search in www.iswarchandraworld.blogspot.com

Wednesday 25 March 2020

Odia Article ଶୈଶବ ଓ ଶିକ୍ଷା

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ଶୈଶବ ଓ ଶିକ୍ଷା

      ଶୈଶବ, ମାନବ ଜୀବନର ଏକ ଅମୂଲ୍ୟ ଅବସ୍ଥା । ଦୁର୍ଲଭଜନ୍ମ ସତ୍ତ୍ୱେ ଭବିଷ୍ୟତ ଜୀବନସଂଗ୍ରାମର ଦୟନୀୟତା ସମ୍ବଦ୍ଧରେ ଶିଶୁ ଥାଏ ଅଜ୍ଞ । ନିଜ ଜୀବନର ସ୍ଥିତି, ସ୍ଥାୟୀତ୍ୱ ଓ ଉତ୍କର୍ଷ ପାଇଁ ଚିନ୍ତାଠାରୁ ସେ ଥାଏ ଅନେକ ଦୂରରେ । ଛନ୍ଦ କପଟ ଓ ବିକାର ଶୂନ୍ୟ ହୃଦୟଟେ ଧରି ସେ ଥାଏ ଚଳଚଞ୍ଚଳ । ସ୍ନେହ ବିତରୁଥିବା ସଜୀବ ମାନଙ୍କୁ ସେ ଜେତିକି ଭଲ ପାଏ ସୁନ୍ଦର ଓ ଆକର୍ଷଣୀୟ ନିର୍ଜୀବ ବସ୍ତୁମାନଙ୍କୁ ସେ ସେତିକି ଆଦର କରେ । ପ୍ରଜାପତିଟିଏ ଭଳି ଘର ଅଗଣାରେ ଘୁରିବୁଲିବାରେ ତା’ର ଘୋର ଆନନ୍ଦ । ମା’ର କୋଳରେ ଅବା ପଣତକାନୀ ତଳେ ନିଜକୁ ସବୁଠାରୁ ସୁରକ୍ଷିତ ମଣୁଥିବା ସ୍ଥଳେ ବାପା, ଜେଜେବାପା ଜେଜେମା’ଙ୍କର କାନ୍ଧ ଅବା କାଖ ତା’ପାଇଁ ସ୍ୱର୍ଗର ସୁଖ । ଜେଜେବାପା ଜେଜେମା’ଙ୍କ ସହିତ ଗେଲେଇ ଲଟେଇ ହେବାକୁ ସେ ଭାରି ଭଲପାଏ । ସହଜାତ ପ୍ରବୃତ୍ତି ଖେଳିବାଟା ତା’ର ପାଖ ଛାଡେନି । କଣ୍ଢେଇମାନଙ୍କ ସହିତ ତା’ର ଅନ୍ତରଙ୍ଗ ଆଳାପ ଅବା ବାଲିଘର ଖେଳ ତାକୁ ନେଇଯାଏ ଏକ ସୁନ୍ଦର କାଳ୍ପନିକ ପରୀ ଦୁନିଆକୁ । ଖେଳୁ ଖେଳୁ ସାଙ୍ଗ ସାଥୀର ଆସରରେ ସେ ନିଜକୁ ହଜେଇ ଦିଏ । ଏପରି ଏକ ମୁକ୍ତ, ଚିନ୍ତା ରହିତ ଓ ବିଷାଦ ହୀନ ଜୀବନରେ ଶିଶୁ ଅନୈାପଚାରିକ ଭାବେ ଅନେକ କଥା ଶିଖିତ ଚାଲିଥାଏ ମାତ୍ର ବାଳୁତପଣିଆର ସେ ଅମୂଲ୍ୟ ଅବଧିର ସମାପ୍ତି ନହେଉଣୁ ଆମେ ତାକୁ ଔପଚାରିକ ଓ ଆନୁଷ୍ଠାନିକ ଶିକ୍ଷାର କାଠଗଡା ଭିତରକୁ ଟାଣି ନେଇଥାଏଁ ଯେଉଁଠି ତା’ର ଶୈଶବ ହୁଏ କାରା ରୁଦ୍ଧ ।
      ଏମିତିତ ଦେଖିବାକୁ ଗଲେ ମା’ ଜରାୟୁରେ ସ୍ଥିତ ଅବସ୍ଥାନରୁ ହିଁ ଶିଶୁର ଶିକ୍ଷା ଆରମ୍ଭ ହୋଇଥାଏ । କିନ୍ତୁ ସାମାଜିକ ବିଧି ବ୍ୟବସ୍ଥାରେ ଶିଶୁର ଜନ୍ମ ପରେହିଁ ଆମେ ତା’ର ଶିକ୍ଷା କଥା ଚିନ୍ତା କରିଥାଉ । ଶୈଶବାବସ୍ଥାର ଆନୁଷ୍ଠାନିକ ଶିକ୍ଷା ଶିଶୁ ପାଇଁ ଏକ ଅମନଯୋଗୀ ଓ ନୀରାନନ୍ଦର ପ୍ରକ୍ରିୟା । ଶୈକ୍ଷିକ ପରିବେଶ ଯେତେ ସୁନ୍ଦର ଓ ଆକର୍ଷଣୀୟ ହେଉନା କାହିଁକି ଗୋଟିଏ ନିର୍ଦ୍ଧିଷ୍ଟ ବହିରେ ଲେଖାଥିବା ଅକ୍ଷର, ଶଦ୍ଦ ଓ ଚିତ୍ରକୁ ଦେଖିବା ଓ ପଢିବା ସମୟେ ସମୟେ ତା’ମନରେ ସେଗୁଡିକ ପ୍ରତି ବିତସ୍ପୃହା ସୃଷ୍ଟି କରେ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମୟରେ ଶିକ୍ଷକ ଭୂମିକାରେ ଅଧିଷ୍ଠିତ ବ୍ୟକ୍ତିଙ୍କର ଆବେଗିକ ଆଚରଣ ଶିଶୁର ଆଗ୍ରହଶୂନ୍ୟ ମନରେ ପୁନଶ୍ଚ ଉତ୍ସାହ ଭରି ଦେବାରେ ସକ୍ଷମ ହୋଇଥାଏ ।
      ଆନୁଷ୍ଠାନିକ ଶିକ୍ଷା ମଧ୍ୟରେ ସେ ଅଙ୍ଗନୱାଡିର ଶିକ୍ଷା ହେଉ ଅବା ଲୋୟର କିଣ୍ଡର ଗାର୍ଟେନର ଶିକ୍ଷା ହେଉ ସେ ସମସ୍ତ ଶୈକ୍ଷିକ ପରିବେଶ ତା’ ପାଇଁ ହୁଏ ଏକ ନୂତନ ଦୁନିଆ । ସେ ଦୁନିଆରେ ତା’ପାଇଁ ସେ ପରିବେଶ, ଶ୍ରେଣୀ କୋଠରୀ, ଶିକ୍ଷକ ଆଦି ସବୁକିଛି ନୂଆ ତତ୍ ସହିତ ଅନେକ ନୀତିନିୟମ ମଧ୍ୟ ନୂଆ ।  ଏପରି ଏକ ନୂତନ ପରିବେଶରେ ଗୋଟିଏ କୋମଳ ହୃଦୟଧାରୀ ସେ ଶୈଶବ ନିଜକୁ ଆଦୈା ସହଜ ମଣିପାରେ ନାହିଁ । ଏକ ନିର୍ଦ୍ଧିଷ୍ଟ ସମୟରେ ବିଦ୍ୟାଳୟକୁ ଆସିବା, ଶ୍ରେଣୀରେ ଧୀରସ୍ଥିର ଭାବରେ ପ୍ରାର୍ଥନା କରିବା, ଏକ ନିର୍ଦ୍ଧିଷ୍ଟ କୋଠରୀ ଭିତରେ ପୁଣି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଏକ ସ୍ଥିରୀକୃତ ସମୟ ନିର୍ଘଣ୍ଟ ପର୍ଯ୍ୟନ୍ତ ଚୁପଚାପ ବସି ରହିବା ତା’ପାଇଁ ହୁଏ କାଠିକର ପାଠ । ଶିଶୁଟି ନିଜକୁ ଏଭଳି ଅସହଜ ମଣୁଥିବା ସମୟରେ ଶିକ୍ଷକଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶିକ୍ଷକ ଅବା ଶିକ୍ଷୟିତ୍ରୀଙ୍କ ଆବେଗିକ ଆଚରଣ ଏଭଳି ପରିସ୍ଥିତିରୁ ଶିଶୁକୁ କାଢିଆଣିବାକୁ ସକ୍ଷମ ହୋଇଥାଏ । ସ୍ନେହ, ଶ୍ରଦ୍ଧା ଓ ଆଦରରେ ଯଦି ଶିଶୁର ହୃଦୟ ଜିଣିବାରେ ଶିକ୍ଷକ ସକ୍ଷମ ହୋଇଗଲେ ତେବେ ସବୁକିଛି ସଫଳ । ଶିଶୁଟି ଶିକ୍ଷକଙ୍କ ପ୍ରତି ଆକର୍ଷିତ ହୋଇଚାଲେ । ତାଙ୍କୁ ଅତି ନିଜର ମଣିବସେ । ସମୟକ୍ରମେ ନିଜର ଅଳୀ ଅର୍ଦ୍ଦଳୀ ମଧ୍ୟ ଶିକ୍ଷକଙ୍କ ପାଖରେ ଆରମ୍ଭ କରିଦିଏ । ଶିକ୍ଷକଙ୍କୁ ନିଜର ସମସ୍ତ ସୁବିଧା ଅସୁବିଧା କଥା କହିବାକୁ ସଙ୍କୋଚ କରେ ନାହିଁ । ଭୟଯୁକ୍ତ ମନ ତା’ର କ୍ରମଶ ଭୟମୁକ୍ତ ହୋଇ ଉଠେ । ସେ ଶ୍ରେଣୀ ପିଲାମାନଙ୍କ ସହିତ ଶିକ୍ଷକଙ୍କୁ ବି ନିଜର ସାଙ୍ଗ ବୋଲି ଧରିନିଏ । ସେତେବେଳେ ଆଉ ଶିକ୍ଷକଙ୍କୁ ଚୁପ୍ ଚାପ୍ ବସିକରି ଶୁଣିବା, ଶିକ୍ଷକ ଦେଇଥିôବା କାମକୁ କରିବା ଓ ବହିରେ ଥିବା ସେ ନିର୍ଜୀବ ଅକ୍ଷର, ଶଦ୍ଦ ଓ ଛବି ମାନଙ୍କୁ ଦେଖି କିଛି ଶିଖିବା ତା’ପାଇଁ ବିରକ୍ତିକର କାମହୋଇ ରହେନାହିଁ । ଶ୍ରେଣୀ କକ୍ଷରେ ଯଦି ଶିକ୍ଷକ ପ୍ରତ୍ୟେକ ଶିକ୍ଷଣ କାର୍ଯ୍ୟକୁ ଏକ ଖେଳର ରୂପ ଦେଇ ପାରିଲେ ତେବେ ଶିଶୁ ପାଇଁ ସେ ଶିକ୍ଷା ଏକ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମର ରୂପ ନିଏ । ଏଭଳି ଶ୍ରେଣୀ ପରିଚାଳନା କ୍ଷେତ୍ରରେ ଶିକ୍ଷକଙ୍କର ଆବେଗିକ ଆଚରଣର ଆବଶ୍ୟକତା ବହୁବିଧ ଅନୁଭୁତ ହୁଏ । ଗଳ୍ପଟିଏ ପଢଉଥିବା ସମୟରେ ହାତୀ ଚରିତ୍ରଟିଏ ଅଛିମାନେ ଶିକ୍ଷକ ପିଲାମାନଙ୍କ ସହିତ ନିଜେ ଯଦି ହାତୀଟିଏର ଅଭିନୟ କରନ୍ତି ତେବେ ପିଲାମାନଙ୍କୁ ତାହା ବହୁ ଆନନ୍ଦ ଦିଏ ଓ ତାହା ହୁଏ ଆନନ୍ଦଦାୟୀ ଶିକ୍ଷା । ସେ ସମୟରେ ଶିଶୁଟି ସେହି ହସଖେଳ ମାଧ୍ୟମରେ ଅନେକ କଥା ଶିଖିଥାଏ । ସାଧାରଣ ଧାରଣାରେ କ୍ଳିଷ୍ଟ ପୂର୍ଣ୍ଣ ବିଷୟ ଭାବେ ବିଦିତ ଅଙ୍କକୁ ମଧ୍ୟ ସହଜ ଓ କୈାତୁକ ଦାୟୀ ପାଠରେ ପରିବର୍ତ୍ତନ କରିହେବ ଯଦି ପ୍ରତ୍ୟେକ ଶିକ୍ଷଣ କାର୍ଯ୍ୟକୁ କ୍ରିଡାଭିତ୍ତିକ ଓ ଶିକ୍ଷକ ଶିକ୍ଷାର୍ଥୀଙ୍କର ଆବେଗିକ ଆଚରଣର ସମନ୍ୱୟରେ ଶ୍ରେଣୀ ଗୃହରେ ପରିବେଷିତ ହୁଏ ।
      ପରିଶେଷରେ ଏତିକି କୁହାଯାଇ ପାରେ ଶୈଶବାବସ୍ଥାରେ ଶିକ୍ଷାରେ ପ୍ରତିଟି ବିଷୟ କ୍ରିଡାଭିତ୍ତିକ, ଆନନ୍ଦଦାୟୀ ଓ ଆବେଗ ଯୁକ୍ତ ହେବା ଆବଶ୍ୟକ । ଶିକ୍ଷା ପାଇଁ ଶିଶୁର ମନକୁ ପ୍ରଣିତ ପଢା ବହି ଭିତରେ ବାନ୍ଧି ନରଖି ଭାବଗତ ଆଚରଣରେ ତା’ର ବୌଦ୍ଧିକ ଦକ୍ଷତାକୁ ବାସ୍ତବ ଜୀବନ ସହିତ ସମ୍ପର୍କିତ କରାଯାଇ ପାରିଲେ ଶୈଶବାବସ୍ଥାରେ ଶିକ୍ଷା ନିଶ୍ଚିତ ରୂପେ ଅଧିକ ଫଳପ୍ରଦ ହେବ ।

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS