search in www.iswarchandraworld.blogspot.com

Friday 27 March 2020

Odia Story ଅଯୋଗ୍ୟ ପୁଅ

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ଅଯୋଗ୍ୟ ପୁଅ

     ଅଯୋଗ୍ୟ ! ଅକାଳ କୁଷ୍ମାଣ୍ଡ । କୁଳାଙ୍ଗାର । ତୋତେ ଟିକେ ଲାଜ ଲାଗୁନି । ଆରେ ! ଆମ ପାଇଁ  ନହେଲେ ନାହିଁ ନିଜ ପାଇଁ ନିଜ ଭବିଷ୍ୟତ କଥା ଟିକେ ଭାବୁନୁ । ନିଜର ବଡ ଭାଇ ସହିତ ଟିକେ ନିଜକୁ ତୁଳନା କରୁନୁ । ଜୀବନର ଅର୍ଥ ଏମିତି ଫୁଲା ଫାଙ୍କାଡିଆ ନୁହେଁ । ଜୀବନକୁ ଜାଣିବାକୁ ଚେଷ୍ଟା କର । ସମ୍ମାନର ସହିତ ସମାଜରେ ବଞ୍ଚିବାକୁ ହେଲେ ସ୍ୱାବଲମ୍ବୀ ହେବା ନିହାତି ଆବଶ୍ୟକ । କଣ କରିବୁ ତୁ? କହିଲେ ନାହିଁ, ବୋଇଲେ ନାହିଁ, ହରଦମ୍ ଖେଳ, ସେ ଛତରା ପିଲାଙ୍କ ସାଥୀରେ ବୁଲିବୁଲି ନିଜ ଜୀବନକୁ ଖିନି୍‌ଭିନ୍ କରିସାରିଲାଣୁ । ତୋତେ ଗାଳି ଦେବାକୁ ଆଉ ମୋ ଜିଭ ଲେଉଟୁନି । ଆରେ ଏ ବୟସରେ ଆଉ କେତେ ଦିନ ତୁମ ମାନଙ୍କ ପାଇଁ ବିଲରେ ଖଟିଖଟି ମରିବି । ଟିକେ ଚିନ୍ତା କର । ଭଗବାନଙ୍କ ଦୟାରୁ ତୋ ବଡ ଭାଇଟି କୁଳରେ ଲାଗିଗଲା । ହେଲେ ତୁ ତୋ ଜୀବନକୁ କେମିତି ବିତେଇବୁ । ମୋରି ପରି ବିଲରେ ଆଣ୍ଠୁ ପକେଇବୁ ଆଉ ପରିବା ବେପାର କରିବୁ ନା କଣ? ଏମିତି ଗାଳି ଦେଉଦେଉ ଶରତ ନିଜକୁ ନିଜେ ଅଭାଗା ମନେ କରି ବିରକ୍ତିରେ ସେ ଘର ପରିତ୍ୟାଗ କଲା ।
      ଘର ଭିତରେ ସେମିତି ଖୁଣ୍ଟାଙ୍କ ଭଳି ଛିଡା ହୋଇଥାଏ ସତ୍ୟ । ମନ ଭିତରେ ଅଜସ୍ର ପରିତାପ । ସେ ଜାଣେ ତା’ ବାପା ତା’ ଭଲ ପାଇଁ ଗାଳି ଦେଉଛନ୍ତି । ଆଜି ତା’ର ବଡ ଭାଇ କାନ୍‌ପୁର ଆଇ.ଆଇ.ଟିରେ କେମିକାଲ ଟେକ୍ନୋଲୋଜିରେ ବିଟେ୍‌କ ତୃତୀୟ ବର୍ଷ ପଢୁଛି । ସେ ବାପାଙ୍କର ମାନସମ୍ମାନ, ସାମାଜିକ ମର୍ଯ୍ୟାଦା ସବୁକିଛି ଆଶାତୀତ ଭାବେ ଉପରକୁ କରିଦେଇଛି । ସେ ତ ଆଉ ଦୁଇବର୍ଷପରେ ଏକ ବହୁତ ବଡ ଚାକିରୀ କରି ତା ଜୀବନ ନିଶ୍ଚୟ ଗଢିବ । ଏ ଘରର ମର୍ଯ୍ୟାଦା ସେ । ଏ କୂଳର ରତ୍ନ । ବାପାବୋଉଙ୍କ ଛାତି ଆଜି ତା’ଲାଗି କେତେ ଯେ ଚଉଡା ସେ ଭଲ ଭାବରେ ବୁଝିଛି । ମନ ଭିତରେ ଜମାଟ ବାନ୍ଧି ଆସୁଥିବା ଅସୁମାରୀ ଲୁହକୁ ଆଖି ଭିତରେ ହିଁ ଲୁଚେଇ ଦେବାକୁ ସତ ଚେଷ୍ଟା କରୁଥାଏ । ଏହି ସମୟରେ ହଠାତ୍ ଘର ଭିତରକୁ ପସି ଆସେ ବୋଉ । କାହିଁ ସେଠି ଠିଆ ହୋଇଛୁ । ତୋର ଏ ବୟସରେ ତୋତେ ବିରକ୍ତି ହେବା ଓ ଗାଳିଦେବାଟା ତୋ ବାପାଙ୍କୁ କଣ ଭଲ ଲାଗୁଥିବ ବୋଲି ଭାବୁଛୁ ନା କଣ । ଏଠି ତୋତେ ଗାଳି ଦେଇଦେଇ ଗଲେ ଯେ ରାତି ଯାକ ତୋରି କଥା ହିଁ ଭାବୁଥିବେ । ସେ ଚାହାନ୍ତି ତୁ ବି ଜଣେ ବଡ ମଣିଷ ହୋଇ ଭଲରେ ଘର ସଂସାର କର । ବହୁତ ଖୁସିରେ ରହ । ତାଙ୍କ ଭଳି ଜୀବନରେ ଦୁଃଖ ତୁ ନ ଦେଖେ । ସବୁବେଳେ ଏଇ କଥା ଭାବି ବସନ୍ତି । ତୁ ଯଦି ତାଙ୍କ ଭଳି ବିଲରେ ଖରାରେ ଖଟିବୁ ଆଉ ହାଟରେ ଯାଇ ପରିବା ବିକ୍ରି କରିବୁ ସେ ବରଦାସ୍ତ କରିପାରିବେନି । ଗୋଟିଏ ପୁଅ ଜଣେ ଯନ୍ତ୍ରୀ ଭାବରେ ଯେତେବେଳେ ସମାଜରେ ଚଳିବ ସେତେବେଳେ ତା’ର ତଳଭାଇକୁ କିପରି ସେ ତାଙ୍କ ଭଳି ଖରାରେ ଖଟୁଥିବାର ଦେଖି ସହି ପାରିବେ କହୁନୁ । ସେଇଥିପାଇଁ ସେ ଭବିଷ୍ୟତର ତୋ ଆସନ୍ନ ଦୁଃଖକୁ ସମ୍ଭାଳି ନପାରି ରାଗି ଯାଉଛନ୍ତି । ତୁ ଏବେ କହ ତୋର ଭବିଷ୍ୟତ କେଉଁ ବାଟ ଦେଇଯିବ । ଦଶମ ପରୀକ୍ଷାରେ ଥରେ ଫେଲ୍ ହୋଇ ସପି୍ଲମେଟାରି ପରୀକ୍ଷାରେ ଥାର୍ଡ ଡିଭିଜନ୍‌ରେ ପାସ କଲୁ । ପୁଣି ଆଜି +୨ କଳାରେ ଫେଲ୍ ହୋଇ ଯାଇଛୁ । ବାପାଙ୍କୁ ତ ନିଶ୍ଚୟ ରାଗ ଲାଗିବ ନା ଏଥିରେ ଭାବିବାର କଣ ଅଛି । ମନଦୁଃଖ ନକରି ନିଜେ ଗୋଟିଏ ଭବିଷ୍ୟତ ଗଢିବାର ବାଟ ବାଛେ । ଏତିକି କହି ସାରିଲା ପରେ ତା ହାତ ଧରି ନିଜ ଆଡକୁ ଟାଣି ଆଣି ସୁନା କହିଲା ଚାଲିଲୁ ଚାଲିଲୁ ଖାଇବୁ ବାପା ନଖାଇ ବିଲରୁ ଆସି ସେମିତି ଶୋଇଛନ୍ତି । ତୁ ନ ଖାଇଲେ ସେ କଣ ଶାନ୍ତିରେ ଖାଇ ପାରିବେ । ତେଣୁ ତୁ ଖାଇ ଦେ । ବାପାଙ୍କ ଏପରି ଗାଳିରେ ସତ୍ୟକୁ ଭୋକ ଲାଗିବ ବା କିପରି? ତଥାପି ଧୈର୍ଯ୍ୟଭରା ହୃଦୟରେ ରୁଧିମନ୍ତ ସତ୍ୟ ତା ବୋଉ କଥାରେ ଅଳ୍ପଗଣ୍ଡେ ଖାଇ ଦେଇ ବାଡିପଟ ଆମ୍ବ ଗଛ ତଳେ ଯାଇ ବସି ରହି ଚିନ୍ତା କରିବାରେ ଲାଗିପଡେ । କଣ କରିବ ସେ ? କେଉଁ ବାଟ ବାଛି ନେବ ଜୀବନ ପାଇଁ । ସେ ଆଉ ବାପାଙ୍କୁ ଦୁଃଖ ଦେବାକୁ ଚାହେଁନି । ପ୍ରତି ପରିକ୍ଷାରେ ତାକୁ ଧୋକା ଦେଉଥିବା ସେ ପାଠକୁ ଆଉ ଆପଣେଇବାକୁ ଚାହେଁନି । ପୁନଶ୍ଚ ବାପାଙ୍କର ମାନସମ୍ମାନ କିପରି ଉଚ୍ଚା କରିପାରିବ ଏମିତି ଅନେକ କଥା ଭାବିବାରେ ଲାଗିପଡିଥାଏ । ମନେ ମନେ ଟିକେ ବିଦ୍ୟା ଦେବୀଙ୍କୁ ଓ ନିଜ ଭାଗ୍ୟକୁ ନିିନ୍ଦାକରି ବସେ । କି ଜନ୍ମ ପାଇଲି ଯେ ପାଠ ଯମା ଆସିଲାନି । ଯେତେ ଘୋଷିଲେ ମନେ ରହିଲାନି  କି ପଢିବାକୁ ବି ଆଗ୍ରହ ହେଲାନାହିଁ । ଏହି ପାଠ ଲାଗି ଆଜି ମୁଁ ମୋ ଘରେ,ସମାଜରେ ସବୁଠି ନିନ୍ଦିତ । ଇତିହାସରେ ପଢିଥିବା ସମସ୍ତ ବିଖ୍ୟାତ ମଣିଷମାନଙ୍କ ସହିତ ବର୍ତ୍ତମାନ ସମାଜରେ ସମସ୍ତ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବିଷୟରେ ଭାବି ବସେ । ସମସ୍ତେ କଣ ଖାଲି ପାଠ ପଢି ଅମର ହୋଇଛନ୍ତି । ଭଲ ପାଠ ବିନା ଜୀବନରେ କେହି କଣ ଉନ୍ନତି କରିପାରି ନାହାନ୍ତି । ଜୀବନକୁ ଜିଇଁବା ଏକ କଳା । ଏହି କଳାରେ କିଏ କିପରି ନିଜକୁ ରଙ୍ଗୀନ୍ କରିଛି ତାହା ଭିନ୍ନ । କିଏ ଖେଳରେ ପ୍ରତିଷ୍ଠିତ ତ କିଏ ଦ୍ୟୈଡକୁଦରେ ପ୍ରଖ୍ୟାତ । କିଏ ବେପାର ବଣିଜରେ ଧାନାଢ୍ୟ ତ କିଏ ସୃଜନାତ୍ମକ କାମରେ ଚିର ବନ୍ଦନୀୟ । କାହାର ଚିତ୍ର ନୈପୁଣ୍ୟତା ତାକୁ ଅମର ମଧ୍ୟ କରିପାରିଛି । ତେଣୁ ଭଗବାନ ମୋତେ ବିଦ୍ୟା ସିନା ଦେଇନାହାନ୍ତି । ମୋତେ କଣ କିଛି କାମ ନିଖୁଣ ଭାବରେ କରିପାରିବାର କଳା ଅର୍ପଣ କରିନାହାନ୍ତି, ନିଶ୍ଚୟ କରିଛନ୍ତି । ମୁଁ ଯେଉଁ ହାତରେ ଏତେ ସୁନ୍ଦର କ୍ରିକେଟ୍ ଖେଳି ପାରୁଛି,ଡାଗରପୁଆ ଖେଳି ପାରୁଛି ସେ ହାତରେ କଣ ଆଉ କିଛି କଳା ଲୁଚିକରି ନାହିଁ । ନିଶ୍ଚୟ ଅଛ,ବାସ୍ ମୋତେ ସେ କଳାକୁ ଭଲପାଇ ଆଦରି ନେବାକୁ ପଡିବ । ଏମିତି ଅନେକ କିଛି ଭାବି ବସିଲା ପରେ ମନସ୍ଥ କରିଛି ଘରେ କହି କାଲିଠାରୁ ଭୂବନେଶ୍ୱରକୁ ଯିବ କାମ ଅନ୍ୱେଷଣରେ । ଭୂବନେଶ୍ୱରରେ ତା ମଉସାପୁଅ ଗୋଟିଏ ବେସରକାରୀ କମ୍ପାନୀରେ କାମ କରୁଛି ତାରି ପାଖରେ ରହିବ ।  ନିଶ୍ଚୟ ଏହି ସାତ ଦିନ ଭିତରେ ସେ ଗୋଟିଏ ମର୍ଯ୍ୟାଦା ସମ୍ପୂର୍ଣ୍ଣ କାମ ଖୋଜିବ ଯେଉଁଥିରେ ପାଠର ସେତେ ଆବଶ୍ୟକ ପଡୁନଥିବ ।
         ସତ୍ୟର ବାପା ଶରତ ଜଣେ ଅତି ସାଧାରଣ ମନୁଷ୍ୟ ହୋଇଥିଲେ ସୁଧା ବୁଦ୍ଧି, ବୃତ୍ତି କାର୍ଯ୍ୟ କଳାପରେ ସମ୍ପୂର୍ଣ୍ଣ ଭିନ୍ନ । ତା’ର ଧନ ସମ୍ପତ୍ତି କହିଲେ ତା’ର ଘର ଢିହକୁ ଲାଗିଥିବା ଏକ ଏକର ଢିପ ଜମି । ଯେଉଁ ଜମି ଖଣ୍ଡିକ ତା’ର ଜୀବନର ଭାତହାଣ୍ଡି । ବର୍ଷକ ବାରମାସ ସେହି ଜମିରେ ନାନା ରକମର ସେ ପରିବା ଚାଷ କରେ । ଆଉ ପ୍ରତି ସପ୍ତାହରେ ଦୁଇଦିନ ତା ଗାଁ ପାଖ ହାଟକୁ ଯାଇ ପରିବା ବିକ୍ରି କରିଥାଏ । ସମୟେ ସମୟେ ଅନ୍ୟ ଚାଷୀ ମାନଙ୍କଠାରୁ ପରିବା କିଣି ନିଜ ପରିବା ସହିତ ହାଟରେ ବସି ବିକ୍ରି କରେ । ଦିନ ସାରା ତା’ର କର୍ମ ଭୂମୀ ହେଲା ସେହି ଜମି । ଏଡେ ଛୋଟ ଚାଷୀ ଟିଏ ହୋଇଥିଲେ ବି ତା’ର ତା’ ଗାଁରେ ଖୁବ୍ ସମ୍ମାନ । ସମସ୍ତେ ତାକୁ ସବୁଥିରେ ଖୋଜାଲୋଡା କରିଥାନ୍ତି । ଦେଖିବାକୁ ଚେହେରା ଖୁବ୍ ଡଉଲଡାଉଲ ସହିତ ଭାବଗମ୍ଭୀର ମଧ୍ୟ । ସତ୍ୟପ୍ରିୟ ଓ ମିଷ୍ଠଭାଷୀ ।  ଅନ୍ୟାୟ କାମ ଦେଖିଲେ ସହିପାରେନି କିମ୍ବା ନିଜେ ମଧ୍ୟ କାହାପ୍ରତି ଅନ୍ୟାୟ କରିପାରେନି । ସତ୍ୟପ୍ରିୟ ହୋଇଥିବାରୁ ଶେଷ ପୁଅର ନାଁ ରଖିଥିଲେ ସତ୍ୟ । ଗାଁରେ ଯେତେ ସାମୁହିକ ଯାନିଯାତ୍ରା ମେଳା ମଉତ୍ସବ ସବୁଥିରେ ମାମଲ୍‌ତକାରର ଭୂମିକା ନିଭାଏ । ଗାଁ ର ଶିଖିତ ବ୍ୟକ୍ତି ମାନଙ୍କ ପାଖରେ ନିଜେ ଅଳ୍ପଶିଖିତ ହେଲେ ସୁଦ୍ଧା ତା’ର ମାର୍ଜିତ ଭାଷା ଓ ବ୍ୟବହାର ପାଇଁ ସେମାନଙ୍କ ପାଖରେ ସସମ୍ମାନରେ ବସାଉଠା । ଗାଁରେ ନ୍ୟାୟ ନିସାବରେ ସତେ ଯେମିତି ଶରତ ବିନା ହୋଇପାରେନା । ଗାଁର ପ୍ରତ୍ୟେକ ବ୍ୟକ୍ତିର ଶରତ ଉପରେ ଭରଷା ଓ ବିଶ୍ୱାସ ବହୁତ ବେଶୀ । ଏହାର ମୂଳ କାରଣ ତା’ର ସଚ୍ଚୋଟତା ସ୍ୱଚ୍ଚଳତା ଓ ସହାଯ୍ୟକାରୀ ମନୋଭାବ । ନିଜର ଦୁଇ ପୁଅକୁ ଖୁବ ଆକଟରେ ରଖିଛି । ମୁଣ୍ଡଝାଳ ତୁଣ୍ଡରେମାରି ଦୁଇପୁଅଙ୍କ ପାଠ ପଢାରେ ଆଦ୍ୟୈ ଉଣା କରିନି । ତା’ରି ଫଳ ସ୍ୱରୂପ ଭଗବାନ ଆଜି ତା ବଡ ପୁଅକୁ ସମାଜରେ ଜଣେ ଆଇ.ଆଇ.ଟି ଇଞିନିୟରର ମର୍ଯ୍ୟାଦା ଦେବାର ବାଟ କରିସାରିଛନ୍ତି । ବାକି ରହିଲା ସାନପୁଅ ସତ୍ୟ କଥା ସେ ଦୁଷ୍ଟ ନୁହଁ କି ବାଳୁଙ୍ଗା ନୁହଁ । କିନ୍ତୁ ବିଧିର ବିଚିତ୍ରତାରେ ସତ୍ୟକୁ ଜମା ପାଠପଢା ଆରାଏନି । ଆରାଏନି ମାନେ ତା’ର ପାଠ ଆଦ୍ୟୈ ମନେ ରହେନି । ଭାଇକୁ ଦେଖି  ଲାଗିପଡି ସିନା ପଢେ କିନ୍ତୁ ପଢାରେ ମନ ନଥାଇ ଥାଏ ଖେଳକୁଦରେ । ମାତ୍ର ସତ୍ୟ କିନ୍ତୁ ଚାରତ୍ରିକ ଦୃଷ୍ଟି କୋଣରୁ ତା’ର ବାପାଭଳି ସରଳ,ନିସ୍କପଟ ଓ ସତ୍ୟପ୍ରିୟ । ବାପା କିମ୍ବା ବୋଉ ଆକଟ କଲେ ତାକୁ ଆଦରରେ ମୁଣ୍ଡ ପାତି ସହିନିଏ । 
      ସେଦିନ ରାତିସାରା ସତ୍ୟ ଆଖିକୁ ନିଦ ଆସିନି । କର ଲେଉଟେଇ ପ୍ରତିକ୍ଷା କରିଛି ସକାଳକୁ । ସକାଳ ଆସିଛି, ତା’ ପାଇଁ ଏକ ନୂତନ ଜୀବନର ସମ୍ଭାର ନେଇ । ସକାଳୁ ସକାଳୁ ଉଠି ଗାଧୋଇ ପାଧୋଇ ଅଳ୍ପ ଗଣ୍ଡେ ଜଳଖିଆ ବୋଉକୁ ମାଗି ଖାଇଦେଇ ବାହାରିଛି ଭୂବନେଶ୍ୱର । ଭୂବନେଶ୍ୱର ତା ଘର ଠାରୁ ୮୦ କି.ମି । ତା’ଗ,ଁ ରାଧୁଆ ପଲ୍ଲୀ ନିପଟ ମଫସଲରେ । ଖୋର୍ଦ୍ଧା ବଲାଙ୍ଗୀର ମୂଖ୍ୟରାସ୍ତା ଠାରୁ ତା’ ଗାଁ ର ଦୂରତା ପ୍ରାୟ ୧୭ କି.ମି । ଯାହାକି ବଣ ପାହଡରେ ଘେରା । ରାସ୍ତା ପକ୍‌କା ନ ହୋଇଥିଲେ ମଧ୍ୟ ନାଲି ମହରମ ଗଣ୍ଡେ ପଡିଥିବାରୁ ସାଇକେଲ୍‌,ମଟର ସାଇକେଲ,ଟ୍ରେକ୍ଟର,ଶଗଡ,ଜିପ୍‌,କାର୍ ଆଦି ଯାଆସ କରିପାରେ । ତାଙ୍କ ଗାଁ ପାଖ ଛକରୁ ପ୍ରତିଦିନ ସକାଳ ୮ଟାରେ ଗୋଟିଏ ଓ ଦିନ ୯ଟାରେ ଆଉ ଗୋଟିଏ ଟ୍ରେକର୍ ଲୋକମାନଙ୍କୁ ମୂଖ୍ୟରାସ୍ତା ପର୍ଯ୍ୟନ୍ତ ନେଇକରିଯାଏ ଓ ସନ୍ଧ୍ୟା ବେଳେ ସେମିତି ୫ଟା ଓ ୬ଟାରେ ସେହି ଦୁଇଟି ଟ୍ରେକର୍ ଲୋକମାନଙ୍କୁ ନେଇ ଫେରନ୍ତି । ଭଡା ଜଣକେ ୨୦ଟଙ୍କା ଲେଖାଏଁ ଟ୍ରେକର୍ ନେଇଥାଏ । ଆଉ ଅନ୍ୟ ସହଜ ସାଧନ ହେଲା ସାଇକେଲ୍ ନଚେତ୍ ମଟରସାଇକେଲ୍ । ତାଙ୍କର ତ ମଟର ସାଇକେଲ୍ ନାହିଁ କିମ୍ବା ସେ ସାଇକେଲ୍ ନେଇ ଯାଇପାରିବ ନାହିଁ ଯେହେତୁ ତାକୁ ସେଦିନ ଫେରିବାର ନାହିଁ । ତେଣୁ ସେ ୮ଟା ବେଳେ ଟ୍ରେକର୍‌ରେ ଚାଲିଯିବ ବୋଲି ମନେ ମନେ ସ୍ଥିର କରିଛି । ଖାଇସାରି ବ୍ୟାଗ୍ ଟିଏ ହାତରେ ଧରି ବାହାରିଲା ବେଳକୁ ବାପା,ଘର ବାଡିପଟ ବିଲରେ କଣ ଏକୁଟିଆ କାମ କରୁଥାନ୍ତି । ନମ୍ର ଭାବରେ ବାପାଙ୍କ ପାଖକୁ ଯାଏ । ମୁଣ୍ଡଟି ତଳକୁ କରି ବିନମ୍ରତା ସହକାରେ କହେ ବାପା ମୁଁ ଆଜିଠୁ ଭୂବନେଶ୍ୱର ଯାଉଛି । ମଉସା ପୁଅ ରିଙ୍କୁ ସାଥିରେ ରହିବି । କିଛି କାମ ଖୋଜିବି ନଚେତ କୋଉ କମ୍ପାନୀରେ ଚାକିରୀ କରିବାକୁ ଚେଷ୍ଟା କରିବି । ଶରତ ଏଭଳି ଅପ୍ରତ୍ୟାସିତ ଘଟଣାରେ ସେ କିିଛି କ୍ଷଣ ବିଚଳିତ ହୋଇଯାଏ ଓ କହେ ଆରେ ସତ୍ୟ ତୋତେ ଭୂବନେଶ୍ୱରରେ କେଉଁ କମ୍ପାନୀ କାମ ଦେବ କହିଲୁ । କିଏ ତୋର ଚିହ୍ନା ପରିଚିତ ଅଛି । ଏମିତିତ ପାଠ ନପଢିବାରୁ ଅନେକ ଅପଯଶ ମୁଣ୍ଡେଇଲାଣୁ । ଆଉ ସେଠି ଯାଇ କଣ କରିବୁ? 
       ହଠାତ୍ ସତ୍ୟ ଏକ ଶାନ୍ତ ବିଦ୍ରୋହାତ୍ମକ ଶୈଳୀରେ କହିଛି ବାପା ମୁଁ ଜାଣେ । ମୁଁ ତୁମର ଅଯୋଗ୍ୟ ପୁଅ । ଆମଘରର ଗୋଟିଏ ଅପଦାର୍ଥ । ତଥାପି ବାପା ମୁଁ ତୁମକୁ ଏତିକି କଥା ଦେଉଛି ତୁମ ପୁଅ ତୁମର ମାନସମ୍ମାନ ତଳେ ପଡିଲା ଭଳି କୌଣସି ହେଲେ କାମ କରିବ ନାହିଁ । ହେଲେ ମୁଁ ଆଉ ସେ ପାଠ ପଢିବିନି କାରଣ ଏହି ପାଠ ହିଁ ମୋତେ ଆଜି ତୁମ ଆଗରେ ଅଯୋଗ୍ୟ କରିବାରେ ସମ୍ପୂର୍ଣ୍ଣ ଦାୟୀ । ଶରତ କିଛି ବୁଝି ପାରିନି କଣ କହିବ । ତଥାପି ହଉ ଯଦି ଯାଉଛି ଯାଉ । ତୁ ଯାଇ କୋଉଠି ରହିବୁ । ଶରତ ପଚାରିଛ, ମୁଁ ଯାଇ ରିଙ୍କୁ ପାଖରେ ରହବି । ଠିକ୍ ଅଛି ଯା । ଏହା କହି ଶରତ ପାଦଛୁଇଁ ପ୍ରଣାମ କରି ସତ୍ୟ ଘରକୁ ଫେରିଛି । ସତ୍ୟ ଫେରିବା ସମୟରେ ଶରତ ପଛପଟୁ ହାତ ଦୁଇଟି ଉପରକୁ ଟେକି କହିଛି ହେ ପ୍ରଭୁ ମୋର ଏଭଲି ପୁଅକୁ ଟିକେ ଆଶୀର୍ବାଦ କର । ସତ୍ୟ ଘରୁ ବୋଉ ଠାରୁ ମେଲାଣି ନେଇ ବ୍ୟାଗ୍‌ଟି ଧରି ଯାଇଛି ଟ୍ରେକର୍ ପାଖକୁ । ଟ୍ରେକର୍ ଠିକ୍ ସମୟରେ ଛାଡିଛି । ମୂଖ୍ୟ ରାସ୍ତାରେ ପହଞ୍ଚଭୂବନେଶ୍ୱର ଆସୁଥିବା ବସ୍‌ରେ ସତ୍ୟ ଆସି ଦିନ ୧୨ଟାରେ ବରମୁଣ୍ଡା ବାସ୍‌ଷ୍ଟାଣ୍ଡରେ ପହଞ୍ଚଫୋନ୍ କରିଚି । ରିଙ୍କୁ ସହିତ ମୋବାଇଲ୍ ଫୋନ୍‌ରେ କଥା ହେବା ମୁତାବକ ଟାଉନବସ୍‌ରେ ବସି ଆସି ପହଞ୍ଚଛିରସୁଲଗଡ ଛକରେ । ରସୁଲଗଡ ଓଭର ବ୍ରିଜ୍ ତଳେ ଅପେକ୍ଷା କରି ରହିଥାଏ ରିଙ୍କୁ । ରିଙ୍କୁକୁ ଦେଖି ସତ୍ୟ ବହୁତ ଖୁସି ହୋଇଯାଏ । ଦୁହେଁ ରିଙ୍କୁର ବସାଘରକୁ ଯାଆନ୍ତି । ରିଙ୍କୁ ରାନ୍ଧିଥିବା ଭାତକୁ ଦୁଇଜଣ ଖାଇସାରି ରିଙ୍କୁ ଅଫିସ୍ ବାହାରେ । ହେଲେ ସତ୍ୟ କହେ ରିଙ୍କୁ ମୁଁ ତୋ ସାଇକେଲ୍ ନେଇ ଭୂବନେଶ୍ୱର ବୁଲିବି ଆଉ ଠିକ୍ ସନ୍ଧ୍ୟା ପୂର୍ବରୁ ବସାକୁ ଫେରିଆସିବି । ରିଙ୍କୁ କହିଛି ଠିକ୍ ଅଛି ହେଲେ ହୋସିଆର୍ ହୋଇ ସାଇକେଲ୍ ଚଲେଇବୁ । 
         ରିଙ୍କୁ ଚାଲିଗଲା ପରେ ସତ୍ୟ ସାଇକେଲ ନେଇ ଭୂବନେଶ୍ୱର ବୁଲିବା ଆରମ୍ଭ କରିଛି । ହେଲେ ତା’ର ମୂଖ୍ୟ ଉଦ୍ଦେଶ୍ୟ ଥାଏ କିଛି ଗୋଟିଏ କାମ ଖୋଜିବ ଯେଉଁଥିରେ ତାକୁ ଆନନ୍ଦ ମିଳିବ ଓ ସେ ଶିଖିବ । ସେଦିନ ବୁଲିବୁଲି ସନ୍ଧ୍ୟା ବେଳକୁ ବସାକୁ ଫେରେ । ରିଙ୍କୁର ତା’ର ଦୁଇଜଣ ସାଙ୍ଗ ହୋଇ ରାତିରେ ରୋଷେଇ କରନ୍ତି । ଖାଇକରି ଶୋଇବାକୁ ଯାଆନ୍ତି । ଶୋଇବା ସମୟରେ ସତ୍ୟ, ରିଙ୍କୁକୁ କହେ ରିଙ୍କୁ ଦେଖେ ମୋତେ ତ ପାଠ ଆଦ୍ୟୈ ଆସିଲାନି । ଏବର୍ଷ +୨ ରେ ଫେଲ୍ ହେଲି । ତେଣୁ ମୁଁ ଆଉ ପାଠ ନପଢି କୌଣସି ଏକ କାମ ଶିଖିବାକୁ ଚାହୁଁଛି । ରିଙ୍କୁ କହିଲା କି କାମ ଶିଖିବାକୁ ତୋର ଇଚ୍ଛା । ସତ୍ୟ କହିଲା ଯେଉଁ କାମ ହେଲେ ଚଳିବ ।  ରିଙ୍କୁ କହିଛି ତେବେ ତୁ କେଉଁ ଗ୍ୟାରେଜରେ ରହି ଗାଡି କାମ ଶଖିଲେ ତ ଚଳିବ । ସତ୍ୟ କହିଛି ହଁ ତାହା ବି ଚଳିବ । ରିଙ୍କୁ କହିଛି ତାହା ହେଲେ ଆଖପାଖ ଗ୍ୟାରେଜରେ ବୁଝିଲେ ହେବ । ହେଲେ ବିଧିର ବିଡମ୍ବନା ହେଉ ବ୍ୟବସ୍ଥିତ ପରିକଳ୍ପନା ହେଉ ତା’ ପରଦିନ ଠିକ୍ ଦିନ ୧୧ଟାରେ ରିଙ୍କୁ ପାଖକୁ ଗୋଟିଏ ଚାକିରୀର ଆପଏଣ୍ଟେମଣ୍ଟଛିଠିଟିଏ ପୁନେରୁ ଆସି ପହଞ୍ଚୋ କାରଣ ରିଙ୍କୁ ଇଲେକ୍ଟ୍ରିକାଲ୍ ଟ୍ରେଡରେ ଆଇ.ଟି.ଆଇ କରି ଚାକିରୀ କରୁଥାଏ । ତେଣୁ ସେ ମାସକତଳେ ଦେଇଥିବା ସାକ୍ଷାତକାରରେ ଉତ୍ତର୍ଣ୍ଣହୋଇଥିବରୁ ତାକୁ ପୁନାରେ ଭଲ ଦରମା ସହିତ ଚାକିରୀରେ ଯୋଗ ଦେବାର ଚିଠିଟିଏ ଆସି ପହଞ୍ଚୋ ରିଙ୍କୁ ଚିଠିଟି ଦେଖି ମନ ଆନନ୍ଦରେ ନାଚିଉଠେ । ହେଲେ ସତ୍ୟର ମନ ମରିଯାଏ । ରିଙ୍କୁ ପଳେଇଲେ ସେ କେଉଁଠି ରହିବ ଓ କଣ ଖାଇବ । ତଥାପି ସତ୍ୟ ଘରୁ ଆସିଲା ବେଳକୁ ତା ବୋଉ ତାକୁ ଏକ ହଜାର ଟଙ୍କା ଦେଇଥାଏ । ତେଣେ ରିଙ୍କୁ ତା ଭଡାଘର ବାବଦକୁ ଅଗ୍ରୀମ ମାସକର ଭଡା ଦେଇଦେଇଥାଏ ତେଣୁ ଘର ବର୍ତ୍ତମାନ ମାସକ ପାଇଁ ରିଙ୍କୁର । ତତ୍ ସହିତ ରିଙ୍କୁ ମାସକ ପାଇଁ ପରିବାକୁ ଛାଡି ଦେଲେ ସବୁ ପ୍ରକାର ଖାଦ୍ୟ ସରଞ୍ଜାମ କିଣିସାରିଥାଏ । ତେଣୁ ସତ୍ୟ ପାଇଁ ମାସକ ପର୍ଯ୍ୟନ୍ତ କୌଣସି ଅସୁବିଧା ନାହିଁ । ରିଙ୍କୁ ଏ କଥା ବୁଝେଇ ଦେଇ କୁହେ ତୁ ଏ ଘରେ ଆରାମରେ ରହ ଓ ରୋଷେଇକରି ଖା ଓ ତୋର କାମ ବୁଝୁ । ମୁଁ ପୁନା ଯାଉଛି । ସେଠି ମୋତେ କମ୍ପାନୀ ଘର ଦେଉଛି ଓ ଖାଇବା ପାଇଁ ମଧ୍ୟ କ୍ୟାଣ୍ଟନ୍ ର ବ୍ୟବସ୍ଥା ଅଛି ତେଣୁ ମୋର କିଛି ଅସୁବିଧା ନାହିଁ । ତେଣୁ ରିଙ୍କୁ କାଳବିଳମ୍ବ ନ କରିି ସେହିଦିନ ତତ୍‌କାଳରେ ଟିକେଟ୍ କରି ତା’ପରଦିନ ସକାଳୁ ପୁନା ଚାଲିଯାଏ । ଏଣେ ସତ୍ୟ ଏକୁଟିଆ ଭୂବନେଶ୍ୱରରେ ରହି କାମ ଖୋଜିବାରେ ଲାଗେ । 
       ଦୁଇ ଦିନ ବୁଲିଲା ପରେ ସେଦିନ ସୋମବାର ଥାଏ । ସତ୍ୟ ସାଇକେଲରେ ଆସି ରସୁଲଗଡ ଠାରୁ ଶିଳ୍ପାଞ୍ଚଳ ଦିଗକୁ ଗଲାବେଳକୁ ଗୋଟିଏ ପାଞ୍ଚମହଲା ବିଶିଷ୍ଟ ବିରାଟ ଅଟ୍ଟାଳିକା କାମ ହେଉଥିବାର ଦେଖେ । ସେହି ଅଟ୍ଟାଳିକା ତଳେ ସାଇକେଲ୍ ଚାବି ପକେଇ କାମ ହେଉଥିବା ସ୍ଥାନକୁ ଗଲା ବେଳକୁ ଦେଖେ ସେଠାରେ ଏକ ଆପଏଣ୍ଟମେଣ୍ଟ୍ ପ୍ରତିଘରର ଦ୍ୱାର ପାଇଁ ଦୁଆର ବନ୍ଧ ଓ କବାଟ କାମ ଚାଲିଛି । ଜଣେ ମହାରଣା ଠିକାଦାର ସବୁ କାମର ତତ୍ୱାବଧାନ ନେଉଥାନ୍ତି । ସତ୍ୟ ଆଉ ଡେରିନକରି ଧୀର ଭାବରେ ଠିକାଦାରଙ୍କ ପାଖକୁ ଯାଇ କୁହେ ବାବୁ ମୁଁ କାମ ଖୋଜୁଥିଲି । ଯଦି ଆପଣ ମୋତେ କାମ ଦିଅନ୍ତେ ତେବେ ମୁଁ ଖୁସି ହୁଅନ୍ତି । ଠିକାଦାର ଜଣଙ୍କ ପଚାରନ୍ତି କି କାମ ତୁମେ କରିପାରିବ । ସତ୍ୟ କହେ ମହାରଣା ଭାଇଙ୍କ ପାଖରେ ତାଙ୍କର ହେଲ୍ପର ଭଳି କାମ କରିପାରିବି । ଠିକାଦାର ଜଣଙ୍କ ସତ୍ୟର ଆଲି ପାଲି ଓ କଥାବାର୍ତ୍ତାଢଙ୍ଗ ଦେଖି ପଚାରନ୍ତି । ତୁମେ ପାଠ କେଉଁ ପର୍ଯ୍ୟନ୍ତ ପଢିଛ । ସତ୍ୟ କହେ +୨ ଫେଲ୍ । ପଢିବାକୁ ଇଚ୍ଛାହେଲାନି । ଆଉ ପଢିଲେ ବି ପାଠ ଜମାରୁ ହେଉନାହିଁ ତେଣୁ କୌଣସି କାମ ଶିଖିବାକୁ ମନସ୍ଥ କରିଛି । ଠିକାଦାର ଜଣକ ସତ୍ୟର ଏଭଳି କଥାଶୁଣି କୁହନ୍ତି ଠିକ୍ ଅଛି ତମେ କାମ କର ହେଲେ ଦିନକୁ ୩୫୦ଟଙ୍କା ମଜୁରି ଦେବି । ସତ୍ୟ ଏକଥା ଶୁଣି ବହୁତ ଖୁସି ହୋଇଯାଏ । କୁହେ ହଁ ଆଜ୍ଞା ଚଲିବ । ଆଉ ଯଦି ଆପଣ ମୋ କାମରେ ଖୁସି ନ ହୁଅନ୍ତି ତେବେ ମୋତେ କାମରୁ ବିଦା କରିଦେବେ । ଏ କଥା ଶୁଣି ଠିକାଦାର ଜଣକ ବୁଝିଯାଆନ୍ତି ଯେ ଏ ହେଉଛି ଗୋଟିଏ ସଚ୍ଚୋଟ ପିଲା । ଠିକ୍ ଅଛି । କେଉଁ ଦିନ ଠାରୁ କାମକୁ ଆସିବ,ଠିକାଦାର ପଚାରନ୍ତି । ଆପଣ ଯଦି କୁହନ୍ତେ ଆଜିଠାରୁ କାମରେ ଲାଗି ଯାଆନ୍ତି । ଠିକାଦାର୍ ଜଣଙ୍କ ଆହୁରି ହତବାକ୍ ହୋଇ କିଛିକ୍ଷଣ ନୀରବ ରହି କହନ୍ତି ଠିକ୍ ଅଛି । ଆଜିଠୁ କାମ୍ କର । ସତ୍ୟ ମନ କୁଣ୍ଢେ ମୋଟ । ଠିକାଦାରଙ୍କ ନିର୍ଦ୍ଦେଶ ମୁତାବକ ସତ୍ୟ ସେଠାରୁ ଯାଇ ତୃତୀୟ ମହଲାର କାମ କରୁଥିବା ଦନେଇ ମହାରଣାର ହେଳ୍‌ଫର ଭାବରେ କାମରେ ଲାଗିଯାଏ । ଦନେଇ ମହାରଣାର ବୟସ ପାଖାପାଖି ପଞ୍ଚାବନ । ଶରୀରରେ ସେତେ ସତେଜତା ନଥାଏ । ସତ୍ୟକୁ ଦେଖି ପଚାରେ ଆରେ ସବୁ କାମ କରିପାରିବୁଟ,ହଁ ମଉସା ସବୁ କାମ କରିପାରିବି । ହଉ ଠିକ୍ ଅଛି । 
                                                    ୮
       ସତ୍ୟ ସବୁଦିନ ଠିକ୍ ସମୟରେ କାମରେ ପହଞ୍ôଚଯାଏ ଏବଂ ମନ ପ୍ରାଣ ଲଗାଇ କାମ କରେ । ଏକମାସ ଭିତରେ ସତ୍ୟର ସଚ୍ଚୋଟତା କର୍ମଠ,ସାଧାସିଧା ଗୁଣ ଓ ନମ୍ର ବ୍ୟବହାରରେ ଦନେଇ ମହାରଣା କଣ ଠିକାଦାର ଶ୍ୟାମବାବୁ ବହୁତ ଖୁସି ହୋଇଯାଆନ୍ତି । ଦିନେ ସତ୍ୟକୁ ଡାକି ତା’ ଘର ବିଷୟରେ ପଚାରନ୍ତି । ସତ୍ୟ ସବୁ ସତ କଥା କହେ ହେଲେ ସେ କୁହେନି ଯେ ତା’ର ବଡ ଭାଇ ଆଜି ଆଇ.ଆଇ.ଟି କାନପୁରରେ ପଢୁଛି । ଶ୍ୟାମବାବୁ ମନେମନେ ବିଚାର କରନ୍ତି ଆଜିଠୁ ସତ୍ୟ ମୋ ସାଙ୍ଗରେ ରହି ମୋର ସବୁ କାମ ବୁଝୁ । ତା’ର ଆଉ ମହାରଣା କାମ କରିବା ଦରକାର ନାହିଁ । ସେ ସବୁ କାମର ତଦାରଖ କରୁ । ଶ୍ୟାମବାବୁ କୁହନ୍ତି ସତ୍ୟ କାଲିଠାରୁ ତୁ ଆଉ ଏ କାମ କରିବୁନି । ତୁ କାଲିଠାରୁ ମୋର ଭୂବନେଶ୍ୱରରେ ଯେଉଁଠି ଯେଉଁଠି କାମ ସବୁ ଚାଲିଛି ତୁ ତାହାର ତଦାରଖ କରିବୁ । କାମ ଠିକ୍ ଚାଲିଛି କି ନାହିଁ । ଭୂଲ ଚାଲିଛି କି ଠିକ୍ ଚାଲିଛି ତାହା ସବୁ ଦେଖିବୁ ଓ ମୋତେ ଜଣେଇବୁ ଆଉ ତୋତେ ମୁଁ ମାସକୁ ଦରମା ୧୨୦୦୦ ଟଙ୍କା ଦେବି । ସତ୍ୟ ଏହା ଶୁଣି ଆନନ୍ଦରେ ବିଭୋର ହୋଇ ପଡେ ସତେ ଯେମିତି ଭାଗ୍ୟ ଦେବୀ ତା’ ଉପରେ ଆଜି ପ୍ରସନ୍ନ ହୋଇଛନ୍ତି ।
       ମୁହଁ ତଳକୁ ପୋତି ଉତ୍ତର ଦିଏ ଠିକ୍ ଅଛି ସାର୍ । ମୁଁ କାଲିଠାରୁ ଆପଣଙ୍କ କାମ କରିବି । ଶ୍ୟାମବାବୁ କୁହନ୍ତି ଆରେ ମୋ କାମ ନୁହଁ । ମୋ ସାଙ୍ଗରେ କାମ କରିବୁ । ଶ୍ୟାମବାବୁଙ୍କର ସମସ୍ତ କାମ ଗୁଡିକ ସତ୍ୟ ଅତି ସୁନ୍ଦର ଭାବରେ ଦେଖାଶୁଣା କରେ । ଏହି କାମ କରିବା ଭିତରେ ସତ୍ୟ ଶ୍ୟାମବାବୁଙ୍କର ଅତିପ୍ରିୟ ଓ ଏମିତିକା ମଧ୍ୟ ଶ୍ୟାମବାବୁଙ୍କ ପରିବାରର ଜଣେ ବିଶ୍ୱସ୍ତ ସଦସ୍ୟ ହୋଇଯାଏ । ଶ୍ୟାମବାବୁ ତ କଣ୍ଟ୍ରାକ୍ଟର ବ୍ୟକ୍ତି । ଅଚଳାଚଳ ସମ୍ପତ୍ତିା ତାଙ୍କର ଗୋଟିଏ ପୁଅ ଯେ ସେ ଯାଇ ଜର୍ମାନୀରେ ପାଠ ପଢୁଛି ଓ ଝିଅଟି ବାଙ୍ଗାଲୋରରେ ପାଠ ପଢୁଚି । ଶ୍ୟାମବାବୁ ବି ଏ ସାଧାରଣ କଣ୍ଟାକ୍ଟର୍ ମାନଙ୍କ ଭଳି ଶ୍ରମିକ ମାରଣ ନିତିକୁ ଧେୟ କରିନଥାନ୍ତି । ତାଙ୍କର ଜୀବନଦର୍ଶନ,ସେ ଭଲରେ ରହିବା ସହିତ ସମସ୍ତେ ବି ଖୁସିରେ ରୁହନ୍ତୁ । କମ୍ପାନୀ ବି ଭଲ ଚାଲୁ ଏଇଥିପାଇଁ ସେ ତାଙ୍କ ଠିକା ସଂସ୍ଥାରେ ଯେତେ ଶ୍ରମିକ କାମକରନ୍ତି ସମସ୍ତଙ୍କର ଭାରି ପ୍ରିୟ । ସମସ୍ତଙ୍କ ସୁଖ ଦୁଃଖ କଥା ଯଥୋଚିତ ବୁଝିଥାନ୍ତି ।
       ଏଣେ ସତ୍ୟ ମଝିରେ ମଝିରେ ଗାଁ କୁ ବୁଲିବାକୁ ଆସେ । ହେଲେ ବାପା ବୋଉଙ୍କୁ ଏତେ ଦରମା ପାଉଛି ବୋଲି କୁହେ ନାହିଁ । କୁହେ ହଁ ଗୋଟିଏ କମ୍ପାନୀରେ କାମ କରୁଛି । କିନ୍ତୁ ଘରକୁ କେବେକେବେ ଆସିଲା ବେଳେ ବାପା ବୋଉଙ୍କ ପାଇଁ ମିଠା,ଫଳମୂଳ ନେଇକରି ଆସେ । ଏହାକୁ ଦେଖି ଶରତ ମନେ ମନେ ଯେତିକି ଖୁସି ହୁଏ ନାହିଁ ତାଠୁ ତା ବୋଉ ବହୁତ ଖୁସି ହୁଏ । ତା ବାପା କୁହନ୍ତି କେତେ ପଇସା ତୁ କମ୍ପାନୀରୁ ପାଉଛୁ ଯେ ଏତେ ସବୁ ଜିନିଷ ଆଣୁଛୁ । ଆଣିବା ଦରକାର ନାହିଁ । ନିଜ ପାଖରେ ପଇସା ରଖ । ସତ୍ୟର ଦିନ ଗୁଡିକ ଅତି ଆନନ୍ଦରେ କଟିଚାଲେ । ଚାହୁଁ ଚାହୁଁ ତିନିବର୍ଷ ବିତିଯାଏ । ତେଣେ ସତ୍ୟର ଭାଇ ସାରଥୀ କ୍ୟାମ୍ପସ୍ ସିଲେକ୍ସନ୍‌ରେ ବମ୍ବେରେ ଏକ କେମିକାଲ କମ୍ପାନୀରେ ଚାକିରୀ ପାଏ । ଯେତେବେଳେ ଶରତ ଏ ଭଳି ଖୁସି ଖବର ଶୁଣେ ତା ଗୋଡ ଆଉ ତଳେ ଲାଗେନି । ଆତ୍ମହରା ହୋଇପଡେ ସେ  ନିଜର ସ୍ତ୍ରୀ ସୁନା ପାଖକୁ ଯାଇ ଚିତ୍କାର କରି କହେ ଆଜିଠୁ ଆମ ଦୁଃଖ ଜୀବନର ପରିସମାପ୍ତି ଘଟିଲା । ଭଗବାନ ଆମକୁ ସାରଥୀ ଭଳି ଯୋଗ୍ୟବନ୍ତ ପୁଅ ଦେଇ ଧନ୍ୟ କରିଦେଲେ । କିଛି ସମୟ ଖୁସି ପରେ ସତ୍ୟ କଥା ଭାବି ଟିକେ ମନରେ ଦୁଃଖ ବି ଆସେ ।  ଭୂବନେଶ୍ୱରରେ କି କମ୍ପାନୀ ଚାକିରୀ କରିଛି କେଜାଣି ତା’ର ଧାଡିନାଡି କିଛି ନାହିଁ । ହଉ ପ୍ରଭୁ ମୋର ଅଯୋଗ୍ୟ ପୁଅଟିକୁ କିପରି କୂଳରେ ଲଗେଇ ଦିଅ । ସତ୍ୟ ମଧ୍ୟ ଭାଇର ଚାକିରୀରେ ଖୁସି ଅନୁଭବ କରେ ।
         ଏଭଳି କଥାକୁ ଶରତ ନିଜ ଭିତରେ ରଖି ପାରେନି । ସାହି ପଡିଶା, ସାଙ୍ଗସାଥୀ ସମସ୍ତଙ୍କ ଆଗରେ କହିଚାଲେ । ଏହିପରି ତିନିମାସ ସମୟ ବିତିଯାଏ । ପ୍ରଥମ ଥର ପାଇଁ ସାରଥୀ ଘରଠୁ ଯାଇ ସତ୍ୟ ପାଖକୁ ଦଶହଜାର ଟଙ୍କା ପଠାଏ । ସତ୍ୟ ନେଇ ଯେତେବେଳେ ଗାଁରେ ବାପାକୁ ଦିଏ ଶରତ କୁହେ ନାଁ, ନାଁ ପ୍ରଥମ ରୋଜଗାର ମୋ ପୁଅର । ଯା ପ୍ରଥମେ ବୋଉକୁ ଦେବୁ । କହିବୁ ସେଥିରୁ କିଛି ପଇସା ଆଗ ଘର ଦିଅଙ୍କ ପାଖରେ ରଖି ଦେବ । ସତ୍ୟ ସେଇଆ କରେ । ହେଲେ ଶରତ ଓ ସୁନାର ମନ ଜମା ଥୟ ହୁଏ ନାହିଂ । ଟିକିଏ ପୁଅ ସହିତ କଥା ହେଲେ ବହୁତ ଖୁସି ଲାଗନ୍ତା । ମାତ୍ର ସେତେବେଳେ ଗାଁ ଗଣ୍ଢାରେ ଟେଲିଫୋନ୍ ବ୍ୟବସ୍ଥା ନଥାଏ କିମ୍ବା ଆଜି କାଲିକା ଭଳି ମୋବାଇଲ୍ ମଧ୍ୟ ନଥାଏ । ସହରମାନଙ୍କୁ ଗଲେ ଫୋନ୍‌ରେ କଥା ହୋଇ ପାରିବ । ତେଣୁ ଶରତ ପାଖରେ ଫୋନ୍‌ରେ ପୁଅ ସାଙ୍ଗରେ କଥା ହେବାକୁ ହେଲେ ଖୋର୍ଦ୍ଧା ନଚେତ୍ ଭୁବନେଶ୍ୱର କୁ  ଯିବାକୁ ହିଁ ପଡିବ । ପୁଣି ଫୋନ୍ ଲଗେଇଲା ବେଳେ ପୁଅ ଫୋନ ଧରିବ କି ନାହିଁ ତାହାର ନିର୍ଦ୍ଧିଷ୍ଟ ତା ନଥାଏ ।  ତେଣୁ ଏହା ତା ପାଇଁ ଗୋଟିଏ କଷ୍ଟକର ପାଠ ଥାଏ । ମାତ୍ର ସତ୍ୟ ସମୟେ ସମୟେ ଭୂବନେଶ୍ୱରରେ ଥାଇ ଭାଇ ସାଙ୍ଗେ କଥା ହୋଇଯାଏ । ଶରତ କହେ ତୁ ଭାଇକୁ କହିବୁ ଛୁଟି ନେଇ ଆସିବ । ତା’ ବୋଉ ବ୍ୟସ୍ତ ବିବ୍ରତ ହେଲାଣି ତାକୁ ଦେଖିବା ପାଇଁ । ସତକୁ ସତ ଚାକିରୀ କରିବାର ୬ ମାସପରେ ସାରଥୀ ଗାଁକୁ ଆସେ । ସାରଥୀ ଆସିବାରୁ ଶରତ ଗାଁ ମନ୍ଦିରରେ ଗାଁ ଲୋକଙ୍କ ପାଇଁ ଏକ ପ୍ରସାଦ ସେବନ ବ୍ୟବସ୍ଥା କରେ ଯାହାକୁ ସତ୍ୟ ସବୁ ବୁଝାସୁଝା କରେ । ପରେ ପରେ ସାରଥୀ ମାତ୍ର ୪ଦିନ ରହି ପୁଣି ବମ୍ବେ ଫେରିଯାଏ । 
      ମାତ୍ର ଦ୍ୱିତୀୟଥର ସାରଥୀ ଯେତେବେଳେ ନିଜ ଚାକିରୀକୁ ଚାଲିଯାଏ କଣ ହୁଏ କେଜାଣି ତା’ର ଆଉ ଘର କଥା ଯମା ମନେ ପଡେନି । ବାପା ବୋଉଙ୍କ କଥା ବି ମନେ ପଡେନି । ସତ୍ୟ ସହିତ କେବେ କେମିତି କଥା ହୁଏ, ଯେବେ ସତ୍ୟ ତା’ ଆଡୁ ତାକୁ ଫୋନ୍ କରେ । ଟଙ୍କା ପଠାଇବାର ଆଉ ନାଁ ଗନ୍ଧ ନିଏନି । ସତ୍ୟ ଯଦି ଟଙ୍କା କଥା କେବେ ବାପା କହୁଥିଲେ ବୋଲି କୁହେ ସଙ୍ଗେସଙ୍ଗେ ସେ ଉତ୍ତର ଦିଏ ଏଠି ମୋ ପାଖରେ ପଇସାର ଅଭାବ । ତୁ ବୁଝୁଥା ବାପାବୋଉଙ୍କ କଥା  ଯେବେ ଘରକୁ ଆସିବାକୁ କୁହେ ଉତ୍ତର ଆସେ କମ୍ପାନୀରେ ଏବେ ଛୁଟି ନାହଁ । 
           ଭୂବନେଶ୍ୱରରେ ସତ୍ୟ ସେତେବେଳକୁ ତା ଭଳିଆ ହୋଇସାରିଥାଏ । ଶ୍ୟାମବାବୁଙ୍କ ଘରେ, ସତ୍ୟ କମ୍ପାନୀର ସବୁ କିଛି ବୋଲି ସମସ୍ତେ ଗ୍ରହଣ କରନିଅନ୍ତି । ସତ୍ୟର ସଚ୍ଚୋଟତା ଆଗରେ ଶ୍ୟାମବାବୁଙ୍କର ମୁଣ୍ଢ ନଇଁ ଯାଏ । ମନେମନେ ଭାବନ୍ତି ତା’ଙ୍କ ନିଜ ପୁଅ ସିନା ଜର୍ମାନୀରେ, ହେଲେ ଭଗବାନ ତାଙ୍କ ପାଇଁ ଆଉ ଗୋଟିଏ ପୁଅ ଦେଇଦେଇଛନ୍ତି । ଶ୍ୟାମବାବୁଙ୍କୁ ଟିକେ ହେଲେ ଟେନ୍‌ସନ୍ ଦେବାକୁ ସତ୍ୟ ଚାହେଁ ନାହିଁ । ଶ୍ୟାମବାବୁ କେବଳ ଅର୍ଡର ଆଣି ଧରେଇ ଦିଅନ୍ତି ଓ ପ୍ରେମେଣ୍ଟକଥା ମଧ୍ୟ ବୁଝନ୍ତି ମାତ୍ର ସବୁ କାମ କେମିତି ଠିକ୍ ସମୟରେ ସରିବ, ଶ୍ରମିକ ମାନେ କିପରି ନଠକିବେ, କାମ ଭଲହେବ ଓ ଲାଭ ହେବ ଏସବୁ କଥା ସତ୍ୟର । ସେ ଏଥିରେ ଟିକେ ହେଲେ ବି ହେଳା କରେନାହିଁ ।
      ସତ୍ୟ ପାଇଁ ଶ୍ୟାମବାବୁ ଚିନ୍ତା ଶୂନ୍ୟ । ସଂସ୍ଥାର ଲାଭ ମଧ୍ୟ ବଢିବଢିଚାଲେ । ଦିନେ ହଠାତ୍ ଶ୍ୟାମବାବୁ କହନ୍ତି ଆରେ ସତ୍ୟ ତୋତେ ଏହି ଭୂବନେଶ୍ୱରରେ ଗୋଟିଏ ଘର ଦେଉଛି ତୁ ଏଇଠି କି ତୋ ବାପାବୋଉଙ୍କୁ ନେଇଆ ଓ ଏଇଠି ରୁହ । ସତ୍ୟ କହେ ନାହିଁ ସାର୍ ମୋ ବାପା ବୋଉ ସେହି ଗାଁରେ ଠିକ୍ । ମୁଁ ଭାବୁଛି  ମୋରି ପାଇଁ ଗୋଟିଏ ଜାଗା କିଣି ଘର କରିବି ଏହି ଭୂବନେଶ୍ୱର ପାଖାପାଖି । ଶ୍ୟାମବାବୁ ଶୁଣି କହିଲେ ଠିକ୍ ଅଛି । କେତେ ଟଙ୍କା ରଖିଛୁ କହ । ସତ୍ୟ  କହେ ନାଇଁ ମୋ ପାଖରେ ବର୍ତ୍ତମାନ ମାତ୍ର ଦେଢଲକ୍ଷ ଟଙ୍କା ଅଛି । ଶ୍ୟାମବାବୁ କହନ୍ତି ସେଥିରୁ ମୋତେ ତୁ ଲକ୍ଷେ ଟଙ୍କା ଦେ ଆଉ ପଚାଶ ହଜାର ପାଖରେ ରଖ । ମୁଁ ତୋ ପାଇଁ ଗୋଟିଏ ଜାଗା କିଣି ଦେବି । ଆଉ ଶୁଣୁ ମୋ କାମ ବୁଝିବା ସହିତ ମୁଁ ତୋ ପାଇଁ ଗୋଟିଏ ଅଲଗା କାମ ଆଣି ଦେବି । ତୁ ସେଥିରେ ତୋ ପାଖରେ ଥିବା ପଇସା ଲଗେଇ ଲୋକ ଆଣି ସେ କାମ ସାରିବୁ ଆଉ ସେ କାମରୁ ଯେତେ ଲାଭ ହେବ ସବୁ ତୋର । ଏଣିକି ତୁ ନିଜ ଗୋଡରେ ବେପାର କଲେ ମୋତେ ଭଲ ଲାଗିବ । ସତ୍ୟ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଏ । ସେ ତା’ ପରଦିନ ବାବୁଙ୍କୁ ରଖିଥିବା ଲକ୍ଷେ ଟଙ୍କା ଆଣି ଦେଇଦିଏ ଆଉ ଶ୍ୟାମବାବୁ ତା ପାଇଁ ଭୂବନେଶ୍ୱର ଖୋର୍ଦ୍ଧି ରୋଡ ଠାରୁ ୩କି.ମି ଭିତରେ ଏକ ଜାଗା କିଣି ତା’ ଚାରିପଟେ ପାଚେରୀ କରି ତାକୁ ଦେଇ ଦିଅନ୍ତି । ଏତେ ଉନ୍ନତି କଲାପରେ ମଧ୍ୟ ସତ୍ୟ ସେ ସବୁ କଥାକୁ ତା’ ଘରେ କୁହେ ନାହିଁ । ତେଣେ ନିଜ କାମ କରି ବହୁତ ଲାଭ ବାନ ହୁଏ ଓ ଗୋଟିଏ ଛୋଟ ଠିକାଦାରର ମାନ୍ୟତା ପାଇଯାଏ ।
         ସତ୍ୟ ଜାଣେ, ବାପା ତା’ ରୋଜଗାର ପଇସା ପାଇଲେ ଆଦ୍ୟୈ ଖୁସି ହୁଅନ୍ତି ନାହିଁ । ଭାଇ ପାଇସାରେ ସେ ବହୁତ ଆନନ୍ଦ ଓ ଗର୍ବ ଅନୁଭବ କରନ୍ତି । ସେ ତା ବାପାଙ୍କ ମୁହଁରେ ହସ ଦେଖିବା ପାଇଁ ମିଛରେ ନିଜ ଟଙ୍କାକୁ ନେଇ ବାପାଙ୍କୁ ୫୦୦୦ଟଙ୍କା ଦେଇ କୁହେ ଭାଇ ପଠେଇଛି ।  ଘରେ ଶରତ ଓ ସୁନା ଭାରି ଖୁସି ହୁଅନ୍ତି । ଏମିତି ପ୍ରତି ଦୁଇମାସରେ ଥରେ ୫୦୦୦ଟଙ୍କା ଲେଖାଏଁ ସତ୍ୟ ନିଜ ରୋଜଗାରରୁ ଭାଇ ପଠେଇଛି କହି ବାପାଙ୍କୁ ଦିଏ ଓ ସେମାନେ ମହା ଆନନ୍ଦରେ ସାରଥୀର ଘରବାହୁଡାକୁ ଆସିବାକୁ ଅନେଇ ବସନ୍ତି । ମାତ୍ର ସାରଥୀର ଆଚରଣରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଅନୁଭବ କରେ ସତ୍ୟ । ସମୟେ ସମୟେ ଫୋନ୍ ଉଠାଏ ନାହିଁ । ଯେବେ ଉଠାଏ ବ୍ୟସ୍ତତା ଓ ଅଭାବ କଥା କହେ । ସତ୍ୟ ମନରେ ତା’ ଭାଇ ପ୍ରତି ସନ୍ଦେହ ହୁଏ । କିଛି ଅଘଟଣା ଘଟିନିତ? ମନେମନେ ଭାବେ ନିଜେ ବମ୍ବେ ଯିବ ଓ ଭାଇର କମ୍ପାନୀରେ ଭାଇକୁ ଥରେ ଦେଖି ଆସିବ । ଏମିତି ଭାବିଭାବି ବୁଲିବା ବାହାନାରେ ଶ୍ୟାମବାବୁଙ୍କ ଅନିମତି ନେଇ ମାତ୍ର ଘରେ ନଜଣାଇ ବମ୍ବେ ପଳାଏ । ସେତବେଳକୁ ସତ୍ୟ ଆଉ +୨ ଫେଲ୍ ସତ୍ୟ ହୋଇନଥାଏ ବରଂ ଜଣେ ଛୋଟ କଣ୍ଟ୍ରାକ୍ଟର ର ସମସ୍ତ ଆଚରଣ ଓ ଉଚ୍ଚାରଣ ତାର ବ୍ୟକ୍ତିତ୍ୱରେ ପରିଣତ ହୋଇ ସାରିଥାଏ ।
         ସତ୍ୟ ଯେତେବେଳେ ବମ୍ବେରେ ପହଞ୍ଚେଭାଇ କମ୍ପାନୀର ଫାଟକ ପାଖରେ ପହଞ୍ôଚ ଗେଟ୍‌କିପର୍‌କୁ ଭାଇ ବିଷୟରେ ପଚାରେ ସେ ହିନ୍ଦୀରେ କହେ  ଯାହାର ଅର୍ଥ ଆଜି ତ ସାରଥୀ ବାବୁ ନାହାନ୍ତି । ସେ ତାଙ୍କ ପତ୍ନୀଙ୍କ ସହିତ ସାତଦିନ ପର୍ଯ୍ୟନ୍ତ ଛୁଟିନେଇ ମନାଲି ବୁଲିବାକୁ ଯାଇଛନ୍ତି । ସତ୍ୟ ସବୁ କଥା ଜାଣିବା ପାଇଁ ଚତୁରତାର ସହ କହେ ମୁଁ ତାଙ୍କ ଗାଁ ପାଖର ଜଣେ ସାଙ୍ଗ । ତା’ ସ୍ତ୍ରୀ କଣ ଏହି କମ୍ପାନୀରେ ଚାକିରୀ କରୁଛି । ଗେଟ୍ କିପର୍ କୁହେ ହଁ । ସେମାନେ ବି ଏହି କିଙ୍ଗ୍‌ସର୍କଲରେ ଗୋଟିଏ  ଆପଏଣ୍ଟମେଣ୍ଟ୍‌ଭଡାଘର ନେଇ ତାଙ୍କ ବିବାହ ପରଠାରୁ ରହୁଛନ୍ତି । ସତ୍ୟ ପଚାରେ ସେ କେବେଠୁ ବିବାହ କଲେଣି । ଗେଟ୍ କିପର୍ କଲେ ଏହି ୪ମାସ ହେଲା । ସତ୍ୟ ଏ ସମସ୍ତ କଥା ଶୁଣି ଆଉ ଧୈର୍ଯ୍ୟଧରି ସେଠି ରହି ପାରେନି । ଆତ୍ମାରେ ଆଘାତ ହେଲାପରି ମୁହଁ ତଳକୁ ପୋତି ସେଠୁ ଫେରି ଆସେ ଭୁବନେଶ୍ୱର । ଏ ସମସ୍ତ କଥା ନିଜ ପେଟ ଭିତରେ ଲୁଚେଇରଖି ବାପା ବୋଉଙ୍କୁ କିପରି ଖୁସିରେ ରଖିବ ସେଇ କଥା ଚିନ୍ତା କରେ । ସେ ଜାଣେ ଯଦି ବାପା ଏସବୁ କଥା ଜାଣନ୍ତି ତାଙ୍କର କଣ ହୋଇଯାଇ ପାରେ । ଗାଁ ଓ ଅଞ୍ଚଳରେ ଥିବା ତାଙ୍କ ପତିଆରା ମାଟିରେ ମିଶିଯାଇପାରେ । ଏସବୁ କଥାକୁ ମୋତେ ହିଁ ଲୁଚେଇରଖି ମ୍ୟାନେଜ୍ କରିବାକୁ ପଡିବ । 
       ସେହିଦିନଠାରୁ ସତ୍ୟ ପ୍ରତି ଦୁଇମାସରେ ଘରକୁ ୮୦୦୦ଟଙ୍କା ଲେଖାଏଁ ଦେଇ କହେ ଭାଇ ପଠେଇଛି । ତା’ ବାପା ବୋଉ ଖୁସି ତ ହୁଅନ୍ତି ମାତ୍ର ସେମାନଙ୍କର ଇଚ୍ଛା ପୁଅ ସାରଥୀ ଘରକୁ ଆସୁ ଆମେ ଟିକେ ଦେଖିବୁ । ସତ୍ୟ ସବୁବେଳେ କଥାକୁ ଏଇ ବାହାନାରେ ଟାଳିଦିଏ ଯେ ବର୍ତ୍ତମାନ ଭାଇ କମ୍ପାନୀରେ ବହୁତ କାମ ତେଣୁ ତାକୁ ଛୁଟି ମିଳିବା ଅସମ୍ଭବ । ଏମିତି ଥରେ ତା ବାପା ବୋଉ ଜିଦ କରନ୍ତି ଯେ ଆମକୁ ଭୁବନେଶ୍ୱର ନେଇଚାଲେ ତା ସହିତ ଟିକେ କଥା ହୋଇଯିବୁ ମନ ଭଲ ଲାଗିବ ।  ସତ୍ୟ ବମ୍ବେରୁ ଫେରିଲା ପରଠାରୁ ନିଜ ଆଡୁ ଆଉ କେବେ ସାରଥୀଭାଇକୁ ଫୋନ୍ କରିନି । ସେ ମଧ୍ୟ କେବେ କରିନି । ଯାହାହେଉ ବାଧ୍ୟବାଧକତାରେ ବାପାବୋଉଙ୍କୁ ଗୋଟିଏ ଅଟୋଭଡା କରିଆଣି ଭୁବନେଶ୍ୱରରେ ପହଞ୍ଚୋ ଭାଇ ପାଖକୁ ଫୋନ୍ ଲଗେଇଲା ବେଳକୁ ଅଫିସ୍ ରୁ ଉତ୍ତର ଆସେ ଯେ ସେ ବର୍ତ୍ତମାନ ଅଫିସ୍ କାମରେ ବାହାରକୁ ଯାଇଛନ୍ତି । ତାଙ୍କ ସଙ୍ଗେ କଥା ହୋଇ ପାରିବ ନାହିଁ । ଶରତ ଓ ସୁନାର ମନ ବହୁତ ଦୁଃଖ ହୋଇଯାଏ । କେତେ ଆଶା ନେଇ ଆସିଥିଲେ ମାତ୍ର କଥା ହୋଇ ପାରିଲା ନାହଁ । ହଉ ଆଉ କେବେ କହି ଘରକୁ ମନଦୁଃଖରେ ଫେରନ୍ତି । ମାତ୍ର ତା’ ପରଦିନ ଯେତେବେଳେ ସତ୍ୟ  ସାରଥୀ ଅଫିସ୍ କୁ ପୁଣି ଫୋନ ଲଗାଏ ସାରଥୀକୁ ସବୁ କଥା କହେ, ସାରଥୀ ଉତ୍ତର ଦିଏ ଆରେ ମୁଁ ଏଇମାସରୁ ଜର୍ମାନୀ ୧ବର୍ଷ ପାଇଁ କମ୍ପାନୀ କାମରେ ଯାଉଛି ତେଣୁ ଆଉ କେମିତି କଥା ହେବି । ଏଇ କଥାରେ ସତ୍ୟ ତା ଭାଇକୁ ପ୍ରବଳ ରାଗେ ଓ ଯେ ଛାତା କୁହେ । ବାପାବୋଉଙ୍କ ଅସୁବିଧା ଓ ମନଦୁଃଖ ତାକୁ ସେତେଟା ଚିନ୍ତିତ କରେ ନାହିଁ । 
      ଏକଥା ଶୁଣିଲା ପରେ ଗାଁକୁ ଯାଇ ବାପାବୋଉଙ୍କୁ ମିଛ ଆସ୍ୱାସନା ଦିଏ  ତୁମେ ବ୍ୟସ୍ତ ହୁଅନି । ଭାଇ ବହୁତ ଭଲରେ ଅଛି । ମାତ୍ର ତାର ୧ବର୍ଷ ପାଇଁ ଜର୍ମାନୀରେ କାମଅଛି ତେଣୁ ସେଠୁ ସାରିଲେ ଆସିବ । ଏକଥା ଯେମିତି ସୁନା ଶୁଣି ଦେଇଛି ତା ଛାତି ଭିତରଟା କେମିତି ହୋଇଯାଇଛି । ପୁଅକୁ ଆଜି ପର୍ଯ୍ୟନ୍ତ ନ ଦେଖି ସେ ରୋଗାକ୍ରାନ୍ତ ହୋଇଗଲାଣି । ଏମିତି ତ ସେ ଜୀବନଟାଯାକ ରୋଗିଣୀ, ହେଲେ ପୁଅକୁ ନଦେଖି ତା’ର ମନବଳ ବହୁତ କମିଗଲାଣି । ବଞ୍ôଚବାକୁ ଆଉ ସେତେ ସ୍ପୃହା ନାହିଁ କହିଲେ ଚଳେ । ଶରତର ବି ଅନୁରୂପ ମନଦୁଃଖ । ଏକଥା ସବୁ ସତ୍ୟ ବୁଝିପାରେ ମାତ୍ର ସେ ସତ କହିପାରେନା କିମ୍ବା ସେମାନଙ୍କର ଦୁଃଖ ବି ସହି ପାରେନା । ସେଦିନ ସତ୍ୟ ଗାଁରେ ଥାଏ । ହଠାତ୍ ତା’ବୋଉର ଦେହ ଖରାପ ହୁଏ । ସେ ସଙ୍ଗେସଙ୍ଗେ ଅଟୋଟିଏ କରି ଖୋର୍ଦ୍ଧା ଡାକ୍ତରଖାନାକୁ ଆଣେ । ତା’ ପାଖରେ ପଇସାର ଆଦ୍ୟୈ ଅଭାବ ନଥାଏ । ସେ ସେତେବେଳକୁ ସାରଥୀଠୁ ବି ଅଧିକ ଧନୀ ହୋଇ ସାରିଥାଏ । ନିଜ ଠିକାଦାରୀ କାମରେ ତା’ ପାଖରେ ଯଥେଷ୍ଠ ପଇସା ଥାଏ । ମାତ୍ର ସେ ବାପାଙ୍କୁ ସବୁ ସତକଥା କହି ପାରେନା । ସବୁ ପଇସା ଦେଇ କହେ ଏସବୁ ଭାଇ ପଠେଇଛି ମନଦୁଃଖ କରିବା ଆଦ୍ୟୈ ଠିକ୍ ନୁହେଁ । ଡାକ୍ତରଖାନାରୁ ସୁନା ସେଦିନ ଫେରେ ହେଲେ ତା’ ପରଠାରୁ ଆଉ ତାହାର ଦେହ ଆଦ୍ୟୈ ଭଲ ରହେ ନାହିଁ । ସତ୍ୟ ପାଖରେ ବି ଆଉ ତା’ ଭାଇ ସାରଥୀ ସହିତ କଥା ହେବାର ବିକଳ୍ପ ନଥାଏ କାରଣ ସେ ଜର୍ମାନୀ ଚାଲିଯାଇଥାଏ । 
      ଗାଁରେ ସୁନା ସେମିତି ଖଟ ଉପରେ ପଡିରହିଥାଏ । ସତ ଯେମିତ ସୁନା ଆଉ ବଞ୍ôଚବନାହିଁ । ସେ ସବୁଦିନ ପାଇଁ ଏ ଦୁନିଆରୁ ଚାଲିିଯିବ । ସତ୍ୟକୁ ଜମା ଭଲ ଲାଗନୋ । ସେ ପୁଣି ସରଥୀ କମ୍ପାନୀ ସହିତ କଥା ହୋଇ ତାର ଫୋନ୍ ନଂ ଆଣେ । ଫୋନ୍‌ରେ ତାକୁ ବୋଉର ଦେହ ଅତି ଖରାପ ବୋଲି କହେ ମାତ୍ର ବୋଉର ଦେହ ଖରାପକୁ ସାରଥୀ ସେତେ ଗୁରୁତର ସହ ନିଏ ନାହିଁ ଓ ନିଜର ଫେରିବାକୁ ଅସମ୍ଭବ ବୋଲି କହେ । ସତ୍ୟ ଆଉ କିଛି କୁହେ ନାହିଁ । ତିନିଦିନ ହେଲା ସନ୍ଧ୍ୟା ବେଳକୁ ନିଜ ମଟର ସାଇକେଳରେ କାମ ସାରି ରାତି ୧୦ଟାରେ ଘରେ ପହଞ୍ôଚବୋଉର ଯତ୍ନ ନେଇ ପୁଣି ସକାଳୁ ଭୁବନେଶ୍ୱର ଫେରୁଥାଏ । ସେଦିନ ଘରୁ ବାହାରିଲା ବେଳକୁ ବୋଉର ଦେହ କାହିଁକି ବେଶୀ ଖରାପ ଅଛି ବୋଲି ସେ ଜାଣିପାରେ । ଆଜି କେବଳ ବ୍ୟାଙ୍କ୍ କାମଟା ସାରି ଜଲଦ୍‌ି ଦିନ ଦୁଇଟାରେ ଫେରି ଆସିବ ଏହି କଥା ମନସ୍ଥ କରି ସେ ଘରୁ ବାହାରେ । ସେ ଘରୁ ବାହାରି ଗଲା ପରେ ସୁନାର ଦେହ ଆହୁରି ଖରାପ ହୋଇପଡେ । ଶରତ କଣ କରିବ କିଛି ବୁଝିପାରେନା । ବହୁତ ମନ ଦୁଃଖରେ ସୁନା ପାଖରେ ବସି ରହେ । ଦ୍ୱିପହର ବେଳକୁ ସୁନାକୁ କହେ, ଦେଖେ, ମୁଁ ଛକକୁ ଯାଉଛି । କାଳେ ସତ୍ୟଟା ଆସିି ସେହି ଛକରେ ରହି ଡେରିରେ ଘରକୁ ଫେରିିବ । 
      ଆଜି କହୁଥିଲା ସେ ଜଲଦି ଫେରିବ । ଆସିଲା ବେଳକୁ ତୋପାଇଁ ଦୁଇଟି ପାଉରୁଟି ନେଇ ଆସିବ । ସୁନା, କଥା କହିବାକୁ ବି ଅବଶ ମନେ କରୁଥାଏ । ମୁଣ୍ଡ କେବଳ ହଲାଇ ଉତ୍ତର ଦିଏ । ଶରତ ଗୋଟିଏ ଲୁଙ୍ଗି ଉପରେ ଧଳା ହାପ୍ ସାର୍ଟ ଟିଏ ପିନ୍ଧି କାନ୍ଧରେ ଗାମୁଛାଟେ ପକେଇ ସାଇକେଲ୍ ରେ ଆସି ଛକରେ ଥିବା ତା ପରିଚିତ ସାଇକେଲ ଦେକାନ ସାମନାରେ ପଡିଥିବା ଲଙ୍ଗବେଞ୍ଚ୍‌୍ ଉପରେ ବସି ସତ୍ୟକୁ ଅପେକ୍ଷା କରିରହେ । 
      ମନରେ ଅସୁମାରୀ ଦୁଃଖ । ପୁଅ ପାଠ ପଢିଲା ବେଳେ ତା’ ମନରେ କେତେ ଆନନ୍ଦ ଥିଲା । ତା’ ବଡପୁଅ ତା’ ପାଇଁ ସିନା ଏ ସମାଜରେ ମାନମହତ ସବୁ ଉଚ୍ଚା କରି ଦେଇଛି ହେଲେ ଆଜି ଜୀବନ ସଂଗ୍ରାମରେ ୁଣ୍ଟିବା ସମୟରେ ତା’ର ଉପସ୍ଥିତି ଟିକେ ତା’ ପାଖରେ ନାହିଁ । ପଇସା କଣ ପଠେଇ ଦେଲେ ସବୁ ଦୁଃଖ ପଳାଏ । ବାପା ମାଆ ଯାହାକୁ ଜନ୍ମ ଦେଇଥାନ୍ତି ଏ ବୃଦ୍ଧାବସ୍ଥାରେ ସେମାନଙ୍କର ମୁହଁ ଦେଖି ଦିନ କାଟିଲେ ସେମାନଙ୍କୁ ଅଜସ୍ର ଆନନ୍ଦ ମିଳିଥାଏ । ଜୀବନର ଯନ୍ତ୍ରଣା ଲାଘବ ହୁଏ । ଆଜି ତା’ ସ୍ତ୍ରୀ ସୁନା ପୁଅକୁ ନଦେଖି ପାରି ଜରାଜୀର୍ଣ୍ଣ ଓ ରୋଗାକ୍ରାନ୍ତ । 
      ବହୁତ ଅସହ୍ୟ ପୀଡା ତାକୁ ହୁଏ । ମନେ ମନେ ସାରଥୀ ଉପରେ ବହୁତ ରାଗୁଥିଲେ ବି ଭାବେ ତା’ର ଆମେ ଆଉ କଣ ବା କରିପାରିବୁ । ତା’ର ନିଶ୍ଚୟ ସେମିତି ଅସୁବିଧା ଥିବ, ନଚେତ୍ ପଇସା ପଠେଇ ଦିଅନ୍ତା ଆଉ ଆସି ପାରନ୍ତାନି? ମନରେ ରାଗି କରି ମଧ୍ୟ ଭଗବାନଙ୍କୁ କହେ ପ୍ରଭୁ ସେ ଯେଉଁଠି ଅଛି ଭଲରେ ଥାଉ ।
       ଦିନ ସେତେବେଳକୁ ୪ଟା ହେଲାଣି । ହଠାତ୍ ତା ଆଖି ସାମନାରେ ଗୋଟିଏ ମଟର୍‌ସାଇକେଲ୍‌କୁ ଗଡେଇ ଗଡେଇ ଆଣୁଥିବା ଜଣେ ଲୋକ ନଜର ଆସେ । ସେ ଲୋକଟିର ବୟସ ପାଖାପାଖି ୪୦ ଖଣ୍ଡେ ହେବ । ଗାଡିଟି ପଙ୍କଚର୍ ହୋଇଯାଇଥିବାରୁ ସେ ହାଲିଆ ହୋଇ ଗାଡିଟି ପେଲିପେଲି ଆଣୁଥାଏ । ମଟର୍‌ସାଇକେଲ୍‌ଟିକୁ ସାଇକେଲ୍ ଦୋକାନ ସାମନାରେ ଠିଆ କରିଦେଇ ଶରତ ବସିଥିବା ବେଞ୍ଚ୍ ଉପରେ ଶରତ ପାଖରେ ବସିପଡେ । ଶରତ କହିବାକୁ ଲାଗେ ଏଇଠି ବସିପଡ । କଣ ଗାଡି ପଙ୍କ୍‌ଚର୍ ହୋଇଗଲା? ହଁ ମଉସା । ଏହି ୪୦୦ମିଟର ଦୂରରୁ ହିଁ ହୋଇଗଲା । କୁଆଡେ ଯିବକି ବାବୁ । ଏଇ ପାଖରେ ରାଧୁଆ ପଲ୍ଲୀ ଅଛି ସେହି ଗାଁକୁ ଯିବି । କାହା ଘରକୁ ଯିବ? ସତ୍ୟବାବୁଙ୍କ ଘରକୁ । ତୁମେ କେଉଠୁଁ ଆସିଥିଲ କି ବାବୁ? ମଉସା ଭୁବେନଶ୍ୱରରୁ । ଶରତ ଆଶ୍ଚର୍ଯ୍ୟ ହୋଇ ଭାବେ ଆମ ଗାଁର ଏ ସତ୍ୟବାବୁ କିଏ? ପଚାରି ବସେ, ସତ୍ୟବାବୁ ଭୁବନେଶ୍ୱରରେ କଣ ଚାକିରୀ କରନ୍ତି ନା କଣ? ନାହିଁ ମଉସା ସତ୍ୟବାବୁ ଜଣେ କଣ୍ଟ୍ରାକ୍ଟର୍ । ତାଙ୍କର ଗୋଟିଏ ଠିକା ସଂସ୍ଥା ଅଛି । ସେ ବହୁତ ଭଲ । ତାଙ୍କ ପାଖରେ ପରା ମୁଁ ଏଇ ତିନି ବର୍ଷ ହେବ ଚାକିରୀ କରୁଛି । ତାଙ୍କର ବହୁତ ଖାସ୍ ଲୋକ ମୁଁ । 
      କଣ କହିବି ମଉସା ସତ୍ୟବାବୁଙ୍କ ବୋଉଙ୍କ ଦେହ ବହୁତ ଖରାପ । ତାଙ୍କ ବଡଭାଇ କଣ ବହୁତ ପାଠ ପଢି ବମ୍ବେରେ ଚାକିରୀ କରିଥିଲେ ଯେ ଚାକିରୀ କଲାପରଠାରୁ ମାତ୍ର ଥରୁଟିଏ  ଘରକୁ ଆସିଥିଲେ ଆଉ ପଇସା ଦେଇଥିଲେ । ତା’ ପରଠାରୁ ସେ ସମ୍ପୂର୍ଣ୍ଣ ତାଙ୍କ ବାପାମାକୁ ଭୁଲିଗଲେ । ସତ୍ୟବାବୁ କୁହନ୍ତି ତାଙ୍କ ଭାଇ ଏମିତି ବଦଳିଗଲେଯେ ସିଆଡେ ପରା ଗୋଟିଏ ଝିଅକୁ ବାହା ହୋଇ ସିଆଡେ ରହିଗଲେ । ଘରେ ବି ଏକଥା ଆମ ସତ୍ୟବାବୁ ଏଇ ଯୋଗୁଁ ଜଣେଇ ନାହାନ୍ତି, ତାଙ୍କ ବାପା କୁଆଡେ ତାଙ୍କ ଗାଁର ମାମଲ୍‌ତକାର । ସେ କିନ୍ତୁ ସତ୍ୟବାବୁଙ୍କୁ ଜମା ଭଲ ପାଆନ୍ତିନି । ସେ ତାଙ୍କର ବଡପୁଅ ପାଇଁ ବହୁତ ଗର୍ବ ଅନୁଭବ କରନ୍ତି । କାରଣ ବଡ ପୁଅ ତାଙ୍କର ମାନମହତ ବଢେଇ ଦେଇଛି । ହେଲେ ମଉସା ତାଙ୍କ ବାପା ଜାଣି ନାହାନ୍ତି ଯେ ଆଜି ପର୍ଯ୍ୟନ୍ତ ତାଙ୍କ ବଡପୁଅ ମୋଟେ ହେଲେ ଟଙ୍କା ଘରକୁ ପଠାଇ ନାହାନ୍ତି । ତାଙ୍କ ବାପା ସତ୍ୟବାବୁଙ୍କ ପଇସା ନେବାଟା ସେତେ ଭଲ ପାଆନ୍ତିନି ବୋଲି ସବୁବେଳେ ସତ୍ୟବାବୁ ନିଜ ରୋଜଗାର ଟଙ୍କା ଦେଇ ଘରେ କୁହନ୍ତି ଭାଇ ପଠେଇଛି । ଯେବେ ବମ୍ବେ ଯାଇ ସବୁକିଛି ତାଙ୍କ ଭାଇଙ୍କ କମ୍ପାନୀରୁ ସତକଥା ବୁଝିସାରି ଫେରିଲେ ମୋରି ଆଗରେ ଥରେ ତାଙ୍କ ଭାଇ ସାଙ୍ଗରେ ଫୋନ୍‌ରେ କଥା ହୋଇଥିଲେ । ସେଦିନ ଫୋନ୍‌ରେ ତାଙ୍କ ଭାଇକୁ ବହୁତ ରାଗରେ ବିରକ୍ତ ହୋଇ ଅନେକ କଥା କହିଲେ । ତାଙ୍କ ଭାଇ ଫୋନ୍ କାଟିଦେଲା । ସତ୍ୟବାବୁ କିନ୍ତୁ ତା’ପରେ ବହୁତ କାନ୍ଦିଲେ । ଏବେ ତାଙ୍କ ବୋଉ, ଘରେ ତାଙ୍କ ଭାଇଙ୍କୁ ଝୁରି ଝୁରି ଶଯ୍ୟାସାୟୀ ହୋଇ ପଡିଛନ୍ତି ହେଲେ ତାଙ୍କ ଭାଇର ଦେଖାନାହିଁ । ସେ ଆଉ ଆସିବେନି ବୋଲି ମୋର ଧାରଣା ।
     କିନ୍ତୁ ମଉସା ଗୋଟିଏ କଥା ସତ୍ୟବାବୁଙ୍କ ଭଳିଆ ଯୋଗ୍ୟବନ୍ତ ପୁଅ ପାଇ ତାଙ୍କ ବାପା ନିଶ୍ଚୟ ନିଜକୁ ଧନ୍ୟ ମନେ କରୁଥିବେ । ମଉସା ଆପଣ ବିଶ୍ୱାସ କରିବେନି ତାଙ୍କ ବାପାବୋଉଙ୍କ ଖୁସି ପାଇଁ ସେ ସମ୍ପୂର୍ଣ୍ଣ ପାଗଳ । ଆଜି ସେ ଏତେ ବଡ ହୋଇଛନ୍ତି ହେଲେ ତାଙ୍କ ବାପାଙ୍କୁ ଏକଥା କହି ନାହାନ୍ତି । କାରଣ ତାଙ୍କ ବାପା ତାଙ୍କୁ କୁଆଡେ ଆଦ୍ୟୈ ଭଲ ପାଆନ୍ତିନି । ମୁଁ ଭାବିଛି ଆଜି ତାଙ୍କ ଘରକୁ ଗଲେ ତାଙ୍କ ବାପାଙ୍କୁ ସବୁ ସତକଥା କହିଦେବି । ମୁଁ ଜାଣେ ସତ୍ୟବାବୁ ମୋତେ ବହୁତ ଭଲ ପାଆନ୍ତି । ସେ ମୋତେ ରାଗିବେ ସିନା ମୋର ତାଙ୍କ ରାଗରେ ଟିକେବି ମନ ଦୁଃଖ ହେବନାହିଁ । 
       ହଉ ମଉସା ମୋତେ ଟିକେ ରାଧୁଆ ପଲ୍ଲୀକୁ ବାଟ କହିଦେବେ । ସେତେବେଳକୁ ସାଇକେଲ୍ ଦେକାନୀ ମଟରସାଇକେଲ୍ ଟାୟାର୍ ଖୋଲିବା ଆରମ୍ଭ କରୁଥାଏ । ଯାଇଁଲ ମଉସା ଆଜି ପରା ସତ୍ୟବାବୁଙ୍କ ବେଳ ଭଲ ନାହିଁ । ଘରେ ବୋଉ ଦେହ ଭଲ ନାହିଁ ବୋଲି ବ୍ୟାଙ୍କ୍‌ରୁ କାମ ଛିଡେଇ ଠିକ୍ ଦିନ  ଏକଟାରେ ମୋତେ କହିଲେ, ପୀତବାସ ଆଜି ଚାଲେ ଆମ ଗାଁ କୁ ଯିବା । ଦୁଇଜଣ ଯାକ ମଟର୍‌ସାଇକେଲ୍‌ରେ ଆସିଲା ବେଳକୁ ଗୋଟିଏ ଗାଈ ସାମନାକୁ ଆସିଗଲା । ସତ୍ୟବାବୁଙ୍କର ଡାହାଣ ହାତ ବିଷି ଆଙ୍ଗୁଠିଟା ଫାଟିଗଲା । ତାଙ୍କୁ ନେଇ ବ୍ୟାଣ୍ଡେଜ୍ କଲୁ । ହେଲେ ସେ କହିଲେ ପୀତବାସ ତୁ ମଟର୍‌ସାଇକେଲ୍‌ରେ ଚାଲେ କାରଣ ଗାଁରେ ମଟର୍‌ସାଇକେଲ୍ ନିହାତି ଦରକାର ହେବ । ମୁଁ କାର୍‌ରେ ଯାଉଛି । ସେ ଏଇନେ କାର୍‌ରେ ଆସି ଓହ୍ଲାଇବେ ।
     ଶରତର କଣ୍ଠଋଦ୍ଧ । ଆଖିରେ ଅସୁମାରି ଲୁହକୁ ସେ ଲୁଚେଇ ରଖିବାକୁ ଚେଷ୍ଟା କରୁଥାଏ । କଥା ଶୁଣିଲା ଭିତରେ ଛେପ କେତେଥର ଯେ ଢୋକି ସାରିଲାଣି ତାର ଆଉ ହିସାବ ତା’ପାଖରେ ନାହିଁ । ତତ୍‌କ୍ଷଣାତ୍ ଗୋଟିଏ ଧଳା ଇଣ୍ଡିଗୋ କାର୍ ଆସି ସାଇକେଲଲ୍ ଦେକାନ ସାମନ୍‌ାରେ ରହିଯାଏ । ପଛ ସିଟ୍‌ରୁ ଓହ୍ଲାଏ ସତ୍ୟ । ସତ୍ୟ ହଠାତ୍ ବାପାଙ୍କ ପାଖକୁ ଆସି ପଚାରେ ବାପା, ବୋଉ ଦେହ କେମିତି ଅଛି । ସତ୍ୟର ବାପା ସମ୍ବୋଧନ ଶୁଣି ପିତବାସ ସମ୍ପୂର୍ଣ୍ଣ ଭୟଭିତ ହୋଇ ପଡେ । ମନେମନେ ଭାବେ ସବୁ ସରିଗଲା । ଜଳଜଳ ହୋଇ ଶରତ ମୁହଁକୁ ଅନେଇ ରୁହେ । କିନ୍ତୁ ନିଜର ସୂକ୍ଷ୍ମ ଓ ସ୍ଥୁଳ ଚୈତନ୍ୟକୁ ସ୍ଥାଣୁ କରିଦେଇ ଶରତ ପଚାରେ ଆଙ୍ଗୁଠି କଣ ଫାଟି ଯାଇଛି । ସତ୍ୟ କହେ ନାହିଁ ବାପା ସେ କିଛି ହୋଇନି । ସାଇକେଲ୍ ଦୋକାନୀକୁ କହେ ତୁମେ ମଟର୍‌ସାଇକେଲ୍ ଠିକ୍ କରି ନେଇ ଆସିବ । ପିତବାସ ଓ ବାପାଙ୍କୁ କାର୍‌ରେ ବସେଇ ଡ୍ରାଇଭର କାର୍ ନେଇ ଘରେ ପହଞ୍ଚୋ ସତ୍ୟ ତରତରରେ ଘର ଭିତରକୁ  ଯାଇ ବୋଉ ପାଖରେ ବସି ପଡେ । ଶରତ ମଧ୍ୟ ସୁନା ପାଖରେ ବସିପଡି ସୁନା ମୁଣ୍ଡ ଉପରେ ହାତ ବୁଲାଇ ଆଣି କହେ ଦେଖ୍‌, ମୋ ଅଯୋଗ୍ୟ ପୁଅ ଆସିଛି । ଆଉ ଆଖିର ଲୁହକୁ ବାନ୍ଧି ରଖି ପାରେନି । ସତ୍ୟକୁ ତା’ମା ସୁନା ସହିତ ଜାବୁଡି ଧରି ବହୁତ କାନ୍ଦେ ଶରତ । ପୀତବାସ ଟିକେ ଦୂରରେ ଠିଆ ହୋଇଥାଏ ସତ ହେଲେ ତା’ ଆଖି ମଧ୍ୟ ଓଦା ନହୋଇ ରହିପାରେନି । 
     ତୁ ଜାଣିଛୁ ସୁନା, ମୋ ଅଯୋଗ୍ୟ ପୁଅ ଆଜି ଜଣେ ବହୁତ ବଡ ମଣଷ ହୋଇଯାଇଛି । ଖାଲି ବଡ ମଣିଷ ନୁହେଁ ସେ ଜଣେ ବହୁତ ଭଲ ହୋଇଯାଇଛି । ମୁଁ ଯେଉଁ ସବୁ ସ୍ୱପ୍ନ ମୋ ବଡପୁଅ ଭିତରେ ଦେଖିଥିଲି ଆଜି ମୋ ଆଯୋଗ୍ୟ ପୁଅ ସେ ସବୁ କରି ଦେଖେଇଛି । ତୋ ଜୀବନ ଧନ୍ୟ, ମୋ ଜୀବନ ବି ଆଜି ଧନ୍ୟ ହୋଇଯାଇଛି ଏଭଳି ଗୋଟିଏ ଆଯୋଗ୍ୟ ପୁଅ ପାଇ । ସମସ୍ତଙ୍କ ଆଖିରେ ଲୁହର ଉଚ୍ଛୁଳା ନଈ । ହେଲେ ସୁନା ସ୍ଥିର । ସତ୍ୟ ମୁଣ୍ଡରେ ସ୍ନେହରେ ହାତ ବୁଲେଇଆଣି କ୍ଷୀଣ କଣ୍ଠରେ କହିଛି ତୁମେ ଥା--ଅ------------------ା ତା’ର ପ୍ରାଣ ବାୟୁ ଚାଲିଯାଏ । ସତ୍ୟ ବାପାଙ୍କୁ ଯାବୋଡି ଧରି ଭେଁଭେଁ ହୋଇ କାନ୍ଦିବାରେ ଲାଗେ । ପାଖ ପଡୋଶି ଦଉଡି ଆସନ୍ତି ସମସ୍ତେ ବହୁ ମନଦୁଃଖ କରନ୍ତି । ଅନେକ କାନ୍ଦନ୍ତି ମଧ୍ୟ । ବନ୍ଧୁ କୁଟୁମ୍ବ ଆସନ୍ତି । ସମସ୍ତେ ଭାବନ୍ତି ବଡ ପୁଅ ଆସିଲେ କୋକେଇ ଯିବ । ହେଲେ ଶରତ ଏକ ଋଦ୍ଧ ଗଳାରେ କହେ ମୋର ଏଇ ଗୋଟିଏ ପୁଅ । ଚାଲ କୋକେଇ କାନ୍ଧାଅ । ଆଗରେ ଖଇ କଉଡି ବିଞ୍ôଚ ବିଞ୍ôଚ ଚାଲେ ଶରତ, ଆଉ ମନେ ମନେ ଭାବୁଥାଏ ଏ ସଂସାର ଘନଘଟାରେ ମଣିଷ ଚିହ୍ନିବା ପାଇଁ ମୁଁ ଗୋଟିଏ ଅଯୋଗ୍ୟ ।
                                                                
*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS