search in www.iswarchandraworld.blogspot.com

Sunday 8 March 2020

Odia Article ପ୍ରକୃତ ବନ୍ଧୁ

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ପ୍ରକୃତ ବନ୍ଧୁ 

  ‘ବନ୍ଧୁ’ ଏକ ପବିତ୍ର ଶଦ୍ଦ । ଭଲ ବନ୍ଧୁଟିଏ ଭାଗ୍ୟରେ ଥିଲେ ମିଳେ ।  ଆପଣଙ୍କ ସୁଖ ଶାନ୍ତିରେ ଯାହାର ଆନନ୍ଦ ଓ ଆପଣଙ୍କ ଦୁଃଖକୁ ଯିଏ ଅନୁଭବକରି ତାକୁ ଲାଘବ କରିବାକୁ ଚେଷ୍ଟାକରେ ସେ ହିଁ ପ୍ରକୃତ ଦରଦୀ ବନ୍ଧୁ । ହେଲେ ବର୍ତ୍ତମାନର ଏ ଧାଁଧପଡ ଦୁନିଆରେ ଚାଲିଛି ବନ୍ଧୁ ମରୁଡି କାଳ । କାହାର ପ୍ରକୃତବନ୍ଧୁଟିଏ ହେବାପାଇଁ ଆମମାନଙ୍କ ପାଖରେ ସମୟ ନାହିଁ କି ସେ ହୃଦୟ ନାହିଁ । ହଁ, ବନ୍ଧୁ ଖୋଜିବାକୁ ଯାଇ ଆମେ ଭଗବାନଙ୍କୁ ଅବା ଗୁରୁଙ୍କୁ ନିଜର ପ୍ରକୃତବନ୍ଧୁ ବୋଲି ଗ୍ରହଣ କରିପାରିବା । ମାତ୍ର ସଦ୍‌ଗୁରୁ ଭାଗ୍ୟରେ ଥିଲେ ମିଳନ୍ତି । 
    ଭଗବାନଙ୍କ ସହିତ ବନ୍ଧୁତ୍ୱ ନିଆରା । ସେ ସମସ୍ତଙ୍କର ଜୀବନବ୍ୟାପି ପରମବନ୍ଧୁ । ତାଙ୍କ ବନ୍ଧୁତ୍ୱରେ ନାହିଁ ଧନୀଦରିଦ୍ର, ଉଚ୍ଚନୀଚ୍ଚ, ଛୁଆଁଅଛୁଆଁ, ଦବାନବା ଅବା ପାତରଅନ୍ତର । ଦାସିଆ ବାଉରୀ, ଭକ୍ତ ସାଲବେଗ ଅବା ବନ୍ଧୁମହାନ୍ତିଙ୍କ ଭଳି ଜଗନ୍ନାଥଙ୍କ ସହିତ ବନ୍ଧୁକରିବାର ଶୈଳୀ ଯଦି ଶିଖିପାରିବା ତେବେ ଆଉ ଜୀବନରେ ଅଧିକ କିଛି ଲୋଡାନାହିଁ । ହେଲେ ଆମେ ଭୁଲିଯାଉଛେ ଯେ ଆମ ଚାରିପାଖରେ ଆଉଜଣେ ଆମର ପ୍ରକୃତବନ୍ଧୁ ଅଛି ଯିଏ ଆମ ଜୀବନର ଜନ୍ମରୁ ଜୁଇ ପର୍ଯ୍ୟନ୍ତ ସେ କେବଳ ଆମରି ସେବା କରିଥାଏ । ସବୁବେଳେ କେବଳ ଦେଇଥାଏ । ନିସ୍ୱାର୍ଥପର ବନ୍ଧୁର ସେ ନିଦର୍ଶନ ।  ସେ ଅଟେ ବୃକ୍ଷ । ପୁରୁଣା ଛୋଟ ଗପଟିଏରୁ ଏହା ସ୍ପଷ୍ଟ । 
     ଦୁଃଖି ମଣିଷଟିଏ । ଭୋକରେ ଆଉଟୁପାଉଟୁ ହୋଇ ଗୋଟିଏ ଗଛତଳେ ବସି କାନ୍ଦିବାକୁଲାଗେ । ଗଛଟି ମଣିଷର କାନ୍ଦଣା ଶୁଣି ପଚାରେ ହେ ବନ୍ଧୁ ! ତୁମେ କାହିଁକି କାନ୍ଦୁଛ ? ଲୋକଟି ଉତ୍ତରଦିଏ ମୋତେ ଭୋକଲାଗୁଛି । ଗଛଟି କୁହେ ତୁମେ ମୋ ଦେହରେ ହୋଇଥିବା ଫଳକୁ ଖାଉନ । ମଣିଷଟି ଗଛରୁ ଫଳଟିଏ ଖାଇ ଆତ୍ମହରା ହୋଇପଡେ । ଗଛରୁ ସବୁତକ ଫଳତୋଳି ନେଇ ନିଜ କୁଡିଆକୁ ଫେରେ ।  ପୁଣି କିଛିଦିନ ପରେ ଆସି ସେହି ଗଛତଳେ ମନ ଦୁଃଖରେ ବସେ । ଗଛଟି ପଚାରେ ଆଜିତୁମର ମନ କାହିଁକି ଦୁଃଖ । ଲୋକଟି କୁହେ ମୋ କୁଡିଆଟି ଭାଙ୍ଗିଗଲାଣି । ତୋଳିବାକୁ ସମ୍ବଳନାହିଁ । ବୃକ୍ଷଟି କହେ ତୁମେ ମୋ ଡାଳଗୁଡିକ ହାଣିନେଇ କୁଡିଆ ତିଆରି କରୁନ । ଲୋକଟି ଲୋଭବସରେ ଗଛର ସବୁଡାଳ ହାଣିନେଇ ନିଜର କୁଡିଆ ଗଢେ । ପୁଣି କିଛିଦିନ ପରେ ଆସି ସେମିତି ସେହି ଥୁଣ୍ଟା ଗଛର ଗଣ୍ଡି ପାଖରେ ମନ ଦୁଃଖରେ  ବସେ  ଓ ଗଛ ଏହାର କାରଣ ପଚାରେ । ଲୋକଟି କହେ ମୁଁ ଗୋଟିଏ ଡଙ୍ଗାକରି ମାଛ ଧରିବାକୁ ଚାହୁଁଛି ହେଲେ କାଠ ନାହିଁ । ଗଛଟି କହେ ତେବେ ମୋ ଗଣ୍ଡିଟିକୁ ନେଇ ଡଙ୍ଗାଟିଏ କରୁନ ।  ସେ ଗଛଟିର ଗଣ୍ଡିଟିକୁ କାଟିନେଇ ଡଙ୍ଗାଟିଏ କରେ । ଡଙ୍ଗାଟିରେ ମାଛ ଧରୁଧରୁ ଡଙ୍ଗାଟି ନଦୀରେ ବୁଡିଯାଏ । ସେତବେଳକୁ ଶୀତ ଆସିଥାଏ । ଲୋକଟି ଶେଷରେ ଥରିଥରି ଆସି ଗଛର ଥୁଣ୍ଟା ମୂଳପାଖରେ ପହଞ୍ଚେ । ଗଛଟି ଲୋକଟିର ଶୀତରେ ଥରିବାଟା ସହିନପାରି କୁହେ ହେ ବନ୍ଧୁ ! ଦେଖ ମୁଁ ତୁମକୁ ମୋର ସବୁକିଛି ଦେଇସାରିଛି । ମୁଁ ଏଥିରେ ବହୁ ଆନନ୍ଦିତ । ଆଜି ତୁମକୁ ଦେବାକୁ ଆଉ ମୋ ପାଖରେ କିଛିନାହିଁ । ହେଲେ ଏତିକି କହିବି ତୁମେ ଏ ଶୀତ କଷ୍ଟରୁ ରକ୍ଷା ପାଇବା ପାଇଁ ମୋ ମୂଳଟିରେ ନିଆଁ ଲଗାଇଦିଅ । ତଥାପି ଲୋଭୀ ମୂର୍ଖ ମଣିଷଟି ବୁଝିପାରିନି । ମୂଳଟିରେ ନିଆଁଲଗାଇ ନିଜକୁ ଶୀତରୁ ବଞ୍ଚାଇଛି । ଏଠି କହିବାର କଥାହେଲା ସ୍ୱାର୍ଥୀ ମଣିଷଟି ତଥାପି ଚିହ୍ନିଁ ପାରିଲାନି ନିଜର ଦରଦୀ ବନ୍ଧୁକୁ । ଶେଷରେ ସ୍ୱାର୍ଥପାଇଁ ତାକୁ ନିଶ୍ଚିହ୍ନ କରିଦେଲା । 
     ଟିକେ ଚିନ୍ତା କଲେ, ବଞ୍ଚିବାପାଇଁ ପ୍ରାଣବାୟୁରେ ଶରୀରରୁ ବାହାରୁଥିବା ଅଙ୍ଗାରକାମ୍ଲକୁ ଅପାନବାୟୁରେ ଲୋଡା ପଡୁଥିବା ଅମ୍ଳଜାନରେ ପରିଣତ କେବଳ ଏହି ବୃକ୍ଷ ହିଁ କରିଥାଏ । ଏ ସୃଷ୍ଟିରେ ବୃଷ୍ଟିର ପରିମାଣ ଏହି ବୃକ୍ଷରାଜୀଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଗ୍ରୀଷ୍ମର ଦୂର୍ଦ୍ଦଶ ସୂର୍ଯ୍ୟତାପକୁ ନିଜେ ପାନକରି ମଧୁର ଶୀତଳ ଛାଇ ଏହି ଗଛ ହିଁ ଦେଇଥାଏ । ଏନ୍ତୁଡିନିଆଁରେ ଶରୀରକୁ ଉତ୍ତାପଦେଇ ଶକ୍ତ କରିବାଠାରୁ ମରିବା ପରେ ବୋହିବା ପାଇଁ ଛଅଖଣ୍ଡ କାଠ ଓ ଶରୀର ଭଷ୍ମପାଇଁ ଚିତାଗ୍ନୀରେ ଏହାର ହିଁ ଆବଶ୍ୟକତା ପଡେ । ମନର ଦୁଃଖ, କ୍ଳାନ୍ତି ଅବା ଅବସାଦ ସମୟରେ ଟିକେ ଶସ୍ୟଶ୍ୟାମଳା କ୍ଷେତର ସୈନ୍ଦର୍ଯ୍ୟ ଅବା ବଗିଚାକୁ ଯାଇ ଦେଖନ୍ତୁତ ବୃକ୍ଷରାଜୀ ଗୁଡିକରେ ଫୁଟିଥିବା ଫୁଲଗୁଡିକର ଅପୂର୍ବ ସୁନ୍ଦରତା ଓ ବାସ୍ନା ମନକୁ କିପରି ହାଲୁକା କରିଦିଏ । ପୁଅଟିଏ ଜନ୍ମ କରି ନିଜର ଲହୁଲୁହ ଦେଇ ମଣିଷ କରିସାରିଲା ପରେ ଯଦି ସେ ବିଦେଶରେ ରହେ ତେବେ ଆମର ମୃତ୍ୟୁ ବେଳକୁ ଆମ ଶବକୁ କାନ୍ଧଦେବା ପରିବର୍ତ୍ତେ ବ୍ୟସ୍ତତାର ବାହାନାରେ କିଛିଟଙ୍କା ସହିତ ଚିଠିଟିଏ ପଠାଇଦିଏ ହେଲେ ନିଜେ ପହଞ୍ଚେôନା । ମାତ୍ର ପୁଅଭଳି ଯତ୍ନ ନନେଇ ମଧ୍ୟ ଯଦି ଗଛଟିଏ ଜୀବନରେ ପୋତି ବଡକରିପାରିଥାଏ ତେବେ ମୃତ୍ୟୁପରେ ବୋହି ନେବାକୁ ଅକୁଣ୍ଠ ଚିତରେ ସେ ନିଜର ବାହୁ ପ୍ରସାରି ସେମିତି ଛିଡା ହୋଇଥାଏ । କୁହନ୍ତୁତ ଏଭଳି ପ୍ରକୃତ ଦରଦୀ ବନ୍ଧୁ ଆଉ କିଏ ହୋଇପାରେ । 
    ବୋଧହୁଏ ସେଇଥିପାଇଁ ମାହାପ୍ରଭୂ ଜଗନ୍ନାଥ ନିଜର କଳେବରକୁ ବୃକ୍ଷର ଗଣ୍ଡିରେ ଗଢି ଗୁପ୍ତବାର୍ତ୍ତା ପ୍ରଦାନ କରୁଛନ୍ତି ଯେ ମୁଁ ସିନା ତୁମର ପରମବନ୍ଧୁ ହେଲେ ଭୂଲନାହିଁ ଏ ବୃକ୍ଷରାଜୀ ହେଉଛନ୍ତି ତୁମମାନଙ୍କର ପ୍ରକୃତ ବନ୍ଧୁ ।


******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS