search in www.iswarchandraworld.blogspot.com

Monday 13 April 2020

Odia Article ଭାରତରେ ଭୂତ

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ଭାରତରେ ଭୂତ

   ଦିନଥିଲା ଭୂତଥିଲେ ଗାଁ ମୁଣ୍ଡ ବରଗଛ, ଓସ୍ତଗଛ ଅବା ସାହାଡାଗଛରେ । ଶ୍ମଶାନରେଥିବା ବର ଅବା କେନ୍ଦୁ ଗଛରେ । ମଲା ମୁର୍ତିକାରେ ଦଶଦିନ ଧରି ଦିଆଯାଇଥିବା ହାଣ୍ଡି ପାଖରେ ଅବା ଖରାଦିନର ସେ ଶୁନ୍‌ଶାନ୍ ଉଦୁଉଦିଆ ଦ୍ୱିପ୍ରହରର ଆମ୍ବ ତୋଟାରେ । ନିଜ ପିଲାକୁ ଶୋଇବା ପାଇଁ ମା’ କହୁଥିବା କଥାରେ ଅବା ବୁଢୀ ମା’ର କାହାଣୀରେ । ଦିନେ ହେଲେ ଆଖିରେ ନଦେଖି ମଧ୍ୟ ମା’, ଜେଜେମା ଓ ଅନ୍ୟାନ ଗୁରୁଜନ ମାନଙ୍କ ମୁହଁରୁ ଭୂତର କଥା ଟାଣି ନେଉଥିଲା ଏକ ଅଜଣା ଭୟାଚ୍ଛନ୍ନ ଦୁନିଆକୁ । ବୁଢୀମାର କାହାଣୀରେ ଭୂତର ରୂପ ବର୍ଣ୍ଣନା ଭୂତ ପ୍ରତିଥିବା ଭୟକୁ ବହୁଗୁଣିତ କରି ଦେଉଥିଲା । ବଡବଡ ଦାନ୍ତ, ଲମ୍ବାଲମ୍ବା ନଖ, ଝାମ୍ପୁଲାଝାମ୍ପୁଲା ଚୁଟି, କଳାମଚମଚ ଶରୀର ଇତ୍ୟାଦି ଇତ୍ୟାଦି.. ସେ ବାଳୁତ ପଣିଆକୁ କରାଗ୍ରତ କରିବାପାଇଁ ଥିଲା ଯଥେଷ୍ଟ । ମା’ପାଇଁ ଥିଲା ଭୂତ ଶଦ୍ଦଟି ଏକ ଅମୋଘ ଅସ୍ତ୍ର ସଦୃଶ । ପିଲା ନିଦରେ ନଶୋଇ ମା’ କୋଳରେ ଅଝଟ ହେଲାବେଳେ ମା’ କହୁଥିଲା ଆଖିମୁଦି ଶୋଇପଡ ନହେଲେ ଭୂତ ଆସିବ । ମା’ ମୁହଁରୁ ଭୂତ କଥା ଶୁଣି ଭୟରେ ଆଖି ନିଦେଇ ଯାଉଥିଲା । ମା’ ଖୋଉଥିବା ବେଳେ ଆଗ୍ରହରେ ଖାଦ୍ୟ ନଖାଉଥିଲେ ମା’ କହୁଥିଲା ବେଗେବେଗେ ଖାଇଦେ ନହେଲେ ଭୁତ ଆସି ସବୁ ଖାଇଯିବ । ଭୁତ ଖାଇଦେବ ଶୁଣି ତରତରରେ ଖାଦ୍ୟ ବି ଖାଇ ହୋଇଯାଉଥିଲା । ଟିକେ ବଡ ହେଲା ପରେ ସାଥୀ ମେଳରେ ଗାଁ ମୁଣ୍ଡକୁ ଉଦୁଉଦିଆ ଦ୍ୱିପ୍ରହରରେ ଯିବାକୁ ମା’, ବାପା, ଜେଜେ, ଜେଜେମା ଆଦି ସମସ୍ତେ ବାରଣ କରୁଥିଲେ । ସତ କହିବାକୁ ଗଲେ ସେତେବେଳେ ଭାରତର ପ୍ରତ୍ୟେକ ଗ୍ରାମ୍ୟ ଜୀବନରେ ଏଭଳି ଅନ୍ଧ ବିଶ୍ୱାସରେ ଭୂତ ଥିଲେ । ମାତ୍ର ଏବେ ସମୟ ବଦଳି ଗଲାଣି । କେତେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଛାଡିଦେଲେ, ଦେଶର ଗ୍ରାମ୍ୟ ଜୀବନ ଆଜି କାହିଁ କେତେ ଆଗକୁ ମାଡି ଚାଲିଲାଣି । ଗାଁ ମୁଣ୍ଡରେ ଆଉ ବଡବଡ ବରଗଛ,  ଓସ୍ତଗଛ,  କଇଁଆଗଛ କି ସାହାଡାଗଛ ନାହିଁ । ଗାଁ ଶ୍ମଶାନରେ ସରକାରଙ୍କ ଦ୍ୱାରା ଗୋଡି ସିମେଣ୍ଟରେ ନିର୍ମିତ ମୁଣ୍ଡ ଟେକି ଠିଆ ହୋଇଛି ଶେଷ ଶଯ୍ୟା । ଶିକ୍ଷା ଆଜି ଜନମାନସରୁ ସେ ଭଳି ଅନ୍ଧବିଶ୍ୱାସର ଭୂତକୁ ଅନେକାଂଶରେ ଦ୍ୱରକୁ ଭଗେଇ ସାରିଲାଣି । ଶିକ୍ଷିତ ମା’ ଆଜି ତା’ର ଶିଶୁକୁ ଖୋଇବା ଓ ଶୋଇଦେବା ପାଇଁ ଭୂତ ଭୟ ଦେଖାଇବା ପରିବର୍ତ୍ତେ ଶୁଣେଇ ଦେଉଛି ମୋବାଇଲରେ ସୁନ୍ଦର ଗୀତ ଅବା ଦେଖାଇ ଦେଉଛି ମନଛୁଆଁ କାର୍ଟୁନ ସୋ । ମାତ୍ର ଏହାର ଅନ୍ତରାଳରେ, ବାସ୍ତବରେ ସ୍ଥିତି ନଥିବା ସେଭଳି ଅନ୍ଧବିଶ୍ୱାସର ଭୂତ ସତେଯେମିତି ଆଜିର ଭାରତର ଶିକ୍ଷିତ ଓ ସଭ୍ୟ ସମାଜରେ ବହୁବିଧ ରୂପାନ୍ତରିତ । କେତେ ପ୍ରକାର ଭୁତ ଯେ ଖବର କାଗଜ ପୃଷ୍ଠା ମଣ୍ଡନ କରୁଛି ତାହା ବଡ ବିସ୍ମୟ । ଭୁତ କମ୍ପାନୀ, ଭୂତ ଏନ୍‌.ଜି.ଓ, ଭୂତ ସ୍କୁଲ, ଭୁତ ଛାତ୍ର, ଭୂତ ଶିକ୍ଷକ, ଭୂତ ଭୋଟର୍‌, ଭୂତ ହିତାଧିକାରୀ, ଭୂତ ପେନ୍‌ସନ୍ ଭୋଗି, ଭୂତ ଶ୍ରମିକ, ଭୁତ ଉପଭୋକ୍ତା, ଇତ୍ୟାଦି ଇତ୍ୟାଦି...., ଏମିତି ଅନେକ ।  ଏମିତି କୈାଣସି ସରକାରଙ୍କ ଦ୍ୱାରା ପରିଚାଳିତ ଜନମଙ୍ଗଳକାରୀ ଯୋଜନା ନାହିଁ ଯେଉଁଥିରେ ଭୂତ ହିତାଧିକାରୀ ନଥିବେ । ଏଭଳି ଭୂତମାନଙ୍କର ସେଭଳି କାଳ୍ପନିକ ବଡବଡ ଦାନ୍ତ ଅବା ବିକଟାଳିଆ ଶରୀର ନଥାଏ ସିନା ହେଲେ ଏମାନେ ସାମାଜିକ ସାମ୍ୟତାକୁ ଗିଳି ପକଉଥିବା ରାକ୍ଷସ । ଗରୀବ ପାଇଁ ଉଦ୍ଧିଷ୍ଟ ଧନକୁ ଏମାନେ ଚଳୁ କରି ପକାନ୍ତି । ଏଭଳି ଭୁତମାନଙ୍କ ଭିତରେ ବଡ ଭୂତ ଓ ସାନଭୂତ ବି ଥାନ୍ତି । କେତେକ ସ୍ଥଳରେ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀର ମୃତ୍ୟୁ ପରେ ମଧ୍ୟ ଭୂତ ହିତାଧିକାରୀ ନାଁରେ ହଡପ ତ କେଉଁଠି ମନରେଗାରେ ଗାଁରେ ପୋଖରୀ ଖୋଳା ନହୋଇ ଭୂତ ପୋଖରୀ ନାଁରେ ପଇସା ହଡପ । କେଉଁଠି ବିଦ୍ୟାଳୟରେ ପିଲା ନଥାଇ ଭୂତ ପିଲାଙ୍କ ନାଁରେ ଭୂତ ସ୍କୁଲ ଚାଲିବା ଓ ମଧ୍ୟ୍ୟାହ୍ନ ଭୋଜନ ହଡପ ତ କେଉଁଠି ଭୂତ କମ୍ପାନୀ ନାଁରେ କୋଟିକୋଟି ଟଙ୍କା ହଡପ । ସ୍ୱଚ୍ଛ ଭାରତ ଅଭିଯାନରେ ତ ଗୋଟିଏ ପାଇଖାନାର ରଙ୍ଗକୁ ଲିଭେଇ ନୂତନରଙ୍ଗ ବୋଳି କେତେ ଯେ ଭୂତ ପାଇଖାନା ନିର୍ମାଣ ହୋଇଛି ତାହାର ହିସାବ କିଏ ବା କାଢି ପାରିବ ।  
  ମାତ୍ର ଏଭଳି ଭୂତଙ୍କ ଉପସ୍ଥିତି ଆଦ୍ୟୈ ଲୋକ ଲୋଚନକୁ ଆସୁନଥିଲା । ମାତ୍ର ସରକାରଙ୍କ ଆଧାର ସଂଯୋଗ ପ୍ରକ୍ରିୟାରେ ଏବେ ଜଣାପଡୁଛି ଏ ପ୍ରକାର ଭୁତ ଅତ୍ର, ତତ୍ର, ସର୍ବତ୍ର ବିଦ୍ୟମାନ । ଭୁତ ଅଛନ୍ତି ଭତ୍ତାରେ, ଭୂତ ଅଛନ୍ତି ଭାତରେ । ରାଜ୍ୟରେ ଏକ ଲକ୍ଷ୍ୟରୁ ଅଧିକ ଭୂତ ଛାତ୍ର ଛାତ୍ରୀ ଚିହ୍ନଟ ହେବା ସହିତ କେନ୍ଦ୍ର ସରକାରଙ୍କ ଏଲ୍‌.ପି.ଜି ସବ୍‌ସିଡି ଯୋଜନାରେ ବି କୋଟି କୋଟି ଭୂତ ଉପଭୋକ୍ତାଙ୍କ ଉପସ୍ଥିତି ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାରେ ଭୂତଙ୍କ ଉପସ୍ଥିତିକୁ ପ୍ରମାଣିତ କରୁଛି ।
   ସେ ବେଳର ମା’ ଜେଜେମା, ଗୁରୁଗୁରୁଜନଙ୍କ ଦ୍ୱାରା ସୃଷ୍ଟ ସେ କାଳ୍ପନିକ ଭୂତ ଥିଲା ସମାଜ ମଙ୍ଗଳକାରୀ । ମା’ ନିଜ ଶିଶୁକୁ ଭୟ ଦେଖାଇ ଶୋଇବା ପାଇଁ ନୁହେଁ ବରଂ ତା’ ପିଲା ଠିକ୍ ସମୟରେ ଶୋଉ, ଅଧିକ ଓ ଠିକ୍ ସମୟରେ ଖାଉ, ବାହାରେ ବୁଲି ଛତରା ନହେଉ, ଏଥିପାଇଁ ସେ ମନଗଢା ଭୂତକୁ ଆଣି ନିଜ ପିଲା ପାଖରେ ରଖୁଥିଲା ।  ମାତ୍ର ଏବେ ଏ ଯେଉଁ ଭୂତ ମାନେ ତିଆରି ହେଉଛନ୍ତି ସେମାନଙ୍କୁ ତିଆରି କରୁଥିବା ମଣିଷମାନେ ଖୁବ୍ ଚାଲାକ, ଧୃତ ଓ ଖଳ ପ୍ରକୃତିର । ଏହାଦ୍ୱାରା କେବଳ ସେମାନଙ୍କର ହିଁ ଲାଭ । ସରକାରୀ ତହବିଲ୍ ଖାଲି ହୋଇଯାଉ, ଭୂତଙ୍କ ନାଁରେ ଦେଶକୁ ଖୋଳ କରିବାକୁ ଏମାନେ ଟିକେ ବି କୁଣ୍ଠା ବୋଧ କରନ୍ତି ନାହିଁ । ଏଭଳି ଭୂତସବୁ ସମାଜ ପରିପନ୍ଥୀ । ଦେଶର ଆର୍ଥୀକ ପ୍ରଗତିର ଅନ୍ତରାୟ । ଏଭଳି ଭୂତମାନଙ୍କ ଉପସ୍ଥିତିରେ ଗରିବ ଗରିବ ହୋଇ ସେମିତି ରହିଥାଏ ମାତ୍ର ଧନୀର ଭଣ୍ଡାର ପୂର୍ଣ୍ଣ ହେବାରେ ଲାଗିଥାଏ । ଅର୍ଥନୈତିକ ତାରତମ୍ୟ ବଢିବାରେ ଲାଗେ । ଏମାନଙ୍କ ନିପାତରେ ହିଁ ଭାରତର ଭବିଷ୍ୟତ । ତେବେ ଆସନ୍ତୁନା ଏଭଳି ଭୁତ ମାନଙ୍କ ବିନାଶରେ ଲାଗିପଡିବା । 

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS