search in www.iswarchandraworld.blogspot.com

Sunday 29 March 2020

Odia Story ମା’


ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ମା’

   ଚପଳତାରେ ଛନ୍ଦା ତାର ଜୀବନ । ଆର୍ଜବ ତାର ଆଭୂଷଣ । ଆଟୋପ କେବେ ପାଖ ତାର ମାଡେନି । ଆସ୍ୟରେ ତାର ଆକର୍ଷଣର ଆସବ । ଆଳପ ତାର ଶାଳୀନତାରେ ଆଢ୍ୟ । ଏଣୀ ପରି ଚାହାଣୀ । ଅଦାଗ, ଅଭଙ୍ଗା ସାଧା ଶୁଭ୍ର କାଗଜ ଟେ ପରି ତା’ର ଜୀବନ । ଜନ୍ମରୁ ରାଜ ଉଆସ ପରି ଘରର ଚାନ୍ଦନାରେ ସିଏ ଅଟେ ଚାନ୍ଦ । ଜୀବନର ପ୍ରତିଟି ମୂହୁର୍ତ୍ତକୁ ମନ ଖୋଲି ଉପଭୋଗ କରିଛି । କାହା ମନରେ ସେ କେବେ ବି ଦୁଃଖ ଦେଇନି । ଧନଧାନ୍ୟ ଓ ଆଭିଜାତ୍ୟ ଭରା ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଧନହୀନ ପ୍ରତି ଯଥେଷ୍ଟ ସ୍ନେହ । ଘରର ଚାକର ଚାକରାଣୀ ତା ପାଇଁ ନିଜଠାରୁ ବି ନିଜର । କାହାର ମନ ଉଣା କରିବାକୁ କେବେ ବି ଦିଏନି ।  ସତେ ଯେମିତି ‘ସର୍ବେ ଭବନ୍ତୁ ସୁଖୀନଃ’ ପରି ମହତ୍ତବାଣୀର ମାର୍ମିକତାକୁ ସେ ନିଜ ରକ୍ତରେ ମିଶେଇ ଦେଇଛି । ସେଇଥିପାଇଁ ତ ଘର ଓ ବାଡିବଗିଚା କମରେ ଯେ କେହି ବି କାମ କରିବାକୁ ଆସନ୍ତି ଥରୁଟିଏ ହେଲେ ମିନିକୁ ନଦେଖିଲେ କିମ୍ବା ତା ସାଙ୍ଗରେ କଥା ନହେଲେ କାହାକୁ ଭଲ ଲାଗେନି । ଜେଜେମା’ ନାଁ ଦେଇଥିଲେ ମିନାକ୍ଷୀ ହେଲେ ଗେଲ ବସରର ନାଁ ମିନାକ୍ଷୀରୁ ଆସି ମିନିରେ ପହଞ୍ôଚଗଲା । ନାଁ ସିନା ମିନି ହେଲେ ଦେଖିବାକୁ  ସେ ଗେଡି ନୁହେଁ । ଉଚ୍ଚତା ପାଞ୍ଚ ଫୁଟ୍ ଛଅ ଇଞ୍ଚ ସହିତ ଶରୀରର ଓଜନ ର ଅନୁପାତ ପୁରାପୂରି ଠିକ୍ । ଅନଘ ଅଧରରୁ କଥା ଝରିପଡିଲା ବେଳେ ମୁହଁ ଟି ଆହୁରି ଅନୁପମ ଦେଖାଯାଏ । ସ୍ମିତହସ ତାର ଗହଣା । ସହର ଠାରୁ ଅନତୀ ଦୂରରେ ରାଜ ପ୍ରସାଦ ଭଳି ଘରେ ସେ ରହୁଛି । ସହରର ନାମୀ କଲେଜରେ ଆଜି ସିଏ +୨ବିଜ୍ଞାନର ଛାତ୍ରୀ । ପାଠପଢାରେ ତାର ଅଗାଧ ଅନୁରକ୍ତି । ବାପାମାଆ, ଦାଦାଖୁଡି, ଜେଜେଜେଜେମା, ଭାଇଭଉଣୀ ସମସ୍ତଙ୍କର ସିଏ ଗେହ୍ଲା । ହେଲେ ତା ଚରିତ୍ରର ବୈଚିତ୍ୟ୍ରତା  ଅନନ୍ୟ । ହେତୁ ପାଇଲାଠାରୁ କେବେ ବି କିଶୋରୀ ର ବିଶିଷ୍ଟତାକୁ ସେ ଅନୁଭବ କରିନି । ବରଂ ତାର ଜୀବନ ଐଶୀ ଐଶ୍ୱର୍ଯ୍ୟରେ ପୂର୍ଣ୍ଣ । ଘଣ୍ଟା ଘଣ୍ଟାଧରି ନିଜ ମହଲରେ ଥିବା ପୂଜାଘରେ ବିତେଇ ଜୀବନର ପରମଶାନ୍ତି ସେ ସେଇଠି  ଅନୂଭବ କରେ । ତାର ପୂଜା ପାଠର ତରିକାରେ ପରିବାରର ସମସ୍ତେ ଅଭୀଭୂତ । ବଡିଭୋରରୁ ଉଠି ବଗିଚାରୁ ଫୁଲ ତୋଳିବାଟା ତାର ପ୍ରତିଦିନର ପ୍ରଥମ କାମ ତା ପରେ ଗାଧୁଆ ଓ ଦିଅଁ ପୂଜା । ଦିଅଁ ପୂଜା ପରେ ତାର ପ୍ରାର୍ଥନାରେ ଯେଉଁ ପ୍ରତିଧାନ ତାହା ଯେ କୈାଣସି ମାନବର ପ୍ରାଣକୁ ଦୋହଲେଇ ଦେବ । ବାପା ମାଆଙ୍କର ନିଜ ଝିଅର ଏଭଳି ଆଚରଣରେ ତଳେ ଗୋଡ ଲାଗେନି । ବାପା ତ ନିଜକୁ କୃତ୍ୟକୃତ୍ୟ ମନେ କରନ୍ତି । ମନେମନେ ଭାବନ୍ତି କେଉଁ ଜନ୍ମରେ କି ପୂଣ୍ୟ କରିଥିଲି  କେଜାଣି ଏଭଳି ଲକ୍ଷ୍ମୀ ଟିଏ ମୋ ଔରସରୁ ଭଗବାନ ଏ ଘର ଅଗଣାରେ ଜନ୍ମ ଦେଲେ ।  ମା’ କଥା କିଛି କୁହାଯାଇ ପାରେନା । ସେ ତ ମା’ । ମନରେ ଅସୁମାରି ଗରିମା । ବେଳେ ବେଳେ ଭାବୋନ୍ମଭରେ ଝିଅକୁ ଜାବୁଡି ଧରନ୍ତି ନିଜ ଛାତିରେ । ତାକୁ ଖାଲି ଗେଲ କରି ପକାନ୍ତି । ସତେ ଯେମିତି କୋଳ ଛୁଆକୁ ଗେଲ କଲା ପରି । ହେଲେ ମିନିର ସେଥିରେ କିଛି ଯାଏ ଆସେ ନାହିଁ । ତା ଜୀବନଚର୍ଯ୍ୟ ସେମିତି ଚାଲିଥାଏ ।
   ୟା ଭିତରେ ଷୋହଳଟି ଫଗୁଣ ଆସି ତା ତନୁକୁ ଛୁଇଁ ଗଲାଣି । ହେଲେ ଆଜିପର୍ଯ୍ୟନ୍ତ ସେ କେବେବି କୈାଣସି ଯୁବକ ପ୍ରତି ଆକର୍ଷିତ ହୋଇନି କିମ୍ବା ସେ ଆକର୍ଷଣର ମାଧୂର୍ଯ୍ୟ କୁ ସେ କେବେ ବି ଅନୁଭବ କରିନି । ବାସ  ବୁଝିଛି ଏତିକି, ନାରୀ ଆଉ ପୁରୁଷ ଏ ସମାଜ ଉପରପିଢୀର ସର୍ଜନା ପାଇଁ ଲୋଡା । ସେଦିନ  ମଙ୍ଗଳବାର । କଲେଜ୍‌ରେ ପହଞ୍ôଚ ଗୋଟିଏ କ୍ଲାସ୍ ସରିଗଲା ପରେ ତାର ସବୁଠାରୁ ଅତି ନିଜର ସାଙ୍ଗ ରେଣୁ କହିଛି ମିନି ଚାଲେ ଟିକେ ହପ୍ସିଟାଲ କୁ ଯିବା । ମିନି ଏହାର କାରଣ ପଚାରିବାରୁ ରେଣୁ  କହିଛି ମୋ ଭାଉଜଙ୍କର ଆଜି ଡେଲିଭରିର ଡେଟ୍ ଅଛି, ତେଣୁ ସେ ମେଡିକାଲ୍‌ରେ ଅଛନ୍ତି । ଏକଥା ଶୁଣି ମିନି ମନର ଉତ୍କଣ୍ଠା ବଢିଗଲା । ଦୁଇଜଣ ଚାଲିଲେ ହପ୍ସିଟାଲ୍ । ହପ୍ସିଟାଲ୍‌ରେ ପହଞ୍ôଚ ଭାଉଜଙ୍କ ପାଖକୁ ଗଲା ବେଳକୁ  ଭାଉଜ ଲେବର୍‌ରୁମ୍‌ରେ ଖାଲି ଚିତ୍କାର କରୁଛି । ରେଣୁର ଭାଉଜ ଏଭଳି ଚିତ୍କାର କରୁଥାଏ ଯେ ମିନିର ଅନ୍ତର ଆତ୍ମା ଥରିବାକୁ ଲାଗୁଥାଏ । ସେ ଚିତ୍କାର ର ଶଦ୍ଦ ବେଳକୁ ବେଳ ବଢିବାକୁ ଲାଗିଥାଏ ବରଂ ଥମୁନଥାଏ ।  ସେ ଶଦ୍ଦରେ ଇତସ୍ତ୍ରତଃ ମିନି ସ୍ତବ୍ଧ୍ । ଠିକ୍ ପନ୍ଦର ମିନିଟ୍ ପରେ କୁଆଁ କୁଆଁ ଶଦ୍ଦ ଭାଷିଆସେ ଚିତ୍କାର ବଦଳରେ । ଆନନ୍ଦର ଲହରୀ ଖେଳିଯାଏ ସମସ୍ତଙ୍କ ମନରେ । ରେଣୁ  କୁଣ୍ଡାଇ ପକାଏ ମିନିକୁ । ମୋ ଭାଉଜର ଗୋଟେ ପୁଅ ହୋଇଛି କହି । ଦୁଇଜଣ ଫେରନ୍ତି ହପ୍ସିଟାଲ୍‌ରୁ । ହେଲେ ମିନିର ମନରେ ଏକ ବିରାଟ ପରିବର୍ତ୍ତନ । ଅହରହ ମନରେ ରେଣୁ ଭାଉଜର ସନ୍ତାନ ଜନ୍ମ ଦେବା ସମୟର ଚିତ୍କାର ତାକୁ ଅସ୍ତବ୍ୟସ୍ତ  କରିପକାଉଥାଏ । ବାଟରେ ରେଣୁକୁ ପଚାରିଚି । ଆଚ୍ଛା ରେଣୁ ମା’ ନହେଲେ କଣ ହେବନି । ରେଣୁ କହିଛି ମିନି, ତୁ ଜାଣିନୁ, ମା’ ନହେଲେ ନାରୀ ଜୀବନରେ ସାର୍ଥକତା କିଛି ନାହିଁ । ଜୀବନ ଫିକା ହୋଇଯିବ । ମିନି କହଛି ଯାଇଁଲୁ ରେଣୁ , ତୁ ଏମିତି କହୁଛୁ ସତେକି ତୁ ଥରେ ମା’ ହୋଇ ସାରିଛୁ । ମିନି, ମୁଁ ଥଟ୍ଟା କରୁନି ତୁ ଦେଖିବୁନି ଥରେ ଖାଲି ବାହା ହୋଇଯା, ମୋ କଥା ମନେ ପକେଇବୁ । ରେଣୁ ତୁ ଯଦି ଏମିତି କହୁଛୁ ତାହାହେଲେ ମୁଁ ମା’ ହେବି ଯେ ଭଗବାନ ଏକା ଥରକେ ମୋର ଦୁଇଟି ଛୁଆ ଜାଆଁଳା କରି ଜନ୍ମ ଦେଇଦିଅନ୍ତୁ । ସେଥିରୁ ଗୋଟିଏ ପୁଅ ଆଉ ଗୋଟିଏ ଝିଅ ହେଉ । ଜୀବନରେ ଥରୁଟିଏ ମାତ୍ର ଏ ଗର୍ଭର କଷଣ ସହିବ । ରେଣୁ ହସିଦେଇ କହିଲା ଏମିତି କଣ ତୋ କଥାରେ ହୋଇଯିବ ନା କଣ । ଭଗବାନ ଚାହିଁଲେ ସେମିତି ହୋଇପାରେ । ନଚେତ୍ ନାହିଁ । ମିନି କହିଛି ତାହା ହେଲେ ଠିକ୍ ଅଛି । ଆଜିଠୁ ସେହି ଭଗବାନଙ୍କୁ ଡାକିବି ।
   କିଶୋରୀର ପରିସୀମା ଡେଇଁସାରି ଯୁବତୀ ପଣ ତା ଜୀବନ କବାଟକୁ ଠକ୍‌ଠକ୍ କଲାଣି ହେଲେ ସେ କେବେବି କେଉଁ ତରୁଣର ପ୍ରେମପରଷରେ ବିମୋହିତ ହୋଇନି । ସେ କେବେ ନିଜର ମୁହଁର ସୁନ୍ଦରତା କଳିନି, ଛାତିର ଉଚ୍ଚତା ମାପିନି, କାମନାର ତାତି ଅନୁଭବ କରିନି, କେଉଁ ଯୁବକକୁ ଦେଖି ତାର ହୃଦ୍‌କମ୍ପନ କେବେ ବି ହୋଇନି । ହେଲେ ସେ ପ୍ରେମ କରେ ଭଗବାନଙ୍କୁ, ପ୍ରେମ କରେ ସମସ୍ତ ମଣିଷ ଜାତିକୁ । ପ୍ରେମକରେ ନିଜକୁ । ପ୍ରେମ କରେ ପ୍ରକୃତିକୁ । ବଗିଚାରେ ଥିବା ଫୁଲକୁ, ଉଡିବୁଲୁଥିବା ପ୍ରଜାପତିକୁ । କିନ୍ତୁ ସେ କେବେବି ହିଆକୁ ନେଇନି, ବଗିଚାରେ ଏ ପ୍ରଜାପତି ମାନେ ଏ ଫୁଲରୁ ସେ ଫୁଲ ଉପରେ ଯାଇ କାହିଁକି ବସନ୍ତି । ବାସ୍ ଧରିତ୍ରୀ ର ଏ ମନୋଲୋଭା ବିଚିତ୍ରତା ତାକୁ ଅମାପ ଆନନ୍ଦ ଦିଏ ।
   ହେଲେ ଆଜି ସେ ମାତୃତ୍ୱର ତୃପ୍ତି ଅନୁଭବ କରିବାକୁ କାହିଁଙ୍କି ବ୍ୟଗ୍ର ହୋଇ ଉଠିଛି ସେ ଆଦ୍ୟୈ ବୁଝିପାରୁନି । ପ୍ରାତଃ ପ୍ରାର୍ଥନାରେ ପ୍ରଣିପାତ କଲାବେଳେ ଈଶ୍ୱରକୁ ଡାକେ ହେ ପ୍ରଭୁ ମୁଁ ତ ଅନୂଢା, ହେଲେ ଯେବେ ମୋତେ ସୀମନ୍ତିନିର ଚଉଫାଶରେ ବାନ୍ଧିଦେବୁ, ବାସ୍ ମାତୃତ୍ୱର ସେ ଗର୍ଭକଷଣ ଥରୁଟିଏ ଦେବୁ । ଆଉ ସେ  କଷଣରୁ ଜନ୍ମ ନିଅନ୍ତୁ ଜାଆଁଳା ସନ୍ତାନ-ଗୋଟିଏ ପୁଅ ଅନ୍ୟଟି ଝିଅ । ମା’ ସୀତାଙ୍କ ବିଷୟରେ ଭାବେ । ଲବକୁଶଙ୍କ ବିଷୟରେ ଚିନ୍ତାକରେ । ମନ ଭିତରେ ଉଙ୍କିମାରେ ବାସ୍ ଗୋଟିଏ କଥା । କିପରି ବିବାହ ପରେ ଜାଆଁଳା ପିଲାର ମା’ ହେବି । କଣ ତା ପାଇଁ ବିଧି ବ୍ୟବସ୍ଥା ଅଛି । କିଏ କହି ପାରିବ ୟା ମନ୍ତ୍ର । ମନ, ପ୍ରାଣ ଓ ଆତ୍ମାରେ ଭଗବାନଙ୍କୁ ପ୍ରାର୍ଥନା କରେ । 
   ଦିନେ କଲେଜ୍‌ରୁ ନିଜ ସ୍କୁଟିରେ ଫେରୁଥିବା ସମୟରେ ରାସ୍ତାରେ ଗାଡିର କାହିଁକି ଷ୍ଟାର୍ଟ ବନ୍ଦ ହୋଇ ଯାଇଛି । ଗାଡିଟିକୁ ଗଡେଇ ରାସ୍ତା କଡରେ ଥିବା ଏକ ପରିବା ଦୋକାନ ସାମନାକୁ ଆଣିଛି ଓ ଛିଡା ହୋଇଛି । ପରିବା ଦୋକାନୀ ମନେମନେ ଭାବିଛି, ମ୍ୟାଡାମ୍ ବୋଧେ କିଛି ପରିବା କିଣିବେ । ମ୍ୟାଡାମ୍ କଣ ନେବେ ଆଜ୍ଞା । ନାଇଁ ନାଇଁ କିଛି ନେବାରେ ନାହିଁ । ଗାଡିଟା ଷ୍ଟାର୍ଟ ବଳ ହୋଇ ଗଲାତ, ସେଇଥି ପାଇଁ ଅଟକି ଗଲି । ପରିବା ଦେକାନୀଟି କହିଛି, ମ୍ୟାଡାମ୍ ସାହାଯ୍ୟ କରିବି କି । ମିନି କିଛି ନ କହି ଟିକେ ନୀରବ ରହିଛି । ପରିବା ଦେକାନୀ ଆସି ଷ୍ଟାର୍ଟ କରିଛି । ତଥାପି  ଷ୍ଟାର୍ଟ ହୋଇନି । ଦେଖିଲା ବେଳକୁ ଗାଡି ରିଜର୍ଭ ଲାଗିଜାଇ ଥିବାରୁ ଗାଡି ଷ୍ଟାର୍ଟ ହେଉନି । ପରିବା  ଦୋକନୀଟି କହିଛି ମ୍ୟାଡାମ୍ ଜମା ବ୍ୟସ୍ତ ହୁଅନ୍ତୁନି । କିଛି  ହୋଇନି । ଗାଡି ରିଜର୍ଭ ଲାଗିଥିବାରୁ ଷ୍ଟାର୍ଟ ବନ୍ଦ ହୋଇଯାଇଛି । ସତକୁ ସତ ତେଲ ଚାବି ଟି ରିଜର୍ଭକୁ ମୋଡି ଦେବାରୁ ଗାଡିଟି ଷ୍ଟାର୍ଟ ହୋଇଯାଇଛି । ମିନି ଖୁସି ହୋଇଯାଇଛି । ଗାଡି ଷ୍ଟାର୍ଟ ବନ୍ଦ କରି ଟିକେ ଛିଡା ହୋଇଛି । ପରିବା ଦୋକାନୀ ତା ଦୋକାନରେ ଯାଇ  ବସିଛି । ଦୋକାନୀର ବୟସ  ପ୍ରାୟ ୪୫ ହେବ ।  ଚେହେରାରେ ଅଳ୍ପ ଟିକେ ଯୁବସୁଲଭ ଲକ୍ଷଣଥିଲେ ହେଁ ସେ ଭାବ ଆଉ ନାହିଁ । ମିନି ଦୋକାନରେ ଥିବା ସବୁ ପରିବାକୁ ଟିକେ ଅନେଇଛି । ନଜର ପଡିଛି ଗୋଟିଏ କଦଳୀ କାନ୍ଦୀରେ । ଆଶ୍ଚର୍ଯ୍ୟ ଭାବେ ସେ ପାଇଛି କଦଳୀର ଗୋଟିଏ ଫେଣାରେ ଜାଆଁଳା କଦଳୀ । ତନ୍ମୟ ସେ ଜାଆଁଳା କଦଳୀକୁ ଦେଖି । ମନେମନେ ଭାବିଛି ମିନି । ଯଦି ପ୍ରକୃତି ଏ କଦଳୀଟିକୁ ଜାଆଁଳା କରି ଗଢିଛି ତେବେ ଏ ଜାଆଁଳା କଦଳୀ ଖାଇଲେ ଜାଆଁଳା ପିଲାର ମାଆ ହେବାର ସମ୍ଭାବନା ନିଶ୍ଚୟ ବଢିଯିବ । ଚିନ୍ତା କରିଛି ଆଜିଠାରୁ ତାକୁ ଯେଉଁଠି ଯେଉଁ ଜାଆଁଳା ପରିବା ଅବା ଜାଆଁଳା ଫଳ ହେଉ, ମିଳିଲା ମାତ୍ରେ ତାକୁ ଖାଇବ । କହିଛି ଆଜ୍ଞା ମୋର ସେ ଜାଆଁଳା କଦଳୀ ଫେଣାଟା ଦରକାର । ଦୋକାନୀ ଟିକେ ଆଶ୍ଚର୍ଯ୍ୟ ହୋଇଯାଇଛି । ଲୋକମାନେ ତ ଯାଆଁଳା ପରିବା ନେବାକୁ ଭଲପାଆନ୍ତିନି ହେଲେ ଏ ତ ବଚିତ୍ର ଝିଅ । ମିନି ପଚାରିଛି କେତେ ଟଙ୍କା ଦେବି । ଦୋକାନୀ କହିଛି ୨୦ଟଙ୍କା । ମିନି ୨୦ଟଙ୍କିଆ ନୋଟ୍ ଟେ ବଢେଇ ଦେଇଛି । କହିଛି ମଉସା ଆପଣ ମୋତେ ଯଦି ସବୁଦିନ ଏମିତି ଯାଆଁଳା ପରିବା ଦେବେ ମୁଁ କିଣିନେବି । ଦୋକାନୀ ଆଶ୍ଚର୍ଯ୍ୟ ହୋଇ ହଁ ଭରିଛି, ହେଲେ ପଚାରିପାରିନି ଏହାର କାରଣ ।
   ଜାଆଁଳାର ଜନନୀ ହେବା ନିଶାରେ ସେ ଆଜି ପୁରାପୁରି ନିମଗ୍ନ । କି ଅଦ୍‌ଭୁତ ଚିନ୍ତା ଧାରା । କୁଆଁରୀ ବୟସରଙ୍କ  ଝିଅ ମାନେ ଭାବନ୍ତି ନିଜ ମନର ମଣିଷ କଥା । କିଏ ସ୍ୱପ୍ନରେ ଦେଖେ ଅପ୍ସଷ୍ଟ ଛବି ତ କିଏ ପୁଣି ବସିଲା ଠେଇଁ ଭାବିଚାଲେ ମନର ମଣିଷ ସହିତ ଅନ୍ତରଙ୍ଗ ଆଳାପ ଆଉ ସେ ସଂପର୍କର ଲ୍ୟୈକିକ ଅନୁଭୁତିକୁ । ହେଲେ ମିନି କ୍ଷେତ୍ରରେ ଏଭଳି ଭାବନାରେ ନାଁ ଗନ୍ଧ ହିଁ ନାହିଁ । ‘ମୂଳରୁ ମାଇପ ନହେଉଣୁ ପୁଅ ନାଁ ଗୋପାଳିଆ’ ଭଳି ଶୟନେ ସ୍ୱପନେ ଜାଗରଣେ ବିବାହ ପରେ ଜାଆଁଳାର ଜନନୀ ସୁଖ । ଆଗଭଳି ତା ଚାଲି ଚଳନରେ ଥିବା ଚପଳତା ଟିକେ ବଦଳିଗଲା ପରି ମନେ ହେଲାଣି । ଏବେ ଯେଉଁଠି ବସୁଛି ନଥ କିନା ବସିପଡି ହଜିଯାଉଛ ସେହି ଅଣଦେଖା ରାଇଜରେ । ଗର୍ଭରେ ଜାଆଁଳା ଛୁଆକୁ ଧରି ବୁଲି ମାତୃତ୍ୱର ସେ ଅବ୍ୟକ୍ତ ଆନନ୍ଦ କୁ ଭରପୁର ଉପଭୋଗ କରିବ । ସତେ ଯେମିତି ଏବେ ତାର ସ୍ୟୈକୁମାର୍ଯ୍ୟ ଉନ୍ମୀଳିତ ହେବାକୁ ଉଦ୍ୟତ ହେଲାଣି । ଅଳସପଣ ମନରେ ଟିକେଟିକେ ବସା ବାନ୍ଧିବାକୁ ଲାଗିଲାଣି । ନିଜ ଦେହ ଆଉ ମୁହଁକୁ ବାରମ୍ବାର ଦର୍ପଣ ସାମନାରେ ପରଖିଲାଣି । କଲେଜ୍ ଯିବା ସମୟରେ ଆଗଭଳି ମାଦକତା ଆଉ ନାହିଁ । ମନ ଭିତରେ ଅସୁମାରି ସ୍ୱପ୍ନ କୁ ଚାପିରଖିଲା ପରି ସବୁବେଳେ ମନେ ହେଲାଣି । ପ୍ରତିଦିନ କଲେଜ୍‌ରୁ ଆସିବା ସମୟରେ ଜାଆଁଳା ପରିବା ଓ ଫଳମାନ ଯାହା ମିଳେ ତାକୁ ଆଣି ତା ମା’କୁ ଦେଇଦିଏ ଆଉ କହେ ମା’ ମୁଁ ଏ ଜାଆଁଳା ପରିବା ଆଉ ଫଳ ସବୁ ଖାଇବି । ଦିନେ ହଠାତ୍ ତା ମା’ ତାକୁ ପଚାରିଛି ଆରେ ଚଗଲି, ଏସବୁ ଜାଆଁଳା ପରିବା ଆଉ ଫଳ ଖାଇଲେ କଣ ହେବ । ମୁଁ କାହିଁ ମୋଟେ ବୁଝି ପାରୁନି । କହିଲା ମା’ ମୋତେ ତ ଭଲଲାଗୁଛି ଆଉ ତୁ କାହିଁ ଏହାର କାରଣ ପଚାରୁଛୁ ଯେ । ମୁଁ ଖାଇଲେ କଣ ତୋତେ ଭଲ ଲାଗିବନି । ନାହିଁ ନାହିଁ ତୁ ଖାଉନୁ ଖା । ସେହି ଦିନ ଠାରୁ ତା ମା’ ବି ତାକୁ ଆଉ ପଚାରେନି କି ଘରେ ଏ ଅନୋଖା ଲକ୍ଷ୍ୟଣ ବିଷୟରେ କାହାକୁ କୁହେ ନାହିଁ । 
   ଦିନ ଗଡିଚାଲେ । କୋଡିଏ ବର୍ଷ ବୟସ ହୋଇଯାଏ । ତା ମା’ ତାର ବାପାଙ୍କୁ କହି ପାଖ ସହରରେ ଗୋଟିଏ ସୁନ୍ଦର ବର ଯୋଗାଡ କରିସାରିଲାଣି । ଯେଉଁ ଜ୍ୱାଇଁ ଠିକ୍ କରନ୍ତି ସେ ଆସେ ମିନିକୁ ଦେଖିବା ପାଇଁ । ମିନିକୁ ଓ ମିନି ଘରର ସ୍ଟାଟସ୍ କୁ ଯେ କେହି ଦେଖୁନା କାହିଁକି ସମସ୍ତେ ରାଜି ହେବେ ତାକୁ ବାହା ହେବାକୁ । ବିବାହର ମଧ୍ୟ ଧୂମ୍‌ଧାମ୍‌ରେ ସରିଯାଏ । ମିନି ଆଉ ତା ସ୍ୱାମୀ ଅବିନାଶ ରୁହନ୍ତି ପାଖ ସହରରେ । ମିନି ଶିକ୍ଷାରେ କେବଳ ନୁହେଁ ଦୀକ୍ଷାରେ ଭି ଥିଲା ଭୂଷିତା । ତେଣୁ ପତିକୁ ପରମେଶ୍ୱରର ଦର୍ଜା ସେ ନିଜ ହୃଦୟ ଭିତରେ ଦେଇଥାଏ । ଚତୁର୍ଥୀ ରାତିରେ ପ୍ରଥମ ମିଳନରେ ସେ ତାର ମନର କଥା ସବୁ ଖୋଲିକି ଯେତେବେଳେ ଅବିନାଶ କୁ କହିଦିଏ, ଅବିନାଶ ଠୋଠୋ ହୋଇ ହସେ । ସେ ତ ବୈଜ୍ଞାନିକ । ଏଭଳି ଅନ୍ଧ ବିଶ୍ୱାସରେ ସେ ବିଶ୍ୱାସ ବା କରିବ କେମିତି । ହେଲେ ବିସ୍ତୀର୍ଣ୍ଣମନା ସେ । ଚିନ୍ତା କଲା, ଏ ବି ଜୀବନରେ ଏକ ଗବେଷଣା । ମିନି ଟିକେ ନରମି ଯାଇ କହିଲା ତୁମେ ମୋ କଥାରେ ହସୁଛ କାହିଁକି । ସତ ହୋଇ ନପାରେ ଏ କଥା, ହେଲେ ମୋ ମନରେ ବିଶ୍ୱାସତ ଅଛିନା । ଅବିନାଶ କହିଛି ହଉ ହଉ । ମୁଁ ନିଶ୍ଚୟ ପ୍ରତିଦିନ ତୁମପାଇଁ କେଉଁଠୁନା କେଉଁଠୁ ଜାଆଁଁଁଳା ପରିବା ଓ ଫଳ ଆଣିବି । 
   ଏମିତି ସମୟ ଗଡିଚାଲେ । ମିନି ହୁଏ ଗର୍ଭବତୀ । ପ୍ରତିଦିନ ଅବିନାଶ ପ୍ରତିଦିନ ଜାଆଁଳା ପରିବା ଓ ଫଳ ମିନି ପାଇଁ ନେଇକରି ଆସେ । ମିନିର ଖୁସି କହିଲେ ନସରେ । ଅବିନାଶ ପାଖରେ ରହିବା ପରେ ବି ସେମିତି ସକାଳୁ ଭଗବାନଙ୍କୁ ପୂଜା କରିବା ଆଗଭଳି ଚାଲିଥାଏ । ହେଲେ କଥାରେ ଅଛି ମଣିଷ ଯାହା ଭାବେ ଭଗବାନ ଆଉ ଅଲଗା କଣ କରନ୍ତି । ମିନି ଗର୍ଭରେ ଜାଆଁଳା ସନ୍ତାନ ପରିବର୍ତ୍ତେ ତିନୋଟି ସନ୍ତାନ ଭରିଦିଅନ୍ତି ଯେଉଁଥିରୁ ଗୋଟିଏ ଝିଅ ଓ ଅନ୍ୟ ଦୁଇଟି ପୁଅ । ଅବିନାଶ ଡକ୍ଟର ପାଖରେ ମିନିର ଭଲଭାବରେ ଟ୍ରିଟ୍‌ମେଣ୍ଟ୍ କରିଚାଲେ । ଯେତେବେଳେ ଗର୍ଭ ଆସି ଛ’ ମାସର ହୁଏ ଅବିନାଶ ଡକ୍ଟର ପାଖରେ ମିନିର ଅଲ୍ଟ୍‌ାସାଉଣ୍ଡ୍ କରାନ୍ତି । ଡକ୍ଟର ମିନି ଗର୍ଭରେ ତିନୋଟି ସନ୍ତାନ ଦେଖନ୍ତି ଓ ଅବିନାଶ କୁ ଜଣାନ୍ତି । ଅବିନାଶର ଆଶ୍ଚର୍ଯ୍ୟ ହେବାର ସୀମା ରହେନାହିଁ । ସେ ଯେତେବେଳେ ଏକଥା  ମିନିକୁ ଜଣାଏ ମିନି ନିଜକୁ ବିଶ୍ୱାସ କରିପାରେନି । ଘରକୁ ଫେରି ଖଟ ଉପରେ ଶୋଇପଡି ପେଟଉପରେ ହାତ ବୁଲେଇ ନିଜକୁ ଟିକେ ଭୟଭିତ ମନେକରେ ।  ରେଣୁ ଭାଉଜର ସେ ପ୍ରସବ ସମୟର ଚିତ୍କାର ତା ମନକୁ ଖିନ୍‌ଭିନ୍ କରିବାରେ ଲାଗେ । ହେଲେ ଅବିନାଶର ଭଲପାଇବା ଓ ଯତ୍ନରେ ସେ ସବୁ ଭୟକୁ ଭୂଲିଯାଏ । ବେଳେବେଳେ ଦିଅଁଙ୍କ ପାଖରେ ବସି ମନେମନେ କହିଉଠେ, ପ୍ରଭୂ ତୁମେ ସତରେ ମହାନ୍ ଆଉ ବିଚିତ୍ର । ମାଗିଥିଲି ଦୁଇଟା ହେଲେ ତୁମେ ଦେଲ ତିନିଟା । କିନ୍ତୁ ସେମାନଙ୍କର ଦାୟୀତ୍ୱ ତୁମେ ନିଅ ପ୍ରଭୁ ।
   ଗର୍ଭ ଆସି ନଅ ମାସରେ ପହଞ୍ଚେ । ପେଟରେ ପିଲା ତିନୋଟି ଅତି ଯତ୍ନର ସହ ବଢି ଚାଲିଥାଆନ୍ତି । ଦିନକର କଥା ରାତି ଆସି ନିର୍ଜନତାରେ କବଳିତ ହେଲାଣି । ଅବିନାଶ ଶୋଇ ଧୀରେଧୀରେ ଘୁଙ୍ଗୁଡି ମାରୁଥାଏ । ମିନିର ଆଖିକୁ ନିଦ କାଇଁ ଆସିନି । ସେ ଉଠିପଡି ଖଟର ବାଡକୁ ଆଉଜିକି ବସି ନିଜ ପେଟ ଉପରେ ନିଜର ଡାହଣ ହାତର ପାପୁଲିକୁ ଧୀରେଧୀରେ ବୁଲାଉଥାଏ । ହଠାତ୍ ପେଟ ଭିତରେ ସବା ସାନ ଭାଇଟି ଦୁଷ୍ଟାମି କରିବା ଆରମ୍ଭ କରିଦେଇଛି । ମା’ର ପେଟକୁ ଗୋଇଠା ମାଡ ଦେବା ଆରମ୍ଭ କରି ଦେଇଛି । ବଡ ଭଉଣୀ ବିରକ୍ତି ହୋଇ କହିଛି କାହିଁକି ସେମିତି ହେଉଛୁ । ତୁ ଭାଇ ଭଳିଆ ହେଉନୁ । ଦେଖିଲୁ ଆମ ମା’ କେତେ କଷ୍ଟ ପାଉଥିବ । ହଠାତ୍ ସବା ସାନ ଭାଇଟି ପଚାରି ବସିଛି, ଅପା ଏ ମା’ କଣ? ମା’ ଆମର ସବୁ କିଛି । ମା’ ତ ଆମକୁ ଏ ସଂସାରକୁ ଆଣିବ । କେତେ ଶାନ୍ତ କେତେ ସୁନ୍ଦର ସେ । ଆମ ତିନିଜଣଙ୍କୁ ଖୋଇବା ପାଇଁ ତିନିଟା ନାଡି ଆମ ମାନଙ୍କ ନାହି ସହିତ ଯୋଡିକି ରଖିଛି । ତୁ  ଗୋଇଠା ମାରୁଛୁ । ତାକୁ କେତେ କଷ୍ଟ ହେଉଥିବ କହିଲୁ । ତଥାପି ସେ କାହାକୁ କିଛି କହୁନି । ଯେଉଁ କାମ ବି କରୁଛି ବହୁତ ଧୀରେଧୀରେ କରୁଛି । ଏତେ ସନ୍ତର୍ପଣ ରେ କରୁଛି ଯେ ଯେମିତି ଆମ ଦେହରେ ଟିକେ ହେଲେ ବି ଆଘାତ୍ ନ ଲାଗୁ । ସବୁ ଦୁଃଖକଷ୍ଟକୁ ନିଜେ ସହିଯାଉଛି । ଆମପାଇଁ କେତେ ପ୍ରକାର ଫଳ, ପନିପରିବା କ୍ଷୀର ସେ ଖାଉଛି  କହିଲୁ । କେତେବେଳେ ଆମ ପାଟିକୁ ଟିକେ ମଧୁର ସ୍ୱାଦ ଦବାପାଇଁ କେତେ ପ୍ରକାର ପିଠା ଆଉ ମିଠା ଖାଉଛି । ଆମେ ଗୋଇଠା ମାରିଦେଲେ ତା ପେଟକୁ, ପେଟର ଯନ୍ତ୍ରଣାକୁ ସେ କାହାକୁ କହୁନି । ସବୁ ଖୁସିରେ ସହିନଉଛି । ନିଜ ପାପୁଲିର କୋମଳ ସ୍ପର୍ଶରେ ପେଟ ଉପରେ ଯେତେବେଳେ ହାତ ବୁଲେଇ ନଉଛି କହିଲୁ କି ଆନନ୍ଦ, କି ପରମ ଶାନ୍ତି ମିଳୁଛି । ଖରାକୁ ବେଶୀ ଯାଉନି, କାମ ବେଶି କରୁନି । ସବୁ କିଛି ଆମରି ପାଇଁ । ନିତି ପୂଜାଘରେ ବସି ପ୍ରାର୍ଥନା କରୁଛି ଆମରି ପାଇଁ । କହୁଛି ହେ ପ୍ରଭୁ, ମୋ ପିଲା ମାନଙ୍କୁ ଭଲରେ ଜନ୍ମ ଦେଇଦେ । ଟିକେ ଭାବିଲୁ, ଆମେ ଯେତେବେଳେ ଏ ପେଟ ଭିତରୁ ବାହାରିବା ମା କୁ କି କଷ୍ଟ ନହେବ । ସେତ ଯନ୍ତ୍ରଣାରେ ଛଟ୍‌ପଟ୍ ହେବ । ଏ ସବୁ କାହାପାଇଁ । ଆମେ ତ ତାର କିଛି କରୁନେ । ତାର ଦୁଃଖରେ ଆହା ପଦେ ବି କହୁନେ । ହେଲେ ଦେଖିଲୁ ପ୍ରତି ମୂହୁର୍ତ୍ତରେ ସେ ଆମରି ଚିନ୍ତାରେ ବ୍ୟଥିତ । କି ନିସ୍ୱାର୍ଥପର ସେବା ତାର । ସତରେ ଆମ ମା’ ଭଳି କେହି ହେବେନି । ସାନ ପିଲାଟି କହି ଉଠିଛି ଅପା, ମୁଁ ତ ଆଉ କିଛି ଏ ମା’ ବିଷୟରେ ଭାବୁଥିଲି । ଭାବୁଥିଲି ଆମକୁ ଏ ପେଟ ଭିତରଟାରେ କାହିଁକି ଛଟ୍‌ପଟ୍ କରି ରଖିଛି ।  ବାହାରକୁ କାହିଁକି ଛାଡୁନି । ହେଲେ ତୋ କଥାତ ସତ । ଆରେ ବୋକା, ତୁ ସିନା ମା’ ପେଟରେ ରହି ବଡ ହେବାରୁ ବାହାରକୁ ଯିବାକୁ ଚାହୁଁଛୁ । ଯଦି ତୁ ମା’ ପେଟରେ ନ ହୋଇଥାନ୍ତୁ, କଣ ଏ କଥା ଭାବି ପାରିଥାନ୍ତୁ । ତା ପରେ ମା’ ଆମକୁ ଆମର ଠିକ୍ ସମୟ ହେଲେ ବାହାରକୁ ଛାଡିଦେବ । ହଉ, ତଥାପି ଯଦି ମା’ କଣ ବୋଲି ଜାଣିବାକୁ ଚାହୁଁଛୁ, ମୁଁ ତୋତେ ଜଣେଇବି । ବେଳେବେଳେ ବାପା ରାତିରେ ଶୋଇଲା ସମୟରେ ମା’କୁ ବହୁତ ଭଲ କଥା ସବୁ କହନ୍ତି । ଯଦି କେଉଁଦିନ ମା’ ବିଷୟରେ କହିବେ ମୁଁ ତୋତେ ନିଶ୍ଚୟ କହିବି ଶୁଣିବାକୁ ।
   ସତକୁ ସତ ତାର ଦୁଇଦିନପରେ ରାତିରେ ଶୋଇଲା ବେଳକୁ ଅବିନାଶ ମିନିକୁ ଗୋଟିଏ ଖବର କାଗଜଟେ ଆଣି ମା’ ବିଷୟରେ ଲେଖାଟିଏ ପଢି ଶୁଣାଇବାକୁ ଆରମ୍ଭ କରିଛି । ପେଟ ଭିତରେ ଝିଅଟି ସାନଭାଇକୁ ଧ୍ୟାନ ଦେଇ ଶୁଣିବାକୁ କହିଛି । ଅବିନାଶ ପଢିଚାଲିଛି ।         
   ଧରିତ୍ରୀ ପରି ଯେ ବିନା ପ୍ରତିବାଦରେ ସବୁ ସହିଯାଏ ସେ ହେଉଛି ମା’ । ମା’ର ମମତାର ପଟ୍ଟାନ୍ତର ନାହିଁ । ମା ସ୍ନେହର ସାଗର, କରୁଣାର ମନ୍ଦିର, ପ୍ରୀତିର ସ୍ୱର୍ଗର୍ । ତା’ ସେବାରେ ସ୍ୱାର୍ଥ ନଥାଏ । ତା’ କୋଳ ହେଉଛି ଶିଶୁ ପାଇଁ ସଂସାରରେ ନିର୍ଭୟର ଆଳୟ । ପିଲା ନଖାଇଲେ ମା’ କୁ ଭୋକ ଲାଗେନି । ସନ୍ତାନ ଆଖିରୁ ଲୁହ ଦେଖିଲେ ତା ହୃଦୟ କୋହରେ ଆକଣ୍ଠ ହୁଏ । ତା ଛୁଆଦେହର ଧୂଳି ତା ପଣତକାନୀର ଚନ୍ଦନ । ତା’ ପୁଅ ଦୌଡୁଦୌଡୁ ଝୁଣ୍ଟି ପଡିଲେ ତାକୁ ଉଠେଇଦେଇ ତାଗିଦ୍ କରେ ସିନା କିନ୍ତୁ ମନେମନେ ଭଗବାନଙ୍କୁ ପ୍ରାର୍ଥନା କରେ ମୋ’ ପୁଅ ଜଗତରେ ସମସ୍ତଙ୍କଠାରୁ ଆଗରେ ଦୌଡୁ । ପିଲା ଶରୀରକୁ ଆଘାତ ଲାଗିଲେ ତା’ର ଆତ୍ମାକୁ ପୀଡାହୁଏ । ପିଲାଟି ଯେତେ ଅସୁନ୍ଦର ହେଉନା କାହିଁଙ୍କି ତା ମା’ ଆଖିରେ ଏ ବିଶ୍ୱରେ ସେ ସବୁଠାରୁ ସୁନ୍ଦର । ନିଜ ସନ୍ତାନର ଯେତେ ଭୂଲ୍ ଥିଲେ ବି ମା’ ସେ ଭୁଲ୍‌କୁ ମାନିବାକୁ ପ୍ରସ୍ତୁତ ନୁହେଁ । ଦୋଷ ଦିଏ ଅନ୍ୟକୁ । ପିଲାର ଦେହ ବିଗିଡି ଗଲେ ହଜିଯାଏ ନିଦ ମା’ର । ସାରାରାତି ଅନିଦ୍ରା ହୋଇ ବସି ରହେ ପିଲା ପାଖରେ ତା ସେବାରେ । ମା’ । ମା’ ତୁଲ କେହି ନାହିଁ, କେହି ନଥିଲେ ବି କେହି ହୋଇପାରିବେନି ଏ ଧରା ବକ୍ଷରେ ।
   ଅବିନାଶର ପଢା ସରଯାଇଛି । ମିନି ନିଜ ହାତର ପାପୁଲିକୁ ଆଣି ନିଜ ପେଟ ଉପରେ ବୁଲେଇ ଆଣିଛି । ମାତୃତ୍ୱର ଆନନ୍ଦରେ ସେ ଅଭିଭୂତ ହୋଇପଡିଛି । ଝିଅଟି କହିଛି ଆରେ, ଶୁଣିଲୁଟି ମା’ କଣ । ହେଲେ ମୁଁ ତୋତେ ଆଉ ଗୋଟେ କଥା କହୁଛି ଶୁଣ । ମା’ ର ପ୍ରକୃତରେ ନିର୍ଦ୍ଧିଷ୍ଟ ସଂଜ୍ଞା ନାହିଁ । ମା’ ଏକ ଶୂନ୍ୟତା । ମା’ର ବିଶାଳତା ସୀମାହୀନ । ମା’ କୁ କଳିହେବନି କି ତଉଲି ହେବନି । ଏ ଜୀବନର ସର୍ଜନା ମା’ ସର୍ବସ୍ୱ । ମିନି ଆଖିରେ ନିଦ ମାଡି ଆସିଛି । ତିନିହେଁଯାକ ବି ନିଦେଇଯାଇଛନ୍ତି ।

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS