରେ ନିଜକୁ ଏକ ପକ୍ଷୀ କରି ଉଡେଇଦିଏ । ତା’ ପାଇଁ ସବୁବେଳେ ପତିର ଉପସ୍ଥିତ ତା’ ପାଶେପାଶେ ଏକାନ୍ତ କାମ୍ୟ ହୋଇପଡେ । ସ୍ୱାମୀକୁ ପାଖରେ ପାଇଗଲା ପରେ ସେ ସଂସାରର ସବୁକିଛି ଭୁଲିଗଲା ପରି ମନେକରେ । ସେଥିରେ ସେ ପାଏ ମନରେ ଅସୁମାରୀ ଶାନ୍ତି । ସେଦିନ ସତ୍ତ୍ୱରୀମା ମଧ୍ୟ ସେହିପରି ଦିନଚର୍ଯ୍ୟାରେ ନିଜକୁ ହଜେଇ ଦେଇ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ଆନନ୍ଦରେ ଦିନ କାଟିବାରେ ଲାଗିଥାଏ ।
      ମୁଁ ନିଜେ ଅଶରୀର, ଆଜି ଏକ କ୍ଷୁଦ୍ର ଶରୀର ଭିତରେ ସ୍ଥାପିତ । ମୋର ସ୍ଥୂଳଶରୀରର ବୃଦ୍ଧି ଖୁବ୍ ଜୋରରେ ଘଟି ଚାଲିଥାଏ । ଯେଉଁ ସୂ୍ଥଳଘଟ ଏହି ଦଶ ବାର ଦିନ ପୂର୍ବରୁ ଖାଲି ଆଖିକୁ ଆଦ୍ୟୈ ଦେଖା ଯାଉନଥିଲା ଆଜି ଆସି ଏକ କ୍ଷୁଦ୍ର କଳା ମରିଚ ଭଳି ରୂପ ଧାରଣ କଲାଣି । ଏ ଅବଶ୍ୟମ୍ଭାବୀ ଶରୀରର ପରିବ୍ୟାପ୍ତ ମୋତେ ଆଚମ୍ବିତ କରୁଥାଏ ।  ହଠାତ୍ ମୁଁ ଚିନ୍ତା କରି ବସିଲି ଯଦି ମୋ ସ୍ଥୂଳଘଟର ପରିବ୍ୟାପ୍ତ ଏପରି ଘଟେ ତେବେ ଅଳ୍ପ ଦିନ ଭିତରେ ଏ ସତ୍ତ୍ୱରୀମାର ଜଠରଟି ଫାଟି ଯିବ । ମୋ ସ୍ଥୂଳଘଟ ପାଇଁ ଏଥିର ଜାଗା ପାଇବ ନାହିଁ । ମୋ ହିସାବରେ ଯଦି ଏହି ହାରରେ ମୋ ସ୍ଥୂଳ ଶରୀରର ବୃଦ୍ଧି ଘଟେ, ତେବେ ଏହି ଦଶମାସର ଯାତ୍ରା ଶେଷଭାଗ ବେଳକୁ ମୋର ଓଜନ ହାରାହାରି ଦଶଟନ୍ ହୋଇଯିବ କାରଣ ମୋ ସ୍ଥୂଳଶରୀରର ବୃଦ୍ଧି ଏକ ଜ୍ୟାମିତିକ ଉନ୍ନତି କ୍ରମରେ ଗତି କରୁଥାଏ । ଯେମିତି ଆରମ୍ଭରୁ ୧ଟି ଆଦ୍ୟ କୋଷର ବିଭାଜନରୁ  

  ୨ଟି, ୨ଟିରୁ ୪ଟି, ୪ଟିରୁ ୮ଟି ଓ ୮ଟିରୁ ୧୬ଟି ଅର୍ଥାତ୍ ୧-୨, ୨-୪, ୪-୮, ୮-୧୬.....ା ଦେଖାଯାଉ କେତେଦିନ ଏହିପରି ଆଶାତୀତ ବୃଦ୍ଧିଘଟିବ ଓ ତାହାର ହାରରେ କେବେ ସ୍ଥାଣୁତା ଆସିବ । ଏହା ଭାବିଭାବି ସେହି ପରମାତ୍ମାଙ୍କ ଧ୍ୟ୍ୟାନରେ ମୁଁ ହଜିଯାଏ । ଆବେଗ ପୂର୍ଣ୍ଣ ଭକ୍ତିରେ ମୁଁ ସେହି ପରମାତ୍ମାଙ୍କ ପଦପଙ୍କଜରେ ମୋର ମନ ନିବେଶ କରି ତାଙ୍କ ସାନ୍ନିଧ୍ୟର କାମନାରେ ମୋହିତ ଥାଏ । ଧୀରେ ଧୀରେ ମୋ ଶରୀରରୁ ସତ୍ତ୍ୱରୀମା ଗର୍ଭାଶୟର ଅନ୍ତଃଆଚ୍ଛାଦିତ ସ୍ତର ଉପରେ କୋଷିକା ନଳୀର ସ୍ଥାପନ କାର୍ଯ୍ୟ ଘମାସନ ବେଗରେ ଆଗେଇ ଚାଲିଥାଏ । ରାତ୍ରି ନାହିଁ ଦିନ ନାହିଁ । ଏହା ଏକ ନିରନ୍ତର ପକ୍ରିୟା ଭାବେ ଆଗେଇ ଚାଲିଥାଏ । ମୁଁ ଆହୁରି ବିଷ୍ମୟ ହୁଏ ସମୟ ଆଗକୁ ମାଡି ଚାଲିଥିବା ପରି ଏ ବିଶ୍ୱକର୍ତ୍ତାଙ୍କ ସର୍ଜ୍ଜନା କ୍ଷଣେ ହେଲେ ସ୍ଥାଣୁତା ବହନ କରୁନାହିଁ । ଅହରହ ତା’ ନିଜସ୍ୱ ବେଗରେ ଆଗେଇ ଚାଲିଛି । ତାହାର ନିର୍ମାଣ, ସତ୍ତ୍ୱରୀମାର ଶୟନ ଅବା ଜାଗରଣ ସହିତ ମଧ୍ୟ ସମ୍ପର୍କ ରହିତ । ସତ୍ତ୍ୱରୀମାର ଶୟନରେ ସେ କୋଷିକା ନଳୀର ଗଠନ ସେମିତି ଅବିରତ ଭାବରେ ଚାଲିଥାଏ । 
      ପୂର୍ବଜନ୍ମ ମାନଙ୍କରେ ଏ ଧରା ବକ୍ଷରେ ଯୋନି ଜନ୍ମନନେଇ ଘୁରିବୁଲୁଥିବା ସମୟରେ ଏ ପ୍ରକୃତିର ବିବିଧତା ଓ ମନୁଷ୍ୟକୃତ ବିବିଧତା ମୁଁ ଭଲଭାବରେ ନୀରିକ୍ଷଣ କରିଛି । ପ୍ରକୃତିର ସୌନ୍ଦର୍ଯ୍ୟର ବିଭବ ଆଗରେ ମନୁଷ୍ୟ ତାର କାରିଗରୀ କଳା କୈାଶଳରେ ଯେତେ ସୁନ୍ଦର ଜିନିଷ ଗଢିଥିଲେ ସୁଦ୍ଧା ସେ ଗୁଡିକ କିଛି ନୁହେଁ । ପ୍ରକୃତିର ପ୍ରାକୃତିକ ସଂରଚନାରେ ଉଦ୍ଭବ ନୂତନ ପଦାର୍ଥ ଅବା ବସ୍ତୁ ହେଉ ତାହାର ତୁଳନା କିମ୍ବା କଳନା ସତେଯେମିତି କାହା ସହିତ କରା ଯାଇ ନପାରେ । ଯେତେ ସୁନ୍ଦର ପଥର ଅବା ଇଟାର କାରୁକାର୍ଯ୍ୟରେ ଯେତେ ଭାଷ୍କର୍ଯ୍ୟ ମନୁଷ୍ୟ ନିର୍ମାଣ କରିଥାଉନା କାହିଁକି ଏ ବିଶ୍ୱବିଧାତାର ପ୍ରୟୋଗ ଶାଳାରେ ଉଦ୍ଭବ ସ୍ୱତଃ ବିବିଧତା ଭରା ବୈଚିତ୍ର‌୍ୟତା ସହିତ କେବେ ବି ସମାନ ହୋଇପାରିବ ନାହିଁ । ଆଜି ଯେଉଁ ନାଭିକଷିକାର ଗଠନ ମୋ ସ୍ଥୂଳଶରୀର ସହିତ ଗଠନ ଚାଲିଛି ତାହା ଚିନ୍ତାର ଅଗମ୍ୟ । ଏତେ କ୍ଷୁଦ୍ରାତିକ୍ଷୁଦ୍ର କୋଷ ଗୁଡିକ କିପରି ନିଜନିଜ ସହିତ ସଂଯୋଜିତ ହୋଇ ବୃକ୍ଷର ଚେର ପରି ଲମ୍ବି ଚାଲିଛନ୍ତି ଧରିତ୍ରୀ ଭିତରକୁ ବା ଗର୍ଭାଶୟର କାନ୍ଥ ଭିତରକୁ ତାହା ଅବୋଧ । 
      ସତେଯେମିତି ମୁଁ ହେଉଛି ଗୋଟିଏ ବୃକ୍ଷର ଫଳ । ମୋ ବୃକ୍ଷର ସ୍ୱରୂପ ହେବ ନାଭିନାଡା ଆଉ ସେହି ନାଭିନାଡାର ଅଗ୍ରଭାଗ ହେବ ବୃକ୍ଷର ଚେର । ସତ୍ତ୍ୱରୀମାର ଗର୍ଭାଶୟର ଅନ୍ତଃ ଆସ୍ତରଣ ହେବ ଧରିତ୍ରୀ ମାତା ଯାହା ଭିତରୁ ମୋ ଶରୀର ରୂପକ ଫଳର ବୃଦ୍ଧି ପାଇଁ ଗର୍ଭାଶୟର କାନ୍ଥ ରୂପକ ଧରିତ୍ରୀରୁ ଆସିବ ପାଣି ଆଉ ଖଣିଜ ଲବଣ । ଅକାଶରେ ପରିବ୍ୟାପ୍ତ ବୃକ୍ଷ ପରି ମୁଁ ଭାଷି ବୁଲିବି ଗର୍ଭାଶୟର ସେ ଜଳରାଶି ମଧ୍ୟରେ । ମୁଁ ଏହି ଜଠ ଭିତରେ ଥିବା ପର୍ଯ୍ୟନ୍ତ ମୋ ଘଟର ପୋଷଣ ସେହି ଜରାୟୁର କାନ୍ଥ ରୂପକ ଧରିତ୍ରୀ କରିଚାଲିଥିବ । ଏତେ ସୂକ୍ଷ୍ମତାକୁ  ମନୁଷ୍ୟ ବିଜ୍ଞାନର ପ୍ରଗତିରେ ଯେତେ ଆଗକୁ ଚାଲିଯାଉ ନା କାହିଁକି କେବେ ବି କରିପାରିବ ନାହିଁ । ଏତେ କ୍ଷୁଦ୍ର ଜିନିଷକୁ ଦେଖିବାକୁ ହେଲେ ମନୁଷ୍ୟତ ପ୍ରଥମେ ଅନ୍ୟର ସାହାଯ୍ୟ ଲୋଡିବ । ସୂକ୍ଷ୍ମ ପଦାର୍ଥକୁ ଦେଖି ସାରିଲା ପରେ ତାକୁ ନିଜର ଏଡେ ବିଷାଳ ହାତରେତ ଟେକି ନେଇ ପାରିବନି ତେଣୁ ସେହିପରି ସୂକ୍ଷ୍ମ ଯନ୍ତ୍ରପାତିର ଆବଶ୍ୟକ କରିବ । ତେଣୁ ଏଭଳି ସଂରଚନାର କଳ୍ପନା ମନୁଷ୍ୟ ପାଇଁ ସମ୍ପୂର୍ଣ୍ଣଯେ ଅସମ୍ଭବ ଏଥିରେ କେହି ଯୁକ୍ତି କରି ପାରିବେ ନାହିଁ । ତଥାପି ଏ ଚତୁର ମନୁଷ୍ୟକୁ ଚ୍ୟାଲେଞ୍ଜ୍ କରିବା ବି ଉଚିତ୍ ନୁହେଁ । କାରଣ ସଂସାରରେ ସେ ହେଉଛି ଶ୍ରେଷ୍ଠତମ ସୃଷ୍ଟି ଆଉ ଏହି ମନୁଷ୍ୟ ହିଁ ସେହି ପରମପିତା ପରମାତ୍ମାଙ୍କର ସବୁଠାରୁ ପ୍ରିୟ । 
      ସେଇଥିପାଇଁତ ଆଜି ମୋ ଜୀବନଚକ୍ରର ଅନ୍ତିମ ଭାଗରେ ଶେଷ ରାସ୍ତାରୂପେ ବାଛି ନେଇଛି ସେହି ମନୁଷ୍ୟର କଳେବରକୁ । ନାଭିନାଡର ଆଦ୍ୟ ସଂରଚନାରେ ଗୋଟିଏ ଗୋଟିଏ କୋଷ ବିଭାଜିତ ହୋଇ ଚାଲିଥାଏ ଓ ନୂତନ କୋଷମାନଙ୍କର ସୃଷ୍ଟି ବି ହୋଇ ଚାଲିଥାଏ । ନାଡାର ଗଠନର ଛାଞ୍ଚ ସୁନ୍ଦର ଭାବରେ ବିକଷିତ ହେବାରେ ଲାଗିଥାଏ । ମୋ ସ୍ଥୂଳ ଶରୀର ଏବେ ମା’ ଗର୍ଭରୁ ତା’ ଖାଦ୍ୟ ସଂଗ୍ରହ କରିବାରେ ଅବିରତ କ୍ରିୟାଶୀଳ । ସେ ଯେଉଁ ପ୍ରାରମ୍ଭିକ ଭୟ ଓ କାତର ମୋ ପାଖରେ ଆଉ ସେମିତି ନାହିଁ । ଏ ଗର୍ଭାଶୟର ଜଳରାଶି ଅନନ୍ତ ଆକାଶ ପରି ପ୍ରତିୟମାନ ହେଲାଣି ଯେଉଁ ଆକାଶରେ ଆଜି ମୁଁ ସ୍ୱଂୟକ୍ରିୟ ଭାବରେ ଚଳମାନ ।
      ଆଜି ସତ୍ତ୍ୱରୀମା ରଜସ୍ୱଳା ହେବାର ଅଷ୍ଟବିଂଶ ଦିନ । ସନାତନ ଜାଣେ, ଯେହେତୁ ସତ୍ତ୍ୱରୀମାର ଋତୁସ୍ରାବର ନିର୍ଦ୍ଧିଷ୍ଟତା ଅଛି ତେଣୁ ନିଶ୍ଚିତ ରୂପେ ସେ ଏହି ତିନିଦିନ ଭିତରେ ଯେକୈାଣସି ମତେ ଋତୁବତୀ ହେବ । କାରଣ ରଜସ୍ୱଳାର ଦିବସ ଗୋଟେ ଦିନ ଆଗରୁ କିମ୍ବା ସେହିଦିନ ନଚେତ୍ ତା’ ପରଦିନ ହୋଇପାରେ । ତେଣୁ ସନାତନର ଉତ୍କଣ୍ଠା ବଢି ଯାଇଛି । ଯଦି ଆସନ୍ତା ତିନି ଚାରିଦିନ ଭିତରେ ସତ୍ତ୍ୱରୀମା ରଜସ୍ୱଳା ନହୁଏ ତେବେ ସେ ନିଶ୍ଚିତ ରୂପେ ଗର୍ଭବତୀ ହୋଇଛି ବୋଲି ସେ ବିବେଚନା କରିବ । ତଥାପି ସବୁର ପରେ ସେ ସତ୍ତ୍ୱରୀମାର ଗର୍ଭପରୀକ୍ଷା କରି ବୈଜ୍ଞାନିକ ଦୃଷ୍ଟିକୋଣରୁ ନିଶ୍ଚିତ ହେବ । 
      ସେଦିନ ରାତିରେ ସନାତନ ପଲଙ୍କ ଉପରେ ଶୋଇରହି କୈାଣସି ଗୋଟିଏ ବହି ପଢୁଥାଏ । ସତ୍ତ୍ୱରୀମା ଘରର ସବୁକାମ ସାରି ରାତ୍ରି ଏଗାରଟାରେ ଶୋଇବା ଘରେ ପହଞ୍ଚେ । ପଲଙ୍କ ଉପରେ ଶୋଇବା ଆଗରୁ ସନାତନର ଗୋଡ ମୋଡିବାକୁ ଟିକେ ଆଗଭର ହୋଇ ବସିପଡେ । ହେଲେ ସନାତନ ବାରଣ କରି କୁହେ ନାହିଁ ନାହିଁ ତମେ ଶୋଇପଡ ମୋର ଗୋଡକୁ କିଛି କଷ୍ଟ ହେଉନି । ସତ୍ତ୍ୱରୀମା କହେ କେବଳଯେ ତୁମ ଗୋଡ କଣ ହେଲେ ମୁଁ ତୁମ ଗୋଡ ମୋଡିବି ନହେଲେ ନାହିଁ  ସେମିତି ତମେ କେବେ ଭାବିବନି । ହିନ୍ଦୁ ଧର୍ମର ରିତୀନିତି ପରମ୍ପରା ଅନୁଯାୟୀ ପତି ସେବାର ସୁଯୋଗ ମୋତେତ ମିଳିବା ଦରକାର ନା । ତମେ ମୋତେ ସେଥିରୁ ବଞ୍ôଚତ  
କରୁଛ କାହିଁକି? ସନାତନ କହେ ତୁମର ଏହି ପବିତ୍ର ଭାବନା ହିଁ ତୁମ ସେବା ଭାବକୁ ପ୍ରତିପାଦିତ କରୁଛି । ଏହି ଭାବନାରେ ହିଁ ତୁମର ପୂଣ୍ୟ ତୁମ ଜୀବନକୁ ଆହୁରୀ ପୂଣ୍ୟତୟା ପବିତ୍ର କରୁଛି । ତେଣୁ ତୁମେ ଆସ ଶୋଇପଡ । ଏହା କହି ସତ୍ତ୍ୱରୀମାକୁ ନିଜ ଛାତି ଉପରକୁ ଟାଣି ଆଣି ଶୋଇ ଦେଇଛି । ସନାତନର ଶରୀର ସଂସ୍ପର୍ଶରେ ଆସିବା କ୍ଷଣି ସତ୍ତ୍ୱରୀମା ହଜେଇ ବସିଛି ନିଜର ଲଜ୍ଜାଶୀଳର ପ୍ରଜ୍ଞାକୁ । କାମର ବାସନାରେ ନିଜକୁ ହଜେଇ ଦେବାକୁ ଚେଷ୍ଟା କରିଛି । ମାତ୍ର ଏହି ସମୟରେ ହଠାତ୍ ସନାତନ କହିଛି, ତୁମର ପୁନଶ୍ଚ ରଜସ୍ୱଳା ହେବାର ସମୟ ବୋଧହୁଏ ପାଖେଇ ଆସିଲାଣି? ସତ୍ତ୍ୱରୀମା କହେ ହଁ । କାଲି ଦିନକ ପରେତ ମୋର ତାରିଖ । 
      ସନାତନ ପଚାରିଛି କଣ ପହରିଦିନ ହିଁ ହେବ? କାଲି ବି ତ ହୋଇ ଯାଇପାରେ । ସତ୍ତ୍ୱରୀମା କହିଛି, ମୋ ଗାଧୋଇବା ତାରିଖ ମୋ ଜାଣତରେ ଆଜି ପର୍ଯ୍ୟନ୍ତ କେବେବି ବଦଳିନି । ତେଣୁ ଏଥର ବଦଳିବ ବା କେମିତି? ସନାତନ ଆଉ ବିଶେଷ କିଛି ପ୍ରଶ୍ନ ନପଚାରି ସଂଭୋଗର ଆନନ୍ଦରେ ସତ୍ତ୍ୱରୀମାକୁ ହଜେଇ ଦିଏ । ପରେ ପରେ ଉଭୟେ ଶୋଇ ଯାଆନ୍ତି । ତାପରଦିନ ସନାତନ ନିତିଦିନ ପରି ଅଫିସ୍ ଚାଲିଯାଏ ହେଲେ ଉତ୍କଣ୍ଠାର ସହିତ ତାପରଦିନକୁ ଅପେକ୍ଷା କରି ରହିଥାଏ । 
      ସତ୍ତ୍ୱରୀମାର ସେଥିପ୍ରତି ଆଦ୍ୟୈ ଚିନ୍ତା ହିଁ ନଥାଏ । ପରିବାରରେ ଅତି ଆନନ୍ଦରେ ସେ ଦିନଟି ବିତେଇବାରେ ଲାଗିଥାଏ । ମୁଁ କିନ୍ତୁ ପ୍ରତିଦିନ ପ୍ରଭାତରେ ସତ୍ତ୍ୱରୀମାର ପୂଜାଘରେ ସେ ପ୍ରାର୍ଥନାକୁ ବଡ ଆତୁରତାର ସହିତ ଅପେକ୍ଷା କରିଥାଏ । ମୋର ଲକ୍ଷ୍ୟ ସ୍ଥଳରେ ପହଞ୍ôଚବା ପାଇଁ ସତ୍ତ୍ୱରୀମାର ପ୍ରତିଦିନର ସେ ପ୍ରାର୍ଥନା ମୋ ମନର ବିଶ୍ୱାସକୁ ଆହୁରି ମଜ୍‌ବୁତ କରିଦିଏ । ଆଉ ମୋତେ ମୋ ରାସ୍ତାକୁ ସୁଗମ କରିବାରେ ଅନେକ ସାହାଯ୍ୟ କରିଚାଲେ । ମୁଁ ତା’ ହୃଦୟ ଓ ଆତ୍ମା ଭିତରେ ଥିବା ଭକ୍ତିରେ ନିଜର ଶାନ୍ତିକୁ ଅତି ସୁନ୍ଦର ଭାବରେ ଅନୁଭବ କରେ । ସତରେ ବୋଧହୁଏ ମୋ ଶେଷ ଯାତ୍ରାର ମାଧ୍ୟମଯେ ଏତେ ପବିତ୍ର, ଏତେ ସୁନ୍ଦର ହୋଇଥିବ, ଏହା ମୁଁ ଅତୀତରେ କେବେ ବି ବିଶ୍ୱାସ କରିନଥିଲି । 

*******
       

ତୃତୀୟ ପକ୍ଷ 

      ସେଦିନ ପ୍ରକୃତରେ ଗଣନା ଦୃଷ୍ଟିରୁ ସତ୍ତ୍ୱରୀମାର ରଜସ୍ୱଳାର ଦିନ । ସତ୍ତ୍ୱରୀମା ତେଣୁ ସେଦିନ ରାତି ଚାରିଟାରୁ ଉଠି ଘରକାମ ସାରି ତରତରରେ ଦିଅଁଙ୍କ ଘରେ ପୂଜା ପ୍ରାର୍ଥନା ସାରିବାକୁ ଚେଷ୍ଟା କରେ କାରଣ ସେ ଜାଣେ ଆଜି କେତେବେଳେ ହେଲେ ସେ ଋତୁବତୀ ହୋଇଯିବ । ଋତୁବତୀ ହୋଇଗଲା ପରେ ସେ ଆଉ ପୂଜା ଘରକୁ ଯାଇ ପାରିବନି କିମ୍ବା ପ୍ରାର୍ଥନା କରିପାରିବନି । ତେଣୁ ଯେତେ ଜଲଦି ସମ୍ଭବ ପୂଜା କାମ ସାରି ଦେବା ହିଁ ଭଲ । ସେଇଆ ହିଁ କରିଛି । ମାତ୍ର ପ୍ରକୃତିର ବୈଚିତ୍ରତା ତାକୁ ଅଜଣା । ପରମେଶ୍ୱରଙ୍କ ଅପାର କରୁଣାଯେ ତା’ ଉପରେ ଆଜି ଢାଳି ହୋଇଛି ସେ ତାହା ଜାଣିନି । ତେଣୁ ସେ ଏବେବି ବ୍ୟସ୍ତ ନିଜର ଚିରାଚରିତ ଢଙ୍ଗରେ । ସକାଳ ଆସେ । ସକାଳ ଚାଲିଯାଇ ଦ୍ୱିପ୍ରହର ଆସେ । ଦ୍ୱିପ୍ରହର ଯାଇ ସନ୍ଧ୍ୟା ମଧ୍ୟ ଚାଲିଆସେ  ହେଲେ ସତ୍ତ୍ୱରୀମା ଆଉ ରଜସ୍ୱଳା ହୁଏ ନାହିଁ । ସନାତନ ଅଫିସ୍‌ରୁ ଫେରି ଘରେ ପହଞ୍ôଚ ଆଗ ଟିକେ ସତ୍ତ୍ୱରୀମା ମୁହଁକୁ ଓ ଶରୀରକୁ ତନ୍ନତନ୍ନ କରି ଅନାଏ । ସତ୍ତ୍ୱରୀମା କହେ କଣ ଦେଖୁଛ । ସନାତନ କହେ ଆଜି କ’ଣ କେଶ ମୁକୁଳା ହୋଇନିକି ଶାଢୀ ବଦଳା ହୋଇନି । କଣ ତୁମେ ଗାଧେଇନ ନା କ’ଣ । ସତ୍ତ୍ୱରୀମା କହେ ହଁ ସକାଳୁ ଗାଧେଇ ପଡିଥିଲି ହେଲେ ଆଉ ଗାଧେଇନି । ଆରେ ମୁଁ ସେ କଥା କହୁନି । ତୁମ ରଜସ୍ୱଳା କଥା କହୁଛି । ସତ୍ତ୍ୱରୀମା କହିଛି କାହିଁକି କେଜାଣି ଆଜି ମୋର ତାରିଖ ଥିଲା ହେଲେ କିଛି ହେଲାନି । 
ସନାତନ ମନେମନେ ଟିକେ ଖୁସି ହୋଇଯାଇ କହିଲା ଆଜି ନହୋଇଛି ନାହିଁ କାଲି ହୋଇପାରେ । ସତ୍ତ୍ୱରୀମା ସେକଥାକୁ ଭୁଲିଯାଇ ସନାତନ ପାଇଁ ଚା’ ଓ ଜଣଖିଆ ଆଣିବାକୁ ଚାଲିଯାଏ । ସନାତନର ମନରେ କିନ୍ତୁ ବର୍ତ୍ତମାନ ତାର ବିଶ୍ୱାସ ସତ୍ୟରେ ପରିଣତ ହେବାକୁ ଯାଉଥିବାର ଆଭାସ ହୁଏ । ତଥାପି ସେ ନିଶ୍ଚିତ ନୁହେଁ । ଯେ ପର୍ଯ୍ୟନ୍ତ ଆଉ ପାଞ୍ଚଦିନ ନବିତିଛି ଆଉ ସେ ସତ୍ତ୍ୱରୀମାର ଗର୍ଭପରୀକ୍ଷା ନିଜେ ନକରିଛି ଜଣେ ବୈଜ୍ଞାନିକ ହିସାବରେ ତା ପାଇଁ ଏ ବିଶ୍ୱାସଟା ଦ୍ୱନ୍ଦ ହୋଇ ରହିବ । ପ୍ରକୃତିର ନିୟମରେ ବିକଷିତ ଭୃଣଟି ଆଜି ପ୍ରାୟ ଆଦ୍ୟ ଯୁଗ୍ମଜ ଠାରୁ ୧୦,୦୦୦ଗୁଣ ବଢି ଯିବଣି । ଏହି ବିକଷିତ ଭୃଣଟି ଯେତେବେଳେ ଗର୍ଭାଶୟର କାନ୍ଥ ସହିତ କୋଷିକା ନଳୀ ସହିତ ସଂଯୁକ୍ତ ହୋଇଯିବ ଠିକ୍ ସେତିକି ବେଳେ ସେହି ବିକଷିତ ଭୃଣଟିର ବାହ୍ୟ ଆବରଣରୁ ଏକ ପ୍ରକାର ହର୍‌ମୋନ୍ ଝରିବା ଆରମ୍ଭ ହୋଇଯିବ ଆଉ ଯେଉଁ ହରମୋନ୍ କି ନାରୀର ପରବର୍ତ୍ତୀ ରଜ କ୍ଷରଣକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେବ । 
      ଅର୍ଥାତ ନାରୀ ଗର୍ଭବତୀ ହେବା ପରଠାରୁ ଶିଶୁ ପ୍ରସବ ନହେବା ପର୍ଯ୍ୟନ୍ତ ନାରୀର ଆଉ ରଜସ୍ଖରଣ ହେବନାହିଁ । ଯଦି ବାସ୍ତବରେ ସେଇଆ ହିଁ ହୋଇଥିବ ତେବେ ଆଉ ମାତ୍ର ପାଞ୍ଚଦିନ ପରେ ଅର୍ଥାତ ପଞ୍ଚମ ସପ୍ତାହର ଶେଷ ଦିନ ବେଳକୁ ସତ୍ତ୍ୱରୀମାର ପିଶାକକୁ ପରୀକ୍ଷା କରିଦେଲେ ତାହା ଜଣା ପଡିଯିବ । 
      ପ୍ଲାସେଣ୍ଟାର କାମ ଶିଶୁର ସୃଷ୍ଟି ପରଠାରୁ ଜନ୍ମ ପର୍ଯ୍ୟନ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାରି ମାଧ୍ୟମରେ ମା’ର ଶରୀରରୁ ସମସ୍ତ ପ୍ରକାର ଖାଦ୍ୟ ପଦାର୍ଥର ସାର ଶିଶୁ ଶରୀରକୁ ପ୍ରବେଶ କରିଥାଏ । ଏହାର ଏକ ଗୁରୁତ୍ୱପୂର୍ଣ୍ଣ କାମ ହେଲା ଏହା ମା’ର ରକ୍ତ ଓ ଶିଶୁର ରକ୍ତକୁ ମିଶିବାକୁ ଦିଏ ନାହିଁ ମାତ୍ର ସମସ୍ତ ପୁଷ୍ଟିକାରକ ଖାଦ୍ୟ ସହିତ ଦରକାରୀ ପଦାର୍ଥ ମାନଙ୍କୁ ଉଭୟଙ୍କର ରକ୍ତରେ ମିଶାଇ ଦେଇଥାଏ । ଏହି ପ୍ଲାସେଣ୍ଟା ମଧ୍ୟ ମା’ର ସଂସ୍ପର୍ଶରେ ଆସୁଥିବା ଅନେକ କ୍ଷତିକାରକ ପଦାର୍ଥକୁ ଭୃଣ ମଧ୍ୟରେ ପ୍ରବେଶ କରିବାକୁ ଦିଏ ନାହିଁ । କିନ୍ତୁ ଏହା କେତେଗୁଡିଏ ଭୃଣକୁ କ୍ଷତି ପହଞ୍ଚାଇ ପାରୁଥିବା ଦ୍ରବ୍ୟ ଯଥା ମାଦକ ଦ୍ରବ୍ୟ, ସିଗାରେଟ୍ ଧୁଆଁ ଓ ଅନ୍ୟ ଡ୍ରଗସ୍ ଜନିତ କ୍ଷତିକାରକ ପଦାର୍ଥକୁ ରୋକି ପାରେ ନାହିଁ । ତେଣୁ ଏହି ସମୟରେ ନାରୀକୁ ଏ ସବୁ ପଦାର୍ଥର ସଂସ୍ପର୍ଶରୁ ଯଥା ସମ୍ଭବ ଦୂରେଇ ରଖିବା ଭଲ । 
      ଏମିତିବି ସନାତନ ଘରେ ଏସବୁ ସ୍ୱପ୍ନ । ରାଜବଂଶର ଦାୟଦ ହୋଇଥିଲେ ମଧ୍ୟ ପାରିବାରିକ ଚଳଣୀରେ ସେମାନେ ଅତ୍ୟନ୍ତ ସାଧାସିଧା, ଶାନ୍ତ ଓ ଭଦ୍ର । ସେମାନଙ୍କର ଏ ସବୁ ପଦାର୍ଥ ସହିତ ଜନ୍ମରୁ ନାତା ହିଁ ନାହିଁ । ତେଣୁ ସତ୍ତ୍ୱରୀମା ପ୍ରତି ସେ କାରଣରୁ କୈାଣସି ବିପଦ ନାହିଁ । ସେଦିନ ପଞ୍ଚମ ସପ୍ତାହର ତୃତୀୟ ଦିବସ । ମୋ ସ୍ଥୂଳ ଶରୀରର ଆକାର ସହିତ ଓଜନ ଆଜି ଅବଶ୍ୟମ୍ଭାବୀ ଭାବେ ବଢିବାରେ ଲାଗିଥାଏ । ମୋ ସ୍ଥୂଳଘଟ ସେଦିନ ପୁରାପୁରି ମନୁଷ୍ୟ ଶରୀରର ଆକୃତି   ଧାରଣ କରିବା ଆରମ୍ଭ କରିଚାଲିଥାଏ । ଶରୀରର ବାହ୍ୟ କଳେବରରେ ହାତ, ଗୋଡ, ଆଙ୍ଗୁଠି, ଆଖି, ପାଟି ଓ ନାକ ସବୁଗୁଡିକ ଧୀରେ ଧୀରେ ନିଜର ଆକାର ଧାରଣ କରିବାରେ ଲାଗିଥାନ୍ତି । ଖାଲି ସେତିକି ନୁହେଁ ସ୍ଥୂଳଘଟର ଆଭ୍ୟନ୍ତରୀଣ ଅଙ୍ଗ ଗୁଡିକ ଯଥା ହୃଦୟ, ବୃକକ୍‌, ଶ୍ୱାସକ୍ରିୟା ସମ୍ପାଦନକାରୀ ଗ୍ରନ୍ଥୀ ଇତ୍ୟାଦି ନିଜ ଆକାର ଧାରଣ କରିବାକୁ ଉଦ୍ୟତ ହେଉଥାନ୍ତି । ଏ ସବୁ ଦେଖି ମୁଁ ମୋ ଭିତରେ ଗୋଟିଏ ଅଦ୍ଭୁତ ପରିବର୍ତ୍ତନ ନଜର କରୁଥାଏ । ଯେଉଁ ଯେଉଁ ମୋ ସ୍ଥୂଳଘଟର ଆକାର ବଢିବା ସହିତ ତା’ର ସ୍ୱରୂପବି ମନୁଷ୍ୟ ଆଡକୁ ପରିବର୍ତ୍ତୀତ ହେଉଥାଏ ମୁଁ ମୋର ପୂର୍ବଜନ୍ମର କଥା ଗୁଡିକ ବିସ୍ମରୀ ଯାଉଥାଏ । ମୁଁ ଯେତେବେଳେ ଶୂନ୍ୟରେ ଘୁରି ବୁଲୁଥିଲି ସେତେବେଳେ ମୋତେ ମୋ ପୂର୍ବଜନ୍ମର କଥା ଗୁଡିକ ସବୁ ମନେପଡି ଯାଉଥିଲା ମାତ୍ର ଗର୍ଭ ଅବସ୍ଥାରେ ଯେତେବେଳେ ମୁଁ ଶୁକ୍ରାଣୁ ରୂପରେ ଡିମ୍ବାଣୁ ମଧ୍ୟକୁ ପ୍ରବେଶ କରିଥିଲି ସେ ପର୍ଯ୍ୟନ୍ତ ମୋର ପ୍ରାୟ ସବୁ କଥା ଚାହିଁବା ମାତ୍ରେ ମନେପଡି ଯାଉଥିଲା । କିନ୍ତୁ ମୋର ଆଦ୍ୟଭୃଣର ଶରୀରର ବୃଦ୍ଧି ଓ ପରିବର୍ତ୍ତନ ସହିତ ମୁଁ ମୋର ମାନସିକ ପରିବର୍ତ୍ତନ ଦେଖିବାକୁ ପାଉଥାଏ । ମୋର ଧୀରେ ଧୀରେ ପୂର୍ବ ଜନ୍ମର ସମସ୍ତ କଥା ଆଉ ମନେପଡୁ ନଥାଏ । ମୋତେ ଲାଗୁଥାଏ ପ୍ରାୟ ସେଦିନକୁ ମୋର ପୂର୍ବ କଥା ଗୁଡିକରୁ ଆଉ ଦଶ ପ୍ରତିଶତ ମନେ ପଡୁଥାଏ । 
     ମୁଁ ନିଜର ଏ ସ୍ୱଭାବ ପାଇଁ ମନ ଦୁଃଖ ଟିକେ କରୁଥାଏ ସତ ପୁଣି ନିଜ ଉପରେ ମୋତେ ବିରକ୍ତି ଭାବବି ଆସୁଥାଏ । ମୋତେ କାହିଁକି ଏପରି ବୋଧ ହେଉଥାଏ ଯେ ସତେଯେମିତି ମୁଁ ମୋର ଶେଷଯାତ୍ରାର ସୁନ୍ଦର ପଥଟିଏ ପାଇଗଲା ପରେ ମୋ ମନର ଆନନ୍ଦ ଓ ଅହମିକା ମୋତେ ଆଉ ମୋ ପୂର୍ବଜନ୍ମର କଥା ଗୁଡିକ ମନେ ପକେଇବାକୁ ଅବସର ପ୍ରଦାନ କରୁନି । ହେଲେ ମୁଁ ଥାଏ ବିବସ । କିଛି ବି କରିବାର ମୋର କ୍ଷମତା ହିଁ ନଥାଏ । ସତେଯେମିତି ପ୍ରକୃତିର ପ୍ରାକୃତିକ ପ୍ରକ୍ରିୟାରେ ମୁଁ ମୋର ସବୁକଥାକୁ ଭୁଲି ବସିଥାଏ । ତଥାପି ମୁଁ କିନ୍ତୁ ମୋ ଲକ୍ଷରୁ ବିଚ୍ୟୁତ ହେବାକୁ ଚାହୁଁ ନଥାଏ । ମୋର ଯାତ୍ରା କେମିତି ମଙ୍ଗଳମୟ ହେଉ ତାହା ମୁଁ ସବୁବେଳେ ଆଶାବାନ୍ଧି ସେହି ପରମପୁରୁଷଙ୍କ ଶରଣରେ ନିଜକୁ ହଜେଇ ଦେଉଥାଏ । 
      ତେଣେ ସନାତନ ପାଇଁ ଏ ସପ୍ତାହଟି ଅତ୍ୟନ୍ତ କୌତୁହଳ ଭରା ସପ୍ତାହ । ସେ ଦେଖେ ସତ୍ତ୍ୱରୀମାର ଋତୁସ୍ରାବ ନିର୍ଦ୍ଧିଷ୍ଟ ତାରିଖରେ ହୁଏ ନାହିଁ । ସେ ମନେମନେ ନିଶ୍ଚିତ ହୁଏଯେ ସତ୍ତ୍ୱରୀମା ବର୍ତ୍ତମାନ ଗର୍ଭବତୀ । ତଥାପି ବୈଜ୍ଞାନିକ ଯେପର୍ଯ୍ୟନ୍ତ ନିଜ ଜ୍ଞାନ ନୟନରେ ନିଜେ ସତ୍ୟକୁ ନପରଖିଛି ସେ କେବେବି ନଶ୍ଚିତରେ କହି ପାରିବନି ଯେ ସତ୍ତ୍ୱରୀମା ଆଜି ଗର୍ଭବତୀ । ସେ ଜାଣେ ଏହି ସପ୍ତାହରେ ହିଁ ଗର୍ଭସ୍ଥ ଭୃଣ ଆଦ୍ୟ ଶିଶୁର କଳେବରରେ ପରିଣତ ହେବା ସହିତ ଶିଶୁର ହୃଦୟରେ ପ୍ରାଣପ୍ରତିଷ୍ଟା ହୋଇ ତାହ ସ୍ୱଂୟକ୍ରିୟ ଭାବେ ସ୍ପନ୍ଦିତ ହେବା ଆରମ୍ଭ କରିଦେବ । ସେହି କ୍ଷୁଦ୍ର ହୃଦୟଟିର ସ୍ପନ୍ଦନ ହାର ପାଖାପାଖି ପ୍ରତି ସେକେଣ୍ଡରେ ଏକଶତ ଥର ହୋଇ  ଚାଲିଥିବ । ମନୁଷ୍ୟର ସମସ୍ତ ବାହ୍ୟ ଓ ଆଭ୍ୟନ୍ତର ଅଙ୍ଗର ଆଦ୍ୟ ସ୍ୱରୂପ ଗୁଡିକ ଏହି ସପ୍ତାହରେ ହିଁ ବିକଶିତ ହେବା ଆରମ୍ଭ କରିବ । ସେ ଯଦି ଚାହେଁ ତା’ପରୀକ୍ଷାଗାରରେ ଥିବା ସୂକ୍ଷ୍ମ ଯନ୍ତ୍ର ସହିତ ସତ୍ତ୍ୱରୀମାର ଗର୍ଭ ପରୀକ୍ଷା କରି ଆଜିବି ଜାଣିପାରିବ ମାତ୍ର ସେ ତାହା ଚାହେଁନି । ସେ ଚାହେଁନି ସତ୍ତ୍ୱରୀମାକୁ ଘର ବାହାରକୁ ନେଉ ଏବଂ ସତ୍ତ୍ୱରୀମା ମନରେ କୌଣସି ପ୍ରକାର ଭୟ ଓ ସଂସୟ ସୃଷ୍ଟି କରୁ । ସେ ବରଂ ଆଉ ତିନିଦିନ ପରେ ଗର୍ଭ ପରୀକ୍ଷାର କ୍ଷୁଦ୍ର ଯନ୍ତ୍ର ଆଣି ଘରେ ହିଁ ସତ୍ତ୍ୱରୀମାର ଗର୍ଭବତୀ ହେବା କଥାର ସତ୍ୟତା ପରୀକ୍ଷା କରିଦେଇ ସତ୍ତ୍ୱରୀମାକୁ ଖୁସି ଖବର ଦେବ । 
      ସନାତନ ତା’ର ବିଜ୍ଞାନୀ ଚିନ୍ତାଧାରାରେ ବିଚାର କରେ ଏହି ସପ୍ତାହ ବେଳକୁ ଭୃଣଟିର ଓଜନ ପ୍ରାୟ ୩.୫ ଗ୍ରାମ ପାଖାପାଖି ହୋଇଥିବ ଏବଂ ଏହାର ଲମ୍ବ ମାତ୍ର ୧.୫ ରୁ ୨.୫ ମି.ମି ହୋଇଥିବ । ଏହା ସତ୍ୟ ଯେ ଭୃଣଟିର ରୂପ ଆସି ମନୁଷ୍ୟର ଆଦ୍ୟ କଳେବରରେ ଉପନୀତ ହେବାର ଏଇ ସପ୍ତାହ ହିଁ ପ୍ରକୃତ ସମୟ । ତଥାପି ସେ ତା’ର ସନ୍ଦେହକୁ ସତ୍ତ୍ୱରୀମାର ବାହ୍ୟ ପରିବର୍ତ୍ତନରେ ଉଣା ଅଧିକେ ଠଉରେଇ ପାରିବ ଏଥିରେ ସନ୍ଦେହ ନାହିଁ । ତଥାପି ତା’ର ନିରୀକ୍ଷଣର ସୂକ୍ଷ୍ମତାକୁ ସେ ଆଗ ଅପେକ୍ଷା ଆହୁରି ବଢେଇ ସାରିଥାଏ । ସେ ଆଜି ସତ୍ତ୍ୱରୀମାର ବାହ୍ୟ ପରିବର୍ତ୍ତନ ଦେଖିବ । ଆଉ ସେ ମଧ୍ୟ ଚାହେଁ ସତ୍ତ୍ୱରୀମା ତା’ର ଶରୀରର ବାହ୍ୟ ପରିବର୍ତ୍ତନ ବିଷୟରେ କିଛି କହୁ । ହେଲେ ହସ ଖୁସି ଭରା ମନର ପ୍ରଶାନ୍ତିରେ ସତ୍ତ୍ୱରୀମା ନିଜକୁ ଏପରି ହଜେଇ ଦେଇଥାଏଯେ ସେ ଏ ସବୁ ଚିନ୍ତାଠାରୁ କାହିଁ କେତେ ଦୂରରେ ।
      ସେଦିନ ସନାତନ ଅଫିସ୍ ପଳାଏ । ଏଣେ ସତ୍ତ୍ୱରୀମା ନିଜର ଘର କାମ କରୁଥିବା ସମୟରେ ତାକୁ କାହିଁକି ଅଳସ ପଣ ମାଡିବସେ । ସେ ତା’ ଜୀବନରେ ଆଗରୁ ଏପରି ଅଳସପଣ କେବେ ଅନୁଭବ କରିନଥାଏ । ତାକୁ ଶୋଇବାକୁ ପ୍ରବଳ ଇଚ୍ଛା ହୁଏ । ସେ ଯାଇ ପଲଙ୍କ ଉପରେ ଶୋଇପଡେ । ତା’ର ମୁଣ୍ଡ ବିନ୍ଧା ଟିକେଟିକେ ହୁଏ ଓ ଦେହ ଦୁର୍ବଳ ଲାଗେ । ସୁସ୍ଥମନା ସତ୍ତ୍ୱରୀମା ଏପରି ହଠାତ୍ ପରିିବର୍ତ୍ତନରେ ସେତେଟା ବିଚଳିତ ନହୋଇ ଦିନ ଏକଟାରେ ସନାତନକୁ ଫୋନ୍ କରେ । ଦୁଇଜଣଙ୍କ ବାର୍ତ୍ତାଳାପ ଭିତରେ ସେ ନିଜର ଏପରି ସବୁ ଲକ୍ଷଣ ଗୁଡିକୁ ସନାତନକୁ କୁହେ । ସନାତନ ଏକଥା ଶୁଣି ହସିବା ଆରମ୍ଭ କରିଦିଏ । ସତ୍ତ୍ୱରୀମା ଆଶ୍ଚର୍ଯ୍ୟ ହୋଇଯାଏ । ପଚାରେ ତୁମେ କାହିଁକି ହସୁଛ ଯେ । 
       ସନାତନ କହେ ଆରେ ବୋକି ଯେତେବେଳେ କୈାଣସି ସ୍ତ୍ରୀର ରଜସ୍ୱଳା ଠିକ୍ ତାରିଖରେ ହୋଇନଥାଏ ତାକୁ ଏଭଳି ଲାଗେ । ସତ୍ତ୍ୱରୀମା କହିଛି ତେବେ ମୋର ଏ ଋତୁସ୍ରାବ ହେଉନି କାହିଁକି ଯେ? ସନାତନ ତଥାପି ତାକୁ ସେ କଥା ନକହି କୁହେ ଏଥିରେ ମନ ଦୁଃଖ କରିବାର କଣ ଅଛି । ଏତ ପ୍ରକୃତିର ପ୍ରକ୍ରିୟା । ଆଉ ଦିନେ ଦୁଇ ଦିନ ପରେ ହୋଇପାରେ । ସତ୍ତ୍ୱରୀମା 
        କହିଛି ହେଲେ ମୋର ଦେହ ହାତ କାହିଁକି ଦୁର୍ବଳ ଲାଗୁଛି । ସନାତନ ଆହୁରି ଜୋରରେ ହସିକି କହେ ଆରେ କାଲି ରାତିର କସରତ ଯୋଗୁଁ ବୋଧେ ଏମିତି ଲାଗୁଥିବ । ସତ୍ତ୍ୱରୀମା କହେ ଛି ଛି ତମର ଖାଲି ସେଇ କଥା । ହଉ ତମେ ଆଜି ଜଲଦି ଆସ ହେରି ମୋତେ କାହିଁକି ଭଲ ଲାଗୁନି । ସନାତନ କହିଛି ହଉ ହଉ, ମୁଁ ଗୋଟେ କଣ ଭଲ ଜିନିଷ ଖାଇବା ପାଇଁ ନେଇକି ଯିବି । ସତ୍ତ୍ୱରୀମା କହିଛି ଏଣେ ମୋର ଖାଇବାକୁ ଇଚ୍ଛା ହେଉନି ତମେ ଭଲ ଜିନିଷ ଆଣିବ । ମୋର କିଛି ଦରକାର ନାହିଁ । ତମେ ଶିଘ୍ର ଆସିଲେହେରି ମୋର ସେଥିରେ ହିଁ ପେଟ ପୁରିଯିବ ।
      ସେଦିନ ପଞ୍ଚମ ସପ୍ତାହର ପଞ୍ଚମ ଦିନ । ମୁଁ ମୋ ଭିତରେ ଅନେକ ଆଶ୍ଚର୍ଯ୍ୟ ପରିବର୍ତ୍ତନ ଦେଖୁଥାଏ । ମୁଁ ଜାଣେ, ମୁଁ ସେହି ପରମାତ୍ମାଙ୍କର ଏକ ଅଂସ ବିଶେଷ । ଏ ଜଗତର ଅତ୍ର, ତତ୍ର ଓ ସର୍ବତ୍ରରେ ସେହି ପରମାତ୍ମା ଅନନ୍ତ ଆକାଶ ପରି ବିଦ୍ୟମାନ । ଅନନ୍ତ ଆକାଶ ଯେପରି ସୂକ୍ଷ୍ମାତିସୂକ୍ଷ୍ମଠାରୁ ଆରମ୍ଭ କରି ବିଶାଳତା ପର୍ଯ୍ୟନ୍ତ ସର୍ବତ୍ର ବ୍ୟାପିତ୍ ଠିକ୍ ସେହିପରି ପରମାତ୍ମାଙ୍କର ସ୍ଥିତି । ଜ୍ଞାନୀ ନିଜର ଜ୍ଞାନ ଦୃଷ୍ଟିରେ ହିଁ ଏକଥା ହେଜିପାରେ । ସମସ୍ତ ନରମାନଙ୍କ ମଧ୍ୟରେ ଏପରି ଭାବନା ଆସିବାର ସ୍ୱଭାବ ସେହି ମଙ୍ଗଳମୟ ହିଁ ବୋଧହୁଏ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରି ନାହାନ୍ତି । ସେହି ପରମ ପୁରୁଷଙ୍କ ଠାରୁ ଜାତ ଅଂଶ ମୁଁ ମୋତେ ତାଙ୍କ ଠାରୁ ଅଲଗା ରଖି ପାରିବି ବା କିପରି? ସେ ଯେଉଁ ଚିର ସାସ୍ୱତ ଆନନ୍ଦ, ସେ ଯେଉଁ ପ୍ରଶାନ୍ତି, ସେ ଯେଉଁ ଅମରତ୍ୱ ଓ ଭୟ ଶୂନ୍ୟ ମଣ୍ଡଳ ତାହାର ସାନିଧ୍ୟ୍ୟ ହିଁ ମୋ ପରି ସମସ୍ତ ଆତ୍ମା ପାଇଁ ପ୍ରପନ୍ନର ପାରିଜାତ ସଦୃଶ । ତେଣୁ ଆଜି ମୋ ପରି ସମସ୍ତ ଆତ୍ମାମାନଙ୍କର କୈାଣସି ମାଧ୍ୟମ ଦେଇ ଚିର ପ୍ରବାହମାନ ସେହି ପ୍ରଶାନ୍ତିର ବିଶାଳତା ଭିତରେ ମିଶିଯିବା ପାଇଁ ପ୍ରୟାସ ରହିଥିଲା, ଅଛି ଓ ରହିଥିବ । 
      ଯେତେବେଳେ ଶେଷ ଯାତ୍ରାପାଇଁ ମାଧ୍ୟମର ପ୍ରତିକ୍ଷାରେ ଥିଲି ମୋର ପୂର୍ବଜନ୍ମର ସବୁ ବୃତ୍ତାନ୍ତ ମନେ ଥିଲା । ମୋତେ ରୋଗ, ଭୟ, ଶୋକ, ତ୍ରାସ କିଛି ବି ସ୍ପର୍ଶ କରି ପାରୁନଥିଲା । ମାତ୍ର ମୁଁ ମୋର ଲକ୍ଷସ୍ଥଳରେ ପହଞ୍ôଚବା ପାଇଁ ବ୍ୟାକୁଳ ଥିଲି । ସର୍ବ ପ୍ରଥମେ ଯେଉଁଦିନ ଆଦ୍ୟ ଯୁଗ୍ମଜରେ  ଥିବା ଅବସ୍ଥାରେ ମୁଁ ଉଲ୍ୱସଲଗ୍ନ ନଳୀ ମଧ୍ୟରୁ ଗର୍ଭାଶୟକୁ ଖସିଥିଲି ପ୍ରଥମେ ମୋତେ ଭୟ ସ୍ପର୍ଶ କରିଥିଲା । 
      ତା ପୂର୍ବରୁ ଯଦିଓ ମୋତେ ସେ ଉଲ୍ୱସଲଗ୍ନ ନଳୀ ଭିତରର ଅନ୍ଧକାର କିଛିଟା ଛାନିଆ କରିଥିଲା ତଥାପି ଭୟ କ’ଣ ମୁଁ ଅନୁଭବ କରିନଥିଲି । ମାତ୍ର ମୋ ଶରୀରର ଆକାରକୁ ଚାହିଁ ସେ ବିସ୍ତ୍ରୀର୍ଣ୍ଣ ଗର୍ଭାଶୟର ନିଶବ୍ଦ ପରିବେଷ୍ଟନୀ ଭିତରେ ପଡିଯିବା ସମୟରେ ହଠାତ୍ ମୋର ଯାତ୍ରାର କ୍ଷଣ ଭଙ୍ଗୁରତା ଭାବନା ମୋତେ ଭୟଭିତ କରାଇଦେଇଥିଲା । ତଥାପି ଏଠାରେ ତୁମେ ହେଜିପାର ସେହି ଭଗବାନ ବୁଦ୍ଧଙ୍କର ଅମରବାଣୀକୁ “କାମନାର ବିନାଶରେ ଦୁଃଖର ବିନାଶ” । ଯେଉଁଠି କାମନା ଅଛି ସେଇଠି ହିଁ ଦୁଃଖର ଘର । ସେତେବେଳକୁ  ମୁଁ ବି ମୋର ଆଦ୍ୟ ପବିତ୍ରତାକୁ ଧୀରେଧୀରେ ହରେଇ ବସିବାକୁ ଆରମ୍ଭ କରିଥାଏ । ଯେତେବେଳେ ମାଧ୍ୟମର ତଲାସରେ ଥିଲି ସେତେବେଳେ ବି ମୋର ମାତ୍ର ଗୋଟିଏ କାମନା ଥିଲା ଯେ ମୋର ପରମାତ୍ମାଙ୍କ ସହିତ ମିଳନ । ତାହା ଥିଲା ପୂଣ୍ୟ ଓ ପବିତ୍ରକାମୀ । ଯାତ୍ରାର ଦୀର୍ଘତା ସହିତ ମୋର ସେହି କାମନାଟା ଧୀରେ ଧୀରେ ଆସକ୍ତିରେ ପରିଣତ ହୋଇ ଯାଉଥିଲା । ସେହି ଆଶକ୍ତି ମୋତେ ସେଦିନ ମୋର ନିର୍ଭୀକ କାୟାଶୂନ୍ୟ ସ୍ଥିତି ଭିତରେ ଭୟର ବୀଜ ବୋଇ ସାରିଥିଲା । ତଥାପି ଏହା ନିଶ୍ଚିତ ଯେ  
ଏ ସବୁ ଗୁଣ ମୋତେ ଯଦିଓ କିଛିଟା ପ୍ରଭାବିତ କରିପାରେ କିନ୍ତୁ ଚିରସତ୍ୟ ଏହା ଯେ, ଏ କାୟାର  ନଷ୍ଟରେ ମୁଁ ପୁଣି ଖସି ଚାଲିଯିବି । ଏ ଶରୀର ମୋତେ ବାନ୍ଧି ରଖି ପାରିବନି । ମୋର ନିର୍ଲିପ୍ତତାକୁ କୈାଣସି ମତେ ବି ଏ ପରିସ୍ଥିତି କ୍ଷୁର୍ଣ୍ଣ କରିପାରିବ ନାହିଁ ଯାହାକି ମୋର ଅମୋଘ ଶକ୍ତି । 
      ପରମାତ୍ମାଙ୍କ ସହିତ ମିଳନର ସେ ଯେଉଁ ଆନନ୍ଦ ଓ ଶମଥ ସାମନାରେ ଏ କଷ୍ଟ ମୋ ପାଇଁ କିଛି ନୁହେଁ । ସାରା ଜୀବନଚକ୍ରର ସମସ୍ତ ଦୁଃଖ, ବିସାଦ ଓ ଅବଶୋଷ ସେହି ପରମାତ୍ମାଙ୍କ ସାନିଧ୍ୟରେ ନିମିଷକେ ମିଳେଇଯିବ ତାହା ମୋତେ ଭଲଭାବରେ ଜଣା । ତେଣୁ ଏ ସବୁ କଷ୍ଟ ଓ ଯନ୍ତ୍ରଣାକୁ ଅଣଦେଖା କରି ମୁଁ ମୋର ସେହି ପରମାତ୍ମାଙ୍କ ପଦପଙ୍କଜରେ ମୋର ମତିକୁ ସ୍ଥିରରଖି ଚାଲିଥାଏ । 
 ଆଜି ପଞ୍ଚମ ସପ୍ତାହର ଷଷ୍ଠ ଦିନ । ସତ୍ତ୍ୱରୀମା ନିଜକୁ ଆଉ ସେତେ ସହଜ ମଣୁନଥାଏ । ସତେଯେମିତି ଅଳସୁଆ ଓ ଦୁର୍ବଳତା ତାକୁ ଭିତରେ ଭିତରେ ଟିକେ କବଳିତ କରିସାରିଥାଏ । ତଥାପି ପ୍ରକୃତି ବସତଃ ଭୋର୍ ପାଞ୍ଚଟାରୁ ଶଯ୍ୟା ତ୍ୟାଗକରି ସେ ଚାଲିଯାଏ ନିଜର ନିତ୍ୟକର୍ମ ପାଇଁ । ଏଣେ କିନ୍ତୁ ସନାତନ ପଲଙ୍କ ଉପରେ ନିଦରେ ଶୋଇ ରହିଥାଏ । ଯେତେବେଳେ ସତ୍ତ୍ୱରୀମା ସ୍ନାନ ପାଇଁ ସ୍ନାନଗୃହକୁ ପ୍ରବେଶ କରି ନିଜକୁ ବିବସ୍ତ୍ର କରେ ସେ ନିଜ ଶରୀରର ଏକ ଆକସ୍ମିକ ପରିବର୍ତ୍ତନ ତାକୁ ନଜର ଆସେ । ସେ କ୍ଷଣିକ ପାଇଁ ସ୍ତମ୍ଭିଭୁତ ହୋଇଯାଏ । ନିଜର ବକ୍ଷୋଜର ରଙ୍ଗ ଆଉ ଆକାରରେ ପରିବର୍ତ୍ତନ ଦେଖି ସେ ଟିକେ ମନେମନେ ବ୍ୟତିବ୍ୟସ୍ତ ହୋଇପଡେ । ଏ କଣ ମୋ ସହିତ ସବୁ ଘଟି ଚାଲିଛି । ତେଣେ ମୋର ଯେଉଁଦିନ ଋତୁସ୍ରାବ ହେବା କଥା ତାହା ମଧ୍ୟ ଠିକ୍ ସମୟରେ ହୋଇନାହିଁ କିମ୍ବା ହେବାର ମଧ୍ୟ ମୋତେ କାହିଁ ତା’ର ନାଁଗନ୍ଧ ଜଣା ପଡୁନାହିଁ । 
      ଯଦିଓ ସେ ନିଜ ଶରୀର ଓ ବକ୍ଷୋଜକୁ ଚାହିଁ ମନେମନେ ଟିକେ ଖୁସି ବି ଅନୁଭବ କରିଛି ଯେ ଏଭଳି ପରିବର୍ତ୍ତନରେ ସନାତନଙ୍କର ଖୁସି ବଢି ଯାଇପାରେ ମାତ୍ର ନିଜକୁ ଏଭଳି ପରିବର୍ତ୍ତନ ତାକୁ ଏକ ଅଜଣା ଭୟଭିତରକୁ ନେଇଯାଏ । ଏଭଳି କଥା ସେ ସନାତନକୁ କହିବାକୁ ଟିକେ ଲଜ୍ଜା ଅନୁଭବ କରେ । ଏବେ ଏବେ ବିବାହ । ସ୍ତ୍ରୀ ହୋଇ ତାଙ୍କ ସହିତ ଯଦିଓ ଏତେ ଦିନ ବିତେଇ ସାରିଲାଣି ତା’ ମନରେ ଟିକେ ଲାଜ ସହିତ ଭୟ ତାକୁ ଏଭଳି ପରିବର୍ତ୍ତନର ପରିପ୍ରକାଶ ଅସଂଗତ    

ମନେ ହୁଏ । ସ୍ନାନ ସରିଗଲା ଉତ୍ତାରେ ସେ ବାହାରି ପଡେ ନିଜର ବସ୍ତ୍ର ପରିବର୍ତ୍ତନ ପାଇଁ ନିଜ ଶୋଇଲା ଘରକୁ । ସେତେବେଳକୁ ସନାତନ ପଲଙ୍କ ଉପରେ ନିଜର ଅଳସ ଭାଙ୍ଗୁଥାଏ । ହେଲେ ସତ୍ତ୍ୱରୀମା ପୂଜା ପାଠର ନିଶାରେ ତରତର ହୋଇ ଚାଲିଯାଏ ପୂଜା ଘରକୁ । ପୂଜା ଘରେ ପ୍ରବେଶ କରି ପ୍ରଭୁ ପୂଜାରେ ନିଜକୁ ହଜେଇଦିଏ । ଜନ୍ମରୁ ଆଜି ସେ ଆଉ ଗୋଟିଏ ନୂତନ ଜୀବନକୁ ଜନ୍ମଦେବାର ସ୍ୟୈଭାଗ୍ୟ ଅର୍ଜନ କରି ସାରିଲାଣି ତଥାପି ଭଗବାନଙ୍କ ପ୍ରତି ତା’ ଭକ୍ତିରେ ନଥାଏ ପରିବର୍ତ୍ତନ । କିଏ ପୂଜାକରେ ନିଜର ଉତ୍ତରତ୍ତୋର ଉନ୍ନତି ପାଇଁ ତ କିଏ ପୁଣି କରେ ନିଜ ପରିବାରର ସୁଖ ସମୃଦ୍ଧି ପାଇଁ ହେଲେ ସତ୍ତ୍ୱରୀମା ଏ ସବୁର କାହିଁ ଉର୍ଦ୍ଧ୍ୱରେ । ନିସ୍କାମ ଭକ୍ତିର ସେ ସତେଯେମିତି ଏକ ଉଦାହରଣ । ନଥାଏ ପ୍ରଭୁଙ୍କ ପାଖରେ ସେମିତି କିଛି ଅଳିଅର୍ଦ୍ଦଳୀ ନା କିଛି କାମନା । ବାସ ଗୋଟିଏ କଥା ଯାହା ସେହି ପ୍ରଭୂଙ୍କ ଇଚ୍ଛା । 
      ତା’ର ନିଜସ୍ୱ ଇଚ୍ଛା ବୋଲି କିଛି ବି ନଥାଏ କହିଲେ ଚଳେ । ସୁଖ ଶାନ୍ତିର ଜୀବନ ଭିତରେ ତା’ ନିଜ ପାଇଁ ଆଉ ଅଧିକ କିଛି ଲୋଡା ନଥାଏ । ବୋଧହୁଏ ତା’ର ଏହି ପୁତଃ ଭାବନା ପାଇଁ ସେ ସର୍ବଶକ୍ତିମାନ ତାକୁ ସଂସାରର ପ୍ରାୟ ସମସ୍ତ ଖୁସି ଆପେଆପେ ଆଣି ତା’ ପଟାନ୍ତରେ ଥାପି ଦେଇଛନ୍ତି । ନିଜ ଗର୍ଭରେ ଆଜି ଆଉ ଗୋଟିଏ ନୂତନ ଜୀବନର ବାହକ ପୁଣି ଯେଉଁ ନୂତନ ଜୀବନରେ ମୋ ପରି ପରମାତ୍ମା ପ୍ରାପ୍ତି ପାଇଁ ଶେଷ ଲକ୍ଷର ଯାତ୍ରୀ ଏକ ଆତ୍ମା ସନ୍ନିବେଶିତ, ଯାହା ତାକୁ ଜଣା ହିଁ ନଥାଏ । 
      କିନ୍ତୁ ଶରୀରର ମୃଦୁ ଅବସତା ଓ ଅଳସପଣ ତାକୁ ତା’ର ଭକ୍ତି ଭାବରେ ଟିକେଟିକେ ବ୍ୟାଘାତ ସୃଷ୍ଟି କଲାପରି ତା’ର ମନେ ହେଉଥାଏ । ପୂଜା ସାରି ଶୋଇଲା ଘରକୁ ଆସିବା ବେଳକୁ ସନାତନ ଉଠି ଘର ପଛପଟ ବଗିଚାରେ ଟିକେ ବିଚରଣ କରିବାରେ ଲାଗିଥାଏ । ତା’ ଅଦ୍ଭୁତ ଗୁଣ ଭିତରେ ଗୋଟିଏ ଗୁଣ ହେଲା ଯେଉଁଠି ପ୍ରଜନନର ଆସର ସେ ସେଠି ସେ ପ୍ରକ୍ରିୟାକୁ ଭଲ ଭାବରେ ନୀରିକ୍ଷଣ ଓ ତର୍ଜମା କରେ, ଚାହେ ସେ ଯେ କୈାଣସି ଫୁଲ ହେଉ, ଫଳହେଉ, ପଶୁ  ପକ୍ଷୀ ଅବା କୀଟ ପତଙ୍ଗ ହେଉ ସେଥିରେ କିଛି ଯାଏ ଆସେ ନାହିଁ । ମୋର କିନ୍ତୁ ଆନନ୍ଦ ବେଳକୁ ବେଳ ବଢିବଢି ଚାଲିଥାଏ । ମୋତେ ଆଗକୁ ଏ ଶରୀର ଭିତରେ କେତେ କାଳ, କେତେ ଦଣ୍ଡ ଓ କେତେ ନିମିଷ ଅବସ୍ଥାନ କରିବାକୁ ପଡିବ ତାହା ତ ମୁଁ ଜାଣେନା ହେଲେ ସତ୍ତ୍ୱରୀମା ଭଳି ପବିତ୍ର ଆତ୍ମା ଭିତରେ ମୋ ପବିତ୍ର ଶରୀର ରୂପକ ଢାଞ୍ଚା ଯେ ଆଜି ନିର୍ମାଣାଧୀନ ଏଥିରେ ମୋର ଖୁସି ଥାଏ ଅବର୍ଣ୍ଣନୀୟ । 
      ପୂର୍ବ ସମସ୍ତ ଜନ୍ମ ମାନଙ୍କର ଯାତ୍ରାରୁ ମୁଁ ଅନେକ କଥା ଏ ଭବସାଗର ବିଷୟରେ ଶିକ୍ଷା ଲାଭ କରିଛି । ଆଉ ପ୍ରତିଟି ଜନ୍ମରେ ମୋର ସୂକ୍ଷ୍ମ ଓ ମୁକ୍ତ ବିଚାର ମୋର ଶେଷ କାମନା ସେହି ପରମାତ୍ମାଙ୍କ ସହିତ ମିଶିଯିବାର ପ୍ରଚେଷ୍ଟାକୁ ଆହୁରି ଶାଣିତ କରିଛି । ଅନେକ ଶରୀର ଭିତରେ ୍ମ  ରହି କେତେକ ପାପାଚାର କାମରେ ମୁଁ ଭାଗୀଦାର ଥିଲେ ମଧ୍ୟ ସେ ସବୁର ତମସାରୁ ନିଜକୁ ମୁକ୍ତ କରିବାରେ ସକ୍ଷମ ହୋଇଛି । ଏଥିପାଇଁ ମୋର ଶେଷ ଇଚ୍ଛା ବୋଧହୁଏ ସମ୍ପୂର୍ଣ୍ଣ ରୂପେ  ଦାୟୀ ହୋଇପାରେ । 
      ଆସକ୍ତିର ପ୍ରଭାବ ବଢିଚାଲିବା ସହିତ ମୋର ପୂର୍ବଜନ ମାନଙ୍କର ଟିକିଟିକି କଥା ଆପେ ଆପେ ବିସ୍ମରଣ ହେବାରେ ଲାଗୁଥାଏ । ସେଭଳି ଅସଙ୍ଗତ ପରିବର୍ତ୍ତନରେ ମୁଁ ସେତେଟା ଦୁଃଖ ବି ଅନୁଭବ କରିପାରୁ ନଥାଏ । ସତେଯେମିତି ପରମାତ୍ମାଙ୍କର ସେ ଦିବ୍ୟସାନିଧ୍ୟ ମୋ ହାତ ପାଆନ୍ତାରେ ପରି ମନେ ହେଉଥାଏ । 
      ମୋ ଅଧିଷ୍ଟିତ ସୂକ୍ଷ୍ମ ଶରୀରର ଅବିରାମ ବୃଦ୍ଧିରେ ମୁଁ ଥାଏ ଅତୀବ ଆଶ୍ଚର୍ଯ୍ୟ । ମାତ୍ର ଏକତ୍ରିଂଶ ଦିନର ଯାତ୍ରାରେ ମୋର ଅଧିଷ୍ଠିତ ସୂକ୍ଷ୍ମ ଶରୀର ଆକାରର ବୃଦ୍ଧି ସତେଯେମିତି କାହିଁ କେତେ ଯୋଜନ ବ୍ୟାପି ସାରିଥାଏ । ଖାଲିଆଖିକୁ ଅଦୃଶ୍ୟ ଥିବା ତା’ର ସ୍ୱରୂପ ଏକ ଦୃଶ୍ୟମାନର ରୂପ ଧାରଣ କରି ସାରିଥାଏ । ଏ କି ବିଚିତ୍ରତା? କିପରି ଏ ବିନ୍ଧାଣୀ ମୋ ଶରୀର ତନ୍ତୁକୁ ଏତେ ସୁନ୍ଦର ଭାବରେ ଅହରହ ଗଢି ଚାଲିଛି? ସେ ନିର୍ମାଣ ଶୈଳୀ ଅବ୍ୟକ୍ତ, ମନ ଗ୍ରାହୀ ଓ ଅତ୍ୟନ୍ତ ହୃଦୟସ୍ପର୍ଶୀ । ପ୍ରତିଟି ଦଣ୍ଡରେ ତା’ର ନିର୍ମାଣ କାର୍ଯ୍ୟ ଅବିରତ ଭାବରେ ଚାଲୁ ରହିଥାଏ । 
      ମୋ ପାଇଁ ମୋ ଅଧିଷ୍ଠିତ ଶରୀର ହେଉଛି ମୋ’ର ମନ୍ଦିର । ମୁଁ ତାହା ଭିତରେ ପୂଜା ପାଇବାକୁ ଥିବା ଦେବତା, ଏହା କେବଳ ଜ୍ଞାନୀମାନେ ହିଁ ଜାଣି ପାରନ୍ତି । ବାହ୍ୟ ଜଗତରେ ଯେପରି ଏହି ମନୁଷ୍ୟ ମନ୍ଦିର ଗଢେ ସେତେବେଳେ ଏଇ ମନୁଷ୍ୟ ହିଁ ସାଜେ ମହାରଣା । ଖୋଦିତ କରିଚାଲେ ନିହାଣ ମୁନର ସହାୟତାରେ ସେ ବିଶାଳ ପଥର ଉପରେ ତା’ ସ୍ୱପ୍ନର କାରୁକାର୍ଯ୍ୟ । ହେଲେ ସେଠି ମଧ୍ୟ ସେ ପରମ ବିନ୍ଧାଣୀ ଦ୍ୱାରା ନିର୍ମିତ ପ୍ରସ୍ତର ହିଁ କାରୁକାର୍ଯ୍ୟର ମାନ ଓ ଗୁଣବତ୍ତା ନିର୍ଣ୍ଣୟ କରେ । କେଉଁ ଅନାଦି କାଳରୁ ପ୍ରକୃତି କୋଳରେ କେତେ ଯତ୍ନରେ ଓ ଅବିରାମ ଗତିରେ ସେହି ପ୍ରସ୍ତର ଖଣ୍ଡ ମାନଙ୍କୁ ନିର୍ମାଣ କରିଚାଲିଛି ସେ ଅଦୃଶ୍ୟ ଶକ୍ତି । ଆଜି କିନ୍ତୁ ମନୁଷ୍ୟ ନିଜର ସ୍ୱକୀୟ କଳା କୈାଶଳରେ ଖୋଦିତ କରିଚାଲିଛି ସେ ପଥର ଖଣ୍ଡ ଉପରେ ନିଜ ମନର ଅଭିବ୍ୟକ୍ତି ଓ ସ୍ୱପ୍ନକୁ । ତଥାପି ଏ ଅଧମ ମନୁଷ୍ୟ ବେଳେବେଳେ ଭୁଲି ବସେ, ସେ ପଥର ଖଣ୍ଡର ମୂଳ ବିନ୍ଧାଣୀକୁ । ଖାଲି ସେତିକି ନୁହେଁ, ମନୁଷ୍ୟର କଳା କୈାଶଳ ଯେଉଁ ସ୍ୱକୀୟ ଜ୍ଞାନ ଗାରିମାରୁ ସୃଷ୍ଟ ତା’ର ମଧ୍ୟ ଶିଳ୍ପୀ ସେହି ପରବ୍ରହ୍ମ ପରମାତ୍ମା । 
       ତାଙ୍କ ଆଜ୍ଞାବିନା ଏ ବିଶ୍ୱ ବ୍ରହ୍ମାଣ୍ଡର କ୍ଷୁଦ୍ରାତିକ୍ଷୁଦ୍ର କଣିକାର ଗତି କିମ୍ବା ପରିବର୍ତ୍ତନ ସମ୍ଭବ ନୁହେଁ । ମନ୍ଦିର ନିର୍ମାଣରେ କିଛି ବର୍ଷଧରି ଲାଗିରହନ୍ତି ଅନେକ ଶିଳ୍ପୀ । ହେଲେ ଆଜି ସତ୍ତ୍ୱରୀମାର ଗର୍ଭାଶୟରେ ମୋ ଅଧିଷ୍ଟିତ ଶରୀର ରୂପୀ ମନ୍ଦିରର ନିର୍ମାଣରେ ଲାଗିଛନ୍ତି ମାତ୍ର ଜଣେ ଶିଳ୍ପୀ, ଯେ କି ଅଦୃଶ୍ୟ । ମନ୍ଦିର ପାଇଁ ଯେପରି ପ୍ରସ୍ତର ଖଣ୍ଡକୁ ଯୋଡିବା ପାଇଁ ଚୁନ, ଗୁଡ, ବାଲି ଅବା   ସିମେଣ୍ଟ୍ କଞ୍ଚାମାଲ୍ ରୂପେ ଆବଶ୍ୟକ ସେମିତି ମୋ ଶରୀରରୂପି ମନ୍ଦିର ନିର୍ମାଣ ପାଇଁ ପାଞ୍ଚଟି ମୂଖ୍ୟ କଞ୍ଚାମାଲ୍ ଅହରହ ଆସି ଆପେଆପେ ପହଞ୍ôଚ ଯାଉଥାନ୍ତି । ଏହା ହିଁ ହେଉଛି ଅବ୍ୟକ୍ତ  ଆଶ୍ଚର୍ଯ୍ୟର ଉଦାହରଣ । ମନୁଷ୍ୟ ମନ୍ଦିର ନିର୍ମାଣ କରୁଥିବା ବେଳେ ନିଜେ ହିଁ ଆବଶ୍ୟକ କଞ୍ଚାମାଲ୍ କୁ ଦୂରଦୂରାନ୍ତରୁ କୈାଣସି ନା କୈାଣସି ମାଧ୍ୟମରେ ବୋହିକରି ଆଣେ । ପ୍ରସ୍ତର ଖଣ୍ଡ, ଚୁନ ଅବା ଗୁଡ ଏମାନେ ନିଜେନିଜେ ଆସି ମନ୍ଦିର ନିର୍ମାଣସ୍ଥଳୀରେ ଆପେ ଆପେ ଉପସ୍ଥିତ ହୋଇ ପାରନ୍ତି ନାହିଁ । ଏମାନଙ୍କର ସେବା ପାଇବାକୁ ହେଲେ ଏମାନଙ୍କୁ ପ୍ରଥମେ ସେବା ଉପଯୋଗୀ କରିବାକୁ ପଡିଥାଏ । ମନୁଷ୍ୟ ନିଜେ ତା’ର ଜ୍ଞାନର ଉପଯୋଗରେ ସେମାନଙ୍କୁ ସେବା ଉପଯୋଗୀ କରିଥାଏ । ମାତ୍ର ସେଠି ସେ କଞ୍ଚାମାଲ୍ ଗୁଡିକ କୈାଣସି ମତେ ଆପେଆପେ ସେବା ପାଇଁ ଉପସ୍ଥିତ ହୁଅନ୍ତି ନାହିଁ । 
      ମାତ୍ର ମୋ ଶରୀର ରୂପୀ ମନ୍ଦିରର ନିର୍ମାଣ ସମ୍ପୁର୍ଣ୍ଣ  ଅନନ୍ୟ । ଯେହେତୁ ଏ ମନ୍ଦିର ନିର୍ମାଣର ଶିଳ୍ପୀ ସେହି ଅଦୃଶ୍ୟ ପରମ।।ତ୍ମା ଏଠି ସମସ୍ତେ ସେବା ଯୋଗାଇବା ପାଇଁ ଆପେଆପେ ଆଗଭର ଓ ଚଳଚଞ୍ଚଳ । ସତେଯେମିତି ପରମାତ୍ମାଙ୍କ କାରୁକାର୍ଯ୍ୟରେ ସେମାନେ ସ୍ୱତଃପୁତଃ ଭାବରେ ଯୋଗଦେବାକୁ ନିଜର ସୈାଭାଗ୍ୟ ମନେ କରନ୍ତି । ମନେ ନକରିବେ ବା କିପରି? ଯାହାର ଇଙ୍ଗିତରେ ଏ ସଚରାଚର ବ୍ରହ୍ମାଣ୍ଡର ଅସ୍ତିତ୍ୱ ତାଙ୍କ ସେବାରେ କିଏ ବା ନିଜକୁ ଉତ୍ସର୍ଗ କରିବାକୁ ନଚାହିଁବ? 
      ମୋ ଶରୀର ରୂପୀ ମନ୍ଦିର ନିର୍ମାଣରେ ବ୍ୟବହୃତ କଞ୍ଚାମାଲ୍ ଗୁଡିକ ସେହି ପ୍ରସ୍ତର ଖଣ୍ଡମାନଙ୍କ ପରି ନିର୍ଜୀବ ମାତ୍ର ବିସ୍ମୟ ଏହିକି ଯେ ସେମାନେ ଏଠି ସଜୀବଙ୍କ ପରି ଚଳଚଞ୍ଚଳ । ଏମିତି ମଧ୍ୟ କୁହାଯାଇ ପାରେ ସେହି ପରମପୁରୁଷ ରୂପୀ ଶିଳ୍ପୀର ସାନ୍ନିଧ୍ୟରେ ବୋଧହୁଏ ସେହି ଆବଶ୍ୟକ ନିର୍ଜୀବ ପଞ୍ଚମହାଭୁତରୂପୀ କଞ୍ଚାମାଲ୍ ଗୁଡିକ ପାଇଯାନ୍ତି ଜୀବନ୍ୟାସ । ଶରୀର ରୂପୀ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ସ୍ୱୟଂଚାଲି ଆସି ମୋ ମନ୍ଦିର ନିର୍ମାଣରେ ସହଯୋଗ ପାଇଁ ଅହରହ ଥାନ୍ତି ବ୍ୟତିବ୍ୟସ୍ତ ଓ ଚଳଚଞ୍ଚଳ । ବାସ୍ତବରେ ଏକି ଅଦ୍ଭୁତ ଦୃଶ୍ୟ? ନିର୍ଜୀବ ପଞ୍ଚମହାଭୁତର ସମନ୍ୱୟରେ ମୋ ଅଧିଷ୍ଟିତ ଶରୀରରୂପୀ ମନ୍ଦିରର ଜୀବନ ସଞ୍ଚାର । ଏହା ସେହି ଦିବ୍ୟ ପରମାତ୍ମାଙ୍କ ବିନା ଆଉ କେହିବି ସମ୍ଭବ କରିପାରିବେ ନାହିଁ । 
      ମୋ ମନ୍ଦିରର ନିର୍ମାଣ ଶୈଳୀ ବି ସମ୍ପୂର୍ଣ୍ଣ ଭିନ୍ନ । ବଡ ବଡ ଇଟା ପଥର ମାନ ଯଥା ସ୍ଥାନରେ ଖଞ୍ଜି ମନ୍ଦିର ନିର୍ମାଣ କରିବାରେ ମନୁଷ୍ୟ ଦକ୍ଷ ହୋଇପାରେ ହେଲେ ଏ ପରି ଅଦୃଶ୍ୟ ଉପସ୍ଥିତି ମାନଙ୍କୁ ନେଇ ମନ୍ଦିରର ନିର୍ମାଣ ମନୁଷ୍ୟ କେବେଯେ କରିପାରିବ ତାହା କହିବା କଷ୍ଟ । ଏ ମନ୍ଦିରର ନିର୍ମାଣ ସୂକ୍ଷ୍ମତ୍ୱରୁ ସ୍ଥୂଳତ୍ୱ ଉପରେ ପର୍ଯ୍ୟବେସିତ । ମାତ୍ର ମନୁଷ୍ୟ ଯେଉଁ ମନ୍ଦିର ନିର୍ମାଣ କରେ ସେଠି ସ୍ଥୁଳତ୍ୱରୁ ସୂକ୍ଷ୍ମତ୍ୱର ପରିପ୍ରକାଶ । ମନୁଷ୍ୟ ବଡ ବଡ ପ୍ରସ୍ତର ଖଣ୍ଡକୁ କାଟି କୁଟି ଖୋଦେଇ କରି ନିହାଣ ମୁନରେ ବିଭିନ୍ନ ଚିତ୍ରର ରୂପ ଦିଏ ମାତ୍ର ଏଠି ଏ ସଜୀବ ରୂପୀ ମନ୍ଦିରର ସଂରଚନାରେ ସୂକ୍ଷ୍ମ ଅଦୃଶ୍ୟ କଣିକା ମାନଙ୍କୁ ନେଇ ମନୁଷ୍ୟର ଅବୟବର ସୃଷ୍ଟି । ସତରେ କି ବିପରୀତ ଧର୍ମୀ ନିର୍ମାଣ ଶୈଳୀ । ନିର୍ଜୀବ ସୂକ୍ଷ୍ମ ଉପାଦାନରୁ ସଜୀବ ସ୍ଥୁଳ ଉପାଦାନର ସର୍ଜନା ଆଜି ପର୍ଯ୍ୟନ୍ତ କେବଳ ସେହି ବ୍ରହ୍ମାଣ୍ଡ ନାୟକ ହିଁ କରିପାରିଛନ୍ତି ଆଉ କେହି ନୁହଁ । ମୁଁ ଏକଥା ମଧ୍ୟ ମନା କରିପାରିବନି ମନୁଷ୍ୟ ନିଜେ ଆଗାମୀ ଭବିଷ୍ୟତରେ ଏଭଳି କରିବାରେ ସମର୍ଥ ନହେବ ବା କାହିଁକି? ମାତ୍ର ଏହା ତୁମର ଜ୍ଞାନ ଗୋଚରରେ ରହିବା ନିତ୍ୟାନ୍ତ ଆବଶ୍ୟକ ଯେ ତୁମ ଭିତରେ ହିଁ ସେହି ପରମ ପୁରୁଷ ତୁମର ସମସ୍ତ ଉପାଦାନ ମାନଙ୍କର ସୃଷ୍ଟି କର୍ତ୍ତା ଓ ସଂହାର କର୍ତ୍ତା । ସେ ଯାହା ହେଉ ମୋ ମନ୍ଦିରର ବୃଦ୍ଧି ସହିତ ମୁଁ ଆହୁରି ଅନେକ କଥା ଆଗକୁ ଆଗକୁ ତୁମକୁୁ କହି ଚାଲିବି । ହେଲେ ବର୍ତ୍ତମାନ ପାଇଁ ସନାତନ ଓ ସତ୍ତ୍ୱରୀମାର ଭାବନା ଓ କର୍ମ ଆଡେ ଟିକେ ଚାଲ ବୁଲି ଆସିବା ।
      ସନାତନର ପୋଥି ଜ୍ଞାନ ସହିତ ବିଜ୍ଞାନଗାରର ପରୀକ୍ଷଣ ଭିତ୍ତିକ ଜ୍ଞାନ ଯଥେଷ୍ଟ ଥିଲେ ସୁଦ୍ଧା ସେ ତା’ର ଜୀବନକାଳ ଭିତରେ ଗର୍ଭଧାରଣରେ କୈାଣସି ନାରୀ, ଶିଶୁ ଜଠରସ୍ଥରୁ ଭୂମୀଷ୍ଠ ପର୍ଯ୍ୟନ୍ତ କି କି ପରିବର୍ତ୍ତନ ଦେଇ ଗତିକରେ ନିଜେ ସ୍ୱଚକ୍ଷୁରେ ଦେଖିବାର ସୁଯୋଗ ପାଇନି । ଜୀବ ବିଜ୍ଞାନୀ ଭାବରେ ନାରୀର ଏପରି ଶାରୀରିକ ପରିବର୍ତ୍ତନରେ ସେ ଜଣେ ଦକ୍ଷ ପୋଥିକୀଟ ଏଥିରେ ସନ୍ଦେହ ନାହିଁ । ସେ ବିଜ୍ଞାନ ବହିରେ ଲେଖାଥିବା ନାରି ଶରୀରର ଗର୍ଭାବସ୍ଥାରେ ପ୍ରତ୍ୟେକ ଅଙ୍ଗର ପରିବର୍ତ୍ତନକୁ ତନ୍ନତନ୍ନ କରି ପଢିଛି ଓ ମନେ ରଖିଛି ହେଲେ କେମିତି ଓ କାହା ଶରୀରରେ ସେ ବାସ୍ତବ ପରିବର୍ତ୍ତନ ଗୁଡିକ ଅତି ପାଖରୁ ନିଜ ଆଖିରେ ସେ ଦେଖିନି । ହେଲେ ସେଦିନ ତା’ ଜୀବନରେ ସେସବୁକୁ ତନ୍ନତନ୍ନ କରି ତଦାରଖ କରିବାର ସୁଯୋଗ ତା’ ହାତରେ ଥାଏ । ତା’ର ପୋଥିଗତ ଜ୍ଞାନକୁ ସେ ଅନୁଭବ କରିବା ନିଶ୍ଚୟ ଦରକାର । ତେଣୁ ସେ ମନସ୍ଥ କରେ ଯେହେତୁ ଆଜି ପଞ୍ଚମ ସପ୍ତାହର ଶେଷ ଦିନ, ନିଶ୍ଚିତ ରୂପେ ସତ୍ତ୍ୱରୀମାର ଶାରିରୀକ ପରିବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହୋଇ ସାରିବଣି । ତେଣୁ ଆଜି ରାତିରେ ସେ ପରିବର୍ତ୍ତନକୁ ନିଜ ଆଖିରେ ଦେଖିବ ଓ ଅନୁଭବ କରିବ । ଏହି ବିଚାର କରି ସେ ନିଜ କାମରେ ଲାଗିଯାଏ । 
       ତେଣେ ସତ୍ତ୍ୱରୀମା ତା’ର ଶାରିରୀକ ପରିବର୍ତ୍ତନରେ ସେ ଆକସ୍ମିକତାରେ ମନେମନେ ଟିକେ ଭୟଭିତ ହୋଇ ପଡିଥାଏ । ସେ ତା’ର ଜୀବନ କାଳ ଭିତରେ ଏମିତି ଉଦାସ ପଣ କେବେ କାହିଁକି ଅନୁଭବ କରିନଥିଲା । ତା’ ବକ୍ଷୋଜର ପରିବର୍ତ୍ତନ ସେତ ତା’ ତରୁଣୀ ବୟସରୁ ଦେଖି ଆସିଛି ହେଲେ ହଠାତ୍ ଏଭଳି ଆକସ୍ମିକ ପରିବର୍ତ୍ତନ ସେ କେବେ ଅନୁଭବ କରିନଥିଲା । ମନେମନେ ଲଜ୍ଜା ଓ ଭୟରେ ଏକଥା ସେ ସନାତନକୁ କହିବାକୁ ସାହାସ ମଧ୍ୟ ଜୁଟେଇ ପାରୁନି । ପିଲାଦିନୁ ଏତେ ଗେଲବସର ଭାବରେ ସେ ବଢିଛି ଆଉ ଏପରି ଏକ ପୁତଃ ପୁନ୍ୟତୟା ଜୀବନ ି ବିତେଇଛି, ସେ ତା’ର ବିବାହ ବନ୍ଧନ ପୂର୍ବରୁ କେବେବି ଶରୀରର କାମ ଶକ୍ତିର ପ୍ରଭୁତ୍ୱ ଅନୁଭବ ହିଁ କରିନି । ଜୀବନର ପ୍ରତିଟି କ୍ଷଣକୁ ସେ ସଂସାରର ଅଲୈାକିକ ଆନନ୍ଦରେ ବିତେଇଛି । ପ୍ରକୃତିର ସୈାନ୍ଦର୍ଯ୍ୟରେ ସେ ସବୁବେଳେ ବିଭୋର ହୋଇଛି । ଅନ୍ୟ ପ୍ରତି ସ୍ନେହ, ଶ୍ରଦ୍ଧା, ଆଦ, ଭଲପାଇବା ତା’ର ସବୁ ଗୁଣଗୁଡିକ ସେ ଭଳି ଭାବନାର ବହୁ ଉର୍ଦ୍ଧ୍ୱରେ । ଅତି ଛୋଟ ବୟସରୁ କଣ କେମିତି ବୁଝିପାରିଥିଲା କେଜାଣି ସେ ପ୍ରେମ କରି ବସିଥିଲା ନିଜ ଅନ୍ତର ଆତ୍ମାକୁ ଓ ସେହି ପରମ ପୁରୁଷ ପରମାତ୍ମାଙ୍କୁ । ପ୍ରତିଟି ଦେବାଦେବୀଙ୍କ ଭିତରେ ସେ ଅନୁଭବ କରେ ଜଗତ୍‌କର୍ତ୍ତାଙ୍କ ଉପସ୍ଥିତି । ପ୍ରାର୍ଥନାରେ ତା’ର ଲୁଚିଥାଏ ପ୍ରକୃତିଦତ୍ତ ପ୍ରାକୃତିକ ପ୍ରଣୟ । ପ୍ରାଣରେ ତା’ର ପ୍ରଭୁ ପ୍ରେମର ଉଚ୍ଛ୍ୱାସ ତାକୁ ଅନ୍ୟ ଏକ ଦିଗନ୍ତରେ ସଦାସର୍ବଦା ପ୍ରକୃତିସ୍ଥ କରି ରଖିଥାଏ । ହିଂସା, ଦ୍ୱୋଷ, ଅହଙ୍କାର, ବିକାର, କପଟ ସତେଯେମିତି ତା’ର ପଞ୍ଚେନ୍ଦ୍ରିୟ, ମନ ବୁଦ୍ଧି ଓ ଆତ୍ମାକୁ ସ୍ପର୍ଶ କରି ପାରିନଥିଲା । ତା’ର ଏଭଳି ଲକ୍ଷଣ ନିଶ୍ଚିତରୂପେ ତା’ର ପୂର୍ବଜନ୍ମର ବିବିକ୍ତ କର୍ମର ଫଳ । କହିବା ବାହୁଲ୍ୟ, ନିଜର କାମଶକ୍ତି ଉପରେ ବିଜୟଲାଭ କରିବା ଆଉ ସ୍ୱତଃପୁତଃ ଭାବରେ ସେଥିପ୍ରତି ଅନୁରକ୍ତି ରହିତ, ଏହା ନିଶ୍ଚିତ ରୂପେ ଗତଜନ୍ମର ସୁକୃତର ଫଳ । 
       ସଞ୍ଜ ନଇଁନଇଁ ଆସେ । ପକ୍ଷୀ ଫେରେ ନିଡକୁ । ପଶୁ ଫେରନ୍ତି ନିଜ ବାସ ସ୍ଥାନକୁ । ଆଉ ମଣିଷ ଫେରେ ନିଜ କର୍ମ କ୍ଷେତ୍ରରୁ । ସନ୍ଧ୍ୟା ପ୍ରାର୍ଥନା ଓ ଧୂପଦୀପର ଆସରରେ ଘର ପୁରି ଉଠେ ଏକ ମନ୍ଦିରର ମର୍ଯ୍ୟାଦା ନେଇ । ଏକ ମନୋରମ ଅଭିପ୍‌ସାରେ ସତ୍ତ୍ୱରୀମା ଅପେକ୍ଷା କରିବସେ ସନାତନର ଆଗମନକୁ । ପ୍ରତୀକ୍ଷାର ପୂର୍ଣ୍ଣଛେଦ ପକାଇ ସନାତନ ଆସି ଘରେ ପହଞ୍ôଚଯାଏ ।  ସତ୍ତ୍ୱରୀମାର ଖୁସି କହିଲେ ନସରେ । ସନାତନକୁ ତା’ର ସ୍ୱାମୀ ମର୍ଯ୍ୟାଦାର ଆତିଥେୟତାରେ ଭରି ଦିଏ ସତ୍ତ୍ୱରୀମା । ଘର ଶାନ୍ତିର ଗୁଞ୍ଜରଣରେ ସିହରି ଉଠେ । ପରିବେଶ ମଧ୍ୟ ଆତ୍ମ ବିଭୋର ହୋଇ ପଡେ । ଧୀରେ ଧୀରେ ରାତି ତା’ର ଗାମ୍ଭୀର୍ଯ୍ୟତାକୁ ଆହୁରି ଘନିଭୁତ କରିଚାଲେ । ରାତ୍ରି ଭୋଜନର ପରେପରେ ସମସ୍ତେ ଯାଆନ୍ତି  ନିଦ୍ରା ମା’ର କୋଳକୁ । ସେଦିନ ସନାତନ ମନରେ ଟିକେ ବ୍ୟାକୁଳତା ଥାଏ କାରଣ ସେ ଆଜି ତା’ର ପୋଥିଜ୍ଞାନକୁ ବାସ୍ତବ ଜ୍ଞାନ ସହିତ ତୁଳନା କରିବ । ସେ ଯାହା ସବୁ ନିଜ ବହିମାନଙ୍କରେ ପଢିଥିଲା ଯଦି ପ୍ରକୃତ ସେହି ପରିବର୍ତ୍ତନ ଗୁଡିକ ସେ ସତ୍ତ୍ୱରୀମାର ଶରୀରରେ ଦେଖେ ସେ ନିଶ୍ଚିତ ହେବ ଯେ ସତ୍ତ୍ୱରୀମା ଆଜି ଗର୍ଭବତୀ । ଆଉ ଆସନ୍ତା କାଲି ତା’ ପରୀକ୍ଷାଗାରରୁ ଗର୍ଭ ପରୀକ୍ଷାର ଯନ୍ତ୍ରଟିଏ ଆଣି ସତ୍ତ୍ୱରୀମା ଗର୍ଭବତୀ ହେବାର ନିଶ୍ଚିତ ପ୍ରମାଣ ପାଇବ ଓ ତା’ ପରେ ସତ୍ତ୍ୱରୀମାକୁ ଏ ଖୁସିଖବର ଦେବ ।
      ସତ୍ତ୍ୱରୀମା, ସନାତନ ପାଖରେ ଶୋଇବା ପୂର୍ବରୁ ପ୍ରତିରାତି ଭଳି ସେଦିନ ମଧ୍ୟ ଭଗବାନଙ୍କୁ ପ୍ରଣାମ କରେ । ହେ ଶୁଣୁଛ । ମୋତେ କାହିଁକି ଆଦ୍ୟୈ ଭଲ ଲାଗୁନି । ବହୁତ ଅଳସୁଆ ମୋତେ ଲାଗୁଛି । କୌଣସି କାମ କରିବାକୁ ସେତେ ଆଗ୍ରହ କାହିଁ ହେଉନି । ମୋତେ କାହିଁ ମୋ ଶରୀରରେ  
କିଛି ପରିବର୍ତ୍ତନ ହେଲା ପରି ମନେ ହେଉଛି । ମୋ ମନରେ ଟିକେ ଶଙ୍କା କାହିଁକି ହେଉଛି ମୁଁ ତାହା ଜାଣିପାରୁନି । ଏ କଥା ସବୁ ଶୁଣି ସାରିଲା ପରେ ଜାଣିଶୁଣି ସନାତନ ପଚାରିଛି । ପରିବର୍ତ୍ତନ? କି ପରିବର୍ତ୍ତନ? ସତ୍ତ୍ୱରୀମା ଆଉ ଲାଜରେ ମଧ୍ୟ ସେ ସବୁ ପରିବର୍ତ୍ତନକୁ କହିପାରୁ ନଥାଏ । ହେଲେ ସନାତନ ବୁଝି ସାରିଲାଣି ସେ ପରିବର୍ତ୍ତନ କଥା । ସନାତନ ମନର ବ୍ୟାକୁଳତା ତା’କୁ ମଦନରାଗ ଭିତରକୁ ଟାଣିନିଏ । ସନାତନ, ସତ୍ତ୍ୱରୀମାର ଶରୀରର ପରିବର୍ତ୍ତନ ଗୁଡିକୁ ତନ୍ନ ତନ୍ନ କରି ଦେଖେ ଓ ଅନୁଭବ କରେ । ସତ୍ତ୍ୱରୀମାକୁ ଅନୁରୂପ ଆନନ୍ଦ ମିଳେ । ସନାତନ ମଝିରେ ମଝିରେ ହସ କଥା କହି ସତ୍ତ୍ୱରୀମାର ମନକୁ ହାଲୁକା କରିବାରେ ଲାଗେ । 
      ଆରେ ଏଭଳି ପରିବର୍ତ୍ତନ ତ ବହୁତ ସୁନ୍ଦର । ତୁମେ ଆହୁରି ସୁନ୍ଦର ଦେଖାଯାଉଛ । ତୁମ ଶରୀର ଆହୁରି ସୁଢଳ ହୋଇ ଯାଉଛି । ତୁମେ ମୋ ପାଇଁ ଆହୁରି ଆକର୍ଷିତ ହୋଇ ଯାଉଛ । ଏଥିରେ ମନ ଦୁଃଖ କରିବାର କଣ ଅଛି । ତୁମେ ବରଂ ଆହୁରି ଖୁସି ହେବା କଥା । ସତ୍ତ୍ୱରୀମା ମନେମନେ ନିଜକୁ ଟିକେ ଆଶ୍ୱସ୍ତୀ ବୋଧ କରେ । ସନାତନ କହିଛି ଏ ପରିବର୍ତ୍ତନ ସବୁ ସ୍ୱାଭାବିକ ପରିବର୍ତ୍ତନ । ପୁରୁଷ ସଂସର୍ଗରେ ନାରୀ  ଆସିଲେ ଏ ସବୁ ପରିବର୍ତ୍ତନ ଅବଶ୍ୟମ୍ଭାବୀ । ତଥାପି ଆସନ୍ତା କାଲି ମୁଁ ତୁମ ଶରୀରର ଟିକେ ପରୀକ୍ଷା କରିବି । ତୁମେ କାଲି ସକାଳର ତୁମ ପ୍ରଥମ ପ୍ରସାବରୁ କିଛି ଗୋଟିଏ ଛୋଟ କାଚ ଶିଶିରେ ରଖିଦେବ । ମୁଁ କାଲି ତାକୁ ନେଇ ମୋ ବିଜ୍ଞାନ ଗାରାରେ ପରୀକ୍ଷା କରିଦେବି ପ୍ରକୃତରେ କିଛି ଅସୁବିଧା ହୋଇଛି ନା କଣ । ତଥାପି ସାଧାସିଧା ସତ୍ତ୍ୱରୀମା ସେ ପର୍ଯର୍ନ୍ତ ବି ବୁଝି ପାରୁନଥାଏ ଯେ ସେ ଆଜି ଗର୍ଭବତୀ ଆଉ ତା’ର ସ୍ୱାମୀ ତା ଗର୍ଭ ପରୀକ୍ଷା ପାଇଁ ତାକୁ ଏପରି କହୁଛି । 
      କାହିଁ କି ବା ସେ ବୁଝିବ? ତା’ ପତିର ସ୍ନେହ ମମତାରେ ସେ ସବୁ କିଛି ପାସୋରି ପକାଏ । ତା’ ଜୀବନରେ ଦୁଃଖ ଓ ଅଶାନ୍ତି କଣ ସେ ଆଜି ପର୍ଯ୍ୟନ୍ତ ବି ଦେଖିନି । ବିବାହର ବାସରାତି ପୂର୍ବରୁ ତାକୁ କାମଦେବ କେବେବି କେଉଁ ମୁହୁର୍ତ୍ତରେ ଆକ୍ରମଣ କରିପାରି ନାହାନ୍ତି । ଗୋଟିଏ ଅହଙ୍କାର ଶୂନ୍ୟ ସାତ୍ୱିକ ଜୀବନରେ ପୁଣି ବିଭୂପ୍ରେମରେ ସଦା ନିମଜ୍ଜିତ, ସେଥିରେ ମଦନଦେବଙ୍କର ପ୍ରତିଷ୍ଠା  ଉଚ୍ଚ ହେବବା କେମିତି? ତେଣୁ  ସେ ବା କାହୁଁ ବୁଝିପାରିଥାନ୍ତା ସେଦିନ ସେ ଅନ୍ତଃସତ୍ୱା । ଉଭୟଙ୍କର କାମରୂପୀ ଅଗ୍ନୀ ନିର୍ବାପନ ପରେ ଉଭୟେ ଶୋଇ ଯାଆନ୍ତ ନିଦ ମା’କୋଳରେ । ପରଦିନ ପ୍ରାତଃ ମୁହୁର୍ତ୍ତରୁ  ସତ୍ତ୍ୱରୀମା ଉଠି ସନାତନର କହିବା ମୁତାବକ ତା’ର ପ୍ରଥମ ପ୍ରସାବକୁ ଗୋଟିଏ ଛୋଟ ଶିଶିରେ ରଖି ଦିଏ ।  ନିଜର ସବୁ କାମ ସାରିଲା ପରେ ସେମିତି ପୂଜାଘରେ ଭଗବାନଙ୍କୁ ପୂଜା ଅର୍ଚ୍ଚନା ଓ ପ୍ରାର୍ଥନାରେ ସମୟ ବିତେଇ ଦିଏ । 
      ସନାତନ ଉଠି ମନ ଖୁସିରେ ନିତ୍ୟକର୍ମ ସାରି ଅଫିସ୍ ବାହାରେ । ସେ ପ୍ରସାବ ଶିଶିଟିକୁ ନିଜ ସାଥିରେ ନେଇକରି ଯାଏ । ନିଜ ପରୀକ୍ଷାଗାରାରେ ପହଞ୍ôଚ ସାରିଲା ପରେ କାଳ ବିଳମ୍ବ ନକରି   ସତ୍ତ୍ୱରୀମାର ଗର୍ଭ ପରୀକ୍ଷା କରିବସେ । ପରୀକ୍ଷାରୁ ସେ ଯେତେବେଳେ ନିଶ୍ଚିତ ହୋଇଯାଏ  ଯେ ସତ୍ତ୍ୱରୀମା ଆଜି ଗର୍ଭବତୀ ତା’ ଖୁସିର ସୀମା ରହେ ନାହିଁ । ସେ ଆଜି ପିତୃତ୍ୱ ଲାଭ କରିବ । ଏଭଳି ଏକ ମାୟାସଂସାରର ଉନ୍ମାଦନାରେ ସେ ଭାବ ବିହ୍ୱଳ ହୋଇପଡେ । ଦିନଯାକ ଆଉ ତା’ର କାମରେ ମନ ଲାଗେନି । ଏ ଖୁସି ଖବର ସତ୍ତ୍ୱରୀମାକୁ ଦେବାକୁ ସେ ଅଧିର ହୋଇ ଉଠେ । ହେଲେ ସେ ସତ୍ତ୍ୱରୀମାକୁ ଏ ଖୁସି ଖବର ଫୋନ୍‌ରେ ଦେବନି । ସେ ନିଜେ ଯାଇ ସତ୍ତ୍ୱରୀମାକୁ କହିବ । କଥାରେ ଅଛି ଖୁସିର ମୁହୁର୍ତ୍ତଗୁଡିକ ଖୁବ୍ ଯୋରରେ ଦୈାଡିବାରେ ଲାଗେ । ହେଲେ ସେଦିନ ସନାତନର ଖୁସିର ମୁହୁର୍ତ୍ତ ଆଦ୍ୟୈ ଦ୍ୟୈଡୁନଥାଏ । ସନ୍ଧ୍ୟା ଆସିବାକୁ ସତେଯେମିତି ଜାଣିଶୁଣି ଡେରି କରୁଥାଏ । ତା’ ମନର ଉତ୍କଣ୍ଠା, ଯେତେ ଜଲଦି ସନ୍ଧ୍ୟା ହେବ ଅଫିସ୍ କାମ ସରିବ, ସେ ବିଜୁଳି ବେଗରେ ସତ୍ତ୍ୱରୀମା ପାଖକୁ ଯାଇ ଏ ଖୁସି ଖବରଟି ଦେବ । 
      ସନ୍ଧ୍ୟା ଆସେ । ସନାତନ ଘରକୁ ଫେରେ । ସତ୍ତ୍ୱରୀମା ସନାତନକୁ ଖାଇବାକୁ ଦିଏ । ଖାଇସାରି ଦୁହେଁ ଆସି ଶୋଇବା ଘରେ ପଲଙ୍କ ଉପରେ ବସି ପଡନ୍ତି । ସତ୍ତ୍ୱରୀମା ଟି.ଭି. ସୁଇଚ୍‌ଟିକୁ ଅନ୍ କରିବାକୁ ଉଦ୍ୟତ ହେବା ସମୟରେ ସନାତନ କହେ ସତ୍ତ୍ୱରୀମା ମୁଁ ବର୍ତ୍ତମାନ ତୁମକୁ ଏପରି ଏକ ଖୁସି ଖବର ଦେବି  ତୁମେ ଶୁଣିଲେ ଚକିତ ହୋଇ ଯିବ । ସତ୍ତ୍ୱରୀମା ହଠାତ୍ ସନାତନ ଶରୀରକୁ ଲାଗି ବସିପଡି ତା’ କାନ୍ଧରେ ନିଜର ହାତ ଦୁଇଟିକୁ ଥୋଇ ଦେଇ ପଚାରି ବସେ କଣ ସେ ଖୁସି ଖବର । କହୁନ ମୁଁ ଟିକେତ ଜାଣେ । ସନାତନ ସତ୍ତ୍ୱରୀମାର ଦୁଇ କାନ୍ଧରେ ନିଜର ହାତକୁ ପକାଇ କହେ ତୁମ କାନ ମୋ ଆଡେ ଆଣ । ସତ୍ତ୍ୱରୀମା ତା’ର କାନକୁ ସନାତନର ମୁହଁ ପାଖକୁ ନେବା କ୍ଷଣି ସନାତନ କହେ ତୁମେ ମା’ ହେବାକୁ ଯାଉଛ । ଏହା କହି ତା’ମଥାରେ ଚୁମ୍ବନ ଟିଏ ଦେଇ ତାକୁ କିଛିକ୍ଷଣ ଜାବୁଡି ଧରି ଆଲିଙ୍ଗନ କରିବାରେ ଲାଗେ । 
      ସତ୍ତ୍ୱରୀମା ନିଜକୁ ବିଶ୍ୱାସ କରିପାରେନି । ଏକ ଅଦ୍ଭୁତ ଆତ୍ମ ସିହରଣରେ ସିହିରି ଯାଏ । କଣ ମନ ହୁଏ କେଜାଣି ମା’ ତା’ର ନିଜ ସନ୍ତାନକୁ ଗେଲ କଲା ପରି ସେ ସନାତନକୁ ବିକଳରେ ଗେଲ କରି ଚାଲେ ଓ ହଠାତ୍ ଛିଡା ହୋଇ ଯାଇ କହେ ମୁଁ ମା’ ହେବି ।  ମାତ୍ର ସତ୍ତ୍ୱରୀମାର ସେହି “ମୁଁ ମା’ ହେବି” ବାକ୍ୟଟିର ପ୍ରତିଧ୍ୱନି ମୋତେ ଦୋହୋଲେଇ ଦିଏ । ମୁଁ ନିଜକୁ ଓ ନିଜର ପରିବର୍ତ୍ତନକୁ ଆଦ୍ୟୈ ବୁଝି ପାରେନି । ନିମିଷକେ ସତ୍ତ୍ୱରୀମା ମନର ଅହଙ୍କାର ମୋ ଭିତରେ ପ୍ରବେଶ କରି ମୋର ଅନେକ ପୂର୍ବଜନ୍ମ କଥାକୁ ପାଶୋରି ଦିଏ । ମୁଁ ହୁଏ ହତଚେତା । 
     ସେ ପୂର୍ବଜନ୍ମ ମାନଙ୍କର ମୋର ମନେ ଥିବା ସମସ୍ତ ବୃତ୍ତାନ୍ତରୁ ଅନେକ କଥା କ୍ଷଣିକେ ପାଣି ଫୋଟକା ପରି ଉଭେଇ ଯାଏ । ମୋ ନିଜର କେତେକ ଅତୀତ ଜ୍ଞାନ ମୋ ପାଇଁ ସମ୍ପୂର୍ଣ୍ଣ ଅତୀତ ହୋଇଯାଏ । ମୁଁ ବୁଝିଯାଏ ଯେ ଆଜି ସତ୍ତ୍ୱରୀମାର ମାତୃତ୍ୱ ଲାଭ କରିବାର ଅହଙ୍କାର ମୋର ଅତୀତ ଜ୍ଞାନ ବିସ୍ମରଣର ହିଁ ପ୍ରକୃତ କାରଣ । ମୁଁ ସେତେବେଳେ ନିରୂପାୟ ଓ ନିର୍ବାକ ଥାଏ । ମୋ ପାଖରେ କିଛି କରିବାର ସୁଯୋଗ ହିଁ ପରମାତ୍ମା ମୋତେ ଦେଇ ନାହାନ୍ତି । ସତ୍ତ୍ୱରୀମାର ଶରୀର ଆଜି ମୋ ପାଇଁ ଏ ଭବ ସାଗର ତରିଯିବା ପାଇଁ ନାଆ । ମୁଁ ହେଉଛି ସେ ନାଆଟିର ଏକମାତ୍ର ଯାତ୍ରୀ ଯେକି ଏ ସଂସାର ଚକ୍ରରୁ ଚିରମୁକ୍ତି ପାଇଁ ପ୍ରୟାସରତ । ଆଉ ସେଇ ନାଆଟିର ନାବିକ ସେଇ ପରମେଶ୍ୱର ପରମାତ୍ମା । ତାଙ୍କ କରୁଣା କାଣିଚିଏ ବି ଉଣା ହୋଇଗଲେ ମୋ ଯାତ୍ରାର ଯେ ପୂର୍ଣ୍ଣଛେଦ ତାହା ମୁଁ ଭଲ ଭାବରେ ଅବଗତ । ଏଠି ମଧ୍ୟ ତୁମେ ତୁମର ଚିନ୍ତା ଶକ୍ତିକୁ  ବକ୍ଷିପ୍ତ କରି ଟିକେ ହେଜ । ଦେଖିବ ସତ୍ତ୍ୱରୀମାର ଶରୀର ଅବା ଗର୍ଭରେ ମୁଁ ଏକଇ ଆତ୍ମା ଅବସ୍ଥିତ ନୁହେଁ । ସତ୍ତ୍ୱରୀମାର ଗର୍ଭାଶୟ ଓ ଶରୀରରେ ମୋ ଭଳି ଅସଂଖ୍ୟ ଆତ୍ମା । ସେମାନଙ୍କ ମଧ୍ୟରୁ ଅନେକ ଜୀବାଣୁ, ବୀଜାଣୁ, ଭୁତାଣୁ ଓ ଡିମ୍ବାଣୁ ମଧ୍ୟରେ ସେମିତି ରହି ପରମପୁରୁଷଙ୍କ ସହିତ ମିଶିଯିବା ପାଇଁ ସଂଘର୍ଷରତ । ସେମାନେ ସେମିତି ଭବ ଯନ୍ତ୍ରଣାରେ ଜର୍ଜରିତ । 
     ସେମାନେ ସେହି ପରମ ଶକ୍ତି ସହିତ ମିଶିଯିବାର ପ୍ରୟାସରେ ଯଦିଓ ବ୍ୟଗ୍ର  ହେଲେ  ସେଦିନ ପର୍ଯ୍ୟନ୍ତ ସେମାନେ ମୋ ପରି ଶେଷ ଯାତ୍ରାର ଯାତ୍ରୀ ହେବାର ସୁଯୋଗ ପାଇ ନଥାନ୍ତି । ତେଣୁ ବିଚାର କଲେ ମୁଁ ସେତେବେଳେ ଏ ସମସ୍ତ ଆତ୍ମା ଭିତରେ ଅନନ୍ୟ ମାତ୍ର ସେ ମୁହୁର୍ତ୍ତର ସତ୍ତ୍ୱରୀମାର ସେ ‘ମୁଁ ‘ଶଦ୍ଦ ବା ତା’ର ମାତୃତ୍ୱର ଅହଙ୍କାର ମୋତେ ଅକ୍ଷମତା ପ୍ରଦାନ କରିଦିଏ । ମୁଁ ସେହି ଦଣ୍ଡରୁ ହିଁ ଏ ଭବ ମାୟାରେ ହଠାତ୍ ଛନ୍ଦି ହେବାର ଅୟମାରମ୍ଭ ପ୍ରକ୍ରିୟାରେ ଫସିଯାଏ । ମୁଁ ସେବେଠାରୁ ଦୃଢ ନିଶ୍ଚୟ ହୋଇଯାଏ ଯେ ସତ୍ତ୍ୱରୀମାର ଚିନ୍ତା ଓ କାର୍ଯ୍ୟକଳାପ ମୋତେ ସେହି କ୍ଷଣରୁ ସମ୍ପୂର୍ଣ୍ଣ ନିୟନ୍ତ୍ରିତ କରିବ । ମୋର ଦୁଃଖ, କଷ୍ଟ ,ସୁଖ, ଆନନ୍ଦ ସବୁର  ସେହି ହେବ ମାଧ୍ୟମ । ତେଣୁ ମୁଁ ଆଉ ଦୁଃଖ ନକରି କିମ୍ବା ଚିନ୍ତା ନକରି ପୁଣି ସେହି ପରମାତ୍ମଙ୍କ ଧ୍ୟ୍ୟାନରେ ନିଜକୁ ହଜେଇ ଦେବାରେ ଲାଗେ । 
     ନାରୀ ଜୀବନର ସର୍ବଶ୍ରେଷ୍ଠ ଆଭୁଷଣ ହେଉଛି ମାତୃତ୍ୱ । ମାତୃତ୍ୱ ବିନା ନାରୀ ଅସମ୍ପୂର୍ଣ୍ଣ । ମାତୃତ୍ୱ ବିନା ନାରୀ ନିଜକୁ ମଣେ ଅଭିଶପ୍ତା । ଅତିଷ୍ଠ ହୋଇ ପଡେ ସାମାଜର ନିନ୍ଦା ଓ ଅପବାଦରେ । ମାତୃତ୍ୱ ଲାଭରେ ନାରୀ ଯେଉଁ ଆନନ୍ଦ ଲାଭ କରେ ସଂସାରରେ ଗୃହସ୍ଥ ହେବା ପରଠାରୁ ଆଉ କେଉଁ ଫଳରେ ସେତିକି ଆତ୍ମତୃପ୍ତି ଲାଭ କରିପାରେ ନାହିଁ । ମାତୃତ୍ୱ ଲାଭରେ ସାଂସାରିକ ଜୀବନର ସବୁ ସୁଖ ତାକୁ ମିଳିଯାଏ । ମାତୃତ୍ୱ ଜଣେ ନାରୀକୁ ବଞ୍ôଚବାକୁ ଓ ଆଗକୁ ବଢିବାକୁ ଉତ୍ସାହ ଓ ପ୍ରେରଣା ଦିଏ । ମାତୃତ୍ୱ ପ୍ରାପ୍ତିରେ ନାରୀ ଆହୁରି ସେବା ପ୍ରବଣ ହୋଇ ଚାଲେ । ତରୁଣୀ ଜୀବନରେ ଥିବା  ବିକାର ତା’ ମନ ମଧ୍ୟରୁ ଧୀରେ ଧୀରେ ଦୂର ହେବାରେ ଲାଗେ । 
      ମାତୃତ୍ୱ ଲାଭ ପରେ ନାରୀ ଅଧିକ ଧୈର୍ଯ୍ୟବାନ ହେଇପଡେ । ସର୍ବସଂହାର ପ୍ରକୃତି ତା’ ଭିତରେ ବଳବତ୍ତର ହୁଏ ଓ ନାରୀତ୍ୱକୁ ମଧ୍ୟ ଋଦ୍ଧିମନ୍ତ କରେ । ସେଦିନ ସେଠାରେ ସତ୍ତ୍ୱରୀମା   
ଜୀବନରେ ସେହି ସବୁ ଘଟିବା ଆରମ୍ଭ ହୋଇ ସାରିଥାଏ । ଆଗକୁ ଏ ସବୁ ପ୍ରକୃତିଦତ୍ତ ପରିବର୍ତ୍ତନ ଘଟି ଚାଲିବ ଏହା ମୁଁ ବୁଝି ସାରିଥାଏ ।  
      ମା’ ହେବାକୁ ଯାଉଥିବାର ଖୁସିରେ ଆତ୍ମହରା ହୋଇ ସତ୍ତ୍ୱରୀମା ସନାତନକୁ କହେ ଦେଖ କାଲି ସକାଳୁ ତୁମେ ମୋ ପାଇଁ ନିଶ୍ଚୟ ମନ୍ଦିର ଯିବ । ପାଖରେ ଥିବା ଉଗ୍ରନାଥଙ୍କ ମନ୍ଦିରକୁ ଯାଇ ତୁମେ ଶ୍ରୀଅଙ୍ଗନାଗି କରିକି ଆସିବ । ସନାତନ କହେ ସାଙ୍ଗ ହୋଇ ଯିବା, ମୁଁ ଏକୁଟିଆ କାହିଁକି  ଯିବି? ସତ୍ତ୍ୱରୀମା କହିଛି ତୁମେ କଣ ଜାଣିନ, ନାରୀ ଗର୍ଭବତୀ ହେଲା ପରେ ତା’ପାଇଁ ପୂଜା ପାର୍ବଣ ଓ ମହାଦେବ ମନ୍ଦିରକୁ ଯିବା ମନା । ଏ ହେଲା ଆମ ଧର୍ମ ପରମ୍ପରାର ନୀତି । ସତରେ ନା କଣ । ଆଉ ହଁ ଆଜିଠୁ ମୁଁ ଆମ ପୂଜାଘରକୁ ମଧ୍ୟ ଯାଇପାରିବନି କି ଆଉ ପୂଜା କରିପାରିବିନି । ସନାତନ କହେ ଆମର ଏ ସବୁ ବିଚିତ୍ର ପରମ୍ପରା । ଶରୀରରେ ସନ୍ତାନର ଉପସ୍ଥିତି ପାଇଁ ଏ ସବୁ ବାରଣ, ଏହାର କାରଣ ମୁଁ କିଛି ବୁଝିପାରୁନି । ସତ୍ତ୍ୱରୀମା କହିଛି ଆମର ସେଥିରେ ବୁଝିବା କଣ ଆବଶ୍ୟକଯେ । କୂଳ ପରମ୍ପରାର ରକ୍ଷା ହେଉଛି ପ୍ରତ୍ୟେକ ପିଢୀର କର୍ତ୍ତବ୍ୟ ଓ ଧର୍ମ । ତେଣୁ ଆମକୁ ତାହା ମାନିବାକୁ ପଡିବ । 
      ସତ୍ତ୍ୱରୀମା କହିଛି ହେଲେ ଘରେ ମା’ତ ଜାଣିନାହାନ୍ତି ଯେ ମୁଁ ଗର୍ଭବତୀ । ଯଦି ମୁଁ ପୂଜାଘରକୁ ନଯାଏ ସେ ମଧ୍ୟ ଆସି ମୋତେ ପଚାରି ପାରନ୍ତି ତାହାର କାରଣ । ହଉ ମୁଁ ମା’ କୁ ସେ କଥା କହିବି । ହେଲେ ତୁମେ କାଲି ନିଶ୍ଚୟ ମନ୍ଦିର ଯିବ । 
      ସନାତନକୁ ସକାଳୁ ଉଠି ଗାଧୋଇ ପାଧୋଇ ମନ୍ଦିର ଯିବାଟା ସେତେ ଉତ୍ସାହ ପ୍ରଦାନ କରୁନଥାଏ । ସେ କେବେବି ଏ ରୀତିନୀତି ପ୍ରଥା ପରମ୍ପରାକୁ ଗୁରୁତ୍ୱ ଦିଏନି । ସେ ଜାଣେ ଭଗବାନ ସର୍ବତ୍ର ବିଦ୍ୟମାନ । ସେ ସଂସାରର ସମସ୍ତ ଉତ୍ପାଦ ଓ ପ୍ରକ୍ରିୟାକୁ ପ୍ରତିକ୍ଷଣ ପରିଚାଳନା କରୁଛନ୍ତି । ତାଙ୍କର ଗୋଟିଏ ସୁନ୍ଦର ସୃଷ୍ଟି ଭାବରେ ଆମେ ଯେଉଁ ସ୍ଥାନରେ ଯେ ଭଳି ଅବସ୍ଥାରେ ଓ ଯେଉଁ ମୁହୁର୍ତ୍ତରେ ତାକୁ ଡାକିବା ସେ ସେଠି ଆମକଥା ଶୁଣନ୍ତି । ବାସ୍‌, ଆମ ମନରେ ଦରକାର ଗଭୀର ବିଶ୍ୱାସ ଓ ଭକ୍ତି । ତେଣୁ ଏ ମଠ ମନ୍ଦିର ଯାଇ ଲୋକ ଦେଖାଣିଆଙ୍କ ଭଳି ଅନେକ ପୂଜା ଅର୍ଚ୍ଚନା କରିବାକୁ ସେ ତା’ର ଜୀବବିଜ୍ଞାନୀ ପଦବୀ ଲାଭ ପରଠାରୁ ଆଦ୍ୟୈ ଚାହେଁ ନାହିଁ । ହଁ ପିଲାଦିନେ ସେ ଅନେକଥର ମା’ଙ୍କ ସାଙ୍ଗରେ ମନ୍ଦିର ଯାଏ ଆଉ ସମସ୍ତ ପୂଜା ପାର୍ବଣରେ ମନ୍ଦିରରେ ପୂଜା ଅର୍ଚ୍ଚନା କରିବାର ସୁଯୋଗ ପାଇଥାଏ । ହେଲେ ଯେବେଠାରୁ ବୈଜ୍ଞାନିକର ଆଖ୍ୟାରେ ସେ ଅବସ୍ଥାପିତ, ଜୀବନର ଚିର ସତ୍ୟକୁ ବୈଜ୍ଞାନିକ ଦୃଷ୍ଟି କୋଣ ସହିତ ମାୟା ସଂସାରର ଶକ୍ତିକୁ ସେ ଅଙ୍ଗେ ଅଙ୍ଗେ ଅନୁଭବ କରିଆସିଛି । 
      ହେଲେ ଆଜିର ପରିସ୍ଥିତି ଏଠି ସମ୍ପୂର୍ଣ୍ଣ ଭିନ୍ନ । ପୁରୁଷତ୍ୱ ଲାଭ କରିବାର ସୁଯୋଗ । ପରପିଢୀର ଦାୟଦର ଉପାଧିରେ ସେ ହେବ ଭୁଷିତ । ପିତାପଣର ଦାୟୀତ୍ୱ ତାକୁ ଆଜିଠାରୁ ତୁଲେଇବାକୁ ପଡିବ । ତେଣୁ ସତ୍ତ୍ୱରୀମା କଥାରେ ସେ ଖୁସିରେ ହଁ କରେ । ପରଦିନ ସକାଳୁ  ସତ୍ତ୍ୱରୀମା ଆଗ ଉଠିପଡି ସନାତନକୁ ବିଛଣାରୁ ଉଠେଇ ଦିଏ । ଘରେ ସେ ପର୍ଯ୍ୟନ୍ତ କେହି ଉଠି ନଥାନ୍ତି । ସତ୍ତ୍ୱରୀମା ନିଜର ଦେହକୁ ସେତେ ସୁସ୍ଥ ମନେ କରୁ ନଥାଏ । ଅଳସୁଆ ପଣ ସହିତ ସତେଯେମିତି ତା’ ଭିତରେ ମଜରା ଜ୍ୱର ଅଛି । ଖାଇବାକୁ ଇଚ୍ଛା ନଥାଏ । ହେଲେ ସନାତନ ପୂର୍ବରୁ ସେ ଗାଧୋଇ ପଡି ସନାତନ ମନ୍ଦିର ଯିବାର ସମସ୍ତ ବ୍ୟବସ୍ଥା କରି ସାରିଥାଏ । ମନ୍ଦିର ଯାଉଥିବା କଥା ସନାତନ ତା’ ମା’କୁ ଯାଇ କହେ । ସନାତନର ମା’ ଟିକେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି । ତଥାପି ମନେମନେ ଟିକେ ଖୁସି ଅନୁଭବ କରନ୍ତି ଯେ ତାଙ୍କ ବୋହୁର ସାନ୍ନିଧ୍ୟରେ ଆଜି ତାଙ୍କ ପୁଅ ମନ୍ଦିର ଯିବାକୁ ପ୍ରସ୍ତୁତ । ସନାତନ ମନ୍ଦିର ଚାଲିଯିବା ପରେ ସନାତନର ମା’ ଆସି ସତ୍ତ୍ୱରୀମା ପାଖରେ ପହଞ୍ôଚଲା ବେଳକୁ ସତ୍ତ୍ୱରୀମା ପଲଙ୍କ ଉପରେ ମୁହଁ ମାଡି ଶୋଇ ରହିଥାଏ । ସତ୍ତ୍ୱରୀମାର ଶାଶୁ ପଚାରନ୍ତି ‘ସତ୍ତ୍ୱ’, ମା’ କଣ ହୋଇଛି କି ! ଦେହ ଭଲ ଲାଗୁନି ନା କଣ?  
ନାଇଁ ମା’ ମୋତେ କାଇଁ ବାନ୍ତି ବାନ୍ତି ଲାଗୁଛି । ଦେହଟା ଭାରି ଅଳସୁଆ ଅଳସୁଆ ଲାଗୁଛି । ସତ୍ତ୍ୱରୀମାର ଶାଶୁ ବୁଝିଗଲେ ବୋଧହୁଏ ସତ୍ତ୍ୱରୀମା ମା’ ହେବାକୁ ଯାଉଛି ।  ସେ ହଠାତ୍ ସତ୍ତ୍ୱରୀମା କୁ ବସାଇ ଦେଇ ତା’ପାଖରେ ବସିପଡି ତା’ ମୁଣ୍ଡରେ ଟିକେ ନିଜ ଝିଅ ଭଳି ହାତ ବୁଲେଇ ଆଣି କହିଲେ ତୁ କଣ ଗାଧୋଇ ସାରିଲାଣୁ ନା କଣ । ସତ୍ତ୍ୱରୀମା ଉତ୍ତର ଦେଇଛି ହଁ, ମା’ ।  
      ହଉ ହଉ ଯମାରୁ ବ୍ୟସ୍ତ ହଅନି । ମୁଁ ଡାକ୍ତର ବାବୁଙ୍କୁ ଡକଉଛି । ଏତିକି କହୁ କହୁ ସତ୍ତ୍ୱରୀମାକୁ ବାନ୍ତି ଲାଗେ । ସେ ତରତର ହୋଇ ବେସିନ୍ ପାଖରେ ପହଞ୍ôଚ ବେସିନ୍‌ରେ ଖାଲି ଅ.....ଅ... ହୁଏ । ତା’ଶାଶୁ ସତ୍ତ୍ୱରୀମାର ପଛେ ପଛେ ଦୈାଡିଯାଇ ସତ୍ତ୍ୱରୀମା ପାଖରେ ଠିଆ ହୋଇ ପଚାରିଛନ୍ତି ସତ୍ତ୍ୱ ଏ ମାସରେ ତୁ ଠିକ୍ ସମୟରେ ଗାଧୋଇଛୁ । 
      ସତ୍ତ୍ୱରୀମା କହିଛି ମା’ ସାତଦିନ ବିଳମ୍ବ ହୋଇଗଲାଣି । ସତ୍ତ୍ୱରୀମାର ଶାଶୁ ହସିଦେଇ ବହୁତ ଖୁସିରେ ସତ୍ତ୍ୱରୀମାକୁ ଠିଆକରି ନିଜ ଛାତି ପାଖକୁ ଟାଣି ଆଣନ୍ତି । ଆଉ ତାକୁ କହନ୍ତି ମୋତେତ କାହିଁ ମୁଁ ଜେଜେମା’ ହେବାକୁ ଗଲାଭଳି ଲାଗୁଛି । ଏହା କହି ସତ୍ତ୍ୱରୀମା ମଥାରେ ଟିକେ ନିଜର ମୁହଁ ଲଗାଇ ଗେଲ କରି ଦିଅନ୍ତି । କହନ୍ତି ହଉ ଆଦ୍ୟୈ ବ୍ୟସ୍ତ ହଅନି । ଚାଲେ ପଲଙ୍କ ଉପରେ ବସ । ଟିକେ କଣ ଖାଇବା କଥା, କିନ୍ତୁ ତୁ ଖାଆନି । ଏହା କହି ସଙ୍ଗେସଙ୍ଗେ ତାଙ୍କ ପରିବାର ଡାକ୍ତରଙ୍କୁ ଫୋନ୍ ଲଗାନ୍ତି । ଆଉ କହନ୍ତି ଆପଣ ଏବେ ଆସନ୍ତୁ । 
      ସନାତନ ମନ୍ଦିରରୁ ଫେରିବା ବେଳକୁ ଘରେ ଆସି ଡାକ୍ତର ପହଞ୍ôଚ ସାରିଥାନ୍ତି । ସତ୍ତ୍ୱରୀମାର ଶାଶୁ, ଶ୍ୱଶୁର ଓ ସନାତନ ସମସ୍ତେ ଅପେକ୍ଷା କରିଥାନ୍ତି । ଡାକ୍ତର ବାବୁ ସବୁ ପରୀକ୍ଷା କରିସାରି ସତ୍ତ୍ୱରୀମାର ଶ୍ୱଶୁରଙ୍କୁ କହି ଦିଅନ୍ତି ବାବୁ ଆପଣ ଜେଜେ ହେବାକୁ ଯାଉଛନ୍ତି । ଏତିକି କଥାରେ ଘର ଉତ୍ସବମୂଖର ହୋଇ ଉଠେ । ସମସ୍ତେ ଆନନ୍ଦରେ ଉତ୍‌ଫୁଲିତ ହୋଇ ପଡନ୍ତି । ମୁଁ ମଧ୍ୟ 
ସମସ୍ତଙ୍କ ଖୁସିରେ ଟିକେ ଆନନ୍ଦ ଅନୁଭବ କରୁଥାଏ । କିନ୍ତୁ ବାସ୍ତବତା ଏଇଆ ଯେ ସତ୍ତ୍ୱରୀମାର ‘ମୁଁ ମା ହେବି’ ଶଦ୍ଦ ପରଠାରୁ ମୋତେ ବି ସତ୍ତ୍ୱରୀମାର ଅହଂଙ୍କାର ଟିକେ ଗ୍ରାସ କରି ସାରିଥାଏ ।  ପରମାତ୍ମାଙ୍କ ମିଳନର ଯେଉଁ ପ୍ରାବଲ୍ୟ ମୋ ମନରେ ରହିଥାଏ ସେଥିରେ କିପରି ଆଦ୍ୟୈ କମି ନଆସୁ ମୁଁ ଯତ୍‌ପରନାସ୍ତି ଚେଷ୍ଟା କରୁଥାଏ । ମୋର ସର୍ବସ୍ୱକୁ ସେହି ପରମପୁରୁଷଙ୍କ ପାଦରେ  ନିବେଶ କରିବାକୁ ଅହରହ ପ୍ରୟାସରତ ଥିବାବେଳେ ସତ୍ତ୍ୱରୀମାର ମାତୃତ୍ୱ ଭାବନାର ଗୋଟିଏ କ୍ଷୁଦ୍ର ଅହଙ୍କାର ‘ମୁଁ’ ରୂପନେଇ  ମୋତେ ସ୍ପର୍ଶ କରିଯିବାଟା ମୋତେ ଟିକେ ବ୍ୟସ୍ତ କରିପକଉଥାଏ । ପୂର୍ବଘଟରୁ ଏ ଘଟରେ ପହଞ୍ôଚବା ଯାଏଁ ପୂର୍ବ ସମସ୍ତ ଜନ୍ମର ଆସକ୍ତିକୁ ମୁଁ ଫିଙ୍ଗି ମୋର ପରମାତ୍ମାଙ୍କ ସହିତ ମିଳନ ଥାଏ ଏକମାତ୍ର ଆଶକ୍ତି । ମାତ୍ର ମୋ ଭିତରେ ଅହମିକା ଆଦ୍ୟୈ ନଥାଏ । ସେ ସମସ୍ତ ମୁକ୍ତି ପ୍ରତିବନ୍ଧକ ଗୁଣ ଗୁଡିକୁ ମୁଁ ଅନେକ ଆଗରୁ ପରିତ୍ୟାଗ କରି ସାରିଥାଏ । ସତ କହିବାକୁ ଗଲେ ମୁଁ ବର୍ତ୍ତମାନ ଗୁଣାତିତ ଅବସ୍ଥାରେ ହିଁ ଥାଏ । ସତ୍ତ୍ୱ, ରଜ ଓ ତମ ଏ ତିନି ଗୁଣର ବହୁ ଉର୍ଦ୍ଧ୍ୱରେ । ଅହଙ୍କାର ଓ ବିକାର ଭଳି ଭୟଙ୍କର ଶକ୍ତି ମାନଙ୍କଠାରୁ ମୁଁ ବହୁତ ଦୂରରେ ଥାଏ । କିନ୍ତୁ ସତ୍ତ୍ୱରୀମାର ଏ ‘ମୁଁ’ ଶଦ୍ଦଟି ଏ ଭବସାଗର ମାୟାରେ ଥିବା ଅହଙ୍କାରର ଅସ୍ତିତ୍ୱକୁ ପୁଣିଥରେ ମୋ ଭିତରେ ଜୀବନ୍ୟାସ ଦେଲାଭଳି ମୋତେ ପ୍ରତୀୟ ମାନ ହେଉଥାଏ । ସତ୍ତ୍ୱରୀମାର ସେହି ଗୋଟିଏ ଶଦ୍ଦ ‘ମୁଁ’ର ପ୍ରଭାବରେ ମୋର ଜନ୍ମଜନ୍ମାନ୍ତର ଅନେକ ଘଟଣାକୁ କ୍ଷଣିକରେ ମୁଁ ଭୁଲି ବସେ । ଆଉ କିଛି ନଭାବି ମୁଁ ପୁଣି ସେହି ପରମାମାôଙ୍କ ଧ୍ୟାନରେ ନିଜକୁ ସମର୍ପଣ କରିଦିଏ । 
      ଷଷ୍ଠ ସପ୍ତାହର ଆଦ୍ୟ ଦିନରେ ମୁଁ ବି ଅନୁଭବ କରିସାରିଥାଏ ଯେ ସତ୍ତ୍ୱରୀମାର ଶରୀର ମୋ ଶେଷଯାତ୍ରାର ଶ୍ରେଷ୍ଠ ପଥ ହୋଇଥିଲେ ମଧ୍ୟ ମୋର ସେ ‘ମା’ । ଏ ପାର୍ôଥବ ସଂସାରରେ ସମସ୍ତେ ତାକୁ କହିବେ ମୋର ମା’ ଆଉ ସନାତନ ମୋର ପିତା । ମୁଁ ଏହି ପଥଦେଇ ଗତି କଲାବେଳେ ମୋ ମା’ ସତ୍ତ୍ୱରୀମାର ଶରୀର ଭିତରେ ମୋ ଶରୀର, ପୁଣି ମୋ ଶରୀର ଭିତରେ ମୁଁ ଅଧିଷ୍ଠିତ ମୁକ୍ତିକାମୀ ଆତ୍ମା । ତତ୍ ସହିତ ମୋ ମା’ ସତ୍ତ୍ୱରୀମାର ଅନ୍ତରରେ ଅନ୍ୟଏକ ପୁଣ୍ୟତ୍ମା ଅଧିଷ୍ଠିତ ଯେ କି ମୋ ମା’ର ପ୍ରାଣ କେନ୍ଦ୍ର ଆଉ ସେ ମଧ୍ୟ ମୁକ୍ତିକାମୀ ।  ଆଜି ମୁଁ ମୋର ମା’ ର ସେହି ପବିତ୍ର ଆତ୍ମା ସଂସର୍ଗରେ ଆସି ମୋର ଏ ଭବସାଗର ଯାତ୍ରାକୁ ସହଜରେ ପାରିହୋଇ  ପରମପୁରୁଷଙ୍କ ଶରୀରରେ ଲୀନ ନିଶ୍ଚୟ ହୋଇଯିବି, ଏହା ମୋ ମନରେ ଦୃଢ ବିଶ୍ୱାସ ଥାଏ । ଜଗତ ଜାଣିବାକୁ ସିନା ସତ୍ତ୍ୱରୀମାର ଗର୍ଭ ଆସି ପାଞ୍ଚ ସପ୍ତହର ହୋଇ ଗଲାଣି ହେଲେ ସତ୍ତ୍ୱରୀମାର ଗର୍ଭ ଭିତରେ ମୋ ନିଜସ୍ୱ କଳେବରର ସଂରଚନା ଆଜକୁ ଠିକ୍ ଏକବିଂଶ  ଦିନ ପୂର୍ବରୁ ହୋଇଥିଲା । ଆଉ ମୁଁ ଆଜି ସତ୍ତ୍ୱରୀମାର ଗର୍ଭ ଭିତରେ ମୋ ଅଧିଷ୍ଠିତ ଶରୀର ଭିତରେ ମାତ୍ର ଏହି ଏକବିଂଶ ଦିନର ଯାତ୍ରୀ । 
      ମୋ ଅଧିଷ୍ଠିତ ଶରୀରର ଦ୍ରୁତଗତିରେ ବୃଦ୍ଧି ହେବାରେ ଲାଗିଥାଏ । ସେଦିନ ବ୍ରାହ୍ମ ମୁହୁର୍ତ୍ତର    ଏକ ପବିତ୍ର କ୍ଷଣରେ ଏକ ଅଦ୍ଭୁତ ପରିବର୍ତ୍ତନ ସଂଗଠିତ ହୁଏ । ମୋ ରହିବା ପାଇଁ ନିର୍ମିତ ହେଉଥିବା ଗୃହ, ହୃଦୟର କାମ ଶେଷ ହୋଇ ମୁଁ ତାହା ଭିତରେ ଆପଣାଛାଏଁ ଜୀବାତ୍ମା ରୂପେ ଅଧିଷ୍ଠିତ ହୋଇଯାଏ । ମୋର ଉପସ୍ଥିତିର ପ୍ରମାଣ ସ୍ୱରୂପ ପ୍ରାଣବାୟୁ ସେହି ହୃଦୟ ଭିତରେ ସ୍ଥାନିତ ହୋଇ ସେହି ହୃଦୟକୁ ପ୍ରତିକ୍ଷଣ ପାଇଁ ସ୍ପନ୍ଦିତ କରିବା ଆରମ୍ଭ କରେ । ଆଉ ସେ ପ୍ରାଣବାୟୁର ଉପସ୍ଥିତିରେ ମୋର ସ୍ଥିତି । ତାହା ହିଁ ଜୀବନର ମୂଳଭିତି ନଚେତ୍ ଜୀବ ହେବ ଜଡ । ଯେଉଁ ମୁହୁର୍ତ୍ତରେ ସେ ପ୍ରାଣବାୟୁ ଏ ଶରୀର ଛାଡି ଚାଲିଯିବ ସେହି ମୁହୁର୍ତ୍ତରେ ମୁଁ ମଧ୍ୟ ତା ସହିତ ସେ ସ୍ଥୁଳ ଶରୀର ପରିତ୍ୟାଗ କରିଦେବି ଏହା ଚିର ସତ୍ୟ । ହେଲେ ସେ ପରବ୍ରହ୍ମ ପରମାତ୍ମାଙ୍କର ଅଦ୍ଭୁତ ଲୀଳାରେ ଯେଉଁ କ୍ଷଣ ହୃଦୟରେ ମୋ ସହିତ ପ୍ରାଣବାୟୁର ଅଧିଷ୍ଠାନ ଠିକ୍ ସେହି ସମୟରେ ପ୍ରାଣବାୟୁକୁ ମିଶାଇ ଆଉ ଚାରିବାୟୁ ମୋ ସ୍ଥୂଳ ଘଟର ନିର୍ଦ୍ଧିଷ୍ଟ ସ୍ଥାନମାନଙ୍କରେ ଅଧିଷ୍ଠିତ ହୋଇ ଯାଆନ୍ତି । 
      ଅପାନ ବାୟୁର ସ୍ଥିତି ମଳଦ୍ୱାର, ସମାନର ସ୍ଥାନ ନାଭି, ଉଦାନର ସ୍ଥାନ କଣ୍ଠ ଏବଂ ବ୍ୟାନର ସ୍ଥାନ ସମଗ୍ର ଶରୀର ସତେଯେମିତି ପୂର୍ବ ନିର୍ଦ୍ଧାରିତ ଆଜ୍ଞା ମୁତାବକ ଯଥାସ୍ଥାନରେ ସ୍ଥାନିତ ହୋଇ ଯାଆନ୍ତି । ହେଲେ ମୋ ସଲଗ୍ନ ପ୍ରାଣବାୟୁ ସମସ୍ତଙ୍କର ଆତଜାତର କ୍ରିୟାକୁ ସମ୍ପାଦିତ କରିବାର ଦାୟିତ୍ୱ ସେହିକ୍ଷଣରୁ ହିଁ ନେଇଯାଏ । ହୃଦୟର ସ୍ପନ୍ଦନ ପାଖାପଖି ଏକଶତ ଦଶରୁ ଏକଶତ ଚାଳିଶି ପ୍ରତି ମିନିଟ୍‌ରେ ହେଉଥାଏ । ଏହି ପ୍ରାଣବାୟୁ ଦ୍ୱାରା ସ୍ପନ୍ଦିତ ପ୍ରକ୍ରିୟାରେ ମୋ ସ୍ଥୂଳଘଟର ପ୍ରତି ବିନ୍ଦୁକୁ ରକ୍ତ ସଂଚାଳିତ ହେବାରେ ଲାଗିଥାଏ । ମୁଁ ଜୀବାତ୍ମା ରୂପେ ଏହି ହୃଦୟ ଭିତରେ ରହି ବାହ୍ୟ ଓ ଆଭ୍ୟନ୍ତରର ସମସ୍ତ କ୍ରିୟା ପ୍ରତିକ୍ରିୟାକୁ ଅନୁଭବ କରିଚାଲିଥାଏ । 
      ସବୁଠାରୁ ପରିପୂର୍ଣ୍ଣ କଥା ହେଲା ମୋ ସ୍ଥୂଳ ଘଟର ସମସ୍ତ ପ୍ରକାର ଅର୍ନ୍ତ ଓ ବାହ୍ୟଘଟିତ ଭାବ, ଆବେଗ, ଆଲୋଡନକୁ ମୁଁ ସେହି ହୃଦୟଭିତରେ ରହି ତିଳତିଳ କରି ଅନୁଭବ କରି ପାରୁଥାଏ । ମୋ ସ୍ଥୂଳଘଟରେ ବର୍ତ୍ତମାନ ବିରାଜିତ ପଞ୍ଚବାୟୁ ମଧ୍ୟରୁ ଅନ୍ୟ ଯେ କୈାଣସି ବାୟୁର ଅବସ୍ଥିତି, ଆକାର , ଆକୃତି ଓ ତା’ର ଉପାଦାନରେ ଯେ କୈାଣସି କିଞ୍ôଚତ୍‌ମାତ୍ର ପରିବର୍ତ୍ତନ ଘଟିଲେ ତାହା ପ୍ରାଣବାୟୁକୁ ପ୍ରଭାବିତ କରେ ଓ ମୁଁ ପ୍ରାଣବାୟୁ ସଂଲଗ୍ନ ହୋଇ ରହିଥିବାରୁ ମୁଁ ମଧ୍ୟ ସେପରି ପ୍ରତିକ୍ରାୟାର ସୂକ୍ଷ୍ମ ପ୍ରଭାବରେ ପ୍ରଭାବିତ ହୋଇଥାଏ । ଶରୀରର ସମସ୍ତ ତତ୍ତ୍ୱକୁ ମୁଁ ଜୀବାତ୍ମା ପ୍ରାଣବାୟୁ ସହିତ ହୃଦୟରେ ସ୍ଥାନିତ ହୋଇ ଅନୁଭବ କରିବାରେ ଲାଗିଥାଏ । ମୁଁ ଯଦିଓ ଅଛେଦ୍ୟ, ଅଭେଦ୍ୟ, ଅଜର, ଅମର, ଅଟଳ, ଅସଲଗ୍ନ ତଥାପି ମୁଁ ଏହି ଘଟ ସ୍ଥିତ ହୃଦୟ ଭିତରେ ରହି ଶରୀରର ସମସ୍ତ କଷ୍ଟ, ଯନ୍ତ୍ରଣା ଓ ସୁଖକୁ ଅନୁଭବ କରୁଥାଏ । ମୁଁ ବି ସେ ପରମବ୍ରହ୍ମ ପରମାତ୍ମାଙ୍କର ଏ ଅଲୌକିକ ଲୀଳା ସବୁ ଦେଖିକରି ବେଳେବେଳେ ଭାବ ବିହ୍ୱଳ ହୋଇଯାଉଥାଏ । ଏ ମନୁଷ୍ୟ ସିନା ହୃଦୟର ସ୍ପନ୍ଦନ ଓ ବାୟୁ ଚଳାଚଳକୁ ତା’ର ବୁଦ୍ଧିବଳରେ ଜାଣିବାକୁ ସକ୍ଷମ ହୁଏ ମାତ୍ର ଏ ସ୍ପନ୍ଦନର ସୁତ୍ରଧର  କେଉଁ ମୁହୁର୍ତ୍ତରେ କେଉଁ ପଥେଦଇ ଏ ଶରୀର ଭିତରେ ପ୍ରବେଶ କରନ୍ତି ତାହା ଆଜିପର୍ଯ୍ୟନ୍ତ ଏ ମାନବ ଜାତି ପାଇଁ ଅବୋଧ । ମାନବ ପ୍ରତିକ୍ରିୟା ଜାଣିପାରେ ମାତ୍ର କ୍ରିୟାର ଉତ୍ସର ସର୍ଜ୍ଜନା ସମ୍ବଦ୍ଧରେ ଏବେ ବି ଦ୍ୱିଧାରେ । ମୋ ଅଧିଷ୍ଠିତ ସ୍ଥୂଳ ଶରୀରର ବୃଦ୍ଧି ଅହରହ ସଙ୍ଗଠିତ ହୋଇ ଚାଲିଥାଏ । ସ୍ଥୂଳଘଟର ସଂରଚନାର ପରିବ୍ୟାପ୍ତି ସତେଯେମିତି ଷଠିଦୁଷି   ଅବିରତ ଭାବରେ ଗଢି ଚାଲିଥାନ୍ତି । ମୁଁ କିନ୍ତୁ ବର୍ତ୍ତମାନ ସୁଦ୍ଧା ନିର୍ବିକାର ଭାବରେ ରହି ମୋର ସେହି ପରବ୍ରହ୍ମ ପରମାତ୍ମାଙ୍କ ଧ୍ୟାନରେ ନିଜକୁ ହଜେଇ ରହିବାରେ ଆନନ୍ଦ ଉପଲବ୍ଧି କରୁଥାଏ । କିନ୍ତୁ ଆଜି ସତ୍ତ୍ୱରୀମାର ଅହଂକାର “ମୁଁ ମା’ ହେବି” ମୋତେ କିଛିଟା ମୋର ଦୈବୀ ଗୁଣରୁ ବଞ୍ôଚତ କରିସାରିଥାଏ । ତଥାପି ଯେ ହେତୁ ସେ ମୋର ପଥ ଆଉ ମୋ ପାଇଁ ଏ ଯାତ୍ରାର ସର୍ବସ୍ୱ ମୁଁ ତାକୁ ଆଦରରେ ଗ୍ରହଣ କରି ନେଇଥାଏ ।
      ସନାତନ ଚେଷ୍ଟାକରେ ଆଉ ମାତ୍ର ଦୁଇତିନି ଦିନ ପରେ ସେ ଚାହିଁଲେ ସତ୍ତ୍ୱରୀମା ଗର୍ଭରେ ଥିବା ସନ୍ତାନର ହୃଦ୍‌ସ୍ପନ୍ଦନ ବିଜ୍ଞାନର ଯନ୍ତ୍ର ସାହାଯ୍ୟରେ ଜାଣିପାରିବ । ହେଲେ ସେ ସେକଥା ଚାହେଁନି । ନିଜେ ବୈଜ୍ଞାନିକ ହୋଇଥିଲେ ମଧ୍ୟ ତାଙ୍କ ଘରର ସେହି ନିର୍ଦ୍ଧିଷ୍ଟ ଡାକ୍ତର ଜଣକ ପ୍ରତିମାସରେ ଆସନ୍ତୁ  ଓ ସତ୍ତ୍ୱରୀମାର ସ୍ୱାସ୍ଥ୍ୟ ପରୀକ୍ଷା କରି ଯାଆନ୍ତୁ । ସେ ଲେଖି ଯାଇଥିବା ସମସ୍ତ ଔଷଧ  ମଧ୍ୟ  ସତ୍ତ୍ୱରୀମା ସେବନ କରୁ । ହେଲେ ତା’ ବୈଜ୍ଞାନିକ ଅଭିସନ୍ଧିଚ୍ଛୁ ମନ ତାକୁ ପ୍ରଲୋଭିତ କରେ ସେ ଜରାୟୁରେ ସନ୍ତାନର ଉପସ୍ଥିତିକୁ ନିଜ ଆଖିରେ ପ୍ରତିଦିନ ଦେଖିବା ପାଇଁ । ହେଲେ ଏହା ସମ୍ଭବ କେବଳ ସେହି ଅଲ୍ଟ୍ରାସାଉଣ୍ଡ୍ ଯନ୍ତ୍ର ମାଧ୍ୟମରେ । ବାରମ୍ବାର ଅଲଟ୍ରାସାଉଣ୍ଡ୍ କରିବାଟା ସ୍ୱାସ୍ଥ୍ୟ ପକ୍ଷେ ଉଚିତ ନୁହେଁ । ତାହା ଉଭୟ ଶିଶୁ ଓ ମା’ ଉପରେ ପ୍ରଭାବ ପକାଇବ । ଏହି ସମୟରେ ଶିଶୁଟିର ଲମ୍ବ ମାତ୍ର ଏକ ଇଞ୍ଚ୍‌ର ଏକ ଚତୁର୍ଥାଶଂ ବା ଗୋଟିଏ ଡାଲିଜାତୀୟ ଉଭିଦର ମଞ୍ଜି ସଦୃଶ ହୋଇଥିବ । 
      ଏହି ସପ୍ତାହଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯେହେତୁ ଶରୀରର ସମସ୍ତ ଆଭ୍ୟନ୍ତର ଓ ବାହ୍ୟ ଅଙ୍ଗର ନିର୍ମାଣ ଏହି ସମୟରେ ଦ୍ରୁତ ଗତିରେ ଆଗେଇ ଚାଲିଥାଏ । ଯକୃତ, ବୃକକ୍ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନଙ୍କର ଗଠନ ଏହି ସମୟରେ ସଂଗଠିତ ହୋଇ ଚାଲିଥାଏ । ବାହ୍ୟ ଅଙ୍ଗ ମାନଙ୍କ ମଧ୍ୟରେ ଆଖି, କାନ, ନାକ, ହାତର ଗଠନ ମଧ୍ୟ ଏଇ ସମୟରେ ଆରମ୍ଭ ହୋଇଯାଏ । ସନାତନ ଜାଣେ ଯେ ସତ୍ତ୍ୱରୀମା ବର୍ତ୍ତମାନ ନିଜକୁ ମାନସିକ ଓ ଶାରିରୀକ ରୂପେ ନିଜେ ଗର୍ଭବତୀ ବୋଲି ଅନୁଭବ କରିପାରିବ । ତା’ ପାଖରେ ସାଧାରଣ ଲକ୍ଷଣ ଗୁଡିକ ଯଥା-ବାନ୍ତି ହେବା, ଦୁର୍ବଳ ଅନୁଭବ କରିବା ଓ ସବୁବେଳେ ସ୍ୱାମୀ ପାଖରେ ରହିବାର ଇଚ୍ଛା ତା’ ପାଖରେ ଦେଖାଦେବା । ତେଣୁ ଏସବୁ ଲକ୍ଷଣ ଗୁଡିକ ସତ୍ତ୍ୱରୀମାକୁ ଟିକେ ବ୍ୟତିବ୍ୟସ୍ତ ଯଦିଓ କରିବ ମାତୃତ୍ୱ ଲାଭର ଆଶାରେ ସେ ସବୁକୁ ଖୁସି ଖୁସିରେ ସହିନେବ । 
          ତେଣେ ସତ୍ତ୍ୱରୀମାର ଅଜବ ଲକ୍ଷଣମାନ ପ୍ରକାଶ ପାଏ । ଘରର କେଉଁ କଣରେ ଆଚାର, ଆମ୍ବୁଲ ଆଦିକୁ ସେ ଖୋଜିବାକୁ ଲାଗେ । ତା’ର ପାଟି ଖାଲି ଖଟା ଖୋଜେ । ଖଟା ଆଉ ଆଚାର ଖାଇବାକୁ ତା’ ଜିଭ ତାକୁ ବସେଇ ଉଠେଇ ଦିଏନି । ସେଦିନ ସନାତନ ଅଫିସ୍ ବାହାରିଲା ବେଳକୁ କହେ ଆଜି ତୁମେ ମୋ ପାଇଁ ଆଚାର ନେଇକି ଆସିବ । ସନାତନ ଏକଥା ଶୁଣି ଟିକେ ହସି ଦିଏ । କହେ ହଉ ହଉ ନିଶ୍ଚୟ ଆଣିବି । 
     ସତ୍ତ୍ୱରୀମା ଅନେକ ସମୟରେ ସମସ୍ତଙ୍କଠାରୁ ନିଜକୁ ଲୁଚେଇ ନିଜ ପେଟ ଉପରେ ହାତ ବୁଲାଇ ଆଣେ । ପେଟକୁ ଟିକେ ସାଉଣ୍ଟି ଦେଇ ମନେ ମନେ ଅଦ୍ଭୁତ ଆନନ୍ଦ ଅନୁଭବ କରେ । ମୋ ସନ୍ତାନ ଆଜି ମୋ ପେଟରେ । ମୁଁ ମା’ ହେବି । ମୋ ଶିଶୁ ମୋତେ ମା’ ବୋଲି ଡାକିବ । ନିଜ ପେଟ ଉପରେ ହାତ ସାଉଁଟି ଆଣିବା ସମୟରେ ପିଲାଦିନର ତା’ ମା’ର ତଗିଦ୍ ତାର ମନେ ପଡିଯାଏ । ତା’ ମା’ କହୁଥିଲା ପୁରୁଷ ମାନଙ୍କର ଡାହାଣ ହାତ ଓ ନାରୀମାନଙ୍କର ବାମ ହାତ ହେଉଛି ପବିତ୍ର । ଏଭଳି ଅନ୍ଧବିଶ୍ୱାସକୁ ସେ ଆଜି ମଧ୍ୟ ବାଦ ଦେଇ ପାରେନି । ପେଟ ପାଖକୁ ସ୍ୱଭାବ ବସତଃ ଡାହାଣ ହାତ ଗଲା ବେଳକୁ ତାକୁ ରୋକି ଦେଇ ନିଜର ବାମ ହାତକୁ ନେଇ ପେଟ ଉପରେ ସାଉଁଟି ଆଣି ନିଜ ସନ୍ତାନର ଅନୁଭବ ସତେଯେମିତି ତା ଅନ୍ତରଆତ୍ମାକୁ ଛୁଇଁ ଯିବାର ସେ ଅନୁଭବ କରିବାରେ ଲାଗେ । ଶରୀର କୈାଣସି କାମରେ ଆଗ୍ରହ ପ୍ରକାଶ କରୁନଥିଲେ ମଧ୍ୟ ମନ ଭିତରେ ମାତୃତ୍ୱ ଲଭିିବାର ଯେଉଁ ଦୁର୍ବାର ଉନ୍ମାଦନା ତାକୁ ଚଳଚଞ୍ଚଳ ରହିବାକୁ ବାଧ୍ୟ କରିଚାଲେ । କ୍ଷଣିକ ଶାରିରୀକ ଅବସାଦ, ପରକ୍ଷଣରେ ଅର୍ନ୍ତଆନନ୍ଦ ସେ ଅନୁଭବ କରିଚାଲେ ।
      ଷଷ୍ଠ ସପ୍ତାହର ଦ୍ୱିତୀୟ ଦିନର ଲୋମ ହର୍ଷଣକାରି ସମ୍ବାଦ ମୁଁ ତୁମକୁ କହୁଛି । ମୋତେ ମୋର ଶେଷ ଲକ୍ଷରୁ ଯେପରି ଏ ପାର୍ଥୀବ ସଂସାରର ମାୟାମୋହ ବିଚଳିତ ନକରୁ, ମୁଁ ସତ୍ତ୍ୱରୀମାର ଗର୍ଭରେ ମୋ ନିଜ କଳେବର ଭିତରେ ଅହରହ ଯତ୍ନଶୀଳ ଥାଏ । ପରମାତ୍ମାଙ୍କ ସାନିଧ୍ୟ ପାଇଁ ତାଙ୍କ ପଦପଙ୍କଜରେ ପ୍ରତିକ୍ଷଣ ମୋ ମନକୁ ନିବେଶ କରି ରଖିଥାଏ । 
      ସେତେବେଳକୁ ମୁଁ ଗୋଟିଏ ପରମାଣୁର ନିୟୁକ୍ଲିୟସ ସଦୃଶ । ମୋ ବାହ୍ୟ ଆବରଣର ସଂଖ୍ୟା ଚାରୀ । ମୋର ସର୍ବ ବହିସ୍ଥ ଆବରଣ ହେଲା ସତ୍ତ୍ୱରୀମାର ଶରୀର । ତା’ତଳ ଆବରଣ ସତ୍ତ୍ୱରୀମାର ଗର୍ଭାଶୟ । ତୃତୀୟ ଆବରଣ ହେଲା ଗର୍ଭାଶୟ ଭିତରେ ଭାଷମାନ ଅବସ୍ଥାରେଥିବା ମୋ ସ୍ଥୂଳ ଶରୀର । ଆଉ ଚତୁର୍ଥ ଆବରଣଟି ହେଲା ମୋ ସ୍ଥୂଳ ଶରୀର ଭିତରେ ଥିବା ହୃତ୍‌ପିଣ୍ଡ ଆଉ ତାରି ଭିତରେ ମୁଁ ସ୍ଥିତ । ମୋତେ ଭେଦ କରିବା ଏତେ ସହଜ ନୁହେଁ ।  ହେଲେ ମୁଁ ଅଚିରେ ସମସ୍ତଙ୍କୁ ଭେଦ କରି ଏ ସ୍ଥାନ ଛାଡି ଚାଲିଯାଇ ପାରେ । ଏହା ହିଁ ମୋର ପ୍ରବଳ ପରାକ୍ରମୀର ପରିଚୟ । ମୋ ଆଳୟଟି ଅହରହ ସ୍ପନ୍ଦିତ ହୋଇ ଚାଲିଥାଏ । ଯେଉଁଠାରୁ କି ମୋ ସ୍ଥୁଳଶରୀରର ଗଠନର ବୃଦ୍ଧି ନିୟନ୍ତ୍ରିତ ହେଉଥାଏ । ସତେଯେମିତି ହୃଦୟର ସ୍ପନ୍ଦନ ସହିତ ମୁଁ ଏ ଜଗତର ପ୍ରତିକ୍ଷଣକୁ ଅନୁଭବ କରୁଥାଏ । ମୋ ଆଳୟ ସଦା ସ୍ପନ୍ଦିତ ହୋଇ ଏହା ସମସ୍ତ ସଂସାରକୁ ବୁଝେଇ ଚାଲିଥାଏ, ଆରେ ଦେଖ! ଏ ସଂସାର କର୍ମମୟ । ଅହରହ ସମସ୍ତେ କର୍ମର ଅଧୀନ । ଦୁଃଖ, ସୁଖ, ରାଗ, ଋଷା, ଭଲ ମନ୍ଦ ସବୁ ସମୟରେ ମଧ୍ୟ ମୁଁ କର୍ମରୁ ନିବୃତ ହୁଏ ନାହିଁ । ମୋର କର୍ମକୁ ମୁଁ ସର୍ବପ୍ରାଧାନ୍ୟ ଦେଉଛି କାରଣ କର୍ମବିନା ଜୀବର ସଂସାରରେ ଅସ୍ତିତ୍ୱ ହିଁ ନାହିଁ । ଯଦି   ମୁଁ ଏହିପରି ନିରଳସ ଓ ନିରନ୍ତର ଭାବରେ ମୋର ସ୍ପନ୍ଦିତ ହେବା କର୍ମ ନକରେ ତେବେ ଯେଉଁକ୍ଷଣି ମୁଁ ସ୍ଥିର ରହବି ଜୀବାତ୍ମା ଏ ଶରୀର ଛାଡି ଚାଲିଯିବ । ମୋର ସ୍ଥିତ ନିଳୟ ମାଧ୍ୟମରେ ପରମବ୍ରହ୍ମ ପରମାତ୍ମା ଏହି ସନ୍ଦେସ ଦେଇ ଚାଲନ୍ତି ଯେ ଜୀବର ମାନେ ହିଁ  କର୍ମରେ ବନ୍ଦୀ । ପ୍ରତ୍ୟେକ ଜୀବ ଶରୀରରେ ଥିବା ହୃତ୍‌ପିଣ୍ଡ, ଜୀବ ଜଗତର ଶ୍ରେଷ୍ଠ ପ୍ରାଣୀ ବୋଲାଉଥିବା ମନୁଷ୍ୟକୁ ଏହି ବାର୍ତ୍ତା ପ୍ରଦାନ କରେ ଯେ, ମୁଁ ଜୀବାତ୍ମାକୁ ଧାରଣ କରି ଅବିରତ ଭାବରେ କର୍ମ ଚଞ୍ଚଳ । ମୋର ବିଶ୍ରାମରେ ଏ ଶରୀର  ଜଡ ହୋଇଯିବ । ତେଣୁ ପ୍ରତି ମୁହୁର୍ତ୍ତର ମୋର ଏ କର୍ମ ଏ ଶରୀରକୁ ଜୀବନ ପ୍ରଦାନ କରିଚାଲିଛି । ତୁମେ ମାନେ ଏହା ଅନୁଶୀଳନ କରିବା ନିତ୍ୟାନ୍ତ ଆବଶ୍ୟକ । ମୁଁ ଜୀବାତ୍ମା, ପ୍ରାଣବାୟୁ ସହିତ ସଲଗ୍ନ ସତ, ତଥାପି ଏ ଶରୀରର ସମସ୍ତ କର୍ମ ସହିତ ମୁଁ ଅନୁବନ୍ଧିତ  ନୁହେଁ । 
      ମୁଁ ଦେଖୁଥାଏ ପ୍ରାଣବାୟୁ, ଅପାନବାୟୁ, ସମାନବାୟୁ, ଉଦାନବାୟୁ ଓ ବ୍ୟାନବାୟୁ ନିଜ ନିଜ ସ୍ଥାନରେ ରହି ପ୍ରାଣବାୟୁର ଇଙ୍ଗିତରେ ନିଜ ନିଜ କାମକୁ ସୁଚାରୁ ରୂପେ କରି ଚାଲିଥାନ୍ତି । ସମସ୍ତେ ସ୍ୱୟଂକ୍ରିୟ ଭାବରେ ପରସ୍ପର ନିର୍ଭରଶୀଳ ହୋଇ ପ୍ରାଣବାୟୁର ସଂଚାଳନରେ ସେମାନେ ସ୍ଫୁର୍ତ୍ତିମନ୍ତ ହେଉଥାନ୍ତି ।
      ଏଣେ ମୋ ସ୍ଥୁଳଘଟର ଆବଶ୍ୟକ ଶକ୍ତି, ସତ୍ତ୍ୱରୀମା ଜରାୟୁ ସହିତ ସଂଲଗ୍ନ ମୋ ସ୍ଥୂଳ ଶରୀରର ନାଭିନାଡା ହିଁ ଯୋଗାଉଥାଏ । ଷଠିଦୁଷୀଙ୍କର ଏ କି ଅପୂର୍ବ ନିର୍ମାଣ? କି ଆଶ୍ଚର୍ଯ୍ୟନିତ୍ୱା ଜ୍ଞାନକୈାଶଳ ତାହା ମୁଁ ବେଳେବେଳେ ଭାବି ଭାବି ବିଭୋର ହୋଇ ଯାଉଥାଏ । ବାହାରକୁ ଏତେ ସୁନ୍ଦର ଦେଖା ଯାଉଥିବା ମନୁଷ୍ୟର ଭିତରଟା କେତେ ଯେ ଅସୁନ୍ଦର ତାହା ମୁଁ ମୋ ଶେଷ ଯାତ୍ରାରେ ଅତି ନିକଟରୁ ଅନୁଭବ କରିଚାଲେ ସତ ମାତ୍ର ଏହି ଅସୁନ୍ଦର ପରିବେଷ୍ଟନୀ ଭିତରେ ଏ କି ପ୍ରକାର ଅତ୍ୟଦ୍ଭୁତ ସର୍ଜନା ତାହା ସେଦିନି କାହିଁ ମୋତେ ଭାବୁକ କରି ଦେଉଥାଏ । ଏ କେଉଁ ପ୍ରକାର ଜ୍ଞାନ, ଏ ଜ୍ଞାନର ଭେଦ କଣ ତାହା ଜାଣିବା ପାଇଁ ମୁଁ ଟିକେ ବ୍ୟଗ୍ରତା ଅନୁଭବ କରୁଥାଏ । ସେହି ବ୍ୟଗ୍ରତାର ସମାଧାନର ଉତ୍ସ ମୋ ପାଇଁ କେବଳ ଜଣିଏ ଥାନ୍ତି, ଆଉ ସେ ହେଉଛନ୍ତି ସେହି ପରବ୍ରହ୍ମ ପରମାତ୍ମା । 
      ଏ ଅଦ୍ଭୂତ ଲିଳାର ରହସ୍ୟ ବୃତ୍ତାନ୍ତକୁ ଟିକେ ଜାଣିବା ପାଇଁ ତାଙ୍କୁ ଟିକେ ମନେ ମନେ ସ୍ମରଣ କରେ । ହଠାତ୍ ମୋତେ ମୋର ଗତ ଜୀବନ ମାନଙ୍କରେ ଏକ ପରିସ୍ଥିତ ସ୍ମରଣ ହେବାକୁ ଲାଗେ । ମୋ ପୂର୍ବ ଜୀବନଚକ୍ରର ଯାତ୍ରା ପଥରେ ଥାଇ, ଦିନେ ଜଣେ ଜ୍ଞାନୀ ବ୍ୟକ୍ତିଙ୍କଠାରୁ ଶୁଣିଥିଲି     ୁ“ପିଣ୍ଡ ବ୍ରହ୍ମାଣ୍ଡ ଏକ ମତ । ଜାଣନ୍ତି ସୁଜ୍ଞାନୀ ପଣ୍ଡିତ ।” ହଠାତ୍ ଏହି ଉକ୍ତି ପଦକ ମୋତେ ମୋର ଚେତନାକୁ ଫେରାଇ ଆଣି ମୋତେ ଆହୁରି ବିକ୍ଷିପ୍ତ ଭାବେ ଚିନ୍ତା କରିବାକୁ ପ୍ରବର୍ତ୍ତାଇବା ଆରମ୍ଭ କରେ । ଶେଷ ଯାତ୍ରାର ପଥ ଖୋଜିବା ସମୟରେ ମୁଁ ଯେତେବେଳେ ଘୁରି ବୁଲୁଥିଲି ସେତେବେଳେ ମଧ୍ୟ ମୁଁ ମୋର ପରମାତ୍ମାଙ୍କ ଧ୍ୟାନ କେବେ ବି ଭାଙ୍ଗି ନଥିଲି ।  ସେତେବେଳେ ଏ ବିଶ୍ୱବ୍ରହ୍ମାଣ୍ଡର ବିଶାଳତାକୁ ମୁଁ ତିଳ ତିଳ କରି ଅନୁଭବ କରିଥିଲି । ଦେଖିଥିଲି ଏ ବିଶାଳ ବିଶ୍ୱ ବ୍ରହ୍ମାଣ୍ଡର ଅସୀମ ପରିବ୍ୟାପ୍ତକୁ । ତାହାର ସୀମା ପର୍ଯ୍ୟନ୍ତ ମୋର ଜ୍ଞାନ ଗୋଚର ପାଇ ପାରିନଥିଲା । ପ୍ରତି ମୁହୁର୍ତ୍ତରେ କିପରି ବ୍ରହ୍ମାଣ୍ଡରେ ଅସଂଖ୍ୟ ଜଗତ ସୃଷ୍ଟି ହେଉଛି ଓ ଅସଂଖ୍ୟ ଜଗତ ଧ୍ୱସଂ ହେଉଛି  ତାହା ମୁଁ  ଭଲଭାବେ ଦେଖିଥିଲି । କେଉଁଠି ଭୟଙ୍କର ତାଣ୍ଡବ ଲୀଳା ତ କେଉଁଠି ଶାନ୍ତ, ସରଳ ଓ ମନୋରମ  ପରିବେଶ ମନକୁ ବିମୋହିତ କରୁଥିଲା । 
      ଏ ପୃଥିବୀ ଶ୍ରେଷ୍ଠତର ହୋଇପାରେ  ସେ ପରମାତ୍ମାଙ୍କ ସୃଷ୍ଟିରେ ହେଲେ ଏ ବିଶ୍ୱ ବ୍ରହ୍ମାଣ୍ଡରେ ଆହୁରି ଏମିତି ଅନେକ ପୃଥିବୀ ପ୍ରତିକ୍ଷଣରେ ଗଢି ହେଉଛନ୍ତି ଆଉ ପ୍ରତିକ୍ଷଣରେ ଅନେକ ଧ୍ୱସଂ ହେଉଛନ୍ତି ତାହା ମୁଁ ଭଲ ଭାବରେ ବୁଝି ପାରିଥିଲି । ହେଲେ ପୃଥିବୀସ୍ଥ ମନୁଷ୍ୟର ଆଜି ପର୍ଯ୍ୟନ୍ତ ଜ୍ଞାନର ସେ ଗଭୀରତା ହୋଇପାରିନି ଯାହାର ପରିଣାମ ସ୍ୱରୂପ ସେମାନେ ସେପରି ପୃଥିବୀର ସାନିଧ୍ୟ ଲାଭ କରିପାରିବେ? ହେଲେ ଅତୀତର ଋଷି ମହର୍ଷି ନିଜ ନିଜର ତପସ୍ୟା ଓ ସାଧନା ବଳରେ ବିଶ୍ୱବ୍ରହ୍ମାଣ୍ଡର ଅନ୍ୟ ଲୋକକୁ ମଧ୍ୟ ଅବଲୋକନ କରିବାରେ ସମର୍ଥ ହୋଇଥିଲେ । ହେଲେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ମୁଁ ବାହ୍ୟ ଜଗତରେ ଯାହାସବୁ ଘଟଣା ଦେଖିଥିଲି ଏ ଶରୀର ଭିତରେ ସବୁ ଅନୁରୂପ ଘଟଣା ଘଟୁଛି ତାହା ଦେଖି ମୋର ବିସ୍ମୟ ସୀମାହୀନ ହୋଇ ପଡୁଥାଏ । 
      ସତ୍ତ୍ୱରୀମାର ଗର୍ଭ ଭିତରେ ସେହି ଅନୁରୂପ ପରିବର୍ତ୍ତନ । କ୍ଷଣକେ ଅସଂଖ୍ୟ ଜୀବନର ସେଠି ସୃଷ୍ଟି ହେଉଥାଏ ଓ କ୍ଷଣକେ ଅସଂଖ୍ୟ  ଜୀବନ ନଷ୍ଟ ହୋଇ ଯାଉଥାଏ । ମୋ ପରି ଅସଂଖ୍ୟ ଆତ୍ମା ପୁରି ରହିଥାନ୍ତି ସତ୍ତ୍ୱରୀମାର ଏହି ଜରାୟୁ ଭିତରେ ଅସଂଖ୍ୟ କ୍ଷୁଦ୍ର କୀଟ ମାନଙ୍କ ଭିତରେ ଯେଉଁ ମାନଙ୍କର ନାମ କରଣ କରିବା ଆଦ୍ୟୈ ସମ୍ଭବ ନୁହେଁ । କିଏ ଯେ କେଉଁ କ୍ଷଣରେ କେଉଁ କଳେବର ଧାରଣ କରୁଥାଏ ତାହା କଳିବା ଅସମ୍ଭବ । ହେଲେ କାଳ ରୂପକ ସମୟ ଚକ୍ରରେ ଅନେକ କୀଟ ଜନ୍ମ ନେଉଥାନ୍ତି ପୁଣି ଅନେକ ମୃତ ହେଉଥାନ୍ତି । 
      ତାହା ଦେଖି ଧୈର୍ଯ୍ୟ ଧରିବା ଏକ କାଠିକର ପାଠ । ମୋ ସ୍ଥୁଳଘଟର ଯେଉଁ ଯେଉଁ ବୃଦ୍ଧି ଘଟୁଥାଏ ମୁଁ କାହିଁକି ଅନୁଭବ କରିବାରେ ଲାଗେଯେ ମୋତେ ଏ ମାୟା ସଂସାରର ମାୟା ଧୀରେ ଧୀରେ ମାଡି ବସିବାକୁ ବସିଲାଣି ନଚେତ ଏପରି ବିଭତ୍ସ ସଂହାର ଓ ଜନ୍ମ ଦେଖି ମୋତେ ବେଳେବେଳେ ଅଣ ନିଶ୍ୱାସୀ ପରି ଲାଗନ୍ତା କାହିଁକି? ପ୍ରତି କ୍ଷଣରେ ଏଠି ଅସଂଖ୍ୟ ମୃତ୍ୟୁର    ଭୟାବହତା ଓ ଅସଂଖ୍ୟ ଜନ୍ମର କୋଳାହଳ ଠିକ୍ ପୃଥିବୀ ପୃଷ୍ଠର ସର୍ବ ଦୃଶ୍ୟମାନ ପରିସ୍ଥିତି ସହିତ ସମାନ । ଧୀରେଧୀରେ ମୋ ସ୍ଥୁଳ ଶରୀରରେ ଅନୁଭବ କରିପାରିବାର ଶକ୍ତି ଉଦ୍ରେକ ହେବାରେ ଉଦ୍ୟତ ।
      ସନାତନ ମନେମନେ ପୁରାପୂରି ପ୍ରସ୍ତୁତ ଯେ ସତ୍ତ୍ୱରୀମାର ସ୍ୱାସ୍ଥ୍ୟ ଯେପରି ଠିକ୍ ରହେ ।  ସେଦିନ ଅଫିସ୍‌ରୁ ଫେରି ସତ୍ତ୍ୱରୀମାକୁ କହେ, ତମେ ଆଉ ଏ ଘରେ କୈାଣସି ମତେ ମଶାମରିବା ଧୂପବତୀ ଲଗାଇବ ନାହିଁ । ଯେତିକି କାମ କରୁଥିଲ ସେତିକି କରିବ ହେଲେ ବିଶ୍ରାମ ଟିକେ ଅଧିକ ନେବ । ବର୍ତ୍ତମାନ ତୁମେ ତୁମ ଶରୀରର ଅଧିକ ଯତ୍ନ ନେଲେ ଭଲ । ସତ୍ତ୍ୱରୀମା ହସିକି କହେ ମୁଁ କଣ କଣ କରିବି ଓ କଣ ନକରିବି ତାପାଇଁ ତୁମେ ଗୋଟେ ତାଲିକା ମୋତେ କରିକି ଦେଇଦିଅ । ମୁଁ ସେହି ଅନୁସାରେ ସବୁ କାମ କରିବି । ସନାତନ ମଧ୍ୟ ଏ କଥା ଶୁଣି ଟିକେ ହସି ଦିଏ । ସନାତନ କହେ ଆଚ୍ଛା ତମେ ମୋତେ ପ୍ରଥମେ ଗୋଟେ ତାଲିକା କରି ଦିଅ ତୁମେ ପ୍ରତିଦିନ କଣ କଣ ଖାଅ ଓ କି କି କାମ କର । ଏହା ଶେଯରୁ ଉଠିଲା ଠାରୁ ଶେଯକୁ ଗଲା ପର୍ଯ୍ୟନ୍ତ ହୋଇଥିବା ଦରକାର । ସତ୍ତ୍ୱରୀମା ଏହା କହିସାରି ସନାତନ ପାଖରେ ବସି ପଡେ । ସନାତନ ଆଡକୁ ଢଳି ଯାଇ ସ୍ନେହରେ କହିବାକୁ ଆରମ୍ଭ କରେ, ମୁଁ ଡାକୁଛି ତୁମେ ତାଲିକା କର । ସନାତନ କହିଛି ହଉ ହେଲା ମୁଁ ତାଲିକା କରୁଛି । ସତ୍ତ୍ୱରୀମା ଗୋଟି ଗୋଟି କରି ଶେଯରୁ ଉଠିଲା ପରଠାରୁ ସେ କରୁଥିବା କାମକୁ ଡାକିବାରେ ଲାଗେ । ଆଉ ସନାତନ ଲେଖିବାରେ ଲାଗେ । 
      ସବୁ ଲେଖି ସାରିଲା ବେଳକୁ ସନାତନ ଦେଖେ ପ୍ରତିଦିନ ସତ୍ତ୍ୱରୀମା ବ୍ରାହ୍ମ ମୁହୁର୍ତ୍ତରୁ ସ୍ନାନ କରି ସାରିବାପରେ ପୂଜାଘରେ ଦୀର୍ଘ ଏକ ଘଣ୍ଟା ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରୁଛି । ସନାତନ ଚିନ୍ତାକରେ ସ୍ନାନ କରିସାରିବା ପରେ ଏତେ ସମୟ ଖାଲି ପେଟରେ ରହିବାଟା ସ୍ୱାସ୍ଥ୍ୟ ପକ୍ଷେ ସେତେ ହିତକର ନୁହେଁ । ସେ ଜାଣେ ଉପବାସ ଶରୀର ପାଇଁ ଏକ ନିୟମିତ ବ୍ୟବଧାନରେ ଉପକାରୀ ମାତ୍ର ସବୁଦିନ ଏହା ଶରୀରର ସୁସ୍ଥତା ଉପରେ ସେମିତି ସାହାଯ୍ୟ କରିପାରେ ନାହିଁ । ବରଂ ଭବିଷ୍ୟତ ଜୀବନରେ ଏହା ନାନାଦି ରୋଗର କାରଣ ହୋଇ ଦଣ୍ଡାୟମାନ ହୁଏ । ସନାତନ ଦ୍ୱିଧାରେ ପଡେ । ପୂଜା ଘରେ ଦୀର୍ଘ ଏକ ଘଣ୍ଟା ଧରି ଖାଲି ପେଟରେ ପୂଜା ଅର୍ଚ୍ଚନା କରିବା ପାଇଁ ବାରଣ କରିବାକୁ । ମନେ ମନେ ଆଗପଛ ହୋଇ ପଚାରେ ପୂଜାଘରୁ ପୂଜାସାରି ଫେରିଲା ପରେ ତୁମେ କଣ ଖାଉଛ କହିଲ । ସତ୍ତ୍ୱରୀମା କହେ କିଛି ଜଳଖିଆ । ସନାତନ ସେଇଠୁ କୁହେ ତୁମେ ପୂଜାଘରୁ ଯଦି ଏକ ଘଣ୍ଟାରୁ କମ୍ ସମୟରେ ଆସିପାରନ୍ତ ଟିକେ ଭଲ ହୁଅନ୍ତା । କିନ୍ତୁ ଆସିଲା ପରେ ଭଲ ଭାବରେ ଜଳଖିଆ ଖାଇବ । 
ଏହା ସହିତ ରୀତିମତ ଭାବରେ ଖାଦ୍ୟ ସହିତ ଶାରିରୀକ ବ୍ୟାୟାମ ଉପରେ ଧ୍ୟ୍ୟାନ ଦେଉଥିବ । ସତ୍ତ୍ୱରୀମା କହିଛି ବ୍ୟାୟାମ । ମୁଁ କି ବ୍ୟାୟାମ କରିବି । ସନାତନ କହିଛି ବ୍ୟାୟାମ ମାନେ ମୁଁ ତୁମକୁ କହୁନି କୁସ୍ତି କସରତ କରିବା ପାଇଁ ମାତ୍ର ତୁମେ ଘରେ ଯେମିତି ଦୈନନ୍ଦିନ କାମ କରୁଛ ସେମିତ ହାଲୁକା ଭାବରେ କରିଚାଲ । କୈାଣସି କାମରେ ଅଧିକ ଶକ୍ତି ଖର୍ଚ୍ଚ କରିବା ଆବଶ୍ୟକ ନାହିଁ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମନ ମଧ୍ୟରେ କେବେ ବିଷାଦ ଆଣ ନାହିଁ । ଖାଦ୍ୟ ଭିତରେ କିଛି ଫଳ ଖାଇବାକୁ ଚେଷ୍ଟାକର । ସବୁଜ ପନିପରିବାରେ ତିଆରି ବ୍ୟଞ୍ଜନ ଖାଇବାକୁ ପ୍ରାଧାନ୍ୟ ଦିଅ ଓ ଆଗ୍ରହ ପ୍ରକାଶ କର । ଅତି କମ୍‌ରେ ଦୈନିକ ଆଠଘଣ୍ଟା ଶରୀରକୁ ବିଶ୍ରାମ ଦେବାକୁ ଚେଷ୍ଟାକର । ସମସ୍ତଙ୍କ ସହିତ ହସ ଖୁସିରେ ଦିନ କାଟ । ତାହା ହେଲେ ଆମ ସନ୍ତାନ ସୁସ୍ଥ ସବଳ ହୋଇ ଜନ୍ମ ହେବ । ସତ୍ତ୍ୱରୀମା, ସନାତନର କାନ୍ଧକୁ ଆଉଜି ରହି ଏ ସବୁ ଶୁଣୁଥାଏ ଆଉ ମନେ ମନେ ମୁରୁକି ମୁରୁକି ହସୁ ବିଥାଏ । ମନେ ମନେ ନିଜକୁ ଭାଗ୍ୟବତୀ ମନେ କରୁଥାଏ ଯେ ବାସ୍ତବରେ ସେ ପ୍ରଭୁଙ୍କ କରୁଣାରୁ ମୋ ଜୀବନକାଳ ଭିତରେ ଆଜି ପର୍ଯ୍ୟନ୍ତ ଦୁଃଖ କଣ ମୁଁ ଜାଣିନି । ମୋ ପରିବାରର ପରିବେଶ ପାଇଁ ହେଉ ବା ମୋ କର୍ମର ଫଳ ହେଉ ଅବସାଦ ମଧ୍ୟ ମୋ ମନକୁ କେବେ ସ୍ପର୍ଶ କରିପାରିନି । ଆଉ ଆଜି ମୁଁ ସନାତନ ଭଳି ଏଭଳି ମହାନ ବ୍ୟକ୍ତିର ଧର୍ମପତ୍ନୀ । 
      ମନେ ମନେ ଭାବି ଉଠେ ମୋ ପୁଅ ନିଶ୍ଚୟ ୟାଙ୍କରି ପରି ହେଉ । ଏମିତି ଆଳାପରେ ସନାତନର ବାମ କାନ୍ଧକୁ ନିଜ ଦୁଇ ହାତରେ ଏପରି ଧରି ରଖେଯେ ସନାତନ ମଧ୍ୟ ସେ ମଧୁର ସଂସ୍ପର୍ଶରୁ ନିଜ ଶରୀରକୁ ବିରତ କରିବା ପାଇଁ ଇଚ୍ଛା ପ୍ରକାଶ କରି ପାରୁନଥାଏ । ତା’ ମନରେ ଏକ କାମୁକ ଆନନ୍ଦର ବାତାବରଣ ତା’କୁ ଏକ ଶାରିରୀକ ଶାନ୍ତି ସହିତ ମାନସିକ ପ୍ରସନ୍ନତା  ପ୍ରଦାନ କରୁଥାଏ । ରାତ୍ରୀର ନିର୍ଜନତା ମଧ୍ୟ ଧୀରେ ଧୀରେ ଆହୁରି ଘନିଭୁତ ହେବାରେ ଲାଗେ । ସ୍ୱାମୀ ସ୍ତ୍ରୀଙ୍କର ଏଭଳି ପ୍ରେମାଳାପ ସେତେବେଳକୁ ଉଭୟଙ୍କୁ କାମାନ୍ଧର ବଳୟ ଭିତରକୁ ଟାଣି ନେଇଥାଏ । ପରସ୍ପର ଲୋଟି ଯାନ୍ତି ଶାରିରୀକ ସନ୍ତୁଷ୍ଟିରେ ଆଉ ଶୋଇ ଯାଆନ୍ତି ସମୟର କୋଳରେ ।
      ମୁଁ କିନ୍ତୁ ସତ୍ତ୍ୱରୀମାର ଜଠରରେ ମୋ ଶରୀରର ହୃତ୍‌ପିଣ୍ଡ ଭିତରେ ଥାଇ ଏ ସମସ୍ତ କ୍ରିୟାକଳାପକୁ ଉପଭୋଗ କରୁଥାଏ । ପରମାତ୍ମା ପରବ୍ରହ୍ମ ମନୁଷ୍ୟ ଭିତରେ ଭରି ରଖିଥିବା ଏହି କାମୁକତା ଯାହା ସଂସାରକୁ  ଆଗକୁ ଆଗକୁ ବୋହି ନେବାର ମୂଳ ଅଙ୍ଗ ମୁଁ ମୋର ମାଧ୍ୟମ ରୂପୀ ପିତା ମାତାଙ୍କ ଠାରୁ ହିଁ ଶିକ୍ଷା ଲାଭକରି ସାରିଥାଏ । ମୁଁ ବି ଆଶ୍ଚର୍ଯ୍ୟନ୍ୱିତ ଭାବେ ସେ ପରମ ପୁରୁଷଙ୍କ ଲୀଳାକୁ ବିଶ୍ଳେଷଣ କରେ । ସଂସାର ସର୍ଜନା ପାଇଁ ଏ କାମକୁତାର ଆବଶ୍ୟକତା କେତେ? କିପରି ଗଢିଛି ସେ ବିନ୍ଧାଣୀ । ପୁରୁଷ ନାରୀ ମଧ୍ୟରେ ଭରି ଦେଇଛି ଏମିତି ଅପୂର୍ବ ଶାରିରୀକ ଆକର୍ଷଣ ଯାହା ପ୍ରାରମ୍ଭରୁ ପ୍ରଳୟ ପର୍ଯ୍ୟନ୍ତ ରହିଛି ଆଉ ରହିଥିବ । ପୁଣି ଏ ଆକର୍ଷଣର ଶେଷ ପରିଣତି ରତିକ୍ରିୟା ଆଉ ରତିକ୍ରିୟା ହିଁ ପୂର୍ବପୀଢିରୁ ପରପିଢୀ ଓ ପରପିଢୀରୁ ଉତ୍ତରପିଢୀ   ସୃଷ୍ଟିର ମୂଳ ରହସ୍ୟ । ଏ ରତିକ୍ରିୟା ବିନା ପ୍ରାକୃତିକ ଉପାୟରେ ଜୀବ ସୃଷ୍ଟି ସମ୍ପୂର୍ଣ୍ଣ ଅସମ୍ଭବ । ରତିକ୍ରିୟା ହିଁ ପୁରୁଷ ଓ ନାରୀ ମଧ୍ୟରେ ଥିବା ମାନସିକ ଓ ଆବେଗିକ ସମ୍ପର୍କକୁ ଦୃଢିଭୁତ କରେ । ପରସ୍ପର ପ୍ରତି ଜନ୍ମଜନ୍ମାନ୍ତର ସାଥୀ ହୋଇ ରହିବା ପାଇଁ ଅଭିଳାଷ ସୃଷ୍ଟି କରେ । ଏହା ଚିରନ୍ତନ ସତ୍ୟ ଯେ ଏହି ରତିକ୍ରିୟା ବିନା ମନୁଷ୍ୟ-ନାରୀ ମଧ୍ୟରେ ସମ୍ପର୍କ ଯେ ଆବାହମାନ କାଳରୁ  ଅର୍ଦ୍ଧାଙ୍ଗ ଇଶ୍ୱର ଅର୍ଦ୍ଧାଙ୍ଗ ପାର୍ବତୀର ଭାବଧାରା ବହନ କରୁଥାନ୍ତା ତାହା ସମ୍ପୂର୍ଣ୍ଣ ରୂପେ ଅସମ୍ଭବ । ହେଲେ ଏହି ‘ରମଣ ପ୍ରବଣତା’ ମନୁଷ୍ୟକୁ ବାଟବଣା କରି ଭବ ଜାତନାର ଶିକାର କରାଏ । କି ବିଚିତ୍ର ଏ ପରିଭାଷା ସେ ପରମାତ୍ମା ପରମବ୍ରହ୍ମଙ୍କର? ରତିକ୍ରିୟାର ଚଉଫାଶରେ ଫସାଇ ଦେଇ ନିଜକୁ ଦୂରେଇ ନିଅନ୍ତି ଅନନ୍ତ ଦୂରକୁ । ଦେଖନ୍ତି ଓ ପରଖନ୍ତି ଏ ଚଉଫାଶରୁ ମୁକୁଳିବା ଦକ୍ଷତାକୁ । ଯେ ନିଜକୁ ମୁକୁଳାଇବାରେ ସମର୍ଥ ହୁଏ ସିଏ କୁଆଡେ ତାଙ୍କ ପାଖକୁ ନେଇ ଯାଆନ୍ତି ଚିର ଶାସ୍ୱତ ଶାନ୍ତି ପାଇଁ । ମୁକ୍ତି ମିଳେ ସେଭଳି ଆତ୍ମାକୁ । 
       ମୁଁ ସେଦିନ ସେହି ପରବ୍ରହ୍ମଙ୍କ ସାନ୍ନିଧ୍ୟ ପାଇଁ ଶେଷ ଯାତ୍ରୀ । ମୁଁ  ତାଙ୍କର ସେ ଅଦ୍ଭୁତ ପରମବାଣୀକୁ କେବେ ବି ଭୁଲିନି କିମ୍ବା ଭୁଲିବାକୁ କୈାଣସି ପରିସ୍ଥିତିରେ ବି ଚାହିଁବିନି । ମୋର  ସେ ସବୁରି ସଙ୍ଗେ ସଙ୍ଗ ହୋଇ କାହାରି ସଙ୍ଗେ ନମିଶଇର ଗୁଣ ବଳରେ ସତ୍ତ୍ୱରୀମା ଓ ସନାତନର ସେ ରତିକ୍ରିୟା ଆନନ୍ଦକୁ ତିଳେ ତିଳେ ଉପଭୋଗ କରୁଥାଏ ସତ ହେଲେ ସେଥିରେ ମୁଁ ଲିପ୍ତ ଆଦ୍ୟୈ ନଥାଏ । ସେ କାମ ପ୍ରବଣ ଆଚରଣ ମୋତେ ସ୍ପର୍ଶ କରିପାରେ ନାହିଁ । ତେଣୁ ମୁଁ ସବୁ ଉପଭୋଗ କରୁଥାଏ ମାତ୍ର କେଉଁଥିରେ ନିଜକୁ ନିମଜ୍ଜିତ ନକରି ମୋର ଶେଷ ଲକ୍ଷରେ ନିଜକୁ ପହଞ୍ଚାଇବା ପାଇଁ ମୋର ତପସ୍ୟାକୁ ଜାରି ରଖିଥାଏ ।
      ଏଇ ସପ୍ତାହର ଯାତ୍ରା ମଧ୍ୟରେ ମୋ ଅବସ୍ଥିତ ଶରୀରର ବାହ୍ୟ ଅଙ୍ଗ ମାନଙ୍କର ଗଠନ ଆରମ୍ଭ ହୋଇ ସାରିଥାଏ । ମୋ ସ୍ଥିତ ଶରୀର ବର୍ତ୍ତମାନ ଗୋଟିଏ ବଡ ମୁଣ୍ଡଟିଏ ବହନ କରି ସେଥିରେ ମୁହଁଟିର ପରିସ୍ଫୁଟ ହେବାରେ ଲାଗିଥାଏ । ମୁହଁରେ ଦୁଇଟି କଳା ଦାଗ ଭଳି ଆଖି ଦୁଇଟିର ଛାଞ୍ଚ ପଡିବା ଆରମ୍ଭ ହୋଇ ସାରିଥାଏ । ନାକ ମଧ୍ୟ ତାର ଆଦ୍ୟ ଢାଞ୍ଚାରେ ପ୍ରତୀୟମାନ ହେବାକୁ ଉଦ୍ୟତ ହେଉଥାଏ ।  ହାତ ଗୋଡ ଗୁଡିକ ବୃକ୍ଷର ଛୋଟ ଛୋଟ କଢି ସଦୃଶ ନିଜ ନିଜର  ସ୍ଥାନ ମାନଙ୍କରେ ପ୍ରସ୍ଫୁଟିତ ହେବାକୁ ଲାଗିଥାନ୍ତି । ହାତ ଦ୍ୱୟର ଆଙ୍ଗୁଠି ମାନେ ତାର ଆଦ୍ୟ  ସରଞ୍ଚନାର  ଭିତ୍ତିଭୂମୀ ଉପରେ ଦଣ୍ଡାୟମାନ ହେବା ଆରମ୍ଭ କରୁଥାନ୍ତି । ଏ ଯେଉଁ ନିର୍ମାଣର ଶୈଳୀ ତାହା ପ୍ରତି ମୁହୁର୍ତ୍ତରେ  ତିଳତିଳ କରି ଅନୁଶୀଳନ କରିବା ସମ୍ପୂର୍ଣ୍ଣ ଅସମ୍ଭବ । ଏହା ଏକ ସ୍ୱତଃପ୍ରବୃତ୍ତ ପ୍ରକିୟା ପରି ଅହରହ ଚାଲୁ ରହିଥାଏ ।  
      ଗର୍ଭାଶୟ ଭିତରେ ଥିବା ପ୍ରତ୍ୟେକ  ନିର୍ଜୀବ ଓ ଜୀବନ୍ତ ଉପାଦାନ ସତେଯେମିତି ସେହି ପରମବ୍ରହ୍ମ ପରମାତ୍ମାଙ୍କ ନିର୍ଦ୍ଦେଶରେ ପ୍ରତିକ୍ଷଣ ଚଳଚଞ୍ଚଳ ରହିଥାନ୍ତି । ଷଠିଦୁଷୀଙ୍କର  ତତ୍ତ୍ୱାବଧାନରେ ଅବିଶ୍ରାନ୍ତ ଭାବରେ ଗଢା ଚାଲିଥାଏ କଳେବର ।   
      ସତ୍ତ୍ୱରୀମା କିନ୍ତୁ ସେତେଟା ଶାରିରୀକ ସୁସ୍ଥତା ମଣୁ ନଥାଏ । ଅଳସୁଆ ପଣ ସହିତ ଏକ ଅଦ୍ଭୁତ ଅନୁଭୁତି ଭିତରେ ସେ ଦିନ କାଟୁଥାଏ । ବକ୍ଷୋଜ ଗୁଡିକର ଆକାର ପରିବର୍ତ୍ତନ ଧୀରେ ଧୀରେ ହେବା ସହିତ ଦରଜ ଅନୁଭୁବଟା ତାକୁ ବେଳେବେଳେ କଷ୍ଟ ଦେଉଥାଏ । ବେଳେ ବେଳେ କ୍ଳାନ୍ତିର ସେ ସମ୍ମୁଖୀନ ହୋଇ ନିଜକୁ ଟିକେ ଦୁର୍ବଳ ମଣୁଥାଏ । ତଥାପି ଏ ସବୁ କଷ୍ଟକୁ ମାତୃତ୍ୱର ଆନନ୍ଦରେ ସେ ଭୁଲି ଯାଉଥାଏ । ହେଲେ ତାକୁ ସନାତନସହିତ ଅଧିକ ସମୟ ବିତେଇବାରେ ଅଧିକ ଆନନ୍ଦ ମିଳୁଥାଏ ଓ ସନାତନର ଉପସ୍ଥିତି ତା’ର କଷ୍ଟକୁ ଅନେକ ପରିମାଣରେ ଲାଘବ କରିବାରେ ସକ୍ଷମ ଥାଏ । 
      ସନାତନ ସେତେବେଳେ ସତ୍ତ୍ୱରୀମା ସହିତ ରତିକ୍ରିୟାରେ ଅଧିକ ଆଗ୍ରହ ପ୍ରକାଶ କରୁଥାଏ । ତା’ର ମୂଳ କାରଣ ସତ୍ତ୍ୱରୀମାର ମଦନାଙ୍ଗ ସଂରଚନାରେ ପରିବର୍ତ୍ତନ । ବକ୍ଷୋଜର ଆକାର ଓ ଆୟତନ ସହିତ ବାହ୍ୟ ଢାଞ୍ଚାରେ ପରିବର୍ତ୍ତନ ସତ୍ତ୍ୱରୀମାର ସୌନ୍ଦର୍ଯ୍ୟକୁ ଏକ କାମୁକ ଆକର୍ଷଣ ପ୍ରଦାନ କରୁଥାଏ । ସନାତନ ବେଳେବେଳେ ସତେଯେମିତି ନିଜର ବିଜ୍ଞାନୀ ମନୋଭାବରୁ ବିସ୍ମରି ଯାଇ ଆଶ୍ଚର୍ଯ୍ୟ ହେବାରେ ଲାଗେ । ନାରୀର ଏ କି ବିଚିତ୍ର ଓ ସୁନ୍ଦର ସଂରଚନାତ୍ମକ ପ୍ରକୃତିଦତ୍ତ ଗଠନ? ମାତୃତ୍ୱର ଦିଗ୍‌ବଳୟରେ ପହଞ୍ôଚବାର ଆଦ୍ୟାବସ୍ଥାରେ ହିଁ ଗର୍ଭସ୍ଥ ଶିଶୁର ଭୂମିଷ୍ଠହେବା ପରେପରେ ମା’ ଶରୀରରୁ ଖାଦ୍ୟ ଆହରଣ ପାଇଁ ବକ୍ଷୋଜର ସ୍ଥୁଳ ପରିବର୍ତ୍ତନ ଯାହା ଶିଶୁ ପାଇଁ ହେବ ଖାଦ୍ୟର ମୂଳଉତ୍ସ ଓ ଆମୋଦର ଏକ ଅମୂଲ୍ୟ ଅଙ୍ଗ ।
      ସନାତନର ମନରେ ସେଦିନ ଏକ ଅଭୁତ ପ୍ରଶ୍ନ ଉଙ୍କିମାରେ । ଚିନ୍ତାକରେ ସତ୍ତ୍ୱରୀମା ଗର୍ଭରେ ଏକରୁ ଅଧିକ ସଂଖ୍ୟକ ଭୃଣ ଯଦି ସ୍ଥାନିତ ହୋଇଥାଏ, ତେବେ ଯାଆଁଳ ପିଲା ହେବାର ସମ୍ଭାବନା ଅଛି । କିମ୍ବା ଆହୁରି ଅଧିକ ସଂଖ୍ୟକ ଭୃଣ ମଧ୍ୟ ଥିବାର ସମ୍ଭାବନା ଅନେକ ନାରୀମାନଙ୍କ ପାଖରେ ଦେଖା ଯାଇଥିବାର ଉଦାହରଣର ତା’ପାଖରେ ଅଭାବ ନାହିଁ । ନିଜ ବୃତ୍ତିଗତ ଜୀବନରେ ନାରୀ ଗର୍ଭରେ ଜୀବନର ସଂରଚନା ବିଷୟ ବ୍ୟତିରେକ ସେ ଅନ୍ୟ କଥା କେବେ ଭାବିନାହିଁ । ପ୍ରତି ମୂହୁର୍ତ୍ତରେ ସେ ସେହି ବିଷୟରେ ହିଁ ଅନୁସନ୍ଧାନ କରିଚାଲିଛି ଓ ଅନେକ କଥା ବିଜ୍ଞାନ ଜଗତକୁ ଦେଇଛି । କେଉଁ ହରମୋନ୍‌ର କି ପ୍ରତିକ୍ରିୟା ଓ କେତେ ସାଘାଂତିକ ପ୍ରତିକ୍ରିୟା ତାହା ସିଏ ଭଲ ଭାବରେ ଜୀବନବ୍ୟାପୀ ଗବେଷଣା କରିଛି । ବୈଜ୍ଞାନିକର ମନସ୍ତତ୍ତ୍ୱ ଭିତରେ ସେ ବ୍ୟଗ୍ର ହୋଇଉଠିଛି ସତ୍ତ୍ୱରମାର ଜରାୟୁରେ ଥିବା ଭୃଣ ସଂଖ୍ୟା ଜାଣିବା ପାଇଁ । ବର୍ତ୍ତମାନ ପରିସ୍ଥିତିରେ ଏହା ଜାଣିବା ଯେତିକି ଆବଶ୍ୟକ ସେ ତାହା ଭଲ ଭାବରେ ବୁଝିଛି । 
      ଯଦି ପ୍ରକୃତରେ ସତ୍ତ୍ୱରୀମା ଗର୍ଭରେ ଏକାଧିକ ଭୃଣର ସଂରଚନା ଚାଲିଥିବ ବା ଯାଆାଁଳା କିମ୍ବା ତତ୍ତ୍ୱୋଧିକ ସନ୍ତାନର ଜନନୀର ମର୍ଯ୍ୟାଦାରେ ଭୁଷିତା ହେବାକୁ ଯାଉଥିବ ତେବେ ତା’   
ପାଇଁ ଖାଦ୍ୟ ପାନୀୟର ବିକଳ୍ପ ବ୍ୟବସ୍ଥାରେ ଭିଟାମିନ୍ ଓ ଖାଦ୍ୟର ପରିମାଣ ସେହି ମୁତାବକ ଦିଆଯିବା ଆବଶ୍ୟକ । ନଚେତ୍ ସତ୍ତ୍ୱରୀମା ଗର୍ଭରେ ବଢୁଥିବା ଭୃଣର ଅପରିପକ୍ୱ ପରିବର୍ତ୍ତନ ସଙ୍ଘଠିତ ହୋଇପାରେ ଯାହା ମା’ ଓ ଶିଶୁ କାହା ପାଇଁ ମଙ୍ଗଳକର ନୁହେଁ । ଏମିତି ନିଜର ସନ୍ଦେହି ମନରେ ସ୍ଥିର କରେ ସତ୍ତ୍ୱରୀମାର ଗର୍ଭ ସେ ଅଲ୍ଟ୍‌ସାଉଣ୍ଡ୍ କରି ନିଜେ ସତ୍ୟତାକୁ ଜାଣିବ । ନଚେତ୍ ସବୁ କିଛି ବ୍ୟତିକ୍ରମ ହୋଇଯାଇପାରେ । ସତ୍ତ୍ୱରୀମାକୁ ଡାକ୍ତର ଲେଖିଥିବା ଔଷଧକୁ ସେ ନିଜେ ବିଶ୍ଳେଷଣ କରେ ଓ ଦେଖେ । ଆବଶ୍ୟକ ପଡିଲେ ସେ ଔଷଧ ଓ ସତ୍ତ୍ୱରୀମାର ଖାଦ୍ୟରେ ପରିବର୍ତ୍ତନ ପାଇଁ ମଧ୍ୟ ବ୍ୟବସ୍ଥା କରିବ ଏହିପରି ମନସ୍ଥ କରି ରହେ ଯେ ଆସନ୍ତା ସପ୍ତମ ସପ୍ତାହର ପ୍ରଥମ ଦିନ ସେ ତା’ ବିଜ୍ଞାନାଗାରାକୁ ସତ୍ତ୍ୱରୀମାକୁ ତା’ ସହିତ ନେଇକରି ଯିବ ଓ ସେଠାରେ ଅଲ୍ଟ୍ରାସାଉଣ୍ଡ୍ କରି ସମସ୍ତ ତଥ୍ୟକୁ ସଂଗ୍ରହ କରିବ । 

*******

ଚତୁର୍ଥ ପକ୍ଷ

      ମୋ ଜୀବନ ଚକ୍ରର ଶେଷ  ଅଭିଯାନରେ ମୁଁ ସପ୍ତମ ସପ୍ତାହର ପ୍ରଥମ ଦିନରେ ଉପନୀତ ହୋଇଥାଏ ।  ମୁଁ ଧୀରେ ଧୀରେ ଗୋଟିଏ ସୂକ୍ଷ୍ମ ପରିବର୍ତ୍ତନ ଅନୁଭବ କରିବାକୁ ଆରମ୍ଭ କରୁଥାଏ । ତାହା ଥିଲା ମୋ ବାହ୍ୟଶରୀରର କ୍ରମବର୍ଦ୍ଧିଷ୍ଣ  ଓ କ୍ରମ ପରିପକ୍ୱତା ସହିତ ଶରୀରର ପୀଡା  କ୍ରମିକତାରେ ବଢି ବଢି ଚାଲିଥାଏ । ଏ କଥାର କାରଣ ଖୋଜିବାଟା ମୁଁ ସେ ସମୟରେ ସମୀଚିନ ନମଣୀ ସେ ସୂକ୍ଷ୍ମ କ୍ରମବର୍ଦ୍ଧିଷ୍ଣୁ କଷ୍ଟକୁ ସହିଯିବାଟା ଶ୍ରେୟ ମଣେ । ମୋର ଯାତ୍ରା ଉପରେ ବିଶ୍ୱ ନିୟନ୍ତାଙ୍କର କିପରି ଅମୃତରବାରୀ ବହି ଚାଲିଥାଉ ସେଥିପ୍ରତି ଯତ୍ନ କରିବାରେ ଲାଗିଥାଏ । ମୁଁ ଏହାତ ଜାଣେ “ଜନ୍ମ ହିଁ ଯାତନାର ମୂଳ କାରଣ” ଅର୍ଥାତ୍ ଜନ୍ମ ନାହିଁ ତ ଅଭିଘାତ ନାହିଁ । ଯେତେ ଯୋନି ଜନ୍ମ ସେତେ ଯନ୍ତ୍ରଣା । ଯେତେ ଘଟ ପରିବର୍ତ୍ତନ ସେତେ ଉତ୍ପିଡନ । ଏହା ଚିରନ୍ତନ । ଏଥିରୁ ମୁକ୍ତି ଦେବାର ଏ ସାରା ବିଶ୍ୱବ୍ରହ୍ମାଣ୍ଡର ସେହି ପରବ୍ରହ୍ମ ପରମାତ୍ମାଙ୍କ ଛଡା ଆଉ କାହା ପାଖରେ ସାମର୍ଥ୍ୟ ହିଁ ନାହିଁ । 
      ବିଜ୍ଞାନ ଯେତେ ଆଗକୁ ଯାଉନା କାହିଁକି ଏଥିରୁ ମୁକ୍ତି ତା’ପାଖରେ ନାହିଁ । ହଁ, ବିଜ୍ଞାନ କୁତ୍ରିମ ପ୍ରଳୟ ରଚିପାରେ । ସମସ୍ତ ପୃଥିବୀର ଜୀବ ଜନ୍ତୁ ମାନଙ୍କୁ ତାର କ୍ରୁର ଉପଯୋଗରେ ସମୂଳେ ଧ୍ୱସଂ କରିପାରେ । ଏପରିକି ଆଗାମି ବର୍ଷ ବର୍ଷ ଧରି ଏ ଧରା ବକ୍ଷରେ ଜୀବ ସୃଷ୍ଟି ସମ୍ଭବ ହୋଇ ନପାରେ ମାତ୍ର ତା’ ପାଖରେ ଏ ଶକ୍ତିରୂପକ ଆତ୍ମାକୁ ବିନିଷ୍ଟ କରିପାରିବା କିମ୍ବା ତା’ର ଅସ୍ତିତ୍ୱକୁ ନିଶ୍ଚିହ୍ନ କରିପାରିବାର ଶକ୍ତି ନାହିଁ । 
    ବିବର୍ତ୍ତିତ ପରିସ୍ଥିତିରେ ଅବା କୃତ୍ରିମ ପ୍ରଳୟର ପଶ୍ଚାତରେ ଆତ୍ମା ସେମିତି ମାଧ୍ୟମର ସତ୍ତା ଖୋଜି ଚାଲିଥିବ ସେହି ମହାଶକ୍ତି ପରମାତ୍ମାଙ୍କ ସହିତ ମିଶିଯିବା ପାଇଁ । ହେଲେ ଏକଥା ବି ଏ ଚତୁର ମନୁଷ୍ୟ ଭୂଲିଯିବା ଉଚିତ୍ ନୁହେଁ  ଯେ ପରବ୍ରହ୍ମଙ୍କ ଦ୍ୱାରା ରଚିତ ଏ ପ୍ରକୃତି ତାର ନିଜ ସନ୍ତୁଳନ ରକ୍ଷା କରିବାରେ ଅହରହ ପ୍ରଯତ୍ନଶୀଳ । ମନୁଷ୍ୟ କୃତ ପ୍ରଳୟ ହେଲେ ମଧ୍ୟ ତାହା ପରିଶେଷରେ ପ୍ରକୃତି ଦତ୍ତ ବୋଲି ମାନିବାକୁ ଏ ମନୁଷ୍ୟ ବାଧ୍ୟ ହେବ । ଏହାର ଦାର୍ଶନିକ ଓ ମନସ୍ତାତ୍ତ୍ୱିକ କାରଣ ଏହାକୁ ପ୍ରମାଣିତ କରିବା ପାଇଁ ଯଥେଷ୍ଟ । ମନୁଷ୍ୟର ଉଗ୍ର ଆଚରଣ ଓ ତା’ର ଭାବଧାରରେ ହିଂସ୍ର ଆଚରଣର ଆବିର୍ଭାବ ହିଁ ପ୍ରକୃତି ଦତ୍ତ । ମନୁଷ୍ୟ ଯଦି ବିଜ୍ଞାନର ବିଭବରେ ସମ୍ପୂର୍ଣ୍ଣ ବଳଶାଳୀ ହୋଇ ଉଠେ ତଥାପି ସେହି ପ୍ରକୃତ୍ତି ଦତ୍ତ ଜ୍ଞାନ ଓ ବୌଦ୍ଧିକ ଶକ୍ତି ହିଁ ତାର ମୂଳ ପିଣ୍ଡ । ମନୁଷ୍ୟର ଚିନ୍ତା ଚେତନା, କର୍ମ କାମନା ସବୁ କିଛି ଏହି ପ୍ରକୃତି ଦ୍ୱାରା ଅଭିପ୍ରେରିତ ଏଥିରେ କେହି ବି ଦ୍ୱିମତ ହୋଇ ପାରିବେ ନାହିଁ । 
      ଯେଉଁ ବୈଜ୍ଞାନିକ କଳା କ୍ୟୈଶଳରେ ଆଜି ମନୁଷ୍ୟ ମଙ୍ଗଳରେ ଘର କରିବାର ସ୍ୱପ୍ନକୁ ସାକାର କରିବାକୁ ଆଗେଇଲାଣି ଆଉ ଗ୍ରାନ୍ଥିକ ବର୍ଣ୍ଣନାରେ ଥିବା ନାନା ଉପାଖ୍ୟାନରେ ଦେବତା ମାନଙ୍କର ଅନନ୍ତ ଯୋଜନ ଦୂରରେ ଥାଇ କଥୋପକଥନ ଆଜି ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ମାନବ ପାଇଁ ମଧ୍ୟ ସମ୍ଭବ ହୋଇଛି ତାହା ବି ଏହି ପ୍ରକୃତି ପ୍ରଣୋଦିତ । ମନୁଷ୍ୟର ପ୍ରକୃତି, ପ୍ରାକୃତିକ ପରିବେଷ୍ଟନୀ ଦ୍ୱାରା ହିଁ ସର୍ବତ୍ର ଓ ସର୍ବାଦ୍ୟୈ ପ୍ରଭାବିତ ଏହା ନିସନ୍ଦେହ । ଅନ୍ୱେଷଣ ଓ ଉଦ୍ଭାବନ ପାଇଁ ପ୍ରକୃତିରୁ ହିଁ ମନୁଷ୍ୟ ପ୍ରେରଣା ପାଏ । ମନୁଷ୍ୟ ସବୁକିଛି କରି ଆଗକୁ ଆଗକୁ ଯାଇପାରେ ମାତ୍ର ଏପରି ଐଶ୍ୱରୀକ ସଂରଚନା ସେ ନିଜେ କେବେ କରି ପାରେନା । ନୂତନ ଓ ପରବର୍ତ୍ତିତ ନୂତନତ୍ୱର ସେ ମାଧ୍ୟମ ହୋଇପାରେ ମାତ୍ର ପରିବର୍ତ୍ତନ ଧର୍ମୀ ବସ୍ତୁ ସେ ହୋଇ ପାରିବ ନାହିଁ । ଯାହା ପ୍ରକୃତିରେ ଅଛି, କେତେକ କାରକର ପ୍ରୟୋଗରେ ତାହାକୁ ସେ କିଛି ନୂତନତ୍ୱକୁ ପରିବର୍ତ୍ତିତ କରିପାରେ ମାତ୍ର ନିଜେ ନୂଆ ସର୍ଜ୍ଜନା ଶୂନ୍ୟରୁ କରିପାରିବ ନାହିଁ । ଯେଉଁଠି କିଛି ନାହିଁ ସେଠି ସେ କିଛି କରିପାରେନା । ଅନ୍ୟ ଅର୍ଥରେ ଶୂନ୍ୟରୁ ସଂରଚନା ମନୁଷ୍ୟ ପକ୍ଷେ କେବେବି ସମ୍ଭବ ହୋଇ ନାହିଁ ଏବଂ ଭବିଷ୍ୟତରେ ସମ୍ଭବ ହେବ ଏହା ମଧ୍ୟ ବିଶ୍ୱାସ ଯୋଗ୍ୟ ନୁହେଁ ।  
      ଶୂନ୍ୟରୁ ସର୍ଜ୍ଜନା  କେବଳ ସେହି ବିଶ୍ୱ ନିୟନ୍ତା ହିଁ କରିପାରନ୍ତି ଯାହାକୁ ବିଜ୍ଞାନଭାଷାରେ ଏ ମନୁଷ୍ୟ ପ୍ରାକୃତିକ ଧୀର ଅବା କ୍ଷିପ୍ର ପରିବର୍ତ୍ତନର ଆଖ୍ୟା ଦେଇପାରେ ପରନ୍ତୁ ଏହା ସତ୍ୟ ଯେ ମନୁଷ୍ୟ ପ୍ରକୃତିର ବିଭବକୁ ନେଇ ବଳଶାଳୀ ଓ ତା’ର ଖେଳ ସେହି ବିଭବକୁ ବ୍ୟବହାର କରିବାରେ ହିଁ ଥାଏ । ପ୍ରାକୃତିକ ବିଭବ ବିନା ମନୁଷ୍ୟ ଓ ତା’ର ବିଜ୍ଞାନ ଯେ ନିସ୍ୱ ଏହା କହିବା ଅନାବଶ୍ୟକ ।  ମୋ ଅଧିଷ୍ଠିତ ଘଟର ଯେଉଁ ଧୀର ଆଉ ଦ୍ରୁତ ପରିବର୍ତ୍ତନ ମୁଁ ଅଙ୍ଗେ ନିଭାଉଛି ତାହା ଅତ୍ୟନ୍ତ ଅଦ୍ଭୁତ । ତାହା ମୋ ପାଖରେ ଶଦ୍ଦରେ ବର୍ଣ୍ଣନା ଆେଦୈା ସମ୍ଭବ ନୁହେଁ । ପ୍ରତି ମୁହୁର୍ତ୍ତର  
ପରିବର୍ତ୍ତନରେ ସଂଘଠିତ ହେଉଥିବା କାର୍ଯ୍ୟ କଳାପକୁ ଓ ପ୍ରତିକ୍ଷଣ ପରିବର୍ତ୍ତିତ ହେଉଥିବା କାରକ ମାନଙ୍କର ସ୍ଥିତିକୁ ବ୍ୟାଖ୍ୟା କରିବା ଯଦିଓ ମୋ ପକ୍ଷରେ ସମ୍ଭବ ମାତ୍ର ତୁମେ ତାକୁ ସମ୍ପୂର୍ଣ୍ଣ ଗ୍ରହଣ କରି ପାରିବ ନାହିଁ । ଏ ଭଳି ସୁକ୍ଷ୍ମ ପରିବର୍ତ୍ତନକୁ ତୁମେ ନିଜେ ସମ୍ପୂଣ୍ଣ ଅନୁଭବ କରିବାକୁ ଚାହିଁଲେ  ତୁମକୁ ମଧ୍ୟ ସେମିତି ସୂକ୍ଷ୍ମ ହେବାକୁ ପଡିବ । ମାତ୍ର ତୁମର ସ୍ଥୂଳତା ଅନେକ ବେଶୀ । ଏ ସୂକ୍ଷ୍ମ ଓ ସ୍ଥୁଳତା ମଧ୍ୟରେ ଥିବା ବ୍ୟବଧାନ ଅନନ୍ତ କୋଟି ଯୋଜନ ଯାହାର ସମୀକରଣ ଏକ ଦୂରୁହ ବ୍ୟାପାର ।  
      ତଥାପି ଶେଷ ଯାତ୍ରାର ଆନନ୍ଦରେ ମୁଁ ଯେତିକି ଆନନ୍ଦିତ ଥାଏ ମୋ ଅଧିଷ୍ଠିତ ଶରୀରର କ୍ରମ ବର୍ଦ୍ଧିଷ୍ଣ ସହିତ ପୀଡାର ଅନୁଭବ ସେହିପରିଭାବରେ ଖୁବ୍ ଧୀର ବେଗରେ ବଢି ବଢି ଚାଲିଥାଏ । ତଥାପି ମୋତେ ମୋ ଲକ୍ଷରୁ ବିଚ୍ୟୁତ ହେବାର ନଥାଏ । ଏପରି ଅନେକ କଷ୍ଟକୁ ମୁଁ ସହିବାର ଶକ୍ତି ନେଇ ଆଜି ପରମାତ୍ମାଙ୍କ ସହିତ ମିଳନର ଶେଷ ଯାତ୍ରୀ । ସମସ୍ତ କଷ୍ଟକୁ ପାସୋରି ମୁଁ ପୁଣି ମୋର ଧ୍ୟାନରେ ନିଜକୁ ହଜେଇ ଦେବା ଆରମ୍ଭ କରିଦିଏ । 
      ସନାତନ ଯେଉଁ ଜ୍ଞାନ କେନ୍ଦ୍ରରେ ବୈଜ୍ଞାନିକ ଭାବରେ କାମକରେ ତା’ ବିଭାଗରେ ସେ ବିଭାଗୀୟ ମୂଖ୍ୟ । ତା’ର ଚାଲି ଚଳନ ଓ ବ୍ୟବହାରରେ କେବଳ ତା’ ବିଭାଗର ସମସ୍ତ କର୍ମଚାରୀ ନୁହେଁ ଅନ୍ୟ ଅନୁସନ୍ଧାନ ବିଭାଗ ମାନଙ୍କରେ କାମ କରୁଥିବା କର୍ମଚାରୀ ମାନେ ମଧ୍ୟ ବହୁତ ସମ୍ମାନ ସହିତ ଭଲ ପାଆନ୍ତି । ସନାତନର ଏ କମ୍ ବୟସରେ ଏତେ ଜ୍ଞାନ ଗାରିମା ଦେଖି  ସମସ୍ତେ ମଧ୍ୟ ଅଳ୍ପେ ବହୁତ ସ୍ତମ୍ଭିଭୁତ । ତାଙ୍କ ଜ୍ଞାନ କେନ୍ଦ୍ରର ଯେ କୌଣସି ନୂଆ ପ୍ରକଳ୍ପ ଅବା ଯୋଜନା ହେଉନା କାହିଁକି ସେଥିରେ ସନାତନର ପରାମର୍ଶ ଲୋଡା । ଏକ ସୁନ୍ଦର ଯୁବ ପ୍ରତିଭା ସେ । ଜୀବ ବିଜ୍ଞାନରେ ତା’ର ନୂତନ ଉଭାବନ ପାଇଁ ସେ ସାରା ଦେଶରେ ଜଣାଶୁଣା । ପ୍ରତ୍ୟେକ କାମକୁ ସେ ଅତି ସରଳ ଓ ସୁନ୍ଦର ଭାବରେ ଅନ୍ୟମାନଙ୍କୁ ବୁଝାଇପାରେ । ଅଲଗା ଚାକିରୀ ମାନଙ୍କରେ ସିନା ପ୍ରତିଦ୍ୱନ୍ଦିତା ନିଜ ନିଜର ସ୍ୱାର୍ଥ ପାଇଁ ଓ ସେହି ପ୍ରତିଦ୍ୱନ୍ଦିତା ପାଇଁ କର୍ମଚାରୀ କର୍ମଚାରୀ ମାନଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥାଏ ମାତ୍ର ଯେହେତୁ ସନାତନର ଚାକିରୀ ବୈଜ୍ଞାନିକ ଓ ତାହ କେବଳ ବୈାଜ୍ଞାନିକର ନିଜ ବୁଦ୍ଧି ବଳ ଉପରେ ନିର୍ଭର କରେ ସେଠି ଆଉ ଅନ୍ୟମାନଙ୍କ ସହିତ ତୁଳନାର ପ୍ରଶ୍ନ ନଥାଏ । ତେଣୁ ସମସ୍ତଙ୍କ ପାଖରେ ଆଦର ପାଇବାଟା ଥାଏ  ସହଜ । 
      ଅନ୍ୟ ଏକ ଦୃଷ୍ଟି କୋଣରୁ ବିଚାରକଲେ ସନାତନର କୌଣସି କାର୍ଯ୍ୟଦ୍ୱାରା ଅନ୍ୟ  କାହାର ବି କ୍ଷତି ହେବାର ସମ୍ଭାବନା ହିଁ ନଥାଏ ତେଣୁ ସମସ୍ତେ ତାକୁ ଭଲ ପାଆନ୍ତି । ସେ ତା’ ବିଭାଗରେ ଉନ୍ମୁକ୍ତ ଓ ମୁକ୍ତ କ୍ଷମତାର ଅଧିକାରୀ । ତେଣୁ ସେ ତା’ ବିଜ୍ଞାନାଗାରର ଯାହା ବି କରୁ ତାକୁ କେହି କହିବା ଲୋକ ନଥାନ୍ତି ।
        ସନାତନ ଅଫିସ୍‌ରୁ ଫେରିଲା ପରେ ତା’ ମା’କୁ କହେ ମା’ ଆସନ୍ତା କାଲି ସକାଳ ୮ଟା ବେଳେ ଆମେ ତିନିଜଣ ଯାକ ଯାଇ ସତ୍ତ୍ୱରୀମାର ଟିକେ ପରୀକ୍ଷା କରି ଫେରିଆସିବା । ମା’ ସନାତନ କଥାରେ ରାଜି ହୁଅନ୍ତି । ସତ୍ତ୍ୱରୀମା ବି ରାଜି ହୁଏ । ହେଲେ ରାତିରେ ସତ୍ତ୍ୱରୀମା ପଚାରେ କାଲି ଆମେ କି ପରୀକ୍ଷା କରିବା । ସନାତନ ହସି ହସି କହେ ରୋଗି କଣ ଡାକ୍ତରକୁ ପଚାରି ପାରେ ଆପଣ କି ଔଷଧ ମୋ ପାଇଁ ଲେଖିବେ ଓ ଔଷଧ କାହିଁକି ଲେଖିବେ । ରୋଗୀର ପ୍ରଥମ କର୍ତ୍ତବ୍ୟ ହେଉଛି ଡାକ୍ତର ଯାହା କହିବେ ସେ ସବୁ କଥା ମାନିବ ଓ କରିବ । ସତ୍ତ୍ୱରୀମା କହି ଉଠିଛି ଆଜ୍ଞା ହେଲା । ଡାକ୍ତର ବାବୁ ଆପଣ ଯାହା କହିବେ ମୁଁ ତାହା ବିନା ପ୍ରତିବାଦରେ ମାନିବି । 
      ସତ୍ତ୍ୱରୀମାର ମନ ମାତୃତ୍ୱର ଆକାଂକ୍ଷାରେ ଯେତିକି ଆନନ୍ଦିତ ଥାଏ ତାର ଗର୍ଭର ଆଦ୍ୟାବସ୍ଥା ଜନିତ ଶରୀର କ୍ଳିଷ୍ଟ ସେତିକି ମନକୁ ବିରସ କରିବାକୁ ବାଧ୍ୟ କରୁଥାଏ । ଛାତି ଦରଜ, ଅଳସୁଆ, ସମୟେ ସମୟେ ବାନ୍ତି ତାକୁ କ୍ଳାନ୍ତ କରି ପକଉ ଥାଏ । ତଥାପି ସେ ସତ୍ୟ, ଶାନ୍ତି, ପ୍ରିତୀ ଆଧାରିତ ତା’ ଜୀବନରେ କଷ୍ଟ ଓ ଅବସାଦକୁ ଭୁଲିବାର କଳାରେ ସେ ଥାଏ ଦକ୍ଷ । ତା’ର ଏ ଅନ୍ୟନ କଳା ମଧ୍ୟରେ ଲୁଚି ରହିଥାଏ ପ୍ରଭୁ ପ୍ରେମ, ଭଗବତ ବିଶ୍ୱାସ, ସମଦର୍ଶୀ ଓ ସମସ୍ତଙ୍କୁ ଭଲପାଇବା । ନିଜ ସ୍ନେହରେ ସେ ସମସ୍ତଙ୍କୁ ବାନ୍ଧିରଖେ । ଅନ୍ୟମାନଙ୍କର ତା’ପ୍ରତି ସ୍ନେହ ତାକୁ ଯନ୍ତ୍ରଣା ମୁକ୍ତ କରିବାରେ ସାହାଯ୍ୟ କରେ । ହେଲେ ବିଶ୍ୱନିୟନ୍ତାଙ୍କ ପାଦ ତଳେ ନିଜକୁ ହଜେଇ ଦେବାରେ ଓ ଅନ୍ୟର ଖୁସିରେ ଖୁସି ଅନୁଭବ କରିବାରେ ତାକୁ ମିଳେ ଅସୁମାରି ଶାନ୍ତି ।
      ପ୍ରତିଦିନ ସକାଳ ପରି ସେଦିନର ପ୍ରଭାତ ଏକ ନୂତନ ବିଶ୍ୱକୁ ନେଇ ଆସିଥାଏ । ନିଜ ପ୍ରକୃତି ବସତଃ, ପ୍ରାତଃ ସ୍ନାନ, ପୂଜାର୍ଚ୍ଚନା ସାରି ଠିକ୍ ୭ଟା ୩୦ ବେଳକୁ ସତ୍ତ୍ୱରୀମା ପ୍ରସ୍ତୁତ ହୋଇଯାଏ । ତେଣେ ସନାତନ ଓ ତା‘ର ମା’ ଅନୁରୂପ ପ୍ରସ୍ତୁତ ହୋଇ ସାରିଥାନ୍ତି । ଘରୁ ତିନିହେଁ ସନାତନ କାର୍‌ରେ ବାହାରନ୍ତି ସନାତନର ଅଫିସ୍ ଅଭିମୂଖେ । ଅଫିସ୍‌ରେ ପହଞ୍ôଚଲା ବେଳକୁ ଦରଓା୍ୱନ୍ ଦେଖି ସନାତନ ଓ ତା’ର ମା’ ଏବଂ ପତ୍ନୀକୁ ନମସ୍କାର କରି କାର୍ଯ୍ୟାଳୟ ବିଜ୍ଞାନଗାରାର ସବୁ ରୁମ୍‌କୁ ତରତରରେ ଖୋଲିଦିଏ । ସନାତନ ସତ୍ତ୍ୱରୀମାକୁ ନେଇ ତା’ପରୀକ୍ଷାଗାରାକୁ ଚାଲିଯାଏ । ମା’ ବାହାରେ ଅପେକ୍ଷା କରନ୍ତି । ସନାତନ ସତ୍ତ୍ୱରୀମାର ଗର୍ଭକୁ ଅଲ୍ଟ୍‌୍‌ା ସାଉଣ୍ଡ୍ ଯନ୍ତ୍ରରେ ଭଲଭାବରେ ନୀରିକ୍ଷଣ କରେ । ଯେଉଁ ମାନବର ଏ ଧରାବକ୍ଷରେ ସେ ଆଉ କେଇମାସ ପରେ ପିତା ବୋଲି କୁହାଇବ ଆଜି ତାକୁ ନିଜ ଆଖିରେ ଗୋଟିଏ ଛୋଟିଆ କଣ୍ଟେଇ କୋଳି ଭଳି ଦେଖୁଛି ଯାହାର ଆକାର ମାତ୍ର ପ୍ରାୟ ତେର ମିଲିମିଟର । ପୁଣି ଆଶ୍ଚର୍ଯ୍ୟର କଥା ସେହି କୋଳିର ଆକାରକୁ କମ୍ପ୍ୟୁଟର୍‌ରେ ପରିବର୍ଦ୍ଧିତ କରି ଦେଖିଲେ ମନୁଷ୍ୟର ମୁଣ୍ଡ, ଆଖି, କାନ, ନାକ ପରି ଗଢଣ ବିଦେଖାଯାଉଛି ।  
      ମୁହଁଟି ମଣିଷର ମୁହଁ ପରି ଟିକେ ଟିକେ ଦେଖାଯିବାକୁ ଆରମ୍ଭ କରି ଦେଇଥାଏ । ସ୍ୱପ୍ରୟୋଜିତ ପାଟି, ନାକ, ଆଖିର କ୍ଷୁଦ୍ର ଅବୟବ ଦେଖି ସେ ମନେ ମନେ ଅତ୍ୟନ୍ତ ଭାବବିହ୍ୱଳ 
ହୋଇ ପଡୁଥାଏ । ଆଜି ପର୍ଯ୍ୟନ୍ତ ପାଠ ପଢିବା ଠାରୁ ସେ ଅନେକ ଗର୍ଭ ଭିତରେ ଏପରି ଅବସ୍ଥାକୁ ଭଲଭାବରେ ନିରୀକ୍ଷଣ କରିଛି, ତର୍ଜମା କରିଛି ମାତ୍ର ସେ କେଉଁଥିରେ ହେଲେ ଏଭଳି ଆନନ୍ଦ ଓ ସିହରଣ ଅନୁଭବ କରିନଥିଲା । ମନେ ମନେ ତା’ର ପ୍ରଶ୍ନ ବି ଉଙ୍କି ମାରେ ଏ ଆନନ୍ଦ କାହିଁକି?  ପ୍ରଚ୍ଛଦ ପଟରେ ମନ ପୁଣି ତାକୁ କହି ଦେଉଥାଏ ଆରେ ତୁ ଏ କଣ୍ଟେଇ କୋଳିର ବାପା । ଏହି କଣ୍ଟେଇ କୋଳି ପରି ଦେଖାଯାଉଥିବା ଜୀବ ତୋ ବଂଶର ଉତ୍ତର ପିଢୀ । ଏହା ହିଁ ତୋ ପ୍ରକୃତିର ବିଚାରକୁ  ନେଇ ଏ ଧରା ଧାମକୁ ଆସି ତା’ର ଅଭିନୟ କରିବା ଆରମ୍ଭ କରିବ । ଆଗରୁ ସେ କୈାଣସି ଗର୍ଭକୁ ଭଲ ଭାବରେ ନିରୀକ୍ଷଣ ଯଦିଓ କରିଥିଲା କିନ୍ତୁ ସେଥିରେ ଏ ଖୁସି, ତତ୍ପରତା, ବ୍ୟଗ୍ରତା ଓ ଅନ୍ୱେଷଣ ଏତେଟା ନଥିଲା । ହଠାତ୍ ମନେ ପଡି ଯାଏ ସତ୍ତ୍ୱରୀମା କହୁଥିବା ସେଦିନର କଥା । ସତ୍ତ୍ୱରୀମା କହୁଥିଲା ଏ ମାୟା ସଂସାରର ମାୟାକୁ ତୁମେ କଣ ଛାଡି ପାରିବ । ଆପେ ଆପେ ବାନ୍ଧି ହୋଇଯିବ ଏ ମାୟାରେ । 
      ଜନ୍ମରୁ ମା’ ସାଥିରେ ମାୟାରେ ଛନ୍ଦି ହେଲ । ତାପରେ ପରିବାର ସହିତ, ଚାକିରୀ ସହିତ, ପୁଣି ବାନ୍ଧି ହେଲ ନାରୀ ମାୟାରେ । ଛାଡିଲାନି ସେ ମାୟା ତୁମକୁ । ତୁମେ ମୋର ହାତ ଧରି ମୋତେ ସାରା ଜୀବନ ପାଇଁ ଜୀବନସାଥୀ କରିନେଲ । ପତ୍ନୀର ମାୟାରେ ପଡିି ତଥାପି ତୁମେ ନିଜକୁ ରୋକି ପାରିବନି ଦେଖିବ ପଡିଯିବ ପୁଣି ସନ୍ତାନର ମାୟାରେ । ଏ ସଂସାରର ମାୟା ଫାସ କାହାକୁ ଛାଡିନି କି କେହି ଛଡେଇ ପାରିନି । ଯିଏ ଏ ମାୟା ଫାଶକୁ କାଟିବାରେ ସକ୍ଷମ ହୋଇଛି ସେ ଭଗବାନ ନଚେତ୍ କୈାଣସି ମହାମାନବ । ତୁମେ ବିଜ୍ଞାନୀ ଚିନ୍ତାଧାରାରେ ଯେତେ ବିକ୍ଷିପ୍ତ ହୁଅନା କାହିଁକି ଏ ମାୟା ତୁମକୁ ଛାଡି ପାରିବ ନାହିଁ । ନିଜ ବିଜ୍ଞାନର ପ୍ରୟୋଗ ଫଳରେ ତୁମେ ଅହର୍ନିଶ ଦେଖୁଛ ଜାଣିବି ପାରୁଛ ପ୍ରତି ମୁହୁର୍ତ୍ତରେ ଅସଂଖ୍ୟ ଜୀବ ଜାତ ହେଉଛନ୍ତି ଓ ଅସଂଖ୍ୟ ମୃତ୍ୟୁ ମୂଖରେ ପଡୁଛନ୍ତି ହେଲେ ତୁମ ପରିଜନର କାହାର ଶରୀର ଅସ୍ଥୁତ ହୋଇ ପଡିଲେ ତୁମେ ବ୍ୟତିବ୍ୟସ୍ତ ହୋଇ ପଡିବାଟା ଚିରସତ୍ୟ । 
      ଦେଖୁନ ମୋ ଦେହ ଟିକେ ଖରାପ ହୋଇଗଲେ ତୁମେ ବ୍ୟତିବ୍ୟସ୍ତ ହୋଇ ପଡୁଛ କେମିତି? ଏହା ହେଉଛି ଜୀବନ । ସନାତନ ତା’ ଭବିଷ୍ୟତର ସନ୍ତାନକୁ ଏକ କଣ୍ଟେଇ କୋଳି ପରି ଦେଖି  ସେହି ଭଳି ମାୟାରେ କିଛିକ୍ଷଣ ପଡି ଯାଇଥାଏ । କୋଳିର ଆକାର ଭଳି ଦେଖା ଯାଉଥିବା ଭୃଣ ସତ୍ତ୍ୱରୀମାର ଗର୍ଭରେଯେ ଯତ୍ନରେ ଅଛି ସେ ଦେଖି ତା’ର ମନ ଆନନ୍ଦିତ । ଖାଲି ସେତିକି ନୁହଁ ଗର୍ଭରେ ସେଭଳି କଣ୍ଟେଇ କୋଳି ପରି ଶରୀର ଆଉ କେଉଁଠି ନାହିଁତ ସେ କଥାକୁ ସେ ଯନ୍ତ୍ର ମାଧ୍ୟମରେ ଭଲ ଭାବରେ ନୀରିକ୍ଷଣ କରେ ।  ଶେଷରେ ସେ ଏଇ ସିଦ୍ଧାନ୍ତରେ ପହଞ୍ଚେ ଯେ ସତ୍ତ୍ୱରୀମା ଗର୍ଭରେ ମାତ୍ର ଗୋଟିଏ ଭୃଣ ଓ ସେ ଗୋଟିଏ ଶିଶୁର ପିତୃତ୍ୱ ଲାଭ କରିବାକୁ ଯାଉଅଛି  । ପ୍ରକୃତିର ବାହ୍ୟ ବୈଚିତ୍ର‌୍ୟତା ଯେତିକି, ମନୁଷ୍ୟ ଶରୀରର ଅର୍ନ୍ତ ବିଚିତ୍ରତା ତା’ ଠାରୁ କେତେ ଗୁଣ ଅଧିକ ତାହା ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । 
      ଆଶ୍ଚର୍ଯ୍ୟ ଭାବେ ଗର୍ଭାଶୟର ଗ୍ରୀବା ଦେଶରେ ଗୋଟିଏ ପ୍ରତିବନ୍ଧଟିଏ ନିର୍ମାଣ ଚାଲିଥାଏ ଯାହା ଗର୍ଭାଶୟର ଗ୍ରୀବାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇ ଗର୍ଭରେ ଗଢା ହେଉଥିବା ଭୃଣକୁ ବାହ୍ୟ ସଂକ୍ରମଣ ଓ ଆକ୍ରମଣରୁ ରକ୍ଷା କରିବ । ଏହି ପ୍ରତିବନ୍ଧକ ଘରର କବାଟ ପରି ଯାହା ସବୁବେଳେ ମୁଦ୍ରିତ ଅବସ୍ଥାରେ ରହିବ । ତେଣେ କଣ୍ଟେଇ କୋଳି ଆକାରର ଭୃଣଟି ମା’ର ଜରାୟୁ ସହିତ ନାଭିନାଡା ଦ୍ୱାରା ଉପଯୁକ୍ତ ଭାବରେ ସଲଗ୍ନ ହୋଇଥାଏ ଯାହାଦ୍ୱାର ହିଁ ଭୃଣଟିର ପୋଷଣ ସଂଘଟିତ ହୋଇ ଚାଲିଥାଏ । ସନାତନର ମନ ସତ୍ତ୍ୱରୀମାର ଗର୍ଭାଶୟର ଏ ସବୁ ଜିନିଷକୁ ଭଲଭାବରେ ନୀରିକ୍ଷଣ କରିସାରିବା ପରେ ଅଲ୍ଟ୍ରାସାଉଣ୍ଡ ମେସିନ୍‌କୁ ବନ୍ଦକରି ସତ୍ତ୍ୱରୀମାକୁ ବସେଇ ଦିଏ । ତା’ ପରେ ଦୁଇଜଣ ଯାକ ଆସି ମା’ ସହିତ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ବାଟରେ ସନାତନକୁ ମା’ ପଚାରନ୍ତି ସବୁ ଠିକ୍ ଠାକ୍ ଅଛିତ? ସନାତନ କହେ ମା’ ହଁ, ସବୁ ଠିକ୍ ଠାକ୍ ଅଛି । ବାସ୍ ଟିକେ ଅଧିକ ସମୟ ବିଶ୍ରାମ ନେଲେ ଶରୀର ପାଇଁ ଭଲ । ମା’ ସତ୍ତ୍ୱରୀମାକୁ କୁହନ୍ତି ତୁ ଆମର ଟିକେ ଅଧିକ ସମୟ ବସିକରି କିଛି ସୃଜନଶୀଳ କାମ କରେ । ନଚେତ୍ ମନ ଖୁସିରେ କଣ୍ଢେଇମାନଙ୍କ ସହିତ ଖେଳେ । ଘରେ ପହଞ୍ôଚସାରିଲା ପରେ ସନାତନ ସକାଳର ଖାଦ୍ୟ ଗ୍ରହଣ କରି ପୁନର୍ବାର ଅଫିସ୍  ଚାଲିଯାଏ ।
      ସେଦିନ ଦ୍ୱିପ୍ରହରରେ ସନାତନର ମା’ ଆସି ସତ୍ତ୍ୱରୀମା ଶୋଇବା ଘରେ ସତ୍ତ୍ୱରୀମା ପାଖରେ ବସନ୍ତି । ଏମିତି ଟିକେ ଗପିବା ଆରମ୍ଭ କରନ୍ତି । କଥାବାର୍ତ୍ତା ମଧ୍ୟରେ ସତ୍ତ୍ୱରୀମା କହେ ମା’ ଆମେ ମାନେ ଟିକେ କେଉଁ ମନ୍ଦିର ବୁଲିବାକୁ ଗଲେ ହୁଅନ୍ତାନି । ମା’ କହନ୍ତି ନିଶ୍ଚୟ ଯିବା । ହେଲେ ଆମେ ଆଉ କୈାଣସି ଶିବ ମନ୍ଦିରକୁ ଯାଇ ପାରିବା ନାହିଁ ।
ସ୍‌ତ୍ୱରୀମା କହେ କାହିଁକି ଯାଇପାରିବାନି ମା’ ।
ଶାଶୁ କୁହନ୍ତି ଆମ ହିନ୍ଦୁ ଧର୍ମର ପ୍ରଥା ପରମ୍ପରା ଅନୁଯାୟୀ ଗର୍ଭବତୀ ନାରୀ କୌଣସି ଶିବ ମନ୍ଦିରକୁ ଯିବା ଓ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ଶାସ୍ତ୍ର ସମ୍ମତ ନୁହେଁ । କିନ୍ତୁ ଅନ୍ୟ ଦେବା ଦେବୀ ମନ୍ଦିର ସବୁ ଯାଇ ପାରିବା । 
ଆଜି ପୁଅ ଆସୁ । ରାତିରେ କଥା ହୋଇ ଆସନ୍ତା ରବିବାର ଦିନ ଆମ ସାଗରମାଳ ପଡାଗାଁରେ ଆମ ରାଜବଂଶ ଦ୍ୱାରା ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିରକୁ ସମସ୍ତେ ସାଙ୍ଗ ହୋଇ ଯିବା । ସେଠାରୁ ମନ୍ଦିର ବୁଲା ସାରି ଆମେ ସମସ୍ତେ ତୁମ ଘର ଟିକେ ବୁଲି ଆସିବା । 
ସତ୍ତ୍ୱରୀମା କହେ ଠିକ୍ ଅଛି ମା’ ।
ଏକଥା ଶୁଣି ସତ୍ତ୍ୱରୀମାର ମନ ଆହୁରି ଖୁସି ହୋଇଯାଏ । ସତେଯେମିତି ତା’ ମନ କଥାକୁ ତା’ର  ଶାଶୁ ବୁଝି ନେଇଥିଲେ । ସତ୍ତ୍ୱରୀମା ମନେମନେ ଚିନ୍ତା କରେ ବୋଧହୁଏ ଏ ପରିବାରର ପ୍ରତ୍ୟେକ ସଦସ୍ୟଙ୍କର ଏହିଭଳି  ଗୁଣଥିବା ଲାଗି ଏମାନେ ରାଜାର ସମ୍ମାନ ଏବେ ବି ପାଉଛନ୍ତି । ସତ୍ତ୍ୱରୀମାର ଶାଶୁ ଏହା କହି ସେ ଘରୁ ଚାଲିଗଲେ ।  
      ଠିକ୍ ସନ୍ଧ୍ୟା ପାଞ୍ଚଟା ବେଳକୁ ସତ୍ତ୍ୱରୀମାର ଶାଶୁ ଘର ଚାକର ହାତରେ ଗୋଟିଏ ବଡ କାଗଜ ପେଟିରେ ଚାଳିଶି ପଚାଶ ଖଣ୍ଡେ ବଡ ବଡ କଣ୍ଢେଇ, ଫଟୋ, ଟେଡି ବିୟର ଆଦି କିଣି ଆଣନ୍ତି । ସତ୍ତ୍ୱରୀମାର ଶୋଇଲା ଘରେ ସେ ସବୁ ସଜେଇବାରେ ଲାଗନ୍ତି । ସତ୍ତ୍ୱରୀମା ଏସବୁ ଦେଖି ନିଜକୁ ବିଶ୍ୱାସ କରି ପାରୁନଥାଏ । ଚାକର ଭବ ଓ ଶାଶୁ ସତ୍ତ୍ୱରୀମା ବହୁତ ସୁନ୍ଦର ଭାବରେ ଖେଳନା ସଜେଇବାରେ ଲାଗିଥାନ୍ତି । ସତ୍ତ୍ୱରୀମା ଆଉ ସମ୍ଭାଳି ନପାରି ନିଜେ ଯାଇ ଶାଶୁ ମା’ଙ୍କୁ କହିଲା ମା’ ଆପଣ ଯାଆନ୍ତୁ । ମୋର ଓ ଭବର ଏସବୁ ସଜେଇ ଦଉଛୁ । ଶାଶୁ ମା’ ସେଠାରୁ ଚାଲିଗଲେ । ଭବ ଓ ସତ୍ତ୍ୱରୀମା ସମସ୍ତ କଣ୍ଢେଇ ଗୁଡିକ ଶୋଇବା ଘରେ ଏତେ ସୁନ୍ଦର ଭାବରେ ସଜେଇ ଦେଲେ ଯେ ନୂଆ କରି ସେ ଘର ଭିତରକୁ ଯିଏ ବି ପ୍ରବେଶ କରିବ ତା‘ର ମନ ଏକ ନୈସର୍ଗିକ ଆନନ୍ଦ ଆଡକୁ ଆପେ ଆପେ ମୋଡି ହୋଇଯିବ । କୁନକୁନି ପିଲାର ହସମୁହଁ ଥିବା ଫଟୋ ଗୁଡିକୁ ଯଥା ସ୍ଥାନରେ ସତ୍ତ୍ୱରୀମାର ନିର୍ଦ୍ଦେଶ ଅନୁସାରେ ଭବ ଟଙ୍ଗେଇ ଦେଇଥାଏ । ସନ୍ଧ୍ୟାରେ ଯେତେବେଳେ ସନାତନ ଅଫିସ୍‌ରୁ ଫେରେ ସେ ଶୋଇଲା ଘରେ ପ୍ରବେଶ କଲା ବେଳକୁ ଘରର ଏ ସୁନ୍ଦର ସାଜସଜା ଦେଖି ବହୁତ ଖୁସି ହୋଇଯାଏ । 
      ସାଧାରଣ ବିଜ୍ଞାନ ଯେ ମନସ୍ତତ୍ତ୍ୱ ବିଜ୍ଞାନ ବିନା ତିଷ୍ଠି ପାରେନି  ଆଉ ତା’ର ପ୍ରୟୋଗ  ଫଳବତୀ ହୋଇ ପାରେନି ଏକଥା ସନାତନ ପାଇଁ ବୁଝିବାର ବାକି ନଥାଏ । ଶରୀରର ପ୍ରତ୍ୟେକ ଅଙ୍ଗର ସୁସ୍ଥତା, ଚଞ୍ଚଳତା ଓ ସୁନ୍ଦରତା ସବୁ ମନର ଅବସ୍ଥା ଉପରେ ଅତି ମାତ୍ରାରେ  ନିର୍ଭର କରେ । ଯାହାର ମନ ଭଲ ନାହିଁ ତା’ର କାମ ବି ଭଲ ହୁଏନା । ଅନ୍ତସତ୍ତ୍ୱା ମା’ର ମନର ଅବସ୍ଥା ଉପରେ ତା’ ଜରାୟୁରେ ବଢି ଚାଲିଥିବା ସନ୍ତାନର ସବୁକିଛି ନିର୍ଭର କରେ । ଗର୍ଭ ଅବସ୍ଥାର ସବୁ ସମୟରେ ଯଦି ମା’ର ମନ ଆନନ୍ଦିତ ରୁହେ ତେବେ ନିଶ୍ଚିତ ରୂପେ ଜନ୍ମ ନେବାକୁ ଯାଉଥିବା ସନ୍ତାନଟି ସୁନ୍ଦର ଓ ପ୍ରସନ୍ନ ଚିତ୍ତ ବିଶିଷ୍ଟ ହୋଇଥାଏ । 
      ମନକୁ ପ୍ରସନ୍ନ ରଖିବାରେ ନିଜ ପରିବେଶ ବହୁ ମାତ୍ରାରେ ପ୍ରଭାବିତ କରେ । ଖାସ୍ କରି ଯେଉଁ ଘର ଭିତରେ ଅନ୍ତଃସତ୍ତ୍ୱା ନାରୀର ଶୟନ, ସେ ଘରର ପରିବେଶ ଅତ୍ୟନ୍ତ ମନୋରମ ଓ ଆନନ୍ଦଦାୟୀ ହେବା ଆବଶ୍ୟକ । ତେଣୁ ଏପରି ସାଜସଜା ସତ୍ତ୍ୱରୀମା ପାଇଁ ଅନେକ ଉପକାର ନିଶ୍ଚୟ ଆଣିଦେବ । ସନାତନ ଚିନ୍ତା କରେ ମୁଁ ଯେଉଁ ଗୁଡିକ ବହିରୁ ପଢି ମନେରଖି ନିଜର ଜ୍ଞାନ ଗାରିମା ବୋଲି ମନେମନେ ସ୍ୱାଭିମାନି ହୋଇଛି ଏମାନେ ସେଗୁଡିକ କୌଣସି ବହିରୁ ନ ପଢି ନିଜର ଅଭିଜ୍ଞତାରୁ ତାଠାରୁ ଅଧିକ କିଛି ଜ୍ଞାନ ହାସଲ କରି ପାରିଛନ୍ତି । ବୋଧହୁଏ ଏମାନଙ୍କର  ଅଭିଜ୍ଞତାରୁ ହିଁ ଆମ ଭଳି ବୈଜ୍ଞାନିକ ମାନଙ୍କ ପାଇଁ ଉଦ୍ଧିଷ୍ଟ ବହିର ପରିପ୍ରକାଶ । ସନାତନ ଘରର ସାଜସଜାକୁ ଦେଖି ସତ୍ତ୍ୱରୀମାକୁ ପ୍ରଶଂସା କରେ । ସତ୍ତ୍ୱରୀମା ସନାତନକୁ ରାତ୍ରି ଭୋଜନ ଆଣି ପରଶେ । ଦୁଇଜଣ ମନ ଖୁସିରେ ଖାଦ୍ୟ ଖାଆନ୍ତି । ଖୁସିଭରା ଗପସପ ମଧ୍ୟରେ ରାତି ଆସି ଦଶଟାରେ ପହଞ୍ôଚଯାଏ । ଉଭୟେ ଶୟନ ଶଯ୍ୟାରେ ଉପସ୍ଥିତ ହୁଅନ୍ତି । ଶଯ୍ୟାରେ ଉପନୀତ ହୋଇ ଲମ୍ବ ହୋଇ ଗଡିଯିବା ପରେ ସନାତନ କହେ ସତରେ ଏ ବିଶ୍ୱ କେତେ ବିଚିତ୍ର ତାହା ଏବେ ବି ଆମ ପାଇଁ ବିସ୍ମୟ । ପ୍ରତି ମୁହୁର୍ତ୍ତରେ କେଉଁଠି କଣ ଘଟି ଚାଲିଛି ତାହା କେଉଁ ପରି ଭାବରେ ଘଟି ଚାଲିଛି ତାହା ସମ୍ପୂର୍ଣ୍ଣ ଭାବରେ ବୁଝିବାଟା ଏ ମଣିଷ ଜାତି ପାଇଁ ନିହାତି ଅସମ୍ଭବ । ହେଲେ ସବୁଠାରୁ ଅଦ୍ଭୁତ କଥା ହେଉଛି ଏ ସଂଘଠିତ ପକ୍ରିୟା ମାନ କିଏ ନିୟନ୍ତ୍ରଣ କରୁଛି ଓ କିପରି ନିୟନ୍ତ୍ରଣ କରୁଛି ତାହା ଆମ ବିଜ୍ଞାନ ପରିଭାଷାରେ ଏବେ ବି ଅସ୍ପଷ୍ଟ । 
      ଏଭଳି ପ୍ରଶ୍ନ ପାଖରେ ସତ୍ତ୍ୱରୀମା ଭଳି ଆଜନ୍ମ ଭାଗବତ ବିଶ୍ୱାସୀ ନାରୀ କେମିତିକା ଚୁପ୍ ରହି ପାରିବ? ସ୍ୱତଃପୁତଃ ଭାବରେ ତା’ ପାଟିରୁ ବାହାରି ପଡେ ସେହି ପରମ ମଙ୍ଗଳ ବିଶ୍ୱ ସ୍ରଷ୍ଠା ହିଁ ଏ ସବୁର ନିୟନ୍ତ୍ରକ । ତାଙ୍କ ଇଙ୍ଗିତ ବିନା ଏ ସଂସାରରେ କ୍ଷୁଦ୍ରାତିକ୍ଷୁଦ୍ର କୀଟର ଜନ୍ମ ନାହିଁ କି ମୃତ୍ୟୁ ନାହିଁ । ତାଙ୍କ ନିର୍ଦ୍ଦେଶ ବିନା ଗଛରେ ପତ୍ର ବି ହଲେ ନାହିଁ କିମ୍ବା ନଦୀର ଜଳ ପ୍ରବାହିତ ହୋଇ ପାରେ ନାହିଁ । ସେ ସଚରାଚର ବିଦ୍ୟମାନ । ତାଙ୍କରି କରୁଣାରୁ ଆଜି ଆମର ଦୁର୍ଲଭ ଜନ୍ମ ମନୁଷ୍ୟ କାରଣ ସେ ଆମକୁ ଚିନ୍ତା କରିପାରିବାର ଶକ୍ତି ଆମପାଖରେ ଭରି ଦେଇଛନ୍ତି । ତତ୍‌ସହିତ ଆତ୍ମସମୀକ୍ଷା କରିବାର ଅମୃତମୟ ଶକ୍ତି ଆମମାନଙ୍କ ଭିତରେ ଭରି ଦେଇଛନ୍ତି । କେଉଁ କାର୍ଯ୍ୟ କରଣୀୟ କିଏ କରଣୀୟ ନୁହେଁ, କେଉଁ କର୍ମ ସଂସାର ମଙ୍ଗଳ ପାଇଁ ଉଦ୍ଧିଷ୍ଟ, କେଉଁ କର୍ମ ବିଶ୍ୱର ଅମଙ୍ଗଳ ଯୁକ୍ତ ତାହା ବୁଝିପାରିବାର କ୍ଷମତା ଆମ ପାଖରେ ଭରିଦେଇଛନ୍ତି । ସେଇଥି ପାଇଁ ଆମେ ହେଉଛେ ସଂସାରର ଶ୍ରେଷ୍ଠ ପ୍ରାଣୀ । 
      ସତ୍ତ୍ୱରୀମା ଏତିକି କହି ସାରିଲା ପରେ କହିବାକୁ ଲାଗେ ଯାଇଁଲ ଆଜି ମା’ମୋତେ କାହିଁକ ଶିବ ମନ୍ଦିରକୁ ଯିବାକୁ ବାରଣ କଲେ ମୁଁ ଜମା ବୁଝି ପାରୁନାହିଁ । ସେ କହିଲେ ନା ମା’ ଆଉ ତୁ ଏ ବର୍ଷ ତମାମ କୌଣସି ହେଲେ ଶିବ ମନ୍ଦିରକୁ ଯାଇ ପାରିବୁ ନାହିଁ । କାରଣ ଗର୍ଭବତୀ ନାରୀକୁ ଶୈବମନ୍ଦିରକୁ ଯିବାପାଇଁ ଆମ ଧର୍ମରେ ବାରଣ କରାଯାଇଛି । 
      ମୁଁ ଏକଥା କାଇଁ ସହଜରେ ଗ୍ରହଣ କରିପାରୁନାହିଁ । ଆଚ୍ଛା ତୁମେ ଜାଣ ଦେବମାନଙ୍କ ଭିତରେ ଶିବଙ୍କୁ କାହିଁକି ମହାଦେବ ବୋଲି କୁହାଯାଏ । ସନାତନ କହିଲା ଏମିତି ତ ମୁଁ ଜଣେ ନାସ୍ତିକ । ସେଥିରେ ମୋର ଆଗ୍ରହ ଆସିବ ବା କେଉଁଠୁ ।  ତୁମ ହାତ ଧରି ତୁମକୁ ଜୀବନସାଥୀ କରିସାରିଲା ପରଠାରୁ ତୁମ ପ୍ରଭାବରେ ଏବେ ଟିକେଟିକେ ଏ ପ୍ରତିମୃର୍ତ୍ତି ଭଗବାନଙ୍କ ଆଡକୁ ଆକର୍ଷିତ ହେବାରେ ଲାଗିଛି । ଏହା ପୂର୍ବରୁ ମୁଁ ସେ ଭଗବାନଙ୍କୁତ ବିଶ୍ୱାସ କରୁଥିଲି, ମନ୍ଦିର ବି ଯାଉଥିଲି ହେଲେ ଏ ପୂଜା ପାର୍ବଣ ପ୍ରତି ମୋର ହୃଦୟରେ ସେତେଟା ଆଗ୍ରହ କିମ୍ବା ଅନୁରକ୍ତ ନଥିଲା ।  ତେଣୁ ମୁଁ ଏମିତି କାରଣର ଉତ୍ତର ଜାଣିବି ବା କେମିତି । ସତ୍ତ୍ୱରୀମା କହିଛିି ତେବେ ଶୁଣ ମୁଁ  କହୁଛି । 
      ତୁମେ ଅନେକ ମନ୍ଦିର ଯାଇଥିବ । ପ୍ରତ୍ୟେକ ମନ୍ଦିରରେ ବିରାଜମାନ କରୁଥିବା ଭଗବାନଙ୍କର ପ୍ରତିମା ସିଂହାସନ ଉପରେ ଅଥବା ତଳଠାରୁ ନିଶ୍ଚିତ ଉପରେ ବସି ରହିଥିବେ । ଆମେ ଯେତେବେଳେ ସେମାନଙ୍କୁ ଦର୍ଶନ କରିବାକୁ ଚାହୁଁ ଆମେ ସାଧାରଣତଃ ଠିଆ ହୋଇ ମୁଣ୍ଡକୁ ସିଧାରଖି ଦର୍ଶନ କରିଥାଉ । ମାତ୍ର ତୁମେ ଶୈବ ମନ୍ଦିରରେ ଏହାର ସମ୍ପୂର୍ଣ୍ଣ ବିପରୀତ ଦେଖିବ । ପ୍ରତ୍ୟେକ ଶୈବ ମନ୍ଦିରରେ ମହାଦେବ ତଳେ ବିରାଜମାନ କରିଥାନ୍ତି ଅର୍ଥାତ ଆମଠାରୁ ତଳକୁ  ନିଜ ଆସ୍ଥାନରେ ରହିଥାନ୍ତି । ଆମକୁ ଯେତେବେଳେ ତାଙ୍କ ମନ୍ଦିରରେ ପ୍ରବେଶ କରିବାକୁ ପଡେ  ଅବା ତାଙ୍କୁ ପ୍ରଣାମ କରିବାକୁ ପଡେ ସବୁବେଳେ ଆମକୁ ମଥା ନଇଁ ବାକୁ ପଡେ । ଏହାର ଦାର୍ଶନୀକ ତତ୍ତ୍ୱ  ହେଉଛି ଭଗବାନ ଭୋଳାଶଙ୍କର ଏହି ବାର୍ତ୍ତା ଦେଇଥାନ୍ତି ଯେ ହେ ମାନବ, ତୁମେ ନିଜର ମଥାନତ କରି ବା ନିଜକୁ କ୍ଷୁଦ୍ର ମନେକରି ଏ ଜଗତର କର୍ମରେ ଲାଗିପଡ, ନିଜ କର୍ମ କରିଚାଲ, କାରଣ ଏ ବିଶ୍ୱସ୍ରଷ୍ଟାଙ୍କ ଆଗରେ କେହି ବଡ ନୁହେଁ । ତାଙ୍କ ପାଖରେ ମଥାନତ ବା ନିଜକୁ ସମର୍ପଣ କରି କର୍ମ କରିଲେ ତୁମେ ନିଶ୍ଚୟ ମୁକ୍ତି ଲାଭ କରିବ । 
      ଆଉ ଗୋଟିଏ ମହାନ ବିଶେଷତ୍ୱ ହେଲା ଶୈବମନ୍ଦିରରେ ପରିଦର୍ଶନରେ ଯାଉଥିବା ପ୍ରତ୍ୟେକ ଭକ୍ତଙ୍କର ପାଦ ଧୂଳିର ପାଣି ଗର୍ଭଗୃହକୁ ଅଚିରେ ପ୍ରବେଶ କରେ । ଯେଉଁ ବାଟ ଦେଇ ମନୁଷ୍ୟମାନେ ମନ୍ଦିର ପରିଦର୍ଶନ କରନ୍ତି ସେ ସମସ୍ତ ସ୍ଥାନ ମାନଙ୍କର ପାଣି ଯାଇ ପାତାଳଫୁଟି ମହାଦେବଙ୍କ ଲିଙ୍ଗ ଉପରେ ହିଁ ଜମା ହୋଇଥାଏ । ଏହା ମହାନ୍ ଦର୍ଶନଭିତ୍ତିକ ବାର୍ତ୍ତା ଉପରେ ପର୍ଯ୍ୟବେସିତ । ସଂସାରର ସମସ୍ତ ଦୁଃଖ ସମସ୍ତ ଜଗତର ପାଦଧୂଳିକୁ ନିଜ ଉପରେ ଧାରଣ କରି ମନୁଷ୍ୟ ସମାଜକୁ ଏହି ବାର୍ତ୍ତା ଦିଅନ୍ତି ଯେ ସମସ୍ତେ ଅନ୍ୟର ଦୁଃଖକୁ ବିନା ପ୍ରତିବାଦରେ ଗ୍ରହଣ କର । ଦୁନିଆର ସମସ୍ତଙ୍କ ସାମନାରେ ତୁମେ ନିଜକୁ ଅତି ତଳକୁ ନେଇଯାଇ ଅନ୍ୟର ମଙ୍ଗଳ କରି ପାରିଲେ ତୁମେ ମାନବରୁ ମହାମାନବତ୍ତ୍ୱ ଲାଭ କରିବ । 
      ଖାଲି ସେତିକି ନୁହେଁ, ଶୈବମନ୍ଦିର ମାନଙ୍କର ବୈଜ୍ଞାନିକ ବିଚାରଧାରା ମଧ୍ୟ ତୁମେ ବୋଧହୁଏ ଜାଣିନଥିବ । ସନାତନ ବୈଜ୍ଞାନିକ ବିଚାରଧାରା କଥା ଶୁଣିବା ମାତ୍ରେ ଟିକେ ମନରେ ବିସ୍ମିତ ହୋଇ ଉଠେ । ପଚାରେ ସତରେ କେଉଁ ବୈଜ୍ଞାନିକ ବିଚାରଧାରା ଶୈବମନ୍ଦିର ସହିତ ଜଡିତ ମୋତେ ଟିକେ କହୁନ । ସତ୍ତ୍ୱରୀମା କହେ ଶୈବଧର୍ମର ଅୟମାରମ୍ଭ ପୂର୍ବରୁ ସମାଜର ଜ୍ଞାନୀ ଗୁଣି ବ୍ୟକ୍ତି ମାନେ ଦେଖିଲେ ଆମ ଭାରତୀୟ ସମାଜ କୃଷି ଆଧାରିତ । ପ୍ରତ୍ୟେକ ବ୍ୟକ୍ତି ସକାଳ ଶେଯରୁ ବିଛଣା ତ୍ୟାଗ କରିବା ପରେପରେ ନିଜ କ୍ଷେତକୁ ଚାଲିଯାଏ । କେବେ ଘରେ କଣ  
ଖାଇକି ଯାଇଥାଏ ତ କେତେବେଳେ ସେମିତି ଖାଲି ପେଟରେ କ୍ଷେତକୁ ଚାଲିଯାଇଥାଏ । କ୍ଷେତରେ କରେ ଝାଳବୁହା ଅଜସ୍ର ପରିଶ୍ରମ । କେତେବେଳେ ଘରକୁ ଫେରେ ତାହାର ନଥାଏ ନିର୍ଦ୍ଧିଷ୍ଟ ନିର୍ଘଣ୍ଟ । ମାତ୍ର ସେ ଘରକୁ ଫେରିବା ବେଳକୁ ତା’ ପେଟରେ କିଛି ହେଲେ ଖାଦ୍ୟ ନଥାଏ । ପେଟର ପାଚକ ରସ ଖାଦ୍ୟକୁ ହଜମ କରିବା ପରିବର୍ତ୍ତେ ପେଟର ଅନ୍ତର୍ଭାଗକୁ ଆକ୍ରାନ୍ତ କରିବାରେ ଲାଗେ ଯାହାଫଳରେ ଅନେକ ଚାଷୀ ଅବା ମୂଲିଆ ମାନେ ପେଟ ରୋଗରେ ଆକ୍ରାନ୍ତ ହୁଅନ୍ତି । 
      ତେଣୁ ଏହାର ଏକ ସୁନ୍ଦର ଓ ସ୍ଥାୟୀ ପ୍ରତିକାର ପାଇଁ ଶୈବମନ୍ଦିରରେ ପୂଜାର୍ଚ୍ଚନାର ହୁଏ ଏକ ଅଭିନବ ଆରମ୍ଭ । ତମେ ଜାଣିଛ କର୍ପୁର ସହିତ ନଡିଆ ପାଣିର ମିଶ୍ରଣ ଏକ ବିଷ । ମନୁଷ୍ୟ ପିଇଲେ ତାର ମୃତ୍ୟୁ ସୁନିଶ୍ଚିତ । ଠିକ୍ ସେହିପରି କନିଅର ଫୁଲ ସହିତ ଗୁଡ ମିଶିଲେ ତାହା ମଧ୍ୟ ବିଷ ସମାନ । ଅରଖଫୁଲ ବିଷାକ୍ତ । ମାତ୍ର ଶୈବମନ୍ଦିରରେ ଏ ସମସ୍ତ ବସ୍ତୁ ଏକ ସଙ୍ଗରେ ଶୈବ ଲିଙ୍ଗ ଉପରେ ଚଢା ଯାଇଥାଏ । ଶୈବ ମନ୍ଦିରର ଗମରା ପାଣିରେ ଏ ସମସ୍ତ ବିଷ ଅମୃତ ମିଶିକରି ଏକ ମହୋଷଧି ପ୍ରସ୍ତୁତ ଆପେ ଆପେ ହୋଇଯାଏ । ପ୍ରତିଦିନ ଚାଷି ବା ମୂଲିଆ ସକାଳର ନିଜ କାମରୁ ଫେରି ସ୍ନାନ କରିବା ପରେ ନିଜ ଗାଁ ମୁଣ୍ଡରେ ଥିବା ଶୈବମନ୍ଦିରରେ ଦିଅଁ ଦର୍ଶନ କରିସାରିବା ପରେ ପାଦୁକ କୁଣ୍ଡରେ ରଖାଯାଇଥିବା ଗମରାର ସେହି ମହୋଷଧିରୁ ଢୋକେ ପାଇ ଘରକୁ ଫେରିଲା ଭିତରେ ସେହି ମହୋଷଧି ତା’ପେଟର ସମସ୍ତ ରୋଗକୁ ପ୍ରତିହତ କରିଥାଏ ଓ ତା’ର ଶରୀର ସୁସ୍ଥ ରହେ । ସେ ଆନନ୍ଦରେ ଖାଦ୍ୟ ଖାଇବା ସହିତ ତା’ର ପରିପାକ ଯନ୍ତ୍ର ଠିକ୍ ରହିଥାଏ । 
      ସନାତନ ଏକଥା ଶୁଣି ଆସିଲା ବେଳକୁ ନିଜକୁ ଧୀରେ ଧୀରେ ଅଜ୍ଞାନୀ ବୋଲି ବିଚାର କରିବା ଆରମ୍ଭ କରେ । ନିଜକୁ ଜଣେ ଦକ୍ଷ ବୈଜ୍ଞାନିକ ଭାବରେ ମନମଧ୍ୟରେ ଯେଉଁ ଅହଂଙ୍କାର ଟିକେ ସେ ସାଇତିଥିଲା ତାହା କାହିଁକି ହଠାତ୍ ଚୁରମାର୍ ହେବାକୁ ଲାଗେ । ଏତେ ସୁନ୍ଦର ବୈଜ୍ଞାନିକ ଚିନ୍ତାଧାରା ଯାହା ତା’ର ପୂର୍ବପୀଢି ମାନେ ତାଙ୍କୁ ଦେଇ ଯାଇଛନ୍ତି ତାହା ସେ କେବେବି ଅନୁଧ୍ୟ୍ୟାନ କରିନାହିଁ । ଜୀବନ ସାରା ବହି ପଢିପଢି ବହିରେ ଥିବା ରାସାୟନିକ ଦ୍ରବ୍ୟ ଅନ୍ୟ ଅର୍ଥରେ କହିବାକୁ ଗଲେ ଔଷଧ କଥାତ ସିଏ ଘୋଷି କରି ମନେ ରଖିଛି । ମାତ୍ର ଏତେ ସୁନ୍ଦର ବିଧି ବ୍ୟବସ୍ଥାଯେ ଏ ଭଗବତ ବିଶ୍ୱାସ ସହିତ ଜଡିତ ତାହା ସେ ଭାବିବାକୁ କେବେବି ଇଚ୍ଛା ପ୍ରକାଶ କରିନାହିଁ ।
      ସତେଯେମିତି ସତ୍ତ୍ୱରୀମା ସେଦିନ ତା’ର ମାନସ ପଟରେ ଥିବା ଏକ ଅନ୍ଧକାରର ବଳୟ ଭିତରକୁ ଆଲୋକିତ କରିଦିଏ । ସେ ଭାବବିହ୍ୱଳ ହୋଇ ସତ୍ତ୍ୱରୀମାକୁ ନିଜ ଶରୀର ଆଡିକି ଭିଡି ଆଣେ । ତାକୁ କୋଳେଇ ଧରି କହିବାରେ ଲାଗେ, ସତରେ ତୁମେ କେଉଁ ଉପାଦାନରେ ଗଢା ମୁଁ ତ ଯମା ବୁଝିପାରୁନି । ମୁଁ ସିନା ଏ ଦୁନିଆ ଆଖିରେ ଜଣେ ବୈଜ୍ଞାନିକ ହେଲେ ତୁମେ ମୋ  ଭଳି ଜଣେ ବୈଜ୍ଞାନିକ ଆଖିରେ ମହାନ ବୈଜ୍ଞାନିକ । ତୁମେ ମୋ ଠାରୁ କାହିଁ କେତେ ଅଧିକ କଥା ଜାଣିଛ ମୁଁ ତାହା ଏବେ କଳିପାରୁଛି । ତୁମେ ସତରେ ବହୁତ ଜ୍ଞାନୀ । ତୁମେ ମୋତେ ଆଜି ମୋ ବିଜ୍ଞାନ ସହିତ ଆମ ସଂସ୍କୃତି ଭିତରେ ଥିବା ନିବିଡ ସମ୍ପର୍କକୁ ଖୋଜିବାକୁ ପ୍ରେରିତ କରିଛ ଏଥି ପାଇଁ ମୁଁ ତୁମ ପାଖରେ ଋଣୀ । ଯେତେବେଳେ ସନାତନ ଋଣୀ ଶଦ୍ଦର ଉଚ୍ଚାରଣ କରେ ସେତେବେଳେ ସତ୍ତ୍ୱରୀମା ତା’ ମୁହଁରେ ନିଜର ନରମ ହାତର ପାପୁଲିକୁ ଦେଇ କହେ ଏଭଳି ଶଦ୍ଦ ଆଉ କେବେ ଉଚ୍ଚାରଣ କରିବ ନାହିଁ । 
      ତୁମେ ମୋର ସ୍ୱାମୀ । ତୁମେ ମୋର ଜୀବନ ସର୍ବସ୍ୱ । ତୁମର ପ୍ରତିଟି ଦାନରେ ମୁଁ ପ୍ରତିପାଳିତ । ତୁମେ ଯୁଗେ ଯୁଗେ ଦାନୀ ଆଉ ମୁଁ ଋଣୀ । ସନାତନ ଆଧୁନିକ ଚିନ୍ତାର ଅବୟବ ଭିତରେ ରହି ତାକୁ କହିଛି ଏ ତୁମର ବଡପଣ ହୋଇପାରେ ମାତ୍ର ଆଜିର ସଭ୍ୟତାରେ ସ୍ୱାମୀ ସ୍ତ୍ରୀ ଉଭୟେ ପରସ୍ପର ସମାନ । ସ୍ତ୍ରୀ, ସ୍ୱାମୀଠାରୁ କେଉଁ ଗୁଣରେ କମ୍ ନୁହେଁ । ଦୁଇଜଣ ପରସ୍ପର ଉପରେ ନିର୍ଭରଶୀଳ । ଏକ ବିଶ୍ୱାସର ଡୋରରେ ପରସ୍ପରକୁ ବାନ୍ଧିରଖି ପରପିଢୀର ନିର୍ମାଣରେ ନିଜକୁ ବ୍ୟସ୍ତ ରଖୁ ରଖୁ କେତେବେଳେ ଯେ ନିଜ ଯୈାବନର ତିନୋଟି  ଅବସ୍ଥାକୁ  ଅତିକ୍ରାନ୍ତ କରିଯାଇ ଶେଷ ଅବସ୍ଥା ମୃତ୍ୟୂ ପାଖରେ ପହଞ୍ôଚ ଯାଆନ୍ତି ତାହା କେହି ହେଲେ ବୁଝି ପାରନ୍ତି ନାହିଁ । ଆଜି ମୁଁ ତୁମ ଭଳି ଜଣେ ବିଚାରବନ୍ତ ଗୁଣୀ ପତ୍ନୀ ପାଇ ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛି । ସନାତନ କହିଛି ଶୈବମନ୍ଦିର ସମ୍ପର୍କିତ ଏତେ ସୁନ୍ଦର ଦର୍ଶନ ତତ୍ତ୍ୱକୁ ଯେ ବୁଝି ପାରିଛି, ତାକୁ ବା ମୁଁ କି ଉତ୍ତର ଦେବି ଯେ ମା’ କାହିଁକି ଏବର୍ଷ  ମନ୍ଦିର ଯିବା ପାଇଁ ବାରଣ କଲେ । ଭଲ  ହେବ ତୁମେ ତୁମର ଜିଜ୍ଞାସାର ଅର୍ଥ ଓ କାରଣ ସ୍ୱୟଂ ନିରୁପଣ କର । ଏମିତି କଥୋପକଥନରେ ପରସ୍ପର ଆଲିଙ୍ଗନ ଭଙ୍ଗୀରେ ଶୋଇ ଯାଆନ୍ତି ।
      ମୁଁ କିନ୍ତୁ ମୋ ଅଧିଷ୍ଠିତ ଶରୀର ଭିତରେ ଥାଇ ଏ କଥୋପକଥନ ଶୁଣି ଅତ୍ୟନ୍ତ ଆନନ୍ଦିତ ହେଉଥାଏ । ମୋତେ ଯିଏ ମୋର ଶେଷ ଯାତ୍ରାରେ ଧାରଣ କରି ରଖିଛି ସେ କେତେ ଯେ ପୂଣ୍ୟତୟା ଓ ପବିତ୍ର ତାହା ମୁଁ ମନେ ମନେ ଗୁଣୁଥାଏ । ଏଭଳି ମର୍ମସ୍ପର୍ଶୀ ବାର୍ତ୍ତାଳାପରେ ମୁଁ ଆହୁରି ନିଜକୁ ଧନ୍ୟ ମନେ କରିବା ସହିତ ସେହି ପରବ୍ରହ୍ମ  ପରମେଶ୍ୱରଙ୍କୁ ମନେ ମନେ ଧନ୍ୟବାଦ ଦେବାରେ ଲାଗିଥାଏ । ତାଙ୍କରି ଆଶୀଷରୁ ମୁଁ ଆଜି ଏତେ ସୁନ୍ଦର ପବିତ୍ର ମାଧ୍ୟମର ସାନ୍ନିଧ୍ୟ ପାଇଛି ।
      ସପ୍ତମ ସପ୍ତାହର ଯାତ୍ରା ମୋର ଶେଷ ହୋଇ ମୁଁ ଅଷ୍ଟମ ସପ୍ତାହରେ ଉପସ୍ଥିତ ହୁଏ । ସେତେବେଳକୁ ମୋ ଯାତ୍ରାର ଅର୍ଥ ଏଇଆ ଯେ କେଉଁ ମୁହୁର୍ତ୍ତରେ ମୁଁ ମିଶିଯିବି ସେହି ଅନନ୍ତ ଶକ୍ତି ସାଥୀରେ ଯାହାର ମୁଁ ଏକ ଅଂଶବିଶେଷ ତାହା ଏକ ବିସ୍ମୟ । ଯାତ୍ରା ପାଇଁ ଆଜି ମୋ ପାଇଁ ସେହି ପରମାତ୍ମା ପରବ୍ରହ୍ମ ଯେଉଁ କଳେବର ଗଢି ଚାଲିଛନ୍ତି ମୁଁ ତାରି ଭିତରେ ଥାଇ ମୋର ଁ ଯୋଗରେ କେବେ ବ୍ୟାଘାତ ହେବାକୁ ଦେଉ ନଥାଏ । ହେଲେ ମୁଁ ଗୋଟିଏ କଥା ଅନୁଭବ କରିଚାଲେ ଯେ ଯେଉଁ ଯେଉଁ ମୋ ଅଧିଷ୍ଠିତ ଶରୀରର ବିକାଶ ସହିତ ବୃଦ୍ଧି ଘଟେ ମୋର କ୍ଳିଷ୍ଟ ସେତିକି ବଢିବାରେ ଲାଗେ ବା ଅନ୍ୟ ଅର୍ଥରେ କହିଲେ ମୁଁ କାହିଁକି ନିଜକୁ ଧୀରେ ଧୀରେ ଅସହଜ ବୋଧକରି ଚାଲେ । ଜରାୟୁ ଭିତରେ ବର୍ତ୍ତମାନ ମୁଁ ସ୍ଥାଣୁ । ଆଗରୁ ଯେଉଁ ସବୁ ଗତି ଦେଇ ମୁଁ ଆସିଥାଏ ସେଗୁଡିକ ଜରାୟୁର କାରକ ମାନଙ୍କ ଦ୍ୱାରା ନିୟନ୍ତ୍ରିତ ଥିଲା ମାତ୍ର ମୁଁ ନିଜେ ଥିଲି ନିସ୍ତେଜ ଓ ଅଚଳ । ମାତ୍ର ହଠାତ୍ ଅଷ୍ଟମ ସପ୍ତାହର ଆରମ୍ଭ ଦିବସରେ ଏପରି ଏକ ଅଚାନକ ଘଟଣା ଘଟିଗଲା ମୁଁ ନିଜେବି ବୁଝି ପାରିଲିନି । ହଠାତ୍ ସେଦିନ ସକାଳୁ ସକାଳୁ ମୋ ଶରୀର ନିଜ ସ୍ଥାନ ଆପେ ଆପେ ପରିବର୍ତ୍ତନ କରିଦେଲା । ମୁଁ ଶରୀର ଭିତରେ ଥାଇ ଚକିତ ହୋଇଗଲି । ଆଗରୁ ରଥ ଉପରେ ମୁଁ ଦିଅଁଙ୍କ ଭଳି ବସି ରହିଥାଏ ଆଉ ଜରାୟୁର କାରକ ମାନେ ଭକ୍ତ ମଣିଷ ସାଜି ମୋର ରଥ ଦଉଡିକୁ ଭିଡିବା କ୍ଷଣି ମୋର ରଥର ସ୍ଥାନ ପରିବର୍ତ୍ତନ ହେଉଥିଲା । ମାତ୍ର ଆଜି ମୋ ରଥ ଆପେ ଆପେ ନିଜେ ଗଡି ଚାଲିଲା । ମୁଁ ଅନୁଭବ କରେ ମୋ ଜୀବନ ରଥ ବର୍ତ୍ତମାନ ଚଳମାନ ହୋଇଗଲା ।  
      ସବୁଠାରୁ ଆଚମ୍ବିତ ଅଭିଜ୍ଞତା ହେଉଛିଯେ ମୋ ସ୍ଥାନିତ ଶରୀର ରୂପୀ ରଥ କେବଳ ଯେ ନିଜର ସ୍ଥାନ ପରିବର୍ତ୍ତନ କରିବାକୁ ସମର୍ଥ ହେଲା ତାହା ନୁହେଁ ବରଂ ରଥର ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗ ମଧ୍ୟ ଚଳିବା ଆରମ୍ଭ କରି ଦିଅନ୍ତି । ଶରୀରର ବାହ୍ୟ ଅଙ୍ଗ ଗୁଡିକ ଅତି ସୂକ୍ଷ୍ମ ଗତିରେ ନିଜେ ଚାଳିତ ହୁଅନ୍ତି । ମୁଁ କଳନା କରି ଚାଲେ ବୋଧହୁଏ ପଞ୍ଚଭୁତର ସମାହାରରେ ମୋ ଶରୀର ଆଜି ଚଳଶକ୍ତିର ଜୀବନ୍ତ ଅଧିକାରୀ । ମୁଁ ସେହି କଳେବର ଭିତରେ ଥାଇ ଯେତିକି ଦୋହଲିଥିଲି ମୋତେ ତ ବହୁତ ଖୁସି ଲାଗିଥିଲା ହେଲେ ସେଦିନ ମୋର ପ୍ରଥମ ଗତିଟି ମୋତେ ଭୟଭିତ କରି ଦେଇଥିଲା ।
      ପ୍ରଥମ ସ୍ଥାନ ପରିବର୍ତ୍ତନରେ ମୁଁ ଏ ଜୀବଜଗତର ପ୍ରତ୍ୟେକ ଜୀବର ଆଧାର ହୋଇଥିଲେ ମଧ୍ୟ ମୁଁ କାହିଁକି ଟିକେ ଭୟାଚ୍ଛନ୍ନ ହୋଇଥିଲି ମୁଁ ବି ଜାଣି ପାରିନଥିଲି । ହେଲେ ଏଇଆ ବିଚାର କଲି ଯେ ଚାହେ, ମୁଁ ଯେତେ ନିର୍ଲିପ୍ତତାର ଗୁଣ ବହନ କରେ ନା କାହିଁକି ଏ ଭବସଂସାରରେ ବିଶ୍ୱନିୟନ୍ତା ଭରି ରଖିଥିବା କ୍ରିୟା ପ୍ରତିକ୍ରିୟାକୁ ମୋତେ ଅନୁଭବ କରିବାକୁ ପଡିବ ହିଁ ପଡିବ । ସେଥିରୁ ମୁଁ କୌଣସି ମତେ କ୍ଷାନ୍ତ ରହିପାରିବି ନାହିଁ । ହେଲେ ମୋର ଦ୍ୱିତୀୟ ଗତିରେ ମୁଁ ବୁଝିନିଏ ଯେ ସେଦିନ ମୋ ଶରୀର ପ୍ରତ୍ୟେକ ଜୀବ ସହିତ ସଂଲଗ୍ନ କ୍ରିୟା ‘ଚଳନ ଶକ୍ତିର’ ଅଧିକାରୀ ହୋଇଗଲା । ତେଣୁ ମୁଁ ପୁଣି ମୋର ପୂର୍ବ ସ୍ଥିତପ୍ରଜ୍ଞ ସ୍ଥିତିକୁ ନିଜକୁ ଫେରେଇ ଆଣି ପ୍ରଭୁପାଦରେ ମନ ନିବେଶ କରିବାରେ ଲାଗିଲି । ତେଣେ ଜରାୟୁ ଭିତରେ ମୋ ଶରୀରର ଯଥା ପରିବର୍ତ୍ତନ ଆପେ ଆପେ ଘଟି ଚାଲିଥାଏ ।
       ସନାତନ ତା’ର ଜ୍ଞାତ ସିଦ୍ଧାନ୍ତ ଦୃଷ୍ଟି କୋଣରେ ସତ୍ତ୍ୱରୀମାର ଦହ୍ର ଭିତରେ ବଢୁଥିବା ତା’ର ସନ୍ତାନର ବୃଦ୍ଧି ସମ୍ବଦ୍ଧରେ ମଧ୍ୟ ଦିନରେ ନିଜ ବିଜ୍ଞାନାଗାରରେ କାମ କରୁଥିବା ସମୟରେ ଚିନ୍ତା କରେ । ତା’ର ପୋଥିଗତ ଜ୍ଞାନ ମୁତାବକ ଏହି ଅଷ୍ଟମ ସପ୍ତାହରେ ଶିଶୁଟିର ଲମ୍ବ ପ୍ରାୟ ଏକ ଇଞ୍ଚ ପାଖାପାଖି ହୋଇଥିବ । ଜରାୟୁର କାନ୍ଥରେ ଭ୍ରୁଣଦ୍ୱାରା ଆରୋପିତ ହେବ ‘ଫୁଲ’ ଯାହାକି ଶିଶୁଟିର ଜୀବନ ଉତ୍ସ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଫୁଲଠାରୁ ହିଁ ଶିଶୁଟି ନିଜର ଖାଦ୍ୟ ଗ୍ରହଣ କରିଥାଏ । ରକ୍ତ ସଂଚାଳନଠାରୁ ଆରମ୍ଭ କରି ଶରିରର ଉଷ୍ମତା ମଧ୍ୟ ଏହି ଫୁଲଠାରୁ ହିଁ ଯୁଗ୍ମଜର ବିକସିତ ହେବା ପରଠାରୁ ଅହରହ ଚାଲୁ ରହିଥାଏ । ଫୁଲ ଓ ଭ୍ରୁଣ ବା ଶିଶୁ ମଧ୍ୟରେ ସଂଯୋଜକର କାମ କରେ ନାଭିନାଡା । ନାଭିନାଡାର ଦୈର୍ଘ୍ୟ ପ୍ରାୟ  ୫୫ ରୁ ୬୦ ସେ.ମି ହୋଇଥିବା ସ୍ଥଳେ ଫୁଲର ଲମ୍ବପ୍ରାୟ ୨୨ ସେ.ମି., ଏହାର ମୋଟେଇ ୨ ରୁ ୨.୫ ସେ.ମି ଓ ଏହାର ଓଜନ ପାଖାପାଖି ୫୦୦ ଗ୍ରାମ ହୋଇଥାଏ । ଏହାର ମଧ୍ୟସ୍ଥଳ ଅଧିକ ମୋଟା ହୋଇଥିବା ସ୍ଥଳେ ଏହାର ଉଭୟ ଶୀର୍ଷ ସରୁ ହୋଇଥାଏ । ।
      ଏହି ଫୁଲଟି ଭ୍ରୁଣ ବା ଆଦ୍ୟ ଶିଶୁଟିର କେବଳ ଯେ ଖାଦ୍ୟ ସାମଗ୍ରୀର ଉତ୍ସ ଭାବେ କାର୍ଯ୍ୟ କରେ ତାହା ନୁହେଁ ତାହା ମଧ୍ୟ ଶିଶୁକୁ କୌଣସି ପ୍ରକାର ସଂକ୍ରମଣ କବଳରୁ ସୁରକ୍ଷା ପ୍ରଦାନ କରିଥାଏ । ଏହି ସମୟରେ ଶିଶୁଟିର ବୃଦ୍ଧି ଅସ୍ୱାଭାବିକ ଭାବେ ଘଟି ଚାଲେ । ଶିଶୁଟିର ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗର ଗଠନ ସହିତ ବାହ୍ୟ ଅଙ୍ଗର ଗଠନ ଓ ବିକାଶ ମଧ୍ୟ ଖୁବ୍ ତିବ୍ର ଭାବରେ ସଂଗଠିତ ହୋଇଥାଏ । ଏହି ସପ୍ତାହରେ ଶିଶୁଟିର ମସ୍ତିଷ୍କରେ ବିଦ୍ୟୁତ୍ ତରଙ୍ଗର ବିକାଶ ଼ହୋଇଥାଏ ଯାହାକି ଆଧୁନିକ ଜ୍ଞାନକୌଶଳ ଦ୍ୱାରା ଜଣା ଯାଇପାରିବ । ଆଙ୍ଗୁଠି ଗୁଡିକ ବଢିବାରେ ଲାଗନ୍ତି ମାତ୍ର ସତେଯେମିତି ଛନ୍ଦାଛନ୍ଦି ଥିଲା ଭଳି ଦୃଶ୍ୟମାନ ହୋଇଥାନ୍ତି । ବାୟୁକୋଷ, କାନ, ଆଖି , ଉପର ଓଠ, ନାକ ଗୁଡିକର ଗଠନ ପ୍ରକ୍ରିୟା ତ୍ୱରାନିତ୍ୱ ହେବାକୁ ଲାଗିଥାଏ । ଏହି ସମୟରେ  ହିଁ ଶିଶୁଟି ଚଳନ ଶକ୍ତିର ଅଧିକାରୀ ହୋଇଥାଏ । ନିଜେ ସ୍ୱୟଂସମ୍ପୂର୍ଣ୍ଣ ଭାବରେ ଚଳମାନ ହେବାର ଶକ୍ତି ସହିତ ସୂକ୍ଷ୍ମ ଶାରିରୀକ ଚଳନଶକ୍ତିର ମଧ୍ୟ ଲକ୍ଷଣ ତା’ ଭିତରେ ସଂଗଠିତ ହୋଇଥାଏ ।     ସତ୍ତ୍ୱରୀମାର ଆଭ୍ୟନ୍ତରୀଣ ପରିବର୍ତ୍ତନ ମଧ୍ୟରେ ଜରାୟୁର ଆକାର ଓ ଆୟତନ ପରିବର୍ତ୍ତନ ସହିତ ଜରାୟୁ ତା’ର ଆକାର ଓ ଆୟତନରେ ପରିବର୍ତ୍ତନ କରିଚାଲେ । 
      ସନାତନ ଭାବି ବସେ ଆମ୍ନିଓଟିକ୍ ଥଳି ଭିତରେ ଭ୍ରୁଣଟିର ବୃଦ୍ଧି ସହିତ ଜେଷ୍ଟେସନାଲ୍ ଥଳୀ ମଧ୍ୟରେ ଆମ୍ନିଓଟିକ୍ ଥଳୀର ମଧ୍ୟ ଅନୁରୂପ ବୃଦ୍ଧି ଘଟୁଥିବ । ଯେହେତୁ ବର୍ତ୍ତମାନ ଅଷ୍ଟମ ସପ୍ତାହ ଏହି ସମୟରେ ହିଁ ଆମ୍ନିଓଟିକ୍ ଥଳୀ ଭିତରେ ଧୀରେ ଧୀରେ ଆମ୍ନିଓଟିକ୍ ତରଳ ବା ଗର୍ଭପାଣି ଭରିବା ଆରମ୍ଭ ହୋଇଯିବଣି । ଏହି ଆମ୍ନିଓଟିକ୍ ତରଳ ବା ଗର୍ଭପାଣି ଭିତରେ ହିଁ ଭୃଣଟିର କ୍ରମ ବୃଦ୍ଧି ଘଟିଚାଲିଥିବ ଓ ଜନ୍ମ ପର୍ଯ୍ୟନ୍ତ ଏହି ଆମ୍ନିଓଟିକ୍ ଥଳୀ ଭିତରେ ଥିବା ଗର୍ଭଜଳ ି  ବା ଆମ୍ନିଓଟିକ ତରଳ ହିଁ  ଶିଶୁଟିର ଲାଳନପାଳନ ଦାୟୀତ୍ୱ ନିର୍ବାହ କରିଚାଲିବ । ଏହି ତରଳରେ ଅନେକ ପ୍ରକାର ଲବଣ, ଧାତୁ, ଶର୍କରା ଆଦି ଭୃଣର ଆବଶ୍ୟକତା ଅନୁସାରେ ସୃଷ୍ଟ ଜଠର ସଲଗ୍ନ ପ୍ଲାସେଣ୍ଟା ବା ଫୁଲଠାରୁ ନାଭିନାଡ ଦେଇ ଆମ୍ନିଓଟିକ୍ ନଳୀ ବା ଗର୍ଭଥଳୀ ଭିତରେ ପ୍ରବେଶ କରି ଚାଲିଥିବ । 
      ସତ୍ତ୍ୱରୀମା ଗର୍ଭସଙ୍ଗୀ ହେବାର ଦୁଇମାସ ହୋଇଗଲାଣି । ମଝିରେ ମଝିରେ କାଁ ଭାଁ କେତେବେଳେ ତାକୁ ଯଦିଓ ଓକାର ଦେଖାଏ ତଥାପି ସେ ଆଉ ସେ ପ୍ରତିକ୍ରିୟା ପ୍ରତି ବିଚଳିତ ନୁହେଁ । ନିଜକୁ କର୍ମତତ୍ପର ଆଗଭଳି ଅନୁରୂପ ରଖିଚାଲେ । ସନାତନର ଆଦେଶ ମୁତାବକ ନିଜର ଖାଇବା ପିଇବା ସହିତ ଶରୀରର ଯତ୍ନ ନେଇଚାଲେ । ହେଲେ ଏସବୁ ଭିତରେ ତା’ ମନ ଭିତରେ ଅହରହ ଭବିଷ୍ୟତର ଅନେକ ସ୍ୱପ୍ନ ତାକୁ ଆକଳ୍ପ ପ୍ରଦାନ କରୁଥାଏ । ସେ ହେବ ମା’ । ସ୍ୱପ୍ନ ବାନ୍ଧି ବସେ, ପୁଅଟିଏ ହେଲେ ସନାତନ ପରି ତାକୁ ଖ୍ୟାତନାମା ମଣିଷଟିଏ କରି ଗଢିବ । ଝିଅଟିଏ ହେଲେ ତା’ ଜୀବନ ଆସରରେ ଥିବା ସମସ୍ତ ଶ୍ରେଷ୍ଠଗୁଣ ଗୁଡିକୁ ତାକୁ ଶିଖେଇ ଦେବ । ଏ ସଂସାର ପ୍ରତି ତା’ ସନ୍ତାନ ହେବ ବିଭୁଙ୍କର ଆଶୀର୍ବାଦ । ଏ ଜଗତର ଅନେକ ବ୍ୟକ୍ତି ତା’ର ସନ୍ତାନର ଆବଶ୍ୟକତାକୁ ଚିରକାଳ ଅନୁଭବ କରିବେ । ଜଗତ ପାଇଁ ତା’ କର୍ତ୍ତବ୍ୟ ଓ କର୍ମରେ ସେ ହେବ ଅମର । ସେତେବେଳେ ତା’ରି ପ୍ରଶଂସା ଶୁଣି ଶୁଣି ଆମ ଜୀବନ ପିତାମାତା ହିସାବରେ ସାର୍ଥକ ହେବ । 
      ସତ୍ତ୍ୱରୀମାର ଅଭିନବ ଚିନ୍ତାଧାରା ଭିତରେ ସେ ସ୍ୱାର୍ଥବାଦୀ ନୁହେଁ ବରଂ ସେ ଜଗତର କଲ୍ୟାଣକୁ ନିଜ ସ୍ୱାର୍ଥ ସାମନାରେ ବିଶାଳ ମନେକରେ । ସେଇଥିପାଇଁ ତ ସେ ନିଜର ସନ୍ତାନର ଆବଶ୍ୟକତା ସ୍ୱସୁଖ ପରିବର୍ତ୍ତେ ଜଗତର ସୁଖ କଥା ଭାବିବାରେ ଲାଗେ । ମାତ୍ର ଏ ସବୁର ପରେ ବି ସେ ଏହା ଭୁଲେ ନାହିଁ ଏ ସବୁ ମୋର ମନର ସ୍ୱପ୍ନ ଯାହାର ସତ୍ୟତା ଅନିଶ୍ଚିତତାପୂର୍ଣ୍ଣ । ସତ୍ୟ କଣ ସେହି ଜଣକୁ ମାତ୍ର ଜଣା । ସେ କିପରି ଭାବରେ ମୋ ସନ୍ତାନକୁ ସୁନ୍ଦରତା ଦେବ କିପରି ଶକ୍ତି ଦେବେ ଓ କେଉଁ ସାମର୍ଥ୍ୟ ଦେବେ ତାହା କେବଳ ସେ ହିଁ ଜାଣନ୍ତି । ତାହା ପୂର୍ବ ନିର୍ଦ୍ଧାରିତ । ମୋ ଦହ୍ରରେ ରୋପିତ ହୋଇଥିବା ଜୀବ ତାର ପୂର୍ବ ଜୀବନ ଚକ୍ରର ପୂଣ୍ୟ କର୍ମ ଓ ପାପ କର୍ମର ଭାର ନିଜ ସହିତ ନେଇ କରି ଆସିଥିବ । 
       ସେ କର୍ମ ଗୁଡିକ ତା’ର ଏ ଜୀବନ ଜଳବାୟୁକୁ ବହୁଳ ଭାବରେ ପ୍ରଭାବିତ କରିବ ସେଥିରେ ଦ୍ୱିଧା ନାହିଁ । ମୋ ଗର୍ଭରେ ସିନା ତା’ ଜୀବାତ୍ମା ନିଜର ନୂତନ କଳେବର ନେଇ ଏ ଧରାପୃଷ୍ଠରେ ଜନ୍ମ ନେବ ହେଲେ ତା’ ଜୀବନ କାଳରେ ସେ ସୁଖୀ ହେବ ନା ଶାନ୍ତି ଅନ୍ୱେଷଣରେ ଚଳଚଞ୍ଚଳ ରହିବ ଏକଥା ସେହି ପରଂବ୍ରହ୍ମଙ୍କ ଛଡା କିଏ ବା ବୁଝିପାରିବ । ଏମିତି ହୋଇପାରେ ବସ୍ତୁବାଦ ଦୁନିଆରେ ସେ ଭୋଗବାଦର ମୋହରେ ଛନ୍ଦି ହୋଇ ଜୀବନର ଚିରସତ୍ୟକୁ ଭୁଲି ଯାଇପାରେ । ସେ ଯାହା ହେଉନା କାହିଁକି ସେ ଆମ ଦୁଇଜଣଙ୍କ ଜୀବନ ଶୈଳୀରେ ଅତି ମାତ୍ରାରେ ନିଶ୍ଚୟ ପ୍ରଭାବିତ ହେବ । 
      ସେ ଜାଣେ ଜୀବ ଚକ୍ରରେ ମନୁଷ୍ୟର ଏ ଦଶମାସର ଗର୍ଭସ୍ଥ ଯାତ୍ରା ଏକ ଅନନ୍ୟ ଯାତ୍ରା । ଏହି ସମୟରେ ମାର ସମସ୍ତ  କ୍ରିୟା କଳାପ ଉଦରସ୍ଥ ଶିଶୁଟିର ଜୀବନ ମାର୍ଗକ ନିର୍ଦ୍ଧାରଣ କରିବାରେ ମୂଖ୍ୟ ଭୁମିକା ଗ୍ରହଣ କରେ । ସେ ଜାଣିଛି ଅଭିମନ୍ୟୁ କଥା । ସେ ମଧ୍ୟ ଜାଣିଛି ଶୁକଦେବ ମୁନିଙ୍କ କଥା । ମାତୃଗର୍ଭର ଜ୍ଞାନ ବଳରେ ଶୁକେଦବ ମୁନୀ ବ୍ରହ୍ମଜ୍ଞାନୀ ପାଲଟି ଥିଲେ । ସିଦ୍ଧମୁନି ଭାବରେ ଏ ସଂସାରରେ ଯଶସ୍ୱୀ ହୋଇଥିଲେ । ମାତୃଗର୍ଘରୁ ହିଁ ଅଭିମନ୍ୟୁ ଚକ୍ରବ୍ୟୁହର ଭେଦ ଶିକ୍ଷାଲାଭ କରି ଆବଶ୍ୟକ ସମୟରେ ତାକୁ ପ୍ରୟୋଗ କରି ପାରିଥିଲେ । ତଥାପି ଏସବୁ ଜାଣିଲା ପରେ ମୋ ମନ ମୁତାବକ ମୋ ସନ୍ତାନର ଜୀବନ ଶୈଳୀକୁ ସମ୍ପୂର୍ଣ୍ଣ ବଦଳେଇ ଦେଇ ପାରିବି ଏହା ଭାବିବା ମୋ ପକ୍ଷରେ ମୁର୍ଖତା ହେବ । ତଥାପି ସେ ନିଜର ଜ୍ଞାନ ଗାରିମାର ଉପଯୋଗ କରିବ ତେଣିକି ସେହି ବିଶ୍ୱନିୟନ୍ତାଙ୍କର ଇଚ୍ଛା ଯାହାଥିବ ତାହା ହିଁ ଘଟିବ । 
      ସତ୍ତ୍ୱରୀମାର ଏଭଳି ସ୍ୱପ୍ନ ମଧ୍ୟରେ ମୁଁ ନିଜକୁ ହଜେଇ ଦିଏ । ମୋ ଆକଳ୍ପର ସୀମା ରହେ ନାହିଁ । ବାସ୍ତବରେ ଏଭଳି ମାତୃଗର୍ଭରେ ମୋତେ ସ୍ଥାନ ମିଳିବା ଏ ସବୁ ହିଁ ମୋର ଶେଷ ଯାତ୍ରାର ପରିପୂର୍ଣ୍ଣତାକୁ ହିଁ ସୁଚାଉଥାଏ ।

*******

ପଞ୍ଚମ ପକ୍ଷ



      ସତକଥା କହିବାକୁ ଗଲେ ସେଦିନ ମୋ ଯାତ୍ରରେ ସତ୍ତ୍ୱରୀମା ଗର୍ଭ ଭିତରେ ଯେଉଁସବୁ ପରିବର୍ତ୍ତନ ଗୁଡିକ ପ୍ରତି ନିମିଷକରେ ଘଟି ଚାଲିଥାଏ ସେଗୁଡିକ ମୁଁ ତୁମକୁ ସମ୍ପୂର୍ଣ୍ଣ କହି ପାରିବାଟା ଅସମ୍ଭବ । ମୁଁ ଯେତେବେଳେ ତୁମକୁ ଶରୀରର ବାହ୍ୟ ଅଙ୍ଗ ଗୁଡିକର ବୃଦ୍ଧି ସମ୍ପର୍କରେ କହୁଛି ସେତେବେଳର ଆଭ୍ୟନ୍ତରିଣ ଅଙ୍ଗ ଗୁଡିକର ବୃଦ୍ଧି କଥା ଗୁଡିକ ରହିଯାଉଛି । ତେଣୁ ମୁଁ ଯଦିଓ ସମସ୍ତ ବୃଦ୍ଧି, ବିକାଶ ଓ ପରିବର୍ତ୍ତନକୁ ସେଠାରେ ଅନୁକ୍ଷଣ କରିପାରେ, ପ୍ରତି ପରିବର୍ତ୍ତନର ଘଟଣା କ୍ରମକୁ ତୁମକୁ କହିବା ସମ୍ପୂର୍ଣ୍ଣ ଅସମ୍ଭବ । ତା ପରେ ବି ଆଉ ଗୋଟିଏ ମୌଳିକ କଥା ହେଲା ତୁମେତ ଗୋଟିଏ କ୍ଷଣରେ ମାତ୍ର ଗୋଟିଏ କଥା ହିଁ ଶୁଣିପାରିବ ନା? ତେଣୁ ଏ ଅତ୍ୟାଦ୍ଭୁତ ପରିବର୍ତ୍ତନର ସମସ୍ତ ଘଟଣା କ୍ରମ ଗୁଡିକୁ ତୁମ ସାମନାରେ ବ୍ୟାଖ୍ୟା କରିବା ଆଦ୍ୟୈ ସମ୍ଭବ ହିଁ ନୁହେଁ । ତଥାପି ଯେଉଁ ପରିବର୍ତ୍ତନ ଗୁଡିକ ମୁଖ୍ୟତଃ ମୋତେ ଭାବବିହ୍ୱଳ କରି ପକଉଥାଏ ତାହା ମୁଁ ତୁମ ଆଗରେ ପ୍ରକାଶ କରୁଛି ।
      ମୁଁ ପ୍ରାଣବାୟୁ ବା ଜୀବାତ୍ମା ରୂପେ ଯେଉଁ ମାଂସ ପିଣ୍ଡୁଳା ଭିତରେ ଥାଏ ତାହାର ଏହି ସପ୍ତାହରେ ଅଦ୍ଭୁତ ପରିବର୍ତ୍ତନ ହେବା ଆରମ୍ଭ ହୋଇଯାଏ । ଏହି ମାଂସ ପିଣ୍ଡୁଳା ଖଣ୍ଡକ ସିନା ପ୍ରତି ମୁହୁର୍ତ୍ତରେ ଧକ୍ ଧକ୍ ହେଉଥାଏ ମାତ୍ର ଏହି ମାଂସ ପିଣ୍ଡୁଳା ରୂପକ କୋଠରିରେ ଦୁଇଟି କାନ୍ଥ ନିର୍ମାଣ କାମ ଜୋରସୋର୍‌ରେ ଆଗେଇ ଚାଲିଥାଏ । ଦୀର୍ଘ ତିନିଦିନର କାମ ପରେ ହୃଦୟ ରୂପକ ମାଂସ ପିଣ୍ଡୁଳାଟି ମୋଟ ଚାରୋଟି କୋଠରିରେ ବିଭକ୍ତ ହୋଇଯାଏ । ମାତ୍ର ଚାରୋଟି କୋଠରୀ ଯାକ ପରସ୍ପର ସହିତ ରାସ୍ତା ଦ୍ୱାରା ସଂଯୁକ୍ତ ହୋଇଥାନ୍ତି । ଏଭଳି ସୂକ୍ଷ୍ମ ନିର୍ମାଣ ଶୈଳୀ ଆଉ ସୂକ୍ଷ୍ମ   କାରୁକାର୍ଯ୍ୟ ବୋଧହୁଏ ତୁମ ମାନବ ମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଅସମ୍ଭବ । କୋଷ ଭିତରେ କୋଷ ଖଞ୍ଜାହୋଇ ଏଭଳି ସୁନ୍ଦର କଳା କୃତି ନିର୍ମାଣ କରିବା ପ୍ରକୃତିର ପ୍ରତିଷ୍ଠା ରୂପେ ହିଁ ବିବେଚନା କରାଯାଇ ପାରିବ । ସବୁଠାରୁ ଆଶ୍ଚର୍ଯ୍ୟ କଥା, ଏଭଳି ନିର୍ମାଣ ଓ ପରିବର୍ତ୍ତନରେ କର୍ତ୍ତା ହିଁ କାରକରେ ଓ କାରକ ମଧ୍ୟ ବେଳେବେଳେ କର୍ତ୍ତାରେ ପରିଣତ ହୋଇଥାଏ । ହେଲେ ମାଂସ ପିଣ୍ଡୁଳାଟି ତା’ର ଅହରହ ସଙ୍କୁଚନ ଓ ପ୍ରସାରଣ ସେମିତି ଅହରହ ଚାଲୁ ରଖିଥାଏ । ମନୁଷ୍ୟ ନିର୍ମିତ ଘଣ୍ଟା ସିନା ପ୍ରତି ମୁହୁର୍ତ୍ତର ମୃତ୍ୟୁକୁ ଦର୍ଶାଇଥାଏ ଏଠି କିନ୍ତୁ ହୃଦୟ ରୂପୀ ମାଂସପିଣ୍ଡୁଳାର ଧକ୍ ଧକ୍ ପ୍ରତିଦଣ୍ଡର ଜୀବନକୁ ପ୍ରମାଣିତ କରେ । ଏ ସ୍ୱଂୟକ୍ରିୟ ଅବସ୍ଥା କୌଣସି ପରିସ୍ଥିତିରେ ମଧ୍ୟ ସ୍ଥାଣୁ ଅବସ୍ଥାକୁ ଆସିପାରିବ ନାହିଁ । ଏହା କେବଳ ସେହି ଅବସ୍ଥାରେ ସ୍ଥାଣୁ ଅବସ୍ଥାକୁ ଆସିବ ଯେତେବେଳେ ଏ ଜୀବର ଏ ଭବ ସଂସାରର ଖେଳାଲୀଳା ସରିଯିବ । 
      ଆଉ ସବୁଠ ଅନ୍ତର୍ନିହିତ କଥା ହେଉଛି ସେତେବେଳେ ମୁଁ ଆଉ ଏ ଘଟ ଭିତରେ ନଥିବି । ମୁଁ ଚାଲିଯାଇଥିବି ଦୂରକୁ, ଅନେକ ଦୂରକୁ । ଏତେ ଦୂରକୁ ଯେ ଏହି ମାଂସପିଣ୍ଡୁଳା ଖଣ୍ଡ ଭିତରକୁ ଆଉ ପୁନଃ ପ୍ରବେଶ ମଧ୍ୟ କରିପାରିବି ନାହିଁ । ଏ ଘଟ ଛାଡିବାର ଦଣ୍ଡ ବା ମୁହୁର୍ତ୍ତ ମୋ ଉପରେ ନିର୍ଭର କରେ ନାହିଁ । ସଂସାର ମାଲିକର ନିର୍ଦ୍ଦେଶରେ ସ୍ୱତଃପୁତ ଭାବେ ମୁଁ ଏ ସ୍ଥାନ ଛାଡି ଚାଲିଯିବି । ଏ ସବୁ ତାଙ୍କଦ୍ୱାରା ପୂର୍ବ ନିର୍ଦ୍ଧାରିତ । କାଳର ସମିପ ହେଲେ  ଆପେ ଆପେ ଏ ଶରୀର ସମୀଦ୍ଧ ହେବାକୁ ଯୋଗ୍ୟତା ଅର୍ଜ୍ଜନ କରି ବସିବ । 
      ଦିନ ଗଡିଗଡି ସେଦିନ ନବମ ସପ୍ତାହର ଚତୁର୍ଥ ଦିନ ଉପସ୍ଥିତ ହୁଏ । ମୋ ଅଧିଷ୍ଟିତ ଶରୀର ଭିତରେ ଯେଉଁ ସବୁ ପରିବର୍ତ୍ତନ ଗୁଡିକ ଯେଉଁ ପରିବେଶରେ ଘଟି ଚାଲିଥାଏ ତାକୁ ଏ ସାଧାରଣ ମଣିଷ ଆଦ୍ୟୈ ସହଜରେ ଉପଭୋଗ କରିପାରିବନି । ରୁଧିର ଓ ମାଂସର ଖୋଲା ଖୋଲି ଆଚାର ବ୍ୟବହାର ପୁଣି ସେ ନିଜ ପ୍ରଜାତିର ମାନବ ଶରୀରରେ କେଉଁ ମଣିଷ ବା ଦେଖିବାକୁ ଭଲପାଇବ । ହଁ ଏ ମାନବମାନଙ୍କ ମଧ୍ୟରୁ ଅନ୍ୟ ଜୀବମାନଙ୍କୁ ଏପରି କାଟିକୁଟି ଦେଖିପାରିଲା ଭଳି କେତେକଙ୍କ ପାଖରେ ଶକ୍ତିତ ଅଛି ତଥାପି ସମସ୍ତଙ୍କ ପାଖରେ ନାହିଁ । ହେଲେ ଏ ପରବ୍ରହ୍ମଙ୍କ ସୃଷ୍ଟିରେ ଏମିତି ଅନେକ ନୃଶଂସ ମଧ୍ୟ ଅଛନ୍ତି ଯେଉଁମାନେ ଏଭଳି ମନୁଷ୍ୟର ଖଣ୍ଡଖଣ୍ଡ ମାଂସପିଣ୍ଡୁଳା ଓ ରକ୍ତ ଜର୍ଜରିତ ଅବସ୍ଥାକୁ ଦେଖି ଉପଭୋଗ କରିପାରନ୍ତି ମାତ୍ର ସାଧାରଣ ମାନବ ପକ୍ଷେ ଏହା ଅସମ୍ଭବ । ଅନ୍ୟ ଏକ ବିଭତ୍ସତାକୁ ଏ ମାନବ ସମାଜ ନା କରିପାରିବନି ଯେ ନିଶାଶକ୍ତ ଅବସ୍ଥାରେ ମନୁଷ୍ୟ ଅନ୍ୟ ମନୁଷ୍ୟକୁ କାଟି ପାରେ ଖଣ୍ଡଖଣ୍ଡ କରିପାରେ ଓ ତା’ର ରକ୍ତର ହୁରି ଖେଳିପାରେ କାରଣ ନିଶାସକ୍ତ ଅବସ୍ଥାରେ ସେ ତା’ର ଚେତନା ଶକ୍ତିକୁ ହିଁ ସମ୍ପୂର୍ଣ୍ଣ ହରେଇ ବସିଥାଏ । ମାତ୍ର ନିଶାର ଉପରାନ୍ତେ ସେ ନିଜକୁ ଥୟ ଧରି ରଖି ପାରେନା । ବାହାରେ ଏ ମଣିଷ କଳେବର ଯେତିକି ସୁଢଳ ଓ ସୁ୍‌ନ୍ଦର ଭିତରେ ସେତିକି କଦର୍ଯଣ ଓ ଅପରିସ୍କାର ଏହା ସଂସାର ମାୟାର ମରିଚିକାରେ  ଏ ମଣିଷ ଭୂଲିବସେ ।
       ସନାତନ ଜାଣେ ଯେହେତୁ ସମୟ ଦଶମ ସପ୍ତାହର ସନ୍ନିକଟ ହୋଇ ଗଲାଣି ଆମ୍ନିଓଟିକ୍ ିଥଳୀ ଭିତରେ ବର୍ତ୍ତମାନ ଆମ୍ନିଓଟିକ୍ ତରଳ ମାତୃ ଗର୍ଭାଶୟ ଫୁଲରୁ ନାଭିନାଡା ଦେଇ ଅତି ସୂକ୍ଷ୍ମ ଭାବରେ ଓ ଅତ୍ୟନ୍ତ ଧୀର ଭାବରେ ପ୍ରବେଶ ଅହରହ କରିଚାଲିଥିବ । ଯେପରି ଶୁସ୍କ ମେଘର ବାଷ୍ପୀଭବନରେ ଅତି କ୍ଷୁଦ୍ର ଜଳରେଣୁ କୁଣ୍ଡାଝାଡିବା ପରି ଧରାପୃଷ୍ଠରେ ପଡିଥାଏ  ଠିକ୍ ସେହିପରି । ଏମିତି ବି ଆଜି ପର୍ଯ୍ୟନ୍ତ ଆଦ୍ର ପରିବେଷ୍ଟନି ମଧ୍ୟରେ ଭୃଣଟିର ବୃଦ୍ଧି ଓ ବିକାଶ ଘଟି ଚାଲିଥିଲା । ସେହି ଆଦ୍ର ପରିବେଷ୍ଟନିର ମୂଖ୍ୟ ସ୍ରୋତଥିଲା ଜେଷ୍ଟେସନାଲ୍ ଗର୍ଭଥଳୀରେ ଥିବା ପ୍ଲାଜ୍‌ମା ଭିତ୍ତିକ ଚାପ । ଏହା ଭୃଣର ବୃଦ୍ଧି ଓ ବିକାଶରେ ଆବଶ୍ୟକ ଜଳର ପରିମାଣକୁ ମେଣ୍ଟାଇ ଚାଲିଥିଲା । ଯେପରି ଧରିତ୍ରୀରେ ଆମେ କୌଣସି  ଗଛ ଲଗାଇଲେ ପ୍ରଥମେ ତା’ର ଚେରକୁ ଆମକୁ ଗଛ ଥାକିବା ପର୍ଯ୍ୟନ୍ତ ବା ମାଟିରେ ଚେର ନିଜର କାମ ଆରମ୍ଭ କରିବା ପର୍ଯ୍ୟନ୍ତ ଓଦା ରଖିବାକୁ ପଡିଥାଏ । ଏଠାରେ ଠିକ୍ ଅନୁରୂପ । ଯଦି ଆମେ କୌଣସି ବୃକ୍ଷର ରୋପଣ ସମୟରେ ଅତ୍ୟଧିକ ପାଣି ତା’ ମୂଳରେ ଜମା କରିଦିଏ ତେବେ ବୃକ୍ଷଟି ଅଚିରେ ମରି ଯାଇଥାଏ ମାତ୍ର ଏ ବୃକ୍ଷଟି ନିଜ ଚେର ଦ୍ୱାରା ଖାଦ୍ୟ ସଂଗ୍ରହ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଲା ପରେ ଅତ୍ୟଧିକ ପାଣି ଦେଲେ ବୃକ୍ଷଟିର ଅସୁବିଧା କିଛି ନଥାଏ । 
      ଅନ୍ୟ ଏକ ଦୃଷ୍ଟି କୋଣରୁ ବିଚାର କଲେ ଆମ ମନୁଷ୍ୟ ଶରୀର ପୃଥିବୀ ମାତା ପରି ତିନିଭାଗ ଜଳ ଓ ଏକ ଭାଗ ସ୍ଥଳରେ ଗଠିତ । ଏ ଶରୀର ଜଳ ସର୍ବଶ୍ୱ । ତେଣୁ ଏହାର ବୃଦ୍ଧି ଓ ବିକାଶ ଜଳରେ ହିଁ ସମ୍ଭବ । ଜଳ ହିଁ ଜୀବନ । ଜଳ ବିନା ଏ  ଜୀବର  ଅସ୍ତିତ୍ୱ ହିଁ ନାହିଁ । ତେଣୁ ସେଇଥି ପାଇଁ ପ୍ରକୃତି ସ୍ୱୟଂକ୍ରିୟ ଭାବରେ ଜରାୟୁରେ ଥିବା ଫୁଲ ମଧ୍ୟରୁ ଜଳକୁ ନାଭିନାଡା ଦେଇ ଆମ୍ନିଓଟିକ୍ ଥଳୀ ଭିତରେ ଜମା କରାଏ । ଏହି ଜଳ ପରିମାଣ କ୍ରମଶଃ ବୃଦ୍ଧି ହେବାରେ ଲାଗେ । ସେହି ଗର୍ଭ ଜଳ ଭିତରେ କେତେକ ଧାତବ ଲବଣ, ଅମ୍ଳଜାନ ଓ ଖାଦ୍ୟସାର ଇତ୍ୟାଦି ସେମାନଙ୍କର ସୂକ୍ଷ୍ମତ୍ତମ କଣିକା ରୂପରେ ଥାଇ ଶିଶୁଟିର ଖାଦ୍ୟ ପାନୀୟ ଠାରୁ ଆରମ୍ଭ କରି ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରି ଚାଲିଥିବେ । ଜରାୟୁର ଆକାର ଶିଶୁର ଆକାର ସହିତ ବଢି ବଢି ଚାଲିଥିବ । 
      ବର୍ତ୍ତମାନ ଜରାୟୁର ଆକାର ପ୍ରାୟ ଦେଢଇଞ୍ଚ୍ ପାଖାପାଖି ହୋଇ ଯିବଣି । ଯାହା ଭିତରେ ଶିଶୁଟି ଏକ ଜାମୁକୋଳି ଭଳି ବିଦ୍ୟମାନ ହୋଇଥିବ । ଶିଶୁ ଶରୀରର ଆଭ୍ୟନ୍ତରୀଣ ଅଙ୍ଗର ଯେଉଁ ଅନୁପାତରେ ବିକଷିତ ହୋଇଚାଲିଥିବ ବାହ୍ୟ ଅଙ୍ଗ ଗୁଡିକ ତୁଳନାତ୍ମକ ଭାବରେ ନିଜର ବୃଦ୍ଧି ଘଟାଇ ଚାଲିଥିବେ । ସତ୍ତ୍ୱରୀମାର ବାହ୍ୟ ଅଙ୍ଗ ମାନଙ୍କରେ ମଧ୍ୟ ଏକାଭଳି ପରିବର୍ତ୍ତନ ଦେଖିବାକୁ ମିଳିବ । ସତ୍ତ୍ୱରୀମାର ତଳିପେଟରେ ରକ୍ତ ଶିରା ଗୁଡିକ ଧୀରେ ଧୀରେ କଳାଗାରର   
ରୂପ ଧାରଣ କରିବାକୁ ଆରମ୍ଭ କରି ଦେବେଣି । ଜଠର ମଧ୍ୟରେ ଯଦିଓ ଉଲ୍ୱର ଆକାର ବଢିବାରେ ଲାଗିବଣି  ତାହା ବର୍ତ୍ତମାନ ସତ୍ତ୍ୱରୀମା ପେଟର ଉପରି ଭାବରେ ଦେଖା ନଯାଉଥିଲେ ସୁଦ୍ଧା ଏହା ଅନୁଭବ କରିହେବ । ଏହି ସମୟ ମଧ୍ୟରେ ସତ୍ତ୍ୱରୀମାର ଖାଦ୍ୟର ପରିମାଣ ସହିତ ଭରପୁର ପ୍ରୋଟିନ୍‌, ସ୍ନେହସାର, ଖାଦ୍ୟସାର, ଜୀବସାର  ଓ ଧାତୁସାରର ପରିମାଣ ଉପଯୁକ୍ତ ହେବା ଆବଶ୍ୟକ । ଅନ୍ୟ ଅର୍ଥରେ କହିବାକୁ ଗଲେ ସତ୍ତ୍ୱରୀମା ଯେତିକି ଖାଦ୍ୟ ସାଧାରଣ ଭାବରେ ଖାଏ ତା ଠାରୁ ଅଳ୍ପ କିଛି ଅଧିକ ନିଶ୍ଚିତ ରୂପେ ଖାଇବା ଆବଶ୍ୟକ । ସତ୍ତ୍ୱରୀମାର ଲ୍ୟୈହସାର ଅଭାବ ଯେପରି ଆଦୌ ନହୁଏ ସେଥିପ୍ରତି ଯତ୍ନବାନ ନେବାକୁ ପଡିବ । ସତ୍ତ୍ୱରୀମା ଯେତିକି ଫୁର୍ତ୍ତୀ ନିଜ ଶରୀରକୁ ରଖିବ ତା’ ଗର୍ଭରେ ବଢୁଥିବା ଶିଶୁଟି ମଧ୍ୟ ସେହିଭଳି ଭାବରେ ନିଜକୁ ସ୍ଫୁତିମନ୍ତ ମଣିବ । ତେଣୁ ସତ୍ତ୍ୱରୀମାକୁ ଏ ସବୁର ଯତ୍ନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସହିତ ନେବାକୁ ପଡିବ । ଏ ସମସ୍ତ କଥା ବିଚାର କରି ସନାତନ ଆବଶ୍ୟକ ମୁତାବକ ସବୁକିଛି ସତ୍ତ୍ୱରୀମାର ହାତ ପାଆନ୍ତାରେ ବ୍ୟବସ୍ଥା କରି ଦେଇଥାଏ ।
       ସତ୍ତ୍ୱରୀମାର ଉଚ୍ଛ୍ୱାସ୍ୱ ଅବର୍ଣ୍ଣନୀୟ । ଏହା ଅପ୍ରକାଶ୍ୟ । ମାତୃତ୍ୱ ଲଭିବାର ଆନନ୍ଦକୁ କେଉଁ ଭାଷାରେ କେଉଁ ଶୈଳୀରେ କିପରି ବା ପ୍ରକାଶ କରାଯାଇ ପାରିବ ତାହା ଅତ୍ୟନ୍ତ କାଠିକର ପାଠ । ଏହା ଏକ ଅନୁଭବ । ଅନୁଭବକୁ ଭାଷାରେ ଭାବାନ୍ତର କରିବାଟା ଜଟିଳ ପ୍ରକ୍ରିୟା । ତୁଳନାତ୍ମକ ପରିପ୍ରେକ୍ଷୀରେ ସନ୍ଧ୍ୟାର ଆଗମନ ପୂର୍ବରୁ ଦିବସର କ୍ଳାନ୍ତି ଭୁଲିବସି ପକ୍ଷୀଗଣ ଖୋଲା ଆକାଶରେ ନିଜ ନିଡକୁ ଲେଉଟୁଥିବାର ସେ ଯେଉଁ ଆନନ୍ଦ ମାତୃତ୍ୱଲାଭର ପ୍ରତୀକ୍ଷା ବୋଧହୁଏ ସେହିପରି ଆନନ୍ଦ ପ୍ରଦାନ କରିଥାଏ । ଜୋସ୍ନା ବିଧୈାତ ରାତ୍ରିରେ ପ୍ରିୟାର ପଣତକାନୀରେ ପ୍ରିୟ ଯେତେବେଳେ ନିଜର ମଥା ରଖି ଜୀବନର ଅନେକ ସ୍ୱପ୍ନୀଳ ମତୁଆଲା କଥା ମାନ କହି ଚାଲିଥାଏ ହୋଇପାରେ ସେପରି ଆନନ୍ଦ । ଗଛ ଡାଳରେ କପୋତ କପୋତି ଏକାଠି ବସି ପରସ୍ପରକୁ ଆଲିଙ୍ଗନ ରୀତିରେ ନିଜର ଥଣ୍ଟ ଦୁଇଟିକୁ ଘଷି ଚାଲିଥିବାର ଅନୁଭବର ଆନନ୍ଦ ବି ହୋଇପାରେ  କିମ୍ବା ଯୋଗାରୂଢ ସନ୍ୟାସୀ ଯୋଗର ଉପରାନ୍ତରେ ନିଜର ଚିର ଆକାକ୍ଷିଂତ ପ୍ରଭୁର ସାନ୍ନିଧ୍ୟ ଲାଭର ଆନନ୍ଦ ସହିତ ତୁଳନାତ୍ମକ ହୋଇପାରେ । 
      ତେବେ ଏ ମାତୃତ୍ୱର ଆନନ୍ଦ ଭିତରେ ଲୁଚି ରହିଥାଏ ସତ୍ୟତା, ପବିତ୍ରତା, ନିଷ୍କପଟତା ଓ ସେବା ଭାବ । ନିଜ ଉଦରର ଶିଶୁପାଇଁ ମା’ ସବୁକିଛି ଅତି ଉଲ୍ଲାସରେ ଗ୍ରହଣ କରିନିଏ । ଏଭଳି  କେତେ ଯେ ଶକ୍ତି ତା’ ମନ ଭିତରେ ସଞ୍ଚରି ଯାଏ ତାହା ଅମାପ । ସାତ ଦରିଆ ତେରନଇ ପାରିହେବାର କ୍ଷମତା ସେ ନିଜ ପଣତକାନୀରେ ବାନ୍ଧି ପକାଏ ତା’ ଗର୍ଭର ସନ୍ତାନ ପାଇଁ । ସେଦିନ ସତ୍ତ୍ୱରୀମା  ଠିକ୍ ସେହିପରି ଆନନ୍ଦ ଉଲ୍ଲାସରେ ଉଚ୍ଛ୍ୱସିତ । ସତେଯେମିତି ସଂସାରର ସବୁ ଖୁସିକୁ ଭଗବାନ ଅଜାଡି ଦେଇଛନ୍ତି ତା’ପଣତକାନୀ ଭିତରେ । ଆଉ ତା’ ମନର ସମସ୍ତ 
     ଜିଗୀଷାକୁ ଅଚିରେ ପୂରଣ କରିବାକୁ ତା’ପାଇଁ ସମସ୍ତ ସୁଚିନ୍ତିତ ବ୍ୟବସ୍ଥା ମଧ୍ୟ କରି ଚାଲିଛନ୍ତି ସେହି ପରମେଶ୍ୱର । 
      ଦଶମ ସପ୍ତାହର ଆଦ୍ୟ ଦିନ ବେଳକୁ ମୋ ବାସସ୍ଥଳୀଟି ଧୀରେ ଧୀରେ ଜଳାର୍ଣ୍ଣବ ହୋଇ ସାରିଥାଏ । ଗର୍ଭଜଳ ଗର୍ଭକୋଷ ସଲଗ୍ନ ଫୁଲରୁ ନାଭିନାଡା ଦେଇ ମୋ ବାସ ସ୍ଥଳୀରେ ପ୍ରବେଶ କରିଥାଏ । ଅଦ୍ଭୁତ ସେ ପ୍ରକ୍ରିୟା । ମୋ ଅଧିଷ୍ଟିତ ଶରୀର ପାଇଁ ଯେଉଁ ଗର୍ଭଜଳ ମାତୃ ଗର୍ଭରୁ ନାଭିନାଡ ଦେଇ ପ୍ରବେଶ କରୁଥାଏ ତାହାର ଗୁଣ ହେଉଛି ଚମତ୍କାର । ସମ୍ପୂର୍ଣ୍ଣ ଶୁଦ୍ଧ । ସେଥିରେ ନାହିଁ କେଉଁ ଜୀବାଣୁ, ବୀଜାଣୁ, ଡିମ୍ବାଣୁ ବା ଭୁତାଣୁର ଉପସ୍ଥିତି । ତାହା କେତେକ ଧାତବ ଆୟନ, ଖାଦ୍ୟସାର ଦ୍ୱାରା ଏପରି ପ୍ରସ୍ତୁତ ଯାହା ବିଦ୍ୟୁତ ତରଙ୍ଗ ସୁପରିବାହୀ । ସବୁଠାରୁ ବିସ୍ମୟ ଯାହା ମନୁଷ୍ୟ ଆଜି ପର୍ଯ୍ୟନ୍ତ କରିପାରି ନାହିଁ ତାହା ହେଲା ଏହି ଗର୍ଭଜଳ ଦେଇ ଆବେଗିକ ତରଙ୍ଗର ପ୍ରବାହ । ମାନବ ସିନା ବିଦ୍ୟୁତ୍ ସୁପରିବାହୀ ପଦାର୍ଥମାନ ଆବିଷ୍କାର କରିଛି ଆଉ ଆକାଶରେ ବିଦ୍ୟୁତ୍ ତରଙ୍ଗ ଦ୍ୱାରା ଏ ସ୍ଥାନରୁ ସେ ସ୍ଥାନକୁ ବାର୍ତ୍ତା ପ୍ରେରଣ ଅବା ଦୂରଦୂରାନ୍ତରେ ରହି ପରସ୍ପର ଭିତରେ ବାର୍ତ୍ତାଳାପ କରିବା ଅବା ପରଷ୍ପରକୁ ଦେଖିବାର ସୁଯୋଗ ସୃଷ୍ଟି କରିପାରିଛି ମାତ୍ର କୌଣସି ଏପରି ମାଧ୍ୟମର ଆଜି ପର୍ଯ୍ୟନ୍ତ ଉଭାବବନ କରିପାରିନି ଯାହା ଦେଇ ଜଣଙ୍କର ଭାବନାକୁ ଅନ୍ୟଜଣକ ମସ୍ତିଷ୍କ ଓ ଶରୀର ଭିତରେ ପ୍ରବେଶ କରେଇ ପାରିବ । 
      ଆବେଗିକ ତରଙ୍ଗର ପରିବହନ ପାଇଁ ଏଭଳି ଅତ୍ୟଦ୍ଭୁତ ତରଳ ପଦାର୍ଥର ବ୍ୟବହାର ଆଜି ପର୍ଯ୍ୟନ୍ତ ମନୁଷ୍ୟ କରିବାରେ ସକ୍ଷମ ହୋଇ ନାହିଁ । ଏ ଗର୍ଭ ଜଳର ଚକିତ କଲାଭଳି ଗୁଣ ହେଉଛି ସତ୍ତ୍ୱରୀମାର ଭାବବେଗରେ ଯେଉଁ ପରିବର୍ତ୍ତନ ଆସେ ତାହା କ୍ଷଣିକ ମଧ୍ୟରେ ମୋ ସ୍ଥିତ ଶରୀର ଅନୁଭୁତ କରେ । ମୁଁ ତା’ ଭିତରେ ଥାଇ ତାହା ଅନୁଭବ କରିପାରେ । ସତ୍ତ୍ୱରୀମାର ମନ ଉଦାସରେ, ମୋ ସ୍ଥୁଳଘଟର ମନ ବି ଉଦାସ ହୋଇଯାଏ । ଆଉ ସତ୍ତ୍ୱରୀମାର ହସରେ ଏ ଶରୀର ବି ହସେ । ଏ କି ଅଦ୍ଭୁତ । ଏପରି ସଂଯୋଗ ତାହା କେବଳ ସର୍ଜ୍ଜନାର ମୂଳ ହିଁ କରିପାରିବେ । ମନୁଷ୍ୟ କାହିଁ ଆଜି ପର୍ଯ୍ୟନ୍ତ ଏମିତି କିଛି ଯନ୍ତ୍ର ଗଢିପାରିନି ଯାହା ବ୍ୟବହାର ଫଳରେ ଗୋଟିଏ ମା’ର ଶରୀର କଷ୍ଟ ଅନୁଭବ କରିଲେ ତା’ର ପୁତ୍ରର ଶରୀର କଷ୍ଟ ଅନୁଭବ କରିବ । ଗୋଟିଏ ଜରାଜୀର୍ଣ୍ଣ ବାପାର ସ୍ୱାସ୍ଥ୍ୟ ଖରାପ ହେଲେ ତା’ ପୁତ୍ରର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବ । 
      ହେଲେ ଏ ଗର୍ଭଜଳର ପ୍ରସ୍ତୁତି ଏତେ ଜଟିଳ ଓ ଏତେ ଅବୁଝା ତାହା ଚିନ୍ତାବି କରିହେବନି
ା ସତ୍ତ୍ୱରୀମାର ଦେହ ଟିକେ ଉଷୁମ ଲାଗିଲେ ମୋ ଅଧିଷ୍ଠିତ ଶରୀର ବି ଉଷୁମ ହୋଇ ଯାଉଥାଏ । ସତ୍ତ୍ୱରୀମାକୁ ବାନ୍ତି ଦେଖେଇଲେ ମୋ ଅଧିଷ୍ଠିତ ଏ କ୍ଷୁଦ୍ର ଜୀବ ବାନ୍ତି ଅନୁଭବ କରେ । ଏ କି  ଆଶ୍ଚର୍ଯ୍ୟ । ବୁଝି ହେଉନଥାଏ କେଉଁଭଳି ସୁକ୍ଷ୍ମ ପରିବହନ କ୍ଷମତା ସେ ଗର୍ଭ ତରଳରେ ବିଶ୍ୱସ୍ରଷ୍ଟା ଭରି ଦେଇଛନ୍ତି । ତାହା ତୁମେ ଟିକେ ଅନୁଭବ କର, ଚିନ୍ତାକର  ଦେଖିବ ତୁମେ ବି ଭାବବିହ୍ୱଳ   
ହୋଇପଡିବ । ତୁମେ ଏଥିରୁ ପ୍ରେରିତ ହେବା ଆବଶ୍ୟକ । ବୃଦ୍ଧାବସ୍ଥାରେ ବୃଦ୍ଧା ମା’ ସହିତ ନିଜ ସନ୍ତାନ ମଧ୍ୟରେ ଏପରି ଗୋଟିଏ ମାଧ୍ୟମ ନିର୍ମାଣ କରିପାରନ୍ତ ଯାହା ଫଳରେ ଅସହାୟ ବୃଦ୍ଧା ମା’ଟିର କଷ୍ଟ ତା’ ସନ୍ତାନ ମାନଙ୍କୁ  ଅନୁଭବ ଆପେ ଆପେ ହୁଅନ୍ତା । 
      ମୁଁ ଆଜି ମୋ ସ୍ଥିତ ଶରୀର ଭିତରେ ନିଜକୁ ଆଉ ପୂର୍ବଭଳି ସେତେ ସହଜ ମଣୁନଥାଏ । ମୋ ସ୍ଥିତ ଶରୀର ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଜଳ ଭିତରେ ଅବସ୍ଥିତ ।
      ତେଣେ ସନାତନ  ଭାବି ବସେ ଏହି ଦଶମ ସପ୍ତାହରେ ହିଁ ଶିଶୁଟିର ଶରୀରର ହାଡ ଗୁଡିକ ଗଠନ ହେବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବ । ଶିଶୁଟିର ଶାରୀରିକ ବୃଦ୍ଧି କ୍ଷିପ୍ର ଗତିରେ ଆଗେଇ ଚାଲିଥିବ । ଯଦିଓ ସବୁବେଳେ ଆମ୍ନିଓଟିକ୍ ତରଳରେ ବୁଡିକରି ଥିବ ତାହାର ଆକାର, ମନୁଷ୍ୟ ଶରୀରାକୃତି ଭଳି ଅନୁରୂପ ଦେଖାଯିବଣି । ଏହି ସପ୍ତାହରେ ଶିଶୁର ପ୍ରଥମ ଦାନ୍ତର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିବ । ମାଢି ସହିତ ଦାନ୍ତର ନିର୍ମାଣ ନିଜସ୍ୱ ଶୈଳୀରେ ଚାଲିଥିବ । ଶିଶୁଟିର ପାକସ୍ଥଳୀ ବର୍ତ୍ତମାନ ହଜମ କରିବାପାଇଁ ଆବଶ୍ୟକ ତରଳକୁ ତିଆରି କରିବା ଆରମ୍ଭ କରି ସାରିବଣି । ଏହି ସମୟରେ ସତ୍ତ୍ୱରୀମା କୋଷ୍ଠ କାଠିନ୍ୟ ଭଳି ଶାରିରୀକ ସମସ୍ୟାକୁ ସାମନା କରିବା ଆରମ୍ଭ ହୋଇ ପାରେ । ମାତ୍ର ଯେହେତୁ ସତ୍ତ୍ୱରୀମାର ଶାରିରୀକ ସୁସ୍ଥତା ପୁରାପୁରି ଠିକ୍ ତେଣୁ ଏ ସମସ୍ୟାଟି ତା’ପାଇଁ ଏତେ ବଡ ସମସ୍ୟା ହୋଇ ରହିବ ନାହିଁ । ଏହା ସହଜରେ ଦୂର ହୋଇଯିବ । ଏହି ସମୟରେ ସତ୍ତ୍ୱରୀମାର ତଳିପେଟ ଏକ ଛୋଟ ଗୋଲାକାର ଅବସ୍ଥା ଧାରଣ କରି ଚାଲିଥିବ । ଆଉ ତା’ର ତଳିପେଟ ଉପରେ ଶିରା ପ୍ରସିରା ଗୁଡିକ ପୁରାପୁରି କଳା ଦାଗ ଭଳି ବାରି ହୋଇ ପଡୁଥିବ ।
      ଏହି ସମୟରେ ମା’ର ରକ୍ତ ଧାରଣ କ୍ଷମତା ସହିତ ତା’ର ଶିରା ପ୍ରସିରାରେ ରକ୍ତ ସଂଚାଲନ କ୍ଷମତା ପାଖାପାଖି ପଚାଶ ପ୍ରତିଶତ ବଢିଯାଇଥାଏ । ଏହାର ମୂଖ୍ୟ କାରଣ ହେଲା ଶିଶୁ ପାଇଁ ଆବଶ୍ୟକ ପଡୁଥିବା ରକ୍ତ ଏହି ମା’ ଶରୀରହିଁ ଯୋଗାଇ ଥାଏ । ଏଭଳି ମୁହୁର୍ତ୍ତରେ ସତ୍ତ୍ୱରୀମାର ଭାବଗତ ପରିବର୍ତ୍ତନ ଅବଶ୍ୟାମ୍ଭାବୀ ଭାବରେ ହୋଇପାରେ ।  ହେଲେ ସତ୍ତ୍ୱରୀମାର ଏ ଭାବଗତ ପରିବର୍ତ୍ତନ ବହୁତ ସୁନ୍ଦର ଯେହେତୁ ସେ ଆଧ୍ୟ୍ୟାତ୍ମବାଦର ଆଢୁଆଳରେ ନିଜ ଜୀବନକୁ ପୁରାପୁରି ଘୋଡେଇ ରଖିଛି ।
      ସତ୍ତ୍ୱରୀମାର ସନ୍ତେଷ କଥା କିଏ ବା କହିପାରେ । ତା’ ପ୍ରାଫୁଲ୍ୟର ପଟ୍ଟାନ୍ତର ନାହିଁ । ତା’ ମନ୍ଦସାନରେ ମନ୍ଦ ମନ୍ଦ ମଳୟ ସେଦିନ ତା’ର ସାଥୀ । ଜୀବନର ନୈସର୍ଗୀକତାର ଆକଳ୍ପ ତା’ ପାଇଁ ପ୍ରାଚୁର୍ଯ୍ୟ । ବିଦ୍ୱେଷରହିତ ଏକ ଶାନ୍ତ ସରଳ ମନ ଏ ଜନ୍ମର ସମସ୍ତ ସୁଖ ସୌନ୍ଦର୍ଯ୍ୟ ଭିତରେ ଆତ୍ମହରା । ଜୀବନକୁ ସେ ଭରପୁର ଅନୁଭବ କରି ଚାଲିଥାଏ । ପରିବାରର ସମସ୍ତ ସଦସ୍ୟଙ୍କୁ ବାଣ୍ଟି ଚାଲିଥାଏ ନିଜର ସ୍ନେହ ଓ ପ୍ରିତୀ । ନଥାଏ ତା’ ମନରେ କାଣିଚାଏ ହେଲେ ଗ୍ଳାନି କିମ୍ବା   ଅବସାଦ । ଏ ସବୁର ପରେ, ବିଭୁ ପ୍ରେମରେ ନିଜକୁ ହଜେଇ ଦେଇ ସେ ସାଉଁଟି ଚାଲିଥାଏ ଏ ମନୁଷ୍ୟ ଜୀବନର ପ୍ରକୃତ ମନ୍ତ୍ରକୁ । ବେଳେବେଳେ ମାତୃତ୍ୱ ଲାଭର ଆକାଂକ୍ଷାରେ ଅଧିର ହୋଇ ପଡେ । ମାୟା ସଂସାରର ମାୟା ଫାଶରେ ନିଜ ମନକୁ ମନ୍ଦିତ କରି ନିଜର ସମସ୍ତ କର୍ତ୍ତବ୍ୟ ଓ କର୍ମକୁ କରିଚାଲେ । ସମୟେ ସମୟେ ଏକାନ୍ତରେ ନିଜ ଶୟନ ଗୃହରେ ନିଜ ଶରୀରକୁ ଅନୁକ୍ଷଣ କରି ନିଜ ଉଦର ଉପରେ ହାତ ବୁଲେଇ ଆଣି ଅନୁଭବ କରେ ନିଜ ସନ୍ତାନର ଉପସ୍ଥିତିକୁ । ହଜିଯାଏ ଏକ ଆକସ୍ମିକ ଶାନ୍ତିରେ । ମନ ତା’ର ପ୍ରଫୁଲିତ ହୋଇ ଉଠେ । ନିଜ ଶାରିରୀକ ପରିବର୍ତ୍ତନକୁ ସେ ମନେ ମନେ ଉପଭୋଗ କରିଚାଲେ । ନିଜ ଉଦରର ଢାଞ୍ଚା ପରିବର୍ତ୍ତନକୁ ଅନୁଭବ କରି ରୋମାଞ୍ôଚତ ହୋଇ ଉଠେ ଏକ ଆବେଗିକ ସୁଖରେ । 

*******

ଷଷ୍ଠ ପକ୍ଷ


     ଏକାଦଶ ସପ୍ତାହ ବେଳକୁ ମୋର ପୀଡା କ୍ରମଶଃ ବଢି ବଢି ଚାଲେ । ମୋତେ ସେ ଜଳାର୍ଣ୍ଣବ ଗର୍ଭଥଳୀ ଭିତରେ ଅଣନିଶ୍ୱାସୀ ଲାଗେ । କେତେଦିନ ଧରି ମୋର ଆଉ ଏ ଜଳଯାତ୍ରା ତାହା ମୁଁ କଳ୍ପନା ବି କରିପାରେନା । ପ୍ରତି ମୁହୁର୍ତ୍ତରେ ମୋର ସମୟ ଗୁଡିକ ଏକ ବ୍ୟାକୁଳତା ଭରା ପ୍ରତିକ୍ଷା ଭିତରେ କଟିବାରେ ଲାଗେ । ମତ୍ସ୍ୟ ଅବତାରରେ ଥିବା ମୋର ଶରୀରର ଲାଞ୍ଜ ସ୍ୱରୂପ  ଅବୟବ ଧୀରେ ଧୀରେ କ୍ଷୀଣ ହୋଇ ସମ୍ପୂର୍ଣ୍ଣ ଶରୀରରେ ପରିିବର୍ତ୍ତିତ ହୋଇ ଚାଲେ । ମୋର ଅଧିଷ୍ଟିତ ଶରୀର ଏକ କତ୍ସ୍ୟପର ଆକାର ଧାରଣ କରି ଗର୍ଭଥଳୀ ରୂପକ ବକ୍‌କଳ ଭିତରେ ପୁରାପୁରି ଇତସ୍ତତ ଭାବରେ ରହେ । ମୋର କ୍ଷୁଦ୍ର ହାତ ଗୋଡ ଗୁଡିକ ଛନ୍ଦାଛନ୍ଦି ହୋଇ ମୋର ଶରୀରକୁ ଲାଗି ରହିଥାନ୍ତି । ସତେଯେପରି ମୁଁ ଦଶ ଅବତାର ମଧ୍ୟରୁ ସେତେବେଳେ ଦ୍ୱିତୀୟ ଅବତାର କଚ୍ଛପ ଅବତାରରେ ଆସୀନ । ମୋର ପରଂବ୍ରହ୍ମ ପରମାତ୍ମାଙ୍କ ସହିତ ନିତ୍ୟ ନୈମିତ ଯୋଗକୁ ମୁଁ ସେମିତି ବଳବତ୍ତର ରଖିବାକୁ ପ୍ରୟାସ ରତ ଥାଏ ସତ ପରନ୍ତୁ ସେ ଗର୍ଭଜଳରେ ସ୍ଥିତ ଶରୀର ଭିତରେ ରହି ମୋର ସେ ସୁକ୍ଷ୍ମ ଚେତନାକୁ ନିଜ ଆୟତ ଭିତରେ ରଖିବାଟା ସମୟେ ସମୟେ ଅସମ୍ଭବ ହୋଇ ପଡେ ।  
      ସତକଥା କହିବାକୁ ଗଲେ ଏ ଯୋନି ଜନ୍ମର ଯନ୍ତ୍ରଣା କେତେ, ତାହା ମୁଁ ତୁମ ଆଗରେ  ସମ୍ପୂର୍ଣ୍ଣ ପ୍ରକାଶ କରି ପାରିବାରେ ସଫଳ ହେଲାପରି ମନେ ହେଉନାହିଁ । ଏକଥା କିନ୍ତୁ ଚିର ସତ୍ୟ ଯେ ମୋ ପରି ଯେଉଁ ଆତ୍ମା ଏ ମାତୃଗର୍ଭର ଜ୍ଞାନକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ ପାରିବ ସେ ବୋଧହୁଏ ଏ ମାୟା ସଂସାରରେ ଆଉ କୌଣସି ପରିସ୍ଥିତିରେ ହିଁ ଜନ୍ମ ନେବାକୁ ଅଭିଳାଷ ପୋଷଣ କରିବ ନାହିଁ । ଏ ପାର୍ଥିବ ସଂସାର ଯେତିକି ସୁନ୍ଦର ଏ ମାତୃଗର୍ଭ ତଦନୁସାରେ ଅସୁନ୍ଦର । ହେଲେ ପରମାତ୍ମାଙ୍କର ଏ ବିବିଧତା ଭରା ମାତୃଗର୍ଭର ସଂରଚନାଯେ ଅତ୍ୟନ୍ତ ଅନନ୍ୟ ଆଉ ଏହା ଜୀବନସୃଷ୍ଟିର ମାଧ୍ୟମ ଏଥିରେ ତ କେହି ଦ୍ୱିମତ ହୋଇ ପାରିବେ ନାହିଁ । ମାତ୍ର ଏପରି ପରିବେଷ୍ଟନୀରେ ଜନ୍ମ ପରର ମନୁଷ୍ୟ ନିଜର ଧୈର୍ଯ୍ୟ ଆଦ୍ୟୈ ରଖିପାରିବ ନାହିଁ ଏହା ସତ୍ୟ । ତା’ପାଇଁ ଏଠାର ପରିବେଶ ଅତ୍ୟନ୍ତ କଦର୍ଯ୍ୟ ପୂର୍ଣ୍ଣ । ଏ ଗର୍ଭ ଗୃହରେ ଜୀବନ ଯେ କେତେ ନାରଖାରିଆ ସବୁ ଜୀବ ତ ଅନୁଭବ ନିଶ୍ଚୟ କରୁଥିବେ ମାତ୍ର ଜନ୍ମ ପରେ ସମସ୍ତେ ହୁଅନ୍ତି ହତଚେତା । ହେଲେ ମୋର ପୁତଃ ପବିତ୍ର ଶେଷ ଯାତ୍ରାରେ ମୁଁ ନିଶ୍ଚିତ ରୂପେ ଏ ଗର୍ଭଗୃହ ଯନ୍ତ୍ରଣାଦାୟୀ ଜ୍ଞାନକୁ କେବେ ବି ପାଶୋରିବି ନାହିଁ ଏହା ମୋର ଦୃଢ ନିଶ୍ଚୟ । ସେଥିପାଇଁ ଆଜି ମଧ୍ୟ ମୁଁ ମୋର ପ୍ରଭୁପାଦରେ ଧ୍ୟାନରତ । 
      ମୁଁ ଶୁକ ମୁନିଙ୍କର ପଦାଙ୍କ ଅନୁସରଣ ରତ । ଶୁକମୁନି ଥିଲେ ସଂସାରର ଏପରି ମହାତ୍ମା ଯେକି ମାତୃଗର୍ଭ ଜ୍ଞାନକୁ ହେତୁ କରି ସଂସାରରେ ସିଦ୍ଧମୁନି ରୂପରେ ପରିଗଣିତ ହୋଇଥିଲେ । ଏ ମାୟା ସଂସାରର ତଣ୍ଡକ ତାଙ୍କୁ ସ୍ପର୍ଶ କରିପାରି ନଥିଲା । ସେ ହୋଇଥିଲେ କାଳଜୟୀ ଓ ପରମେଶ୍ୱରଙ୍କର ପ୍ରିୟ । ତେଣୁ ମୁଁ ମଧ୍ୟ ଏ ମାତୃ ଗର୍ଭର ପ୍ରତ୍ୟେକ ଜ୍ଞାନକୁ ଆହରଣ ସହିତ ଅନୁଭବ କରିବାକୁ ପ୍ରସ୍ତୁତ । ଏ ସମସ୍ତ କଷ୍ଟ ଓ କ୍ଳେଶକୁ ମୁଁ ଅକ୍ଳେଶରେ ସହି ପ୍ରତ୍ୟେକ ଦଣ୍ଡକୁ ସେହି ପରବ୍ରହ୍ମ ପରମାତ୍ମାଙ୍କ ପାଖରେ ନିଜକୁ ସମର୍ପଣ କରି ଏ ଭବଜାତନାର ମହାକୁମ୍ଭକୁ ଆଉ ଫେରିବି ନାହିଁ ।
      ସନାତନ ଆଜି ତା’ର ସମସ୍ତ ଗ୍ରନ୍ଥଗତ ଜ୍ଞାନର ସତ୍ୟତାକୁ ଅନୁଭବ କରିବାରେ ବ୍ୟସ୍ତ । ପ୍ରତି ମୁହୁର୍ତ୍ତରେ ସେ ଏକ ନୀରବ ସାଧକ ଭଳି ଶାସ୍ତ୍ରଗତ ଜ୍ଞାନ ଓ ସତ୍ତ୍ୱରୀମା ଅପନ୍ନସତ୍ତ୍ୱା ହେବା ପରଠାରୁ ତା’ର ଶାରୀରିକ ଓ ମାନସିକ ପରିବର୍ତ୍ତନ ମଧ୍ୟରେ ସାମଞ୍ଜସ୍ୟ ଓ ପାର୍ଥକ୍ୟକୁ ସୂକ୍ଷ୍ମାତୀସୂକ୍ଷ୍ମ ଭାବରେ ନିରୀକ୍ଷଣ କରିଚାଲିଛି । ତା’ର ପୋଥିଗତ ଜ୍ଞାନ କହେ ଏହି ଏକାଦଶ ସପ୍ତାହରେ ଭୃଣଟି ଏକ ସମ୍ପୂର୍ଣ୍ଣ ମାନବର ରୂପ ଧାରଣ କରିବ । ଯଦିଓ ଏହି ମାନବ ରୂପଟି ଦଶମ ସପ୍ତାହରୁ ଅଷ୍ପଷ୍ଟ ଭାବରେ ପ୍ରତୀୟ ମାନ ହେବା ଆରମ୍ଭ ହୋଇଥିବ ହେଲେ ଏ ଏକାଦଶ ସପ୍ତାହ ବେଳକୁ ଏହା ଏକ ପରିପୂର୍ଣ୍ଣ ମାନବ କାୟା ଭଳି ଦୃଶ୍ୟମାନ ହେବ । 
      ଶିଶୁ ଶରୀରର ସମସ୍ତ ହାଡ ବର୍ତ୍ତମାନ ଗଠନ ହେବାର ସମୟ । ହାଡ ଗୁଡିକର ବୃଦ୍ଧି ସହିତ ଶିଶୁଟିର ଶାରିରୀକ ସଂରଚନା ମୁତାବକ ନିଜ ନିଜର ଆକୃତି ସ୍ୱତଃ ଗଠନ ହୋଇ ଚାଲିଥିବ । ଶିଶୁଟିର ମୁହଁ ବର୍ତ୍ତମାନ ତା’ର ସମସ୍ତ ପାରିବାରିକ ଅଙ୍ଗମାନଙ୍କୁ ନେଇ ସ୍ୱୟଂ ସମ୍ପୂର୍ଣ୍ଣ ହୋଇ ସାରିଥିବ । ହେଲେ ଦଶମ ସପ୍ତାହରେ ଶିଶୁଟିର ଆଖି ଦୁଇଟିର ଗଠନ କାମ ଶେଷ ହେବା ପରେ ଏ ସପ୍ତାହରୁ ଶିଶୁଟିର ଆଖିର ପଲକ ବନ୍ଦ ହୋଇ ଗର୍ଭର ଦୀର୍ଘ ପାଞ୍ଚ ମାସରୁ ଛଅ ମାସ ଯାଏଁ ସେହି ମୁଦ୍ରିତ ଅବସ୍ଥାରେ ହିଁ ରହିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚାରି ସେଣ୍ଟିମିଟର ଦୈର୍ଘ୍ୟର ଶିଶୁଟି ବର୍ତ୍ତମାନ ତା’ର ଶରୀରର ପ୍ରତ୍ୟେକ ଅଙ୍ଗକୁ ଗୋଟିଏ କ୍ଷୁଦ୍ର କୀଟ ପରି ଚଳମାନ  କରିବାକୁ ଆରମ୍ଭ କରିଦେଇଥିବ । ଏହି ସପ୍ତାହରେ ହିଁ ଛନ୍ଦା ଛନ୍ଦି ହୋଇ ରହିଥିବା ହାତଗୋଡ ଦୁଇଟି ଆପେ ଆପେ ଖୋଲିବାରେ ଲାଗିବ ଓ ଚଳନ ଶକ୍ତିର ଅଧିକାରୀ ହୋଇଯିବ । ଶିଶୁଟି ସମ୍ପୂର୍ଣ୍ଣ ଆମ୍ନିଓଟିକ୍ ଥଳୀ ଭିତରେ ଆମ୍ନିଓଟିକ୍ ତରଳ ଭିତରେ ତା’ର ସମସ୍ତ କ୍ରିୟା ସଂମ୍ପାଦନ କରି ଚାଲିଥିବ । ରେଚନ, ପାଚନ, ଶ୍ୱସନ, ସବୁକିଛି ସେହି ଆମ୍ନିଓଟିକ୍ ତରଳ ମଧ୍ୟରେ ହିଁ ଶିଶୁଟିର ସଂପାଦନ ହେଉଥିବ । ସତ କହିବାକୁ ଗଲେ ଶିଶୁଟି ବର୍ତ୍ତମାନ ଗୋଟିଏ ଡିମ୍ବିରି ଗଛର ଫଳ ସଦୃଶ ହୋଇଥିବ । ଆଶ୍ଚର୍ଯ୍ୟ ଭାବରେ ଯଦିଓ ଶିଶୁଟି ବର୍ତ୍ତମାନ ଏହି କ୍ଷୁଦ୍ର ଅବସ୍ଥାରେ ହାକୁଟି ମାରୁଥିବ ସେହି ପକ୍ରିୟାକୁ ଆସନ୍ତା ଦୁଇମାସ ପର୍ଯ୍ୟନ୍ତ ମା’ ତାକୁ ଅନୁଭବ କରିପାରିବ ନାହିଁ । ଖାଲି ସେତିକି ନୁହେଁ ଶିଶୁଟିର ଶାରିରୀକ ଚଳନ ପ୍ରକ୍ରିୟାକୁ ମଧ୍ୟ ଏବେ ମା’ ଦ୍ୱାରା ଅନୁଭବ କରାଯାଇ ପାରିବ ନାହିଁ । 
      ମାତ୍ର ଏ ସବୁର ପରିବର୍ତ୍ତନକୁ ସେ ବିଜ୍ଞାନର ଦାନ ଅଲ୍‌ଟ୍ରାସାଉଣ୍ଟ୍ ଯନ୍ତ୍ର ମାଧ୍ୟମରେ ଦେଖିପାରିବ । ତା’ର ଯଦିଓ ମନ ମଧ୍ୟରେ ପ୍ରବଳ ଇଚ୍ଛା ଯେ ସେ ସତ୍ତ୍ୱରୀମାର ଗର୍ଭସ୍ଥ ଶିଶୁଟିର ପ୍ରତି ମୁହୁର୍ତ୍ତର ପରିବର୍ତ୍ତନକୁ ଦେଖନ୍ତା ହେଲେ ଏପରି କରିବା ସମ୍ଭବ ନୁହେଁ । ମାତ୍ର ମନେ ମନେ ସ୍ଥିର କରିଛି ପ୍ରତି ସପ୍ତାହରେ ଥରେ ହେଲେ ସେ ସତ୍ତ୍ୱରୀମାର ଗର୍ଭକୁ ଅଲ୍‌ଟ୍ରାସାଉଣ୍ଡ୍ କରି ପ୍ରତି ସପ୍ତାହରେ ଘଟୁଥିବା ପରିବର୍ତ୍ତନକୁ ଅନୁଶୀଳନ କରିବ । ତେଣୁ ସେଥିପାଇଁ ତା’ଘରେ ଥିବା ତା’ର ପଢାଘର ଭିତରେ ଗୋଟିଏ ଅଲ୍‌ଟ୍ରାସାଉଣ୍ଟ୍ ଯନ୍ତ୍ରଟିଏ ଆଣି ରଖିସାରିଲାଣି । ସେ ଏ ଯନ୍ତ୍ରଟି ପ୍ରଥମ ସପ୍ତାହରୁ ତା’ ନିଜ ଘରକୁ ଆଣି ପାରିଥାନ୍ତା । ମାତ୍ର କାହିଁକି କେଜାଣି ତା’ମନ ପିତୃତ୍ୱର ଆନନ୍ଦରେ ଆତ୍ମହରା ହୋଇ ଏଭଳି କରିବାକୁ ପଛେଇଥିଲା । ହେଲେ ସତ୍ତ୍ୱରୀମାକୁ ବୁଝେଇ ସୁଝେଇ ନିଜ ଜୀବନର ଅଭିଜ୍ଞତାକୁ ସୁଦୃଢ କରିବାପାଇଁ ତାକୁ ପ୍ରବର୍ତ୍ତାଇ ଏବେ ସେ ଯନ୍ତ୍ରଟିକୁ ଆଣି ଘରେ ରଖିଛି । 
      ମାତ୍ର ତା’ ପରିବାରରେ ଏ ଯନ୍ତ୍ରର ଆବଶ୍ୟକତା କ’ଣ ଓ ଏହା ପ୍ରକୃତରେ ସେ କାହିଁ ଆଣି ରଖିଛି ତାହା କେବଳ ସତ୍ତ୍ୱରୀମା ଛଡା କାହାକୁ କହେନାହିଁ । ହେଲେ ସନାତନର ଏଭଳି ଆଚରଣରେ ପ୍ରଥମରୁ ମୋତେ ଟିକେ କାହିଁକି ଭଲ ଲାଗିନଥିଲା ତଥାପି ପରେ ମୋର ଶେଷ ଯାତ୍ରାରେ ସେ ଯେହେତୁ ମୋର ପରମପୁଜ୍ୟ ପିତା ତାଙ୍କ ଭାବଧାରାକୁ ଅବଜ୍ଞା କରିବା ମୋ ପାଇଁ ପାପ ସଦୃଶ । ଶେଷରେ ମୁଁ ମଧ୍ୟ ତାକୁ ସାଦରରେ ଗ୍ରହଣ କରି ନେଇଥାଏ । ମନେ ମନେ ଭାବିଲି ହଉ ମୋର ସ୍ଥିତ ଶରୀରର ପ୍ରତିଟି ପରିବର୍ତ୍ତନକୁ ସନାତନ ଦେଖୁ ସେଥିରେ ମୋର ଯାଏଆସେ କିଛି ନାହିଁ । ସତ୍ତ୍ୱରୀମାର ମତାମତକୁ ନେଇ ପ୍ରତି ରବିବାର ରାତିି ଏଗାର ଟାରେ ସମସ୍ତେ ଘରେ ଶୋଇପଡିବା ପରେ ସନାତନ ସତ୍ତ୍ୱରୀମା ଗର୍ଭାଶୟର ଅଲ୍ଟ୍ରାସାଉଣ୍ଡ୍ କରେ ଓ ସମସ୍ତ ତଥ୍ୟକୁ ଲିପିବଦ୍ଧ କରି ରଖେ । ଜଣେ ବିଜ୍ଞାନୀ ହିସାବରେ ସେ ଜାଣେ 
ଗର୍ଭାବସ୍ଥାରେ ବାରମ୍ବାର ଅଲ୍ଟ୍ରାସାଉଣ୍ଡ୍ କରିବା ଦ୍ୱାରା ଶିଶୁଟିର ଗଠନରେ କିଛି ବାଧା ଉପୁଜିପାରେ  ତେଣୁ ସେ ତା’ର ପ୍ରତିକାର ସ୍ୱରୂପ ତା’ ବିଜ୍ଞାନ ଜଗତର ସମସ୍ତ ପ୍ରତିକାରକ ଗୁଡିକ ପ୍ରୟୋଗ କରିଥାଏ । 
      ସତ୍ତ୍ୱରୀମାର ଏବେ ବି ବେଳେବେଳେ ଖାଲି ଖଟା ଜିନିଷ ସହିତ ଭଲମନ୍ଦ ଖାଇବାକୁ ଇଚ୍ଛା ହେଉଥାଏ । ବାନ୍ତିର ଲକ୍ଷଣ ସମୟାନୁସାରେ ହ୍ରାସ ପାଇବାରେ ଲାଗେ । ଶାରିରୀକ ଅଳସୁଆ ପଣକୁ ଗର୍ଭବତୀ ହେବାର ଆନନ୍ଦରେ, ସେ ପାଶୋରି ପକାଏ । ଖାଦ୍ୟରେ ଆବଶ୍ୟକ ପରିବର୍ତ୍ତନ ସନାତନ ତା’ ମୁତାବକ ଘରକୁ ନେଇ ଆସେ । ସତ୍ତ୍ୱରୀମାର ପ୍ରତିଟି କ୍ଷଣର ଶାରିରୀକ ଅବସ୍ଥା ସମ୍ବଦ୍ଧରେ ସନାତନ ସଚେତନ ଥାଏ । ପ୍ରତିଦିନ ସୁଷମ ଖାଦ୍ୟର ଏକ ସୁଅନୁପାତ ଯେପରି ସତ୍ତ୍ୱରୀମା ଖାଏ ସେଥିପ୍ରତି ସନାତନ ଧ୍ୟ୍ୟାନ ଦିଏ । ଏ ସବୁ ପରେ ସତ୍ତ୍ୱରୀମା କିନ୍ତୁ ତା’ ଆଧ୍ୟ୍ୟାତ୍ମୀକ ଦୁନିଆରେ ଅବସ୍ଥାପିତ । ତା’ ମନରେ ନଥାଏ ଶାରିରୀକ ବ୍ୟଗ୍ରତା, ଚଞ୍ଚଳତା ଓ ଆବେଗିକ ଦୁସ୍ଥତା । ନିଜର ଦୈନନ୍ଦିନ ପାରିବାରିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ପୂଜା ପ୍ରାର୍ଥନାରେ ତା’ର ପୂର୍ବଭଳି ମନୋନିବେଶ କରି ଚାଲେ । ଏଣେ ସନାତନ ଅନେକ ଆଧ୍ୟ୍ୟାତ୍ମବାଦ ଉପରେ ପର୍ଯ୍ୟବେସିତ, କେତେକ ମହାପୁରୁଷଙ୍କ ଜୀବନି ଓ ମନ ହାଲୁକା କରି ପାରୁଥିବା ଭଳି ପୁସ୍ତକ ନେଇଆସି ସତ୍ତ୍ୱରୀମାର ଶୟନ କକ୍ଷରେ ସଜେଇ ଦିଏ । ସତ୍ତ୍ୱରୀମା ଏ ସବୁ ବହି ଗୁଡିକ ଦେଖି ତା’ର ଆନନ୍ଦ ଆହୁରି ବଢି ଯାଏ । ଦିନର କିଛି ସମୟ ବହି ପଢାରେ ସେ ମନ ନିବେଶ କରେ ।
      ଦ୍ୱାଦଶ ସପ୍ତାହର ଆଦ୍ୟ ଦିବସରେ ମୋର ଯାତ୍ରା । ମୋ ସ୍ଥିତ ଶରୀର ଅନୁଭବ କରିବାର ଶକ୍ତି ଅନେକାଶଂରେ ହାସଲ କରି ସାରିଥାଏ । ମୁଁ ଜୀବାତ୍ମା ରୂପେ ହୃଦୟରେ ସ୍ଥିତ ହୋଇ ମୋ ଅଧିଷ୍ଠିତ ଶରୀରର କ୍ରାୟା ପ୍ରତିକ୍ରିୟା ସହିତ ମୁଁ ନିଜେ ପରିବର୍ତ୍ତିତ ହେବାର ଅନୁଭବ କରୁଥାଏ । ମୋର ସମସ୍ତ ଇନ୍ଦ୍ରିୟ ଗୁଡିକ ମଧ୍ୟରୁ ସ୍ପର୍ଶେନ୍ଦ୍ରିୟଟି ମୋତେ କିଛିଟା କବଳିତ କରିଥାଏ ଯାହା ଫଳରେ ମୋ ସ୍ଥିତ ଶରୀରକୁ ଆଘାତରେ ସେ ଆଜି ଯନ୍ତ୍ରଣା ଅନୁଭବ କରିବା ସହିତ ମୁଁ ମଧ୍ୟ କଷ୍ଟ ପାଉଥାଏ । ଏ ଶରୀର ରୂପୀ ମନ୍ଦିରର ଗର୍ଭଗୃହରେ ମୁଁ ଅବସ୍ଥିତ, ହେଲେ ମନ୍ଦିରରେ ରତ୍ନ ସିଂହାସନ ଉପରେ ପ୍ରଭୁଙ୍କ ସ୍ଥିତି ପରି ମୋର ସ୍ଥିତି ଏଠି ସେମିତିକା ନୁହେଁ । ମୁଁ ଆଜି ସୂକ୍ଷ୍ମ ଭାବରେ ଓ ଖାଲି ଆଖିକୁ ଅଦୃଶ୍ୟ ଭାବେ ଏହି ହୃଦୟ ରୂପକ ଗର୍ଭଗୃହରେ ବିରାଜମାନ । ମୋ ପାଖକୁ ମନ୍ଦିରର ବହିସ୍ଥରୁ ପହଞ୍ôଚବାକୁ ହେଲେ ଅନେକ ଆବରଣ ରୂପୀ ଦ୍ୱାରବନ୍ଧକୁ ଅତିକ୍ରମ କରି ଆସିବାକୁ ପଡିବ । ଏହା ସତ୍ୟ, ଯେପର୍ଯ୍ୟନ୍ତ ମୋ ଶରୀର ସମ୍ପୂର୍ଣ୍ଣ ରୂପେ ପରିପୂର୍ଣ୍ଣତା ଲାଭ କରିନ, ଏ ଶରୀର ମଧ୍ୟ ବାହ୍ୟ ଜଗତର ପରିବେଷ୍ଟନୀକୁ ସହ୍ୟ କରିବାରେ ସମ୍ପୂର୍ଣ୍ଣ ଅସମର୍ଥ । ତେଣୁ ଯଦି କୌଣସି ମତେ ବି ଏ ସମୟରେ ମୋ ଆବରଣ ଗୁଡିକୁ କୃତ୍ରିମ ଉପାୟରେ ଖୋଲି ଅବା କାଟି ମୋ ଶରୀର ପାଖରେ ପହଞ୍ଚିବାକୁ କିଏ ଚେଷ୍ଟା କରେ ତେବେ ମୋ ଶରୀର ମୋ   ପାଇଁ ଅଲୋଡା ହୋଇଯିବ । ମୋ ସ୍ଥିତ ଶରୀର ପୁଣି ମୃତ ଅବସ୍ଥାକୁ ଚାଲିଯିବ । ଆଉ ସେପରି ଅବସ୍ଥାରେ ମୋର ଆଜିର ଏ ଯେଉଁ ପୂଣ୍ୟତୟା ଶେଷଯାତ୍ରା ସେଇଠି ହିଁ ଶେଷ ହୋଇଯିବ । ଏପରି ସମ୍ଭାବନାକୁ ଯେ ଏଡାଇ ଦିଆଯାଇ ପାରିବ ତାହା ସମ୍ପୂର୍ଣ୍ଣ ରୂପେ ମାନବ ଉପରେ ନିର୍ଭର କରୁନାହିଁ । ପ୍ରକୃତିର ତାଣ୍ଡବ ଲୀଳାର ଆକ୍ରୋଶ ବେଳେ ବେଳେ ଆପେ ଆପେ ଏଭଳି ଘଟଣା ମାନ କରିଦିଏ । ମୋ ଶରୀର ଆଜି ଏତେ ଛୋଟ ଅବସ୍ଥାରେ ଥିଲେ ସୁଦ୍ଧା ସତ୍ତ୍ୱରୀମାର ତଳିପେଟରେ କ୍ଷୁଦ୍ର ଆଘାତରେ ଏ ଆଘାତ ପ୍ରାପ୍ତ ଓ ଛଟପଟ । ତା’ ଭିତରେ ମୁଁ ଜୀବତ୍ମା ବ୍ୟସ୍ତ ବିବ୍ରତ । ଏହି ଭୟରେ ଯେ ସେହି କରୁଣାମୟ ମୋର ଯାତ୍ରାକୁ ଏହିଠାରେ ଶେଷ କରି ଦେବେନିତ? 
      ଏମିତି ମଧ୍ୟ ବେଳେ ବେଳେ, ମୋ ସ୍ଥିତ ଶରୀର ଧାରୀଣିର ଆକସ୍ମିକ ଭୟଭିତ ହୋଇପଡିବା, ମୋର ସ୍ଥିତ ଶରୀରକୁ ଯତ୍ନର ସହକାରେ ଧରି ରଖିବାରେ ଅସମର୍ଥତା ସୃଷ୍ଟି କରେ ଯାହା ଫଳରେ ମୋ ଶରୀର ଅଚିରେ ମୃତ ଅବସ୍ଥା ଅବା ଗୋଟିଏ ମାଂସ ପିଣ୍ଡ୍‌ୁଳାକୁ ଚାଲିଯାଏ । ବର୍ଷା ସମୟରେ ଇନ୍ଦ୍ରଙ୍କର ବଜ୍ରର ଶଦ୍ଦ ହେଉ କିମ୍ବା ଅନ୍ୟାନ୍ୟ ବାହ୍ୟ ସଂଗଠିତ ପ୍ରାକୃତିକ ଅବା କୃତ୍ରିମ ଭୟରେ ଯଦି ଏଠାରେ ସତ୍ତ୍ୱରୀମାର ଛାତି ଚହଲି ଯାଏ ତେବେ ମୋ ଯାତ୍ରାର ଅନ୍ତ ମଧ୍ୟ କିଛି ଅସମ୍ଭବ  ନୁହେଁ । ମନୁଷ୍ୟ ହୋଇ ତୁମେ ଯେତେ ଯତ୍ନ ନିଅନା କାହିଁକି ସେ ପ୍ରକୃତିର ପ୍ରବହମାନକୁ ଏ ମାନବ ରୋକି ପାରିବ ନାହିଁ । ହଁ ଏ ମାନବ ତା’ର ଦିଗ ପରିବର୍ତ୍ତନ କରିଦେଇପାର ଅବା ତା’ର ପରିଣାମକୁ ନିଜ ବୁଦ୍ଧି ବଳରେ ହ୍ରାସ କରିଦେଇପାର ମାତ୍ର ସମ୍ପୂର୍ଣ୍ଣ ଏଡାଇ ପାରିବ ନାହିଁ । ଏହି ହେଉଛି ଏ ସଂସାରର ବିଚିତ୍ରତା । 
      ମୋର ଅବସ୍ଥାନ ଆଜି କେଉଁ ଗହ୍ୱର ଭିତରେ ତୁମେ ଟିକେ ହେଜିଲେ ଜାଣି ପାରିବ । ମୋ ଅଧିଷ୍ଠିତ ଶରୀରର ହୃଦୟ ଭିତରେ ମୁଁ ଥାଇ ମୋରି ଉପରେ ପ୍ରଥମେ ହୃଦୟର ଆବରଣ, ତାପରେ ପଞ୍ଜରା, ପଞ୍ଜରା ପରେ ମାଂସର ଆସ୍ତରଣ ଓ ପରେ ପରେ ଚର୍ମ । ଏତେ ସବୁ ମୋ ଶରୀର ଉପରେ ବିବିଧ ଅଂଶ ମୋତେ ଘୋଡାଇ ଜଉମୁଦ କୋଠରୀରେ ରଖିସାରିଲା ପରେ ବି ମୋ ସ୍ଥିତ ଶରୀର ଏକ ଗର୍ଭଥଳୀ ଭିତରେ ଗର୍ଭଜଳରେ ଭାସମାନ । ପୁଣି ଗର୍ଭଥଳୀଟି ଆଉ ଏକ ମୋଟା ଆସ୍ତରଣର ଥଳୀ ଭିତରେ କାରାରୁଦ୍ଧ । ସବୁଠାରୁ ଆଶ୍ଚର୍ଯ୍ୟ କଥା ମୋ ଶରୀରର ନାଭିନାଡା ଏ ସବୁ ଭେଦ କରିଯାଇ ମା’ଗର୍ଭକୋଷର ଫୁଲ ସହିତ ସଂଯୁକ୍ତ ଯେ କି ମୋ ଜୀବନରେଖା । ପୁଣି ମା’ଗର୍ଭ କୋଷ ଉପରେ ମା’ଶରୀରର ଅନୁରୂପ ଆସ୍ତରଣମାନ ମୋତେ ଷୋହଳ ଦ୍ୱାର ବିଶିଷ୍ଟ ଶରୀର ରୂପୀ ମନ୍ଦିରରେ ସାଇତି ରଖିଛି । ଏତେ ସବୁ ପରେ ବି କିପରିସେ ସଂଯୋଜନ ଓ ପରିବାହୀ କ୍ଷମତା ଅତ୍ୟାଶ୍ଚର୍ଯ୍ୟ, ଯାହା ଆଜି ପର୍ଯ୍ୟନ୍ତ ତୁମ ମାନବ ଜଗତରେ ସମ୍ଭବ ହୋଇନାହିଁ । ମା’ର ଶରୀର ଆଘାତରେ ମୋ ଶରୀର ଆଘାତ ପ୍ରାପ୍ତ । ଏଠାରେ ତୁମକୁ କହିବା ନିତ୍ୟାନ୍ତ  ଆବଶ୍ୟକ ମନେ କରୁଛି ଯେ ବର୍ତ୍ତମାନ ମୋର ସ୍ଥିତଶରୀର ସତ୍ତ୍ୱରୀମାର ମାନସିକ, ଆବେଗିକ ଓ ଶାରିରୀକ ପରିବର୍ତ୍ତନର ପ୍ରତିକ୍ଷଣରେ ପ୍ରଭାବିତ । ମା’ର ମନ ଖୁସିରେ ମୋ ସ୍ଥିତ ଶରୀର ଖୁସି ଜଣା ଯାଉଥାଏ । ସତ୍ତ୍ୱରୀମାର ମନ ବିରସରେ ମୋ ସ୍ଥିତ ଶରୀର ନିଜକୁ ଅବସ ଅନୁଭବ କରୁଥାଏ । ସତ୍ତ୍ୱରୀମାର ଚଳଚଞ୍ଚଳତାରେ ମୋ ସ୍ଥିତ ଶରୀର ଚଳଚଞ୍ଚଳ । କି ପରିବହନ କ୍ଷମତା ସେ ସୁକ୍ଷ୍ମ ନାଭିନାଡାର ଓ କି ବିଚିତ୍ର ଗୁଣ ସେ ଗର୍ଭଜଳର, ତାହା ମୁଁ ଭାବିଭାବି ସେହି ମଙ୍ଗଳମୟ ପରମବ୍ରହ୍ମଙ୍କ ସୃଷ୍ଟିର ରହସ୍ୟର ଆଶ୍ଚର୍ଯ୍ୟ ଭିତରେ ନିଜକୁ ହଜେଇ ଦେଉଥାଏ । 
      ଏ ସଂସାରରେ ତାଙ୍କର ସୃଷ୍ଟି, ଲାଳନ ଓ ପାଳନ କେତେ ଯେ ଅଦ୍ଭୁତ ଓ ସୁନ୍ଦର ତାହା ପୁଣି ଏକ କଦର୍ଯ୍ୟ ପରିବେଶ ଭିତରେ ତାହା ମୋତେ କ୍ଷଣକୁ କ୍ଷଣ ଭାବବିହ୍ୱଳ କରି ପକଉଥାଏ । ସେ ଗର୍ଭଗୃହ ଭିତରେ ମୁଁ ଗୋଟିଏ କଥା ବୁଝି ସାରିଥାଏ ଆଉ ତୁମକୁ ବି ବୁଝେଇବାକୁ ଚାହେଁ ଏ ବିଶ୍ୱର ପ୍ରତ୍ୟେକ ଆବର୍ଜ୍ଜନା ଭିତରେବି ସୌନ୍ଦର୍ଯ୍ୟର ବିଭବ ଲୁଚିକରି ଅଛି । ବାସ୍ ତୁମେମାନେ ନିଜର ମାନସିକ ବିକାରକୁ ସଞ୍ଜତ କରିପାରିଲେ ସେଗୁଡିକ ନିଶ୍ଚିନ୍ତ ରୂପେ ଅନୁଭବ କରିପାରିବ ଯାହା ସେଠି ମୁଁ ପ୍ରତିକ୍ଷଣରେ ଅନୁଭବ କରୁଥାଏ । 
      ସନାତନର ବ୍ୟୈଦ୍ଧିକ ଭାବନା ଭିତରେ ଏହି ସପ୍ତାହରେ ସତ୍ତ୍ୱରୀମା ଗର୍ଭରେ ଥିବା ଶିଶୁଟିର ହାତର ଆଙ୍ଗୁଳି ମାନ ଖୋଲିବା ଓ ବନ୍ଦ ହେବା ପ୍ରକ୍ରିୟା ଆରମ୍ଭ ହୋଇଯିବ । ତା’ର ପାଦ ଆଙ୍ଗୁଳି ଗୁଡିକ ବଙ୍କା ହେବା ମଧ୍ୟ ଆରମ୍ଭ ହେବ । ତା’ର କ୍ଷୁଦ୍ର ଆଖି ଦୁଇଟି ଦୃଢଭାବରେ ବନ୍ଦ ହୋଇ ରହିବା ସହିତ ତା’ର ପାଟି ସେ ଆମି୍ନଓଟିକ୍ ତରଳକୁ ଗିଳି ପକାଇବାର କାମ ଆରମ୍ଭ କରିଦେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସତ୍ତ୍ୱରୀମାର ତଳିପେଟକୁ ଆଘାତ କଲେ ବଢୁଥିବା ଶିଶୁଟି ସେହି ଆଘାତରେ ଆଘାତପ୍ରାପ୍ତ ହୋଇ ଛଟପଟ ହେବ । 
      ଏହି ସପ୍ତାହରେ ଶରୀରର କ୍ଷୁଦ୍ରାନ୍ତର ଗଠନ ଖୁବ୍ ତିବ୍ର ବେଗରେ ସମାପ୍ତ ହୋଇ ତାହା ନାଭିନାଡା ଭିତରକୁ ଶରୀର ମଧ୍ୟରେ ପ୍ରସାରିତ ହୋଇ ତଳିପେଟର ଗହ୍ୱର ଭିତରେ ନିଜକୁ ସଜାଡି ରଖିବ । ତତ୍ ସହିତ ଶିଶୁଟିର ବୃକକ୍ ଦୁଇଟି ମୁତ୍ରାଶୟ ମଧ୍ୟରୁ ପ୍ରସାବକୁ ଶରୀରରୁ କ୍ଷରଣ କରିବା ଆରମ୍ଭ କରିଦେବ । ଏହି ସମୟ ମଧ୍ୟରେ ଶିରା ପ୍ରସିରାର କୋଷ ଗୁଡିକ ବହୁଗୁଣିତ ଭାବରେ ବିସ୍ତାର କରି ଚାଲିଥିବ । ଶିଶୁଟିର ମସ୍ତିଷ୍କରେ ସ୍ନାୟୁକୋଷ ଗୁଡିକର ସଂଯୋଜକଗୁଡିକ ଖୁବ୍ ଖିପ୍ର ଗତିରେ ଗଠିତ ହୋଇ ଚାଲିଥିବ । ଶିଶୁଟିର ମୁହଁ ସମ୍ପୂର୍ଣ୍ଣ ରୂପେ ମାନବ ମୁହଁର ଅବିକଳ ଦେଖା ଯାଉଥିବ । ଆରମ୍ଭରୁ ଶିଶୁଟିର ଆଖି ଦୁଇଟି ଗଠିତ ହୋଇଥିବା ସ୍ଥାନରୁ ସତେଯେମିତି ଆପେ ଆପେ ମୁହଁର ଉପଯୁକ୍ତ ସ୍ଥାନକୁ ଚାଲିଯିବ ଓ ମୁହଁଟି ସୁନ୍ଦର ଲାଗିବା ଆରମ୍ଭ କରିବ । କାନ ଦୁଇଟ ମୁହଁର ଯଥା ସ୍ଥାନରେ ରହିଲା ପରି ଦେଖାଯିବେ । ଏହି ସପ୍ତାହରେ ଶିଶୁଟିର ଲମ୍ବ ପାଖାପାଖି ମୋଟ ପାଞ୍ଚ ସେଣ୍ଟିମିଟରରୁ ଛଅ ସେଣ୍ଟିମିଟର ଭିତରେ ହୋଇଥିବ ଓ  
ଏହାର ଓଜନ ପ୍ରାୟ ଆଠଗ୍ରାମ ହେବ । ସତ କହିବାକୁ ଗଲେ ଶିଶୁଟିର ଆକାର ଗୋଟିଏ ଲେମ୍ବୁର ଆକାର ପରି ହୋଇଥିବ । ସତ୍ତ୍ୱରୀମାର ଗର୍ଭାଶୟର ଆକାର ଧୀରେ ଧୀରେ ପ୍ରସାରିତ ହେବାରେ ଲାଗିଥିବ ।
      ଏହି ଗର୍ଭାଶୟରେ ଗଠିତ ପ୍ଲାସେଣ୍ଟା ବା ଗର୍ଭଫୁଲ ବହୁ ପରିମାଣରେ ହରମୋନ୍   ପ୍ରୋଜେଷ୍ଟେରନ୍  କ୍ଷରଣ କରିଥାଏ ଯାହାକି ପାକସ୍ଥଳୀରେ ପ୍ରବେଶ କରିବାକୁ ସକ୍ଷମ ହୋଇଥାଏ । ଏହି କାରଣ ବସତଃ ପାକସ୍ଥଳୀରେ ଗ୍ୟାଷ୍ଟ୍ରିକ୍ ଅମ୍ଳ ସୃଷ୍ଟିହୋଇ ଗର୍ଭବତୀକୁ ଏକ ଛାତିପୋଡାର ମଧ୍ୟ ଅନୁଭବ କରେଇଥାଏ । ତେବେ ଏସବୁ ଖାଦ୍ୟ, ବ୍ୟାୟାମ ଓ ଉପଯୁକ୍ତ ଶାରିରୀକ ପରିଶ୍ରମ ଦ୍ୱାରା ଦୂର ହୋଇ ଯାଇଥାଏ । ଏସବୁ ଘଟଣାକୁ ସନାତନ ସେମିତି ତା’ର ନିୟମିତ ସାପ୍ତାହିକ ଏକ୍‌୍ସରେ ପରୀକ୍ଷାରେ ଦେଖୁଥାଏ ଓ ନିଜର ଜ୍ଞାନକୁ ବାସ୍ତବ ସ୍ଥିତି ସହିତ ତୁଳନା କରୁଥାଏ । ଏଭଳି ପରୀକ୍ଷା ସମୟରେ ସେ ଯେତିକି ଭାବବିହ୍ୱଳ ହୋଇପଡେ ସେତିକି ଆଶ୍ଚର୍ଯ୍ୟବି ହୁଏ । ସେ ପଢିଥିବା ପୁସ୍ତକ ଗୁଡିକ ଯେଉଁ ଜ୍ଞାନୀ, ଗୁଣି ଓ ଗବେଷକ ମାନେ ଲେଖିଥିବେ ସେମାନେ ମୋ ଭଳି ପ୍ରତି ସପ୍ତାହରେ ଥରେ ଗର୍ଭର ଅବସ୍ଥାକୁ କେବଳ ଦେଖିଥିବେ ତାହା ନୁହେଁ ବରଂ ସେମାନେ ଗର୍ଭାବସ୍ଥାରେ ଗର୍ଭସ୍ଥ ସନ୍ତାନର ପ୍ରତି ମୁହୁର୍ତ୍ତର ପରିବର୍ତ୍ତନକୁ ମନ ପ୍ରାଣରେ ଅନୁକ୍ଷଣ କରିଥିବେ ନଚେତ୍ କୌଣସି ମତେ ସେଭଳି ପୁସ୍ତକମାନ ଲେଖିବା ସମ୍ଭବ ନୁହେଁ ।
      ବିଜ୍ଞାନର ପ୍ରାଚୁର୍ଯ୍ୟରେ ସେ ଆଜି ନିଜେ ଅନୁଭବ କରୁଛି ସତ୍ତ୍ୱରୀମାର ଗର୍ଭାଶୟରେ ବଢୁଥିବା ସନ୍ତାନ ତା’ରି ଔରଷରୁ ସିନା ସୃଷ୍ଟି ହେଲେ ତାହା ଆଜି ଏକ କୀଟ ସଦୃଶ । ସେହି କ୍ଷୁଦ୍ର କୀଟ କାଦୁଅ ପାଣି ଭିତରେ ହଲଚଲ ହେଉଥାଏ । ଯେତେ ପୋଥିଗତ ଜ୍ଞାନର ଅଧିକାରୀ ହେଲେ ମଧ୍ୟ ଏ ପ୍ରକୃତିର ବାସ୍ତବତା ଦେଖି ସେ ବି ମନେମନେ ସମୟେ ସମୟେ ସ୍ତମ୍ଭୀଭୁତ ହୋଇ ଯାଉଥାଏ । 
      ସତ୍ତ୍ୱରୀମା ଆଜି ଅନେକ ସମୟରେ ଦର୍ପଣ ସାମନାରେ ନିଜକୁ ଛିଡା କରାଇ ନିଜ ଉଦରର ପରିବର୍ତ୍ତନକୁ ଭଲଭାବରେ ନୀରିକ୍ଷଣ କରେ । ଅନେକ ସମୟରେ ନିଜ ପେଟ ଉପରେ ନିଜ ଡାହାଣ ହାତର ପାଞ୍ଚ ଆଙ୍ଗୁଳିକୁ ବୁଲାଇ ଆଣି ନିଜ ସନ୍ତାନ ଉପରେ ହାତ ବୁଲାଇ ଆଣିବା ଭଳି ଅନୁଭବ କରେ । ହଜିଯାଏ ମାତୃତ୍ୱର ଅସ୍ମୀତାରେ । ବୁଣି ବସେ ହଜାରେ ରଙ୍ଗ ଜୀବନ ଇନ୍ଦ୍ରଧନୁରେ । ନାରୀ ଜୀବନର ସାର୍ଥକତା ଆଜି ତା’ର ଜୀବନ ପରିଧିକୁ ଛୁଇଁବାକୁଯେ ଯାଉଛି ତାହା ସେ ଭାବି ଭାବି ହଜିଯାଏ ଅଜଣା ଆକାଶରେ । ନିଜ ମୁହଁର ସୁନ୍ଦରତା ଓ ସନାତନର ଜୀବନ ବୃତ୍ତ ସହିତ ନିଜ ଜଠରରେ ବଢୁଥିବା ସନ୍ତାନର ସାମଞ୍ଜସ୍ୟତାକୁ ଭାବିବସେ । କଳ୍ପନାର କୁଞ୍ଜରେ ନିଜ ସନ୍ତାନକୁ ବସେଇ ଦେଇ ଝୁଲେଇ ବାକୁ ଲାଗିପଡେ । ମନେମନେ କେତେ ଯେ ‘ଧୋରେ ବାୟା ଧୋ’ପରି ନାନବାୟା ଗୀତକୁ ସେ ଗାଇଚାଲେ ତାହା ହିସାବର ବାହାରେ । ସ୍ୱତଃ ବେଳେବେଳେ ତା’ ଶିଶୁର ଚଗଲାମିରେ ସତେ ଯେମିତି ସେ କ୍ରୋଧିତ ହୋଇଉଠେ  ଓ ତା’ର ସନ୍ତାନକୁ ଆକଟ କରି ଟାଣିଆଣି ପୁଣି ନିଜ ଛାତି ଭିତରେ ଜାବୁଡି ଧରି ଗେଲ କରି ପକାଏ । 
      ଖାଦ୍ୟପେୟ ପ୍ରତି ସତ୍ତ୍ୱରୀମାକୁ ସନାତନ ଦେଇଥିବା ଉପଦେଶ ସତ୍ତ୍ୱରୀମା ଅକ୍ଷରେ ଅକ୍ଷରେ ପାଳନ କରୁଥାଏ । ସବୁର ପରେ ତା’ର ମନସ୍ତତ୍ତ୍ୱର ପ୍ରଭାବକୁ ସେ ଆଦ୍ୟୈ ଅଣଦେଖା କରେ ନାହିଁ । ସେ ଜାଣେ ମୋର ବର୍ତ୍ତମାନର ପ୍ରତିଟି କର୍ମ ଓ ଧର୍ମର ପ୍ରଭାବ ମୋ ଜରାୟୁରେ ବଢୁଥିବା ଶିଶୁ ଉପରେ ପଡିବ । ମୋର ସମସ୍ତ ସୁକର୍ମର ଫଳର ସେହିଁ ଅଧିକାରୀ ହେବ ଓ କୁକର୍ମର ଫଳଗ୍ରାହୀ ମଧ୍ୟ ହେବ । ତେଣୁ ସେ ତା’ର ଜୀବନ ପବିତ୍ରତାକୁ ଆଦ୍ୟୈ ମଳି ଲଗାଇବାକୁ ଦେଉ ନଥାଏ । ବିଭୁ ପ୍ରେମରେ ନିଜକୁ ହଜେଇ ଆଧ୍ୟାତ୍ମିକ ଚିନ୍ତାଧାରାରେ ନିଜ ଜୀବନର ନୈସର୍ଗୀକତାକୁ ସେ ଅତୁଟ ରଖେ । 

*******

ସପ୍ତମ ପକ୍ଷ



      ତ୍ରୟୋଦଶ ସପ୍ତାହର ଆରମ୍ଭ ବେଳକୁ ମୋ ସ୍ଥିତ ଶରୀର ସମ୍ପୂର୍ଣ୍ଣ ରୂପେ ମାନବର କଳେବର   ଧାରଣ କରିବା ସହିତ ତା’ର ବାହ୍ୟ ଓ ଆଭ୍ୟନ୍ତରୀଣ  ଅଙ୍ଗଗୁଡିକ ପ୍ରାୟ ପରିପୂର୍ଣ୍ଣତା ଲାଭ କରି ସାରିଥାନ୍ତି । ମାତ୍ର କେତେକ ଅଙ୍ଗ ସେମାନଙ୍କର କାର୍ଯ୍ୟ କରି ପାରିବାର ଅବସ୍ଥାକୁ ଆସିବାକୁ ଆଉ କିଛି ଦିନ ଲାଗିପାରେ । ଶରୀର ଚଳପ୍ରଚଳର ଅଧିକାରୀ ହୋଇ ସେହି ଗର୍ଭସ୍ଥଳୀ ଭିତରେ ଧୀରେ ଧୀରେ ଗତିଶୀଳ । ଗର୍ଭଜଳର ଶୁଦ୍ଧତା ଭିତରେ ସେ ତା’ର ବୃଦ୍ଧି ଓ ବିକାଶ କରିବାରେ ଲାଗିଥାଏ । ମା’ର ଫୁଲଠାରୁ ଆସୁଥିବା ପ୍ରତ୍ୟେକ ପ୍ରୋଟିନ୍ ଓ ଭିଟାମିିନ୍‌କୁ ମୋ ସ୍ଥିତ ଶରୀର ତା’ର ଜୀବନ ସଂଚାର ପାଇଁ ବ୍ୟବହାର କରି ଚାଲିଥାଏ ସତ ହେଲେ ଗର୍ଭଥଳୀର ସେ ଗର୍ଭଜଳ ତାକୁ ଏକ ଜଳଜୀବ ପରି ଭାସମାନ ଓ ଗତିମାନ କରି ରଖେ । ସମୟେ ସମୟେ ମୋର କାହିଁକି ଅଧୀରତା ବଢି ଯାଉଥାଏ ତାହା ମୁଁ ବି ଜାଣି ପାରୁନଥାଏ । 
      ସତେଯେମିତି ସେ ଦଶମାସର ଯାତ୍ରା ଆଉ ଅନେକ ଯୋଜନ ଦୂର ଭଳି ମୋତେ ପ୍ରତିୟମାନ ହେଉଥାଏ । ସେହି ଗର୍ଭଜଳ ଭିତରେ ଜୀବନର ଆଗକୁ ଆଗକୁ ଗତି କରିବାଟା ସେତେ ସହଜ ଲାଗୁନଥାଏ । ବାହ୍ୟ ପରିବେଶର ସେ ପ୍ରକୃତି ଦତ୍ତ ସୁନ୍ଦରତାର ବିଭବ ଠାରୁ ମୋ ସ୍ଥିତ ଶରୀର କାହିଁ କେତେ ଦୂରରେ । ତଥାପି ଆଶ୍ୱସ୍ତିକର ବିଷୟ ଏହିକିଯେ ମୋ ସ୍ଥିତ ଶରୀର ନିଜେ ସମ୍ପୂର୍ଣ୍ଣ ଅନୁଭବ କରିପାରିବାର ପରିସୀମା ଭିତରକୁ ପ୍ରବେଶ କରିପାରି ନଥାଏ । ଏହା ନିଶ୍ଚିତ ଥାଏଯେ ଯେଉଁ ଦିନ ଶରୀର ପୂର୍ଣ୍ଣ ଅନୁଭବର ଅଧିକାରୀ ହୋଇଯିବ ସେହି ମୁହୂର୍ତ୍ତରୁ ସେଠାରେ ମା’ର ସୁଖ ଦୁଃଖରେ ନିୟନ୍ତ୍ରିତ ହୋଇ ନିଜର ପରିବେଷ୍ଟନୀ ଭିତରେ ଅତୀବ ଅତୀଷ୍ଟ ହୋଇ ପଡିବ ଏଥିରେ ସନ୍ଦେହ ନାହିଁ । ତେବେ ମୋତେ ଲାଗୁଥାଏ ଏ ଶରୀରର ବୃଦ୍ଧି ଯେତିକି କ୍ଷିପ୍ର ଗତିରେ ବିକାଶ କରୁଥାଏ ତାହା ଖୁବ୍ ଶିଘ୍ର ଅନୁଭବ କରି ପାରିବା ଶକ୍ତିର ଅଧିକାରୀ ହୋଇଯିବ ।
      ମୁଁ ମୋର ପୂର୍ବଜନ୍ମର ଯାତ୍ରାରେ ଶୁଣିଥିଲି “ପିଣ୍ଡ ବ୍ରହ୍ମାଣ୍ଡ ଏକମତ, ଜାଣନ୍ତି ସୁଜ୍ଞାନୀ ପଣ୍ଡିତ ” । ବାସ୍ତବରେ ଏହା ଏକ ଏପରି ଯୁକ୍ତି ଏହାକୁ କେବଳ ସେହି ଅନ୍ତର୍ଦ୍ଦଷ୍ଟା ଜ୍ଞାନୀମାନେ ହିଁ ବୁଝିପାରିବେ । ସାଧାରଣ ଲୋକ ମନରେ ଏଭଳି ବୃହତ୍ତ ଚିନ୍ତା ଆସିପାରିବ ନାହିଁ । ଏହା ଏକ ନିଚ୍ଛକ ବାସ୍ତବତା । ବ୍ରହ୍ମାଣ୍ଡରେ ଯାହା ସବୁ ବିଦ୍ୟମାନ ଏ ଶରୀର ଭିତରେ ମଧ୍ୟ ତାହା ସବୁ ବିଦ୍ୟମାନ । ଏକଥା ସହଜରେ ଗ୍ରହଣ କରି ହେବନି । ମାତ୍ର ସୂକ୍ଷ୍ମଭାବରେ ଚିନ୍ତା କଲେ ବିଶ୍ୱ ବ୍ରହ୍ମାଣ୍ଡରେ ଯେପରି ପଞ୍ଚ ମହାଭୁତ ବିଦ୍ୟମାନ ଏ ପିଣ୍ଡ ଭିତରେ ସହିପରି ପଞ୍ଚ ମହାଭୁତର ଅବସ୍ଥାନ । ପୃଥିବୀ ପୃଷ୍ଠ ଭଳି ଜୀବ ଜନ୍ତୁରେ ପରିପୂର୍ଣ୍ଣ ଏ ଶରୀର । ଏହି ପିଣ୍ଡ ଭିତରେ କଣ ସତରେ ବୃକ୍ଷରାଜିର ଜଙ୍ଗଲ ପରିବେଷ୍ଟନୀ ଶୋଭା ପାଆନ୍ତି? ଏକଥା କିପରି ଗ୍ରହଣ କରାଯାଇପାରେ ଯେ? ହେଲେ ଆଶ୍ଚର୍ଯର୍୍ୟର କଥା ଏ ପିଣ୍ଡ ଭିତରେ ଯେଉଁ ବୃକ୍ଷରାଜୀ ଗୁଡିକ ଶୋଭା ପାଆନ୍ତି ସେମାନେ ଇହ ଜଗତରେ ଶୋଭା ପାଉଥିବା ବୃକ୍ଷରାଜି ମାନଙ୍କର ଗୁଣ ବହନ କରନ୍ତି ସତ ମାତ୍ର ସେମାନଙ୍କ ପରି ଦେଖାଯାଆନ୍ତି ନାହିଁ । 
      ଏ ଶରୀରର ପ୍ରତ୍ୟେକ ଅଙ୍ଗ ଗୋଟିଏ ଗୋଟିଏ ଉଭିଦ । ଏମାନଙ୍କ ଚେର ହେଉଛି ଶରୀରର କୋଷ ଗ୍ରନ୍ଥୀ । ଶରୀର କୋଷ ଗ୍ରନ୍ଥୀ ମାନଙ୍କୁ ମାନବର ମୁଖ ଗହ୍ୱର ଦେଇ ଖାଦ୍ୟ ପ୍ରବେଶ କରି ପାଚନ କ୍ରିୟା ପ୍ରଣାଳୀରେ ତାହା ଖାଦ୍ୟସାରରେ ପରିଣତ ହୁଏ । ଏବଂ ଶରୀରରେ ଥିବା ଜଳ ଓ ଖାଦ୍ୟସାର ଏହି ବୃକ୍ଷମାନଙ୍କ ଶରୀରରେ ପ୍ରବେଶ କରେ ଓ ସେମାନଙ୍କ ବୃଦ୍ଧି ଓ ବିକାଶ କରିଥାଏ । ପ୍ରତ୍ୟେକ ବୃକ୍ଷ ଯେପରି ଗୋଟିଏ ନିର୍ଦ୍ଧିଷ୍ଟ ସମୟ ସୀମା ପର୍ଯ୍ୟନ୍ତ ବୃଦ୍ଧିକରେ ତାପରେ ସେ ତା’ର ବୟସର ଅପରାହ୍ନରେ ପହଞ୍ôଚଯାଏ । ଏଠି ମଧ୍ୟ ଶରୀରର ପ୍ରତ୍ୟେକ ବୃକ୍ଷରୂପକ ଅଙ୍ଗଗୁଡିକର  ସେହିପରି ବୟସର ଗୋଟିଏ ନିର୍ଦ୍ଧିଷ୍ଟ ସୀମା ପରେ ସେମାନଙ୍କର ବୃଦ୍ଧି ଓ ବିକାଶ ଅଟକି ଯାଇଥାଏ । ସେମାନେ ମଧ୍ୟ ଶରୀର ସହିତ ତାଳ ଦେଇ କ୍ଷୀଣ ହେବାରେ ଲାଗନ୍ତି । ଏ ଶରୀର ମଧ୍ୟରେ ପାହାଡ, ପର୍ବତ, ନଦନଦୀ, ଗିରି ଗହ୍ୱର, ଉପତ୍ୟାକା, ଝରଣା କଣ ନାହିଁ ତାହା କହି ହେବ ନାହିଁ । ଏ ପିଣ୍ଡ ମଧ୍ୟରେ ଅହରହ ଅଗ୍ନୀ ଉଦ୍ଗିରଣ କରୁଥିବା ଜୀବନ୍ତ ଆଗ୍ନେୟଗିରୀ ମଧ୍ୟ ବିଦ୍ୟମାନ । କେବଳ ତୁଳନାତ୍ମକ ଭାବଧାରାରେ ଚିନ୍ତା କଲେ ହିଁ ସେ ସବୁ କଥା ପରିଦୃଷ୍ଟ ହେବ । 
      ଶରୀର ଭିତରେ ଥିବା ଆଗ୍ନେଶୟ ହେଉଛି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଏକ ଜୀବନ୍ତ ଆଗ୍ନେୟଗିରୀ । ଅହରହ ଏହା ଭିତରୁ ଅଗ୍ନୀ ଉଦ୍ଗିରଣ ଘଟି ଚାଲିଛି । ଯେଉଁ ଅଗ୍ନୀରେ ଶରୀର ଗ୍ରହଣ କରୁଥିବା ଖାଦ୍ୟ ପଦାର୍ଥ ଚୁର୍ଣ୍ଣୀଭୁତ ହୋଇ ଯଜ୍ଞକୁଣ୍ଡରେ ସମସ୍ତ ପଦାର୍ଥ ଭଷ୍ମ ହେଲାଭଳି ସବୁ ଭଷ୍ମ ହୋଇ ଶକ୍ତିରେ ରୂପାନ୍ତରିତ ହୋଇଚାଲିଛି । ଏ ପିଣ୍ଡରେ ସୁନ୍ଦର ଝରଣା ମଧ୍ୟ ବିଦ୍ୟମାନ । ପ୍ରତି ମୁହୁର୍ତ୍ତରେ ଶରୀରର ଜିଭ ସଲଗ୍ନ ଗ୍ରନ୍ଥୀ ରୂପକ ଝରଣାରୁ ପାଚକ ରସ ନିର୍ଗତ ହୋଇଚାଲିଛି । ଯେଉଁ  ପାଚକ ରସ ଖାଦ୍ୟ ପଦାର୍ଥକୁ ହଜମ କରିବାରେ ସମ୍ପୂର୍ଣ୍ଣ କ୍ରିୟାଶୀଳ । ଏ ପିଣ୍ଡ ଭିତରେ ମାଟି, ଗୋଡି, ବାଲି ପଥର ସବୁର ଉପସ୍ଥିତି ଅଛି । ବିଶ୍ୱ ବ୍ରହ୍ମାଣ୍ଡ ଯେଉଁ ସବୁ ମୂଳ ଉପାଦାନରେ ଗଢା ଏ ଶରୀରରେ ମଧ୍ୟ ସେ ସମସ୍ତ ମୂଳ ଉପାଦାନ ବିଦ୍ୟମାନ ଅଛନ୍ତି । ଏଠାରେ ନଦୀ ପ୍ରବାହିତ, ପବନ ଚଳଚଞ୍ଚଳ, ଅଗ୍ନୀ ହୁତାସିତ ଓ ପ୍ରସମିତ, ଅନନ୍ତ ଆକାଶ ପରି ଫାଙ୍କା ଫାଙ୍କା ସ୍ଥାନ ଓ ମାଟି ହେଉଛି ନିଜେ ଶରୀର । ସୂକ୍ଷ୍ମ ଓ ସ୍ଥୂଳ ତତ୍ତ୍ୱର ସମୀକରଣରେ ଏ ଶରୀର ଗଠିତ । ସ୍ଥୂଳତ୍ତ୍ୱ ସମସ୍ତଙ୍କୁ ଜଳ ଜଳ କରି ଦେଖା ଯାଉଥାଏ । ମାତ୍ର ସୂକ୍ଷ୍ମ ତତ୍ତ୍ୱର ଉପସ୍ଥିତି ସ୍ୱୟଂକ୍ରିୟ ଭାବରେ ସ୍ଥୂଳ ତତ୍ତ୍ୱର ଉପସ୍ଥିତି ଓ ପ୍ରକ୍ରିୟାକୁ ତ୍ୱରାନିତ ଓ ମନ୍ଦିତ ଆବଶ୍ୟକ ସମୟାନୁସାରେ ଅହରହ କରିଚାଲିଥାଏ ।
      ସ୍ଥୂଲଘଟର ସୁନ୍ଦରତା ବହିସ୍ଥ ପାଶ୍ୱର୍ରୁ ଯେତିକି ଦେଖାଯାଏ, ତା’ଠାରୁ କାହିଁ କେତେ ଗୁଣ କଦର୍ଯ୍ୟ ଏହାର ଅନ୍ତସ୍ଥରୁ ଦେଖାଯାଏ ତାହା ହେଜିଲେ ଜାଣିହେବ । ଏ ଶରୀରର ଛାଞ୍ଚ ଅନନ୍ୟ । ଖଣ୍ଡି ଖଣ୍ଡି ହାଡରେ ଏ ଶରୀର ପିଞ୍ଜରା ଓ ତା ଉପରେ ମାଂସର ଜଉମୁଦ । ଆଉ ମାଂସକୁ ଢାଙ୍କି ରଖିଛି ଚର୍ମ । ଚର୍ମ ଶରୀରକୁ ପ୍ରଦାନ କରୁଛି ସୁନ୍ଦରତା ଓ ସୁଢଳତା । ହେଲେ ଚର୍ମ ଭିତରେ ସେ ଯେଉଁ କଦର୍ଯ୍ୟତା ଓ ଭୟାବହତା ତାହା ଅକଳନୀୟ । ଅନ୍ତରର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ ରକ୍ତାକ୍ତ । ସତେ ଯେମିତି କ୍ଷତ ବିକ୍ଷତର ଆସର ଭିତରେ ସବୁ ଗ୍ରନ୍ଥୀ ଚଳଚଞ୍ଚଳ । ଛନ୍ଦା ଛନ୍ଦିର ପରିପାଟି ଭିତରେ କିଏ କେତେ ବେଳେ କେଉଁ କାମରେ ବ୍ୟତିବ୍ୟସ୍ତ ତାହ ବୁଝିବା ସମ୍ପୂର୍ଣ୍ଣ କଷ୍ଟ । ତଥାପି ସେ ମଙ୍ଗଳମୟଙ୍କ ସୃଷ୍ଟି କେତେ ସୁନ୍ଦର । ସେ ଏହି ମାନବ ସୃଷ୍ଟିର ରହସ୍ୟରେ ଲୁଚାଇ ରଖିଛନ୍ତି ସର୍ବ ବୃହତ ଉପଦେଶ ଯେ ଏ ସଂସାରରେ କଦର୍ଯ୍ୟତା ବୋଲି କିଛି ନାହିଁ । ସବୁ କଦର୍ଯ୍ୟତା ଭିତରେ ମୋର ବିରାଜମାନ । 
      ଆଉ ପ୍ରତିଟି କଦର୍ଯ୍ୟତା ଭିତରେ ତୁମେ ଖୋଜିଲେ ଦେଖି ପାରିବ ତା’ରି ଭିତରେ ଲୁଚି ରହିଛି ଅଲୌକିକ ସୁନ୍ଦରତା । ଏମିତି ଅନେକ କଥା ଭାବି ଭାବି ମୁଁ ମୋ ସ୍ଥିତ ଶରୀରରେ ଯଦିଓ ସମୟେ ସମୟେ ଜୀବନକୁ ଭାର ମଣୁଥାଏ ତଥାପି ମୁଁ ମୋ ଯୋଗରୁ ମୋ ମନକୁ ବିଚ୍ୟୁତ କରୁ ନଥାଏ । 
      ସନାତନର ଜ୍ଞାନ ଗୋଚରରେ ସେ ଜାଣେ, ଏହି ସପ୍ତାହ ସୁଧା ତା’ସନ୍ତାନଟିର ଲମ୍ବ ପ୍ରାୟ ତିନି ଇଞ୍ଚ୍ ଓ ଓଜନ ପାଖାପାଖି କୋଡିଏ ଗ୍ରାମ୍‌ରୁ ପଚିଶି ଗ୍ରାମ୍ ମଧ୍ୟରେ ହୋଇଥିବ । ତା’ର ମସ୍ତିଷ୍କଟିର ଲମ୍ବ ତା’ର ସମ୍ପୂର୍ଣ୍ଣ ଶରୀରର ପ୍ରାୟ ଏକ ତୃତୀୟାଂଶ ହୋଇଥିବ । ସବୁଠାରୁ ଏ ସପ୍ତାହର ଗୁରୁତ୍ୱପୂର୍ଣ୍ଣ ବିକାଶଟି ହେଉଛି ବଢୁଥିବା ସନ୍ତାନର ମସ୍ତିଷ୍କ ଏହି ସପ୍ତାହରୁ ହିଁ ଜଟିଳ ଚିନ୍ତା କରିବାର ସାମର୍ଥ୍ୟ ହାସଲ କରିବ ଯେପରି କୌଣସି ସମସ୍ୟାର ସମାଧାନ କରିବା ଓ କୌଣସି କଥାକୁ ମନେରଖିବା ଇତ୍ୟାଦି । ତା’ର ହାତ ଆଙ୍ଗୁଳି ମାନଙ୍କରେ ସ୍ୱତନ୍ତ୍ର ଚ୍ଥାପ ଗୁଡିକ ଏହି ସପ୍ତାହରେ ହିଁ  ଗଢି ଉଠିବାର ଦେଖାଯିବ । ଯଦିଓ ଏହି ଆଙ୍ଗୁଳିର ଛାପଗୁଡିକ ଏହି ସପ୍ତାହରେ ନିରୀକ୍ଷଣ କରିବା ସମ୍ଭବ ନୁହେଁ ତଥାପି ଏହାର ଆରମ୍ଭ ଏହି ସପ୍ତାହରୁ ହୋଇ ସପ୍ତଦଶ ସପ୍ତାହ ବେଳକୁ ଏହା ସମ୍ପୂର୍ଣ୍ଣ ହୋଇଯିବ । ପାଣିକୁ କିପରି ଶୋଷନ୍ତି ଶିଶୁଟି ଏହି ସପ୍ତାହରୁ ଶିଖିଯିବ । ଆଗରୁ ଗର୍ଭଥଳୀ ଭିତରେ ରହି ଯେତେବେଳେ ଗର୍ଭଜଳକୁ ଗିଳି ପକଉଥିଲା ତାହା ସ୍ୱତଃ ସମ୍ପାଦିତ ହେଉଥିଲା  ମାତ୍ର ଏ ସପ୍ତାହରୁ ଶିଶୁ ନିଜେ ନିଜେ ଜାଣିଶୁଣି ଗର୍ଭଜଳକୁ ଭକ୍ଷଣ କରିବାର ଦକ୍ଷତା ହାସଲ କରି ବସିବ । ଆଉ ସେ ଧୀରେ ଧୀରେ ଏହି ଗର୍ଭ ଜଳକୁ ଶୋଷିବାକୁ ଅଭ୍ୟାସ କରିବାରେ ବି ଲାଗି ପଡିବ । ଏମିତି ବେଳେବେଳେ ସେ ନିଜ ଆଙ୍ଗୁଠିକୁ ଚୁଚୁମିବା ଆରମ୍ଭ କରି ଦେଇପାରେ । ଶିଶୁଟି ଗର୍ଭଜଳରେ ଯେଉଁ ପରିମାଣରେ ଆମ୍ନିଓଟିକ୍ ତରଳକୁ ଶୋଷିବ ସେଥିରୁ ତା’ର ଶରୀର କିଛି ଶକ୍ତି ଆହରଣ କରିବା ପରେପରେ ବାକି ଜଳ ତକ ଶିଶୁର ବୃକକ୍ ଦ୍ୱାରା ଦେଇ ପ୍ରସାବ ଆକାରରେ ସେହି ଗର୍ଭଥଳୀରେ ପୁଣି ଜମା ହେବ ।
      ଏଠାରେ ମୁଁ ତୁମକୁ କ୍ଷୁଧା ଜନିତ ଯନ୍ତ୍ରଣା ବିଷୟରେ ଅବଗତ କରିବାକୁ ଚାହେଁ । ଏ ଶରୀରର ଅସ୍ତିତ୍ୱ ପାଇଁ ଖାଦ୍ୟ ଦରକାର । ପଞ୍ଚମହାଭୁତ ସହିତ ଖାଦ୍ୟର ସଂଯୋଗରେ ହିଁ ଏ ଶରୀରର ବୃଦ୍ଧି ଘଟେ । ଖାଦ୍ୟ ବିନା ଏ ଶରୀର ରହିପାରେ ମାତ୍ର ସେଥିପାଇଁ ମନୁଷ୍ୟର ଏ ସାଧାରଣ ଅବସ୍ଥା ଅନୁପଯୁକ୍ତ । ମନୁଷ୍ୟ ତା’ର ଶରୀରକୁ ଯେପରି ଗଢିବାକୁ ପ୍ରୟାସ କରିବ ତାହା ସେପରି ଢଙ୍ଗରେ ଗଢି ହୋଇ ଚାଲିବ । ଯଦି ଅଭ୍ୟାସ ଦ୍ୱାରା ମନୁଷ୍ୟ ମିତାହାରି ହୁଏ ତେବେ ସେ ବଞ୍ôଚ ରହିବା ପାଇଁ କମ୍ ପରିମାଣର ଖାଦ୍ୟ ଆବଶ୍ୟକ କରେ । ତା’ ଶରୀର ସେହି ଅଳ୍ପ ଖାଦ୍ୟରେ ମଧ୍ୟ ଚଳଚଞ୍ଚଳ ରହି ନିଜର ଆବଶ୍ୟକ କର୍ମ ସମ୍ପାଦନ କରିପାରିବାର ଦକ୍ଷତା ରଖେ । ଆଉ ଯଦି ମନୁଷ୍ୟ ଖାଦ୍ୟର ଲାଳସାରେ ଅତ୍ୟଧିକ ଓ ଅନେକ ପ୍ରକାରର ଖାଦ୍ୟ ଖାଇବା ଅଭ୍ୟାସ କରେ ତେବେ ଏ ଶରୀର ସେହିପରି ଢଙ୍ଗରେ ସବୁବେଳେ ସର୍ବଗ୍ରାସୀ ଭଳି ଆଚରଣ ପ୍ରଦର୍ଶନ କରିଚାଲେ । 
      ତେଣୁ ଏ ଖାଦ୍ୟର ପରିମାଣ ମନୁଷ୍ୟ ନିଜର ପ୍ରବୃତ୍ତି ଓ ପ୍ରକୃତି ଦ୍ୱାରା ସ୍ୱୟଂ ନିୟନ୍ତ୍ରିତ କରି ପାରିବାର ଦକ୍ଷତା ତା’ପାଖରେ ଏ ପ୍ରକୃତି ଭରି ଦେଇଛି । ତୃତୀୟ ଅବସ୍ଥାରେ ମନୁଷ୍ୟ ନିଜର କ୍ଷୁଧାକୁ ଅବଦମିତ କରିପାରେ ଅବା ଅନାୟାସେ ଏଡାଇ ଦେଇପାରେ । ତାହା ହେଉଛି ଯୋଗାବସ୍ଥା । ଯୋଗାବସ୍ଥାରେ ଉପନୀତ ହେବା ସାଧାରଣ ମାନବ ପାଇଁ ଏତେ ସହଜ ନୁହେଁ । ଯିଏ ପ୍ରଭୁ ପ୍ରେମରେ ବିହ୍ୱଳିତ ନିଜ ଜୀବନ ସନ୍ଦର୍ଭକୁ କେବଳ ସେହି ପରବ୍ରହ୍ମ ପରମସତ୍ତାରେ ହିଁ ଅନୁଭବ କରେ ସେ ସେପରି ଯୋଗାବସ୍ଥାକୁ ଚାଲି ଯାଇପାରେ । ମୁନି ଋଷୀଗଣ ଅନେକ ମୁହୁର୍ତ୍ତ ଏହି ଯୋଗାବସ୍ଥାରେ ହିଁ ନିଜକୁ ବାନ୍ଧିରଖିବାର କ୍ଷମତା ରଖିଥାନ୍ତି । ଯୋଗାବସ୍ଥାରେ ହିଁ  ସେମାନେ ପଞ୍ଚମହାଭୁତକୁ ନିଜର କ୍ଷୁଧା ନିବାରଣ ପାଇଁ ବ୍ୟବହାର କରିବାରେ ହିଁ ସକ୍ଷମ ଥାନ୍ତି । ସେମାନଙ୍କ ନିକଟରେ ସତ୍ୟ ଏପରି ସିଦ୍ଧିଲାଭ କରିଥାଇ ଯେ ସେମାନେ ତାଙ୍କ ବାକ୍ୟରେ ଲକ୍ଷ୍ମୀକୁ ଆଣି ପାରିଥାନ୍ତି । 
      ମାତ୍ର୍ର ଏ ଜଠରରେ ଆଜି ମୋ ସ୍ଥିତ ଶରୀର ସେଭଳି ଯୋଗାରୁଢ ଅବସ୍ଥାକୁ ଯାଇନି କିମ୍ବା ଯାଇ ପାରିବନି । ମୋ ଅଧିଷ୍ଠିତ ଶରୀରର ବିକାଶ ଓ ବୃଦ୍ଧି ପାଇଁ ସେ ଏଭଳି କଷ୍ଟକୁ ସ୍ୱୀକାର କରିବ କାରଣ ମନୁଷ୍ୟ ଜୀବନରେ ବଞ୍ôଚରହିବା ପାଇଁ ସେ ସମସ୍ତ ଉଦ୍ୟମକୁ ହାତ ଛଡା କେବେବି  କରିପାରେନି । କ୍ଷୁଧା ମନୁଷ୍ୟର ମନୁଷ୍ୟତ୍ୱକୁ ଲୋପ କରି ଦେଇପାରେ । ନିଜର କ୍ଷୁଧା ମେଣ୍ଟାଇବା ପାଇଁ ସମୟେ ସମୟେ ସେ ଅଖାଦ୍ୟକୁ ଖାଇବାକୁ ବାଧ୍ୟ ହୁଏ । ମୋ ସ୍ଥିତ ଶରୀର ଏଠାରେ ସେମିତି ଅବସ୍ଥାରେ ହିଁ ଥାଏ । କ୍ଷୁଧା ସମୟରେ ମୋ ଶରୀର ଏ ଗର୍ଭଜଳରୁ ଢୋକେ ଗିଳି ପକାଉଥାଏ ତ କେତେବେଳେ ତାକୁ ମଳଦ୍ୱାର ପଟେ ତରଳ ଅବସ୍ଥାରେ କାଢି ପକାଉଥାଏ । 
      ମାତୃ ଗର୍ଭରୁ ବାହାରିଯିବା ପରେ କୌଣସି ମାନବ ଏପରି କରିପାରିବ ନାହିଁ ।  ନିଜ ମଳକୁ ନିଜେ ଗ୍ରାସ କରିବା ବୋଧହୁଏ ମାନବ ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ । ମଳ ଗ୍ରାସ କରିବାର ପୂର୍ବାବସ୍ଥାରେ ହିଁ ଏ ମାନବ ବିକାର ଗ୍ରସ୍ତ ହୋଇଯିବ । ଯେଉଁ ବିକାର ତାକୁ ନାନାଦି ରୋଗ ଆଡକୁ ଟାଣି ନେବ । ହେଲେ ଏଠି ତ ଏ ବିକାରକୁ ମୋ ଶରୀର ନିଜର ଅସ୍ତିତ୍ୱ ବଜାୟ  ରଖିବା ପାଇଁ ଓ ନିଜର କ୍ଷୁଧା ମେଣ୍ଟାଇବା ପାଇଁ ତାହା କରିବାକୁ ବାଧ୍ୟ । ସେହି  ଆମ୍ନିଓାଇଟିକ୍ ତରଳରେ ଅନେକ ପୁଷ୍ଟିକାରକ ଦ୍ରବ୍ୟଯଥା-କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ଗ୍ଲୁକୋଜ୍ ଓ ଇଲେକ୍ଟ୍ରୋଲାଇଟ୍‌ସ ଥାଏ । ଏହି ସବୁ ପୁଷ୍ଟିକାରକ ଦ୍ରବ୍ୟ ଗୁଡିକ ଶିଶୁର ଶରୀର ବୃଦ୍ଧି ଓ ବିକାଶରେ ସାହାଯ୍ୟ କରିଥାଏ । 
       ସନାତନର ଜ୍ଞାତରେ ଯଦି ତା’ର ଶିଶୁଟି ବାଳକ ହୋଇଥିବ ତେବେ ଏହି ସପ୍ତାହରେ ଯୈାନାଙ୍ଗର ଧୀରେ ଧୀରେ ବୃଦ୍ଧି ଓ ବିକାଶ ଘଟିବାରେ ଲାଗିବ ।  ଆଉ ଯଦି ଶିଶୁଟି କନ୍ୟା ହୋଇଥିବ ତେବେ ତା’ର ଡିମ୍ବାଶୟଟି ସମ୍ପୂର୍ଣ୍ଣ ରୂପେ ବିକଷିତ ହୋଇସାରିଥିବ ଓ ସେଥିରେ ପାଖାପାଖି ଦୁଇ ନିୟୁତ ଡିମ୍ବ ଖଞ୍ଜାହୋଇ ରହିଥିବେ । ସତ୍ତ୍ୱରୀମାର ଏ ସବୁ ପରିବର୍ତ୍ତନକୁ ସେ ନିଜ ଘରେ ଯନ୍ତ୍ର ସାହାଯ୍ୟରେ ତୁଳନା କରି ଦେଖି ସମୟେ ସମୟେ ବିସ୍ମିତ ହୋଇଯାଏ । ବିଶ୍ୱନିୟନ୍ତାଙ୍କର ଏ ସୃଷ୍ଟିକୁ ଅତ୍ୟାଶ୍ଚର୍ଯ୍ୟ ମଣିବସେ । 
      ସତ୍ତ୍ୱରୀମାର ଜୀବନ ବର୍ତ୍ତମାନ ଏକ ଫଳନ୍ତି ଲତା ସଦୃଶ । ତା’ର ଗୋଟିଏ ଫୁଲ ଆଜି ଫଳରେ ରୂପାନ୍ତରିତ । ଫଳଟିକୁ ନିଜ ସହିତ ଯତ୍ନରେ ଜାବୁଡିଧରି ଲଟେଇ ରହିଛି ସନାତନ ଉପରେ । ସନାତନ ତା’ପାଇଁ ଆଶ୍ରା । ସୁଖ ସ୍ୱପ୍ନରେ ସେ ଆଜି ବିମୋହିତ । ଶାରିରୀକ ସୁଖ ତା‘ପାଇଁ ଶାରିରୀକ ଆବଶ୍ୟକତା । ସେ ଜାଣେ ଏ ଯୌବନେନ୍ଦ୍ରିୟ ମାନଙ୍କର ଯେଉଁ ଆକର୍ଷଣ ଏହା ସ୍ୱତଃ ପ୍ରବୃତ ଓ ଏହା ସଂସାର ସୃଷ୍ଟି ପାଇଁ ହିଁ ଉଦ୍ଧିଷ୍ଟ । ତେବେ ତା’ର ଜୀବନ ଚର୍ଯ୍ୟାରେ ନଥାଏ ପୁରୁଷ ସଙ୍ଗ ପାଇଁ ଅହେତୁକ ଆକର୍ଷଣ । ତଥାପି ସନାତନର ମିଳନକୁ ସେ ଭରପୁର ଉପଭୋଗ କରେ । ବର୍ତ୍ତମାନର ଦୁଇଜଣଙ୍କର ମିଳନ ଆଗ ମିଳନଠାରୁ ମଧ୍ୟ କିଛିଟା ଭିନ୍ନ । ଏ  ଭିନ୍ନତା ଉଭୟ ଶାରିରୀକ ଓ ମାନସିକତାରେ । ବିଜ୍ଞାନୀ ମନୋଭାବରେ ସନ୍ତାନର ସୁରକ୍ଷାକୁ ପ୍ରାଧାନ୍ୟ ପ୍ରଦାନ କରି ସନାତନ ହଜେ ରତିକ୍ରିୟାରେ । ସନାତନ ଏକଥା ଜାଣେ ଯେ ବିଧି ଏପରି ଭାବରେ ଗର୍ଭ ସଂଚାର କରି ଗର୍ଭଭିତରେ ଏତେ ଯତ୍ନର ସହିତ ଓ ଏତେ ନିରାପଦରେ ଶିଶୁଟିକୁ ରଖିଥାଏ ଯେ ଗର୍ଭାବସ୍ଥାରେ ରତିକ୍ରିୟା କଲେ ଶିଶୁର କୌଣସି କ୍ଷତି ଘଟେ ନାହିଁ । ତଥାପି ମାନବୀୟ ମାୟାରେ ତା’ମନରେ ବେଳେ ବେଳେ ଭୟର ସଂଚାର ଉଦ୍ରେକ ତାକୁ ରମଣ ସମୟରେ ସାବଧାନ କରିଦିଏ । ସତ୍ତ୍ୱରୀମା ମନରେ ମଧ୍ୟ ଅନୁରୂପ ନିଜ ସନ୍ତାନର ଆପଦରହିତ ବୃଦ୍ଧି ପାଇଁ ଶଙ୍କା ତାକୁ ତା’ର କାମିକ ଆଚରଣରେ ଅଙ୍କୁଶ ଲଗେଇ ଦିଏ । ତଥାପି ଉଭୟେ ପ୍ରକୃତିଦତ୍ତ ଆବଶ୍ୟକତାରେ ଜୀବନକୁ ଉପଭୋଗ କରିଚାଲନ୍ତି ।   
      ଚତୁର୍ଦ୍ଦଶ ସପ୍ତାହରେ ପ୍ରବେଶ ସମୟରେ ମୋ ଅଧିଷ୍ଠିତ ଶରୀର ସ୍ୱୟଂସମ୍ପୂର୍ଣ୍ଣ ଅବସ୍ଥାରେ ପହଞ୍ôଚ ଯାଏ । ଏହା ସେତେବେଳକୁ ସମସ୍ତ ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିବାରେ ସକ୍ଷମ ହୋଇଥାଏ । ତା’ର ହାତ ଗୋଡ ଏକ ନିର୍ଦ୍ଦିଷ୍ଟ ତାଳରେ ଗତି କରିବା ଆରମ୍ଭ କରେ । ବିଚିତ୍ରତାର ପରିସୀମା ଭିତରେ ମୋ ଅଧିଷ୍ଠିତ ଶରୀର ସେତେବେଳକୁ ଅନୁଭବ କରିବାର ପରିପୂର୍ଣ୍ଣତା ଲାଭ କରିସାରିଥାଏ । ହଁ ଏ କଥା ସତ ଯେ ସତ୍ତ୍ୱରୀମା ଚଳଚଞ୍ଚଳ ଥିବା ସମୟରେ ଏ ଶରୀର ଚଳଚଞ୍ଚଳ ରହେ । ସତ୍ତ୍ୱରୀମାର ମନ ଓ ହୃଦୟ ପ୍ରସନ୍ନତ ଏ ଶରୀର ମଧ୍ୟ ପ୍ରସନ୍ନତା ଅନୁଭବ କରୁଥାଏ । ଯେବେ ସତ୍ତ୍ୱରୀମାର ମନ ଉଦାସ ହୋଇଯାଏ ସେତେବେଳେ ଏ ଶରୀର ବି ଉଦାସ ହୋଇଉଠେ । ହେଲେ ଏଠାରେ ପ୍ରକାଶ କରିବା ଜରୁରୀ ଯେ ବେଳେବେଳେ ଏ ଶରୀର ନିଜର କ୍ରିୟା ପ୍ରତିକ୍ରିୟା  ଆରମ୍ଭ କରିଦିଏ ଯାହା ସତ୍ତ୍ୱରୀମାର ମାନସିକ ଓ ଶାରିରୀକ ଅବସ୍ଥା ସହିତ ସମ୍ପର୍କିତ ଥିଲେ ସୁଦ୍ଧା ଏହାର ଅବସାଦ ଓ ଦୁଃଖର ପରିମାଣ ଦିନକୁ ଦିନ ବଢିବାରେ ଲାଗିଥାଏ । 
      ଯେଉଁ ଯେଉଁ ମୋ ଅଧିଷ୍ଠିତ ଶରୀରର ମସ୍ତିଷ୍କ ସ୍ୱୟଂ ସମ୍ପୂର୍ଣ୍ଣ ହେବାକୁ ଲାଗୁଥାଏ ମୁଁ ସେହି ଅନୁପାତରେ ଦୁଃଖ ଓ ଅବସାଦ ଆଡକୁ ଅଧିକ ଗତି କରୁଥାଏ । ଯେଉଁ ଆନନ୍ଦରେ ମୁଁ ଏ ଜରାୟୁ ଭିତରେ ପ୍ରବେଶ କରିଥିଲି ସେ ଖୁସିର ପରିମାଣ ଧୀରେ ଧୀରେ କ୍ଷୀଣ ହେବାରେ ଲାଗିଥାଏ । ଯୋନିଜନ୍ମର ଯନ୍ତ୍ରଣା ମୋତେ କବଳିତ କରି ଚାଲିଥାଏ । ମୋତେ ସମୟେ ସମୟେ ଏତେ ବ୍ୟସ୍ତବିବ୍ରତ ଲାଗେଯେ ମୋର ସେ ବ୍ୟସ୍ତତାର ପରିପ୍ରକାଶ ମୋ ସ୍ଥିତ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ମାନଙ୍କରେ ଦେଖିବାକୁ ମିଳେ । ସମୟେ ସମୟେ ମୋ ଶରୀରର ଆଖି ତା’ର ମୁଦ୍ରିତ ପତା ଭିତରେ ଟେରେଇଲା ଭଳି ଚାହିଁ ରହେ । ପୁଣି ବେଳେବେଳେ ଚିନ୍ତାମଗ୍ନ ଓ ବିରକ୍ତିଭାବ ପ୍ରକାଶ କରେ । ଏହା ଅନୁଭବର ବିଷୟ । ବେଳେବେଳେ ମୁଁ ମୋର ଯୋଗାବସ୍ଥାରୁ ଅପସରିଯାଇ ଏ ମାୟା ସଂସାରର ଦୁଃଖ କଷ୍ଟ ଓ ଯନ୍ତ୍ରଣା ବିଷୟରେ ଭାବିବସେ । ଏ ଜଠରର ଜୀବନ ଯେ ଏତେକ୍ଳିଷ୍ଟ ତାହା ମୁଁ ପୂର୍ବଜନ୍ମ ମାନଙ୍କରେ ଅନୁଭବ କରିଥିଲେ ମଧ୍ୟ କେଜାଣି କାହିଁକି ଜାଣି 
   ପାରୁନଥାଏ, ଏ ଶେଷ ଯାତ୍ରାର ଯନ୍ତ୍ରଣା ମୋତେ କାହିଁକି ଅତ୍ୟଧିକ ଆଘାତ ଦେଇ ଚାଲିଥାଏ । ଇନ୍ଦ୍ରିୟ, ମନ, ବୁଦ୍ଧି ଏ ତିନିଙ୍କଠାରୁ ମୁଁ ଶ୍ରେଷ୍ଠତ୍ୱ ଲାଭ କରି ଥିବା ସତ୍ତ୍ୱେ ବେଳେବେଳେ ମୋ ସ୍ଥିତ ଶରୀରର ଅନୁଭବିତ ଯନ୍ତ୍ରଣା ମୋତେ କରାଗ୍ରତ କରି ପକଉଥାଏ । ସଂସାରର ସର୍ବଶ୍ରେଷ୍ଠ ପ୍ରାଣୀର କଳେବର ନେଇ ମୁଁ ଆଜି ଈଶ୍ୱରଙ୍କ ସୃଷ୍ଟିରେ ଜନ୍ମ ନେବାର  ସନ୍ନିକଟ, ହେଲେ ଏ କି ଅବର୍ଣ୍ଣନୀୟ କଦର୍ଯ୍ୟତା ପୂର୍ଣ୍ଣ ଜୀବନ? ଯେଉଁ ଜଳରେ କଇଁଚ ପରି ମୋ ଅଧିଷ୍ଟିତ ଶରୀର ବୁଲୁଥାଏ ସେଇ ଜଳକୁ ପାନ କରେ ପୁଣି ସେହି ଜଳକୁ ନିଜ ଶରୀରରୁ ପ୍ରସାବ ଭାବେ ପରିତ୍ୟାଗ କରେ । ପୁନଃ ଚକ୍ରରେ ମୋର ସେହି ପ୍ରସାବ ପୁଣି ମୋର ଆହାର । 
      ଟିକେ ଭାବୁନ, ଜାଣିପାରିବ ଏ କି ସନ୍ତପ୍ତ ଅବସ୍ଥା । ମନୁଷ୍ୟ ଧରା ଉପରେ ନିଜର ପ୍ରସାବକୁ ତ୍ୟାଗ କଲେ ସେ ସ୍ଥାନ ଦୁର୍ଗନ୍ଧରେ ଫାଟି ପଡେ । ମନୁଷ୍ୟ କେତେ ଯତ୍ନ କରେ ସେ ସ୍ଥାନକୁ ପରିସ୍କାର ରଖିବା ପାଇଁ । ସେ ଦୁର୍ଗନ୍ଧରୁ ନିଜକୁ ମୁକ୍ତ ରଖିବା ପାଇଁ କେତେ ରାସାୟନିକ ପଦାର୍ଥର ସାହାରା ନେଇଥାଏ । ମାତ୍ର ମୁଁ ଏଠାରେ ପରିସ୍ଥିତିର ଦାସ । ଗର୍ଭଥଳୀର ବାହାରକୁ ଯାଇ ପାରିବାର କ୍ଷମତା ମୋ ସ୍ଥିତ ଶରୀରର ନଥାଏ କିମ୍ବା ମାତୃଗର୍ଭରୁ ବାହାରକୁ ଯାଇପାରୁ ନଥାଏ । ଯେପର୍ଯ୍ୟନ୍ତ ସେ ପରମାତ୍ମାଙ୍କର ନିର୍ଦ୍ଦେଶ କାଳଚକ୍ରକୁ ନହୋଇଛି, କାଳଚକ୍ରର କ୍ରୁରତା ଭିତରେ ସେମିତିକା ହିଁ ନିଜ ଧୈର୍ଯ୍ୟକୁ ଶାଣିତ ରଖିବାକୁ ପଡୁଥାଏ ଓ ସେଥିରେ ଅନ୍ୟ ବିକଳ୍ପ କିଛି ନଥାଏ । ଏ ସମସ୍ତ ଭାବନାରେ ମୋତେ ଅନୁଭବ ହେବାକୁ ଆରମ୍ଭ ହୁଏ ଯେ ମୁଁ ମୋର ଲକ୍ଷସ୍ଥଳରୁ ପଥ ବିଚ୍ୟୁତ ହେବା ପରି ଭାବନା ଭିତରକୁ ଭିଡି ହୋଇଯାଉଛି । ତେଣୁ ନିଜକୁ ପୁନଃ ସତର୍କ କରେଇ ମନ ସଂଜତାବସ୍ଥାକୁ ଆଣି  ଯୋଗରେ ନିଜକୁ ଅବସ୍ଥାପିତ କରେ । ଏହି ଯନ୍ତ୍ରଣା ପୂର୍ଣ୍ଣ ଜୀବଦଶାରୁ କେବଳ ସେହି ପରବ୍ରହ୍ମ ପରମାତ୍ମାଙ୍କର ଧ୍ୟାନ ହିଁ ମୋତେ ନିସ୍ତାରି ପାରିବ ତେବେ ଅନ୍ୟଭାବନାକୁ ସବୁ ସ୍ଥାନ ଦେବି ବା କାହିଁକ? ଏହା ଭାବି ମୋର ପୂର୍ବ ସ୍ଥିତିକୁ ମୁଁ ଫେରିଆସେ । 
      ଏ ସପ୍ତାହରେ ସନାତନ ଜାଣେ ଶିଶୁଟିର ଆକାର ପ୍ରାୟ ୯ ସେ.ମି ଲମ୍ବ ହୋଇଯିବଣି । ଶିଶୁଟିର ସମସ୍ତ ଶରୀରର ଆକାର ତୁଳନାରେ ଏହାର ମୁଣ୍ଡଟି ପ୍ରାୟ ଏକ ତୃତୀୟାଂଶ ହୋଇଥିବ । ଅର୍ଥାତ ଶରୀର ତୁଳନାରେ ମୁଣ୍ଡଟିର ଆକାର ବହୁତ ବଡ ଯାହା ସାଧାରଣ ମାନବ ପକ୍ଷେ ଦେଖାଯାଏ । ସେ ମଧ୍ୟ ଏହି କଥାକୁ ତା’ର ପୁସ୍ତକରେ ପଢିଥାଏ । ମାତ୍ର ସେହି ସପ୍ତାହ ମଧ୍ୟରେ ଶରୀର ଅଙ୍ଗ ପ୍ରତ୍ୟଙ୍ଗ ମାନଙ୍କ ବୃଦ୍ଧି ମସ୍ତିଷ୍କ ତୁଳନାରେ ଅବଶ୍ୟମ୍ଭାବୀ ଭାବେ ସଂଗଠିତ ହୋଇ ଚାଲିଥାଏ, ଯାହାଫଳରେକି ଆଉ ଦୁଇରୁ ତିନି ସପ୍ତାହ ମଧ୍ୟରେ ଶରୀର ସହିତ ମସ୍ତିଷ୍କର ଆକାରର ଅନୁପାତ ଆବଶ୍ୟକ ମୁତାବକ ହୋଇଯିବ । ସେହି ସପ୍ତାହରେ ଶିଶୁ ମୁଣ୍ଡରେ ଛୋଟ ଛୋଟ ଲୋମଉଠିବାର ଦେଖାଯିବ । ଏହା ବିଶ୍ୱାସ କରାଯାଏ ଯେ ମସ୍ତିଷ୍କରେ ସୃଷ୍ଟି ଏହି ଛୋଟ ଛୋଟ ଲୋମ ଗୁଡିକ ଶିଶୁ ଶରୀରର ତାପମାତ୍ରା ସନ୍ତୁଳିତ କରିବାରେ ସାହାଯ୍ୟ କରେ ଓ ଆବଶ୍ୟକ 
 ପଡିଲେ ଶରୀରକୁ ଉତ୍ତାପ ବାହାରୁ ଯୋଗାଡ କରିଥାଏ । ଏହା ସତ୍ୟଯେ ଶିଶୁଟିର ଜନ୍ମର ଚାରିସପ୍ତାହ ପୂର୍ବରୁ ଏହି କ୍ଷୁଦ୍ର ଲୋମ ଗୁଡିକ ଝଡିପଡିବ ଓ ନୂତନ କେଶ ସେତେବେଳକୁ ହୋଇ ସାରିଥିବ । ଏହି ସପ୍ତାହରେ ଶିଶୁଟି ତା’ ମୁହଁର ସମସ୍ତ ମାଂସେପଶୀ ମାନଙ୍କୁ ଚଳକ୍ଷମ କରିବାର ଶକ୍ତି ମଧ୍ୟ ହାସଲ କରିବ । ସେ ତା’ର ମୁଦ୍ରିତ ଆଖି ଭିତରେ ଆଖି ଡୋଳାକୁ ଚଳପ୍ରଚଳ କରିବାରେ ସକ୍ଷମ ହେବ । 
      କିନ୍ତୁ ଏ ସବୁ ଆଶ୍ଚର୍ଯ୍ୟ ପରିବର୍ତ୍ତନକୁ ଏ ଗର୍ଭଥଳୀ ଭିତରର ପରିବେଶରେ ଦେଖି ସମୟେ ସମୟେ ସନାତନ ଆଚମ୍ବିତ ହୋଇ ନିଜକୁ ବୁଝି ପାରେନା । ନିଜ ପାଠ୍ୟ ପୁସ୍ତକ ଜ୍ଞାନ ଓ ଏ ବାସ୍ତବ ଅଭିଜ୍ଞତାର ଜ୍ଞାନର ମେଳ ତାକୁ ଭାବୁକ କରିପକାଏ । ବାସ୍ତବତାର ପରିସ୍କାର ପଥରୁ ହୁଡିଯାଇ ଅବାସ୍ତବର ନିଘଞ୍ଚ ଜଙ୍ଗଲ ଭିତରେ ନିଜକୁ ପ୍ରବେଶ କରେଇନିଏ । ଏତେ ସୂକ୍ଷ୍ମତା ଭିତରେ ସେ ଆଶ୍ଚର୍ଯ୍ୟ ସୂକ୍ଷ୍ମ୍ମ ପରିବର୍ତ୍ତନ ତାକୁ ଆଚମ୍ବିତ କରିପକାଏ । ଏ ଧୀର ପରିବର୍ତ୍ତନର ପ୍ରତିଟି କ୍ଷଣକୁ ସେ ଅନୁଭବ କରିପାରନ୍ତା କି? ତାହା ସମ୍ଭବ ମଧ୍ୟ । ଅନେକ ବିଜ୍ଞାନୀ ପ୍ରତିମୁହୁର୍ତ୍ତର ପରିବର୍ତ୍ତନକୁ ଅନୁଭବ କରି ଆଜି ଏ ଜୀବ ବିଜ୍ଞାନର ଗ୍ରନ୍ଥ ସବୁ ରଚନା କରିଛନ୍ତି ହେଲେ ସେ ଭଳି ଅଭିଜ୍ଞତାକୁ ତା’ର ଧର୍ମପତ୍ନୀ ଓ ତା’ ନିଜର ସନ୍ତାନ ଠାରେ ହିଁ ପ୍ରମାଣିତ କରିବ ତାହା ଧର୍ମ ବିରୋଧୀ କାର୍ଯ୍ୟ । ତେଣୁ ସେସବୁକୁ ସିମୀତ କରି ସପ୍ତାହକରେ ସେ ଗୋଟିଏ ଦିନ ତା’ସନ୍ତାନର ଅବସ୍ଥା ମାତ୍ର କେଇକ୍ଷଣ ପାଇଁ ସତ୍ତ୍ୱରୀମା ଗର୍ଭରେ ଦେଖେ ଓ ସେଥିରେ ହିଁ ଉଲ୍ଲସିତ ହୁଏ । 
      ସତ୍ତତ୍ତ୍ୱରୀମା ଏକ ଆଦର୍ଶ ପତ୍ନୀ ଓ ଆଦର୍ଶ ଗୃହିଣୀର ଭୂମିକାକୁ ଅତି ସୁନ୍ଦର ଭାବରେ ବିତେଇ ଚାଲିଥାଏ । ନିଜର ଜ୍ଞାତ ସାରରେ ସେ ନିଜ ମନକୁ କେବେବି ବିରସ କିମ୍ବା ଉଦାସ ରଖିବାକୁ ଚେଷ୍ଟା କରେନି । ମନ ମଧ୍ୟରେ ମନ୍ଦ ଭାବନାର ସ୍ଥାନକୁ ସେ ସମ୍ପୂର୍ଣ୍ଣ ପରିତ୍ୟାଗ କରି ଭଗବାନଙ୍କ ପ୍ରାର୍ଥନା ଓ ପତିସେବାରେ ହଜେଇ ଦିଏ ଜୀବନର ଶାସତ୍ୱକୁ । ଜୀବନକୁ ପ୍ରତିମୁହୁର୍ତ୍ତରେ କରିରଖେ ଚଳଚଞ୍ଚଳ । ସେ ଜୀବନକୁ ଉପଭୋଗ କରି ଯେତିକି ଖୁସିଥାଏ ତା’ର ସଦୁପଯୋଗ କରି ତା’ ଠାରୁ ଆହୁରି ଆନନ୍ଦ ଅନୁଭବ କରେ । ଏକ ଗର୍ଭବତୀ ଗୃହିଣୀର ଆଭୁଷଣ ଯେ କିପରି ସାଧାସିଧା ହେବା ଦରକାର ସେହି ଢଙ୍ଗରେ ସେ ନିଜକୁ ଏପରି ସଜେଇଦିଏ ମନ ମୋହିଯିବା ନିଶ୍ଚିତ । କଥାରେ ଭରି ରଖିଥାଏ ଆର୍ଜବର ଛନ୍ଦ । ମୁଖ ମଣ୍ଡଳରେ ବିରାଜିତ ଚିର ମନ୍ଦହାସ୍ୟ, ତା’ ସୌନ୍ଦର୍ଯ୍ୟର ଐଶୋର୍ଯ୍ୟକୁ ଆହୁରି ପରିପୂର୍ଣ୍ଣ କରିଦିଏ । ଗର୍ଭକଷ୍ଟକୁ ତା’ର ମୁଖ ମଣ୍ଡଳକୁ ଆଣିବାକୁ ନଦେବାକୁ ସେ ସଦାସର୍ବଦା ପ୍ରୟାସରତ ଥାଏ । ସେ ସମୟରେ ଖୁସି ବାଣ୍ଟିଲେ ତା’ସନ୍ତାନକୁ ଅନ୍ୟ କିଏ ଖୁସି ବାଣ୍ଟିବ ସେଭଳି ଭାବନାରେ ବେଳେବେଳେ ନିଜକୁ ବିମଣ୍ଡିତ କରେ । ସେ “ଜାଣେ ସେବା କଲେ ବାସେ” । ତେଣୁ ପରର ସେବା କଲେ ଯେତିକି ପୂଣ୍ୟ ମିଳେ ତା’ଠାରୁ କାହିଁ କେତେ ଅଧିକ ଆତ୍ମସୁଖ ମିଳେ । ସେବାରେ କେବେହେଲେ ସେ ହେଳା କରେ ନାହିଁ । ସନାତନର ଉପଦେଶ ମୁତାବକ ନିଜର ଖାଦ୍ୟ ପାନୀୟ ବ୍ୟବହାର କରିବା ସହିତ ଶାଶୁଶ୍ୱଶୁର 
ସମସ୍ତଙ୍କୁ ସମଭାବରେ ଦେଖେ । ତା’ନଜରରେ ସବୁ ମଣିଷ ସମାନ । କେହି ଛୋଟକି କେହି ବଡ ନୁହେଁ । ମନୁଷ୍ୟର କର୍ମ ହିଁ ତାକୁ ଜୀବନରେ ଉଚ୍ଚ ଅବା ନୀଚ ଆସନ ପ୍ରଦାନ କରେ । ତେଣୁ ସେ ଘରର ଚାକର ଚାକରାଣୀ ଠାରୁ ଆରମ୍ଭ କରି ସମସ୍ତଙ୍କୁ ସମଦୃଷ୍ଟିରେ ଦେଖେ । ସେଇଥିପାଇଁ ତ ରାଜବଂଶରେ ସେ ଆଜି ସମସ୍ତଙ୍କର ଅତି ଆଦରର ବୋହୁମା । ବୋହୁମାଙ୍କ ପାଦ କିପରି ତଳେ ନଲାଗୁ ସବୁ ଚାକର ଚାକରାଣୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତେ ବ୍ୟତିବ୍ୟସ୍ତ । 
        କିଏ କେତେବେଳେ ବୋହୁମା’ଙ୍କ ପାଇଁ କଞ୍ଚା କମଳା ତ କିଏ କଞ୍ଚାଲେମ୍ବୁ ପୁଣି ଆଉ କିଏ 
କଞ୍ଚା ବରକୋଳି ତ କିଏ କଣ୍ଟେଇ କୋଳି ନେଇଆସି ତୁନି କିନା ଦେଇଦିଏ । ସତ୍ତ୍ୱରୀମା ଏ ସବୁ ଦେଖି ଆନନ୍ଦରେ ଯେତିକି ତା’ମନ ଝୁମି ଉଠେ ସନାତନର ଖାଦ୍ୟ ତାଲିକା ତା’କୁ ସେତିକି ପଥରୋଧ ମଧ୍ୟ କରେ । ହେଲେ ସନାତନର ପରାମର୍ଶରେ ତା’ର ଇଚ୍ଛା ମୁତାବକ ସେ ଫଳ ଓ କୋଳି ସବୁ ଖାଏ । 
      ଜୀବନକୁ ଶାନ୍ତ ରଖିବା ପାଇଁ ସେ ପ୍ରଭୁ ପ୍ରାର୍ଥନା କେବେବି ଛାଡିପାରେନି ଯାହା ମୋତେ ବହୁତ ଆନନ୍ଦ ଦେଉଥାଏ । ମୋ ମା’ଯେ ଏତେ ସୁନ୍ଦର, ଏତେ ପବିତ୍ର ସେ କଥା ମୋତେ ଅନେକ ସମୟରେ ମୋ ଗନ୍ତବ୍ୟ ସ୍ଥଳରେ ପହଞ୍ôଚ ପାରିବାର ଆଶାକୁ ବହୁଗୁଣିତ କରିପକଉଥାଏ ।

*******

ଅଷ୍ଟମ ପକ୍ଷ



      ଆଜି ଜରାୟୁର ଜଳରାଶିରେ ମୋ ସ୍ଥିତ ଅବୟବ ଜଳକୀଟ ପରି ଚଳଚଞ୍ଚଳ । ଜଳ ହିଁ ଜୀବନ ଓ ଜଳରୁ ହିଁ  ଜୀବନ ଏହା ମୋ ଯାତ୍ରାର ପ୍ରତିଟି ପାଦରେ ପ୍ରତିପାଦିତ ହେବାରେ ଲାଗିଥାଏ । ପିତା ରୂପେ ସନାତନର ଶୁକ୍ରରେ ଜଳସହିତ ମୁଁ ଧାବମାନ ହୋଇ ଆସି ପହଞ୍ôଚଥିଲି ଫଲୋପିଆନ୍ ନଳୀ ଭିତରେ । ସେଠାରେ ମଧ୍ୟ ପରିବେଶ ଜଳ ସଂସର୍ଗରେ ପରିପୂର୍ଣ୍ଣ ଥିଲା । ମୋର ପ୍ରତ୍ୟେକ ଗତି ଏହି ଜଳ ମାଧ୍ୟମରେ ହିଁ ସରଳ ଓ ସହଜ ହୋଇ ପାରୁଥିଲା । ଜଳ ଭିତରେ ହିଁ ଥିଲା ସେହି ଜୀବନ ଶକ୍ତି ଯାହା ମୋର କଳେବରର ବିକାଶ ଓ ବୃଦ୍ଧିରେ ଅହରହ ନିୟୋଜିତ ହୋଇ ଚାଲିଥିଲା । ଏ ଜଳର ଗନ୍ଧ ସେତେ ଅମୋଦଦାୟୀ ନୁହେଁ କିମ୍ବା ଦେଖିବାକୁ ସେତେ ଚିତଗର୍ଭକ ନୁହେଁ । ତଥାପି ମୋ ଅଧିଷ୍ଠିତ ଶରୀର ଏଥିରେ ହିଁ ପରିବ୍ୟାପ୍ତ ହେବାର ମୁଁ ଅହରହ ନୀରିକ୍ଷଣ କରି ଚାଲିଥିଲି । 
      ଏ ମାନବ ଜଗତ ପାଇଁ ଏ ଭଳି ଜଳ ମିଶ୍ରିତ ତରଳ ପଦାର୍ଥ ଅତ୍ୟନ୍ତ ଦୁର୍ଗନ୍ଧଯୁକ୍ତ ହୋଇ ପାରେ । ଦୁର୍ଗନ୍ଧର ପରିମାଣ ପୃଥିବୀ ପୃଷ୍ଟରେ ଜାତ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ତାରତମ୍ୟତା ବହନ କରିପାରେ କାରଣ ତାହା ମାନବର ବିକାର ଭାବ ଉପରେ ନିର୍ଭର କରିଥାଏ । ଏ ଧରା ବକ୍ଷରେ ଏମିତି ଅନେକ ମନୁଷ୍ୟ ଅଛନ୍ତି ଯେଉଁମାନେକି ଏ ବିକାର ଗୁୁଣରୁ ସତତ ପରେ । ମାତ୍ର ଅନେକ ମଧ୍ୟ ତାଙ୍କ ଜୀବନରେ ବିକାର ଗ୍ରସ୍ତ । କ୍ଷଣିକ ଦୁର୍ଗନ୍ଧ ସେମାନଙ୍କୁ ଅତିଷ୍ଟ କରିପକାଏ । ସେତିକି ନୁହେଁ , ଦୁର୍ଗନ୍ଧମୟ ପରିବେଷ୍ଟନୀ ସେମାନଙ୍କୁ ନର୍କ ଯନ୍ତ୍ରଣା ପରି ବୋଧହୁଏ । ସେମାନେ ଏ ସଂସାରର କେବଳ ସୁନ୍ଦରତା ଓ ପରିଷ୍କାର ପରିଛନ୍ନତାକୁ ହିଁ ଆପଣେଇ ପାରନ୍ତି । ଏହା  ସୃଷ୍ଟିକର୍ତ୍ତାକୁ ସନ୍ତୁଷ୍ଟ କରେ । ମଣିଷ ଭିତରେ ଏହି ବିକାରକୁ ସେ ଏଇଥିପାଇଁ ଭରି ଦେଇଛନ୍ତି ଯେ ସେ ତା’ର ଜୀବନ ପଥରେ କର୍ମ ଚଞ୍ଚଳ ରହୁ । ନିଜ ପରିପାଶ୍ୱର୍ ପରିବେଷ୍ଟନୀକୁ ପରିଷ୍କାର ରଖୁ । ସେ ଏପରି ଚତୁର ମଣିଷର ସୃଷ୍ଟି ସ୍ଥଳକୁ ଏତେ କଦର୍ଯ୍ୟମୟ କରିଛନ୍ତିଯେ ତାହା ସାଧାରଣ ମଣିଷକୁ ବିବ୍ରତ କରି ପକାଇବ ଏହା ନିସନ୍ଦେହ । ମାତ୍ର ତା’ଜୀବଦଶାରେ ତା’ ଭିତରେ ଭରିଛନ୍ତି ବିପରୀତ ଲକ୍ଷଣ । ଯେଉଁମାନେ ବି ଏ ଖଣ୍ଡ ଖଣ୍ଡରେ ଖଞ୍ଜା ହୋଇଥିବା ପିଞ୍ଜରା ଭିତରର ସେ ରକ୍ତାକ୍ତ ମାଂସପୂର୍ଣ୍ଣ ପରିବେଶକୁ ଦେଖନ୍ତୁ ନା କାହିଁକି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । ଜୀବନ ସଂଚାର ଯେ ଏଭଳି ଭୟଙ୍କର ପରିବେଶରେ ସଂଗଠିତ ହେଉଛି ତାହା ବିସ୍ମିତ କରିବାଟା ନିଶ୍ଚିତ । ତଥାପି ମଣିଷ ଥରେ ସେ ଜରାୟୁ ଜୀବନରୁ ଭୂମିଷ୍ଠ ହୋଇଗଲା ପରେ ନିଜକୁ ଏକ ସୁନ୍ଦର ପରିବେଶ ଭିତରେ ନିଜ ଶରୀରର ବାହ୍ୟ ଆବରଣକୁ ତା’ର ମନଲାଖି ସାଜସଜାରେ ସଜେଇ ହୁଏ । ଭୂଲିବସେ ନିଜ ଆଭ୍ୟନ୍ତରର ଅସୁନ୍ଦର ଓ ଭୟାବହ ଅବସା୍ଥକୁ । 
      ମାତ୍ର ଏମିତିବି ଅନେକ ମାନବ ଅଛନ୍ତି ଯେଉଁମାନଙ୍କ ମନରେ ନଥାଏ ବିକାର । ଏଭଳି ବିକାର ଶୂନ୍ୟ ମଣିଷ ମାନେ ପ୍ରତ୍ୟେକ ବସ୍ତୁରେ ସେହି ଜଗଦୀଶ୍ୱରଙ୍କର ଉପସ୍ଥିତିକୁ ଅନୁଭବ କରନ୍ତି । ବିକାର ଶୂନ୍ୟ ଏହି ମଣିଷମାନେ ପରିପାଶ୍ୱର୍କୁ ଅସନାରହିତ କରିବାକୁ ଖୁବ୍ ସହଜ ମଣନ୍ତି ଓ ସେଥିରେ ସେମାନଙ୍କ ମନରେ ନଥାଏ କାଣିଚାଏ ଘୃଣା । ଅପରିଷ୍କାର ଓ ଅସନା ପଦାର୍ଥକୁ ଭଗବାନଙ୍କ ସୃଷ୍ଟିର ଏକ ସୁନ୍ଦର ଅଂଶ ବୋଲି ସେମାନେ ବିବେଚନା କରିଥାନ୍ତି । ସେମାନଙ୍କୁ ଏହି ଅସୁନ୍ଦର ବସ୍ତୁରେ ମଧ୍ୟ ପ୍ରଭୁସତ୍ତା ନଜର ଆସେ । ଏହି ଅସନା ଦ୍ରବ୍ୟ ଏ ସଂସାରର ସନ୍ତୁଳନ ପାଇଁ ନିତ୍ୟାନ୍ତ ଆବଶ୍ୟକ ଯେଉଁଥି ପାଇଁ ପ୍ରଭୁଙ୍କର ଏ ଗୁଡିକ ନିସର୍ଗ ବୋଲି ସେମାନେ ବୁଝି ପାରିଥାନ୍ତି । ମନୁଷ୍ୟ ତା’ର ଜୀବନ ଦଶାରେ ଦୁଃଖ, ଶୋକ, ରୋଗ ନିଶ୍ଚିତ ଭୋଗିବ ଏଥିରେ ତିଳେ ମାତ୍ର ବ୍ୟତିକ୍ରମ ନାହିଁ । ତେଣୁ ଏ ସଂସାରରେ ଥିବା ମନୁଷ୍ୟ ମାନଙ୍କ ଭିତରେ ରୋଗକୁ ପ୍ରବେଶ କରାଇବାର ମାଧ୍ୟମ ହେଉଛନ୍ତି ଏହି ଆବର୍ଜନା । ଏ ଗୁଡିକ ସେହି ପରବ୍ରହ୍ମ ପରମାତ୍ମାଙ୍କର ଭିଆଣ ଯାହା ଭିତରେ  ଅଗଣିତ ଅଦୃଶ୍ୟ ଓ ଦୃଶ୍ୟମାନ ରାକ୍ଷସଙ୍କର ଆତଜାତ । 
       ସେମାନେ ନିଜର କୁବୁଦ୍ଧିରେ ପ୍ରବେଶ କରନ୍ତି ନିରୋଗ ମନୁଷ୍ୟ ଶରୀରରେ ଆଉ ସୃଷ୍ଟି କରନ୍ତି ନାନାଦି ରୋଗ । ବେଦଶାସ୍ତ୍ର ପୋଥି ପୁରାଣରେ ବର୍ଣ୍ଣିତ ନାନାଦି ରାକ୍ଷସମାନଙ୍କର ରୂପ ବିଶାଳ ହୋଇଥିବା ବେଳେ ଏ ପ୍ରକୃତିର ପରିବେଷ୍ଟନୀରେ ସେମାନଙ୍କର ରୂପ ଅତ୍ୟନ୍ତ କ୍ଷୁଦ୍ର । ସେମାନେ ଛଦ୍ମବେଶୀ କପଟି ଓ ଅଦୃଶ୍ୟ । କେଉଁ ମୁହୁର୍ତ୍ତରେ ସେହି ଅଳିଆ ଆବର୍ଜନାରେ ନିଜର ବଂଶ ବିସ୍ତାର କରି ବାୟୁମଣ୍ଡଳରେ ପ୍ରବେଶ କରିବେ ତାହା ସେହି ବିଶ୍ୱବ୍ରହ୍ମାଣ୍ଡ କର୍ତ୍ତା ହିଁ ନିୟନ୍ତ୍ରିତ କରିଥାନ୍ତି । ଜୀବାଣୁ, ବୀଜାଣୁ, ଭୁତାଣୁ କିମ୍ବା ଡିମ୍ବାଣୁ ରୂପେ ବାୟୁମଣ୍ଡଳ କିମ୍ବା ଜଳ ମଧ୍ୟରେ ପ୍ରବେଶ କରି ପରିଶେଷରେ ପ୍ରବେଶ କରିଥାନ୍ତି ମାନବ ଶରୀରରେ । ମାନବ ହୁଏ ବ୍ୟାଧିଗ୍ରସ୍ତ  ଓ ଭୋଗେ ରୋଗ, ଶୋକ ଓ ଦୁଃଖ । ତଥାପି ଏ ମନୁଷ୍ୟର ପବିତ୍ର ବୁଦ୍ଧି ଓ ପ୍ରକୃତି ସେମାନଙ୍କୁ ପ୍ରତିହତ କରିବାକୁ ପ୍ରତି ମୁହୁର୍ତ୍ତରେ ଚେଷ୍ଟିତ । ଏହା ମଧ୍ୟ ଦେଖାଯାଏ ଯେଉଁମାନବ ଯେତେ ବିକାର ଗ୍ରସ୍ତ ସେ ସେତେ ରୋଗାଛନ୍ନ । ତା’ ଶରୀରର ରୋଗ ପ୍ରତିରୋଧକ ଶକ୍ତି ସେତେ କ୍ଷୀଣ । ଏଥିରୁ ଏହା ସ୍ପଷ୍ଟ ପ୍ରମାଣିତ ହୁଏ ମନୁଷ୍ୟ ମନ ମଧ୍ୟରେ ଅସରନ୍ତି ଶକ୍ତି ନିହୀତ ଅଛି ଯାହାକି ତା’ର ଶରୀର ରକ୍ଷା କରିବା ସହିତ ଶରୀରକୁ ସୁଢଳ ଓ ସୁନ୍ଦର କରିପାରେ । ପ୍ରକୃତି ପ୍ରେମୀ ମଣିଷ ପ୍ରକୃତିର ସୌନ୍ଦର୍ଯ୍ୟର ବିଭବକୁ ଭରପୁର ଉପଭୋଗ କରିବାରେ ବ୍ୟସ୍ତ ରହେ । ସମାଜରୁ ଏଭଳି ଦୁର୍ଗନ୍ଧ ଯୁକ୍ତ ପରିବେଷ୍ଟନୀକୁ ଧ୍ୱଂସ କରି ସୁନ୍ଦର ପରିବେଶ ସୃଷ୍ଟି କରିବାରେ ଅହରହ ଚଳଚଞ୍ଚଳ ଥାଏ । ମାତ୍ର ଏ ବିଧାତାର ନିୟମକୁ ସେ କେବେବି ବଦଳେଇ ପାରେନା । ଯଦି ସମଗ୍ର ଅଞ୍ଚଳକୁ ପରିଷ୍କାର ପରିଛନ୍ନ କରିଦେଇ ସମସ୍ତ ଅଳିଆ ଆବର୍ଜନାକୁ ନେଇ ଏକ ନିର୍ଦ୍ଧିଷ୍ଟ ଗର୍ତ୍ତରେ ପୋତି ଦେଇ ଆସେ ତେବେ ପ୍ରକୃତିର ସଂରଚନା ତା’ର ବିକାଶର ଦିଗ ମୋଡି ଦେଇପାରେ ସତ, ହେଲେ ସେ ସ୍ଥାନରୁ ସୃଷ୍ଟି ହୋଇପାରେ ମାନବ ପାଇଁ ଦୁଃଖ, ଶୋକ, ରୋଗ ଓ ହସ ଖୁସିର କାରଣ । 
      ସେ ସ୍ଥାନରୁ ସୃଷ୍ଟ ବ୍ୟାକ୍ଟେରିଆ ଅନେକ ଆବର୍ଜନାକୁ ବିଘଟନ କରାଇ ପୁନଶ୍ଚ ଜୀବଚକ୍ରରେ ସନ୍ତୁଳନତା କାର୍ଯ୍ୟରେ ବ୍ୟସ୍ତ ରହିଥିବା ସମୟରେ ଅନେକ କ୍ଷତିକାରକ ଜୀବାଣୁ ରୂପକ ରାକ୍ଷସ  ବିଭିନ୍ନ ମାଧ୍ୟମ ଦେଇ ମନୁଷ୍ୟର କଳେବର ମଧ୍ୟରେ ପୁଣି ପ୍ରବେଶ କରନ୍ତି । ଘଟାନ୍ତି ମନୁଷ୍ୟ ଶରୀର ମଧ୍ୟରେ ଶାରୀରିକ ତାଣ୍ଡବ । କ୍ଳେଶ ପ୍ରଦାନକାରୀ ଏଭଳି ଅଦୃଶ୍ୟ ରାକ୍ଷସମାନେ ସଂସାରର ନିୟମରେ ମଧ୍ୟ ବନ୍ଧା । କେତେବେଳେ ମନୁଷ୍ୟ ବୁଦ୍ଧିର ଯୁଦ୍ଧର ଔଷଧ ଆଗରେ ସେମାନେ ମୃତ୍ୟୁ ବରଣ କରନ୍ତି ତ ଅନ୍ୟ କେତେବେଳେ ମନୁଷ୍ୟ ବି ମୃତ୍ୟୁକୁ ଆଲିଙ୍ଗନ କରେ । ଏହା  ସେହି ପରବ୍ରହ୍ମ ପରମାତ୍ମଙ୍କର ଇଚ୍ଛାରେ ହିଁ ସଂଗଠିତ ହୋଇଥାଏ । ଏ ମନୁଷ୍ୟ ମାନଙ୍କ ମଧ୍ୟରୁ କେତେକ ଏସବୁ ବିବର୍ତ୍ତନ ଓ ପରିବର୍ତ୍ତନକୁ ବୁଝି ପାରିବାରେ ସକ୍ଷମ ହୋଇଥିଲେ ସୁଦ୍ଧା ସେମାନେ ବି ଏ ସୃଷ୍ଟିକର୍ତ୍ତାଙ୍କର ନିୟମରେ ବନ୍ଧା ଓ ଲାଚାର । ସେମାନେ ଯେତେ ଚାହିଁଲେ ବି ଏ ଜୀବନ ଚକ୍ରର ନିୟମରୁ ନିଜକୁ ହଟେଇ ପାରିବେ ନାହିଁ । ଆଜି ପଞ୍ଚଦଶ ସପ୍ତାହରେ ମୋ କଳେବର ଉପନୀତ ହୋଇ ଗର୍ଭଜଳ ମଧ୍ୟରେ କେତେବେଳେ ସୁପ୍ତ, କେତେବେଳେ ଜାଗ୍ରତ ତ କେତେବେଳେ ବ୍ୟସ୍ତ ବିବ୍ରତ । 
      ମୋ ଶରୀରର ବର୍ଦ୍ଧିତ କ୍ଳେଶରେ ନିଜକୁ ମୁଁ ଆଉ ସେତେ ଖୁସି ରଖିପାରୁ ନଥାଏ । ତଥାପି ନିଜର ଶେଷଯାତ୍ରାର ପଥରୁ ପଥ ବିଚ୍ୟୁତ ନହେବା ପାଇଁ ମୁଁ ପୁଣି ସେହି ମୋର ଶେଷଲକ୍ଷ୍ୟଙ୍କ ପାଦ ପଙ୍କଜରେ ନିଜର ମନ ପ୍ରାଣକୁ ନିବେଶ କରିବାରେ ଲାଗି ଯାଉଥାଏ । ସନାତନ ତା’ର ବୃତ୍ତିଗତ ଜୀବନରୁ ଆହରଣ କରିଥିବା ସମସ୍ତ ବୌଦ୍ଧିକ ଜ୍ଞାନ ଗାରୀମାକୁ ନିଜ ସନ୍ତାନର  
ଜନ୍ମ ବିଶେଷାଙ୍କରେ ସତ୍ତ୍ୱରୀମାର ଗର୍ଭରେ ଦେଖୁଥିବା ପ୍ରତି ସପ୍ତାହର ପରିବର୍ତ୍ତନ ସହିତ ତୁଳନା କରିବାରେ ଲାଗିପଡେ । ସତ୍ତ୍ୱରୀମା ଗର୍ଭରେ ପିଲାଟିର ଲମ୍ବ ବର୍ତ୍ତମାନ ପ୍ରାୟ ଚାରି ଇଞ୍ଚ୍ ଓ ଏହାର ଓଜନ ପାଖାପାଖି ଚାଳିଶ ଗ୍ରାମ ହୋଇଥିବ ସେ ଏହା ଜାଣେ । ଗର୍ଭ ଭିତରେ ଶିଶୁଟି ବର୍ତ୍ତମାନ ତା’ର ନାକ ଭିତର ଦେଇ ଆମ୍ନିଓଟିକ୍ ତରଳକୁ ଭିତରକୁ ନେଉଥିବ ଯାହାକି ତା’ର ଗଳା ଭିତରେ ପ୍ରାଥମିକ ବାୟୁ ଧାରକ ଥଳୀ ଗଢିବାରେ ସାହାଯ୍ୟ କରିବ । ବର୍ତ୍ତମାନ ସମୟରେ ତା’ର ଗୋଡ ଦୁଇଟି ତା’ର ହାତ ଦୁଇଟିଠାରୁ ଖୁବ୍ ଯୋରରେ ଲମ୍ବା ହେବାରେ ଲାଗିଥିବ । ବର୍ତ୍ତମାନ ସମୟରେ ଶିଶୁଟି ତା’ର ହାତ ଓ ଗୋଡର ସମସ୍ତ ଗଣ୍ଠି ଗୁଡିକ ଚଳପ୍ରଚଳ କରିବାରେ ସକ୍ଷମ ଥିବ । ଯଦିଓ ତା’ର ଆଖି ପତ୍ତା ଦୁଇଟି ସମ୍ପୂର୍ଣ୍ଣ ମୁଦ୍ରିତ ଅବସ୍ଥାରେ ଥିବ ସେ କିନ୍ତୁ ଆଲୋକର ଉପସ୍ଥିତିକୁ ସହଜରେ ଜାଣି ପାରୁଥିବ । ଉଦାହରଣ ସ୍ୱରୂପ ଯଦି କେହି ଗୋଟିଏ ବଡ ଟର୍ଚ୍ଚ ଲାଇଟ୍‌କୁ ମା’ର ପେଟ ଉପରେ ପକାଏ ଗର୍ଭଭିତରେ ଥିବା ପିଲାଟି ସେହି ଆଲୋକ ସାମନାରୁ ହଟିଯିବାକୁ ଆରମ୍ଭ କରିବ । 
       କିନ୍ତୁ ବର୍ତ୍ତମାନ ସୁଧା ଶିଶୁଟି କୌଣସି ପ୍ରକାର ସ୍ୱାଦ ବାରିବାର ଶକ୍ତି ହାସଲ କରିନଥିବ କାରଣ ଏହି ସମୟରୁ ହିଁ ତା’ର ଜିଭରେ ସ୍ୱାଦବାରିବା ପାଇଁ ଆବଶ୍ୟକ କୋଷ ଗୁଡିକର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିବ । ସବୁଠାରୁ ଖୁସିର କଥା ଅଲ୍ଟ୍‌ାସାଉଣ୍ଡ୍ ମାଧ୍ୟମରେ ବର୍ତ୍ତମାନ ଜାଣିହେବ ଯେ ଗର୍ଭରେ ବଢୁଥିବା ଶିଶୁଟି ପୁତ୍ର ନା କନ୍ୟା । ତଥାପି ବେଳେବେଳେ ଅଲ୍ଟ୍ରାସାଉଣ୍ଡ ମାଧ୍ୟମରେ ଯଦି ଛବି ପରିଷ୍କାର ନଆସିଥାଏ ତେବେ ଏହା ଜାଣି ହୁଏ ନାହିଁ । ମାତ୍ର  ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଅଲ୍ଟ୍ରାସାଉଣ୍ଡ୍‌ରେ ପିଲାଟିିର ଲିଙ୍ଗ ସ୍ପଷ୍ଟ ଭାବରେ ପ୍ରତିୟମାନ ହୋଇଯିବ । ସବୁଠାରୁ ସୁନ୍ଦର କଥା ହେଉଛି ଶିଶୁଟି ବର୍ତ୍ତମାନ ମା’ ଭିତରେ ଏମିତି ବଙ୍କେଇ ହୋଇ ଶୋଇଥିବ ସତେ ଯେପରି ସେ ତା’ର ସବୁକିଛି ଲୁଚେଇବାକୁ ଚାହେଁ । ସନାତନର ଏ ସମସ୍ତ ପୁସ୍ତକଗତ ଜ୍ଞାନକୁ ନିଜେ ପ୍ରତି ସପ୍ତାହରେ କରୁଥିବା ଅଲ୍ଟ୍ରାସାଉଣ୍ଡ୍‌ର ତଥ୍ୟ ସହିତ ତୁଳନା କରେ କିନ୍ତୁ ଜଣେ ବୈଜ୍ଞାନିକ ହିସାବରେ ନୁହେଁ ବରଂ ଜଣେ ସାଧାରଣ ମଣିଷ ପ୍ରବୃତିରେ ଏ ତୁଳନାରେ ସେ ଏ ସୃଷ୍ଟିର ସର୍ଜନାରେ ଆଶ୍ଚର୍ଯ୍ୟ ହେବାରେ ଲାଗେ ।
      ଅନ୍ତସତ୍ତ୍ୱାର ଅନ୍ତରାଳରେ ସତ୍ତ୍ୱରୀମା ସଂସାର ସୃଷ୍ଟିର ସାବଲୀଳତାରେ ନିଜକୁ ପୁରାପୁରି ହଜେଇ ଦେଇଥାଏ । ତା’ ପାଇଁ ବର୍ତ୍ତମାନ ଏ ସଂସାର ସବୁଠାରୁ ସୁଖରେ ଭରା । ତା’ର ମନ ଅନନ୍ତ ଆକାଶରେ କେତେବେଳେ କ୍ଷଣିକ ମଧ୍ୟରେ ଘୁରିଆସେ ତ କେତେବେଳେ ପୁଣି ପାହାଡ ପର୍ବତ, ନଦନଦୀ, ବିଲ ପ୍ରାନ୍ତର ସବୁ ଆଖି ପିଛୁଳାକେ ବିଚରଣ କରିଆସେ । ଅବିଶ୍ରାନ୍ତ ମନ ଖୁସି ଓ ଆନନ୍ଦରେ ଅହରହ ଅଧିର । ଆଜି ସବୁ ସୁଖକୁ ବିଶ୍ୱନିୟନ୍ତା ତା’ର ଜୀବନରେ ଭରି ଦେବାକୁ ଯାଉଛନ୍ତି । ବେଳେବେଳେ ନିଜେ ସନାତନ ସହିତ ସଂସାରଟା ବୁଲି ଆସିବାକୁ ତା’ର ପ୍ରବଳ  
ଇଚ୍ଛା ହୁଏ । ଆଧ୍ୟାତ୍ମ ବାଦରେ ସିକ୍ତ ଜୀବନ ଦର୍ଶନ ତା’ର ନୈସର୍ଗିକତାକୁ ଆହୁରି ସୁନ୍ଦରମୟ କରିଥାଏ । ସପନେ ଶୟନେ ଅବା ଜାଗରଣେ ସେ ନିଜ ସନ୍ତାନର ବାଳୁତ ପଣିଆର ସେ ଭାବଭଙ୍ଗୀକୁ ଅନୁଭବ କରିବାରେ ଲାଗେ । ସମୟେ ସମୟେ ତା’ର ସନ୍ତାନର ମା’ ଡାକ ତା’ ମନକୁ ଖୁବ୍ ଖୁସି ପ୍ରଦାନ କରେ । ଏ ସାମୟିକ ସୁଖକୁ ଚିରନ୍ତନ ଆଖ୍ୟାଦେଇ ଆନନ୍ଦରେ ଅଧିର ହୋଇଉଠେ । 
      ଷୋଡଷ ସପ୍ତାହ ବେଳକୁ ମୋ ଅଧିଷ୍ଠିତ ଶରୀର ସମ୍ପୂର୍ଣ୍ଣ ଅନୁଭବ କରିବାର ଶକ୍ତି ହାସଲ କରିଥିବାରୁ ମୁଁ ସେତେବେଳକୁ ମୋର ଅସଙ୍ଗ ଗୁଣକୁ ହରେଇ ବସି ଥାଏ । ମୁଁ ପ୍ରକୃତିରେ ସଙ୍ଗହୀନ । ସବୁରି ସଙ୍ଗରେ ସଙ୍ଗ ହୋଇଥାଏ ହେଲେ କାହା ସଙ୍ଗରେ ନଥାଏ । ଏଭଳି ଜୀବନ ଦର୍ଶନ ମୋର ଚିର ଆସଙ୍ଗ । ମାତ୍ର ସେଦିନ ସତ୍ତ୍ୱରୀମାର ସନ୍ତାନ ଅନ୍ତରାଳରେ ମୁଁ ମୋର ସେ ମହତ୍ ଗୁଣକୁ ହରେଇ ବାରେ ଲାଗିଥାଏ । ମୋ ସ୍ଥିତ ଶରୀର ଯେଉଁ ପରିମାଣରେ କଷ୍ଟ ଭୋଗୁଥାଏ ମୁଁ ସେହି ପରିମାଣରେ କଷ୍ଟ ଭୋଗି ଚାଲିଥାଏ ।  ଆଉ ସେ ଯେତିକି ଆନନ୍ଦିତ ଓ ଉଲ୍ଲସିତ ହେଉଥାଏ ମୁଁ ମଧ୍ୟ ଅନୁରୂପ ହେବାରେ ସୁଯୋଗ ପାଉଥାଏ । ସବୁଠୁ ବିଚିତ୍ର କଥା ସେତେବେଳକୁ ମୁଁ ପାପାତ୍ମା  ଓ ପୁଣ୍ୟାତ୍ମା ହେବାର ପରିଧି ଭିତରେ ପ୍ରବେଶ କରି ସାରିଥିଲି । ଏହାର ପ୍ରାରମ୍ଭିକ କାରଣ ହେଲା ମୋ ସ୍ଥିତ ଶରୀର ଚେତନ, ଅବେଚତନ ଓ ଅଚେତନ ତିନୋଟି ଯାକ ଅବସ୍ଥାର ଅଧିକାରୀ ହୋଇ ସାରିଥିଲା । ତେଣୁ ଧୀରେ ଧୀରେ ମୁଁ ଆଦ୍ୟାବସ୍ଥାରେ ଜଠରରେ ଯେଉଁ ଅମାୟିକ ଆନନ୍ଦର ଯୋଗରେ ଲୀନ ହୋଯାଉଥିଲି ସେତେବେଳେ ତାହା ମୋ ପକ୍ଷରେ ଆଉ ସମ୍ଭବ ହୋଇ ପାରୁ ନଥିଲା । 
      ସେଭଳି ପୀଡା ପୂର୍ଣ୍ଣ ପରିବେଶରେ ଯୋଗସାଧନ କରିବା କଠୋର ତପସ୍ୟା ସହିତ ସମାନ । ସେତେବେଳକୁ ମୋ ଶରୀରର ପ୍ରତ୍ୟେକ କର୍ମରେ ମୁଁ  ପ୍ରଭାବିତ । ମହତ୍ତ୍ୱପୂର୍ଣ୍ଣ କଥା ଏହିକିଯେ ସେଠି ମୋ ଶରୀରର ସ୍ୱାଧୀନତା କହିଲେ ସ୍ୱପ୍ନ । ସେଠାରେ ମୋ ସ୍ଥିତ ଶରୀର ବିବସ୍ତ୍ର । ବଞ୍ôଚରହିବା ସହିତ ନିଜ ଶାରିରୀକ ବୃଦ୍ଧି ଓ ବିକାଶ ପାଇଁ ତା’ର ସ୍ଥାନର ପରିମାଣ ହେଉଛି ସେହି ଗର୍ଭଥଳୀ ଭିତରେ ଥିବା ଜଳ । ତା’ରି ଭିତରେ ତା’ ଜୀବନର ସମସ୍ତ କ୍ରିୟା ପ୍ରକ୍ରିୟା । ତା’ର ବୃଦ୍ଧି ପାଇଁ ଗର୍ଭଥଳୀ ବୃଦ୍ଧିର ସଂରଚନାର ପୁର୍ତ୍ତି, ପରବ୍ରହ୍ମ ପରମାତ୍ମା ଯଥୋଚିତ କରି ଚାଲିଥାନ୍ତି । 
      ସନାତନର ଜ୍ଞାନ ଗୋଚରରେ ଏ ସପ୍ତାହର ଶେଷ ବେଳକୁ ଶିଶୁଟିର ଲମ୍ବ ପ୍ରାୟ ପାଖାପାଖି ପାଞ୍ଚ ଇଞ୍ଚ୍ ହୋଇଯିବ । ଏହାର ଓଜନ ପାଖାପାଖି ପଞ୍ଚାବନ ଗ୍ରାମ୍ ହେବ । ଏହି ସପ୍ତାହରେ ଶିଶୁଟିର ହାତ ଗୋଡ ଗୁଡିକ ଶକ୍ତ ହେବା ସହିତ ସେଗୁଡିକର ସଂରଚନାରେ ଉନ୍ନତି ଘଟୁଥିବ । ଆଗରୁ ନଇଁ କରି ରହୁଥିବା ମୁଣ୍ଡଟି ଏହି ସପ୍ତାହରେ ଧୀରେ ଧୀରେ ସିଧା ହେବାରେ ଲାଗିବ । ଗୋଡ ଆଙ୍ଗୁଠି ମାନଙ୍କରେ ଏହି ସପ୍ତାହରେ ହିଁ ନଖ ଗଠନ ଆରମ୍ଭ ହେବ । ଶିଶୁଟିର ମୁଣ୍ଡ ଉପରେ ଚର୍ମ    
ର୍ଗଠନ ଏହି ସପ୍ତାହରେ ହୋଇ ଚାଲିଥିବ ଯାହା ଉପରୁ କେଶର ସଂରଚନା ଆରମ୍ଭ ହେବ । ଏ ସବୁ ପରିବର୍ତ୍ତନକୁ ସପ୍ତାହର ଶେଷରେ ସନାତନ ଯାନ୍ତ୍ରିକ ନୀରିକ୍ଷଣ କରେ ହେଲେ ସବୁର ପରେ ବି ସେ ନିଜକୁ ପୁର୍ଣ୍ଣ ଭାବରେ ପିତୃତ୍ୱ ଲାଭର ଅଭିଳାଷ ଠାରୁ ଦୂରେଇ ନେଇ ଏକ ବୈଜ୍ଞାନିକର ଭୂମିକା ନିଭାଇ ପାରେନି । ପ୍ରତି ମୁହୁର୍ତ୍ତରେ ତା’କୁ ଏକ ଅଜଣା ଭୟ ଗ୍ରାସ କରେ । ସେ ଅନ୍ୟ ନାରୀ ମାନଙ୍କର ଗର୍ଭବସ୍ଥାକୁ ଆଗରୁ ଦେଖିଛି ହେଲେ ସେତେ ସୂକ୍ଷ୍ମ ଭାବରେ ନୁହେଁ । ତତ୍‌ସହିତ ଆଗରୁ ଯାହା ବି ସେ ଦେଖେ ଆଉ ଯେତେବେଳେ ବି ଯେଉଁ ନାରୀର ଗର୍ଭକୁ ସେ ଅନୁଶୀଳନ କରିଥାଏ ଏମିତି ଭୟ କିନ୍ତୁ ବ୍ୟତିବ୍ୟସ୍ତ କରି  ନଥାଏ । ସେତେବେଳେ ସେ ଥାଏ ଜଣେ ବୈଜ୍ଞାନିକ,  ଆଉ ସାମନାର ଗର୍ଭବତୀ ନାରୀଟି ତା’ପାଇଁ ରୋଗୀ ଅବା ଅନୁସନ୍ଧାନ ପରୀକ୍ଷାଗାରାର ତା’ର ଆବଶ୍ୟକ ମୁତାବକ ସରଞ୍ଜାମ ଓ କଞ୍ଚାମାଲ୍ ।
      ସେତେବେଳେ ତା’ମନରେ ନଥାଏ ଭାବୁକତା ନା ମାୟା ମମତା । କିନ୍ତୁ ଆଜି ସେ ନିଜ ଜୀବନର ସମସ୍ତ ପୁସ୍ତକ ପଠିତ କଳା କୈାଶଳକୁ ନିଜ ଗର୍ଭବତୀ ପତ୍ନୀ ପାଖରେ ତୁଳନା କରୁଛି । ନିଜ ସନ୍ତାନର ଲମ୍ବ, ପ୍ରସ୍ଥ ଓ ଓଜନ ମାପୁଛି । ତା’ର ଗଢଣ ଗଠନ ସବୁ ଦେଖୁଛି । ତେଣୁ ଏ ପିତା-ସନ୍ତାନ ସର୍ମ୍ପକରେ ହୃଦୟଗତ ଭୟ ନିଶ୍ଚୟ ରହିବ ଏଥିରେ ସନ୍ଦେହ ବା କେଉଁଠି ।
      ସତ୍ତ୍ୱରୀମା ସେତେବେଲକୁ ନିଜକୁ ସେ ଶାରୀରୀକ ଆଳସ୍ୟରୁ ଟିକେ ମୁକ୍ତ ଅନୁଭବ କରୁଥାଏ । ନଥାଏ ଆଉ ତା’ର ସେ ଗର୍ଭର ଦେଢମାସ ବେଳେ ଦେଖା ଯାଇଥିବା ବାନ୍ତି ଓ ଅବସ । ହେଲେ ତା’ର ଉଦରର ଆକାର ବୃଦ୍ଧି ଦେଖାଯିବା ଆରମ୍ଭ ହୁଏ । ସମୟେ ସମୟେ କ୍ରମ ବର୍ଦ୍ଧିଷ୍ଣ ଉଦର ଉପରେ ହାତ ବୁଲେଇ ଆଣି ଏକ ଅକୁହା ଆତ୍ମତୃପ୍ତିରେ ନିଜକୁ ହଜେଇ ଦିଏ ।
      ସାଂସାରିକ ଭାବ ବନ୍ଧନରେ ନିଜକୁ ହଜେଇ ଦେଉଥିଲେ ମଧ୍ୟ ମନୁଷ୍ୟ ଜୀବନର ଚିର ସତ୍ୟକୁ ସେ କେବେବି ଭୂଲେ ନାହିଁ । ନିଜ ଜୀବନ ସନ୍ଧର୍ଭର ସାତ୍ତ୍ୱିକତାକୁ ସେ ଦାଗ ଲଗାଇବାକୁ ଦିଏ ନାହିଁ । ସନ୍ତୁଳିତ ଦେହ, ମନ ଓ ପ୍ରାଣକୁ ସେ ବଜାୟ ରଖିଥାଏ । ମନକୁ କୌଣସି ମତେ ଅବସାଦର ଅନ୍ଧିସନ୍ଧି ଭିତରକୁ ଆଣେ ନାହିଁ କିମ୍ବା ପ୍ରେୟ ଖୁସିର ଖମାରକୁ ନିଜକୁ ଟାଣିକରି ଆଦ୍ୟୈ ନେବାକୁ ଇଚ୍ଛା କରେ ନାହିଁ । ସେ ଜାଣେ ତା’ମନର ପବିତ୍ରତା ତା’ ଜଠରରେ ବଢୁଥିବା ସନ୍ତାନକୁ ପବିତ୍ର କରି ଗଢିତୋଳିବ । ଜୀବେଦୟା ପ୍ରବୃତ୍ତିରେ ପର୍ଯ୍ୟବେସିତ ତା’ର ଜୀବନ ଖାଦ୍ୟପେୟରେ ସାତ୍ତ୍ୱୀକତାକୁ କେବେ ବି ବର୍ଜନ କରିପାରେନି । ସନାତନର ନିର୍ଦ୍ଦେଶ ମୁତାବକ ସତ୍ତ୍ୱରୀମା ନିଜର ଖାଦପେୟର ବାରମ୍ବାରତାକୁ ଅବିକଳ ଭାବରେ ମାନି ଚଳୁଥାଏ । ଦିନ ଗୁଡିକ ତା’ର କଟି ଚାଲିଥାଏ ଅବ୍ୟକ୍ତ ଆନନ୍ଦରେ ।  

*******

ନବମ ପକ୍ଷ



      ସପ୍ତଦଶ ସପ୍ତାହର ଯାତ୍ରା ସତେଯେମିତି ମୋତେ ସତର ଯୋଜନ ଅତିକ୍ରାନ୍ତ କରି ଆସିଲା ପରି ଲାଗୁଥାଏ । ଶେଷ ଯାତ୍ରାର ପ୍ରତିକ୍ଷାରେ ଯେତିକି ମୁଁ ଆନନ୍ଦ ଅନୁଭବ କରୁଥିଲି ଆଜି ତାହା ଧୀରେ ଧୀରେ ଅପସରି ଗଲାପରି ବୋଧ ହେଉଥାଏ । ଆନନ୍ଦ ଆଜି ଆଗଭଳି ଆଉ ମୋ ସହିତ ରହି ପାରୁ ନଥାଏ । ମୋତେ କାହିଁକି ଧୀରେ ଧୀରେ ମାତୃଗର୍ଭର ପରାଭବର ପୀଡା ଅତିଷ୍ଟ କରିବା ଆରମ୍ଭ କରିଥାଏ । ଆଦ୍ୟରୁ ସମୟ ଖୁବ୍ ଜୋରରେ ଧାବମାନ ହେଉଥିଲା ପରନ୍ତୁ ଏବେ କିନ୍ତୁ ସମୟର ଗତି ଧିମେଇ ଗଲା ପରି ମନେ ହେଉଥାଏ । ଯେଉଁ ଯେଉଁ ମୋ ଅଧିଷ୍ଠିତ ଶରୀର ପରିପୂର୍ଣ୍ଣତା ଲାଭ ଆଡିକି ଗତି କରୁଥାଏ ତହୁଁ ତହ୍‌ୁଁ ତା’ର କ୍ଳିଷ୍ଟ ବଢିବାରେ ଲାଗିଥାଏ । କ୍ଷୁଦ୍ର ଓ ଅଜ୍ଞାନ ଥିବା ଅବସ୍ଥାରେ ଏ ଶରୀର କିଛି ଅନୁଭବ କରି ପାରୁନଥିଲା । ମୁଁ ମୋର ସ୍ୱତନ୍ତ୍ର‌୍ୟତାରେ ସମୟ କଟଉଥିଲି । ମାତ୍ର ସମୟକ୍ରମେ ଏ ଶରୀରର ସୁଖ ଦୁଃଖରେ ମୁଁ ମୋ ଭିତରେ ପରିବର୍ତ୍ତନ ମଧ୍ୟ ଅନୁଭବ କରିବାକୁ ଆରମ୍ଭ କରେ । 
      ଧୈର୍ଯ୍ୟ ବିଚ୍ୟୂତି ସମୟେ ସମୟେ ମୁଁ ଅନୁଭବ କରିବାକୁ ଲାଗେ । ଏକଥା ବି ବେଳେବେଳେ ମୋତେ ଭୟାତୁର କରି ଦେଉଥାଏ ଯେ ମୋର ଅଧିଷ୍ଠୀତ ଶରୀର ଏ ଜରାୟୁ ଭିତରର ଦୁର୍ବିଶହ ଜୀବନକୁ ଯୁଝି ପାରିବାରେ ସକ୍ଷମ ହେବ ନା ନାହିଁ । ଯଦି କେଉଁ ମୁହୁର୍ତ୍ତରେ ଏ ଶରୀର ଏ ଶାରିରୀକ କଷ୍ଟକୁ ଯୁଝିବାରେ ଅସମର୍ଥ ହୋଇପଡିବ ତେବେ ମୋ ଯାତ୍ରାର ପୂର୍ଣ୍ଣଛେଦ ସେଇଠି ହିଁ ପଡିଯାଇ ପାରେ । ମୋର ସ୍ଥିତ ଶରୀରର ପରିପକ୍ୱତାର ଉନ୍ନତି କ୍ରମେ ମୋର ଭୟାଚ୍ଛନ୍ନ ଆବେଗିକ ଭାବୁକତା ବଢି ବଢି ଚାଲିଥାଏ । ସକଳ ପାପରହିତ ମୁଁ ଅମର, ତଥାପି ଅନିଶ୍ଚିତତା    ଭିତରକୁ ଆପେ ଆପେ ଟାଣି ହୋଇ ଯାଉଥାଏ । ଭାବନାର ଉତ୍ତର ମୁଁ ଯେତେ ବିଶ୍ଳେଷଣ କଲେ ପାଇ ପାରୁ ନଥାଏ । ସମୟେ ସମୟେ ମୋ ସ୍ଥିତ ଶରୀରର ଯନ୍ତ୍ରଣାରେ ମୁଁ ଯୋଗଚ୍ୟୁତ ହୋଇ ଉଠୁଥାଏ । ପ୍ରଭୁ ପାଦରୁ ମୋର ଧ୍ୟାନ ଅନେକ ସମୟରେ ଆପେ ଆପେ ଏ ଶରୀରର ପୀଡା ସହିତ ହଟି ଯାଉଥାଏ ।
      ସନାତନ ଜାଣେ ଯେ ବର୍ତ୍ତମାନ ଶିଶୁଟିର ଲମ୍ବ ପ୍ରାୟ ପାଞ୍ଚ ଇଞ୍ଚ୍ ହୋଇଯିବଣି । ତାହାର ଓଜନ ଆସି ଅଶି ଗ୍ରାମ୍ ପାଖାପାଖି ହେବ । ତା’ର ଶରୀରର ହାତ ଗୁଡିକ ଧୀରେ ଧୀରେ ଶକ୍ତ ହେବାରେ ଏହି ସପ୍ତାହରେ ହିଁ ଲାଗିବ । ସବୁଠାରୁ ମହତ୍ତ୍ୱଫୂର୍ଣ୍ଣ ପରିବର୍ତ୍ତନ ହେଉଛି ଏ ସପ୍ତାହରେ ଶିଶୁଟିର ଶରୀର ଉପରେ ସ୍ୱେଦଗ୍ରନ୍ଥୀ ମାନଙ୍କର ନିର୍ମାଣ ଆରମ୍ଭ ହୋଇଯିବ । ଆଉ ପାଖାପାଖି ଦୁଇ ସପ୍ତାହ ମଧ୍ୟରେ ସ୍ୱେଦଗ୍ରନ୍ଥୀ ଗୁଡିକ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇଯିବ । ବର୍ତ୍ତମାନ ଶିଶୁଟି ତା’ର ହାତ ଗୋଡରେ ଥିବା ଗଣ୍ଠିଗୁଡିକୁ ସହଜରେ ନିଜ ଇଚ୍ଛା ମୁତାବକ ଚଳମାନ କରିପାରିବ ଓ କରିବାକୁ ଆରମ୍ଭ ମଧ୍ୟ କରିବ । ଗର୍ଭାଶୟସ୍ଥ ଗର୍ଭଫୁଲ ସହିତ ସଂଯୁକ୍ତ ନାଭିନାଡାର ଆକାର ଓ ଓଜନ ଅନୁରୂପ ପରିବର୍ତ୍ତନ ହେବାରେ ଲାଗିଥିବ । ଗର୍ଭଫୁଲ ଆଗ ଅପେକ୍ଷା ଆହୁରି ଶକ୍ତ ଓ ଶିଶୁକୁ ଅଧିକ ଖାଦ୍ୟ ଯୋଗାଇବା ପାଇଁ ସକ୍ଷମ ହୋଇଯିବ । 
      ଶିଶୁଟିର ଯେହେତୁ ଦିନକୁ ଦିନ ବୃଦ୍ଧି ଘଟୁଛି ସେହି ଅନୁସାରେ ତା’ର ଖାଦ୍ୟର ଆବଶ୍ୟକତା ବୃଦ୍ଧି ପାଇବ । ସେହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଗର୍ଭଫୁଲର ଅନୁରୂପ ବୃଦ୍ଧି ଘଟି ଚାଲିଥିବ । ଏଣେ ଶିଶୁର ଉଜନ ବୃଦ୍ଧି ହେଉଥିବା ଯୋଗୁଁ ସତ୍ତ୍ୱରୀମାର ଶରୀରର ଭରକେନ୍ଦ୍ର  ନିଜର ସ୍ଥାନ ପରିବର୍ତ୍ତନ କରିବ ଯାହା ଫଳରେ ସତ୍ତ୍ୱରୀମା ନିଜ ଶରୀରକୁ ଆଗକୁ ଢଳିଲାପରି ସମୟେ ସମୟେ ଅନୁଭବ କରିପାରେ । ବେଳେବେଳେ ତା’ର ଗୋଡ ଟିକେ ଏପଟ ସେପଟ ହୋଇ ପଡିବାର ସମ୍ଭାବନା ରହିଛି । ବର୍ତ୍ତମାନ ସମୟରେ ସତ୍ତ୍ୱରୀମାର ଖାଦ୍ୟପେୟ ଓ ଚାଲିଚଳନର ଯତ୍ନ ନିତ୍ୟାନ୍ତ ଆବଶ୍ୟକ ।  
      ସତ୍ତ୍ୱରୀମାର ମନଭିତରର କଥାକୁ ଟିକିନିକି କରି ପ୍ରକାଶ କରିବା ଅସମ୍ଭବ । ଯେଉଁଠି ବସିପଡେ ଅବା ଟିକେ ଲମ୍ବ ହୋଇ ଗଡିପଡେ ମନ ମଧ୍ୟରେ ପ୍ରତିଟି କ୍ଷଣ ଅସୁମାରୀ ସ୍ୱପ୍ନ । ଆଖି ଆଗରେ ଚାଲିଥାଏ ନିଜ ସନ୍ତାନ ସମ୍ବଳିତ ଅନେକ ପ୍ରତିଛବି ଏକ ସିନେମାର ରିଲ୍ ପରି । ମା’ ହୋଇ ଯେତେବେଳେ ତା’ ଶିଶୁକୁ ସେ ନିଜ ପଣତକାନୀରେ ଜାବୁଡିଧରି ତାକୁ ଗେଲ କରୁଥିବ କି ଅପୂର୍ବ ଆନନ୍ଦ ସିଏ ଅନୁଭବ କରିବ ତାହା ହିଁ ଭାବି ବସୁଥାଏ । ନିଜ ଶିଶୁକୁ ସ୍ତନ୍ୟପାନ କରାଇବାର ମଧୁର ଆନନ୍ଦ ଅନୁଭବର ସେ ଏକ ବ୍ୟାକୁଳିତ ପ୍ରତିକ୍ଷାରେ । ତା’ ସନ୍ତାନର ମିଛି ମିଛିକା କାନ୍ଦ ତା’ ମନ ଓ ମସ୍ତିଷ୍କରେ ଅସରନ୍ତି ଆନନ୍ଦ ଭରି ଦେଉଥାଏ । ଘର ଭିତରେ ସମସ୍ତଙ୍କର ସ୍ନେହ ଶ୍ରଦ୍ଧା ଓ ତା’ ପ୍ରତି ଯତ୍ନ ତାକୁ ଏକ ନୈସର୍ଗିକ ସୁଖ ପ୍ରଦାନ କରୁଥାଏ । ଏ ଯାତ୍ରରେ   ଯେତେବେଳେ ମୁଁ ଆନନ୍ଦିତ ହୋଇଉଠେ ତାହା ଚିର ଶାଶ୍ୱତ ଆନନ୍ଦ ପରି ମନେ ହେଉଥିଲେ ହେଁ ଜରାୟରେ ମିଳୁଥିବା ଯନ୍ତ୍ରଣା ତା’ର ଶାସ୍ୱତତାକୁ କ୍ଷଣକେ ଚୂର୍ଣ୍ଣିଭୁତ କରି ପକଉଥାଏ । 
      ମୋ ସ୍ଥିତ ଶରୀର ମୋତେ ନେଇଯିବ ସେଇ ପରମ ଧାମ ପରମ ମଙ୍ଗଳମୟଙ୍କ ଶରଣକୁ । ତେଣୁ ସେହି ଅବୟବ ହିଁ ମୋ ଯାତ୍ରାର ସବୁକିଛି ହୋଇଥିବାରୁ ତାହାର ଭବିଷ୍ୟତ ଆଚରଣ, ଜୀବନର ସ୍ୱତନ୍ତ୍ରତା ସବୁକିଛି ସେତେବେଳର ପରିସ୍ଥିତି ଉପରେ ହିଁ ନିର୍ଭର କରେ । କେତେକ ମାନବ ଏକଥା ବୁଝିବାକୁ ସକ୍ଷମ ତ ଅନେକ ଏକଥାର ରହସ୍ୟ ଏବେବି ବୁଝିନାହାନ୍ତି । ଆଉ କେତେଜଣ ବୁଝିଥିଲେ ମଧ୍ୟ ମାୟା ସଂସାରର ମାୟାରେ ଛନ୍ଦି ହୋଇ ସେ ଏ ପରିବେଶକୁ ନିଜ ନିୟନ୍ତ୍ରଣକୁ ନେଇ ପାରନ୍ତି ନାହିଁ । ଜୀବ ମାତୃଗର୍ଭରେ ଅଧିଷ୍ଠାନ କରୁଥିବା ସମୟରେ ମା’ର ଚାଲିଚଳନ, ଆଚାର ବ୍ୟବହାର ସବୁକିଛି ଅବିକଳ ନକଲ ଭାବରେ ଛାପି ହୋଇ ଯାଇଥାଏ ଜୀବର ଜୀବନରେ । ମା’ ଯଦି କର୍ମଠ ଓ ନିରଳସ ହୁଏ ଜନ୍ମପରେ ଜୀବ ତା’ ଆଚରଣରେ ମଧ୍ୟ ଠିକ୍ ସେହିପରି କର୍ମଯୋଗୀ ଓ ଆଳସ୍ୟହୀନ ହୋଇଥାଏ । କିନ୍ତୁ ମା’ ଯଦି ଆଳସ୍ୟର ଶିକାର ହୋଇ ଅଳସ ପଣର ସିକଞ୍ଜାରେ ରହିଯାଏ ତେବେ ତାହା ଜନ୍ମପରେ ସନ୍ତାନର ଆଚରଣରେ ପ୍ରତିଫଳିତ ହୋଇଥାଏ । 
      ସଚ୍ଚୋଟ, ସତ୍ୟବାଦୀ ଓ ନିର୍ଭୟ ଆଚରଣକୁ ଯଦି ମା’ ତା’ର ଦୀନଚର୍ଯ୍ୟାରେ ବହନ କରେ ତେବେ ମୋ ଅଧିଷ୍ଠିତ କଳେବର ଗର୍ଭସ୍ଥ ଜୀବନପରେ ମଧ୍ୟ ସେହି ସବୁ ଗୁଣର ଅଧିକାରୀ ହୋଇଥାଏ । ଏ ମାତୃ ଗର୍ଭ ହେଉଛି ସନ୍ତାନର ସକଳ ଆଚରଣର ନିର୍ମାଣସ୍ଥଳୀ ଏକଥା ନିତ୍ୟାନ୍ତ ବୁଝିବା ଆବଶ୍ୟକ । କେବଳ ଏତିକି କଥାରେ ଏ ରହସ୍ୟ ସୁପ୍ତ ନୁହଁ ଏହାଠାରୁ ଆହୁରି ଆଶ୍ଚର୍ଯ୍ୟ କଥା ହେଉଛି ଗର୍ଭାବସ୍ଥାରେ ମା’ର ଯେଉଁ କାର୍ଯ୍ୟ ପ୍ରତି ଆଗ୍ରହ ଜନ୍ମେ ପରବର୍ତ୍ତୀ ଅବସ୍ଥାରେ ଶିଶୁଟି ବଡ ହେଲେ ତା’ର ସେହି କାର୍ଯ୍ୟ ପ୍ରତି ଆଗ୍ରହ ଜନ୍ମେ । ଅନେକ ମା’ ଏହାକୁ ଅନୁଭବ କରିଥିବେ । ଯଦି ଗର୍ଭସ୍ଥ ମା’ ଚିତ୍ର କରିବାକୁ ଶ୍ରଦ୍ଧାକରେ ତେବେ ଭବିଷ୍ୟତର ତା’ର ପୁତ୍ର ଅବା କନ୍ୟାର ଚିତ୍ରକାରିତା ପ୍ରତି ପ୍ରବଳ ଆଗ୍ରହ ଜନ୍ମିଥାଏ । 
      ସେହିପରି ମା’ ଯଦି ଗୀତ ଶୁଣିବାକୁ ଭଲପାଏ ଏ ମାତୃ ଗର୍ଭରେ ପିଲାଟି ମଧ୍ୟ ମା’ ସହିତ ସଙ୍ଗୀତ ଶୁଣିଶୁଣି ତା’ର ସଙ୍ଗୀତ ପ୍ରତି ଏକ ଅହେତୁକ ଆଶକ୍ତି ଜନ୍ମେ । କାଁ ଭାଁ କଦବା କୋଚିତ ବିଲକ୍ଷଣ ଦେଖାଯାଇ ପାରେ ମାତ୍ର ପିତାର ରୁଚି ସହିତ ଗର୍ଭାବସ୍ଥାରେ ମା’ର ରୁଚି ସନ୍ତାନର ରୁଚିକୁ ସମ୍ପୂର୍ଣ୍ଣ ଭାବରେ କବଳିତ କରିଥାଏ । ସେଥିପାଇଁ ନାଟୁଆ ପୁଅ ନାଟୁଆ, କବି ପୁଅ କବି, ଲେଖକ ପୁଅ ଲେଖକ, ଚିତ୍ରକର ପୁଅ ଚିତ୍ରକର, ସଙ୍ଗୀତଜ୍ଞ ପୁଅ ସଙ୍ଗୀତ ଅନୁରାଗୀ ହୋଇ ଜନ୍ମ ହୋଇଥାନ୍ତି । ପିତାର ଗୁଣକୁ ଅବିକଳ ନେଇ ଆସିଥିଲେ ମଧ୍ୟ ମାତୃ ଗର୍ଭରେ ଜୀବର ବିହାର ସମୟରେ ମା’ର ମନ ଓ କର୍ମ ସବୁକିଛି ଜୀବର ଜୀବଦ୍ଦଶାକୁ ପ୍ରଭାବିତ କରିଥାଏ ।  ଏହା ପ୍ରକୃତିର ବିଧି ବ୍ୟବସ୍ଥାର କଥାଯେ, ମାନବ ତା’ ଜୀବନରେ ଯେଉଁ ସବୁ ଗୁଣ ମାନଙ୍କର ଅଧିକାରୀ ହୋଇଥାଏ ସେଥିରୁ କେତେ ଗୁଡିଏ ଜନ୍ମିତ ଗୁଣ ଓ ଅନ୍ୟ ସବୁ, ଜନ୍ମ ପରର ପାରିପାଶ୍ୱର୍ିକ ପରିସ୍ଥିତିରୁ ଶିକ୍ଷାଲାଭ କରିଥିବା ଗୁଣ । ମାତ୍ର ଏହା ଦେଖାଯାଏ ଜନ୍ମିତ ଗୁଣଗୁଡିକ ତା’ଜୀବନର ଅନ୍ତ ପର୍ଯ୍ୟନ୍ତ ତା’ ଅନ୍ତର ସହିତ ଶିକ୍ତ ହୋଇ ରହିଥାଏ କିନ୍ତୁ ଜନ୍ମ ପରର ଗୁଣ ଗୁଡିକ ପରିସ୍ଥିତି ସହିତ ବଦଳିପାରେ କିମ୍ବା ନୂତନତ୍ୱ ଧାରଣ କରିପାରେ ଏଥିରେ ସନ୍ଦେହ ନାହିଁ । ସମସ୍ତ ଜନ୍ମିତ ଗୁଣ ଗୁଡିକ ପିତାର ଗୁଣ ମାନଙ୍କ ସହିତ ସମ୍ପର୍କିତ ଥାଏତ ନିଶ୍ଚୟ, ମାତ୍ର ଗର୍ଭାବସ୍ଥାରେ ମା’ର କ୍ରିୟା କଳାପ ସହିତ ବହୁଧା ପ୍ରଭାବିତ ହୁଏ । ଜଠରସ୍ଥରେ ଜୀବ ମା’ ସହିତ ଯେଉଁ ସବୁ ପାରିପାଶ୍ୱିର୍କ ପରିସ୍ଥତି ସଂସ୍ପର୍ଶରେ ଆସେ ତା’ର କାୟ ଓ ମନ ମଧ୍ୟରେ ଅନୁରୂପ ସାମଞ୍ଜସ୍ୟତା ଦେଖାଯାଏ । 
      ଜୀବ ତା’ର ଜନ୍ମପରେ ଅର୍ଥାତ ଶିଶୁ ଅବସ୍ଥାରେ ଅନ୍ୟର ଆଚରଣ ଓ ପ୍ରକୃତିକୁ ନିରୀକ୍ଷଣ କରି ଯାହା କିଛି  ଶିକ୍ଷାଲାଭ କରିଥାଏ ସେହି ସବୁ କଥା ଗୁଡିକ ତାହାର ଆତ୍ମୀକ ସୂକ୍ଷ୍ମତନ୍ତ୍ରକୁ ସ୍ପର୍ଶ କରିପାରିଥାଏ କିମ୍ବା ନକରିପାରିଥାଏ ମାତ୍ର ମା’ର ଜଠରରେ ଥିବା ଅବସ୍ଥାରେ ମା’ର ମାଧ୍ୟମ ଦେଇ ସେ ଯାହାସବୁ ଶିକ୍ଷାଲାଭ କରିବାର ସୁଯୋଗ ପାଇଥାଏ ତାହା ସବୁ ତା’ର ଆତ୍ମୀକ ସୂକ୍ଷ୍ମତନ୍ତ୍ରକୁ ଛୁଇଁ ଯାଇଥାଏ ଯାହା ଫଳରେ ସେଥିରେ ଜୀବନବ୍ୟାପୀ ଚିରନ୍ତନତା ରହିଥାଏ । ତାହାର ମୂଳକାରଣ ହେଉଛି ସେ ସବୁ ଶିକ୍ଷା ଗୁଡିକ କୌଣସି ବାହ୍ୟ ମାଧ୍ୟମ ଦେଇ ତା’ ମନ ଓ ମସ୍ତିଷ୍କ ମଧ୍ୟରେ ପ୍ରବେଶ କରିନଥାଏ ବରଂ ତାହା ମା’ର କୋଷ ତନ୍ତ୍ର ଦେଇ ତା’ କୋଷ ତନ୍ତ୍ରରେ ପ୍ରବେଶ କରେ ଯାହା ଜୀବ ମନ୍ଦସାନର ଏକ ଅଭିନ୍ନ ଅଂଶ ହୋଇ ଉଠେ । ଦ୍ୱିହୃଦୟା ସମୟରେ ନାରୀ ଯଦି କର୍ମ ଚଞ୍ଚଳା ଓ ଭକ୍ତିର ଅଧିକାରିଣୀ ହୁଏ ତେବେ ତା’ର ଶରୀରର ଜୀବନ ସ୍ରୋତର ପ୍ରତ୍ୟେକ କୋଷ ମଧ୍ୟ ସେହି ଗୁଣର ଅଧିକାରୀ ହୋଇ ଉଠନ୍ତି । ଜଠରରେ ଉପସ୍ଥିତ ଜୀବ ଶରୀରକୁ ନାଭିନାଡା ଦେଇ ସେହି ଜୀବନ ସ୍ରୋତର ଅଂଶ ପ୍ରବାହିତ ହୋଇଥାଏ ଯାହା ଫଳରେ ଶିଶୁଟି ଅନୁରୂପ ଜନ୍ମ ଗୁଣର ଅଧିକାରୀ ହୋଇ ଜରାୟୁ ଭିତରେ ବଢିବାରେ ଲାଗେ । 
      ସତ୍ତ୍ୱରୀମାର ଜୀବନଚର୍ଯ୍ୟାରେ ଯେଉଁ କର୍ମ ଗୁଡିକ ପ୍ରତି ତା’ର ଆସକ୍ତି ସେସବୁ ମୋର ଚଲାପଥକୁ ଅଧିକ ଋଦ୍ଧିମନ୍ତ କରିବାରେ ଲାଗିଥାଏ । ସତ୍ତ୍ୱରୀମା ଭଳି ନାରୀ ବୁଝି ସାରିଥାଏ ଏ ଭବରେ ଜନ୍ମର ମୂଳ ଲକ୍ଷ କଣ । ଜଣେ ସୁଚରିତ୍ରା ନାରୀର ସମସ୍ତ ଗୁଣର ଅଧିକାରିଣୀ ସେ । ଆଉ ସର୍ବଶ୍ରେଷ୍ଠ ବିଶେଷତ୍ୱ ତା’ର ଜଗଦୀଶ୍ୱରଙ୍କୁ ସମର୍ପଣ ମନୋଭାବ । ନୀରଳସ ଓ ଛନ୍ଦଶୂନ୍ୟ କାୟ, ମନ ଓ ବଚନରେ ନିଷ୍କାମ କର୍ମ ତା’ର ପ୍ରବୃତ୍ତି । ତା’ର ଅହଂକାର ଶୂନ୍ୟ ହୃଦୟଟି ମୋତେ ମୋର ଲକ୍ଷସ୍ଥଳରେ ପହଞ୍ଚେଇବାରେ ଯଥୋଚିତ ପରିବେଶ ସୃଷ୍ଟି କରିବାରେ ଲାଗିଥାଏ । ତା’ ପ୍ରଭୁପ୍ରିତୀରେ ଲୁକାୟୀତ ଜୀବନମୁକ୍ତ ଅଭିଳାସ ମୋତେ ତା’ର ପ୍ରାର୍ଥନା ସମୟରେ ଆହୁରି ଉଲ୍ଲସିତ କରେ । ସନାତନ ତା’ର ସ୍ୱସ୍ଥିରୀକୃତ କାର୍ଯ୍ୟ ଅନୁସାରେ ପ୍ରତ୍ୟେକ ସୂର୍ଯ୍ୟବାର ଦିନ ସତ୍ତ୍ୱରୀମାର ଗର୍ଭକୁ ତନ୍ନ ତନ୍ନ କରି କିଛିକ୍ଷଣ ନିଜ ଆକ୍ଷିରେ ଯନ୍ତ୍ର ଯାହାଯ୍ୟରେ ଦେଖେ ଓ ତା’ର ପୁସ୍ତକ ଗତ ଜ୍ଞାନ ସହିତ ତୁଳନା କରେ । ହେଲେ ପିତୃତ୍ୱ ଲାଭର ଇପସିତ୍ ମହାର୍ଘରେ ନିଜ ପରୀକ୍ଷାଗାରାରେ ଅନେକ ସମୟରେ ଭାବିଚାଲେ ସତ୍ତ୍ୱରୀମାର ଜରାୟୁ ଭିତରେ ଥିବା ନିଜ ସନ୍ତାନର ପ୍ରତିମୂହୁର୍ତ୍ତର ପରିବର୍ତ୍ତନ କଥା । 
      ତା’ର ଜ୍ଞାନ ମୁତାବକ ଏ ସପ୍ତାହର ଶେଷ ବେଳକୁ ଶିଶୁଟିର ଲମ୍ବ ପ୍ରାୟ ସାଢେ ପାଞ୍ଚଇଞ୍ଚ୍ ହୋଇଯିବ । ଶିଶୁଟି ତା’ର ହାତ ଗୋଡକୁ ଚଳପ୍ରଚଳ କରିବାରେ ବ୍ୟସ୍ତ ଥିବ । ଶିଶୁଟିର ଶରୀର ଉପରିସ୍ଥ ରକ୍ତ ନଳୀ ଗୁଡିକ ଦୃଶ୍ୟମାନ ହେବାରେ ଲାଗିଥିବ ଓ ତା’ର କାନ ଦୁଇଟି ଆସି ସମ୍ପୂର୍ଣ୍ଣତା ଲାଭର ଶେଷ ଅବସ୍ଥାରେ ପହଞ୍ôଚଯିବ । ଏହି ସପ୍ତାହରେ ତା’ର ଶିରାପ୍ରଶିରା ଉପରେ ଗୋଟିଏ ରକ୍ଷାତ୍ମକ ଢାଙ୍କୁଣୀ ଯାହା ମାଇଲିନ୍ ଭାବରେ ଜଣା ତିଆରି ହେବା ଆରମ୍ଭ କରିଥିବ । ଏହା  ଗୁରୁତ୍ୱ ବହନ କରେଯେ ଶିରାପ୍ରଶିରା ଉପରେ ନିର୍ମାଣ ଆରମ୍ଭ ହୋଇଥିବା ଏହି ମାଇଲିନ୍‌ର କାମ ଶିଶୁ ଜନ୍ମ ହେବାର ପରବର୍ତ୍ତୀ ଏକ ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ । ଯଦି ସନ୍ତାନଟି ଗୋଟିଏ କନ୍ୟା ହୋଇଥିବ ତେବେ ଏହି ସପ୍ତାହରେ ତା’ର ଜରାୟୁ ଓ ଜରାୟୁ ସଂଲଗ୍ନ ଫଲୋପିଆନ୍ ନଳୀର ନିର୍ମାଣ ହୋଇ ଯଥା ସ୍ଥାନରେ ସ୍ଥାପିତ ହୋଇଯିବ । ଯଦି ସନ୍ତାନଟି ଗୋଟିଏ ପୁତ୍ର ସନ୍ତାନ ହୋଇଥିବ ତେବେ ତା’ର ଜନେନିନ୍ଦ୍ରିୟର ସଂରଚନା ଏହି ସପ୍ତାହରେ ଶେଷ ହୋଇଯିବ । ମାତ୍ର ଅଲ୍ଟ୍ରାସାଉଣ୍ଡ ସମୟରେ ଏହା ଦେଖାଯିବ ନାହିଁ ଯେହେତୁ ପିଲାଟି ତା’ର ବକ୍ରିଳ ଶୟନରେ ତା’ର ହାତ ଓ ଗୋଡଦ୍ୱାରା ତାକୁ ଲୁଚାଇ ରଖିଥିବ । 
      ସତ୍ତ୍ୱରୀମାର ଶରିରୀକ ପରିବର୍ତ୍ତନ ତେଣେ ଆଖି ଦୃଶିଆ ହେବାରେ ଲାଗେ । ପେଟର ଉଚ୍ଚତା ବଢିବାରେ ଦେଖାଯାଏ । ସତ୍ତ୍ୱରୀମାର ଚିତଗର୍ଭ ଚେହେରାରେ ପରିବର୍ତ୍ତନ ଏକ ନିଆରା ଘଟଣିଆ କାନ୍ତିପରି ଦେଖାଯାଏ । ସନାତନର ତା’ ପ୍ରତି ଥିବା ପ୍ରେମ ତା’ର ମନକୁ ସଦା ପ୍ରସନ୍ନ ରଖିବାରେ ସକ୍ଷମ ଥାଏ । ମନରେ କେତେବେଳେ ବି ନକାରାତ୍ମକ ଚିନ୍ତାଧାରାକୁ ସ୍ଥାନ ଦିଏ ନାହିଁ । ସତେଯେମିତି ତା’ ଉଦରଟି ତା’ପାଇଁ ବର୍ତ୍ତମାନ ସଂସାରର ସବୁଠାରୁ ଅମୂଲ୍ୟ ସମ୍ପଦ । ପେଟଟି କିପରି କୌଣସି ବି ପରିସ୍ଥିତିରେ ଆଘାତ ପ୍ରାପ୍ତ ନହେଉ ଓ ତା’ ସନ୍ତାନଟି ଯତ୍ନର ସହକାରେ ଗର୍ଭଭିତରେ ବଢୁଥାଉ ତା’ର ସମସ୍ତ ଚେଷ୍ଟା ସେହି ଦିଗରେ ହିଁ ମୁହେଁଇ ଥାଏ । ରାତିରେ ପଲଙ୍କ ଉପରେ ଶୋଇବା ସମୟରେ ପେଟମାଡି ଭୂଲ୍‌ରେ ବି ଶୋଇବାକୁ ଚେଷ୍ଟା କରେନାହିଁ । ସ୍ୱାମୀ ପାଖରେ ଶୋଇବା ସମୟରେ ସ୍ୱାମୀକୁ ଜାବୋଡି ଧରି ସନ୍ତାନଟିକୁ ନିଜ ଜରାୟୁ ଭିତରେ ନିଜ ସ୍ୱାମୀ ଓ ନିଜ ମଧ୍ୟରେ ଅଧିକ ସମୟ ରଖିବାକୁ ଚେଷ୍ଟା କରେ । ତା’ ମନରେ ବିଶ୍ୱାସ ମୋ ସନ୍ତାନ ମୋ ଜଠରରେ ଥାଇ ମଧ୍ୟ ତା’ ପିତାର ସ୍ପର୍ଶ ତା’ ଦେହରେ ଲାଗିଲେ ସେ ନିଜକୁ ନିର୍ଭୟ ମଣିବ ଓ ସେ ସାହାସୀ ହେବ । ସନାତନର ଆନନ୍ଦର ସୀମା ନଥାଏ । ସତ୍ତ୍ୱରୀମାର ପେଟ   ଉପରେ ଅନେକ ଥର ସ୍ନେହରେ ହାତ ବୁଲେଇ ଆଣି ସମ୍ପର୍କର ମାୟା ସଂସାରରେ କିଛି କ୍ଷଣ ହଜିଯାଏ । କିନ୍ତୁ ସତ୍ତ୍ୱରୀମା ଯେତେବେଳେ ଏକାନ୍ତରେ ବସେ ଅନେକ ସମୟରେ ନିଜ ଉଦର ଉପରେ ନିଜର ଡାହାଣ ହାତର ପାଞ୍ଚ ଆଙ୍ଗୁଳିକୁ ଅତି ସ୍ନେହର ସହିତ ବୁଲେଇ ଆଣି ମନେ ମନେ ଅନେକ କଥା ହୋଇ ଚାଲେ ନିଜର ସନ୍ତାନ ସହିତ । ତା’ ମନ ମଧ୍ୟରେ ଜଳ ଜଳ କରି ଏକ ସୁନ୍ଦର ପୁତ୍ର ସନ୍ତାନର ପ୍ରତିମା ଉଭା ହୋଇଉଠେ ଯାହାର ମୁହଁ ଓ ମୁକୁଳ ଅବିକଳ ସନାତନ ପରି । 
      କଣ୍ଢେଇ ପରି ଗୁଲୁଗୁଲିଆ ଚେହେରା ତାକୁ ଅଭିଭୁତ କରିପକାଏ । କେତେଥର ଯେ ତାକୁ ଗେଲ କରିପକାଏ ତା’ର ହିସାବ କେହି କରି ପାରିବେନି । ମନେ ମନେ ନିଜ ସ୍ତନରୁ କ୍ଷୀର ପେଇ ଦେବାର ସେ ଯେଉଁ ଅପ୍ରକାଶ୍ୟ ଅନୁଭବ ତାକୁ ସେ ଅନୁଭବ କରିଚାଲେ । କୋଳରେ ଧରି ଗେଲ କରିବାରେ ଲାଗେ । ତା’ର କମନୀୟ ଚେହେରାକୁ ତନ୍ନ ତନ୍ନ କରି ନିରୀକ୍ଷଣ କରିବାରେ ଲାଗେ । ସମୟେ ସମୟେ ଦୁଇହାତରେ ଉଠେଇ ଆଣି ଦୁଇ ବକ୍ଷୋଜ ସହିତ ତାକୁ ଜାବୁଡି ଧରି କେତେକଣ ମନ ଖୋଲା ପ୍ରିତୀର କଥା କହିଚାଲେ । ନିଜ ଛୁଆକୁ ବାହୁନେଇ ଚାଲେ । ଏମିତି ଅନେକ ଥର ପ୍ରୀତି ପ୍ରଦାୟକ ସ୍ୱପ୍ନ ଭିତରେ ସେ ନିଜକୁ ହଜେଇ ଦିଏ । 

*******

ଦଶମ ପକ୍ଷ



      ଦଶମ ପକ୍ଷର ଆଦ୍ୟ ଦିବସ ବେଳକୁ ମୋର ଏ ଶେଷଯାତ୍ରାର ଦୀର୍ଘତା ଆହୁରି ବଢିଲା ପରି ମନେ ହେଉଥାଏ । ମୋ ସ୍ଥିତ କାୟା ଯଦିଓ ଅନୁଭବ କରିବାର ଶକ୍ତି ହାସଲ କରି ସାରିଥାଏ ଶୁ୍‌ଙ୍ଘି ପାରିବା, ସ୍ୱାଦ ବାରିପାରିବା ଓ ଶୁଣିପାରିବା ଭଳି ଶକ୍ତି ତା’ପାଖରେ ସଂଘଟିତ ହୋଇ ନଥାଏ । କେବଳ ମା’ ଜରାୟୁ ଜନ୍ମକୁଣ୍ଡରେ ଅବସ୍ଥାପିତ ହୋଇ ମୋର ଜୀବନ ରକ୍ଷକ ଧର୍ମୀ ସମସ୍ତ କର୍ମ ଆପେ ଆପେ ମୋ ସହିତ ଘଟି ଚାଲିଥାଏ । ସତେଯେମିତି ମୁଁ ସେ ଜନ୍ମଥଳୀ ବନ୍ଦୀଶାଳାରେ ଜଣେ ବନ୍ଦୀ । ମୋର ଚାରି ପାଖରେ ଘେରି ରହିଥାଏ ପାଚେରୀ ଓ ସେ ପାଚେରୀକୁ  ଭେଦ କରିବାର ଶକ୍ତି ମୋ ଶରୀର ପାଖରେ ନଥାଏ । ପରବ୍ରହ୍ମ ଏପରି ସେ ପାଚେରୀକୁ ଗଢି ତୋଳିଥାନ୍ତି ଯାହା ମୋର ଜୀବନଯାତ୍ରାକୁ ସେହି ମା’ ଗର୍ଭରେ ଅନେକାଂଶରେ ନିୟନ୍ତ୍ରିତ କରୁଥାଏ । ଯେପରି ବନ୍ଦୀଶାଳାରେ ଥିବା କଏଦି ବାହ୍ୟ ଦୁନିଆକୁ ଦେଖିପାରେ ନାହିଁ କିମ୍ବା ବାହ୍ୟ ଦୁନିଆର କୌଣସି ଜୀବନ୍ତ ଅବା ମୃତ ପଦାର୍ଥର ସଂସ୍ପର୍ଶରେ ଆସି ପାରେ ନାହିଁ, ବିନା ନିର୍ଦ୍ଦେଶ ଓ ସମୟ ନିର୍ଘଣ୍ଟ ବିନା ଏଠାରେ ମଧ୍ୟ ସେମିତି । 
      ହେଲେ ମନୁଷ୍ୟ ମାନଙ୍କ ବନ୍ଦୀ ଘର କ୍ଷେତ୍ରରେ ବନ୍ଦୀମାନେତ ନିଜ ପରିଜନ ମାନଙ୍କୁ ଜେଲ୍ ଭିତରେ ସାକ୍ଷାତ କରିବାର ସୁଯୋଗ ଥାଏ ଓ ନିଜର ଦୁଃଖ ବାଣ୍ଟିବାକୁ ଅବକାଶ ଥାଏ ମାତ୍ର ମୋ ପାଇଁ ଏଠାରେ ସେମିତି କିଛିବି ସୁଯୋଗ ନଥାଏ । ନା କାହା ସଙ୍ଗେ କଥା ହୋଇ ପାରୁଥାଏ, ନା କାହାକୁ ଦେଖି ପାରୁଥାଏ ନା ଶୁଣିପାରୁଥାଏ । ମୋ ସର୍ମ୍ପକରେ ମାତ୍ର ଦୁଇଜଣ ଥାନ୍ତି ସେ ହେଉଛନ୍ତି ମୋର ପରବ୍ରହ୍ମ ପରମାତ୍ମା ଓ ମୋ ମା’ । ହେଲେ ମୋର ମୋ ମା’ ସହିତ ବି ସିଧାସଳଖଭାବରେ ମିଳନର ଅବକାଶ ନଥାଏ । ମାତ୍ର ମୋ ମା’ମୋତେ ଅନୁଭବ କରିଚାଲେ ଆଉ ମୁଁ ମୋର ମା’ର ଜୀବନ ରେଖାରେ ଜୀବିତ ହୋଇ ଆଗକୁ ଆଗକୁ ମୋ ସ୍ଥିତ ଶରୀରର ବୃଦ୍ଧି ଓ ବିକାଶର ସାକ୍ଷୀ ସାଜି ଆଗକୁ ଆଗକୁ ଚାଲିଥାଏ । 
      ବିଚିତ୍ର ମୁହୁର୍ତ୍ତର କଥା । ମଙ୍ଗଳବାର ପ୍ରତ୍ୟୁଷର ପବିତ୍ର ମୁହୁର୍ତ୍ତରେ ଏକ ଅଦ୍ଭୁତ ଅନୁଭୁତି ମୋ ଶରୀର ଅନୁଭବ କଲା । ମୋ ମା’ ବିଛଣାରୁ ଉଠିପଡି ବିଛଣା ଉପରେ ବସି ରହି ତା’ ପ୍ରଭୂକୁ ପ୍ରଣାମ କରି ଧୀରେ ଧୀରେ ଗୁଣୁଗୁଣୁ କରି ମନ ମଧ୍ୟରେ କଣ କହି ଚାଲିଥାଏ । ଆଉ ସେତେବେଳେ ସର୍ବପ୍ରଥମେ ମୋ ଜୀବନ ଚକ୍ରରେ ମୁଁ ସେ ଗୁଣୁଗୁଣୁ ଶଦ୍ଦକୁ ଶୁଣିବାକୁ ଆରମ୍ଭ କଲି । ମୁଁ ନିଜକୁ ବିଶ୍ୱାସ କରି ପାରିଲିନି । କେଉଁଠାରୁ ଏ ଶଦ୍ଦ ଭାସି ଆସୁଥାଏ ତାହା ଖୋଜିବାରେ ଲାଗିଲି । 
      ସେତେବେଳେକୁ ମୋ ଜନ୍ମଗୃହଟିର ପରିବେଶ ଅତ୍ୟନ୍ତ ଶାନ୍ତ ଥାଏ । ମା’ର ଗୁଣୁଗୁଣୁ ଶଦ୍ଦ ମୋ କାନରେ ପ୍ରଥମେ ବାଜିବା କ୍ଷଣି ମୁଁ କିଛିକ୍ଷଣ ପାଇଁ ଚକିତ ହୋଇ ଯାଏ ସିନା ହେଲେ ମୋ କାନ ସେହି ଗୁଣୁଗୁଣୁ ଶଦ୍ଦର ଗୁଞ୍ଜରଣକୁ ଶୁଣିବା ପାଇଁ ଆପେ ଆପେ ସେଇ ଆଡିକି ଲାଖି ରହିଲା । ମୋ ମା’ର ସେ ସୁନ୍ଦର ପ୍ରାର୍ଥନା ମୋତେ ଆହୁରି ପୁଲକିତ କରିବାରେ ଲାଗିଥିଲା । ଏ କି ବିଚିତ୍ର ବିଚାର ଓ କି ବିଚିତ୍ର ସଂରଚନା । ଜଗତର ଶଦ୍ଦକୁ ଅନୁଭବ କରିବାର ଶକ୍ତି ଆଜି ପରମାତ୍ମା ମୋ ସ୍ଥିତ ଶରୀରର କାନ ଦୁଇଟିରେ ଭରି ଦେଲେ । ସେହି ମୁହୁର୍ତ୍ତର ପରବର୍ତ୍ତୀ ପ୍ରତିକ୍ଷଣର ମୋ ଜନ୍ମଥଳୀରେ ସୃଷ୍ଟି ହେଉଥିବା ସମସ୍ତ ଶଦ୍ଦକୁ ଶୁଣି ପାରିବା ସହିତ ମା ସନ୍ନିକଟରେ ସଂଘଟିତ ହେଉଥିବା ଅନେକ ଶଦ୍ଦ ରାଜିକୁ ମୁଁ ଶୁଣିବାକୁ ସକ୍ଷମ ହୋଇଗଲି । 
      ମୋ ମା’ ଗର୍ଭରେ ଘଟି ଚାଲିଥିବା ପ୍ରତ୍ୟେକ ଶଦ୍ଦଗୁଡିକୁ ମୁଁ ସମାନ୍ତରାଳ ଓ ଅସମାନ୍ତରାଳ ବ୍ୟବଧାନରେ ଶୁଣି ଚାଲିଲି । ମା’ର ହୃଦ୍‌କମ୍ପନ, ମା’ ଉଦରରେ ଘଟି ଚାଲିଥିବା ରେଚନ ଓ ପାଚନ ପ୍ରକ୍ରିୟାର ଶଦ୍ଦ, ଶ୍ୱାସକ୍ରିୟାର ସେ ସାମନ୍ତରାଳ ଧ୍ୱନିକୁ ମୁଁ ଶୁଣି ପାରିବାକୁ ସକ୍ଷମ ହୋଇଗଲି । ଶୁଣି ପାରିବା ଶକ୍ତିର ଅଧିକାରୀ ହୋଇଯିବା ପରଠାରୁ ମୋ ଅନୁଭବ କରିପାରିବାର ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହୋଇ ଚାଲିଲା । ଅନେକ ଶୁଣିବା କଥାକୁ ମୁଁ ଅନୁଭବ କରିବାକୁ ଆରମ୍ଭ କରିଦେଲି । ହେଲେ ମୁଁ ଅଧିକ ବିବ୍ରତ ହୋଇପଡିଲି ଯେତେବେଳେ ମୁଁ ମା’ ଜରାୟୁ ସହିତ ମା’ ଶରୀରରେ ସଂଘଟିତ ହେଉଥିବା ଅସଂଖ୍ୟ ଶଦ୍ଦକୁ ହିସାବ କରିପାରିଲି ନାହିଁ । 
       ଏ ବିଶ୍ୱ ବ୍ରହ୍ମାଣ୍ଡରେ ଯେତେପ୍ରକାର ଶଦ୍ଦ ଅଛି ବୋଧହୁଏ ମୋ ମା’ ଶରୀର ଭିତରେ ସେତିକି ପ୍ରକାରର ଶବ୍ଦ ସଂଘଟିତ ହେଉଥାଏ । ଏହି ଶଦ୍ଦ ଗୁଡିକ ମଧ୍ୟରୁ କେତେକ ନିର୍ଦ୍ଧିଷ୍ଟ ତାଳଲୟ ଓ ଛନ୍ଦରେ ପର୍ଯ୍ୟବେସିତ ହୋଇଥିବା ବେଳେ ଅନେକ ଅକସ୍ମାତ ଓ କ୍ରୁର ହୋଇଥାନ୍ତି । କେତେକ ସ୍ମିତ ମଧୁର ହୋଇଥିବା ସମୟରେ ଅନେକ ସ୍ମୃତିକଟୁ ବି ହୋଇଥାନ୍ତି । ହେଲେଏହା ସତ୍ୟ ଯେ    ମୋ ଶରୀର ଭିତରେ ସଂଗଠିତ ହେଉଥିବା ସମସ୍ତ ଶଦ୍ଦ ରାଜିକୁ ମୋ କାନ ଶୁଣି ପାରୁନଥାଏ । ପୁନଶ୍ଚ କେତେକ ଶୁଣି ପାରୁଥିଲେ ସୁଦ୍ଧା ସେ ଗୁଡିକୁ ଅନୁଭବ କରି ପାରୁନଥାଏ । ହେଲେ ଏଭଳି ପ୍ରତିତ ହେଉଥାଏ ଯେ ସତେଯେମିତି ମୋର କାୟାର ଜୀବନ ଏକ ଶଦ୍ଦପୂର୍ଣ୍ଣ ପରିବେଶ  ଭିତରେ ସଂଘଟିତ । କେତେ ଯେ ଶଦ୍ଦ, କେତେ ପ୍ରକାର ଶଦ୍ଦ, ସେମାନଙ୍କର ଶକ୍ତି କେତେ, ସଂଘାତ କେତେ ତା’ ମୋ ପକ୍ଷରେ କହିବା ଆଦୌ ସମ୍ଭବ ନୁହେଁ । ଯେଉଁ ଶଦ୍ଦ ଗୁଡିକ ମୋ କାନରେ ପ୍ରବେଶ କରୁଥାଏ ସେ ଗୁଡିକର ଏକ ନିର୍ଦ୍ଧିଷ୍ଟ ତାଲିକା ମୁଁ ପ୍ରସ୍ତୁତ କରିପାରିବି ନାହିଁ । ଜୀବନ ସଂଚାର ପାଇଁ ଯେଉଁ ଶଦ୍ଦ ଜୀବନ ବ୍ୟାପୀ ଅହରହ ସୃଷ୍ଟି ହେଉଥାଏ ସେମାନଙ୍କର ଏକ ନିର୍ଦ୍ଧିଷ୍ଟ ତାଳ, ଛନ୍ଦ ଓ ଲୟ ଥିବା ବେଳେ ଯେଉଁ ଶବ୍ଦ ଗୁଡିକ ଜୀବନର ପ୍ରବାହ ପାଇଁ ଆବଶ୍ୟକତା ନଥାଏ ସେ ଗୁଡିକ ତାଳ, ଲୟ ଓ ଛନ୍ଦହୀନ ହୋଇଥାନ୍ତି । କେତେକ ଶଦ୍ଦ ଇନ୍ଦ୍ରଙ୍କର ବଜ୍ରପରି ହୋଇଥାଏ ତ କିଏ କୋଇଲି କଣ୍ଠରୁ ଝରିଆସୁଥିବା ବସନ୍ତରେ ସେ ସୁଲଳିତ କଣ୍ଠସ୍ୱର ପରି ଲାଗୁଥାଏ । 
      ଏହିପରି ସମସ୍ତ ଶଦ୍ଦରାଜି ଗୁଡିକୁ ଶୁଣି ପାରୁଥିବା ଅନ୍ତରାଳରେ ବାସ୍ ଆଉ ଦୁଇଟି ବିସ୍ମୟ ଅନୁଭୁତି ମୋ ସ୍ଥିତ ଶରୀର ଅନୁଭବ କରିବା ଆରମ୍ଭ କରିଦେଲା ସେଥିରୁ ଗୋଟିଏ ହେଲା ଶୁଙ୍ଘିପାରିବା ଓ ଅନ୍ୟଟି ସ୍ୱାଦ ବାରିପାରିବା । ମୋ ନାସାର ଗନ୍ଧ ବାରିପାରିବାର ଦକ୍ଷତା ହାସଲ ହେବା କ୍ଷଣି ମା’ ଉଦରରେ ମୁଁ ଭାସମାନ ହେଉଥିବା ଜଳଗର୍ଭର ଗନ୍ଧ ସହିତ ମା’ଉଦରରେ ସୃଷ୍ଟି ହେଉଥିବା ଅନେକ ଗନ୍ଧକୁ ବାରି ପାରିଲି । ଅନେକ ଗନ୍ଧ ମୋ ନାକକୁ ଖୁବ୍ ଆନନ୍ଦ ଦେଉଥିବା ବେଳେ ଅନେକ ଗନ୍ଧ ମୋତେ ବ୍ୟତିବ୍ୟସ୍ତ କରିବା ଆରମ୍ଭ କରିଦିଏ । ହେଲେ ସେ ଦୁର୍ଗନ୍ଧ ମୟ ପରିବେଶରୁ ନିଜକୁ ବଞ୍ଚେଇ ରଖିବା ପାଇଁ ମୋ ସ୍ଥିତ ଶରୀର ପାଖରେ ସେମିତି କିଛି ବିକଳ୍ପ ନଥାଏ । ସଂସାରରେ ଯେତିକି ପ୍ରକାରର ଗନ୍ଧ ଅଛି ମାତୃଗର୍ଭ ଭିତରେ ସେତିକି ପ୍ରକାର ବାସ୍ନା ଭରି ରହିଛି । ସୁଗନ୍ଧିତ ପୁଷ୍ପ ଅବା ବୃକ୍ଷରାଜୀ ମାନଙ୍କର ସୁଗନ୍ଧ ଭଳି ସମସ୍ତ ସୁଗନ୍ଧର ଆସର ସେହି ମା’ ଗର୍ଭରେ ମୋତେ ଅନୁଭୁତ ହେବା ଆରମ୍ଭ ହୋଇଥିଲେ ସୁଦ୍ଧା ସଂସାରର ସମସ୍ତ ଦୁର୍ଗନ୍ଧମୟ ପରିବେଷ୍ଟନୀର ସେ ଯେଉଁ ନାସା କଟୁ ଗନ୍ଧ, ମୋ ପାଇଁ ତାହା ମଧ୍ୟ ଅଗଣନୀୟ ଓ ଅବର୍ଣ୍ଣନୀୟ ହୋଇ ରହିଥାଏ । 
      ମା’ ଗ୍ରହଣ କରୁଥିବା ଖାଦ୍ୟର ସେ ମହମହ ବାସନା ସହିତ ମା’ର ଉଦରରେ ସଂଘଟିତ ପାଚନ ପ୍ରକ୍ରୟାରୁ ନିର୍ଗତ ସେ ପୁତିଗ, ନର୍କ ଯନ୍ତ୍ରଣାଠାରୁ ଆହୁରି କ୍ଳିଷ୍ଟକର । ଶୁଣିପାରିବା ଓ ଶୁଙ୍ଘି ପାରିବାର ଦକ୍ଷତାର ଅନ୍ତରାଳରେ ମୋର କାୟା ଆହୁରି ଗୋଟିଏ ନୂତନ ଦକ୍ଷତାର ଅଧିକାରୀ ହୋଇଉଠେ ତାହା ଥାଏ ସ୍ୱାଦ ବାରିପାରିବା । ଏ ସବୁ ଦକ୍ଷତା ଗୁଡିକ ମୋ ପାଇଁ ଅତ୍ୟନ୍ତ ବିସ୍ମୟ ବୋଧ ହେଉଥାଏ ଯଦିଓ ଏହା ଜୀବନର ସାମଗ୍ରିକତା ପାଇଁ ଆବଶ୍ୟକୀୟ ଗୁଣାବଳୀତାହା ମୁଁ ଜାଣିଥାଏ । ହେଲେ ମୋ ସ୍ଥିତ ଶରୀରର କ୍ରମ ବର୍ଦ୍ଧିଷ୍ଣ କଳେବର ସହିତ ନୂତନ ଗୁଣ  ମାନଙ୍କର ବିକାଶ ମୋ ସ୍ଥିତ ଶରୀକୁ ସ୍ୱୟଂ ସମ୍ପୂର୍ଣ୍ଣ କରି ଚାଲିଥାଏ । ଖାଲି ସେତିକି ନୁହେଁ, ଏହି ସପ୍ତାହର ମଧ୍ୟ ଭାଗରେ ହିଁ ମୋ ସ୍ଥିତ କାୟା ସ୍ପର୍ଷଅନୁଭବ ଓ ଦେଖିପାରିବାର ଦକ୍ଷତା ମଧ୍ୟ ହାସଲ କରିନିଏ । ଏକ କଥାରେ କହିବାକୁ ବସିଲେ ମୋ ମସ୍ତିଷ୍କ ବର୍ତ୍ତମାନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମର ଦ୍ୱାରଦେଶରେ ଉପନୀତ ହୋଇସାରିଥାଏ । ମୋ ସ୍ଥିତ କାୟାର ମସ୍ତିଷ୍କ ଶୁଣିପାରିବା, ଶୁଙ୍ଘିପାରିବା, ସ୍ୱାଦ ବାରିପାରିବା, ସ୍ପର୍ଶ ଅନୁଭବ କରିପାରିବା ଓ ଦେଖି ପାରିବା ଭଳି ସମସ୍ତ କ୍ରିୟାରେ ଶ୍ରିତ ହୋଇ ସାରିଥାଏ । ଏ ସମସ୍ତ ଗୁଣରେ ଆଭୁଷିତ ହୋଇସାରିବା ପରେ ମୋ ସ୍ଥିତ କଳେବର କର୍ଣ୍ଣକଟୁ-କର୍ଣ୍ଣସୁଖ, ସୁଗନ୍ଧ-ଦୁର୍ଗନ୍ଧ, ସୁସ୍ୱାଦୁ-ସ୍ୱାଦହୀନ, କଠିନ-ନରମ ଓ ସୁନ୍ଦର-ଅସୁନ୍ଦର ମଧ୍ୟରେ ଥିବା ପାର୍ଥକ୍ୟକୁ ଠଉରେଇବାକୁ ସକ୍ଷମ ହେବାରେ ଲାଗିଥାଏ ଯାହା ଏ ମା’ ଜରାୟୁର ଯନ୍ତ୍ରଣା ଆଉ ଆନନ୍ଦକୁ ଅନୁଭବ କରିବା ପାଇଁ ଆହୁରି ଅଧିକ ପଥ ପ୍ରଶସ୍ତ କରିଦିଏ । ମୋ ଶରୀର ବର୍ତ୍ତମାନ ଏହି ଏହି ମା’ର ଜଠର ଭିତରେ ସୁଖଦୁଃଖ, ଭଲମନ୍ଦ, ଶାନ୍ତିଅଶାନ୍ତି ସବୁ ଅନୁଭବ କରିବା ଆରମ୍ଭ କରି ଦେଇଥିବାରୁ ମୁଁ ସେତେବେଳକୁ ସମସ୍ତ ମାନବୀୟ ଗୁଣାବଳୀର ପ୍ରାୟ ପରିପୂର୍ଣ୍ଣତା ଲାଭ କରିସାରିଥାଏ । 
       ଏହି ଦହ୍ର ଯାତ୍ରାରେ ଯାତ୍ରାର ପ୍ରତିଟି କ୍ଷଣର ସୁଖଦ ଓ ଦୁଃଖଦ ଅନୁଭବକୁ ସାଉଁଟିବାରେ ମୋ ଅଧିଷ୍ଠିତ ଶରୀର ସ୍ୱୟଂସମ୍ପୂର୍ଣ୍ଣ ହୋଇଯାଏ । କେତେବେଳେ ଆନନ୍ଦର ତରଙ୍ଗ ମୋ ଭିତରେ ମୋ ଶେଷଲକ୍ଷର ସାନ୍ନିଧ୍ୟର ଲାଳସାରେ ଖେଳି ଯାଉଥିବା ବେଳେ ଅନେକ ସମୟରେ ସେ ଦୁର୍ବିହ ଜୀବନର ପୀଡା ମୋର ପରମକୁ ପୋଡି ପକେଇଲା ପରି ଅନୁଭବ ହେଉଥାଏ । ତଥାପି ଜଣେ ସ୍ୱୟଂସମ୍ପୂର୍ଣ୍ଣ ମନୁଷ୍ୟ କଳେବରରେ ମୁଁ ଆଜି ସ୍ଥିତ ଅବସ୍ଥାରେ ମାତୃଗର୍ଭର ସେ ଦରହସ ମିସା ଦୁଃଖକୁ ପାଥେୟ କରି ମୋ ଯୋଗରୁ ନିଜକୁ ବିଚ୍ୟୁତ କରିବାକୁ ଦେଉନଥାଏ ।
      ସନାତନ ତା’ର ବିଜ୍ଞାନଗାରାରେ ବସି ରହି ଶିଶୁର ଏ ସପ୍ତାହର ସମସ୍ତ ଭାବି କ୍ରିୟା କଳାପ ଓ ପରିବର୍ତ୍ତନକୁ ମନେ ପକାଇ ଚାଲିଥାଏ । ତା’ର ପୋଥିଗତ ଜ୍ଞାନରେ ଏ ସପ୍ତାହରେ ଶିଶୁଟିର ଓଜନ ପ୍ରାୟ ଛଅ ଇଞ୍ଚ୍ ଲମ୍ବ ଓ ଏହାର ଓଜନ ପ୍ରାୟ ଦୁଶହ ଚାଳିଶ ଗ୍ରାମ ହୋଇଯିବ । ଏହାର ହାତ ଓ ଗୋଡର ଦୈର୍ଘ୍ୟର ଅନୁପାତ ବର୍ତ୍ତମାନ ଅବିକଳ ଅବସ୍ଥାକୁ ଚାଲି ଆସିବଣି । ଏହି ସପ୍ତାହରେ ଶିଶୁଟିର ବୃକକ୍ ଶିଶୁ ଶରୀରରେ ପ୍ରସାବ ତିଆରି କରିବା ପାଇଁ ସକ୍ଷମ ହୋଇଯିବଣି ଏବଂ ଏହା ଶରୀରରୁ ଅପରିଷ୍କାର ଜଳକୁ ପ୍ରସାବ ରୂପରେ ମୁତ୍ରାଶୟ ଦେଇ ନିର୍ଗତ କରାଇବାରେ ସକ୍ଷମ ହୋଇ ଯାଇଥିବ । ଶିଶୁଟିର ଶରୀରରେ ବର୍ତ୍ତମାନ ଚର୍ମର ଗୋଟିଏ ଆସ୍ତରଣ ଧୀରେ ଧୀରେ ଗଠନ ହେବାରେ ଲାଗିବଣି ଯାହା ଶିଶୁଟିକୁ ଆମ୍ନିଓଟିକ ଅମ୍ଳ ଭିତରେ ରହିବା ସମୟରେ ଯେଉଁ ଫୋଡି ଫୋଡି ହେବାର ଅନୁଭବକୁ ପ୍ରଶମିତ କରିବାରେ ସାହାଯ୍ୟ କରିବ ।   ଶିଶୁଟିର ମସ୍ତିଷ୍କ ଚର୍ମ ଉପରେ ଛୋଟ ଛୋଟ କେଶ ଗଠନ ଆରମ୍ଭ ହୋଇଯିବଣି । ଏ ସମସ୍ତ ପରିବର୍ତ୍ତନକୁ ସପ୍ତାହର ଶ୍ରେଷ୍ଠ ଭାଗରେ ସେ ଯାନ୍ତ୍ରିକ ଅନୁସନ୍ଧାନରେ ତୁଳନା କରି ଯେତକି ଭାବ ବିହ୍ୱଳ ହୋଇ ଉଠେ ସେତିକି ଆଶ୍ଚର୍ଯ୍ୟ ବି ଅନୁଭବ କରେ । ଆଜି ନିଜ ଔରଷରୁ ସୃଷ୍ଟ ସନ୍ତାନର ପ୍ରତି ସପ୍ତାହର ପରିବର୍ତ୍ତନକୁ ସେ ନିଜ ଆଖିରେ ଦେଖୁଛି  ଓ ତାକୁ ଅନୁରୂପ ପ୍ରାକୃତିକ ପରିବେଶ ଦେବା ପାଇଁ ଚେଷ୍ଟା ବି କରିଆସୁଛିି ।
       ଏଣେ ସତ୍ତ୍ୱରୀମାର ଶାରିରୀକ ପରିବର୍ତ୍ତନ ଦୃତଗତିରେ ପ୍ରତୀୟ ମାନ ହେବାକୁ ଲାଗିଥାଏ । ବର୍ତ୍ତମାନ ତା’ର ତଳିପେଟର ଆକାର ବଢିବାରେ ଲାଗିଥାଏ ଯାହା ଅନ୍ୟବ୍ୟକ୍ତି ମାନଙ୍କୁ  ସହଜରେ ଜଣା ପଡିବା ଆରମ୍ଭ ହୋଇ ସାରିଥାଏ । ସମୟେ ସମୟେ ସତ୍ତ୍ୱରୀମା ତା’ର ତଳି ପେଟରେ ମିଠା ଯନ୍ତ୍ରଣା ଅନୁଭବ କରିବାକୁ ଲାଗୁଥାଏ । ଏହାର କାରଣ ତା’ ଜଠରରେ ମୋର ସ୍ଥିତ ଶରୀରର ଓଜନକୁ ସହ୍ୟ କରିବାର ଆବଶ୍ୟକ ଶକ୍ତି । ମୋର କାୟାର ଓଜନ ତା’ର ଗର୍ଭାଶୟକୁ ଧୀରେ ଧୀରେ ପ୍ରସାରଣ କରୁଥିବା ହେତୁ ସତ୍ତ୍ୱରୀମାକୁ ଯନ୍ତ୍ରଣା ଅନୁଭବ ହେଉଥାଏ । ସତ୍ତ୍ୱରୀମା ମଧ୍ୟ ତା’ର ଉଦରର ଚର୍ମର ରଙ୍ଗ ପରିବର୍ତ୍ତନକୁ ଜାଣି ପାରୁଥାଏ । ତତ୍ ସହିତ ତା’ ହାତର ପାପୁଲିର ରଙ୍ଗ ଟିକେ ଲାଲ୍ ବର୍ଣ୍ଣ ଧାରଣ କରୁଥାଏ । କେତେ ଗୁଡିଏ ଅଳ୍ପ ଦୃଶ୍ୟମାନ କଳା ଦାଗ ତା‘ର ବକ୍ଷୋଜ, ଗାଲ ଓ ଓଠ ଉପରେ ସଂଘଠିତ ହୋଇଥାଏ ଯାହା ଜଣେ ଗର୍ଭବତୀ ମହିଳାର ଶାରିରୀକ ପରିବର୍ତ୍ତନର ଏକ ପ୍ରାକୃତିକ ଲକ୍ଷଣ । 
       ଏ ସବୁ ଦାଗ ଗୁଡିକ ଶିଶୁ ଜନ୍ମର ପରେ ପରେ ଧୀରେ ଧୀରେ ଉଭେଇ ଯିବ ଏକଥା ସନାତନ ଓ ସତ୍ତ୍ୱରୀମା ଉଭୟେ ଜାଣନ୍ତି । ଏ ସବୁର ଶାରିରୀକ ପରିବର୍ତ୍ତନ ସତ୍ତ୍ୱରୀମାକୁ ଅବ୍ୟବସ୍ଥିତ ମନେ ହେଉଥିଲେ ହେଁ ସେ ମାତୃତ୍ୱର ସୁନ୍ଦର ସ୍ୱପ୍ନିଳ ଦୁନିଆରେ ନିଜକୁ ହଜେଇ ଦେଇ ସବୁକିଛି ପାଶୋରି ଯାଏ । 
       ବିଂଶ ସପ୍ତାହର ଶେଷ ବେଳକୁ ମୋ ସ୍ଥିତ ଶରୀରର ଆକାରର ଦୃୁତ ଅଭିବୃଦ୍ଧି ଘଟି ଚାଲିଥାଏ । ମୋ ସ୍ଥିତ କାୟା ବର୍ତ୍ତମାନ ତା’ର ମୁଖ ଦେଇ ବାରମ୍ବାର ଗର୍ଭଜଳକୁ ଗିଳି ପକାଉଥାଏ । ମୁଁ ବି ଏକଥା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରୁଥାଏ ଯେ ଏ ଶରୀର ଗିଳି ପକାଉଥିବା ଗର୍ଭଜଳକୁ ପୁଣି ନିଜର ପ୍ରସାବ ମାଧ୍ୟମରେ ଏହି ଗର୍ଭଜଳରେ ହିଁ ଛାଡିଦେବ । ଜଗତରେ ଦେଖିଛି ଏହି ମାନବ ଯେତେବେଳେ ପ୍ରସାବ କରେ ହାତକୁ ଧୋଇଥାଏ ଅବା ପ୍ରସାବର ଦୁର୍ଗନ୍ଧରୁ ନିଜକୁ ସୁରକ୍ଷା ଦେବା ପାଇଁ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଏହାକୁ ଶରୀରରୁ ପରିତ୍ୟାଗ କରିବାକୁ ଚେଷ୍ଟା କରେ । ହଁ କେତେ ଜଣ ବ୍ୟକ୍ତି ମୁତ୍ରଉପଚାର ନାମରେ ନିଜର କୌଣସି ରୋଗରୁ ମୁକ୍ତ ପାଇଁ ପ୍ରଭାତର ନିଜର ପ୍ରଥମ ପ୍ରସାବକୁ ପାନ କରିଥାନ୍ତି ମାତ୍ର ଅତ୍ୟନ୍ତ ବିକୃତ ଓ ଘୃଣା ମନୋଭାବ ସହିତ । ହେଲେ ଅନ୍ୟ ସମସ୍ତେ ନିଜର ପ୍ରସାବକୁ ଅସୁଚୀ ବୋଲି ବିବେଚନା କରନ୍ତି । ମାତ୍ର ଏ ଗର୍ଭଥଳୀଭିତରେ ଏ ମାନବର ଆଦ୍ୟ ଜୀବନ କେତେ ଯେ ଅସୂଚୀ ପୂର୍ଣ୍ଣ ତାହା ଏଇ କଥାରୁ ସହଜରେ ଅନୁମେୟ । ଯେଉଁ ଗର୍ଭଜଳକୁ ଗିଳି ପକାଉଥାଏ ଏ ଶରୀର ପୁନଶ୍ଚ ସେହି ଜଳକୁ ପ୍ରସାବ ରୂପରେ ନିଜ ମୁତ୍ରଦ୍ୱାର ଦେଇ ସେହି ଗର୍ଭ ଜଳରେ ମିଶାଇ ଚାଲିଥାଏ । ବିଧିର ବ୍ୟବସ୍ଥାରେ ଏଭଳି ବାରମ୍ବାର ସେହି ଗର୍ଭ ଜଳକୁ ଗିଳି ପକାଇବା ଦ୍ୱାରା ଶିଶୁଟିର ପାଚନ ପ୍ରକ୍ରିୟା ସଲଗ୍ନ ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗ ଗୁଡିକ ଦକ୍ଷ ଓ ନିରୋଗ ହୋଇ ଉଠନ୍ତି । ଏମିତି ବି ଗିଳି ପକାଉଥିବା ଏହି ଗର୍ଭଜଳ କଳାରଙ୍ଗର ମଳରେ ପରିଣତ ହୋଇଥାଏ । ଏହି ମଳର ପରିମାଣ ଖୁବ୍ ଅଳ୍ପ ହୋଇଥିଲେ ମଧ୍ୟ ଏହା ଶିଶୁର ମଳ ଧାରଣ ଅଙ୍ଗରେ ରହିଥାଏ ଅବା ସମୟେ ସମୟେ ସେହି ଗର୍ଭଥଳୀ ଭିତରେ ଶିଶୁଟି ସେହି ମଳକୁ ପରିତ୍ୟାଗ କରି ଦେଇଥାଏ । କି କଦର୍ଯ୍ୟପୂର୍ଣ୍ଣ  ପରିବେଷ୍ଟିନୀ? 
       ମୋରି ସ୍ଥିତ ଶରୀରର ଜନ୍ମ କୁଣ୍ଡରେ ଶରୀରର ସମସ୍ତ ପରିତ୍ୟକ୍ତ ମୁତ୍ର ଓ ମଳ ଗର୍ଭଜଳରେ ମିଶି ଚାଲିଥାଏ ଓ ସ୍ଥିତ ଶରୀର ସେହି କୁମ୍ଭିପାକରେ କେତେ ଯେ କ୍ଳିଷ୍ଟ ଓ କଦର୍ଯ୍ୟତାରେ ଜୀବନ ଅତିବାହିତ କରୁଥାଏ ତା’ର କଳନା ନାହିଁ । ମୁଁ ସେଭଳି ବିକାର ପୂର୍ଣ୍ଣ ପରିବେଷ୍ଟିନୀରେ ନିଜକୁ   ନିର୍ବିକାର ରଖିବାଟା କଷ୍ଟ ବୋଧ ହେଉଥାଏ । ଏଭଳି ପୁତ୍ତିଗନ୍ଧ ମୟ ଜୀବନଜଳ ଭିତରେ ନିଜର ସ୍ଥିତ ଶରୀର ଭିତରେ ରହି ଶରୀରଟିର ବୃଦ୍ଧି ବିକାଶ ଦେଖିଲା ବେଳେ ମୋର ଧୈର୍ଯ୍ୟଚ୍ୟୁତ୍ ଅନେକ ସମୟରେ ଘଟୁଥାଏ ।  
        ସନାତନ ନିଜ ଜୀବନର ବିଜ୍ଞାନୀ ଅଭିଜ୍ଞତାରୁ ଜାଣେ ଯେ ଏହି ସପ୍ତାହର ଶେଷ ବେଳକୁ ଶିଶୁଟିର ଆକାର ଆସି ଗୋଟିଏ କଦଳୀ ପରି ହୋଇ ଯାଇଥିବ ଯାହାର ଲମ୍ବ ପ୍ରାୟ ସାତଇଞ୍ଚ୍ ଓ ଓଜନ ପ୍ରାୟ ୩୦୦ ଗ୍ରାମ ପାଖାପାଖି ହୋଇଥିବ । ସନ୍ତାନଟିର ହାତ ଗୋଡ ଦୁଇଟି ବଙ୍କେଇ କରି ଯାକିଯୁକି ହୋଇ ଶରୀର ସହିତ ଲାଗି କରି ଥିବ । ଏ ସମସ୍ତ ଘଟଣାକୁ ସେ ସତ୍ତ୍ୱରୀମାର ଗର୍ଭ ଭିତରେ ଯନ୍ତ୍ର ସାହାଯ୍ୟରେ ସପ୍ତାହର ଶେଷ ଭାଗରେ ଦେଖେ ଓ ତୁଳନା କରେ । 
       ତେଣେ ସତ୍ତ୍ୱରୀମା ଏ ଭବ ସଂସାରର ମାୟାରେ ନିଜକୁ ସମ୍ପୂର୍ଣ୍ଣ ହଜେଇ ଦେଇଥାଏ । ସମୟେ ସମୟେ ନିଜ ସନ୍ତାନର ବାଲ୍ୟକାଳ ବିଷୟରେ ଭାବି ବସି ଅପୂର୍ବ ଆନନ୍ଦ ଅନୁଭବ କରିବାରେ ଲାଗେ । ମା’ ହୋଇଗଲା ପରେ ତା’ର ଶିଶୁ ଏ ଜଗତକୁ ଚାଲି ଆସିଲା ପରେ କେତେ ଯେ ସ୍ନେହ ମମତା ପ୍ରୀତି ତା’ ଶିଶୁ ପ୍ରତି ସେ ଅଜାଡି ଦେବ ମନେ ମନେ ହିସାବ କରୁଥାଏ । କିପରି ଗେଲ କରିବ, କିପରି ନିଜ କୋଳରେ ଜାବୁଡି ଧରି ମାତୃତ୍ୱର ସେ ଅପ୍ରକାଶ୍ୟ ଆନନ୍ଦକୁ ଉପଭୋଗ କରିବ ସେ ସବୁ ଭାବି ଚାଲିଥାଏ । ନିଜ ସନ୍ତାନର ଅଝଟ ପଣିଆରେ ତା’ର ଶ୍ରଦ୍ଧା ମିଶ୍ରିତ କ୍ରୋଧ ଓ ବାଳୁତ ପଣିଆର ଚପଳାମିରେ ସେ ଯେଉଁ ସ୍ନେହ ମିଶ୍ରିତ ଆକଟର ସ୍ୱପ୍ନ ତାକୁ ପ୍ରଶାନ୍ତିର ଏକ ସୁନେଲି ନିଳୟ ଭିତରକୁ ନେଇ ଯାଉଥାଏ ।  


*******
                                                                                                   

ଏକାଦଶ ପକ୍ଷ

      ଏ ପ୍ରକୃତିର ପ୍ରାବଧାନରେ ମୋ ସ୍ଥିତ କାୟାର ଖୁବ୍ ସୁରକ୍ଷା ସହିତ ଦୀର୍ଘ ପାଞ୍ଚମାସ ଧରି ବୃଦ୍ଧି ଓ ବିକାଶ ଘଟି ଚାଲିଥାଏ । ବିସ୍ମୟପୂର୍ଣ୍ଣ ଘଟଣା ହେଉଛି ମୋ ସ୍ଥିତ କଳେବରଟି ଯେଉଁ ଗର୍ଭଥଳୀ ଭିତରେ ଅବସ୍ଥିତ ସେ ଗର୍ଭଥଳୀରେ ଥିବା ଗର୍ଭଜଳ ସମ୍ପୂର୍ଣ୍ଣ ଜୀବାଣୁ ମୁକ୍ତ ଓ ଶୁଦ୍ଧ । ମା’ର ଫୁଲଠାରୁ ସଲଗ୍ନ ନାଭିନାଡା ଓ ଗର୍ଭଥଳୀ ଏପରି ସୂକ୍ଷ୍ମତ୍ୱରେ ଗଢାଯେ ଏହାର ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ଅଧିକ । ମା’ ଯଦି କୌଣସି ସାଧାରଣ ରୋଗରେ ପିଡୀତ ହୁଏ ତେବେ ମୋ ସ୍ଥିତ ଶରୀରର ଏଥିରେ କୌଣସି କ୍ଷତି ଘଟିନଥାଏ ଏହାର କାରଣ ମୋ ଶରୀରକୁ ମା’ଶରୀରରୁ ସଦା ସର୍ବଦା ଶୁଦ୍ଧ ରକ୍ତ ହିଁ ପ୍ରବାହିତ ହେଉଥାଏ । ପୁନଶ୍ଚ ମୋ ସ୍ଥିତ ଶରୀର ସମସ୍ତ ଅଙ୍ଗରୁ ପ୍ରବାହିତ ଅଙ୍ଗାରକାମ୍ଳ ଓ ବର୍ଯ୍ୟଯୁକ୍ତ ରୁଧିର ମୋ ଶରୀରରେ ଅପଚୟ ନହୋଇ ତାହା ମା’ ଶରୀରରେ ହିଁ ବାହାରକୁ ଚାଲିଯାଇ ଥାଏ । ତେଣୁ ବିଧିର ପ୍ରସ୍ତୁତିରେ ମୋ ଶରୀରକୁ ସଂକ୍ରମିତ ରକ୍ତ ହେଉ ଅବା ବର୍ଯ୍ୟବସ୍ତୁ ଆଦ୍ୟୈ ଛୁଇଁ ପାରୁନଥାଏ । 
      ଏହା ସହିତ ମୋ ଶରୀର ନିଜେ ଶ୍ୱାସକ୍ରିୟା ପାଇଁ ପରିବେଶରୁ ସିଧାସଳଖ ଭାବରେ ଅମ୍ଳଜାନ ବାୟୁ ମାଧ୍ୟମରେ ଗ୍ରହଣ କରିପାରେ ନାହିଁ । ତେଣୁ ଏଠାରେ ବାୟୁ ସଂକ୍ରମିତ ସମସ୍ତ ରୋଗ ଠାରୁ ମୋ ଶରୀର ତା’ର ପ୍ରାକୃତିକ ବ୍ୟବସ୍ଥାରେ ସୁରକ୍ଷିତ । ମୋ ଶ୍ୱାସକ୍ରିୟା ହିଁ ମୋ ମା’ ଠାରୁ ଆସିଥିବା ନାଭିନାଡା ସଲଗ୍ନ ଜଠରରେ ଅବସ୍ଥାପିତ ଫୁଲ ହିଁ କରିଥାଏ । ତାହା ବିଶୁଦ୍ଧ ହେଲାପରେ ହିଁ ମୋ ଶରୀରକୁ ପ୍ରବେଶ କରିଥାଏ ।  ଏସବୁ ବ୍ୟବସ୍ଥିତ ପ୍ରାବଧାନ ସତ୍ତ୍ୱେ  ମୋ ସ୍ଥିତ ଶରୀର ଯେ ସମସ୍ତ ରୋଗ ଦାଉରୁ ମୁକ୍ତ ଏହା ଭାବିବାଟା ସମ୍ପୂର୍ଣ୍ଣ ଭୂଲ୍ । ଯେଉଁ ମା’ର ସମସ୍ତ ଭାବଗତ ଆଚରଣ    ନାଭିନାଡାର ସେ ସୁକ୍ଷ୍ମତନ୍ତ୍ର ଦେଇ ମୋ ଶରୀରରେ ପ୍ରବେଶ କରିପାରେ ସେଠାରେ ମୋ ଶରୀର କିପରିବା ମା’ଠାରୁ ରୋଗ ସଂକ୍ରମିତ ନହେଇ ରହିପାରିବ । ମାତ୍ର ଏହା ସତ୍ୟ ଯେ ଯଦି ଦୁର୍ବଳ ରୋଗ ଜୀବାଣୁ ମୋ ମା’ ଶରୀରକୁ ସଂକ୍ରମିତ କରନ୍ତି ତେବେ ମୋ ସ୍ଥିତ ଶରୀରର ସେ ରୋଗ ପ୍ରତିରୋଧକାରୀ ଶକ୍ତିର କ୍ଷମତା ତାକୁ ଅବଦମିତ କରି ରଖିପାରେ ମାତ୍ର ଯେତେବେଳେ ସଂକ୍ରମିତ ରୋଗ ଜୀବାଣୁ ଅଧିକ ବଳଶାଳୀ ସେତେବେଳେ ମୋ ସ୍ଥିତ କାୟାର ଶକ୍ତି ତାକୁ ପ୍ରତିରୋଧ କରିପାରେ ନାହିଁ । ଏ ଜୀବନ ଯାତ୍ରାରେ ରୋଗ ବ୍ୟାଧିର କଷଣ ମୋତେ ଭୋଗିବାକୁ ହିଁ ପଡିଥାଏ । ରୋଗ ସଂକ୍ରମଣ ସମୟରେ ମୋ ମା’ର ସମସ୍ତ ଶାରିରୀକ ମାନସିକ ଓ ଆତ୍ମୀକ ପରିବର୍ତ୍ତନ ମଧ୍ୟ ମୋ ଠାରେ ଅବିକଳ ରୂପେ ପ୍ରତିଫଳିତ ହୁଏ । 
      ପ୍ରକୃତିର ବୈଚିତ୍ର‌୍ୟତାରେ ଜୀବନର ସର୍ଜ୍ଜନା ପାଇଁ ଯେଉଁ ପଞ୍ଚମହାଭୁତ ଅନିର୍ବାର୍ଯ୍ୟ ସେହି ପଞ୍ଚମହାଭୁତରେ ଭରିରହିଛି ମୃତ୍ୟୁର ବହୁବିଧ କାରକ । ଯେଉଁ ଜଳ ଜୀବନ ପାଇଁ ଅପରିହାର୍ଯ୍ୟ ତାହା ପୁଣି ମନୁଷ୍ୟ ଶରୀରରେ ସୃଷ୍ଟି ହେଉଥିବା ସମସ୍ତ ରୋଗ ବ୍ୟାଧୀର ସତୁରୀ ସତାଂଶର ମୂଳ କାରଣ । ଜୀବନ ପାଇଁ ଅମୃତ ବୋଲାଉଥିବା ଜଳଯେ ବିଷପୂର୍ଣ୍ଣ ତାହା ତ ଏ ଚତୁର ମାନବ ଜାଣିବାରେ ସମର୍ଥ ମାତ୍ର କାଳର କରାଳରେ ତା’ଜୀବନଚକ୍ରରେ ସବୁ ସମୟରେ ଜୀବାଣୁମୁକ୍ତ ଜଳ ତା’ଭାଗ୍ୟରେ ହିଁ ନଥାଏ । ସମୟେ ସମୟେ ସେ ଯାହାକୁ ବିଶୁଦ୍ଧ ଜଳ ବୋଲି ଯାନ୍ତ୍ରିକ ପ୍ରକ୍ରିୟାରେ ତିଆରି କରେ ଆଶ୍ଚର୍ଯ୍ୟର କଥା ସେଥିରେ ମଧ୍ୟ କିଛି ଜୀବନହାନୀ କାରକ ତତ୍ତ୍ୱ ପ୍ରକୃତି ଭରି ରଖି ଦେବାରେ ସମର୍ଥ ହୋଇଥାଏ । ଏଠାରେ ଏହା କହିବା ବାହୁଲ୍ୟଯେ ମନୁଷ୍ୟ ତା’ର ବୁଦ୍ଧି ବଳରେ ତା’ର ମନ୍ଦସାନ ଭିତରେ ତା’କୁ ସଂକ୍ରମିତ ହେବାକୁ ଥିବା ବ୍ୟାଧି ସଂଖ୍ୟା ହ୍ରାସ କରିପାରେ ମାତ୍ର ସମ୍ପୂର୍ଣ୍ଣ ଶୂନ୍ୟ କରିପାରିବ ନାହିଁ । ଏହା ହିଁ ଏ ସୃଷ୍ଟିର ପ୍ରହେଳିକା । 
     ଏତିକିରେ କଥା ସରିଯାଏନି । ଯେଉଁ ଜଳ ଭିତରେ ଦିନେ ମାନବର ଆଦ୍ୟାବସ୍ଥା ମାତୃଗର୍ଭରେ ବିତିଥାଏ ଜନ୍ମପରେ କିନ୍ତୁ ଜଳରେ ବୁଡିଗଲେ ତା’ପାଇଁ ଆଣିଦିଏ ମୃତ୍ୟୁ । ଜଠରରେ ଗର୍ଭଥଳୀ ଭିତରେ ଦିନେ ନିଜ ନାସାପଥ ଦେଇ ଫୁସ୍‌ଫୁସ୍‌କୁ ଜଳ ଟାଣି ନେଉଥିଲେ ସୁଦ୍ଧା ସେ ଥିଲା ଜୀବିତ ଓ ତାର ଜୀବନ ଥିଲା କର୍ମଜ । ମାତ୍ର ଗର୍ଭରୁ ପ୍ରସ୍ଥାନ ପରେ ବାୟୁ ପରିବର୍ତ୍ତେ ତାର ଫୁସ୍‌ଫୁସ୍‌ରେ ଜଳ ଭରିଗଲେ ତାର ଅନ୍ତଶଯ୍ୟା ଅବଶ୍ୟମ୍ଭାବି । 
      ଅଗ୍ନୀ ବିନା ଜୀବନ ଦେଖାଯାଏ ନାହିଁ । ଜୀବନର ସୃଷ୍ଟି, ବିକାଶ ଓ ବୃଦ୍ଧି ପାଇଁ ଅଗ୍ନୀ ଅର୍ନିବାର୍ଯ୍ୟ  ମାତ୍ର ଅଗ୍ନୀ ଯେ କ୍ଷଣକେ ଅସଂଖ୍ୟ ଜୀବନକୁ ଜାଳିପୋଡି ପାଉଁଶ କରିପାରେ ତାହା ବଖାଣିବା ଅନାବଶ୍ୟକ । ସେହିପରି ଅନ୍ୟ ଏକ ମହାଭୁତ ବାୟୁର ଉପସ୍ଥିତି ବିନା ବହୁକୋଷି ବା ଉନ୍ନତ ପ୍ରାଣୀର ଜୀବିତ ରହିବା ଅସମ୍ଭବ । ମାତ୍ର ବାୟୁର ଆଧିକ୍ୟରେ ହୁଏ ବାତ୍ୟା ଓ ରଚାଏ ତାଣ୍ଡବ । କେବଳ ସେତିକି ନୁହେଁ ବାୟୁରେ ଭରି ରହିଛି ଅସଂଖ୍ୟ ଜୀବନ ନାଶକାରୀ ଜୀବାଣୁ, ବୀଜାଣୁ, ଭୂତାଣୁ ଓ ଡିମ୍ବାଣୁ । ଶ୍ୱାସକ୍ରିୟା ମାଧ୍ୟମରେ ମଣିଷ ଶରୀରରେ ପ୍ରବେଶ କରି ମନୁଷ୍ୟକୁ ନାନା ବ୍ୟାଧିର ଯନ୍ତା ଭିତରେ କରେ ହନ୍ତସନ୍ତ ଆଉ ସମୟେ ସମୟେ ତାକୁ ପ୍ରଦାନ କରେ ଅଦିତି । 
      ଆକାଶ ଓ ମାଟି କଥା କଣବା କୁହାଯାଇପାରେ । ପଞ୍ଚମହାଭୁତର ଗୋଟିଏ ଗୋଟିଏ ମହାଭୁତ ଏ  ଜୀବନ ପାଇଁ ଅନିର୍ବାର୍ଯ୍ୟ ହେଲେ ବି ଏମାନଙ୍କ ଭିତରେ ଭରି ରହିଛନ୍ତି ଅସଂଖ୍ୟ ରୋଗ ବ୍ୟାଧିର ମୂଳ ତତ୍ତ୍ୱ । ଆକାଶର ଅନୁପସ୍ଥିତିରେ ଜୀବନର ସ୍ଥାନ ନାହିଁ । ସେ ଯାହାକି ସ୍ଥାନ ଅଧିକାର କରେ ତାହା ସେହି ଅନନ୍ତ ଆକାଶର କିୟଦ ଅଂଶ ମାତ୍ର । କିନ୍ତୁ ସେହି ଅନନ୍ତ ଆକାଶର ଅନୁପସ୍ଥିତି ତାକୁ ମଧ୍ୟ ଠେଲି ଦିଏ ଦୀର୍ଘନିଦ୍ରାର ମୁଖକୁ । ମାଟି ହେଉଛି ମା’ପରି । ବିନା ପ୍ରତିବାଦରେ ସହିଯାଏ ସମସ୍ତ କଷଣକୁ । ମାନବର ଅସ୍ତିତ୍ୱ ମାଟି ବିନା କଳ୍ପନାବି କରାଯାଇ ପାରେନା । ଖାଦ୍ୟ, ବସ୍ତ୍ର, ବାସଗୃହର ଏହା ହେଉଛି ଆତ୍ମା । ଜୀବନର ସୃଷ୍ଟି ପରେ ଜୀବନ ଧାରଣ ପାଇଁ ମନୁଷ୍ୟ ଆବଶ୍ୟକ କରୁଥିବା ସମସ୍ତ ପ୍ରାଥମିକ ଠାରୁ ଆରମ୍ଭ କରି ଦ୍ୱିତୀୟ ଆବଶ୍ୟକତା ସବୁକୁ ଧରି ରଖିଛି ଏହି ଧରିତ୍ରୀ । ଜୀବନର ସୁଖ-ସମୃଦ୍ଧି, ଖୁସି-ଆନନ୍ଦ, ଦୁଃଖ-ଶୋକ, ରୋଗ-ବିଷାଦର ସମସ୍ତ ଉପାଦାନକୁ ଧରି ରଖିଛି ତା’ରି ବକ୍ଷରେ । ଜୀବନସତ୍ତା ସହିତ ମୃତ୍ୟୁର ବିଭୀଷିକାକୁ ମଧ୍ୟ ସ୍ଥାନ ଦେଇଛି ତା’ରି କୋଳରେ । ଏହା ହିଁ ଏ ସମସ୍ତ ପଞ୍ଚମହାଭୁତର ମହାଶ୍ଚର୍ଯ୍ୟ । ଜୀବନ ସର୍ଜ୍ଜନାର ସୂକ୍ଷ୍ମତନ୍ତ୍ର ସହିତ ମୃତ୍ୟୁର ଅନେକ କାରଣ ଓ କାରକ ଧାରଣ କରିଥିବାହିଁ ଏମାନଙ୍କର ଅନନ୍ୟ ବୈଶିଷ୍ଟ୍ୟ ।
      ମୁଁ ମାତୃଗର୍ଭର ସେ ଗର୍ଭଥଳୀ ଭିତରେ କର୍ମଜ ଥିବାବେଳେ ପଞ୍ଚମହାଭୁତର ଆବଶ୍ୟକତା ମୋ ପାଇଁ ଅପରିହାର୍ଯ୍ୟ ଥାଏ । ମୁଁ ସମସ୍ତ ପଞ୍ଚତତ୍ୱକୁ ସିଧାସଳଖ ନିଜେ ଆହରଣ କରିପାରୁ ନଥିଲେ ସୁଦ୍ଧା ମୋ ମା’ର ଶରୀରରୁ ପରୋକ୍ଷ ଭାବରେ ଗ୍ରହଣ କରୁଥାଏ । ମାତ୍ର ଗର୍ଭଥଳୀ  ଭିତରେ ଏମାନଙ୍କ ସହିତ ମୋର ସମ୍ପର୍କ ନିବୀଡ ଆଉ ସେ ନିବିଡତାର ମାଧ୍ୟମ ଥାଏ ମୋ ମା’ । ମୋ ଶେଷଯାତ୍ରାର ମାଧ୍ୟମ ମୋ ମା’କୁ କେତେବେଳେଯେ କେଉଁ ମହାଭୁତରୁ ଜୀବନହାନୀ କାରକ ତତ୍ତ୍ୱ ସଂକ୍ରମଣ କରି ବସିବେ ତାହା ଏ ମାନବର ଜ୍ଞାନର ପରିସୀମା ବାହାରେ । ଏହା କେବଳ ସେହି ସୃଷ୍ଟିକର୍ତ୍ତା ହିଁ ଜାଣନ୍ତିଯେ କେତେବେଳେ କେଉଁ କାରକ ଆସି ମା’ର ଜୀବନକୁ ଅସ୍ତବ୍ୟସ୍ତ କରିବା ଆରମ୍ଭ କରିଦେବ ଯାହାଦ୍ୱାରା ମୋ ସ୍ଥିତ କାୟା ପୀଡାର ଭାଗି ହେବା ପାଇଁ ବାଧ୍ୟ ହେବ । 
      ସେତେବେଳେ ସେ ସବୁ ଇଚ୍ଛାରହିତ ଆକସ୍ମିକ ଘଟଣା ମାନଙ୍କ ପ୍ରତି ମୋର ଦକା ଥାଏ ।ା ପ୍ରକୃତିରେ ମୋର ଭୟଶୂନ୍ୟ ଅସ୍ତିତ୍ୱ ମାୟା ସଂସାରର ପ୍ରପଞ୍ଚରେ କରାଗ୍ରତ ହେବାରେ ଲାଗିଥାଏ । ମୋ ସ୍ଥିତ କାୟାର ଆକସ୍ମିକ କ୍ଷଣ ଭଙ୍ଗୁରତାକୁ ମୁଁ ଭୁଲି ପାରୁନଥାଏ ଓ ସେହି ଭାବନା ହିଁ ମୋତେ ଯନ୍ତ୍ରଣା ପ୍ରଦାନ କରେ । ତଥାପି ମୋ ଶେଷ ଯାତ୍ରାର ଭାବି ସଫଳତାର ବିଶ୍ୱାସରେ   ପରମ ଯୋଗରେ ନିଜକୁ ହଜେଇ ରଖିବାକୁ ଚେଷ୍ଟା କରୁଥାଏ । 
      ନିଜର କର୍ମବହୁଳ ଜୀବନରେ ସନାତନ ତା’ର ସନ୍ତାନର ପରିବର୍ତ୍ତନ କଥାକୁ କେବେହେଲେ ପାଶୋରି ପାରେନି । ତା’ଚିନ୍ତାରେ ଏ ପକ୍ଷର ଆଦ୍ୟ ସପ୍ତାହ ବେଳକୁ ଗର୍ଭରେ ଶିଶୁର ଲମ୍ବ ପ୍ରାୟ ସାଢେ ଦଶ ଇଞ୍ଚ ହୋଇଥିବା ବେଳେ ତାହା ଏକ ଗାଜର ଭଳି ଦେଖା ଯାଉଥିବ ଓ ଏହାର ଓଜନ ପ୍ରାୟ ତିନିଶହ ପଚାଶ ଗ୍ରାମ୍ ହୋଇଥିବ । ବର୍ତ୍ତମାନ ଅବସ୍ଥାରେ ଶିଶୁଟି ଗର୍ଭଜଳ ଭିତରେ କଇଁଛ ପରି ଚଳଚଞ୍ଚଳ ହୋଇ ଗତି କରୁଥିବ । ଏହି ସପ୍ତାହରେ ଶିଶୁଟିର ଆଖି ପତା ଓ ଆଖିର ଉପର ଚମଡା ମଧ୍ୟ ଗଢା ଚାଲିଥିବ । ଯଦି ସନ୍ତାନଟି ଗୋଟିଏ କନ୍ୟା ସନ୍ତାନ ହୋଇଥିବ ତେବେ ତାହାର ରତ୍ୟଙ୍ଗର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିବ । ଏସବୁ ପରିବର୍ତ୍ତନ ସତ୍ତ୍ୱେ ଗର୍ଭାବସ୍ଥାର ଦ୍ୱିତୀୟ ମାସରେ ସତ୍ତ୍ୱରୀମା ଯେଉଁ ସବୁ ଲକ୍ଷଣ ମାନ ପରିପ୍ରକାଶ କରୁଥିଲା ତାହା ସବୁ ବନ୍ଦ ହୋଇଯିବ । ବର୍ତ୍ତମାନ ତାକୁ ଟିକେ ଆରାମ ଲାଗୁଥିବ । ଏହି ସମୟରୁ ସତ୍ତ୍ୱରୀମାର ଶିରା ପ୍ରଶିରା ଗୁଡିକ ବୁଢିଆଣୀ ଜାଲ ପରି ଦେଖାଯିବା ଆରମ୍ଭ କରିବ । ଶରୀରରେ ଏଗୁଡିକ ସ୍ପଷ୍ଟ ଭାବରେ କେତେକ ନିର୍ଦ୍ଧିଷ୍ଟ ସ୍ଥାନରେ ଯଥା ତା’ର ପାଦରେ, ନଳି ଗୋଡରେ ଓ ତା’ର ଉରୋଜ ଉପରେ ଦେଖା ଯାଉଥିବ । ମାତ୍ର ଏ ଗୁଡିକ ଧୀରେ ଧୀରେ ସନ୍ତାନ ଜନ୍ମପରେ ଆପେ ଆପେ ଲିଭିଯିବ ।
      ସତ୍ତ୍ୱରୀମା କିନ୍ତୁ ଶରୀରର ଏ ସବୁ ପରିବର୍ତ୍ତନକୁ ସେତେ ହୃଦୟର ସହିତ ନଜର ଦିଏ ନାହିଁ । ଶରୀରର ପରିବର୍ତ୍ତନରେ ତା’ର ଉଦରର ଉଚ୍ଚତା ବଢିବା ସହିତ ତା’ର ବକ୍ଷୋଜର ଆକାର ବଢିଯାଇଥାଏ ଯାହା ତାକୁ ଏକ ଅଭିନବ ଆକର୍ଷଣ ପ୍ରଦାନ କରୁଥାଏ । ସତ୍ତ୍ୱରୀମା ତା’ର ଶରୀରର ପରିବର୍ତ୍ତନ ମଧ୍ୟରେ ଅନୁଭବ କରେ ରତିକ୍ରିୟା ପ୍ରତି ପୂର୍ବାପେକ୍ଷା ଏକ ବର୍ଦ୍ଧିତ ଆସକ୍ତି । ହେଲେ ସ୍ଥିତପ୍ରଜ୍ଞର ଜୀବନ ମାଧୁର୍ଯ୍ୟରେ ଏ କାମୁକତା ଆଚରଣକୁ ସେ ନିଜ ଜୀବନ ବଳୟ ଭିତରୁ କାଢି ଫୋପାଡି ଦିଏ । ଏହା ପରିବର୍ତ୍ତେ ସେ ହୁଏ ସ୍ନେହୀ । ସଦା ସର୍ବଦା ସନାତନର ସଙ୍ଗ ପାଇଁ ସେ ଆଶାୟୀ ହୋଇଉଠେ । ତା’ପାଖରେ ବସି ରହିବା, ଆନନ୍ଦରେ ତା’ ସହିତ କଥୋପକଥନ ହେବା ଆଦିରେ ମନୋ ନିବେଶ କରେ । ବେଳେବେଳେ  ସେ ନିଜ ରୂପକାନ୍ତୀରେ ପରିବର୍ତ୍ତନକୁ ଦେଖି ନିଜକୁ ବିଶ୍ୱାସ କରିପାରେ ନାହିଁ । 
     ଦ୍ୱାବିଂଶ ସପ୍ତାହର ଶେଷ ବେଳକୁ ସନାତନ ଚିନ୍ତା କରେ ତା’ର ଶିଶୁଟିର ଲମ୍ବ ବର୍ତ୍ତମାନ ପୂର୍ବ ସପ୍ତାହ ଅପେକ୍ଷା ଅଧଇଞ୍ଚ୍ ବଢି ଯାଇଥିବ ଓ ଓଜନ ପ୍ରାୟ ଚାରିଶହ ପଚାଶ ଗ୍ରାମ୍ ହୋଇଥିବ । ସେ ଏକ କ୍ଷୁଦ୍ର ସୁନ୍ଦର ଶିଶୁର ବାସ୍ତବ ରୂପ ଧାରଣ କରିଥିବ । ବର୍ତ୍ତମାନ ତା’ଶରୀର ଉପରି ଭାଗରେ ଛୋଟ ଛୋଟ ଲୋମର ଛାଉଣି ସହିତ ବଡବଡ ଦାଗ ଦୃଶ୍ୟମାନ ହେଉଥିବ । ଯେଉଁ ଦାଗଗୁଡିକ ଯେପର୍ଯ୍ୟନ୍ତ ତା’ଶରୀର ଉପରେ ମାଂସ ଜମା ହୋଇ ନାହିଁ ସେ ପର୍ଯ୍ୟନ୍ତ ସେମିତି ଦେଖା ଯିବ । ଏହି ସପ୍ତାହରେ ଶିଶୁଟି ତା’ର ନିଶ୍ୱାସ ପ୍ରଶ୍ୱାସରେ ଆମ୍ନୋୟିଟିକ୍ ତରଳକୁ ବ୍ୟବହାର  କରୁଥିବ ।
      ତେଣେ ଆଗ ଅପେକ୍ଷା ସତ୍ତ୍ୱରୀମାକୁ ତା’ର ମଥାର କେଶ ଗୁଡିକ ଘନ ଓ ଘଞ୍ଚ ଦେଖାଯାଏ । ଏହାର ବୈଜ୍ଞାନିକ କାରଣ ହେଉଛି ସତ୍ତ୍ୱରୀମା ଶରୀରରେ ଘଟୁଥିବା ହରମୋନରେ ଆଶାତିତ ପରିବର୍ତ୍ତନ ଓ ବୃଦ୍ଧି । ଏପରି ଅନୁଭବ କରେ ଯେ ତା’ର ଶରୀରର ଚର୍ମ ଖୁବ୍ ସୁନ୍ଦର ଦେଖାଯାଉଛି  ଯାହା ପୂର୍ବରୁ ସେ କେବେବି ଦେଖିନଥାଏ । ତା’ର ଉଦରର ଚର୍ମର ସଂପ୍ରସାରଣ ଘଟିବାରେ ଲାଗିବା ସହିତ ତା’ର ଉଦରର ଚର୍ମତଳେ ଖୁବ୍ ଛୋଟଛୋଟ କଳାବିନ୍ଦୁ ମଧ୍ୟ ଠାଏଠାଏ ଦେଖିବାକୁ ପାଏ । ତା’ର ମୁହଁର ଚମଡାରେ ମଧ୍ୟ ପରିବର୍ତ୍ତନ ବାରି ହୋଇପଡେ । ଏମିତି ବି ତା’ ହାତର ନଖ ଗୁଡିକ ପୂର୍ବାପେକ୍ଷା ଅଧିକ ଜୋରରେ ବଢିବାରେ ଲାଗେ । ତା’ ବକ୍ଷୋଜ ଉପରେ ଶିରା ଗୁଡିକ ଖୁବ୍ ସୁନ୍ଦର ଭାବରେ ଦୃଶ୍ୟମାନ ହେଉଥାନ୍ତି । ଏ ସବୁ ପରିବର୍ତ୍ତନକୁ ସେ ସନାତନ ସହିତ ଆଲେଚନା କରେ । ଅନେକ ମୁହୁର୍ତ୍ତରେ ସନାତନ ଏ ସବୁ ପରିବର୍ତ୍ତନକୁ ନିଜ ହାତରେ ପରଖି ନିଜର କାମିକ ଆଚରଣକୁ ପୂରଣ କରିବା ସହିତ ସତ୍ତ୍ୱରୀମା ମନରେ ଭରିଦିଏ ସାହାସ । ଏ ସବୁ ପରିବର୍ତ୍ତନର କାରଣ ଓ ଏହାର କିପରି ଆପେ ଆପେ ନିଦାନ, ଏ ଶରୀର ଭରି ରଖିଛି ତାହା ପ୍ରାଞ୍ଜଳ ଭାବରେ ବୁଝାଇଦିଏ । 
      ଏ ସବୁ ପରିବର୍ତ୍ତନ ସହିତ ସନାତନ କିନ୍ତୁ ସତ୍ତ୍ୱରୀମାର ଶାରିରୀକ ସୁସ୍ଥତାକୁ ତୀକ୍ଷ୍ଣ ଭାବରେ ନଜର କରିଥାଏ । ସେ ଜାଣେ ଯଦି ଗର୍ଭ ସମୟରେ ସତ୍ତ୍ୱରୀମା କୌଣସି ଦୂରାରୋଗରେ ପିଡୀତ ହୁଏ ତାହାହେଲେ ତା’ର ସବୁ ସ୍ୱପ୍ନ ପାଣିରେ ମିଳେଇଯିବ । ଅନ୍ତସତ୍ତ୍ୱାବସ୍ଥାରେ ନାରୀର ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରକୃତି ଯଥେଷ୍ଟ ଅଧିକ କରିଦେଇଥାଏ ସତ ହେଲେ ତା’ପରେ ବି ସମସ୍ତ ପ୍ରକାର ପ୍ରତିକାର ନେବା ନିହାତି ଆବଶ୍ୟକ । ଅନ୍ୟ ସହିତ ଖାଇବାକୁ ତାକୁ ବାରଣ କରିବା, ଅନ୍ୟର ଅଇଁଠା ଖାଇବାକୁ ନଦେବା, ଅନ୍ୟର କଂସା ବାସନରେ ନଖାଇବା, ଖାଇବା ପୂର୍ବରୁ ନିଜ ହାତକୁ ସାବୁନରେ ଧୋଇବା ଓ ଏକ ସ୍ୱତନ୍ତ୍ର ପାଇଖାନ ଓ ଶୌଚାଳୟ ସେ ବ୍ୟବହାର କରିବା ଆଦିକୁ ନିହାତି ପାଳିବା ଦରକାର । 
      ଏସବୁ ବାରଣରେ ସତ୍ତ୍ୱରୀମା ସେତେ ଖୁସି ଅନୁଭବ କରେନି ମାତ୍ର ସ୍ୱାମୀ ସନାତନର ଖୁସି ଓ ନିଜ ସନ୍ତାନର ମଙ୍ଗଳ ପାଇଁ ସେ ନିଦ୍ୱର୍ନ୍ଦରେ ଏ ସବୁ କରିଚାଲେ । ତାକୁ ଏଭଳି ଏକୁଟିଆ ଜୀବନ ବିତେଇବାଟା ଆଦ୍ୟୈ ପିଲାଦିନରୁ ହିଁ ଭଲ ଲାଗେନି । ହସଖୁସିରେ ଓ ଅନ୍ୟକୁ ସ୍ନେହଶ୍ରଦ୍ଧା ବାଣ୍ଟିବାରେ ତା’ର ଜୀବନ ଗଢା । ସାଥୀ ହୋଇ ଖାଇଲେ ଯେଉଁ ଆନନ୍ଦ ଏକୁଟିଆ ଭୋଜନରେ ତାହା ଆଦ୍ୟୈ ନାହିଁ ସେ ଭଲ ଭାବରେ ଜାଣେ । ତଥାପି ବିଜ୍ଞାନର ଚଉଫାଶରେ ସେ ଆଜି ବନ୍ଦୀ କିନ୍ତୁ ଏସବୁ ଗ୍ରହଣ କରିନେଇ ଖୁସିରେ ସମୟ କାଟିବାକୁ ଚେଷ୍ଟା କରେ । 
       ସନାତନ ଏକଥା ଜାଣେଯେ ଅନେକ ଭେଷଜ ବୈଜ୍ଞାନିକଙ୍କର ଅନୁସନ୍ଧାନ କହେ ପିଲାଟି    ିମା’ଜଠରରେ ଥିବା ଅବସ୍ଥାରେ ମଧ୍ୟ କେତେକ ସ୍ଥଳେ ପିଲା ଭିତରେ କୃମି ଦେଖା ଯାଇ ଥାନ୍ତି । ଏ କି ଆଶ୍ଚର୍ଯ୍ୟ କ୍ରିୟା ସେ ଆଜି ପର୍ଯ୍ୟନ୍ତ ବି ବୁଝି ପାରେନି । ଜୀବାଣୁ, ବୀଜାଣୁ, ଡିମ୍ବାଣୁ ଓ ଭୁତାଣୁ ରହିତ ଗର୍ଭ ଜଳରେ କର୍ମଜ ଥିବା ଶିଶୁର ଅନ୍ତଃନାଡି ଭିତରେ କେଉଁ ପଟେ କୃମି ପ୍ରବେଶ କରେ  ଓ ତାହା କିପରି ନିଜକୁ ବଞ୍ଚାଇ ରଖେ ଏହା ଆଜି ମଧ୍ୟ ତାକୁ ଆଚମ୍ବିିତ କରେ । ପୁନଶ୍ଚ ମା’ଶରୀରରୁ କୌଣସି ମାଧ୍ୟମରେ ହିଁ ସୁସ୍ଥ ସମୟରେ ଅପରିଷ୍କାର ରକ୍ତ ଶିଶୁ ଶରୀରକୁ ପ୍ରବେଶ କରିବାର ବାଟ ହିଁ ନଥାଏ ତଥାପି ଗର୍ଭସ୍ଥ ଶିଶୁର ଅନ୍ତନାଡିରେ ମିଳେ ଅନ୍ୟ କେତେକ ଜୀବନ । ସମୟେ ସମୟେ ସେ ମଧ୍ୟ ନିଜ ବିଶ୍ଳେଷଣ କରି ଏହି ଉପସଂହାରରେ ପହଞ୍ଚେ ଯେ ଏ ମଣିଷ ପ୍ରତିମୁହୁର୍ତ୍ତର ଗର୍ଭସ୍ଥ ଶିଶୁର ପରିବର୍ତ୍ତନକୁ ଆଜି ପର୍ଯ୍ୟନ୍ତ ବୋଧହୁଏ ରେକର୍ଡ କରି ପାରିନାହିଁ । 
      କେଉଁ ଗୋଟିଏ ମୁହୁର୍ତ୍ତରେ ଯଦି ମା’ ଶରୀରର ଗର୍ଭାଶୟର ଫୁଲେଦଇ ଗର୍ଭଥଳୀର ତରଳ ସଂକ୍ରମିତ ହୋଇଯାଇ ପୁଣି ପରକ୍ଷଣକୁ ମା’ର ରୋଗ ପ୍ରତିରୋଧକ ଶକ୍ତି ସେହି ସୃଷ୍ଟ ସଂକ୍ରମିତ ତରଳକୁ ତତକ୍ଷଣାତ୍ ବିଶୁଦ୍ଧ କରି ଦେଇଥାଏ ତାହାତ ଏ ମଣିଷର ଅଜ୍ଞାତରେ ହିଁ ସଂଘଟିତ ହୋଇଥାଏ ନା? ତେଣୁ ସେହି ଗୋଟିଏ ମୁହୁର୍ତ୍ତ ଯେ ଗର୍ଭସ୍ଥ ଶିଶୁର ଉଦରରେ କାହିଁକି ନୂତନ ଜୀବନ ସୃଷ୍ଟି କରିପାରିବ ନାହିଁ? ଏ ସବୁକିଛି ସମ୍ଭବ । ବିଜ୍ଞାନର ହାତ ବୋଧହୁଏ ଏତେ ସୂକ୍ଷ୍ମତା ଓ ଏତେ କ୍ଷୁଦ୍ର ସମୟର ଅନ୍ତରାଳକୁ ବିଶ୍ଳେଷଣ କରିନାହିଁ ।
      ଜଣେ ବିଶିଷ୍ଟ ବୈଜ୍ଞାନିକର ଚିନ୍ତାଧାରାରେ ଆଜି ସତେଯେମିତି ନୀରବ ଦ୍ରଷ୍ଟା ଭାବରେ ଏଭଳି ବିରଳତାକୁ ହୃଦୟର ସହ ଗ୍ରହଣ କରିନିଏ । ତା’ର ମନେପଡେ ସତ୍ତ୍ୱରୀମାର ଆଧ୍ୟାତ୍ମବାଦର କଥା । ସେ କୁହେ ମାତୃଗର୍ଭରେ ବଢୁଥିବା ସନ୍ତାନକୁ ଅନେକ ସମୟରେ ସେ ପୁତିଗନ୍ଧ ମୟ ପରିବେଶରେ କୃମି ଦଂଶନ କରିଥାନ୍ତି । ଏହାକୁ ସେ ପୁରାମାତ୍ରାରେ ଗ୍ରହଣ କରିପାରୁ ନଥିଲେ ମଧ୍ୟ ଅସ୍ୱୀକାର କରିବାକୁ ତା’ର ଅନ୍ତର ଆତ୍ମା ତାକୁ ମନା କରେ । 
     ମୁଁ କିନ୍ତୁ ସତ୍ତ୍ୱରୀମା ଓ ସନାତନର ଭାବନା ପରିସରରୁ ନିଜକୁ ମୁକ୍ତ ରଖି ଚାଲିଥାଏ । ଦୁଇଜଣଙ୍କର ଚିନ୍ତା ସମଦର୍ଶୀ ବିଚାରଧାର ଉପରେ ପର୍ଯର୍ବେଶିତ । ତେଣୁ ସେମାନଙ୍କ ଭାବନାରେ ମୁଁ ସେତେ ବ୍ୟତିବ୍ୟସ୍ତ ହେଉ ନଥାଏ ।  

*******

ଦ୍ୱାଦଶ ପକ୍ଷ

      ତେଇଶି ସପ୍ତାହର ଆଦ୍ୟ ଅବସ୍ଥା ବେଳକୁ ମୋ ସ୍ଥିତ ଶରୀରର ବିକାଶରେ ପ୍ରାୟ ପରିପୂର୍ଣ୍ଣତା ଆସି ସାରିଥିବାରୁ ମୋ ସ୍ଥିତ କାୟା ବର୍ତ୍ତମାନ ପ୍ରାୟ ସମସ୍ତ ଭାବଗତ କ୍ରିୟା ପ୍ରକ୍ରିୟାର ପରିପ୍ରକାଶ କରିବାରେ ଲାଗିଥାଏ । ମସ୍ତିଷ୍କର ବିଶ୍ଳେଷଣାତ୍ମକ ଓ ସଂଶ୍ଳେଷଣାତ୍ମକ କ୍ଷମତା କ୍ରମାଗତ ଭାବରେ ବଢିବାରେ ଲାଗିଥାଏ ଯାହାର ପରିଣାମ ସ୍ୱରୂପ ଏ ଶରୀର ପାଇଁ ଆରାମଦାୟକ ଅବା କ୍ଳିଷ୍ଟଦାୟକ ଅବସ୍ଥାକୁ  ପୁରାପୁରି ଭାବରେ ଅନୁଭବ କରିପାରୁଥାଏ । ମୁଁ ଏକଥା ଜାଣେ ପିତାମାତାଙ୍କ ମିଳନ ମୁହୁର୍ତ୍ତରେ ଜୀବର କର୍ମ, ଭାଗ୍ୟ ଓ ଭବିଷ୍ୟତ ସବୁକିଛି ସ୍ଥିରୀକୃତ ହୋଇଥିଲେ ସୁଦ୍ଧା ଏହି ଗର୍ଭ ମଧ୍ୟରେ ଶରୀର ସ୍ଥିତ ଅବସ୍ଥାରେ ମୋ ମାଧ୍ୟମ ଅର୍ଥାତ ମୋ ମା’ର କର୍ମ, ବିଶ୍ୱାସ ଓ ଭାବନା ଏହାକୁ ଅନେକାଶଂରେ ପ୍ରଭାବିତ ଓ ପରିବର୍ତ୍ତିତ କରିପାରେ । ଏ ସୂକ୍ଷ୍ମ ଶରୀରର ସମ୍ପର୍କ ମା’ ସହିତ ଏପରି ସଂଗଠିତ ତାହାର କଳ୍ପନାବି କରାଯାଇ ପାରେନା । ମା’ ଗର୍ଭ ସହିତ ସଂଲଗ୍ନ ନାଭିନାଡାଯେ କେବଳ ମୋ ସ୍ଥିତ ଶରୀରକୁ ଖାଦ୍ୟ ଓ ଶକ୍ତି ଯୋଗାଉଥାଏ ଆଉ ଗର୍ଭଥଳୀ ଭିତର ଗର୍ଭଜଳଯେ ମୋର ବାସ ସ୍ଥାନରେ ସିମୀତ ତାହା ନୁହେଁ ବରଂ ମୋ ମା’ର ସମସ୍ତ  ଭାବଗତ କ୍ରିୟା ପ୍ରତିକ୍ରିୟାର ବୈଦୁତିକ ତରଙ୍ଗ ସେ ନାଭିନାଡା ଓ ଗର୍ଭଜଳ ଦେଇ ମୋ ସ୍ଥିତ ଶରୀରକୁ ପ୍ରବାହିତ ହୋଇଥାଏ । 
      ମା’ର ବିଷାଦ ମନରେ ମୋ ସ୍ଥିତ ଶରୀର ବିରସ ଭାବ ଅନୁଭବ କରେ । ମୋ ମା’ର ଖୁସି ଓ ଆନନ୍ଦରେ ମୋ ଶରୀର ଚଳଚଞ୍ଚଳ ହୋଇ ଉଠେ । ମା’ର କ୍ରୋଧରେ ମୋ ସ୍ଥିତ ଶରୀର ବି କ୍ରୋଧର ଶିକଞ୍ଜାରେ ପଡିଯାଏ । ଏ କି ବିଚିତ୍ର ବ୍ରହ୍ମାଣ୍ଡ । ଅଦୃଶ୍ୟ ସୂକ୍ଷ୍ମ ତରଙ୍ଗ ଏ ସମସ୍ତ ଆବେଗକୁଏତେ ସୂକ୍ଷ୍ମ ଭାବରେ ମୋ ସ୍ଥିତ କାୟା ଓ ମୋ ମା’ର କାୟା ମଧ୍ୟରେ ପ୍ରତି ନିମିଷରେ ସମ୍ପର୍କ ସ୍ଥାପନ କରୁଥାନ୍ତି ତାହା ଅପରିମିତ । ତୁମେ ଜାଣିଲେ ଆଶ୍ଚର୍ଯ୍ୟ ହେବ, ଏହି ସମୟରେ ହିଁ ମୋ ମା’ର ଭାବନା ମୋ’ଶରୀରର ଭବିଷ୍ୟତର ଭାବନାକୁ ପରିପୁଷ୍ଟ କରେ । ଯଦି ମା’ଏହି ସସତ୍ୱା ସମୟରେ ତା’ର ଶିଶୁ ବଡହେଲେ ଜଣେ ଚିତ୍ରକର ହେବ ବୋଲି ସଦା ସର୍ବଦା ସ୍ୱପ୍ନ ଓ ଚିନ୍ତାରେ ଭାବିବସେ ତେବେ ନିଶ୍ଚିତ ରୂପେ ଜନ୍ମ ପରେ ସେ ଶିଶୁର ସ୍ୱପ୍ନ ଓ କର୍ମ ସେହି ଦିଗରେ ପରିଚାଳିତ ହୋଇଥାଏ । ଅପତ୍ୟଦା ସମୟରେ ମା’ର ଜୀବନ ଯଦି ପବିତ୍ର, ଶୁଦ୍ଧ, ଭକ୍ତିପୁତ, ନିଷ୍କପଟ, ନିରଳସ ଓ କର୍ମଠ ହୁଏ ତେବେ ଶିଶୁ ଜନ୍ମ ପରେ ସେ ସମସ୍ତ ଗୁଣମାନଙ୍କର ଅବିକଳ ନକଲ ପରିପ୍ରକାଶ କରେ । ତା’ର ଜୀବନ ସେହିପରି ଗଢି ହୋଇଯାଏ । ଅନ୍ତଃସତ୍ୱା ସମୟରେ ଯଦି ମା’ କେବେ କ୍ରୋଧର ବଶବର୍ତ୍ତୀ ହୁଏ ନାହିଁ କିମ୍ବା ରୋଗଗ୍ରସ୍ତ ହୁଏ ନାହିଁ ଜନ୍ମିତ ସନ୍ତାନ ମଧ୍ୟ ତା’ ଜୀବନରେ କ୍ରୋଧ ରହିତ ଓ ନୀରୋଗ ହେବାର ସମ୍ଭାବନା ଯଥେଷ୍ଟ ବଢିଯାଏ । ସବୁଠାରୁ ମୁଁ ମଧ୍ୟ ଏଠାରେ ନିଜକୁ ଏତେ ଭାଗ୍ୟଶାଳୀ ମନେ କରୁଥାଏ ଏଇଥିପାଇଁ ଯେ, ଏ ସମସ୍ତ ଜ୍ଞାନକୁ ସନାତନ ସହିତ ସତ୍ତ୍ୱରୀମା ଜାଣେ । 
      ଦୀର୍ଘ ଛଅ ମାସ ଧରି ମୋର ଏ ଯାତ୍ରା ଆଜି କ୍ରମଜ, ହେଲେ ମୁଁ କେବେ ଏ ରାଜବଂଶର ଏ ସୁଖୀ ପରିବାର ଭିତରେ କଳି, ଝଗଡା, ଅଶାନ୍ତି, ଅସୁଖର ବାତାବରଣ ଅଙ୍ଗେ ନିଭେଇ ନାହିଁ । ମୋ ପିତା ମାତା ଓ ପରିବାର ସଦସ୍ୟଙ୍କ ତରଫରୁ କେବେ ମୁଁ ଅନୁଭବ କରିନି ମାନସିକ ଅବସାଦ । ପ୍ରାଚୁର୍ଯ୍ୟରେ ଭରା ଏ ପରିବାରର ପ୍ରତ୍ୟେକ ସଦସ୍ୟ ଜ୍ଞାନ ଗାରୀମାରେ ପରିପୂର୍ଣ୍ଣ ଯାହା ମୋତେ ଆହୁରି ଆନନ୍ଦ ଦେବା ସହିତ ମୋ ଶେଷ ଯାତ୍ରାକୁ ଆହୁରି ସୁଗମ କରି ଚାଲିଥାଏ । ସନାତନ ଏ ସମସ୍ତ କଥାକୁ ଜାଣି କେବେ ହେଲେ ସତ୍ତ୍ୱରୀମା ମନ ଓ ଶରୀରକୁ ପୀଡା ଦେବାକୁ ଚେଷ୍ଟା କରିନି । ପ୍ରତି ମୁହୁର୍ତ୍ତରେ ବାଣ୍ଟି ଚାଲିଛି ତା’ ସହିତ ସ୍ନେହ, ମମତା ଓ ପ୍ରିତୀ । ଘର ଭିତରେ ବଚନ ଠାରୁ ଆରମ୍ଭ କରି ଅଭ୍ୟାହାର ସବୁଥିରେ ସାତ୍ତ୍ୱିକ ଆଚରଣ । ସତ୍ୟ, ଶାନ୍ତି, ଦୟା ଓ କ୍ଷମାରେ ଭରପୁର ପ୍ରତ୍ୟେକ ଜୀବନର ଜୀବନଚର୍ଯ୍ୟା । 
      ଏ ସମସ୍ତ ଅସୁମାରି ଆନନ୍ଦ ଭିତରେ ମୋ ଘଟର ପୀଡା ସମୟେ ସମୟେ ଲାଘବ ଲାଗୁଥିଲେ ବି ଯୋନିଜନ୍ମର ସେ ନର୍କ ଯନ୍ତ୍ରଣାରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବାଟା ଅସମ୍ଭବ ତାହା ମୁଁ ଜାଣି ସାରିଥାଏ । ଏହା ମୋତେ ଚିନ୍ତା କରିବାକୁ ବାଧ୍ୟ କରେ ଯେ ବୋଧହୁଏ ଏ ମାତୃଗର୍ଭର ଜୀବନ ଏକ ପରିପୂ୍‌ର୍ଣ  ଓ ସ୍ୱଂୟ ସମ୍ପୂର୍ଣ୍ଣ ଜୀବନ ଯାହାର ସ୍ୱତନ୍ତ୍ରତା ହିଁ ଏହା ପ୍ରତିପାଦନ କରେ ।
      ତ୍ରୟବିଂଶ ସପ୍ତାହର ଆରମ୍ଭ ବେଳକୁ ମୋ ସ୍ଥିତ କଳେବରର ଲମ୍ବପ୍ରାୟ ଏଗାର ଇଞ୍ଚ୍ ହୋଇ ଯାଇଥାଏ ଓ ଓଜନ ପାଖାପାଖି ଅଧ କିଲୋଗ୍ରାମ୍ । ମୋର ଶରୀର ଗୋଟିଏ ବଡ ଆମ୍ବର ଆକାର ପରି ଦିଶୁଥାଏ । ସବୁଠାରୁ ବ୍ୟଗ୍ରତାର କଥା ହେଉଛି ମୋ ସ୍ଥିତ ଶରୀର ବର୍ତ୍ତମାନ ତା’ର ଯନ୍ତ୍ରଣା ଲାଘବ ପାଇଁ ଜଳକ୍ରୀଡା ଆରମ୍ଭ କରି ସାରି ଥାଏ । ମା’ଗର୍ଭଥଳୀ ଭିତରେ ମୋ ସ୍ଥିତ ଶରୀର ଶର୍ଦ୍ଧ କରିବା, ଆଗପଛ ହେବା ଓ ସମୟେ ସମୟେ ଘୁରିିବା ଆରମ୍ଭ କରିଦେଇ ଥାଏ । ଏମିତିକା ବି ମୋ ସ୍ଥିତ ଶରୀର ମା’ ଶରୀରର ବାହ୍ୟ ପରିବେଶରେ ଯଦି କୌଣସି ଅରୁଚିକର ଅବା ଭୟଙ୍କର ଶଦ୍ଦ ଶୁଣିବାକୁ ପାଏ ଇତସ୍ତତ ଓ ଭୟଭୀତ ହୋଇପଡେ । ସେପରି ଶଦ୍ଦରେ ଆଭ୍ୟନ୍ତର ଗର୍ଭପୀଡା ସହିତ ବାହ୍ୟଜଗତ ତାକୁ ପୀଡା ପ୍ରଦାନ କରେ ଯେଉଁଥିରେ ସେ ଆହୁରି ଦୁଃଖୀ ହୋଇପଡେ । ପ୍ରକୃତି ତା’ର ପ୍ରାକୃତିକ ସଂରଚନାରେ ଜୀବନର ସର୍ଜ୍ଜନା ପାଇଁ କଣ କେବଳ କଷ୍ଟ ଲେଖିଥାଏ ନା କଣ । ଏମିତି କହିବାଟା ଠିକ୍ ହେବନି । ଏହା ମଧ୍ୟ ଅନେକାଂଶରେ ଠିକ୍‌ଯେ ଅନେକ ସମୟରେ ଶିଶୁଟି ମା’ଗର୍ଭରେ ଅତି ଆରାମରେ ନିଦ୍ରା ଯାଇଥାଏ । ସେହି ଶୟନ ମୁହୁର୍ତ୍ତରେ ଶାରିରୀକ ଯନ୍ତ୍ରଣା ତାକୁ ସ୍ପର୍ଶ କରିପାରି ନଥାଏ । ଅର୍ଥାତ ଅବଚେତନ ଅବସ୍ଥାରେ ଶିଶୁ ମା’ ଗର୍ଭରେ କ୍ଳିଷ୍ଟ ରହିତ ଅବସ୍ଥା ଓ ଶାନ୍ତିରେ ଥାଏ । ଖୁବ୍ କମ ସମୟ ଚେତନ ଅବସ୍ଥାରେ ସେ ଖୁସି ଅନୁଭବ କରୁଥିଲେ ସୁଦ୍ଧା ମୁଁ କିନ୍ତୁ ଅହରହ ପୀଡାର ଭୋଗୀ ଥାଏ ଏହାର ମୂଳକାରଣ ମୋର ସେ ପରମାତ୍ମା ମିଳନର ଆସକ୍ତି । 
      ସେହି ପରମବ୍ରହ୍ମରେ ଲୀନ ହେବାର ମୋର ବ୍ୟସ୍ତତାଟା ମୋତେ ଆହୁରି ଅଧିକ ଉପତାପ  ପ୍ରଦାନ କରେ । ସତ୍ତ୍ୱରୀମା ବର୍ତ୍ତମାନ ତା’ର ଗର୍ଭଜନିତ ଯନ୍ତ୍ରଣା ଅନୁଭବ କରି ଚାଲିଥାଏ । ତା’ର ଗୋଡର ପାଦ ଓ କହୁଣୀ ଫୁଲିବା ପରି ପ୍ରତୀୟମାନ ହୁଏ । ଏ ସବୁରେ ସତ୍ତ୍ୱରୀମାକୁ ସନାତନର ଆଶ୍ୱାସନା ତା’ର ମନକୁ ହାଲୁକା କରିଦେଉଥାଏ । ସନାତନ ଜାଣେ ଏ ସମୟରେ ସତ୍ତ୍ୱରୀମା ଆବଶ୍ୟକ ଠାରୁ ଟିକେ ଅଧିକ ପାଣି ପିଇବା ଆବଶ୍ୟକ ଓ ନିଜକୁ ଅତି କମ୍ କାମରେ ଚଳଚଞ୍ଚଳ ଏମିତି ରଖିବା କଥା ଯେପରି ତା’ର ଏକ ନିର୍ଦ୍ଧିଷ୍ଟ ବ୍ୟାୟାମ ହେଲା ପରି ହେଉଥିବ । ଡାକ୍ତରଙ୍କ ପରାମର୍ଶ ମୁତାବକ ସମସ୍ତ ଲ୍ୟୈହବଟିକା ଓ ସମସ୍ତ ପ୍ରତିଶେଧକ ଟୀକା ଠିକ୍ ସମୟରେ ନେବା ନିହାତି ଆବଶ୍ୟକ । 
      ଏ ସବୁ ପାଇଁ ଖୁବ୍ ଯତ୍ନଶୀଳ ସନାତନ ଚିନ୍ତାକରେ ଆସନ୍ତା ସପ୍ତାହର ଶେଷଭାଗ ବେଳକୁ ଶିଶୁଟିର ଦୈର୍ଘ୍ୟ ପ୍ରାୟ ଏକ ଫୁଟ ହୋଇଯିବ ଓ ଏହାର ଓଜନ ପୂର୍ବ ସପ୍ତାହଠାରୁ ପ୍ରାୟ ଆହୁରି ପଚାଶ ଗ୍ରାମ୍ ବଢିଯିବ । ଶିଶୁଟିର ମସ୍ତିଷ୍କ ତୀବ୍ର ଭାବରେ ବିକଷିତ ହୋଇ ଚାଲିଥିବ ଓ ତା’ର ଶରୀରର ସମସ୍ତ ଅଂଶ ବର୍ତ୍ତମାନ ଗୋଟିଏ ସୁନ୍ଦର ମନୁଷ୍ୟର ସନ୍ତାନ ବୋଲି ପ୍ରତୀୟମାନ ହେବାକୁ ଲାଗିଥିବ । ଏହି ସପ୍ତାହରେ ଶିଶୁଟିର ଶ୍ୱାସନଳୀ ଗୁଡିକ ଯଥା ସ୍ଥାନରେ ବିକଶିତ ହେବାରେ ଏପରି ଲାଗିଥିବ ଯେମିତି ସେ ମା’ ଗର୍ଭ ପରିତ୍ୟାଗ କରି ଏ ମାଟି ଉପରେ ପଡିବା କ୍ଷଣି ତା’ର ଶ୍ୱାସକ୍ରିୟା ଆରମ୍ଭ ହୋଇଯିବ । ଏହି ସମୟରେ ମା’ କୁକ୍ଷିର ଅଗ୍ରଭାଗ କ୍ରମ ବର୍ଦ୍ଧିଷ୍ଣ ଭାବରେ ମା’ର ନାଭି ବିନ୍ଦୁ ପର୍ଯ୍ୟନ୍ତ ଛୁଇଁ ଚାଲିବ ଏବଂ ଏହାର ଆୟତନ ପ୍ରାୟ ଗୋଟିଏ ଫୁଟବଲ୍ ପରି ହୋଇ ସାରିଥିବ । ଏହି ସପ୍ତାହରେ ସତ୍ତ୍ୱରୀମାର ସମସ୍ତ ଧାରାବାହିକ ଡାକ୍ତରୀ ପରୀକ୍ଷା ଗୁଡିକ କରିବା ନିହାତି ଜରୁରୀ । ରକ୍ତ ଚାପ, ମଧୁମେହ ଇତ୍ୟାଦି ରୋଗ ସତ୍ତ୍ୱରୀମାକୁ ସ୍ପର୍ଶ କରିନିତ ନଚେତ୍ ଏହା ଶିଶୁଟିର ବିକାଶରେ ବାଧା ସୃଷ୍ଟି କରିବ । 
      ଏହି ଛଅ ମାସର ଯାତ୍ରା ଯେ ପ୍ରତି ମୂହୁର୍ତ୍ତରେ ଏକ ଅନିଶ୍ଚିତତା ସହିତ ଗତି କରୁଥାଏ ତାହା ମୋତେ ଜଣାଥାଏ । ମନୁଷ୍ୟ ଜୀବନର କ୍ଷଣ ଭଙ୍ଗୁରତା ଏହି ଜରାୟୁ ଭିତରେ ପ୍ରତିମୂହୁର୍ତ୍ତରେ ମୋ ସହିତ ସଂସ୍ଳିଷ୍ଟ ଥାଏ । ପ୍ରାକୃତିକ ଅବା ଅପ୍ରାକୃତିକ ଘଟଣା ବା ଦୁର୍ଘଟଣା ଘଟିବା ମାତ୍ରେ ମୋ ସ୍ଥିତ ଶରୀର ମୃତ ଅବସ୍ଥାକୁ ପରିବର୍ତ୍ତିତ ହୋଇପାରେ । ଅନ୍ୟ ଅର୍ଥରେ ସତ୍ତ୍ୱରୀମାର ଗର୍ଭ ନଷ୍ଟ ହୋଇଯାଇ ପାରେ । ଏସବୁ ଘଟଣା ଦୁର୍ଘଟଣା ମାନଙ୍କ ମଧ୍ୟରେ ପ୍ରଥମତଃ ସତ୍ତ୍ୱରୀମାର ଭୟ, ଦ୍ୱିତୀୟତ ତା’ର ଉଦରରେ ଅବା ଶରୀରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ ଭୟଙ୍କର ଆଘାତ ଓ ରୋଗଗ୍ରସ୍ତ ଅବସ୍ଥା । ପ୍ରଥମ ଘଟଣାଟି ସାଧାରଣ ଓ ସହଜ ଘଟଣା । 
      ନାରୀ ଦ୍ୱିହୃଦୟା ସମୟରେ ତା’ର ମନ ମାତୃତ୍ୱର ଆନନ୍ଦରେ ଯେତିକି ବିହରୁଥାଏ  ଗର୍ଭଜନିତ ଭୟ ତା’ ତୁଳନାରେ କମ୍ ପରିମାଣର ରହିଥାଏ । ସେଥିପାଇଁ ଗର୍ଭ ସମୟରେ ସେ ସାଧାରଣତଃ ନିଜ ସ୍ୱାମୀର ପାଖେ ପାଖେ ରହିବାକୁ ବେସି ପସନ୍ଦ କରିବା ସହିତ ସ୍ୱାମୀର ତା’ପ୍ରତି ସ୍ନେହ ସେ ଆବଶ୍ୟକ କରେ । ଏ ଦୁଇଟିର ଅନୁପସ୍ଥିତିରେ ଅନ୍ତସତ୍ତ୍ୱା ପାଖରେ ଭୟଜାତର ସମ୍ଭାବନା ଖୁବ୍ ବଢିଯାଏ । ରାତ୍ରିର ଅନ୍ଧକାରରେ କ୍ୟୈଣସି ନୂତନ ଶଦ୍ଦ ଅବା ଭୂତର ଭୟରେ ଭୟଭିତ ହୋଇଗଲେ ଜରାୟୁର ସେ ସୂକ୍ଷ୍ମ ଅଳିନ୍ଦ ଭିତରେ ଥିବା ଶିଶୁ ନଷ୍ଟ ହୋଇ ଯାଇପାରେ । ତା’ର ମୂଖ୍ୟ କାରଣ ଶିଶୁଟି ମା’ର ସେ ଭୟ ସହିତ ନିଜର ଜୀବନକୁ ହରେଇ ବସେ । ନାଭିନାଡା ଓ ଗର୍ଭଜଳର ସେ ସୂକ୍ଷ୍ମ ବୈଦ୍ୟୁତିକ ତରଙ୍ଗ ଦେଇ ମା‘ର ଭୟ ଏତେ କ୍ଷିପ୍ର ବେଗରେ ଶିଶୁର ମସ୍ତିଷ୍କ ଭିତରେ ପ୍ରବେଶ କରେ ଯେ ତା’ର ପ୍ରାଣବାୟୁ ଅର୍ଥାତ ମୁଁ ମଧ୍ୟ ତା’ ଭିତରେ ଆଉ ରହି ପାରେନା । ମୁଁ ସେ ସ୍ଥାନ ପରିତ୍ୟାଗ କରିବାକୁ ବାଧ୍ୟ ହୋଇଯାଏ ।
       ମୁଁ ସିନା ମୋର ପ୍ରକୃତିରେ ଭୟରହିତ କିନ୍ତୁ ମାୟାଚ୍ଛନ୍ନ ସଂସାର ଭିତରେ ମାୟା ଆବୃତ ଜଠରରେ ମୋ’ର ସ୍ଥିତ ଶରୀର ମାୟା ସଂସାରର ମାୟା ମରିଚିକାରେ ଏପରି ଶିକ୍ତ ଥାଏ ଯେ ସେ ଏ ମାନବିକ ପ୍ରତିକ୍ରିୟାରୁ ବାଦ ପଡିପାରେ ନାହିଁ । ଏ ବିଶ୍ୱ ପ୍ରପଞ୍ଚର ମାୟା ମରିଚିକାରେ ସେ କ୍ଷଣିକ ଭୟର କରାଗ୍ରତ ହୋଇ ସେ ଘଟ ପରିତ୍ୟାଗ କରିବସେ । ଜରାୟୁରେ ସ୍ଥୂଳଘଟ ସେପରି ମୃତ ଅବସ୍ଥାରେ ପଡିରହେ । ଏ ଭୟଭିତ ହେବା ଅବସ୍ଥାଟି ଅନ୍ତସତ୍ତ୍ୱା ନାରୀ ସହିତ ଗର୍ଭ ସଂଚାର ହେବାର ଠିକ୍ ତିନି ମାସ ପରଠାରୁ ଲାଗି ରହିଥାଏ । ଏଭଳି ଭୟଭିତ ହେବାଟା ଯେ ସମସ୍ତଙ୍କ ଗର୍ଭ ସମୟରେ ଘଟେ ତାହା ଆଦ୍ୟୈ ଠିକ୍ ନୁହେଁ ମାତ୍ର କେତେକଙ୍କ କ୍ଷେତ୍ରରେ ଘଟିଥାଏ । ଏକଥା ତୁମେ ମନେ ରଖିବା କଥା ଯେ ଆତ୍ମାର ଯାତ୍ରା ଅନ୍ତସତ୍ତ୍ୱା ନାରୀର ଆବେଗିକ କ୍ରିୟା ପ୍ରତିକ୍ରିୟା ସହିତ ଅତି ନୀରନ୍ଧ୍ର ଭାବରେ ସଂପର୍କିତ । ନାରୀର ଆବେଗିକ ପରିପ୍ରକାଶ ମାନଙ୍କ ମଧ୍ୟରୁ ଯଦି କୌଣସିଟିର ପରିମାଣ ତା‘ର ସୀମାରେଖା ଡେଇଁଯାଏ ତେବେ ଗର୍ଭରେ ବଢୁଥିବା ସନ୍ତାନର ସ୍ଥୂଳ ଶରୀର ତାକୁ ବରଦାସ୍ତ କରିପାରେନା ଆଉ ତା’ ଭିତରେ ସ୍ଥିତ ଜୀବାତ୍ମା କ୍ଷଣକେ ସେ ସ୍ଥାନ ପରିତ୍ୟାଗ କରେ । ତେଣୁ ମନୁଷ୍ୟ ଜୀବନରେ ଏ ଭାବଗତ ପରିପ୍ରକାଶ ଗୁଡିକର କେତେ ଯେ ଭୟଙ୍କର ପରିଣାମ ଥାଏ ତାହା ଏହି ଗର୍ଭାବସ୍ଥାରୁ ହିଁ ପ୍ରମାଣିତ । ଏମିତିତ ମାନବ ସମାଜରେ ଏହା ଅନେକ ସମୟରେ ଓ ଅନେକ ପରିସ୍ଥିତିରେ ଦେଖିବାକୁ ମିଳେ । କ୍ରୋଧର ବଶବର୍ତ୍ତୀ ହୋଇ ଭାଇ ଭାଇକୁ, ସ୍ୱାମୀ ସ୍ତ୍ରୀକ, ପିତା ପୁତ୍ରକୁ ଅବା ପୁତ୍ର ତା’ର ପିତାକୁ ହତ୍ୟା କରି ଦେଇଥାଏ । 
      ଏହା ସହିତ କେତେକ ମାନବ ଭୟଙ୍କର ପରିସ୍ଥିତିରେ ଏତେ ଯେ ଭୟଭିତ ହୋଇ ପଡନ୍ତି କେତେକଙ୍କର ହୃଦ୍‌ଘାତ ହେବାର ଉଦାହରଣ ମାନ ଥିବା ବେଳେ ଅନ୍ୟ କେତେକ ମଣିଷ ନିଜର ମାନସିକ ସନ୍ତୁଳନ ହରାଇ ବସି ଅର୍ଦ୍ଧପାଗଳ ଅବା ପୁରାପାଗଳ ଅବସ୍ଥା ଧାରଣ କରି ନିଅନ୍ତି । ତେଣୁ ବିଶ୍ୱ ସଂସାରର ପାଣି ପବନରେ ବୃଦ୍ଧି ଓ ବିକାଶର ପ୍ରକ୍ରିୟାରେ ନିଜର ଶାରିରୀକ, ମାନସିକ ଓ ଆତ୍ମୀକ ବିକାଶ ସତ୍ତ୍ୱେ, ମନୁଷ୍ୟ ଏପରି ଅପରିଣାମଦର୍ଶୀ ଭାବଗତ ପ୍ରକ୍ରିୟାର ଯେତେବେଳେ ବଶବର୍ତ୍ତୀ ହୁଏ ନିଜର ବିବେକ ବୁଦ୍ଧି ହରେଇ ବସି ସେତେବେଳେ ଅନ୍ୟକୁ ଜୀବନରୁ ସମ୍ପୂର୍ଣ୍ଣ ନାଶ କରିବାକୁ ପଛାଏ ନାହିଁ ।  ସେ କ୍ଷେତ୍ରରେ ଏ ମାତୃଗର୍ଭରେ ବଢୁଥିବା କ୍ଷୁଦ୍ର ତନୁଟି ଯାହା ଜୀବନର ଆଦ୍ୟାବସ୍ଥାରେ ଦଣ୍ଡାୟମାନ ସେଭଳି ଭୟଙ୍କର ଭାବଗତ ପରିପ୍ରକାଶକୁ ସମ୍ଭାଳି ପାରିବ ବା କେମିତି? ତେଣୁ ଗର୍ଭ ସମୟରେ ଯଦି ଗର୍ଭବତୀ ନାରୀଟି କୌଣସି ଭୟଙ୍କର ପରିସ୍ଥିତି, ଭୟଙ୍କର ଶଦ୍ଦ ଭୟଙ୍କର ଅବସ୍ଥା ଦେଇ ଗତିକରେ ତେବେ ତା’ର ଗର୍ଭନଷ୍ଟ ହେବାର ସମ୍ଭାବନା ଯଥେଷ୍ଟ ବଢି ଯାଇଥାଏ । ଏହି ସବୁ ଆବେଗିକ ପରିପ୍ରକାଶ ମଧ୍ୟ ମୋ ଯାତ୍ରାର କ୍ଷଣ ଭଙ୍ଗୁରତାକୁ ପ୍ରତି ମୁହୁର୍ତ୍ତରେ ଦୋହଦ ଭିତରେ ପ୍ରତିପାଦିତ କରୁଥାନ୍ତି ।
      ଯଦି ମା’ ଅନ୍ତସତ୍ତ୍ୱା ସମୟରେ ଭୟଭ୍ରାନ୍ତି ରହିତ ହୋଇ ଜୀବନଚର୍ଯ୍ୟା ନିର୍ବାହ କରେ ତେବେ ତା’ର ଉଦରସ୍ଥ ଶିଶୁ ମଧ୍ୟ ଜନ୍ମ ପରେ ଅନୁରୂପ ଆଚରଣ ପ୍ରଦାନ କରେ । ଯଦି ମା’ ସେ ସମୟରେ ଏ ଭବ ସଂସାରର ସୁୁଖ ଓ ଦୁଃଖକୁ ସମଭାବାପନ୍ନ ଭାବରେ ଗ୍ରହଣ କରିଚାଲେ ତେବେ ତା’ର ଶିଶୁ ମଧ୍ୟ ସ୍ଥିତପ୍ରଜ୍ଞର ଲକ୍ଷଣମାନ ସବୁ ଗ୍ରହଣ କରିଚାଲେ । ଅନେକାଂଶରେ ମା’ର ଭାବନା,  କଳ୍ପନା ଓ ସ୍ୱପ୍ନ ଶିଶୁର ଭବିଷ୍ୟତର ସ୍ୱରୂପ ନିର୍ଦ୍ଧାରଣ କରେ । ଏହି ସମୟରେ ଯଦି ମା’ କୌଣସି ବ୍ୟକ୍ତି, ପୁସ୍ତକ ଅବା ପରିସ୍ଥିତିର ଏକ ନିର୍ଦ୍ଧିଷ୍ଟ ବିଶେସତ୍ୱରେ ପ୍ରେରିତ ହୁଏ ତେବେ ତାହା ଜନ୍ମ ପରେ ଶିଶୁର ଚେତା ଓ ଚେତନାରେ ସେହି ପ୍ରେରଣାର ଛାପ ଦେଖିବାକୁ ମିଳେ । ଏଭଳି ତର୍କ ଯେ କେବଳ ଆଧ୍ୟାତ୍ମବାଦ ଉପରେ ପର୍ଯ୍ୟବେସିତ ତାହା ନୁହେଁ ଏହାକୁ ଆଧୁନିକ ବିଜ୍ଞାନମଧ୍ୟ ପ୍ରମାଣ କରିସାରିଛି । ଅନେକ ପିତା ମାତା ମଧ୍ୟ ଏହା ଅଙ୍ଗେ ଲିଭେଇ ସାରିଛନ୍ତି । ଯେଉଁ ଯେଉଁ ମୋ ସ୍ଥିତ ଶରୀର ପରିପକ୍ୱତା ଲାଭ କରିବାରେ ଲାଗିଥାଏ ମୁଁ ଏ ଭବର ମାୟା ମରିଚୀକାର ଫାନ୍ଦରେ ଏମିତି ଛନ୍ଦି ହୋଇ ଯାଉଥାଏ ଯେ ମୋର ସେ ଅଲ୍ୟୈକିକ ଶକ୍ତିକୁ ମୁଁ ଧୀରେ ଧୀରେ ହରେଇ ବସି ଚାଲିଥାଏ । ମୋ ଦୁଃଖ ସୁଖ ରହିତ ଓ ଯାତନା ଯନ୍ତ୍ରଣା ରହିତ ପ୍ରବୃତ୍ତିକୁ ମୁଁ ପୁରାପୁରି ଭାବରେ ହରେଇ ସାରିଲା ଭଳି ମୋତେ ଜ୍ଞାତ ହେବାର ଲାଗୁଥାଏ । ମୋ ସ୍ଥୁଳଘଟର ବୃଦ୍ଧି ସହିତ ଏ ମା’ ଜଠରର ଆବଦ୍ଧ ପରିସୀମା ଭିତରେ ନିଜର ସ୍ୱାଧୀନତାକୁ ଯେତେ ଖୋଜି ଚାଲିଲେ ମଧ୍ୟ ମିଳିବାର ସମ୍ଭାବନା ହିଁ ନଥାଏ । ଦିନ ଥିଲା ଯେତେବେଳେ ମୋ ଅଧିଷ୍ଠିତ ଶରୀର ଆକାର ମତ୍ସ୍ୟ ଭଳିଥିଲା ସେତେବେଳେ ତା’ର ଚଳନରେ ସେମିତି ବାଧା ଉପୁଜୁ ନଥିଲା । 
      ମାଛ ଭଳି ପହଁରି ପାରିବାର ସ୍ୱାଧୀନତା ତା’ପାଖରେ ଥିଲା ମାତ୍ର ସେତେବେଳକୁ ଏ ବର୍ଦ୍ଧିତ କାୟାକୁ ମାତୃଗର୍ଭର ସେ ଗର୍ଭଥଳୀ ଭିତରେ ସ୍ୱଚ୍ଛନ୍ଦରେ ବୁଲିବା ଖେଳିବା ନିଜ ମନ ମୁତାବକ ନିଜ ଶରୀରକୁ ଅବସ୍ଥିତି କରେଇବା ଏକ କଷ୍ଟକର ବ୍ୟାପାର ହୋଇ ଚାଲିଥାଏ । ଗର୍ଭଜଳର ପରିମାଣ ମୋ ଜୀବନେରଖା ପାଇଁ ଯଥେଷ୍ଟ ଥିଲେ ମଧ୍ୟ ମୋ ଶରୀରର ସ୍ୱାଧୀନ ବିଚରଣ ପାଇଁ ଏହା ଆଦ୍ୟୈ ଯଥେଷ୍ଟ ନଥାଏ । ଶରୀରର କଷ୍ଟରେ କଡ ଲେଉଟେଇବାରେ ଯେତିକି ବଳ ଖର୍ଚ୍ଚ କରିବାକୁ ପଡୁଥାଏ ବେଳେ ବେଳେ ସେ ସଂକୋଚିତ ସ୍ଥାନରେ ନିଜକୁ ଘେରେ ଘୁରେଇବାକୁ ହେଲେ ସେତିକି ପରିଶ୍ରମ କରିବାକୁ ପଡୁଥାଏ । ମୋ ମା’, ମୋ ସ୍ଥିତ ଶରୀର ଓ ମୋ ଭିତରେ ଏ କି ବିଚିତ୍ର ସର୍ମ୍ପକ ତାହା ମୁଁ ଭାବି ଭାବି ଚକିତ ହେଉଥାଏ । ମୋ ମା’ର ଆନନ୍ଦରେ ମୋ ଶରୀର ଚଳଚଞ୍ଚଳ ହୋଇଥିବା ସମୟରେ ମା’ର ଉଦାସରେ ମୋ ଶରୀର ମଧ୍ୟ ଉଦାସ ହେବାତ ମୁଁ ଆଗରୁ ଅନୁଭବ କରିସାରିଥାଏ ମାତ୍ର ସବୁଠାରୁ ଆଶ୍ଚର୍ଯ୍ୟ ମୋ ସ୍ଥିତ ଶରୀର ଯେତେବେଳେ ଏହି ଗର୍ଭଜଳ ଭିତରେ ଆକତାମାକତା ହୋଇ ନିଜ ଜୀବନକୁ ଭାର ମଣି ନିଜର ଅବସ୍ଥାନ ପରିବର୍ତ୍ତନ କରିବାକୁ ଚେଷ୍ଟା କରେ ମା’ ମନରେ କିନ୍ତୁ ଅସ୍ଫୁରନ୍ତ ଆନନ୍ଦ । 
      ମା’ ସେତେବେଳେ ମୋର ଗତି ଦେଖି ମନେମନେ ଉତ୍‌ଫୁଲିତ ହୋଇଉଠେ । ନିଜ ପେଟ ଉପରେ ନିଜର ହାତ ରଖି ଅବା ମୋ ଶରୀର ଗତିକୁ ଅନୁଭବ କରି ଭାବବିହ୍ୱଳ ହୋଇ ପଡେଯେ ମୋ ସନ୍ତାନ ମୋ ଗର୍ଭରେ ଅତି ଆନନ୍ଦରେ ଖେଳୁଛି । ମୋ ସ୍ଥିତ ଶରୀରର ସେହି କ୍ଳିଷ୍ଟପୂର୍ଣ୍ଣ ଅଭିବ୍ୟକ୍ତି ମୋ ଶରୀରକୁ ଓ ମୋତେ ଅଜସ୍ର  ଯନ୍ତ୍ରଣା ଦେଉଥିବା ସମୟରେ ମୋ ମା’ କୁ କିନ୍ତୁ ଅଗଣିତ ଆନନ୍ଦ ପ୍ରଦାନ କରୁଥାଏ । ଏ କି ବିସ୍ମୟପ୍ରଦ ନିୟମ ସେ ପରବ୍ରହ୍ମ ପରମାତ୍ମାଙ୍କର ମୁଁ ବି ବୁଝି ପାରୁନଥାଏ ।  ମୁଁ ଏତିକି ଯାଣିଥାଏ ଯେ ଏ ସଂସାରରେ ସୁଖ ଓ ଦୁଃଖ ଉଭୟଙ୍କର ପରିମାଣ ସମାନ । ଏ ମାନବ ଜାତି ଭିତରେ କେତେକ ତତ୍ତ୍ୱଦର୍ଶୀ ଏହା ଜାଣନ୍ତି । ମାତ୍ର ସମସ୍ତଙ୍କର ଏ ଯୁକ୍ତି ପ୍ରତି ହେତୁ ନଥାଏ । ଅନ୍ୟ ଅର୍ଥରେ ସୁଖ ଓ ଦୁଃଖ ଶକ୍ତିର ଦୁଇଟି ପ୍ରତିରୂପ । ସୁଖ ସମୟରେ    
ମନୁଷ୍ୟର ଖୁସି ତା’ ମନରେ ଏକ ଶକ୍ତି ସୃଷ୍ଟି କରୁଥିବା ସମୟରେ ଦୁଃଖ ସମୟରେ ମାନସିକ ବିଷାଦ ଦ୍ୱାରା ସେ କିଛି ଶକ୍ତି ହରେଇ ବସେ । ଏ ସୁଖ ଦୁଃଖ ଏପରି ଦୁଇଟି ଅବିକଳ ପ୍ରତିରୂପ ସେମାନଙ୍କର ଧର୍ମ ମଧ୍ୟ ଅତ୍ୟଦ୍ଭୁତ । ସୁଖ, ମାନବ ମାନଙ୍କ ମଧ୍ୟରେ ଅନେକ ପ୍ରତିକ୍ରିୟା ସୃଷ୍ଟି କରିପାରେ ଯଥା ହସ, ଖୁସି ଓ ଆନନ୍ଦ । ଏହାର ଆହୁରି ଏକ ମନୋଜ୍ଞ ଗୁଣ ହେଲା ଏହା ଆପେ ଆପେ ନିଜକୁ ପରିବର୍ଦ୍ଧିତ କରିପାରେ । ଜଣକର ଖୁସିରେ, ହସରେ ଓ ଆନନ୍ଦରେ ଅନେକ  ଅନୁରୂପ ଖୁସି, ହସ ଓ ଆନନ୍ଦ ଅନୁଭବ କରିଥାନ୍ତି । ଠିକ୍ ସେହିଭଳି ଦୁଃଖର ମଧ୍ୟ କର୍ତ୍ତୃତ୍ୱ ଅଛି । ଏହା ନିଜକୁ ଅନାୟାସେ ପରିବର୍ଦ୍ଧିତ ଓ ପରିବ୍ୟାପ୍ତ କରିପାରେ । ଜଣକର ଦୁଃଖରେ ବିରସ, ବିଷାଦ, ରୋଦନ ଭଳି କ୍ରିୟା ପ୍ରତିକ୍ରିୟା ମାନେ ସଂଘଟିତ ହୋଇ ଉଠନ୍ତି । 
      ଜଣକ ପାଖରେ ଏ ସମସ୍ତ କ୍ରିୟା ପ୍ରକ୍ରିୟା ମାନଙ୍କ ମଧ୍ୟରୁ ଗୋଟିଏ କ୍ରିୟା ସଂଗଠିତ ହେଲେ ତାହା ସ୍ୱଂୟକ୍ରିୟ ଭାବେ ଅନ୍ୟ କେତେକ ସମ୍ପର୍କିତ ମାନବ ମାନଙ୍କୁ ପ୍ରଭାବିତ କରେ ଓ ସେମାନେ ସେହି ଏକା ଭାବରେ ସେହି ଅବସ୍ଥାକୁ ଅନୁଭବ କରନ୍ତି । ଏ ଦୁଇଟି ବିପରୀତ ଧର୍ମୀ ମାନବିକ ଆବେଗର ଅନନ୍ୟ ନିଆରା ଗୁଣ ହେଲା ଜଣକର ସୁଖ, ଅନ୍ୟମାନଙ୍କ ପାଖରେ ଦୁଃଖ ବା ବିଷାଦ ଜନ୍ମାଇବାରେ ସକ୍ଷମ ହୋଇପାରେ । ସେହିପରି ଜଣକର ଦୁଃଖ ମଧ୍ୟ ଅନ୍ୟର ମନରେ ସୁଖ ଓ ଆନନ୍ଦର କଣିକା ଜନ୍ମାଇ ପାରେ । ଅନେକ ସମୟରେ ଜଣକର ଚେନାଏ ହସ ସାମନା ମାନବ ମୁହଁରେ ସ୍ୱତଃପୁତ ଭାବେ ହସ ଫୁଟେଇ ବାରେ ସାମର୍ଥ୍ୟ ରଖୁଥିବା ବେଳେ ଜଣକର ଦୁଃଖ ଅନ୍ୟ ଜଣକ ହୃଦୟରେ ଯନ୍ତ୍ରଣା ଜନ୍ମାଇଥାଏ । ଏ ଦୁଇଟି କ୍ରିୟା ପ୍ରତିକ୍ରିୟା, ସଂଗଠିତ ହେବାର ସ୍ଥାନ, କାଳ ଓ ପାତ୍ର ବିଶେଷଙ୍କ ଉପରେ ନିର୍ଭର କରେ । ଏମାନଙ୍କର ପ୍ରବାହ ଏମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ବିପରୀତ ଧର୍ମୀ ପ୍ରତିକ୍ରିୟା ଗୁଡିକ ଯେଉଁ ମାନଙ୍କ ଭିତରେ ଘଟିଥାଏ ତାହା ସେମାନଙ୍କର ପୂର୍ବ ଓ ବର୍ତ୍ତମାନର ସମ୍ପର୍କ ଉପରେ ପୁରାପୁରି ନିର୍ଭରଶୀଳ ଥାଏ । 
      ପ୍ରେମ, ପ୍ରିତୀ, ସ୍ନେହ ଓ ମମତାର ରଜ୍ଜୁରେ ବନ୍ଧା ହୃଦୟ ଗୁଡିକରେ ଗୋଟିଏ ହୃଦୟ ଦୁଃଖ ଅନୁଭବ କଲେ ଅନ୍ୟ ହୃଦୟ ଗୁଡିକ ଆପେ ଆପେ କାନ୍ଦି ଉଠେ । ଗୋଟିଏ ହୃଦୟ ହସିଲେ ଅନ୍ୟ ହୃଦୟ ଗୁଡିକ ଆପେ ଆପେ ହିଲ୍ଲୋଳମୟ ହୋଇଉଠନ୍ତି । ଯେଉଁ ସମ୍ପର୍କ ଗୁଡିକ କେବଳ ସ୍ୱାର୍ଥସର୍ବସ୍ୱ ସେଠି ସେମାନଙ୍କ ମଧ୍ୟରେ ଗୋଟିଏ ହୃଦୟର ହସ ଅନ୍ୟ ହୃଦୟ ମାନଙ୍କରେ ହସ କିମ୍ବା ବିଷାଦ ଜନ୍ମାଇ ପାରେ ଓ ଜଣକ ହୃଦୟର ଦୁଃଖ ଅନ୍ୟମାନଙ୍କ ମର୍ମରେ ସୁଖ କିମ୍ବା ଦୁଃଖ ପ୍ରତ୍ୟୋତ୍ପର୍ଣ୍ଣ କରିପାରେ । ଏ ଭବ ସଂସାରରେ ଏହା ସେହି ପରବ୍ରହ୍ମ ପରମାତ୍ମାଙ୍କର ଅଦ୍ଭୁତ ସୃଷ୍ଟି । କଥାରେ ଅଛି ବିରି ବୁଣିଲେ ବିରି ଗଛ ଉଠିବ । ଆମ୍ବ ଗଛ ପୋତିଲେ ଆମ୍ବଗଛ ହିଁ ଉଠିବ ମାତ୍ର ମନୁଷ୍ୟ ଆବେଗିକ କ୍ରିୟା ପ୍ରତିକ୍ରୟାରେ ଏ ନିୟମ ଆଦ୍ୟୈ ପ୍ରଯୁଯ୍ୟ ହୋଇ ନଥାଏ । ସ୍ଥାନ କାଳ ଓ ପାତ୍ର ବିଶେଷରେ ଦୁଃଖର ମଞ୍ଜି ସୁଖ ଓ ସୁଖର ମଞ୍ଜି ଦୁଃଖର ବୃକ୍ଷ ରଚି ପାରେ । ସେହିପରି  ବିଷାଦର ବୀଜ ଆନନ୍ଦର ବୃକ୍ଷରାଜୀ ଓ ଆନନ୍ଦର ମଞ୍ଜି ବିଷାଦର ଲତା ସୃଷ୍ଟି କରିପାରେ । ଏପରି ଆଶ୍ଚର୍ଯ୍ୟ ଧର୍ମୀ କ୍ରିୟା ପ୍ରକ୍ରିୟା ଗୁଡିକ ସବୁବେଳେ ମୋରି ନିବାସ ସ୍ଥଳୀ ହୃଦୟ ସହିତ ହିଁ ଜଡିତ ଥାଏ । ବୋଧହୁଏ ସେଇଥିପାଇଁ ଏ ସବୁ ଆବେଗିକ କ୍ରିୟା ପ୍ରକ୍ରିୟାର ଏ ବିଚିତ୍ର ଲକ୍ଷଣ ।
      ଜଠରରେ ଆଜି ମୋର ପରିପୂର୍ଣ୍ଣ ଅବୟବ ମାନବ ମାନଙ୍କର ଏ ସବୁ ଆଚରଣକୁ ଭଲ ଭାବରେ ବୁଝି ପାରିବାରେ ସମର୍ଥ ହୋଇପାରି ନଥିଲେ ମଧ୍ୟ ମୁଁ କିନ୍ତୁ ଏ ସମସ୍ତ କଥା ବୁଝି ସାରିଥାଏ । ମୋ ସ୍ଥିତ ଶରୀର ସତ୍ତ୍ୱରୀମାର ବାହ୍ୟିକ ପରିବେଶରେ ସଂଘଟିତ ଏଭଳି କ୍ରିୟା ପ୍ରକ୍ରିୟାକୁ ସାମନା କରୁଥିଲେ ସୁଦ୍ଧା ତା’ର ଏପରି ବୁଝିବା ଶକ୍ତିର ସାମର୍ଥ୍ୟ ସେତେବେଳ ପର୍ଯ୍ୟନ୍ତ  ହୋଇ ନଥାଏ । 
      କିନ୍ତୁ ଏଭଳି ବିଭ୍ରାନ୍ତିକର ଭାବନା ସବୁର ବହୁ ଉର୍ଦ୍ଧ୍ୱରେ ସତ୍ତ୍ୱରୀମାର ମନ । ସେ ଅନନ୍ତ ଆକାଶର ବିସ୍ତିର୍ଣ୍ଣତା ଭଳି ତା’ ହୃଦୟର ପ୍ରାଫୁଲ୍ୟ ଆଜି ପ୍ରସସ୍ତ । ଜରାୟୁର ଯନ୍ତ୍ରଣା ଆଜି ତା’ ପାଇଁ ମହାଆନନ୍ଦର ମହାର୍ଘ୍ୟ । ମାତୃତ୍ୱର ଦ୍ୱାରଦେଶ ସମୀପରେ ଆଜି ସେ ଆତୁରତାରେ ଦଣ୍ଡାୟମାନ । କେଉଁ ଦିନ ସେ ବିଶ୍ୱନିୟନ୍ତା ତା’ଗର୍ଭସ୍ଥ ସନ୍ତାନକୁ ଏ ଜଗତକୁ ନେଇ ଆସି ତା’ କୋଳରେ ଥୋଇ ଦେବେ ସେଇ ମୁହୁର୍ତ୍ତକୁ ତା’ର ପ୍ରତିକ୍ଷା । ତା’ର ପଣତକାନୀବି ଝୁରି ହେଲାଣି ତା’ ଶିଶୁର ଶରୀରକୁ ଝାଡିଦେବା ପାଇଁ । ତା’ର କୋଳ ଗୋଳି ହେଲାଣି ତା’ଛୁଆକୁ ନିଜ ଭିତରେ ଶୋଇ ଧରିବା ପାଇଁ । ସମୟ କିନ୍ତୁ ତା’ର ସ୍ଥିରୀକୃତ ଗତିରେ ଆଗକୁ ଆଗକୁ ଆଗେଇଚାଲେ ପ୍ରତି ମୁହୁର୍ତ୍ତର କଥାକୁ ପର ମୁହୁର୍ତ୍ତପାଇଁ ଇତିହାସରେ ପରିଣତ କରି । 

*******

ତ୍ରୟୋଦଶ ପକ୍ଷ



       ସନାତନର ପୁସ୍ତକଗତ ଜ୍ଞାନ ଆଧାରରେ ସେ ଜାଣେ ପଞ୍ଚବିଂଶ ସପ୍ତାହର ଆରମ୍ଭ ବଳକୁ ମୋ ସ୍ଥିତ ଶରୀର ଏକ ପରିପୂର୍ଣ୍ଣ ମାନବର କଳେବର ଧାରଣ କରିଥାଏ ସତ ମାତ୍ର ଏହି କଳେବରର ଦୁଇଟି ମୂଖ୍ୟ ଅଙ୍ଗ ଯଥା ଫୁସ୍‌ଫୁସ୍‌ୀୟ ନଳୀ ଓ ଯକୃତର ଗଠନ ଅସମ୍ପୂର୍ଣ୍ଣ ଥାଏ । ମାତୃଗର୍ଭରେ ଥିବା ମାନବ ଓ ଜନ୍ମପରର ମାନବ ମଧ୍ୟରେ ବାସ୍ତବ ପାର୍ଥକ୍ୟ ହେଉଛି ମାତୃଗର୍ଭରେ ମାନବ ନିଜେ ଶ୍ୱାସକ୍ରିୟା ସଂପାଦନ କରିପାରେ ନାହିଁ ଓ ନିଜେ ଖାଦ୍ୟ ଭକ୍ଷଣ କରିପାରେ ନାହିଁ । ତା’ ମା’ ହେଉଛି ତା’ପାଇଁ ଏ ଦୁଇଟି ଯାକ ପ୍ରକ୍ରିୟାର ଉତ୍ସ । ମା’ ଜରାୟୁର ଫୁଲରୁ ଶିଶୁର ନାଭି ସହିତ ସଂଯୁକ୍ତ ନାଭିନାଡାରେ ଥିବା ରକ୍ତ ବାହିନୀ ବାଟ ଦେଇ ମା’ ଶରୀରରୁ ବହି ଆସେ ଅମ୍ଳଜାନ, ପୁଷ୍ଟିକାରକ ଦ୍ରବ୍ୟ ଓ ଜୀବନ ସହାୟକ ଯୁକ୍ତ ରୁଧିର ଯାହା ଶିଶୁ ଶରୀରର ପ୍ରତ୍ୟେକ ଅଙ୍ଗକୁ ପ୍ରବାହିତ ହୋଇଥାଏ । ନାଭିନାଡାରେ ରକ୍ତ ପହଞ୍ôଚବା କ୍ଷଣି ଏହା ପ୍ରଥମେ ତିନିଭାଗରେ ବିଭକ୍ତ ହୋଇଯାଏ । ସେଥିରୁ ଗୋଟିଏ ଭାଗ ଯକୃତର ବୃଦ୍ଧି ଓ ଗଠନ ପାଇଁ ବ୍ୟବହୃତ ହୁଏ ଓ ଆଉ ଦୁଇଭାଗ ରକ୍ତ ବାହିନୀ ଦେଇ ନିମ୍ନ ମହାଶୀରା ବାଟରେ ହୃଦୟର ଦକ୍ଷିଣ ଅଳିନ୍ଦରେ ପ୍ରବେଶ କରେ । 
      ଦକ୍ଷିଣ ଅଳିନ୍ଦରୁ ଦକ୍ଷିଣ ନିଳୟ ପଥ ଦେଇ ଫୁସ୍‌ଫୁସ୍‌ୀୟ ଧମନୀରେ ଆଗକୁ ବଢେ । ଯେହେତୁ ଶିଶୁ ଜନ୍ମ ହେବା ପର୍ଯ୍ୟନ୍ତ ଫୁସ୍‌ଫୁସ୍‌ର ଗଠନ କାର୍ଯ୍ୟ ଚାଲିଥାଏ ଏଠାରେ ଫୁସ୍‌ଫୁସ୍ ଶିଶୁଟିର ଶ୍ୱାସକ୍ରିୟା ସଂପାଦନ କରିପାରି ନଥାଏ । ଅନ୍ୟ ଅର୍ଥର୍ରେ କହିବାକୁ ଗଲେ ଶିଶୁ ଯେତେଦିନ ପର୍ଯ୍ୟନ୍ତ ମାତୃ ଜଠରରେ ଥାଏ ସେତେଦିନ ପର୍ଯ୍ୟନ୍ତ ସେ ନିଜେ ଶ୍ୱାସକ୍ରିୟା କରିପାରି ନଥାଏ ।ଏହାର କାରଣ ତା’ର ଫୁସ୍‌ଫୁସ୍ ଶ୍ୱାସକ୍ରିୟା ସଂପାଦନ କରିବା ପାଇଁ ସ୍ୱୟଂସମ୍ପୂର୍ଣ୍ଣତା ଲାଭ କରିନଥାଏ । ତେଣୁ ଫୁସ୍‌ଫୁସୀୟ ଧମନୀ ଦେଇ ହୃଦୟର ଦକ୍ଷିଣ ନିଳୟରୁ ଆସୁଥିବା ରୁଧିର ଗୋଟିଏ ଅନ୍ୟ ନଳୀ ଦେଇ ଶରୀରର ମସ୍ତିଷ୍କକୁ ଚାଲିଯାଏ । ମସ୍ତିଷ୍କରେ ରକ୍ତ ସଂଚାଳନ ପରେ ଏହା ଫେରି ବାମ ଅଳିନ୍ଦରେ ପ୍ରବେଶ କରେ । ବାମ ଅଳିନ୍ଦରୁ ରକ୍ତ ବାମ ନିଳୟ ଦେଇ ପୁନଶ୍ଚ ଶରୀରର ପ୍ରତ୍ୟେକ ଅଙ୍ଗରେ ସଂଞ୍ଚାଳିତ ହୋଇ ଫେରିଚାଲେ ନାଭିନାଡା ପାଖକୁ । ନାଭିନାଡାରେ ପହଞ୍ôଚଲା ବେଳକୁ ଶରୀର ପ୍ରତ୍ୟେକ କୋଷରେ ଅମ୍ଳଜାନ ଯୁକ୍ତ ରକ୍ତ କୋଷମାନଙ୍କୁ ପୋଷକତତ୍ତ୍ୱ ଓ ଶକ୍ତି ଯୋଗାଇ ଅଙ୍ଗାରକାମ୍ଳ ଯୁକ୍ତ ସହିତ ଅନ୍ୟାନ୍ୟ ବର୍ଯ୍ୟବସ୍ତୁ ଶିଶୁ ଶିରା ମାଧ୍ୟମ ଦେଇ  ନାଭିନାଡାରେ ପହଞ୍ôଚଥାଏ । 
      ନାଭିନାଡାରୁ ମା’ର ଗର୍ଭସ୍ଥଫୁଲରେ ପହଞ୍ôଚ ମା’ ଶରୀରର ବର୍ଯ୍ୟବସ୍ତୁ ନିସ୍କାସନ ପଥଦେଇ ଶରୀର  ବାହାରକୁ ଚାଲିଯାଇଥାଏ । ପୁନଶ୍ଚ ମା’ଶରୀରରୁ ଅମ୍ଳଯାନ, ପୁଷ୍ଟିକାରକ ଓ ଜୀବନ ସହାୟକ ତତ୍ତ୍ୱ ଯୁକ୍ତ ରକ୍ତ ମା’ଗର୍ଭର ଫୁଲରୁ ନାଭିର ରକ୍ତ ବାହିନୀ ଦେଇ ଶିଶୁ ଶରୀରକୁ ପ୍ରବେଶ କରେ । ତେଣୁ ମା’ ହେଉଛି ଶିଶୁ ଜୀବନର ମୂଳଉତ୍ସ । ଯେ ପର୍ଯ୍ୟନ୍ତ ମା’ର ଗର୍ଭସହିତ ଶିଶୁର ନାଭିନାଡା ସଂଯୁକ୍ତ ସେ ପର୍ଯ୍ୟନ୍ତ ଶିଶୁ ଜୀବିତ ଓ ଏହି ନାଭିନାଡା ମା’ର ଗର୍ଭଫୁଲ ଠାରୁ କୌଣସି କାରଣରୁ ଛିଡିଗଲେ କିମ୍ବା ନଷ୍ଟ ହୋଇଗଲେ ଶିଶୁଟି ମୃତ୍ୟୁ ଲଭିଥାଏ ।
      ମାତ୍ର ଶିଶୁଟି ଦଶମାସ ଗର୍ଭରେ ରହିଲାପରେ ଯେତେବେଳେ ମା’ ଗର୍ଭରୁ ବାହାରକୁ ଆସେ ଅର୍ଥାତ ଜନ୍ମନିଏ ସେ ସମୟରେ ମା’ ଗର୍ଭରୁ ସଂପୃକ୍ତ ନାଭିନାଡା ଦେଇ ସଂଗଠିତ ହେଉଥିବା କ୍ରିୟା ବନ୍ଦ ହୋଇଯାଏ ବା ନାଭିନାଡାର ରାସ୍ତାକୁ ବନ୍ଦ କରିଦିଆଯାଏ । ଏହି ସମୟରେ ଶିଶୁଟି ତା’ଜୀବନର ପ୍ରଥମ ପ୍ରଶ୍ୱାସ ନେଇଥାଏ । ଶିଶୁର ଫୁସ୍‌ଫୁସ୍‌କୁ ପ୍ରଥମ ଅମ୍ଳଜାନ ପୂର୍ଣ୍ଣ ବାୟୁ ପ୍ରବେଶ କରିବା ମାତ୍ରେ ଶିଶୁର ହୃଦୟର ଦକ୍ଷିଣ ନିଳୟରୁ ଆସୁଥିବା ଅଙ୍ଗାରକାମ୍ଳ ଯୁକ୍ତ ରକ୍ତ ଫୁସ୍‌ଫୁସ୍ ମଧ୍ୟରେ ବିଶୋଧିତ ହୁଏ ଯେଉଁଠାରେ ସେଥିରେ ଥିବା ଅଙ୍ଗାରକାମ୍ଳ ନାସା ଦେଇ ବାହାରକୁ ଚାଲିଯାଏ ଓ ପୁନଶ୍ଚ ଆସିଥିବା ନୂତନ ଅମ୍ଳଜାନଯୁକ୍ତ ରକ୍ତ ସହିତ ମିଶି ହୃଦୟର ବାମ ଅଳିନ୍ଦ ବାଟ ଦେଇ ବାମ ନିଳୟରୁ ରୁଧିର ମହାଧମନୀ ଦ୍ୱୟଦେଇ ଶରୀରର ପ୍ରତ୍ୟେକ ଅଙ୍ଗକୁ ସଂଚାଳିତ ହୋଇଥାଏ । ଅର୍ଥାତ ଜନ୍ମ ହେବା ମାତ୍ରେ ଶିଶୁର ଫୁସ୍‌ଫୁସ୍ ଓ ଯକୃତ ଉଭୟ କାର୍ଯ୍ୟ କରିବା ଆରମ୍ଭ କରି ଦେଇଥାଏ । 
      ତେଣୁ ବର୍ତ୍ତମାନ ସମୟ ସତ୍ତ୍ୱରୀମା ହେଉଛି ତା’ ସନ୍ତାନର ସବୁକିଛି । ତା’ର ଶରୀରରୁ ରକ୍ତ ପୁଷ୍ଟିକାରକ ଦ୍ରବ୍ୟ ଓ ଜୀବନ ସହାୟକ ତତ୍ତ୍ୱ ପ୍ରତି ମୁହୁର୍ତ୍ତରେ ହିଁ ଶିଶୁ ଶରୀରକୁ ପ୍ରବାହିତ ହେଉଥିବ ଓ ଅଙ୍ଗାରକାମ୍ଳ ଯୁକ୍ତ ଶରୀରକୁ ଫେରିଆସୁଥିବ । କିନ୍ତୁ ଶିଶୁ ଶରୀରରେ ଜୀବନ ସଂଚାର ପରଠାରୁ ହିଁ ତା’ର ହୃଦୟ ରୂପକ ମାଂସ ପିଣ୍ଡୁଳାଟି ସଂକୋଚନ ଓ ଶିଥିଳନ କ୍ରିୟାକୁ ଅବିରତଭାବରେ କରିଚାଲିଥିବ । ଶିଶୁହୃଦୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କକ୍ଷ ହେଉଛି ବାମ ନିଳୟ । କାରଣ ବାମ ନିଳୟରୁହିଁ ଶିଶୁ ଶରୀରର ପ୍ରତ୍ୟେକ ଅଙ୍ଗକୁ ମହାଧମନୀ ଦେଇ ରକ୍ତ ପହଞ୍ôଚଥାଏ । ସାଧାରଣତଃ ଏହି ବାମ ନିଳୟଟି ଅଧିକ ଶକ୍ତ ଓ ଏହାର କାନ୍ଥ ମୋଟା ମାଂସପେଶୀ ଯୁକ୍ତ ହୋଇଥାଏ । ଦେଶର ଜଣେ ସୁନାମଧନ୍ୟ ବୈଜ୍ଞାନିକର ଜୀବନ ଯାତ୍ରାରେ ସଜୀବର ସର୍ଜ୍ଜନା ବାସ୍ତବ କ୍ଷେତ୍ରରେ ଓ ପରୀକ୍ଷାଗାରରେ ଅନେକ ପରୀକ୍ଷା ନିରୀକ୍ଷା କରିଥିଲେ ମଧ୍ୟ ଆଜି ସତ୍ତ୍ୱରୀମା ଜରାୟୁରେ ବଢୁଥିବା ତା’ର ଓ÷ାରଷରୁ ଜାତ ସନ୍ତାନର ପରିବର୍ତ୍ତନ ଦେଖି ସେ ପ୍ରତି ମୁହୁର୍ତ୍ତରେ ଭାବବିହ୍ୱଳ ହୋଇପଡେ । ସତ୍ତ୍ୱରୀମା ଗର୍ଭରେ ନିଜ ଶିଶୁର ସାପ୍ତାହିକ ବୃଦ୍ଧି ଓ ବିକାଶ ଦେଖିବା ସମୟରେ ଅନେକଥର ସେ ନାଭିନାଡାକୁ ଖୁବ୍ ଧ୍ୟାନର ସହିତ ଦେଖିଥାଏ ଓ କିଛିକ୍ଷଣ ନିର୍ବାକ ଭାବରେ ଭାବିବସେ । 
      ଏହି ସାପକାତିଭଲି ହୋଇଥିବା ନାଭିନାଡାରେ ଶିଶୁର ଜୀବନ ପାଇଁ ଆବଶ୍ୟକ ସମସ୍ତ କଞ୍ଚାମାଲ୍ ସତ୍ତ୍ୱରୀମା ଶରୀରରୁ ତା’ସନ୍ତାନ ଶରୀରକୁ କି ଅଭୁତ ଶୈଳୀରେ ଧାବମାନ କରୁଛି । ବିଜ୍ଞାନ ବୋଧହୁଏ ଅନେକ ଆଗକୁ ଚାଲି ଗଲାଣି ଆଉ ଅନେକ କିଛି ସୃଷ୍ଟି କଲାଣି ମାତ୍ର ଏଭଳି ଅଦ୍ଭୁତ ସୃଷ୍ଟି ତା’ ପକ୍ଷେ ସମ୍ଭବ ନୁହେଁ । ଏହା ପ୍ରକୃତିର ବରଦାନ ଓ ଏହା ପ୍ରକୃତିହିଁ କେବଳ ଏତେ ସୂକ୍ଷ୍ମ ଭାବରେ ରଚି ପାରେ । 
      ଯେହେତୁ ଆଜି ପଞ୍ଚବିଂଶ ସପ୍ତାହ ପାଦ ଦେଲାଣି ଶିଶୁଟିର ଲମ୍ବ ତା’ର ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ପ୍ରାୟ ସାଢେ ତେର ଇଞ୍ଚ୍ ଓ ଏହାର ଓଜନ ପାଖାପାଖି ଛଅଶହ ପଚାଶରୁ ସାତଶହ ଗ୍ରାମ୍ ଭିତରେ ହୋଇଥିବ । ତା’ର ଶରୀରର କୁଞ୍ôଚତ ଚର୍ମ ବର୍ତ୍ତମାନ କ୍ରମଶଃ ମସୃଣ ହେବାରେ ଲାଗିଥିବ ଓ ଏହାର ସ୍ୟୈନ୍ଦର୍ଯ୍ୟ ଗୋଟିଏ ମନୁଷ୍ୟ ସନ୍ତାନର ଅବିକଳତାକୁ ଧାରଣ କରୁଥିବ । ତା’ର ମୁଣ୍ଡର କେଶ ଓ ଶରୀରର ରଙ୍ଗ କିପରି ହେବ ତାହା ଜାଣିହେବ । ଅନ୍ୟ ଏକ ପରିବର୍ତ୍ତନରେ ବର୍ତ୍ତମାନ ସତ୍ତ୍ୱରୀମାର କେଶ ଅଧିକ ଘନ ଓ ମୋଟା ଦେଖାଯିବା ଆରମ୍ଭ କରିବ ଯାହାର ମୂଖ୍ୟ କାରଣ ସତ୍ତ୍ୱରୀମା ଶରୀରରେ ହରମୋନ୍‌ରେ ପରିବର୍ତ୍ତନ ।
        ମୁଁ  ସେତେବେଳେ ମୋ ସ୍ଥିତ ଗହ୍ୱର ଭିତରେ ସ୍ଥାଣୁ । ସମୟ ମୋତେ ସମୟେ ସମୟେ ହତ୍‌ବାକ୍ କରି ପକଉଥାଏ । ଏ ମୋର ଶେଷ ଯାତ୍ରା ମୋ ପାଇଁ ଗୋଟିଏ ପ୍ରବଞ୍ଚନା ହୋଇ ଯିବନିତ? ସେ ମଙ୍ଗଳମୟ ପରମପୁରୁଷ ପୁଣି ମୋତେ ଠକି ଦେବେନିତ? ଏମିତି ଅସୁମାରୀ ଅନିଶ୍ଚିତତା ଭିତରେ ମୋ ମନ ଆନ୍ଦୋଳିତ ହେବାରେ ଲାଗିଥାଏ । ମୁଁ ଯେବେଠାରୁ ହୃଦୟରୂପକ କ୍ଷୁଦ୍ର ମାଂସ ପିଣ୍ଡୁଳାଟିରେ ଅବସ୍ଥାନ କଲାଣି ସେବେଠାରୁ ସେ ହୃଦୟଟି ତା’ର ଏକ ନିର୍ଦ୍ଧିଷ୍ଟ ବେଗରେ ସଂକୋଚନ ଓ ଶିଥିଳନ ହୋଇ ଚାଲିଥାଏ । ମୋ ନିବାସଟି ମୂଖ୍ୟତ ଦୁଇଟି କୋଠରୀ ରେ ବିଭକ୍ତ ଯେଉଁମାନେକି ଏକ ଶକ୍ତ ପ୍ରାଚୀର ଦ୍ୱାରା ଭାଗ ବିଭକ୍ତ । ଏହି ଦୁଇଟି କୋଠରୀପୁନଶ୍ଚ ଦୁଇଟି ଲେଖାଏଁ କ୍ଷୁଦ୍ର କୋଠରୀରେ ବିଭକ୍ତ ମାତ୍ର ଏମାନଙ୍କର ବିଭକ୍ତି କରଣ ଗୋଟିଏ ଲେଖାଏଁ କବାଟ ଦ୍ୱାରା ହୋଇଥାଏ । ବାମପଟ ବଡ କୋଠରୀଟି ତିନିପରଦା ବିଶିଷ୍ଟ କବାଟ ଦ୍ୱାରା ଦୁଇ କୋଠରୀରେ ବିଭକ୍ତ ହୋଇଥିବା ବେଳେ ଦକ୍ଷିଣ ପଟ ବଡ କୋଠରୀଟି ଗୋଟିଏ ଦୁଇ ପରଦା ବିଶିଷ୍ଟ କବାଟ ଦ୍ୱାରା ଦୁଇଟି କୋଠରୀରେ ବିଭକ୍ତ ହୋଇଥାନ୍ତି । ନାଭିନାଡା ଦେଇ ମା’ଶରୀରରୁ ଆସୁଥିବା ସମସ୍ତ ଅମ୍ଳଜାନ, ପୁଷ୍ଟିକାରକ ଦ୍ରବ୍ୟ ଓ ଜୀବନ ତତ୍ତ୍ୱଯୁକ୍ତ ରକ୍ତ ମହାଶିରା ଦେଇ ମୋ ଦକ୍ଷିଣ କୋଠରୀର ଉପର ପ୍ରାନ୍ତରୁ ପ୍ରବେଶ କରି ତଳପ୍ରାନ୍ତର କୋଠରୀ ଦେଇ ବାହାରି ଅଧାଗଢା ଫୁସ୍‌ଫୁସ୍ ଦେଇ ହୃଦୟର ବାମ ପାଶ୍ୱର୍ କୋଠରୀର ଉପର ପାଶ୍ୱର୍ରୁ ପ୍ରବେଶ କରେ । ବାମ ପାଶ୍ୱର୍ର କୋଠରୀ ଦେଇ ତଳ ପ୍ରାନ୍ତରେ ବାହାରକୁ ଚାଲିଆସେ । 
      ସେଠାରୁ ପୁଣି ରକ୍ତ ବାହିନୀ ମାନଙ୍କ ଦ୍ୱାରା ମସ୍ତିଷ୍କ ଓ ଶରୀରର ଅନ୍ୟ ଅଙ୍ଗ ମାନଙ୍କରେ ପହଞ୍ôଚ ସେଠାରେ କୋଷ ମାନଙ୍କୁ ଖାଦ୍ୟ ପରିବେଶଣ କରୁଥାଏ । ଖାଦ୍ୟ ମାନେ ସେଥିରୁ ନିଜର ଶକ୍ତି ସଞ୍ଚୟ କରିସାରିଲା ପରେ ଅପରିଷ୍କାର ରକ୍ତ ଓ ବର୍ଯ୍ୟବସ୍ତୁ ଗୁଡିକ ଫେରି ପୁଣି ମା’ର ନାଭିନାଡା ଦେଇ ମା’ ଗର୍ଭାଶୟରୁ ଫୁଲ ଦେଇ ମା’ ଶରୀରର  ବର୍ଯ୍ୟବସ୍ତ ୁପରିଚାଳନା ରାସ୍ତାଦେଇ ବାହ୍ୟ ଜଗତକୁ ଚାଲି ଯାଉଥାଏ । ତେଣୁ ମୋ ଅଧିଷ୍ଠାନରୁ ହିଁ ମୋ ନିବାସ ସ୍ଥାନ ହୃଦୟ ଭିତରକୁ ସବୁବେଳେ କେବଳ ପରିଷ୍କାର ରୁଧିର ଯେଉଁଥିରେ ଥାଏ ମୋ ଅଧିଷ୍ଠିତ ସ୍ଥୁଳ ଶରୀରର ଜୀବନ ତତ୍ତ୍ୱ ପ୍ରବେଶ କରୁୁଥାଏ ଓ ବାହାରକୁ ଚାଲିଯାଉଥାଏ । ଏହି ଜୀବନତତ୍ତ୍ୱ ଯୁକ୍ତ ରୁଧିର ମୋ ନିବାସ ସ୍ଥଳୀ ଭିତରେ ପହଞ୍ôଚ ଚାଲିଥିବାର କାରଣ କେବଳ ସେ ହୃଦୟ ଭିତରେ ମୋର ଉପସ୍ଥିତି ।
      ଏଠାରେ ତୁମେ ଗୋଟିଏ କଥା ଆଦ୍ୟୈ ଭୁଲିଯିବା ଉଚିତ ନୁହେଁ ଯେ ମାନବ ବିଜ୍ଞାନରେ ଦିଗନ୍ତ ମାଡିଚାଲୁ ଅବା ତା’କୁ ଅଦୃଶ୍ୟ ଥିବା ଦୁନିଆରେ ପହଞ୍ôଚଚାଲୁ ସେ ସବୁ ଯାତ୍ରାର ସଫଳତା ପଛରେ ସେହି ବ୍ରହ୍ମାଣ୍ଡ କର୍ତ୍ତା ଭରି ରଖିଥିବା ଶକ୍ତି ହିଁ କାମ କରିଥାଏ । ମଙ୍ଗଳ ଗ୍ରହକୁ ମାନବବିହୀନ ଯାନ ପଠେଇ ବାରେ ସଫଳତା ଲାଭ କରିପାରେ ମାତ୍ର ମଙ୍ଗଳଯାନ ପାଇଁ ଆବଶ୍ୟକ ଶକ୍ତି ଯେଉଁ କଞ୍ଚାମାଲ୍‌ରୁ ସବୁ ମିଳିଥାଏ ତାହା ସେହି ପରମବ୍ରହ୍ମ ହିଁ ଗଢିଥାନ୍ତିି । ମହାକାଶରେ ମଙ୍ଗଳଯାନ ଗତି କରୁଥିବା ସମୟରେ ସୂର୍ଯ୍ୟଙ୍କ କିରଣରୁ ଶକ୍ତି ସଂଗ୍ରହ କରେ ହେଲେ ସୂର୍ଯ୍ୟଙ୍କ କିରଣରେ ଥିବା ଶକ୍ତିକୁ ଏ ମାନବ ସମାଜ ଭରିନାହିଁ । ଭରି ରଖିଛନ୍ତି ସେହି ସର୍ବ ଗଜତପୂର୍ଣ୍ଣ ପରବ୍ରହ୍ମ । ମନୁଷ୍ୟ ବଞ୍ôଚ ରହିବା ପାଇଁ ଯେଉଁ ସବୁ ଫଳମୂଳ ଖାଦ୍ୟ ଖାଏ ଓ ଯେଉଁ ଜଳ ଆବଶ୍ୟକ କରେ ସେଥିରେ ସେହି ସୃଷ୍ଟି କର୍ତ୍ତା ହିଁ ଭରି ରଖିଛନ୍ତି ଶକ୍ତିର ଉତ୍ସ । ଏ ମାନବ ତା’ଭିତରର ଶକ୍ତିକୁ ନିଜେ ତିଆରି କରିପାରିବ ନାହିଁ । ଅନ୍ୟର୍ଥରେ କହିବାକୁ ଗଲେ ମନୁଷ୍ୟ ନିଜେ ଶକ୍ତି ତିଆରି କରି ପାରିବ ନାହିଁ । ମାତ୍ର ବିଶ୍ୱବ୍ରହ୍ମାଣ୍ଡରେ ସୃଷ୍ଟି କର୍ତ୍ତା ଯେଉଁ ଅସରନ୍ତି ଶକ୍ତିକୁ ଭରି ରଖିଛନ୍ତି ତାହା କେବଳ ବ୍ୟବହାର କରିପାରେ । ହଁ ଗଚ୍ଛିତ ଥିବା ଶକ୍ତିକୁ ଅନ୍ୟ ଶକ୍ତିରେ ରୂପାନ୍ତର କରି ନିଜରମନ ମୁତାବକ ବ୍ୟବହାର କରିପାରେ କିନ୍ତୁ ଶକ୍ତିର ସର୍ଜ୍ଜନା ମାନବ ପକ୍ଷରେ ସମ୍ଭବ ନୁହେଁ । ଯେଉଁ ଦିନ ମାନବ ନିଜେ ଏ ବ୍ରହ୍ମାଣ୍ଡ ଭିତରେ ନଥିବା ଏକ ନୂତନ ଶକ୍ତିର ଉଭାବକ ହୋଇଯିବ ସେଦିନ ସେ ନିଜେ ସୃଷ୍ଟି କର୍ତ୍ତାର ମର୍ଯ୍ୟାଦା ଲାଭ କରିଯିବ । ମାତ୍ର ଏହା ସମ୍ଭବ ନୁହେଁ । 
      ଏହା ଦେଖାଯାଏ ଶୈଶବାସ୍ଥାରେ ମାନବ ଜୀବନ ନିଷ୍ପାପ ଓ ଛନ୍ଦ କପଟ ରହିତ ସୁନ୍ଦର କଣ୍ଢେଇଟିଏ ପରି ହୋଇଥାଏ । ଏହର କାରଣ ମଧ୍ୟ ଅତ୍ୟନ୍ତ ସରଳ । ଦେଖାଯାଏ ନାରୀ ଜୀବନରେ  ଯେଉଁ କ୍ଷଣରୁ ନାରୀ ଦ୍ୱିହୃଦୟା ହେବାର ସ୍ୟୈଭାଗ୍ୟ ଲାଭ କରେ ତା’ର ଶରୀର, ମନ, ବୁଦ୍ଧି ଓ ଆତ୍ମା ସାଧାରଣତଃ ଷଢରିପୁ ଶୁନ୍ୟ ହୋଇଥାଏ । ଏକ ଅପରିପ୍ରକାଶ ଆନନ୍ଦରେ ତା’ର ମନ ଓ ଆତ୍ମା ଭାବୁକ ହୋଇଉଠେ । ସାଂସାରିକ ସୁଖର କୋଟି ନିଧି ତାକୁ ଭଗବାନ ଅର୍ପଣ କରିଛନ୍ତି ବୋଲି ସେ ଭାବି ବସେ । ଅହରହ ନିଜ ଉଦରରେ ବଢୁଥିବା ସନ୍ତାନର ମଙ୍ଗଳ କାମନା ଓ ତା’ର ଭବିଷ୍ୟତର ବାଳୁତପଣିଆ ବିଷୟରେ କଳ୍ପନା କରିବସେ । ଏହା ପ୍ରକୃତିର ନିୟମ ଯେ ସେ ଜାଣିଶୁଣି ତା’ର କାମ, କ୍ରୋଧ, ଲୋଭ, ମୋହ ଆଦିକୁ ଅବଦମିତ କରି ରଖେ ନାହିଁ ପରନ୍ତୁ ଏହା ସ୍ୱତପୁତଃ ଭାବରେ ତା’ର ଜୀବନ ଚର୍ଯ୍ୟା ସହିତ ଯୋଡି ହୋଇଯାଏ । ତା’ର ଜୀବନ ପ୍ରିତୀ,  ସ୍ନେହ ଓ ମମତା ଭରା ହୋଇଉଠେ । ତେଣୁ ଏଭଳି ପରିବେଶର ଦୀର୍ଘ ଦଶମାସର ଯାତ୍ରାରେ ସେ ଭଳି ଭାବନା ଶିଶୁ ଭିତରେ ପ୍ରବେଶ ନକରିବ ବା କିପରି? 
      ସେ ସମସ୍ତ ଜୀବନ ବିରୋଧୀ ଗୁଣଗୁଡିକ ମା’ପାଖରେ ହିଁ ନଥିବାରୁ ମା’ଠାରୁ ପ୍ରବାହିତ ସେ ଜୀବନତତ୍ତ୍ୱ ରୂପୀ ସୁକ୍ଷ୍ମତରଙ୍ଗ ମାନଙ୍କରେ ସେଗୁଡିକ ଶିଶୁ ଶରୀରକୁ ପ୍ରବେଶ କରିବାବ କିପରି ? ତେଣୁ ଶିଶୁ ହୁଏ ନିଷ୍ପାପ, ନିଷ୍କପଟ ଓ ଏକ ପବିତ୍ର ଆତ୍ମା । ଜନ୍ମ ପରେ ଶିଶୁର ଏହି ନିଷ୍ପାପ ଓ ନିଷ୍କପଟ ଆତ୍ମୀକ ଆଚରଣ ପାଇଁ ପ୍ରତ୍ୟେକ ମାନବ ପାଖରେ ସେ ହୁଏ ଶ୍ରଦ୍ଧାରପାତ୍ର ଓ ତା’ର ଗୋଟିଏ କ୍ଷୁଦ୍ର ହସ ଫୁଟାଇ ପାରେ ଅନେକଙ୍କ ମୁହଁ ଓ ମନରେ ଅମାପ ହସ ଓ ଶାନ୍ତିର ସମ୍ଭାର । ଆଜି ସତତ୍ତ୍ୱରୀମାର ଜୀବନ ଦୀର୍ଘ ଛଅ ମାସ ହେଲା ଷଢରିପୁ ବିହୀନ । ଶରୀର, ମନ ଓ ଆତ୍ମାର କୌଣସି ହେଲେ ସୂକ୍ଷ୍ମତନ୍ତ୍ରରେ ତାକୁ ସ୍ପର୍ଶ କରିନି ଜୀବନ ବିରୋଧୀ ତତ୍ତ୍ୱ । ଏକ ଅମାୟୀକ ସ୍ନେହ, ପ୍ରିତୀ ଓ ଭକ୍ତି ଭରା ହୃଦୟରେ ଆଜି ଭରପୁର ତା’ର ଜିବନ ସନ୍ଦର୍ଭ । ତା’ ଚତୁପାଶ୍ୱର୍ରେ ଉପସ୍ଥିତ ପ୍ରତିଟି ଜୀବନ ଅବା ନିର୍ଜୀବ ଉପାଦାନରୁ ସେ ସାଉଁଟି ଚାଲିଛି, ଖୁସି ଓ ଶାନ୍ତିର କଣିକା । ପ୍ରତି ବଦଳରେ ବାଣ୍ଟି ଚାଲିଛି ତଦୁର୍ଦ୍ଧ ପ୍ରୀତି । ତା’ ଆତ୍ମୀକ ଉନ୍ନତିରେ ସେ ବ୍ୟଗ୍ର ଯାହା ମୋ ପାଇଁ ଥାଏ ମଙ୍ଗଳଦାୟୀ । ସମସ୍ତଙ୍କ ଆଶୀର୍ବାଦରେ ସେ ଆହୁରି ଶୁଦ୍ଧତା ଓ ପବିତ୍ରତାର ଶ୍ରିତ   ହୋଇଚାଲେ । 
      ଏମିତି ଚାହୁଁ ଚାହୁଁ ଛବିଶ ସପ୍ତାହ ବେଳକୁ ମୋ ଅଧିଷ୍ଠିତ କାୟାର ଦୀର୍ଘତା ପ୍ରାୟ ଚଉଦ ଇଞ୍ଚ ସ୍ଥଳେ ଏହାର ଓଜନ ପାଖାପାଖି ସାତ ଶହ ପଚାଶରୁ ଆଠଶହ ଗ୍ରାମ୍ ହୋଇ ଯାଇଥାଏ ।ତା’ର ସମସ୍ତ ଇନ୍ଦ୍ରିୟ ମାନଙ୍କର କାର୍ଯ୍ୟ ଦକ୍ଷତା ଆହୁରି ତୀକ୍ଷ୍ଣ ହୋଇ ସାରିଥାଏ । ତା’ର ଶ୍ରବଣେନ୍ଦ୍ରିୟ ଏତେ ପ୍ରଖର ହୋଇ ସାରିଥାଏ ଯେ ଯେତେବେଳେ ସନାତନ ଓ ସତ୍ତ୍ୱରୀମା ଏକତ୍ର ବସି କଥାବାର୍ତ୍ତା ହୁଅନ୍ତି ତାହା ସବୁକିଛି ସେ ଶୁଣିପାରେ ଓ ତାକୁ ତା’ମାନସ ପଟରେ ଧରି ରଖିବାରେ ସମର୍ଥତା ଲାଭ କରି ସାରିଥାଏ । ବର୍ତ୍ତମାନ ମୋ ସ୍ଥିତ କଳେବର ସମୟେ ସମୟେ କିଛି କିଛି ଅମ୍ନୋଇଟିକ୍ ଗର୍ଭଜଳକୁ ନାସା ଦେଇ ଶରୀର ଭିତରକୁ ନେଇଯାଉଥିବା ବେଳେ ପୁଣି ତାକୁ ସେହି ନାସା ଦେଇ ବାହାରକୁ କାଢି ପକଉଥାଏ । ଏପରି କ୍ରିୟା ପ୍ରକ୍ରିୟା ତା’ର ଫୁସ୍‌ଫୁସ୍‌ର ପୂର୍ଣ୍ଣାଙ୍ଗ ଗଠନ ହେବାରେ ସହାୟକ ହୋଇଥାଏ । ଖାଲି ଫୁସ୍‌ଫୁସ୍‌ର ଗଠନ ନୁହେଁ ବରଂ ତାହାକୁ ଶକ୍ତ ବି କରିଥାଏ । ଏହା ଜଠରସ୍ଥ ଶିଶୁର ଶ୍ୱାସକ୍ରିୟା ବୋଲି ଅଭିହିତ ଯାହା ଶିଶୁ ଜନ୍ମପରେ ଯେତେବେଳେ ପ୍ରଥମ ପ୍ରଶ୍ୱାସ ତା’ର ନାସା ଦେଇ ଭିତରକୁ ନେଇଥାଏ ତାକୁ ଅତ୍ୟନ୍ତ ସହଜ କରିଦେଇଥାଏ । 
      ଏ ସମୟରେ ଶିଶୁଟିର ମଧ୍ୟ ତା’ ଶରୀରରେ କ୍ଷିପ୍ର ଗତିରେ ଗଠନ ହେବାରେ ଲାଗିଥାଏ । ଏହି ଅବଧିରେ ମୋ ସ୍ଥିତ ଶରୀର ପୁରୁଷ ଶିଶୁ ହୋଇଥିବାରୁ ଏହାର ଅଣ୍ଡକୋଷର ଗଠନ ଦୃତ ଗତିରେ ହୋଇ ଚାଲିଥାଏ । ଏ ସମସ୍ତ ତଥ୍ୟ ଗୁଡିକ ଅବିକଳ ଭାବରେ ସନାତନ ତା’ର ସାପ୍ତାହିକ ଯାନ୍ତ୍ରିକ ବ୍ୟବସ୍ଥାରେ ଦେଖେ ଯାହା ତା’ର ପୁସ୍ତକଗତ ଜ୍ଞାନ ସହିତ ସମ୍ପୂର୍ଣ୍ଣ ମେଳ ଖାଉଥାଏ । 
      ଏଣେ ସନାତନର ମୋ ସ୍ଥିତ ଶରୀରକୁ ପ୍ରତି ସପ୍ତାହରେ ଯନ୍ତ୍ର ସାହାଯ୍ୟରେ ଦେଖିବାଟା ମୋତେ ସେତେ ଭଲ ଲାଗୁ ନଥାଏ । ଏହା ପ୍ରକୃତି ବିରୋଧୀ କାମ । ଯଦି ମନୁଷ୍ୟକୁ ପ୍ରତି ମୁହୁର୍ତ୍ତରେ ଦେଖେଇ ସୃଷ୍ଟିକର୍ତ୍ତା ଏପରି ସର୍ଜ୍ଜନା କରିବାର ଥିଲା ତେବେ ମାତୃ ଜରାୟୁର ନିବୁଜ କୋଠରୀ ଭିତରେ ସେ କାହିଁକି ସମ୍ପାଦନ କରୁଥିଲେ? ପୁନଶ୍ଚ ଯେତେବେଳେବି ସନାତନ ମୋ ସ୍ଥିତ କଳେବରକୁ ଦେଖେ ସେ ଯନ୍ତ୍ରର ଆଲୋକରେ ମୋ ସ୍ଥିତ ଶରୀର କ୍ଷଣିକ ପାଇଁ ବ୍ୟତିବ୍ୟସ୍ତ ହୋଇ ପଡି ନିଜ ସ୍ଥାନ ପରିବର୍ତ୍ତନ କରି ନେଉଥାଏ । ସତେଯେମିତି କୌଣସି ଏକ ବିପରୀତ ପରିସ୍ଥିତିର ସାମନା ସେ କରିବାକୁ ଯାଉଛି । ମାତ୍ର ମୋ କାୟାର ଏପରି ଚଳମାନ ଅବସ୍ଥା ଦେଖି ସନାତନ ଯେତିକ ଅଧିର ହୋଇଉଠେ ତେଣେ ସତ୍ତ୍ୱରୀମାର ମନ ଅସ୍ଫୁରନ୍ତ ଆନନ୍ଦରେ ଭରିଉଠେ । ମାତ୍ର ମୋ ସ୍ଥିତ କାୟାର କଷ୍ଟ ସେମାନେ ଅନୁଭବ କରିପାରନ୍ତି ନାହିଁ । ମୁଁ କିଛି କ୍ଷଣ ପାଇଁ ବିବ୍ରତ ହେଉଥିଲେ ମଧ୍ୟ ମୋ ଶେଷ ଯାତ୍ରାରେ ମୁଁ ଏପରି ପିତାମାତାରୁପୀ ମାଧ୍ୟମ ପାଇଥିବାରୁ ସେ ବିବ୍ରତତାକୁ କ୍ଷଣକରେ ଭୂଲିଯାଇ ମୋର ପରମପଦଙ୍କର ଚରଣକୁ ମୋର ଚିତ୍ତକୁ ନେଇଯାଏ । ମୋ ଅଧିଷ୍ଠିତ କାୟାର ମାନସିକ ବିଶ୍ଳେଷଣାତ୍ମକ ଦକ୍ଷତା ଯେମିତି ବେଗରେ ବଢିବଢି ଚାଲିଥାଏ  ସେହି ବେଗରେ ମୁଁ ମୋ ସହିତ ବିତିଯାଇଥିବା ପୂର୍ବକଥା ଓ ଆଗକୁ ଘଟିବାକୁ ଥିବା କଥା ଗୁଡିକ ଏ ଜରାୟୁ ଜୀବନର ଯନ୍ତ୍ରଣାରେ ପ୍ରାୟ ସମୟେ ସମୟେ ଭୁଲି ବସୁଥାଏ ।ମୋର ଦେବତ୍ୱ ଗୁଣରୁ ବିଚ୍ୟୁତ ହୋଇ ମାନବୀୟ ଗୁଣାବଳୀର ଅଧିକାରୀ ହେବାରେ ଲାଗିଥାଏ । ତାରି ଭିତରେ ବେଳେବେଳେ ସେ କ୍ଳିଷ୍ଟପୂର୍ଣ୍ଣ ଜୀବନର କାଳଚକ୍ର ଜୀବନ ତନ୍ତ୍ରକୁ ଛୁଇଁ ଗଲା ପରିି କ୍ରୋଧ ଭଳି ଦୁର୍ଗୁଣକୁ ମୋର ସ୍ଥିତ କାୟାକୁ ପ୍ରଦାନ କରେ ଯାହା ଥାଏ ଏ ଶେଷ ଯାତ୍ରାର ସମ୍ପୂର୍ଣ୍ଣ ପରିପନ୍ଥୀ । ସେ ପରମାତ୍ମା ପରମବ୍ରହ୍ମଙ୍କର ସାନ୍ନିଧ୍ୟ ଏତେ ସହଜ ନୁହେଁ ତାହା ମୁଁ ପ୍ରତିଦଣ୍ଡରେ ଅନୁଭବ କରୁଥାଏ । 
      ପ୍ରତି ମୁହୁର୍ତ୍ତରେ ସେ ମୋତେ ଶେଷ ଯାତ୍ରାର କଷଟି ପଥର ଉପରେ କଚାଡିବାକୁ ପ୍ରୟାସ କରୁଥାନ୍ତି । ମୋ ଧୈର୍ଯ୍ୟର ଗଭୀରତାକୁ ସେ କଳୁଥାନ୍ତି । ମୋ ବିଶ୍ୱାସର ବିସ୍ତ୍ରୀର୍ଣ୍ଣତାକୁ ସେ ଅନୁକ୍ଷଣ ଓ ପରୀକ୍ଷଣ କରିବାରେ ଲାଗିଥାନ୍ତି । ପ୍ରତିଟି କ୍ଷଣରେ ଓ ପ୍ରତିଟି ମୁହୁର୍ତ୍ତରେ ଭରି ରଖିଥାନ୍ତି ମୋ ଯାତ୍ରା ପଥରେ ଅନିଶ୍ଚିତତା । ନିର୍ଭୟର ସୂକ୍ଷ୍ମତ୍ୱରେ ମୋର ସ୍ଥିତି ଓ ଅବସ୍ଥିତି ତଥାପି ଏ ମାୟା ଘଟରେ ପ୍ରବେଶ ପରଠାରୁ ମିଥ୍ୟା ସଂସାରର ପ୍ରପଞ୍ଚ ମୋତେ ଭୟର ସ୍ଥୂଳତ୍ୱକୁ ଅକସ୍ମାତେ ଅନୁଭବ କରେଇ ଦେଉଥାଏ । ତାଙ୍କର ସୃଷ୍ଟିରେ ମୁଁତ୍ୱର ସ୍ଥାନ ନାହିଁ । କେହିବି କହିପାରିବେ ନାହିଁ ମୁଁ ନିର୍ଭୟ, ମୁଁ ଅଜର, ଅମର, ମୁଁ ଶୁଦ୍ଧପୁତ ପବିତ୍ର, ମୁଁ ବଳଶାଳୀ, ବାହୁବଳୀ,  ତ୍ରିଭୂବନ ବିଜୟୀ ଅବା ସଂସାରର ସର୍ବଶ୍ରେଷ୍ଠ ଯୋଦ୍ଧା । ମୁଁ ତ୍ୱ ହିଁ ସବୁ ଦକ୍ଷତା, କ୍ଷମତା ଓ ପରିପୂର୍ଣ୍ଣର୍ତାର ଧ୍ୱସଂର କାରଣ । ସବୁକୁ ସେ ସହିପାରନ୍ତି ତାଙ୍କ ସୃଷ୍ଟିର ଗୋଟିଏ ଉପାଦାନ ଭାବି ମାତ୍ର ମୁଂତ୍ୱ ରୂପୀ ଅହଙ୍କାର ତାଙ୍କ ସୃଷ୍ଟିରେ ସେ କୌଣସି ଗୋଟିଏ ମାତ୍ର ଉପାଦାନରେ ସ୍ଥାନିତ କରି ନାହାଁନ୍ତି । ତେଣୁ ତାକୁ ବରଦାସ୍ତ କରିବେ ବା କିପରି? ମୋର ଆସକ୍ତି ତାଙ୍କ ସହିତ ମିଶିଯିବା ପାଇଁ ଏକ ଦମ୍ଭ ଓ ଅହଙ୍କାରରେ ପରିଣତ ନହେଉ କିମ୍ବା ମୁଁ ତ୍ୱ ମୋର ପାଖ ନମାଡୁ ଏକଥା ମଧ୍ୟ ମୋର ପ୍ରାର୍ଥନାରେ ଥାଏ । 
      ଏ ମାନବ ଜାଣେ ଆତ୍ମବିଶ୍ୱାସ ବିନା ସଂସାରରେ କୌଣସି କାର୍ଯ୍ୟରେ କୃତକାର୍ଯ୍ୟ ହେବା ଅସମ୍ଭବ । ତେଣୁ ପ୍ରତ୍ୟେକ ବୁଦ୍ଧିମାନ ମଣିଷ ତା’ଭିତରେ ଉପସ୍ଥିତ ଥିବା ମୁଁ ଅର୍ଥାତ ଆତ୍ମାକୁ ଗଭୀର ବିଶ୍ୱାସ କରିଥାନ୍ତି । ସମାନେ ଜାଣନ୍ତି ମୋରି ଦିଗଦର୍ଶନ ହିଁ ସେମାନଙ୍କର ବିଜୟଲାଭର ଚିରସତ୍ୟ ମାର୍ଗ ଆଉସବୁ ଅନିଶ୍ଚିତତା । କିନ୍ତୁ ଏଠି ଆଜି ମୋର ଯାତ୍ରାର ନିଶ୍ଚିତତା କେବଳ ସେହି ପରବ୍ରହ୍ମ ପରମାତ୍ମାଙ୍କ ପାଖରେ ତେଣୁ ତାଙ୍କରି ଶରଣ ମୋର ଶେଷ ବିକଳ୍ପ । ଏମିତି ଅନେକ କଥାର ଅଭିସାର ଭିତରେ ମୋର ଚେତା ଚୈତନ୍ୟକୁ ପୁଣିନେଇ ମୋର ଉଦ୍ଦେଶ୍ୟଙ୍କ ଠାରେ ନିବେଶ କରିଦିଏ ।    

*******

ଚତୁର୍ଦ୍ଦଶ ପକ୍ଷ

      ଚତୁର୍ଦ୍ଦଶ ପକ୍ଷର ଆରମ୍ଭ ବେଳକୁ ମୋ ଅଧିଷ୍ଟିତ କାୟା ଗର୍ଭଥଳୀ ଭିତରେ କେତେବେଳେ ନିଦ୍ରା ଯାଉଥାଏ ତ କେତେବେଳେ କଇଁଚପରି ପହଁରୁଥାଏ । ଗର୍ଭଜଳର ଗଭୀରତା ତନୁର ବୃଦ୍ଧି ସହିତ ତା’ପାଇଁ କମିକମି ଯାଉଥାଏ କାରଣ ମୋ ସ୍ଥିତ କଳେବରର ଆକାର ବୃଦ୍ଧି ସହିତ ଗର୍ଭଜଳର ପରିିମାଣ ସେହି ଅନୁପାତରେ ବଢୁ ନଥାଏ । ମୁଁ କ୍ଷୁଦ୍ର ଥିବା ଅବସ୍ଥାରେ ସେ ଜଳଭିତରେ ମତ୍ସ୍ୟ ଭଳି ପହଁରିବାର ଅବକାଶ ମୋ ପାଖରେ ଥିବା ବେଳେ ଏବେ ସେ ତରଳ ଭିତରେ ମୋ ଶରୀର ମତ୍ସ୍ୟ ଆକାରରୁ ଆସି କଇଁଚ ଆକାରରେ ଉପନିତ । ମୋର ଗତି ଆଗଭଳି ପ୍ରଖର ଅବା ତୀବ୍ର ନଥାଏ । ବରଂ ମୋର ଗତି କ୍ରମଶ ସମୀପରେ ସୀମିତ ରହୁଥିବା ବେଳେ ଶରୀରର ଅନ୍ୟ ସମସ୍ତ ଅଙ୍ଗ ଗୁଡିକ କିନ୍ତୁ ତାଙ୍କର ଗତି ଆରମ୍ଭ କରି ସାରିଥାନ୍ତି । ମୋ ହାତ ଗୋଡ ଦୁଇଟିି ଭିତରେ ଆଗକୁ ବେସି ନଇଁକରି ରଖିଥିବା ମସ୍ତଷ୍କଟି ଏବେ ସଳଖି ଯିବା ସହିତ ଗୋଡ ଦୁଇଟି ମଧ୍ୟ ସିଧା ହେଉଥାଏ । ଏମିତି କୁହାଯାଇ ପାରେ ମୁଁ ପାଣିରେ କଇଁଚ ଭଳି କଡ ଲେଉଟାଇବାରେ ସେତେବେଳକୁ ଧୁରନ୍ଧର । ସମୟେ ସମୟେ ଚକ୍ରାକାରରେ ବୁଲିବା ମୋର ପ୍ରବୃତ୍ତି ହୋଇ ସାରିଥାଏ । ହେଲେ ସତରେ ସେ ମା’ ଜଠରରେଏପରି ଗତି କଣ ମୋର ଆନନ୍ଦ ଦାୟୀ ଗତି ନା ଆଉ କଣ? ମୋ ସ୍ଥିତ ଶରୀର ଏହି ମା’ର ଜରାୟୁରେ ସେତେବେଳେ ଗୋଟିଏ ଜଳଚର । ମା’ ସିନା ଶରୀର ପାଇଁ ଶ୍ୱାସ ପ୍ରଶ୍ୱାସ କରି ଚାଲିଥାଏ ଯାହା ସେ ଶରୀରର ଜୀବନ ଭାବେ ବିବେଚିତ ହେଉ ଥାଏ ମାତ୍ର ମୋ ଶରୀର ତା’ ନାସା ପଥ ଦେଇ ଅପରିପକ୍ୱ ଫୁସଫୁସକୁ ଗର୍ଭଜଳରୁ ଥୋଡେ ଶୋଷାଡି ନେଇ ପୁନଶ୍ଚ ଛାଡିଦେଉ ଥାଏ । ଏପରି ସେ ଗର୍ଭଜଳର 
ନାସାପଥ ଦେଇ ବାରମ୍ବାର ଯିବା ଆସିବାଟା ମୋର ଫୁସ୍‌ଫୁସ୍‌ର ଗଠନର ଏକ ଅନ୍ତର୍ନିହିତ କ୍ରିୟା । ଜନ୍ମ ପରେ ମୋ ସ୍ଥିତ ଶରୀର ଆଉ ଜଳଚର ହୋଇ ରହିବ ନାହିଁ । ସେ ହେବ ଏକ ସ୍ଥଳଚର । ସେ ଏଭଳି ସ୍ଥଳଚର ହେବ ଯେ ଯେଉଁ ଗର୍ଭଜଳ ଭିତରେ ଦିନେ ଦୀର୍ଘ ଦଶମାସ ଧରି ଜୀବନ ବିତେଇଥିଲା ଗର୍ଭ ବାହାରେ ଜଳ ଭିତରେ ରହି ଜୀବନ ଧାରଣ କରିବା ତା’ ପକ୍ଷେ ଅସମ୍ଭବ ହୋଇ ପଡିବ । ପାଣିରେ ବୁଡିଗଲେ ତା’ର ସେହି ନାସାପଥ ଦେଇ ଜଳ ଫୁସ୍‌ଫୁସ୍‌ରେ ପହଞ୍ôଚଯିବ ଓ ପ୍ରତିଟିି ହୃଦ୍‌ସ୍ପନ୍ଦନରେ ହୃତପିଣ୍ଡ ଆବଶ୍ୟକ କରୁଥିବା ଅମ୍ଳଜାନ ତାକୁ ସେ ଫୁସ୍‌ଫୁସ୍‌ରେ ଜମା ହୋଇଥିବା ଜଳରୁ ମିଳି ପାରିବ ନାହିଁ । ପରିଣାମ ହେବ ମୃତ୍ୟୁ । 
      ଜନ୍ମପରର ଜୀବନରେ ନାସାପଥ ତା’ର ହେବ ଶ୍ୱାସ ପ୍ରଶ୍ୱାସର ପଥ । ବାୟୁ ମଣ୍ଡଳରୁ ସେହି ପଥ ଦେଇ ଅହରହ ହୃଦୟର ପ୍ରତିଟି ସ୍ପନ୍ଦନରେ ଫୁସ୍‌ଫୁସ୍‌କୁ ଅମ୍ଳଜାନ ପ୍ରବେଶ କରିବ ଓ ଫୁସ୍‌ଫୁସ୍‌କୁ ଆସିଥିବା ଅପରିଷ୍କାର ରକ୍ତକୁ ପରିଷ୍କାର କରି ଜୀବନକୁ ଜୀବନ୍ତ ରଖିବ । ତେଣୁ ଆଜି ମୋର ଏ ନାସାପଥ ଦେଇ ପ୍ରବେଶ କରୁଥିବା ଗର୍ଭଜଳ କେବଳ ଭବିଷ୍ୟତ ପାଇଁ ଫୁସ୍‌ଫୁସ୍‌କୁ ପ୍ରସ୍ତୁତ କରିବାରେ ଲାଗିଥାଏ । ତୁମେ ଟିକେ ଭାବ, ଦେଖିବ ମନୁଷ୍ୟ ହେଉଛି ସଂସାରର ସର୍ବଶ୍ରେଷ୍ଠ ଚତୁର ପ୍ରାଣୀ । ତା’ ଦେହରେ ମଙ୍ଗଳମୟ ବିଶ୍ୱନିୟନ୍ତା ଭରି ଦେଇଛନ୍ତି ଦିବ୍ୟ ଜ୍ଞାନ । ଚିନ୍ତା କରିବାର ଶକ୍ତି ତା’ର ସ୍ୱତନ୍ତ୍ରତା ଓ ଜଗତକୁ ଜାଣିବାର ଆୟୁଧ । ଚିନ୍ତା ବଳରେ ସେ ଅସାଧ୍ୟ ସାଧନ କରିପାରେ । ପ୍ରକୃତି ବିରୋଧରେ ସେ ସଂଗ୍ରାମ କରିଚାଲେ । କେଉଁଟା ତା’ର ଶାରିରୀକ, ମାନସିକ ଓ ଆତ୍ମୀକ ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ଲୋଡା ଆଉ କେଉଁ ଗୁଡିକ ଅଲୋଡା ସେ ତାହାର ସୂକ୍ଷ୍ମରୁ ସ୍ଥୁଳତ୍ୱକୁ ଓ ସ୍ଥୁଳରୁ ସୂକ୍ଷ୍ମତ୍ୱକୁ ନେଇ ବୁଝିପାରେ । 
      ପ୍ରତିଟି ପଦାର୍ଥଠାରୁ ଆରମ୍ଭ କରି ପ୍ରତିକ୍ରିୟାକୁ ସେ ତା’ର ଚିନ୍ତା କରିବାର ଶକ୍ତିରେ ବିଶ୍ଳେଷଣ ଓ ସଂଶ୍ଳେଷଣ କରିପାରେ । ସଂଘଟିତ ପ୍ରାକୃତିକ ପ୍ରତିକ୍ରିୟାର ଦିଗ ବଦଳେଇବାରେ କିମ୍ବା ପ୍ରକୃତିକ ପ୍ରତିକ୍ରିୟାକୁ କୃତ୍ରିମରେ ପରିଣତ କରିବାରେ ତା’ର ଦକ୍ଷତାର ପଟ୍ଟାନ୍ତର ନାହିଁ । ଅହରହ ଜୀବନରେ ବ୍ୟତିବ୍ୟସ୍ତ ଜିଜ୍ଞାସାର ପରିଧି ଭିତରେ ତା’ର ବୁଭୁତ୍ସା ତା’କୁ  ପ୍ରକୃତିବାଦୀରେ ପରିଣତ କରି ଦେଇଛି । ସମସ୍ତ ମାନବ ପାଖରେ ଜାଣିବାର ଇଚ୍ଛା ତ ନିଶ୍ଚୟ ତା’ର ଜନ୍ମିତ ଗୁଣ ଭିତରେ ଲୁକାୟିତ ମାତ୍ର କେତେକ ମାନବଏଭଳି ଆଚରଣର ପ୍ରଣେତାରେ ପୂରକୃତ । ସେହିମାନେ ହିଁ ଏ ମାନବ ସମାଜର ଜୀବନ ଧାରଣର ଦିଗ ଓ ବେଗ ନିର୍ଣ୍ଣୟ କରିଥାନ୍ତି । ଏ ମାନବ ସମାଜ ତାଙ୍କୁ ବୈଜ୍ଞାନିକର ଆଖ୍ୟା ଦିଏ ମାତ୍ର ମୋ ମତରେ ଏମାନେ ହେଉଛନ୍ତି ଏ ସଂସାରର ଜୀବନ୍ତ ଭଗବାନ । ଏହାର କାରଣ ମୁଁ ତୁମକୁ ତିଳ ମାତ୍ର ସୂଚଉଛି । ମାନବ ବିଶ୍ୱାସ କରେ ଯେ ଜଗତ କର୍ତ୍ତାଙ୍କ ବିନା ଇଙ୍ଗିତରେ ବୃକ୍ଷରେ ପତ୍ରଟିଏ ହଲେ ନାହିଁ । ସମସ୍ତ ସୁଖ, ଦୁଃଖ, ଜରା, ବ୍ୟାଧି,  ଶୋକ, ରୋଗ, ଶାନ୍ତି, ଆନନ୍ଦର ସେ ହିଁ ବିନ୍ଧାଣୀ । ସେ କ୍ଷଣିକରେ ସୁଖକୁ ଦୁଃଖରେ ବଦଳେଇ ପାରନ୍ତିତ     
ରୋଗୀ କୁ ନିରୋଗ, ଅଶାନ୍ତକୁ ଶାନ୍ତ ଓ ନିରାନନ୍ଦକୁ ଆନନ୍ଦରେ । ତାଙ୍କର ଏ ସବୁ ଅଲ୍ୟୈକିକତା’କୁ ମାନବ ଅନୁଭବ କରିଛି ଯାହାଏହି କ୍ଷୁଦ୍ର ଉଦାହରଣରୁ ପ୍ରମାଣିତ ହୋଇ ପାରିବ । ମ୍ୟାଲେରିଆ ରୋଗରେ ପିଡୀତ ବ୍ୟକ୍ତି ଯଦି ଚିକିତ୍ସିତ ନହୁଏ ତେବେ ମୃତ୍ୟୁ ସୁନିଶ୍ଚିତ । ତେଣୁ ସେ ସମୟରେ ମାନବ ବଇଦଙ୍କର ସାହାଯ୍ୟ ନେଇଥାଏ । ବଇଦ ମ୍ୟାଲେରିଆରୁ ମୁକ୍ତ କରିବା ପାଇଁ ମାଧ୍ୟମ ସାଜେ । ରୋଗୀକୁ ଔଷଧ ଦିଏ । 
      ହେଲେ ମ୍ୟାଲେରିଆ ପାଇଁ ଯେଉଁ ଔଷଧ ପ୍ରୟୋଗ କରେ ସେ ଔଷଧର ଉଦ୍ଭାବକ କିଏ?  ଦିନେ ସେହି ମ୍ୟାଲେରିଆର କାରଣ ଜାଣିବା ପାଇଁ ଯେଉଁ ବ୍ୟକ୍ତି ସକାଳୁ ସକାଳୁ ଘରଘର ବୁଲି ପ୍ରତ୍ୟେକଙ୍କ ନଳା ପହଣିରୁ ମଶା ସଂଗ୍ରହ କରୁଥିଲା ଅନେକ ଲୋକ ତାକୁ ପାଗଳ ବୋଲି ବିବେଚନା କରିଥିବେ । ମାତ୍ର ସେ ଥିଲା ତା’ ଚିନ୍ତାରେ ଅଟଳ ଠିକ୍ ବିଶ୍ୱନିୟନ୍ତାଙ୍କ ପରି । ତା’ର ଲକ୍ଷଥିଲା ମ୍ୟାଲେରିଆର କାରଣର ଜିଜ୍ଞାସା । ତା’ ନିଜ ଜୀବନର ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟକୁ ଭୁଲି ବସିଥିଲା ସେ । ମାତ୍ର ମ୍ୟାଲେରିଆର କାରଣ ଖୋଜିବାରେ ତାକୁ ମିଳୁଥିଲା ଅପରିମିତ ଆନନ୍ଦ । ସେ ସହି ପାରି ନଥିଲା ମ୍ୟାଲେରିଆ ପୀଡିତ ମାନବର ଦୁଃଖ ଓ ବେଦନାକୁ ଓ ପରିଶେଷରେ ମୃତ୍ୟୁକୁ । ତେଣୁ ନିଜେ ଲଢି ପଡିଥିଲା ପ୍ରକୃତି ସହିତ । 
      ସେ ଏହା ଭଲଭାବରେ ଜାଣିଥିଲା ପରମାତ୍ମା ଏ ଜଗତରେ ଯାହା ବି ସୃୁଷ୍ଟି କରନ୍ତି ତା’ ମୂଳରେ ଗୋଟିଏ ନିର୍ଦ୍ଧିଷ୍ଟ କାରଣ ରଖିଥାନ୍ତି । ଆଉ ପ୍ରତ୍ୟେକ ସ୍ପଷ୍ଟ କାରଣକୁ ବୁଝିଗଲେ ତା’ର ପରିବର୍ତ୍ତନ ମଧ୍ୟ କରିହେବ । ମାତ୍ର ସବୁ ପରିବର୍ତ୍ତନ ମନୁଷ୍ୟ ମସ୍ତିଷ୍କର ସୀମାରେଖା ଭିତରେ ସମ୍ଭବ ନୁହେଁ କିନ୍ତୁ ଏହା ସତ୍ୟ ଯେ ମଙ୍ଗଳମୟ ଯେଉଁ ସବୁ ପ୍ରତିକ୍ରିୟା ସୃଷ୍ଟି କରିଥାନ୍ତି ତାହା ପଛରେ ଏକ ନିର୍ଦ୍ଦିଷ୍ଟ କାରଣ ହେଉଛି ପ୍ରକୃତିର ସନ୍ତୁଳନତା । ତେଣୁ ଏ ରୋଗ ମାଧ୍ୟମରେ ମନୁଷ୍ୟର ମୃତ୍ୟୁ ତା’ର ଏକ ଶାଖା । ଏଭଳି ରୋଗରେ ମରିବାଟା ଦିବ୍ୟଜ୍ଞାନରେ ଭୂଷିତ ମଣିଷ ବିଚାର କରେ ଏହାକୁ ବଦଳେଇ ଦିଆଯାଇ ପାରିବ । ଏଥିରେ କରୁଣାମୟ ମଧ୍ୟ ସହଯୋଗ କରିବେ । ସେ ଯେଉଁ ରୋଗ ସୃଷ୍ଟି କରିଛନ୍ତି ସେ ରୋଗର ଉପଚାର ମଧ୍ୟ ଏ ସୃଷ୍ଟିରେ ଭରି ରଖିଛନ୍ତି । 
      ତେଣୁ ସେଭଳି ଗୁଢ ଚିନ୍ତକ ମନୁଷ୍ୟ ତା’ର ଜୀବନର ସମସ୍ତ ବାସ୍ତବ ସୁଖକୁ ଭୁଲିବସି ଲାଗିପଡେ ଅନୁସନ୍ଧାନରେ । ମ୍ୟାଲେରିଆର କାରଣକୁ ଖୋଜି ବାହାର କରେ ଓ ଅନ୍ତରେ ତା’ର ପ୍ରତିକାରର ପ୍ରାବଧାନକୁ  ପ୍ରସ୍ତୁତ କରିବାରେ ହୁଏ କୃତକାର୍ଯ୍ୟ । ତେଣୁ ସମଗ୍ର ବିଶ୍ୱରେ ମ୍ୟାଲେରିଆରେ ମରୁଥିବା ଲକ୍ଷଲକ୍ଷ ଲୋକମାନଙ୍କର ଜୀବନ ବଞ୍ଚେଇବା ପାଇଁ ଯେଉଁ ମାନବ ଦିନେ ନୁହଁ ଦୁଇଦିନ ନୁହଁ ତା’ ମନ୍ଦସାନର ଅନେକ ବର୍ଷକୁ ସମୟର କାଳଗର୍ଭରେ ନିକ୍ଷେପ କରି ନିଜର ଶ୍ରମ, ଚିନ୍ତା ଓ ବୁଦ୍ଧି ବଳରେ ଉଭାବନ କରେ ବିଷଲ୍ୟକରଣୀ କୁଇନାଇନ୍‌, ତେବେ   
ସେ ଭଗବାନ ନୁହେଁ ତ ଆଉ କଣ । ମାନବ ମନ୍ଦିର ଯାଏ ରୋଗର ଉପସମ ପାଇଁ । ପ୍ରାର୍ଥନା କରେ ଶାରିରୀକ ଓ ମାନସିକ କଷ୍ଟର ନିଦାନ ପାଇଁ । ପରମେଶ୍ୱର ତା’ ଅଚିରେ ପ୍ରଦାନ କରିଥାନ୍ତି  । ହେଲେ ଏ ଇହ ଜଗତରେ ପରମେଶ୍ୱର ଓ ବୈଜ୍ଞାନିକଙ୍କ ଭିତରେ ଏତିକି ଭିନ୍ନତା ବୈଜ୍ଞାନିକ ସେହି ପରମେଶ୍ୱରଙ୍କ ସୃଷ୍ଟିରେ ତାଙ୍କରି ସୃଷ୍ଟି ପଦାର୍ଥମାନଙ୍କୁ ପରିବର୍ତ୍ତନ କରି ହେଉ ଅବା ସିଧାସଳଖ ଖଞ୍ଜି ରଖିଥିବା ପଦାର୍ଥକୁ ନେଇ ରୋଗ ନିବାରକ ଓ କଷ୍ଟ ନିବାରକ ଅଗଦକୁ ପ୍ରସ୍ତୁତ କରେ ମାତ୍ର ପରମେଶ୍ୱର ଚାହିଁଲେ ବିନା ରୋଗହାରୀର ପ୍ରୟୋଗରେ ରୋଗ ଓ କଷ୍ଟକୁ ସବୁକିଛି ମୁହୁର୍ତ୍ତକେ ଶରୀରରୁ ନେଇ ଯାଆନ୍ତି । ମାତ୍ର ଉଭୟ କାର୍ଯ୍ୟ ପ୍ରଣାଳୀର ସେହି ବିଶ୍ୱ ସୁତ୍ରଧର ହିଁ ମୂଖ୍ୟ । 
      କିନ୍ତୁ ଯେଉଁ ମାନବ ଭଗବାନଙ୍କର ଆଶୀର୍ବାଦର କାର୍ଯ୍ୟକୁ ନିଜ ପ୍ରସ୍ତୁତ ଔଷଧ ମାଧ୍ୟମରେ କରିପାରେ ସେ ଭଗବାନ ନୁହେତ ଆଉ କଣ?  ଅନ୍ୟର ସୁଖ ପାଇଁ ଯେ ନିଜ ଜୀବନର ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟକୁ ଭୁଲିବସେ  ସେ ଭଗବାନ ନୁହେଁ ତ ଆଉ କଣ । ଏ ଜଗତରେ ନେତାମନ୍ତ୍ରୀ ସମସ୍ତେ ଚାହାନ୍ତି ତାଙ୍କ ବେକରେ ଫୁଲମାଳ ପଡୁ । ତାଙ୍କୁ ଲୋକେ ପ୍ରଶଂସା କରନ୍ତୁ । ତାଙ୍କ ଜୟଗାନ କରନ୍ତୁ । ସେଥିପାଇଁ ସେମାନେ ଜୀବନ ବ୍ୟାପୀ ସଂଗ୍ରମା କରି ଚାଲିଥାନ୍ତି । ଜନସେବାର ଆଳରେ ସେମାନେ ଅନେକ ଅନ୍ୟାୟ ମଧ୍ୟ କରିଥାନ୍ତି । ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ନିଜ ନେତା ମାନ୍ୟତାକୁ ବଜାୟ ରଖିବା ପାଇଁ କେତେଯେ ଯତ୍ନ ଓ ଉପାୟ ସେମାନେ କରନ୍ତି ତା’ର ହିସାବ ନାହିଁ । ମାତ୍ର ଏ ବୈଜ୍ଞାନିକ ବିଦିତ ମନୁଷ୍ୟ ତିଳେହେଲେ ଚାହିଁ ନଥାଏ ପ୍ରଶଂସା ଅବା ପ୍ରତିଷ୍ଠା । ତା’ର ଜୀବନ ଏକ ଦିଗ ମୁଖୀ । ମାନବ ଜୀବନକୁ ନୂତନତ୍ୱ ଦେବା ତା’ର ମୌଳିକ ଧର୍ମ ବୋଲି ସେ ବିବେଚନା କରେ । ଅଜଣା ବିଶ୍ୱରେ କଣ ଅଛି ତାକୁ ଏ ଜଗତବାସୀଙ୍କୁ ଜଣାଇବା ପାଇଁ ସେଭଳି ମାନବମାନେ ଅହରହ କ୍ରିୟାଶୀଳ । ଜିତନ୍ତି ମଧ୍ୟ । 
      ଆଜି ଏ ଜଠରର ସମସ୍ତ ପରିବର୍ତ୍ତନକୁ ସେହି ଭଳି ମାନବମାନେ କାଗଜ ପୃଷ୍ଠା ମାନଙ୍କରେ ଲେଖିଦେଇ ଯାଇଛନ୍ତି । ଏଠି ସନାତନ ଭଳି ମାନବ ଆଜି ନିଜ ସନ୍ତାନର ଜନ୍ମ ବୃତ୍ତାନ୍ତକୁ ଅନୁଭବ କରିବା ସହିତ ତା’ର ଅନୁସନ୍ଧାନର ଲିପି ଏକ ଅଭୁଲା ନିବନ୍ଧ ହେବ ତାହା ସେ ଭଲଭାବରେ ଜାଣିଥାଏ । ସେ ଯେଉଁ କ୍ରିୟା ପ୍ରକ୍ରିୟାରେ ପରିବର୍ତ୍ତନ ଓ ସ୍ୱତନ୍ତ୍ରତ୍ୱ ସତ୍ତ୍ୱରୀମା ଜରାୟୁରେ ଦେଖେ ଓ ଅନୁଭବ କରେ ତାକୁ ତା’ର ନିବନ୍ଧରେ ସ୍ଥାନିତ କରୁଥାଏ ଯାହା ପରପିଢୀର ମାନବ ପାଇଁ ହେବ ଗର୍ଭ ଜ୍ଞାନର ଏକ ପ୍ରାମାଣିକ ଦସ୍ତାବିଜ୍ । 
      ସନାତନ ଜାଣେ ଏ ଚତୁର୍ଦ୍ଦଶ ପକ୍ଷର ପ୍ରଥମାର୍ଦ୍ଧ ବେଳକୁ ଶିଶୁଟିର ଓଜନ ପାଖାପାଖି ନଅଶହ ଗ୍ରାମ୍ ହେବା ସହିତ ଲମ୍ବ ସାଢେ ଚଉଦଇଞ୍ଚ୍ ହୋଇଥିବ । ତା’ର ଏହି ଲମ୍ବ ତା’ର ପାଦରୁ ମସ୍ତଷ୍କ ପର୍ଯ୍ୟନ୍ତ ମାପକୁ ବୁଝେଇବ । ଶିଶୁଟି ବର୍ତ୍ତମାନ ବେଳେବେଳେ ଶୋଇ ପଡୁଥିବ ଓ ବେଳେବେଳେଏଣେ ତେଣେ ଗତି କରିବାରେ ଲାଗୁଥିବ । ତା’ର ଛୋଟ ଛୋଟ ଆଖିକୁ ସମୟେ ସମୟେ ଖୋଲୁଥିବ ଓ  ପୁଣି ବନ୍ଦ କରି ଦେଉଥିବ । ଏମିତି ବି ସମୟେ ସମୟେ ଶିଶୁଟି ତାର ଆଙ୍ଗୁଠିକୁ ଚୁଚୁମିବାର ଦେଖାଯିବ । ଏହି ସମୟରେ ଶିଶୁର ମସ୍ତିଷ୍କ ଆଗ ଅପେକ୍ଷା ତୀବ୍ର ଭାବରେ କାମ କରୁଥିବ । ଯଦିଓ ତା’ର ପୁସ୍‌ଫୁସ୍ ବର୍ତ୍ତମାନ ସ୍ୱୟଂ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନୁହେଁ ତଥାପି ତା’ର ଗଠନରେ ଉନ୍ନତି ସେମିତି ଧୀର ଭାବରେ ଚାଲୁ ରହିଥିବ । ଖୁସିର କଥା ଏହି ସମୟରେ ପିଲାଟି ବେଳେବେଳେ ହାକୁଟି ମାରିବା ଆରମ୍ଭ କରି ଦେଇଥିବ ଯେଉଁ ଶଦ୍ଦକୁ ମା’ମଧ୍ୟ ଭାବରେ ରହିଲେ ଜାଣିପାରିବ । ଏହି ହାକୁଟି କିଛି ସେକେଣ୍ଢ ପାଇଁ ହୋଇଥାଏ । ତେଣୁ ସତ୍ତ୍ୱରୀମାକୁ ଏହି ଶଦ୍ଦ ଗୋଟିଏ ନିଆରା ଅନୁଭବ ପ୍ରଦାନ କରୁଥିବ ।
      ଦେଖିବାକୁ ଗଲେ ପିଲାଟି ବର୍ତ୍ତମାନ ଗୋଟିଏ ଫୁଲକୋବିର ମୁଣ୍ଡ ଆକାରର ହୋଇଥିବ । ଏହା ସହିତ ସତ୍ତ୍ୱରୀମାର ଶାରିରୀକ ପରିବର୍ତ୍ତନ ସହିତ ତା’ର ସାମୟିକ ଶାରିରୀକ ଅନୁଭବରେ ଟିକେ ପରିବର୍ତ୍ତନ ଘଟୁଥିବ । ତା’ର ଦୁଇପାଦ ଟିକେ ଫୁଲିଲା ଭଳି ଦେଖା ଯାଉଥିବ । ତା’ର ପିଠି ଯନ୍ତ୍ରଣାକୁ ବେଳେବେଳେ ତାକୁ ଅନୁଭବ କରିବାକୁ ପଡୁଥିବ । 
      ସତ୍ତ୍ୱରୀମାର ଭାବନାର ସୀମା ସରହଦ୍ ସେମିତି କିଛି ନିର୍ଦ୍ଧିଷ୍ଟ ନଥାଏ । ଅମାନିଆ ଆକାଙ୍‌କ୍ଷା ଗୁଡିକ ଅନାବନା ତୃପଳା ପରି ତାର ଅନଙ୍ଗ ଧରିତ୍ରୀରେ ଲଟେଇ ଚାଲିଥାନ୍ତି । ଖୁସି ଆଉ ଆନନ୍ଦର ବସନ୍ତରେ ତା’ର ଜୀବନ ଆଜି ଉଲ୍ଲସିତ । ମାତୃତ୍ୱର ଅଭିରରେ ରଙ୍ଗି ହୋଇ ଚାଲିଥାଏ ତା’ର ପ୍ରତି ମୁହୂର୍ତ୍ତରେ କଳ୍ପନା । ଏପରି ସବୁ ଆମୋଦିତ ଭାବନା ତାକୁ ଗର୍ଭ କଷଣରୁ ମୁକ୍ତ ରଖିବାରେ ଗୋଟିଏ ବଡ ଭୂମିକା ନେଭେଇ ଚାଲିଥାନ୍ତି । 
      ମୁଁ କିନ୍ତୁ  ଏ ମାନବର କେତେକ ପ୍ରକୃତି ବିରୋଧୀ କାମରେ ଓ ଏ ଭବ ମାୟାର ସଂସ୍ପର୍ଶରେ ମର୍ମାହତ ହୋଇ ପଡେ । ଜଠରରେ ଜୀବନର ପରିବ୍ୟାପ୍ତ ଘଟିଲେ ସେ ଆପେ ଆପେ ମାତୃଗର୍ଭରୁ ଭୂମିଷ୍ଠ ହୋଇଯିବ ଯାହା ଏ ପ୍ରକୃତିର ନିୟମ । ହଁ ଅନେକ ସମୟରେ ଏହା ଅତ୍ୟନ୍ତ ଜରୁରୀ ହୋଇପଡେଯେ ପ୍ରାକୃତିକ ପ୍ରସବ ପୂର୍ବରୁ କୃତ୍ରିମ ପ୍ରସବ ଏକାନ୍ତ ଆବଶ୍ୟକ । ନଚେତ୍ ମା’, ଶିଶୁ କିମ୍ବା ଉଭୟେ ମୃତ୍ୟୁ ବରଣ କରିପାରନ୍ତି । ଏଭଳି ପରିସ୍ଥିତିରେ ମୋତେ ମାନବର ବୁଦ୍ଧି ଓ ବୈଜ୍ଞାନିକ ଜ୍ଞାନ ଖୁବ୍ ଭଲ ଲାଗେ । ଏହା ପ୍ରକୃତିର ବିରୋଧରେ ଗଲେ ମଧ୍ୟ ପରମେଶ୍ୱରଙ୍କ ସୃଷ୍ଟିକୁ ସୁରକ୍ଷିତ ରଖିବାରେ ସହାୟକ ହୋଇଥାଏ । 
      ଯେତେବେଳେ ଜଠରରେ ଶିଶୁ ଅସୁରକ୍ଷିତ ଅବସ୍ଥା ସାମନା କରେ ଅବା ଜଠରରେ ଏକାଧିକ ସନ୍ତାନ ବଢୁଥାନ୍ତି ସେ ସମୟରେ ମା’ର ଉଦର ଚିରାଯାଇ ସନ୍ତାନ ପ୍ରସବ କରେଇବା ନିହାତି ଆବଶ୍ୟକ ଓ ଏହା ବାଞ୍ଛନୀୟ ମଧ୍ୟ । ମାତ୍ର ଅନେକ ସମୟରେ ଡାକ୍ତର ଅବା ଡାକ୍ତରଙ୍କ ଆର୍ଥୀକ ଲୋଭ କିମ୍ବା ଗର୍ଭବତୀର ପ୍ରସବ ବେଦନାକୁ ଭୟ ଅପ୍ରାକୃତିକ ପ୍ରସବକୁ ପ୍ରୋତ୍ସାହିତ କରିଥାଏ ।   ଏଠାରେ ତୁମେ ମନେରଖିବା କଥା ଯେ ପ୍ରକୃତିଦତ୍ତ ସମସ୍ତ ପ୍ରାକୃତିକ କ୍ରିୟା ପ୍ରତିକ୍ରିୟାରେ ଉତ୍ପନ୍ନ ସମସ୍ତ ପଦାର୍ଥ ତା’ର ମୂଳ ନିସର୍ଗକୁ ହରାଇନଥାଏ । ସେହିପରି ପ୍ରାକୃତିକ ପ୍ରସବରେ ଜନ୍ମିତ ଶିଶୁର ରୋଗ ପ୍ରତିରୋଧକ ଶକ୍ତିଠାରୁ ଆରମ୍ଭ କରି ତା’ର ଶାରିରୀକ ଓ ମାନସିକ ବିକାଶ ଏକ ଅନନ୍ୟ ଢଙ୍ଗରେ ହୋଇଥାଏ । ମାତ୍ର ଅନାବଶ୍ୟକ ସ୍ଥଳେ ପେଟ ଚିରି ପ୍ରସବ କରେଇବା ଦ୍ୱାରା ଜଠରସ୍ଥ ଶିଶୁ ନିଜର ସସତ୍ତ୍ୱ ଠାରୁ ଆପେ ଆପେ ଦୂରେଇଯାଏ । ତେଣୁ ସେ ଶିଶୁର ଆବେଗିକ ଆଚରଣ ଜନ୍ମଠାରୁ ହିଁ ବାଧାପ୍ରାପ୍ତ ହୋଇଥାଏ ।
      ଏଠାରେ ଅନ୍ୟ ଏକ ଯୁକ୍ତି କିଏ ଉପସ୍ଥାପନ କରିପାରନ୍ତିଯେ ଯଦି ଶିଶୁ ଗର୍ଭରେ ଥିବା ଅବସ୍ଥାରେ ଅନେକ କିଛି କଥା ଶିଖି ମନେ ରଖିଥାଏ ତେବେ ଅପ୍ରାକୃତିକ ପ୍ରସବ ପରେ ତା’ରତ ସବୁ ମନେରହିବା କଥା କାରଣ ଏଠିତ ଆଉ ଯୋନିପଥ ଦେଇ ଯାତ୍ରା କଲାବେଳେ ଶିଶୁ ଯେଉଁ ଶାରିରୀକ କଷ୍ଟ ଦେଇ ଗତି କରେ ସେମିତି କିଛି ନଥାଏ । ଶିଶୁ ଶରୀରତ କୌଣସି ଶାରିରୀକ କଷ୍ଟର ସମ୍ମୁଖୀନ ହିଁ ହୁଏ ନାହିଁ ତେବେ ଉଦର ଦେଇ ଜନ୍ମିତ ଶିଶୁ ସେମିତି କିଛି ଗର୍ଭ ଆହରିତ ଜ୍ଞାନ  ବିଷୟରେ ମନେତ ରଖି ନଥାନ୍ତି । 
      ଏହା ଏକ ଯୁକ୍ତି ସଙ୍ଗତ ତର୍କ । ହେଲେ ଏଠି ଭୂଲି ବସିବା ଉଚିତ ନୁହେଁଯେ ଯେତେବେଳେ ମା’ର ଉଦର ଚିରା ଯାଏ ସେତେବେଳେ ମା’ର ଶରୀର ଅଚେତ ଅବସ୍ଥାରେ ଥିବାସତ୍ୱେ ସେ କଷ୍ଟ ଅନୁଭବ କରେ । ମା’ ସଲଗ୍ନ ଫୁଲ ଓ ନାଭିନାଡା ମଧ୍ୟ ଏ କଷ୍ଟକୁ ଶିଶୁ ମସ୍ତିଷ୍କକୁ ପ୍ରେରଣ କରିଥାଏ । ତେଣୁ ଶିଶୁ ମା’ ଭଳି ଅଚେତ ଅବସ୍ଥାରେ ହିଁ ସେ କଷ୍ଟକୁ ଅନୁଭବ କରେ ଓ ପ୍ରାୟ ସମସ୍ତ ଗର୍ଭଜ୍ଞାନକୁ ପାଶୋରି ପକାଏ । ସେମିତି ବି ସେ ସବୁକିଛି ପାଶୋରି ନଥାଏ । ପ୍ରାକୃତିକ ଜନ୍ମପରି ତା’ର ଜୀବନର ଗତି ମାତୃ ଗର୍ଭଜ୍ଞାନ ଆଧାରିତ ଦିଶାରେ ହିଁ ହୋଇ ଥାଏ । ତେଣୁ ପ୍ରକାରାନ୍ତେ ବିଚାର କଲେ ଶିଶୁ ସ୍ତ୍ରୀବଣ ଦେଇ ନିସର୍ଗଜ ଭାବେ ଜନ୍ମ ହେଉ ଅବା କଞ୍ଜର ଦେଇ ଅସ୍ୱାଭାବିକ ଭାବେ ଜନ୍ମ ହେଉ ଉଭୟ କ୍ଷେତ୍ରରେ ଯନ୍ତ୍ରଣା ସୁନିଶ୍ଚିତ । ଏହିତ ମାନବ ଜୀବନ ଚକ୍ରର ଧ୍ରୁବସତ୍ୟ ।
      ଏହା ତୁମେ ଭୂଲିବା ଉଚିତ ନୁହେଁ, ମୁଁ ଯେତେବେଳେ ମାନବ ଶରୀରରେ ନିଜକୁ ଏକାନ୍ତ କରିନିଏ ମୁଁ ସେତେବେଳେ ମୋର ସମସ୍ତ କ୍ଷମତାର ସ୍ୱତ୍ୱବାନ ହୋଇ ଉଠେ । ମାତ୍ର ଯେତେବେଳେ ମୁଁ ମୋ ଅଧିଷ୍ଠିତ ଶରୀର ସଂସର୍ଗରେ ରହେ ମୋର ସେ ସମସ୍ତ ଅଲୌକିକ ଗୁଣକୁ ହରେଇ ବସେ । ଭୂଲିଯାଏ ମୋ ସହିତ ବିତିଥିବା ସମସ୍ତ ଜୀବନ ବୃତ୍ତାନ୍ତ । ଭୂଲିଯାଏ ମୋର ଐଶ୍ୱର୍ଯ୍ୟକୁ । ସତ୍ତ୍ୱରୀମାର ଜରାୟୁରେ ମୁଁ ଯେତେବେଳେ ମୋ ସ୍ଥିତ ଶରୀରରେ ଅଧିରୁଢ ଥିଲି ସେତେବେେଳେ ସେ ଶରୀରର ସଂସର୍ଗରେ ମୁଁ ସମୟେ ସମୟେ ସବୁକିଛି ଭୁଲି ବସୁଥିଲି । ଏମିତି ମଧ୍ୟ ବେଳେବେଳେ ସଂସାର ମାୟାର ସେ ମାୟାବିକ ଆକର୍ଷଣରୁ ମୁଁ ଅଲଗା ହୋଇ        ପାରୁନଥିଲି । ମାତ୍ର ଆଜି ତୁମର ଆଧ୍ୟାତ୍ମଜ୍ଞାନ ବଳରେ ତୁମେ ମୋତେ ତୁମ ଶରୀରରୁ ବିଛିନ୍ନ କରିବାରେ ସମର୍ଥ ହୋଇଛ ଯାହା ଫଳରେ ଆଜି ମୁଁ ମୋର ପୂର୍ଣ୍ଣ ସ୍ୟୈଶ୍ରୟରେ ବିତେଇଥିବା ଗର୍ଭଗତ ଜ୍ଞାନ ସବୁ ତୁମ ଆଗରେ ପ୍ରକାଶ କରିପାରୁଛି । ସେତେବେଳେ ତୁମେ ହିଁ ମୋର ଅଧିଷ୍ଠିତ ଶରୀର ଥିଲ । ଆଜି ମଧ୍ୟ ଅଛ । ସେତେବେଳେ ଦହ୍ରଯାତ୍ରାର ଶେଷ ଅର୍ଦ୍ଧାଂଶ ବେଳକୁ ମୁଁ ମୋର ଈଶ୍ୱରୀୟ ବୈଭବକୁ ହରାଇ ବସିଥାଏ । ତଥାପି ସବୁର ପରେ ମୋର ସେ ପରବ୍ରହ୍ମ ପରମାତ୍ମାଙ୍କ ସହିତ ଯୋଗକୁ ମୁଁ ଅଚଳ ରଖି ଚାଲିବାରେ ସକ୍ଷମ ଥାଏ । 
      ଦ୍ୱିତୀୟାର୍ଦ୍ଧର ଶେଷ ବେଳକୁ ସନାତନର ଜ୍ଞାନ କହୁଥାଏଯେ ବର୍ତ୍ତମାନ ଶିଶୁର ଲମ୍ବ ପ୍ରାୟ ପନ୍ଦର ଇଞ୍ôଚ ହୋଇ ସାରିଥିବ ଓ ଏହାର ଓଜନ ଏକ କିଲୋଗ୍ରାମ୍ ଠାରୁ ଅଧିକ ହୋଇଥିବ । ସେ ବର୍ତ୍ତମାନ ତା’ର ଆଖିପତା ମନ ଇଚ୍ଛାରେ ପକେଇ ପାରୁଥିବ । ତା’ର ଆଖିର ଦେଖିପାରିବାର କ୍ଷମତା ଖୁବ୍ ଜୋରରେ ବଢୁଥିବ । ଏମିତି ବାହାରେ ପ୍ରଜ୍ଜ୍ୱଳିତ ଆଲୋକକୁ ମା’ ପେଟ ଦେଇ ସେ ତା’ ଆଖିରେ ଦେଖି ପାରୁଥିବ । ତା’ ମସ୍ତିଷ୍କରେ ଅସଂଖ୍ୟ ନିଉରନର ନିର୍ମାଣ ସହିତ ତା’ଶରୀରରେ ମେଦ ଗଠନ ଚାଲିଥିବ ଯାହା ତା’କୁ  ସଂସାରରେ ଜୀବନ ଧାରଣ ପାଇଁ ଅତ୍ୟନ୍ତ ଆବଶ୍ୟକ । 
     ସନାତନ ଚିନ୍ତାକରେ ଏହି ସମୟରେ ସତ୍ତ୍ୱରୀମାର ଖାଦ୍ୟରେ ବିବିଧତା ଓ ପରିବର୍ତ୍ତନ  ନିହାତି ଆବଶ୍ୟକ । ଏହା ପ୍ରଥମତଃ ସତ୍ତ୍ୱରୀମାର ଜନ୍ମ ନେଇଥିବା ଖାଦ୍ୟ ପ୍ରତି ଆଗ୍ରହକୁ ମେଣ୍ଟାଇବା ସହିତ ସନ୍ତାନର ଶରୀର ବୃଦ୍ଧି ପାଇଁ ଆବଶ୍ୟକ ସମସ୍ତ ପ୍ରକାର ଖାଦ୍ୟସାର ତାକୁ ମିଳିପାରିବ ।  
      ସତ୍ତ୍ୱରୀମା କିନ୍ତୁ ସନାତନର ସଙ୍ଗ ଭିତରେ ଥାଏ ଐକାନ୍ତିକ ଶାନ୍ତିର ନିରୋଳାରେ । ନଥାଏ ତା’ ମନରେ ବ୍ୟସ୍ତତା ନା ବିବ୍ରତତା । ଅପେକ୍ଷାରେ ଥାଏ ତା’ ସନ୍ତାନର ଆଗମନକୁ । ଗର୍ଭକଷ୍ଟକୁ ସେ ଭୂଲି ବସୁଥାଏ ଏକ ଅବ୍ୟକ୍ତ ଆନନ୍ଦରେ । ସମୟ ତା’ର କଡ ଲେଉଟାଇ ଚାଲିଥାଏ । ସତ୍ତ୍ୱରୀମା ସେତେବେଳକୁ ସାତ ମାସର ଅନ୍ତସତ୍ତ୍ୱା । ନିଜ ଶରୀରର ଗଠନକୁ ସେ ଦର୍ପଣ ସାମନାରେ ଦେଖେ ଆଉ ତା’ ପୃଥଳକାୟ ଉଦରକୁ ବେଶୀ ମନଧ୍ୟାନ ଦେଇ ନିରୀକ୍ଷଣ କରେ । ଚିନ୍ତା କରେ ଏହି ଛୋଟିଆ ପେଟ ଖଣ୍ଡିକରେ ତା’ ଜୀବନର ସର୍ବ ଶ୍ରେଷ୍ଠ ଅତିଥୀ ଆଗନ୍ତୁକ ଲୁଚି ରହିଛି । ଆଉ ଅଳ୍ପ ଦିନ ପରେ ସେ ଆସି ଖେଳିବ ତା’ କୋଳ ଭିତରେ ।   

*******

ପଞ୍ଚଦଶ ପକ୍ଷ 

      ସତ୍ତ୍ୱରୀମାର ଜଠରରେ ସ୍ଥାନିତ ହେବା ପରଠାରୁ ଗୋଟିଏ କଥାକୁ ମୁଁ ଅନୁଭବ କରୁଥାଏ ସତ୍ତ୍ୱରୀମାର ପ୍ରତିଟି ଖାଇବା ଦ୍ରବ୍ୟ ପ୍ରତି ଆଶକ୍ତି ବଢି ବଢି ଚାଲି ଥାଏ । ଗର୍ଭ ସଂଚାରର ଦେଢମାସ ବେଳକୁ ଖଟା ଖାଦ୍ୟ ଓ ରାଗୁଆ ଖାଦ୍ୟ ପ୍ରତି ତା’ର ପ୍ରବଳ ଆଗ୍ରହଟି ତା’ର ବାନ୍ତି ଦେଖେଇବାର ଲକ୍ଷଣ ସହିତ କୌଣସି ସମ୍ପର୍କ ରଖିନଥାଏ । ସାଧାରଣତଃ ଜଣେ ଅସୁସ୍ଥ ମାନବ ଯେତେବେଳେ ବାନ୍ତିର ଲକ୍ଷଣ ପରିପ୍ରକାଶ କରେ ସେତେବେଳେ ତା’ର ଖାଦ୍ୟ ପ୍ରତି ଆଗ୍ରହ ବହୁ ମାତ୍ରାରେ କମି ଯାଇଥାଏ । ଅନ୍ୟ ଅର୍ଥରେ କହିବାକୁ ଗଲେ ସମସ୍ତ ଖାଦ୍ୟ ପ୍ରତି ତା’ର ଅରୁଚି ଓ ଏକ ବିତୃଷ୍ଣା ଭାବ ଜାତହୁଏ । ପରନ୍ତୁ ଏଠାରେ ଲକ୍ଷ୍ମଣ ସମ୍ପୂର୍ଣ୍ଣ ବିପରୀତ । ସତ୍ତ୍ୱରୀମାକୁ ଯେତେ ବାନ୍ତି ଲାଗୁଥିଲେ ସୁଧା ତା’ର ବିଭିନ୍ନ ଖାଦ୍ୟ ପ୍ରତି ଲୋଭ କିନ୍ତୁ ମନରେ ସେମିତି ରହୁଥାଏ । ବାନ୍ତି ହେବା ପରେବି ତା’ର ଖାଦ୍ୟ ପ୍ରତି ରୁଚି ସେମିତି ପୂର୍ବଭଳି ରହେ । ପ୍ରକୃତି ଏପରି ନକରିଥାନ୍ତା ବା କିପରି? 
      ଗୋଟିଏ ନୂତନ ଜୀବର ସର୍ଜନା ଯେତେବେଳେ ଚାଲିବ ସେଥିରେତ କଞ୍ଚାମାଲ୍ ଆବଶ୍ୟକ ହେବନା । ସେ କଞ୍ଚାମାଲ୍ ଗୁଡିକ ମା’ର ଖାଦ୍ୟ ମାଧ୍ୟମରେ ହିଁ ସେ ନୂତନ ଜୀବନର କଳେବର ନିର୍ମାଣରେ ଲାଗିବ । ତେଣୁ ସତ୍ତ୍ୱରୀମା ଆଗରୁ ଯେତିକି ଖାଦ୍ୟ ଗ୍ରହଣ କରୁଥିଲା ଆଜି ତା’ ଠାରୁ ତା’ର ଅଧିକ ନିହାତି ଆବଶ୍ୟକ । କାରଣ ତା’ର ନିଜ ଶରୀରର ଆବଶ୍ୟକ ଶକ୍ତି ସହିତ ତା’ଗର୍ଭରେ ବଢୁଥିବା ଜୀବ ପାଇଁ ମଧ୍ୟ ଶକ୍ତି ଆବଶ୍ୟକ ଯାହା ସେ ଆହରଣ କରୁଥିବା ଖାଦ୍ୟର ଏକ ବର୍ଦ୍ଧିତ ଅଂଶରୁ ହିଁ ତାକୁ ମିଳିପାରିବ । ସେଥିପାଇଁ ଏପରି ଲକ୍ଷଣ ଆପେ ଆପେ  ଦେଖାଯାଏ ଗର୍ଭବତୀଠାରେ । ସମସ୍ତ ଖାଦ୍ୟ ପ୍ରତି ଇଚ୍ଛା ତା’ର ବଢିବଢି ଚାଲେ । ସତ୍ତ୍ୱରୀମାର ଗର୍ଭବତୀ ହେବା ପରଠାରୁ ସମୟ ସହିତ ତା’ର ଖାଦ୍ୟ ଆହରଣର ପରିମାଣ ଅନୁରୂପ ଭାବେ ବଢିବଢି ଯିବାକୁ ସନାତନ ନଜର ରଖିଥାଏ । ମୁଁ ବେଳେବେଳେ ସେ ବିଷୟରେ ଟିକେ ଚିନ୍ତା କରିବା ପାଇଁ ମଜବୁର୍ ହୋଇପଡେ । କି ଶକ୍ତି ଭରି ଦେଇଛନ୍ତି ପରମାତ୍ମା ଏ ମାନବ ଦେହରେ? ସଂସାରର ସମସ୍ତ ପ୍ରାକୃତିକ ପରିବର୍ତ୍ତନକୁ ଆଜି ସେ ନିଜ ଇଚ୍ଛାରେ ନିୟନ୍ତ୍ରିତ କରିବାରେ ପ୍ରତି ମୁହୁର୍ତ୍ତରେ ପ୍ରୟାସ ରତ । ତାହାତ ସମ୍ଭବ ନୁହେଁ । ମାତ୍ର ଯେଉଁ ପରିବର୍ତ୍ତନକୁ ସେ ନିୟନ୍ତ୍ରିତ କରିବାରେ ନିଜେ ସକ୍ଷମ ହୋଇ ପାରିଛି ତା’ରି ଉପରେ ସେ ଅହରହ ଗବେଷଣା ଜାରି ରଖିଛି । ସେ ଗବେଷଣା ଲବ୍ଧ ତଥ୍ୟରେ ଗୋଟିଏ ଅନ୍ତଃସତ୍ତ୍ୱା ନାରୀର ଖାଦ୍ୟ କେଉଁଦିନ କଣ ହେବା ଆବଶ୍ୟକ ତାହା  ନିରୂପିତ ହୋଇ ରହିଛି । 
      ମୋ ଯାତ୍ରାରେ ସନାତନ ନିଜର ପୋଥିଗତ ଜ୍ଞାନ ସହିତ ନିଜ ଜୀବନର ସମସ୍ତ ଗବେଷଣା ଲବ୍ଧ ତଥ୍ୟକୁ ପ୍ରୟୋଗ କରିବାକୁ ଅହରହ ଯଥା ସମ୍ଭବ ଚେଷ୍ଟା କରି ଚାଲିଥାଏ । ସେଇଥିପାଇଁତ ସେ ସତ୍ତ୍ୱରୀମାର ପ୍ରତିଦିନର ଖାଦ୍ୟ ପାଇଁ ଏକ ଖାଦ୍ୟ ସାରଣୀ ପସ୍ତୁତ କରି ସତ୍ତ୍ୱରୀମାକୁ ଦେଇ ଦେଇଥାଏ । 
      ଏଠି ଉନତ୍ରିଂଶ ସପ୍ତାହରେ ମୋର ଯାତ୍ରା ପଦାର୍ପଣ ହେବା ବେଳକୁ ସତ୍ତ୍ୱରୀମାର ଖାଦ୍ୟର ରୁଚି ଭିନ୍ନତା ଲୋଡେ । ନୂଆ ନୂଆ ଖାଦ୍ୟ ତାକୁ ଆକର୍ଷିତ କରେ । ନୂଆ ନୂଆ ଖାଦ୍ୟ ପ୍ରତି ଲାଳସା ବଢେ । ପିଠାପଣା, ଖିରୀପୁରୀ ଭଳି ନାନାଦି ଖାଦ୍ୟ ପ୍ରତି ତା’ର ଅହେତୁକ ଆଗ୍ରହ ବଢିଚାଲେ । ବୈଜ୍ଞାନିକ ଭାବଧାରାର ଉଦ୍ରେକର ଅନେକ କାଳପୂର୍ବରୁ ଏ ମାନବ ଜାତି, ଏ ରହସ୍ୟ ମଧ୍ୟ ଜାଣି ସାରିଛି । ସେଥିପାଇଁ ପ୍ରତ୍ୟେକ ଧର୍ମରେ ସେମାନଙ୍କର ପ୍ରଥା ପରମ୍ପରାରେ ଗର୍ଭବତୀ ନାରୀ ପାଇଁ ସମୟାନୁସାରେ ଖାଦ୍ୟର ଭିନ୍ନତା ଯୋଡା ଯାଇଛି । ଏଠି ସତ୍ୱରୀମାର ଗର୍ଭ ଯେମିତି ସାତ ମାସ ସମ୍ପୂର୍ଣ୍ଣ ହୁଏ ତା’ ବାପଘରୁ ଆସେ ମନସିଜ ଭାର । ମନସିଜ ଭାରରେ ଥାଏ ଗୋଟିଏ ହିନ୍ଦୁଘରେ ତିଆରି ହେଉଥିବା ପ୍ରାୟ ସମସ୍ତ ପ୍ରକାର ପିଠା, କ୍ଷୀରି ଓ ତରକାରୀ ଇତ୍ୟାଦି । 
      ଏହି ମନୁସିଜ ଭାରକୁ ପରମ୍ପରା ଅନୁଯାୟୀ ସାହି ପଡିଶା ଓ ସମସ୍ତ ବନ୍ଧୁବାନ୍ଧବଙ୍କ ଘରେ ବଣ୍ଟାଯାଏ । ଯାହା ଫଳରେ ସାହି ପଡିଶା ବନ୍ଧୁବାନ୍ଧବ ସମସ୍ତେ ଜାଣି ଯାଆନ୍ତିଯେ ସେ ଘରର ବୋହୁ ଆଜି ଗର୍ଭବତୀ । ତା ପରେପରେ ଅନ୍ୟ ସମସ୍ତ ବନ୍ଧୁବାନ୍ଧବଙ୍କ ଘରୁ ପୀଠାପଣା ବିଧି ମୁତାବକ ଆସିବା ଆରମ୍ଭ କରେ । ଏ ସବୁ ପରମ୍ପରାକୁ ସନାତନ ସମ୍ମାନ ଦେଉଥିଲେ ମଧ୍ୟ ତା’ର ଅନୁଶୀଳନ ଧର୍ମୀ ବିଜ୍ଞାନୀ ମନୋଭାବ ଗ୍ରହଣ କରିପାରେନା । ଠିକ୍ ଅଛି ସତ୍ତ୍ୱରୀମାର ବାପାଙ୍କ ଘରୁ ଆଜି ଅନେକ ପ୍ରକାର ଖାଦ୍ୟ ଆସିଛି ସେଥିରୁ ସତ୍ତ୍ୱରୀମା କିଛି ଖାଇପାରେ ମାତ୍ର    ଆମ ଘରେ ଆଜିଠାରୁ ଏମିତି ସବୁଦିନ ନୂଆ ନୂଆ ପିଠାପଣା ତିଆରି ହେବ ଓ ସତ୍ତ୍ୱରୀମା ତା’ର ଇଚ୍ଛା ମୁତାବକ ଖାଇବ । ବନ୍ଧୁବାନ୍ଧବଙ୍କ ଘରୁ ଏମିତି ପିଠାପଣା ଆସିବାଟା ସେ ନାପସନ୍ଦ କରେ କାରଣ ଏପରି ପିଠାପଣା କରି ଆଣିବାରେ ବନ୍ଧୁବାନ୍ଧବ ମାନେ ନାନା ହଇରାଣ ହରକତ ହେବେ । ହଁ ଏ ପରମ୍ପରା ନିଶ୍ଚିତ ରୂପେ ଭଲ ହୋଇପାରେ ଏଇଥିପାଇଁ ଯେ ଯେଉଁଘରେ ଅନ୍ତଃସତ୍ତ୍ୱା ନାରୀପାଇଁ ଖାଦ୍ୟରେ ଭିନ୍ନତା ଓ ବିବିଧତା ଯୋଗାଡ କରିବାର ସମ୍ବଳର ଅଭାବ ସେ କ୍ଷେତ୍ରରେ ବନ୍ଧୁବାନ୍ଧବ ଘରୁ ଏପରି ଖାଦ୍ୟ  ଆସିବାଟା ଏକ ସୁନ୍ଦର ବିଧି । 
      ପେଟରେ ବଢୁଥିବା ସନ୍ତାନଟି ନାନାଦି ଖାଦ୍ୟର ସ୍ୱାଦ ଜାଣିବା ସହିତ ତାକୁ ଭିଟାମିନ୍ ଓ ପ୍ରୋଟିନ୍ ମଧ୍ୟ ମିଳିପାରିବ । କିନ୍ତୁ ଏଠି ରାଜବଂଶର କଥା । ଏଠାରେ ଅଭାବ ବୋଲି କିଛିନାହିଁ । ବରଂ ରାଜା ଏ ସମସ୍ତ ଖାଦ୍ୟ ପଦାର୍ଥକୁ ରାଜଘରେ ପ୍ରସ୍ତୁତ କରି ନିଜ ରାଜ୍ୟର ଜନତାକୁ ବାଣ୍ଟିବା କଥା । ତେଣୁ ସେ ମନସ୍ଥ କରେ ନିଜ ଘରେ ହିଁ ସତ୍ତ୍ୱରୀମାର ଇଚ୍ଛା ମୁତାବକ ଏଭଳି ସବୁ ପିଠାପଣା ତିଆରି ହେବ । ସତ୍ତ୍ୱରୀମା ବାପଘରୁ ଆସିଥିବା ପିଠାପଣାକୁ ଦେଖି ସତ୍ତ୍ୱରୀମାର ମନ କୁଣ୍ଢେ ମୋଟ ହୋଇଯାଏ । ଭିତରେ ଭିତରେ ତା’ ପାଟିରୁ  ଲାଳ ଗଡେ । ନିଜ ମା’ର ହାତ ତିଆରି ଖାଦ୍ୟ କାହାକୁ ବା ଭଲ ନଲାଗେ?
      ଏକଥା ବି ଆଜି ପର୍ଯ୍ୟନ୍ତ ବୁଝା ପଡିନି, ସେ ମା’ ହାତର ପାପୁଲିରେ କି ଯାଦୁ ଭରି ଦେଇଛନ୍ତି  ସେହି ସ୍ରଷ୍ଟା । ଯେଉଁ ପାପୁଲି ସଦାସର୍ବଦା ଘରର ସମସ୍ତ ଅସନା କାର୍ଯ୍ୟ କରିବାରେ ବ୍ୟତିବ୍ୟସ୍ତ , ସେଥିରେ କି ଅମୃତର ସ୍ନିଧା । ଜନ୍ମହେବା ପରଠାରୁ ସେହି ହାତର ପାପୁଲିରେ ମା’ ପୋଛିଥାଏ ଶିଶୁ ଶରୀରର ମଳି, ନାକର ସିଙ୍ଘାଣୀ, ଦେହର ଝାଳ ଓ ପରିଶେଷରେ ଶିଶୁର ବିଷ୍ଠା । ନଥାଏ ଏସବୁ କର୍ମରେ ତା’ ମନରେ ବିକାର । ନିଜ ଶିଶୁକୁ ଅପରିଷ୍କାର ଦେଖିଲେ ତା’ ମନରେ ଉଙ୍କି ମାରେନି କାଣିଚାଏ ହେଲେ ବି ଘୃଣା । ଶିଶୁର ସୁନ୍ଦରତା ଅବା ଅସୁନ୍ଦରତା ସବୁ ତା’ ପାଇଁ ସମାନ । ବରଂ ତା’ ଅସୁନ୍ଦରତାରେ ତାକୁ ଦିଶେ ଅପୂର୍ବ ସୁନ୍ଦରତା । ତା’ ସନ୍ତାନ ଦେହର ମଳିଧୂଳି ତା’ ପଣତକାନୀର ଚନ୍ଦନ । 
      କି ମାନସିକତା ଭରି ଦେଇଛି ମାତୃତ୍ୱର ସେ ମାନସ ଭିତରେ ଯାହା ଅଚିନ୍ତ୍ୟ । ସେ ସେବାର ପ୍ରତୀକ । ନିଜ ସନ୍ତାନର ସେବା ତା’ର ଅନ୍ତର୍ନିହିତ ଅପୂର୍ବ ମାନବିୟ ଗୁଣାବଳୀ ଯାହା ଅନ୍ୟ କେଉଁ ସମ୍ପର୍କରେ ଦେଖିବାକୁ ମିଳେ ନାହିଁ । ତା’ର ପ୍ରତିଟି କ୍ରିୟା କର୍ମରେ ଭରି ରହିଥାଏ ତା’ର ସନ୍ତାନ ପ୍ରତି ସ୍ନେହ, ମମତା ଓ ପ୍ରୀତି । ସନ୍ତାନର କାୟିକ ଅବା ମାନସିକ ପୀଡାରେ  ସେବି ପାଏ   ପୀଡା । ବୋଧହୁଏ ସେଥିପାଇଁ ବିଶ୍ୱନିୟନ୍ତା ଭରି ଦେଇଛନ୍ତି ମା’ ହାତ ତିଆରି ଖାଦ୍ୟରେ ଅସରନ୍ତି ସ୍ୱାଦ । ସନ୍ତାନ ପାଇଁ ସେଭଳି ସ୍ୱାଦ ମିଳିପାରେନି ଦୁନିଆର ଆଉ କୌଣସି ଖାଦ୍ୟରେ । ଅନେକ ଦିନ ପରେ ମା’ ହାତ ତିଆରି ଖାଦ୍ୟର ସ୍ୟୈଭାଗ୍ୟ ଆସି ଜୁଟିଛି ସତ୍ତ୍ୱରୀମା ଭାଗ୍ୟରେ ।                    ତାଙ୍କ ଘରୁ ଆସିଥିବା ସେ ନାନାଦି ପିଠା ପଣାର ମହମହ ବାସନା ତାକୁ ବିଭୋର କରି ପକଉଥାଏ । ସବୁଠାରୁ ବଡ ବିସ୍ମୟପଦ କଥା ମୁଁ  ବି ମୋ ସ୍ଥିତ ଶରୀର ଭିତରେ ଥାଇ ଅନୁଭବ କରୁଥାଏ ଯେ ଯେବେଠାରୁ ମୋ ସ୍ଥିତ ଶରୀର ସ୍ୱାଦ ବାରିପାରିବାର ଦକ୍ଷତା ହାସଲ କରେ ସେବେଠାରୁ ତା’ର ଖାଦ୍ୟ ପ୍ରତି ଲାଳସା ମଧ୍ୟ ଅତି ପ୍ରବଳ ବଢି ଯାଇଥାଏ । ସଂସାରର ସବୁ ସ୍ୱାଦକୁ ସେ ବାରିବାକୁ ବିକଳ ହେଉଥାଏ । ସତ୍ତ୍ୱରୀମାର ଖାଦ୍ୟର ପରିମାଣ ମଧ୍ୟ ବଢିଯାଇ ଥାଏ । 
     ତେଣୁ ଏସବୁ ନୂଆ ନୂଆ ପିଠାପଣା ଦେଖି ସବୁର ସ୍ୱାଦ ବାରିବା ପାଇଁ ମୋ ସ୍ଥିତ ଶରୀର ଆହୁରି ଉତେଜିତ ହୋଇପଡେ । ସେଇଆ ହିଁ ଘଟେ । ଘରେ ପିଠାପଣା ଥୁଆ ହୋଇଥିବା ସମୟରେ ସତ୍ତ୍ୱରୀମା ଲୁଚେଇକି ଖଣ୍ଡେ ଖଣ୍ଡେ ସବୁଥିରୁ ଖାଇଦିଏ । ତା’ ପରେ ଶାଶୁ  ମା’ ତାକୁ ସବୁ ପ୍ରକାର ପିଠାରୁ ଆଣି ଦିଅନ୍ତି ଖାଇବା ପାଇଁ । ସେ ନିଜ ମା’ସହିତ ଖାଉଥିବାରୁ ତା’ ଖାଇବାର ଆନନ୍ଦ ବହୁ ଗୁଣିତ ହୋଇଯାଏ । 
      ସନାତନ ଚିନ୍ତାକରେ ଆମମାନଙ୍କର ପୂର୍ବଜ ମାନେ ଯଦିଓ ଅନୁନ୍ନତ ଥିଲେ ସେମାନେ କିନ୍ତୁ ଜୀବନ ସର୍ଜନାର ଅନେକ ଗୁଢ ରହସ୍ୟ ଜାଣିଥିଲେ । ସେମାନେ ଜାଣିଥିଲେ ନାରୀ ଦ୍ୱିହୃଦୟା ସମୟରେ ଆବଶ୍ୟକ ଶକ୍ତି ଖାଦ୍ୟର ବିଭିନ୍ନତା ଓ ବିବିଧତାର ସମନ୍ୱୟରେ ମା’ ଓ ସନ୍ତାନ ଉଭୟଙ୍କର ସ୍ୱାସ୍ଥ୍ୟ ବଜାୟ ରଖିବାରେ ଖୁବ୍ ସହାୟକ । ସେଇଥିପାଇଁ ସେମାନେ ଅନ୍ତସତ୍ତ୍ୱାର ସପ୍ତମ ମାସ ପରେ ବନ୍ଧୁବାନ୍ଧବଙ୍କ ଘରୁ ଏଭଳି ପିଠାପଣା ଆସିବାର ପରମ୍ପରା ସୃଷ୍ଟି କରିଛନ୍ତି । ବର୍ତ୍ତମାନ ଅବସ୍ଥାରେ ପ୍ରୋଟିନ୍ ଓ ଭିଟାମିନ୍ ଚାହିଦା ଶିଶୁପାଇଁ ନିହାତି ରୂପେ ଅଧିକ । ସାଧାରଣତଃ ପ୍ରୋଟିନ୍‌, ଭିଟାମିନ ସହିତ ଫୋଲିକ୍ ଏସିଡ ଭିଟାମିନସ୍ ଓ ଲ୍ୟୈହସାର ସତ୍ତ୍ୱରୀମା ପାଇଁ ଆବଶ୍ୟକ ମୁତାବକ ନିହାତି ଜରୁରୀ । 
      ବଢୁଥିବା ଶିଶୁର ହାଡ ପାଇଁ ବର୍ତ୍ତମାନ ମା’ଶରୀରରୁ କ୍ୟାଲ୍‌ସିୟମର ଆବଶ୍ୟକତା ଯଥେଷ୍ଟ ବଢି ଯାଇଥିବ । ତେଣୁ ସତ୍ତ୍ୱରୀମା ବର୍ତ୍ତମାନ କ୍ୟାଲ୍‌ସିୟମ ଯୁକ୍ତ ଖାଦ୍ୟ, ଘିଅ, କମଳା ରସ, ଅନ୍ୟାନ ଫଳରସ ଆଦି ନିହାତି ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ । ଏହା ପ୍ରମାଣିତ ଯେ ଏହି ସମୟରେ ପ୍ରତିଦିନ ଶିଶୁର କଙ୍କାଳରେ ପ୍ରାୟ ଦୁଇଶୟ ପଚାଶ ମିଲିଗ୍ରାମ୍ କ୍ୟାଲ୍‌ସିୟମ ଜମା ହୋଇଥାଏ । ତେଣୁ ଏସବୁ ନାନାଦି ପିଠା, ପଣା ଓ ବ୍ୟଞ୍ଜନ ସେ ସବୁର ଚାହିଦା  ଅନେକାଂଶରେ ପୁରଣ କରିବାରେ ସାମର୍ଥ୍ୟ ରଖେ । 
      ସନାତନର ଶୈଖିକ ଅଭିଜ୍ଞତା କହେ ବର୍ତ୍ତମାନ ସତ୍ତ୍ୱରୀମାର ଜରାୟୁରେ ଶିଶୁଟି ଖୁବ୍ ଚଳଚଞ୍ଚଳ ଥିବ । ତା’ର ଓଜନ ପାଖାପାଖି ଏଗାରଶହ ଗ୍ରାମ୍ ଉପରକୁ ଥିବା ବେଳେ ତା’ର ଲମ୍ବ ପାଦରୁ ମୁଣ୍ଡ ପଯ୍ୟନ୍ତ ପାଖାପାଖି ପନ୍ଦର ଇଞ୍ଚ୍ ହୋଇଥିବ । ତା’ର ଫୁସ୍ ଫୁସ୍ ଓ ମାଂସପେଶୀ ବର୍ତ୍ତମାନ ପରିପକ୍ୱ ହେବାରେ ଲାଗିଥିବ । ଶିଶୁଟିର ମସ୍ତିଷ୍କର ଉନ୍ନତି ପ୍ରଖର ବେଗରେ ଚାଲିଥିବ । ଶିଶୁଟିର ମା’ ପେଟକୁ ଗୋଇଠା ମାରିବା ଏହି ସମୟରେ ଏକ ସାଧାରଣ କ୍ରିୟା । ସତ୍ତ୍ୱରୀମା ଚାହିଁଲେ ଦିନଭରି ଶିଶୁଟି ତା’ ପେଟ ଭିତରେ କେତେଥର ଗୋଇଠା ମାରୁଛି ବା ତା’ ପେଟକୁ ଆଘାତ ଦେଉଛି ତାହା ସେ ଗଣିପାରିବ । ପିଲାଟି ଯେତେ ଅଧିକ ଗୋଇଠା ମାରୁଥିବ ବା ସ୍ଥାନ ପରିବର୍ତ୍ତନ କରି ଉଦରକୁ ଆଘାତ ପ୍ରଦାନ କରୁଥିବ ପିଲାଟି ସେତେ ସୁସ୍ଥ ଓ ଚଳଚଞ୍ଚଳ ଅଛି ବୋଲି ବିବେଚନା କରାଯିବ । 
      ଏପରି ପରିସ୍ଥିତିରେ କେତେକ ମହିଳା କୋଷ୍ଠ କାଠିନ୍ୟର ଶିକାର ହୋଇଥାନ୍ତି । ସମୟେ ସମୟେ ଛାତି ପୋଡା ଅନୁଭବ କରିଥାନ୍ତି । ମାତ୍ର ସତ୍ତ୍ୱରୀମା କ୍ଷେତ୍ରରେ ଏ ଅସୁବିଧା ଆଦ୍ୟୈ ନଥାଏ । ଏ ସମୟରେ ସତ୍ତ୍ୱରୀମା ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା ଅବା ଛିଡା ହୋଇ ରହିବାଟା ଆଦ୍ୟୈ ତା’ ପକ୍ଷେ ଉଚିତ ନୁହେଁ । ନିଜର ଅବସ୍ଥିତିକୁ ପରିବର୍ତ୍ତନ କରିବା ନିହାତି ଦରକାର । ଶୟନ ସମୟରେ କଡ ଲେଉଟେଇବା ବେଳେ  ଧ୍ୟାନପୂର୍ବକ  ନିଜ ଶରୀରକୁ ଗତି ଦେବା ଦରକାର ।  
     ମୋ ସ୍ଥିତ ଶରୀରର ଆଦ୍ୟ ମାଂସ ପେଣ୍ଡୁଳା ଅବସ୍ଥାରୁ ହିଁ ଗର୍ଭଥଳୀର ତରଳର ପରିମାଣ ଶରୀରର ବୃଦ୍ଧି ସହିତ ସମାନ୍ତରାଳ ଭାବେ ବଢି ଚାଲିଥାଏ । ଦୀର୍ଘ ବାର ସପ୍ତାହ ପର୍ଯ୍ୟନ୍ତ ଏହି ଗର୍ଭଥଳୀରେ ଥିବା ତରଳରେ କେବଳ ଜଳ ଓ ତା’ଭିତରେ ବୈଦ୍ୟୁତିକ୍ ତରଙ୍ଗ ପରିବହନ କାରୀ ସୂକ୍ଷ୍ମାତୀସୂକ୍ଷ୍ମ  କଣିକା ଭାସମାନ  ଥାଆନ୍ତି ଯେଉଁମାନେ କି ମୋ ଅଧିଷ୍ଠିତ ଶରୀର ସହିତ ମା’ ଶରୀରର ସମସ୍ତ କ୍ରିୟା ପ୍ରକ୍ରିୟାର ମାଧ୍ୟମ ଭାବେ କାମ କରୁଥାନ୍ତି । ପ୍ରାୟ ତେର ସପ୍ତାହରୁ ଆରମ୍ଭ କରି ଏହି ତରଳ ପଦାର୍ଥରେ ଅନ୍ୟ କ୍ଷୁଦ୍ର କଣିକାମାନେ ମଧ୍ୟ ଆସି ଯୋଗ ଦିଅନ୍ତି । ସେଗୁଡିକ ମୋ ସ୍ଥିତ ଶରୀରର ବୃଦ୍ଧି ଓ ବିକାଶରେ ଲାଗି ପଡନ୍ତି । 
      ଷୋଡଷ ସପ୍ତାହ ବେଳକୁ ମୋ ସ୍ଥିତ ଶରୀରର ବୃକକ୍ କାମ କରିବା ଆରମ୍ଭ କରିବା ସହିତ ମୋ ସ୍ଥୁଳ ଶରୀର ଗର୍ଭ ତରଳକୁ ସେମତି ବାରମ୍ବାର ଗିଳି ପକେଇବା କାମ ଚାଲୁରଖେ । ଯେଉଁ ତରଳକୁ ସେ ତା’ର ମୁଖ ଦେଇ ଗିଳିପକାଏ ସେଗୁଡିକ ତା’ର ପରିପାକ ଯନ୍ତ୍ର ସଲଗ୍ନ ନଳୀ ଦେଇ ପୁନଶ୍ଚ ପରିଶେଷରେ ତାହା ବୃକକ୍‌ରେ ପହଞ୍ଚେ । ବୃକକ୍‌ରେ ଏହାର ସୂକ୍ଷ୍ମ ଉପକାରୀ ଅଂଶକୁ ଶରୀର ଭିତରେ ରଖି ଅଦରକାରୀ ଅଂଶକୁ ମୁତ୍ରାଶୟ ଦେଇ  ପ୍ରସାବ ଆକାରରେ ବାହାରି ପୁନଶ୍ଚ ସେହି ଗର୍ଭ ତରଳରେ ମିଶିଯାଏ । ଏଠି ମୁଁ ସମୟେ ସମୟେ ଦ୍ୱନ୍ଦରେ ପଡିଯାଏ ଯେ ମୋର ସ୍ଥିତ ଶରୀରର ଖାଦ୍ୟ ହେଉଛି ଗର୍ଭ ତରଳ । ଆଉ ବାକି ସମସ୍ତ ଖାଦ୍ୟର ସାରାଂଶ ନାଭିନାଡା ଦେଇ ମୋ ଶରୀରକୁ ପ୍ରବେଶ କରୁଛି । ତଥାପି ଏ ଶରୀର କିପରି ଓ କାହିଁକି ନୂଆ ନୂଆ ଖାଦ୍ୟ ଆଘ୍ରାଣ କରିବାକୁ ବ୍ୟସ୍ତ ହୋଇ ପଡୁଛି? 
      ମୋ ସ୍ଥିତ ଶରୀର ଏଠି ବିଷ୍ଠା ଓ ମୁତ୍ରରେ ଅହରହ ନଟର ପଟର । ତଥାପି ଏ ଶରୀର ବଞ୍ôଚରୁହେ କାରଣ ଏହା ମୋର ଯାତ୍ରାର ମାଧ୍ୟମ । ମୁଁ ଏ ଶରୀରକୁ ନଛାଡିବା ପର୍ଯ୍ୟନ୍ତ ଏପ୍ରକାର ପରିସ୍ଥିତି ହେଉ କିମ୍ବା ୟାଠାରୁ ଆହୁରି କ୍ଳିଷ୍ଟପୂର୍ଣ୍ଣ ପରିସ୍ଥିତି ହେଉ ତାହା ଝେଲିବାକୁ ବାଧ୍ୟ । ତେଣୁ ସମୟେ ସମୟେ ସେହି ଅରୁଚି ପରିବେଷ୍ଟନୀ ମଧ୍ୟରେ ମୋ ଶରୀର ତାକୁ ଗ୍ରହଣ କରିନେବାକୁ ବାଧ୍ୟ ହୁଏ ଓ ବଞ୍ôଚଚାଲେ । ଆଜି ଏ ଗର୍ଭାଶୟର କୁମ୍ଭୀପାକରେ ଏ ଶରୀର ଯେମିତି ଅଜ୍ଞାନ ଅବସ୍ଥାରେ  ଅଣନିଶ୍ୱାସୀ  ଠିକ୍ ସେମିତି ମଣିଷ ତା’ର ବୃଦ୍ଧାବସ୍ଥାରେ ଏପରି ଅବସ୍ଥାକୁ ଚାଲିଯାଏ । ମାତ୍ର ସମସ୍ତ ମନୁଷ୍ୟ ତାଙ୍କ ବୃଦ୍ଧାବସ୍ଥାରେ ଏପରି ପରିସ୍ଥିତିକୁ ଚାଲି ଯାଆନ୍ତି ନାହିଁ କାରଣ ଏଭଳି ସନ୍ତପ୍ତ ଜୀବନ ମନୁଷ୍ୟ ଜନ୍ମପରର କର୍ମ ଓ ପ୍ରାରବ୍ଧର ପୁଞ୍ଜି ଉପରେ ନିର୍ଭର କରେ । ମାତ୍ର ପ୍ରତ୍ୟେକ ମାନବ ଜୀବନର ଆରମ୍ଭରେ ଏଭଳି ଦୁର୍ଦ୍ଦଶନୀୟ ଜୀବନର ନର୍କ ଯନ୍ତ୍ରଣା ସମସ୍ତେ ଭୋଗିବାକୁ ବାଧ୍ୟ । 
      ଏ ମାୟା ସଂସାରର ମାୟା ମୋତେ ଗ୍ରାସ କରିବାରେ ମୁଁ ବିଚଳିତ ହୋଇ ଚାଲିଥାଏ ।  ମୋର ଐକାନ୍ତପଣ ସହିତ ସଂସାର ମାୟରେ ମୋର ଜୀବନ ଦର୍ଶନ ଆଜି ଏ ଖାଦ୍ୟର ସ୍ୱାଦ ମାୟାରେ ପଡିଯିବାଟା ମୋତେ ବ୍ୟଥିତ କରି ପକଉଥାଏ । ମୁଁ ଯଦି ଏଭଳି ସାଂସାରିକ ମାୟା ଜାଲରେ ଛନ୍ଦି ହୋଇଯିବି ତେବେ ମୋର ଶେଷ ଯାତ୍ରା ହେବ ନୀରର୍ଥକ । ପାର୍ଥୀବ ସଂସାରର ପଦାର୍ଥ ମୋହରେ ମୋହିତ ହୋଇଗଲେ ମୋର ଶେଷଯାତ୍ରା ଯେ କଣ୍ଟକିତ ହୋଇ ଉଠିବ ଏଥିରେ ସନ୍ଦେହ ନାହିଁ । ମୁଁ ପୁନଶ୍ଚ ମୋର ଧ୍ୟାନ ଧାରଣାକୁ ପବିତ୍ରତା ଓ ନିସଙ୍ଗତା ଦିଗକୁ ଟାଣି ଆଣେ ହଜିଯିବାକୁ ସେହି ପରମ କାରୁଣୀକଙ୍କ ଯୋଗରେ । 
      ଏଣେ ସନାତନ ତ୍ରିଂଶ ସପ୍ତାହର ଅନ୍ତ ବେଳକୁ ତା’ର ତତ୍ତ୍ୱଭିତ୍ତିକ ଜ୍ଞାନ ଓ ଅଭିଜ୍ଞତା ଭିତ୍ତିକ ଜ୍ଞାନକୁ ତୁଳନା କରେ । ସେମିତି କିଛି ବିସଙ୍ଗତି ତା’କୁ ନଜର ଆସେ ନାହିଁ । ସେ ଦେଖେ ଜରାୟୁରେ ଶିଶୁର ଲମ୍ବ ପୂର୍ବ ସପ୍ତାହ ତୁଳନାରେ ଅଧିକ ହୋଇଛି ଏବଂ ଶିଶୁଟିର ଓଜନ ମଧ୍ୟ ବଢିବାର ଦେଖାଯାଏ । ମାତ୍ର ତା’ର ପୁସ୍ତକ ତତ୍ତ୍ୱଗତ ଜ୍ଞାନ କହେ ଶିଶୁଟିର ଲମ୍ବ ବର୍ତ୍ତମାନ ପାଖାପାଖି ଷୋହଳ ଇଞ୍ଚ୍ ଓ ଓଜନ ପ୍ରାୟ ଚଉଦ ଗ୍ରାମ୍ ହୋଇଥିବ । ପାଖାପାଖି ନଅଶହ ଗ୍ରାମ୍ ଆମ୍ନିଓଟିକ୍ ତରଳ ଗର୍ଭଥଳୀ ଭିତରେ ଥିବ । ଶିଶୁର ଆକାର ବୃଦ୍ଧି ସହିତ ଗର୍ଭାଶୟର ଆକାର ବୃଦ୍ଧି ଘଟିବା ହେତୁ ଆମ୍ନିଓଟିକ୍ ତରଳ ଖେଳେଇ ହୋଇ ରହୁଥିବ । ବର୍ତ୍ତମାନ ଶିଶୁଟିର ଦୃଷ୍ଟି ଶକ୍ତି କ୍ଷିପ୍ର ଗତିରେ ବଢିବାରେ ଲାଗିଥିବ । ତା’ର ଦୃଷ୍ଟିଶକ୍ତି ବହୁତ କମ ଥିବ ଅର୍ଥାତ୍ ସେ ତା’ ଆଖି ପାଖରୁ ମାତ୍ର କେଇ ଇଞ୍ଚ୍ ଦୂରତାରେ ଥିବା ଜିନିଷ ମାନଙ୍କୁ ଦେଖିବାରେ ସମର୍ଥ ହେବ । ସମୟ କ୍ରମେ ତା’ର ଦୃଷ୍ଟି ଶକ୍ତି ବଢିବାରେ ଲାଗିବ । 
      ଏଣେ ସତ୍ତ୍ୱରୀମା ଗର୍ଭରେ ଶିଶୁଟିର ଆକାର ବର୍ତ୍ତମାନ ଗୋଟିଏ ବନ୍ଧାକୋବିର ଆକାର ଭଳି ହୋଇ ସାରିଥାଏ । ସେହି ଦିନ ମାନଙ୍କରେ ସତ୍ତ୍ୱରୀମା ଆଗ ଅପେକ୍ଷା ଟିକେ ଅଧିକ କ୍ଳାନ୍ତଅନୁଭବ କରୁଥାଏ ଯାହାର ମୂଳ କାରଣ ଥାଏ ଅନିଦ୍ର୍ରା । ତା’କୁ ତା’ର ଶରୀର ସେତେ ସହଜ ଲାଗୁ ନଥାଏ । ଶରୀରର ଭରକେନ୍ଦ୍ର ନିଜର ସ୍ଥାନ ବଦଳେଇବାରେ ଲାଗିଥାଏ । ଏହାର ମୂଖ୍ୟ କାରଣ ଜଠରରେ ଶିଶୁଟିର ଆକାର ସହିତ ଓଜନରେ ବୃଦ୍ଧି । ତତ୍ ସହିତ ସତ୍ତ୍ୱରୀମାର ଆଣ୍ଠୁଗଣ୍ଠି ଗୁଡିକ ଢିଲା ପଡି ଯାଇଥାନ୍ତି । ତେଣୁ ଏ ସମତୁଲତାରେ ସହଜରେ ଚାଲିବାଟା ତା’ ପାଇଁ ଆଗଭଳି ସେତେ ସହଜ ନଥାଏ । 
      ସେତେବେଳେ ରାଜା ଘର ପରିବେଶ ଖୁବ୍ ନିଆରା । ଘରର ପ୍ରତ୍ୟେକ ବ୍ୟକ୍ତି ମନରେ ଖୁସି ଓ ଆନନ୍ଦ । ଏ ଖୁସି ଓ ଆନନ୍ଦରେ ଚାକର ଚାକରାଣୀ ମଧ୍ୟ ସାମିଲ୍ ଥାନ୍ତି । ଏହା ପଛର କାରଣ ସତ୍ତ୍ୱରୀମାର ସେମାନଙ୍କ ପ୍ରତି ଥିବା ଆଦର ସେମାନଙ୍କୁ ଏପରି ଆବେଗିକ ଆଚରଣ ବ୍ୟକ୍ତ କରିବାକୁ ବାଧ୍ୟ କରିଥାଏ । ଶାଶୁ ଶ୍ୱଶୁରଙ୍କ ଖୁସି କହିଲେ ନସରେ । ସତ୍ତ୍ୱରୀମାର ବାପା ମା’ ଯେଉଁ ମନସିଜ ଭାର ନେଇକରି ଆସିଥାନ୍ତି ତା’କୁ ସମସ୍ତେ ବହୁତ ଖୁସିରେ ଗ୍ରହଣ କରନ୍ତି । ସୁଖିଲା ଖାଦ୍ୟ ସବୁକୁ ପଡା ମାନଙ୍କରେ ବଣ୍ଟାଯାଏ । ଘର କୋଳାହଳ ମୟ ହୋଇଉଠେ । 
       ସନାତନକୁ କିନ୍ତୁ ଏତେ କୋଳାହଳ ମୟ ପରିବେଶ ସତ୍ତ୍ୱରୀମା ସ୍ୱସ୍ଥ୍ୟପାଇଁ ଯେ ଉତ୍ତମ ସେ ତାହା ଗ୍ରହଣ କରି ପାରେ ନାହିଁ । ତେଣୁ ତା’ ମା’କୁ କହି ଅନ୍ୟ ସମ୍ପର୍କୀୟ ମାନଙ୍କ ଘରୁ ଏଭଳି ପିଠାପଣା ଆସିବାକୁ ବାରଣ କରେ । ମାତ୍ର ସନାତନର ମା’ଏଥିରେ ନା ଖୁସ୍ ହୁଅନ୍ତି । ସନାତନକୁ ବୁଝାନ୍ତି । ଦେଖେ ସନାତନ, ଏ ହେଉଛି ସ୍ନେହ ମମତାର କଥା । ପ୍ରଥା ପରମ୍ପରାର କଥା । ଆମେ ସେମାନଙ୍କୁ ମନା କରି ପଠାଇଲେ ସେମାନେ ଆଘାତ ପାଇବେ । ଭାବିବେ ଆମେ ରାଜାଘର ବୋଲି ସେମାନଙ୍କ ଖାଦ୍ୟକୁ ପସନ୍ଦ କଲୁନି । ତା’ ଦ୍ୱାରା ଆମ ସନ୍ତାନ ପ୍ରତି ସେମାନଙ୍କର ମନରେ ଯେଉଁ ଆଶୀର୍ବାଦ ଅଛି ତାହା ବ୍ୟାଘାତ ହେବ । ସେମାନେ ଆସନ୍ତୁ ହେଲେ ସେମାନଙ୍କୁ ମୁଁ ଖବର ଦେଉଛି ଖୁବ୍ ଅଳ୍ପ ପରିମାଣର ଆଣି ଆସିବେ । ସନାତନ ଟିକେ ଚିନ୍ତା କରେ । ସତ୍ତ୍ୱରୀମାର ସେ ଆଧ୍ୟାତ୍ମକ ଚିନ୍ତାଧାରାରେ ରଙ୍ଗି ଯାଇଥିବା ସନାତନ ଏ କଥାକୁ ଗ୍ରହଣ କରିନିଏ । କିନ୍ତୁ ତତ୍ ସହିତ ସେ ମା’କୁ ଗୋଟିଏ ପ୍ରସ୍ତାବ ଦିଏ । ପ୍ରସ୍ତାବଟି ଥାଏ ପ୍ରତିଦିନ ସତ୍ତ୍ୱରୀମାର ଦ୍ୱିପ୍ରହର ଖାଦ୍ୟରେ ଦୁଇଟି ଲେଖାଏଁ ନୂଆ ଶାକାହାରୀ ବ୍ୟଞ୍ଜନ ଓ ପିଠା ରହିବ ଯାହାକୁ ଆମ ଘରେ ପ୍ରସ୍ତୁତ ହେବ । ସତ୍ତ୍ୱରୀମାର ଏଭଳି ଖାଦ୍ୟ ପ୍ରତି ଦେଖା ଦେଇଥିବା ଆସକ୍ତି ପୂର୍ତ୍ତୀ ହେବା ସହିତ ଆବଶ୍ୟକ ପ୍ରୋଟିନ୍ ଓ ଭିଟାମିନ୍ ତାକୁ ମିଳିପାରିବ । ମା’ ଏଥିରେ ସହମତି ପ୍ରକାଶ କରନ୍ତି ଓ ସେମିତିକା ହୋଇ ଚାଲେ । 
      ମୁଁ ଏସବୁ ଘଟଣା କ୍ରମରେ ନିଜକୁ ଖୁବ୍ ଧନ୍ୟ ମନେ କରୁଥିବା ସହିତ ମୋ ଶେଷଯାତ୍ରାର  ପୂର୍ଣ୍ଣତା ଓ ପବିତ୍ରତା ଉପରେ ମୋର ବିଶ୍ୱାସ ବଢି ବଢି ଚାଲେ ।

*******

ଷୋଢଶ ପକ୍ଷ

      ପୂର୍ବ ଜନ୍ମମାନଙ୍କର ଯେଉଁ ସବୁ ପବିତ୍ର କର୍ମର ଆସର ନେଇ ମୋ ଭିତରେ ସୂକ୍ଷ୍ମ  ଅହଙ୍କାର ଟିକକ ଥାଏ ତାହା ସେତେବେଳକୁ ଏ ଭବ ସଂସାରର ତଣ୍ଡକରେ ପ୍ରପଞ୍ଚ ଗ୍ରସ୍ତ ହୋଇ ସାରିଥାଏ । ସମୟେ ସମୟେ ମୁଁ ସେହି ଦହ୍ର ଭିତରେ ଅବିଦ୍ୟାକୁ ବିଦ୍ୟା, ଅଜ୍ଞାନକୁ ଜ୍ଞାନ, ଅସଙ୍ଗତକୁ ସଙ୍ଗତ ବୋଲି ବିଚାରି ବସୁଥାଏ । ସୂକ୍ଷ୍ମ ଚେତନାରୁ ଅପସରି ଯାଇ ସ୍ଥୂଳ ଚେତନାରେ ଅବଧାରିତ ହେବାର ବିଲକ୍ଷଣ ଆପେ ଆପେ ମୋ ସହିତ ସଂଘଟିତ ହୋଇ ଯାଉଥାଏ । ସ୍ଥୂଳବୋଧରେ ମାନବ ଯାହା ସବୁ ଦେଖେ ଓ ଅନୁଭବ କରେ ତାହା ସବୁ ଅସତ୍ୟ । ଅଣୁ ବୋଧରେ ବିଚାର କରୁଥିବା ସମସ୍ତ ଦୃଶ୍ୟମାନ ବସ୍ତୁ ଓ ପ୍ରକ୍ରିୟା ସମୟେ ସମୟେ ସତ୍ୟ ଓ ଅସତ୍ୟ ମଧ୍ୟ ହୋଇପାରେ । ମାତ୍ର ଅଦୃଶ୍ୟ ଚୈତନ୍ୟତାର ଉପଲବ୍ଧି ହିଁ ଚିରସତ୍ୟ ଏଥିରେ ଦ୍ୱନ୍ଦର ଅବକାଶ ନାହିଁ, ସେ ସବୁ ସମୟେ ସମୟେ ମୁଁ ଭୂଲି ବସୁଥାଏ । ଯାହାର ପରିଣାମ ସଦୃଶ ମୁଁ ଭାବି ବସୁଥାଏ ଆଜି ମୁଁ ଯେଉଁ ପୂଣ୍ୟ ଯାତ୍ରାର ଯାତ୍ରୀ ତାହା ମୋର ପୂର୍ବଜନ୍ମର ସୁକୃତ । 
      ମାତ୍ର ବର୍ତ୍ତମାନ ତୁମେ ମୋ ଠାରୁ ଅପସରିଯାଇ ମୋତେ ପ୍ରଦାନ କରିଛ ସ୍ୱକୀୟ ସ୍ୱଧର୍ମ ଯାହା ବଳରେ ମୁଁ ଏ ଗୋଲାହାଟର ବାସ୍ତବତାକୁ ତୁମ ସମ୍ମୁଖରେ ବ୍ୟକ୍ତ କରିବାରେ ସମର୍ଥ । ଏବେ, ସତ୍ୟ ସବୁ ମୋତେ ଜଳଜଳ ହୋଇ ପ୍ରତୀୟମାନ ହେଉଛି । ମୋର ଯାତ୍ରା ହେଉ ଅବା ତୁମର ମୋ ସହିତ ଏ ବାର୍ତ୍ତାଳାପ ହେଉ ଏ ସମସ୍ତ ପ୍ରକୃତିର ଗୋଟିଏ ନିରନ୍ତର ପ୍ରକ୍ରିୟା । ଯାହା ହେଉଥିଲା ଯାହା ଘଟିଚାଲିଛି ଓ ଯାହା ଘଟିବ ତାହା ଏକ ସ୍ୱୟଂ ପ୍ରଲମ୍ବିତ ପ୍ରବାହ । ମନୁଷ୍ୟ ଆଜି ତା’ର ବୁଦ୍ଧିବଳରେ ବିଜ୍ଞାନର ପ୍ରୟୋଗକୁ ନେଇ ଯେଉଁ ଅସ୍ଫାଳନର ଅଧିକାରୀ ତାହା ସେ ଭୁଲିବସୁଛି ଯେ ତାହା ମଧ୍ୟ ଏ ପ୍ରକୃତିର ଏକ ନିରନ୍ତର ପ୍ରକ୍ରିୟା । ଛୋଟିଆ ଉଦାହରଣ ଟିରେ ତୁମେ ସନ୍ଦେହହୀନ ହେବ । ଆଜି ପୃଥିବୀର କେତେ ପରିବେଶବିତ୍‌, ବୁଦ୍ଧୀଜୀବି ବ୍ୟସ୍ତ ଓ ବିବ୍ରତ ଯେ ଏ ପୃଥିବୀର ପରିବେଶ ଆଜି ଧ୍ୱସାଂଭିମୂଖୀ । ପରିବେଶର ଏ ଗତି ପାଇଁ ମନୁଷ୍ୟ ନିଜେ ହିଁ ଦାୟୀ । ଜଳବାୟୁ ପରିବର୍ତ୍ତନର ମୂଖ୍ୟ କାରଣ ହିଁ ମନୁଷ୍ୟ ଦ୍ୱାରା ସଂଘଠିତ ସମସ୍ତ କ୍ରିୟା ପ୍ରତିକ୍ରିୟା । 
      ନିଜର ସୁଖ ସ୍ୱାଚ୍ଛନ୍ଦର ପରିପୁଷ୍ଟ ପାଇଁ ଭୂଲି ବସୁଛି ପରିବେଶର ସନ୍ତୁଳନ କଥା । ନିଜର ଲୋଭ, ମୋହ ଓ ଆସକ୍ତିର ବଶବର୍ତ୍ତୀ ହୋଇ ଭବିଷ୍ୟତର ପୃଥିବୀ ବିଷୟରେ ଆଦ୍ୟୈ ଚିନ୍ତା କରୁନାହିଁ । ଯେଉଁ ଜଙ୍ଗଲ ତା’ର ଜୀବନର ସୁତ୍ରଧର, ଯେଉଁ ଜଳ ତା’ ଜୀବନର ଅପରିହାର୍ଯ୍ୟ ଅଙ୍ଗ, ଯେଉଁ ବାୟୁ ବିନା ତା’ର ବଞ୍ôଚବା ଅସମ୍ଭବ ସେ ସମସ୍ତଙ୍କୁ ବଳତ୍କାର  କରିଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ନିଜର ଶାରୀରିକ ସୁଖ ପାଇଁ ସେ ପ୍ରକୃତିଦତ୍ତ ସମସ୍ତ ବିଭବର ପରିବର୍ତ୍ତନ କରିବାରେ ଲାଗିଛି । କଠିନକୁ ତରଳରେ, ତରଳକୁ ଗ୍ୟାସୀୟରେ, ଗ୍ୟାସୀୟକୁ ତରଳରେ, ତରଳକୁ କଠିନରେ ରୂପାନ୍ତର କରି ଚାଲିଛି । କେତେକଙ୍କୁ ପୋଡି ପାଉଁଶ କରି ଚାଲିଥିବା ସମୟରେ କେତେବେଳେ ପୋଡା ପାଉଁଶରୁ ନୂତନ ଉଭାବନର ସୁତା ଖୋଜି ଚାଲିଛି । 
      ନିଜର ବାସ ସ୍ଥାନଠାରୁ ଆରମ୍ଭ କରି ଅନ୍ୟ କାମ ପାଇଁ ଜଙ୍ଗଲକୁ ପଦା କରିଚାଲିଛି । ମାଟି ତଳେ ପ୍ରକୃତି ଭରି ରଖିଥିବା କଠିନ ଓ ତରଳ ଉର୍ଜ୍ଜା ସବୁକୁ ବାୟୁମଣ୍ଡଳରେ ଧୂଆଁ କରି ଅବିରତ ଭାବରେ ଛାଡି ଚାଲିଛି । ଅନ୍ୟ ମର୍ମରେ କହିବାକୁ ଗଲେ ପୃଥିବୀରେ କେଉଁ ଅନନ୍ତ କାଳରୁ ଘଟି ଆସୁଥିବା ସମସ୍ତ ପ୍ରାକୃତିକ ପରିବର୍ତ୍ତନ ଓ ବିବର୍ତ୍ତନକୁ ମାନବ ନିଜ ହାତମୁଠାକୁ ନେଇ ଆସିଛି । ପ୍ରତ୍ୟେକ ପ୍ରାକୃତିକ ପରିବର୍ତ୍ତନର ସ୍ରୋତରେ ନିଜ ସାଧ୍ୟରେ ଜୁଆର ଅବା ଭଟ୍ଟା ସୃଷ୍ଟି କରି ପାରୁଛି । କୌଣସି ପ୍ରାକୃତିକ ପରିବର୍ତ୍ତନକୁ କୃତ୍ରିମ ଉପାୟରେ ସଂଘଟିତ କରିବାରେ ଆଜି ସକ୍ଷମ ମଧ୍ୟ ହୋଇ ପାରିଛି । ମନେ ହେଉଛି ପୃଥିବୀ ଆଜି ସନ୍ତୁଳନ ରହିତ । ଏକ ଅସନ୍ତୁଳିତ ପରିବେଶ ଆଜି ପୃଥିବୀର କାୟାକୁ କବଳିତ କରି ସାରିଲାଣି । ଏଭଳି ଅସନ୍ତୁଳିତ ପରିବେଶର ପରିମାଣ ମନୁଷ୍ୟ ଭୋଗିବା ଆରମ୍ଭ କରି ସାରିଲାଣି । କେଉଁଠି ସୂର୍ଯ୍ୟ ଦେବଙ୍କର ପ୍ରଚଣ୍ଡ ରଶ୍ମୀ ବାୟୁମଣ୍ଡଳକୁ ନିଆଁ ପେଣ୍ଡୁଳା ପରି ଉତ୍ତପ୍ତ କରିଲାଣିତ କେଉଁଠି ତାପମାତ୍ରା ନାହିଁ ନଥିବା ଭାବରେ ନିମ୍ନଗାମୀ ହେବାକୁ ଲାଗିଛି । ପୁନଶ୍ଚ କେଉଁଠି ଦୁର୍ଭିକ୍ଷର ତାଣ୍ଡବ । 
      ପୁରୁଣା ରୋଗ ବ୍ୟାଧିରୁ ମୁକୁଳିବାରେ ସକ୍ଷମ ହୋଇଥିବା ବେଳେ ଦିନୁଦିନ ନୂତନ ରୋଗ ବ୍ୟାଧିର ଆବିର୍ଭାବ । କେଉଁଠି ହାଅନ୍ନ ହାଅନ୍ନର ଚିତ୍କାରତ କେଉଁଠି ଶୁଦ୍ଧଜଳ ପାଇଁଏହି ମାନବ ଡହଳ ବିକଳ । ଯେଉଁଠି ନିଜ ଶାରିରୀକ ଓ ମାନସିକ ସୁଖ ପାଇଁ ପୃଥିବୀକୁ ପ୍ରଦୂଷିତ କରି ଚାଲିବାର ବେଲଗାମ୍ କ୍ରିୟାତ କେଉଁଠାରେ ନିଜକୁ ବଳଶାଳୀର ଦର୍ଜାପାଇଁ ଗଣବିଧ୍ୱଂସୀ ଅସ୍ତ୍ରର ପସ୍ତୁତି ।କେଉଁଠାରେ ଗଣହତ୍ୟାର ପୈଶାଚିକ କର୍ମତ କେଉଁଠି ମାନବୀକତାର ଭରପୁର ପ୍ରୟୋଗ । ଏ ସମସ୍ତ କ୍ରିୟା ପ୍ରତିକ୍ରିୟା ସତେ ଯେପରି ମନୁଷ୍ୟକୃତ ପରି ମନେହେଉଥିଲେ ହେ ଏହା ଆଦୌ ଭୂଲିବା ଉଚିତ ନୁହେଁ, ଏ ସମସ୍ତ ହେଉଛି ଏକ ନିରନ୍ତର ପ୍ରବହମାନ ପ୍ରକ୍ରିୟା । 
      ଏ ସମସ୍ତ ପ୍ରକ୍ରିୟା ହିଁ ପ୍ରାକୃତିକ । ଏହା ସୃଷ୍ଟିର ନିୟମ । ସୃଷ୍ଟିରେ ମନୁଷ୍ୟ ଦ୍ୱାରା ସଂଘଠିତ ପ୍ରତ୍ୟେକ କୃତ୍ରିମ କ୍ରିୟା କଳାପ ପଛରେ ଭରିରହିଛି ତା’ମସ୍ତିଷ୍କରେ ସଂଘଟିତ ହେଉଥିବା ପ୍ରାକୃତିକ କ୍ରିୟା । ମାନବର ବୁଦ୍ଧିତ କୃତ୍ରିମ ନୁହେଁ । ଏହା ପ୍ରକୃତ୍ତି ଦତ୍ତ ଏବଂ ପ୍ରକୃତି ହିଁ ଏଥିରେ ଭରି ଚାଲିଥାଏ ବିବିଧତା । ଏ ବୁଦ୍ଧିର ବିବିଧତା ପାଇଁ ମନୁଷ୍ୟ ନିଜେ ଆଦ୍ୟୈ ଦାୟୀ ନୁହେଁ ବରଂ ଦାୟୀ ହେଉଛି ଏହି ପ୍ରକୃତି ବା ପ୍ରକୃତିର ରଚୟିତା ସେହି ପରମବ୍ରହ୍ମ ପରମପୁରୁଷ । ତାଙ୍କର ସୂକ୍ଷ୍ମତ୍ୱରେ ଶକ୍ତି ସଂଚାର ସେହି ପ୍ରକୃତି ମାଧ୍ୟମରେ ହିଁ ମନୁଷ୍ୟର ବୁଦ୍ଧିକୁ ପ୍ରଭାବିତ କରିଚାଲେ । ମାନବର ବୁଦ୍ଧିକୁ ବିଭବତା ପ୍ରଦାନ କରିବା ଓ ଭ୍ରଷ୍ଟକରିବା ଉଭୟେ ସେହି ପ୍ରକୃତିର କାର୍ଯ୍ୟ । ତେଣୁ ଏ ସମସ୍ତ ମନୁଷ୍ୟ କୃତ କାର୍ଯ୍ୟ ହିଁ ପ୍ରାକୃତିକ କାର୍ଯ୍ୟର ରୂପାନ୍ତର ମାତ୍ର । ଏ ସମସ୍ତ କୃତ୍ରିମ ପରିବର୍ତ୍ତନ ଓ ବିବର୍ତ୍ତନର ମୂଳଉତ୍ସ ହିଁ ସେହି ପ୍ରକୃତି । 
      ତେଣୁ ଏ ସବୁକୁ ଆମେ ସ୍ଥୂଳ ଭାବରେ ସିନା କୃତ୍ରିମ ବୋଲି ଅଭିହିତ କରି ଚାଲିଛେ ମାତ୍ର ତା’ର ସୂକ୍ଷ୍ମତାକୁ ଆମେ ବିଚାର କରିବାକୁ ପ୍ରୟାସ କରିନାହେଁ । ଏଠାରେ ମଧ୍ୟ ସଂସାରର ସେହି ନିୟମ ପରିପୂର୍ଣ୍ଣ ଭାବରେ ପ୍ରଯୁଯ, ଯାହା ଆମର ସ୍ଥୂଳବିଚାର ଧାରାରେ ଏକ ଭ୍ରମ ଛଡା ଆଉ କିଛି ନୁହେଁ । ନିଜକୁ ଅଣୁତ୍ୱର ସେ ସୂକ୍ଷ୍ମ ଚିରନ୍ତନତାକୁ ଟିକେ ଓହ୍ଲାଇ ଦେଲେ ସବୁ ପ୍ରାଞ୍ଜଳ ଭାବରେ ବାରି ହୋଇ ପଡିବ । ମାତ୍ର କ୍ଷୋଭ ଏହି ଯେ ସମସ୍ତ ମାନବ ମାନଙ୍କର ସେ ଭଳି ସ୍ତରର ଚେତନା ଶକ୍ତି ନାହିଁ । ହୁଏତ ଥାଇପାରେ, ମାତ୍ର ସମସ୍ତ ମାନବ ତାକୁ ଅନୁଭବ କରିବାର ସାମର୍ଥ୍ୟ ହାସଲ କରି ନାହାନ୍ତି । ଯଦି ପ୍ରତ୍ୟେକ ବୈଜ୍ଞାନିକ ଉଦ୍ଭାବନ ପଛରେ ମନୁଷ୍ୟର ବିଚକ୍ଷଣ ବୁଦ୍ଧି ହିଁ ନିହିତ ତେବେ ସର୍ବପ୍ରଥମ ପ୍ରଶ୍ନ ମନୁଷ୍ୟ ଏ ବିଚକ୍ଷଣତା କେଉଁ ଉତ୍ସରୁ ପାଏ । ସେ ବୁଦ୍ଧିର ସ୍ରଷ୍ଟା କିଏ? ତାକୁ କିଏ ଅର୍ପଣ କରେ? ଏଭଳି ବୁଦ୍ଧି ଯାହା ପ୍ରବୃତ୍ତିରେ ସଂକୋଚନ ଓ ପ୍ରସାରଣ ଗୁଣ ବହନ କରେ । ଧୀମତା ଓ ବିଚକ୍ଷଣତା ମଧ୍ୟ ଏହାର ସଙ୍ଗ । ପ୍ରକୃତି ଯେଉଁ ମାନବ ମାଧ୍ୟମରେ ଏ ବୁଦ୍ଧିର ପ୍ରୟୋଗ କରେ ସ୍ଥଳ ବିଶେଷରେ ତାହା ମଧ୍ୟ ସେହି ପ୍ରକୃତି ହିଁ ସ୍ଥିର କରେ । ତେଣୁ ଯଦି ସମସ୍ତ କୃତ୍ରିମ ପରିବର୍ତ୍ତନର ମୂଳ ଉତ୍ସ ମାନବର ପ୍ରକୃତ୍ତି ଦତ୍ତ ବୁଦ୍ଧି ତେବେ ମାନବ ଦ୍ୱାରା ସଂଘଟିତ ପରିବର୍ତ୍ତନକୁ ଆମେ କୃତ୍ରିମ ବୋଲି କିପରି ବା କାହିଁକି କହିବା? 
      ସେତେବେଳକୁ ମୁଁ ମଧ୍ୟ ଏଭଳି ଭ୍ରାନ୍ତିରେ ମୋହିତ ହୋଇ ଏ ବିଶ୍ୱ ପ୍ରଚଞ୍ଚର ଦୈାରାତ୍ମ୍ୟରେ ମୋର ସ୍ୱକୀୟ ଗୁଣକୁ ସମୟେ ସମୟେ ହରେଇ ବସି ଭାବିବାରେ ଲାଗୁଥାଏଯେ ଏ ସବୁ ମୋର ପୂର୍ବଜନ୍ମର ସୁକର୍ମର ପ୍ରତିଫଳନ ଓ ଏ ସମସ୍ତ ପାଇଁ ମୁଁ ହିଁ ଦାୟୀ । ପରନ୍ତୁ ତାହା ଥାଏ ସମ୍ପୂର୍ଣ୍ଣ ଭୂଲ୍‌ା ସମସ୍ତ ପୂର୍ବ ଯୋନିଯାତ୍ରା ସଂସ୍ଳିଷ୍ଟ ମୋର ସମସ୍ତ କର୍ମ, ଅକର୍ମ ଓ ବିକର୍ମ ସବୁ କିଛି ସେହି ପ୍ରକୃତିର ଏକ ନିରନ୍ତର ପ୍ରକ୍ରିୟା ଯାହା ସେହି ମହତ୍ ବ୍ରହ୍ମଙ୍କ ନିର୍ଦ୍ଦେଶରେ ହିଁ ସଂଗଠିତ ହୋଇ ଚାଲିଛି ଓ ଆଗକୁ ସେମିତି ଚାଲିଥିବ ତାହା ଭୁଲି ବସୁଥାଏ । 
      ଏହା ବି ସତ୍ୟ, ସମୟେ ସମୟେ କ୍ଷଣିକ ପାଇଁ ମନୁଷ୍ୟ ନିଜ ଜ୍ଞାନ ଗାରିମାର ଉତ୍ସକୁ ଭୂଲିବସି ଅନେକ ଉଦ୍ଭାବନ ଓ ଆବିଷ୍କାରକୁ ନିଜ ବୌଦ୍ଧିକ ଗାରୀମାର ପରାକାଷ୍ଠାର ପ୍ରତିଫଳନ ବୋଲି ବିଚାର କରେ । ଆହରି ଥିବା ସମସ୍ତ ରତ୍ନତ୍ରିତୟକୁଯେ ସେ ଏହି ସୃଷ୍ଟିରୁ ହିଁ ଗ୍ରହଣ କରି ପୋଥି ଅବା ପୁସ୍ତକ ଆକାରରେ ସାଇତି ରଖି ଚାଲିଛି ତାହା ମୁହୁର୍ତ୍ତକ ପାଇଁ ବିସ୍ମରି ବସେ । 
      ମାତ୍ର ଯଦି ନିଜର କଳ୍ପନାରୁ ବି ସେ କିଛି କାଳ୍ପନିକ ବସ୍ତୁର ଅବୟବ ଅବା ଭବିଷ୍ୟତର ବାର୍ତ୍ତା ପ୍ରଣିଧାନ କରେ ତେବେ ତାହା ମଧ୍ୟ ସେହି ପ୍ରକୃତିର ପ୍ରକ୍ରିୟା । ସେ କଳ୍ପନା କରିବାର ଶକ୍ତି ଓ ଚିନ୍ତା କରିବାର ସାମର୍ଥ୍ୟ ତା’ ପାଖରେ ଖଞ୍ଜିଛନ୍ତି ସେହି ପରବ୍ରହ୍ମ ପରମାତ୍ମା । ମାନବ ଯାହାବି କରେ ତାଙ୍କ ଦତ୍ତ ମୂଳପୁଞ୍ଜିର ଭିତ୍ତିଭୂମି ଉପରେ ହିଁ କରେ । ମାନବର ନିଜସ୍ୱ ସୃଷ୍ଟି ବୋଲି କିଛି ନାହିଁ । ସେ ଯାହା ବି କରିଛି ପ୍ରଭୁ ସୃଷ୍ଟି ପ୍ରକୃିତି ଦତ୍ତ ପଦାର୍ଥର ପରିବର୍ତ୍ତନ କରି କରିଛି । ଆଉ ଯେଉଁ ବୁଦ୍ଧି ଓ ଚିନ୍ତା ବଳରେ କରିଛି ତାହା ସେହି ମହତ୍ତବ୍ରହ୍ମଙ୍କର ତା’ ପ୍ରତି ଆଶୀର୍ବାଦ । 
      ଏ ସମସ୍ତର ପ୍ରମାଣ ସବୁରି ସାମନାରେ ପ୍ରକାଶିତ । ଏ ସୃଷ୍ଟିରେ ପ୍ରତ୍ୟେକ ମନୁଷ୍ୟ ପରସ୍ପରରୁ ଭିନ୍ନ । ପ୍ରତ୍ୟେକଙ୍କର ଅନନ୍ୟତା ତାଙ୍କ ସୃଷ୍ଟିର ସର୍ବଶ୍ରେଷ୍ଠ ବୈଚିତ୍ର‌୍ୟତା । ସମସ୍ତଙ୍କ ପାଖରେ  ଚିନ୍ତା କରିବାର ସେ ଅନୁପମ ଶକ୍ତି ନାହିଁ । ଯେଉଁ ମାନଙ୍କ ପାଖରେ ଅଛି ସେମାନଙ୍କ ମଧ୍ୟରୁ ସମସ୍ତେ ଚିନ୍ତା କରିବାକୁ ସମର୍ଥ ନୁହନ୍ତି । ଯେତେକ ଚିନ୍ତା କରିପାରନ୍ତି ସମସ୍ତଙ୍କର ଚିନ୍ତାର ଦିଗ ଭିନ୍ନ । ଚିନ୍ତାର ଗଭୀରତା ମଧ୍ୟ ଭିନ୍ନ । କିଏ ନିଜ ପାଇଁ, କିଏ ପରପାଇଁ, କିଏ ସମସ୍ତଙ୍କ ପାଇଁ ଚିନ୍ତା କରିବାରେ ଲାଗିପଡେ । କାହା ଚିନ୍ତାରେ ଭରି ରହିଥାଏ ସ୍ୱସ୍ୱାର୍ଥର ପରିପୁଷ୍ଟିତ କାହା ଚିନ୍ତାରେ ଭରି ରହିଥାଏ ସମାଜର କଲ୍ୟାଣ । କାହା ପାଖରେ ଭରି ଦେଇଛନ୍ତି ବିଚକ୍ଷଣ ବୁଦ୍ଧିର ଅମାରତ ଆଉ କିଏ ଅଳ୍ପ ବୁଦ୍ଧିଆ ଓ ଅନ୍ୟ କେହି ହୀନ ବୁଦ୍ଧିଆର ପରିଭାଷା ବହନ କରେ । ତେବେ ଏ ସମସ୍ତ ବିବିଧତା ଏକ ସ୍ୱୟଂକ୍ରିୟ ପ୍ରକ୍ରିୟା । ଏଥିରେ ମନୁଷ୍ୟର ଭାବନା ମଧ୍ୟ ସଂୟଂଚାଳିତ । ମନୁଷ୍ୟ ଯାହା ବି ନିଜ ଇଚ୍ଛାମତେ କରେ ସେ ଇଚ୍ଛାର ସେ ଅଧରକାରୀ ନୁହେଁ ବରଂ ସେ ଇଚ୍ଛାର ଉଦ୍ରେକ ମଧ୍ୟ ସ୍ୱଂୟକ୍ରିୟ ଓ ନିରନ୍ତର । 
      ସେ ଦିନ ମୋର ଶେଷ ଯାତ୍ରା କ୍ଷେତ୍ରରେ ସେମିତି ସବୁକିଛି ନିରନ୍ତର ଓ ନିରବଛିନ୍ନ ଏକ ସ୍ୱଂୟ ସମ୍ପୂର୍ଣ୍ଣ ପ୍ରକ୍ରିୟା ଭାବରେ ଚାଲିଥାଏ । ମୋ ପ୍ରାରବ୍ଧର ସମସ୍ତ ପରିବର୍ତ୍ତିତ ଯୋନି ଜନ୍ମ ଓ ତା’ମଧ୍ୟରେ ମୁଁ ଲଭିଥିବା ପୁଣ୍ୟ ପୁଞ୍ଜି ସବୁ ସେହି ନିତ୍ୟ ଶାସ୍ୱତ ପ୍ରକ୍ରିୟାର କିଅଦ ଅଂଶ ଏଥିରେ ମୋର ସନ୍ଦେହ ନଥାଏ । ମାତ୍ର ସଂସାର ଶମ୍ବରୀର ଐନ୍ଦ୍ରିଜାଲିକ ଶକ୍ତିରେ ମୁଁ ବି ବେଳେବେଳେପଥହୁଡା ପଥିକ ପରି ନିଜ ଅହଂଭାବ ରେ କବଳିତ ହେଉଥାଏ ଯାହା ଥାଏ ମୋର ଏ ଦିବ୍ୟଗତିର ବିପରୀତ ଧର୍ମୀ । ତଥାପି ନିଜକୁ ପୁନଶ୍ଚ ମୋର ପୂର୍ବ ଚୈତନ୍ୟକୁ ଫେରାଇ ଆଣିବାକୁ ସକ୍ଷମ ଥାଏ ଯାହା ସେହି ପରମ କାରୁଣୀକ ପରମାତ୍ମାଙ୍କର ହିଁ ଆଶୀର୍ବାଦ । 
      ସେଦିନ ମାନଙ୍କରେ ସନାତନ ଯାହାସବୁ ନିଜ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଥାଏ ତା’ର ସେସବୁ ତା’ ବିଜ୍ଞାନୀ ଜ୍ଞାନଗାରିମାର ପରିପ୍ରକାଶ ସତ, ମାତ୍ର ସନାତନ ସେ ସମସ୍ତ ବିଜ୍ଞାନୀ ଜ୍ଞାନ ଗାରିମାରେ ଶ୍ରୀତ ହେବାଟା ଏକ ନିନ୍ତର ଓ ପ୍ରାକୃତିକ ପ୍ରକ୍ରିୟା । ତା’ର ଏଭଳି ଉଚ୍ଚ ରାଜବଂଶରେ ଜନ୍ମ ହେବାଠାରୁ ଆରମ୍ଭ କରି ଏକ ପ୍ରଚଣ୍ଡ ଧୀଶକ୍ତିର ଅଧିକାରୀ ଏ ସମସ୍ତ ପ୍ରକୃତିଗତ ପ୍ରାକୃତିକ କ୍ରିୟା । ସେହି ଧୀଶକ୍ତି ଓ ସମସ୍ତ ସୁଯୋଗର ପ୍ରୟୋଗରେ ସେ ଥାଏ ଦେଶର ଜଣେ ଖ୍ୟାତାନାମା ବୈଜ୍ଞାନିକ । ମୁନିଋଷି ଓ ମହାମନିଷୀ ମାନେ କୁହନ୍ତି ମାନବର ଚିନ୍ତା ହିଁ ତା’ର ଜୀବନର ଗତି ଓ ଦିଗ ନିରୂପଣ କରେ । ତା’ର ମହତ ଚିନ୍ତା ତାକୁ ମହାନ୍ କରିଥାଏ । 
     ମାତ୍ର ସେମାନଙ୍କର ସେହି ଅମରବାଣୀର ଅନ୍ତରାଳରେ ରହିଯାଏ, ମଣିଷ ମନରେ ସେ ମହତଚିନ୍ତା ଭରିବା ପାଇଁ ଦାୟୀ କିଏ? କିଏ ସେ ଭରେ ସେ ମହାନ୍ ଚିନ୍ତା? ହୁଏତ କାହା ପ୍ରେରଣା, ପ୍ରକୃତିଠାରୁ ପ୍ରେରଣା ଅବା ନିଜପ୍ରକୃତିର ସ୍ୱଚିନ୍ତାରେ ଧାବମାନ ହୋଇ ଥାଇପାରେ ମାତ୍ର ସେ ସବୁର ଉତ୍ପତିସ୍ଥଳ ସେହି ପ୍ରଭୁ ରଚିତ ପ୍ରାକୃତିକ ପରିବର୍ତ୍ତନର ଏକ ଅଂଶ ବିଶେଷ । 
      ସନାତନ ଖାଦ୍ୟପେୟ ଠାରୁ ଆରମ୍ଭ କରି ଔଷଧ ପତ୍ର ଯାହା ସବୁ ସତ୍ତ୍ୱରୀମାର ସ୍ୱାସ୍ଥ୍ୟ ପାଇଁ ପ୍ରାବଧାନ କରିଚାଲିଥାଏ ତାହା ସାଧାରଣ ମାନବ ଭାଷାରେ କୃତ୍ରିମ ହୋଇପାରେ ମାତ୍ର ମନିଷୀଙ୍କ ଭାଷାରେ ତାହା ନିରନ୍ତର ପ୍ରାକୃତିକ ପ୍ରକ୍ରିୟାର ଏକ ବିବର୍ତ୍ତିତ ପରିପ୍ରକାଶ ମାତ୍ର । ସ୍ରଷ୍ଟାଙ୍କ ଦ୍ୱାରା ରଚିତ ମାନବର ମାଧ୍ୟମରେ ଏପରି କୃତ୍ରିମ କୌଶଳର ଉପାଦେୟତା ଯଥେଷ୍ଟ ଅଛି । ରହିବନି ବା କିପରି? ତାଙ୍କରି ନିର୍ମାଣର ତ ତାହା ଏକ ପରିପ୍ରକାଶ? ତେଣୁ ମନୁଷ୍ୟ କୃତ ସମସ୍ତ ପରିବର୍ତ୍ତିତ ଅବା ବିିବର୍ତ୍ତିତ ପ୍ରତିକ୍ରିୟାର ଉତ୍ପାଦ ନିଶ୍ଚିତ ରୂପେ ମାନବର ଉଦ୍ଦେଶ୍ୟ ସାଧନ କରିଚାଲିଥିବ । କେବେ କେବେ ଏହି ଉତ୍ପାଦ ମାନବର ହିତାଭୀମୂଖୀ ହୁଏତ କେବେକେବେ ଧ୍ୱସାଂଭିମୂଖୀ, ପରନ୍ତୁ ପ୍ରତ୍ୟେକ ଉତ୍ପାଦ ନିଜନିଜର ସ୍ୱକୀୟ ଗୁଣ ନିଶ୍ଚିତ ପରିପ୍ରକାଶ କରିବେ । 
      ମନୁଷ୍ୟ ଦ୍ୱାରା ଉଦ୍ଭାବିତ ରାସାୟନିକ ଔଷଧ ସବୁ ତା’ର ଉଦ୍ଦେଶ ସାଧନ କରିଚାଲିଥାଏ । ସତ୍ତ୍ୱରୀମାକୁ ଯେତେଗୁଡିଏ ରୋଗ ପ୍ରତିରୋଧକ ଟୀକା ଦିଆଯାଉଥାଏ ସେ ସବୁ ଗୁଡିକ ସେମାନଙ୍କର କାମ କରି ଚାଲିଥାନ୍ତି । ଯେଉଁ ସବୁ ଲୌହସାର ଯୁକ୍ତ ବଟିକା ଓ ଭିଟାମିନ୍ ସତ୍ତ୍ୱରୀମା ଶରୀର ପାଇଁ ଆବଶ୍ୟକ ଅଧିକ ଶକ୍ତି ଯୋଗାଇ ଚାଲିଥାଏ । ପ୍ରତି ସପ୍ତାହର ଶେଷ ଭାଗରେ ସନାତନର ସତ୍ତ୍ୱରୀମା ଗର୍ଭରେ ତା’ ସନ୍ତାନର ଦର୍ଶନ ମାନବ ଦ୍ୱାରା ସୃଷ୍ଟି ଏକ ଯନ୍ତ୍ର ସାହାଯ୍ୟରେ ହେଉଥିଲେ ସୁଦ୍ଧା ସେ ଯନ୍ତ୍ରରେ ଲାଗିଥିବା ପ୍ରତିଟି କ୍ଷୁଦ୍ର ଯନ୍ତ୍ରାଂଶର ମୂଳ ପଦାର୍ଥ ଓ ଉପାଦାନସେହି ପ୍ରକୃତିର ନିସର୍ଗ । ଗୋଟିଏ ଧାତୁରେ ବିଦ୍ୟୁତ ପରିବହନ କରିବାର କ୍ଷମତା, ଅନ୍ୟ କେଉଁ ଧାତୁର ଚୁମ୍ବକୀୟ ଦକ୍ଷତା, ପ୍ରାକୃତିକ ଗ୍ୟାସ୍‌ରେ ଥିବା ଉର୍ଜ୍ଜା ଅବା ସୂର୍ଯ୍ୟ କିରଣରେ ବିଦ୍ୟୁତ୍ ଉତ୍ପାଦନ ସାମର୍ଥ୍ୟ ମନୁଷ୍ୟର ସର୍ଜ୍ଜନା ନୁହେଁ । ଏ ସମସ୍ତ ସେହି ପରମ ବିଦ୍ଧାଣୀର ହିଁ ନିସର୍ଗ । ମନୁଷ୍ୟ ସେ ସବୁର ଉପଯୋଗରେ ନିଜର ସ୍ରଷ୍ଟା ଦତ୍ତ ବୁଦ୍ଧି ଓ ଚିନ୍ତା ଶକ୍ତିର ପ୍ରୟୋଗରେ ବିକଶିତ କରେ ଅନେକ ଯନ୍ତ୍ର ଆଉ ଏ  ରଚନା ପଛରେ ମନୁଷ୍ୟର ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଉଦ୍ଦିଷ୍ଟ ଥିଲେ ସୁଦ୍ଧା ଏହା ପ୍ରକୃତିର ଏକ ନିରବଛିନ୍ନ ପ୍ରକ୍ରିୟା ।
      ମାନବର ଗତି ପ୍ରବୃତ୍ତି ବିଜ୍ଞାନର ବିଭବରେ ପର୍ଯ୍ୟବେସିତ ହୋଇ ନିଜର ସୁଖ ସ୍ୱାଚ୍ଛନ୍ଦ୍ୟର ଆଭିମୂଖ୍ୟ ବହନ କରିପାରେ ପରନ୍ତୁ ତାହା ସେହି ସ୍ରଷ୍ଟାଙ୍କ ରଚିତ ନିରନ୍ତର ପରିବର୍ତ୍ତନ । ସେହି ନିରନ୍ତର ପରିବର୍ତ୍ତନ ଏ ସମଗ୍ର ସୃଷ୍ଟିର ସନ୍ତୁଳନତା ବଜାୟ ରଖିବାର ମୂଳ କାରଣ ପାଇଁ ଉଦ୍ଧିଷ୍ଟ । ମାନବ କାଟି ଚାଲିଛି ବଣଜଙ୍ଗଲର ସେ ଅମୂଲ୍ୟ ବୃକ୍ଷରତ୍ନକୁ ନିଜ ସ୍ୱାର୍ଥ ପାଇଁ । କେତେକ ଏହାକୁ ବିଶ୍ଳେଷଣାତ୍ମକ ଢଙ୍ଗରେ ବିବେଚନା କରି ମାନବ ସମାଜ ଉପରେ ଦୋଷ ମଧ୍ୟ ଲଦି ଦେଇଛନ୍ତି । ସଚେତନତା ସୃଷ୍ଟି କରିବାରେ ଅନେକ ବ୍ୟସ୍ତ । ବୃକ୍ଷ ହିଁ ଜୀବନ ସମସ୍ତଙ୍କୁ ବୁଝେଇବାରେ ବିବ୍ରତ । ବନୀକରଣ ଅନେକ ଚାଲିଛି । ତଥାପି ଜଙ୍ଗଲ ଧ୍ୱଂସ ତୁଳନାରେ ନୂତନ ଜଙ୍ଗଲ ସୃଷ୍ଟିର ପରିମାଣ ବହୁତ କମ୍ । ମାନବର ଭବିଷ୍ୟତ ଅନ୍ଧକାର । ଏହାଦ୍ୱାରା ପୃଥିବୀ ଏକ ନିର୍ଜୀବ ଗ୍ରହର ଅବୟବ ଧାରଣ କରିବା ଦିଗରେ ଆଜି ଧାବମାନ । ମନୁଷ୍ୟ ହେଜୁନି, ଚେତୁନି କିମ୍ବା ଭବିଷ୍ୟତ ପ୍ରତି ସତେଯେମିତି ସେ ସେତେଟା ବ୍ୟସ୍ତ ଓ ଚିନ୍ତିତ ନୁହେଁ । ମାତ୍ର ଏ ସମସ୍ତ ମନୁଷ୍ୟ ରଚିତ କ୍ରିୟା କର୍ମର ନିରନ୍ତରତା ଓ ପ୍ରବହମାନକୁ ସେହି ଅଦୃଶ୍ୟ ଶକ୍ତି ହିଁ ପରିଚାଳିତ କରିଥାନ୍ତି । ମାନବ ସମାଜର ଧ୍ୱଂସ ପରେ ପୁନଃ ସର୍ଜ୍ଜନା, ପୁନଶ୍ଚ ସମୁଚ୍ଛେଦ ଓ ନିର୍ମାଣ ସବୁକିଛି ତାଙ୍କ ବିନ୍ୟାସ । ସେଠି ମୁଁ ବି ବୁଝିସାରିଥାଏ ସନାତନ ଦ୍ୱାରା ସଂଗଠିତ ଓ ପ୍ରାୟୋଜିତ ମୋ ସ୍ଥୁଳ ଶରୀର ଉଦ୍ଦେଶ୍ୟରେ ସମସ୍ତ କର୍ମ ସସତ୍ୱର ନିରନ୍ତରତା । 
      ଅନେକ ସମୟରେ ମୁଁ ଏ ସମସ୍ତ କର୍ମ ସହିତ ଯେତିକି ଖୁସି ଅନୁଭବ କରୁଥାଏ ତା’ଠୁ ସମୟେ ସମୟେ ଅତ୍ୟଧିକ ଦୁଃଖୀ ହୋଇ ଯାଉଥାଏ । ପରନ୍ତୁ ସତ୍ତ୍ୱରୀମାର ସେ ପ୍ରଭୁ ପାଦରେ ଧୀତି ମୋତେ ପରମ ଆନନ୍ଦ ପ୍ରଦାନ କରେ । ମୁଁ ହଜିଯାଏ ନୈସର୍ଗିକତାର ସେ ଶାସ୍ୱତ ଦିଗ୍‌ବଳୟରେ । ମୋ ଶେଷ ପ୍ରାପ୍ତିର ଆଶାର ଆନନ୍ଦରେ ଅଭିଭୁତ ହୋଇ ଉଠେ । ଏତେ ଶୁଚିମନ୍ତ ମୋ ଅନ୍ତିମ ଯାତ୍ରାର ମାର୍ଗ ମୋତେ ମୋର ପୀଡାକୁ ଲାଘବ କରିବାରେ ଯଥେଷ୍ଟ ସହାୟକ ହେଉଥାଏ । 
      ସନାତନର ଗଣିତ କହେ ଏକତ୍ରିଂଶ ସପ୍ତାହର ଶେଷ ଭାଗ ବେଳକୁ ଶିଶୁର ଲମ୍ବ ପ୍ରାୟ ଷୋହଳ ଇଞ୍ଚ ହୋଇଥିବା ବେଳେ ତା’ର ଓଜନ ପାଖାପାଖି ଏକ କିଲୋ ପାଞ୍ଚଶହ ଗ୍ରାମ୍‌୍ ହୋଇଥିବା ବର୍ତ୍ତମାନ ସମୟରେ ସେ ତା’ର ମୁଣ୍ଡକୁ ବାମ ଓ ଡାହାଣ କଡକୁ ଘୁରେଇବାରେ ସକ୍ଷମ ହୋଇ ଯାଇଥିବ । ତା’ର ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗରେ ମାଂସେପଶୀ ଆବଶ୍ୟକ ମୁତାବକ ଗଠନ ହୋଇ ଏକ ସୁଢଳ ଅବୟବରେ ପରିଣତ କରୁଥିବ । ଏହି ସମୟର ଶିଶୁଟି ଆଦ୍ୟୈ ସ୍ଥିର ରହି ିନପାରି କେବଳ  ତା’ର ଅଙ୍ଗ ପ୍ରତ୍ୟେଙ୍ଗକୁ ଗତି କରିବାରେ ଲାଗୁଥିବ ଯାହା ଫଳରେ ସତ୍ତ୍ୱରୀମା ତା’ପେଟରେ ସନ୍ତାନର ଉପସ୍ଥିତି ଓ ତା’ର ହରକତକୁ ଭଲଭାବରେ ଅନୁଭବ କରି ଚାଲିଥିବ । 
      ଶିଶୁର ଏହି ସବୁ ଗତି ସୁଚିତ କରିବ ଯେ ଶିଶୁଟି ସମ୍‌ୂର୍ଣ୍ଣ ସୁସ୍ଥ ଓ ଚଳଚଞ୍ଚଳ ଅଛି ।
 ଏ ସବୁର ପରେ ସତ୍ତ୍ୱରୀମା ବର୍ତ୍ତମାନ ସମୟେ ସମୟେ ତା’ର ଗର୍ଭ ଯନ୍ତ୍ରଣା ଅନୁଭବ କରିବା ଆରମ୍ଭ କରିଦେବ । ଏପରି ଅସାମୟିକ ଯନ୍ତ୍ରଣା ସବୁ ମହିଳାମାନଙ୍କ କ୍ଷେତ୍ରରେ ହୋଇନଥାଏ । ମାତ୍ର ଆସନ୍ତା ସପ୍ତାହ ଭିତରେ ଏପରି ହଠାତ୍ ଯନ୍ତ୍ରଣା ନିଶ୍ଚିତ ଦେଖାଦେବ । ଯାହାକୁ ବିଜ୍ଞାନ ଭାଷାରେ ବ୍ରାକ୍ସଟନ୍ ହିକସ୍ ସଂକୋଚନ କୁହାଯାଏ । ଏହି ଯନ୍ତ୍ରଣାର କାରଣ ଜରାୟୁର ସଂକୋଚନ । ଏହା ମାତ୍ର ତିରିଷ ସେକେଣ୍ଡ ଧରି ଚାଲିଥାଏ । ଏହାର ନିଦ୍ଦିଷ୍ଟ ସମୟ ମଧ୍ୟ ନାହିଁ । ଦିନର କେଉଁ ସମୟରେ ଏହା ଦେଖା ଦେଇପାରେ । ସେହି ସମୟରେ ବେଳେବେଳେ ଏହି ବ୍ରାକ୍ସଟନ୍ ହିକସ୍ ସଂକୋଚନ ଜନିତ ଯନ୍ତ୍ରଣା ବିପଦ ଆଡକୁ ମଧ୍ୟ ଗତି କରିପାରେ । ଶିଶୁର ଅପରିପକ୍ୱ ଜନ୍ମ ଦିଗକୁ ଟାଣି ନେଇପାରେ । ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନରେ ସତ୍ତ୍ୱରୀମାର ବକ୍ଷୋଜରେ ବର୍ତ୍ତମାନ ଠାରୁ ତା’ର ସନ୍ତାନ ପାଇଁ କ୍ଷୀର ସଂଗୃହିତ ହେବା ଆରମ୍ଭ ହୋଇ ଯାଇଥିବ । ଯାହାର ପରିଣାମ ସ୍ୱରୂପ ସମୟେ ସମୟେ ସତ୍ତ୍ୱରୀମାର ସ୍ତନରୁ ମଧ୍ୟ ତାହା ଖୁବ୍ ଅଳ୍ପ ପରିମାଣରେ ଝରିବାର ଦେଖାଯିବ ।
      ସତ୍ତ୍ୱରୀମାର ମନ କିଛିଟା ଭୟ ଓ ଶଙ୍କା ଗ୍ରସ୍ତ । ଆସନ୍ନ ପ୍ରସବର ଲକ୍ଷଣ ତାକୁ ସମୟେ ସମୟେ ବିଚଳିତ କରି ଚାଲିଥାଏ । ମନେମନେ ଭାବି ବସୁଥାଏ ଯେତେ ଜଲଦି ମୋ ପେଟରୁ ମୋ ସନ୍ତାନ ବାହାରି ଆସନ୍ତା ସେତେ ଜଲଦି ମୁଁ ତାକୁ ପାଖରେ ପାଇ ହଜି ଯାଆନ୍ତି । ମାତ୍ର ଏମିତି କଣ ସମ୍ଭବ । ନିର୍ଦ୍ଧାରିତ ଦଣ୍ଡ ପୂର୍ବରୁ ଦୁନିଆ ଦାଣ୍ଡକୁ ଆଜି ପର୍ଯ୍ୟନ୍ତ କାହାରବି ଆଗମନ ହୋଇନାହିଁ । ତା’ର ବା ହେବ କିପରି? ତେଣୁ ଏ ସମସ୍ତ କଷ୍ଟ ଓ ଯନ୍ତ୍ରଣାକୁ ସବୁ ସହିଯିବାକୁ ହିଁ ପଡିବ ।
      ଗତ ସପ୍ତାହ ଅପେକ୍ଷା ମୋ ସ୍ଥିତ ଶରୀରର ଆକାର ଓ ଆୟତନ ଅବିରତ ବଢି ବଢି ତା’ର ଲମ୍ବ ସେତେବେଳେକୁ ପ୍ରାୟ ସତର ଇଞ୍ଚ୍ ହୋଇ ସାରିଥାଏ ଓ ଓଜନ ପାଖାପାଖି ସତର ସହ ଗ୍ରାମ୍ ହୋଇଥାଏ । ସେତବେଳକୁ ମୋ ସ୍ଥିତ କାୟା ଗର୍ଭାଶୟର ଏକ ବିସ୍ତୀର୍ଣ୍ଣ ଅଞ୍ଚଳ ମାଡି ବସିଥାଏ କହିଲେ ଅତ୍ୟୁକ୍ତି ହେବନାହିଁ । ତା’ର ହାତ ଆଙ୍ଗୁଠି ଓ ଗୋଡ ଆଙ୍ଗୁଠି ନଖର ଗଠନ ଅତି ସୁନ୍ଦରଭାବରେ ଚାଲିଥାଏ । ମୁଣ୍ଡରେ ଅଳ୍ପ ପରିମାଣର ଚୁଟିର ରୋପଣ ମୋ ସ୍ଥିତ କାୟାକୁ ଏକ ଅନନ୍ୟତା ପ୍ରଦାନ କରି ଚାଲିଥାଏ । ମୁଁ କିନ୍ତୁ ମୋର ଯାତ୍ରାର ଆନନ୍ଦ ତୁଳନାରେ ଦୁଃଖ ଖୁବ୍ ଅଧିକ ଅନୁଭବ କରିବାରେ ଲାଗୁଥାଏ । କଡ ଲୁଚେଇବାକୁ ମୋ ସ୍ଥିତ ଅବୟବ ପାଇଁ ସ୍ଥାନର ଅଭାବ । କଦର୍ଯ୍ୟ ପରିବେଷ୍ଟନୀ ମଧ୍ୟରେ ମୁଁ ସ୍ଥିତ । ମୋର ମୁତ୍ର ଓ ବିଷ୍ଠା ମିଶ୍ରିତ କୁମ୍ଭୀ ପାକରେ ମୁଁ ଦଗ୍ଧ କହିଲେ ଅତ୍ୟୁକ୍ତି ହେବ ନାହିଁ । ବେଳେବେଳେ ମୋ ସ୍ଥିତ ଶରୀର ନିଜେ ମଧ୍ୟ ସ୍ୱଜନିତ ଯନ୍ତ୍ରଣାର ସମ୍ମୁଖୀନ ହେଉଥାଏ । 
      ସତ୍ତ୍ୱରୀମାର ଜରାୟୁର ଅବସ୍ଥା କଥାତ ଯାହା, ପରନ୍ତୁ ମୋ ସ୍ଥିତ ଶରୀରର ନିଜସ୍ୱ ପୀଡା କେହି କେବେ ଅନୁଭବ କରି ନାହାନ୍ତି । ମୁଁ ସେ ପୀଡାରେ ପେସି ହୋଇ ଯାଉଥାଏ । ମୋ ପୀଡାର ଲାଘବା ପାଇଁ ମୋ ପାଖରେ ସେହି ପରମବ୍ରହ୍ମ ପରମାତ୍ମାଙ୍କ ବ୍ୟତିତ ଅନ୍ୟ କାହାର ସମର୍ଥ୍ୟ ନାହିଁ ଜାଣି ତାଙ୍କରି ସ୍ମରଣରେ ନିଜକୁସମ୍ପୂର୍ଣ୍ଣ ହଜେଇ ଦେବାରେ ରତ ଥାଏ ।
      ସନାତନର ବିଜ୍ଞାନୀ ଗଣନାରେ ତୁଳନାତ୍ମକ ଭାବରେ ସେ ସମୟ ବେଳକୁ ସତ୍ତ୍ୱରୀମା ଶରୀରର ରକ୍ତର ପରିମାଣ ପ୍ରାୟ ଚାଳିଶି ରୁ ପଚାଶ ପ୍ରତିଶତ ବୃଦ୍ଧି ଘଟିଥିବ । ସତ୍ତ୍ୱରୀମାର ଜରାୟୁର ବୃଦ୍ଧି ସହିତ ତାହା ତା’ର ପାକସ୍ଥଳୀର ଫାଖାପାଖି ସ୍ଥାନକୁ ଅଧିକାର କରିସାରିଥିବ । ଯାହା ଫଳରେ କି ସତ୍ତ୍ୱରୀମା ଶ୍ୱାସ ପ୍ରଶ୍ୱାସରେ ଟିକେ କଷ୍ଟ ଅନୁଭବ କରିପାରେ ଓ ଛାତିପୋଡା ମଧ୍ୟ ଅନୁଭବ କରିପାରେ । ତେଣୁ ସେ ସମୟରେ ଖାଦ୍ୟର ପରିମାଣ କମ୍ ହେବା ସହିତ ଆବଶ୍ୟକ ପୁଷ୍ଟିଯୁକ୍ତ ହେବା ନିହାତି ଆବଶ୍ୟକ । ସେହି ପ୍ରକାର ବନ୍ଦୋବସ୍ତ ସନାତନ କରିଦିଏ । ସେହି ସମୟରେ ସତ୍ତ୍ୱରୀମା ତଳ ପିଠିରେ ଯନ୍ତ୍ରଣା ଅନୁଭବ କରିବା ଆରମ୍ଭ କରିବ ଯାହା ବ୍ରିକ୍ସଟନ୍ ହିକସ୍ ସଂକୋଚନ କାରଣରୁ ହିଁ ସଂଗଠିତ ହେଉଥିବ ।
      ସତ୍ତ୍ୱରୀମାର ବର୍ଦ୍ଧିତ ଜଠର ତା’ର ଶରୀରର ଭର କେନ୍ଦ୍ରକୁ ସମ୍ପୂର୍ଣ୍ଣ ବିଚ୍ୟୁତ କରି ସାରିଥିବ ଯାହାଫଳରେ ତା’ର ଠିଆ ହେବାର ସନ୍ତୁଳନତା ଆଦ୍ୟୈ ନଥିବ । ତେଣୁ ଠିଆ ହେବା ସମୟରେ ଅବା ଚାଲିବା ସମୟରେ ସତ୍ତ୍ୱରୀମା ଧ୍ୟାନ ଦେବା ଦରକାର । ସେହି ସମୟରେ ମଧ୍ୟ ଗର୍ଭଜନିତ ହରମୋନ୍‌ରେ ପରିବର୍ତ୍ତନ ଶରୀରର ସମସ୍ତ ଗଣ୍ଠି ମାନଙ୍କୁ ହାଲୁକା କରି ଦେଇଥିବ । ତେଣୁ ଏ ସମସ୍ତ କଥାକୁ ଧ୍ୟାନ ରଖିବା ପାଇଁ ସନାତନ ତା’ର ମା’, ତାଙ୍କ ଘରର ଚାକରାଣୀ ଓ ସତ୍ତ୍ୱରୀମାକୁ ଭଲଭାବରେ ବୁଝାଇ ଥାଏ । ସତ୍ତ୍ୱରୀମା ଗର୍ଭକଷଣର ଆଢୁଆଳରେ ନିଜର କଷ୍ଟ ଲାଘବ ପାଇଁ ତା’ ବିଶ୍ୱାସର ଭଗବାନଙ୍କ ପାଖରେ ସଦା ସର୍ବଦା ମନ ରଖିଥାଏ ଯାହା ମୋତେ ଅପାର ଖୁସି ପ୍ରଦାନ କରୁଥାଏ ।    

*******

ସପ୍ତଦଶ ପକ୍ଷ

      ସପ୍ତଦଶ ପକ୍ଷର ଆରମ୍ଭ ବେଳକୁ ମୋ ସ୍ଥିତ ଶରୀର ଗୋଟିଏ ସ୍ୱୟଂସମ୍ପୂର୍ଣ୍ଣ ମନୁଷ୍ୟରେ ପରିଣତ ହୋଇସାରିଥାଏ । ସ୍ୱୟଂସମ୍ପୂର୍ଣ୍ଣ ମନୁଷ୍ୟର କାୟା ଧାରଣ କରିଥିବାରୁ ବର୍ତ୍ତମାନ ଏହା ଚେତନ, ଅବଚେତନ ଓ ଅଚେତନ ପରି ସମସ୍ତ ଅବସ୍ଥାର ଶ୍ରିତ ମଧ୍ୟ ହୋଇ ସାରିଥାଏ । ସ୍ୱୟଂସମ୍ପୂର୍ଣ୍ଣତା ବସତଃ ଏ ଶରୀର ବର୍ତ୍ତମାନ ଶାରିରୀକ କ୍ଳିଷ୍ଟଠାରୁ ଆରମ୍ଭ କରି ମାନସିକ କ୍ଳିଷ୍ଟ ଓ ଆତ୍ମୀକ କ୍ଳିଷ୍ଟର ଅନୁଭବ କରିବାରେ ସକ୍ଷମ ଥାଏ । ତତ୍‌ସହିତ କ୍ଷଣଭଙ୍ଗୁର ଖୁସି ବି ବେଳେବେଳେ ଏ ଶରୀର, ମନ ଓ ଆତ୍ମାକୁ ଛୁଇଁ ଯାଏ । ତଥାପି ମୁଁ ଏ ଶରୀରର ଭିତରେ ରହି ଖୁସି ଓ ଆନନ୍ଦ ଅପେକ୍ଷା ପୀଡାଯେ ଅଧିକ ପାଉଥାଏ ତାହା କହିବାର ଆଉ ଆବଶ୍ୟକତା ନାହିଁ । ଶାରିରୀକ ପୀଡାର ଉପସମ ପାଇଁ ମୁଁ ସମୟେ ସମୟେ ଅସ୍ଥିର ହୋଇଉଠେ । 
      ସେହି ଗର୍ଭଥଳୀ  ଭିତରେ ମୁତ୍ର ପୁତିପୂର୍ଣ୍ଣ ଗର୍ଭଜଳରେ ମୋ ସ୍ଥିତ ଶରୀରକୁ ଛୁଞ୍ôଚରେ ଫୋଡି ହେଲା ପରି ବିକାରଗ୍ରସ୍ତ ମନୋଭାବ ପ୍ରଦାନ କରେ । ସେଥିରେ ଅତୀଷ୍ଟ ହୋଇ ମୋ ଶରୀର ସେହି ଗର୍ଭଥଳୀ ଭିତରେ ବୁଲିବା ଆରମ୍ଭ କରେ । ସେହି ଦୁଃଖପୂର୍ଣ୍ଣ ପରିସ୍ଥିତିରେ ବେଳେବେଳେ  ମୋ ଶରୀର ସ୍ଥିର ହୋଇ ଅବଚେତନ ଅବସ୍ଥାକୁ ଚାଲିଯାଏ ଅଥବା ସେହି ଗର୍ଭଜଳ ଭିତରେ ନିଦେଇ ଯାଏ । ସେ ସମୟରେ ମୋ ମା’ ସତ୍ତ୍ୱରୀମା ମଧ୍ୟ ଶାନ୍ତ ଥାଏ । 
      ଶିକ୍ଷା ଦିକ୍ଷାର ପରିସର  କିନ୍ତୁ ବିଂଶତମ ସପ୍ତାହରୁ ପ୍ରାୟ ଆରମ୍ଭ ହୋଇ ସାରିଥାଏ । ସମୟେ ସମୟେ ଭିତରର ଶାନ୍ତ ପରିବେଷ୍ଟନୀ ଭିତରେ ବାହାରର କିଛି ଗୁରୁ ଗାମ୍ଭୀର୍ଯ୍ୟ କଥା ଯଦି ମୋ ମା’ କାନରେ ପଡେ ତେବେ ମୁଁ ମୋ କାନକୁ ସେଇ ଆଡକୁ ନେଇଯାଏ । ସେ କଥା ଗୁଡିକମୁଁ ଭଲ ଭାବରେ ହେଜେ । ମୋ ମା’ ଯେତେ ମନଧ୍ୟାନ ଦେଇ ଆବେଗର ସହିତ ଶୁଣେ ମୁଁ ମଧ୍ୟ ସେତେ ଆବେଗର ସହିତ ସମସ୍ତ କଥାକୁ ଶୁଣି ମନେ ରଖିଥାଏ । କିନ୍ତୁ ଆଦ୍ୟ ବିଦ୍ୟାଳୟରେ ଏପରି ଶିକ୍ଷାଯେ କେଉଁ ପରିସ୍ଥିତିରେ ସମ୍ଭବ ତାହା ସେହି ପରବ୍ରହ୍ମ ପରମାତ୍ମାଙ୍କ ହାତରେ ଥାଏ । ଯଦି ଶିଶୁଟି ଗର୍ଭଭିତରେ କୌଣସି ଅପରିପକ୍ୱତାର ଶିକାର ହୋଇଥିବ କିମ୍ବା ତା’ର ମାନସିକ ଶକ୍ତିର ସେତେ ବିକାଶ ହୋଇନଥିବ ତେବେ ଏପରି ଶିକ୍ଷା ସମ୍ପୂର୍ଣ୍ଣ ଅସମ୍ଭବ ।
      ଶିଶୁଟିର ସାମଗ୍ରିକ ବିକାଶ ଯାହା ତା’ର ଶିକ୍ଷାଦିକ୍ଷା ପାଇଁ ନିତ୍ୟାନ୍ତ ଜରୁରୀ ତାହା କିନ୍ତୁ ସେହି ମଙ୍ଗଳମୟ ସ୍ଥିରୀକୃତ କରିଥାନ୍ତି । ଏମିତି ଅନେକ ଶିଶୁ ଶାରିରୀକ ମାନସିକ ଓ ଆତ୍ମୀକ ସୁସ୍ଥତାର ଅଧିପତି ହୋଇଗଲେ ସୁଦ୍ଧା ସେମାନଙ୍କର ମସ୍ତିଷ୍କ କୌଣସି କଥାକୁ ଶୁଣିବାକୁ ବା ଗ୍ରହଣ କରିବାକୁ ଆଦ୍ୟୈ ପ୍ରସ୍ତୁତ ନଥାନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ସେମାନଙ୍କର ସୃଷ୍ଟିରୁ ହିଁ ସେମାନେ ତାଙ୍କର ମସ୍ତିଷ୍କ ସହିତ ବେଲଗାମ୍ । ତାଙ୍କର ମସ୍ତିଷ୍କର ସ୍ଥିରତା ଉପରେ ସେମାନଙ୍କର କୌଣସି ରୋକ୍ ଲଗେଇବାର କ୍ଷମତା ନଥାଏ । ସେମାନେ କେବଳ ଜନ୍ମ ନେଇଥାନ୍ତି ମୃତ୍ୟୁକୁ ବରଣ କରିବା ପାଇଁ । ହେଲେ ଜନ୍ମ ମୃତ୍ୟୁର ମଝି ସମୟତକ ସେମାନେ ନିଜ ଜୀବନ ବିତାନ୍ତି ସତ ମାତ୍ର ଏକ ପଶୁତ୍ୱର ପରିଧାନରେ । ନଥାଏ ସେମାନଙ୍କ ପାଖରେ ମାନବତ୍ୱର ଗନ୍ଧ । ନଥାଏ ମାନବୀୟ ମୂଲ୍ୟବୋଧର ମଧୁରତା । ସେମାନେ କେବଳ ଜିଇଁ ଯାଆନ୍ତି ମରିବା ପାଇଁ । ଏସବୁ ସେମାନଙ୍କର ପ୍ରାରବ୍ଧ କର୍ମର ଫଳ ସ୍ୱରୁପ ହିଁ ଘଠି ଥାଏ । ମାନବ ବି ବଡ ବିଚିତ୍ର । ପରବ୍ରହ୍ମଙ୍କର ସର୍ବଶ୍ରେଷ୍ଟ ସୃଷ୍ଟି । ଦିବ୍ୟ ଜ୍ଞାନର ଅଧିକାରୀ । ଚେତନ ଓ ଅବଚେତନ ଅବସ୍ଥାରେ ଭିନ୍ନଭିନ୍ନ ମାନସିକ ସ୍ଥିତିକୁ ବହନ କରେ । ଭଲମନ୍ଦ ବିଚାର କରିବାର ଶକ୍ତି ତା’ ପାଖରେ ଭରି ଦେଇଛନ୍ତି ଜଗତକର୍ତ୍ତା । 
      ପ୍ରକୃତିର ପ୍ରାକୃତିକ କ୍ରମ ପରିବର୍ତ୍ତନ ସହିତ କୃତ୍ରିମ ପରିବର୍ତ୍ତନର ସୁତ୍ରଧର ଏହି ମାନବ । ନିଜ ଶାରିରୀକ, ମାନସିକ ଓ ଆତ୍ମୀକ ଲାଳସାର ଚରିତାର୍ଥ ପାଇଁ ନିଜକୁ ସ୍ୱଂୟଶାସିତ କରିଚାଲିଛି ନିଜ ପ୍ରଣିତ ଏକ ନିର୍ଦ୍ଧିଷ୍ଟ ସମ୍ବିଧାନରେ । ମାନବିକ ଗୁଣାବଳୀରେ ନିଜର ସାମାଜିକ ଆବଶ୍ୟକ ମୁତାବକ ପରିବର୍ତ୍ତନ କରିବା ପାଇଁ ସୃଷ୍ଟି କରିଛି ଶିକ୍ଷା । ଶିକ୍ଷାକୁ ଆଜି ତା’ର ଜୀବନଯାତ୍ରାର ସର୍ବସ୍ୱ ପରି ବିବେଚନା କରିଛି । ଏହା ମଧ୍ୟ ଚିରସତ୍ୟ ଯେ ଶିକ୍ଷା ବିନା ମନୁଷ୍ୟର ଗୁଣାବଳୀର ବୃଦ୍ଧି ଓ ବିକାଶ ଆବଶ୍ୟକ  ଅନୁସାରେ କେବେବି ସମ୍ଭବ ନୁହେଁ । ଶିକ୍ଷା ଜୀବକୁ ଜୀବନ ବନ୍ଧନରୁ ମୁକ୍ତ କରେ । ଜୀବନ ଯାତ୍ରାରେ ସତ୍ୟର ଅନୁସନ୍ଧାନରେ ସାହାଯ୍ୟ କରେ । ସୁଖ ଓ ଶାନ୍ତି ମଧ୍ୟ ପ୍ରଦାନ କରେ । 
      ଜୀବନରେ ସାମଗ୍ରୀକ ବିକାଶ ପାଇଁ ମାନବ ଶିକ୍ଷାକୁ ମଧ୍ୟ ଅନେକ ରୂପ ଦେଇଛି । ସମୟାନୁସାରେ ଶିକ୍ଷାର କଳେବର ନିଜେ ନିର୍ମାଣ, ନିୟନ୍ତ୍ରଣ ଓ ପରିବର୍ତ୍ତନ କରିଚାଲିଛି । ଆଜିର  ଆଧୁନିକ ମାନବ ନିଜ ଉତ୍ତର ପିଢୀର ଶିକ୍ଷା ପାଇଁ କେତେଯେ ଯତ୍ନଶୀଳ ତାହା ସହଜରେ ଅନୁମେୟ । ନିଜର ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବା ପାଇଁ  ନିଜ ସନ୍ତାନ ସନ୍ତତିକୁ ମାଧ୍ୟମ ବୋଲି ବିଚାର କରୁଛି । ସନ୍ତାନ ମାଧ୍ୟମରେ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ନିଜ ସନ୍ତାନର ବାଳୁତ ପଣିଆକୁ ମଧ୍ୟ ପୁରାପୁରି ବନ୍ଦି କରି ସାରିଲାଣି କହିଲେ ଅତ୍ୟୁକ୍ତି ହେବନାହିଁ । ଧୂଳିଖେଳର ଆସର ଆଜି ଆଧୁନିକ ପିଢୀ ପାଇଁ ସ୍ୱପ୍ନ କହିଲେ ଚଳେ । ଚାଲି ଚାଲି ଖେଳିବାକୁ ସକ୍ଷମ ହେବା କ୍ଷଣି ଏ ମାନବ ନିଜ ସନ୍ତାନ ମାନଙ୍କୁ ନେଇ ଛାଡି ଆସୁଛନ୍ତି ପ୍ଲେ ସ୍କୁଲ୍ ଅଥବା ଅଙ୍ଗନ ବାଡୀରେ । ସେଠାରୁ ପୁଣି ପ୍ରାକ୍ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ନିମ୍ନ ମାଧ୍ୟମିକ, ମାଧ୍ୟମିକ ଇତ୍ୟାଦି ଦେଇ କ୍ରମାନ୍ୱୟରେ ବାଳୁତ ପଣିଆରୁ ଶୈଶବ, ଶୈଶବରୁ କିଶୋର, କିଶୋରରୁ ଯୁବା, ଯୁବାବସ୍ଥାରୁ ପ୍ରୌଢ ଅବସ୍ଥାରେ ପଦାର୍ପଣ କରୁଛି ମାନବ ।  
      ଶିକ୍ଷାରେ ଭରି ଦେଇଛି ଭିନ୍ନତା । ଜୀବନ ଚକ୍ରରେ ଭୌତିକ ଅଭିବୃଦ୍ଧିକୁ ଶିକ୍ଷାରେ ଯେତିକି ଗୁରୁତ୍ୱ ପ୍ରଦାନ କରିଛି ଆତ୍ମୀକ ବିକାଶର ମହତ୍ତ୍ୱକୁ ସେତିକି ପ୍ରାଧାନ୍ୟ ଦେଇନାହିଁ । ତଥାପି ଏକଥା ନଭୂଲିବା ନିତାନ୍ତ ଆବଶ୍ୟକ ଯେ ବିଦ୍ୟା ମଧ୍ୟରେ ଆଧ୍ୟାତ୍ମ ବିଦ୍ୟା ହିଁ ସର୍ବଶ୍ରେଷ୍ଠ ବିଦ୍ୟା । ଆଧ୍ୟାତ୍ମ ବିଦ୍ୟା ବିନା ମନୁଷ୍ୟ ଶାରିରୀକ ସୁଖ ହାସଲ କରିବାରେ ଦକ୍ଷ ହୋଇପାରେ ମାତ୍ର ଏ ଜୀବନଚକ୍ରର ମୂଳ ଲକ୍ଷରୁ ବିଚ୍ୟୁତ ହେବାଟା ତା’ ପକ୍ଷେ ଅତି ସହଜ ହୋଇ ଯାଇଥାଏ । ସୁଖର ପ୍ରାଚୁର୍ଯ୍ୟରେ ବୁଡି ରହିବାର ସମସ୍ତ କଳା କୈାଶଳକୁ ହାସଲ କରି ପାରିଥିଲେ ମଧ୍ୟ ନୈସର୍ଗିକ ଶାନ୍ତିର ବିଭବକୁ ସାଉଁଟି ପାରେ ନାହିଁ । ମନୁଷ୍ୟ ଭୌତିକ ଉନ୍ନତି କରେ ଅବଶ୍ୟାମ୍ଭବୀ ଭାବରେ ମାତ୍ର ଜୀବନର ଚିରନ୍ତନତାକୁ ଭୁଲିଯାଏ । 
      ଏ ଆଧୁନିକ ମନୁଷ୍ୟ ନିଜ ପରପିଢୀର ଶିକ୍ଷା ପାଇଁ ଅହରହ ଯତ୍ନଶୀଳ । ସନ୍ତାନର ଜନ୍ମ ପରଠାରୁ ତାକୁ ବଡମଣିଷଟେ କରି ଗଢିତୋଳିବା ପାଇଁ ବ୍ୟସ୍ତ ବିବ୍ରତ । ଗୁଣାତ୍ମକ ଶିକ୍ଷା ପାଇଁ ଶିଶୁକୁ ନାନା ପ୍ରକାର ବିଦ୍ୟାଳୟରେ ଦାଖିଲା କରାଉଛି । ହେଲେ ଗୋଟିଏ କଥାକୁ ଆଜି ପର୍ଯ୍ୟନ୍ତ ବି ଏ ମାନବ ସମାଜ ଗୁରୁତ୍ୱ ଦେଉନାହିଁ ତାହା ହେଲା ଗର୍ଭ ବିଦ୍ୟାଳୟ ଯାହାକୁ କି ଆଦ୍ୟ ବିଦ୍ୟାଳୟ ନାମରେ ଅଭିହିତ କରାଯାଇ ପାରେ । ନାରୀ ପୁରୁଷର ରତିକ୍ରିୟା ସମୟରୁ ହିଁ ଏ ବିଦ୍ୟାଳୟ ଶିକ୍ଷାର ଆରମ୍ଭ । ମିଳନ ମୂହୁର୍ତ୍ତରେ ପୁୁରୁଷର ଶାରିରୀକ ସ୍ୱାସ୍ଥ୍ୟ ଓ ମାନସିକ ଅବସ୍ଥା ସହିତ ରଜସ୍ୱଳା ନାରୀର ଶାରିରୀକ ଓ ମାନସିକ ସୁସ୍ଥତା ଆଗନ୍ତୁକ ଶିଶୁର କାୟିକ ଓ ମାନସିକ ସ୍ୱାସ୍ଥ୍ୟ ନିରୂପଣ କରେ । ଜରାୟୁରେ ଶୁକ୍ରାଣୁ ସହିତ ଡିମ୍ବାଣୁର ମିଳନ ମୁହୁର୍ତ୍ତରେ ନାରୀର ପାରିପାଶ୍ୱିର୍କ,  ଦୈବୀକ, ଅଧିଦୈବୀକ ଅବସ୍ଥା, ଭୌତିକ ଓ ଅଧିଭୌତିକ ଅବସ୍ଥା ସୃଷ୍ଟ ସନ୍ତାନର କର୍ମ, ଭାଗ୍ୟ ଓ ଭବିଷ୍ୟତ ସବୁକିଛି ନିର୍ଣ୍ଣୟ କରେ । ପିତାମାତଙ୍କ ମଦନକ୍ରିୟା ମୁହୁର୍ତ୍ତ ଯଦିଓ ନୂତନ ଜୀବନ ସର୍ଜନାର ପ୍ରାରମ୍ଭୀକ ପରିବେଶ ସୃଷ୍ଟିକରେ ହେଲେ ପିତା ଔରସର ଶୁକ୍ରାଣୁ ଓ ମାତା ଗର୍ଭାଶୟର    ପତିତ ଡିମ୍ବାଣୁର ମିଳନ ମୁହୁର୍ତ୍ତ ହିଁ ପ୍ରକୃତ ଜୀବ ସର୍ଜ୍ଜନାର ଅୟମାରମ୍ଭ । କଥାରେ ଅଛି ପ୍ରକୃତି ଦତ୍ତ ହେଉ ଅବା ମନୁଷ୍ୟକୃତ ଯେ କୌଣସି ପ୍ରତିକ୍ରିୟା ସବୁବେଳେ ତାହାର ବାହ୍ୟ ପରିବେଶ ଦ୍ୱାରା ପ୍ରଭାବିତ ହେବା ସଙ୍ଗେସଙ୍ଗେ ବାହ୍ୟ ପରିବେଶକୁ ମଧ୍ୟ ପ୍ରଭାବିତ କରେ । ମାତ୍ର ପରିବେଶ ଅନୁକୂଳ ଓ ଉତ୍ତମ ହେଲେ ପ୍ରକ୍ରିୟା ଶୃଙ୍ଖଳିତ ଓ ପ୍ରକ୍ରିୟାର ପରିଣତି ଉତ୍ପାଦ ଯଥୋଚିତ ଉପଯୁକ୍ତ ହୁଏ । ତେଣୁ ପିତାମାତାଙ୍କର ଶାରିରୀକ ମିଳନ ମୁହୁର୍ତ୍ତରେ ପିତା ଓ ରଜସ୍ୱଳା ମା’ର ମାନସିକ, ଶାରିରୀକ, ଆତ୍ମୀକ ଅବସ୍ଥା ସବୁକିଛି ସନ୍ତାନରୂପକ ଶେଷ ଉତ୍ପାଦର ଗୁଣବତ୍ତା ନିର୍ଣ୍ଣୟ କରେ । ଯଦି ସଂଭୋଗ ସମୟରେ ପିତା ସ୍ୱାସ୍ଥ୍ୟବାନ, ସାହାସୀ, ନିଷ୍କପଟ ଓ ବିବେକବନ୍ତ ବିଚାର ଧାରାରେ ପ୍ଳାବିତ ହୋଇଥାଏ ତେବେ ତା’ ଔରଷରେ ସ୍ଥିତ ଶୁକ୍ରାଣୁ ଗୁଡିକ ଅନୁରୂପ ଗୁଣ ବହନ କରିଥାନ୍ତି । 
      ଯଦି ରତିକ୍ରିୟା ସମୟରେ ପିତା ରୋଗଯୁକ୍ତ, ଭୟାଳୁ, କପଟୀ ଓ ବିବେକହୀନ ବିଚାର ଧାରାରେ ଆସକ୍ତ ଥାଏ ତେବେ ତା’ ଔରସ ସ୍ଥିତ ଶୁକ୍ରାଣୁ ଅନୁରୂପ ଗୁଣ ବହନ କରନ୍ତି । ଭାରତୀୟ ଶାସ୍ତ୍ରମତରେ ସେ ସମୟରେ ଗ୍ରହ ମାନଙ୍କର ଅବସ୍ଥିତି, ରାଶି, ନକ୍ଷତ୍ର ମାନଙ୍କର ଅବସ୍ଥିତି ଓ ଚଳନ ହିଁ ମାହେନ୍ଦ୍ର ବେଳା ଅବା କାଳବେଳା ନିର୍ଦ୍ଧାରଣ କରେ । ଯଦି ପିତାମାତଙ୍କ ଶୃଙ୍ଗାର  ଶୁଭ ବେଳାରେ ହୋଇଥାଏ ତେବେ ତାଙ୍କଠାରୁ ଜାତ ସନ୍ତାନ ଉଚ୍ଚଭାଗ୍ୟ ସମ୍ପର୍ଣ୍ଣ ହୋଇ ଜନ୍ମନିଏ । ସେଥିପାଇଁ ଅତୀତରେ ରାଜା ମହାରାଜା ମାନେ ପଣ୍ଡିତ ମାନଙ୍କ ଠାରୁ କାଳବେଳା ସମ୍ପର୍କରେ ପରାମର୍ଶ କରି ନିଜର ଧର୍ମପତ୍ନୀ ସହିତ ସୌରତପର୍ବ ପାଳନ କରୁଥିଲେ । ତେଣୁ ସୌରତର ମୁହୁର୍ତ୍ତ ସନ୍ତାନ ସର୍ଜ୍ଜନା ପାଇଁ ଏକ ସୁନ୍ଦର ଓ ମନୋରମ ପରିବେଶ ସୃଷ୍ଟି କରିବାରେ ସହାୟକ ହେବା ସହିତ ଶୁକ୍ରାଣୁ ଓ ଡିମ୍ବାଣୁର ମିଳନ ମୁହୁର୍ତ୍ତକୁ ସର୍ବାଗ୍ରେ ଅତ୍ୟଧିକ ପ୍ରଭାବିତ କରିଥାଏ । ମାତ୍ର ଶୁକ୍ରାଣୁ ଓ ଡିମ୍ବାଣୁର ମିଳନ ମୁହୁର୍ତ୍ତହିଁ ସନ୍ତାନର ଭବିଷ୍ୟତ ଜୀବନର ଶିକ୍ଷା, ଦୀକ୍ଷା, କର୍ମ, ଭାଗ୍ୟ ଓ ଭବିଷ୍ୟତ ନିରୂପଣ କରେ ଯାହା ମାନବ ହାତ ପାଆନ୍ତାରୁ ଥାଏ ଅନେକ ଦୂରରେ । ରତିକ୍ରିୟା ସିନା ମଣିଷ ହାତରେ ଥାଏ ମାତ୍ର ଶୁକ୍ରାଣୁ ଓ ଡିମ୍ବାଣୁର ମିଳନ ମୁହୁର୍ତ୍ତ ସେହି ପରମେଶ୍ୱରଙ୍କ ଇଚ୍ଛା ଉପରେ ନିର୍ଭର କରେ । 
      ସେ ମିଳନ ମୁହୁର୍ତ୍ତକୁ ମନୁଷ୍ୟ ନିଜ ଇଚ୍ଛା ଅନୁସାରେ ବଦଳାଇ ପାରେ ନାହିଁ । ଏ ସମସ୍ତ ଗୁଢ ରହସ୍ୟକୁ କେତେକ ଜ୍ଞାନୀ ପୁରୁଷ ବୁଝିଥାନ୍ତି ମାତ୍ର ଅନେକ ଅଜ୍ଞ ଥାନ୍ତି । ଆହୁରି ମଧ୍ୟ କେତେକ ବିଜ୍ଞ ବ୍ୟକ୍ତି ଜାଣିଥାଇ ସୁଦ୍ଧା ନିଜ କାମୁକ ପ୍ରବୃତ୍ତି ଉପରେ ସେମାନଙ୍କର ନିୟନ୍ତ୍ରଣ ନଥାଏ । ସେମାନେ ସେ ମିଳନ ମୁହୁର୍ତ୍ତକୁ ନିଜ ଇଚ୍ଛାମତେ କରିବାରେ ଅକ୍ଷମ ହୋଇ ପଡନ୍ତି ଯାହା ଫଳରେ ସେମାନଙ୍କ ହାତରୁ ସନ୍ତାନର ଭାଗ୍ୟ ଭବିଷ୍ୟତ ନିୟନ୍ତ୍ରିତ କରିବାର ସୁଯୋଗ ଆପେ ଆପେ ହାତ ଛଡା ହୋଇଯାଏ । ପିତାମାତାଙ୍କର ଏ ସମସ୍ତ ଅବସ୍ଥା, କ୍ରିୟା, ପ୍ରତିକ୍ରିୟା ଆଦି ମା’ ଗର୍ଭରେ   
  ସନ୍ତାନଟିର ଶିକ୍ଷାଦିକ୍ଷା ଗ୍ରହଣ କରିପାରିବାର ଅନ୍ତଃଦକ୍ଷତା ନିର୍ଣ୍ଣୟ କରୁଥିଲେ ମଧ୍ୟ ମା’ ଜଠରରେ ଶିଶୁର ପାରିପାଶ୍ୱର୍ ଜନିତ ଶିକ୍ଷା ଗର୍ଭର ଉନବିଂଶ ସପ୍ତାହରୁ ଆରମ୍ଭ ହୋଇଥାଏ । ଏହାର କାରଣ ଶିଶୁଟି ମା’ ଜରାୟୁରେ ଉନବିଂଶ ସପ୍ତାହରେ ହିଁ ଶୁଣି ପାରିବାର ସ୍ୱୟଂସମ୍ପୂର୍ଣ୍ଣ ଦକ୍ଷତା ହାସଲ କରିପାରିବା ସହିତ ତା’ର ମସ୍ତିଷ୍କରେ ଶୁଣି ମନେ ରଖିବାର ଶକ୍ତି ଆରମ୍ଭ ହୋଇଥାଏ । ତେଣୁ ଶିଶୁର ଶିକ୍ଷା ଜନ୍ମ ପରଠାରୁ ନୁହେଁ ବରଂ ମାତୃଗର୍ଭରେ ଯେତେବେଳେ ଉନବିଂଶ ସପ୍ତାହର ହୋଇଯାଏ ସେବେଠାରୁ ହିଁ ଆରମ୍ଭ ହୋଇଥାଏ । ସମସ୍ତେ କୁହନ୍ତି ମା’ ହେଉଛି ସନ୍ତାନର ଆଦ୍ୟ ଶିକ୍ଷୟିତ୍ରୀ ମାତ୍ର ଶିଶୁଟି ମା’ ଠାରୁ କେବେ ଶିକ୍ଷା ଆରମ୍ଭ ହୁଏ ତାହା ଉପରେ କେହି ଗୁରୁତ୍ୱ ଦିଅନ୍ତି ନାହିଁ । 
      ଉନବିଂଶ ସପ୍ତାହର ଶେଷ ଭାଗରୁ ହିଁ ଶିଶୁର ଶିକ୍ଷା ଆରମ୍ଭ ବା ଶିଶୁର ଆଦ୍ୟ ବିଦ୍ୟାଳୟର ଶିକ୍ଷା ଆରମ୍ଭ । ମାତୃ ଗର୍ଭରେ ଶିଶୁ ସଯତ୍ନରେ ମା’ ର ପ୍ରତିଟି କ୍ରିୟା କଳାପକୁ ଅନୁଧ୍ୟାନ କରିବାରେ ସକ୍ଷମ ହୁଏ । ମା’ ଯଦି କୌଣସି କଥାକୁ ଅତି ନୀରବତାରେ ଓ ଧ୍ୟାନପୂର୍ବକ ଶୁଣେ ଶିଶୁ ମଧ୍ୟ ଠିକ୍ ସେମିତି ଧ୍ୟାନ ପୂର୍ବକ ସେ କଥାଟିକୁ ଶୁଣେ ଓ ମନେ ରଖେ । ଏହି ସମୟ ଉପରୋନ୍ତରୁ ଯଦି ମା’ ପ୍ରତ୍ୟେହ ଏକାଗ୍ରତାର ସହିତ ପୂଜା ଅର୍ଚ୍ଚନା ସମୟରେ ମନ୍ତ୍ର ଉଚାରଣ କିମ୍ବା ପ୍ରାର୍ଥନା କରେ ଶିଶୁ ତାହା ଧ୍ୟାନ ପୂର୍ବକ ଶୁଣେ ଓ ମନେ ରଖିବାକୁ ଚେଷ୍ଟା କରେ । ତେବେ ସ୍ୱତଃ ପ୍ରଶ୍ନ ଉଠେ ତେବେ ଶିଶୁଜନ୍ମ ପରେ ସେମିତି କିଛି ମନେ ରଖିଥିବା କଥା ସେ କେବେ ସ୍ୱତଃ ପ୍ରବୃତ୍ତ ଭାବରେ କହି ପକେଇବାର ଆମେ ମାନେତ କାହିଁ ଦେଖୁନେ କି ଶୁଣୁନେ? ଏହାର କାରଣ ଯଥେଷ୍ଟ ଅଛି । ଶିଶୁଟି ମା’ ଗର୍ଭରେ ଯେତିକି ଆନନ୍ଦରେ ଥାଏ ତା’ ଠାରୁ କାହିଁ କେତେ ଗୁଣ ପୀଡାର ଭାଗି ହୋଇଥାଏ । ମା’ ଗର୍ଭର ଯନ୍ତ୍ରଣା, ଜନ୍ମ ସମୟରେ ଶିଶୁ ପାଇଥିବା ଯନ୍ତ୍ରଣା ତା’ର ସମସ୍ତ ମନେ ରଖିଥିବା କଥାକୁ ପାଶୋରି ପକାଏ । 
      ଏହା ସାଧାରଣରେ ସତ୍ୟ ଯେ ମନୁଷ୍ୟ ଜୀବନର ପୀଡା ଓ ଜାତନାର ଅତ୍ୟଧିକ ଭୋଗି ହେଲେ ସେ ତା’ର ସ୍ମୃତିଶକ୍ତି ସହିତ ଅତିତର ଅନେକ କଥାକୁ ଭୁଲି ବସେ । ଠିକ୍ ସେମିତି ଏ କ୍ଷେତ୍ରରେ ଶିଶୁଟି ସମ୍ମୁଖୀନ ହେଉଥିବା କଷ୍ଟ ଓ ଯନ୍ତ୍ରଣା ତା’ର ବିଶେଷ କରି ଜନ୍ମ ସମୟରେ ଭୋଗୁଥିବା ଶାରିରୀକ ଯନ୍ତ୍ରଣା ସ୍ମରଣ ରଖିଥିବା କଥାଗୁଡିକୁ ବିସ୍ମରି ପକାଏ ହେଲେ କେତେକ କ୍ଷେତ୍ରରେ ଶିଶୁ ଯଦି ସେହିପରି ଯୋଗଜନ୍ମା ଉଚ୍ଚଭାଗ୍ୟ ସମ୍ପନ୍ନ ହୁଏ ତେବେ ସେ ମାତୃଗର୍ଭରେ ଶୁଣିଥିବା ସମସ୍ତ କଥାକୁ ଅବିକଳ ଭାବରେ ମନେ ରଖିଥାଏ । ଆମମାନଙ୍କ ପୌରାଣିକ କଥାବସ୍ତୁରେ ଏପରି ଚରିତ୍ରର ଉଦାହରଣ ଅନେକ । ଅଭିମନ୍ୟୁ ଏ ସବୁ ମଧ୍ୟରେ ଅନ୍ୟତମ । ବିଜ୍ଞାନ ମଧ୍ୟ ତା’ର ଅନୁସନ୍ଧାନ ବଳରେ ଆଜି ଏହା ସତ୍ୟ ବୋଲି ଜନ ସମାଜକୁ କହିବା ଆରମ୍ଭ କଲାଣି । 
      ତେଣୁ ମୋର ଆଦ୍ୟ ବିଦ୍ୟାଳୟରେ ଶିକ୍ଷାର ଶ୍ରୀଗଣେଶ ସେହି ଉନଂବିଂଶ ସପ୍ତାହର ଶେଷ ଭାଗରୁ ହିଁ ଆରମ୍ଭ ହୋଇ ଯାଇଥାଏ । ମୋ ସ୍ଥିତ ଶରୀର ଆଜି ସତ୍ତ୍ୱରୀମା ରୂପକ ମୋ ମା’ ଗର୍ଭରେ ରହି ଅନେକ କଥା ଶୁଣେ ଓ ଅନେକ କଥା ମନେ ରଖିବାରେ ଲାଗିପଡିଥାଏ । ମୋ ମା’ର ପାରିପାଶ୍ୱିର୍କ ପରିବେଶ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଥାଏ । ସେ ଘରେ କଳିକନ୍ଦଳ, ଝଗଡାଝାଟି ଇତ୍ୟାଦି କିଛି ନଥାଏ । ନଥାଏ କାହା କାହା ମଧ୍ୟରେ ମନ ମାଳିନ୍ୟ ନା ମନାନ୍ତର । ସୁଖ ସମୃଦ୍ଧି ଓ ଶାନ୍ତିରେ ସେ ବାତାବରଣ ଥାଏ ଅତ୍ୟନ୍ତ ଶାନ୍ତି ପ୍ରଦାୟକ । ତା’ପରେ ମୋ ପିତା ସନାତନଙ୍କର ସୁନ୍ଦର ଓ ଗଭୀର ଜ୍ଞାନଗର୍ଭକ ଚିନ୍ତା ସହିତ ସତ୍ତ୍ୱରୀମାର ପ୍ରେମାଳାପ  ମୋତେ ଖୁବ୍ ଆମୋଦିତ କରୁଥାଏ । 
      ସନାତନତ ଟିକେ ହେଲେବି ସତ୍ୱରୀମାର ଯତ୍ନରେ ଅବହେଳା କରୁନଥାଏ । ସେ ଭଲ ଭାବରେ ଜାଣେ ତା’ ସନ୍ତାନର ଆଦ୍ୟ ଶିକ୍ଷା ଆଜିକୁ ପ୍ରାୟ ତିନିମାସ ହେଲା ଆରମ୍ଭ ହୋଇଗଲାଣି । ତେଣୁ ସେ ସେହି ଉନବିଂଶ ସପ୍ତାହରୁ ହିଁ ଘରର ପରିବେଶକୁ ଅତ୍ୟନ୍ତ ଶିକ୍ଷଣୀୟ କରି ଦେଇଥାଏ । ସତ୍ୱରୀମାର ଆବେଗ ଭରା ପ୍ରାର୍ଥନାରେ ମୋର ସବୁକିଛି ଭିଜିଯାଏ ଆଉ ମୁଁ ହଜିଯାଏ ସେହି ପରମାତ୍ମାଙ୍କ ପରମ ଧାମରେ । ନିଜର ପୂଣ୍ୟକର୍ମର ପ୍ରାପ୍ୟ ଭାବି ନିଜକୁ ଧନ୍ୟମନେ କରିଚାଲେ । ସନାତନ ମଧ୍ୟ ସତ୍ୱରୀମାକୁ ପ୍ରତିଦିନ ଶୟନ ସମୟରେ ଅନେକ ଶିକ୍ଷଣୀୟ କଥା କହୁଥାଏ ଯାହା ମୋତେ ବହୁତ ପ୍ରଭାବିତ କରେ । ଆଜି ମୁଁ  ତୁମ ଭିତରେ ବିଦ୍ୟମାନ । ସେ ସବୁ କଥାକୁ ମୁଁ ପାସୋରି ପାରିନି ହେଲେ ତୁମେ ସେ ମାତୃଗର୍ଭର ଯାତନାରେ ଅନେକ କଥା ଭୂଲି ବସିଥିଲେ ମଧ୍ୟ ମୋର ପବିତ୍ରତା ପାଇଁ ତୁମେ ସେ କଥା ଗୁଡିକର ମ୍ୟୈଳିକତାକୁ ଭୂଲି ପାରିନ ଯାହା ଆଜି ତୁମର ପ୍ରତିଟି କର୍ମରେ ପ୍ରତିଫଳିତ ନଚେତ୍ ତୁମେ ଏତେ ବଡ ଭାଗ୍ୟର ଶ୍ରିତ ହୋଇ ପାରିଥାନ୍ତ ବା କିପରି? ମୋର ଦର୍ଶନ ଓ ମୋ ସଙ୍ଗେ ବାର୍ତ୍ତାଳାପ ଏତେ କମ୍ ବୟସରେ କିପରି ସମ୍ଭବ ହୋଇ ପାରିଥାନ୍ତା? 
      ତୁମେ ଆଜି ମୋ ଯାତ୍ରାର ମାଧ୍ୟମ । ମୁଁ ମୋର ଶେଷ ଲକ୍ଷରେ ପହଞ୍ôଚବା ପର୍ଯ୍ୟନ୍ତ ତୁମର ଚିନ୍ତା, ଚୈତନ୍ୟ ଓ କର୍ମ ସବୁକିଛି ମୋତେ ପ୍ରଭାବିତ କରି ଚାଲିଥିବ । ତୁମ ଜୀବନର ପ୍ରତିଟି ଶିକ୍ଷା ଦୀକ୍ଷା ଆଜି ସେହି ମାତୃଗର୍ଭ ରୂପକ ଆଦ୍ୟ ବିଦ୍ୟାଳୟର ଶିକ୍ଷାଦୀକ୍ଷା ଉପରେ ଦଣ୍ଡାୟମାନ । ତୁମ ମା’ଙ୍କ ମନରେ ସେତେବେଳେ ଥିଲା ଅଗାଧ ଭକ୍ତି । ଆଜି ତୁମେ ବି ଜଣେ ଭକ୍ତ । ତୁମର ମାତା ଥିଲେ ନିଷ୍କପଟ, ଛନ୍ଦହୀନ, ନୀରଳସ ମଣିଷ ଟିଏ ଯାହା ତୁମ ଜୀବନରେ ବି ପ୍ରତିଫଳିତ । ତୁମ ଜୀବନର ସମସ୍ତ ଅନ୍ତଃଦକ୍ଷତା ମଧ୍ୟ ତୁମେ ଅବିକଳ ଭାବରେ ନକଲ କରି ଆଣିଛ ତୁମ ପିତା ଓ ମାତା ଉଭୟଙ୍କ ଠାରୁ । ତୁମ ପିତା ଜଣେ ଜ୍ଞାନୀ, ଗୁଣି ଓ ସୁନ୍ଦର ଚରିତ୍ର ଯାହା ତୁମ ଜୀବନଚକ୍ର ଆଜି ସେ ସବୁକୁ ଅବିକଳ ଭାବରେ ନକଲ କରି ଆଣିଛି । ଏ ସବୁ ଆଦ୍ୟ ବିଦ୍ୟାଳୟର      ହିଁ ଦାନ । ଏ ମନୁଷ୍ୟ ଯେତେ ପ୍ରକାର ବିଦ୍ୟାଳୟ ଖୋଲୁ ଅବା ପ୍ରତି ବିଦ୍ୟାଳୟର ଗୁଣାତ୍ମକ ଉତ୍କର୍ଷତା ପାଇଁ ଯେତେ ପ୍ରୟାସ କରୁ, ଯେପର୍ଯ୍ୟନ୍ତ ଆଦ୍ୟ ବିଦ୍ୟାଳୟରେ ଶିକ୍ଷାର ଗୁଣାତ୍ମକ ମାନ ଉପରେ ନଜର ଦେଇନି ସେ ପର୍ଯ୍ୟନ୍ତ ଶିକ୍ଷାରେ ଆବଶ୍ୟକ ଗୁଣାତ୍ମକ ଉତ୍କର୍ଷତା ହାସଲ କରାଯାଇ ପାରିବନି । ଶିଶୁଜନ୍ମ ଠାରୁ ତା’ର ବାଲ୍ୟକାଳର ସେ ବାଳୁତ ପଣିଆର ଶିକ୍ଷା ହେଉ କିମ୍ବା ପ୍ଲେ ସ୍କୁଲ୍‌ର ସେ ଶୈକ୍ଷିକ ପରିବେଶ ଅବା ପ୍ରାକ୍ ପ୍ରାଥମିକ ବିଦ୍ୟାଳୟର ସେ ମନଲୋଭା ପରିବେଷ୍ଟନୀ ତାକୁ ଯେତେ ପ୍ରଭାବିତ କରି ପାରିଲେ ସୁଦ୍ଧା ତା’ ଅନ୍ତରାତ୍ମାକୁ ଛୁଇଁ ପାରେନା । ତା’ ଶରୀରର ଉପାଦାନ ଭାବେ ସେ ଶିକ୍ଷା ସଂସ୍ଥାପିତ ହୋଇ ପାରେନା । ମାତ୍ର ମାତୃଗର୍ଭରେ ଅର୍ଜିଥିବା ଜ୍ଞାନ ସନ୍ତାନର ପରବର୍ତ୍ତୀ ସମସ୍ତ ଲକ୍ଷଣର ମୂଳ ଅଧାର ଭାବେ କାର୍ଯ୍ୟ କରିଥାଏ । ତେଣୁ ସମସ୍ତ ବିଦ୍ୟାଳୟର ଆଦ୍ୟ ବିନ୍ଦୁ ହିଁ ଆଦ୍ୟ ବିଦ୍ୟାଳୟ ବା ମାତୃ ଗର୍ଭର ସେ ବିଦ୍ୟାଳୟ ।
      ସେ ବିଦ୍ୟାଳୟର ସେ ଶିକ୍ଷା ଅବଧିରେ ବିଦ୍ୟାଳୟର ଅନ୍ତ ଓ ବହିଃ ଶୈଖିକ ପରିବେଶ ଯେତିକି ଉତ୍ତମ, ପରବର୍ତ୍ତୀ ବିଦ୍ୟାଳୟ ମାନଙ୍କରେ ବା ପରବର୍ତ୍ତୀ ଜୀବନରେ ଶିଶୁର ଶିକ୍ଷା ସେତିକି ଉନ୍ନତ୍ତ, ଉଚ୍ଚକୋଟୀର ଓ ଭାବଗର୍ଭକ ହୋଇ ପାରିବ ଏଥିରେ ସନ୍ଦେହ ନାହିଁ । ତେବେ ସ୍ୱତଃ ତୁମ ମନରେ ପ୍ରଶ୍ନ ଉଠୁଥିବ, ଯଦି ଶିଶୁଟି ଜଠରରେ ଥିବା ସମୟରେ ଅନେକ କଥା ଶିକ୍ଷାଲାଭ କରେ ତେବେ ଜନ୍ମପରେ ତା’ର ମସ୍ତିଷ୍କ କାହିଁକି ଗୋଟିଏ ସାଦା କାଗଜ ପରିଥାଏ । ତା’ର ମାତୃଗର୍ଭର କୌଣସି କଥା ମନେ ନଥାଏ । ଏହାର ଉତ୍ତର ଅତ୍ୟନ୍ତ ସହଜ । ଏହା ସତ୍ୟଯେ ମନୁଷ୍ୟର ଯେତେବେଳେ ଶାରିରୀକ ପୀଡା, ମାନସିକ ପୀଡା ଓ ଆତ୍ମୀକ ପୀଡା ଉଗ୍ର ରୂପ ଧାରଣ କରନ୍ତି ସେତେବେଲେ ମନୁଷ୍ୟର ସ୍ମୁତି ବିଚ୍ୟୁତି ଘଟେ । ଯେପରି ଭୟଙ୍କର ରୋଗାକ୍ଳାନ୍ତ ମନୁଷ୍ୟ ରୋଗରୁ ଉଠିଲା ପରେ ସେ ତା’ର ଅନେକ କଥାକୁ ଭୁଲି ବସିଥାଏ ଠିକ୍ ସେମିତି ମାତୃଗର୍ଭ ଜ୍ଞାନକୁ ସଙ୍ଗରେ ବାହ୍ୟ ଜଗତକୁ ନେଇ ଆସି ପାରିବାର ସମସ୍ତ ଶିଶୁଙ୍କ ପାଖରେ ଶକ୍ତି ନଥାଏ ବା ସବୁ ଆତ୍ମାକୁ ପରମେଶ୍ୱର ସେ ଶକ୍ତି ଦେଇନଥାନ୍ତି । 
      ପ୍ରତ୍ୟେକ ଜୀବ ଜନ୍ମ ସମୟର ସେ ଦାରୁଣ ଶାରିରୀକ, କାୟିକ ଓ ଆତ୍ମୀକ ପୀଡାରେ ସମସ୍ତ ଗର୍ଭ ଜ୍ଞାନକୁ ପାଶୋରି ପକାନ୍ତି । ଯେଉଁମାନେ ଯୋଗଜନ୍ମା, ଜିତାତ୍ମା ଓ ମଙ୍ଗଳମୟ ବିଶ୍ୱନିୟନ୍ତାଙ୍କର ଆଶୀର୍ବାଦ ରୂପରେ ଜନ୍ମ ଗ୍ରହଣ କରନ୍ତି ସେମାନେ ଏ ମାତୃଗର୍ଭର କଷ୍ଟକୁ ନିଜ ମନ ଓ ହୃଦୟକୁ ଛୁଇଁବାକୁ ଦିଅନ୍ତି ନାହିଁ । ଶାରିରୀକ କ୍ଳିଷ୍ଟକୁ ସେମାନେ ଶରୀର ସହିତ ହିଁ ବାନ୍ଧି ରଖି ପାରନ୍ତି । ସେ ପୀଡାର ଗତିକୁ ଏପରି ନିରୋଧ କରି ଦେଇଥାନ୍ତି ଯେ ତାହା ସେମାନଙ୍କର ମାନସ ପଟରେ ପ୍ରବେଶ ହିଁ କରି ପାରିନଥାଏ ଯାହା ଫଳରେ ମାତୃଗର୍ଭ ଜ୍ଞାନକୁ ଆଦ୍ୟୈ ଭୁଲି ପାରନ୍ତି ନାହିଁ ଆଉ ସେହିମାନେ ହିଁ ହୁଅନ୍ତି ଏ ଜଗତରେ ଯୋଦ୍ଧା, ଯଶସ୍ୱୀ ଓ ମହାମାନବ । ପ୍ରସବ ଜନ୍ତ୍ରଣାଠାରୁ ସଂସାରରେ ଆହୁରି କୌଣସି ଯନ୍ତ୍ରଣା ଏତେ ଭୟଙ୍କର ନୁହେଁ । ପ୍ରସବ ବେଦନାର  ସେ ଚରମ ମୁହୁର୍ତ୍ତରେ ଶିଶୁଟି ସମୟେ ସମୟେ ଅବଚେତନ ଅବା ଅଚେତନ ଅବସ୍ଥାକୁ ଚାଲିଯିବାର ମଧ୍ୟ ନଜିର ଅଛି । ତା’ର ମସ୍ତିଷ୍କ ଉପରେ ପ୍ରସବ ଚାପ ଏତେ ଭୟଙ୍କର ଭାବରେ ପଡେ ଯେ ସତେଯେମିତି ତା’ ମସ୍ତିଷ୍କ ଏକ ନୂତନ ଜନ୍ମ ଲାଭକରେ । ଏଭଳି ଯନ୍ତ୍ରଣାରେ ଗର୍ଭସ୍ଥ ଜ୍ଞାନ କିପରି ବା ସେ ମସ୍ତିଷ୍କର ଅମାରରେ ରହି ପାରିବ । ତଥାପି ଆଜି ପର୍ଯ୍ୟନ୍ତ ଏ ଭବ ସଂସାରରେ ଅନେକ ସାଧୁ, ସନ୍ୟାସୀ, ଜ୍ଞାନୀ, ଗୁଣୀ, ମହାମାନବ ମାନେ ଜନ୍ମ ନେଇଛନ୍ତି ଯେଉଁମାନେ ଏ ପ୍ରସବ ଯନ୍ତ୍ରଣାରେ ନିଜର ସ୍ମୃତିଶକ୍ତିକୁ ଆଦୌ ହରାଇ ନଥିଲେ । ସେମାନଙ୍କର ସେହି ଜଠର ଗତ ଜ୍ଞାନ ହିଁ ସେମାନଙ୍କୁ ଅଳ୍ପ ବୟସରେ ଜୀବନର ଚିର ସତ୍ୟକୁ ଜଣେଇ ଦେଇଥିଲା । 
      ତେତିଶ ସପ୍ତାହର ଶେଷ ବେଳକୁ ସନାତନର ଶିକ୍ଷା କୁହେ ଶିଶୁଟି ଗୋଟିଏ ସପୁରି ଆକାରର ହୋଇଯିବଣି । ଏହାର ଓଜନ ପ୍ରାୟ ଦୁଇ କିଲୋଗ୍ରାମ୍ ପାଖାପାଖି ହୋଇଥିବ ଏବଂ ଏହାର ଲମ୍ବ ୍‌ସତର ଇଞ୍ଚ୍ ଠାରୁ ଅଧିକ ହୋଇଥିବ । ଶିଶୁଟିର ମୁହଁ ଓ ଶରୀରରେ ଥିବା ସରୁ ସରୁ ଭାଙ୍ଗଭଳି ଦାଗ ମାନଏହି ସମୟରେ ହିଁ ଲିଭିବା ଆରମ୍ଭ କରିବ ଓ ଶିଶୁଟି ସୁନ୍ଦରତା ଲାଭ କରିବାକୁ ଲାଗିବ । ଶିଶୁଟିର ହାଡ ଗୁଡିକ ଟାଣ ହୋଇ ନଥିବା ହେତୁ ତା’ର ଶରୀରଟି ଆରାମରେ ଜନ୍ମଗର୍ଭ ଭିତରେ ଖଞ୍ଜି ହେଲା ପରି ରହି ପାରୁଥିବ । ସେ ଜାଣେ ସନ୍ତାନ ପ୍ରସବ ସମୟରେ ଶିଶୁ ମଥା ଉପରେ ଏତେ ଜୋରରେ ଚାପ ପ୍ରୟୋଗ ହୋଇଥାଏ ସେହି ଚାପର ପରିଣାମ ସ୍ୱରୂପ ଶିଶୁଟିର ଜନ୍ମପରର ମସ୍ତିଷ୍କର ଆକାର ଗର୍ଭ ଭିତରେ ଥିବା ବେଳେ ଆକାର ଠାରୁ ସାମାନ୍ୟ ଭିନ୍ନ ହୋଇଥାଏ । ଏମିତି ମଧ୍ୟ ବେଳେବେଳେ ଦେଖାଯାଏ ଶିଶୁଟିର ମୁଣ୍ଡ ସେହି ଚାପରେ କୋନାକାର ଆକାର ଧାରଣ କରିନିଏ । ହେଲେ ଶୈଶବ ସମୟରେ ହିଁ ମୁଣ୍ଡଟି ତା’ର ଏକ ନିର୍ଦ୍ଧିଷ୍ଟ ଆକାରରେ ଟାଣ ହେବାରେ ଲାଗେ । 
      ସତ୍ତ୍ୱରୀମା ତେଣେ ନିତ୍ୟ ନୈମିତ୍ୟ ଭାବରେ ତା’ ଉଦରସ୍ଥ ଶିଶୁର ଆଦ୍ୟ ବିଦ୍ୟାଳୟରେ ସୁନ୍ଦର ଶିକ୍ଷା ପାଇଁ ଯତ୍ନବାନ । ପ୍ରତିଦିନ ପ୍ରାତଃ ମୁହୁର୍ତ୍ତରେ ପ୍ରଭୁଙ୍କ ପାଦତଳେ ପୂଜାଘରେ ତା’ ପ୍ରାର୍ଥନାର ପ୍ରତିଧ୍ୱନି ଅତି ମଧୁର ଭାବରେ ମୋ ସ୍ଥିତ କଳେବରର କାନ ଦେଇ ମୋତେ ଶୁଣାଯାଏ । ମୋ ସ୍ଥିତ ଶରୀର ସେ ଭଳି ପ୍ରାର୍ଥନାର ମଧ୍‌ୁର ମୁର୍ଚ୍ଛନାରେ ଅଧୀର ହୋଇଉଠେ । ନିଜେ ମନ ଖୋଲି ଗୁଣୁଗୁଣୁ ହେବାକୁ ଆରମ୍ଭ କରେ । ଦିନ ତମାମ୍ ସତ୍ତ୍ୱରୀମା ନିଜକୁ କୌଣସି ନା କୌଣସି କଳାତ୍ମକ କାମ ସହିତ ଏକ ସୁନ୍ଦର ମନରେ ନିଜକୁ ସଜାଡି ରଖେ । କେତେବେଳେ ଚିତ୍ର ଆଙ୍କିବାରେ ନିଜକୁ ବ୍ୟସ୍ତ ରଖେତ କେତେବେଳେ ହାତରେ ଖଣ୍ଡିଏ ଭଲ ପୁସ୍ତକ ଟିଏ ଧରି ଗୁଣୁଗୁଣୁ କରି ତା’ ଶୋଇବା ପଲଙ୍କ ଉପରେ ଏପରି ଭାବରେ ପଢିବାରେ ଲାଗେ ଯେ ମୋ’ ସ୍ଥିତ ଶରୀର ସହିତ ମୁଁ ମଧ୍ୟ ସେ କଥା ଗୁଡିକୁ ଭଲ ଭାବରେ ଶୁଣି ପାରୁଥାଏ । ଏପରି କୁହାଯାଇ ପାରେଯେ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଯେପରି ତାଙ୍କର ଶିଶ୍ୟ ମାନଙ୍କୁ ଶିକ୍ଷା ଦେଉଥିବା   ଁସମୟରେ ପୁସ୍ତକ ଅଧ୍ୟୟନ କରନ୍ତି ଠିକ୍ ସେହିପରି ଶୟନ କକ୍ଷର ଶାନ୍ତ ପରିବେଶ ଭିତରେ ସତ୍ତ୍ୱରୀମା ତା’ର ସନ୍ତାନକୁ ଶିକ୍ଷା ଦେଇ ଚାଲିଥାଏ ।              
       ଏ ସବୁ ଭିତରେ ମୋ’ ସ୍ଥିତ କାୟା ଯେ ସବୁକଥା ଶୁଣିପାରୁଥାଏ ତାହା ଆଦ୍ୟୈ ଠିକ୍ ନୁହେଁ । ବାହ୍ୟ ଜଗତର ଶିଶୁଙ୍କ ଭଳି ତା’ମନ ମଧ୍ୟରେ ସେ ଜରାୟୁ ଭିତରେ ଚଗଲା ହେଉଥାଏ । ଏ ଚଗଲାମିର କାରଣ ସେ ପରିବେଷ୍ଟନୀ । କେତେବେଳେ ନିଜ ଶରୀରର ଅସହଜ ମଣିବାଟା ତା’ ମାନସ ପଟ୍ଟକୁ ଚଳଚଞ୍ଚଳ କରିଦିଏ । ନିଜ ଶରୀରକୁ ଆରାମ ପ୍ରଦାନ ପାଇଁ ନିଜର ଅଙ୍ଗ ପ୍ରତ୍ୟଙ୍ଗ ଚାଳନା କରି ଏପଟସେପଟ ହେବାରେ ଲାଗିଯାଏ । ସେ ସମୟତକ ସେ କିଛିବି  ଶୁଣି ପାରେନା କିମ୍ବା ମନେ ବି ରଖିପାରେନା । ତେଣୁ ସତ୍ତ୍ୱରୀମା ମା’ ହିସାବରେ ଯେତେ କଥା ପଢୁଥାଏ,  ଗୁଣୁଗୁଣୁ ହୋଇ କହୁଥାଏ ସେଥିରୁ ଅଳ୍ପ କେତେ କଥା ଜଠରସ୍ଥ ଶରୀର ମନେ ରଖିବାରେ ସମର୍ଥ ଥାଏ ।
       ଏତିକି ଶିକ୍ଷାରେ ସତ୍ତ୍ୱରୀମାର ମନ ସନ୍ତୁଷ୍ଟ ନଥାଏ । ପ୍ରତ୍ୟେକ ରାତ୍ରିରେ ସନାତନ ସହିତ ପଲଙ୍କରେ ଶୟନ ଯିବା ସମୟରେ ସନାତନକୁ ଅନେକ ବୈଜ୍ଞାନିକ ଗୁଢ ରହସ୍ୟ ବିଷୟରେ ଜାଣିଶୁଣି ପଚାରି ବସେ । ସନାତନ ସେ ସବୁର କାରଣ ଅତି ସୁନ୍ଦର ଭାବରେ ସତ୍ତ୍ୱରୀମାକୁ ବୁଝେଇ ଚାଲେ । ସେ ଜାଣେ ଏ ବେଳର ଆମ ଦୁଇଜଣଙ୍କ କଥୋପକଥନ ଆମ ସନ୍ତାନର ଆଦ୍ୟ ଶିକ୍ଷା । ଜରାୟୁ ଭିତରେ ରହି ବର୍ତ୍ତମାନ ଆମ ସନ୍ତାନ ଅନେକ କିଛି ଆମଠାରୁ ଶିକ୍ଷା ଲାଭ କରୁଥିବ । ଉଭୟଙ୍କର ଏହିପରି ପ୍ରଚେଷ୍ଟା ମୋତେ ମଧ୍ୟ ଖୁବ୍ ଆନନ୍ଦ ପ୍ରଦାନ କରୁଥାଏ । 

*******

ଅଷ୍ଟାଦଶ ପକ୍ଷ

      ସେ ସପ୍ତଦଶ ପକ୍ଷର ଯାତ୍ରା ମୋତେ ପଥକ୍ଳାନ୍ତ କରି ସାରିଥାଏ । ବିଚିତ୍ର ବ୍ରହ୍ମାଣ୍ଡର ବିଚିତ୍ରତା ମଧ୍ୟରେ ଜୀବ ଶରୀରର ଆଭ୍ୟନ୍ତରୀଣ ବିଚିତ୍ରତା କେତେ ଯେ ରହସ୍ୟମୟ ନୟନରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ସେହି ରହସ୍ୟ ଭିତରେ ମୋ ଯାତ୍ରା ଉପାଂଶୁ ମୋତେ ବିବ୍ରତ କରି ପକଉଥାଏ । ଏହି ଭେଦାନ୍ତମୟ ଶେଷଯାତ୍ରାର ପ୍ରତିଟି ମୁହୁର୍ତ୍ତକୁ ବିଶ୍ଳେଷଣ କଲେ ବୁଝିହୁଏ ଏ ସଂସାର ତଣ୍ଡକରେ ଜନ୍ମ ମାନେ ଯନ୍ତ୍ରଣା, ଆଉ ଯୋନି ଜନ୍ମର ପରାଭାବ ଅବ୍ୟକ୍ତ । ମୁଁ ତୁମକୁ ଭଗବାନ ବୁଦ୍ଧଙ୍କର ଅମୃତବାଣୀକୁ ମନେ ପକେଇ ଦେବାକୁ ଚାହେଁ । ଦିବ୍ୟଜ୍ଞାନ ପ୍ରାପ୍ତିର ଉପରାନ୍ତେ ସେ କହିଥିଲେ “ମନୁଷ୍ୟ ଜୀବନ ଦୁଃଖପୂର୍ଣ୍ଣ । କାମନାର ବିନାଶରେ ଦୁଃଖର ବିନାସ ।” ଏହି ଦୁଇଟି ଉକ୍ତି ମଧ୍ୟରେ ଲୁଚି ରହିଛି ଜୀବନର ଚିର ସତ୍ୟ ଆଉ ମନ୍ଦସାନରେ ଅନୁଭୁତ ଦୁଇ ଛନ୍ଦ ଦୁଃଖ । 
      ସେଥିରୁ ଗୋଟିଏ ଛନ୍ଦ ହେଲା ଜୀବନର ଦୁଃଖ ଓ ଅନ୍ୟଟି ଜୀବନରେ ଦୁଃଖ । ଭଗବାନ ବୁଦ୍ଧଙ୍କର ପ୍ରଥମ ଅମୃତବାଣୀ ବାକ୍ୟଟିର ଅର୍ଥ ପ୍ରଥମ ଛନ୍ଦର ଦୁଃଖକୁ ବୁଝାଏ ଯାହା ଜୀବନର ଦୁଃଖ । ଜୀବର ଜୀବନ ସହିତ ସେ ଦୁଃଖ ସଂସ୍ଳିଷ୍ଟ । ସେ ଭଳି ଦୁଃଖ ବିନା ଜୀବର ସୃଷ୍ଟି ନାହିଁ । ସେପରି ଦୁଃଖ ପ୍ରତିଟି ଜୀବନର ଏକ ଚିରସତ୍ୟ ଅଂଶ । ଏହାକୁ ଜୀବନରୁ କୌଣସି ଉପାୟରେ ଅଲଗା କରାଯାଇ ପାରିବ ନାହିଁ । ଶରୀରର ରକ୍ଷଣ ପାଇଁ ଯେପରି ପଞ୍ଚଭୁତର ଆବଶ୍ୟକ ଅନିର୍ବାର୍ଯ୍ୟ ଏଠି ସେହିପରି ଜୀବନ ରହିବ ଅର୍ଥ, ଦୁଃଖ ସେଠାରେ ଥିବ । ଜୀବନର ଦୁଃଖର ଆଦ୍ୟ ଭାଗରେ ଜୀବର ଜନ୍ମ ଜନିତ ଦୁଃଖ, ଯେଉଁ ଦୁଃଖକୁ ଦୂରକୁ ଫିଙ୍ଗି ଦେବାର ତା’ ପାଖରେକୌଣସି ପ୍ରାବଧାନ ଅବା ସମାର୍ଥ୍ୟ ହିଁ ନଥାଏ । ବହିସ୍ଥ ଜୀବନ ଠାରୁ ସମ୍ପୂର୍ଣ୍ଣ ଭିନ୍ନତା ବହନ କରୁଥିବା ଜରାୟୁ ଜୀବନର ଯନ୍ତ୍ରଣା ଅପରିମିତ । ଜୀବନର ଦୁଃଖ ଶରୀରର ଅସ୍ତିତ୍ୱ ସହ ନିବିଡ ଭାବରେ ଜଡିତ । ଜୀବନ ଅଛି ଅର୍ଥାତ ଶରୀର ଅଛି, ଶରୀର ଅଛି ମାନେ ବ୍ୟାଧି ଅଛି । କଥାରେ ଅଛି ଚଉଷଠି ବ୍ୟାଧି ଏ ଶରୀର ସହିତ ସଲଗ୍ନ । କେତେବେଳେ କେଉଁ ବ୍ୟାଧି ଶରୀରକୁ କରାଗ୍ରତ କରିବ ତାହା ଜୀବ ହାତରେ ନଥାଏ । ଶରୀର ବ୍ୟାଧି ଜନିତ କଷଣରୁ କୌଣସି ମତେ ପରିପୂର୍ଣ୍ଣ ଭାବରେ ମୁକ୍ତି ପାଇ ପାରିବ ନାହିଁ । ବ୍ୟାଧି କେବଳ ଯେ ଶାରିରୀକ ଦୁଃଖ ଦିଏ ତାହା ନୁହେଁ ତାହା ମାନସିକ ଦୁଃଖ ଅବସାଦର ମଧ୍ୟ ମୂଳକାରଣ ପାଲଟି ଥାଏ । 
      ମନୁଷ୍ୟ ଯେତେ ପ୍ରାଚୁର୍ଯ୍ୟ ଭିତରେ ଥାଉନା କାହିଁକି ତା’ର ସୁଖ ସମ୍ପଦ ତାକୁ ଏ ବ୍ୟାଧି ଜନିତ କଷଣରୁ ମୁକ୍ତି ଦେଇପାରେ ନାହିଁ । ବ୍ୟାଧିରୁ ମୁକ୍ତି ପାଇଁ ମାନବ ନିଜ ବୁଦ୍ଧି ବଳରେ ଯେତେ ପ୍ରକାର ଔଷଧ ପ୍ରସ୍ତୁତ କରୁନା କାହିଁକି ବ୍ୟାଧି ଜନିତ କ୍ଳିଷ୍ଟରୁ ଶରୀରକୁ ସମ୍ପୂର୍ଣ୍ଣ ନିସ୍ତୀର୍ଣ୍ଣ କରିପାରିବ ନାହିଁ । କୌଣସି ରୋଗଘ୍ନ ଜୀବ ଶରୀରକୁ ରୋଗରୁ ଅବନ୍ଧ ରଖିପାରିବ ନାହିଁ । ଏହା କେବଳ ଯନ୍ତ୍ରଣାକୁ ପ୍ରଶମିତ କରିପାରେ ଅବା ଅବଦମିତ କରିପାରେ ମାତ୍ର ଆଦ୍ୟରୁ ହିଁ ଯନ୍ତ୍ରଣାର ଆଗମନକୁ ପରିପୂର୍ଣ୍ଣ ଭାବରେ ପ୍ରତିରୋଧ କରି ପାରିବ ନାହିଁ । ହଁ ପ୍ରତିଶେଧକ ଭାବରେ ନିଆ ଯାଉଥିବା ଭେଷଜ ଉଦ୍ଧିଷ୍ଟ ରୋଗକୁ ସୃଷ୍ଟି କରିବାରେ ପ୍ରତିବନ୍ଧକ ସାଜେ ମାତ୍ର ତାହା  ଶରୀର ସମସ୍ତ ପ୍ରକ୍ରିୟା ମାନଙ୍କ ଭିତରେ ଏକ ଅଦୃଶ୍ୟ ବ୍ୟତିକ୍ରମ ସୃଷ୍ଟି କରେ । ଯାହାର ପ୍ରତିଫଳନ ଅନ୍ୟ କୌଣସି ମାଧ୍ୟମରେ ଶରୀର ପ୍ରଦର୍ଶିତ କରିଥାଏ । ଗୋଟିଏ ରୋଗ ପାଇଁ ଔଷଧ ଉଦ୍ଭାବନ କରି ମନୁଷ୍ୟ ସେହି ରୋଗ ଉପରେ ବିଜୟ ଲାଭ କରିସାରିଲା ବେଳକୁ ଆଉ ଏକ ନୂତନ ରୋଗ ଜନ୍ମ ନେଇ ସାରିଥାଏ । 
      ଶରୀର ଭଳି ରୋଗର ମଧ୍ୟ ପରିବର୍ତ୍ତନ ଓ ବିବର୍ତ୍ତନ ଧର୍ମ ଅଛି । ଏହା ସ୍ଥାଣୁ ନୁହେଁ । ଏହା ଗତିଶୀଳ ଓ ପ୍ରବହମାନ । ଏହା ନିର୍ଦ୍ଧିଷ୍ଟତା ଭିତରେ ସୀମିତ ନୁହେଁ । ଏହା ବହୁମୁଖୀ ଓ ବହୁଧା । ରୂପାନ୍ତର ଏହାର ଅନନ୍ୟ ଧର୍ମ । ରୋଗ ଓ ବ୍ୟାଧିର ବି ତ ଜୀବନ ଅଛି ନଚେତ୍ ସେମାନେ ଶରୀରକୁ ନଷ୍ଟ କରି ପାରନ୍ତେ କିପରି । ପରଭୋଜୀର ଧର୍ମ ବହନ କରି ରଚନ୍ତି ନିଜର ସାମ୍ରାଜ୍ୟ ଜୀବ ଶରୀରରେ । ବଂଶ ବିସ୍ତାର କରି ଚାଲନ୍ତି ଉପଯୁକ୍ତ ପରିବେଷ୍ଟନୀ ମଧ୍ୟରେ । ବଂଶ ବିସ୍ତାରରେ ଲୁଚି ରହିଥାଏ ଜୀବ ଶରୀରର କ୍ଷତି । ଜୀବ ପାଏ ଯାତନା । ଏଭଳି ଦୁଃଖରୁ ମୁକ୍ତି ଜୀବନରେ ନାହିଁ । କେତେକ ଯୁକ୍ତି କରିପାରନ୍ତି ମାନବକୁ ଯଦି ସମ୍ପୂର୍ଣ୍ଣ ନିରୋଗ ପରିବେଶରେ ରଖାଯାଏ ହୁଏତ ତାକୁ ରୋଗ ନହୋଇପାରେ । ଏଭଳି ବିଚାରଧାରା ଭ୍ରମ ଉପରେ ପର୍ଯ୍ୟବେସିତ ଏହା ନିସନ୍ଦେହ । ଜୀବ ଯେଉଁଠାରେ ଓ ଯେତେ ନିରୋଗ ପରିବେଶ ଭିତରେ ରହୁନା କାହିଁକି ଏହା ସମ୍ପୂର୍ଣ୍ଣ ଅସମ୍ଭବ । ସୃଷ୍ଟିର ସର୍ଜ୍ଜନାର ନିୟମ ମୁତାବକ ସେହି ପରିଚ୍ଛନ୍ନ ପରିବେଶ ଭିତରୁ ହିଁ  ପରିଷ୍କାର ଜୀବଣୁ, ବୀଜାଣ, ଭୁତାଣୁ ଅବା ଡିମ୍ବାଣୁ  କେହିବି ଜଣେ ଦୁଇଜଣ ଅବା ଅନେକ ଜୀବ ଭିତରେ ପ୍ରବେଶ କରି ସାଜି ପାରିବେ ବ୍ୟାଧିର ଆଦି କାରଣ । ତେଣୁ ଶରୀରରେ ବ୍ୟାଧୀ ଜୀବନଚକ୍ରର ଏକ ନିରନ୍ତର ପ୍ରବାହମାନ ପ୍ରକ୍ରିୟା । କାହାରବି ସାମର୍ଥ୍ୟ ନାହିଁ ଏହାକୁ ରୋକି ପାରିବ ଅବା ପରିବର୍ତ୍ତିତ କରିପାରିବ । 
      ପଞ୍ଚ ଇନ୍ଦ୍ରିୟ, ମନ ଓ ବୁଦ୍ଧି ଜନିତ ଦୁଃଖ ମନୁଷ୍ୟର ଜୀବନର ଓ ଜୀବନରେ ଦୁଃଖର କାରଣ  ଅଟନ୍ତି । ଏମାନଙ୍କ ପ୍ରକୋପରୁ ମାନବର ମୁକ୍ତି ନାହିଁ । ନାସା, କର୍ଣ୍ଣ, ଚର୍ମ, ଜିହ୍ୱା ଓ ଚକ୍ଷୁ ଦୁଃଖର ମୂଳ କାରଣ ସାଜନ୍ତି । ଏମାନଙ୍କ ବିନା ଜୀବ ଶରୀରର ଅସ୍ତିତ୍ୱ ନାହିଁ । ପୁନଶ୍ଚ ସ୍ଥଳ ବିଶେଷରେ ଏମାନଙ୍କର ଉପସ୍ଥିତି ହିଁ ଜୀବନର ଅନେକ ଦୁଃଖର ଆଦି କାରଣ ହୋଇଥାଏ । ପ୍ରଥମେ ନାସା କଥା ବିଚାର କଲେ ଏହା ଉଭୟ ଜୀବନର ଓ ଜୀବନରେ ଦୁଃଖର କାରଣ ପରି ପ୍ରତିୟମାନ ହେବ । ହଠାତ୍ କେଉଁଠାରୁ ଦୁର୍ଗନ୍ଧ ବୋହି ଆସିଲେ ଏ ଶରୀର ଆପେ ଆପେ ଅସଜ ଅନୁଭବ କରେ । ସେଠାରୁ ସେ ସ୍ଥାନ ପରିତ୍ୟାଗ ପାଇଁ ଯତପରନାସ୍ତି ଚେଷ୍ଟା କରେ । ଦୁର୍ଗନ୍ଧ ଜନିତ ବାୟୁରେ ଥିବା ରୋଗ ଜୀବାଣୁ ଅବା ସଂକ୍ରମିତ ବାୟୁ ନାସା ଦେଇ ପ୍ରବାହିତ ହେଲେ ଏହା ଅଚିରେ ଶରୀରରେ ରୋଗ ସୃଷ୍ଟିର କାରଣ ହୋଇ ଦୁଃଖକୁ ବରଣ କରି ଆଣେ । ନାସାର ଅବସ୍ଥିତି ହିଁ ଶରୀରର ଅସ୍ତିତ୍ୱ ଆଉ ନାସାର କର୍ମ ହିଁ ରୋଗ ସୃଷ୍ଟିର କାରଣ ପରେପରେ ଦୁଃଖର ଜଡ ପାଲଟେ ।
      ନାସା ଜନିତ ଏ ସମସ୍ତ ଦୁଃଖ ଜୀବନର ଦୁଃଖର କାରଣ । ଏ ଶରୀର ଥିବା ମାନେ ନାସା ନିଶ୍ଚିତ ଥିବ ଓ ପ୍ରକୃତି ଏପରି ଦୁଃଖକୁ ଆପେ ଆପେ ଭିଆଣ କଲି ଚାଲିଥିବ । ଦ୍ୱିତୀୟରେ ନାସା ଅନେକ ସମୟରେ ଯେଉଁ ଦୁଃଖ ପ୍ରଦାନ କରେ ତାହା ଜୀବନରେ ଦୁଃଖର ଅନ୍ତର୍ଭୁକ୍ତ । ମନରେ କାମନା ଜାତ କରିବାରେ ଏହା ଦକ୍ଷ ଓ ବଳଶାଳୀ । ପ୍ରତି ମୁହୁର୍ତ୍ତରେ ସୁଗନ୍ଧ ଆହରଣ ପାଇଁ ଆଗ୍ରହ ପ୍ରକାଶ କରିବା ହିଁ ମନରେ ସୁଗନ୍ଧ ବସ୍ତୁ ପାଇବାର ବା ସୁଗନ୍ଧିତ ବସ୍ତୁ ପ୍ରତି ଲୋଭ ଓ ପରିଶେଷରେ ଆସକ୍ତି ଜନ୍ମାଏ । ଏପରି ଲୋଭ, ମୋହ ଓ ଆସକ୍ତି ସେହି ଇନ୍ଦ୍ରିୟରୁ ହିଁ ଜାତ ଏବଂ ଏ ସମସ୍ତେ ମାନବ ଜୀବନରେ ଦୁଃଖର କାରଣ ।
      ସେହିପରି  ଅନ୍ୟ ଚାରି ଇନ୍ଦ୍ରିୟଙ୍କର ଉପସ୍ଥିତି ହିଁ ଉଭୟ ପ୍ରକାର ଦୁଃଖ ପ୍ରଦାନକାରୀ । ଆଖି ଅଛିମାନେ ଭୟଙ୍କର ଦୃଶ୍ୟରେ ଆପେ ଆପେ ବନ୍ଦ ହୋଇଯିବା ଓ ମନରେ ଭୟ ସଂଚାର ହେବା ଏକ ସ୍ୱାଭାବିକ ପ୍ରକ୍ରିୟା । ଏଭଳି ଅକସ୍ମାତ କଷ୍ଟ ପ୍ରକୃତି ଦତ୍ତ । ଏଥିରେ ମନୁଷ୍ୟ ମନର ବା ସ୍ୱଭାବର କିଛି ପ୍ରଭାବ ନଥାଏ । ତେଣୁ ଏହା ଜୀବନର ଦୁଃଖ ପାଇଁ ଏକ ମାଧ୍ୟମ । ସେମିତି ଆଉ ଟିକେ ଆଗକୁ ଯାଇ ବିଚାର କଲେ ଆଖି ସବୁବେଳେ ସୁନ୍ଦର ପଦାର୍ଥ ଠାରୁ ଆରମ୍ଭ କରି ମନୋରମ ଦୃଶ୍ୟ ଓ ସୁନ୍ଦରୀ ନାରୀ  ଦେଖିବାକୁ ଇଚ୍ଛା ପ୍ରକାଶ କରେ ଯାହା ପ୍ରକାରାନ୍ତେ କାମନାରେ ରୁପାନ୍ତରିତହୋଇଥାଏ । ଏଭଳି ଇଚ୍ଛା ପୁର୍ତ୍ତୀ ପାଇଁ ମାନବ ଚେଷ୍ଟା କରି ବିଜୟ ଲାଭ କରୁ ଅବା ପରାଜୟ ବରଣ କରୁ ଉଭୟରେ ତାକୁ ସୁଖ ସହିତ ଦୁଃଖ ମଧ୍ୟ ମିଳେ । ଏଭଳି ଦୁଃଖ ଜୀବନରେ ଦୁଃଖ ନୁହେଁତ ଆଉ କଣ । ଅନୁରୂପ ଭାବେ ଜିହ୍ୱା, ଚର୍ମ  ଓ କାନର ଉପସ୍ଥିତି ହିଁ ଅନେକ ସମୟରେ ଶରୀରକୁ ସୁଖ, ଦୁଃଖ ଓ ଭୟ ବରଣ କରିଥାଏ । ଉଦ୍ଦେଶ୍ୟ ରହିତ, ଅକସ୍ମାତେ ଓ ପ୍ରକୃତିଗତ ଭାବେ ଜିହ୍ୱା କେତେବେଳେ କଟୁ ଖାଦ୍ୟର ସଂସ୍ପର୍ଶରେ, ଅସହ୍ୟ ପରିବେଶରେ, ଅରୁଚି ଓ ଭୟଙ୍କର ଶଦ୍ଦ ସଂସ୍ପର୍ଶରେ କଷ୍ଟ ପାଇଥାନ୍ତି । ପରବର୍ତ୍ତୀ ବିଚାର ଧାରାରେ ଏମାନଙ୍କ ପାଇଁ ମନରେ ସମୟେ ସମୟେ ଅବଦମିତ କାମନା ମଧ୍ୟ ଜାତ ହୁଏ ଯାହା ଜୀବନରେ ଦୁଃଖର କାରଣ ପାଲଟିଯାଏ । ଜିଭର ସ୍ୱାଦିଷ୍ଟ ଖାଦ୍ୟ ପ୍ରତି ଆଗ୍ରହ, ଚର୍ମର ନରମ ଓ କାମ ଉଦ୍ରେକ କାରୀ ବସ୍ତୁ ପ୍ରତି ଇଚ୍ଛା ଓ କାନର ସୁମଧୁର ଧ୍ୱନି ପ୍ରତି ଆକର୍ଷଣ ଆଦି ଭରି ଦିିଅନ୍ତି ଜୀବନରେ ଦୁଃଖ । 
      ସବୁବେଳେ ସୁସ୍ୱାଦୁ ଓ ରୁଚିକର ଖାଦ୍ୟ ଖାଇବା, ସୁନ୍ଦରୀ ନାରୀଙ୍କୁ ଉପଭୋଗ କରିବା ତତ୍‌ସହିତ ସୁଲଳିତ କଣ୍ଠସ୍ୱରକୁ ଶୁଣିବା, ମନୋରମ ଜିନିଷ ଅବା ଦୃଶ୍ୟକୁ ଦେଖିବା, ସୁଗନ୍ଧିତ ଦ୍ରବ୍ୟକୁ ଆସ୍ୱାଦନ କରିବା ଇତ୍ୟାଦି ଜୀବନରେ କାମନା ରୂପେ ଅବତୀର୍ଣ୍ଣ ହୁଅନ୍ତି । ଏହି ସମସ୍ତ କାମନାର ପୁର୍ତ୍ତୀ ପାଇଁ ମାନବ ଅହରହ ଅଣନିଶ୍ୱାସୀ ହୋଇ ଧାବମାନ ରହେ । ବସ୍ତୁବାଦୀ ହୋଇ ପଡେ । ଜୀବନର ଚିରନ୍ତନ ସୁଖକୁ ଭୂଲିବସି ଅଳିକ ସୁଖ ପାଇଁ ଅଣ୍ଟାଭିଡେ । ଏଭଳି କାମନା ମାନଙ୍କୁ ବିନାଶର ଉପାୟ କରିବା ପରିବର୍ତ୍ତେ ସେମାନଙ୍କୁ ଉପଭୋଗ ପାଇଁ ସଦାସର୍ବଦା ନାନାଦି କାର୍ଯ୍ୟ କରେ । ଏ ସମସ୍ତ କାମନା ମାନବକୁ ସାମୟିକ ଖୁସି ଅବା ଆନନ୍ଦ ଦିଏତ ସତ ମାତ୍ର ଚିରନ୍ତନ ସୁଖ ଓ ଆନନ୍ଦଠାରୁ ତାକୁ ବହୁ ଦୂରକୁ ନେଇଯାଏ । 
      ଏତ ଗଲା ପଞ୍ଚଇନ୍ଦ୍ରିୟଙ୍କ କଥା । ଏମାନେ ଯେତିକି ଶକ୍ତିଶାଳୀ, ମନ ଏମାନଙ୍କଠାରୁ ଆହୁରି ବଳଶାଳୀ । ବୁଦ୍ଧି ମନ ଠାରୁ ଶକ୍ତିଶାଳୀ  ଓ ବୁଦ୍ଧିଠାରୁ ଆତ୍ମା ଅର୍ଥାତ ସବୁଠାରୁ ଶରୀର ଭିତର ମୁଁ ହିଁ ଶକ୍ତିଶାଳୀ ବୋଲି ଆଧ୍ୟାତ୍ମବିଦ୍ୟାର ମତ । ପଞ୍ଚେନ୍ଦ୍ରିୟ, ମନ ଓ ବୁଦ୍ଧି ଏ ସମସ୍ତେ କାମନାର ନିବାସ ସ୍ଥାନ । ଏମାନେ ହିଁ ମାନବ ଜୀବନରେ କାମ ସୃଷ୍ଟିର ଜଡ । ଏମାନଙ୍କର ଗତି କେଉଁ ଦିଗରେବି ସମ୍ଭବ । ପାପ ପୁଣ୍ୟ ବିଚାର କରିବାର ଶକ୍ତି ଯଦିଓ ବୁଦ୍ଧିର ଅଛି ଏହା ବି ମନ୍ଦଯୁକ୍ତ  ହୋଇପାରେ । ମାତ୍ର ଯେଉଁ ମାନବ ମୋତେ ବିଶ୍ୱାସ କରେ, ମୋତେ ଅନୁଭବ କରେ ଓ ମୋର ଶରଣ ନିଏ ସେ ବିପଥଗାମୀ ହୋଇପାରେନା । ଜୀବନରେ ମାନବ ବିପଥଗାମୀ ଓ ସଂସାର ବିରୋଧୀ ମାର୍ଗ ଆପଣେଇବାର ଏହି ପଞ୍ଚେନ୍ଦ୍ରିୟ ମନ ଓ ବୁଦ୍ଧି ହିଁ ସମ୍ପୂର୍ଣ୍ଣ ରୂପେ ଦାୟୀ । କାରଣ ମାନବ ଏମାନଙ୍କୁ ଯେପରି ପ୍ରୟୋଗ କରେ ସେମାନେ ସେହିଭଳି ଫଳ ପ୍ରଦାନ କରିଥାନ୍ତି । କାରଣ ଏମାନେ ଉଭୟ ଭଲ ଓ ମନ୍ଦ ପାଇଁ ବ୍ୟବହୃତ ହୋଇ ପାରିବେ । ପରନ୍ତୁ ମୁଁ ଏ ସବୁର ପରେ । ମୋ ଶରଣରେ ଯିଏ ଆସେ ସେ ସତ୍‌ମାର୍ଗର ସାନ୍ନିଧ୍ୟ ଲାଭ କରେ । ସଂସାରର ସାର ହିଁତାକୁ ଆଶୀର୍ବାଦରେ ମିଳେ । ମୋ ଠାରୁ କେହି କେବେ ସଂସାର ବିପରୀତ ଧର୍ମୀ ଉପଦେଶ ପାଇ ପାରେନା କାରଣ ମୁଁ ଏସମସ୍ତ ସଂସାର ବିରୋଧୀ ତତ୍ତ୍ୱରୁ ହିଁ ଉନ୍ମୁକ୍ତ । ମୋ ପାଖରେ ନଥାଏ ମାୟା, ମୋହ, ଛନ୍ଦ, କପଟ, ଇର୍ଷା, ଦ୍ୱୋଷ ଓ ହିଂସାର ଅଭିସାର । ମୁଁ ସତ୍ୟ, ଚିରନ୍ତନ, ସୃଷ୍ଟି ର ଅବିନାଶୀ ତତ୍ତ୍ୱ ଓ ପ୍ରତ୍ୟେକ ଜୀବନର ରହସ୍ୟ । 
       ମନୁଷ୍ୟ ଶରୀରର କର୍ମ, ସଂସାରର ମାୟାରେ ସମୟେ ସମୟେ ଶିକ୍ତ ହେଉଥିଲେ ମଧ୍ୟ ମୋର ଶରଣାଗତଙ୍କ ପାଖରେ ମୁଁ ମୋର ସମସ୍ତ ଚିରନ୍ତନତାକୁ ପ୍ରକାଶ କରେ । ସେବେଳରେ ମୋତେ ସଂସାର ବିରୋଧୀ କୌଣସିବି ତତ୍ତ୍ୱ ସ୍ପର୍ଶ କରିପାରେନା । ମୁଁ ହୁଏ ଅଖଣ୍ଡ ଅଲ୍ୟୈକିକ ଶକ୍ତିର ଅଧିକାରୀ । ଚରାଚରର ମୋ ସହିତ ଜଡିତ ସମସ୍ତ ରହସ୍ୟର ମୁଁ ଥାଏ ଦର୍ଶକ, ସମୀକ୍ଷକ ଓ ଗବେଷକ । ମୂଁ ଥାଏ ସତଚିଦାନନ୍ଦଙ୍କ ଅସ୍ମୀତାରେ । କଣ ସତ୍ୟ, କଣ ମିଥ୍ୟା, କଣ ସବୁ ଦୁଃଖର କାରଣ, କିଏ ଆନନ୍ଦ ପ୍ରଦାୟିନୀ, କିଏ କ୍ଷଣିକ କିଏ ଶାସ୍ୱତ ତାହା ବିଚାରିବାର ମୋ ପାଖରେ ଥାଏ ଅକାଟ୍ୟ ଶକ୍ତି । ଆଜି ତୁମର ଶରଣାଗତରେ ମୁଁ ବର୍ଣ୍ଣନା କରିଚାଲିଛି ତୁମ ଜୀବନର ମା’ ଗର୍ଭରେ ବିତାଇଥିବା ବୃତ୍ତାନ୍ତ । ଏହା ହିଁ ମୋର ଅଲ୍ୟୈକିକତା । 
      ସେ ଜରାୟୁ ଜୀବନରେ ମୋ ସ୍ଥିତ କାୟା ଅହରହ ଜୀବନର ଦୁଃଖରେ ବୁଡି ରହିଥିବା ବେଳେ ତା’ର ଚେତନା ଶକ୍ତି ଉନ୍ୱେଷ ହେବା ପରଠାରୁ ସେ ଜୀବନର ଦୁଃଖକୁ ଆମନ୍ତ୍ରଣ କରିଆଣେ । ମୁଁଁ ମୋର ନିବାସ ସ୍ଥାନ ଭିତରେ ପରମବ୍ରହ୍ମରେ ଲୀନ ହେବାର ଆସକ୍ତି ମୋତେ ଜୀବନରେ ଦୁଃଖ ବିତରଣ କରିବାରେ ଲାଗିଥିବା ବେଳେ ମୋ ସ୍ଥିତ କାୟାର ଜୀବନରେ ଦୁଃଖ ସମୟେ ସମୟେ ମୋତେ ପୀଡା ପରିଗ୍ରହ କରୁଥାଏ । ଗର୍ଭଗୃହର କଥା ଟିକେ ଚିନ୍ତା କଲ । ଗୋଟିଏ ବେଲୁନ୍ ଭଳି ନିବୁଜ ଥଳୀ ଭିତରେ କେବଳ କଡ ଲେଉଟେଇବା, ହାତଗୋଡ ବାଡେଇବା, ଏପଟ ସେପଟ କରିବା ବେକକୁ ଏପଟ ସେପଟ ବୁଲେଇବା ଇତ୍ୟାଦି ଛଡା ତା’ ପାଖରେ ଅନ୍ୟ କେଉଁ ବିକଳ୍ପ ନଥାଏ । ନିଜ ପାଟିରେ ନିଜ ଆଙ୍ଗୁଠି ଭର୍ତ୍ତିକରି ଚୁଚୁମିବା, ସମୟେ ସମୟେ ସେ ଗର୍ଭତରଳରୁ ମୁନ୍ଦାଏ ଲେଖାଏଁ ଢୋକି ପକାଇବା, ପୁନଶ୍ଚ ସେହି ଗର୍ଭଥଳୀରେ ନିଜେ ପ୍ରସାବ କରିବା ଆଉ ମଳ ମଧ୍ୟ ତ୍ୟାଗ କରିବା, ଏସବୁ ସତେଯେମିତି ସେ ଶରୀର ପାଇଁ ଥାଏ ସମଧର୍ମୀ କର୍ମ । 
      ଯେଉଁ ମଣିଷ ବଡ ହୋଇଯିବା ପରେ ନିଜଶରୀରର ବର୍ଯ୍ୟବସ୍ତୁ ନିଜ ଶରୀର ପାଇଁ ବିପଦ ମଣେ ପରନ୍ତୁ ଏ ଗର୍ଭଥଳୀ ଭିତରେ ସେ ନୀରସ୍ତ୍ର ସୈନିକ ଭଳି କେବଳ ସହିଯିବାଟା ହିଁ ନିଜର କର୍ତ୍ତବ୍ୟ ବୋଲି ବିବେଚନା କରେ । ଶରୀରର କ୍ଳିଷ୍ଟ କୁ କେତେ ଯେ ସହିବ? ଜୀବନର ପୀଡାକୁ କାହା ଆଗରେ ବା ପ୍ରକାଶ କରିବ? ବୋଧହୁଏ ସେଥିପାଇଁ ଈଶ୍ୱର ତାକୁ ପ୍ରଦାନ କରିନଥାନ୍ତି ସେଭଳି ମାନବୀୟ ଚିନ୍ତା ଶକ୍ତି । ମାତ୍ର ଏପରି ମତ୍ତ ରଖିବାଟା ଭୁଲ୍ ହୋଇପାରେ । ସେ ସ୍ଥାନରେସେ ଘଟ ଅନୁଭବ କରିପାରେ, ଶୁଣିପାରେ, ଦେଖିପାରେ, ଆସ୍ୱାଦନ କରିପାରେ, ସ୍ୱାଦ ବାରିପାରେ ତେଣୁ ସେ କାହିଁକି ବା ଚିନ୍ତା କରୁନଥିବ । ମାତ୍ର ତା’ ପାଖରେ କେହିନଥାନ୍ତି ତା’ ଯନ୍ତ୍ରଣାର ଯାତନାକୁ ଶୁଣିବାକୁ । ସେ ବାକ୍ୟରେ ପ୍ରକାଶ କରିବା ପାଇଁ ଭାଷା ଶିଖି ନଥାଏ । ପରନ୍ତୁ ପ୍ରକୃତି ଦତ୍ତ ଆବେଗିକ ପରିପ୍ରକାଶ ପାଇଁ ସେ ନିଜର ଅଙ୍ଗଚାଳନାର ସାହାଯ୍ୟ ନିଏ । ନିଜ କଷ୍ଟର ଉପସମ ପାଇଁ ହାତଗୋଡ ଛାଟି ଯେତେବେଳେ କରଲେଉଟାଏ ତାହା କେତେ ଯେ କଷ୍ଟ ସେ କଥା ମାପିଛି ବା କିଏ?
      ସେଠାରେ ପ୍ରତି ଦଣ୍ଡରେ ମୋ ସ୍ଥିତ କାୟା ତା’ର ଜୀବନର ଦୁଃଖ ସହିତ ଲଢି ଚାଲିଥାଏ । ସମୟେ ସମୟେ ଅବସ ହୋଇପଡି ଅବଚେତନ ଅବସ୍ଥା ପ୍ରାପ୍ତ ହୁଏ । ପରନ୍ତୁ ଧୀରେ ଧୀରେ ଚେତନା ଶକ୍ତିର ଶ୍ରିତ ହେବାକ୍ଷଣି ନିଜର ଅସହାୟତା ଓ ବିବଶତା ବସତଃ ଅନୁଭବ କରେ ପରମ ସତ୍ତାକୁ । ବୁଝିବସେ ସେ ହିଁ ଏ ସର୍ଜ୍ଜନାର ବିନ୍ଧାଣୀ । ତା ଜୀବନ ରେଖାର ମୂଳତନ୍ତ୍ର । ତେଣୁ ଗୁହାରୀ କରିବାରେ ଲାଗିପଡେ ସେହି ଅଲ୍ୟୈକିକ ଶକ୍ତିକୁ ସେ ଦୁଃଖର ନିଦାନ ପାଇଁ ।
      ସନାତନ କିନ୍ତୁ ମୋର ଏଭଳି ଚିନ୍ତା ଠାରୁ ସମ୍‌ୂର୍ଣ୍ଣ ଉନୁ୍ମକ୍ତ । ବୈଜ୍ଞାନିକ ଅନୁଚିନ୍ତନରେ ସେ କଷି ଚାଲିଥାଏ ଗର୍ଭର ଗଣିତ । ତା’ ନିଷ୍କର୍ଷରେ ପଞ୍ଚତ୍ରିଂଶ ସପ୍ତାହ ବେଳକୁ ଶିଶୁଟିର ଲମ୍ବ ପ୍ରାୟ ଅଠର ଇଞ୍ଚ୍ ହୋଇଥିବା ବେଳେ ଏହାର ଓଜନ ପାଖାପାଖି ଦୁଇ କିଲୋଗ୍ରାମ୍ ତିନିଶହ ଗ୍ରାମରୁ ଦୁଇ କିଲୋଗ୍ରାମ୍ ଚାରିଶହ ଗ୍ରାମ୍ ଭିତରେ ହୋଇଥିବ । ଏହାର ଆକାର ବର୍ତ୍ତମାନ ଗୋଟିଏ ବଡ ତରଭୁଜର ଆକାର ସହିତ ତୁଳନୀୟ । ଗର୍ଭଥଳୀ ଭିତରେ ବର୍ତ୍ତମାନ ଶିଶୁଟିର ଆକାର ତୁଳନାରେ ଆମ୍ନୋଇଟିକ୍ ତରଳର ପରିମାଣ ଯଥେଷ୍ଟ କମ୍ ଥିବ । 
      ଆଗଭଳି ଶିଶୁଟି କରୁଥିବା କୁସ୍ତି କସରତ ଆଉ କରିବା ସମ୍ଭବ ନୁହେଁ । ଏହାର କାରଣ ଶିଶୁ ଶରୀରର ବୃଦ୍ଧି ସହିତ ଆମ୍ନୋଇଟିକ୍ ଥଳୀ ଭିତରେ ସ୍ଥାନର ଅଭାବ । ସେ ବର୍ତ୍ତମାନ କେବଳ ନିଜର ଗୋଡ ହାତ ବାଡେଇ ପାରେ ଅବା କର ଲେଉଟାଇ ପାରେ । ସତ୍ତ୍ୱରୀମାର ଗର୍ଭାଶୟର ଆକାର ମଧ୍ୟ ସେହି ଅନୁପାତରେ ଯଥେଷ୍ଟ ବଢିଥିବ । ତା’ ଉଦରର ସମସ୍ତ ଶିରା ପ୍ରଶିରା ଓ ନାଡିତନ୍ତ୍ରକୁ ମାଡିବସିଲା ଭଳି ଜରାୟୁ ନିଜର କାୟା ବିସ୍ତାର କରିଥିବ । 
      ଏହି ସମୟରେ ସତ୍ତ୍ୱରୀମାର ପ୍ରସାବ ସଂକ୍ରମଣର ସମ୍ଭାବନା ଯଥେଷ୍ଟ ଅଧିକ । ଏ ସମୟରେ ଯଦି ସତ୍ତ୍ୱରୀମାର ପ୍ରସାବ ସଂକ୍ରମିତ ହୁଏ ତେବେ ଏହା ଘୋର ବିପଦର କାରଣ ହୋଇପାରେ । ପ୍ରସାବ ସଂକ୍ରମିତ ହେଲେ ସତ୍ତ୍ୱରୀମାକୁ ଆଣ୍ଟିବାୟୋଟିକସ୍ ଖାଇବାକୁ ପଡିବ । ଏହା ସମ୍ଭବ ଯେ ସତ୍ତ୍ୱରୀମା ସହିତ ତା’ଗର୍ଭର ଶିଶୁ ସଂକ୍ରମିତ ହୋଇପାରେ । ତେଣୁ ଏ ସମୟରେ ସ୍ୱାସ୍ଥ୍ୟର ଯତ୍ନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ନିୟମିତ ଭାବରେ ତା’ର ପ୍ରସାବର ପରୀକ୍ଷା ସହିତ ତା’ର ରକ୍ତର ପରୀକ୍ଷା ନିତ୍ୟାନ୍ତ ଜରୁରୀ । ଏ ସବୁ ପାଇଁ ସେ ପ୍ରାବଧାନ କରି ରଖିôଥାଏ ଓ ସେହି ଅନୁସାରେ କାର୍ଯ୍ୟଆଗେଇ ଚାଲିଥାଏ ।
      ସତ୍ତ୍ୱରୀମା ବର୍ତ୍ତମାନ ଆଗଭଳି ଆଉ ଚଳଚଞ୍ଚଳ ନାହିଁ । ଗର୍ଭର ଭାର ତା’କୁ ଅତିଷ୍ଟ କଲାଣି । ତା’ର ବଦନ ଯଦିଓ ମାତୃତ୍ୱ ଲାଭର ଅଭିପ୍‌ସାରେ ଗର୍ଭକଷଣକୁ ସହି ଚାଲିଥାଏ ତଥାପି ବେଳେବେଳେ ସେ ନିସଙ୍ଗ ଅନୁଭବ କରେ । ପଲଙ୍କ ଉପରେ ବସି କାନ୍ଥକୁ ଆଉଜିପଡି ନିଜ ଉଦରରେ ହାତ ଥୋଇଦେଇ ନିଜ ଶିଶୁକୁ ଅନୁଭବ କରେ । ଶିଶୁର ଉପସ୍ଥିତି ତା’ର ଗୋଇଠା କିମ୍ବା ଶରୀର ସ୍ଥାନ ପରିବର୍ତ୍ତନ କରିବାର କ୍ରିୟାକୁ ହିଁ ସେ ଅନୁଭବ କରେ । କେଉଁଦିନ ବାହାରକୁ ଆସିବ, କିପରି ଆସିବ ଏପରି ଅନେକ ଚିନ୍ତାରେ ସେ ଦିନ କାଟିବାରେ ଲାଗିଥାଏ । 
      ଅଷ୍ଟାଦଶ ପକ୍ଷର ଦ୍ୱିତୀୟ ସପ୍ତାହ ବେଳକୁ ମୁଁ ଅଧିର ହୋଇଉଠିଥାଏ । ଯାତ୍ରାର ଦୀର୍ଘତା ସହିତ ଜୀବନର ଦୁଃଖ ଓ ଜୀବନରେ ଦୁଃଖ ସେଠି ମୋତେ ବ୍ୟତିବ୍ୟସ୍ତ କରି ଚାଲିଥାନ୍ତି । ଏ ଯନ୍ତ୍ରଣାର ଅନ୍ତ କେବେ? କେବେ ମୋତେ ମିଳିଯିବ ମୋ ଚିର ଇପସ୍‌ିତ ପ୍ରଭୁ ପାଦର ସାନ୍ନିଧ୍ୟ? ଆଉ କେଉଁ ପରୀକ୍ଷା ମୋତେ ଦେବାକୁ ପଡିବ? ଆଉ କେତେ ନଦୀ ଦରିଆ ମୋତେ ପାରିହେବାକୁ ପଡିବ ଇତ୍ୟାଦି ଇତ୍ୟାଦ, ମୋର ମାୟାଗ୍ରସ୍ତ ଅହମିକାରେ ଅନୁଶୀଳନ କରିଚାଲିଥାଏ । ସମୟେ ସମୟେ ସେହି ଚିର ସତ୍ୟଙ୍କ ଉପରେ ଅଭିମାନ କରିବସେ । ପ୍ରାର୍ଥନାରୁ ବିରତ ହୋଇଯାଏ । ହେଲେ ସେଥିରେ କି ଲାଭ? ନିଜ ସ୍ଥିତପ୍ରଜ୍ଞର ପ୍ରଜ୍ଞାବୋଧକୁ ଭୁଲିଯାଇ ଅବାଟରେ ଯିବାଟା ଆଦ୍ୟୈ ସମୀଚିନ ନୁହେଁ । ନୈରାଶ୍ୟବାଦରୁ ଓହରି ଆସି ପୁଣି ବିଶ୍ୱାସର ପରିଧି ଭିତରକୁ ପ୍ରବେଶ କରି ସବୁକିଛି ସମର୍ପିତ କରିଚାଲେ ସେହି ମହତ୍ତ ବ୍ରହ୍ମଙ୍କ ପରମ ଯୋଗରେ ।
      ସନାତନ ସେ ଦ୍ୱିତୀୟ ସପ୍ତାହ ବେଳକୁ ଆହୁରି ବ୍ୟଗ୍ର ହୋଇ ଉଠିଥାଏ । ଯେଉଁ ଯେଉଁ ପ୍ରସବର ସମୟ ପାଖେଇ ପାଖେଇ ଆସୁଥାଏ ତହୁଁ ତହୁଁ  ସନାତନର ଭାବ ପ୍ରବଣତା ସହିତ ପ୍ରତିକ୍ଷାର ଉନ୍ମାଦନା ଆହୁରି ବଢି ବଢି ଚାଲେ । ତା’ ଜ୍ଞାନରେ ଏହି ସପ୍ତାହରେ ଶିଶୁର ଲମ୍ବ ପୂର୍ବ ସପ୍ତାହ ଅପେକ୍ଷା ପ୍ରାୟ ଅଧଇଞ୍ଚ୍ ଓ ଏହାର ଓଜନ ପାଖାପାଖି ଦୁଇଶହ ଗ୍ରାମ୍ ବଢିଥିବ । ଏହି ସମୟରେ ଶିଶୁର ମାଂସପେଷୀ ଗଠନ ପ୍ରାୟ ସଂପୂର୍ଣ୍ଣତା ଲାଭ କରିବ ଓ ପରିବର୍ତ୍ତନର ଘଟଣା କ୍ରମରେ ଶିଶୁ ଶରୀରର ସମସ୍ତ ଚମଡାର ପୃଷ୍ଠଭାଗରେ ଲାଗିଥିବା ଅଠାଳିଆ ପଦାର୍ଥ ଆପେ ଆପେ ସବୁ ସେହି ଆମ୍ନୋଇଟିକ୍ ତରଳରେ ମିଶିଯିବ । ସେହି ତରଳକୁ ତଥାପି ଶିଶୁ ତା’ର କ୍ଷୁଧା ନିବାରଣ ପାଇଁ ତାକୁ ସମୟେ ସମୟେ ଗିଳି ଚାଲିଥିବ । ସେ ସମସ୍ତ ଗିଳି ପକଉଥିବା ପଦାର୍ଥ ଗୁଡିକ ଶିଶୁର ପ୍ରଥମ ଅବସ୍କର ଭାବରେ ନିଷ୍କାସିତ ହେବ । ସାଧାରଣ ସଂରଚନାରେ ଶିଶୁଟିି ବର୍ତ୍ତମାନ ମୁଣ୍ଡ ତଳକୁ ଗୋଡ ଉପରକୁ କରି ଗର୍ଭଥଳୀ ଭିତରେ ଥିବ ଯାହା ପ୍ରସବ ଧର୍ମୀ । ଏମିତି ମଧ୍ୟ ହୋଇପାରେ ବର୍ତ୍ତର୍ମାନ ଶିଶୁ ଜରାୟୁର ନିମ୍ନ ଭାଗକୁ ଖସି ଆସିପାରେ ଯାହାଦ୍ୱାରା ସତ୍ତ୍ୱରୀମାନିଜ ଉଦରର ତଳି ଭାଗରେ ଓଜନ ଅନୁଭବ କରି ପାରେ । ମାତ୍ର ପ୍ରସବ ସମୟ ସନ୍ନିକଟ । ଆଉ ଦୁଇସପ୍ତାହ ପରେ ଶିଶୁଟି ଭୂମିଷ୍ଠ ହେବା ନଶ୍ଚିତ ।
      ସତ୍ତ୍ୱରୀମା ଏ ସମୟରେ ସନାତନର ପାଖ ଛାଡିବାକୁ ପ୍ରସ୍ତୁତ ହୁଏନା । ତା’ର ଆନ୍ତରୀକ ଇଚ୍ଛା ସନାତନ ପ୍ରାୟ ସବୁ ସମୟରେ ତା’ପାଖେପାଖେ ରହନ୍ତୁ । ମାତ୍ର ସନାତନ ଜଣେ ନର୍ସଙ୍କର ବ୍ୟବସ୍ଥା କରି ସାରିଥାଏ । ସେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଦୁଇଥର ଆସି ସତ୍ତ୍ୱରୀମାର ଅବସ୍ଥା ଭଲ ଭାବରେ ଦେଖି ଯାଉଥାଏ । ଆବଶ୍ୟକ ବ୍ୟବସ୍ଥା ମଧ୍ୟ ସେ ସତ୍ତ୍ୱରୀମା ପାଇଁ କରିକି ଫେରୁଥାଏ । ପ୍ରସବ ଯନ୍ତ୍ରଣାର ଭୟକୁ ସତ୍ତ୍ୱରୀମା ମନରୁ ଦୂର କରିବା ପାଇଁ ସନାତନର ପ୍ରୟାସ ଯଥେଷ୍ଟ ଥାଏ । ସନାତନ କିମ୍ବା ସତ୍ତ୍ୱରୀମା ଶିଶୁର ସିଜରିଆନ୍ କରି ଜନ୍ମ ଦେବା ସପକ୍ଷରେ ନଥାନ୍ତି । ସନାତନତ ଆଦ୍ୟୈ ନଥାଏ । 
      ତା’ ମତରେ ପ୍ରାକୃତିକ ଶୈଳୀରେ ସନ୍ତାନ ଜନ୍ମ ନେଲେ ତା’ର ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ଅଧିକ ହେବ ଓ ସେ ଅଧିକ ବୋଧଶକ୍ତି ସମ୍ପନ୍ନ ହେବ । ତା’ ଶରୀର ସଂରଚନାରେ ପ୍ରକୃତିର ସମସ୍ତ ନିୟମାବଳୀ କାର୍ଯ୍ୟ କରିବ ଓ ତାହା ପ୍ରାକୃତିକ ସୁନ୍ଦରତା ଓ ସରଳତା ବହନ କରିବ । ସେଥିପାଇଁ ସେ ନର୍ସକୁ ମଧ୍ୟ ଅନୁରୂପ ଆଦେଶ ଦେଇଥାଏ । ସତ୍ତ୍ୱରୀମା ଏଭଳି କଷ୍ଟ ସମୟରେ ନିର୍ବାକ ଭାବେ ମନେ ମନେ ପ୍ରାର୍ଥନା କରିଚାଲେ । ତା’ର ଆଧ୍ୟାତ୍ମବାଦର ଆଚରଣ ଭିତରେ ନିଜ ମନର ଦୁଃଖ, କଷ୍ଟ, ଭୟ ଓ ତ୍ରାସ ସବୁକୁ ପ୍ରଶମିତ କରିବାରେ ସେ ସମର୍ଥ ଥାଏ ।

*******

ଉନବିିିଶଂ ପକ୍ଷ


      ସେଦିନ ବ୍ରାହ୍ମ ମୁହୁର୍ତ୍ତରୁ ହିଁ ସତ୍ତ୍ୱରୀମାର ନିଦ ଭାଙ୍ଗିଯିବା ପରେ ସେହି ଶଯ୍ୟା ଉପରେ ଶୋଇ ରହିିଥିବା ଅବସ୍ଥାରେ ତା’ର ମନ ଖୁବ୍ ଉଦାସ ଥାଏ । ହାତ ଯୋଡି ଭଗବାନଙ୍କୁ ପ୍ରଣାମ କରେ । ଆକୁଳ ନିବେଦନ କରେ ହେ ପ୍ରଭୁ ମୋତେ ଏ ଗର୍ଭକଷ୍ଟରୁ ମୁକ୍ତି ଦିଅ । ମୋ’ ପିଲାକୁ ଭଲରେ ଭଲରେ ବାହାରକୁ ନେଇ ଆସ । ପାଖରେ ସନାତନକୁ ବଡିଭୋରିଆ ନିଦ ସେମିତି ଯାକୁଟି ମାକୁଟି ଧରିଥାଏ । ମା’ ଷଠୀଦୁଷିଙ୍କର କି ଅପୂର୍ବ କାୟା ସଂଯୋଜନା କେଜାଣି ସତ୍ତ୍ୱରୀମା ଶୋଇଗଲେ ମୋ ସ୍ଥିତ ଶରୀର ବି ଆପେ ଆପେ ନିଦେଇ ଆସେ । ସତ୍ତ୍ୱରୀମା ଜାଗ୍ରତ ହେଲେ ସେ ବି ନିଦରୁ ଉଠିପଡେ । ସମୟେ ସମୟେ ଏ ସୁଦୀର୍ଘ ନଅ ମାସର ଯାତ୍ରାରେ ଏମିତି ଅନେକ ସମୟ ମୁଁ ଦେଖୁଥାଏ ସତ୍ତ୍ୱରୀମାର ଶୟନ ସମୟରେ ହିଁ ମୋ ସ୍ଥିତ କଳେବର ନିଦରୁ ଉଠିଯାଇ ଚଳଚଞ୍ଚଳ ହୋଇଉଠେ । ତା’ ଶରୀରର ପୀଡା ପାଇଁ ସେ ଅସହାୟତା ପ୍ରକାଶ କରି ବେଳେବେଳେ ଏପରି ଅସ୍ଥିର ହୋଇଉଠେ । ମାତ୍ର ସେ ଚଗଲାମି ଥାଏ କ୍ଷଣିକ । 
      ସତ୍ତ୍ୱରୀମାର ନିଦ୍ରାରେ ସେ କେତେ ସମୟବା ନିଜକୁ କର୍ମଜ ରଖିପାରିବ । ସସ୍ୱତର ସଂରଚନାରେ ବିପରୀତ ମୂଖୀ ପ୍ରତିକ୍ରିୟା କେତେବା ସେ ପ୍ରକାଶ କରିପାରିବ? ତେଣୁ ଖୁବ୍ ଶୀଘ୍ର ହିଁ ଅବଶ ଅନୁଭବ କରେ । ପୁଣି ନିଜ ମା’ର ନିଦ୍ରାବସ୍ଥାକୁ ସେ ବି ଆପଣେଇ ନିଏ । ସତ୍ତ୍ୱରୀମା ଶଯ୍ୟା ଉପରେ ସେମିତି ଶୋଇ ରହିଥିବା ଅବସ୍ଥାରେ ମୋ ସ୍ଥିତ କାୟା ଅନୁରୂପ ନିଜର ଆଳସ୍ୟ ପଣରେ ନିଜକୁ ନିଦରୁ ଉଠାଇ ନିଏ । ସତ୍ତ୍ୱରୀମାର ଭାବନାରେ ନା ଚାଲିରେ ଆଗଭଳି ଚଞ୍ଚଳତା ଥାଏ । ନିଜ ଉଦରରେ ଥିବା ନିଜର ସନ୍ତାନକୁ ବୋହିବା ସହିତ ନିଜ ଶରୀରକୁ ବୋହିବା ତା’ର ଗତି ପ୍ରବୃତ୍ତି ଉପରେ ଉଦାସିନତା ଭରି ସାରିଥାଏ । ଧୀରେ ଧୀରେ କଡ ଲେଉଟାଇ ନିଜ ଉଦରର ପୃଥୁଳତାକୁ ଟିକେ ନଜର ପକାଏ । ହଜିଯାଏ ସ୍ୱପ୍ନ ରାଇଜରେ । ଭାବିବସେ ତା’ ଛୁଆ କିଭଳି ହୋଇଥିବ? ତା’ ଭଳି ନା ତା’ ବାପାଭଳି । ଗୋରା ନା କଳା । ଡଉଲ ଡାଉଲ ନା ପତଳା । ଅଳସୁଆ ନା କର୍ମଠ । ମନେମନେ କହି ଚାଲେ ତୁ ଚଞ୍ଚଳ ମୋ’ ପେଟରୁ ବାହାରି ଆସେ । ସମସ୍ତେ ତୋତେ କେତେ ଅପେକ୍ଷା କରିଛନ୍ତି । ତୁ କେମିତି ତା’ ଭିତରେ ନଶୁଣିଲା ପରି ଅଛୁ କେଜାଣି । ତୁ ବାହାରକୁ ଆସିଲେ ଘରେ କେତେଯେ ଆନନ୍ଦ ଉଲ୍ଲାସ ଖେଳିଯିବ ତାହା ତୁ ବୁଝି ପାରିବୁନି । ତୁ ମୋର ସିନା ସର୍ବସ୍ୱ, ହେଲେ ଏ ବଂଶର ତୁ ମର୍ଯ୍ୟାଦା । ତୁ ଆସିଗଲେ ତୋ’ ଜେଜେ ଜେଜେମାଙ୍କ ଗୋଡ ତଳେ ଲାଗିବନି । ତୋ’ ବାପାଙ୍କ କଥା କହିବି କଣ । 
      ସେ ମନେମନେ କେତେଯେ ଖୁସି ହେବେ ତାହା ମୁଁ ବି ହିସାବ କରି ପାରିବିନି । ତୁ ଏ ଘର ଅଗଣାରେ ପ୍ରଜାପତି ଟିଏ ପରି ଘୁରି ବୁଲିବୁ । ମୁଁ ତୋ’ପଛରେ ଗୋଡଉ ଥିବି । ତୁ ଅଝଟ ହେଉଥିବୁ । ମୁଁ ବୁଝଉ ଥିବି । ତୁ କାନ୍ଦୁଥିବୁ ମୁଁ ତୁନଉ ଥିବି । ତୁ ଧୂଳି ଧୂସର ହେଲେ ମୋ’ ପଣତ କାନୀ ତୋତେ ପୋଛି ପକଉଥିବ । ତୋତେ ସଜେଇବାରେ ମୁଁ କେତେ ଯେ ସ୍ୟୁତ୍ନ ପାଇବି ତୁ କଳି ପାରିବୁନି । ତୋ’ ମୁହଁର ସେ ଦରୋଟି ହସ ପାଇଁ ଏ ଘରର ସମସ୍ତେ ପ୍ରତିକ୍ଷା ରତ । ତୁ ହେଉଛୁ ଏ ଘରର ଶ୍ରେଷ୍ଠ ଆଗନ୍ତୁକ । ତୋ’ ସେବାରେ ଏଠି ହେଳା କେହିବି କରିବେନି କିମ୍ବା କରି ପାରିବେନି । ତୋ ପାଇଁ କେତେ ଯେ ଖେଳଣା କେତେ ଯେ କଣ୍ଢେଇ ଆଣି ସାଇତିଛନ୍ତି ଏ ଘର ମଣିଷ ମାନେ ତୁ କଣ ଜାଣି ପାରୁଛୁ । ତୁ ଯେତେବେଳେ ଦେଖିବୁ ତୁ ବହୁତ ଖୁସି ହୋଇଯିବୁ । ତୋ ପାଇଁ ସାଇତା ଯାଇଥିବା କଣ୍ଢେଇ ଗୁଡିକ ତୋ ପାଇଁ ଖେଳର ଆସବା ସିନା, ମାତ୍ର ତୁ ଆମମାନଙ୍କ ପାଇଁ ସବୁଠାରୁ ସୁନ୍ଦର କଣ୍ଢେଇ । ତୋ ସହିତ ମୁଁ ଖେଳିଲେ ସ୍ୱର୍ଗ ସୁଖ ଲଭିବି । ତୁ ବାହାରକୁ ଆସିଗଲେ ମୁଁ ହେବି ଧନ୍ୟା । ମା’ ଡାକର ସେ ଅମୃତ ଆସ୍ୱାଦ ମୁଁ ପାଇବି । ନାରୀ ଜୀବନ ମୋର ଚରିତାର୍ଥ ହୋଇଯିବ । ମୋ’ ଜୀବନର ସବୁଠାରୁ ଶ୍ରେଷ୍ଠତମ କାମନା ପୂରଣ ହେବ । ତୁ ଜନ୍ମ ହେବାପରେ ମୁଁ ଯେତେବେଳେ ମୋ ସ୍ତନରୁ ତୋତେ ମୋର ପ୍ରଥମ କ୍ଷୀର ଖୁଆଇବି ମୋର ସେ ପରମ ରୋମାଞ୍ଚକୁ ଦୁନିଆରେ କେହି ବି ଅନୁଭବ କରି ପାରିବେନି । 
      ତୁ କୁଆଁ କୁଆଁ ହୋଇ କାନ୍ଦିଲେ ମୋର ଛାତି ଫାଟି ପଡିବ । ମୁଁ ତୋତେ ମୋ’ କୋଳ ଭିତରକୁ ନେଇ ଧରି ପକେଇଲେ ତୋ’ ପାଇଁ ସିଏ କୋଇଲି ବୈକୁଣ୍ଠତ ମୋ ପାଇଁ ସିଏ ନୈସର୍ଗୀକ ଆନନ୍ଦ । ତୁ ଯେତେବେଳେ ମୋ ପାଖରେ ଶୋଇଥିବୁ ମୁଁ ତୋତେ ଚୁମା ପରେ ଚୁମା ଦେଇ ଚାଲିଥିବି ।  ତୋ ମୁହଁକୁ ଚାହିଁ କେତେ କଥା ଫଟେଇବି । ତୋ’ କୁନି ମୁହଁଟିକୁ ଦେଖି ଦେଉଥିଲେ ମୋର ସମସ୍ତ ଅବସାଦ ମେଣ୍ଟି ଯାଉଥିବ । ତୋ’ ମୁହଁ ପାଖକୁ ଖେଳନା ନେଇତୋତେ କେତେ କଥା କହିବି । ତୁ ଧୀରେ ଧୀରେ ମୋ ମୁହଁକୁ ଚାହିଁ ହସିବୁ । ଅନେକ ସମୟରେ ତୁ ଚିଡି ଯାଉଥିବୁ । କାନ୍ଦି କାନ୍ଦି ଅଝଟ କରିବାକୁ ଲାଗିଲେ କେତେବେଳେ ତୋ’ ବାପା ତାଙ୍କ କାନ୍ଧରେ ଜାବୁଡି ଧରିବେ ତ କେତେବେଳେ ମୁଁ ମୋ ଛାତିରେ ତୋତେ ଜାବୁଡି ଧରିବି । 
      ଧୀରେ ଧୀରେ ତୁ ଶୋଇବା ଶେଯରେ କଡ ଲେଉଟେଇବା ଆରମ୍ଭ କରିବୁ । କଡ ଲେଉଟେଇ ଲେଉଟେଇ ଶେଯ ଠାଏ, ତୁ ଗଡି ଗଡି ତଳେ ଥିବୁ ଆଉ ଠାଏ । ସମୟେ ସମୟେ ତୋ କାନ୍ଦରେ ଘର ଫାଟି ପଡିବ । କଡ ଲେଉଟଉ ଲେଉଟଉ ତୁ ପେଟେଇବା ଆରମ୍ଭ କରିବୁ । ତୁ ପେଟେଇବା ବେଳେ ତୋ’ ସାମନାରେ କେତେବେଳେ ମୁଁ ତ କେତେବେଳେ ଏ ପରିବାରର ଅନ୍ୟ କେଉଁ ସଦସ୍ୟ, ନହେଲେ ତୋ’ ବାପା ବସିଥିବେ । ପେଟେଇ ପେଟେଇ ତୁ ଗତି କରିବା ଆରମ୍ଭ କରିବୁ । ଆଗରେ ଖେଳନାଟିଏ ଥିଲେ ତାକୁ ଧରିବା ପାଇଁ ନିଜ ହାତଗୋଡ ହଲେଇ ଚାଲିବୁ । ତୁ ମୋ ପେଟ ଭିତରେ ଯେମିତି ବର୍ତ୍ତମାନ ହାତ ଗୋଡ ହଲେଇ ଚାଲିଛୁ ସେ ଅଭ୍ୟାସକୁ ତୁ ଏତେ ଯଲଦି ଛାଡିପାରିବୁ ନାହିଁ । ଯେ ପର୍ଯ୍ୟନ୍ତ ତୁ ବସିବା ନଶିଖିଛୁ ସେ ପର୍ଯ୍ୟନ୍ତ ତୁ ଚିତି ପଟିଆ ଶୋଇ ଉପରକୁ ଅନେଇ ହାତଗୋଡ ହଲଉଥିବୁ ତ ନଚେତ୍ ପେଟେଇ ରହି ହାତଗୋଡ ସେମିତି ହଲାଇଥିବୁ । 
      ଦିନ, ଦଣ୍ଡ, ମୁହୁର୍ତ୍ତ ସବୁ କ୍ଷିପ୍ର ବେଗରେ ଗଡି ଚାଲିଥିବ । ତୋ’ର ଏ ସମସ୍ତ ଆଚରଣରେ ମୋ ଠାରୁ ଦୁନିଆରେ ଅଧିକ ଖୁସି କେହି ପାଉ ନଥିବେ । ଧୀରେ ଧୀରେ ତୁ ବସିବା ଆରମ୍ଭ କରିବୁ । ବସିପଡିବା ପରେ ତୋ ହାତଗୋଡ ଥୟ ହେବନି । ପାଖରେ ଥିବା ଖେଳଣା ଅବା ଯେ କୌଣସି ଜିନିଷକୁ ନିଜ ହାତରେ ଧରି ପାଟିରେ ମାରିବାକୁ ଚେଷ୍ଟା କରିବୁ । ଯାହା ଅଳିଆ ମଳିଆ ଜିନିଷ ତୋ’ ହାତରେ ପଡୁ ନା କାହିଁକି ତୋ’ର ସେଥିପ୍ରତି ଭୃକ୍ଷେପ ନଥିବ । ତୁ ତାକୁ ତୋର ଅଜ୍ଞାନ ହୃଦୟରେ ସବୁ ନେଇ ପାଟିରେ ଭର୍ତ୍ତି କରିବାକୁ ଚେଷ୍ଟା କରୁଥିବୁ । ମୁଁ ପାଖରେ ଥାଇ ହାକ୍ ହାକ୍ ହଉଥିବି । ତାକୁ ପାଟିରେ ଲଗେଇବାକୁ ବାରଣ କରୁଥିବି । ତୁ କୁଆଡେ ମୋ କଥା ବୁଝି ପାରୁଥିବୁ ଯେ । ତୋ’ ପାଇଁ ନିଆଁ ପାଣି ବହୁତ କୈତୁହଳ ପ୍ରଦ ଜିନିଷ ହେବ । ତୁ ପାଣି ଦେଖିଲେ ସେଥିରେ ହାତ ମାରିବାକୁ ତୋର ବହୁତ ଇଚ୍ଛା ହେବ । କାରଣ ତୁ ଦୀର୍ଘ ବର୍ଷେକାଳ ମୋ ପେଟରେ ସେହି ପାଣିରେ ବଡ ହୋଇଥିବୁ ନା? ମୁଁ ଗୋଡେ ଗୋଡେ ତୋତେ ଏଭଳି ପରିସ୍ଥିତିରୁ ଜଗିଥିବି । 
      ଏହି ବସିବା ଅବସ୍ଥାରେ ହିଁ ତୁ ପ୍ରଥମ କରି ଶଦ୍ଦ ଉଚ୍ଚାରଣ ଆରମ୍ଭ କରିବୁ । ଆଉ ତୋ ପାଟିରେ ପ୍ରଥମେ ମା’ ଶଦ୍ଦ ହିଁ ପଶିବ । ତୋ’ର ପ୍ରଥମ ମା’ ଶଦ୍ଦ ମୋତେ ବିଭୋର କରିଦେବ । ମୋତେ ତୋର ମା’ ଡାକ ଯେତିକି ଶିହରିବ ତୋର ବାପାଙ୍କୁ ତୋର ପ୍ରଥମ ବାପା ଡାକ ସେତିକି ହର୍ଷିତ କରିବ । ତୋର ସେ ମଧୁମୟ ମା’ ଡାକରେ ମୁଁ ଜୀବନର ସକଳ ସୁଖର ସମ୍ଭାର ତୋଳିଚାଲିବି । ଜେଜେ, ଜେଜେ ମା’ ଙ୍କ ସହିତ ତୁ ନଟର ପଟର ହୋଇ ତାଙ୍କୁ ଅମାପ ଖୁସି ଦେଇ ଚାଲିବୁ । ବସିବାରେ ତୁ ଦକ୍ଷ ହୋଇଗଲା ପରେ ତୁ ଗୁରୁଣ୍ଡିବାକୁ ଅଣ୍ଟା ଭିଡିବୁ । ତୋ’ର ଗୁରୁଣ୍ଡିବା ବି ଆରମ୍ଭ ହୋଇଯିବ । ଗୁରୁଣ୍ଡି ଗୁରୁଣ୍ଡି ଘରର ଏକୋଣରୁ ସେକୋଣ, ସେକୋଣରୁ ଏକୋଣ ତୁ ବୁଲିବାକୁ ଲାଗିବୁ । ଯେଉଁ ଜିନିଷ ବି ହାତ ପାଖରେ ପଡିଲା ତାକୁ ଧରିବାକୁ ଚେଷ୍ଟା କରିବୁ । ଖେଳଣା ମାନେ ହେବେ ତୋର ପ୍ରିୟ । ଖେଳଣା ହାତରେ ଧରି ଖେଳୁଖେଳୁ ତାକୁ ଚୁଚୁମିବାକୁ ଚେଷ୍ଟା କରିବୁ । ମୁଁ ବ୍ୟସ୍ତ ହୋଇ ପଡୁଥିବି । ଦଉଡି ଦଉଡି ଯାଇ ତୋ ହାତରୁ ତାକୁ ଛଡେଇ ଆଣୁଥିବି । ବେଳେବେଳେ ଗୁରୁଣ୍ଡି ଗୁରୁଣ୍ଡି ଖଟ ସନ୍ଧି ଅବା ସୋଫା ସନ୍ଧିରେ ଯାଇ ଏମିତି ଚାହିଁଥିବୁ  ଯେ ଆଉ ନିଜେ ବାହାରି ପାରିବୁନି । ସେଠି କାନ୍ଦିବା ଆରମ୍ଭ କରିଦେବୁ । ଘରର ସମସ୍ତେ ତୋ ପାଖକୁ ଦଉଡି ଆସୁଥିବେ । ସେ ଠୁ ତୋଳି ଆଣି ସମସ୍ତେ ହସୁଥିବେ । ତୁ ଯାହା କାଖରେ ଥିବୁ ସେ ତୋତେ ଗେଲ କରି ପକାଉଥିବ । 
      ଗୁରୁଣ୍ଡିବାରେ ଧୂରୀଣ ହୋଇଗଲେ ଠିଆ ହେବାକୁ ଚେଷ୍ଟା କରିବୁ । ଛିଡା ଛିଡା ହେଲା ବେଳକୁ କେତେଥର ଯେ ଗାଣ୍ଡିକଚି ପଡିବୁ ତା’ର ହିସାବ ନାହିଁ । ପଡିଗଲା ପରେ ମୋ ମୁହଁକୁ ଅନେଇ ବେଳେବେଳେ କାନ୍ଦିବା ଆରମ୍ଭ କରିଦେବୁ । ମୁଁ ଦଉଡିଯାଇ ଉଠେଇ ଆଣି ଗେଲ କରି ପକଉଥିବି ଆଉ କହି ଚାଲିଥିବି ନାହିଁ ମୋ ପୁଅର କିଛି ହୋଇନି । କାନ୍ଥ, ଆସବାପତ୍ର ଅବା କବାଟକୁ ଧରି ଠିଆ ଠିଆ ହେଉ ହେଉ ଠିଆ ହେବା ବି ଶିଖିଯିବୁ । ତୋ ଠିଆ ହେବାଟା ଦେଖି ମୋ ମନ ଆହୁରି କୁଣ୍ଢେ ମୋଟ ହୋଇଯିବ । ବେଳେବେଳେ ତୋ ଅଝଟ ପଣିଆରେ ଅତୀଷ୍ଟ ହୋଇ ତୋତେ ମାଡ ବି ମୁଁ ଦେଇ ଦେବି । ହେଲେ ମୋ ମାଡ ଭିତରେ ଖାଲି ସ୍ନେହ ମିଶା ମିଛ ଭୟ ଥିବ । ମାଡ ଦେଇ ତୋତେ କୋଳକୁ ତୋଳିଆଣି କେତେ ଯେ ନାନାବାୟା ଗୀତ ଗାଈ ଚାଲିବି ତାହା ତୁ ଶୁଣିଲେ ଜାଣିବୁ । କୋଉଠି କଣ ଭୟର ଆଭାସ ପାଇଲେ ତୁ ଦଉଡି ଆସି ପସି ଯିବୁ ମୋରି କୋଳରେ । ମୋ କୋଳରେ ବସିଗଲା ପରେ ତୁ ନିଜକୁ ଏ ବିଶ୍ୱର ସବୁଠାରୁ ସୁରକ୍ଷିତ ବୋଲି ମନେ କରିବୁ । ତୋତେ କୋଳରେ ଶୋଇ ମୁଁ ଯେତେବେଳେ ମୋ ସ୍ତନରୁ ତୋତେ କ୍ଷୀର ପାନ କରଉଥିବି ସେ ଯେଉଁ ପରିତୃପ୍ତି ମୁଁ ତାହା ପ୍ରକାଶ କରି ପାରିବିନି । 
      ଏହି ସମୟରେ ବଂଶର ସମସ୍ତେ ତୋତେ କାଖ କରିବାକୁ ଚାହିଁବେ । ତୋତେ ସମସ୍ତେ ଗେଲ କରି ପକଉଥିବେ । ତୋତେ ପାଖରେ ପାଇ ଅନେକ କ୍ଷଣିକ ପାଇଁ ତାଙ୍କ ମନର ଦୁଃଖ ଅପସରି ଯାଉଥିବାର ଅନୁଭବ ବି କରୁଥିବେ । ସମୟ ତା’ର ପାଦ ଆଗକୁ ଆଗକୁ ବଢେଇ ଚାଲିବ । ତୁ ଠିଆ ହେବା ପରେ ଚାଲିବା ଶିଖିବା ଆରମ୍ଭ କରିବୁ । ଚାଲିବାକୁ ପ୍ରୟାସରତ ବେଳେ ନଥ୍‌କିନା ତଳେ ପଡିବୁ । ତଥାପି ତୁ ହାର ମାନିବୁନି । ପୁଣି ସେମିତି ଚାଲିବାକୁ ଚେଷ୍ଟା କରିବୁ । ତୋ ଚେଷ୍ଟା ସଫଳତା ସ୍ପର୍ଶ କରିବ । ଆସ୍ତେ ଆସ୍ତେ ତୋ ଚାଲି ଗୁଣ୍ଠୁଣି ହାତୀର ଚାଲି ପରିହୋଇଯିବ । ତୁ ଚାଲିଲା ବେଳକୁ ତୋର ସେ ବାଳୁତ ପଣିଆର ମହକ ଘର ଭିତରଟା ଯାକ ଖେଳି ଯାଉଥିବ । ତୋ’ ଚାଲିବା ସହିତ ତୋ’ ନଟଖଟିଆ ଗୁଣ ତୁ ଆରମ୍ଭ କରିଦେବୁ । କେତେବେଳେ କେଉଁ ଜିନିଷ ଧରି ତୁ ଭାଙ୍ଗି ଦେଉଥିବୁ ତା’ର ହିସାବ ବି କିଛି ନଥିବ । ତୁ ରାଗି ଓ ଜିଦିଆଙ୍କ ଭଳି ଥରେଥରେ ବ୍ୟବହାର କରୁଥିବୁ । ତୋତେ ଯେତେ ବାରଣ କରୁଥିଲେ ମଧ୍ୟ ଜାଣିଶୁଣି ତୁ ସେହି କାମ କରୁଥିବୁ । ମୁଁ ରାଗୁଥିବି । ତୋ’ ଉପରେ ସମସ୍ତେ  କଡା ନଜର ରଖିଥିବେ । ଘର ସାରା ତୁ ଧୀରେ ଧୀରେ ଘୁରି ବୁଲିବୁ । ମନେମନେ ତୋ’ ଭଳି ସାଙ୍ଗ ତୁ ଖୋଜି ଚାଲିବୁ । ପାଖ ପଡୋଶୀର ଛୋଟ ପିଲାଙ୍କ ସହିତ ଖେଳିବାକୁ ତୁ ବହୁତ ମନ କରିବୁ । ତୋତେ ସେ ସୁ୍‌ଯୋଗ ବି ମୁଁ ଭରପୁର ଦେବି । ପିଲାଙ୍କ ସାଥିରେ ମିଶି କେତେବେଳେ କଣ୍ଢେଇ ଖେଳ ତ କେତେବେଳେ ଆଉ କେଉଁ ଖେଳରେ ମଜିଯିବୁ । 
      ପିଲାଙ୍କ ସହିତ ମିଶିଗଲେ ତୋର ଭୋକ କଥା ଜମା ମନେ ପଡୁନଥିବ । ମୁଁ କିନ୍ତୁ ତୋର ଖାଇବା ପିଇବାକୁ ପୁରାପୁରି ଜଗିଥିବି । ତୋ’ ଦିହ ମୁଣ୍ଡକୁ ତୁ ସାଙ୍ଗମାନଙ୍କ ସହିତ ମିଶି  ଅପରିଷ୍କାର କରି ଦେଉଥିବୁ । ମୁଁ ତୋତେ ପରିଷ୍କାର କରି ପୁଣି ନୂଆ ସାର୍ଟପ୍ୟାଣ୍ଟ ପିନ୍ଧାଇ ଦେଉଥିବି । ତୋ’ ପାଇଁ ଅନେକ ପ୍ରକାର ରଙ୍ଗର ଡ୍ରେସ୍ ସମସ୍ତେ ନେଇ ଆସିବେ । ତୁ ଏ ଘରକୁ ଯେଉଁଦିନ ଆସିବୁ ତୋ’ଜେଜେ ତାଙ୍କ ପଡା ମାନଙ୍କରେ ଖାଦ୍ୟର ପସରା ମେଲିଦେବେ । ସମସ୍ତଙ୍କୁ ଭୋଜନ ଦେବେ । ମିଠା ସମସ୍ତଙ୍କୁ ବାଣ୍ଟିବେ । ତୋ’ ପାଇଁ କେତେକଣ ଯେ ପୂଜା ଅର୍ଚ୍ଚନା ହେବ ତାହା ମୁଁ ଜାଣିଛି । ତୋ’ ଏକୋଇଶିଆ ଓ ଜନ୍ମ ଦିନ ଖୁବ୍ ଜାକଜମକ ଓ ଧୂମ୍ ଧାମରେ ପାଳନ ହେଉଥିବ । ମୁଁ ସେ ସବୁକୁ ଦେଖି ନିଜକୁ ଧନ୍ୟ ମନେ କରୁଥିବି । ସଙ୍ଗରେ ଜୀବନ ବିତେଇବାର ସେ ସ୍ୟୈମନସ୍ଥକୁ ମୁଁ ତୋତେ ବଖାଣି ପାରିବିନି । 
      ଏ ସବୁ ତୋର ମଧ୍ୟ ପୂଣ୍ୟକର୍ମର ଫଳ । କାରଣ ତୁ ଏ ରାଜବଂଶରେ ଜନ୍ମନେବୁ । ତୋ’ ଜୀବନରେ ଦୁଃଖ ଓ ଅଭାବ ବୋଲି କିଛି ବି ନଥିବ । ତୋ’ ବାପାଙ୍କ ଭଳି ଜଣେ ମହାନ୍ ବୈଜ୍ଞାନିକର ପୁଣି ତୁ ପୁଅ, ଯାହା ତୋତେ ବଡ ହେଲେ ଖୁବ୍ ସମ୍ମାନ ଦେବ । ତୁ ଏ ପେଟରେ ରହିଲା ଦିନଠାରୁ କେତେଯେ ତୋ ପାଇଁ ଯତ୍ନ ଏ ଘର ଲୋକ କରୁଛନ୍ତି ତୁ ସେଗୁଡିକ କିଛି ବି ଜାଣି ପାରିନୁ । ତୋ’ ବାପାତ ତାଙ୍କ ବୈଜ୍ଞାନିକ ବୁଦ୍ଧି ବୃତ୍ତିରେ ସମସ୍ତ ଗବେଷଣାର ଅଭିଜ୍ଞାତାକୁ ତୋର ଉପରେ ହିଁ ପ୍ରୟୋଗ କରି ଚାଲିଛନ୍ତି । ତୁ ଜଣେ ସୁସ୍ଥ, ସବଳ ଓ ସୁନ୍ଦର ଶିଶୁଟିଏ ହୋଇ ଆମ ଅଗଣାକୁ ଆସିବାକୁ ସମସ୍ତଙ୍କର ପ୍ରବଳ ଇଚ୍ଛା । 
      ତୁ ପୁଅଟିଏ ହୋଇଥିଲେ ମୁଁ ଯେତିକି ଆନନ୍ଦିତ ହେବିି ଝିଅଟିଏ ହେଲେ ସେତିକି ମୋଦିତ ବି ହେବି । ଏଥିରେ କାଣିଚାଏ ହେଲେ ଶଙ୍କା ନାହିଁ । ହେଲେ ତୋ’ ବାପା ତାଙ୍କର ଯନ୍ତ୍ରରେ ଦେଖି ସାରିଲେଣି ଯେ ତୁ ଆମର ପୁଅ ନା ଝିଅ କିନ୍ତୁ ସେ ମୋତେ ତାହା କହୁ ନାହାନ୍ତି । ତୋ ବାପାଙ୍କରଏଭଳି ଆଚରଣ ଓ ଚିନ୍ତା ମୋତେ ସବୁଠାରୁ ଆନନ୍ଦ ଦିଏ । ତାଙ୍କ ଆଦର୍ଶରେ ପୁଅ ଆଉ ଝିଅ ସବୁ ସମାନ । ପୁଅଟିଏ ହେଲେ ସେ ଯେତିକି ଖୁସିହେବେ ଝିଅଟିଏ ହେଲେ ବି ସେତିକି । ତେଣୁ ତୁ ଆଉ ଜମା ଡେରି କରନି । ମୋତେ ବି ଆଉ କଷ୍ଟ ଦେନି । ସମୟକୁ କହ ଜଲଦି ଜଲଦି ଏ ମାସକ ପଳଉ ଓ ତୁ ମୋ କୋଳକୁ ପଳେଇଆ । କୁହନ୍ତି ଗର୍ଭସ୍ଥ ଶିଶୁ ଭଗବାନଙ୍କ ସହିତ ସମାନ କାରଣ ସେ ଏ ଦୁନିଆର ପାପ ପୂଣ୍ୟ କିଛି ବି ଜାଣି ନଥାଏ । ତେଣୁ  ତୁ ଯଦି ନିଷ୍ପାପ ହୃଦୟରେ ସମୟକୁ ଚଞ୍ଚଳ ଆଗକୁ ଯିବାକୁ କହିବୁ ମୋତେ ଲାଗୁଛି ବୋଧହୁଏ ସମୟ ତା’ର ଗତି ବଢେଇ ଦେଇପାରେ । 
      ନିଜ ପେଟ ଉପରେ ହାତ ରଖି ଏକ ଅଳସ ଚାହାଣୀରେ ପ୍ରାତଃ ଭାବନାରେ ବୁଡି ରହିଥିବା ସମୟରେ ହଠାତ୍ ପଲଙ୍କ ଉପରେ ଶୋଇ ରହିଥିବା ସନାତନ ଏକ ଶଦ୍ଦକରି ଅଳସ ଭାଙ୍ଗେ । ସତ୍ତ୍ୱରୀମାର ଅବଚେତନତାରେ ପଡେ ଭଟ୍ଟା । ପ୍ରକୃତିସ୍ଥ ହୋଇ ଉଠେ । ତରତରରେ ଶଯ୍ୟା ତ୍ୟାଗ କରିବାକୁ ଉଦ୍ୟତ ହୁଏ ।
      ସତ୍ତ୍ୱରୀମାର ଏ ସମସ୍ତ ଭାବନା ମୋତେ ମାୟାଗ୍ରସ୍ତ କରୁଥାଏ । ପୁନଶ୍ଚ ମୁଁ ଯେତେବେଳେ ମୋର ଚିରନ୍ତନତାକୁ ଫେରି ଆସୁଥାଏ ମୁଁ ସତ୍ତ୍ୱରୀମାର ସେ ମୋହଯୁକ୍ତ ଅଜ୍ଞାନତାରେ ଟିକେ ହସି ପଡୁଥାଏ । କେତେବେଳେ ଯେ ମୋ ପ୍ରଭୁ ମୋତେ ମୋ ସ୍ଥୁଳଘଟରୁ ତାଙ୍କ ପାଖକୁ ଓଟାରି ନେବେ ଏହା କେବଳ ତାଙ୍କୁ ହିଁ ଜଣା । ମୋର ଯାତ୍ରାର ଶୁଭ ପରିସମାପ୍ତି ଯେ ମୋର କାମ୍ୟ ତାହା ଏମାନଙ୍କୁ କାହାକୁ ଜଣା ନଥାଏ । ମୋ ବ୍ୟତିରେକ ସତ୍ତ୍ୱରୀମାର ଜୀବାତ୍ମା ତା’ନିବାସ ସ୍ଥଳୀରେ ବସିରହି ସତ୍ତ୍ୱରୀମାର ଏମନ୍ତ ଭାବନାରେ ମୁରୁକି ହସ ମାରୁଥାଏ । କେତେ ଭୋଳା ଏ ମନୁଷ୍ୟ । ଅନେକ ଜ୍ଞାନର ଅଧିକାରୀ ହେଲେ ମଧ୍ୟ ସମୟେ ସମୟେ ଭୂଲିବସେ ଏ କୂଟ ସଂସାରର କପଟକୁ । ତଥାପି ଅନିର୍ଦ୍ଧିଷ୍ଟତା ଚିର  ବାସ୍ତବତା ହୋଇଥିଲେ ବି ତା’ ମନରୁ ନିର୍ଦ୍ଧିଷ୍ଟତାର ଆଶା କେବେ ବି ମଉଳି ଯାଏନା । ଜୀବନ ଏକ ଭ୍ରାନ୍ତି ହୋଇଥିବାର ଜାଣିସୁଧା ନିଜର ଭ୍ରମ ଦୂର କରି ପାରେନା ।
      ମୋ ସ୍ଥିତ କାୟାର ବର୍ଦ୍ଧିତ ଅବୟବ ହିଁ  ଆଜି ତା’ପାଇଁ କଷ୍ଟର ଅତିଶୟତାର କାରଣ ସାଜି ଚାଲିଥାଏ । ଏକ ମୁଦ୍ରିତ ବେଲୁନ୍ ଭିତରେ କିଛି ତରଳ ଓ ତା’ ଭିତରେ ଲାଳ ଜୁଡୁବୁଡୁ ଅବସ୍ଥାରେ  ନିଜକୁ ଅତୀବ ଅସହାୟ ମନେ କରୁଥାଏ । ଆଗ ଭଳି ନଥାଏ ତା ପାଖରେ ନିଜ ଶରୀରର ସ୍ଥାନ ପରିବର୍ତ୍ତନ ପାଇଁ ପ୍ରସସ୍ତ ପରିବେଷ୍ଟନୀ । କଡ ଲେଉଟେଇବାକୁ ହେଲେ ଆବରଣ ଥଳୀକୁ ଧକ୍କା ଦେବାକୁ ପଡୁଥାଏ । ମୁହଁ ମାଡି ହୋଇଗଲେ ଲାଳରେ ଆଉଟୁ ପାଉଟୁ । ନାକରେ ଗର୍ଭଜଳ କେତେବେଳେ ପ୍ରବେଶ କରିଯାଉଥାଏ ତ କଲବଲ କରି ଶରୀରକୁ ପୁଣି ଲେଉଟେଇ ପକଉଥାଏ । କଷ୍ଟରେ ଅତୀଷ୍ଟ ହୋଇ ଗୋଡହାତକୁ ଛାଟି ଦେଲା ବେଳକୁ ଗର୍ଭଥଳୀ ସହ ମା’ ଜରାୟୁକାନ୍ଥରେ ବି ଶକ୍ତ ପ୍ରହାର ପଡୁଥାଏ । କି ବିଭତ୍ସ ଜୀବନ ସେ । ପରମବ୍ରହ୍ମଙ୍କର କି ପରୀକ୍ଷା ସେ, ମୁଁ ତା ଭିତରେ ଥାଇ ବୁଝି ପାରୁ ନଥାଏ । ତା’ ଭିତରେ ମୋ ସ୍ଥିତ କାୟା ପାଇଁ ଆହା କରିବାକୁ କେହି ନଥାନ୍ତି । ମୋ ଶରୀରର ସେବା ଶୁଶୃସା କରିବାକୁ ତା’ ଭିତରେ କାହାର ବି ଉତ୍କଣ୍ଠା ନଥାଏ । ମୋ ସ୍ଥିତ ଶରୀରର କ୍ଳିଷ୍ଟରେ ସତ୍ତ୍ୱରୀମାର ଆନନ୍ଦ କହିଲେ ନସରେ । ତା’ର ଛାତି ଚଉଡା ଓ ମନରେ ଅପରିମିତ ଆନନ୍ଦ ଯେ ତା’ ପିଲା ସୁସ୍ଥତା ସହ ବୁଲୁଛି । ବହୁତ ଖୁସିରେ ଅଛି । ସତେଜ୍ ଅଛି । ବଳବାନ ଅଛି । ସବୁକିଛି ଠିକ୍ ଠାକ୍ ଅଛି । ହେଲେ ସତ୍ତ୍ୱରୀମା ବୁଝିପାରେନି ମୋ ସହିତ ମୋ କାୟାର ଜ୍ୱାଳାକୁ । ଏତେ ଜ୍ଞାନୀ ଓ ସ୍ଥିତପ୍ରଜ୍ଞ ହୋଇଥିଲେ ସୁଧା ବିଶ୍ୱ ପ୍ରପଞ୍ଚରେ କବଳିତ ମାତୃତ୍ୱ ଲାଭର ମାୟା ମରିଚିକା ପଛରେ ସେ ଆଜି ଧାବମାନ ।
      ଚଳନ୍ତି ପକ୍ଷର ମଧ୍ୟଭାଗ ବେଳକୁ ମୋ ସ୍ଥିତ ଅବୟବର ଲମ୍ବ ଆସି ପାଖାପାଖି ଉଣେଇଶ ଇଞ୍ଚ ଓ ତା’ର ଓଜନ ପ୍ରାୟ ଅଢେଇ କିଲୋଗ୍ରାମ ହୋଇ ସାରିଥାଏ । ତା’ର ମସ୍ତିଷ୍କ ବର୍ତ୍ତମାନ ପୁରାପୁରି ଭାବରେ କେଶରେ ଆଛାଦିତ । କେଶ ଗୁଡିକ ଗର୍ଭ ତରଳରେ ଏପରି ଅଠାପରି ଛନ୍ଦାଛନ୍ଦି ହୋଇଥାନ୍ତି ତାହା ମୋ ସ୍ଥିତ ଶରୀରକୁ ଖୁବ୍ ଅସହଜ ପଣ ପ୍ରଦାନ କରୁଥାଏ । ତଳକୁ ମୁଣ୍ଡକରି ରହିବାଟା କେତେ ଯେ କଷ୍ଟ ତା’ର ବ୍ୟାଖା ଆଦ୍ୟୈ ଆବଶ୍ୟକ ନାହିଁ । ତଥାପି ମୋର ବେଦନା ସମୟେ ସମୟେ ମୋତେ ପ୍ରଭୁ ପାଦକୁ ଟାଣି ନେଉଥାଏ । 
      ସନାତନ ଜାଣେ ବର୍ତ୍ତମାନ ସପ୍ତାହରୁ ବ୍ରାକ୍ସଟନ୍ ହିକ୍‌ସ କଣ୍ଟ୍ରାକସନ୍ ଆରମ୍ଭ ହୋଇଯିବ । ସତ୍ତ୍ୱରୀମା ଫଲ୍‌୍ସ ଲେବର ଯନ୍ତ୍ରଣା ଅନୁଭବ କରିବା ଆରମ୍ଭ କରିବ । ଏହି ବ୍ରିକ୍ସଟନ୍ ହିକ୍‌ସ କଣ୍ଟ୍ରାକ୍ସନ୍ ର ସମୟ ଅବଧି ବହୁତ କମ୍ ହୋଇଥିଲେ ସୁଧା ସତ୍ତ୍ୱରୀମାକୁ ପୀଡା ଦେବ । ଏହି ସମୟରେ ସତ୍ତ୍ୱରୀମାର ବରାଙ୍ଗରୁ ଋତୁସ୍ରାବର ଲକ୍ଷଣ ଭଳି ତରଳ ନିର୍ଗତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ । ଯଦି ଏହି ତରଳର ପରିମାଣ କମ୍ ତେବେ ତାହା ନିରାପଦ । ଯଦି ଏହି ତରଳର ନିର୍ଗମନ ଅତ୍ୟଧିକ ମାତ୍ରାରେ ହୁଏ ତେବେ ଏହା ବି ହୁଏତ ଗର୍ଭଥଳୀରୁ ନିର୍ଗତ ଆମ୍ନିଓଟିକ୍ ଅମ୍ଳ ହୋଇପାରେ ଯାହା ଶିଶୁର ଜୀବନ ପ୍ରତି ବିପଦ ଓ ଶିଶୁକୁ କୃତ୍ରିମ ଉପାୟରେ ମା’ପେଟରୁ କାଢିବାକୁ ପଡିବ । ତେଣୁ ଏ ସବୁ ଠିକ୍‌ଠାକ୍ ଥିବା ନିହାତି ଆବଶ୍ୟକ । ସନାତନ ଅନୁଭବ କରେ ଯେ ଏ ସମୟରେ ସତ୍ତ୍ୱରୀମାର ଯତ୍ନ ନେଉଥିବା ନର୍ସଙ୍କର ତା’ପାଖରେ ଅତି କମରେ ଦିନକୁ ତିନିଥର ଉପସ୍ଥିତ ରହିବା ଦରକାର । ତା’ର ସ୍ୱାସ୍ଥ୍ୟର ସବୁକିଛି ଟିକ୍‌ନିକ୍ ଅବସ୍ଥା ବୁଝି ସେହି ଅନୁସାରେ ଆଗକୁ ଆଗେଇବା ଉଚିତ୍ । ସେହି ଅନୁସାରେ ସେ ମଧ୍ୟ ନର୍ସକୁ ପରାମର୍ଶ ଦିଏ । 
      ସତ୍ତ୍ୱରୀମାର ଗର୍ଭର ଭାରିପଣ ତାକୁ ସମ୍ପୂର୍ଣ୍ଣ ଧୀର କରି ସାରିଥାଏ । ସେ ଯେଉଁଠି ବସେ ଖୁବ୍ ଧୀରସ୍ଥିର ଭାବରେ ଓ ଆରାମରେ ବସେ । ସନାତନ ଅନୁଭବ କରେଯେ ଏଭଳି ସମୟରେ ସେ ସତ୍ତ୍ୱରୀମା ପାଖେପାଖେ ଯେତେ ଅଧିକ ସମୟ ଉପସ୍ଥିତ ରହିବ ସତ୍ତ୍ୱରୀମାର କଷ୍ଟ ସେତେଲାଘବ ହେବ ଓ ସେ ପ୍ରସବ ଯନ୍ତ୍ରଣାର ଭୟରୁ ମୁକ୍ତ ରହିବ । ତେଣୁ ସେ ଅଧିକ ସମୟ ସତ୍ତ୍ୱରୀମା ପାଖେ ପାଖେ ରହେ । 
      ଅଠତିରିଶ ସପ୍ତାହର ଶେଷ ଭାଗ ଆଡକୁ ସତ୍ତ୍ୱରୀମାର ଗୋଡର ପାଦରେ ଟିକେ ଫୁଲା ଜଣାପଡେ । ତା’ର ମୁହଁ ମଧ୍ୟ ଫୁଲିଲା ପରି ଦେଖାଯାଏ ଯାହା ପ୍ରାକ୍ ପ୍ରସବର ଲକ୍ଷଣ ବୋଲି ସନାତନ ଜାଣେ । ଏହି ସପ୍ତାହ ଭିତରେ ଗର୍ଭସ୍ଥ ଶିଶୁଟି ଆହୁରି ଏକ ଇଞ୍ଚ୍ ପାଖାପାଖି ଲମ୍ବ ହୋଇ ଯାଇଥିବ ଓ ଏହାର ଓଜନ ମଧ୍ୟ ପାଖାପାଖି ଦୁଇ ଶହ ଗ୍ରାମ୍ ବଢି ଯାଇଥିବ । ଶିଶୁଟି ଆଉ ମା’ଜରାୟୁରେ ନିଜକୁ ଆଶ୍ୱସ୍ତିକର ମଣୁନଥିବ । ସଂକୀର୍ଣ୍ଣ ଗର୍ଭଥଳୀ ଭିତରେ ସେ ବର୍ତ୍ତମାନ ଆଗଭଳି ମୁକ୍ତ ଢଙ୍ଗରେ ନିଜର ହାତଗୋଡ ହଲେଇ ପାରୁନଥିବ । ଆଗରୁ ଯେମିତି ସ୍ୱାଛନ୍ଦ୍ୟରେ ଘୁରି ବୁଲୁଥିଲା ଏବେ ସେ ସବୁକିଛି ବି ନଥିବ । ଆମ୍ନୋଇଟିକ୍ ତରଳ ଭିତରେ କେବଳ ଜୁଡୁୁ ବୁଡୁ ହୋଇକରି ଥିବ । ଆମ୍ନୋଇଟିକ୍ ତରଳର ପରିମାଣ ଗତ କେଇ ସପ୍ତାହରୁ ଆଉ ବଢୁ ନଥିବ । ତାହା ସ୍ଥିର ଥିବ ମାତ୍ର ଶିଶୁର ଶରୀରର ଘନଘନ ବୃଦ୍ଧି ସହିତ ତରଳର ଅନୁପାତ ସମ୍ପୂର୍ଣ୍ଣ କମି ଯାଇଥିବ ।
      ଏହି ସପ୍ତାହରେ ହିଁ ଶିଶୁର ଫୁସ୍‌ଫୁସ୍ ଓ ମସ୍ତିଷ୍କର ବକାଶରେ ପରିପୂର୍ଣ୍ଣତା ପ୍ରାପ୍ତ ହେବ । ଶିଶୁର ଫୁସ୍‌ଫୁସ୍ ଓ ମସ୍ତିଷ୍କ ତାକୁ ବାହ୍ୟ ଜଗତରେ ଜୀବିତ ରଖିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଥିବେ । ମା’ ଠାରୁ ସଂଯୁକ୍ତ ନାଭିନାଡା ବିଛିନ୍ନ ହେଲାପରେ ତା’ର ଶ୍ୱାସକ୍ରିୟା ସଂପାଦନ ଶିଶୁ ନିଜେ ତା’ର ଫୁସ୍‌ଫୁସ୍‌ର ସହାୟତାରେ ନାସାପଥ ଦେଇ ଆରମ୍ଭ କରିବ । ଶିଶୁ ଶରୀରର ରଙ୍ଗ ସହିତ ତା’ ମସ୍ତକର କେଶର ରଙ୍ଗ ମଧ୍ୟ ନିରୂପଣ ସରିଥିବ । ଅବଶ୍ୟ ଶିଶୁଟିର କେଶର ରଙ୍ଗ ଯେ ଆମ ବାପାମାଙ୍କ ଭଳି ହୋଇଥିବ ତାହାର ନିର୍ଦ୍ଧିଷ୍ଟତା ନାହିଁ । ତଥାପି ତା’ମୁଣ୍ଡରେ କେଶ ଗୁଡିକ ପ୍ରାୟ ଅଧଇଞ୍ଚ୍‌ରୁ ଏକଇଞ୍ଚ୍ ଲମ୍ବର ହୋଇଥିବ । ବର୍ତ୍ତମାନ ସମୟରେ ସତ୍ତ୍ୱରୀମା କିଛି ଅଦ୍ଭୁତ ସ୍ୱପ୍ନ ଦେଖିପାରେ । ସ୍ୱପ୍ନ ଗୁଡିକ ଆକାଶର ପରୀ ଅବା ତା’ ସନ୍ତାନ ସମ୍ପର୍କିତ ହୋଇପାରେ ।
      ଏ ସବୁ ଭିତରେ ରାଜବଂଶରେ ଉତ୍ସାହ ବଢିବଢି ଚାଲିଥାଏ । ସମସ୍ତେ ଉତ୍ସୁକତାର ସହିତ ଅପେକ୍ଷା କରିଥାନ୍ତି ମୋ ସ୍ଥିତ ଶରୀରର ଆଗମନକୁ । ସତ୍ତ୍ୱରୀମାର ଶାଶୁ ଶ୍ୱଶୁର ସତେଯେମିତି ଅଧୈର୍ଯ୍ୟ ହୋଇପଡନ୍ତି ମୋତେ ପାଇବା ପାଇଁ । ଶାଶୁ ଦିନ ଗଣୁଥାନ୍ତି । ପ୍ରସବର ସମୟ ଯେତେ ପାଖେଇ ପାଖେଇ ଆସୁଥାଏ ସତ୍ତ୍ୱରୀମା ସେତିକି ଭକ୍ତିରେ ଲୀନ ହେଉଥାଏ । ତା’ର ଆଧ୍ୟାତ୍ମବାଦ ରୂପକ ଆଇନାରେ ସେ ଜୀବନର ଶାସ୍ୱତତା ଓ ନୈସର୍ଗୀକତାକୁ ସେହି ପରବ୍ରହ୍ମଙ୍କ ପାଦରେ ଭକ୍ତିରେ ହିଁ  ଅନୁଭବ କରିଚାଲେ । ପ୍ରାତଃ ସ୍ନାନ ସହିତ ପୂଜାଘରେ ପ୍ରଭୁଙ୍କ ପାଖରେ ପୂଜା ମନ୍ତ୍ର ଓ ପ୍ରାର୍ଥନା ତା’ର ତନ, ମନ ଓ ଆତ୍ମାକୁ ପବିତ୍ର ରଖିବାରେ ଭରପୁର ସାହାଯ୍ୟ କରେ । ଏବେଯେଉଁ ସମୟରେ ବି ସେ ଭଗବାନଙ୍କ ପ୍ରାର୍ଥନାରେ ଲୀନ ହୁଏ ତା’ ମନ ଭିତରେ ମୋ ସ୍ଥିତ କାୟାର ପ୍ରତିଛବି ହିଁ ଝଲସି ଯାଏ । ମନେମନେ ନିଜର ସବୁକିଛିକୁ ସେହି କରୁଣାମୟଙ୍କୁ ଅର୍ପଣ କରିଦିଏ । ଏକ ଦୃଢ ଆତ୍ମବିଶ୍ୱାସରେ କହେ ପ୍ରଭୁ ସବୁ ତୁମରି ଇଚ୍ଛା । ଇଏତ ଗଲା ପ୍ରାର୍ଥନା ସମୟରେ କଥା । ହେଲେ ଦିନ ଯାକ ସେ ନିଜ ହୃଦୟ ଭିତରେ କେତେଥର ଯେ ଭଗବାନଙ୍କୁ ପ୍ରାର୍ଥନା କରି ବସେ ତା’ର ହିସାବ ନାହିଁ । ଶୋଇବା, ବସିବା ଅବା ଚାଲିବା ସବୁ ସମୟରେ ମନେମନେ ମଙ୍ଗଳମୟଙ୍କର ଚିନ୍ତା ତା’ର ପାଖ ଛାଡେ ନାହିଁ । ସ୍ୱାମୀ ସନାତନର ତା’ପ୍ରତି ଥିବା ଅଗାଧ ଭଲ ପାଇବା ତାକୁ ଗର୍ଭ ଯନ୍ତ୍ରଣାରୁ କିଛିଟା ଉପସମ ପ୍ରଦାନ କରୁଥାଏ । 
      ମୋତେ କିନ୍ତୁ ଏ ସବୁ ଭିତରେ ସତ୍ତ୍ୱରୀମାର ପ୍ରଭୁପ୍ରିତୀ ଭାବବିହ୍ୱଳ କରି ପକଉଥାଏ । ମୁଁ ନିଜକୁ ବୃଷବାନ ମନେ କରେ । ନିଶ୍ଚିତ ମୋ ଯାତ୍ରା ଯେ ବିଜୟର ଦ୍ୱାରା ଦେଶରେ ତାହା ସେହି କ୍ଷଣ ମାନଙ୍କରେ ମୋତେ ଅନୁଭବିତ ହେଉଥାଏ । 

*******

ବିିଂଶ ପକ୍ଷ

      କେତେକ ଅବୋଧ ମନୁଷ୍ୟ ଏବେ ବି ଅବୁଝା । ଅନ୍ଧବିଶ୍ୱାର ଅନ୍ଧଗଳୀରେ ଏବେବି ସେମାନେ ବିଚରଣରେ ବ୍ୟସ୍ତ । ସେମାନଙ୍କ ପାଇଁ ନର୍କକୁଣ୍ଡ ଏକ ବିଛିନ୍ନ ଜତର ଦଣ୍ଡପାତ୍ର, ଯେଉଁଥିରେ ମନୁଷ୍ୟ ତା’ର କଲା କୁକର୍ମର ପରିଣାମ ଯମଦୁତ ମାନେ ଦେଇଥାନ୍ତି । କେତେବେଳେ ତତଲା ତେଲ କଢେଇରେ ପକାଇ ଦିଅନ୍ତି ତ କେତେବେଳେ ମାଛ ଭଳି ଭାଜି ବସନ୍ତି । ଯମଦଣ୍ଡ ସେମାନଙ୍କୁ ସେହିଠାରେ ହିଁ ଭୋଗିବାକୁ ପଡେ । ପୁନଶ୍ଚ ପ୍ରତ୍ୟେକ ଜୀବନର ସମସ୍ତ ସୁକର୍ମ ଓ କୁକର୍ମର ହିସାବ କରି ଚାଲିଛନ୍ତି ଚିତ୍ରଗୁପ୍ତ ତାଙ୍କ ପଞ୍ଜିକାରେ । ସଂସାରର କେହିଜଣେ ବି ମୁକ୍ତ ନୁହେଁ ସେ ପଞ୍ଜିକାରେ ପଞ୍ଜିକରଣରୁ । ପ୍ରତ୍ୟେକ ମାନବ ତା’ ମନ୍ଦସାନରେ ପ୍ରତିଟି ଦଣ୍ଡରେ ଆଚରୁଥିବା ପ୍ରତିଟି କର୍ମରୁ, କେଉଁ କର୍ମ ପୂଣ୍ୟ ପ୍ଳାବିତ ଓ କେଉଁ କର୍ମ ପାପରେ ଆଦ୍ର ତାହା ସେହି ପଞ୍ଜିକାରେ ହିଁ ଲିପିବଦ୍ଧ ହୋଇ ଚାଲିଥାଏ । 
      ତଦନୁସାରେ ମନୁଷ୍ୟର ମୃତ୍ୟୁର ପରେ ସେ କର୍ମମାନଙ୍କର ପରାଭାବ ତାକୁ ଭୋଗିବାକୁ ହିଁ ପଡେ । ଦଣ୍ଡ ମିଳିବା ସତ୍ୟ, ମାତ୍ର ଏଥିରେ ଯେଉଁ ଭ୍ରମାତ୍ମକ ଭାବଧାରାରେ ଏ ମନୁଷ୍ୟ ଗତିଶୀଳ, ତାହା ହେଲା ସେ ଅଦୃଶ୍ୟ ଜଗତର ନର୍କକୁଣ୍ଡ ଓ ଯମଦଣ୍ଡ । ସତ୍ୟ ଏହା ଯେ ମାନବ ଜୀବନରେ ବ୍ୟକ୍ତି ଅତିକ୍ରାନ୍ତ କରୁଥିବା ମୁହୁର୍ତ୍ତ ଗୁଡିକ ମଧ୍ୟରୁ କେତେକ ମୁହୁର୍ତ୍ତ ତା’ ବାହ୍ୟ ଜଗତକୁ ନର୍କ କୁଣ୍ଡରେ ପରିଣତ କରିଥାଏ ତ ଆଉ କେଉଁ ଦଣ୍ଡରେ ଯାତନା ବହନ କରିଥାଏ । ମାତୃଗର୍ଭରେ ଜୀବନ ସଂଚାର ପରେପରେ ତା’ର ଅବସ୍ଥାନ, ସମୟେ ସମୟେ ନର୍କ କୁଣ୍ଡର ଯନ୍ତ୍ରଣାଠାରୁ ବିଆହୁରି କ୍ଳିଷ୍ଟ ପୂର୍ଣ୍ଣ । ଆଦ୍ୟ ସଂରଚନାରୁ ଅନୁଭବ କରିବାର ଶକ୍ତି ହାସଲ କରିବା ପର୍ଯ୍ୟନ୍ତ ଦହ୍ରଯାତ୍ରା ଜୀବ ପାଇଁ ଯନ୍ତ୍ରଣା ରହିତ ହୋଇପାରେ ମାତ୍ର ଅନୁଭବ କରିବାର ଶକ୍ତି ହାସଲ କରିବା ପରଠାରୁ ସେ ଦହ୍ରଯାତ୍ରାର ପରାଭାବ ବଡ ହିଁ ଦାରୁଣ । ଯେଉଁ ଯେଉଁ କାୟାର ବୃଦ୍ଧି ସହିତ ଇନ୍ଦ୍ରିୟ ମାନଙ୍କର ନିଜସ୍ୱ ଗୁଣର ବିକାଶ ଘଟି ଚାଲେ ଜୀବ ହୁଏ ସନ୍ତପ୍ତ । ସମୟେ ସମୟେ ମାତୃଗର୍ଭର ସେ ଜରାୟୁ ଜଳ ତତଲା କଢେଇର ତେଲ ପାଲଟେତ ସମୟେ ସମୟେ ନର୍କକୁଣ୍ଡର ବିଭତ୍ସ ଯନ୍ତ୍ରଣା ଜୀବ ଭୋଗିଚାଲେ ତା’ରି ଭିତରେ । ନିଜ ଶରୀରର ପରିପକ୍ୱତାର ସୀମାନ୍ତରେ ଜୀବ ଉପନୀତ ହେବା ମାତ୍ରେ ସେ ନର୍କ ଯନ୍ତ୍ରଣାର ଦାରୁଣ ଦୁଃଖରେ ସେ ହୁଏ ଅତୀଷ୍ଟ । ସେଥିପାଇଁ ଯୋଗୀ, ମୁନି, ଋଷି ଓ ମହାପୁରୁଷ ସମସ୍ତେ ଚାହାନ୍ତି ଏ ଯୋନିଜନ୍ମରୁ ମୁକ୍ତି ବା ଭଗବାନ ବୁଦ୍ଧଙ୍କ ବାଣୀରେ ନିର୍ବାଣ । ଜୀବନ ଚକ୍ରରୁ ମୁକ୍ତି ହିଁ ଏ ଯମଦଣ୍ଡର ପରିସମାପ୍ତି । 
      ଅନ୍ଧବିଶ୍ୱାସର ସେ ଘନଘଟା ଭିତରେ ବିଚରଣ କରିନଥାନ୍ତି ଏପରି ଜ୍ଞାନୀ ଗୁଣି ମାନେ । ସେମାନେ ବୁଝନ୍ତି ଏହି ଜୀବନ କାଳର ପ୍ରତ୍ୟେକ ଦଣ୍ଡରୁ ଅନେକ ଯମଦଣ୍ଡତ ଆହୁରି କେତେକ ମୁହୁର୍ତ୍ତ ଜୀବ ନର୍କରେ ଜୀବନ ପରି ଯନ୍ତ୍ରଣା ଅନୁଭବ କରିଥାଏ । ଏ ସବୁ ଯମଦଣ୍ଡ ଓ ନରକ ଯନ୍ତ୍ରଣା ସେହି ଜୀବନର ଦୁଃଖ ଓ ଜୀବନରେ ଦୁଃଖର ଅପରିମିତ କିୟଦ ଅଂଶ ମାତ୍ର । ଯେଉଁଠି ଜୀବନଅଛି ସେଠି ଜରା, ବ୍ୟାଧି, ଦୁଃଖ ଓ ଶୋକ ସୁନିଶ୍ଚିତ । ମୋ ସାନିଧ୍ୟ ସୁଖରୁ ଦୂରେଇଯାଇ ମନୁଷ୍ୟ ଯେତେବେଳେ ଶରୀର ସୁଖ ଓ ମନସୁଖରେ ନିଜକୁ ନିୟୋଜିତ କରେ ସେତେବେଳେ ତାପାଇଁ ଏ ନର୍କକୁଣ୍ଡ ଓ ଯମଦଣ୍ଡ ନିଜ ଆଡକୁ ଆପେ ଆପେ ଟାଣି ନିଅନ୍ତି । ସେତେବେଳେ ମନୁଷ୍ୟ ଛନ୍ଦି ହୋଇଯାଏ ଏ ସଂସାରର ଜୀବନଚକ୍ରର ପ୍ରବନ୍ଧରେ । ଖସି ପାରେନି ସେ ମାୟା ମରିଚିକାର ମୋହରୁ । 
      ଏ ପ୍ରକୃତି ବି ବଡ ବିଚିତ୍ର । ମାନବକୁ ଅହରହ ପ୍ରେୟଃମୂଖୀ ପ୍ରେରିତ କରିଚାଲେ । ଶ୍ରେୟର ସାନିଧ୍ୟ ଏତେ ଆମୋଦ ଦାୟକ ମଣିପାରେନି ଏ ମାନବ । ଭୂଲିବସେ ଚିରନ୍ତନତାକୁ । ପାଶୋରି ବସେ ଜୀବନର ଚିରସତ୍ୟକୁ । ଯେଉଁ ଉଦ୍ଦେଶ୍ୟରେ ତା’ର ଶରୀର ସ୍ଥିତ ଆତ୍ମା ଅହରହ ବ୍ୟତିବ୍ୟସ୍ତ ଓ ମନନଶୀଳ ସେ ସବୁକୁ ଅନାୟାସେ ବିସ୍ମରୀ ଯାଏ । ସଂସାର ସୁଖ ପ୍ରାପ୍ତିର ଜିଜ୍ଞାସାରେ ଦିଗନ୍ତ ମାଡି ଚାଲୁଚାଲୁ ସାଉଁଟି ଚାଲେ ଅସରନ୍ତି ଦୁଃଖ ଓ ଯନ୍ତ୍ରଣାକୁ । ଭୂଲି ବସେ ଜୀବନର ପ୍ରକୃତ ରହସ୍ୟକୁ । ପଥହୁଡା ହୁଏ ନିଜ ଆତ୍ମୀକ ଉଦ୍ଦେଶ୍ୟରୁ । ମାତ୍ର ଯେଉଁ ମାନବ ମୋତେ ସ୍ମରଣ କରେ ମୋର କଥାକୁ ଶୁଣିବାକୁ ପ୍ରଯତ୍ନ କରେ ତାକୁ  ପଥହୁଡା କରିବାକୁ ଏ ମାୟା ପ୍ରପଞ୍ଚର ଶକ୍ତି କାମ କରେନି । ଶୈଶବର ସେ ଅଭିଜ୍ଞତାରେ ମଧ୍ୟ ତା’କୁ ଜ୍ଞାନର ଆଭାସ ଆପେ ଆପେ ପୂର୍ବଜନ୍ମର କୃତକର୍ମର ଆଧାରରେ ମିଳେ । ସେ ସର୍ବଦା ମୋରି ସାନ୍ନିଧ୍ୟ ସୁଖର ଅନ୍ୱେଷଣରେ ନିଜର କାୟ,  ମନ ଓ ବଚନ ସବୁକିଛି ସର୍ମପଣ କରିଚାଲେ । ଆଜି ସେହି କ୍ରମରେ ମୋର ପୂର୍ବ ଯାତ୍ରା ମାନଙ୍କରେ ମୋ ସ୍ଥିତ ଶରୀର ମାନଙ୍କର କର୍ମଥିଲା ଉତ୍ତମ, ପରିଣାମ ସ୍ୱରୂପ ଆଜି ତୁମ ଭଳି ପ୍ରଜ୍ଞାଯୁକ୍ତ ମାନବ ମୋର ଶେଷ ଯାତ୍ରାର ମାର୍ଗ । ସେଥିପାଇଁ ଆଜି ତୁମ ଯୋଗ ଚିନ୍ତନରେ ମୁଁ ତୁମ ଶରୀରରେ ସ୍ଥିତ ଥାଇ ମୋର ଆଲୌକିକ ସ୍ୱତନ୍ତ୍ରତା ବଳରେ ଦହ୍ର ଜୀବନର ଇତିବୃତ୍ତକୁ ତୁମ ଜିଜ୍ଞାସାର ପୁଷ୍ଟି ପାଇଁ ପରିପ୍ରକାଶ କରୁଛି । 
      ଯୋନିଜନ୍ମର ଯନ୍ତ୍ରଣା କେତେ ଯେ ଦାରୁଣ ତାହା ଅବର୍ଣ୍ଣନୀୟ । ତା’ର ବର୍ଣ୍ଣନା ପାଇଁ ମାନବ ସୃଷ୍ଟ ଭାଷାରେ ଶଦ୍ଦର ଅଭାବ । ତାହା କେବଳ ଅନୁଭବ କରା ଯାଇପାରେ । ବେଦ, ପୁରାଣ ଗ୍ରନ୍ଥାଦିରେ ବର୍ଣ୍ଣିତ ଜର୍ତ୍ତଜନ୍ମର ସେ ଦାରୁଣ କ୍ଳିଷ୍ଟ ଆଜି ମୁଁ ମୋ ସ୍ଥିତ କାୟା ସହିତ ସେହି ଜଠରରେ ମର୍ମେ ମର୍ମେ ଉପାଗମ କରୁଥାଏ । ଜରାୟୁସ୍ଥ ଜୀବନ ଅଟେ କୁମ୍ଭୀପାକରେ ବାସ ଓ ପ୍ରତି ଦଣ୍ଡରେ ସମାକୁଳ ଏ ନରକ ଯନ୍ତ୍ରଣାରୁ ମୁକ୍ତି । ଏ ମାୟା ସଂସାରର ଘନାଘଟା କେତେ ଯେ କ୍ରୁର ତାହା ଏହି ମାତୃଗର୍ଭରୁ ହିଁ ଜୀବ ଭୋଗିବା ଆରମ୍ଭ କରିଦିଏ । ମୋ ସ୍ଥିତ କାୟା ବ୍ୟାକୁଳ ଓ ଇତସ୍ତତ । ପାରିପାଶ୍ୱିର୍କ ପରିବେଷ୍ଟନୀର ଯନ୍ତ୍ରଣାରେ ଜର୍ଜରିତ । 
      ଶରୀରର ପୀଡା ମୋତେ ମୋ ପରମକୁ ସ୍ମରଣ କରେଇ ଦେଉଥାଏ । ମୁଁ ସେତେବେଳକୁ ସମ୍ପୂର୍ଣ୍ଣ ମୋହଗ୍ରସ୍ତ । ମାୟା ସଂସାରର ମାୟାର ଢାଙ୍କୁଣୀ ମୋତେ ପରିପୂର୍ଣ୍ଣ ଭାବରେ ଢାଙ୍କି ସାରିଥାଏ । ସତେଯେମିତି ମୋର ସେ ସ୍ଥିତପ୍ରଜ୍ଞ ଗୁଣକୁ ମୁଁ ସମ୍ପୂର୍ଣ୍ଣ ରୂପେ ପରିତ୍ୟାଗ କରି ସାରିଥାଏ । ମହାମିଳନ ମୁହୁର୍ତ୍ତର ଜିଜ୍ଞାସା ସମୟେ ସମୟେ ମୋ ଶାରିରୀକ କଷ୍ଟକୁ ମୋ ଠାରୁ ଅପସରି ନେଉ ଯାଉଥାଏ ସତ ମାତ୍ର ଯନ୍ତ୍ରଣାରେ ଜର୍ଜରିତ ମୋର କଳେବର ସମୟେ ସମୟେ ଆପେ ଆପେ ସଂଜ୍ଞାହୀନ, ପୁନଶ୍ଚ ଅବଚେତନ ଓ ଚେତନକୁ ଫେରୁଥାଏ । ଅକଥନୀୟ ମୋ ସ୍ଥିତ ଶରୀରର ଦୁର୍ଦ୍ଦଶା ଭିତରେ ମୁଁ କାରାରୁଦ୍ଧ । ବେଳେବେଳେ ମୋ ସ୍ଥିତ ଶରୀର, ତ୍ରାହୀ ତ୍ରାହୀରେ ନିଜର ସ୍ଥାନ ପରିବର୍ତ୍ତନ କରିବାରେ ଲାଗେ ଯେଉଁଥିରେ ସତ୍ତ୍ୱରୀମା ପାଉଥାଏ ଅଜସ୍ର କଷ୍ଟ । ମନରେ ତା’ର ଜାତ ହୁଏ ଯେତିକି ହର୍ଷୋଲ୍ଲାସ ତା’ର ସନ୍ତାନର କୁଶଳତା ପାଇଁ ସେତିକି ଶଙ୍କା । କିପରି ମୋ ସନ୍ତାନ ଗର୍ଭରୁ ବାହାରି ଆସି ମୋତେ ମୁକ୍ତି ଦେବ ଏଇ ଭାବନା ସହିତ ପ୍ରଭୁଙ୍କ ପାଦରେ ପ୍ରାର୍ଥନା ସବୁବେଳେ ତା’ ମନରେ ଗୁଡେଇ ତୁଡେଇ ହେଉଥାଏ । 
      ତେଣେ ସନାତନର ଅବଗଣନା ସରି ସରି ଆସିଲାଣି । ଏହି ବିଂଶତମ ପକ୍ଷର ଶେଷ ସପ୍ତାହର ଶେଷ ଭାଗକୁ ସତ୍ତ୍ୱରୀମାର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇପାରେ । ସେ ମନେ ମନେ ସଜାଗ । ଘରେ ନିୟୋଜିତ କରିଥିବା ନର୍ସକୁ ମଧ୍ୟ ଅନୁରୂପ ସଜାଗ ରହିବାକୁ ପରାମର୍ଶ ଦିଏ । ସନାତନ ଜାଣେ ଯେ ଶିଶୁଟିର ଶରୀର ଗଠନ ପ୍ରକ୍ରିୟା ପ୍ରାୟ ସମ୍ପୂର୍ଣ୍ଣ ହୋଇ ଯିବଣି । ଆଉ ଯେଉଁ ଅସମ୍ପୂର୍ଣ୍ଣ ବା ଅପରିପକ୍ୱ ଅଙ୍ଗ ରହିଲେ ସେଗୁଡିକ ଶିଶୁଟିର ଜନ୍ମ ପରେ ବିକଶିତ ହୋଇଚାଲିବ । ଶିଶୁଟି ବର୍ତ୍ତମାନ ନିଜର ହାତ ଓ ଗୋଡ ଏଣେ ତେଣେ ହଲେଇବା ପାଇଁ ପ୍ରଶସ୍ତ ସ୍ଥାନ ଅନ୍ୱେଷଣରେ ଲାଗି ପଡିଥିବ । ମାତ୍ର ତାହା ତା’କୁ ସେଠାରେ ଉପଲବ୍ଧ ନଥିବ । ଯେଉଁଥିପାଇଁ ସେ ନିଜକୁ ସେତେ ମୁକ୍ତ ମନେକରି ପାରୁନଥିବ । ହୁଏତ ଏହି ସପ୍ତାହରେ ଶିଶୁଟିର ତା’ର ମା ଗର୍ଭରୁ ବାହାରକୁ ଆସିବା ପାଇଁ ଆବଶ୍ୟକ ଅବସ୍ଥିତ ଧାରଣ କରି ସାରିଥିବ । ନିଜର ହାତ ଦୁଇଟି ତଳ ପଟକୁ ଓ ଗୋଡ ଦୁଇଟି ଉପରକୁ ରଖି ସାରିଥିବ । ତା’ ଔରଷରୁ ଜନ୍ମ ହେବାକୁ ଯାଉଥିବା ସନ୍ତାନ ଯେ ସୁନ୍ଦର ଓ ହୃଷ୍ଟପୃଷ୍ଠ ହୋଇ ଜନ୍ମ ହେବ ସେ ତାହା ତା’ର ପ୍ରତି ରବିବାର ଦିନ ପରୀକ୍ଷାରୁ ଜାଣି ସାରିଥାଏ ।  
      ସତ୍ତ୍ୱରୀମାର ମନ ପ୍ରତି ମୁହୁର୍ତ୍ତରେ ଆଶା ଓ ଆଶାଙ୍କ ଭିତରେ ଗତି କରୁଥାଏ । ମନେ ମନେ ପ୍ରଭୁଙ୍କ ପ୍ରାଥନା କରି ଚାଲିଥାଏ, ଏ ଗର୍ଭଯନ୍ତ୍ରଣାରୁ ମୁକ୍ତି ପାଇଁ । ସମୟେ ସମୟେ ଆଶାଙ୍କ ତାକୁ ବିଚଳିତ କରିପକାଏ । କେତେବେଳେ ଅନ୍ୟ କେଉଁ ନାରୀର ପ୍ରସବ ସମୟରେ ମୃତ୍ୟୁ ତ ଅନ୍ୟ କେଉଁ ମା’ର ସନ୍ତାନର ଆକସ୍ମିକ ଭାବେ ମୃତ୍ୟୁ ଶୁଣିବା ତାକୁ ବ୍ୟଥିତ କରିପକାଏ । ତାକୁ ଡାକ୍ତରଖାନା କିପରି ଯିବାକୁ ନପଡୁ ଓ ଏହି ଘର ଭିତରେ ହିଁ ତା’ର ପ୍ରସବ ହେଉ ସେ ଭଗବାନଙ୍କୁ ନିତ୍ୟ ପ୍ରାର୍ଥନା କରେ । ମାତ୍ର ସନାତନର ଉପସ୍ଥିତି ତା’ ମନ ଭିତରେ ଦିଏ ତାକୁ ଅସରନ୍ତି ବଳ । ସଦାସର୍ବଦା ସେ କାମନାବି କରେ ଯେ ସନାତନ ତା’ ପାଖେ ପାଖେ ରହୁ । 
      ସନାତନ ତା’ର ପାଖରେ ଥିବା ସମୟରେ ତା’ର ମନ ଏଭଳି ଆଶା ଓ ଆଶଙ୍କାକୁ ପାଶୋରି ପକାଏ । ସେତେବେଳକୁ ତା’ର ମୁହଁ ଓ ଗୋଡର ପାଦ ଦୁଇଟି ଟିକେ ଫୁଲି ଥାଏ ଯାହା ତା’ର ଶରୀରକୁ ଏକ ଅବ୍ୟବସ୍ଥିତ ସୁନ୍ଦରତା ପ୍ରଦାନ କରୁଥାଏ । ମନ ଭିତରେ ଥିବା ଭୟ ଭାବନାକୁ ଦୂର କରିବା ପାଇଁ ପ୍ରତି ମୁହୁର୍ତ୍ତରେ ତା’ ମନରେ ଥିବା ପରମ ମଙ୍ଗଳଙ୍କ ପ୍ରତି ଭକ୍ତି ଓ ପ୍ରାର୍ଥନା ତା’ର ମୂଖକୁ ପ୍ରଦାନ କରୁଥାଏ ଏକ ଅଭିନବ ଭାବୁକ ଚାହାଣୀ । ତଥାପି ସ୍ନିଗ୍ଧାପୂର୍ଣ୍ଣ ଶେଫାଳୀକୁ ହାତରେ ପାଇବା ପାଇଁ କାଳରୂପୀ ଅନ୍ଧାରକୁ ସାମନା କରିବା ପାଇଁ ସେ ଥାଏ ଦୃଢ ସଂକଳ୍ପ ।   

*******
ଅନ୍ତିମ ଦିବସ


      ପ୍ରତି ଜନ୍ମର ସେ ଜନ୍ମ ଯନ୍ତ୍ରଣା ସେହି ମୁହୁର୍ତ୍ତରେ ହିଁ,ଏ ସଂସାରର ସବୁଠାରୁ କ୍ଳିଷ୍ଟପୂର୍ଣ୍ଣ ଜନ୍ତ୍ରଣା ପରି ଅନୁଭବ ହୋଇଥାଏ ମାତ୍ର ବ୍ୟକ୍ତ କରିବାର କ୍ଷମତା ନଥାଏ । ଏହା ଚିର ସତ୍ୟ ଯେ ସବୁଠାରୁ ଦାରୁଣ ସେ ଯୋନି ଜନ୍ମ ଯନ୍ତ୍ରଣ । ହେଲେ ସେ ବିଶ୍ୱନିୟନ୍ତାଙ୍କ ବୌଚିତ୍ର‌୍ୟରେ ଅନ୍ୟ  ଜୀବମାନଙ୍କ ପାଖରେ ସେ ଯନ୍ତ୍ରଣା ସ୍ୱତଃ ପରିପ୍ରକାଶ ହେଉଥିଲେ ସୁଦ୍ଧା ମାନବକୁ ଛାଡିଦେଲେ  ଆଉ କେଉଁ ଜୀବ ଠାରେ ସେ ଅନୁଭବକୁ ଅନ୍ୟର ସାମନାରେ ପରିପ୍ରକାଶ କରିବାର ସାମର୍ଥ୍ୟ ହିଁ ନାହିଁ । କେତେଯେ ଯୋନିଚକ୍ର ମୁଁ ଅତିକ୍ରାନ୍ତ ଏ ଯାବତ୍ କରି ସାରିଲାଣି ତା’ର ମୋ ପାଖରେ ସେମିତି ପ୍ରାମାଣିକ ନଥିପତ୍ର ନାହିଁ ମାତ୍ର ସେହି ପରବ୍ରହ୍ମଙ୍କ ପାଖରେ ଏ ସଂସାରର ପ୍ରତ୍ୟେକ ପରିବର୍ତ୍ତନର ଆଦ୍ୟରୁ ଆରମ୍ଭ କରି ପରିସମାପ୍ତି ପୁନଶ୍ଚ ପରେ ପରେ ପରିସମାପ୍ତିରୁ ଆରମ୍ଭଚକ୍ରର ସବୁକିଛିର ବୃତ୍ତାନ୍ତ ତାଙ୍କ ପାଖରେ ହିଁ ଗଛିତ । ତାଙ୍କରି ଅଂଶବିଶେଷ ହୋଇ ଏବଂ ତାଙ୍କରି ସାନ୍ନିଧ୍ୟ୍ୟର ଚିର ଅନୁସରିତ ହୋଇ ତଥାପି ମୁଁ ବି ସକ୍ଷମ ନୁହେଁ ଇତିହାସକୁ କ୍ରମରେ ମନେ ରଖିବାକୁ । 
      ସବୁପରେ ମଧ୍ୟ ତାଙ୍କରି ସାନ୍ନିଧ୍ୟ୍ୟର ଆସକ୍ତି ମୋତେ ସେ ଦଣ୍ଡକୁ ନେଇ ଆସିଥାଏ ଦୁର୍ଲଭ ଜନ୍ମ ମନୁଷ୍ୟର ଯୋନିଚକ୍ରକୁ ଯେଉଁ ପଥେଦଇ ହଜିଯିବି ମୋର ଚିର ଇପ୍‌ସିତ୍ ଅସରନ୍ତି ଆନନ୍ଦ ଭିତରେ ଯେଉଁଠାରେ ଦୁଃଖ, ଶୋକ, ଭୟ, ଭୋକ, ରୋଗ ଆଦିର ଚିହ୍ନବିହ୍ନ ହିଁ ନଥିବ । ଆଜି ମୁଁ ଦୁଲ୍ଲର୍ଭ ଜନ୍ମ ମନୁଷ୍ୟର ଅବୟବ ଭିତରେ ଥିବାରୁ ତୁମ ଆଗରେ ଏ ଗର୍ଭ ବୃତ୍ତାନ୍ତ କହିବାକୁ ସମର୍ଥ ନଚେତ୍ ପୂର୍ବଜନ୍ମ ପରି ମୁଁ ସବୁ ଶୁଣୁଥିଲେ, ଜାଣୁଥିଲେ ଓ ଅନୁଭବ କରୁଥିଲେ ମଧ୍ୟ ବାକ୍‌ଶୂନ୍ୟ ହୋଇ ରହିଥାନ୍ତି । ଆଜକୁ ଦୀର୍ଘ କୋଡିଏ ପକ୍ଷର ମୁଁ ମୋର ମାତୃଗର୍ଭ ବୃତ୍ତାନ୍ତ  କଥା କହି ଚାଲିଛି ହେଲେ ମୋର ପୂର୍ବ ଜୀବନ ଚକ୍ର ମାନଙ୍କ ଭିତରେ କାହା ସାମନାରେ ପ୍ରକାଶ କରିବା ପାଇଁ ମୋର ସମର୍ଥ୍ୟ ନଥିଲା । ଆଉ ସବୁଠାରୁ ବଡ କଥା ହେଉଛି ଏ ଜନ୍ମରେ ତୁମେ ମୋ କଥାକୁ ଶୁଣିବାକୁ, ବୁଝିବାକୁ ଓ ଅନୁଭବ କରିବାକୁ ସମତ୍ତ । ତୁମ ଭିତରେ ପରମ ପୁରୁଷ ସେପରି ଦିବ୍ୟଜ୍ଞାନକୁ ଭରି ଦେଇଛନ୍ତି ଯାହା ଏ ପ୍ରପଞ୍ଚରେ ଖୁବ୍ କୋଚିତ୍ ଜୀବମାନଙ୍କୁ ଅନୁଗ୍ରହ କରିଥାନ୍ତି । ତୁମେ ବର୍ତ୍ତମାନ ବୁଝି ସାରିବଣି ଏ ଯୋନି ଚକ୍ରରେ ଦହ୍ରଯାତ୍ରା କେତେ ଦୁର୍ବିହ, ଭୟଙ୍କର, କ୍ଳିଷ୍ଟ ପୂର୍ଣ୍ଣ  ଓ ପୀଡାଦାୟୀ । 
      ମୁଁ ଆଉ ତୁମକୁ ଅଧିକ ବର୍ଣ୍ଣନା କିପରି କରିପାରିବି । କଥାରେ କୁହନ୍ତି ଅନୁଭବ କରିବା ଓ ଅନୁଭବକୁ ପରିପ୍ରକାଶ କରିବାର ସମ୍ପୂର୍ଣ୍ଣତା ଯୁଗେ ଯୁଗେ  ଅସମ୍ପୂର୍ଣ୍ଣତା ଭିତରେ ରହି ଆସିଛି । ଏ ଜୀବ ଲୋକରେ କାହାର ସେପରି ଶକ୍ତି ନାହିଁ ଯେ ନିଜର ଅନୁଭବକୁ ପରିପୂର୍ଣ୍ଣତା ସହ ଅନ୍ୟ ଆଗରେ ପ୍ରକାଶ କରିପାରିବ । ତଥାପି ବୋଧହୁଏ ଆତ୍ମାର ଆକାରରେ ଥିବାରୁ ମୁଁ ତୁମକୁ ସୂକ୍ଷ୍ମାତୀ ସୂକ୍ଷ୍ମ କଥା କହି ଚାଲିଛି । ତୁମେ କେତେ ପର୍ଯ୍ୟନ୍ତ ଏହାକୁ ସ୍ମରଣ କରିପାରୁଛ ତାହା ମୋରି ଉପରେ ହିଁ ନିର୍ଭର କରେ । କାରଣ ଆଜି ମୁଁ ତୁମ ଭିତରେ ବିରାଜମାନ । ତଥାପି ଏତେ ଗହନ କଥା  ଏଭଳି ପରମ ଯୋଗରେ  ହିଁ ସମ୍ଭବ । ତୁମେ ପୁଣି ପାର୍ଥୀବ ସଂସାରକୁ ନିଜ ମନକୁ ନେଇ ଗଲା ପରେ ମୁଁ ଆଉ ତୁମକୁ ଆତ୍ମା ରୂପେ ଏତେ କଥା କହି ନପାରେ । ତଥାପି ମୋ ପରି ପୂଣ୍ୟାତ୍ମାର ପଥ ତୁମେ ହୋଇଥିବାରୁ ତୁମେ ନିଶ୍ଚିତ ଏ ସବୁକୁ ହେଜି ପାରିବ ଓ ମନେ ରଖିପାରିବ ଏହା ଦୃଢ ବିଶ୍ୱାସ ।
        ମୁଁ ଆଜି ସତ୍ତ୍ୱରୀମା ଜରାୟୁରେ ଅସ୍ତବ୍ୟସ୍ତ । ସତେଯେମିତି ପ୍ରତି ମୁହୁର୍ତ୍ତରେ ମୁଁ ଅନୁଭବ କରୁଥାଏ ଏ ସ୍ଥୁଳ ଶରୀରରୁ କେତେବେଳେବି ମୁଁ ବିଦାୟ ନେଇଯାଇ ପାରେ । ଅସହ୍ୟ ଯନ୍ତ୍ରଣା । ଯୋଗ ଭଗ୍ନର ପରବର୍ତ୍ତୀ ମୁହୁର୍ତ୍ତ ମାନଙ୍କରେ ମୁଁ ଆଉ ଯୋଗାସନକୁ ନିଜର ମନ ଓ ପ୍ରାଣକୁ ନେଇ ଯିବାରେ ଅସମର୍ଥ ବୋଧ କରୁଥାଏ । ସେ ଅନମିଂତପଚ ପରିବେଶରେ କେତେବେଳେ ମୋର ନାଶା ଦେଇ ଗର୍ଭଜଳକୁ ଗିଳ ିପକଉଥାଏତ ନାଭିନାଡା ଦେଇ ଆସୁଥିବା ମୋ କଳେବର ପାଇଁ ଉଦ୍ଦିଷ୍ଟ ଶକ୍ତିକୁ ଗ୍ରହଣ କରି ନେଉଥାଏ । ଗିଳିଥିବା ଗର୍ଭଜଳକୁ ସେହି ଗର୍ଭଥଳୀ ଭିତରେ ପ୍ରସାବ ପଥ ଦେଇ ଛାଡିବା ଓ ସେଥିରୁ କିଛି ମୋର ଶରୀରର ରେଚନ ଓ ପାଚନ ଅଙ୍ଗରେ ଅତିକ୍ରମ କରି ମଳରୂପେ ସେହି ଜଳରେ ମିଶିଯିବାଟା ସେ ପରିବେଷ୍ଟନୀକୁ ମୋ ପାଇଁ କତେଯେ ଜଘନ୍ୟତା ପ୍ରଦାନ କରୁଥାଏ ତାହା ଅଭିବ୍ୟକ୍ତର ପରିଧି ଭିତରେ ନାହିଁ । 
      ସେତେବେଳକୁ ମୋର ସମଗ୍ର ପଞ୍ଚେନ୍ଦ୍ରିୟ କ୍ରିୟାଶୀଳ । ମୋ ସ୍ଥିତ ଶରୀର ସ୍ୱୟଂସମ୍ପୂର୍ଣ୍ଣ ମାନବ । କେମିତି ଏତେ ଅଶୌଚ ପରିବେଶ  ଭିତରେ ରହି ନିଜ ଜୀବନର ପ୍ରତିମୁହୁର୍ତ୍ତକୁ  ବିତାଉ ଥିବି ତାହା ତୁମେ ଚିନ୍ତା କରିପାର । ତତ୍‌ସହିତ ଚିର ଆକାଙ୍‌କ୍ଷିତ ପରବ୍ରହ୍ମ ପରମାତ୍ମାଙ୍କର ସାନିଧ୍ୟ୍ୟ  ଲାଭର ଲାଳସାରେ ନିଜକୁ ଯୋଗାସନରେ ରଖିବାକୁ ସତତ ଚେଷ୍ଟିତ । କିପରି ସେ ଦହ୍ରଯାତ୍ରାର ଯନ୍ତ୍ରଣାରୁ ମୁକ୍ତି ପାଇବି ସେଥିପାଇଁ ମୁଁ ଅଧୀର ହୋଇ ଉଠିଥାଏ । ପ୍ରତିକ୍ଷଣରେ ସେ ନର୍କପରି ଯନ୍ତ୍ରଣା ମୋତେ ମୋ ଆଦ୍ୟ ଲକ୍ଷରୁ ବିଚ୍ୟୁତ୍ କରି ଚାଲିଥାଏ । 
      କ୍ଷଣେ କ୍ଷଣେ  ମୋର ସ୍ୱସ୍ଫୁରିତ ନିବେଦନ ହେ ପ୍ରଭୁ ମୋତେ ତୁମ ପାଖକୁ ନେଇଯାଅ । ତୁମ ଚରଣରେ  ମୋତେ ସ୍ଥାନଦିଅ । ଏ ଦହ୍ର ଯନ୍ତ୍ରଣାରୁ  ମୁକ୍ତିଦିଅ । ଆଉ ସହି ପାରୁନି ପ୍ରଭୁ । ଏ ଦାରୁଣ ଯନ୍ତ୍ରଣା ମୋ ସହ୍ୟର ସୀମାପାର ହୋଇ ଗଲାଣି । ଏପରି ଯନ୍ତ୍ରଣାରେ ମୋ ଶରୀର କ୍ଷଣେକ୍ଷଣେ ଚେତା ଶୂନ୍ୟ ମଧ୍ୟ ହୋଇ ଯାଉଥାଏ । ପୁନଶ୍ଚ ଚେତାକୁ ଅବତୀର୍ଣ୍ଣ ହୋଇ ସେହି ପରବ୍ରହ୍ମ ପରମାତ୍ମାଙ୍କୁ ବାଉଳାବାତୁଳାଙ୍କ ଭଳି ଚତୁଃପାର୍ଶ୍ୱରେ ସାଉଁଟି ଚାଲେ ।
      ମୁହୁର୍ତ୍ତକୁ ମୁହୁର୍ତ୍ତ ଗୋଡହାତ ବାଡେଇ ମୋ ଶରୀର କ୍ରନ୍ଦନ ରତ ହୋଇଯାଏ । ମୋର ଅଶାନ୍ତରେ ସତ୍ତ୍ୱରୀମା ଇତସ୍ତତ ଓ ଆକ୍ରାନ୍ତ । ଗର୍ଭକଷ୍ଟ ତାକୁ ବିଦୀର୍ଣ୍ଣ କରିବା ଆରମ୍ଭ କରେ ।  ମୁଁ ଆଉ ନିଜକୁ ସେ ଯନ୍ତ୍ରଣା ମଧ୍ୟରେ ନିଜକୁ ସତେଜ ରଖିବାକୁ ସତେଯେମିତି ସକ୍ଷମ ହୋଇ ପାରେନି । ପରିଶେଷରେ ସେହି ପ୍ରଭୁଙ୍କୁ ଖୋଜି ପାଇବାରେ ଓ ତାଙ୍କ ସାନ୍ନିଧ୍ୟ ଲାଭ ଆଶାର ବିଫଳତା ଭୟରେ ନିଜ କର ଦୁଇଟି ମୋର ମଥା ଶୀର୍ଷରେ ନେଇ ଯୋଡି ଦିଏ । ଠିକ୍ ସେହିପରି  ସେଦିନ ଯେପରି କୁରୁପତି ସଭାତଳେ ବିବସ୍ତ୍ର ଦ୍ରୌପଦି ଲଜ୍ଜାରେ ସବୁ କିଛି ସମର୍ପଣ କରି ଦୁଇ ହାତ ଟେକି ଦେଇଥିଲା ସେହି ଯୋଗାରୁଢ ପରମ କାରୁଣୀକ ମଙ୍ଗଳମୟ ଭଗବାନଙ୍କୁ । ମୋ ଅଙ୍ଗ ଶିଥିଳ ଓ ଶାନ୍ତ ହୋଇ ଆସେ । ସତେଯେମିତି ମୋର ସେ ଆର୍ତ୍ତ ଚିତ୍କାରରେ ପରବ୍ରହ୍ମ ପରମାତ୍ମା ଆଉ ନିଜର ଧୈର୍ଯ୍ୟକୁ ରଖି ପାରନ୍ତିନି । ଖୋଲିଚାଲନ୍ତି ଷୋହଳ ଦ୍ୱାର ସବୁକୁ । ମୁଁ ସେତେବେଳକୁ ଅବଶ ଶରୀରରେ ଭୂମୀମୁଖା ହୋଇସାରିଥାଏ । ମୋର ଶାନ୍ତରେ ସତ୍ତ୍ୱରୀମାର ଦାରୁଣ ଯନ୍ତ୍ରଣାର ସୁତ୍ରପାତ । 
      ସଂସାରରେ ଗର୍ଭଯନ୍ତ୍ରଣା ଠାରୁ ଆଉ ଯନ୍ତ୍ରଣା ନାହିଁ ବୋଲି ଏ ଜଗତ କହେ । ଏହା ଚିରସତ୍ୟ । ସେ ଅସହ୍ୟ ବେଦନା କେବଳ ଜଣେ ମାତୃତ୍ୱ ଲାଭ କରିଥିବା ନାରୀକୁ ହିଁ ଅନୁଭବ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ସତ୍ତ୍ୱରୀମାର ପ୍ରସୁତି ଯନ୍ତ୍ରଣା ଆରମ୍ଭ ହୋଇଯାଏ । ସେ ପଲଙ୍କ ଉପରେ ଶୋଇ ଚିତ୍କାର କରିବାରେ ଲାଗେ । ତା’ ଗୋଡ ପାଖରେ ତା’ର ଶାଶୁ, ସନାତନ, ନର୍ସ  ଓ ଆଗରୁ ସନାତନ ଦ୍ୱାରା ନିୟୋଜିତ ଡାକ୍ତର ଉପସ୍ଥିତ ଥାନ୍ତି । 
      ସନାତନର ବୈଜ୍ଞାନିକ ଚିନ୍ତନ କହେ ସତ୍ତ୍ୱରୀମାର ସାଧାରଣ ପ୍ରସବ ପକ୍ରିୟାରେ ହିଁ ସନ୍ତାନ ଜନ୍ମ ନେବ । କାରଣ ତା’ର ସମସ୍ତ ପରୀକ୍ଷାର ଆଧାର ମୁତାବକ ସବୁକିଛି ଠିକ୍‌ଠାକ୍ ଥାଏ । କୌଣସି ପ୍ରକାର ବ୍ୟତିକ୍ରମ ନାହିଁ । ଶିଶୁଟି ସୁନ୍ଦର ଭାବରେ ଜନ୍ମ ହେବ । କିନ୍ତୁ ସେ ପ୍ରସୁତି ଯନ୍ତ୍ରଣାର ଚିତ୍କାର ତାକୁ ବ୍ୟତିବ୍ୟସ୍ତ କରି ପକାଉଥାଏ । ଡାକ୍ତର ପରାମର୍ଶ ଦିଅନ୍ତି ସନାତନ ଓ   ତାର ମା’କୁ ସେ ଘର ବାହାରକୁ ଚାଲି ଯିବାକୁ । ସେମାନେ ଉଭୟେ ଘର ପରିତ୍ୟାଗ କରନ୍ତି । ସେହି ଶୋଇବା ଘର ଭିତରେ ଆବଶ୍ୟକ ଡାକ୍ତରୀ ସରଞ୍ଜାମ ସହିତ ଡାକ୍ତର ଜଣକ ପ୍ରସବ ପକ୍ରିୟାକୁ ଯଥାରିତି ନିଜ ଆୟତରେ ରଖିଥାନ୍ତି । ସତ୍ତ୍ୱରୀମାର ଚିତ୍କାର ଘର ବାହାରକୁ ଶୁଭୁ ଥାଏ । ଏହି ଚିତ୍କାରରେ ସନାତନ ମ୍ରିୟମାଣ ହୋଇ ପଡେ । ସତେଯେମିତି ସେ ଧୈର୍ଯ୍ୟହରା ହୋଇ ନିଜକୁ ଅସ୍ଥିର ମନେ କରେ । ତା’ର ମା’ ତାକୁ ସାନ୍ତ୍ୱନା ଦେଇ କୁହନ୍ତି, ବ୍ୟସ୍ତ ହଅନି । ସବୁ କିଛି ଠିକ୍ ହୋଇଯିବ । ଦୀର୍ଘ ପଚିଶ ମିନିଟ୍ ସେ ଚିତ୍କାର ଭିତରେ ମୁଁ ଚାଲିଥାଏ ସଂଜ୍ଞାହୀନ ଯୋଗାସନ ଅବସ୍ଥାକୁ । 
      ହାତ ଦୁଇଟି ଯୋଡିଦେଇ ନିଜର ଅସ୍ତିତ୍ୱକୁ ମୁଁ ସମ୍ପୂର୍ଣ୍ଣ ଭୂଲି ବସିଥାଏ । ସତେଯେମିତି ସତ୍ତ୍ୱରୀମାର ଗର୍ଭ ଭିତରୁ ମୋ ଶରୀର ନିମ୍ନଗାମୀ ଚଳମାନ ହେବା ଆରମ୍ଭ ହୁଏ । ପ୍ରଥମେ ଗୋଟିଏ ଦୁଆର ଫିଟେ । ସତ୍ତ୍ୱରୀମାର ଚିତ୍କାର ବହୁତ ଭୟଙ୍କର ଓ କରୁଣ ଥାଏ । ମୁଁ ଧୀରେ ଧୀରେ ଏହିପରି ନିମ୍ନାଭିମୂଖୀ ଗତିଶୀଳ ଅବସ୍ଥା ଧାରଣ କରେ । ମାତ୍ର ଏ ଗତି ଏକ ସଙ୍ଗରେ ହୁଏ ନାହିଁ । ସତେଯେମିତି ରଥଯାତ୍ରା ସମୟରେ ବ୍ରହ୍ମାଣ୍ଡର ନାଥଙ୍କୁ ଆଗପଛ କରି ପହଣ୍ଡି ବିଜେ କରାଇଲା ଭଳି ସତ୍ତ୍ୱରୀମା ଗର୍ଭର ସମସ୍ତ ଶକ୍ତିତନ୍ତ୍ର ମୋତେ ସେପରି ଆଗପଛ କରିବାରେ ଲାଗିଥାନ୍ତି । ଆଗପଛ କରିକରି ଥରକୁ ଥର ମୋତେ ଗୋଟିଏ ଦୁଆର ଅତିକ୍ରମ କରାଉ ଥାନ୍ତି । ସେତେବେଳେ ମୁଁ ମୋର ପରମଯୋଗରେ ସଂଜ୍ଞାହୀନ ଆଚରଣରେ ସତ୍ତ୍ୱରୀମାର ବେଦନାକୁ ଅନୁଭବ କରୁଥିଲେ ସୁଦ୍ଧା ମୋ ଶରୀର ନିଜ କଷ୍ଟରେ ନିସ୍ତେଜ ହୋଇ ପଡିଥାଏ । କ୍ରମେ କ୍ରମେ ସେହି ଦୀର୍ଘ ପଚିଶ ମିନିଟ୍‌ର ଯନ୍ତ୍ରଣା ଦାୟକ ଯାତ୍ରାର ଶେଷ ମୁହୁର୍ତ୍ତ ଆସି ପହଞ୍ଚେ । ମାତୃ ଗର୍ଭର ଶେଷ କବାଟ ଫିଟିଯାଇ ମୋ ଶରୀର ଭୂମିଷ୍ଠ ହୋଇଯାଏ । ମୁଁ ହୁଏ ଯୋଗଭଗ୍ନ । ପରମ ଯୋଗାବସ୍ଥା ମୋର ଅପସରିଯାଏ । 
      ମୁଁ ବ୍ୟାକୁଳରେ ଏକ ନୂତନ ପରିବେଷ୍ଟନୀରେ ବୋଧ କରେ ବୋଧହୁଏ ମୁଁ ପରବ୍ରହ୍ମ ପରମାତ୍ମାଙ୍କ ସାନ୍ନିଧ୍ୟ୍ୟର ସନ୍ନିକଟ । ମାତ୍ର କୁଆଡେ ଗଲେ ସେ । ହାତ ଗୋଡ ଛାଟି ତାଙ୍କୁ ଖୋଜି ଚାଲେ । ଅଣ୍ଡାଳି ଚାଲେ । ଯେଉଁ ନିସ୍ତେଜ ଅବସ୍ଥାରେ ମୋତେ ସେ ଦହ୍ର ଯାତ୍ରାର ନର୍କରୁ କାଢି ଆଣିଲେ ଏବେ ସେ କେଉଁଠି ରହିଲେ । କାହାନ୍ତି ସେ? ମନ ମୋର ବିକଳ ହୋଇ ଉଠେ । ଜନ୍ମ ଜନ୍ମାନ୍ତରର ତପସ୍ୟା ଆଜି କଣ ମୋତେ ଆଉ କେଉଁଠିକୁ ନେଇ ଆସିଲା । ନା ସେ ଏଇଠି କେଉଁଠି ମୋ ପାଖରେ ନିଶ୍ଚିତ ଅଛନ୍ତି । ସେ ମୋତେ କୋଳେଇ ନେବେ । ମୋତେ ତାଙ୍କ ପରମପାଦରେ ସ୍ଥାନ ଦେବେ । ମୁଁ ହେବି ମୁକ୍ତ । ଲଭିବି ନିର୍ବାଣ । ଆଉ ଏ ଜୀବନଚକ୍ରର ଯନ୍ତ୍ରଣା ମୋତେ ସ୍ପର୍ଶ କରି ପାରିବ ନାହିଁ । ଏହିପରି ଆକୁଳିତ ଆନନ୍ଦରେ ମୁଁ ହାତଗୋଡ ବାଡେଇ ବାରେ ଲାଗେ । ମାତ୍ର କ୍ଷଣକ ଭିତରେ ତାଙ୍କର ସାନ୍ନିଧ୍ୟ ମୁଁ ନପାଇ ତାରି ଭିତରେ ରୋଦନ କରିବା   ଆରମ୍ଭ କରିଦିଏ । ମୋର କ୍ରନ୍ଦନ ଶଦ୍ଦ ସହିତ ମୋର ହାତଗୋଡ ବାଡେଇ ମୁଁ ଆହୁରି ଆକୁଳ ନିବେଦନ କରେ ହେ ପ୍ରଭୁ ପରମାତ୍ମା ଆଉ ଏ ବ୍ରହ୍ମାଣ୍ଡର ଦୁଃଖ ଦିଅନ୍ତୁନି ପ୍ରଭୁ । ନେଇ ଯାଆନ୍ତୁ ଆପଣଙ୍କ ସେ କୋମଳ ପାଦପଦ୍ମ ତଳକୁ । ମାତ୍ର ତାହା ଥାଏ ମୋ ପାଇଁ ମରିଚୀକା । ଏଣେ ମୋ କ୍ରନ୍ଦନରେ ବ୍ୟଥିତ ସତ୍ତ୍ୱରୀମା ନିଜକୁ ସମ୍ଭାଳି ପାରେନି । ନିଜ କୋମଳ ହାତରେ ଭୂମିରୁ ସାଉଁଟି ଧରି ମୋତେ ନିଜ ଛାତି ପାଖକୁ ନେଇଯାଏ । ଯେଉଁ ବକ୍ଷୋଜ ଦିନେ ସନାତନର ଭୋଗ୍ୟ ବସ୍ତୁଥିଲା ଆଉ ସତ୍ତ୍ୱରୀମାର ସୌନ୍ଦର୍ଯ୍ୟର ମାଧୁର୍ଯ୍ୟ ଥିଲା ସେଥିରୁ ହଠାତ୍ ଝରି ଆସେ କ୍ଷୀରର ନିର୍ଝରିଣୀ । ଚିର ସୁଷ୍କ ବତ୍ସଜାତ ହଠାତ୍ ପୁରି ଉଠେ ଭୂମିଷ୍ଠ ଶିଶୁପାଇଁ । କି ବିଚିତ୍ର ସେ ବିଶ୍ୱସ୍ରଷ୍ଟା?  କିପରି ତାଙ୍କର ସୃଷ୍ଟି? ସତ୍ତ୍ୱରୀମା ମୋତେ ସାଉଁଟି ନେଇ ମୋର କ୍ରନ୍ଦନରତ ମୂଖରେ ତା’ର ସ୍ତନବୃନ୍ତକୁ ଦେଇଦିଏ । ମୁଁ ହଠାତ୍ ଚିନ୍ତା କରେ ବୋଧହୁଏ ମୋ ପରମାତ୍ମା ମୋତେ ତୋଳି ନେଇ ନିର୍ବାଣତା ପ୍ରଦାନ କରିବେ । ମାତ୍ର ସବୁକିଛି ବିପରୀତ ଘଟିଯାଏ । ମୋର ସ୍ୱଭାବ ବଶତଃ ଜଠରରେ ଗର୍ଭଜଳ ଗିଳି ପକାଉଥିବା ଭଳି ସତ୍ତ୍ୱରୀମାର ସ୍ତନକୁ ମଧ୍ୟ ମୁଁ ଶୋଷିବାକୁ ଲାଗିଯାଏ । ବାସ୍ ପାଟିରେ ମୋର ଦୁଇବୁନ୍ଦା ସେ ମଧୁ ମିଶ୍ରିତ କ୍ଷୀର ପ୍ରବେଶ କରନ୍ତେ ଏ ମାୟା ସଂସାରର ମାୟା ମୋହ ପୁନଶ୍ଚ ମୋତେ ସମ୍ପୂର୍ଣ୍ଣ ଗ୍ରାସିନିଏ । ଭୂଲିବସେ ମୋର ଆଦ୍ୟ ଲକ୍ଷକୁ । ସେହି ମୋର ଚିର ଇପସିତ୍ ଲକ୍ଷପଥକୁ । ସତ୍ତ୍ୱରୀମା କୋଳର ମଧୁରତା, ସ୍ତନକ୍ଷୀରର ମନଲୋଭା ସ୍ୱାଦ ମୋତେ ସମ୍ପୂର୍ଣ୍ଣରୂପେ ମୋ ଚିର ଆକାଙ୍‌କ୍ଷିତ ଲକ୍ଷରୁ ବିଚ୍ୟୁତ କରି ମୋତେ ଏ ବିଶ୍ୱ ପ୍ରପଞ୍ଚର ମାୟା ଜଳାରେ ପୁଣି ବନ୍ଦି କରିଦିଏ । ହଜିଯାଏ ବିଶ୍ୱ ପ୍ରପଞ୍ଚର ତଣ୍ଡକରେ । 
      ସତେବେଳେ ପରିବାର ସମ୍ପୂର୍ଣ୍ଣ ହର୍ଷ ଉଲ୍ଲାସରେ ବିହୋଳିତ ହୋଇ ଉଠେ । ମୁଁ ମଧ୍ୟ ସତ୍ତ୍ୱରୀମାର ସେ ସଂସାର ମାୟା ମରୀଚିକାରେ ଆଚ୍ଛାଦିତ କୋଳରେ ଘୁମୁରିବାରେ ଲାଗେ । ସେ ବାତ୍ସଲ୍ୟ ଜୀବନରୁ ପାରିହେବା ପର୍ଯ୍ୟନ୍ତ ସେ ପରବ୍ରହ୍ମ ପରମାମାôଙ୍କ କଥା ମୋର ମନେ ପଡେନାହିଁ । ହେଲେ ପୂର୍ବ ପୂଣ୍ୟର ପ୍ରତିଷ୍ଠା ଆଜି ମୋତେ ପୁଣି ମୋ ଲକ୍ଷ ପଥକୁ ଘୋଷାଡିଲାଣି । ତେଣୁ ତୁମେ ଜାଗିଉଠ । ଏ ସମସ୍ତ କଥାକୁ ହୃଦୟର ସହ ହେଜ । ପୁଣି ହଜିଯାଅ ସେହି ଚିର ସାସ୍ୱତ ଯୋଗରେ । 
      ସେତେବେଳକୁ ସମୟ ଆସି ବ୍ରାହ୍ମ ମୁହୂର୍ତ୍ତକୁ ଅତିକ୍ରମ କରି ସାରିଥିଲା । ସତ୍ତ୍ୱରୀସ ଅବାକ୍ ହୋଇ ଘର କାନ୍ଥକୁ ଚାହିଁ ଅନୁଭବ କରି ଚାଲିଥିଲା ଏ ଭବ ସଂସାରର ମାୟାକୁ..........ା


*******

                    

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS