search in www.iswarchandraworld.blogspot.com

Sunday 29 March 2020

All India Radio Talk କୃତ୍ରିମ ବୁଦ୍ଧିମତ୍ତା

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

କୃତ୍ରିମ ବୁଦ୍ଧିମତ୍ତା

      ମନୁଷ୍ୟ ତା’ର ପ୍ରବୃତ୍ତିରେ ଅନୁସନ୍ଧିତ୍ସୁ । ଏହି ଅନୁସନ୍ଧିତ୍ସୁ ପ୍ରବୃତ୍ତି ସହିତ ପ୍ରତ୍ୟୁତ୍ପନ୍ନମତିତ୍ୱରୁ ସୃଷ୍ଟ ବିଜ୍ଞାନର ବିଭବରେ ଦିନେ ବଣଜଙ୍ଗଲରେ ବିତଉଥିବା ଅତୀତର ସେ ଦୁର୍ବିଷହ ଜୀବନକୁ ପାଦରେ ଦଳିଦେଇ ଆଜି ବଞ୍ଚୁଛି ଏକ ସରସ, ସୁନ୍ଦର ଓ ଆରାମଦାୟକ ଜୀବନ । ନିଜର ଶାରିରୀକ ଓ ମାନସିକ ପରିଶ୍ରମକୁ ଲାଘବ କରିବା ପାଇଁ ତିଆରିଛି ଅନେକ ଯନ୍ତ୍ର । ତା’ ପାଇଁ ଆଜି ମାଗୁଣିର ଶଗଡ ପ୍ରାୟ ଅଲୋଡା । “ଅଲିବାବା ଚାଲିଶ୍ ଚୋର୍‌” କାହାଣୀରେ ଅଲିବାବାର “ଖୁଲ୍‌ଜା ସିମ୍ ସିମ୍‌” ଭଳି ଶଦ୍ଦରେ ବିଶାଳକାୟ ଗୁମ୍ଫାର ପଥର କବାଟ ଖୋଲିଯିବା ଅବା କାରେଲ୍ କାପେକଙ୍କ “ରୋସ୍‌ମସ୍ ଇଉନିଭର୍ସାଲ ରୋବଟସ୍‌” ନାଟକରେ ବର୍ଣ୍ଣିର୍ତ ହୋଇଥିବା ରୋବଟ୍ ମାନଙ୍କର କାର୍ଯ୍ୟ ଆଜି ତା’ ପାଇଁ ଅବାସ୍ତବ ହୋଇ ରହିନାହିଁ ବରଂ ପ୍ରମାଣିତ । ଏହି ପରିପ୍ରେକ୍ଷିରେ ନିଜ ସାଦୃଶ୍ୟ ରୋବଟ୍ ବା ଯନ୍ତ୍ରମାନବ ଆଜି ତା’ର ଅନନ୍ୟ ସୃଷ୍ଟି । ତା’ ପରି ନିଜ ଚତୁପାଶ୍ୱର୍ର ପରିବେଶକୁ ଅନୁଭବ କରିବା ସହିତ ତର୍କ ସମ୍ବଳିତ ବିଶ୍ଲେଷଣ କରି ଆବଶ୍ୟକ ପ୍ରତିକ୍ରିୟା ପ୍ରକାଶ କରିପାରୁଥିବା ଏହି ଯନ୍ତ୍ରମାନବ ଆଜି ତା’ର କ୍ରୀତଦାସ । ତା’ ପାଇଁ କଠିନ ଅବା ଅସମ୍ଭବ ମନେ ହେଉଥିବା କାର୍ଯ୍ୟ ମାନଙ୍କରେ ଚତୁରତାର ସହିତ ଏହି ଯନ୍ତ୍ରମାନବକୁ ଖଟାଇ ଆଜି ନିଜେ ଖୁବ୍ ବଳଶଳୀ । ମାତ୍ର ଏହି ଯନ୍ତ୍ରମାନବ ଯେଉଁ ବୈଜ୍ଞାନିକ ମୂଳତତ୍ତ୍ୱ ଉପରେ ପର୍ଯ୍ୟବେସିତ ତାହା ହେଉଛି “କୃତ୍ରିମ ବୁଦ୍ଧିମତ୍ତା” ବା “ଯନ୍ତ୍ର ବୁଦ୍ଧିମତ୍ତା” ବା ଇଂରାଜୀରେ “ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍‌୍‌” । 
      କୃତ୍ରିମ ବୁଦ୍ଧିମତ୍ତାର ଜନକ ଭାବେ ଇଂରେଜ ଗଣିତଜ୍ଞ, କମ୍ପ୍ୟୁଟର ବୈଜ୍ଞାନିକ ଓ ଦାର୍ଶନିକ ଆଲେନ୍ ଟ୍ୟୁରିଙ୍ଗ୍ ପରିଚିତ । ତାଙ୍କଦ୍ୱାରା ଲିଖିତ ସନ୍ଦର୍ଭ ଆଲାନ୍‌-ଟ୍ୟୁରିଙ୍ଗସ୍ ଥିଓରୀ ଅଫ୍ କମ୍ୟୁନିକେସନର ନିଷ୍କର୍ଷ ଅନୁଯାୟୀ ଯେ କୋଣସି ଡିଜିଟାଲ୍ କମ୍ପ୍ୟୁଟର ସାଧାରଣ ପ୍ରଶ୍ନୋତ୍ତର ମୂଳକ ପ୍ରକ୍ରିୟାକୁ ସହଜରେ କରିପାରେ ଯାହା ପରବର୍ତ୍ତୀ ସମୟରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗାତ୍ମକ ସଫଳତାକୁ ଆଗେଇ ନିଏ । ୧୯୪୩ ମସିହାରେ ବୈଜ୍ଞାନିକ ମ୍ୟାକୁଲୋ ଓ ପିଟ୍‌ସଙ୍କ ଦ୍ୱାରା ପ୍ରସ୍ତୁତ ବକ୍ସଗ୍ଧସଲସମସବକ୍ଷ ଦ୍ଭରଙ୍କକ୍ସକ୍ଟଦ୍ଭଗ୍ଦ ଡିଜାଇନ୍‌କୁ ବିଶ୍ୱର ପ୍ରଥମ କୃତ୍ରିମ ବୁଦ୍ଧିମତ୍ତା ବୋଲି ବିଚାର କରାଯାଏ । କମ୍ପ୍ୟୁଟର ବିଜ୍ଞାନରେ ପ୍ରଦତ୍ତ ସଂଜ୍ଞା ଅନୁଯାୟୀ ଯେ କୌଣସି ଯନ୍ତ୍ର ତାର ପରିବେଶକୁ ବୁଝି ଲକ୍ଷ୍ୟ ପୂରଣପାଇଁ ଆବଶ୍ୟକ ଓ ଉପଯୁକ୍ତ ପ୍ରତିକ୍ରୟା ପ୍ରକାଶ କରିବାର ସମ୍ଭାବନାକୁ ହିଁ କୃତ୍ରିମ ବୁଦ୍ଧିମତ୍ତା କୁହାଯାଏ । ସାଧାରଣ ଅର୍ଥରେ କହିବାକୁ ଗଲେ ଯେତେବେଳେ ମନୁଷ୍ୟ ଗୋଟିଏ ଯନ୍ତ୍ର ଏବଂ ଜଣେ ମାନବର କୌଣସି ନିର୍ଦ୍ଧିଷ୍ଟ ପ୍ରତିକ୍ରିୟାରେ କିଛିବି ଫରକ୍ ଅନୁଭବ କରିପାରେ ନାହିଁ ସେତେବେଳେ ସେହି ଯନ୍ତ୍ର ବା ଯନ୍ତ୍ରାଂଶଟିକୁ “କୃତ୍ରିମ ବୁଦ୍ଧିମତ୍ତା” ବା “ଯନ୍ତ୍ର ବୁଦ୍ଧିମତ୍ତା” ବୋଲି କୁହାଯାଇଥାଏ । 
     ବୈଜ୍ଞାନିକ କାପଲାନ୍ ଓ ହେନ୍‌ଲେନ୍‌ଙ୍କ ଅନୁସାରେ କୃତ୍ରିମ ବୁଦ୍ଧିମତ୍ତା ମୋଟ ତିନିଭାଗରେ ବିଭକ୍ତ । ଯଥା- 
୧. ଆନାଲିଟିକାଲ୍‌(ବିଶ୍ଲେଷଣାତ୍ମକ) କୃତ୍ରିମ ବୁଦ୍ଧିମତ୍ତା
୨. ହ୍ୟୁମାନ୍ ଇନସ୍ପାୟାର୍ଡ(ମନୁଷ୍ୟ ଅଭିପ୍ରେରିତ) କୃତ୍ରିମ ବୁଦ୍ଧିମତ୍ତା
୩. ହ୍ୟୁମାନାଇଜଡ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍‌(ମନୁଷ୍ୟତ୍ୱ ପ୍ରାପ୍ତ କୃତ୍ରିମ ବୁଦ୍ଧିମତ୍ତା)
      ଆନାଲିଟିକାଲ୍‌(ବିଶ୍ଲେଷଣାତ୍ମକ) କୃତ୍ରିମ ବୁଦ୍ଧିମତ୍ତା, କେବଳ ମନୁଷ୍ୟର ଜ୍ଞାନାତ୍ମକ ବୁଦ୍ଧିମତ୍ତା ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ ହ୍ୟୁମାନ୍ ଇନ୍‌ସ୍ପାୟାର୍ଡ କୃତ୍ରିମ ବୁଦ୍ଧିମତ୍ତା ମନୁଷ୍ୟର ବୌଦ୍ଧିକ ଓ ଆବେଗିକ ବୁଦ୍ଧିମତ୍ତ୍‌ା ଉପରେ ପର୍ଯ୍ୟବେସିତ । ଦ୍ୱିତୀୟତଃ ହ୍ୟୁମାନାଇଜଡ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବୌଦ୍ଧିକ, ଆବେଗିକ ଓ ସାମାଜିକ ବୁଦ୍ଧିମତ୍ତା ଉପରେ ପର୍ଯ୍ୟବେସିତ । ଏହି ବର୍ଗର ଯନ୍ତ୍ର ଅବା ଯନ୍ତ୍ରାଶଂ ନିଜକୁ ନିୟନ୍ତ୍ରଣ ଓ ଚିହ୍ନିପାରୁଥିବା ଭଳି କ୍ଷମତା ରଖେ । ସମୟକ୍ରମେ କୃତ୍ରିମ ବୁଦ୍ଧିମତ୍ତାର ଅନୁସନ୍ଧାନ ବିଭିନ୍ନ ଉପବିଭାଗ ଯଥା ରୋବୋଟିକସ୍ ଅବା ମସିନ ଲର୍ଣ୍ଣିଙ୍ଗ୍ ଏବଂ ଲଜିକ୍ ବା ଆର୍ଟିଫିସିଆଲ୍ ନିଉରାଲ୍ ନେଟଓା୍ୱର୍କସ୍‌ରେ ବିଭକ୍ତ ହୁଏ । ଅଧୁନା ଆଧୁନିକ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ସାଧାରଣରେ ଏତେ ବିବିଧତା ଭରା ଯେ ଏହା ଆଜି “କୃତ୍ରିମ ବୁଦ୍ଧିମତ୍ତା” ପରିବର୍ତ୍ତେ “କୃତ୍ରିମ ବୁଦ୍ଧିମତାର ପ୍ରଭାବ” ନାମରେ ଜଣାଶୁଣା । ଆଜି ସମାଜର ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ, କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ । ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଯୋଗାଯୋଗ, ଅର୍ଥ ଓ ଅର୍ଥନୀତି, ବ୍ୟବସାୟ, ସରକାରୀ କଳ, ଭିଡିଓ ଗେମ୍‌ସେ, ସାମରୀକ କ୍ଷେତ୍ର, ସମୀକ୍ଷା, ବିଜ୍ଞାପନ, କଳା ଇତ୍ୟାଦି ।
୧.ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ବହୁଳ । ଛାତ୍ର ଛାତ୍ରୀ ମାନଙ୍କର ଜ୍ଞାନାତ୍ମକ ଦକ୍ଷତାର ଆକଳନ, ସେମାନଙ୍କର ଲିଖିତ ଉତ୍ତରକୁ ବିଶ୍ଲେଷଣ କରି ଆବଶ୍ୟକ ପୁନର୍ବଳନର ପ୍ରକାର ଓ ଧାରା ନୀରୁପଣ କରିବା ସହିତ ସେମାନଙ୍କୁ ଉପଯୁକ୍ତ ଗ୍ରେଡ ପ୍ରଦାନ କରିବାରେ ଥାଏ । ଏଥି ସହିତ ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତାକୁ ଆଧାର କରି ସେମାନଙ୍କ ପାଇଁ ଆବଶ୍ୟକ ଉପଯୁକ୍ତ ପ୍ରଶିକ୍ଷଣର ମଧ୍ୟ ବିବରଣୀ ପ୍ରଦାନ କରିଥାଏ ।
୨.ସ୍ୱାସ୍ଥ୍ୟ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଖୁବ୍ ଆଶ୍ଚର୍ଯ୍ୟ ପୂର୍ଣ୍ଣ । ରୋଗୀଠାରୁ ଅନେକ ଦୂରରେ ଥାଇ ଇଣ୍ଟରନେଟ୍‌ର ସହାୟତାରେ ଡାକ୍ତର କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍ଣ୍ଣ ଯାନ୍ତ୍ରିକ ଉପକରଣ ଦ୍ୱାରା ରୋଗୀର ସଫଳ ଅସ୍ତ୍ରୋପଚାର ମାନବ ସଭ୍ୟତାକୁ “କୃତ୍ରିମ ବୁଦ୍ଧିମତ୍ତା”ର ଏକ ଶ୍ରେଷ୍ଠ ଉପହାର । ତତ୍ ସହିତ ରୋଗୀର ରୋଗ ନୀରୂପଣ ପାଇଁ ବ୍ୟବହୃତ କୃତ୍ରିମ ବୁଦ୍ଧିମତ୍ତା ଯନ୍ତ୍ରାଂଶ ଆଜି ଖୁବ୍ ଉପଯୋଗୀ । ରୋଗୀର ଇତିହାସ ଓ ରୋଗର ଲକ୍ଷଣ ବିଚାରକୁ ନେଇ ରୋଗୀକୁ କେଉଁ ଔଷଧ କେତେ ପରିମାଣର ଦେବା ଆବଶ୍ୟକ ଏହା କୃତ୍ରିମ ବୁଦ୍ଧିମତ୍ତା ସହଜରେ ସୂଚେଇଥାଏ ।
୩.ଗମନାଗମନ, ପରିବହନ ଓ ଯୋଗାଯୋଗ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଆଜି ଏକ ବିପ୍ଲବ ଆଣିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଗମନାଗମନ କ୍ଷେତ୍ରରେ ସ୍ୱୟଂଚାଳିତ କାର୍‌, ପରିବହନ କ୍ଷେତ୍ରରେ ଡ୍ରୋନ୍ ଓ ଯୋଗାଯୋଗ କ୍ଷେତ୍ରରେ ସ୍ମାର୍ଟ ମୋବାଇଲ୍ ଆଜି ସର୍ବାଗ୍ରେ । ମୋବାଇଲ୍ ଆଜି ମନୁଷ୍ୟର ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ଏକ ପ୍ରାଥମିକ ଆବଶ୍ୟକତାରେ ପରିଣତ ହୋଇଗଲାଣି । କୃତ୍ରିମ ବୁଦ୍ଧିମତା ଭରା ଗୁଗୁଲ ସର୍ଚ୍ଚ ଇଞ୍ଜିନ୍‌, ବ୍ୟବହାରକାରୀର ମୁହଁ ଚିହ୍ନିପାରିବା, କଥାକୁ ଶୁଣି ଲେଖିପାରିବା ଓ ସେହି ମତେ ତୁରନ୍ତ କାର୍ଯ୍ୟକରିବା, ଲେଖାଥିବା ବାକ୍ୟକୁ କହି ଶୁଣାଇପାରିବା ଆଦି ସ୍ମାର୍ଟ ମୋବାଇଲ୍‌ର ଅନ୍ୟତମ ସୁନ୍ଦର ଓ ଆଶ୍ଚର୍ଯ୍ୟାନ୍ୱିତ ବୈଶିଷ୍ଟ୍ୟ ।

୪.କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗରେ ଦେଶର ଆର୍ଥୀକ ସ୍ଥିତି ଆକଳନ କରିବା ସହିତ ଦେଶ ପାଇଁ ଅନୁକୂଳ ଅର୍ଥନୀତିର ରୂପରେଖ ମଧ୍ୟ ପ୍ରସ୍ତୁତ କରାଯାଇ ପାରେ । ବ୍ୟବସାୟ କ୍ଷେତ୍ରରେ ଉତ୍ପାଦନ, ବିତରଣ ଅବା କିଣାବିକାରେ ସମନ୍ୱୟ ରକ୍ଷାପାଇଁ ପ୍ରତିମୂହୁର୍ତ୍ତରେ ସତର୍କ କରେଇବାରେ ଏହା ଅତ୍ୟନ୍ତ ପ୍ରଭାବୀ । ଅନଲାଇନ୍ ଆସିଷ୍ଟାଣ୍ଟ ଭାବରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଆଜି ସେ ସରକାରୀ ସ୍ତରରେ ହେଉ ଅବା ବଡ ବଡ ଶିଳ୍ପାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ ଅବା ଶିକ୍ଷାନୁଷ୍ଠାନ ସବୁଥିରେ ଏକ ସାଧାରଣ ଘଟଣା ।
୫.ସାମରୀକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ପ୍ରତ୍ୟେକ ଦେଶର ସାମରୀକ ବ୍ୟବସ୍ଥାକୁ ଏକ ନୂଆ ଦିଗ ଓ ରୂପ ପ୍ରଦାନ କରିବାରେ ଲାଗିଛି । ସେ ମାନବ ବିହୀନ ଯୁଦ୍ଧ ଯାନ ଅବା ଜାହାଜ ହେଉ, କ୍ଷେପଣାସ୍ତ୍ର ବିଧ୍ୱସିଂ ଯାନ ଅବା ଲକ୍ଷରେ ପହଞ୍ôଚ ପ୍ରତ୍ୟାବର୍ତ୍ତନ କରିପାରୁଥିବା ବ୍ୟେମଯାନ, ଡ୍ରୋନ୍ ଅବା ସୈନିକ ଭଳି ରୋବଟ ମାନଙ୍କର ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତି ଆଜି ସବୁକିଛି ସେହି କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗରେ ହିଁ ସମ୍ଭବ ହୋଇ ଚାଲିଛି ।
୬.ଆଜିର ବିଜ୍ଞାପନ ମାନଙ୍କରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଖୁବ୍ ଆଗରେ । ବ୍ୟବହାରକାରୀର ମନଜାଣି ଉପଯୁକ୍ତ ଉତ୍ପାଦ ଓ ଆମୋଦ ପ୍ରଦାୟୀ ଭିଡିଓ ହେଉ ଅବା ଚିତ୍ର ସବୁକିଛି ଆପେ ଆପେ ଦେଖେଣାହାରୀର ଦୃଶ୍ୟପଟକୁ ମୋବାଇଲ୍ ସ୍କ୍ରିନ୍‌ରେ ଆସିଯାଇ ସେମାନଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରି ଦେଖେଣାହାରିର ମନକୁ ସେହି ଉତ୍ପାଦ ପ୍ରତି ଆକର୍ଷିତ କରିପାରୁଛି ।
୭.ପିଲାମାନଙ୍କ ପାଖରେ ଭିଡିଓ ଗେମ୍ସ୍‌ର ଆଦୃତି ଖୁବ୍ ଅଧିକ । ମାତ୍ର ପ୍ରତିଟି ଭିଡିଓ ଗେମ୍ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଉପରେ ହିଁ ପର୍ଯ୍ୟବେସିତ ।
୮.କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗରେ ସୃଷ୍ଟ ରୋବଟ ମନୁଷ୍ୟ ସମାଜକୁ ବିଜ୍ଞାନର ଏକ ସର୍ବୋକୃଷ୍ଟ ଦାନ । ମନୁଷ୍ୟ ଭଳି ଅବିକଳ ଆଚରଣ କରିପାରୁଥିବା ଏହି ଯନ୍ତ୍ରମାନବ ମନୁଷ୍ୟ ପକ୍ଷେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରୁଛି । ମନୁଷ୍ୟ ଭଳି କୌଣସି କାମରେ ଥକି ପଡିବାର ନାହିଁ । ଆଜି ଚିନ୍ ଭଳି ଦେଶରେ ରୋବଟ ଅବିରତ ଭାବରେ ବର୍ଷ ବର୍ଷ ଧରି ଟିଭି ପରଦାରେ ଦେଶ ବିଦେଶର ସମାଚାର ପଢିଚାଲିଛି । 
      କେବଳ ଏତିକି ନୁହେଁ ଆଜି ପ୍ରାୟ ସମସ୍ତ ବୈଜ୍ଞାନିକ ଯନ୍ତ୍ରପାତିରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଏକ ସାଧାରଣ କଥା । ପରିଶେଷରେ ଏତିକି କୁହାଯାଇପାରେ ନିଜକୁ ସବୁଠାରୁ ଚତୁର ମନେ କରୁଥିବା ମନୁଷ୍ୟ ନିଜ ସୃଷ୍ଟ କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍ଣ୍ଣ ଯନ୍ତ୍ର ମାନବର ବୁଦ୍ଧି ଆଗରେ ଭବିଷ୍ୟତରେ ଦିନେ ପଛରେ ପଡିଯିବନିତ?-ଏହା ଏବେବି ସନ୍ଦିହାନ୍ ।

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS