search in www.iswarchandraworld.blogspot.com

Thursday 26 March 2020

Odia Article ପେଟପାଇଁ କଣ ସତରେ ନାଟ?

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ପେଟପାଇଁ କଣ ସତରେ ନାଟ?

   ଢଗ ଢମାଳି ‘ପେଟ ପାଇଁ ଲାଗିଛି ନାଟ’ ଟି ପ୍ରାୟ ସମସ୍ତଙ୍କ ପାଖରେ ଅତି ଜଣାଶୁଣା । କେତେବେଳେ କାହାପାଟିରୁ ବାହାରି ପଡେ ଏଇ ପେଟ ଚାଖଣ୍ଡ କ ପାଇଁ ସବୁକିଛି । ଥରୁଟିଏ ଖାଇଦେଲେ ଯଦି ପେଟ ପୁରି ଯାଆନ୍ତା ଅବା ଜୀବନରେ ଆଦ୍ୟୈ ଭୋକ ଲାଗନ୍ତାନି ତାହାହେଲେ ମନୁଷ୍ୟ କଣ ଏତେ ସବୁ କାମ କରୁଥାନ୍ତା । ହେଲେ ଟିକେ ଚିନ୍ତା କରନ୍ତୁ ବା ଶାନ୍ତ ଭାବରେ ଭାବନ୍ତୁ ଦେଖିବେ ଏ ସବୁ ଲୋକ କଥା କୁ କେବଳ ଏଇ ମଳି ମୁଣ୍ଡିଆ ଶ୍ରମିକ ଅବା କୃଷକ ମାନେ ହିଁ ପାଟିରେ ଧରିଥାନ୍ତି । ଯେତେବେଳେ କାମ କରି କରି ଥକି ପଡନ୍ତି କିମ୍ବା ଜୀବନରେ ଅସହାୟ ବୋଧକରି କାହାର ସାହାଯ୍ୟ ଆଶା କରନ୍ତି ସେହି ସମୟରେ କାହା ଆଗରେ କିଛି ବ୍ୟକ୍ତ କରିବା ପାଇଁ ସ୍ୱତଃପୁତଃ ଭାବରେ ସେମାନଙ୍କ ପାଟିରୁ ଏହି ଢଗ ବାହାରି ପଡିଥାଏ । ହେଲେ ଏ ଭୋଗବାଦ ସଂସାରରେ ଆଜି ଯେଉଁ ସବୁ ନାଟ ଲାଗୁଛି ସେଥିରୁ ଯଦି ମାତ୍ର କେଇ ପ୍ରତିଶତ ପେଟ ପାଇଁ  ହୋଇଥିବଅନ୍ୟ ସମସ୍ତନାଟର ମୂଳକାରଣ ଅନ୍ୟକିଛି । ଯଦି ବାସ୍ତବରେ ମଣିଷ ନିଜ ପେଟ ପୁରିବା ପାଇଁ ନାଟ କରୁଥାନ୍ତା ତେବେ ଅଳ୍ପ କିଛି ସମୟ ନାଟ କଲେ ପ୍ରତିଦିନର ପେଟ ଆରାମରେ ପୁରିଯାଆନ୍ତି । ଦୁନିଆରେ ଏ ଅଶାନ୍ତି, ହିଂସା, ଦାରିଦ୍ର‌୍ୟତା, ବୈଷମତା, ଆଦୌ ଦେଖାଯାଆନ୍ତା ନାହିଁ । ଆଜିର ବସ୍ତୁବାଦ ଦୁନିଆରେ ଆମେ ପେଟ ଅପେକ୍ଷା ଅନ୍ୟ ପ୍ରେୟ ପଦାର୍ଥ ଗୁଡିକୁ ଜୀବନରେ ପ୍ରାଧାନ୍ୟ ଦେବାରେ ଲାଗିଛେ । ଆମ ଭିତରେ ଥିବା ଲୋଭ, ମୋହ, ଅହଙ୍କାର, ପରଶ୍ରୀକାତରତା ଆମକୁ ପେଟ ଭୋକ ଠାରୁ ଅନେକ ଉର୍ଦ୍ଧ୍ୱକୁ ନେଇ ଗଲାଣି । ଏସବୁ ଦୁର୍ଗୁଣ ଗୁଡିକ ଆମ ଆୟତରେ ଆଉ ନାହାନ୍ତି । ଆମେ ରଖିବାକୁ ମଧ୍ୟ ଚେଷ୍ଟା ବି କରୁନେ । ସମାଜରେ ରହୁଥିବାରୁ ଅନ୍ୟକୁ ତୁଳନା କରିବା ଆମର ଏକ ସହଚର୍ଯ୍ୟ ହୋଇଗଲାଣି । ଅନ୍ୟ ସଙ୍ଗେ ନିଜକୁ ସମାନ ବା ତାଠାରୁ ଟପିଯିବା ଆମର ପ୍ରବୃତ୍ତିରେ ପରିଣତ ହୋଇଗଲାଣି । ଧୈର୍ଯ୍ୟର ଆଉ ଦୀର୍ଘତା ନାହିଁ ।
ପ୍ରତିକାମରେ ଅଥୟ । ରାତିକ ଭିତରେ ହାତୀ ପାଇବାର ସ୍ୱପ୍ନ । ଆଖିପିଛୁଳାକେ ତାଜମହଲ ଗଢିବାରେ ଆମେ ବ୍ୟାକୁଳ । ଆଖିରେ ସ୍ୱପ୍ନ  ଅସରନ୍ତି । ରାତି ନଥାଇ ମଧ୍ୟ ସ୍ୱପ୍ନ ପୁରା କରିବାରେ ବ୍ୟାକୁଳ । ପରଶ୍ରୀକାତରତା ଆମ ଅନ୍ତରର ଧେୟ ହୋଇଗଲାଣି । ପଡୋଶୀର ଉନ୍ନତି ଦେଖିଲେ ଆମ  ଅନ୍ତରଆତ୍ମା ସତେଯେମିତି ବିଚଳିତ  ହୋଇପଡୁଛି ।
   ଟିକେ ଅନ୍ତର୍ମୂଖୀ ହୋଇ ଗମିଲେ ଦେଖିବେ ଏ ମିଛ ମାୟା ସଂସାରରେ ବର୍ତ୍ତମାନ ଟଙ୍କା, କ୍ଷମତା ଆଉ ନାରୀ ପାଇଁ ବୋଧହୁଏ ସମସ୍ତ ନାଟ । ଟଙ୍କା ନ ଥିଲେ  ଆଜିର ଦୁନିଆରେ ଖାଇବାକୁ ମିଳିବନି ଏକଥା ତ ସତ, ହେଲେ ପେଟ ଠିକ୍ ସମୟରେ ପୁରୁକି ନପୁରୁ ଟଙ୍କା ଦରକାର ଅନ୍ୟାନ୍ୟ ଶାରିରୀକ ସୁଖ ପାଇଁ । ସମାଜରେ ଅନ୍ୟର ସୁଖ ସୁବିଧାକୁ ଦେଖି ଆମେ ମଧ୍ୟ ସେଇଆଡିକି ସେଇଆ ପାଇବା ପାଇଁ ଧାବମାନ ହୋଇପଡିଛେ । ସାଙ୍ଗ ଅବା ପଡୋଶୀର ଯଦି ଗାଡି ଖଣ୍ଡେ ଆସିଗଲା ତେବେ ଯେ କୈାଣସି  ସତ୍ ଅବା ଅସତ୍ ଉପାୟରେ ହେଉ, ଆମେ ଟଙ୍କା ରୋଜଗାର କରିବାରେ ଲାଗିଗଲେ ସେହିଭଳି ଗାଡିଖଣ୍ଡେ କିଣିବା ପାଇଁ । ପଡୋଶୀ ଯଦି ନୂଆ ଘରଟିଏ ତିଆରି କଲା ସେହି ଘର ଦେଖିଦେଲାପରେ ଆମେ ବ୍ୟାକୁଳ ହୋଇ ପଡୁଛେ ସେହିଭଳି ଘରଖଣ୍ଡେ ଗଢି ତୋଳିବା ପାଇଁ । ଘରେ ବି ମୂରବୀ ଭାବରେ ଆହୁରି ଅଶାନ୍ତି ବଢି ଯାଉଛି । ସହଧର୍ମିଣୀ ଙ୍କ ଉତ୍ତେଜନା ପୂର୍ଣ୍ଣ ମନ୍ତବ୍ୟ ଏହାକୁ ଆହୁରି ଜଟିଳ କରି ଦେଉଛି । ଏହି ଚିନ୍ତା ଧାରାରେ ଉଭୟଙ୍କର ଶାନ୍ତି ହଜିଯାଇଛି । ପିଲାମାନେ ମଧ୍ୟ ଅନ୍ୟମାନଙ୍କର ଚାଲିଚଳନରେ ଏତେ ପ୍ରଭାବିତ ହୋଇପଡୁଛନ୍ତି ଯେ ଅନ୍ୟର ରଙ୍ଗଢାଙ୍ଗ ଆପଣାଇବା ପାଇଁ ଦମ୍ ଲଗାଇ ଲାଗି ପଡୁଛନ୍ତି । ଘରେ କଳି ଝଗଡା କରି ହେଉ କି ମାନମନାନ୍ତରକରି ହେଉ ଟଙ୍କା ନେଇ ସେହି ରୂପ ରଙ୍ଗ ସାଜସଜାରେ ନିଜକୁ ସଜେଇବାରେ ଲାଗିପଡୁଛନ୍ତି । ନିଜର ଶାରିରୀକ ସୁଖ ପାଇଁ ଯଦି ନାରୀର ଆବଶ୍ୟକତା ହୋଇପଡିଲା ସେଥିରେ ମଧ୍ୟ ଭରପୁର ନାଟ । କେଉଁଠି କିଏ ନିଜର ଧନ ସମ୍ପତ୍ତିକୁ ବିକିବାକୁ ମଧ୍ୟ ପଛଉନି । ବେଶ୍ୟା ବାଡି ବୁଲିବୁଲି ସର୍ବସ୍ୱ ହରଉଛି । ଆଉ କିଏ ଯଦି ମଦ ନିସାରେ ପଡିଗଲା, ସିଏ ମଦ ଖାଇଲା ପର୍ଯ୍ୟନ୍ତ ତ ସବୁ ଠିକ୍ ହେଲେ ଯେଉଁ ଦିନଠାରୁ ମଦ ତାକୁ ଖାଇବା ଆରମ୍ଭ କଲା ସବୁ ଓଲଟପାଲଟ । କେଉଁଠି ନିଜର ବିବେକ ହରାଇ ନାରୀଧର୍ଷଣ ତ କେଉଁଠି ଘରେ ନିଜର ଅର୍ଦ୍ଧାଙ୍ଗିନୀ ଉପରେ ଦାଉ ସୁଝାଇବାରେ ଲାଗିଯାଏ । କେତେବେଳେ ଜେଲର ଚାରିକାନ୍ଥ ଭିତରେ ଦିନକାଟେ ତ କେତେବେଳେ  ପୁଣି ଦୁନିଆରେ ଆତ୍ମ ଗୋପନ କରେ । ପୁଣି ଏହି ମଦ ନିଶାର ସୁଖ କେତେକଙ୍କୁ ଫାଶିଖୁଣ୍ଟ ପର୍ଯ୍ୟନ୍ତ ନେଇଯାଏ । ହେଲେ ଫାଶିଖୁଣ୍ଟ କୁ ଯିବାପୂର୍ବରୁ  କେତେ ଯେ ନାଟ ତାମସା ଟିକ୍ ନାହିଁ । ଗୋଟିଏ ଦୋଷୀ କୁ ତାର ଭୂଲ୍‌ର ଦଣ୍ଡ ଦେବାପାଇଁ ଶହଶହ ଲୋକ ଆବଶ୍ୟକ ପଡନ୍ତି । ସମଗ୍ର ଦେଶ ଅବା ସମାଜର ଆଇନକାନୁନ୍ ରେ ତାକୁ  ଘୋଷାଡିବା ପାଇଁ  ଅନ୍ୟମାନଙ୍କୁ ଶ୍ରମ ଦେବାକୁ ପଡେ । କୋର୍ଟରେ ବିଚାର ପତି, ଓକିଲ ଙ୍କ ଠାରୁ ଆରମ୍ଭ କରି ବାହାରେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ମଧ୍ୟ ଏ ନାଟକରେ ଭାଗନେବାକୁ ପଡେ । ଯେଉଁ ନାଟକରେ ପେଟପାଇଁ ସ୍ଥାନ ହିଁ ନାହିଁ ।
   କେଉଁଠି କେତେବେଳେ ପ୍ରେମରେ ପଡିଗଲେ ସେଠି ଆଉ ପେଟର ଭୋକ ବି ରହେନି । ଚାଲେ ଅନନ୍ୟ ନାଟକ । କେଜାଣି ସେ ନାରୀଦେହରେ ଭଗବାନ କି ସୁଖ, କେଉଁ ଆକର୍ଷଣର ସମ୍ଭାର ଭରିଦେଇଛନ୍ତି? ପାଗଳ ପରି ଗୋଡାଏ ତା ପଛରେ । ପ୍ରେମରେ ପର ହୃଦୟକୁ ପୀଡା ଦେବା ଓ ନିଜେ ପିଡିତ ହେବା ନିତିଦିନିଆ ଘଟଣା । ସମାଜରେ କେଉଁଠି ଏ ପ୍ରେମକୁ ସାମାଜିକ ସ୍ୱୀକୃତି ମିଳିଯାଏ ତ ଆଉ କେଉଁଠି ବିଦ୍ରୋହ । ନାଟକର ଜଘନ୍ୟତା ପ୍ରତିପାଦିତ ହୁଏ । ପ୍ରେମିକପ୍ରେମିକାଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବାକୁ ଏ ସମାଜ ମଧ୍ୟ ପଛାଏନି । ପ୍ରେମରୁ ଆରମ୍ଭ ଏ ନାଟକ ବେଲେବେଳେ ମହାନାଟକରେ ପରିଣତ ହୋଇଯ।।ଏ । ସମାଜ ବେଳେବେଳେ ସ୍ତବ୍‌ଧ ମଧ୍ୟ ହୋଇଯାଏ ।
   ନିଜକୁ ସମସ୍ତଙ୍କ ଭିତରେ ଭିନ୍ନ ଜାହିର କରିବା, ଅନ୍ୟମାନଙ୍କୁ ହୁକୁମ୍ ଦେବା ଓ ଅନ୍ୟ ମାନଙ୍କୁ ନିଜ ଅଧୀନକୁ ଆଣିବା, ସମାଜ ଆରମ୍ଭରୁ ହିଁ ବୁଦ୍ଧିଆ ମଣିଷର ପ୍ରବୃତ୍ତି । ଏହି କ୍ରମରେ କ୍ଷମତା ପାଇଁ ଏଇ ମଣିଷ ସବୁକିଛି କରିପାରେ । କେତେବେଳେ ରାଜାହୋଇ ଅନ୍ୟ ରାଜାକୁ ପରାସ୍ତ କରିବା କୁ ଯୁଦ୍ଧର ଆୟୋଜନ କରେ । ଅନେକଙ୍କୁ ଯୁଦ୍ଧରେ ନିପାତ ମଧ୍ୟ କରିଦିଏ । ରକ୍ତର ନଦୀ ବୋହି ଚାଲେ । ସୃଷ୍ଟିକରେ ଅନେକ କାଳଜୟୀ ନାଟକ । ଗଣତନ୍ତ୍ରରେ ଦେଶ ସେବାର ବାହାନାରେ କ୍ଷମତା କୁ ଆବୋରିବା ପାଇଁ ସବୁ ପ୍ରକାର ନାଟକ ଏହି ମଣିଷ କରିବସେ । ଭୋଟ ନେବା ପାଇଁ ଟଙ୍କା ବାଣ୍ଟେ । ମଦ ଭୋଜିଭାତରେ ପ୍ଲାବନ ଗାଁ ଗଣ୍ଡାର ଯୁବବର୍ଗଙ୍କ ଭିତରେ ଆରମ୍ଭ କରିଦିଏ । ର‌୍ୟାଲି୍‌ପାଇଁ ହଜାର ହଜାର ଲୋକଙ୍କୁ ଏକାଠି କରି ସ୍ଲୋଗାନ୍ ଦେଇ ରାଜରାସ୍ତାରେ ନାଟକ ଚାଲେ । ହଜାରହଜାର ସଂଖ୍ୟକ ଗାଡି ରାଜରାସ୍ତାକୁ ଧୂଆଁ ମୟ କରି ପରିବେଶକୁ ପ୍ରଦୃଷିତ କରି ଆଗେଇ ଚାଲିଥାଏ ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତିର କ୍ଷମତା ଲାଳସା ପୁରଣ ଉଦ୍ଦେଶ୍ୟରେ । ଏମିତିସଂସାରର ସବୁ ନାଟକ ପଛରେ ଏ ପେଟର ଭୋକର ଭୂମିକା ଅତ୍ୟନ୍ତ ତୁଚ୍ଛ ହୋଇ ପଡିଲାଣି । ଯେତେବେଳେ ପେଟର ଭୋକକୁ ମେଣ୍ଟାଇବା ପାଇଁ ମାତ୍ର ଅଳ୍ପ କିଛି ଟଙ୍କା ଦରକାର ସେତେବେଳେ ଆମ ମାନସିକ ଭୋକର ଦିଗନ୍ତ ପ୍ରସାରି ପରିବ୍ୟାପ୍ତତା ଆମକୁ ଅଶାନ୍ତିର ବଲୟ ଭିତରକୁ ଆପେ ଆପେ ଭିଡି ନେଉଛି ।
   ଆମର ସ୍ୱପ୍ନର ପ୍ରକୃତ୍ତି ବଦଳି ଗଲାଣି । ଆମେ ଖାଲି ନିଜ ପେଟ ପୁରାଇବା ପାଇଁ କେବେ ବି ସ୍ୱପ୍ନ ଦେଖୁନେ । ସ୍ୱପ୍ନର ଦିଗବଳୟ ବର୍ତ୍ତମାନ ଅସୁମାରି ଓ ଦିଗନ୍ତ ଉନ୍ମୁକ୍ତ । ସଦାସର୍ବଦା ଧାବମାନ ଏକ ମରିଚୀକା ରୂପୀ ଶାନ୍ତି ପଛରେ । ବୁଝିପାରୁନେ ଭୋଗବାଦରେ ଶାନ୍ତି ନଥାଏ । ଶାନ୍ତି ଥାଏ ନିଜ ଭିତରେ । ନିଜ ଆତ୍ମା ଭିତରେ । ପେଟର ଭୋକକୁ ପୁରା କରି ଯଦି ସେହି ଚିରନ୍ତନ ଶାନ୍ତି ପଛରେ ନିଜକୁ ବାନ୍ଧିରଖନ୍ତେ ତେବେ ବୋଧହୁଏ ଏ ନାଟକର ପରିସୀମା ଯଥେଷ୍ଟ କମିଯାଆନ୍ତା । ବାସ୍ତବରେ ଏ ପେଟ ପାଇଁ ସବୁ ନାଟକ ଲାଗିଛି ତାହା ଆଦ୍ୟୈ ଠିକ୍ ନୁହେଁ । ପେଟ ମାତ୍ର ଗୋଟିଏ ବାହାନା ବା ଆଳ । ବାକି ସମସ୍ତ ନାଟକ ମାନଙ୍କର ମୂଳ ଅନ୍ୟକେଉଁଠି ଆମେ ବୋଧହୁଏ ସମସ୍ତେ ବୁଝି ପାରୁଛେ ।  

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS