search in www.iswarchandraworld.blogspot.com

Wednesday 25 March 2020

Odia Article ଏ ଜୀବନ କାହା ପାଇଁ?

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ଏ ଜୀବନ କାହା ପାଇଁ?

      ସୁଖ ପାଇଁ ପ୍ରତ୍ୟେକ ମଣିଷ ବ୍ୟତିବ୍ୟସ୍ତ ଓ ଚଳଚଞ୍ଚଳ । ସେ ଶାରିରୀକ ଅବା ମାନସିକ ସୁଖ ହେଉ, ସୁଖ ଟିକକ ପାଇଁ ଅନେକ କିଛି କରିଚାଲେ । ଜୀବନରେ କର୍ମର ବିବିଧତା ମଧ୍ୟ ବଢିଚାଲେ । କର୍ମର ପରିବ୍ୟାପ୍ତ ଓ ବିସ୍ତାରରେ ସେ ବ୍ୟତିବ୍ୟସ୍ତତାକୁ କିଣି ଚାଲିଥିଲେ ମଧ୍ୟ ସୁଖ ରୂପକ ମରିଚୀକା ପଛରେ ଅହରହ ଧାବମାନ ହୋଇଥାଏ । ମାତ୍ର ନିତି ନୂତନ ସୁଖର ଅନ୍ୱେଷଣରେ ଭଟ୍ଟା ଜୀବନର ଚତୁର୍ଥ ଅବସ୍ଥାରେ ହିଁ ପଡିବା ଆରମ୍ଭ ହୋଇଥାଏ । ଯେତେବେଳେ ଶରୀରେନ୍ଦ୍ରିୟମାନେ ନିଜନିଜର କର୍ମ ସମ୍ପାଦନରେ ଅକ୍ଷମତା ପ୍ରକାଶ କରନ୍ତି ମନ ନୂଆନୂଆ ସୁଖକୁ ବରଣ କରିବାକୁ ଆପେ ଆପେ ଅକ୍ଷମତା ପ୍ରକାଶକରିବାରେ ଲାଗେ । ମନ ଶିଥିଳ ପଡିଚାଲେ । ଏହି ମନର ଶିଥିଳତା ଭିତରେ ଜୀବନର ଚିରନ୍ତନତାକୁ ଅନୁଭବ କରିବାକୁ ଆରମ୍ଭ କରେ । ଜୀବନର ଅର୍ଥ ଜାଣିିବାକୁ ପ୍ରୟାସ କରେ । ଏ ଜୀବନ କାହାପାଇଁ ପରି ଦ୍ୱନ୍ଦାତ୍ମକ ପ୍ରଶ୍ନ ତାକୁ କାବୁ କରି ବସେ । ଯେତେଯେତେ ଉତ୍ତର ଖୋଜିବାକୁ ଚେଷ୍ଟା କରିବସେ ସେତେସେତେ ପଶ୍ଚତାପ ତାକୁ ଆକଣ୍ଠ କରିବାରେ ଲାଗେ । ପରନ୍ତୁ ତା’ ପାଇଁ ରାତି ସରିସରି ଆସୁଥାଏ । ବିହିତ ପଦକ୍ଷେପ କଥା ଛାଡନ୍ତୁ ସ୍ୱପ୍ନ ପାଇଁ ମଧ୍ୟ ତା’ ପାଖରେ ଆଉ ସମୟ ନଥାଏ । କିନ୍ତୁ କେତେକ ମନୁଷ୍ୟଙ୍କ କ୍ଷେତ୍ରରେ ଏହା ମଧ୍ୟ ବ୍ୟତିକ୍ରମ ପରି ମନେ ହୁଏ ।  ସାଂସାରିକ ସୁଖର ଉନ୍ମାଦନାରେ ଉଦ୍‌ବେଳିତ ନହୋଇ ଖୋଜି ଚାଲନ୍ତି ଏ ଜୀବନର ପ୍ରକୃତ ରହସ୍ୟ । ଏ ଜୀବନର ଉଦ୍ଦେଶ୍ୟ କଣ ଓ କାହାପାଇଁ? ଏହି ଶୁଦ୍ଧ ଚୈତନ୍ୟ ପୂର୍ଣ୍ଣ ଅଭିସନ୍ଧିଛୁ ମନୋଭାବ ସେମାନଙ୍କ ଜୀବନକୁ କରେ ଋୁଦ୍ଧିମନ୍ତ । ମାନବ ଜୀବନ ଚରିତାର୍ଥର ପଥ ହୁଏ ଉନ୍ମୁକ୍ତ । ମାତ୍ର ଏଭଳି ମହାନ ମାନବଙ୍କ ସଂଖ୍ୟା ନଗନ୍ୟ । ଏ ଧରାଧାମରେ ଭୋଗବାଦର ମୋହରୁ ମୁକୁଳିବାଟା ଏତେ ସହଜ ମଧ୍ୟ ନୁହେଁ । ସାଗର ତରଙ୍ଗ ଟାଣିନେଲା ଭଳି ଏହା ନିଜ ଆଡକୁ ଖୁବ୍ ଜୋରରେ ଓଟାରି ନିଏ । 
      ଏହି ମର୍ମରେ କଥାଟିଏ । ଆଜି ବୟସର ଅପରାହ୍ନରେ ଚିନ୍ତାମଣିବାବୁ ନିଃସଙ୍ଗ । ବିରାଟ ବଙ୍ଗଳା ଭିତରେ ଚାକର ଚାକରାଣୀଙ୍କୁ ଛାଡିଦେଲେ ତାଙ୍କ ପାଖରେ କେହି ନାହାନ୍ତି । ବଡ ପୁଅବୋହୁ ଅଷ୍ଟ୍ରେଲିଆରେ ତାଙ୍କ ପିଲାଛୁଆଙ୍କୁ ନେଇତ, ଝିଅ ତା’ସ୍ୱାମୀ ସହିତ ଦିଲ୍ଲୀରେ ଜୀବନ ବିତଉଛନ୍ତି । ଚାକିରୀରୁ ଅବସର ନେବା ବର୍ଷ ହିଁ ପତ୍ନୀ ଆରପାରିକୁ ଚାଲିଯାଆନ୍ତି । ପତ୍ନୀ ଚାଲିଯିବା ପରଠାରୁ ଏତେ ବଡ ସ୍ୱପ୍ନର ଘର ଭିତରେ ଜୀବନକୁ ତର୍ଜ୍ଜମା ଓ ଅନୁଶୀଲନ କରିବା ଛଡା ତାଙ୍କ ପାଖରେ ଆଉ ବିକଳ୍ପ କିଛି ନଥାଏ । ଯେଉଁ ମାନଙ୍କର ହସଖୁସି ଓ ସୁଖପାଇଁ ଜୀବନର ପ୍ରତ୍ୟେକ ମୁହୁର୍ତ୍ତକୁ ସେ ହଜାଇଛନ୍ତି ଆଜି ସେମାନେ ସମସ୍ତେ ତାଙ୍କ ପାଇଁ ସ୍ୱପ୍ନ । 
     ଆଜି ଯୈାବନର ପ୍ରତ୍ୟେକ ମୁହୁର୍ତ୍ତକୁ ସେ ସାଉଁଟି ଚାଲିଛନ୍ତି । ଇଂଞ୍ଜିନିୟର ଚାକିରୀଟିଏ ପାଇଲା ପରେ ତାଙ୍କ ମନ ଏ ସମାଜରେ କେତେ ଯେ ଚଉଡା ହୋଇଯାଇଥିଲା ତାହାର କଳନା ନାହିଁ । ପ୍ରିୟତ୍ତମ ହିସାବରେ ଜଣେ ବଡ ବ୍ୟବସାୟୀଙ୍କ କନ୍ୟାକୁ ବରଣ କରି ଆଣିଥିଲେ । ନିଜର ପିଲାମାନଙ୍କୁ ବଡମଣିଷ କରି ଗଢିବାପାଇଁ, ପ୍ରତିପତି ଓ ମାନସମ୍ମାନ ବଢେଇବା ପାଇଁ ଅନ୍ୟାୟର ପଥ ମଧ୍ୟ ଆପଣେଇ ନେଇଥିଲେ ନିଜ ବୃତ୍ତିରେ । ଖୁବ୍ କଳାଟଙ୍କା ରୋଜଗାର କରିଥିଲେ । ପି.ଡବ୍ଲୁ.ଡିରେ ଇଞ୍ଜିନିୟର୍ ଭାବେ କଳାଟଙ୍କା ରୋଜଗାର କରିବାପାଇଁ ତାଙ୍କ ହାତରେ ସୁଯୋଗ ମଧ୍ୟ ଖୁବ୍ ଥିଲା । ଅଜସ୍ର ଟଙ୍କା କମାଇ ପିଲାମାନଙ୍କ ଶିକ୍ଷାର ବ୍ୟବସ୍ଥା ଖୁବ୍ ଖ୍ୟାତାନାମା ସ୍କୁଲ୍ ଓ ମହାବିଦ୍ୟାଳୟ ମାନଙ୍କରେ କରିଥିଲେ । ସେମାନେ ମଧ୍ୟ ସେଥିରେ ପାରଦର୍ଶିତା ହାସଲ କରି ନିଜଗୋଡରେ ଛିଡା ହେବାର ଉତ୍କର୍ଷତା ଲାଭ କରିଥିଲେ । ଯେତେ ଅଣନିଃଶ୍ୱାସୀ ଭଳି ଟଙ୍କା ରୋଜଗାର କରିଥିଲେ ପ୍ରାୟ ସବୁକୁ ଖର୍ଚ୍ଚ କରିଥିଲେ ଜାଗାକିଣା ଠାରୁ ଆରମ୍ଭ କରି ଘର ନିର୍ମାାଣ ପର୍ଯ୍ୟନ୍ତ ଏ ସ୍ୱପ୍ନର ବଙ୍ଗଳା ପାଇଁ । ସେତେବେଳେ ଦୀନ ଦରିଦ୍ରଙ୍କ ପ୍ରତି ଦୟାଭାବ ତାଙ୍କ ମନରେ ଟିକେବି ନଥିଲା । ସ୍ୱାର୍ଥ ସର୍ବସ୍ୱ ହୋଇପଡିଥିଲେ ସେ ।  ନିଜର ଘର ସଂସାରର ମଙ୍ଗଳ ଛଡା ସେ ଆଉ ଅନ୍ୟକାହାର ମଙ୍ଗଳକାମନା ମୁହୁର୍ତ୍ତକ ପାଇଁ କରି ନଥିଲେ । ତାଙ୍କ ଚାକିରୀ ସମୟ ଭିତରେ ଶତାଧିକ ପୋଲ ଓ ଶତାଧିକ ରାସ୍ତାର ନିର୍ମାଣ ତାଙ୍କ ତତ୍ତ୍ୱାବଧାନରେ ହୋଇଛି । ସବୁ କାମରେ ଅନେକ ଉପୁରି ପଇସା ସେ ଆଣି ନିଜ ପରିବାର ଖୁସି ପାଇଁ ବ୍ୟୟ କରିଛନ୍ତି । ଆଧୁନିକ ଜୀବନ ପାଇଁ ଆବଶ୍ୟକ ସମସ୍ତ ଖୁସି ପ୍ରଦାନକାରୀ ଜିନିଷ ଘରେ ଆଣି ଖଞ୍ଜି ଦେଇଥିଲେ ପିଲାମାନଙ୍କ ପାଇଁ । ମାତ୍ର ସେସବୁ ଜିନିଷ ଗୁଡିକର ମୂଲ୍ୟ ସତେଯେମିତି ତାଙ୍କ ପାଖରେ ଆଜି ମୂଲ୍ୟହୀନ । ସେ ସମୟରେ ସମାଜରୁ ସେ ଯେଉଁ ଟଙ୍କା ଲୁଟି କରି ଏତେ ସବୁ ଜିନିଷମାନ ଗଢିଥିଲେ ଆଜି ସେ ସବୁର ମୂଲ୍ୟ ତାଙ୍କ ପାଖରେ କିଛି ନଥିଲା ପରି ତାଙ୍କୁ ମନେ ହେଉଛି । ସତେଯେମିତି ସମାଜ ଆଖିରେ ଯେମିତି ଆଙ୍ଗୁଠି ଗେଞ୍ଜି ସେ ସେତେବେଳେ ଚାକିରୀରୁ ପାଇସା ଲୁଟିଥିଲେ ଆଜି ତାଙ୍କର ଏତେ ବଡ ବଙ୍ଗଳାରୁ ସେମିତି ଲୁଣ୍ଠନ ହୋଇଚାଲିଛି । ଏମିତି ବି ତାଙ୍କୁ ବୋଧ ହେଲାଣି ତାଙ୍କର ଏ ସ୍ୱପ୍ନର ବଙ୍ଗଳାକୁ ତାଙ୍କ ପୁଅ ଆଉ କାହାକୁ ବିକ୍ରିକରି ଦେଇପାରେ ନଚେତ୍ ୟାକୁ ମଧ୍ୟ ଏ ସମାଜର ଭୁତ ଖାଇଯିବେ । ଏମିତି ଅନେକ କଲା କର୍ମରେ ଆନ୍ଦୋଳିତ ହୋଇ ଶେଷରେ ଆସି ପହଞ୍ôଚଛନ୍ତି ସେଇ ଗୋଟିିଏ ପ୍ରଶ୍ନ ଏ ଜୀବନ କାହାପାଇଁ? 
      ବୋଧହୁଏ ନିଜ ଜୀବନର ସର୍ବସ୍ୱକୁ ନିଜ ପତ୍ନୀ ଓ ପିଲାମାନଙ୍କ ପାଇଁ ଉତ୍ସର୍ଗ କରି ସମାଜର ଦୁଃଖକୁ ଭୁଲିବସି ଆଜି ସେ ଭୁଲ୍‌କରି ବସିଛନ୍ତି ।  ପୁନଶ୍ଚ ମନର ଅନ୍ୟ ଏକ କୋଣରୁ ଆଉ ଏକ ପ୍ରତିରୋଧାତ୍ମକ ପ୍ରଶ୍ନ ଉଙ୍କିମାରେ । ତେବେ ସେ ବଞ୍ôଚଥାନ୍ତେ  ବା କାହାପାଇଁ? ସବୁ କିିଛି ଏ ସମାଜକୁ ଦେଇଦେଇଥାନ୍ତେ ନା କଣ? ନିଜସ୍ୱ ବୋଲି କଣ କିଛି ନାହିଁ? ମୋର ପୁତ୍ର ଭାରିଜା ମାନେ କଣ ଏ ସମାଜରଏକ ଅଶଂ ବିଶେଷ ନୁହନ୍ତି କି? ମୁଁ ସେମାନଙ୍କର ଯଦି ମଙ୍ଗଳ କରିପାରିଛି ତେବେ ପରୋକ୍ଷରେ ସମାଜର କଣ ମଙ୍ଗଳ ହୋଇନି ନା କଣ? ତେବେ ଆଜି ମୁଁ ଏଠି ଏତେ ମର୍ମାହତ କାହିଁକି? ଏଭଳି ପ୍ରଶ୍ନର ଉତ୍ତରରେ ନିଜର କୃତକର୍ମକୁ ଉପଯୁକ୍ତ ବୋଲି ମନେ କରୁକରୁ ପୁଣି ମନର ଅନ୍ୟ ଏକ ଦିଗ୍‌ବଳୟରୁ ଯୁକ୍ତିପୂର୍ଣ୍ଣ ଶଦ୍ଦ ଭାଷିଆସେ । ଆରେ ପିଲାବେଳେ ବିଦ୍ୟାଳୟର ପ୍ରାର୍ଥନା କ୍ଲାସ୍ ରେ ପ୍ରତିଦିନ ପଢୁଥିଲୁ “ସର୍ବେ ଭବନ୍ତୁ ସୁଃଖିନଃ ସର୍ବେସନ୍ତୁ ନିରାମୟାଃ ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖଭାବ ଭବୟତେ” । କେତଥର ଏ ଶ୍ଲୋକର ସାରକଥାକୁ କାମରେ ଲଗାଇଛୁ । ଦିନେ ହେଲେ ଦୁନିଆ ଦାଣ୍ଡରେ ଦାରିଦ୍ର‌୍ୟର କଷାଘାତରେ କାଳାତିପାତ କରୁଥିବା ମନୁଷ୍ୟମାନଙ୍କର ଦୁଃଖ ଆଡେ ଆଡଆଖିରେ ବି ଚାହିଁନୁ । ଆଜି ପୁଣି ନିଜକୁ ନିଜେ ପ୍ରଶ୍ନ କରି ଉତ୍ତର ଦେଉଛୁ ଯେ ସ୍ତ୍ରୀ ପିଲାମାନେ ତ ଏ ସମାଜର ଅଂଶ । ତୋ ମୁହଁକୁ ଟିକେ ଲାଜ ଲାଗୁନି । ଏମିତି ନିଜ ଅତିବାହିତ ଚରିତ୍ରର ସମୀକ୍ଷାପାଇଁ ଅନେକ ସକରାତ୍ମକ ଓ ନକାରାତ୍ମକ ପ୍ରଶ୍ନରେ ମୁହୁର୍ତ୍ତକୁ ମୁହୁର୍ତ୍ତ ଛନ୍ଦି ହେବାରେ ଲାଗିଥାନ୍ତି ଚିନ୍ତାମଣି ବାବୁ । ସେଭଳି ମନ ଭିତରର ସେ ପ୍ରଶ୍ନ ବାଣରୁ ମୁକୁଳିବା ପାଇଁ ତାଙ୍କର କର୍ତ୍ତୁତ୍ୱ ହିଁ ନଥାଏ । ଏମିତି ପ୍ରଶ୍ନ ବାଣର ପ୍ରଚଣ୍ଡତା ଭିତରେ ହଜିଯାଇଥିବା ବେଳେ ଚାକର ରାମୁ ଆସି ହଠାତ୍ କହେ ବାବୁ, ଏମିତି ଖାଲିଟାରେ ବସି କଣ ଭାବୁଛନ୍ତି । ଟି.ଭି. ଟା ଲଗେଇ ଦଉଚି । ଚିନ୍ତାମଣିବାବୁଙ୍କର ପାଟିରୁ ଉତ୍ତର ଆସିବା ପୂର୍ବରୁ ରାମୁ ଟିଭିଟି ଅନ୍ କରି ସାରିଥାଏ ଓ ଟିଭି ପରଦାରେ ଯୋଗୀଟିଏ ହାତରେ କେନ୍ଦରାଟେ ବଜାଇ ଗାଇ ଚାଲିଥାଏ,
କହଇ ମନ ଆରେ ମୋ ବୋଲ କର । କଳାଶ୍ରୀମୁଖ ବାରେ ଦେଖିବା ଚାଲ । 
କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ । କି ଘେନିଯିବୁ ତୋର ଛୁଟିଲେ ଘଟ--------ା  
       ଚିନ୍ତାମଣିବାବୁଙ୍କର କାନରେ ଗୀତଟି ପଡିଲା ବେଳକୁ ଆଖି ଦୁଇଟି ଲୁହରେ ପୂର୍ଣ୍ଣ । ଅଭିନୟ କରୁଥିବା ଯୋଗୀଟିର ଅଭିନୟକୁ ପରଖିବା ପାଇଁ ବସିଥିବା ବିଚାରକ ମଣ୍ଡଳିରୁ ଜଣେ ଜ୍ଞାନୀ କହିଚାଲିଥାନ୍ତି ପୋଥିପୁରାଣ, ଗୀତାଭାଗବତ, ବେଦବେଦାନ୍ତର ସିଦ୍ଧାନ୍ତ ଦର୍ଶାଏ. ଏ ଆତ୍ମା ଅଜନ୍ମା, ଅଜର ଓ ଅମର । ପ୍ରତି ମୁହୁର୍ତ୍ତରେ ପରମାତ୍ମାରେ ବିଲୀନ ପାଇଁ ବ୍ୟଗ୍ର ।  ସେଥିପାଇଁ ଅହରହ ଖୋଜିଚାଲିଥାଏ ଉପଯୁକ୍ତ ମାଧ୍ୟମ । ମନୁଷ୍ୟ ହିଁ ମାଧ୍ୟାମ ମାନଙ୍କର ଶ୍ରେଷ୍ଠ । ମାଧ୍ୟମର କର୍ମ ହିଁ ଆତ୍ମାର ଦିଗ ଓ ବେଗ ନିରୁପଣ କରିଥାଏ । କର୍ମ ଯଦି ସତ୍ ଓ ପୁଣ୍ୟର ଆସଙ୍ଗ ଲାଭ କରେ ତେବେ ଉଦ୍ଦେଶ୍ୟ ଫଳବତୀ ହେବାର ସମ୍ଭାବନା ଯଥେଷ୍ଟ । ନଚେତ୍ ଯୋନିଜନ୍ମ ଯନ୍ତ୍ରଣାର ଭେଟ ସୁନିଶ୍ଚିତ । ସତ୍ ଓ ପୂଣ୍ଣ୍ୟ କର୍ମ ହିଁ ଜୀବନ ବଞ୍ôଚବାର ମୂଳ ଉଦ୍ଦେଶ୍ୟ ହେଲେ କାହାପାଇଁ ଏ ଜୀବନର ଉତ୍ତର ଆପେ ଆପେ ସାମନାକୁ ଚାଲିଆସେ । ଏ ସମସ୍ତ ବ୍ୟାଖ୍ୟା ଶୁଣି ସାରିଲାବେଳକୁ ସତେଯେମିତି ଚିନ୍ତାମଣି ବାବୁ ପ୍ରାୟଶ୍ଚିତ ପାଇଁ ସଙ୍ଗରେ କିଛି ଶିଥିଳ ଉନ୍ମାଦନାକୁ ନେଇ ଆଗାନ୍ତି ଏ ସମାଜ ଦୁଃଖରେ ସମଦୁଃଖୀ ହୋଇ ଅନ୍ୟର ଦୁଃଖକୁ ଲାଘବ କରିବା ପାଇଁ ।
     ସୁଧୀଜନେ, ବାସ୍ତବରେ ଏ ଦୁଲଭ ଜନ୍ମ କାହାପାଇଁ ବେଳହୁଁ ବୁଝିବାକୁ ଚେଷ୍ଟାକରିବା ନିତ୍ୟାନ୍ତ ପ୍ରୟୋଜନ । ନିଜକୁ ସେହି ବିଶ୍ୱ ସ୍ରଷ୍ଟାଙ୍କର ଏକ ସୁନ୍ଦର ସର୍ଜ୍ଜନା ମନେକରି ଜଗତ କଲ୍ୟାଣରେ ଜୀବନକୁ ସମର୍ପର୍ି ଦେଲେ ଏ ଜୀବନ କାହାପାଇଁ ପରି ନିର୍ବୋଧ ପ୍ରଶ୍ନ ଆମକୁ ଆଉ ବିଚଳିତ କରିପାରିବ ନାହିଁ ।

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS