search in www.iswarchandraworld.blogspot.com

Saturday 7 March 2020

Odia Article ପ୍ରଶଂସା ପ୍ରିୟ ମଣିଷ




ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ପ୍ରଶଂସା ପ୍ରିୟ ମଣିଷ

      କିଏ ବା ନିଜର ପ୍ରଶଂସା ଶୁଣିବାକୁ ଭଲ ନପାଏ? ହଁ, ଥାଇ ପାରନ୍ତି । ହେଲେ ସେମାନଙ୍କ ସଂଖ୍ୟା ଅତି ନଗଣ୍ୟ ହୋଇପାରେ । ପ୍ରତି ମୁହୁର୍ତ୍ତରେ ମଣିଷ ନିଜ କର୍ମ ଓ କର୍ମାନୁଷ୍ଠାରେ ଟିକେ ପ୍ରଶଂସା ଲୋଡେ । ପ୍ରଶଂସା ମନକୁ ଶାନ୍ତିଦିଏ । ନିଜ କାମରେ ଆହୁରି ଦକ୍ଷ ହେବାକୁ ପ୍ରେରଣା ଭଳି କାମକରେ । ଖାଲି ସେତିକି ନୁହେଁ, ପ୍ରଶଂସାରେ ପ୍ରୀତ ହୋଇ ବଡ ଅବା ଗୁରୁଜନମାନେ ପ୍ରଶଂସକର ଅନେକ ସମସ୍ୟାର ସମାଧାନ ମଧ୍ୟ କରିଦେଇଥାନ୍ତି । ପ୍ରଶଂସା କଲେ ଚାଟୁକରୀତାର ଆଖ୍ୟା ମଧ୍ୟ ବେଳେବେଳେ ମିଳେ । ଆଉ ପ୍ରଶଂସା ଅତ୍ୟଧିକ ପାଇଲେ ବେଳେବେଳେ ମଣିଷ ଟିକେ ଅହଂକାରୀ ହୋଇଉଠେ । 
   ଟିକେ ସୁକ୍ଷ୍ମ ଦୃଷ୍ଟିରେ ବିଚାର କଲେ ଦେଖାଯିବ ଜନ୍ମପରେ ଧୀଶକ୍ତିର ଅଧିକାରୀ ହେଉହେଉ ମଣିଷ ହୁଏ ପ୍ରଶଂସାପ୍ରିୟ । ସେଇଥିପାଇଁ ପିଲାଟି ଗୁରୁଣ୍ଡିଗୁରୁଣ୍ଡି ଚାଲିବାକୁ ପ୍ରୟାସ କଲାବେଳେ ଯଦି ପଡିଯାଇ କାନ୍ଦିବା ଆରମ୍ଭ କରେ ମା’ ତା’ର ପ୍ରଶଂସା କରିବା ଆରମ୍ଭ କରିଦିଏ । ମୋ ପୁଅ ପଡିଗଲା କହିବା ପରିବର୍ତ୍ତେ କହିବସେ ଆରେ ମୋ ପୁଅ ଡେଇଁ ପଡିଲାରେ । ଶିଶୁଟି କାନ୍ଦ ବନ୍ଦ କରିଦିଏ ।
   ଶିକ୍ଷା ଦିକ୍ଷାର ପରିସରରେ ପ୍ରଶଂସା ପ୍ରାବଲ୍ୟ ହୋଇଉଠେ ଶିଶୁ । ଗୁରୁଙ୍କର ଟିକିଏ ପ୍ରଶଂସା ତା ମନରେ ଭରିଦିଏ ଉନ୍ମାଦନା । ବିଦ୍ୟାଳୟରେ ତା’ ଉତ୍ତର ଖାତାରେ ଶିକ୍ଷକଙ୍କର ନାଲିକାଳିରେ ଲେଖାଯାଇଥିବା ଉତ୍ତମ, ଅତି ଉତ୍ତମ, ସର୍ବୋତ୍ତମ ଅବା ଇରାଂଜୀରେ ଗୁଡ୍‌, ଭେରିଗୁଡ୍ ଅବା ଏକ୍ସେଲେଣ୍ଟ୍ ଭଳି ପ୍ରଶଂସାର ଶବ୍ଦ ତା’ର ପଢାପ୍ରତି ଆଗ୍ରହକୁ ବହୁଗୁଣିତ ଓ ଗଭୀର ପ୍ରଭାବିତ କରେ । ଶିକ୍ଷକଙ୍କର ଟିକିଏ ପ୍ରଶଂସାରେ ସେ ଶିକ୍ଷକଙ୍କୁ ଭଲପାଇବସେ । ଅତି ନିଜର ମଣେ । ଶିକ୍ଷକଙ୍କ ରଙ୍ଗରେ ସେ ରଙ୍ଗିଯାଏ । ଅନୁପ୍ରାଣିତ ହୁଏ ଶିକ୍ଷକଙ୍କ ଆଦର୍ଶରେ । ଶିଶୁ ଭିତରେ ଥିବା ସଂମ୍ଭାବନାର କୈାଣସି କଳା ଅବା େକୈାଶଳକୁ ତାତ୍ସଲ୍ୟ କରିବା ପରିବର୍ତ୍ତେ ଥରୁଟିଏ ପ୍ରଶଂସା କରିଦିଅନ୍ତୁନା, ଦେଖିବେ ଅବଶ୍ୟମ୍ଭାବି ଫଳ । ପ୍ରଶଂସାରେ ଶିଶୁଟି ତାର କଳା କୈାଶଳରେ ନିପୁଣ ହେବାରେ ଲାଗିବ । ତା’ର ମନୋବଳ ବଢିବାରେ ଲାଗିବ । ଧୀରେଧୀରେ ଆତ୍ମବିଶ୍ୱାସୀ ହେବାରେ ଲାଗିବ । 
   ଯୁବାବସ୍ଥାରେ ପାଦ ଦେଉଦେଉ ଏ ମଣିଷ ପ୍ରଶଂସା ଖୋଜେ ନିଜ ଚେହେରାର, ସୁନ୍ଦରତାର, ନିଜ ଶାରିରୀକ ସାମର୍ଥ୍ୟର । ପ୍ରେମରେ ପ୍ରଶଂସାବିନା ପ୍ରିୟତମାର ମନ ମାନେନା । ପ୍ରେମିକା ରୂପର ଚେନାଏ ପ୍ରଶଂସାରେ ପ୍ରେମିକାର ଚିତ୍ତ ହୁଏ ଚୋରି । ଆଉଜିଯାଏ ପ୍ରେମିକକୁ । ବେଳେବେଳେ ପ୍ରଶଂସାରୁ ପ୍ରଶଂସକ, ପ୍ରଶଂସକରୁ ଏ ମଣିଷ ହୁଏ ପ୍ରେମିକ ।
    କୁମାରୀଟିଏ ବୋହୁ ହୋଇ ଶାଶୁ ଘରକୁ ଗଲାପରେ ନିଜ କାମ, ବ୍ୟବହାର ଓ ସୁନ୍ଦରତାର ଟିକେ ପ୍ରଶଂସା ଚାହେଁ । ଶାଶୁ ଅବା ଶ୍ୱଶୁର ହୋଇ ନୂଆବୋହୁଟିର କେତେକ କାମରେ ଟିକେ ପ୍ରଶଂସା କରନ୍ତୁନା, ଦେଖିବେ ବୋହୁଟି ଆପଣଙ୍କୁ ନିଜର ପିତାମାତା ଭଳି ସ୍ନେହ ଦେଇବସିବ । ପିତାମାତା ହେବାର ସୌଭଗ୍ୟ ମିଳିଗଲେ ମଣିଷ ଖୋଜେ ତା ସନ୍ତାନର ପ୍ରଶଂସା । ନିଜ ସନ୍ତାନର ପ୍ରଶଂସାରେ ଅଜସ୍ର ଖୁସି ଅନୁଭବ କରେ । ବୟସର ଅପରାହ୍ନରେ ମଣିଷ ଲୋଡେ ତା ଜୀବନବ୍ୟାପୀ ସାଧନାର ପ୍ରଶଂସା । ସାଧନାର ପ୍ରଶଂସା ମିଳିଗଲେ ସେ ପାଏ ଆତ୍ମସନ୍ତୋଷ । ଜୀବନ ଧନ୍ୟବୋଲି ବିବେଚନା କରେ ।
   କାହାର ମନଜିଣିବାର ହେଉ ଅବା କାହାର ହୃଦୟରେ ନିଜପାଇଁ ଟିକିଏ ଜାଗା କରିବାକୁ ହେଉ, ବାସ୍ ପ୍ରତ୍ୟକ୍ଷରେ କିମ୍ବା ପରୋକ୍ଷରେ ତା’ର ପ୍ରଶଂସା କରନ୍ତୁ । ପ୍ରଶଂସାରେ ଆପଣଙ୍କ ଶତ୍ରୁ ବି ମିତ୍ରରେ ପରିଣତ ହୋଇଯିବେ । ଆପଣଙ୍କ ପ୍ରତି ଶତ୍ରୁ ମନରେ ଥିବା ହିଂସା ସେହି ପ୍ରଶଂସାରେ ପ୍ରଶମିତ ହେବାରେ ଲାଗିବ । କବି, ପ୍ରାବନ୍ଧିକ ଅବା ଔପନାସିକ, ଖେଳାଳୀ, କଳାକାର ଅବା ଚିତ୍ରକର, ଗାୟକ, ଗୀତିକାର ଅବା ସଂଗୀତକାର ପ୍ରତ୍ୟେକ ଲୋଡନ୍ତି ନିଜ କଳାରେ ପ୍ରଶଂସା । ପ୍ରଶଂସା ଏମାନଙ୍କ ପାଇଁ ପ୍ରେରଣା । ସେହି  ପ୍ରେରଣାରେ ନିଜ ପ୍ରତିଭାରେ ଯଶସ୍ୱୀ ହେବାର ପ୍ରୟାସରେ ଏମାନେ ବଞ୍ଚିରହନ୍ତି ।
    ବାସ୍ତବରେ ପ୍ରଶଂସା ପ୍ରିୟ ଏ ମଣିଷ । ପ୍ରଶଂସା ବିନା ତା’ଜୀବନ ନୀରଳସ, ଛନ୍ଦଶୂନ୍ୟ ଓ ପ୍ରେରଣାହୀନ । ଖାଲି ମଣିଷ କାହିଁକି, ଆମମାନଙ୍କର ଭଗବାନ ବି ପ୍ରଶଂସାପ୍ରିୟ । ଆମମାନଙ୍କ ବିଶ୍ୱାସଯେ ତାଙ୍କ ପ୍ରଶଂସାଗାନ ନକଲେ ସେ ତାଙ୍କ ଆଶୀର୍ବାଦର ଅମୃତ ଆମଉପରେ ଢାଳନ୍ତିନାହିଁ । ସେଇଥିପାଇଁ ଆମେ କହୁଥାଉଁ ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଜୟ ବଜ୍ରଙ୍ଗବାଲୀ, ଜୟ ମାତା କୀ....ା ତେଣୁ ଆସନ୍ତୁନା ଭଗବାନଙ୍କ ଜୟଗାନ କରିବା ସହିତ ଅନ୍ୟମାନଙ୍କର ଭଲକାମକୁ ଟିକିଏ ପ୍ରଶଂସା କରିବା ଯାହାଫଳରେ କି ଏ ଜଗତ ଶାନ୍ତି ଓ ପ୍ରେରଣାମୟ ହୋଇଉଠିବ । 

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS