ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮
ଆମେ ଲୁଚେଇବାରେ ଧୂରନ୍ଧର
ଧୀରେଧୀରେ ନିଜକୁ ଲୁଚେଇବାରେ ଦକ୍ଷତା ଆମର ବଢିବାରେ ଲାଗିଲା । ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କର ତିନୋଟି ଗୋଲ ସାରି ଧୀରେ ଧୀରେ ବହିବସ୍ତାନି ଲଦାହେଲା କାନ୍ଧରେ । ବହିବସ୍ତାନିରେ ଥିବା ପାଠକୁ, ଚାହାଳିକୁ ଅବା ଗୁରୁଜୀଙ୍କ ବେତ ପାହାରକୁ ଯଦି ଡର ଲାଗିଲା ଲୁଚେଇଲୁ ନେଇ ନିଜକୁ କଦଳୀଗଛ ମୂଳରେ, କବାଟ କଣରେ ଅବା ମଶିଣା ଭିତରେ । ପରୀକ୍ଷାର ପ୍ରଗତୀପତ୍ର ଲୁଚେଇଲୁ ବାପା ବୋଉଙ୍କ ଡରରେ । ଅଭିଭାବକ ଦସ୍ତଖତ ଲୁଚେଇ ନିଜେ ଦସ୍ତଖତ କରି ଫେରାଇଲୁ ବିଦ୍ୟାଳୟରେ । ବାଳୁତ ପଣିଆଟା ଲୁଚେଇ ରଖିଥିଲା ଆମର ଲାଜକୁ । ଯେମିତି ବଡହେଲୁ ଲାଜ ଆଉ ଲୁଚିଲାନି, ଲୁଚେଇଲୁ ନିଜ ଶରୀରକୁ । ଯଦି ଭାଗ୍ୟରେ ଉଚ୍ଚଶିକ୍ଷା ର ସୁଯୋଗ ମିଳିଲା କେତେକେତେ ନୁଆ ସାଙ୍ଗ ହେଲେ । କେତେଜଣ ଅତି ନିଜର ବି ହେଲେ । ଯଦି ପଡୁ ପଡୁ ପଡିଲୁ ପ୍ରେମରେ ଲୁଚେଇଲୁ ନିଜର ସବୁ ଦୁର୍ବଳତାକୁ ପ୍ରେମିକ ଅବା ପ୍ରେମିକା ପାଖରେ । ପ୍ରେମକୁ ଲୁଚେଇଲୁ ଘରଲୋକଙ୍କ ଆଗରେ । ପ୍ରେମ ଚିଠିକୁ ଲୁଚେଇଲୁ ବହି, ଡାଏରି, ଅବା ପିନ୍ଧିଥିବା ବସ୍ତ୍ର ଭିତରେ କିମ୍ବା ଲୁଚାଇଲୁ ମୋବାଇଲ୍ ର ମେସେଜ୍ ବକ୍ସ ଅବା ମେମୋରି ଚିପ୍ସ୍ରେ । ପୁଅ ଦରମା ଲୁଚେଇଲା ଝିଅକୁ ।
ଝିଅ ବୟସ ଲୁଚେଇଲା ପୁଅଙ୍କୁ । ଯଦି ପରିବାର ପସନ୍ଦରେ ବିବାହର ହେଲା ଲୁଚେଇଲୁ ଯୌତୁକକୁ ଦାନର ପରିଭାଷାରେ । କେଉଁଠି ବୋହୁ ଲୁଚେଇଲା ଯୌତୁକ ଯନ୍ତ୍ରଣାକୁ ତ କେଉଁଠିି ପୁଅ ଲୁଚେଇଲା ସ୍ତ୍ରୀର ବେପରୁଆ ପଣିଆକୁ । ଯଦି ପ୍ରେମ ବନ୍ଧନରେ ସଂସାର ଗଢିଲୁ ବହୁ କଷ୍ଟରେ ଲୁଚେଇଲୁ ସବୁ ଅପ୍ରକାଶିତ ଦୋଷ ଦୁର୍ବଳତାକୁ, ନଲୁଚେଇ ପାରିଲାରୁ ସଂସାର ହେଲା ନର୍କ । ସିଗାରେଟ୍ ଖାଇ ପାଟି ଗନ୍ଧ ଲୁଚେଇବାକୁ ବ୍ୟବହାର କଲୁ ଚକୋଲେଟ୍ ଓ ମଦ ପାଇଁ ପାନ ।
ଧରିନେଲୁ ଜୀବନରେ ଟଙ୍କା ହେଉଛି ସବୁକିଛି । ସ୍ୱଳ୍ପ ରୋଜଗାରରେ ଟଙ୍କାକୁ ଲୁଚେଇଲୁ ବାଜେଖର୍ଚ୍ଚରୁ । ଯଦି ରୋଜଗାର ବଢିଗଲା, କରଦେବାରୁ ଲୁଚେଇଲୁ ସରକାରଙ୍କୁ । ଯଦି କଳାଟଙ୍କା ର ଭରମାର୍ ହେଲା ସମସ୍ତଙ୍କ ଆଖିରେ ଆଙ୍ଗୁଠିଗେଞ୍ଜି କେତେବେଳେ ରଖିଲୁ ସୁଇସ୍ ବ୍ୟାଙ୍କରେ ତ କେତେବେଳେ ରଖିଲୁ କେଉଁ ଟ୍ରଷ୍ଟର ଅଂଶୀଦାର ଭାବରେ । ବଡବଡ ସହରର ଗଳିକନ୍ଦିରେ ଅଫିସ୍ ଖୋଲି ବସିଲେ ଅନେକ ଟ୍ୟାକ୍ସ୍ ବିଶାରଦ ଧନୀଲୋକ ମାନଙ୍କର ଟଙ୍କାକୁ କାଗଜ ପତ୍ରରେ ଲୁଚେଇ ଫାଙ୍କିବାକୁ ଟ୍ୟାକ୍ସ୍ । ଦେଶସେବା ପାଇଁ ନିର୍ବାଚନରେ ନେତା ହେବାକୁ ମନ ବଳେଇଲୁ ଯଦି ପ୍ରାର୍ଥୀପତ୍ର ଦାଖଲରେ ଅନେକ କିଛି ଲୁଚେଇଦେଲୁ ନିଜର । ମର୍ଣ୍ଣିଙ୍ଗ୍ ଓା୍ୱକ୍ ଛଡା ଘରୁ ବାହାରିଲେ କେବେ ଚାଲିନଥିବୁ ପାଦରେ । ସବୁବେଳେ ଗାଡିରେ । ହେଲେ ପ୍ରାର୍ଥୀପତ୍ରରେ ଗାଡି ନାହିଁ ଲେଖି ଲୁଚେଇଦେଲୁ ଗାଡିକୁ । ଖାଲି ସେତିକି ନୁହେଁ ଆମେ ସବୁ ବୟସକୁ ଲୁଚେଇବାରେ ମଧ୍ୟ ପ୍ରବୀଣ । ବୟସକୁ ଲୁଚେଇବାକୁ ଯାଇ ମୁଣ୍ଡର ଧଳାକେଶକୁ କଲୁ କଳା । ମୁହଁର ବୟସ୍କ ଚର୍ମକୁ ଲୁଚେଇବାକୁ ଯାଇ ବିଭିନ୍ନ କ୍ରିମ୍ ରେ ଲେପିଦେଇ ଫେରାଇ ଆଣିଲୁ ଯୁବାବସ୍ଥାର ସତେଜତା ।
ବାସ୍ତବରେ ଆମେ ସବୁ ଲୁଚେଇବାରେ ଧୂରନ୍ଧର । କେବଳ ବାକି ରହିଲା ମୃତ୍ୟୁଠାରୁ ନିଜକୁ ଲୁଚେଇବାର କଳା । ଏସବୁ ଲୁଚେଇବାର ପରିସ୍ଥିତିରୁ କେତେକ ଜୀବନଧର୍ମୀ ମାତ୍ର ଅନେକ ସମାଜର ଶାନ୍ତି, ଶୃଙ୍ଖଳା ଓ ପ୍ରଗତି ର ପ୍ରତିବନ୍ଧକ । ଆସନ୍ତୁ ସମସ୍ତେ ଯେଉଁଠି ଲୁଚେଇଲେ ସମାଜର କ୍ଷତି ସେଠି ନଲୁଚେଇବାକୁ ଚେଷ୍ଟା କରିବା ।
*******
No comments:
Post a Comment