search in www.iswarchandraworld.blogspot.com

Wednesday 25 March 2020

Odia Article ମୃତ୍ୟୁର ଭୟ ଓ ସାମାଜିକ ଶୃଙ୍ଖଳା

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ମୃତ୍ୟୁର ଭୟ ଓ ସାମାଜିକ ଶୃଙ୍ଖଳା

କଥାରେ କୁହନ୍ତି ମା’ର ପ୍ରସବ ବେଦନାଠାରୁ ସଂସାରରେ ଆଉ ବଡ କଷ୍ଟନାହିଁ । ବାପା କାନ୍ଧରେ ଭେଣ୍ଡିଆପୁଅର ଶବ ବୋହିବାଠାରୁ ସଂସାରରେ ଆଉ ବଡ ଦୁଃଖ କିଛି ନାହିଁ । ଶେଷରେ ମୃତ୍ୟୁଠାରୁ ସଂସାରରେ ଭୟ ପ୍ରଦାନକାରୀ ଅବସ୍ଥା ଆଉ ଅନ୍ୟ କିଛି ନାହିଁ । ମୃତ୍ୟୁ ଜୀବନର ଚିରନ୍ତନ ସତ୍ୟ । ପୋଥିପୁରାଣ, ଗୀତାଭାଗବତ, ବେଦବେଦାନ୍ତ ମତରେ ମୃତ୍ୟୁ ହିଁ ଅନ୍ୟ ଏକ ନୂତନ ଜୀବନର ଆରମ୍ଭ । ଜନ୍ମ ଓ ମୃତ୍ୟୁ ପରସ୍ପର ପରିପୂରକ । ଏମାନଙ୍କ ମଧ୍ୟରୁ ଗୋଟିଏ ଘଟିଲେ ଅନ୍ୟଟି ମଧ୍ୟ ସାଙ୍ଗେସାଙ୍ଗେ ଆସି ଉପସ୍ଥିତ ହୁଏ । ଏ ଜୀବନ କ୍ଷଣ ଭଙ୍ଗୁର । ଏହା ସମସ୍ତେ ଜାଣନ୍ତି । କେତେବେଳେ ପାଣି ଫୋଟକା ପରି ଏ ଜୀବନ ମିଳେଇଯିବ ତାହା ସେହି କାଳର କରାଳକୁ ଜଣା । ତଥାପି ଏ ମାୟାଗ୍ରସ୍ତ ମନୁଷ୍ୟ ମୃତ୍ୟୁର ଭୟଠାରୁ ମୁକ୍ତି ପାଏନି । ଏହି ମୃତ୍ୟୁର ମର୍ମରେ ରାଧାନାଥ ରାୟଙ୍କର ଏକ ଅମରବାଣୀ ମଧ୍ୟ ପ୍ରଣିଧାନ ଯୋଗ୍ୟ । 
ବଡକ୍ରୁରକାଳ ବଡ ଅବିଶ୍ୱାସୀ । ହାବୋଡିବ ସେ ଯେ ଅକସ୍ମାତେ ଆସି ।
 ତଥାପି ଜିଇଁରହିବାର ବିଶ୍ୱାସରେ ମଣିଷର ଜୀବନ ପ୍ରବାହମାନ । ପ୍ରତି ମୁର୍ହୃୁତ୍ତରେ ସେ ମୃତ୍ୟୁର ଭୟକୁ ନଜର ଅନ୍ଦାଜ କରିଚାଲିଥାଏ । ମୃତ୍ୟୁର ଭୟ କାହାକୁ ଯେ ନାହିଁ ସେଭଳି ଜୀବ ଖୋଜିପାଇବା ଏ ଜୀବଜଗତରେ ଅସମ୍ଭବ । ହଁ କାହାପାଇଁ ମୃତ୍ୟୁର ଭୟ କିଛି କମ୍ ହୋଇପାରେ ତ କାହାପାଖରେ ଟିକେ ଅଧିକ । ମାତ୍ର ମୃତ୍ୟୁବତ୍ ଯନ୍ତ୍ରଣାର ଭୟ ସମସ୍ତଙ୍କ ପାଖରେ ସମାନ । ମୃତ୍ୟୁକୁ ଆଦରି ନେଇଥିବା ଅନେକ ମଧ୍ୟ ମୃତ୍ୟୁର ଯନ୍ତ୍ରଣାକୁ ଭୟ କରନ୍ତି । ସେଥିପାଇଁ ଦେଖାଯାଏ ଯେଉଁମାନେ ମୃତ୍ୟୁକୁ ଆଦରି ନେଇଥାନ୍ତି ସେମାନେ ଚାହାଁନ୍ତି ଅକସ୍ମାତ ମୃତ୍ୟୁ । ଏକ ନିମିଷକେ ପ୍ରାଣବାୟୁ ଏ ଶରୀର ଛାଡି ଚାଲିଯାଉ ଯାହା ଫଳରେ କି ସେ ମୃତ୍ୟୁବତ୍ତ୍ ଯନ୍ତ୍ରଣାର ଭୟ ସେମାନଙ୍କୁ ଆଉ ଭୟ ନ ଦେଖଇ ପାରୁ । ଇତିହାସରେ ମଧ୍ୟ ଏମିତି ଅନେକ ଫାଶି ଖୁଣ୍ଟରେ ଝୁଲିଥିବା ବୀର ଅବୀର ମାନଙ୍କର କାହାଣୀ । ଯେଉଁ ମାନଙ୍କର ଜୀବନ ଦେଶମାତୃକାର ସ୍ୱାର୍ଥପାଇଁ ଉତ୍ସର୍ଗୀକୃତ ସେମାନଙ୍କୁ ଏ ମୃତ୍ୟୁପୂର୍ବର ଯନ୍ତ୍ରଣା ଥିଲା କି ନଥିଲା ତାହା ବୋଧହୁଏ କହିହେବ ନାହିଁ । କିଏ ଫାଶିଖୁଣ୍ଟକୁ ଗଲାବେଳକୁ ଆନନ୍ଦରେ ମାଟି ମାର ଗୀତ ଗାଇଗାଇ ଯାଇଥିଲା ତ କିଏ ପୁଣି ହସିହସି ବିଷପାନ କରିଥିଲା । ହେଲେ ଏପରି ବ୍ୟକ୍ତି ବିଶେଷଙ୍କ ସଂଖ୍ୟା ଏ ସଂସାରରେ ବହୁତ ନଗଣ୍ୟ । ମାତ୍ର ସାଧାରଣ ଭାବେ ଦେଖିବାକୁ ଗଲେ ପ୍ରତ୍ୟେକ ଜୀବ ମୃତ୍ୟୁକୁ ଭୟ କରନ୍ତି । ପ୍ରମାଣ ସ୍ୱରୂପ ମୃତ୍ୟୁର ଆଭାସ ପାଇଲେ ପ୍ରତ୍ୟେକ ଜୀବ ନିଜର ଆତ୍ମରକ୍ଷା ପାଇଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଯୁଝିବାକୁ ପଛାଏ ନାହିଁ । ପାଣିରେ ବୁଡି ଯାଉଥିବା ଲୋକ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ନିଜକୁ ବଞ୍ଚାଇବା ପାଇଁ ପାଣିରେ ଗୋଡହାତ ବାଡେଇଥାଏ ଅବା ଆଗରେ କୁଟାଖିଅଟେ ପଡିଗଲେ ତାକୁ ସାହାରା ମଣି ତାକୁ ମଧ୍ୟ ଧରିବାକୁ ପଛାଏ ନାହିଁ । ବାଘ ଯେତେବେଳେ ହରିଣକୁ ନିଜର ଶିକାର ଲାଗି ଅନୁଧାବନ କରେ ହରିଣର ପାରୁ ପର୍ଯ୍ୟନ୍ତ ସେ ନିଜକୁ ଅବଶ୍ୟମ୍ଭାବୀ ମୃତ୍ୟୁମୁଖରୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରେ । ତା ଜୀବନ କାଳ ଭିତରେ ସେ କେବେ ହେଲେ ଯେତିକି ବେଗରେ ଦୈାଡିନଥାଏ ସେହି ସମୟରେ ସେ କ୍ଷିପ୍ରତା ମଧ୍ୟ ସେ ପ୍ରୟୋଗ କରେ ।
   ମନୁଷ୍ୟସମାଜରେ ସ୍ଥଳବିଶେଷରେ ମୃତ୍ୟୁର ଭୟରେ ମଧ୍ୟ ତାରତମ୍ୟ ଦେଖାଯାଏ । ଗୋଟିଏ ଦରିଦ୍ର ଲୋକ ମୃତ୍ୟୁକୁ ଯେତିକି ଭୟକରେ ଜଣେ ଧନୀଲୋକ ତା’ଠାରୁ ଯଥେଷ୍ଟ ଅଧିକ ଭୟକରେ । ଅଭାବ, ଅନାଟନ, ଦୁଃଖ କଷ୍ଟରେ ସଢୁଥିବା ଲୋକ ମୃତ୍ୟୁକୁ ଅତି ନିଜର ବୋଲି ଧରିନେଇଥାଏ । ତଥାପି ବଞ୍ôଚରହିବା ପାଇଁ ସହଜରେ ମୃତ୍ୟୁର ଦ୍ୱାରଦେଶକୁ ଟାଣି ନେଉଥିବା ଭଳି କାମ ମାନଙ୍କୁ ମଧ୍ୟ ସେ କରିବାକୁ ପଛାଏନି । ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ରୁ ବଞ୍ଚିତ ଶିଶୁମାନେ ସହରର ଗଳିକନ୍ଦିରେ ଅଳିଆ ଆବର୍ଜନାରୁ ଜରି ଓ ପ୍ଲାଷ୍ଟିକ୍ ବୋତଲ ସଂଗ୍ରହ କରିବା ଏହାର ଏକ ଜ୍ୱଳନ୍ତ ଉଦାହରଣ । ସେମାନଙ୍କର ପିତାମାତା ଜାଣନ୍ତି ଏଭଳି କାମ ମୃତ୍ୟୁକୁ ଅନାୟାସେ ଡାକିଆଣିବ । ଶରୀର ରୋଗାକ୍ରାନ୍ତ ହୋଇଯିବ । ମୃତ୍ୟୁଠାରୁ ମୃତ୍ୟୁବତ୍ ଯନ୍ତ୍ରଣା ଆହୁରି କରାଳ ରୂପ ଦେବ ହେଲେ ବିଚରା ନିରୂପାୟ ମଣିଷ ବଞ୍ôଚରହିବା ପାଇଁ ସେ ଭଳି କାମରୁ ନିଜକୁ ବିରତ ରଖିପାରେନି । 
   ହେଲେ ବଞ୍ôଚରହିବା ପାଇଁ ପ୍ରାଥମିକ ଆବଶ୍ୟକତାରେ ପରିପୂର୍ଣ୍ଣଥିବା ମନୁଷ୍ୟ ଶରୀରକୁ ଆହୁରି ସୁଖ ପ୍ରଦାନ ପାଇଁଯେ କେବଳ ତାହାନୁହେଁ, ସୁନିଶ୍ଚିତ ମୃତ୍ୟୁଠାରୁ ନିଜକୁ ଦୂରେଇ ରଖିବା ପାଇଁ ଅହରହ ବ୍ୟତିବ୍ୟସ୍ତ ଥାଏ । ରୋଗରେ ନ ପଡିବା ପାଇଁ ପରିଷ୍କାର ପାଣିକୁ ଆହୁରି ପରିଷ୍କାର କରିବା ପାଇଁ ଯନ୍ତ୍ର ଲଗାଏ । ଅଶୁଂଘାତ ଜନିତ ମୃତ୍ୟୁରୁ ନିଜକୁ ବଞ୍ଚାଇବା ପାଇଁ ଅପ୍ରାକୃତିକ ଥଣ୍ଡା ପରିବେଶ ବା ବାତାନୁକୁଳିତ ଘର ଓ ଅପ୍ରାକୃତିକ ଥଣ୍ଡା ପାନୀୟ ବ୍ୟବହାର କରିବାରେ ଲାଗିପଡେ । ଖାଲି ସେତିକି ନୁହେଁ । ପ୍ରତି ମୁହୂର୍ତ୍ତରେ ନିଜ ଶାରିରୀକ ସୁଖରଚରିତାର୍ଥ ସହିତ ନିଜ ଜୀବନକୁ ଆହୁରି ଦୀର୍ଘ, ନିରାମୟ ଓ ମୃତ୍ୟୁବତ୍ ଯନ୍ତ୍ରଣାର ଭୟରୁ ନିଜକୁ ଦୂରେଇରଖିବା ପାଇଁ ବିବିଧ କର୍ମମାନ କରିବାରେ ଲାଗିପଡେ । ହେଲେ ମୃତ୍ୟ ତଥାପି ଛାଡେନି । ମୃତ୍ୟୁର ଭୟ ମଧ୍ୟ ସେମାନଙ୍କୁ ଆହୁରି ଯୋରରେ ମାଡି ବସେ । ସେମାନେ ମୃତ୍ୟୁଠାରୁ ନିଜକୁ ଯେତିକି ନିରାପଦ ରଖିବାକୁ ଚେଷ୍ଟାକରନ୍ତି ପ୍ରକାରନ୍ତେ ମୃତ୍ୟୁର ଭୟ ସେମାନଙ୍କୁ ସେହି ପରିମାଣେ କବଳିତ କରିବାରେ ଲାଗିପଡେ । 
    ବାସଗୃହ ହୀନ ମନୁଷ୍ୟ ବରଗଛତଳେ ନିଜର ନିର୍ଭୀକ ସଂସାର ବସେଇଥିବା ବେଳେ ବିଶାଳ ପ୍ରାସାଦରେ ଦିନ କାଟୁଥିବା ବ୍ୟକ୍ତି ନିଜଜୀବନର ସ୍ଥାୟୀତ୍ୱ ପାଇଁ ସେମାନଙ୍କଠାରୁ ଆହୁରି ଚିନ୍ତାଶୀଳ ଓ ଭୟାତୁର ହୋଇଥାଏ । ରାସ୍ତାରେ ସବୁ ମଣିଷ ଯାତ୍ରା କଲାବେଳେ ସେ ପାଦରେ ଚାଲିକି ହେଉ ସାଇକେଲ୍‌, ମୋଟର ସାଇକେଲ୍‌, କାର୍ ଅବା ବସ୍‌ରେ ହେଉ ସମସ୍ତେ ଏକ ନିଦ୍ଧିଷ୍ଟ ଭୟରେ ଯାତ୍ରା କରୁଥାନ୍ତି । ସେ ଭୟ ହେଉଛି ନିଜକୁ ଦୁର୍ଘଟଣାରୁ ମୁକ୍ତରଖିବା ପାଇଁ । ଅନ୍ୟଅର୍ଥରେ ପ୍ରକାଶ କଲେ ଦୁର୍ଘଟଣାର ଶେଷ ପରିଣତି ମୃତ୍ୟୁର ସେ ଭୟାବହ ଯନ୍ତ୍ରଣା କୁ ଏଡାଇରଖିବା ପାଇଁ ସମସ୍ତେ ପ୍ରତି ମୁହୁର୍ତ୍ତରେ ସଜାଗ ହୋଇ ଚାଲିଥାଆନ୍ତି । ତେଣୁ ଏଠି ଦୃଢ ଯୁକ୍ତି ସହିତ କୁହାଯାଇପାରେ ଦୁର୍ଘଟଣାର ଭୟ ବା ଅନ୍ୟଅର୍ଥରେ ମୃତ୍ୟୁର ଭୟ ହିଁ ମନୁଷ୍ୟମାନଙ୍କର ଯାତ୍ରାର ଆଚରଣରେ ଶୃଙ୍ଖଳା ସୃଷ୍ଟିକରେ । ମାତ୍ର କ୍ଷଣିକ ମାନସିକ ଉଚାଟନ, ଉଦ୍‌ବେଗ ହେଉ ଅବା ମାଦକତାର ଆଢୁଆଳରେ ମନୁଷ୍ୟ ସେ ଶୃଙ୍ଖଳାକୁ ମଧ୍ୟ ଭୟନକରି ବିପଦକୁ ବରଣ କରିଥାଏ ।
   ଏଣୁ  ମୃତ୍ୟୁର ଭୟ ସହିତ ମଣିଷର ସାମାଜିକ ଶୃଙ୍ଖଳାର ଏକ ନିବିଡ ସମ୍ପର୍କ ରହିଛି । ତାହା ସାଧାରଣରେ ପ୍ରତୀୟମାନ ହେଉନଥିଲେ ମଧ୍ୟ ସୂକ୍ଷ୍ମ ଭାବରେ ପ୍ରତି ମୁହୁର୍ତ୍ତରେ ପରସ୍ପର ଅଙ୍ଗାଅଙ୍ଗୀ ଭବେ ଜଡିତ । ମୃତ୍ୟୁର ଭୟ ହିଁ ମନୁଷ୍ୟକୁ ସାମାଜିକ ଶୃଙ୍ଖଳାରେ ବାନ୍ଧିରଖିବାକୁ ବାଧ୍ୟ କରିଥାଏ । ବଣ ଜଙ୍ଗଲର ଆଦ୍ୟଜୀବନରୁ ଆରମ୍ଭ କରି ଆଜିର ଆଧୁନିକ ସାମାଜିକ ଜୀବନ ପର୍ଯ୍ୟନ୍ତ ଯାତ୍ରା ର ମୂଳ ଉପାଦାନ ହିଁ ମୃତ୍ୟୁର ଭୟ । ଆଦ୍ୟ ଜୀବନର ବଣ ଜଙ୍ଗଲରେ ବନ୍ୟ ଜୀବଜନ୍ତୁଙ୍କ କବଳରୁ ନିଜର ମୃତ୍ୟୁକୁ ଏଡାଇବା ପାଇଁ ସଙ୍ଘବଦ୍ଧ ଜୀବନର ଅୟମାରମ୍ଭ । ବର୍ଷା ଓ ଶୀତର ଦାରୁଣ ପ୍ରକୋପରୁ ଚିର ସତ୍ୟ ମୃତ୍ୟୁର ଭୟ ତାକୁ ବାଟ କଢେଇଥିଲା ବସ୍ତ୍ର ଓ ବାସଗୃହ ନିର୍ମାଣ ପାଇଁ । 
   ମୃତ୍ୟୁର ଭୟ ମଣିଷକୁ ହଠାତ୍ ରତ୍ନାକରରୁ ବାଲ୍ମିକୀରେ ପରିଣତ କରିପାରେ । ଜୀବନ କାଳ ଭିତରେ ଅଚଳାଚଳ ସମ୍ପତ୍ତିର ମାଲିକ ହୋଇ ଗରିବକୁ କଉଡିଟିଏ ଦାନ ଦେଇନଥିବା ଅବା ଦୁର୍ଭିକ୍ଷ ବେଳେ ନିଜ ଭଣ୍ଡାର ଘରକୁ ତାଲା ମାରିଦେଇଥିବା ବ୍ୟକ୍ତି ସାମନାରେ ଯଦି ହଠାତ୍ ଜଣେ ତାକୁ ତା ମୁଣ୍ଡରେ ବନ୍ଧୁକ ଲଗାଇ ତା ଟ୍ରେଜେରି ଅବା ଭଣ୍ଡାର ଘରର ଚାବି ମାଗେ ତେବେ ସେ ସଙ୍ଗେସଙ୍ଗେ ବିନା ପ୍ରତିବାଦରେ ଦେଇଦେଇଥାଏ । ଠିକ୍ ସେମିତି ନିଜ ଜୀବନକାଳ ଭିତରେ ଅନେକ ଲୋକଙ୍କୁ ନିଜ ବନ୍ଧୁକ ମୁନରେ ଭୟ ଦେଖେଇଥିବା ଅବା ମାରିଥିବା ଚୋର ଅବା ଡାକୁ ମୁଣ୍ଡରେ ଯେତେବେଳେ ପୋଲିସ୍ ବନ୍ଧୁକମୁନ ରଖି ସତ କଣ ପଚାରେ ମୃତ୍ୟୁ ର ଭୟରେ ସେ ସବୁ ସତକଥାକୁ ସଙ୍ଗେ ସଙ୍ଗେ କହିପକାଏ । ଏହା ମଧ୍ୟ ଦେଖାଦେଇଛି ମୃତ୍ୟୁ ଶଯ୍ୟାରେ ଆସୀନ ମଣିଷ ତା ଜୀବନ ମଧ୍ୟରେ କରିଥିବା ପାପ କାମକୁ ଅନ୍ୟମାନଙ୍କ ସାମନରେ ଆପେଆପେ ପ୍ରକାଶ କରିଦିଏ । ମୃତ୍ୟୁର ଭୟ ମନୁଷ୍ୟକୁ ସତ କହିବାକୁ ବାଧ୍ୟ କରେ । ଅନୁଶାସିତ ହେବାକୁ ମଜବୁର୍ କରେ । ଶୃଙ୍ଖଳାର ର ରଜୁରେ ବାନ୍ଧିରଖେ । ଯେ ପର୍ଯ୍ୟନ୍ତ ଏ ମନୁଷ୍ୟ ମୃତ୍ୟୁରଭୟକୁ ଅନୁଭବ କରିପାରୁଥିବ ସେ ପର୍ଯ୍ୟନ୍ତ ସମାଜରେ ବିଶୃଙ୍ଖଳାର ବିଜ ବୁଣିବାକୁ ପଶ୍ଚାତ୍‌ପଦ ହେବ । ସେଇଥିପାଇଁ ବୋଧହୁଏ ପୂର୍ବଜମାନେ ସାମାଜିକ ଉଶୃଙ୍ଖଳ କାର୍ଯ୍ୟ ଗୁଡିକରୁ ମନୁଷ୍ୟକୁ ନିବୃତ୍ତ ରଖିବା ପାଇଁ ଧର୍ମ ମାଧ୍ୟମରେ ପାପ କର୍ମର ଆଖ୍ୟା ସୃଷ୍ଟି କରିଥିଲେ । ପାପ କର୍ମ ଭିତରେ ଖଞ୍ଜି ଦେଇଥିଲେ ମୃତ୍ୟୁ ର ଯନ୍ତ୍ରଣାର ଭୟ ସହିତ ମୃତ୍ୟୁପରର ଯନ୍ତ୍ରଣାର ଭୟ । ପାପ କର୍ମର ପ୍ରାୟଶ୍ଚିତ ପାଇଁ ଯମଦୁତ ମାନେ ତତଲା ତେଲକଡେଇରେ ପକାଇବା ଅବା ହୁ ହୁ ହୋଇ ଜଳୁଥିବା ଅଗ୍ନୀଶିଖା ଉପରେ ଶରୀରକୁ ଓଲଟା ଲଟକେଇ ଯନ୍ତ୍ରଣା ଦେବା ଇତ୍ୟାଦି । ମାତ୍ର ବିଡମ୍ବନା ଏହିକି ଭୋଗବାଦର ମୋହରେ କେତେକ କବଳିତ ଧର୍ମାତ୍ମା ମୃତ୍ୟୁର ଭୟଠାରୁ ଆଜି ବହୁ ଉର୍ଦ୍ଧ୍ୱରେ ଯେଉଁମାନେକି ବର୍ତ୍ତମାନର ସାମାଜିକ ବିଶୃଙ୍ଖଳାର ମୂଖ୍ୟ ସୁତ୍ରଧର । ଖାଲି ସେମାନେ ନୁହେଁ କ୍ଷଣିକ ଅବସାଦ ଓ କ୍ଲାନ୍ତି ମେଣ୍ଟାଇ ମାନସିକ  ଶାନ୍ତି ପ୍ରାପ୍ତିର ଆଳରେ ଉନ୍ମାଦନା ଉତପ୍ରେରିତ ନିଶା ଦ୍ରବ୍ୟ ସେବନ କରି କ୍ଷଣିକ ପାଇଁ ମୃତ୍ୟୁର ଭୟରୁ ଅପସରିଯାଇ ଅନ୍ୟ କେତେକ ମଧ୍ୟ ସାମାଜିକ ଶୃଙ୍ଖଳାର ଆଜି ସାଜିଛନ୍ତି ପରିପନ୍ଥୀ ।
   ପରିଶେଷରେ ଏତିକି କୁହାଯାଇ ପାରେ ଯେ ମନୁଷ୍ୟ ଯେପର୍ଯ୍ୟନ୍ତ ମୃତ୍ୟୁର ଭୟକୁ ଅନୁଭବ କରୁଥିବ, ସେ ପର୍ଯ୍ୟନ୍ତ ସେ ଥିବ ଶୃଙ୍ଖଳିତ । ତେଣୁ ପ୍ରତ୍ୟେକ ସମାଜ ବିରୋଧୀ କର୍ମରେ ମୃତ୍ୟୁର ଭୟକୁ ଧର୍ମରେ ହେଉ ଅବା ବିଜ୍ଞାନୀଚିନ୍ତାରେ ହେଉ ମନୁଷ୍ୟ ମନରେ ସୃଷ୍ଟି କରିପାରିଲେ ନିଶ୍ଚିତ ରୂପେ ଏ ସମାଜରୁ ସାମାଜିକ ବିଶୃଙ୍ଖଳା ଅନେକ ପରିମାଣରେ ଅପସରି ଯିବ ଏଥିରେ ସନ୍ଦେହ ନାହିଁ ।

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS