search in www.iswarchandraworld.blogspot.com

Sunday 29 March 2020

All India Radio Talk ଶକ୍ତି ଶଙ୍କଟ ଓ ଲିଥିୟମ୍‌-ଆୟନ୍ ବ୍ୟାଟେରୀ

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ଶକ୍ତି ଶଙ୍କଟ ଓ ଲିଥିୟମ୍‌-ଆୟନ୍ ବ୍ୟାଟେରୀ 


      ଶକ୍ତି ବିନା ଜୀବନର ପରିକଳ୍ପନା ଅସମ୍ଭବ । ଶକ୍ତି ହେଉଛି ବିକାଶ ଓ ଉନ୍ନତିର ଆଧାର । ଏହା କେବଳ ସାମଗ୍ରିକ ସ୍ତରରେ ପ୍ରଯୁଯ୍ୟ ନୁହେଁ, ଏହା ବ୍ୟକ୍ତିଗତ ସ୍ତରରେ ମଧ୍ୟ ସତ୍ୟ । ଶକ୍ତିବିନା ମନୁଷ୍ୟର ଶରୀର ଯେପରି ଅଚଳ, ଆଜିର ବିଜ୍ଞାନ ଜଗତରେ ସମସ୍ତ ଯନ୍ତ୍ର ଓ ଯନ୍ତ୍ରାଶଂ ମଧ୍ୟ ଶକ୍ତି ବିନା ସେହିପରି ସ୍ଥାଣୁ । ସାଧାରଣତଃ ସମସ୍ତ ପରିବହନୀୟ (Portable) ଇଲେକ୍ଟ୍ରୋନିକ୍ ଯନ୍ତ୍ର ଓ ଯନ୍ତ୍ରାଂଶ ଯଥା ସ୍ମାର୍ଟ ମୋବାଇଲ୍‌, ଲ୍ୟାପ୍‌ଟପ୍‌, କ୍ୟାମେରା, ଟାବ୍ଲେଟ୍ ଆଦି ଏହି ବିଦ୍ୟୁତ୍ ଶକ୍ତି ପାଇଁ ସେଥିରେ ଖଞ୍ଜା ଯାଇଥିବା ବ୍ୟାଟେରୀ ଉପରେ ନିର୍ଭର କରିଥାନ୍ତି ଯାହା ରାସାୟନିକ ଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ରୂପାନ୍ତରିତ କରିଥାଏ । ଏହି ବ୍ୟାଟେରୀ ମାନଙ୍କ ମଧ୍ୟରେ ଲିଥିୟମ ଆୟନ୍ ରିଚାର୍ଜେବଲ୍ ବ୍ୟାଟେରୀର ଶକ୍ତି ସାନ୍ଦ୍ରତା, ବ୍ୟବହାରରେ ନିରାପଦ, କ୍ଷୁଦ୍ର ଆକାର, ପରିବେଶ ପ୍ରଦୂଷଣ ରହିତ, ସ୍ୱଳ୍ପ ମୂଲ୍ୟ ଓ ସହଜ ଉପଲବ୍ଧ ଗୁଣ ଆଜି ବିଜ୍ଞାନ ବିଶ୍ୱକୁ ଦେଇଛି ଏକ ନୂଆ ଦିଗ । ସ୍ମାର୍ଟ ମୋବାଇଲ୍‌ର ବିକାଶ ଓ ବ୍ୟବହାରରେ ଆଜି ଏକ ବିପ୍ଳବ ଆଣି ଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଆଜି ସମଗ୍ର ବିଶ୍ୱର ୭୭୦ କୋଟି ଜନସଂଖ୍ୟାରେ ପ୍ରାୟ ୩୩୦ କୋଟି ସ୍ମାର୍ଟ ମୋବାଇଲ୍ ସହିତ ଟାବଲେଟ୍‌, ଲ୍ୟାପଟପ୍ ଏହିି ଲିଥିୟମ୍‌-ଆୟନ୍ ବ୍ୟାଟେରୀ ମାନଙ୍କ ଦ୍ୱାରା ହିଁ ଚାଳିତ । ସମ୍ପୂର୍ଣ୍ଣ ପ୍ରଦୂଷଣ ରହିତ ବିଦ୍ୟୁତ୍ ଚାଳିତ ଗାଡି ମାନଙ୍କର ଆଜି ଏହାହିଁ ଶକ୍ତିକେନ୍ଦ୍ର । ସମଗ୍ର ମାନବ କଲ୍ୟାଣରେ ଏହାର ଭୂମିକା ଏଇଥିରୁ ହିଁ ସହଜରେ ଅନୁମେୟ । ଯେଉଁଥିପାଇଁ ଏହି ଲିଥିୟମ-ଆୟନ ବ୍ୟାଟେରୀର ସଫଳ ପ୍ରସ୍ତୁତି ଓ ପ୍ରୟୋଗରେ ଜୀବନ ବ୍ୟାପି ସାଧନା ଓ ପରିଶ୍ରମର ଫଳ ସ୍ୱରୁପ ବୈଜ୍ଞାନିକ ଜନ୍ ବି ଗୁଡଏନଫ୍ (John B. goodenough)), ଏମ୍ ଷ୍ଟାନଲି ହ୍ୱିଟି୍‌ଙ୍ଗାମ୍ (M.stanley Whittingham) ଓ  ଆକିରା ୟୋସିନୋ (Akira Yoshino) ଙ୍କୁ ମିଳିଛି ୨୦୧୯ ମସିହା ପାଇଁ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର । 
      ୧୭୮୦ ମସିହାରେ ଲୁଇ ଗାଲ୍‌ଭିନ୍ ତାଙ୍କ ପରୀକ୍ଷାଗାରରେ ଗୋଟିଏ ଧାରୁଆ ଛୁରୀରେ ଲାଗିରହିଥିବା ମୃତ ବେଙ୍ଗଟିଏର ଶୁଖିକରି ଯାକିଯୁକିହୋଇ ଯାଇଥିବା ଦୃଶ୍ୟକୁ ଦେଖି ଭାବିଥିଲେ ଯେ ମୃତ ବେଙ୍ଗ ଶରୀରର ଅସ୍ୱାଭାବିକ ପରିବର୍ତ୍ତନ ସେହି ବେଙ୍ଗ ଶରୀରରେ ଥିବା ଶକ୍ତିର ପରିଣାମ ଏବଂ ତାହାର ସେ ନାମ ରଖିଥିଲେ ଜୈବ ବିଦ୍ୟୁତ୍ । ମାତ୍ର ତାଙ୍କର ସହଯୋଗୀ  ଓ ବନ୍ଧୁ ଆଲେସାଣ୍ଡୋ ଭୋଲ୍ଟା ଏହାକୁ  ଭୂଲ୍ ବୋଲି ବିଚାର କରି, ଭାବିବସିଥିଲେ ଯେ ଏହି ବିଦ୍ୟୁତ୍ ଶକ୍ତି, ଦୁଇଟି ଧାତୁ ବାୟୁମଣ୍ଡଳୀୟ ଆଦ୍ରତା ସଂସ୍ପର୍ଶରେ ଆସିଥିବାରୁ ସୃଷ୍ଟି ହୋଇଛି । ତାଙ୍କର ଦୀର୍ଘ ଏଗାର ବର୍ଷର ସାଧନା ତାଙ୍କର ଅନୁମାନକୁ ସତ୍ୟ ପ୍ରମାଣିତ କରିଥିଲା ଏବଂ ବୈଜ୍ଞାନିକ ଆଲେସାଣ୍ଡୋ ଭୋଲ୍ଟା ୧୮୦୦ ମସିହାରେ ବିଶ୍ୱର ସର୍ବପ୍ରଥମ ବ୍ୟାଟେରୀ ପ୍ରସ୍ତୁତ କରିଥିଲେ ଯାହାର ନାମ ଥିଲା ଭୋଲ୍ଟାଇକ୍ ପାଇଲ୍ । ଏହା ଭିତରେ ଥିବା ରାସାୟନିକ ପଦାର୍ଥ ସହିତ ଧାତବ ଦଣ୍ଡମାନଙ୍କର ସଂଯୋଗ ବିଦ୍ୟୁତ ପ୍ରଦାନ କରିଥିଲା । ପରେ ପରେ ସ୍କଟ୍‌ଲ୍ୟାଣ୍ଡର ବୈଜ୍ଞାନିକ ଉଇଲିୟମ କ୍ରୁଇକ୍‌ସାର୍କ (William Cruickshark) ଓ ଇଂଲଣ୍ଡ ବୈଜ୍ଞାନିକ ଉଇଲିୟମ୍ ଷ୍ଟର୍ଜିୟନ (William Sturgeon) ଉଭୟେ ଭୋଲ୍ଟାଙ୍କ ଦ୍ୱାରା ପ୍ରସ୍ତୁତ ବ୍ୟାଟେରୀରେ ଥିବା କେତେକ ଅସୁବିଧାକୁ ଦୂର କରିଥିଲେ ।
     କିନ୍ତୁ ୧୮୩୬ ମସିହାରେ ବିଶ୍ୱର ସର୍ବପ୍ରଥମ ବ୍ୟବହାରଯୋଗ୍ୟ ବ୍ୟାଟେରୀ ଇଂଲଣ୍ଡର ରସାୟନ ବିଜ୍ଞାନର ପ୍ରଧ୍ୟାପକ ଜନ୍ ଫ୍ରେଡେରିକ୍ ଡାନିଏଲ୍ (John Frederick Daniell)ପ୍ରସ୍ତୁତ କରିଥିଲେ ଏବଂ ଏହାର ନାମ ଥିଲା ଡାନିଏଲ ସେଲ୍ । ଏହା ପୂର୍ଣ୍ଣମାତ୍ରାରେ ଭୋଲ୍ଟାଇକ୍ ପାଇଲ୍ ବ୍ୟାଟେରୀରେ ଥିବା ସମସ୍ତ ଅସୁବିଧାକୁ ଦୂର କରିବାରେ ସକ୍ଷମ ହୋଇଥିଲା । ମାତ୍ର ଏ ସମସ୍ତ ବ୍ୟାଟେରୀ ଗୁଡିକ ଥରେ ମାତ୍ର ବ୍ୟବହାର ଯୋଗ୍ୟ ଅର୍ଥାତ ବ୍ୟାଟେରୀରୁ ରାସାୟନିକ ପଦାର୍ଥ ଓ ଧାତବ ଦଣ୍ଡର କ୍ଷୟପରେ ତାହା ସମ୍ପୂର୍ଣ୍ଣ ଅଯୋଗ୍ୟ ହୋଇ ଯାଉଥିଲା ।
      ମନୁଷ୍ୟର ଅଭିସନ୍ଧିଚ୍ଛୁ ପ୍ରବୃିତ୍ତ ଏଇଠାରେ ହିଁ ସିମୀତ ନରହି ପୁଣି ଲାଗିପଡିଲା ଏହି ବ୍ୟାଟେରୀ ଗୁଡିକ କିପରି ପୁନଃ ଅଥବା ବାରମ୍ବାର ବ୍ୟବାହର ଯୋଗ୍ୟ ହୋଇପାରିବେ । ଏହି ପରିପ୍ରେକ୍ଷୀରେ ୧୮୫୯ ମସିହାରେ ଫ୍ରାନସ୍‌ର ପଦାର୍ଥ ବିଜ୍ଞାନୀ ଗ୍ୟାଷ୍ଟନ୍ ପ୍ଲାଣେ (Gaston Plante) ଶିସା ଓ ଅମ୍ଳକୁ ନେଇ ବିଶ୍ୱର ପ୍ରଥମ ରିଚାର୍ଜେବଲ ବ୍ୟାଟେରୀ ପ୍ରସ୍ତୁତ କରିଥିଲେ ଯାହା ବର୍ତ୍ତମାନ ସୁଦ୍ଧା ବସ୍‌, ଟ୍ରକ୍ ଆଦିମାନଙ୍କରେ ବ୍ୟବହୃତ ହେଉଅଛି । ଏହି ବ୍ୟାଟେରୀ ମଧ୍ୟରେ ବୈଦୁତିକ ଶକ୍ତିକୁ ରାସାୟନିକ ଶକ୍ତିରେ ପରିବର୍ତ୍ତନ କରି ଧରିରଖିବାର କ୍ଷମତା ସହିତ ଆବଶ୍ୟକ ସ୍ଥଳେ ସେହି ରାସାୟନିକ ଶକ୍ତିକୁ ପୁନଃ ବୈଦ୍ୟୁତିକ ଶକ୍ତିରେ ପରିଣତ କରି ବ୍ୟବହାର କରାଯାଇ ପାରିଥିଲା ଯାହା ବିଜ୍ଞାନ ବିଶ୍ୱକୁ ଏକ ଅନବଦ୍ୟ ଦାନ ରୂପେ ବିବେଚିତ ହେଲା । ମାତ୍ର ଏହି ବ୍ୟାଟେରୀ ଗୁଡିକ କ୍ଷୁଦ୍ର ଯନ୍ତ୍ର ଅବା ଯନ୍ତ୍ରାଶଂରେ ବ୍ୟବହାର ଅଯୋଗ୍ୟ ଥିଲା । ପରେ ପରେ ଏହି ରିଚାର୍ଜେବେଲ୍ ବ୍ୟାଟେରୀରେ ବ୍ୟବହୃତ ରାସାୟନିକ ପଦାର୍ଥରେ ପରିବ ନ ଆଣି ଏହାର ଆକାର, ଶକ୍ତି ସାନ୍ଦ୍ରତା ବୃଦ୍ଧି, ବ୍ୟବହାରରେ ନିରାପଦ ଓ ସହଜ ଉପଲବ୍ଧରେ ପରିଣତ କରିବା ପାଇଁ ସମୟ କ୍ରମେ ବିଶ୍ୱର କୋଣ ଅନୁକୋଣର ବୈଜ୍ଞାନିକ ମାନେ ଲାଗିପଡିଲେ ।
      କିନ୍ତୁ ଆଜିର କ୍ଷୁଦ୍ର ଯନ୍ତ୍ର ଅବା ଯନ୍ତ୍ରାଶଂରେ ବହୁଳ ବ୍ୟବହୃତ ଲିଥିୟମ୍‌-ଆୟନ୍ ରିଚାର୍ଜେବଲ ବ୍ୟାଟେରୀର ଜନକ ହେଉଛନ୍ତି ଇଂଲଣ୍ଡ ଜନ୍ମିତ ବୈଜ୍ଞାନିକ ଏମ୍‌. ଷ୍ଟେନଲେ୍ ହ୍ୱିଟଙ୍ଗମ୍ ((M. Stanley Whittingham)
      ସେ ସର୍ବ ପ୍ରଥମେ ୧୯୭୦ ମସିହାରେ ଏହି ବ୍ୟାଟେରୀ ପ୍ରସ୍ତୁତ କରିଥିଲେ । କିନ୍ତୁ ଏହା ଅତ୍ୟଧିକ ବ୍ୟୟ ବହୁଳ ଏବଂ ପରିବେଶ ଉପଯୋଗୀ ହୋଇନଥିବାରୁ ଏହାର ସଫଳ ପ୍ରୟୋଗ ହୋଇପାରିଲା ନଥିଲା । ୧୯୭୯ ମସିହାରେ ଜନ୍‌. ବି. ଗୁଡ୍‌ଏନଫ୍ (John B. goodenough) ଓ ତାଙ୍କ ସହଯୋଗୀ ସହଜରେ ବ୍ୟବହାରଯୋଗ୍ୟ ଲିଥିୟମ୍‌-ଆୟନ୍ ବ୍ୟାଟେରୀ ପ୍ରସ୍ତୁତ କରିଥିଲେ ସତ, ମାତ୍ର ତାହା ମଧ୍ୟ ସେତେଟା ନିରାପଦନଥିଲା କାରଣ ସେହି ବ୍ୟାଟେରୀରେ ବ୍ୟବହୃତ ରାସାୟନିକ ପଦାର୍ଥଟି ଥିଲା ବିସ୍ଫୋରକ ପଦାର୍ଥ । କିନ୍ତୁ ୧୯୮୫ ମସିହାରେ ବୈଜ୍ଞାନିକ ଅକିରା ୟୋଶିନୋ (Akira Yoshino)ଏପରି ଏକ ଲିଥିୟମ୍‌-ଆୟନ୍ ଇଲୋକ୍ଟ୍ରୋଡ୍ ପ୍ରସ୍ତୁତ କଲେ ଯାହା ବ୍ୟାଟେରୀର ଶକ୍ତି ସାନ୍ଦ୍ରତା, ନିରାପଦ ବ୍ୟବହାର ଓ ସହଜ ଉପଲବ୍ଧ୍ ଗୁଣକୁ ଅତି ମାତ୍ରାରେ ବଢେଇ ଦେଇଥିଲା ଯାହା ଫଳରେ ସମଗ୍ର ବିଶ୍ୱରେ ଆଜି ସମସ୍ତ ବହନୀୟ (Portable) ଯନ୍ତ୍ରପାତୀରେ ଏହାର ସଫଳ ବ୍ୟବହାର ହୋଇ ଚାଲିଛି ।  
       କେବଳ ସେତିକି ନୁହେଁ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଓ ତାପାୟନର ମୂଖ୍ୟ କାରଣ ପାଲଟିଥିବା ପ୍ରଚୁର ମାତ୍ରାରେ ଜୈବ ଇନ୍ଧନ, କୋଇଲା ଓ ପ୍ରାକୃତିକ ଗ୍ୟାସ୍‌ର ଦହନକୁ ରୋକିବାରେ ଏହାର ଭୂମିକା ମଧ୍ୟ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ଗମନାଗମନ ଓ ପରିବହନ ପାଇଁ ବ୍ୟବହୃତ ହେଉଥିବା ଜୈବ ଇନ୍ଧନରେ ଚାଳିତ ଯାନମାନଙ୍କ ଦ୍ୱାରା ବାୟୁ ପ୍ରଦୂଷଣ ଉପରେ ଏମାନଙ୍କର ପ୍ରଭାବ ୧୨% ରୁ ୭୦% ଅଟେ । ବିଶ୍ୱର ବୈଜ୍ଞାନିକ ମାନଙ୍କର ଭବିଷ୍ୟବାଣୀ ଅନୁଯାୟୀ ଯଦି ଏହିପରି ମାତ୍ରାରେ ବାୟୁ ସହିତ ଅନ୍ୟାନ୍ୟ ପ୍ରଦୂଷଣ ଚାଲୁରହେ ତେବେ ଆସନ୍ତା ଏକ ଶତାବ୍ଦୀ ମଧ୍ୟରେ ପୃଥିବୀ ପୃଷ୍ଠର ତାପମାତ୍ରା ୨.୫ଂମ ରୁ ୧୦ଂମ ବଢିଯିବ । ମେରୁରେ ଥିବା ଗ୍ଲେସିୟର୍ ମାନେ ତରଳି ଯିବେ ଓ ପୃଥିବୀ ପୃଷ୍ଠରେ ଥିବା ଜଳସ୍ତର ପ୍ରାୟ ୧ ଫୁଟ୍‌ରୁ ୪ ଫୁଟ୍ ଉଚ୍ଚ ହୋଇଯିବ । ଯାହା ଫଳରେ ପୃଥିବୀର ଅନେକ ସ୍ଥଳଭାଗ ସମୁଦ୍ରରେ ଲୀନ ହୋଇଯିବ । ତତ୍‌ସହିତ ଭୟଙ୍କର ଅଂଶୁଘାତ, ମହାବାତ୍ୟା ଓ ସୁନାମୀ ଭଳି ପ୍ରାକୃତିକ ମହା ବିପର୍ଯୟ ଅତି ମାତ୍ରାରେ ବଢିଯିବ । ତେଣୁ ଆମମାନଙ୍କୁ ବଞ୍ଚେଇ ରଖିବାକୁ ହେଲେ ବେଳହୁଁ ସତର୍କ ନିହାତି ଲୋଡା ।
       ଆଉ ଏହି ପରିପ୍ରେକ୍ଷିରେ ସମସ୍ତ ଗମନାଗମନ ଓ ପରିବହନ ପାଇଁ ବ୍ୟବହୃତ ଯାନବାହାନ ଗୁଡିକ ଯଦି ବିଦ୍ୟୁତ୍ ଶକ୍ତି ଦ୍ୱାରା ଯାତାୟତ କରନ୍ତି ତେବେ ପ୍ରଦୂଷଣ ବହୁ ମାତ୍ରାରେ ପ୍ରତିହତ ହେବ । ତେବେ ଏହି ବିଦ୍ୟୁତ୍ ଚାଳିତ ଯାନବାହାନ ପାଇଁ ଅତ୍ୟାବଶ୍ୟକ ଯନ୍ତ୍ରାଶଂଟି ହେଉଛି ବ୍ୟାଟେରୀ । ସୌରଶକ୍ତିରୁ ଜାତ ବିଦ୍ୟୁତ୍ ଶକ୍ତିକୁ ଧରି ରଖି ବିଦ୍ୟୁତ୍ ଚାଳିତ ଯାନବାହାନକୁ ବିଦ୍ୟୁତ୍ ଯୋଗାଇ ପାରୁଥିବା ଆଜିର ଉଦ୍ଭାବିତ ଲିଥିୟମ୍ ଆୟନ୍ ବ୍ୟାଟେରୀ ହିଁ ସମ୍ପୂର୍ଣ୍ଣ ଉପଯୁକ୍ତ ଯାହା ଆଜି ପ୍ରମାଣିତ । 
     ବାସ୍ତବରେ ଲିଥିୟମ୍ ଆୟନ୍ ବ୍ୟାଟେରୀର ଉଦ୍ଭାବନ ମାନବ କଲ୍ୟାଣରେ କେତେଯେ ମହତ୍ୱ ରଖିଛି ଓ ଭବିଷ୍ୟତ ପାଇଁ ଏହାର ମହତ୍ୱ କେତେ ଯେ ଅଧିକ ତାହା ଏବେ ଅକଳ୍ପନୀୟ । କେବଳ ପରିବହନୀୟ (Portable) ଇଲେକ୍ଟ୍ରୋନିକ୍ ଯନ୍ତ୍ର ଓ ଯନ୍ତ୍ରାଂଶ କାହିଁକି ଆଜି ମୋଟୋର୍ ସାଇକେଲ୍ ଠାରୁ ଆରମ୍ଭ କରି କାର୍ ଓ ବସ୍ ଆଦି ଭାରୀଜାନ ମାନେ ମଧ୍ୟ ଏହି ରିଚାର୍ଜେବଲ୍ ବ୍ୟାଟେରୀ ଦ୍ୱାରା ଦୌଡିବା ଆରମ୍ଭ କଲେଣି ଯାହା ନିଶ୍ଚିତ ରୂପେ ଭୟଙ୍କର ପ୍ରଦୂଷଣମୂଖୀ ଭବିଷ୍ୟତର ବିଶ୍ୱକୁ ବଞ୍ଚେଇବାରେ ସାହାଯ୍ୟ କରିବ ଏଥିରେ ଦ୍ୱିମତ ନାହିଁ । 

******

All India Radio Talk କୃତ୍ରିମ ତନ୍ତୁ


ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

କୃତ୍ରିମ ତନ୍ତୁ

    ମନୁଷ୍ୟର ତିନୋଟି ମୈାଳିକ ଆବଶ୍ୟକତା ମଧ୍ୟରୁ ଦ୍ୱିତୀୟଟି ହେଲା ବସ୍ତ୍ର । ବଣଜଙ୍ଗଲରେ ଜୀବନ ବିତଉଥିବା ସମୟରେ ପ୍ରକୃତିର ପ୍ରକୋପ ଅବା ଲଜ୍ଜାରୁ ନିଜ ଶରୀରକୁ ଢାଙ୍କି ରଖିବା ପାଇଁ ଗଛର ବକ୍କ୍‌୍‌ଳ ବ୍ୟବହାର କରୁଥିଲା । ମାତ୍ର ଧୀରେଧୀରେ ନିଜର ବୁଦ୍ଧି ବଳରେ ପ୍ରସ୍ତୁତ କଲା ବସ୍ତ୍ର । ଆଉ ବସ୍ତ୍ର ପାଇଁ ସେ ତିଆରି କରିଥିଲା ସୁତା ଓ ଆବିଷ୍କାର କରିଥିଲା ତାହାର ମୂଳ ଉପାଦାନ ତନ୍ତୁ । ଜୀବଜଗତରୁ ନିଜକୁ ସଭ୍ୟ ବୋଲେଇବାରେ ବସ୍ତ୍ର ଥିଲା ତା’ର ପ୍ରଥମ ଆଭୂଷଣ । ସହାବସ୍ଥାନରୁ ନିଜକୁ ସାମାଜିକ ପ୍ରାଣୀ ବୋଲି ଅଭିହିତ କଲା । କ୍ରମେ ସମାଜର କାୟା ବିସ୍ତାର ହେତୁ ବସ୍ତ୍ରର ଆବଶ୍ୟକତା ଓ ପ୍ରକାରନ୍ତେ ତନ୍ତୁର ଆବଶ୍ୟକତା ବଢିବାରେ ଲାଗିଲା । ନିଜର ଅଭିସନ୍ଧିଛୁ ପଣିଆରେ ପ୍ରାକୃତିକ ତନ୍ତୁ ସହିତ ପରୀକ୍ଷାଗାରାରେ କୃତ୍ରିମ ତନ୍ତୁ ପ୍ରସ୍ତୁତ କରିବାରେ ମଧ୍ୟ ସଫଳ ହେଲା । ବସ୍ତ୍ରର ବିବିଧତା ପାଇଁ କେବଳ ତନ୍ତୁ ଏକ ଅପରିହାର୍ଯ୍ୟ ଉପାଦାନହୋଇ ରହିଲା ନାହିଁ । ତନ୍ତୁକୁ ମଧ୍ୟ ଅନ୍ୟ ଜିନିଷ ନିର୍ମାଣରେ ପ୍ରୟୋଗ କରିବାରେ ଲାଗିଲା । ଆଜି ମନୁଷ୍ୟ ଏପରି ଅବସ୍ଥାରେ ପହଞ୍ôଚଛି ଯେ ତନ୍ତୁ ବିନା ସେ ସତେଯେମିତି ଅଙ୍ଗହୀନ ହୋଇ ପଡିବ । ଏପରିକି ଦାନ୍ତ ଘଷିବା ବ୍ରସ୍‌ଠାରୁ ଆରମ୍ଭ କରି ମହାକାଶଯାନର କଳେବର ନିର୍ମାଣ କରିବାରେ ସେ ତନ୍ତୁର ପ୍ରୟୋଗ କଲାଣି । 
   ତନ୍ତୁ ଗୋଟିଏ ପ୍ରାକୃତିକ ଅବା କୃତ୍ରିମପଦାର୍ଥ ହୋଇପାରେ ଯାହାର ଲମ୍ବ ଏହାର ମୋଟାଇ ତୁଳନାରେ ଯଥେଷ୍ଟ ଅଧିକ ଏବଂ ଏହା ନମନୀୟ ହେବା ନିତ୍ୟାନ୍ତ ଆବଶ୍ୟକ । ତନ୍ତୁରୁ ସାଧାରଣତଃ ଅନେକ ଜିନିଷ ତିଆରି ହୋଇଥାଏ ଏବଂ ଅନେକ ପ୍ରକାର ଜିନିଷର ତିଆରିରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ । 
   ତନ୍ତୁକୁ ପ୍ରଧାନତଃ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ ଯଥା ପ୍ରାକୃତିକ ତନ୍ତୁ ଓ କୃତ୍ରିମ ତନ୍ତୁ । 
କୃତ୍ରିମ ତନ୍ତୁ 
   କୃତ୍ରିମ ତନ୍ତୁ ବା ରାସାୟନିକ ତନ୍ତୁ ଗୁଡିକର ପ୍ରସ୍ତୁତି ସମୟରେ ହିଁ ସେମାନଙ୍କର ରାସାୟନିକ ସଂରଚନା, ଗଠନ ଏବଂ ଧର୍ମ ମନମୁତାବକ ପରିବର୍ତ୍ତନ ଓ ସ୍ଥିର କରାଯାଇପାରେ ।
   କୃତ୍ରିମ ତନ୍ତୁକୁ  ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ କରାଯାଇଥାଏ । ଯଥା 
୧. ପୁନଃରୁତ୍ପତ୍ତି ତନ୍ତୁ ((Regenerated fibers) ଓ 
୨. କୃତ୍ରିମ ତନ୍ତୁ (Synthetic fibers)

Synthetic fibers(କୃତ୍ରିମ ତନ୍ତୁ)
   କୁତ୍ରିମ ତନ୍ତୁ ବା ରାସାୟନିକ ତନ୍ତୁ ସେହି ତନ୍ତୁ ମାନଙ୍କୁ କୁହାଯାଏ ଯେଉଁ ମାନଙ୍କର ରାସାୟନିକ ସଂରଚନା, ଶାରିରୀକ ସଂରଚନା ଓ ଧର୍ମ ଗୁଡିକୁ ବହୁବିଧ ଭାବରେ ସେମାନଙ୍କର ଉତ୍ପାଦନ ପ୍ରକ୍ରିୟା ସମୟରେ ପରିବର୍ତ୍ତନ କରାଯାଇପାରେ ।
କୃତ୍ରିମ ତନ୍ତୁଗୁଡିକ ଦୁଇଭାଗରେ ବିଭକ୍ତ ଯଥା
1. Regenerated fiber
2. Synthetice-fiber    
Regenerated fiber (semi-Synthetic-fiber)
   ଏହି ତନ୍ତୁ ଗୁଡିକ ପ୍ରାକୃତିକ ଲମ୍ବାଶୃଙ୍ଖଳଥିବା ପଲିମର୍ ମାନଙ୍କର ଆଂଶିକ ପରିବର୍ତ୍ତନ କରାଯାଇ ତିଆରି କରାଯାଇଥାଏ । ଏହି ତନ୍ତୁ ମାନଙ୍କ ମଧ୍ୟରେ Viscose rayon , Acetate rayon ଅନ୍ୟତମ । ଏଗୁଡିକ ଆଖିକୁ ଭାରି ଚିକ୍‌ଚିକ୍ ଦେଖାଯାଆନ୍ତି ମାତ୍ର ପିନ୍ଧିବା ପାଇଁ ଆରାମ ଦାୟକ ନୁହେଁ । ଏହି ତନ୍ତୁରୁ ନିର୍ମିତ କପଡା ଗୁଡିକ ସାଧାରଣତଃ ଯାତ୍ରା କଳାକାରମାନେ ପିନ୍ଧିଥାନ୍ତି  ଏବଂ ସାଜସଜା ପାଇଁ ବ୍ୟବହାର କରାଯାଏ ।
 Synthetice-fiber (କୃତ୍ରିମ ତନ୍ତୁ)
   କୃତ୍ରିମ ତନ୍ତୁ ଗୁଡିକ ସମ୍ପୂର୍ଣ୍ଣରୂପେ କୃତ୍ରିମ କଞ୍ଚାମାଲ ଯଥା-ପେଟ୍ରୋକେମିକାଲ୍ସ ରୁ ପ୍ରସ୍ତୁତ ହୋଇଥାଏ । ଏହି ତନ୍ତୁ ମାନଙ୍କ ମଧ୍ୟରେ Nylon, polyester, Polyvinyl chloride (PVC), Poly olefins (acrylic fiber), Carbon fiber, Aromatic polyamides (Aramids), Polyethylene(PE), Elastomers
Nylon
   ଏହା ପ୍ରଥମ କୃତ୍ରିମ ତନ୍ତୁ ଭାବେ ପରିଚିତ । ୧୯୩୫ ମସିହା ଫେବୃୟାରୀ ୨୮ ତାରିଖରେ Dupont କମ୍ପାନୀର ପରୀକ୍ଷାଗାରରେ Wallace carothers ନାମକ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା । ସର୍ବପ୍ରଥମେ ରେଶମ ସୁତାର ସ୍ଥାନ ଏହି ନାଇଲନ୍ ସୁତା ଗ୍ରହଣ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିଲା । ସମୟକ୍ରମେ ଏହାର ଅନ୍ୟାନ୍ୟ ଅନନ୍ୟଗୁଣ ପାଇଁ ଅନେକ କାମରେ ବ୍ୟବହୃତ ହେଲା ।
 Polyester
   ଏହା ଏକ ବହୁଳ ବ୍ୟବହୃତ କୃତ୍ରିମ ତନ୍ତୁ । ଏହାର ରାସାୟନିକ ନାମ ହେଉଛି polyethylene terethalate (PET)। ଏହିତନ୍ତୁରୁ ପ୍ରସ୍ତୁତ ବସ୍ତ୍ର ସାଧାରଣତଃ Home furnishing, apparels ଆଦିରେ ବହୁଳ ବ୍ୟବହୃତ ହୁଏ । ତୁଳାସୁତା ସହିତ ଏହାର ମିଶ୍ରଣ କପଡାକୁ ମଜବୁତ୍ କରାଏ । ଏହି ତନ୍ତୁକୁ ମଧ୍ୟ Bottle, Films, LCD (liquid crystal display), Tarpaulin, holograms, Filters, Film insulation for wire ମାନଙ୍କରେ ବ୍ୟବହାର କରାଯାଏ । liquid crystal display ଭାବେ ସର୍ବପ୍ରଥମେ ଏହାକୁ liquid crystal polymer ରୂପେ ବ୍ୟବହୃତ ହୋଇଥିଲା । 
Polyvinyl chloride (PVC)
   ଏହି କୃତ୍ରିମ ତନ୍ତୁର ବ୍ୟବସାୟିକ ନାମ Vinyon। ସାଧାରଣତଃ ଏହା ବୁଣା ବିହୀନ ବସ୍ତ୍ରରେ ବ୍ୟବହୃତ ହୋଇଥାଏ । ଏହା ସର୍ବପ୍ରଥମେ ୧୯୩୯ ମସିହାରେ ପ୍ରସ୍ତୁତ ହୋଇଥିଲା ।
Poly olefins (acrylic fiber)
   ଏହି କୃତ୍ରିମ ତନ୍ତୁ polyacrylonitrile ରୁ ପ୍ରସ୍ତୁତ ହୋଇଥାଏ । acrylic ଗୋଟିଏ ହାଲୁକା ନରମ ଏବଂ ଉତ୍ତାପ ପ୍ରଦାନକାରୀ  ତନ୍ତୁ ଅଟେ ଯାହାକି ପ୍ରାକୃତିକ ପଶମ ତନ୍ତୁ ବା ଉଲ୍ ର ବିକଳ୍ଫ ରୂପେ ବ୍ୟବହୃତ ହୁଏ ।
 Carbon fiber
   ଏହି ତନ୍ତୁ ବହୁତ ଶକ୍ତିଶାଳୀ ଏବଂ ହାଲୁକା ଅଟେ । ଏହା ଉଡାଜାହାଜ, ଯାନବାହନ ଏବଂ ରାସ୍ତାଘାଟ ନିର୍ମାଣରେ ବ୍ୟବହୃତ ହୁଏ । ଏହା ମଧ୍ୟ ଖେଳ ସଂରଞ୍ଜାମରେ ବ୍ୟବହୃତ ହୁଏ ।
 Aromatic polyamides (Aramids)
   ଏହି କୃତ୍ରିମ ତନ୍ତୁ ବର୍ଗରେ twaron, Kevlar, nomex  ପ୍ରଧାନ । ଏହି ତନ୍ତୁ ଗୁଡିକ ଏମାନଙ୍କର ଉଚ୍ଚତାପ ସହନଶୀଳ ଶକ୍ତି ଗୁଣପାଇଁ  ଆଦୃତ । ଏମାନଙ୍କୁ ମଧ୍ୟ High-Performance ତନ୍ତୁ ମଧ୍ୟ କୁହାଯାଏ । 
 Twaron (ParaAramids)
   ଏହା ୧୯୭୦ ମସିହାରେ AKZO dutch company ଦ୍ୱାରା ପ୍ରସ୍ତୁତ ହୋଇଥିଲା । ଏହା ଏକ ଶକ୍ତିଶାଳୀ ଏବଂ ଉତ୍ତାପସହ୍ୟ ତନ୍ତୁ । ଏହା ବିଭିନ୍ନ ପ୍ରକାରର ଇଂଞ୍ଜିନିୟରିଙ୍ଗ୍ ପ୍ରକ୍ରିୟାରେ ବ୍ୟବହୃତ ହୋଇଥାଏ ।
Kevlar
   ଏହି କୃତ୍ରିମ ତନ୍ତୁ ୧୯୬୫ ମସିହାରେ ବୈଜ୍ଞାନିକ stephanie kwoldk ଙ୍କ ଦ୍ୱାରା ଉଦ୍ଭାବନ ହୋଇଥିଲା । ଏହି ତନ୍ତୁ ୧୯୭୦ ମସିହାରେ ଗାଡିଟାୟାର୍ ମାନଙ୍କରେ ବ୍ୟବହୃତ ଷ୍ଟିଲ୍ ଜାଗାମାନଙ୍କରେ ବ୍ୟବହୃତ ହୋଇଥିଲା ।
Nomex
   ଏହା ଗୋଟିଏ ଅଗ୍ନିପ୍ରତିରୋଧକ ତନ୍ତୁ । ଏହା ୧୯୬୦ ମସିହାରେ dupont ଦ୍ୱାରା ବିକଷିତ ହୋଇଥିଲା । ଏହା ଅଗ୍ନି ନିର୍ବାପକଙ୍କ ବସ୍ତ୍ରରେ ବ୍ୟବହୃତହୋଇଥାଏ । 
 Polyethylene (PE)
   ଏହା ସାଧରଣ ପ୍ଲାଷ୍ଟିକ୍ ଭାବେ ପରିଚିତ । ପୃଥିବୀରେ ବାର୍ଷିକ ପାଖାପାଖି ୮୦ ନିୟୁତଟନ୍ ଏହା ଉତ୍ପାଦିତ ହୋଇଥାଏ । ଏହାର ବ୍ୟବହାର ବହୁଳ । ବୋତଲ୍ ଠାରୁ ଆରମ୍ଭ କରି ବିଦ୍ୟୁତ୍ ତାର ଉପରେ ଆସ୍ତରଣ ରୂପେ ବ୍ୟବହୃତ ହୋଇଥାଏ । ଏହାର ରାସାୟନିକସଂଙ୍କେତ C2H4 û ।
 Elastomers (spandex, lycra or elastomer)
   ଏହି ତନ୍ତୁ ଗୁଡିକ ଏମାନଙ୍କର ଇଲାଷ୍ଟିକ୍ ଗୁଣ ପାଇଁ ଜଣା ଶୁଣା । ଏହି ତନ୍ତୁ ଗୁଡିକ ପ୍ର।।କୃତିକ ରବର ଠାରୁ ଦୀର୍ଘସ୍ଥାୟୀ ଏବଂ ଶକ୍ତ । ଏହା ଗୋଟିଏ Polyester-polyurethane copolymer । ଏହା ବୈଜ୍ଞାନିକ ଜୋସେଫ୍ ସିଭରସ୍‌ଙ୍କ ଦ୍ୱାରା dupont ପରୀକ୍ଷାଗାରରେ ୧୯୫୮ରେ ବିକଷିତ ହୋଇଥିଲା । ଏହା ଖେଳାଳୀ ମାନଙ୍କ ବସ୍ତ୍ରରେ ବହୁଳ ଭାବରେ ବ୍ୟବହୃତ ହୁଏ । 
   ଏତ୍‌ଦ ବ୍ୟତିତ ଆହୁରି କେତେକ ପ୍ରକାରର ନୂତନ ତନ୍ତୁ ମଧ୍ୟ ବିକଷିତ ହୋଇଛି ଯେଉଁ ଗୁଡିକର ସ୍ୱତନ୍ତ୍ରତା ଅନେକ ଏବଂ ସେମାନଙ୍କ ବ୍ୟବହାର ମଧ୍ୟ ସ୍ୱତନ୍ତ୍ର । ଏହି ତନ୍ତୁ ମାନଙ୍କ ମଧ୍ୟରୁ ଅନେକ ତନ୍ତୁ ସ୍ୱାସ୍ଥ୍ୟ ଜଗତରେ ମଧ୍ୟ ବିଭିନ୍ନ ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ହୋଇଥାନ୍ତି । 
   ପରିଶେଷରେ ଏତିକି କୁହାଯାଇପାରେ ଯେ ଯଦିଓ ପ୍ରଥମେ ବିଭିନ୍ନ ତନ୍ତୁ କେବଳ ମଣିଷର ବସ୍ତ୍ର ପାଇଁ ବ୍ୟବହୃତ ହେଉଥିଲା ତେବେ ବର୍ତ୍ତମାନର ବିଜ୍ଞାନ ରାଜୁତି ପୃଥିବୀରେ ତନ୍ତୁ ଆଜି ସବୁ କ୍ଷେତ୍ରରେ ବହୁଳ ବ୍ୟବହୃତ ହେଉଛି । ସତେଯେମିତି ତନ୍ତୁ ବିନା ମଣିଷର ପ୍ରଗତି ସଂକଟରେ ପଡିଯାଇପାରେ ।

*******

All India Radio Talk କୃତ୍ରିମ ବୁଦ୍ଧିମତ୍ତା

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

କୃତ୍ରିମ ବୁଦ୍ଧିମତ୍ତା

      ମନୁଷ୍ୟ ତା’ର ପ୍ରବୃତ୍ତିରେ ଅନୁସନ୍ଧିତ୍ସୁ । ଏହି ଅନୁସନ୍ଧିତ୍ସୁ ପ୍ରବୃତ୍ତି ସହିତ ପ୍ରତ୍ୟୁତ୍ପନ୍ନମତିତ୍ୱରୁ ସୃଷ୍ଟ ବିଜ୍ଞାନର ବିଭବରେ ଦିନେ ବଣଜଙ୍ଗଲରେ ବିତଉଥିବା ଅତୀତର ସେ ଦୁର୍ବିଷହ ଜୀବନକୁ ପାଦରେ ଦଳିଦେଇ ଆଜି ବଞ୍ଚୁଛି ଏକ ସରସ, ସୁନ୍ଦର ଓ ଆରାମଦାୟକ ଜୀବନ । ନିଜର ଶାରିରୀକ ଓ ମାନସିକ ପରିଶ୍ରମକୁ ଲାଘବ କରିବା ପାଇଁ ତିଆରିଛି ଅନେକ ଯନ୍ତ୍ର । ତା’ ପାଇଁ ଆଜି ମାଗୁଣିର ଶଗଡ ପ୍ରାୟ ଅଲୋଡା । “ଅଲିବାବା ଚାଲିଶ୍ ଚୋର୍‌” କାହାଣୀରେ ଅଲିବାବାର “ଖୁଲ୍‌ଜା ସିମ୍ ସିମ୍‌” ଭଳି ଶଦ୍ଦରେ ବିଶାଳକାୟ ଗୁମ୍ଫାର ପଥର କବାଟ ଖୋଲିଯିବା ଅବା କାରେଲ୍ କାପେକଙ୍କ “ରୋସ୍‌ମସ୍ ଇଉନିଭର୍ସାଲ ରୋବଟସ୍‌” ନାଟକରେ ବର୍ଣ୍ଣିର୍ତ ହୋଇଥିବା ରୋବଟ୍ ମାନଙ୍କର କାର୍ଯ୍ୟ ଆଜି ତା’ ପାଇଁ ଅବାସ୍ତବ ହୋଇ ରହିନାହିଁ ବରଂ ପ୍ରମାଣିତ । ଏହି ପରିପ୍ରେକ୍ଷିରେ ନିଜ ସାଦୃଶ୍ୟ ରୋବଟ୍ ବା ଯନ୍ତ୍ରମାନବ ଆଜି ତା’ର ଅନନ୍ୟ ସୃଷ୍ଟି । ତା’ ପରି ନିଜ ଚତୁପାଶ୍ୱର୍ର ପରିବେଶକୁ ଅନୁଭବ କରିବା ସହିତ ତର୍କ ସମ୍ବଳିତ ବିଶ୍ଲେଷଣ କରି ଆବଶ୍ୟକ ପ୍ରତିକ୍ରିୟା ପ୍ରକାଶ କରିପାରୁଥିବା ଏହି ଯନ୍ତ୍ରମାନବ ଆଜି ତା’ର କ୍ରୀତଦାସ । ତା’ ପାଇଁ କଠିନ ଅବା ଅସମ୍ଭବ ମନେ ହେଉଥିବା କାର୍ଯ୍ୟ ମାନଙ୍କରେ ଚତୁରତାର ସହିତ ଏହି ଯନ୍ତ୍ରମାନବକୁ ଖଟାଇ ଆଜି ନିଜେ ଖୁବ୍ ବଳଶଳୀ । ମାତ୍ର ଏହି ଯନ୍ତ୍ରମାନବ ଯେଉଁ ବୈଜ୍ଞାନିକ ମୂଳତତ୍ତ୍ୱ ଉପରେ ପର୍ଯ୍ୟବେସିତ ତାହା ହେଉଛି “କୃତ୍ରିମ ବୁଦ୍ଧିମତ୍ତା” ବା “ଯନ୍ତ୍ର ବୁଦ୍ଧିମତ୍ତା” ବା ଇଂରାଜୀରେ “ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍‌୍‌” । 
      କୃତ୍ରିମ ବୁଦ୍ଧିମତ୍ତାର ଜନକ ଭାବେ ଇଂରେଜ ଗଣିତଜ୍ଞ, କମ୍ପ୍ୟୁଟର ବୈଜ୍ଞାନିକ ଓ ଦାର୍ଶନିକ ଆଲେନ୍ ଟ୍ୟୁରିଙ୍ଗ୍ ପରିଚିତ । ତାଙ୍କଦ୍ୱାରା ଲିଖିତ ସନ୍ଦର୍ଭ ଆଲାନ୍‌-ଟ୍ୟୁରିଙ୍ଗସ୍ ଥିଓରୀ ଅଫ୍ କମ୍ୟୁନିକେସନର ନିଷ୍କର୍ଷ ଅନୁଯାୟୀ ଯେ କୋଣସି ଡିଜିଟାଲ୍ କମ୍ପ୍ୟୁଟର ସାଧାରଣ ପ୍ରଶ୍ନୋତ୍ତର ମୂଳକ ପ୍ରକ୍ରିୟାକୁ ସହଜରେ କରିପାରେ ଯାହା ପରବର୍ତ୍ତୀ ସମୟରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗାତ୍ମକ ସଫଳତାକୁ ଆଗେଇ ନିଏ । ୧୯୪୩ ମସିହାରେ ବୈଜ୍ଞାନିକ ମ୍ୟାକୁଲୋ ଓ ପିଟ୍‌ସଙ୍କ ଦ୍ୱାରା ପ୍ରସ୍ତୁତ ବକ୍ସଗ୍ଧସଲସମସବକ୍ଷ ଦ୍ଭରଙ୍କକ୍ସକ୍ଟଦ୍ଭଗ୍ଦ ଡିଜାଇନ୍‌କୁ ବିଶ୍ୱର ପ୍ରଥମ କୃତ୍ରିମ ବୁଦ୍ଧିମତ୍ତା ବୋଲି ବିଚାର କରାଯାଏ । କମ୍ପ୍ୟୁଟର ବିଜ୍ଞାନରେ ପ୍ରଦତ୍ତ ସଂଜ୍ଞା ଅନୁଯାୟୀ ଯେ କୌଣସି ଯନ୍ତ୍ର ତାର ପରିବେଶକୁ ବୁଝି ଲକ୍ଷ୍ୟ ପୂରଣପାଇଁ ଆବଶ୍ୟକ ଓ ଉପଯୁକ୍ତ ପ୍ରତିକ୍ରୟା ପ୍ରକାଶ କରିବାର ସମ୍ଭାବନାକୁ ହିଁ କୃତ୍ରିମ ବୁଦ୍ଧିମତ୍ତା କୁହାଯାଏ । ସାଧାରଣ ଅର୍ଥରେ କହିବାକୁ ଗଲେ ଯେତେବେଳେ ମନୁଷ୍ୟ ଗୋଟିଏ ଯନ୍ତ୍ର ଏବଂ ଜଣେ ମାନବର କୌଣସି ନିର୍ଦ୍ଧିଷ୍ଟ ପ୍ରତିକ୍ରିୟାରେ କିଛିବି ଫରକ୍ ଅନୁଭବ କରିପାରେ ନାହିଁ ସେତେବେଳେ ସେହି ଯନ୍ତ୍ର ବା ଯନ୍ତ୍ରାଂଶଟିକୁ “କୃତ୍ରିମ ବୁଦ୍ଧିମତ୍ତା” ବା “ଯନ୍ତ୍ର ବୁଦ୍ଧିମତ୍ତା” ବୋଲି କୁହାଯାଇଥାଏ । 
     ବୈଜ୍ଞାନିକ କାପଲାନ୍ ଓ ହେନ୍‌ଲେନ୍‌ଙ୍କ ଅନୁସାରେ କୃତ୍ରିମ ବୁଦ୍ଧିମତ୍ତା ମୋଟ ତିନିଭାଗରେ ବିଭକ୍ତ । ଯଥା- 
୧. ଆନାଲିଟିକାଲ୍‌(ବିଶ୍ଲେଷଣାତ୍ମକ) କୃତ୍ରିମ ବୁଦ୍ଧିମତ୍ତା
୨. ହ୍ୟୁମାନ୍ ଇନସ୍ପାୟାର୍ଡ(ମନୁଷ୍ୟ ଅଭିପ୍ରେରିତ) କୃତ୍ରିମ ବୁଦ୍ଧିମତ୍ତା
୩. ହ୍ୟୁମାନାଇଜଡ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍‌(ମନୁଷ୍ୟତ୍ୱ ପ୍ରାପ୍ତ କୃତ୍ରିମ ବୁଦ୍ଧିମତ୍ତା)
      ଆନାଲିଟିକାଲ୍‌(ବିଶ୍ଲେଷଣାତ୍ମକ) କୃତ୍ରିମ ବୁଦ୍ଧିମତ୍ତା, କେବଳ ମନୁଷ୍ୟର ଜ୍ଞାନାତ୍ମକ ବୁଦ୍ଧିମତ୍ତା ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ ହ୍ୟୁମାନ୍ ଇନ୍‌ସ୍ପାୟାର୍ଡ କୃତ୍ରିମ ବୁଦ୍ଧିମତ୍ତା ମନୁଷ୍ୟର ବୌଦ୍ଧିକ ଓ ଆବେଗିକ ବୁଦ୍ଧିମତ୍ତ୍‌ା ଉପରେ ପର୍ଯ୍ୟବେସିତ । ଦ୍ୱିତୀୟତଃ ହ୍ୟୁମାନାଇଜଡ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବୌଦ୍ଧିକ, ଆବେଗିକ ଓ ସାମାଜିକ ବୁଦ୍ଧିମତ୍ତା ଉପରେ ପର୍ଯ୍ୟବେସିତ । ଏହି ବର୍ଗର ଯନ୍ତ୍ର ଅବା ଯନ୍ତ୍ରାଶଂ ନିଜକୁ ନିୟନ୍ତ୍ରଣ ଓ ଚିହ୍ନିପାରୁଥିବା ଭଳି କ୍ଷମତା ରଖେ । ସମୟକ୍ରମେ କୃତ୍ରିମ ବୁଦ୍ଧିମତ୍ତାର ଅନୁସନ୍ଧାନ ବିଭିନ୍ନ ଉପବିଭାଗ ଯଥା ରୋବୋଟିକସ୍ ଅବା ମସିନ ଲର୍ଣ୍ଣିଙ୍ଗ୍ ଏବଂ ଲଜିକ୍ ବା ଆର୍ଟିଫିସିଆଲ୍ ନିଉରାଲ୍ ନେଟଓା୍ୱର୍କସ୍‌ରେ ବିଭକ୍ତ ହୁଏ । ଅଧୁନା ଆଧୁନିକ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ସାଧାରଣରେ ଏତେ ବିବିଧତା ଭରା ଯେ ଏହା ଆଜି “କୃତ୍ରିମ ବୁଦ୍ଧିମତ୍ତା” ପରିବର୍ତ୍ତେ “କୃତ୍ରିମ ବୁଦ୍ଧିମତାର ପ୍ରଭାବ” ନାମରେ ଜଣାଶୁଣା । ଆଜି ସମାଜର ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ, କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ । ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଯୋଗାଯୋଗ, ଅର୍ଥ ଓ ଅର୍ଥନୀତି, ବ୍ୟବସାୟ, ସରକାରୀ କଳ, ଭିଡିଓ ଗେମ୍‌ସେ, ସାମରୀକ କ୍ଷେତ୍ର, ସମୀକ୍ଷା, ବିଜ୍ଞାପନ, କଳା ଇତ୍ୟାଦି ।
୧.ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ବହୁଳ । ଛାତ୍ର ଛାତ୍ରୀ ମାନଙ୍କର ଜ୍ଞାନାତ୍ମକ ଦକ୍ଷତାର ଆକଳନ, ସେମାନଙ୍କର ଲିଖିତ ଉତ୍ତରକୁ ବିଶ୍ଲେଷଣ କରି ଆବଶ୍ୟକ ପୁନର୍ବଳନର ପ୍ରକାର ଓ ଧାରା ନୀରୁପଣ କରିବା ସହିତ ସେମାନଙ୍କୁ ଉପଯୁକ୍ତ ଗ୍ରେଡ ପ୍ରଦାନ କରିବାରେ ଥାଏ । ଏଥି ସହିତ ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତାକୁ ଆଧାର କରି ସେମାନଙ୍କ ପାଇଁ ଆବଶ୍ୟକ ଉପଯୁକ୍ତ ପ୍ରଶିକ୍ଷଣର ମଧ୍ୟ ବିବରଣୀ ପ୍ରଦାନ କରିଥାଏ ।
୨.ସ୍ୱାସ୍ଥ୍ୟ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଖୁବ୍ ଆଶ୍ଚର୍ଯ୍ୟ ପୂର୍ଣ୍ଣ । ରୋଗୀଠାରୁ ଅନେକ ଦୂରରେ ଥାଇ ଇଣ୍ଟରନେଟ୍‌ର ସହାୟତାରେ ଡାକ୍ତର କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍ଣ୍ଣ ଯାନ୍ତ୍ରିକ ଉପକରଣ ଦ୍ୱାରା ରୋଗୀର ସଫଳ ଅସ୍ତ୍ରୋପଚାର ମାନବ ସଭ୍ୟତାକୁ “କୃତ୍ରିମ ବୁଦ୍ଧିମତ୍ତା”ର ଏକ ଶ୍ରେଷ୍ଠ ଉପହାର । ତତ୍ ସହିତ ରୋଗୀର ରୋଗ ନୀରୂପଣ ପାଇଁ ବ୍ୟବହୃତ କୃତ୍ରିମ ବୁଦ୍ଧିମତ୍ତା ଯନ୍ତ୍ରାଂଶ ଆଜି ଖୁବ୍ ଉପଯୋଗୀ । ରୋଗୀର ଇତିହାସ ଓ ରୋଗର ଲକ୍ଷଣ ବିଚାରକୁ ନେଇ ରୋଗୀକୁ କେଉଁ ଔଷଧ କେତେ ପରିମାଣର ଦେବା ଆବଶ୍ୟକ ଏହା କୃତ୍ରିମ ବୁଦ୍ଧିମତ୍ତା ସହଜରେ ସୂଚେଇଥାଏ ।
୩.ଗମନାଗମନ, ପରିବହନ ଓ ଯୋଗାଯୋଗ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଆଜି ଏକ ବିପ୍ଲବ ଆଣିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଗମନାଗମନ କ୍ଷେତ୍ରରେ ସ୍ୱୟଂଚାଳିତ କାର୍‌, ପରିବହନ କ୍ଷେତ୍ରରେ ଡ୍ରୋନ୍ ଓ ଯୋଗାଯୋଗ କ୍ଷେତ୍ରରେ ସ୍ମାର୍ଟ ମୋବାଇଲ୍ ଆଜି ସର୍ବାଗ୍ରେ । ମୋବାଇଲ୍ ଆଜି ମନୁଷ୍ୟର ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ଏକ ପ୍ରାଥମିକ ଆବଶ୍ୟକତାରେ ପରିଣତ ହୋଇଗଲାଣି । କୃତ୍ରିମ ବୁଦ୍ଧିମତା ଭରା ଗୁଗୁଲ ସର୍ଚ୍ଚ ଇଞ୍ଜିନ୍‌, ବ୍ୟବହାରକାରୀର ମୁହଁ ଚିହ୍ନିପାରିବା, କଥାକୁ ଶୁଣି ଲେଖିପାରିବା ଓ ସେହି ମତେ ତୁରନ୍ତ କାର୍ଯ୍ୟକରିବା, ଲେଖାଥିବା ବାକ୍ୟକୁ କହି ଶୁଣାଇପାରିବା ଆଦି ସ୍ମାର୍ଟ ମୋବାଇଲ୍‌ର ଅନ୍ୟତମ ସୁନ୍ଦର ଓ ଆଶ୍ଚର୍ଯ୍ୟାନ୍ୱିତ ବୈଶିଷ୍ଟ୍ୟ ।

୪.କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗରେ ଦେଶର ଆର୍ଥୀକ ସ୍ଥିତି ଆକଳନ କରିବା ସହିତ ଦେଶ ପାଇଁ ଅନୁକୂଳ ଅର୍ଥନୀତିର ରୂପରେଖ ମଧ୍ୟ ପ୍ରସ୍ତୁତ କରାଯାଇ ପାରେ । ବ୍ୟବସାୟ କ୍ଷେତ୍ରରେ ଉତ୍ପାଦନ, ବିତରଣ ଅବା କିଣାବିକାରେ ସମନ୍ୱୟ ରକ୍ଷାପାଇଁ ପ୍ରତିମୂହୁର୍ତ୍ତରେ ସତର୍କ କରେଇବାରେ ଏହା ଅତ୍ୟନ୍ତ ପ୍ରଭାବୀ । ଅନଲାଇନ୍ ଆସିଷ୍ଟାଣ୍ଟ ଭାବରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଆଜି ସେ ସରକାରୀ ସ୍ତରରେ ହେଉ ଅବା ବଡ ବଡ ଶିଳ୍ପାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ ଅବା ଶିକ୍ଷାନୁଷ୍ଠାନ ସବୁଥିରେ ଏକ ସାଧାରଣ ଘଟଣା ।
୫.ସାମରୀକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ପ୍ରତ୍ୟେକ ଦେଶର ସାମରୀକ ବ୍ୟବସ୍ଥାକୁ ଏକ ନୂଆ ଦିଗ ଓ ରୂପ ପ୍ରଦାନ କରିବାରେ ଲାଗିଛି । ସେ ମାନବ ବିହୀନ ଯୁଦ୍ଧ ଯାନ ଅବା ଜାହାଜ ହେଉ, କ୍ଷେପଣାସ୍ତ୍ର ବିଧ୍ୱସିଂ ଯାନ ଅବା ଲକ୍ଷରେ ପହଞ୍ôଚ ପ୍ରତ୍ୟାବର୍ତ୍ତନ କରିପାରୁଥିବା ବ୍ୟେମଯାନ, ଡ୍ରୋନ୍ ଅବା ସୈନିକ ଭଳି ରୋବଟ ମାନଙ୍କର ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତି ଆଜି ସବୁକିଛି ସେହି କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗରେ ହିଁ ସମ୍ଭବ ହୋଇ ଚାଲିଛି ।
୬.ଆଜିର ବିଜ୍ଞାପନ ମାନଙ୍କରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଖୁବ୍ ଆଗରେ । ବ୍ୟବହାରକାରୀର ମନଜାଣି ଉପଯୁକ୍ତ ଉତ୍ପାଦ ଓ ଆମୋଦ ପ୍ରଦାୟୀ ଭିଡିଓ ହେଉ ଅବା ଚିତ୍ର ସବୁକିଛି ଆପେ ଆପେ ଦେଖେଣାହାରୀର ଦୃଶ୍ୟପଟକୁ ମୋବାଇଲ୍ ସ୍କ୍ରିନ୍‌ରେ ଆସିଯାଇ ସେମାନଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରି ଦେଖେଣାହାରିର ମନକୁ ସେହି ଉତ୍ପାଦ ପ୍ରତି ଆକର୍ଷିତ କରିପାରୁଛି ।
୭.ପିଲାମାନଙ୍କ ପାଖରେ ଭିଡିଓ ଗେମ୍ସ୍‌ର ଆଦୃତି ଖୁବ୍ ଅଧିକ । ମାତ୍ର ପ୍ରତିଟି ଭିଡିଓ ଗେମ୍ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଉପରେ ହିଁ ପର୍ଯ୍ୟବେସିତ ।
୮.କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗରେ ସୃଷ୍ଟ ରୋବଟ ମନୁଷ୍ୟ ସମାଜକୁ ବିଜ୍ଞାନର ଏକ ସର୍ବୋକୃଷ୍ଟ ଦାନ । ମନୁଷ୍ୟ ଭଳି ଅବିକଳ ଆଚରଣ କରିପାରୁଥିବା ଏହି ଯନ୍ତ୍ରମାନବ ମନୁଷ୍ୟ ପକ୍ଷେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରୁଛି । ମନୁଷ୍ୟ ଭଳି କୌଣସି କାମରେ ଥକି ପଡିବାର ନାହିଁ । ଆଜି ଚିନ୍ ଭଳି ଦେଶରେ ରୋବଟ ଅବିରତ ଭାବରେ ବର୍ଷ ବର୍ଷ ଧରି ଟିଭି ପରଦାରେ ଦେଶ ବିଦେଶର ସମାଚାର ପଢିଚାଲିଛି । 
      କେବଳ ଏତିକି ନୁହେଁ ଆଜି ପ୍ରାୟ ସମସ୍ତ ବୈଜ୍ଞାନିକ ଯନ୍ତ୍ରପାତିରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଏକ ସାଧାରଣ କଥା । ପରିଶେଷରେ ଏତିକି କୁହାଯାଇପାରେ ନିଜକୁ ସବୁଠାରୁ ଚତୁର ମନେ କରୁଥିବା ମନୁଷ୍ୟ ନିଜ ସୃଷ୍ଟ କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍ଣ୍ଣ ଯନ୍ତ୍ର ମାନବର ବୁଦ୍ଧି ଆଗରେ ଭବିଷ୍ୟତରେ ଦିନେ ପଛରେ ପଡିଯିବନିତ?-ଏହା ଏବେବି ସନ୍ଦିହାନ୍ ।

*******

Odia Story ପ୍ରେମ

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ପ୍ରେମ

    ପୁଅର ଏଭଳି ଗୁଣରେ ଶନିଆ ଆଦୌ ବିଚଳିତ ନୁହେଁ । ଭଗବାନ ମୋ କପାଳରେ ଏଭଳି ପୁଅଟିଏ ଦେଇଛନ୍ତି ବୋଲି ସେ ମନେ ମନେ ଗର୍ବକରେ । ଭଉଣୀ ହିସାବରେ ବିନୀ ମନେମନେ ତାକୁ ଟିକେ ବିରକ୍ତ ହୋଇ ବେଳେବେଳେ କହେ ଆରେ ଟିକେ ମନ ଦେଇ ପଢୁନୁ । ନ ହେଲେ ବଡ ହେଲେ ବାପାଙ୍କ ଭଳି କଣ ମୂଲ ଲାଗିବୁ ନା ଏମିତି ରାଜମିସ୍ତ୍ରୀ ହୋଇ କାମ କରିବୁ । କିଛି ନ କହି ଶାନ୍ତ ସରଳ ଭାବରେ ବୀରେନ୍ ସେଠୁ ପଳାଏ । ବିନୀ ବର୍ତ୍ତମାନ ସବୁଥିରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଆଜି ବିଜ୍ଞାନରେ ଭୂବନେଶ୍ୱରରେ ସ୍ନାତ୍ତକତ୍ତୋର କରୁଛି । ହେଲେ ବୀରେନ୍  ଦଶମରେ ଫେଲ୍ ହେଲା ପରେ ଆଉ ପାଠର ନା ଗନ୍ଧ ଧରୁନି । ବିନୀ  ବାଡେଇଲେ ବା କଣ ହେବ । ବୀରେନ୍‌କୁ ପାଠପଢା ଜମା ଆରାଏନି । 
   ସେ ସେବର୍ଷ ନବମ ଶ୍ରେଣୀରେ ପଢୁଥାଏ । ନବମ ଶ୍ରେଣୀରେ ଅନ୍ୟ ଏକ ବିଦ୍ୟାଳୟରୁ ଶେଫାଳି ନାମକ ଝିଅଟିଏ ଆସି ତାଙ୍କ ବିଦ୍ୟାଳୟରେ ନାମ ଲେଖାଏ । ଶେଫାଳି ଦେଖିବାକୁ ସୁନ୍ଦର । ଭଲ ପାଠ ମଧ୍ୟ ପଢେ । ହେଲେ ଧୀରେଧୀରେ ବୀରେନ୍ ଜାଣିବାକୁ ପାଏ ଶେଫାଳି ହେଉଛି ଗୋଟିଏ ଗରୀବ ଘରର ଝିଅଟିଏ । ତା ବାପା ରୋଗରେ ଶଯ୍ୟାଶାୟୀ ଓ ମା ପରଦୁଆରେ କାମ କରି ପାଠପଢାଇ ତାକୁ ଏଡେଟେ କଲାଣି । ବୀରେନ୍ ବି ବୁଝିପାରେନି ତାକୁ ଶେଫାଳି କାହିଁକି ବହୁତ ଭଲ ଲାଗେ । ଭଲଲାଗେର ଅର୍ଥ ଏଇଆ ଯେ ସବୁବେଳେ ମନେମନେ ଭାବୁଥାଏ ଏ ଶେଫାଳିକୁ ମୁଁ କିପରି ସାହାଯ୍ୟ କରିବି । ହେଲେ ପୁଅଝିଅ ମଧ୍ୟରେ କିଶୋର ବୟସର ସେ ଯେଉଁ ଇଚ୍ଛା ତା ପାଖରେ ଆଦ୍ୟୈ ନଥାଏ । କିନ୍ତୁ ସବୁସତ୍ତ୍ୱେ ସେ ଶେଫାଳିର ଚାଲିଚଳନ ପ୍ରତି ବହୁତ ଆକୃଷ୍ଟ । ଯଦି କୋଉଦିନ ଶେଫାଳି ତା ଠାରୁ ପେନ୍ କିମ୍ବା ବହିଟିଏ ମାଗିକରି ନିଏ ବିରେନ୍‌କୁ ବହୁତ ଖୁସିଲାଗେ । ସମୟ କ୍ରମେ ଦୁଇବର୍ଷ କଟିଯାଏ । ଦଶମ ପରୀକ୍ଷା ପୂର୍ବରୁ ଶେଫାଳି ନିଜ ପୁରୁଣା ବିଦ୍ୟାଳୟକୁ ପୁଣି ଫେରିଯାଏ । ବୁଝିଲାବେଳକୁ ଶେଫାଳିର ଘର ବୀରେନ୍‌ର ମାମୁଁ ଘର ଗାଁରେ । ତେଣୁ ବୀରେନ୍ ର ବୋଉ ମଧ୍ୟ ତାକୁ ଭଲଭାବରେ ଜାଣେ । ସମୟ ଧୀରେଧୀରେ କର ଲେଉଟାଏ । ବୀରେନ୍ ଶେଫାଳିର ଅନୁପସ୍ଥିକୁ ଅନୁଭବ କରେ । କେବେ କେମିତି ବୋଉ ସହିତ ମାମୁ ଘରକୁ ଗଲେ ଶେଫାଳି ସହିତ ତାର ଦେଖା ହୋଇଯାଏ ।
         ସେଦିନ ରବିବାର । ଘରେ ସମସ୍ତେ ଥାନ୍ତି । ସନ୍ଧ୍ୟା ସମୟରେ ସେଦିନ ଶନିଆ କହିଛି ଆରେ ବୀରୁ ଚାଲେ ଆଜି ଟିକେ ମନ୍ଦିର ଯିବା । ମନ୍ଦିରରେ ଟିକେ ଭାଗବତ ଶୁଣିବା ଓ ଫେରିଆସିବା । ବୀରୁ ସଙ୍ଗେସଙ୍ଗେ ଉତ୍ତର ଦେଇଛି ଚାଲୁନ ଚାଲ । ଦୁହେଁ ମନ୍ଦିରରେ ବସି ଭାଗବତ ଶୁଣିଛନ୍ତି । ଭାଗବତର ଶେଷ ସମୟରେ ଯେତେବେଳେ ପୂଜକ ବସ୍ତାନିକୁ ବନ୍ଦ କରିଛନ୍ତି କହିଛନ୍ତି ଆନନ୍ଦେ ଏକବାର ହରିବୋଲ । ସମସ୍ତେ ତାଙ୍କ ସହିତ ହରିବୋଲ ଦିଅନ୍ତି । ଶନିଆ ମଧ୍ୟ ଦିଏ । ହେଲେ ଶେଷରେ ପୂଜକ କୁହନ୍ତି ସମସ୍ତେ ସେହି ରାଧାକୃଷ୍ଣଙ୍କ ‘ପ୍ରେମ’ରେ ବୁଡିଯାଅ । ଏ ସଂସାରରୁ ମୁକ୍ତି ମିଳିଯିବ । ହଠାତ୍ ବୀରେନ୍ କିଛି ବୁଝି ପାରିନି । ରାଧକୃଷ୍ଣ ପ୍ରେମରେ ବୁଡିଯାଅ ।ଏ ‘ପ୍ରେମ’ କଣ? ସେ ମନେମନେ ପଚାରି ବସେ । ଅଥୟ ମନରେ ମନ୍ଦିରରୁ ଫେରିବା ବାଟରେ ବାପାଙ୍କୁ ପଚାରିଛି ବାପା ଏ ପ୍ରେମ କଣ? ଶନିଆ ତା ପ୍ରଶ୍ନରେ ଆଚମ୍ବିତ ହୋଇ ଯାଇଛି । ବିଶ୍ୱକର୍ମାଙ୍କ ଆଶୀର୍ବାଦରୁ ସେ ସିନା ଘର ନିର୍ମାଣରେ ଦକ୍ଷ ହେଲେ ମା ସରସ୍ୱତୀଙ୍କର ଆଶୀର୍ବାଦ ତ ତା ଉପରେ ନାହିଁ । ସେ ପ୍ରେମର ଅର୍ଥ କଣ କିହିବ କିଛି ବୁଝି ପାରିଲାନି । ବାସ୍ କହିଲା ପ୍ରେମ ଅର୍ଥ ହେଉଛି “ଭଲପାଇବା” । ଭଲ ପାଇବା ମାନେ ମୁଁ ଫୁଲକୁ ଭଲପାଏ ଅର୍ଥ ମୁଁ ଫୁଲକୁ ପ୍ରେମ କରେ ନା କଣ? ମୁଁ ନଈରେ ପହଁରିବାକୁ ଭଲପାଏ ଅର୍ଥ ମୁଁ ପହଁରିବାକୁ ପ୍ରେମକରେ? ଶନିଆ ଉତ୍ତର ଦେବାରେ ନିଜକୁ ଅସହାୟ ମନେ କରେ । କହିଛି ତୁ ବୋଉକୁ ପଚାରିବୁ ଯେ ସେ ତୋତେ ଭଲ ଭାବରେ ବୁଝାଇ ଦେବ । ବିରେନ୍ ମନ ଅଥୟ । ତାର ବଦ୍ ଗୁଣ ହେଲା ପାଠସିନା ଆସେନି କିମ୍ବା ପଢିବାରେ ଆଗ୍ରହ ନାହିଁ ହେଲେ ଯେଉଁ କଥା ଥରେ ମୁଣ୍ଡରେ ପସିଗଲା ସେ କଥାର ସମାଧାନ ନହେଲା ପର୍ଯ୍ୟନ୍ତ ସେ ବ୍ୟସ୍ତ ହେଉଥିବ । ଦୁଇଜଣଯାକ ଘରେ ପହଞ୍ôଚଲା ବେଳକୁ ରାତି ୧୦ଟା । ବୋଉ ସେମାନଙ୍କୁ ପଖାଳଭାତ ସାଙ୍ଗକୁ ଭଜା ଓ ବଡିଚୁରା ଖାଇବାକୁ ଦିଏ । ସେ ଦିନ ବିନୀକୁ ତାପର ଦିନ ସକାଳ ୫ଟାରୁ ଭୂବନେଶ୍ୱର ଯିବାକୁ ଥିବାରୁ ସେ ଜଲ୍‌ଦି ଖାଇ ଶୋଇ ପଡିଥାଏ । ଖାଉଥିବା ସମୟରେ ବୀରେନ୍ ହଠାତ୍ ପଚାରେ ଆଚ୍ଛା ବୋଉ ଏ “ପ୍ରେମ” କଣ? ବୁଲି ଏକଥା ଶୁଣିଲା ପରେ ମନ ଭିତରେ ଟିକେ ଚହଲି ଯାଏ । ଏଭଳିଆ ପ୍ରଶ୍ନ । ପୁଣି ହଠାତ୍ । ଶନିଆ କହି ଉଠେ ତୁ ତାକୁ ଟିକେ ବୁଝେଇ ଦେବୁ ଏ ‘ପ୍ରେମ’ ଅର୍ଥ କଣ? ମନ୍ଦିରରୁ ଆସିଲା ବାଟରେ ଏ ପ୍ରେମ କଣ ଜାଣିବା ପାଇଁ ସେ ମୋ ମୁଣ୍ଡ ଖାଇସାରିଲାଣି । ବୁଲି ଆହୁରି ଚକିତ ହୋଇଗଲା । କଣ ବୁଝେଇବ । କେମିତି ବୁଝେଇବ । ଇଏ ଯେତେବେଳେ ଏଭଳି ପ୍ରଶ୍ନ ମୋତେ ପଚାରିଛି ମୁଁ ୟାର ଉତ୍ତର ନଦେବା ପର୍ଯ୍ୟନ୍ତ ଇଏ ମୋତେ ବସେଇ ଉଠେଇ ଦେବନି ।  କହିଛି ଆରେ ବୀରୁ ‘ପ୍ରେମ’ ଅର୍ଥ ଭଲପାଇବା । ଧେତ୍ ତୁ ବି ସେଇୟା କହିଲୁ । ବାପା ତ ମୋତେ ଏଇ କଥା କହୁଥିଲେ । ଏ ଉତ୍ତର ଠିକ୍ ନୁହେଁ । ଆଉ କଣ ଯଦି ଜାଣିଛୁ କହ । ହଉ ତୁ ଆଗ ଆରାମରେ ଖାଇସାରେ । ଶୋଇଲା ବେଳେ ମୁଁ ତୋତେ କହିବି । ସେଦିନ ବିନୀ, ଘରେ ଥିବାରୁ ଶନିଆ ଯାଇ ଦାଣ୍ଡଘରେ ଶୁଏ । ବିନୀ, ବୀରେନ୍ ଆଉ ବୁଲି ଶୋଇବା ଘରେ ଶୁଅନ୍ତି । ଶୋଇବା ସମୟରେ ବୀରେନ୍ ପୁଣି ପଚାରିବା ଆରମ୍ଭ କରେ । ବୋଉ ତୁ କହୁନୁ ‘ପ୍ରେମ’ ଅର୍ଥ କଣ? ଆଚ୍ଛା ତୁ ମୋତେ ଆଗ କହିଲୁ ଏ ‘ପ୍ରେମ’ ଶଦ୍ଦଟି ତୋ ମୁଣ୍ଡରେ ପଶିଲା କେମିତି । ନାଇଁ ବୋଉ ଆଜି ମନ୍ଦିରରେ ଭାଗବତ ପଢାଶେଷ ହେବା ସମୟରେ ପୁଝାରୀ ମହାଶୟ ହରିବୋଲ ଦେଇସାରି କହିଲେ ଚାଲ ଆମେ ସମସ୍ତେ ରାଧାକୃଷ୍ଣ ପ୍ରେମରେ ବୁଡିଯିବା । ସେଇଠୁ ମୋ ମୁଣ୍ଡରେ ଏ ‘ପ୍ରେମ’ ଶଦ୍ଦଟି ଉଙ୍କି ମାରୁଛି । ବୁଲି କହିଲା ରାଧା କୃଷ୍ଣକୁ ଭଲ ପାଉଥିଲେ ଏବଂ କୃଷ୍ଣ ରାଧାକୁ ଭଲପାଉଥିଲେ । ତେଣୁ ସେମାନଙ୍କର ସେ ଭଲ ପାଇବାକୁ ରାଧାକୃଷ୍ଣ ପ୍ରେମ ମାନେ ଭଲ ପାଇବା । ସେ ଭଲ ପାଇବାର ଅର୍ଥ କଣ?  ଭଲ ପାଆନ୍ତି କେମିତି? ଜଣକୁ ଭଲ ପାଇବାକୁ ହେଲେ କଣସବୁ କରିବାକୁ ପଡିଥାଏ । ଆଉ କିଏ ସବୁ କାହାକୁ ଭଲପାଆନ୍ତି କହୁନୁ । ବୁଲି କହିଛି ଭାଇ ଭଉଣୀକୁ, ଭାଇ ଭାଇକି, ମା ପୁଅକୁ,ସ୍ୱାମୀ ସ୍ତ୍ରୀକୁ, ଆଉ ଦେଖୁନୁ ମୁଁ ବା ତୋତେ ଭଲପାଏ । ଆଚ୍ଛା ତାହେଲେ ବୋଉ ତୁ କଣ ମୋତେ ପ୍ରେମ କରୁ? ମୁଁ ତ କାଇଁ ଜାଣିପାରୁନି ତୁ ମୋତେ ପ୍ରେମ କରୁ ବୋଲି । ଏ ପ୍ରେମକୁ ତ ମୁଁ କାଇଁ ଦେଖିପାରୁନି । ତା ରୂପରଙ୍ଗ କେମିତିକା । ଦେଖିବାକୁ ଧଳା ନା କଳା ନା ରଙ୍ଗୀନ ତାହା ବି ଜାଣିପାରୁନି? ଅପାଠୋଇ ବୁଲି ପାଖରେ ଏଭଳି ପ୍ରଶ୍ନର ଉତ୍ତର ଦେବା ଆଦୈା ସହଜ ନଥିଲା । ମନ ମଧ୍ୟରେ ପରାଜିତ ବୋଧ କରି କହିଲା ବୀରୁରେ ରେ ମୁଁ ତୋତେ ୟାର ଉତ୍ତର ଆଉ ଅଧିକ କିଛି ଦେଇପାରିବିନି । ତୁ ଅପାକୁ ପଚାରିବୁ । ଏଇନେ ତୁ ଶୋଇଯା ।
ବୀରେନ୍ ଭଳି ଜଣେ ଅର୍ଦ୍ଧଶିଖିତ ଓ ନିର୍ବୋଧ କିଶୋର ପାଖରେ ନିଜ ମନରେ ଗଣ୍ଠି ପଡିଥିବା ପ୍ରଶ୍ନର ଉତ୍ତର ନପାଇ ସେମିତି ଶୋଇଯିବାଟା ଏତେ ସହଜ ନଥିଲା । ପ୍ରେମର ସଂଜ୍ଞା କଣ ନିଜେ ବୋଉ ପାଖରେ ଶୋଇ ଖୋଜୁଖୋଜୁ ନିଦ୍ରାଦେବୀ ତାକୁ ତାଙ୍କ କୋଳକୁ ନେଇଯାଇଥିଲେ ।
    ବିନୀରାତି ୪ଟାରୁ ଉଠି ବିଶ୍ୱବିଦ୍ୟାଳୟର ହଷ୍ଟେଲ୍‌ରେ ରହିବାକୁ ପଳେଇଲାଣି । ସେ ପୁଣି ଆସନ୍ତା ଶନିବାର କୁ ଆସିବ । ବିରେନ୍ ଉଠିଲା ବେଳକୁ ବିନୀ ନାହିଁ । ବିରେନ୍ ମନ ଦୁଃଖ ହୋଇଗଲା କାହାକୁ ପଚାରି ବୁଝିବ ଏ ପ୍ରେମ କଣ ? ସବୁଦିନ ଭଳି ଘରେ ଗଣ୍ଡେ ଖାଇଦେଇ ବାପା ଯେମିତି ନିଜ କାମରେ ବାହାରିଗଲେ ଇଏ ଚାଲିଲା ନଦୀ କୂଳକୁ ନଦୀ ପଠାରେ ଥିବା ଆମ୍ବ ଗଛ ତଳେ ଏକ ଭାରାକ୍ରାନ୍ତ ମନରେ ନତ୍ କିନା ବସି ପଡିଲା । ନଦୀ ପାଣିର ଶୁଅକୁ ଏକ ଶାନ୍ତମନରେ ନିରିକ୍ଷଣ କରିବାକୁ ଲାଗିଲା ଓ ନଦୀର କୁଳୁ କୁଳୁ ଶଦ୍ଦ ରେ ନିଜକୁ ହଜେଇ ଦେଲା । ହଠାତ୍ କିଛି ସମୟପରେ ଶଦ୍ଦ ଆସିଲା ଆରେ ବିରେନ୍ ଏଠି ବସି କଣ କରୁଛୁ ବାବା, ବିରେନ୍ ଦେଖିଲା ବେଳକୁ ମନ୍ଦିରର ପୂଜକ ତା ଆଗରେ ଦଣ୍ଡାୟମାନ, ନମ୍ର ଭାବରେ ବୀରେନ୍ ପୂଜକକୁ ପ୍ରଣାମ କରି କହିଲା ଏମିତି ଟିକେ ବସି ପଡିଛି । ପାଠପଢାପଢି କରୁନୁ । ଏମିତି ବସିଲେ କଣ । ତୋ ଭଳି ଶାନ୍ତ ସିଷ୍ଟ ସରଳ ପୁଅଟିଏ ପାଇ ଶନିଆ ଭାରି ଖୁସି । ଦଶମ ଫେଲ ହୋଇଗଲୁ ବୋଲି ଆଉ ଥରେ କଣ ପଢାପଢି କରି ପରୀକ୍ଷା ଦେଲେ ହୁଅନ୍ତା ନାହିଁ । ନାହିଁ ମାହାପୁର । ଦେଖିଲେ କେତେକେତେ ପିଲା କଲେଜ ପାଠସାରି ସେମିତି ବାଳୁଙ୍ଗା ବାତରା ହୋଇ ବୁଲୁଛନ୍ତି । ମୁଁ ହେଲେ ଭଲ ପଢୁଥାନ୍ତି କି । ମୋର କାହିଁ ଜମା ସେ ପାଠପ୍ରତି ଆଗ୍ରହ ହେଉନି । ହେଲେ ମୁଁ ଅନ୍ୟ ପିଲାଙ୍କ ଭଳି ବାତରା ଛତରା ହେବନି । ମୁଁ ନିଶ୍ଚୟ କୈାଣସି କାମ କରି ମୋ ବାପାଙ୍କୁ ଖୁସି ରଖିବି । ସତରେ ବୀରେନ୍ ତୋ କଥା ଶୁଣିଲେ ତୋତେ କେହି କିଛି କହିପାରିବେ ନାହିଁ । ହଉ ଆସୁନୁ ଗାଁ ଆଡେ ଯିବୁ । ନାହିଁ ମାହାପୁର ମୁଁ ପରେ ଯିବି । ହେଲେ ମାହାପୁର ଆପଣ ମୋତେ ଟିକେ ଗୋଟେ କଥାର ଅର୍ଥ ବୁଝେଇ ଦିଅନ୍ତେନି । ମାହାପୁର କହିଲେ ପଚାରୁନୁ । ବୀରେନ୍ କହିଲା ମାହାପୁର କାଲିରାତିରେ ଆପଣ ମନ୍ଦିରରେ ଭାଗବତ ଶେଷ କଲାବେଳେ କହିଥିଲେ ଚାଲ ଆମେ ସମସ୍ତେ ସେ ରାଧାକୃଷ୍ଣଙ୍କ ପ୍ରେମରେ ବୁଡିଯିବା ଏ “ପ୍ରେମ କଣ” ? ତାହା କେମିତିକା ମୁଁ ବୁଝିପାରୁନି । ଏଭଳି ପ୍ରଶ୍ନ ଶୁଣି ମାହାପୁରୁଷଙ୍କର ମତି ଚହଲିଗଲା ସେ ଯେତେବେଳେ ପ୍ରତିଦିନ ହରିବୋଲ ଦିଅନ୍ତି କୁହନ୍ତି ପ୍ରେମ କହେ ଶ୍ରୀରାଧେ ଶ୍ରୀକୃଷ୍ଣ ବୋଲୋ ନିତାଇ,ଶ୍ରୀ ଚୈତନ୍ୟ ସୀତାନାଥ ଅଦୈତ୍ୟ ବୋଲ ଆନନ୍ଦେ ଏକ ବାର ହରିବୋଲ । ହେଲେ ଏ ପ୍ରେମର ଅର୍ଥ ତାକୁ କଣ ବୁଝେଇବେ । ତଥାପି ମାହାପୁର କହିଲେ ଆରେ ବୀରେନ୍ ତୁତ ବଡ ଗହିରିଆ ପ୍ରଶ୍ନ ପଚାରୁଛୁରେ । ହଉ ଶୁଣୁ । ମଣିଷ ଯେତେବେଳେ କୈାଣସି କାମକୁ ମନରେ ଆଶକ୍ତିନଥାଇ ନିଷ୍କପଟ ନିରଳସ ଓ ନିଜ ମନ ହୃଦୟ ଦେଇ ଯାହାକୁ ଭଲପାଏ , ଯେଉଁ କର୍ମକୁ ଭଲପାଏ ତାକୁ ପ୍ରେମ କହନ୍ତି ,ପୁଣି ସେଇ ଭଲପାଇବା , ଏ ଭଲପାଇବା କେମିତିକା ମୁଁ କାହିଁ ଜାଣି ପାରୁନି । ଆପଣ କାଲି କହୁଥିଲେ ରାଧକୃଷ୍ଣ ପ୍ରେମ,କୁଆଡେ ଅନନ୍ତ ପ୍ରେମ । ରାଧକୃଷ୍ଣଙ୍କୁ କେମିତି ପ୍ରେମ କରୁଥିଲେ ଆଉ କୃଷ୍ଣ ରାଧାଙ୍କୁ କେମିତି ଭଲପାଉଥିଲେ ମୁଁ କାହିଁ ଜମା ବୁଝି ପାରୁନି । ମାହାପୁର ଆହୁରି ମନ ଭିତରେ ବିବ୍ରତ ହୋଇ ଉଠିଲେ । ଏ ବୀରେନ୍ ମୁଣ୍ଡରୁ ଏ ପ୍ରେମର ଅର୍ଥ ବୋଝଟା ଏତେ ସହଜରେ ଓହ୍ଲେଇ ହବନି । ଶେଷରେ ନୀରସ୍ତ୍ର ସୈନୀକ ପରି ମାହାପୁର ସେଠାରୁ ଯିବାକୁ ବାହାରନ୍ତେ କହିଲେ ବୀରେନ୍ ତୁ ସିନା ଦଶମଶ୍ରେଣୀ ଫେଲ ହେଲେ ତୋର ଚିନ୍ତା ଶକ୍ତି କିଛି କମନୁହେଁ । ତୁ ଆଦ୍ୟୈ ବ୍ୟସ୍ତ ହୁଅନି । ଏ ସମୟ ହେଉଛି ସବୁଠାରୁ ବଳବାନ । ସେହି ସମୟ ହିଁ ତୋତେ ପ୍ରେମ ଶଦ୍ଦର ଅର୍ଥ ଆପେ ଆପେ ବୁଝେଇ ଦେବ । ବୀରେନ୍‌ର ମନ ଆହୁରି ଭାରାକ୍ରନ୍ତ ହୋଇଗଲା । ସମୟ ତାକୁ ପ୍ରେମର ଅର୍ଥ କହିବ । ଏ କି କଥା । ହଉ ମାହାପୁର ତ ଦେବ ସମାନ ଲୋକ । କହିଦେଲେ କହିଦେଲେ । ନଦୀପଠାରୁ ଉଠି ଘରକୁ ଆସି ଘରୁ କୋଦାଳଟି ନେଇ ଚାଲିଲା ତାଙ୍କର ଚାଷ ଜମି ଆଡେ । ବୋଉ ପଚାରିଲା କିରେ କୁଆଡେ । ନାହିଁ ବୋଉ ଟିକେ ବିଲ ଦେଖି ଆସିବି । ବୁଲି ବି ବେଳେବେଳେ ପୁଅର ଏମିତିକା ବଡଲୋକଙ୍କ ଭଳି ଆଚରଣ ଦେଖି ମନେ ମନେ ଭାରି ଖୁସି ହୋଇଯାଏ । ଭଗବାନ ମୋତେ ସିନା ନଈ କୂଳରୁ ଏ ପୁଅଟି ଦେଇଛନ୍ତି ହେଲେ ଏ ମୋ ନିଜ ଗର୍ଭର ସନ୍ତାନଠୁ ବି ଆହୁରି ବଳିକି ।
     ବିଲ ଆଡୁ ଠିକ୍ ଦ୍ୱିପ୍ରହରେ ଫେରିଆସି ଖାଇଦେଇ ଘରେ ଏପଟ ସେପଟ ହୁଏ । ଗାଁ ରେ କାହାର କଣ ଅସୁବିଧା ହେଲେ ସାହାଯ୍ୟ ପାଇଁ ବୀରେନ୍ ଗୋଡ କାଢିକି ବସିଥାଏ । ହେଲେ ମନ ଭିତରେ ସେ ପ୍ରେମ ଶଦ୍ଦଟିର ଅର୍ଥ ତାକୁ ସେମିତି ଜାକି ଜୁକି ହୋଇ ବସିଥାଏ । ସବୁଠାରୁ ବିଚିତ୍ର କଥା ହେଲା ଦଶମରେ ଫେଲ ହୋଇ ବୟସ ଆସି ୧୭ ହେଲାଣି ହେଲେ ତାର କାହିଁ ଏ କାମ ବାସନା ପ୍ରତି ଆଗ୍ରହ ଆଦ୍ୟୈ ନଥାଏ । କୈାଣସି ଝିଅକୁ ଦେଖିଲେ ତାର ସେ ଯେଉଁ ବୟସର ଆକର୍ଷଣ ସତେ ଯେମିତି ତା ପାଖରେ ନାହିଁ । ତା ସମାନାରେ ସମସ୍ତେ ମଣିଷ ଆଉ ସମାନ । ଏକଥା ଦେଖି ବୁଲି ବି ବେଳେ ବେଳେ ଆଶ୍ଚର୍ଯ୍ୟ ହୁଏ ଆଉ ଭାବେ ମୋ ପୁଅକୁ ଝିଅ ଦେବ କିଏସେ କେଜାଣି । ବୀରେନ୍ ମନେ ମନେ ଭାବେ ତା ଅପା ତ ବହୁତ ପାଠ ପଢିଲାଣି । ଆଉ ଅନେକ ଥର ସୁନାପଦକ ବି ଜିତିଲାଣି ସେ ତ ନିଶ୍ଚୟ ଚାକିରୀ କରିବ ଏଥିରେ ସନ୍ଦେହ ନାହିଁ । ବୋଧହୁଏ ଏ ପ୍ରେମ ଶଦ୍ଦର ଅର୍ଥ ତା ଅପାକୁ ନିଶ୍ଚିତଭାବରେ ବୁଝେଇ ପାରିବ । ତେଣୁ ମନ ଭିତରେ ସକାରତ୍ମକ ଆକାଂକ୍ଷା ନେଇ ସେ ତା’ର ଅପାର ଆଗମନ କୁ ଅପେକ୍ଷା କରେ ।
       ଅପା ଶନିବାର ଦିନ ୨ଟାରେ ଆସିଘରେ ପହଞ୍ଚେ । ଅପାକୁ ଦେଖି ଭାରି ଖୁସି ହୋଇଯାଏ । ଅପାକୁ ଦେଖିଲେ ସତେ ଯେମିତି ବୀରେନ୍‌ର ପାଦ ଦୁଇଟି ଚାରିଆଙ୍ଗୁଳି ଉପରକୁ ଉଠିଯାଏ । ଅପା ଦାଣ୍ଡଦୁଆରେ ପହଞ୍ଚୁ ପହଞ୍ଚୁ  ତା ଭ୍ୟାନିଟ୍ ଟି ଆଗଧରି ପକେଇବ । ତାର ଗୋଟିଏ କାନ୍ଧରେ ଆଗ ନିଜର ଗୋଟିଏ ହାତ ଥୋଇଦେଇ ତାକୁ ଘର ଭିତରକୁ ନେଇ ଆସିବ । ତା ଅପାକୁ ଏତେ ପ୍ରେମ କରି ବି ସେ ବୁଝି ପାରୁନି ଏ ପ୍ରେମ କଣ । ବୀରେନ୍ ର ପ୍ରତିଟି କାର୍ଯ୍ୟ କଳାପ ଯଦିଓ ବିନୀକୁ ବହୁତ ଭଲଲାଗେ ବାସ ସେ ପାଠ ନ ପଢିବାରୁ ତା ପ୍ରତି ଟିକେ ମନ ଦୁଃଖ ରହେ । ବୀରେନ୍ ବି ଏକଥା ଭଲ ଭାବରେ ବୁଝିପାରେ ଯେ ଅପା ତାର ପାଠ ନ ପଢିବାଟାକୁ ଆଦ୍ୟୈ ପସନ୍ଦ କରେନି । ସେଦିନ କଣ ମନରେ ଆସିଲା କେଜାଣି ଖାଇସାରି ଭଉଣୀ ପାଖେରେ ବସି କହିଲା ଅପା ତୁ ମୋ ପାଠ ପାଇଁ କାହିଁ ମନ ଦୁଃଖ କରୁଛୁ କହିଲୁ । ମୋତେ ତ ପାଠ ଆସୁନି । ହେଲେ ମୁଁ ତ ଏତେ ଯୋରରେ ନଦୀରେ ପହଁରୁଛି ଯେ ଲୋକ ଦେଖି ତଟସ୍ଥ ହୋଇ ଯାଆନ୍ତି ।  ମୋତେ ଟିକେ କୋଉଠି ପହଁରା ପ୍ରତିଯୋଗିତାରେ ଭାଗ ନବାକୁ କହୁନୁ । ଆଉ ତୁ ଚାକିରୀ କଲେ ମୋତେ କୋଉ ଭଲ ପ୍ରଶିକ୍ଷକ ପାଖରେ ଏ ପହଁରା ଶିକ୍ଷା ଦେବୁ । ଦେଖିବୁ ଏଇ ପହଁରୀ ପହଁରୀ  ମୁଁ ତୁମମାନଙ୍କର ନାଁ କୁ କେମିତି ଚାରିଆଡେ ପ୍ରଚାର କରିଦେବି । ବିନୀ ହଠାତ୍ ଅଟକିଗଲା । ନିଜ ମନ ଭିତରେ ଭାବିଲା ଆରେ ଆ ପାଖରେ ଯେଉଁ ଏ ଆତ୍ମ ବିଶ୍ୱାସ ଟିକକ ଅଛି ସେ ବହୁତ କିଛି କରିପାରିବ । ହେଲେ ତାକୁ ପ୍ରଶିକ୍ଷଣ ଦେବାକୁ ବର୍ତ୍ତମାନ ପଇସା କୋଉଠୁ ଆସିବ ଯେ । ତଥାପି ମନେ ମନେସ୍ଥିର କଲା ଯଦି ଭଗବାନ ମୋତେ ଚାକିରୀଟେ ଦେଇଦିଅନ୍ତି ସେ ତାର ଭାଇ ଇଚ୍ଛା ନିଶ୍ଚୟ ପୂରଣ କରିବ । ଧୀରେ ସ୍ୱରରେ ବିନୀ  କହିଲା ବୀରୁ ଭଗବାନ କରନ୍ତୁ ତୋ ଆଶା ମୁଁ ପୁରଣ କରିପାରେ । ହେଲେ ବର୍ତ୍ତମାନ ତ ବାପାଙ୍କ ପରିସ୍ଥିତି ଦେଖୁଛ । ପ୍ରତିଦିନ ଖରା ବର୍ଷାରେ ମିସ୍ତ୍ରୀ କାମରେ ଗଲେ ହିଁ ଆମକୁ ଚଳେଇ ପାରୁଛନ୍ତି । ତେଣୁ ଏ ପହଁରା ପ୍ରଶିକ୍ଷଣ ପାଇଁ ତୋତେ ସହର ଯିବାକୁ ପଡିବ । ତୁ ଏବେ ଏମିତି ଏ ନଈକୂଳରେ ପହଁରୁଥା । ଯଦି ମୋର ଏବର୍ଷ ଚାକିରୀ ହୋଇଗଲା ତାହାହେଲେ ଆର ବର୍ଷକୁ ମୋ ଭାଇର ପହଁରା ଶିଖିବାଟା ପକ୍କା । ବୀରେନ୍ କହିଛି ତୁ ଦେଖୁନୁ ମୁଁ ପରା କହୁଛି ତୋର ଏବର୍ଷ ଚାକିରୀ ହେବ । ଆଉ ନିଶ୍ଚୟ ହେବ ।
                ଏତିକି କଥା କହିସାରିଲା ବେଳକୁ ବିନୀକୁ ଟିକେ ଦ୍ୱିପହରିଆ ନିଦ ଆଖିକୁ ମାଡି ଆସିଥାଏ । ବିରେନ୍ ହଠାତ୍ ଅପାକୁ ହଲେଇ ଦେଇ କହିଲା ଅପା ତୁ ମୋର ଗୋଟେ ପ୍ରଶ୍ନର ଉତ୍ତର ଦେଇପାରିବୁ । ଅପା ପଚାରିଲା କି ପ୍ରଶ୍ନ ପଚାରୁନୁ । ବୀରେନ୍ ମନରେ ଘରକରି ରହିଥାଏ ସେଇ ପୁରୁଣା ପ୍ରଶ୍ନ । ଅପା ଏ ପ୍ରେମ କଣ? ଅପା ଚମକି ପଡିଲା । ୟା ମନରେ ଏଭଳି ପ୍ରଶ୍ନ । ଭରା ଜବାନୀରେ ଉପନୀତ ବିନୀ ବୋଲି ଝିଅର ମନରେ ପ୍ରେମ କହିଲା ମାନେ ସାମୟିକ ଭାବେ ସେହି ପୁଅଝିଅଙ୍କ ପ୍ରେମ କଥା ହିଁ ଚାଲି ଆସିବ ଏଥିରେ ସନ୍ଦେହ ନାହିଁ । ଏ ବୟସରେ ପ୍ରେମର ଅର୍ଥ ସେହି ଶାରିରୀକଠାରୁ ଆରମ୍ଭ ହୋଇ ମାନସିକ ପୁଣିପରେ ପରେ ଆତ୍ମିକ ପ୍ରେମରେ ଉପନୀତ ହୋଇପାରେ ହେଲେ ପ୍ରେମ ସେହି ଶରୀରର ପଞ୍ଚଇନ୍ଦ୍ରିୟଠାରୁ ହିଁ ଆରମ୍ଭ ହେବାଟା ଚିରନ୍ତନ ସତ୍ୟ ।  କଣ ଉତ୍ତର ଦେବ ଆଗ କିଛି କ୍ଷଣ ପର୍ଯ୍ୟନ୍ତ କିଛି ଭାବି ପାରିଲା ନାହିଁ । ନୀରବରେ ରହି ପଚାରିଲା ଆରେ ବୀରୁ ଆଜି ଏ ଭଳି ପ୍ରଶ୍ନ ତୋ ମୁଣ୍ଡକୁ କାହିଁକି ଆସିଲା । ବୀରେନ୍ ସବୁକଥା କହିଲା । ବିନୀ ସବୁକଥା ଶୁଣି ସାରିଲା ପରେ ତାର ବୈଦ୍ଧିକ ଚିନ୍ତା ଧାରାର  ପ୍ରୟୋଗ କରି କହିଲା ଏଇ ଦେଖୁନୁ । ତୁ ମୋତେ କେତେ ପ୍ରେମ କରୁଛୁ । ମୁଁ ଘରେ ଗୋଡ ଦେଉ ଦେଉ ମୋ କାନ୍ଧରେ ହାତ ପକାଇ ମୋ ବ୍ୟାଗଟି ଧରି ମୋତେ ଘରକୁ ନେଇ ଆସୁଛୁ । ଆଉ ଦେଖୁନୁ ମୋ ପାଖରେ ତୁ ବର୍ତ୍ତମାନ କେତେ ସ୍ନେହରେ ଶୋଇପଡି ମୋତେ ପ୍ରଶ୍ନ ପଚାରି ଚାଲିଛୁ । ଏଇତ ପ୍ରେମ । ବୀରେନ୍ ର ଆଶ୍ଚର୍ଯ୍ୟ ଆହୁରି ବଢିଗଲା । କହିଲା ଅପା ରାଧାକୃଷ୍ଣ କଣ ଆମ ଦୁଇଜଣଙ୍କ ଭଳି ଏମିତି ସବୁ କରୁଥିଲେ । ବିନୀ କହିଲା ହଁ । ଆଚ୍ଛା ଅପା ତୋ ମୋ ଭିତରେ ଏ ସବୁ କାମ ଗୁଡିକ ପ୍ରେମ ତାହାହେଲେ ଦୂରରେ ଥାଇ କେହି କାହାକୁ ପ୍ରେମ କରିପାରିବେନି । ପ୍ରେମ ପାଇଁ ପାଖରେ ରହିବା ପରସ୍ପର ନିହାତି ଦରକାର । ଅପାର ମୁଣ୍ଡ ଆହୁରି ଚକକର କାଟିଲା । ସେ କହିଲା ତୁ ଏତେ କଥା କଣ ପଚାରୁଛୁ ଯେ ତୁ ଯେମିତି ବର୍ତ୍ତମାନ ଅଛୁ ଯେଉଁ କାମ କରିବାକୁ ଚାହୁଁଛୁ ସେଇ କାମ କରିଚାଲେ ଦେଖିବୁ ସମୟ ଆସିବ ତୁ ଏ ପ୍ରେମର ଅର୍ଥ ଆପେ ଆପେ ବୁଝିଯିବୁ । ଅପା ବି ଜାଣିଛି ତାର ଭାଇ ବୀରେନ୍ ର ସେ ବୁଦ୍ଧଦେବଙ୍କ ଆଚରଣକୁ । ନାହିଁ ତାର କେଉଁ ତରୁଣୀ ପ୍ରତି ଶାରିରୀକ ଆକର୍ଷଣ ନା ମାନସିକ ଉଦ୍‌ବେଗ । ତେଣୁ ତାକୁ ଆଉ ଅଧିକ କିଛି ବୁଝେଇଲା ପରି ସେ ନିଜକୁ ସକ୍ଷମ ମନେ କରିପାରିଲାନି । କହିଲା ହଉ ତୁ ଟିକେ ଶୋଇଯା । ଏହା କହି ବିନୀ ତାର ଆଖିକୁ ଟିକେ ମୁଜିବାକୁ ଆରମ୍ଭ କଲା । ମାତ୍ର ବୀରେନ୍‌ର ମନରେ ସେ ପ୍ରେମ ଶଦ୍ଦଟିର ଅର୍ଥ ଏକ ଅମିମାଂଶିତ ପ୍ରଶ୍ନ ଭାବେ ସେମିତି ବସାବାନ୍ଧି ତାକୁ ଭିତରେ ଭିତରେ ବେଳେବେଳେ ଅସ୍ଥିର କରିବାକୁ ଲାଗୁଥିଲା ।
     ସମୟ ବଦଳିଯାଏ । ବିନୀର ଚାକିରୀ ହୋଇଯାଏ । ସେ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗରେ ଉଚ୍ଚଦରମାରେ ଚାକିରୀ କରେ । ଶନିଆ ରାଜମିସ୍ତ୍ରୀରୁ ଧୀରେ ଧୀରେ ସେ ଅଞ୍ଚଳରେ ଶନିଆ ବାବୁରେ ପରିଣତ ହୁଏ । ତାଙ୍କ ପରିବାରର ଜୀବନ ଶୈଳୀ  ଦୁଇବର୍ଷ ଭିତରେ ସମ୍ପୁର୍ଣ୍ଣ ବଦଳୀ ଯାଏ । କୋଠାଘର,ଗାଡି,ସବୁକିଛି ଆଜି ତା ପାଖରେ ବିନୀ ପାଇଁ ସମ୍ଭବ ହୋଇଯାଏ । ବିନୀକୁ ଆସି ବୟସ ୨୮ ହୁଏ । ମନେମନେ ଶନିଆ ବିନୀର ବିବାହ ପାଇଁ ପସ୍ତୁତ ହୁଏ । ଶନିଆ ବିନୀ ପାଇଁ କଟକ ସହରରେ ହିଁ ଏକ ଜ୍ୱାଇଁ ଯୋଗାଡ କରେ । ଜ୍ୱାଇଁ ମଧ୍ୟ ଚାକିରୀଆ ମିଳେ । ବିବାହ ବଡ ଧୁମଧାମରେ ହୁଏ । ବିନୀ ତା ଶାଶୁଘର କଟକରେ ରୁହେ । ହେଲେ ବିନୀ ଶାଶୁ ବିବାହର ଦୁଇବର୍ଷ ପୂର୍ବରୁ ଆରପାରିକୁ ଚାଲିଯାଇଥାନ୍ତି । ଘରେ କହିଲେ କେବଳ ଶଶୁର  ସେ ପୁଣି ଅସୁସ୍ଥ । ବିନୀତାର ସ୍ୱାମୀକୁ କହି ବିରେନ୍ କୁ କଟକ ନେଇଯାଇ ଆଉ ସେଠି ପହଁରା ଶିଖାଏ । ସତକୁ ସତ ମାତ୍ର ଛଅମାସ ପରେ ବୀରେନ୍ ଜାତୀୟସନ୍ତରଣ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ସମାଜରେ ଜଣାଶୁଣା ହୋଇଯାଏ । ହେଲେ ବୀରେନ୍ ର ସେ କାମଶୁନ୍ୟ ଗୁଣ ସେମିତି ବଳବତ୍ତର ହୋଇ ରହିଥିବା ସହିତ ପ୍ରେମ ଶଦ୍ଦର ଅର୍ଥ ଜିଜ୍ଞାସା ବହୁଗୁଣିତ ହୋଇସାରିଥାଏ । ଭିତରେ ଭିତରେ ସେ ପ୍ରତି ମୁହୁର୍ତ୍ତରେ ସେ ପ୍ରେମ ଶଦ୍ଦର ଅର୍ଥ ଜାଣିବାକୁ ଚେଷ୍ଟାକରେ ମନେମନେ ଭାବେ ଯଦି ପ୍ରେମ ମାନେ ଭଲପାଇବା ଏ ଭଲପାଇବା କାହାକୁ କହନ୍ତି । ଏ ଭଲପାଇବାଟା କିପରି ହୁଏ । କିଏ କେମିତି କାହାକୁ ଭଲପାଏ । ପାଖରେ ଥିବା ଲୋକ କେବଳ ପରସ୍ପରକୁ ଭଲପାଇପାରେ ନା ଦୂରରେ ଥିବା ଲୋକ ମଧ୍ୟ ପରସ୍ପରକୁ ଭଲପାଇପାରେ । ଏ ଭଲପାଇବାଟା ଜଣେ ପୁରୁଷ ଓ ନାରୀ ଭିତରେ କେବଳ ହୁଏ ନା ପୁରୁଷପୁରୁଷ ଓ ନାରୀନାରୀ ଭିତରେ ବି ହୁଏ । ଯଦି ପୁରୁଷ ନାରୀ ଭିତରେ ହୁଏ ତେବେ ପୁରୁଷ ପୁରୁଷ ଭିତରେ ଲୁଟ ଓ ନାରୀ ନାରୀ ଭିତରେ ହୁଏ । ସେ ସବୁ ସମାନ ନା ସେଥିରେ କିଛି ଫରକ ଅଛି । ଏମିତି ଅନେକ କଥା ତାକୁ ଆନ୍ଦୋଳିତ କରେ । ସେଦିନ ତା ବାପା ଓ ବୋଉ ଗାଁରୁ କଟକ ଆସିଥାନ୍ତି ଅପାଘର ବୁଲିବାକୁ । ସେଦିନ ଅପାକୁ ବୋଉ କହିଛି ଜାଇଁଲୁ ବିନୀ ଆମ ଗାଁ ସେ ବଳିଆ ବଡବାପାଙ୍କ ଝିଅ ଆର ଗାଁ ସେ ବ୍ରାହ୍ମଣ ସାହିର ରଘୁମିଶ୍ରଙ୍କ ପୁଅ ସାଙ୍ଗରେ ଭଲପାଇ ଦୁଇଦିନ ହେଲା ଦୁଇଜଣଯାକ ଗାଁ ଛାଡି କୁଆଡେ ପଳାଇଛନ୍ତି । ବୀରେନ୍ ଯେମିତି ଏତିକି କଥା ଶୁଣିଦିଏ ସେ ଆହୁରି ଆଶ୍ଚର୍ଯ୍ୟ ହୋଇଯାଏ । ସେଠି ସମସ୍ତଙ୍କୁ ଆଉକିଛି ନପଚାରି ଏକୁଟିଆ ବେଳେ ବୋଉ ବୁଲିକୁ ପଚାରେ ବୋଉ ଏ ଭଲପାଇବାଟା କେଉଁଠି ପରା ପ୍ରେମ । ସେ ବଳିଆ ବପବାପା ଝିଅ କଣ ରଘୁମିଶ୍ର ପୁଅକୁ ପ୍ରେମ କରୁଥିଲା ନା କଣ । ଆଉ ପ୍ରେମ କଲେ ଏମିତି ଘରଛାଡି ଲୁଚି ପଳେଇବାକୁ ହୁଏ ନା କଣ ? ସେଦିନ ବୁଲୀ କହିଲା ଯାଇଲୁ ବୀରେନ୍ ତୁ ମୋର ଗୋଟେ ଓଲାପୁଅଟେ । ଆରେ ପ୍ରେମ କଲେ କିଏ କଣ ଲୁଚିକି ପଳାଏ । ଦୁଇଜଣଙ୍କ ଘରଲୋକ ରାଜିନଥିଲେ ତାଙ୍କୁ ବିବାହ କରେଇବାକୁ ତେଣୁ ସେମାନେ ଲୁଚି କି ପଳେଇଲେ ।  ଆଚ୍ଛା ବୋଉ ସେମାନେ କେମିତି ପରସ୍ପରକୁ ପ୍ରେମ କରୁଥିଲେ ମୁଁ କାହିଁ ମୋଟେ ବୁଝି ପାରୁନି । ବୁଲୀ କହିଲା ହଉ ତୁ ବ୍ୟସ୍ତ ହୁଅନି ତୁ ମନକୁ ମନ ବୁଝିଯିବୁ । ସେଦିନ କିନ୍ତୁ ବୀରେନ୍ ବୋଉ ଉପରେ ରାଗିଗଲା । କହିଲା ଯାହାକୁ ପଚାରିଲେ ସମସ୍ତେ କହୁଛନ୍ତି ତୁ ମନକୁ ମନ ବୁଝିଯିବୁ । କାହିଁ ଏ ପ୍ରେମ ଶଦ୍ଦର ଅର୍ଥ ଟା କଣ ବୁଝେଇପାରିଲା ଭଳି କଥାଟେ ନୁହଁ ନା କଣ ।  ବୀରେନ୍ ଏଭଳି ରାଗିବାଟା ବୁଲୀ କେବେ ଦେଖି ନଥିଲା । ସେ ବୀରେନ୍ କୁ ଟିକେ ନିଜ ପାଖକୁ ଭିଡିଆଣି କହିଲା ଆଇଲୁ ଆ ମୋ ପାଖରେ ବସ । ଶୁଣୁ । ଏ ପ୍ରେମକୁ ବୁଝେଇ ହୁଏନି । ଏ କେବଳ ଅୁଭବ କରିହୁଏ । ସମୟ ଆସୁ ତୁ ଅନୁଭବ କଲେ ନିଜେ ବୁଝି ପାରିବୁ । କିନ୍ତୁ ବୁଲୀର ଏ ଉତ୍ତର ପରଠାରୁ  ବୀରେନ୍ ମନରେ ପ୍ରେମର ଅର୍ଥ ଏକ ନୂତନ ମୋଡ ନେଲା । ପ୍ରେମରଅର୍ଥ ନାହିଁ ଏହା ଅନୁଭବ ର ବସ୍ତୁ । କେବେ ସେ ସୁଯୋଗ ଆସିବ ସେ ଅନୁଭବ କରିବ ତାରି ଅପେକ୍ଷାରେ ସେ ରହିଲା । 
              କିଛିଦିନ ଅନ୍ତେ ଶନିଆ ଚିନ୍ତା କଲା ବୀରେନ୍ ର ବାହାଘର କରିଦେବା । ବୁଲି କହିଲା ହଁ ଘରେ ତ ଆମର ତା ପାଇଁ ତା ଭଉଣୀ ଯେତିକି ସମ୍ପତ୍ତି ରଖିଯାଇଛି ସେ ଘର ବେଉସା କଲେ ବି ତା ସ୍ତ୍ରୀ ସହିତ ଖୁସିରେ ଚଳିବ ତେଣୁ ତାକୁ ବାହା କରିଦେବା । ବୁଲି ବି ଚିନ୍ତା କଲା ବିବାହ ହୋଇଗଲେ ମୋ ପୁଅ ବୀରେନ୍ ନିଜକୁ ଟିକେ ଅଲଗା ଭାବରେ ବୁଝିବ । ଏତେ ବଡ ହେଲାଣି ତାକୁ ସମାଜରେ ସମସ୍ତେ ଚିହ୍ନିଲେଣି ହେଲେ ଆଜି ପର୍ଯ୍ୟନ୍ତ ସେ ପ୍ରେମ ଅର୍ଥ ବୁଝି ପାରିଲାନି । ମନେମନେ ପ୍ରଭୁଙ୍କୁ ପ୍ରଣାମ କରି କୁହେ ହେ ପ୍ରଭୁ ତାପରି ଛନ୍ଦ କପଟ ହୀନ ପିଲା ପାଇଁ ଗୋଟିଏ ଭଲ ବୋହୁଟିଏ ଦିଅ । 
        ସେତେବେଳକୁ ବୀରେନ୍‌ର  ବୟସ ଆସି ୨୮ ହେଲାଣି । 
      ସେ ବର୍ଷ ବୀରେନ୍ ଗାଁ ନଦୀରେ ବନ୍ୟା ଆସେ । ନଦୀରେ ପାଣି ଏ କାନ୍ଥିରୁ ସେ କାନ୍ଥିକୁ ଲାଗିଥାଏ । ନଦୀ ବଢି ଦେଖିବାକୁ ନଦୀବନ୍ଧକୁ ଅନେକ ଲୋକ ଆସନ୍ତି । ନଦୀ ଉପରେ ଥିବା ପୋଲ ଉପରେ ମଧ୍ୟ ରାସ୍ତାରେ ଯାଉଥିବା ଲୋକ ରୁଣ୍ଡ ହୋଇ ନଦୀ ପାଣିକୁ ଦେଖାନ୍ତି । ସେଦିନ ବୀରେନ୍ ଓ ତାର ଆଉ ଗୋଟିଏ ଗାଁ ସାଙ୍ଗ ମଟର ସାଇକେଲ ନେଇ ପୋଲ ଉପରେ ଠିଆ ହୋଇ ଅନେକ ଲୋକଙ୍କ ସହିତ ନଦୀ ବନ୍ୟା ଦେଖୁଥାନ୍ତି । ହଠାତ୍ ସେହି ପୋଲ ଦେଇ ଯାଉଥିବା ଗୋଟିଏ କାର୍ ଟିଏ ପୋଲ ପାଖରେ ଅଟକେ । କାର୍ ଭିତରୁ ବାହାରନ୍ତି ତିନିଜଣ । ଗୋଟିଏ ବଡଝିଅ ଓ ତାର ବାପାମାଆ । ଝିଅଟି ଦେଖିବାକୁ ସୁନ୍ଦର ଆଉ ସେମାନେ ନିଶ୍ଚିତ ରୂପେ ଗୋଟିଏ ଧନୀ ପରିବାରର । ତିନିଜଣ ଯାକ ପୋଲ୍ ର ବାଡକୁ ଆଉଜି ନଈ ପାଣି ଦେଖୁଥାନ୍ତି । ସେ ଝିଅ ଓ ତାର ମା ଦୁହେଁ ଆଖିରେ ଷ୍ଟାଇଲସ୍ କଳା ଚଷମା ଲଗେଇଥାନ୍ତି । ତିନିଜଣ ଜାକ କଥା ହେଉଥିବା ବେଳେ ତାଙ୍କ ପାଖରୁ ମାତ୍ର ୨୦୦ ହାତ ଦୂରରେ ବୀରେନ୍ ଓ ତାର ସାଙ୍ଗ ଠିଆ ହୋଇଥାନ୍ତି । ଏକ ଆକସ୍ମିତ ଦୁର୍ଘଟଣାରେ ସେ ଝିଅଟି ନଦୀ ଭିତରକୁ ଖସି ପଡେ । ନଦୀ ସୁଅରେ ଭାସିବାରେ ଲାଗେ । ସମସ୍ତେ ଚିଲାନ୍ତି ଆରେ ବୁଡିଗଲା ବୁଡିଗଲା ହେଲେ କେହି ନଦୀ ପାଣିକୁ ଯାଆନ୍ତିନି । ମାତ୍ର  ବୀରେନ୍ ଆଉ ଡେରିନକରି ନିଜେ ଡେଇଁ ପହଁରି ପହଁରି ସେ ଝିଅକୁ ନିଜ ପିଠିରେ ନଦୀ କୂଳରେ ପହଞ୍ôଚଯାଏ । ତେଣେ ଝିଅର ମାଆଙ୍କର ଶଦ୍ଦରେ ପୋଲ ଉପର ଫାଟି ପଡୁଥାଏ ।  ସମସ୍ତେ ଦଉଡା ଦଉଡି ହୋଇ ନଦୀ ବନ୍ଧକୁ ଯାଇ ସେ ଝିଅକୁ ଦେଖନ୍ତେତ ଝିଅ ବହୁତ ପାଣି ପିଇସାରିଛି । ତେଣୁ ଝିଅର ବାପା ମା ଝିଅକୁ ନେଇ ଡାକ୍ତର ଖାନା ଯାଆନ୍ତି ବୀରେନ୍ କୁ ମଧ୍ୟ ସାଙ୍ଗରେ ଯିବାକୁ ସେମାନେ ଅନୁରୋଧ କରନ୍ତି । ସେ ଝିଅର ଜୀବନ ବଞ୍ôଚଯାଏ ଓ ସେ ଘରକୁ ଫେରେ । 
          ହେଲେ ପରେପରେ ସେ ଝିଅ ସବୁବେଳେ ବୀରେନ୍‌କୁ ଝୁରିବାରେ ଲାଗେ । ବୀରେନ୍ ର ଠିକଣା ଖୋଜି ଖୋଜି ତାର ବାପାଙ୍କୁ ଦିଏ ।ତାର ବାପା ଜଣେ ବହୁତ ବଡ ଶିଳ୍ପପତି । ସେ ତାର ବାପାଙ୍କୁ  କହେ ବୀରେନ୍‌କୁ ଥରେ ଘରକୁ ଆଣିବାକୁ । ସେ ଝିଅଟିର ବାପା ମା ବୀରେନ୍ ଘରକୁ ଯାଇ ତାର ବାପାମାଙ୍କ ସହିତ ଦେଖା ହୁଅନ୍ତି ଆଉ ତାକୁ ବହୁତ ଧନ୍ୟବାଦ ଦିଅନ୍ତି ଓ ନିଜ ଘରକୁ ଆମନ୍ତ୍ରଣ କରନ୍ତି । ବୀରେନ୍ ତାର ବାପା ବୋଉଙ୍କ ସହିତ ସେ ଝିଅ ଘରକୁ ଥରେ ବୁଲିବାକୁ ଯାଏ । ତାଙ୍କ ଘରେ ହଠାତ୍ ସମସ୍ତେ ବସିଥିବା ସମୟରେ ସେ ଝିଅ ବୀରେନ୍ କୁ ଟିକେ ଶୁଣିବାକୁ କହି ତା କୋଠରୀ  ଦେଖେଇବାକୁ କହି ନେଇଯାଏ । ଆଉ ତାକୁ ଏକୁଟିଆ ବେଳେ କହେ ଦେଖ ମୋର ନାଁ ବୈଶାଖୀ । ଆମର କିଛି ଅଭାବ ନାହିଁ । ମୁଁ ତୁମକୁ ବିବାହ କରିବାକୁ ଚାହେଁ । ତୁମେ ମୋତେ ଖରାପ ଭାବନି । ତୁମେ ନଥିଲେ ମୁଁ ଆଜି ନଥାନ୍ତି । ତେଣୁ ତୁମେ ଯଦି ଖାଲି ଏଥିରେ ରାଜି ହେବ ମୁଁ ଜୀବନଯାକ ବହୁତ ଖୁସିରେ ରହିବି । ବୀରେନ୍ ମନେ ମନେ ବିରକ୍ତ ହୁଏ ଓ କିଛି ନକହି ଫେରିଆସେ । ହେଲେ ବାଟରେ ଭାବେ ସତରେ ସେ କଣ ମୋତେ ବିବାହ କରିବ ନା କଣ । ଇଏ କଣ ସେଇ ଶେଫାଳୀ ନା କଣ । ତଥାପି କିଛି ଚିନ୍ତା ନକରି ସେମିତି ସମୟ ବିତାଏ । ହେଲେ ତାର ଆଠଦିନ ପରେ ବୈଶାଖୀ ର ବାପା ମା ପୁଣି ବୀରେନ୍ ଘରକୁ ଆସି ତାର ବାପା ବୋଉଙ୍କୁ ତାଙ୍କ ପୁଅ ସହିତ ତାଙ୍କ ଝିଅ ବୈଶାଖୀର ବିବାହର ପାଇଁ ପ୍ରସ୍ତାବ ଦିଅନ୍ତି । ଶନିଆ କିଛି କୁହେ ନାହିଁ । କହେ ଦେଖନ୍ତୁ ବୀରେନ୍‌ର ଭଉଣୀ ବିନୀ ଯାହା କହିବ । ସେମାନେ ବିନୀର ଠିକଣା ଦେଇ ବିନୀ ଘରେ ପହଞ୍ଚନ୍ତି ଓ ଏ ବିବାହ ପ୍ରସ୍ତାବ କଥା କୁହନ୍ତି । ବିନୀ ଆଶ୍ଚର୍ଯ୍ୟ ଓ ଖୁସିରେ ହଁ ମାରିଦିଏ ।
       ବହୁତ ଧୁମଧାମରେ ବିବାହର ହୁଏ । ଆଜି ବୀରେନ୍ ସହରର ବଡ ଶିଳ୍ପପତି ଡଙ୍କେଶ୍ୱରନାଥ ଅଗ୍ରଓା୍ୱଲଙ୍କର ଜ୍ୱାଇଁ ହୁଏ । ଚତୁର୍ଥୀ ରାତିରେ ବାସର ଶେଯରେ ବୈଶାଖୀ ବୀରେନ୍ ପାଖକୁ ଗଲା ବେଳକୁ ବୀରେନ୍ ପୁଣି ସେଇ ପ୍ରଶ୍ନ ପଚାରେ କହେ ତୁମେ ମୋ ଭଳି ଗୋଟିଏ ଅର୍ଦ୍ଧଶିକ୍ଷିତକୁ କାହିଁକି ବିବାହ କଲ ମୁଁ ଜାଣେନା । ହେଲେ ମୋତେ ଗୋଟିଏ ଉତ୍ତର ଦିଅ ଏ ପ୍ରେମ କଣ । ଏ ପ୍ରେମର ଅର୍ଥ ମୁଁ ଆଜି ପର୍ଯ୍ୟନ୍ତ ବୁଝି ପାରିଲିନି । ବୈଶାଖୀ ଆଶ୍ଚର୍ଯ୍ୟ ହୋଇଯାଏ । ବାସରେ ରାତିରେ ତା ସ୍ୱାମୀର ଏଭଳି ପ୍ରଶ୍ନ ତାକୁ ବିଚଳିତ କରେ । ବୈଶାଖୀ କହେ ସେଦିନ ତୁମେ ମୋତେ ବଞ୍ଚାଇବାକୁ କାହିଁକି ଡେଇଁଥିଲ । ବୀରେନ୍ କହେ ତୁମେ ବୁଡିଯାଉଥିଲ ତେଣୁ ତୁମକୁ ବଞ୍ଚାଇବାକୁ । ତୁମେ ତ ମୋତେ ଚିହ୍ନିନଥିଲ । ପୁଣି କାହିଁକି ଡେଇଁଲ । ମୋର ସେଇଟା କର୍ତ୍ତବ୍ୟ ଥିଲା । ଅନ୍ୟମାନେ ତ ବହୁତ ଥିଲେ ତା ହେଲେ ସେମାନଙ୍କର କଣ କର୍ତ୍ତବ୍ୟ ନଥିଲା । ବୀରେନ୍ କହିଲା ସେ କଥା ତ ମୁଁ ଜାଣେନି ହେଲେ ମୋର ସାହାସ ଥିଲା ଯେ ମୁଁ ତୁମକୁ ବଞ୍ଚେଇ ଆଣି ପାରିବି । ବୈଶାଖୀ କହିଲା ନାଁ ନାଁ , ତୁମେ ଅନ୍ୟକୁ ବଞ୍ଚାଇବାକୁ ପ୍ରେମ କର । ଅନ୍ୟର ଜୀବନ ରକ୍ଷା କରିବାକୁ ପ୍ରେମ କର । ସେଇତ ପ୍ରେମ । ଧେତ୍ ଏଭଳି ଉତ୍ତର ମୋତେ ଭଲ ଲାଗୁନି । ମୁଁ ପ୍ରେମରେ ନଦୀକୁ ଡେଇଁ ନଥିଲି । ହଉ ହଉ ଛାଡ ମୁଁ ତୁମକୁ ବୁଝେଇ ଦେବି ଏ ପ୍ରେମର ଅର୍ଥ । ଏହା କହି ସେ ବୀରେନ୍ କୁ ତା କୋଳକୁ ଟାଣିନିଏ । ଦୁଇଜଣ ହଜି ଯାଆନ୍ତି ସେ ମଧୁନିଶାର ମଧୁର ମିଳନରେ । ଦୁଇଜଣ ଶୋଇଯାଆନ୍ତି । ପରଦିନ ଆସେ । ଖୁସିରେ ଘର ଫାଟିପଡେ । 
ଶନିଆ କେଉଁଠୁ ଖବର ପାଏଯେ ବୀରୁ ଶ୍ରେଣୀରେ ପଢୁଥିବା ବୁଲିର ଗାଁ ଝିଅ ଶେଫାଳିର ଆଜି ଗାଡିଧକ୍କା ହୋଇଯାଇଛି । ସେ ଆଜି କଟକ ହସ୍ପିଟାଲ ଯାଇଛି । କଣ ହେବ ଠିକ୍ ନାହିଁ । ଶନିଆ ରାତିରେ ଘରେ ପହଞ୍ଚୁ ପହଞ୍ଚୁ ଏକଥା ଘରେ ସଙ୍ଗେସଙ୍ଗେ ଯାଇ ବୀରେନ୍‌କୁ ଜଣାଇଦିଏ । ବୀରେନ୍ ପାଖରେ ସେତେବେଳେ ବୈଶାଖୀ ଠିଆ ହୋଇଥାଏ । ସତେ ଯେମିତି ବୀରେନ୍ ଏକ ଅଦ୍ଦଭୁତ ଯନ୍ତ୍ରଣା ଅନୁଭବ କରେ । ସେ ସଙ୍ଗେସଙ୍ଗେ କୁହେ ବୈଶାଖୀ ଚାଲ ଆମେ କଟକ ଯିବା । ସେ ଶେଫାଳି କୁ ସାହାଯ୍ୟ ନିହାତି ଦରକାର । ତାର ଘରେ କେହି ନାହାନ୍ତି । ବୈଶାଖୀ ବୁଝି ପାରିଲାନି ଏ ଶେଫାଳି ପୁଣି କିଏ । ହେଲେ ଆଧୁନିକା ଉଚ୍ଚଶିକ୍ଷିତା ଧାନ୍ୟଢ୍ୟ ଘାରର ଝିଅ ହୋଇଥିଲେ ମଧ୍ୟ ଏକ ବିଶାଳ ହୃଦୟ ତା ପାଖରେ ଥିଲା । ସେ ସଙ୍ଗେସଙ୍ଗେ ବୀରେନ୍ ର ବ୍ୟାକୁଳତା ଦେଖି କହିଲା ତୁମେ ଆଦୌ ବ୍ୟସ୍ତ ହୁଅନି । ମୁଁ ବାପାଙ୍କୁ ଫୋନ୍ କରୁଛି । ସେ ତାଙ୍କ କଥା ବୁଝୁବୁଝୁ ଆମେ ଯାଇ ସେଠାରେ ପହଞ୍ôଚଯିବା ।
          ବୀରେନ୍ ଓ ବୈଶାଖୀ ସଙ୍ଗେସଙ୍ଗେ କାର୍‌ରେ ଯାଇ ସେଇ ରାତି ୨ଟାରେ କଟକ ବଡ ଡାକ୍ତରଖାନାରେ ପହଞ୍ଚନ୍ତି । ସେଠି ଶେଫାଳି ବୀରେନ୍ କୁ ଦେଖି ଆତ୍ମହରା ହୋଇପଡେ । ଏଣେ ବୀରେନ୍ ପତ୍ନୀ ବୈଶାଖୀ ବହୁତ ଖୁସିରେ ଶେଫାଳିର ସମସ୍ତ ସୁବିଧା କରିବାରେ ଲାଗେ । ଶେଫାଳି ର ଅସ୍ତ୍ରୋପଚାର ହୁଏ । ସେଠାରେ ଶେଫାଳିର ବୋଉ ରହି ଶେଫାଳିର ସେବା ଶୁଶ୍ରୁଷା କରେ । ହେଲେ ଡାକ୍ତରଖାନାର ସମସ୍ତ ଖର୍ଚ୍ଚ ବୀରେନ୍ ର ସ୍ତ୍ରୀ ବୈଶାଖୀ କରେ । 
              କିଛିଦିନ ପରେ ବୀରେନ ଓ ଶେଫାଳି ତାଙ୍କ ଘରେ ରାତିରେ ଶୋଇଥାନ୍ତି । ବିରେନ୍ କହେ ବୈଶାଖୀ ତୁମେ ବହୁତ ଭଲ । ତୁମେ ମୋ ବୋଉ ପରି । ତୁମେ ଏତେ ବଡ ଘରର ଝିଅ ଆଉ ମୋଠାରୁ ବହୁତ ଅଧିକ ପାଠ ପଢିଛ ହେଲେ ତୁମ ମନରେ ତିଳେ ହେଲେ ଅହଂଙ୍କାର ନାହିଁ । ମୁଁ ଜଣେ ମାଟ୍ରିକ୍ ଫେଲ୍ । ଆଉ କଣ ଟିକେ ପହଁରା ଶଖି ଜାଣିଛି । ହେଲେ ଜୀବନରେ ବଞ୍ôଚବାକୁ କିପରି ହୁଏ ତାହା ମୁଁ ଆଜି ପର୍ଯ୍ୟନ୍ତ ଶିଖିପାରିଲିନି । ମୋତେ ଲାଗୁଛି ମୋର ଆଉ ଶିଖିବା ଦରକାର ନାହିଁ । କାରଣ ମୁଁ ତୁମ ପାଖରେ ରହିଲେ ମୁଁ ତୁମ ଭଳି ହୋଇଯିବି । ଶେଫାଳି ବିରେନ୍ ଛାତି ଉପରେ  ନିଜ ହାତଟି ପକେଇ କହିଛି ତମେ ମୋ ଠାରୁ ବହୁତ ଭଲ । ତୁମ ପରି ମନର ମଣିଷ ଟିଏ ପାଇ ମୁଁ ବହୁତ ଖୁସି । ନିଜ ଜୀବନକୁ ଭୃକ୍ଷେପ ନକରି ଯିଏ ଅନ୍ୟର ଜୀବନ ବଞ୍ଚେଇପାରେ ସେ ଭଳି ମଣିଷ ଏ ସଂସାରରେ ବହୁତ କମ୍ ମିଳନ୍ତି । ଆଉ ତୁମେ ସେମାନଙ୍କ ଭିତରେ ନିଆରା । ହେଲେ ଆଜି ମୁଁ ତୁମକୁ ତୁମର ସେ ପ୍ରେମ ଶଦ୍ଦର ଅର୍ଥ କହୁଛି । କାରଣ ତୁମେ ଆଜି ପ୍ରେମକୁ ଅନୁଭବ କରିପାରିଲଣି । ତେଣୁ ତୁମେ ସହଜରେ ବୁଝିଯିବ ।  ବୀରେନ୍ କହିଲା କାହିଁ ମୁଁ ତ ଜାଣି ପାରୁନି । ବୈଶାଖୀ କହିଛି ଦେଖ ତୁମ ଗାଁ ଶେଫାଳିର ତୁମର କିଛି ବି ସମ୍ପର୍କ ନାହିଁ । ନା ସେ ତୁମର ବନ୍ଧୁ ନା ବାନ୍ଧବି । ଖାଲି ବର୍ଷେ ଦୁଇବର୍ଷ ଦୁଇଜଣ ଗୋଟିଏ ଶ୍ରେଣିରେ ପଢିଥିଲ ସେ ପୁଣି ଆଜକୁ ବାର ତେର ବର୍ଷ ହେଲାଣି ପରସ୍ପରକୁ ଦେଖିନ କିମ୍ବା କଥା ବି ହୋଇନ । ହେଲେ ତାର ଦୁର୍ଘଟଣା କଥା ଶୁଣି ତୁମେ ବ୍ୟତିବ୍ୟସ୍ତ ହୋଇ ପଡିଲ । କାହାକୁ କିଛି ପଚରାଉଚରା ନକରି ମୋତେ ନେଇ ଚାଲିଲ ତାକୁ ସାହାଯ୍ୟ କରିବାକୁ । ଆଉ ତାକୁ ଏପରି ସାହାଯ୍ୟ କଲ ଯେ ସିଏ ଯଦି ବିବାହ କରିଥାନ୍ତା ତେବେ ତାର ସ୍ୱାମୀ ଏଭଳି ସେବା କରିଥାନ୍ତା କିମ୍ବା ତାର ଭାଇ ଥିଲେ ଠିକ୍ ଏମିତି କରିଥାନ୍ତା । ମୋତେ ତେବେ କୁହ ତୁମେ କାହିଁକି ଶେଫାଳିକୁ ଏତେ ସାହାଯ୍ୟ କରିବାକୁ ବ୍ୟତିବ୍ୟସ୍ତ ହୋଇପଡିଲ । ତାର ଦୁର୍ଘଟଣା ଶୁଣି ତୁମେ କାହିଁକି ଅତ୍ୟନ୍ତ ଦୁଃଖୀ ହୋଇଗଲା । ଏହାର ଉତ୍ତର ସେଦିନ ବୀରେନ୍ ପାଖରେ କିଛି ନଥିଲା । ସେଇଠି ଶେଫାଳି କହିଛି ଏଇ ହେଉଛି ପ୍ରେମ । ଏହା ପରିପ୍ରକାଶ କରିହୁଏ ନାହିଁ । କାହାକୁ ବୁଝେଇ ହୁଏ ନାହିଁ ଏହା ଅନୁଭବର କଥା । ତୁମର ତୁମ ଗାଁ ଶେଫାଳି ପ୍ରତି ତୁମ ହୃଦୟରେ ଏତେ ଭଲପାଇବା ମାନେ ଏତେ ପ୍ରେମ ଲୁଚିକରି ଅଛି ଯେ ତୁମେ ତାର ଟିକେ ବି କ୍ଷତି ରେ ପୁରା ବିବ୍ରତ ହୋଇପଡୁଛ । ତାର କ୍ଷତି ତୁମର କ୍ଷତି ବେଲି ଅନୁଭବ କରୁଛ । ତାର କଷ୍ଟକୁ ନିଜ ଶରୀରର କଷ୍ଟ ବୋଲି ଅନୁଭବ କରୁଛ । ଏହା ହିଁ ହେଉଛି ପ୍ରେମ । ଏହା ଚିରନ୍ତନ । ଆଉ ଶେଷ କଥା ହେଲା ତୁମେ ମୋତେ ବି ଆଜି ପ୍ରେମ କରିବସିଲଣି । ମୋର ଗୁଣ ତୁମକୁ ବହୁତ ଭଲଲାଗିଲାଣି । ଦେଖିବ କାଲି ମୋ ମନ ଦୁଃଖ ହେଲେ ତମ ମନକୁ ନିଶ୍ଚୟ କଷ୍ଟ ହେବ । ଏହା ହେଉଛି ପ୍ରେମ । ବୀରେନ୍ ର ପିଲା ଦିନର ସନ୍ଦେହ ଆଜି ସତେ ଯେମିତି ନିମିଷକେ ଦୂରେଇଗଲା । ଶେଫାଳି କୁ ନିଜ ଆଡକୁ ଭିଡି ଆଣି କହିଲା ସତରେ ତୁମେ ହିଁ ମୋର ପ୍ରକୃତ ରାଧା । 
            ଆଉ ମୁଁ ତୁମର ସେହି ପ୍ରେମ.................. ।

*******

Odia Story ମା’


ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ମା’

   ଚପଳତାରେ ଛନ୍ଦା ତାର ଜୀବନ । ଆର୍ଜବ ତାର ଆଭୂଷଣ । ଆଟୋପ କେବେ ପାଖ ତାର ମାଡେନି । ଆସ୍ୟରେ ତାର ଆକର୍ଷଣର ଆସବ । ଆଳପ ତାର ଶାଳୀନତାରେ ଆଢ୍ୟ । ଏଣୀ ପରି ଚାହାଣୀ । ଅଦାଗ, ଅଭଙ୍ଗା ସାଧା ଶୁଭ୍ର କାଗଜ ଟେ ପରି ତା’ର ଜୀବନ । ଜନ୍ମରୁ ରାଜ ଉଆସ ପରି ଘରର ଚାନ୍ଦନାରେ ସିଏ ଅଟେ ଚାନ୍ଦ । ଜୀବନର ପ୍ରତିଟି ମୂହୁର୍ତ୍ତକୁ ମନ ଖୋଲି ଉପଭୋଗ କରିଛି । କାହା ମନରେ ସେ କେବେ ବି ଦୁଃଖ ଦେଇନି । ଧନଧାନ୍ୟ ଓ ଆଭିଜାତ୍ୟ ଭରା ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଧନହୀନ ପ୍ରତି ଯଥେଷ୍ଟ ସ୍ନେହ । ଘରର ଚାକର ଚାକରାଣୀ ତା ପାଇଁ ନିଜଠାରୁ ବି ନିଜର । କାହାର ମନ ଉଣା କରିବାକୁ କେବେ ବି ଦିଏନି ।  ସତେ ଯେମିତି ‘ସର୍ବେ ଭବନ୍ତୁ ସୁଖୀନଃ’ ପରି ମହତ୍ତବାଣୀର ମାର୍ମିକତାକୁ ସେ ନିଜ ରକ୍ତରେ ମିଶେଇ ଦେଇଛି । ସେଇଥିପାଇଁ ତ ଘର ଓ ବାଡିବଗିଚା କମରେ ଯେ କେହି ବି କାମ କରିବାକୁ ଆସନ୍ତି ଥରୁଟିଏ ହେଲେ ମିନିକୁ ନଦେଖିଲେ କିମ୍ବା ତା ସାଙ୍ଗରେ କଥା ନହେଲେ କାହାକୁ ଭଲ ଲାଗେନି । ଜେଜେମା’ ନାଁ ଦେଇଥିଲେ ମିନାକ୍ଷୀ ହେଲେ ଗେଲ ବସରର ନାଁ ମିନାକ୍ଷୀରୁ ଆସି ମିନିରେ ପହଞ୍ôଚଗଲା । ନାଁ ସିନା ମିନି ହେଲେ ଦେଖିବାକୁ  ସେ ଗେଡି ନୁହେଁ । ଉଚ୍ଚତା ପାଞ୍ଚ ଫୁଟ୍ ଛଅ ଇଞ୍ଚ ସହିତ ଶରୀରର ଓଜନ ର ଅନୁପାତ ପୁରାପୂରି ଠିକ୍ । ଅନଘ ଅଧରରୁ କଥା ଝରିପଡିଲା ବେଳେ ମୁହଁ ଟି ଆହୁରି ଅନୁପମ ଦେଖାଯାଏ । ସ୍ମିତହସ ତାର ଗହଣା । ସହର ଠାରୁ ଅନତୀ ଦୂରରେ ରାଜ ପ୍ରସାଦ ଭଳି ଘରେ ସେ ରହୁଛି । ସହରର ନାମୀ କଲେଜରେ ଆଜି ସିଏ +୨ବିଜ୍ଞାନର ଛାତ୍ରୀ । ପାଠପଢାରେ ତାର ଅଗାଧ ଅନୁରକ୍ତି । ବାପାମାଆ, ଦାଦାଖୁଡି, ଜେଜେଜେଜେମା, ଭାଇଭଉଣୀ ସମସ୍ତଙ୍କର ସିଏ ଗେହ୍ଲା । ହେଲେ ତା ଚରିତ୍ରର ବୈଚିତ୍ୟ୍ରତା  ଅନନ୍ୟ । ହେତୁ ପାଇଲାଠାରୁ କେବେ ବି କିଶୋରୀ ର ବିଶିଷ୍ଟତାକୁ ସେ ଅନୁଭବ କରିନି । ବରଂ ତାର ଜୀବନ ଐଶୀ ଐଶ୍ୱର୍ଯ୍ୟରେ ପୂର୍ଣ୍ଣ । ଘଣ୍ଟା ଘଣ୍ଟାଧରି ନିଜ ମହଲରେ ଥିବା ପୂଜାଘରେ ବିତେଇ ଜୀବନର ପରମଶାନ୍ତି ସେ ସେଇଠି  ଅନୂଭବ କରେ । ତାର ପୂଜା ପାଠର ତରିକାରେ ପରିବାରର ସମସ୍ତେ ଅଭୀଭୂତ । ବଡିଭୋରରୁ ଉଠି ବଗିଚାରୁ ଫୁଲ ତୋଳିବାଟା ତାର ପ୍ରତିଦିନର ପ୍ରଥମ କାମ ତା ପରେ ଗାଧୁଆ ଓ ଦିଅଁ ପୂଜା । ଦିଅଁ ପୂଜା ପରେ ତାର ପ୍ରାର୍ଥନାରେ ଯେଉଁ ପ୍ରତିଧାନ ତାହା ଯେ କୈାଣସି ମାନବର ପ୍ରାଣକୁ ଦୋହଲେଇ ଦେବ । ବାପା ମାଆଙ୍କର ନିଜ ଝିଅର ଏଭଳି ଆଚରଣରେ ତଳେ ଗୋଡ ଲାଗେନି । ବାପା ତ ନିଜକୁ କୃତ୍ୟକୃତ୍ୟ ମନେ କରନ୍ତି । ମନେମନେ ଭାବନ୍ତି କେଉଁ ଜନ୍ମରେ କି ପୂଣ୍ୟ କରିଥିଲି  କେଜାଣି ଏଭଳି ଲକ୍ଷ୍ମୀ ଟିଏ ମୋ ଔରସରୁ ଭଗବାନ ଏ ଘର ଅଗଣାରେ ଜନ୍ମ ଦେଲେ ।  ମା’ କଥା କିଛି କୁହାଯାଇ ପାରେନା । ସେ ତ ମା’ । ମନରେ ଅସୁମାରି ଗରିମା । ବେଳେ ବେଳେ ଭାବୋନ୍ମଭରେ ଝିଅକୁ ଜାବୁଡି ଧରନ୍ତି ନିଜ ଛାତିରେ । ତାକୁ ଖାଲି ଗେଲ କରି ପକାନ୍ତି । ସତେ ଯେମିତି କୋଳ ଛୁଆକୁ ଗେଲ କଲା ପରି । ହେଲେ ମିନିର ସେଥିରେ କିଛି ଯାଏ ଆସେ ନାହିଁ । ତା ଜୀବନଚର୍ଯ୍ୟ ସେମିତି ଚାଲିଥାଏ ।
   ୟା ଭିତରେ ଷୋହଳଟି ଫଗୁଣ ଆସି ତା ତନୁକୁ ଛୁଇଁ ଗଲାଣି । ହେଲେ ଆଜିପର୍ଯ୍ୟନ୍ତ ସେ କେବେବି କୈାଣସି ଯୁବକ ପ୍ରତି ଆକର୍ଷିତ ହୋଇନି କିମ୍ବା ସେ ଆକର୍ଷଣର ମାଧୂର୍ଯ୍ୟ କୁ ସେ କେବେ ବି ଅନୁଭବ କରିନି । ବାସ  ବୁଝିଛି ଏତିକି, ନାରୀ ଆଉ ପୁରୁଷ ଏ ସମାଜ ଉପରପିଢୀର ସର୍ଜନା ପାଇଁ ଲୋଡା । ସେଦିନ  ମଙ୍ଗଳବାର । କଲେଜ୍‌ରେ ପହଞ୍ôଚ ଗୋଟିଏ କ୍ଲାସ୍ ସରିଗଲା ପରେ ତାର ସବୁଠାରୁ ଅତି ନିଜର ସାଙ୍ଗ ରେଣୁ କହିଛି ମିନି ଚାଲେ ଟିକେ ହପ୍ସିଟାଲ କୁ ଯିବା । ମିନି ଏହାର କାରଣ ପଚାରିବାରୁ ରେଣୁ  କହିଛି ମୋ ଭାଉଜଙ୍କର ଆଜି ଡେଲିଭରିର ଡେଟ୍ ଅଛି, ତେଣୁ ସେ ମେଡିକାଲ୍‌ରେ ଅଛନ୍ତି । ଏକଥା ଶୁଣି ମିନି ମନର ଉତ୍କଣ୍ଠା ବଢିଗଲା । ଦୁଇଜଣ ଚାଲିଲେ ହପ୍ସିଟାଲ୍ । ହପ୍ସିଟାଲ୍‌ରେ ପହଞ୍ôଚ ଭାଉଜଙ୍କ ପାଖକୁ ଗଲା ବେଳକୁ  ଭାଉଜ ଲେବର୍‌ରୁମ୍‌ରେ ଖାଲି ଚିତ୍କାର କରୁଛି । ରେଣୁର ଭାଉଜ ଏଭଳି ଚିତ୍କାର କରୁଥାଏ ଯେ ମିନିର ଅନ୍ତର ଆତ୍ମା ଥରିବାକୁ ଲାଗୁଥାଏ । ସେ ଚିତ୍କାର ର ଶଦ୍ଦ ବେଳକୁ ବେଳ ବଢିବାକୁ ଲାଗିଥାଏ ବରଂ ଥମୁନଥାଏ ।  ସେ ଶଦ୍ଦରେ ଇତସ୍ତ୍ରତଃ ମିନି ସ୍ତବ୍ଧ୍ । ଠିକ୍ ପନ୍ଦର ମିନିଟ୍ ପରେ କୁଆଁ କୁଆଁ ଶଦ୍ଦ ଭାଷିଆସେ ଚିତ୍କାର ବଦଳରେ । ଆନନ୍ଦର ଲହରୀ ଖେଳିଯାଏ ସମସ୍ତଙ୍କ ମନରେ । ରେଣୁ  କୁଣ୍ଡାଇ ପକାଏ ମିନିକୁ । ମୋ ଭାଉଜର ଗୋଟେ ପୁଅ ହୋଇଛି କହି । ଦୁଇଜଣ ଫେରନ୍ତି ହପ୍ସିଟାଲ୍‌ରୁ । ହେଲେ ମିନିର ମନରେ ଏକ ବିରାଟ ପରିବର୍ତ୍ତନ । ଅହରହ ମନରେ ରେଣୁ ଭାଉଜର ସନ୍ତାନ ଜନ୍ମ ଦେବା ସମୟର ଚିତ୍କାର ତାକୁ ଅସ୍ତବ୍ୟସ୍ତ  କରିପକାଉଥାଏ । ବାଟରେ ରେଣୁକୁ ପଚାରିଚି । ଆଚ୍ଛା ରେଣୁ ମା’ ନହେଲେ କଣ ହେବନି । ରେଣୁ କହିଛି ମିନି, ତୁ ଜାଣିନୁ, ମା’ ନହେଲେ ନାରୀ ଜୀବନରେ ସାର୍ଥକତା କିଛି ନାହିଁ । ଜୀବନ ଫିକା ହୋଇଯିବ । ମିନି କହଛି ଯାଇଁଲୁ ରେଣୁ , ତୁ ଏମିତି କହୁଛୁ ସତେକି ତୁ ଥରେ ମା’ ହୋଇ ସାରିଛୁ । ମିନି, ମୁଁ ଥଟ୍ଟା କରୁନି ତୁ ଦେଖିବୁନି ଥରେ ଖାଲି ବାହା ହୋଇଯା, ମୋ କଥା ମନେ ପକେଇବୁ । ରେଣୁ ତୁ ଯଦି ଏମିତି କହୁଛୁ ତାହାହେଲେ ମୁଁ ମା’ ହେବି ଯେ ଭଗବାନ ଏକା ଥରକେ ମୋର ଦୁଇଟି ଛୁଆ ଜାଆଁଳା କରି ଜନ୍ମ ଦେଇଦିଅନ୍ତୁ । ସେଥିରୁ ଗୋଟିଏ ପୁଅ ଆଉ ଗୋଟିଏ ଝିଅ ହେଉ । ଜୀବନରେ ଥରୁଟିଏ ମାତ୍ର ଏ ଗର୍ଭର କଷଣ ସହିବ । ରେଣୁ ହସିଦେଇ କହିଲା ଏମିତି କଣ ତୋ କଥାରେ ହୋଇଯିବ ନା କଣ । ଭଗବାନ ଚାହିଁଲେ ସେମିତି ହୋଇପାରେ । ନଚେତ୍ ନାହିଁ । ମିନି କହିଛି ତାହା ହେଲେ ଠିକ୍ ଅଛି । ଆଜିଠୁ ସେହି ଭଗବାନଙ୍କୁ ଡାକିବି ।
   କିଶୋରୀର ପରିସୀମା ଡେଇଁସାରି ଯୁବତୀ ପଣ ତା ଜୀବନ କବାଟକୁ ଠକ୍‌ଠକ୍ କଲାଣି ହେଲେ ସେ କେବେବି କେଉଁ ତରୁଣର ପ୍ରେମପରଷରେ ବିମୋହିତ ହୋଇନି । ସେ କେବେ ନିଜର ମୁହଁର ସୁନ୍ଦରତା କଳିନି, ଛାତିର ଉଚ୍ଚତା ମାପିନି, କାମନାର ତାତି ଅନୁଭବ କରିନି, କେଉଁ ଯୁବକକୁ ଦେଖି ତାର ହୃଦ୍‌କମ୍ପନ କେବେ ବି ହୋଇନି । ହେଲେ ସେ ପ୍ରେମ କରେ ଭଗବାନଙ୍କୁ, ପ୍ରେମ କରେ ସମସ୍ତ ମଣିଷ ଜାତିକୁ । ପ୍ରେମକରେ ନିଜକୁ । ପ୍ରେମ କରେ ପ୍ରକୃତିକୁ । ବଗିଚାରେ ଥିବା ଫୁଲକୁ, ଉଡିବୁଲୁଥିବା ପ୍ରଜାପତିକୁ । କିନ୍ତୁ ସେ କେବେବି ହିଆକୁ ନେଇନି, ବଗିଚାରେ ଏ ପ୍ରଜାପତି ମାନେ ଏ ଫୁଲରୁ ସେ ଫୁଲ ଉପରେ ଯାଇ କାହିଁକି ବସନ୍ତି । ବାସ୍ ଧରିତ୍ରୀ ର ଏ ମନୋଲୋଭା ବିଚିତ୍ରତା ତାକୁ ଅମାପ ଆନନ୍ଦ ଦିଏ ।
   ହେଲେ ଆଜି ସେ ମାତୃତ୍ୱର ତୃପ୍ତି ଅନୁଭବ କରିବାକୁ କାହିଁଙ୍କି ବ୍ୟଗ୍ର ହୋଇ ଉଠିଛି ସେ ଆଦ୍ୟୈ ବୁଝିପାରୁନି । ପ୍ରାତଃ ପ୍ରାର୍ଥନାରେ ପ୍ରଣିପାତ କଲାବେଳେ ଈଶ୍ୱରକୁ ଡାକେ ହେ ପ୍ରଭୁ ମୁଁ ତ ଅନୂଢା, ହେଲେ ଯେବେ ମୋତେ ସୀମନ୍ତିନିର ଚଉଫାଶରେ ବାନ୍ଧିଦେବୁ, ବାସ୍ ମାତୃତ୍ୱର ସେ ଗର୍ଭକଷଣ ଥରୁଟିଏ ଦେବୁ । ଆଉ ସେ  କଷଣରୁ ଜନ୍ମ ନିଅନ୍ତୁ ଜାଆଁଳା ସନ୍ତାନ-ଗୋଟିଏ ପୁଅ ଅନ୍ୟଟି ଝିଅ । ମା’ ସୀତାଙ୍କ ବିଷୟରେ ଭାବେ । ଲବକୁଶଙ୍କ ବିଷୟରେ ଚିନ୍ତାକରେ । ମନ ଭିତରେ ଉଙ୍କିମାରେ ବାସ୍ ଗୋଟିଏ କଥା । କିପରି ବିବାହ ପରେ ଜାଆଁଳା ପିଲାର ମା’ ହେବି । କଣ ତା ପାଇଁ ବିଧି ବ୍ୟବସ୍ଥା ଅଛି । କିଏ କହି ପାରିବ ୟା ମନ୍ତ୍ର । ମନ, ପ୍ରାଣ ଓ ଆତ୍ମାରେ ଭଗବାନଙ୍କୁ ପ୍ରାର୍ଥନା କରେ । 
   ଦିନେ କଲେଜ୍‌ରୁ ନିଜ ସ୍କୁଟିରେ ଫେରୁଥିବା ସମୟରେ ରାସ୍ତାରେ ଗାଡିର କାହିଁକି ଷ୍ଟାର୍ଟ ବନ୍ଦ ହୋଇ ଯାଇଛି । ଗାଡିଟିକୁ ଗଡେଇ ରାସ୍ତା କଡରେ ଥିବା ଏକ ପରିବା ଦୋକାନ ସାମନାକୁ ଆଣିଛି ଓ ଛିଡା ହୋଇଛି । ପରିବା ଦୋକାନୀ ମନେମନେ ଭାବିଛି, ମ୍ୟାଡାମ୍ ବୋଧେ କିଛି ପରିବା କିଣିବେ । ମ୍ୟାଡାମ୍ କଣ ନେବେ ଆଜ୍ଞା । ନାଇଁ ନାଇଁ କିଛି ନେବାରେ ନାହିଁ । ଗାଡିଟା ଷ୍ଟାର୍ଟ ବଳ ହୋଇ ଗଲାତ, ସେଇଥି ପାଇଁ ଅଟକି ଗଲି । ପରିବା ଦେକାନୀଟି କହିଛି, ମ୍ୟାଡାମ୍ ସାହାଯ୍ୟ କରିବି କି । ମିନି କିଛି ନ କହି ଟିକେ ନୀରବ ରହିଛି । ପରିବା ଦେକାନୀ ଆସି ଷ୍ଟାର୍ଟ କରିଛି । ତଥାପି  ଷ୍ଟାର୍ଟ ହୋଇନି । ଦେଖିଲା ବେଳକୁ ଗାଡି ରିଜର୍ଭ ଲାଗିଜାଇ ଥିବାରୁ ଗାଡି ଷ୍ଟାର୍ଟ ହେଉନି । ପରିବା  ଦୋକନୀଟି କହିଛି ମ୍ୟାଡାମ୍ ଜମା ବ୍ୟସ୍ତ ହୁଅନ୍ତୁନି । କିଛି  ହୋଇନି । ଗାଡି ରିଜର୍ଭ ଲାଗିଥିବାରୁ ଷ୍ଟାର୍ଟ ବନ୍ଦ ହୋଇଯାଇଛି । ସତକୁ ସତ ତେଲ ଚାବି ଟି ରିଜର୍ଭକୁ ମୋଡି ଦେବାରୁ ଗାଡିଟି ଷ୍ଟାର୍ଟ ହୋଇଯାଇଛି । ମିନି ଖୁସି ହୋଇଯାଇଛି । ଗାଡି ଷ୍ଟାର୍ଟ ବନ୍ଦ କରି ଟିକେ ଛିଡା ହୋଇଛି । ପରିବା ଦୋକାନୀ ତା ଦୋକାନରେ ଯାଇ  ବସିଛି । ଦୋକାନୀର ବୟସ  ପ୍ରାୟ ୪୫ ହେବ ।  ଚେହେରାରେ ଅଳ୍ପ ଟିକେ ଯୁବସୁଲଭ ଲକ୍ଷଣଥିଲେ ହେଁ ସେ ଭାବ ଆଉ ନାହିଁ । ମିନି ଦୋକାନରେ ଥିବା ସବୁ ପରିବାକୁ ଟିକେ ଅନେଇଛି । ନଜର ପଡିଛି ଗୋଟିଏ କଦଳୀ କାନ୍ଦୀରେ । ଆଶ୍ଚର୍ଯ୍ୟ ଭାବେ ସେ ପାଇଛି କଦଳୀର ଗୋଟିଏ ଫେଣାରେ ଜାଆଁଳା କଦଳୀ । ତନ୍ମୟ ସେ ଜାଆଁଳା କଦଳୀକୁ ଦେଖି । ମନେମନେ ଭାବିଛି ମିନି । ଯଦି ପ୍ରକୃତି ଏ କଦଳୀଟିକୁ ଜାଆଁଳା କରି ଗଢିଛି ତେବେ ଏ ଜାଆଁଳା କଦଳୀ ଖାଇଲେ ଜାଆଁଳା ପିଲାର ମାଆ ହେବାର ସମ୍ଭାବନା ନିଶ୍ଚୟ ବଢିଯିବ । ଚିନ୍ତା କରିଛି ଆଜିଠାରୁ ତାକୁ ଯେଉଁଠି ଯେଉଁ ଜାଆଁଳା ପରିବା ଅବା ଜାଆଁଳା ଫଳ ହେଉ, ମିଳିଲା ମାତ୍ରେ ତାକୁ ଖାଇବ । କହିଛି ଆଜ୍ଞା ମୋର ସେ ଜାଆଁଳା କଦଳୀ ଫେଣାଟା ଦରକାର । ଦୋକାନୀ ଟିକେ ଆଶ୍ଚର୍ଯ୍ୟ ହୋଇଯାଇଛି । ଲୋକମାନେ ତ ଯାଆଁଳା ପରିବା ନେବାକୁ ଭଲପାଆନ୍ତିନି ହେଲେ ଏ ତ ବଚିତ୍ର ଝିଅ । ମିନି ପଚାରିଛି କେତେ ଟଙ୍କା ଦେବି । ଦୋକାନୀ କହିଛି ୨୦ଟଙ୍କା । ମିନି ୨୦ଟଙ୍କିଆ ନୋଟ୍ ଟେ ବଢେଇ ଦେଇଛି । କହିଛି ମଉସା ଆପଣ ମୋତେ ଯଦି ସବୁଦିନ ଏମିତି ଯାଆଁଳା ପରିବା ଦେବେ ମୁଁ କିଣିନେବି । ଦୋକାନୀ ଆଶ୍ଚର୍ଯ୍ୟ ହୋଇ ହଁ ଭରିଛି, ହେଲେ ପଚାରିପାରିନି ଏହାର କାରଣ ।
   ଜାଆଁଳାର ଜନନୀ ହେବା ନିଶାରେ ସେ ଆଜି ପୁରାପୁରି ନିମଗ୍ନ । କି ଅଦ୍‌ଭୁତ ଚିନ୍ତା ଧାରା । କୁଆଁରୀ ବୟସରଙ୍କ  ଝିଅ ମାନେ ଭାବନ୍ତି ନିଜ ମନର ମଣିଷ କଥା । କିଏ ସ୍ୱପ୍ନରେ ଦେଖେ ଅପ୍ସଷ୍ଟ ଛବି ତ କିଏ ପୁଣି ବସିଲା ଠେଇଁ ଭାବିଚାଲେ ମନର ମଣିଷ ସହିତ ଅନ୍ତରଙ୍ଗ ଆଳାପ ଆଉ ସେ ସଂପର୍କର ଲ୍ୟୈକିକ ଅନୁଭୁତିକୁ । ହେଲେ ମିନି କ୍ଷେତ୍ରରେ ଏଭଳି ଭାବନାରେ ନାଁ ଗନ୍ଧ ହିଁ ନାହିଁ । ‘ମୂଳରୁ ମାଇପ ନହେଉଣୁ ପୁଅ ନାଁ ଗୋପାଳିଆ’ ଭଳି ଶୟନେ ସ୍ୱପନେ ଜାଗରଣେ ବିବାହ ପରେ ଜାଆଁଳାର ଜନନୀ ସୁଖ । ଆଗଭଳି ତା ଚାଲି ଚଳନରେ ଥିବା ଚପଳତା ଟିକେ ବଦଳିଗଲା ପରି ମନେ ହେଲାଣି । ଏବେ ଯେଉଁଠି ବସୁଛି ନଥ କିନା ବସିପଡି ହଜିଯାଉଛ ସେହି ଅଣଦେଖା ରାଇଜରେ । ଗର୍ଭରେ ଜାଆଁଳା ଛୁଆକୁ ଧରି ବୁଲି ମାତୃତ୍ୱର ସେ ଅବ୍ୟକ୍ତ ଆନନ୍ଦ କୁ ଭରପୁର ଉପଭୋଗ କରିବ । ସତେ ଯେମିତି ଏବେ ତାର ସ୍ୟୈକୁମାର୍ଯ୍ୟ ଉନ୍ମୀଳିତ ହେବାକୁ ଉଦ୍ୟତ ହେଲାଣି । ଅଳସପଣ ମନରେ ଟିକେଟିକେ ବସା ବାନ୍ଧିବାକୁ ଲାଗିଲାଣି । ନିଜ ଦେହ ଆଉ ମୁହଁକୁ ବାରମ୍ବାର ଦର୍ପଣ ସାମନାରେ ପରଖିଲାଣି । କଲେଜ୍ ଯିବା ସମୟରେ ଆଗଭଳି ମାଦକତା ଆଉ ନାହିଁ । ମନ ଭିତରେ ଅସୁମାରି ସ୍ୱପ୍ନ କୁ ଚାପିରଖିଲା ପରି ସବୁବେଳେ ମନେ ହେଲାଣି । ପ୍ରତିଦିନ କଲେଜ୍‌ରୁ ଆସିବା ସମୟରେ ଜାଆଁଳା ପରିବା ଓ ଫଳମାନ ଯାହା ମିଳେ ତାକୁ ଆଣି ତା ମା’କୁ ଦେଇଦିଏ ଆଉ କହେ ମା’ ମୁଁ ଏ ଜାଆଁଳା ପରିବା ଆଉ ଫଳ ସବୁ ଖାଇବି । ଦିନେ ହଠାତ୍ ତା ମା’ ତାକୁ ପଚାରିଛି ଆରେ ଚଗଲି, ଏସବୁ ଜାଆଁଳା ପରିବା ଆଉ ଫଳ ଖାଇଲେ କଣ ହେବ । ମୁଁ କାହିଁ ମୋଟେ ବୁଝି ପାରୁନି । କହିଲା ମା’ ମୋତେ ତ ଭଲଲାଗୁଛି ଆଉ ତୁ କାହିଁ ଏହାର କାରଣ ପଚାରୁଛୁ ଯେ । ମୁଁ ଖାଇଲେ କଣ ତୋତେ ଭଲ ଲାଗିବନି । ନାହିଁ ନାହିଁ ତୁ ଖାଉନୁ ଖା । ସେହି ଦିନ ଠାରୁ ତା ମା’ ବି ତାକୁ ଆଉ ପଚାରେନି କି ଘରେ ଏ ଅନୋଖା ଲକ୍ଷ୍ୟଣ ବିଷୟରେ କାହାକୁ କୁହେ ନାହିଁ । 
   ଦିନ ଗଡିଚାଲେ । କୋଡିଏ ବର୍ଷ ବୟସ ହୋଇଯାଏ । ତା ମା’ ତାର ବାପାଙ୍କୁ କହି ପାଖ ସହରରେ ଗୋଟିଏ ସୁନ୍ଦର ବର ଯୋଗାଡ କରିସାରିଲାଣି । ଯେଉଁ ଜ୍ୱାଇଁ ଠିକ୍ କରନ୍ତି ସେ ଆସେ ମିନିକୁ ଦେଖିବା ପାଇଁ । ମିନିକୁ ଓ ମିନି ଘରର ସ୍ଟାଟସ୍ କୁ ଯେ କେହି ଦେଖୁନା କାହିଁକି ସମସ୍ତେ ରାଜି ହେବେ ତାକୁ ବାହା ହେବାକୁ । ବିବାହର ମଧ୍ୟ ଧୂମ୍‌ଧାମ୍‌ରେ ସରିଯାଏ । ମିନି ଆଉ ତା ସ୍ୱାମୀ ଅବିନାଶ ରୁହନ୍ତି ପାଖ ସହରରେ । ମିନି ଶିକ୍ଷାରେ କେବଳ ନୁହେଁ ଦୀକ୍ଷାରେ ଭି ଥିଲା ଭୂଷିତା । ତେଣୁ ପତିକୁ ପରମେଶ୍ୱରର ଦର୍ଜା ସେ ନିଜ ହୃଦୟ ଭିତରେ ଦେଇଥାଏ । ଚତୁର୍ଥୀ ରାତିରେ ପ୍ରଥମ ମିଳନରେ ସେ ତାର ମନର କଥା ସବୁ ଖୋଲିକି ଯେତେବେଳେ ଅବିନାଶ କୁ କହିଦିଏ, ଅବିନାଶ ଠୋଠୋ ହୋଇ ହସେ । ସେ ତ ବୈଜ୍ଞାନିକ । ଏଭଳି ଅନ୍ଧ ବିଶ୍ୱାସରେ ସେ ବିଶ୍ୱାସ ବା କରିବ କେମିତି । ହେଲେ ବିସ୍ତୀର୍ଣ୍ଣମନା ସେ । ଚିନ୍ତା କଲା, ଏ ବି ଜୀବନରେ ଏକ ଗବେଷଣା । ମିନି ଟିକେ ନରମି ଯାଇ କହିଲା ତୁମେ ମୋ କଥାରେ ହସୁଛ କାହିଁକି । ସତ ହୋଇ ନପାରେ ଏ କଥା, ହେଲେ ମୋ ମନରେ ବିଶ୍ୱାସତ ଅଛିନା । ଅବିନାଶ କହିଛି ହଉ ହଉ । ମୁଁ ନିଶ୍ଚୟ ପ୍ରତିଦିନ ତୁମପାଇଁ କେଉଁଠୁନା କେଉଁଠୁ ଜାଆଁଁଁଳା ପରିବା ଓ ଫଳ ଆଣିବି । 
   ଏମିତି ସମୟ ଗଡିଚାଲେ । ମିନି ହୁଏ ଗର୍ଭବତୀ । ପ୍ରତିଦିନ ଅବିନାଶ ପ୍ରତିଦିନ ଜାଆଁଳା ପରିବା ଓ ଫଳ ମିନି ପାଇଁ ନେଇକରି ଆସେ । ମିନିର ଖୁସି କହିଲେ ନସରେ । ଅବିନାଶ ପାଖରେ ରହିବା ପରେ ବି ସେମିତି ସକାଳୁ ଭଗବାନଙ୍କୁ ପୂଜା କରିବା ଆଗଭଳି ଚାଲିଥାଏ । ହେଲେ କଥାରେ ଅଛି ମଣିଷ ଯାହା ଭାବେ ଭଗବାନ ଆଉ ଅଲଗା କଣ କରନ୍ତି । ମିନି ଗର୍ଭରେ ଜାଆଁଳା ସନ୍ତାନ ପରିବର୍ତ୍ତେ ତିନୋଟି ସନ୍ତାନ ଭରିଦିଅନ୍ତି ଯେଉଁଥିରୁ ଗୋଟିଏ ଝିଅ ଓ ଅନ୍ୟ ଦୁଇଟି ପୁଅ । ଅବିନାଶ ଡକ୍ଟର ପାଖରେ ମିନିର ଭଲଭାବରେ ଟ୍ରିଟ୍‌ମେଣ୍ଟ୍ କରିଚାଲେ । ଯେତେବେଳେ ଗର୍ଭ ଆସି ଛ’ ମାସର ହୁଏ ଅବିନାଶ ଡକ୍ଟର ପାଖରେ ମିନିର ଅଲ୍ଟ୍‌ାସାଉଣ୍ଡ୍ କରାନ୍ତି । ଡକ୍ଟର ମିନି ଗର୍ଭରେ ତିନୋଟି ସନ୍ତାନ ଦେଖନ୍ତି ଓ ଅବିନାଶ କୁ ଜଣାନ୍ତି । ଅବିନାଶର ଆଶ୍ଚର୍ଯ୍ୟ ହେବାର ସୀମା ରହେନାହିଁ । ସେ ଯେତେବେଳେ ଏକଥା  ମିନିକୁ ଜଣାଏ ମିନି ନିଜକୁ ବିଶ୍ୱାସ କରିପାରେନି । ଘରକୁ ଫେରି ଖଟ ଉପରେ ଶୋଇପଡି ପେଟଉପରେ ହାତ ବୁଲେଇ ନିଜକୁ ଟିକେ ଭୟଭିତ ମନେକରେ ।  ରେଣୁ ଭାଉଜର ସେ ପ୍ରସବ ସମୟର ଚିତ୍କାର ତା ମନକୁ ଖିନ୍‌ଭିନ୍ କରିବାରେ ଲାଗେ । ହେଲେ ଅବିନାଶର ଭଲପାଇବା ଓ ଯତ୍ନରେ ସେ ସବୁ ଭୟକୁ ଭୂଲିଯାଏ । ବେଳେବେଳେ ଦିଅଁଙ୍କ ପାଖରେ ବସି ମନେମନେ କହିଉଠେ, ପ୍ରଭୂ ତୁମେ ସତରେ ମହାନ୍ ଆଉ ବିଚିତ୍ର । ମାଗିଥିଲି ଦୁଇଟା ହେଲେ ତୁମେ ଦେଲ ତିନିଟା । କିନ୍ତୁ ସେମାନଙ୍କର ଦାୟୀତ୍ୱ ତୁମେ ନିଅ ପ୍ରଭୁ ।
   ଗର୍ଭ ଆସି ନଅ ମାସରେ ପହଞ୍ଚେ । ପେଟରେ ପିଲା ତିନୋଟି ଅତି ଯତ୍ନର ସହ ବଢି ଚାଲିଥାଆନ୍ତି । ଦିନକର କଥା ରାତି ଆସି ନିର୍ଜନତାରେ କବଳିତ ହେଲାଣି । ଅବିନାଶ ଶୋଇ ଧୀରେଧୀରେ ଘୁଙ୍ଗୁଡି ମାରୁଥାଏ । ମିନିର ଆଖିକୁ ନିଦ କାଇଁ ଆସିନି । ସେ ଉଠିପଡି ଖଟର ବାଡକୁ ଆଉଜିକି ବସି ନିଜ ପେଟ ଉପରେ ନିଜର ଡାହଣ ହାତର ପାପୁଲିକୁ ଧୀରେଧୀରେ ବୁଲାଉଥାଏ । ହଠାତ୍ ପେଟ ଭିତରେ ସବା ସାନ ଭାଇଟି ଦୁଷ୍ଟାମି କରିବା ଆରମ୍ଭ କରିଦେଇଛି । ମା’ର ପେଟକୁ ଗୋଇଠା ମାଡ ଦେବା ଆରମ୍ଭ କରି ଦେଇଛି । ବଡ ଭଉଣୀ ବିରକ୍ତି ହୋଇ କହିଛି କାହିଁକି ସେମିତି ହେଉଛୁ । ତୁ ଭାଇ ଭଳିଆ ହେଉନୁ । ଦେଖିଲୁ ଆମ ମା’ କେତେ କଷ୍ଟ ପାଉଥିବ । ହଠାତ୍ ସବା ସାନ ଭାଇଟି ପଚାରି ବସିଛି, ଅପା ଏ ମା’ କଣ? ମା’ ଆମର ସବୁ କିଛି । ମା’ ତ ଆମକୁ ଏ ସଂସାରକୁ ଆଣିବ । କେତେ ଶାନ୍ତ କେତେ ସୁନ୍ଦର ସେ । ଆମ ତିନିଜଣଙ୍କୁ ଖୋଇବା ପାଇଁ ତିନିଟା ନାଡି ଆମ ମାନଙ୍କ ନାହି ସହିତ ଯୋଡିକି ରଖିଛି । ତୁ  ଗୋଇଠା ମାରୁଛୁ । ତାକୁ କେତେ କଷ୍ଟ ହେଉଥିବ କହିଲୁ । ତଥାପି ସେ କାହାକୁ କିଛି କହୁନି । ଯେଉଁ କାମ ବି କରୁଛି ବହୁତ ଧୀରେଧୀରେ କରୁଛି । ଏତେ ସନ୍ତର୍ପଣ ରେ କରୁଛି ଯେ ଯେମିତି ଆମ ଦେହରେ ଟିକେ ହେଲେ ବି ଆଘାତ୍ ନ ଲାଗୁ । ସବୁ ଦୁଃଖକଷ୍ଟକୁ ନିଜେ ସହିଯାଉଛି । ଆମପାଇଁ କେତେ ପ୍ରକାର ଫଳ, ପନିପରିବା କ୍ଷୀର ସେ ଖାଉଛି  କହିଲୁ । କେତେବେଳେ ଆମ ପାଟିକୁ ଟିକେ ମଧୁର ସ୍ୱାଦ ଦବାପାଇଁ କେତେ ପ୍ରକାର ପିଠା ଆଉ ମିଠା ଖାଉଛି । ଆମେ ଗୋଇଠା ମାରିଦେଲେ ତା ପେଟକୁ, ପେଟର ଯନ୍ତ୍ରଣାକୁ ସେ କାହାକୁ କହୁନି । ସବୁ ଖୁସିରେ ସହିନଉଛି । ନିଜ ପାପୁଲିର କୋମଳ ସ୍ପର୍ଶରେ ପେଟ ଉପରେ ଯେତେବେଳେ ହାତ ବୁଲେଇ ନଉଛି କହିଲୁ କି ଆନନ୍ଦ, କି ପରମ ଶାନ୍ତି ମିଳୁଛି । ଖରାକୁ ବେଶୀ ଯାଉନି, କାମ ବେଶି କରୁନି । ସବୁ କିଛି ଆମରି ପାଇଁ । ନିତି ପୂଜାଘରେ ବସି ପ୍ରାର୍ଥନା କରୁଛି ଆମରି ପାଇଁ । କହୁଛି ହେ ପ୍ରଭୁ, ମୋ ପିଲା ମାନଙ୍କୁ ଭଲରେ ଜନ୍ମ ଦେଇଦେ । ଟିକେ ଭାବିଲୁ, ଆମେ ଯେତେବେଳେ ଏ ପେଟ ଭିତରୁ ବାହାରିବା ମା କୁ କି କଷ୍ଟ ନହେବ । ସେତ ଯନ୍ତ୍ରଣାରେ ଛଟ୍‌ପଟ୍ ହେବ । ଏ ସବୁ କାହାପାଇଁ । ଆମେ ତ ତାର କିଛି କରୁନେ । ତାର ଦୁଃଖରେ ଆହା ପଦେ ବି କହୁନେ । ହେଲେ ଦେଖିଲୁ ପ୍ରତି ମୂହୁର୍ତ୍ତରେ ସେ ଆମରି ଚିନ୍ତାରେ ବ୍ୟଥିତ । କି ନିସ୍ୱାର୍ଥପର ସେବା ତାର । ସତରେ ଆମ ମା’ ଭଳି କେହି ହେବେନି । ସାନ ପିଲାଟି କହି ଉଠିଛି ଅପା, ମୁଁ ତ ଆଉ କିଛି ଏ ମା’ ବିଷୟରେ ଭାବୁଥିଲି । ଭାବୁଥିଲି ଆମକୁ ଏ ପେଟ ଭିତରଟାରେ କାହିଁକି ଛଟ୍‌ପଟ୍ କରି ରଖିଛି ।  ବାହାରକୁ କାହିଁକି ଛାଡୁନି । ହେଲେ ତୋ କଥାତ ସତ । ଆରେ ବୋକା, ତୁ ସିନା ମା’ ପେଟରେ ରହି ବଡ ହେବାରୁ ବାହାରକୁ ଯିବାକୁ ଚାହୁଁଛୁ । ଯଦି ତୁ ମା’ ପେଟରେ ନ ହୋଇଥାନ୍ତୁ, କଣ ଏ କଥା ଭାବି ପାରିଥାନ୍ତୁ । ତା ପରେ ମା’ ଆମକୁ ଆମର ଠିକ୍ ସମୟ ହେଲେ ବାହାରକୁ ଛାଡିଦେବ । ହଉ, ତଥାପି ଯଦି ମା’ କଣ ବୋଲି ଜାଣିବାକୁ ଚାହୁଁଛୁ, ମୁଁ ତୋତେ ଜଣେଇବି । ବେଳେବେଳେ ବାପା ରାତିରେ ଶୋଇଲା ସମୟରେ ମା’କୁ ବହୁତ ଭଲ କଥା ସବୁ କହନ୍ତି । ଯଦି କେଉଁଦିନ ମା’ ବିଷୟରେ କହିବେ ମୁଁ ତୋତେ ନିଶ୍ଚୟ କହିବି ଶୁଣିବାକୁ ।
   ସତକୁ ସତ ତାର ଦୁଇଦିନପରେ ରାତିରେ ଶୋଇଲା ବେଳକୁ ଅବିନାଶ ମିନିକୁ ଗୋଟିଏ ଖବର କାଗଜଟେ ଆଣି ମା’ ବିଷୟରେ ଲେଖାଟିଏ ପଢି ଶୁଣାଇବାକୁ ଆରମ୍ଭ କରିଛି । ପେଟ ଭିତରେ ଝିଅଟି ସାନଭାଇକୁ ଧ୍ୟାନ ଦେଇ ଶୁଣିବାକୁ କହିଛି । ଅବିନାଶ ପଢିଚାଲିଛି ।         
   ଧରିତ୍ରୀ ପରି ଯେ ବିନା ପ୍ରତିବାଦରେ ସବୁ ସହିଯାଏ ସେ ହେଉଛି ମା’ । ମା’ର ମମତାର ପଟ୍ଟାନ୍ତର ନାହିଁ । ମା ସ୍ନେହର ସାଗର, କରୁଣାର ମନ୍ଦିର, ପ୍ରୀତିର ସ୍ୱର୍ଗର୍ । ତା’ ସେବାରେ ସ୍ୱାର୍ଥ ନଥାଏ । ତା’ କୋଳ ହେଉଛି ଶିଶୁ ପାଇଁ ସଂସାରରେ ନିର୍ଭୟର ଆଳୟ । ପିଲା ନଖାଇଲେ ମା’ କୁ ଭୋକ ଲାଗେନି । ସନ୍ତାନ ଆଖିରୁ ଲୁହ ଦେଖିଲେ ତା ହୃଦୟ କୋହରେ ଆକଣ୍ଠ ହୁଏ । ତା ଛୁଆଦେହର ଧୂଳି ତା ପଣତକାନୀର ଚନ୍ଦନ । ତା’ ପୁଅ ଦୌଡୁଦୌଡୁ ଝୁଣ୍ଟି ପଡିଲେ ତାକୁ ଉଠେଇଦେଇ ତାଗିଦ୍ କରେ ସିନା କିନ୍ତୁ ମନେମନେ ଭଗବାନଙ୍କୁ ପ୍ରାର୍ଥନା କରେ ମୋ’ ପୁଅ ଜଗତରେ ସମସ୍ତଙ୍କଠାରୁ ଆଗରେ ଦୌଡୁ । ପିଲା ଶରୀରକୁ ଆଘାତ ଲାଗିଲେ ତା’ର ଆତ୍ମାକୁ ପୀଡାହୁଏ । ପିଲାଟି ଯେତେ ଅସୁନ୍ଦର ହେଉନା କାହିଁଙ୍କି ତା ମା’ ଆଖିରେ ଏ ବିଶ୍ୱରେ ସେ ସବୁଠାରୁ ସୁନ୍ଦର । ନିଜ ସନ୍ତାନର ଯେତେ ଭୂଲ୍ ଥିଲେ ବି ମା’ ସେ ଭୁଲ୍‌କୁ ମାନିବାକୁ ପ୍ରସ୍ତୁତ ନୁହେଁ । ଦୋଷ ଦିଏ ଅନ୍ୟକୁ । ପିଲାର ଦେହ ବିଗିଡି ଗଲେ ହଜିଯାଏ ନିଦ ମା’ର । ସାରାରାତି ଅନିଦ୍ରା ହୋଇ ବସି ରହେ ପିଲା ପାଖରେ ତା ସେବାରେ । ମା’ । ମା’ ତୁଲ କେହି ନାହିଁ, କେହି ନଥିଲେ ବି କେହି ହୋଇପାରିବେନି ଏ ଧରା ବକ୍ଷରେ ।
   ଅବିନାଶର ପଢା ସରଯାଇଛି । ମିନି ନିଜ ହାତର ପାପୁଲିକୁ ଆଣି ନିଜ ପେଟ ଉପରେ ବୁଲେଇ ଆଣିଛି । ମାତୃତ୍ୱର ଆନନ୍ଦରେ ସେ ଅଭିଭୂତ ହୋଇପଡିଛି । ଝିଅଟି କହିଛି ଆରେ, ଶୁଣିଲୁଟି ମା’ କଣ । ହେଲେ ମୁଁ ତୋତେ ଆଉ ଗୋଟେ କଥା କହୁଛି ଶୁଣ । ମା’ ର ପ୍ରକୃତରେ ନିର୍ଦ୍ଧିଷ୍ଟ ସଂଜ୍ଞା ନାହିଁ । ମା’ ଏକ ଶୂନ୍ୟତା । ମା’ର ବିଶାଳତା ସୀମାହୀନ । ମା’ କୁ କଳିହେବନି କି ତଉଲି ହେବନି । ଏ ଜୀବନର ସର୍ଜନା ମା’ ସର୍ବସ୍ୱ । ମିନି ଆଖିରେ ନିଦ ମାଡି ଆସିଛି । ତିନିହେଁଯାକ ବି ନିଦେଇଯାଇଛନ୍ତି ।

*******

Friday 27 March 2020

Odia Story ଅଯୋଗ୍ୟ ପୁଅ

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ଅଯୋଗ୍ୟ ପୁଅ

     ଅଯୋଗ୍ୟ ! ଅକାଳ କୁଷ୍ମାଣ୍ଡ । କୁଳାଙ୍ଗାର । ତୋତେ ଟିକେ ଲାଜ ଲାଗୁନି । ଆରେ ! ଆମ ପାଇଁ  ନହେଲେ ନାହିଁ ନିଜ ପାଇଁ ନିଜ ଭବିଷ୍ୟତ କଥା ଟିକେ ଭାବୁନୁ । ନିଜର ବଡ ଭାଇ ସହିତ ଟିକେ ନିଜକୁ ତୁଳନା କରୁନୁ । ଜୀବନର ଅର୍ଥ ଏମିତି ଫୁଲା ଫାଙ୍କାଡିଆ ନୁହେଁ । ଜୀବନକୁ ଜାଣିବାକୁ ଚେଷ୍ଟା କର । ସମ୍ମାନର ସହିତ ସମାଜରେ ବଞ୍ଚିବାକୁ ହେଲେ ସ୍ୱାବଲମ୍ବୀ ହେବା ନିହାତି ଆବଶ୍ୟକ । କଣ କରିବୁ ତୁ? କହିଲେ ନାହିଁ, ବୋଇଲେ ନାହିଁ, ହରଦମ୍ ଖେଳ, ସେ ଛତରା ପିଲାଙ୍କ ସାଥୀରେ ବୁଲିବୁଲି ନିଜ ଜୀବନକୁ ଖିନି୍‌ଭିନ୍ କରିସାରିଲାଣୁ । ତୋତେ ଗାଳି ଦେବାକୁ ଆଉ ମୋ ଜିଭ ଲେଉଟୁନି । ଆରେ ଏ ବୟସରେ ଆଉ କେତେ ଦିନ ତୁମ ମାନଙ୍କ ପାଇଁ ବିଲରେ ଖଟିଖଟି ମରିବି । ଟିକେ ଚିନ୍ତା କର । ଭଗବାନଙ୍କ ଦୟାରୁ ତୋ ବଡ ଭାଇଟି କୁଳରେ ଲାଗିଗଲା । ହେଲେ ତୁ ତୋ ଜୀବନକୁ କେମିତି ବିତେଇବୁ । ମୋରି ପରି ବିଲରେ ଆଣ୍ଠୁ ପକେଇବୁ ଆଉ ପରିବା ବେପାର କରିବୁ ନା କଣ? ଏମିତି ଗାଳି ଦେଉଦେଉ ଶରତ ନିଜକୁ ନିଜେ ଅଭାଗା ମନେ କରି ବିରକ୍ତିରେ ସେ ଘର ପରିତ୍ୟାଗ କଲା ।
      ଘର ଭିତରେ ସେମିତି ଖୁଣ୍ଟାଙ୍କ ଭଳି ଛିଡା ହୋଇଥାଏ ସତ୍ୟ । ମନ ଭିତରେ ଅଜସ୍ର ପରିତାପ । ସେ ଜାଣେ ତା’ ବାପା ତା’ ଭଲ ପାଇଁ ଗାଳି ଦେଉଛନ୍ତି । ଆଜି ତା’ର ବଡ ଭାଇ କାନ୍‌ପୁର ଆଇ.ଆଇ.ଟିରେ କେମିକାଲ ଟେକ୍ନୋଲୋଜିରେ ବିଟେ୍‌କ ତୃତୀୟ ବର୍ଷ ପଢୁଛି । ସେ ବାପାଙ୍କର ମାନସମ୍ମାନ, ସାମାଜିକ ମର୍ଯ୍ୟାଦା ସବୁକିଛି ଆଶାତୀତ ଭାବେ ଉପରକୁ କରିଦେଇଛି । ସେ ତ ଆଉ ଦୁଇବର୍ଷପରେ ଏକ ବହୁତ ବଡ ଚାକିରୀ କରି ତା ଜୀବନ ନିଶ୍ଚୟ ଗଢିବ । ଏ ଘରର ମର୍ଯ୍ୟାଦା ସେ । ଏ କୂଳର ରତ୍ନ । ବାପାବୋଉଙ୍କ ଛାତି ଆଜି ତା’ଲାଗି କେତେ ଯେ ଚଉଡା ସେ ଭଲ ଭାବରେ ବୁଝିଛି । ମନ ଭିତରେ ଜମାଟ ବାନ୍ଧି ଆସୁଥିବା ଅସୁମାରୀ ଲୁହକୁ ଆଖି ଭିତରେ ହିଁ ଲୁଚେଇ ଦେବାକୁ ସତ ଚେଷ୍ଟା କରୁଥାଏ । ଏହି ସମୟରେ ହଠାତ୍ ଘର ଭିତରକୁ ପସି ଆସେ ବୋଉ । କାହିଁ ସେଠି ଠିଆ ହୋଇଛୁ । ତୋର ଏ ବୟସରେ ତୋତେ ବିରକ୍ତି ହେବା ଓ ଗାଳିଦେବାଟା ତୋ ବାପାଙ୍କୁ କଣ ଭଲ ଲାଗୁଥିବ ବୋଲି ଭାବୁଛୁ ନା କଣ । ଏଠି ତୋତେ ଗାଳି ଦେଇଦେଇ ଗଲେ ଯେ ରାତି ଯାକ ତୋରି କଥା ହିଁ ଭାବୁଥିବେ । ସେ ଚାହାନ୍ତି ତୁ ବି ଜଣେ ବଡ ମଣିଷ ହୋଇ ଭଲରେ ଘର ସଂସାର କର । ବହୁତ ଖୁସିରେ ରହ । ତାଙ୍କ ଭଳି ଜୀବନରେ ଦୁଃଖ ତୁ ନ ଦେଖେ । ସବୁବେଳେ ଏଇ କଥା ଭାବି ବସନ୍ତି । ତୁ ଯଦି ତାଙ୍କ ଭଳି ବିଲରେ ଖରାରେ ଖଟିବୁ ଆଉ ହାଟରେ ଯାଇ ପରିବା ବିକ୍ରି କରିବୁ ସେ ବରଦାସ୍ତ କରିପାରିବେନି । ଗୋଟିଏ ପୁଅ ଜଣେ ଯନ୍ତ୍ରୀ ଭାବରେ ଯେତେବେଳେ ସମାଜରେ ଚଳିବ ସେତେବେଳେ ତା’ର ତଳଭାଇକୁ କିପରି ସେ ତାଙ୍କ ଭଳି ଖରାରେ ଖଟୁଥିବାର ଦେଖି ସହି ପାରିବେ କହୁନୁ । ସେଇଥିପାଇଁ ସେ ଭବିଷ୍ୟତର ତୋ ଆସନ୍ନ ଦୁଃଖକୁ ସମ୍ଭାଳି ନପାରି ରାଗି ଯାଉଛନ୍ତି । ତୁ ଏବେ କହ ତୋର ଭବିଷ୍ୟତ କେଉଁ ବାଟ ଦେଇଯିବ । ଦଶମ ପରୀକ୍ଷାରେ ଥରେ ଫେଲ୍ ହୋଇ ସପି୍ଲମେଟାରି ପରୀକ୍ଷାରେ ଥାର୍ଡ ଡିଭିଜନ୍‌ରେ ପାସ କଲୁ । ପୁଣି ଆଜି +୨ କଳାରେ ଫେଲ୍ ହୋଇ ଯାଇଛୁ । ବାପାଙ୍କୁ ତ ନିଶ୍ଚୟ ରାଗ ଲାଗିବ ନା ଏଥିରେ ଭାବିବାର କଣ ଅଛି । ମନଦୁଃଖ ନକରି ନିଜେ ଗୋଟିଏ ଭବିଷ୍ୟତ ଗଢିବାର ବାଟ ବାଛେ । ଏତିକି କହି ସାରିଲା ପରେ ତା ହାତ ଧରି ନିଜ ଆଡକୁ ଟାଣି ଆଣି ସୁନା କହିଲା ଚାଲିଲୁ ଚାଲିଲୁ ଖାଇବୁ ବାପା ନଖାଇ ବିଲରୁ ଆସି ସେମିତି ଶୋଇଛନ୍ତି । ତୁ ନ ଖାଇଲେ ସେ କଣ ଶାନ୍ତିରେ ଖାଇ ପାରିବେ । ତେଣୁ ତୁ ଖାଇ ଦେ । ବାପାଙ୍କ ଏପରି ଗାଳିରେ ସତ୍ୟକୁ ଭୋକ ଲାଗିବ ବା କିପରି? ତଥାପି ଧୈର୍ଯ୍ୟଭରା ହୃଦୟରେ ରୁଧିମନ୍ତ ସତ୍ୟ ତା ବୋଉ କଥାରେ ଅଳ୍ପଗଣ୍ଡେ ଖାଇ ଦେଇ ବାଡିପଟ ଆମ୍ବ ଗଛ ତଳେ ଯାଇ ବସି ରହି ଚିନ୍ତା କରିବାରେ ଲାଗିପଡେ । କଣ କରିବ ସେ ? କେଉଁ ବାଟ ବାଛି ନେବ ଜୀବନ ପାଇଁ । ସେ ଆଉ ବାପାଙ୍କୁ ଦୁଃଖ ଦେବାକୁ ଚାହେଁନି । ପ୍ରତି ପରିକ୍ଷାରେ ତାକୁ ଧୋକା ଦେଉଥିବା ସେ ପାଠକୁ ଆଉ ଆପଣେଇବାକୁ ଚାହେଁନି । ପୁନଶ୍ଚ ବାପାଙ୍କର ମାନସମ୍ମାନ କିପରି ଉଚ୍ଚା କରିପାରିବ ଏମିତି ଅନେକ କଥା ଭାବିବାରେ ଲାଗିପଡିଥାଏ । ମନେ ମନେ ଟିକେ ବିଦ୍ୟା ଦେବୀଙ୍କୁ ଓ ନିଜ ଭାଗ୍ୟକୁ ନିିନ୍ଦାକରି ବସେ । କି ଜନ୍ମ ପାଇଲି ଯେ ପାଠ ଯମା ଆସିଲାନି । ଯେତେ ଘୋଷିଲେ ମନେ ରହିଲାନି  କି ପଢିବାକୁ ବି ଆଗ୍ରହ ହେଲାନାହିଁ । ଏହି ପାଠ ଲାଗି ଆଜି ମୁଁ ମୋ ଘରେ,ସମାଜରେ ସବୁଠି ନିନ୍ଦିତ । ଇତିହାସରେ ପଢିଥିବା ସମସ୍ତ ବିଖ୍ୟାତ ମଣିଷମାନଙ୍କ ସହିତ ବର୍ତ୍ତମାନ ସମାଜରେ ସମସ୍ତ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବିଷୟରେ ଭାବି ବସେ । ସମସ୍ତେ କଣ ଖାଲି ପାଠ ପଢି ଅମର ହୋଇଛନ୍ତି । ଭଲ ପାଠ ବିନା ଜୀବନରେ କେହି କଣ ଉନ୍ନତି କରିପାରି ନାହାନ୍ତି । ଜୀବନକୁ ଜିଇଁବା ଏକ କଳା । ଏହି କଳାରେ କିଏ କିପରି ନିଜକୁ ରଙ୍ଗୀନ୍ କରିଛି ତାହା ଭିନ୍ନ । କିଏ ଖେଳରେ ପ୍ରତିଷ୍ଠିତ ତ କିଏ ଦ୍ୟୈଡକୁଦରେ ପ୍ରଖ୍ୟାତ । କିଏ ବେପାର ବଣିଜରେ ଧାନାଢ୍ୟ ତ କିଏ ସୃଜନାତ୍ମକ କାମରେ ଚିର ବନ୍ଦନୀୟ । କାହାର ଚିତ୍ର ନୈପୁଣ୍ୟତା ତାକୁ ଅମର ମଧ୍ୟ କରିପାରିଛି । ତେଣୁ ଭଗବାନ ମୋତେ ବିଦ୍ୟା ସିନା ଦେଇନାହାନ୍ତି । ମୋତେ କଣ କିଛି କାମ ନିଖୁଣ ଭାବରେ କରିପାରିବାର କଳା ଅର୍ପଣ କରିନାହାନ୍ତି, ନିଶ୍ଚୟ କରିଛନ୍ତି । ମୁଁ ଯେଉଁ ହାତରେ ଏତେ ସୁନ୍ଦର କ୍ରିକେଟ୍ ଖେଳି ପାରୁଛି,ଡାଗରପୁଆ ଖେଳି ପାରୁଛି ସେ ହାତରେ କଣ ଆଉ କିଛି କଳା ଲୁଚିକରି ନାହିଁ । ନିଶ୍ଚୟ ଅଛ,ବାସ୍ ମୋତେ ସେ କଳାକୁ ଭଲପାଇ ଆଦରି ନେବାକୁ ପଡିବ । ଏମିତି ଅନେକ କିଛି ଭାବି ବସିଲା ପରେ ମନସ୍ଥ କରିଛି ଘରେ କହି କାଲିଠାରୁ ଭୂବନେଶ୍ୱରକୁ ଯିବ କାମ ଅନ୍ୱେଷଣରେ । ଭୂବନେଶ୍ୱରରେ ତା ମଉସାପୁଅ ଗୋଟିଏ ବେସରକାରୀ କମ୍ପାନୀରେ କାମ କରୁଛି ତାରି ପାଖରେ ରହିବ ।  ନିଶ୍ଚୟ ଏହି ସାତ ଦିନ ଭିତରେ ସେ ଗୋଟିଏ ମର୍ଯ୍ୟାଦା ସମ୍ପୂର୍ଣ୍ଣ କାମ ଖୋଜିବ ଯେଉଁଥିରେ ପାଠର ସେତେ ଆବଶ୍ୟକ ପଡୁନଥିବ ।
         ସତ୍ୟର ବାପା ଶରତ ଜଣେ ଅତି ସାଧାରଣ ମନୁଷ୍ୟ ହୋଇଥିଲେ ସୁଧା ବୁଦ୍ଧି, ବୃତ୍ତି କାର୍ଯ୍ୟ କଳାପରେ ସମ୍ପୂର୍ଣ୍ଣ ଭିନ୍ନ । ତା’ର ଧନ ସମ୍ପତ୍ତି କହିଲେ ତା’ର ଘର ଢିହକୁ ଲାଗିଥିବା ଏକ ଏକର ଢିପ ଜମି । ଯେଉଁ ଜମି ଖଣ୍ଡିକ ତା’ର ଜୀବନର ଭାତହାଣ୍ଡି । ବର୍ଷକ ବାରମାସ ସେହି ଜମିରେ ନାନା ରକମର ସେ ପରିବା ଚାଷ କରେ । ଆଉ ପ୍ରତି ସପ୍ତାହରେ ଦୁଇଦିନ ତା ଗାଁ ପାଖ ହାଟକୁ ଯାଇ ପରିବା ବିକ୍ରି କରିଥାଏ । ସମୟେ ସମୟେ ଅନ୍ୟ ଚାଷୀ ମାନଙ୍କଠାରୁ ପରିବା କିଣି ନିଜ ପରିବା ସହିତ ହାଟରେ ବସି ବିକ୍ରି କରେ । ଦିନ ସାରା ତା’ର କର୍ମ ଭୂମୀ ହେଲା ସେହି ଜମି । ଏଡେ ଛୋଟ ଚାଷୀ ଟିଏ ହୋଇଥିଲେ ବି ତା’ର ତା’ ଗାଁରେ ଖୁବ୍ ସମ୍ମାନ । ସମସ୍ତେ ତାକୁ ସବୁଥିରେ ଖୋଜାଲୋଡା କରିଥାନ୍ତି । ଦେଖିବାକୁ ଚେହେରା ଖୁବ୍ ଡଉଲଡାଉଲ ସହିତ ଭାବଗମ୍ଭୀର ମଧ୍ୟ । ସତ୍ୟପ୍ରିୟ ଓ ମିଷ୍ଠଭାଷୀ ।  ଅନ୍ୟାୟ କାମ ଦେଖିଲେ ସହିପାରେନି କିମ୍ବା ନିଜେ ମଧ୍ୟ କାହାପ୍ରତି ଅନ୍ୟାୟ କରିପାରେନି । ସତ୍ୟପ୍ରିୟ ହୋଇଥିବାରୁ ଶେଷ ପୁଅର ନାଁ ରଖିଥିଲେ ସତ୍ୟ । ଗାଁରେ ଯେତେ ସାମୁହିକ ଯାନିଯାତ୍ରା ମେଳା ମଉତ୍ସବ ସବୁଥିରେ ମାମଲ୍‌ତକାରର ଭୂମିକା ନିଭାଏ । ଗାଁ ର ଶିଖିତ ବ୍ୟକ୍ତି ମାନଙ୍କ ପାଖରେ ନିଜେ ଅଳ୍ପଶିଖିତ ହେଲେ ସୁଦ୍ଧା ତା’ର ମାର୍ଜିତ ଭାଷା ଓ ବ୍ୟବହାର ପାଇଁ ସେମାନଙ୍କ ପାଖରେ ସସମ୍ମାନରେ ବସାଉଠା । ଗାଁରେ ନ୍ୟାୟ ନିସାବରେ ସତେ ଯେମିତି ଶରତ ବିନା ହୋଇପାରେନା । ଗାଁର ପ୍ରତ୍ୟେକ ବ୍ୟକ୍ତିର ଶରତ ଉପରେ ଭରଷା ଓ ବିଶ୍ୱାସ ବହୁତ ବେଶୀ । ଏହାର ମୂଳ କାରଣ ତା’ର ସଚ୍ଚୋଟତା ସ୍ୱଚ୍ଚଳତା ଓ ସହାଯ୍ୟକାରୀ ମନୋଭାବ । ନିଜର ଦୁଇ ପୁଅକୁ ଖୁବ ଆକଟରେ ରଖିଛି । ମୁଣ୍ଡଝାଳ ତୁଣ୍ଡରେମାରି ଦୁଇପୁଅଙ୍କ ପାଠ ପଢାରେ ଆଦ୍ୟୈ ଉଣା କରିନି । ତା’ରି ଫଳ ସ୍ୱରୂପ ଭଗବାନ ଆଜି ତା ବଡ ପୁଅକୁ ସମାଜରେ ଜଣେ ଆଇ.ଆଇ.ଟି ଇଞିନିୟରର ମର୍ଯ୍ୟାଦା ଦେବାର ବାଟ କରିସାରିଛନ୍ତି । ବାକି ରହିଲା ସାନପୁଅ ସତ୍ୟ କଥା ସେ ଦୁଷ୍ଟ ନୁହଁ କି ବାଳୁଙ୍ଗା ନୁହଁ । କିନ୍ତୁ ବିଧିର ବିଚିତ୍ରତାରେ ସତ୍ୟକୁ ଜମା ପାଠପଢା ଆରାଏନି । ଆରାଏନି ମାନେ ତା’ର ପାଠ ଆଦ୍ୟୈ ମନେ ରହେନି । ଭାଇକୁ ଦେଖି  ଲାଗିପଡି ସିନା ପଢେ କିନ୍ତୁ ପଢାରେ ମନ ନଥାଇ ଥାଏ ଖେଳକୁଦରେ । ମାତ୍ର ସତ୍ୟ କିନ୍ତୁ ଚାରତ୍ରିକ ଦୃଷ୍ଟି କୋଣରୁ ତା’ର ବାପାଭଳି ସରଳ,ନିସ୍କପଟ ଓ ସତ୍ୟପ୍ରିୟ । ବାପା କିମ୍ବା ବୋଉ ଆକଟ କଲେ ତାକୁ ଆଦରରେ ମୁଣ୍ଡ ପାତି ସହିନିଏ । 
      ସେଦିନ ରାତିସାରା ସତ୍ୟ ଆଖିକୁ ନିଦ ଆସିନି । କର ଲେଉଟେଇ ପ୍ରତିକ୍ଷା କରିଛି ସକାଳକୁ । ସକାଳ ଆସିଛି, ତା’ ପାଇଁ ଏକ ନୂତନ ଜୀବନର ସମ୍ଭାର ନେଇ । ସକାଳୁ ସକାଳୁ ଉଠି ଗାଧୋଇ ପାଧୋଇ ଅଳ୍ପ ଗଣ୍ଡେ ଜଳଖିଆ ବୋଉକୁ ମାଗି ଖାଇଦେଇ ବାହାରିଛି ଭୂବନେଶ୍ୱର । ଭୂବନେଶ୍ୱର ତା ଘର ଠାରୁ ୮୦ କି.ମି । ତା’ଗ,ଁ ରାଧୁଆ ପଲ୍ଲୀ ନିପଟ ମଫସଲରେ । ଖୋର୍ଦ୍ଧା ବଲାଙ୍ଗୀର ମୂଖ୍ୟରାସ୍ତା ଠାରୁ ତା’ ଗାଁ ର ଦୂରତା ପ୍ରାୟ ୧୭ କି.ମି । ଯାହାକି ବଣ ପାହଡରେ ଘେରା । ରାସ୍ତା ପକ୍‌କା ନ ହୋଇଥିଲେ ମଧ୍ୟ ନାଲି ମହରମ ଗଣ୍ଡେ ପଡିଥିବାରୁ ସାଇକେଲ୍‌,ମଟର ସାଇକେଲ,ଟ୍ରେକ୍ଟର,ଶଗଡ,ଜିପ୍‌,କାର୍ ଆଦି ଯାଆସ କରିପାରେ । ତାଙ୍କ ଗାଁ ପାଖ ଛକରୁ ପ୍ରତିଦିନ ସକାଳ ୮ଟାରେ ଗୋଟିଏ ଓ ଦିନ ୯ଟାରେ ଆଉ ଗୋଟିଏ ଟ୍ରେକର୍ ଲୋକମାନଙ୍କୁ ମୂଖ୍ୟରାସ୍ତା ପର୍ଯ୍ୟନ୍ତ ନେଇକରିଯାଏ ଓ ସନ୍ଧ୍ୟା ବେଳେ ସେମିତି ୫ଟା ଓ ୬ଟାରେ ସେହି ଦୁଇଟି ଟ୍ରେକର୍ ଲୋକମାନଙ୍କୁ ନେଇ ଫେରନ୍ତି । ଭଡା ଜଣକେ ୨୦ଟଙ୍କା ଲେଖାଏଁ ଟ୍ରେକର୍ ନେଇଥାଏ । ଆଉ ଅନ୍ୟ ସହଜ ସାଧନ ହେଲା ସାଇକେଲ୍ ନଚେତ୍ ମଟରସାଇକେଲ୍ । ତାଙ୍କର ତ ମଟର ସାଇକେଲ୍ ନାହିଁ କିମ୍ବା ସେ ସାଇକେଲ୍ ନେଇ ଯାଇପାରିବ ନାହିଁ ଯେହେତୁ ତାକୁ ସେଦିନ ଫେରିବାର ନାହିଁ । ତେଣୁ ସେ ୮ଟା ବେଳେ ଟ୍ରେକର୍‌ରେ ଚାଲିଯିବ ବୋଲି ମନେ ମନେ ସ୍ଥିର କରିଛି । ଖାଇସାରି ବ୍ୟାଗ୍ ଟିଏ ହାତରେ ଧରି ବାହାରିଲା ବେଳକୁ ବାପା,ଘର ବାଡିପଟ ବିଲରେ କଣ ଏକୁଟିଆ କାମ କରୁଥାନ୍ତି । ନମ୍ର ଭାବରେ ବାପାଙ୍କ ପାଖକୁ ଯାଏ । ମୁଣ୍ଡଟି ତଳକୁ କରି ବିନମ୍ରତା ସହକାରେ କହେ ବାପା ମୁଁ ଆଜିଠୁ ଭୂବନେଶ୍ୱର ଯାଉଛି । ମଉସା ପୁଅ ରିଙ୍କୁ ସାଥିରେ ରହିବି । କିଛି କାମ ଖୋଜିବି ନଚେତ କୋଉ କମ୍ପାନୀରେ ଚାକିରୀ କରିବାକୁ ଚେଷ୍ଟା କରିବି । ଶରତ ଏଭଳି ଅପ୍ରତ୍ୟାସିତ ଘଟଣାରେ ସେ କିିଛି କ୍ଷଣ ବିଚଳିତ ହୋଇଯାଏ ଓ କହେ ଆରେ ସତ୍ୟ ତୋତେ ଭୂବନେଶ୍ୱରରେ କେଉଁ କମ୍ପାନୀ କାମ ଦେବ କହିଲୁ । କିଏ ତୋର ଚିହ୍ନା ପରିଚିତ ଅଛି । ଏମିତିତ ପାଠ ନପଢିବାରୁ ଅନେକ ଅପଯଶ ମୁଣ୍ଡେଇଲାଣୁ । ଆଉ ସେଠି ଯାଇ କଣ କରିବୁ? 
       ହଠାତ୍ ସତ୍ୟ ଏକ ଶାନ୍ତ ବିଦ୍ରୋହାତ୍ମକ ଶୈଳୀରେ କହିଛି ବାପା ମୁଁ ଜାଣେ । ମୁଁ ତୁମର ଅଯୋଗ୍ୟ ପୁଅ । ଆମଘରର ଗୋଟିଏ ଅପଦାର୍ଥ । ତଥାପି ବାପା ମୁଁ ତୁମକୁ ଏତିକି କଥା ଦେଉଛି ତୁମ ପୁଅ ତୁମର ମାନସମ୍ମାନ ତଳେ ପଡିଲା ଭଳି କୌଣସି ହେଲେ କାମ କରିବ ନାହିଁ । ହେଲେ ମୁଁ ଆଉ ସେ ପାଠ ପଢିବିନି କାରଣ ଏହି ପାଠ ହିଁ ମୋତେ ଆଜି ତୁମ ଆଗରେ ଅଯୋଗ୍ୟ କରିବାରେ ସମ୍ପୂର୍ଣ୍ଣ ଦାୟୀ । ଶରତ କିଛି ବୁଝି ପାରିନି କଣ କହିବ । ତଥାପି ହଉ ଯଦି ଯାଉଛି ଯାଉ । ତୁ ଯାଇ କୋଉଠି ରହିବୁ । ଶରତ ପଚାରିଛ, ମୁଁ ଯାଇ ରିଙ୍କୁ ପାଖରେ ରହବି । ଠିକ୍ ଅଛି ଯା । ଏହା କହି ଶରତ ପାଦଛୁଇଁ ପ୍ରଣାମ କରି ସତ୍ୟ ଘରକୁ ଫେରିଛି । ସତ୍ୟ ଫେରିବା ସମୟରେ ଶରତ ପଛପଟୁ ହାତ ଦୁଇଟି ଉପରକୁ ଟେକି କହିଛି ହେ ପ୍ରଭୁ ମୋର ଏଭଲି ପୁଅକୁ ଟିକେ ଆଶୀର୍ବାଦ କର । ସତ୍ୟ ଘରୁ ବୋଉ ଠାରୁ ମେଲାଣି ନେଇ ବ୍ୟାଗ୍‌ଟି ଧରି ଯାଇଛି ଟ୍ରେକର୍ ପାଖକୁ । ଟ୍ରେକର୍ ଠିକ୍ ସମୟରେ ଛାଡିଛି । ମୂଖ୍ୟ ରାସ୍ତାରେ ପହଞ୍ଚଭୂବନେଶ୍ୱର ଆସୁଥିବା ବସ୍‌ରେ ସତ୍ୟ ଆସି ଦିନ ୧୨ଟାରେ ବରମୁଣ୍ଡା ବାସ୍‌ଷ୍ଟାଣ୍ଡରେ ପହଞ୍ଚଫୋନ୍ କରିଚି । ରିଙ୍କୁ ସହିତ ମୋବାଇଲ୍ ଫୋନ୍‌ରେ କଥା ହେବା ମୁତାବକ ଟାଉନବସ୍‌ରେ ବସି ଆସି ପହଞ୍ଚଛିରସୁଲଗଡ ଛକରେ । ରସୁଲଗଡ ଓଭର ବ୍ରିଜ୍ ତଳେ ଅପେକ୍ଷା କରି ରହିଥାଏ ରିଙ୍କୁ । ରିଙ୍କୁକୁ ଦେଖି ସତ୍ୟ ବହୁତ ଖୁସି ହୋଇଯାଏ । ଦୁହେଁ ରିଙ୍କୁର ବସାଘରକୁ ଯାଆନ୍ତି । ରିଙ୍କୁ ରାନ୍ଧିଥିବା ଭାତକୁ ଦୁଇଜଣ ଖାଇସାରି ରିଙ୍କୁ ଅଫିସ୍ ବାହାରେ । ହେଲେ ସତ୍ୟ କହେ ରିଙ୍କୁ ମୁଁ ତୋ ସାଇକେଲ୍ ନେଇ ଭୂବନେଶ୍ୱର ବୁଲିବି ଆଉ ଠିକ୍ ସନ୍ଧ୍ୟା ପୂର୍ବରୁ ବସାକୁ ଫେରିଆସିବି । ରିଙ୍କୁ କହିଛି ଠିକ୍ ଅଛି ହେଲେ ହୋସିଆର୍ ହୋଇ ସାଇକେଲ୍ ଚଲେଇବୁ । 
         ରିଙ୍କୁ ଚାଲିଗଲା ପରେ ସତ୍ୟ ସାଇକେଲ ନେଇ ଭୂବନେଶ୍ୱର ବୁଲିବା ଆରମ୍ଭ କରିଛି । ହେଲେ ତା’ର ମୂଖ୍ୟ ଉଦ୍ଦେଶ୍ୟ ଥାଏ କିଛି ଗୋଟିଏ କାମ ଖୋଜିବ ଯେଉଁଥିରେ ତାକୁ ଆନନ୍ଦ ମିଳିବ ଓ ସେ ଶିଖିବ । ସେଦିନ ବୁଲିବୁଲି ସନ୍ଧ୍ୟା ବେଳକୁ ବସାକୁ ଫେରେ । ରିଙ୍କୁର ତା’ର ଦୁଇଜଣ ସାଙ୍ଗ ହୋଇ ରାତିରେ ରୋଷେଇ କରନ୍ତି । ଖାଇକରି ଶୋଇବାକୁ ଯାଆନ୍ତି । ଶୋଇବା ସମୟରେ ସତ୍ୟ, ରିଙ୍କୁକୁ କହେ ରିଙ୍କୁ ଦେଖେ ମୋତେ ତ ପାଠ ଆଦ୍ୟୈ ଆସିଲାନି । ଏବର୍ଷ +୨ ରେ ଫେଲ୍ ହେଲି । ତେଣୁ ମୁଁ ଆଉ ପାଠ ନପଢି କୌଣସି ଏକ କାମ ଶିଖିବାକୁ ଚାହୁଁଛି । ରିଙ୍କୁ କହିଲା କି କାମ ଶିଖିବାକୁ ତୋର ଇଚ୍ଛା । ସତ୍ୟ କହିଲା ଯେଉଁ କାମ ହେଲେ ଚଳିବ ।  ରିଙ୍କୁ କହିଛି ତେବେ ତୁ କେଉଁ ଗ୍ୟାରେଜରେ ରହି ଗାଡି କାମ ଶଖିଲେ ତ ଚଳିବ । ସତ୍ୟ କହିଛି ହଁ ତାହା ବି ଚଳିବ । ରିଙ୍କୁ କହିଛି ତାହା ହେଲେ ଆଖପାଖ ଗ୍ୟାରେଜରେ ବୁଝିଲେ ହେବ । ହେଲେ ବିଧିର ବିଡମ୍ବନା ହେଉ ବ୍ୟବସ୍ଥିତ ପରିକଳ୍ପନା ହେଉ ତା’ ପରଦିନ ଠିକ୍ ଦିନ ୧୧ଟାରେ ରିଙ୍କୁ ପାଖକୁ ଗୋଟିଏ ଚାକିରୀର ଆପଏଣ୍ଟେମଣ୍ଟଛିଠିଟିଏ ପୁନେରୁ ଆସି ପହଞ୍ଚୋ କାରଣ ରିଙ୍କୁ ଇଲେକ୍ଟ୍ରିକାଲ୍ ଟ୍ରେଡରେ ଆଇ.ଟି.ଆଇ କରି ଚାକିରୀ କରୁଥାଏ । ତେଣୁ ସେ ମାସକତଳେ ଦେଇଥିବା ସାକ୍ଷାତକାରରେ ଉତ୍ତର୍ଣ୍ଣହୋଇଥିବରୁ ତାକୁ ପୁନାରେ ଭଲ ଦରମା ସହିତ ଚାକିରୀରେ ଯୋଗ ଦେବାର ଚିଠିଟିଏ ଆସି ପହଞ୍ଚୋ ରିଙ୍କୁ ଚିଠିଟି ଦେଖି ମନ ଆନନ୍ଦରେ ନାଚିଉଠେ । ହେଲେ ସତ୍ୟର ମନ ମରିଯାଏ । ରିଙ୍କୁ ପଳେଇଲେ ସେ କେଉଁଠି ରହିବ ଓ କଣ ଖାଇବ । ତଥାପି ସତ୍ୟ ଘରୁ ଆସିଲା ବେଳକୁ ତା ବୋଉ ତାକୁ ଏକ ହଜାର ଟଙ୍କା ଦେଇଥାଏ । ତେଣେ ରିଙ୍କୁ ତା ଭଡାଘର ବାବଦକୁ ଅଗ୍ରୀମ ମାସକର ଭଡା ଦେଇଦେଇଥାଏ ତେଣୁ ଘର ବର୍ତ୍ତମାନ ମାସକ ପାଇଁ ରିଙ୍କୁର । ତତ୍ ସହିତ ରିଙ୍କୁ ମାସକ ପାଇଁ ପରିବାକୁ ଛାଡି ଦେଲେ ସବୁ ପ୍ରକାର ଖାଦ୍ୟ ସରଞ୍ଜାମ କିଣିସାରିଥାଏ । ତେଣୁ ସତ୍ୟ ପାଇଁ ମାସକ ପର୍ଯ୍ୟନ୍ତ କୌଣସି ଅସୁବିଧା ନାହିଁ । ରିଙ୍କୁ ଏ କଥା ବୁଝେଇ ଦେଇ କୁହେ ତୁ ଏ ଘରେ ଆରାମରେ ରହ ଓ ରୋଷେଇକରି ଖା ଓ ତୋର କାମ ବୁଝୁ । ମୁଁ ପୁନା ଯାଉଛି । ସେଠି ମୋତେ କମ୍ପାନୀ ଘର ଦେଉଛି ଓ ଖାଇବା ପାଇଁ ମଧ୍ୟ କ୍ୟାଣ୍ଟନ୍ ର ବ୍ୟବସ୍ଥା ଅଛି ତେଣୁ ମୋର କିଛି ଅସୁବିଧା ନାହିଁ । ତେଣୁ ରିଙ୍କୁ କାଳବିଳମ୍ବ ନ କରିି ସେହିଦିନ ତତ୍‌କାଳରେ ଟିକେଟ୍ କରି ତା’ପରଦିନ ସକାଳୁ ପୁନା ଚାଲିଯାଏ । ଏଣେ ସତ୍ୟ ଏକୁଟିଆ ଭୂବନେଶ୍ୱରରେ ରହି କାମ ଖୋଜିବାରେ ଲାଗେ । 
       ଦୁଇ ଦିନ ବୁଲିଲା ପରେ ସେଦିନ ସୋମବାର ଥାଏ । ସତ୍ୟ ସାଇକେଲରେ ଆସି ରସୁଲଗଡ ଠାରୁ ଶିଳ୍ପାଞ୍ଚଳ ଦିଗକୁ ଗଲାବେଳକୁ ଗୋଟିଏ ପାଞ୍ଚମହଲା ବିଶିଷ୍ଟ ବିରାଟ ଅଟ୍ଟାଳିକା କାମ ହେଉଥିବାର ଦେଖେ । ସେହି ଅଟ୍ଟାଳିକା ତଳେ ସାଇକେଲ୍ ଚାବି ପକେଇ କାମ ହେଉଥିବା ସ୍ଥାନକୁ ଗଲା ବେଳକୁ ଦେଖେ ସେଠାରେ ଏକ ଆପଏଣ୍ଟମେଣ୍ଟ୍ ପ୍ରତିଘରର ଦ୍ୱାର ପାଇଁ ଦୁଆର ବନ୍ଧ ଓ କବାଟ କାମ ଚାଲିଛି । ଜଣେ ମହାରଣା ଠିକାଦାର ସବୁ କାମର ତତ୍ୱାବଧାନ ନେଉଥାନ୍ତି । ସତ୍ୟ ଆଉ ଡେରିନକରି ଧୀର ଭାବରେ ଠିକାଦାରଙ୍କ ପାଖକୁ ଯାଇ କୁହେ ବାବୁ ମୁଁ କାମ ଖୋଜୁଥିଲି । ଯଦି ଆପଣ ମୋତେ କାମ ଦିଅନ୍ତେ ତେବେ ମୁଁ ଖୁସି ହୁଅନ୍ତି । ଠିକାଦାର ଜଣଙ୍କ ପଚାରନ୍ତି କି କାମ ତୁମେ କରିପାରିବ । ସତ୍ୟ କହେ ମହାରଣା ଭାଇଙ୍କ ପାଖରେ ତାଙ୍କର ହେଲ୍ପର ଭଳି କାମ କରିପାରିବି । ଠିକାଦାର ଜଣଙ୍କ ସତ୍ୟର ଆଲି ପାଲି ଓ କଥାବାର୍ତ୍ତାଢଙ୍ଗ ଦେଖି ପଚାରନ୍ତି । ତୁମେ ପାଠ କେଉଁ ପର୍ଯ୍ୟନ୍ତ ପଢିଛ । ସତ୍ୟ କହେ +୨ ଫେଲ୍ । ପଢିବାକୁ ଇଚ୍ଛାହେଲାନି । ଆଉ ପଢିଲେ ବି ପାଠ ଜମାରୁ ହେଉନାହିଁ ତେଣୁ କୌଣସି କାମ ଶିଖିବାକୁ ମନସ୍ଥ କରିଛି । ଠିକାଦାର ଜଣକ ସତ୍ୟର ଏଭଳି କଥାଶୁଣି କୁହନ୍ତି ଠିକ୍ ଅଛି ତମେ କାମ କର ହେଲେ ଦିନକୁ ୩୫୦ଟଙ୍କା ମଜୁରି ଦେବି । ସତ୍ୟ ଏକଥା ଶୁଣି ବହୁତ ଖୁସି ହୋଇଯାଏ । କୁହେ ହଁ ଆଜ୍ଞା ଚଲିବ । ଆଉ ଯଦି ଆପଣ ମୋ କାମରେ ଖୁସି ନ ହୁଅନ୍ତି ତେବେ ମୋତେ କାମରୁ ବିଦା କରିଦେବେ । ଏ କଥା ଶୁଣି ଠିକାଦାର ଜଣକ ବୁଝିଯାଆନ୍ତି ଯେ ଏ ହେଉଛି ଗୋଟିଏ ସଚ୍ଚୋଟ ପିଲା । ଠିକ୍ ଅଛି । କେଉଁ ଦିନ ଠାରୁ କାମକୁ ଆସିବ,ଠିକାଦାର ପଚାରନ୍ତି । ଆପଣ ଯଦି କୁହନ୍ତେ ଆଜିଠାରୁ କାମରେ ଲାଗି ଯାଆନ୍ତି । ଠିକାଦାର୍ ଜଣଙ୍କ ଆହୁରି ହତବାକ୍ ହୋଇ କିଛିକ୍ଷଣ ନୀରବ ରହି କହନ୍ତି ଠିକ୍ ଅଛି । ଆଜିଠୁ କାମ୍ କର । ସତ୍ୟ ମନ କୁଣ୍ଢେ ମୋଟ । ଠିକାଦାରଙ୍କ ନିର୍ଦ୍ଦେଶ ମୁତାବକ ସତ୍ୟ ସେଠାରୁ ଯାଇ ତୃତୀୟ ମହଲାର କାମ କରୁଥିବା ଦନେଇ ମହାରଣାର ହେଳ୍‌ଫର ଭାବରେ କାମରେ ଲାଗିଯାଏ । ଦନେଇ ମହାରଣାର ବୟସ ପାଖାପାଖି ପଞ୍ଚାବନ । ଶରୀରରେ ସେତେ ସତେଜତା ନଥାଏ । ସତ୍ୟକୁ ଦେଖି ପଚାରେ ଆରେ ସବୁ କାମ କରିପାରିବୁଟ,ହଁ ମଉସା ସବୁ କାମ କରିପାରିବି । ହଉ ଠିକ୍ ଅଛି । 
                                                    ୮
       ସତ୍ୟ ସବୁଦିନ ଠିକ୍ ସମୟରେ କାମରେ ପହଞ୍ôଚଯାଏ ଏବଂ ମନ ପ୍ରାଣ ଲଗାଇ କାମ କରେ । ଏକମାସ ଭିତରେ ସତ୍ୟର ସଚ୍ଚୋଟତା କର୍ମଠ,ସାଧାସିଧା ଗୁଣ ଓ ନମ୍ର ବ୍ୟବହାରରେ ଦନେଇ ମହାରଣା କଣ ଠିକାଦାର ଶ୍ୟାମବାବୁ ବହୁତ ଖୁସି ହୋଇଯାଆନ୍ତି । ଦିନେ ସତ୍ୟକୁ ଡାକି ତା’ ଘର ବିଷୟରେ ପଚାରନ୍ତି । ସତ୍ୟ ସବୁ ସତ କଥା କହେ ହେଲେ ସେ କୁହେନି ଯେ ତା’ର ବଡ ଭାଇ ଆଜି ଆଇ.ଆଇ.ଟି କାନପୁରରେ ପଢୁଛି । ଶ୍ୟାମବାବୁ ମନେମନେ ବିଚାର କରନ୍ତି ଆଜିଠୁ ସତ୍ୟ ମୋ ସାଙ୍ଗରେ ରହି ମୋର ସବୁ କାମ ବୁଝୁ । ତା’ର ଆଉ ମହାରଣା କାମ କରିବା ଦରକାର ନାହିଁ । ସେ ସବୁ କାମର ତଦାରଖ କରୁ । ଶ୍ୟାମବାବୁ କୁହନ୍ତି ସତ୍ୟ କାଲିଠାରୁ ତୁ ଆଉ ଏ କାମ କରିବୁନି । ତୁ କାଲିଠାରୁ ମୋର ଭୂବନେଶ୍ୱରରେ ଯେଉଁଠି ଯେଉଁଠି କାମ ସବୁ ଚାଲିଛି ତୁ ତାହାର ତଦାରଖ କରିବୁ । କାମ ଠିକ୍ ଚାଲିଛି କି ନାହିଁ । ଭୂଲ ଚାଲିଛି କି ଠିକ୍ ଚାଲିଛି ତାହା ସବୁ ଦେଖିବୁ ଓ ମୋତେ ଜଣେଇବୁ ଆଉ ତୋତେ ମୁଁ ମାସକୁ ଦରମା ୧୨୦୦୦ ଟଙ୍କା ଦେବି । ସତ୍ୟ ଏହା ଶୁଣି ଆନନ୍ଦରେ ବିଭୋର ହୋଇ ପଡେ ସତେ ଯେମିତି ଭାଗ୍ୟ ଦେବୀ ତା’ ଉପରେ ଆଜି ପ୍ରସନ୍ନ ହୋଇଛନ୍ତି ।
       ମୁହଁ ତଳକୁ ପୋତି ଉତ୍ତର ଦିଏ ଠିକ୍ ଅଛି ସାର୍ । ମୁଁ କାଲିଠାରୁ ଆପଣଙ୍କ କାମ କରିବି । ଶ୍ୟାମବାବୁ କୁହନ୍ତି ଆରେ ମୋ କାମ ନୁହଁ । ମୋ ସାଙ୍ଗରେ କାମ କରିବୁ । ଶ୍ୟାମବାବୁଙ୍କର ସମସ୍ତ କାମ ଗୁଡିକ ସତ୍ୟ ଅତି ସୁନ୍ଦର ଭାବରେ ଦେଖାଶୁଣା କରେ । ଏହି କାମ କରିବା ଭିତରେ ସତ୍ୟ ଶ୍ୟାମବାବୁଙ୍କର ଅତିପ୍ରିୟ ଓ ଏମିତିକା ମଧ୍ୟ ଶ୍ୟାମବାବୁଙ୍କ ପରିବାରର ଜଣେ ବିଶ୍ୱସ୍ତ ସଦସ୍ୟ ହୋଇଯାଏ । ଶ୍ୟାମବାବୁ ତ କଣ୍ଟ୍ରାକ୍ଟର ବ୍ୟକ୍ତି । ଅଚଳାଚଳ ସମ୍ପତ୍ତିା ତାଙ୍କର ଗୋଟିଏ ପୁଅ ଯେ ସେ ଯାଇ ଜର୍ମାନୀରେ ପାଠ ପଢୁଛି ଓ ଝିଅଟି ବାଙ୍ଗାଲୋରରେ ପାଠ ପଢୁଚି । ଶ୍ୟାମବାବୁ ବି ଏ ସାଧାରଣ କଣ୍ଟାକ୍ଟର୍ ମାନଙ୍କ ଭଳି ଶ୍ରମିକ ମାରଣ ନିତିକୁ ଧେୟ କରିନଥାନ୍ତି । ତାଙ୍କର ଜୀବନଦର୍ଶନ,ସେ ଭଲରେ ରହିବା ସହିତ ସମସ୍ତେ ବି ଖୁସିରେ ରୁହନ୍ତୁ । କମ୍ପାନୀ ବି ଭଲ ଚାଲୁ ଏଇଥିପାଇଁ ସେ ତାଙ୍କ ଠିକା ସଂସ୍ଥାରେ ଯେତେ ଶ୍ରମିକ କାମକରନ୍ତି ସମସ୍ତଙ୍କର ଭାରି ପ୍ରିୟ । ସମସ୍ତଙ୍କ ସୁଖ ଦୁଃଖ କଥା ଯଥୋଚିତ ବୁଝିଥାନ୍ତି ।
       ଏଣେ ସତ୍ୟ ମଝିରେ ମଝିରେ ଗାଁ କୁ ବୁଲିବାକୁ ଆସେ । ହେଲେ ବାପା ବୋଉଙ୍କୁ ଏତେ ଦରମା ପାଉଛି ବୋଲି କୁହେ ନାହିଁ । କୁହେ ହଁ ଗୋଟିଏ କମ୍ପାନୀରେ କାମ କରୁଛି । କିନ୍ତୁ ଘରକୁ କେବେକେବେ ଆସିଲା ବେଳେ ବାପା ବୋଉଙ୍କ ପାଇଁ ମିଠା,ଫଳମୂଳ ନେଇକରି ଆସେ । ଏହାକୁ ଦେଖି ଶରତ ମନେ ମନେ ଯେତିକି ଖୁସି ହୁଏ ନାହିଁ ତାଠୁ ତା ବୋଉ ବହୁତ ଖୁସି ହୁଏ । ତା ବାପା କୁହନ୍ତି କେତେ ପଇସା ତୁ କମ୍ପାନୀରୁ ପାଉଛୁ ଯେ ଏତେ ସବୁ ଜିନିଷ ଆଣୁଛୁ । ଆଣିବା ଦରକାର ନାହିଁ । ନିଜ ପାଖରେ ପଇସା ରଖ । ସତ୍ୟର ଦିନ ଗୁଡିକ ଅତି ଆନନ୍ଦରେ କଟିଚାଲେ । ଚାହୁଁ ଚାହୁଁ ତିନିବର୍ଷ ବିତିଯାଏ । ତେଣେ ସତ୍ୟର ଭାଇ ସାରଥୀ କ୍ୟାମ୍ପସ୍ ସିଲେକ୍ସନ୍‌ରେ ବମ୍ବେରେ ଏକ କେମିକାଲ କମ୍ପାନୀରେ ଚାକିରୀ ପାଏ । ଯେତେବେଳେ ଶରତ ଏ ଭଳି ଖୁସି ଖବର ଶୁଣେ ତା ଗୋଡ ଆଉ ତଳେ ଲାଗେନି । ଆତ୍ମହରା ହୋଇପଡେ ସେ  ନିଜର ସ୍ତ୍ରୀ ସୁନା ପାଖକୁ ଯାଇ ଚିତ୍କାର କରି କହେ ଆଜିଠୁ ଆମ ଦୁଃଖ ଜୀବନର ପରିସମାପ୍ତି ଘଟିଲା । ଭଗବାନ ଆମକୁ ସାରଥୀ ଭଳି ଯୋଗ୍ୟବନ୍ତ ପୁଅ ଦେଇ ଧନ୍ୟ କରିଦେଲେ । କିଛି ସମୟ ଖୁସି ପରେ ସତ୍ୟ କଥା ଭାବି ଟିକେ ମନରେ ଦୁଃଖ ବି ଆସେ ।  ଭୂବନେଶ୍ୱରରେ କି କମ୍ପାନୀ ଚାକିରୀ କରିଛି କେଜାଣି ତା’ର ଧାଡିନାଡି କିଛି ନାହିଁ । ହଉ ପ୍ରଭୁ ମୋର ଅଯୋଗ୍ୟ ପୁଅଟିକୁ କିପରି କୂଳରେ ଲଗେଇ ଦିଅ । ସତ୍ୟ ମଧ୍ୟ ଭାଇର ଚାକିରୀରେ ଖୁସି ଅନୁଭବ କରେ ।
         ଏଭଳି କଥାକୁ ଶରତ ନିଜ ଭିତରେ ରଖି ପାରେନି । ସାହି ପଡିଶା, ସାଙ୍ଗସାଥୀ ସମସ୍ତଙ୍କ ଆଗରେ କହିଚାଲେ । ଏହିପରି ତିନିମାସ ସମୟ ବିତିଯାଏ । ପ୍ରଥମ ଥର ପାଇଁ ସାରଥୀ ଘରଠୁ ଯାଇ ସତ୍ୟ ପାଖକୁ ଦଶହଜାର ଟଙ୍କା ପଠାଏ । ସତ୍ୟ ନେଇ ଯେତେବେଳେ ଗାଁରେ ବାପାକୁ ଦିଏ ଶରତ କୁହେ ନାଁ, ନାଁ ପ୍ରଥମ ରୋଜଗାର ମୋ ପୁଅର । ଯା ପ୍ରଥମେ ବୋଉକୁ ଦେବୁ । କହିବୁ ସେଥିରୁ କିଛି ପଇସା ଆଗ ଘର ଦିଅଙ୍କ ପାଖରେ ରଖି ଦେବ । ସତ୍ୟ ସେଇଆ କରେ । ହେଲେ ଶରତ ଓ ସୁନାର ମନ ଜମା ଥୟ ହୁଏ ନାହିଂ । ଟିକିଏ ପୁଅ ସହିତ କଥା ହେଲେ ବହୁତ ଖୁସି ଲାଗନ୍ତା । ମାତ୍ର ସେତେବେଳେ ଗାଁ ଗଣ୍ଢାରେ ଟେଲିଫୋନ୍ ବ୍ୟବସ୍ଥା ନଥାଏ କିମ୍ବା ଆଜି କାଲିକା ଭଳି ମୋବାଇଲ୍ ମଧ୍ୟ ନଥାଏ । ସହରମାନଙ୍କୁ ଗଲେ ଫୋନ୍‌ରେ କଥା ହୋଇ ପାରିବ । ତେଣୁ ଶରତ ପାଖରେ ଫୋନ୍‌ରେ ପୁଅ ସାଙ୍ଗରେ କଥା ହେବାକୁ ହେଲେ ଖୋର୍ଦ୍ଧା ନଚେତ୍ ଭୁବନେଶ୍ୱର କୁ  ଯିବାକୁ ହିଁ ପଡିବ । ପୁଣି ଫୋନ୍ ଲଗେଇଲା ବେଳେ ପୁଅ ଫୋନ ଧରିବ କି ନାହିଁ ତାହାର ନିର୍ଦ୍ଧିଷ୍ଟ ତା ନଥାଏ ।  ତେଣୁ ଏହା ତା ପାଇଁ ଗୋଟିଏ କଷ୍ଟକର ପାଠ ଥାଏ । ମାତ୍ର ସତ୍ୟ ସମୟେ ସମୟେ ଭୂବନେଶ୍ୱରରେ ଥାଇ ଭାଇ ସାଙ୍ଗେ କଥା ହୋଇଯାଏ । ଶରତ କହେ ତୁ ଭାଇକୁ କହିବୁ ଛୁଟି ନେଇ ଆସିବ । ତା’ ବୋଉ ବ୍ୟସ୍ତ ବିବ୍ରତ ହେଲାଣି ତାକୁ ଦେଖିବା ପାଇଁ । ସତକୁ ସତ ଚାକିରୀ କରିବାର ୬ ମାସପରେ ସାରଥୀ ଗାଁକୁ ଆସେ । ସାରଥୀ ଆସିବାରୁ ଶରତ ଗାଁ ମନ୍ଦିରରେ ଗାଁ ଲୋକଙ୍କ ପାଇଁ ଏକ ପ୍ରସାଦ ସେବନ ବ୍ୟବସ୍ଥା କରେ ଯାହାକୁ ସତ୍ୟ ସବୁ ବୁଝାସୁଝା କରେ । ପରେ ପରେ ସାରଥୀ ମାତ୍ର ୪ଦିନ ରହି ପୁଣି ବମ୍ବେ ଫେରିଯାଏ । 
      ମାତ୍ର ଦ୍ୱିତୀୟଥର ସାରଥୀ ଯେତେବେଳେ ନିଜ ଚାକିରୀକୁ ଚାଲିଯାଏ କଣ ହୁଏ କେଜାଣି ତା’ର ଆଉ ଘର କଥା ଯମା ମନେ ପଡେନି । ବାପା ବୋଉଙ୍କ କଥା ବି ମନେ ପଡେନି । ସତ୍ୟ ସହିତ କେବେ କେମିତି କଥା ହୁଏ, ଯେବେ ସତ୍ୟ ତା’ ଆଡୁ ତାକୁ ଫୋନ୍ କରେ । ଟଙ୍କା ପଠାଇବାର ଆଉ ନାଁ ଗନ୍ଧ ନିଏନି । ସତ୍ୟ ଯଦି ଟଙ୍କା କଥା କେବେ ବାପା କହୁଥିଲେ ବୋଲି କୁହେ ସଙ୍ଗେସଙ୍ଗେ ସେ ଉତ୍ତର ଦିଏ ଏଠି ମୋ ପାଖରେ ପଇସାର ଅଭାବ । ତୁ ବୁଝୁଥା ବାପାବୋଉଙ୍କ କଥା  ଯେବେ ଘରକୁ ଆସିବାକୁ କୁହେ ଉତ୍ତର ଆସେ କମ୍ପାନୀରେ ଏବେ ଛୁଟି ନାହଁ । 
           ଭୂବନେଶ୍ୱରରେ ସତ୍ୟ ସେତେବେଳକୁ ତା ଭଳିଆ ହୋଇସାରିଥାଏ । ଶ୍ୟାମବାବୁଙ୍କ ଘରେ, ସତ୍ୟ କମ୍ପାନୀର ସବୁ କିଛି ବୋଲି ସମସ୍ତେ ଗ୍ରହଣ କରନିଅନ୍ତି । ସତ୍ୟର ସଚ୍ଚୋଟତା ଆଗରେ ଶ୍ୟାମବାବୁଙ୍କର ମୁଣ୍ଢ ନଇଁ ଯାଏ । ମନେମନେ ଭାବନ୍ତି ତା’ଙ୍କ ନିଜ ପୁଅ ସିନା ଜର୍ମାନୀରେ, ହେଲେ ଭଗବାନ ତାଙ୍କ ପାଇଁ ଆଉ ଗୋଟିଏ ପୁଅ ଦେଇଦେଇଛନ୍ତି । ଶ୍ୟାମବାବୁଙ୍କୁ ଟିକେ ହେଲେ ଟେନ୍‌ସନ୍ ଦେବାକୁ ସତ୍ୟ ଚାହେଁ ନାହିଁ । ଶ୍ୟାମବାବୁ କେବଳ ଅର୍ଡର ଆଣି ଧରେଇ ଦିଅନ୍ତି ଓ ପ୍ରେମେଣ୍ଟକଥା ମଧ୍ୟ ବୁଝନ୍ତି ମାତ୍ର ସବୁ କାମ କେମିତି ଠିକ୍ ସମୟରେ ସରିବ, ଶ୍ରମିକ ମାନେ କିପରି ନଠକିବେ, କାମ ଭଲହେବ ଓ ଲାଭ ହେବ ଏସବୁ କଥା ସତ୍ୟର । ସେ ଏଥିରେ ଟିକେ ହେଲେ ବି ହେଳା କରେନାହିଁ ।
      ସତ୍ୟ ପାଇଁ ଶ୍ୟାମବାବୁ ଚିନ୍ତା ଶୂନ୍ୟ । ସଂସ୍ଥାର ଲାଭ ମଧ୍ୟ ବଢିବଢିଚାଲେ । ଦିନେ ହଠାତ୍ ଶ୍ୟାମବାବୁ କହନ୍ତି ଆରେ ସତ୍ୟ ତୋତେ ଏହି ଭୂବନେଶ୍ୱରରେ ଗୋଟିଏ ଘର ଦେଉଛି ତୁ ଏଇଠି କି ତୋ ବାପାବୋଉଙ୍କୁ ନେଇଆ ଓ ଏଇଠି ରୁହ । ସତ୍ୟ କହେ ନାହିଁ ସାର୍ ମୋ ବାପା ବୋଉ ସେହି ଗାଁରେ ଠିକ୍ । ମୁଁ ଭାବୁଛି  ମୋରି ପାଇଁ ଗୋଟିଏ ଜାଗା କିଣି ଘର କରିବି ଏହି ଭୂବନେଶ୍ୱର ପାଖାପାଖି । ଶ୍ୟାମବାବୁ ଶୁଣି କହିଲେ ଠିକ୍ ଅଛି । କେତେ ଟଙ୍କା ରଖିଛୁ କହ । ସତ୍ୟ  କହେ ନାଇଁ ମୋ ପାଖରେ ବର୍ତ୍ତମାନ ମାତ୍ର ଦେଢଲକ୍ଷ ଟଙ୍କା ଅଛି । ଶ୍ୟାମବାବୁ କହନ୍ତି ସେଥିରୁ ମୋତେ ତୁ ଲକ୍ଷେ ଟଙ୍କା ଦେ ଆଉ ପଚାଶ ହଜାର ପାଖରେ ରଖ । ମୁଁ ତୋ ପାଇଁ ଗୋଟିଏ ଜାଗା କିଣି ଦେବି । ଆଉ ଶୁଣୁ ମୋ କାମ ବୁଝିବା ସହିତ ମୁଁ ତୋ ପାଇଁ ଗୋଟିଏ ଅଲଗା କାମ ଆଣି ଦେବି । ତୁ ସେଥିରେ ତୋ ପାଖରେ ଥିବା ପଇସା ଲଗେଇ ଲୋକ ଆଣି ସେ କାମ ସାରିବୁ ଆଉ ସେ କାମରୁ ଯେତେ ଲାଭ ହେବ ସବୁ ତୋର । ଏଣିକି ତୁ ନିଜ ଗୋଡରେ ବେପାର କଲେ ମୋତେ ଭଲ ଲାଗିବ । ସତ୍ୟ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଏ । ସେ ତା’ ପରଦିନ ବାବୁଙ୍କୁ ରଖିଥିବା ଲକ୍ଷେ ଟଙ୍କା ଆଣି ଦେଇଦିଏ ଆଉ ଶ୍ୟାମବାବୁ ତା ପାଇଁ ଭୂବନେଶ୍ୱର ଖୋର୍ଦ୍ଧି ରୋଡ ଠାରୁ ୩କି.ମି ଭିତରେ ଏକ ଜାଗା କିଣି ତା’ ଚାରିପଟେ ପାଚେରୀ କରି ତାକୁ ଦେଇ ଦିଅନ୍ତି । ଏତେ ଉନ୍ନତି କଲାପରେ ମଧ୍ୟ ସତ୍ୟ ସେ ସବୁ କଥାକୁ ତା’ ଘରେ କୁହେ ନାହିଁ । ତେଣେ ନିଜ କାମ କରି ବହୁତ ଲାଭ ବାନ ହୁଏ ଓ ଗୋଟିଏ ଛୋଟ ଠିକାଦାରର ମାନ୍ୟତା ପାଇଯାଏ ।
         ସତ୍ୟ ଜାଣେ, ବାପା ତା’ ରୋଜଗାର ପଇସା ପାଇଲେ ଆଦ୍ୟୈ ଖୁସି ହୁଅନ୍ତି ନାହିଁ । ଭାଇ ପାଇସାରେ ସେ ବହୁତ ଆନନ୍ଦ ଓ ଗର୍ବ ଅନୁଭବ କରନ୍ତି । ସେ ତା ବାପାଙ୍କ ମୁହଁରେ ହସ ଦେଖିବା ପାଇଁ ମିଛରେ ନିଜ ଟଙ୍କାକୁ ନେଇ ବାପାଙ୍କୁ ୫୦୦୦ଟଙ୍କା ଦେଇ କୁହେ ଭାଇ ପଠେଇଛି ।  ଘରେ ଶରତ ଓ ସୁନା ଭାରି ଖୁସି ହୁଅନ୍ତି । ଏମିତି ପ୍ରତି ଦୁଇମାସରେ ଥରେ ୫୦୦୦ଟଙ୍କା ଲେଖାଏଁ ସତ୍ୟ ନିଜ ରୋଜଗାରରୁ ଭାଇ ପଠେଇଛି କହି ବାପାଙ୍କୁ ଦିଏ ଓ ସେମାନେ ମହା ଆନନ୍ଦରେ ସାରଥୀର ଘରବାହୁଡାକୁ ଆସିବାକୁ ଅନେଇ ବସନ୍ତି । ମାତ୍ର ସାରଥୀର ଆଚରଣରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଅନୁଭବ କରେ ସତ୍ୟ । ସମୟେ ସମୟେ ଫୋନ୍ ଉଠାଏ ନାହିଁ । ଯେବେ ଉଠାଏ ବ୍ୟସ୍ତତା ଓ ଅଭାବ କଥା କହେ । ସତ୍ୟ ମନରେ ତା’ ଭାଇ ପ୍ରତି ସନ୍ଦେହ ହୁଏ । କିଛି ଅଘଟଣା ଘଟିନିତ? ମନେମନେ ଭାବେ ନିଜେ ବମ୍ବେ ଯିବ ଓ ଭାଇର କମ୍ପାନୀରେ ଭାଇକୁ ଥରେ ଦେଖି ଆସିବ । ଏମିତି ଭାବିଭାବି ବୁଲିବା ବାହାନାରେ ଶ୍ୟାମବାବୁଙ୍କ ଅନିମତି ନେଇ ମାତ୍ର ଘରେ ନଜଣାଇ ବମ୍ବେ ପଳାଏ । ସେତବେଳକୁ ସତ୍ୟ ଆଉ +୨ ଫେଲ୍ ସତ୍ୟ ହୋଇନଥାଏ ବରଂ ଜଣେ ଛୋଟ କଣ୍ଟ୍ରାକ୍ଟର ର ସମସ୍ତ ଆଚରଣ ଓ ଉଚ୍ଚାରଣ ତାର ବ୍ୟକ୍ତିତ୍ୱରେ ପରିଣତ ହୋଇ ସାରିଥାଏ ।
         ସତ୍ୟ ଯେତେବେଳେ ବମ୍ବେରେ ପହଞ୍ଚେଭାଇ କମ୍ପାନୀର ଫାଟକ ପାଖରେ ପହଞ୍ôଚ ଗେଟ୍‌କିପର୍‌କୁ ଭାଇ ବିଷୟରେ ପଚାରେ ସେ ହିନ୍ଦୀରେ କହେ  ଯାହାର ଅର୍ଥ ଆଜି ତ ସାରଥୀ ବାବୁ ନାହାନ୍ତି । ସେ ତାଙ୍କ ପତ୍ନୀଙ୍କ ସହିତ ସାତଦିନ ପର୍ଯ୍ୟନ୍ତ ଛୁଟିନେଇ ମନାଲି ବୁଲିବାକୁ ଯାଇଛନ୍ତି । ସତ୍ୟ ସବୁ କଥା ଜାଣିବା ପାଇଁ ଚତୁରତାର ସହ କହେ ମୁଁ ତାଙ୍କ ଗାଁ ପାଖର ଜଣେ ସାଙ୍ଗ । ତା’ ସ୍ତ୍ରୀ କଣ ଏହି କମ୍ପାନୀରେ ଚାକିରୀ କରୁଛି । ଗେଟ୍ କିପର୍ କୁହେ ହଁ । ସେମାନେ ବି ଏହି କିଙ୍ଗ୍‌ସର୍କଲରେ ଗୋଟିଏ  ଆପଏଣ୍ଟମେଣ୍ଟ୍‌ଭଡାଘର ନେଇ ତାଙ୍କ ବିବାହ ପରଠାରୁ ରହୁଛନ୍ତି । ସତ୍ୟ ପଚାରେ ସେ କେବେଠୁ ବିବାହ କଲେଣି । ଗେଟ୍ କିପର୍ କଲେ ଏହି ୪ମାସ ହେଲା । ସତ୍ୟ ଏ ସମସ୍ତ କଥା ଶୁଣି ଆଉ ଧୈର୍ଯ୍ୟଧରି ସେଠି ରହି ପାରେନି । ଆତ୍ମାରେ ଆଘାତ ହେଲାପରି ମୁହଁ ତଳକୁ ପୋତି ସେଠୁ ଫେରି ଆସେ ଭୁବନେଶ୍ୱର । ଏ ସମସ୍ତ କଥା ନିଜ ପେଟ ଭିତରେ ଲୁଚେଇରଖି ବାପା ବୋଉଙ୍କୁ କିପରି ଖୁସିରେ ରଖିବ ସେଇ କଥା ଚିନ୍ତା କରେ । ସେ ଜାଣେ ଯଦି ବାପା ଏସବୁ କଥା ଜାଣନ୍ତି ତାଙ୍କର କଣ ହୋଇଯାଇ ପାରେ । ଗାଁ ଓ ଅଞ୍ଚଳରେ ଥିବା ତାଙ୍କ ପତିଆରା ମାଟିରେ ମିଶିଯାଇପାରେ । ଏସବୁ କଥାକୁ ମୋତେ ହିଁ ଲୁଚେଇରଖି ମ୍ୟାନେଜ୍ କରିବାକୁ ପଡିବ । 
       ସେହିଦିନଠାରୁ ସତ୍ୟ ପ୍ରତି ଦୁଇମାସରେ ଘରକୁ ୮୦୦୦ଟଙ୍କା ଲେଖାଏଁ ଦେଇ କହେ ଭାଇ ପଠେଇଛି । ତା’ ବାପା ବୋଉ ଖୁସି ତ ହୁଅନ୍ତି ମାତ୍ର ସେମାନଙ୍କର ଇଚ୍ଛା ପୁଅ ସାରଥୀ ଘରକୁ ଆସୁ ଆମେ ଟିକେ ଦେଖିବୁ । ସତ୍ୟ ସବୁବେଳେ କଥାକୁ ଏଇ ବାହାନାରେ ଟାଳିଦିଏ ଯେ ବର୍ତ୍ତମାନ ଭାଇ କମ୍ପାନୀରେ ବହୁତ କାମ ତେଣୁ ତାକୁ ଛୁଟି ମିଳିବା ଅସମ୍ଭବ । ଏମିତି ଥରେ ତା ବାପା ବୋଉ ଜିଦ କରନ୍ତି ଯେ ଆମକୁ ଭୁବନେଶ୍ୱର ନେଇଚାଲେ ତା ସହିତ ଟିକେ କଥା ହୋଇଯିବୁ ମନ ଭଲ ଲାଗିବ ।  ସତ୍ୟ ବମ୍ବେରୁ ଫେରିଲା ପରଠାରୁ ନିଜ ଆଡୁ ଆଉ କେବେ ସାରଥୀଭାଇକୁ ଫୋନ୍ କରିନି । ସେ ମଧ୍ୟ କେବେ କରିନି । ଯାହାହେଉ ବାଧ୍ୟବାଧକତାରେ ବାପାବୋଉଙ୍କୁ ଗୋଟିଏ ଅଟୋଭଡା କରିଆଣି ଭୁବନେଶ୍ୱରରେ ପହଞ୍ଚୋ ଭାଇ ପାଖକୁ ଫୋନ୍ ଲଗେଇଲା ବେଳକୁ ଅଫିସ୍ ରୁ ଉତ୍ତର ଆସେ ଯେ ସେ ବର୍ତ୍ତମାନ ଅଫିସ୍ କାମରେ ବାହାରକୁ ଯାଇଛନ୍ତି । ତାଙ୍କ ସଙ୍ଗେ କଥା ହୋଇ ପାରିବ ନାହିଁ । ଶରତ ଓ ସୁନାର ମନ ବହୁତ ଦୁଃଖ ହୋଇଯାଏ । କେତେ ଆଶା ନେଇ ଆସିଥିଲେ ମାତ୍ର କଥା ହୋଇ ପାରିଲା ନାହଁ । ହଉ ଆଉ କେବେ କହି ଘରକୁ ମନଦୁଃଖରେ ଫେରନ୍ତି । ମାତ୍ର ତା’ ପରଦିନ ଯେତେବେଳେ ସତ୍ୟ  ସାରଥୀ ଅଫିସ୍ କୁ ପୁଣି ଫୋନ ଲଗାଏ ସାରଥୀକୁ ସବୁ କଥା କହେ, ସାରଥୀ ଉତ୍ତର ଦିଏ ଆରେ ମୁଁ ଏଇମାସରୁ ଜର୍ମାନୀ ୧ବର୍ଷ ପାଇଁ କମ୍ପାନୀ କାମରେ ଯାଉଛି ତେଣୁ ଆଉ କେମିତି କଥା ହେବି । ଏଇ କଥାରେ ସତ୍ୟ ତା ଭାଇକୁ ପ୍ରବଳ ରାଗେ ଓ ଯେ ଛାତା କୁହେ । ବାପାବୋଉଙ୍କ ଅସୁବିଧା ଓ ମନଦୁଃଖ ତାକୁ ସେତେଟା ଚିନ୍ତିତ କରେ ନାହିଁ । 
      ଏକଥା ଶୁଣିଲା ପରେ ଗାଁକୁ ଯାଇ ବାପାବୋଉଙ୍କୁ ମିଛ ଆସ୍ୱାସନା ଦିଏ  ତୁମେ ବ୍ୟସ୍ତ ହୁଅନି । ଭାଇ ବହୁତ ଭଲରେ ଅଛି । ମାତ୍ର ତାର ୧ବର୍ଷ ପାଇଁ ଜର୍ମାନୀରେ କାମଅଛି ତେଣୁ ସେଠୁ ସାରିଲେ ଆସିବ । ଏକଥା ଯେମିତି ସୁନା ଶୁଣି ଦେଇଛି ତା ଛାତି ଭିତରଟା କେମିତି ହୋଇଯାଇଛି । ପୁଅକୁ ଆଜି ପର୍ଯ୍ୟନ୍ତ ନ ଦେଖି ସେ ରୋଗାକ୍ରାନ୍ତ ହୋଇଗଲାଣି । ଏମିତି ତ ସେ ଜୀବନଟାଯାକ ରୋଗିଣୀ, ହେଲେ ପୁଅକୁ ନଦେଖି ତା’ର ମନବଳ ବହୁତ କମିଗଲାଣି । ବଞ୍ôଚବାକୁ ଆଉ ସେତେ ସ୍ପୃହା ନାହିଁ କହିଲେ ଚଳେ । ଶରତର ବି ଅନୁରୂପ ମନଦୁଃଖ । ଏକଥା ସବୁ ସତ୍ୟ ବୁଝିପାରେ ମାତ୍ର ସେ ସତ କହିପାରେନା କିମ୍ବା ସେମାନଙ୍କର ଦୁଃଖ ବି ସହି ପାରେନା । ସେଦିନ ସତ୍ୟ ଗାଁରେ ଥାଏ । ହଠାତ୍ ତା’ବୋଉର ଦେହ ଖରାପ ହୁଏ । ସେ ସଙ୍ଗେସଙ୍ଗେ ଅଟୋଟିଏ କରି ଖୋର୍ଦ୍ଧା ଡାକ୍ତରଖାନାକୁ ଆଣେ । ତା’ ପାଖରେ ପଇସାର ଆଦ୍ୟୈ ଅଭାବ ନଥାଏ । ସେ ସେତେବେଳକୁ ସାରଥୀଠୁ ବି ଅଧିକ ଧନୀ ହୋଇ ସାରିଥାଏ । ନିଜ ଠିକାଦାରୀ କାମରେ ତା’ ପାଖରେ ଯଥେଷ୍ଠ ପଇସା ଥାଏ । ମାତ୍ର ସେ ବାପାଙ୍କୁ ସବୁ ସତକଥା କହି ପାରେନା । ସବୁ ପଇସା ଦେଇ କହେ ଏସବୁ ଭାଇ ପଠେଇଛି ମନଦୁଃଖ କରିବା ଆଦ୍ୟୈ ଠିକ୍ ନୁହେଁ । ଡାକ୍ତରଖାନାରୁ ସୁନା ସେଦିନ ଫେରେ ହେଲେ ତା’ ପରଠାରୁ ଆଉ ତାହାର ଦେହ ଆଦ୍ୟୈ ଭଲ ରହେ ନାହିଁ । ସତ୍ୟ ପାଖରେ ବି ଆଉ ତା’ ଭାଇ ସାରଥୀ ସହିତ କଥା ହେବାର ବିକଳ୍ପ ନଥାଏ କାରଣ ସେ ଜର୍ମାନୀ ଚାଲିଯାଇଥାଏ । 
      ଗାଁରେ ସୁନା ସେମିତି ଖଟ ଉପରେ ପଡିରହିଥାଏ । ସତ ଯେମିତ ସୁନା ଆଉ ବଞ୍ôଚବନାହିଁ । ସେ ସବୁଦିନ ପାଇଁ ଏ ଦୁନିଆରୁ ଚାଲିିଯିବ । ସତ୍ୟକୁ ଜମା ଭଲ ଲାଗନୋ । ସେ ପୁଣି ସରଥୀ କମ୍ପାନୀ ସହିତ କଥା ହୋଇ ତାର ଫୋନ୍ ନଂ ଆଣେ । ଫୋନ୍‌ରେ ତାକୁ ବୋଉର ଦେହ ଅତି ଖରାପ ବୋଲି କହେ ମାତ୍ର ବୋଉର ଦେହ ଖରାପକୁ ସାରଥୀ ସେତେ ଗୁରୁତର ସହ ନିଏ ନାହିଁ ଓ ନିଜର ଫେରିବାକୁ ଅସମ୍ଭବ ବୋଲି କହେ । ସତ୍ୟ ଆଉ କିଛି କୁହେ ନାହିଁ । ତିନିଦିନ ହେଲା ସନ୍ଧ୍ୟା ବେଳକୁ ନିଜ ମଟର ସାଇକେଳରେ କାମ ସାରି ରାତି ୧୦ଟାରେ ଘରେ ପହଞ୍ôଚବୋଉର ଯତ୍ନ ନେଇ ପୁଣି ସକାଳୁ ଭୁବନେଶ୍ୱର ଫେରୁଥାଏ । ସେଦିନ ଘରୁ ବାହାରିଲା ବେଳକୁ ବୋଉର ଦେହ କାହିଁକି ବେଶୀ ଖରାପ ଅଛି ବୋଲି ସେ ଜାଣିପାରେ । ଆଜି କେବଳ ବ୍ୟାଙ୍କ୍ କାମଟା ସାରି ଜଲଦ୍‌ି ଦିନ ଦୁଇଟାରେ ଫେରି ଆସିବ ଏହି କଥା ମନସ୍ଥ କରି ସେ ଘରୁ ବାହାରେ । ସେ ଘରୁ ବାହାରି ଗଲା ପରେ ସୁନାର ଦେହ ଆହୁରି ଖରାପ ହୋଇପଡେ । ଶରତ କଣ କରିବ କିଛି ବୁଝିପାରେନା । ବହୁତ ମନ ଦୁଃଖରେ ସୁନା ପାଖରେ ବସି ରହେ । ଦ୍ୱିପହର ବେଳକୁ ସୁନାକୁ କହେ, ଦେଖେ, ମୁଁ ଛକକୁ ଯାଉଛି । କାଳେ ସତ୍ୟଟା ଆସିି ସେହି ଛକରେ ରହି ଡେରିରେ ଘରକୁ ଫେରିିବ । 
      ଆଜି କହୁଥିଲା ସେ ଜଲଦି ଫେରିବ । ଆସିଲା ବେଳକୁ ତୋପାଇଁ ଦୁଇଟି ପାଉରୁଟି ନେଇ ଆସିବ । ସୁନା, କଥା କହିବାକୁ ବି ଅବଶ ମନେ କରୁଥାଏ । ମୁଣ୍ଡ କେବଳ ହଲାଇ ଉତ୍ତର ଦିଏ । ଶରତ ଗୋଟିଏ ଲୁଙ୍ଗି ଉପରେ ଧଳା ହାପ୍ ସାର୍ଟ ଟିଏ ପିନ୍ଧି କାନ୍ଧରେ ଗାମୁଛାଟେ ପକେଇ ସାଇକେଲ୍ ରେ ଆସି ଛକରେ ଥିବା ତା ପରିଚିତ ସାଇକେଲ ଦେକାନ ସାମନାରେ ପଡିଥିବା ଲଙ୍ଗବେଞ୍ଚ୍‌୍ ଉପରେ ବସି ସତ୍ୟକୁ ଅପେକ୍ଷା କରିରହେ । 
      ମନରେ ଅସୁମାରୀ ଦୁଃଖ । ପୁଅ ପାଠ ପଢିଲା ବେଳେ ତା’ ମନରେ କେତେ ଆନନ୍ଦ ଥିଲା । ତା’ ବଡପୁଅ ତା’ ପାଇଁ ସିନା ଏ ସମାଜରେ ମାନମହତ ସବୁ ଉଚ୍ଚା କରି ଦେଇଛି ହେଲେ ଆଜି ଜୀବନ ସଂଗ୍ରାମରେ ୁଣ୍ଟିବା ସମୟରେ ତା’ର ଉପସ୍ଥିତି ଟିକେ ତା’ ପାଖରେ ନାହିଁ । ପଇସା କଣ ପଠେଇ ଦେଲେ ସବୁ ଦୁଃଖ ପଳାଏ । ବାପା ମାଆ ଯାହାକୁ ଜନ୍ମ ଦେଇଥାନ୍ତି ଏ ବୃଦ୍ଧାବସ୍ଥାରେ ସେମାନଙ୍କର ମୁହଁ ଦେଖି ଦିନ କାଟିଲେ ସେମାନଙ୍କୁ ଅଜସ୍ର ଆନନ୍ଦ ମିଳିଥାଏ । ଜୀବନର ଯନ୍ତ୍ରଣା ଲାଘବ ହୁଏ । ଆଜି ତା’ ସ୍ତ୍ରୀ ସୁନା ପୁଅକୁ ନଦେଖି ପାରି ଜରାଜୀର୍ଣ୍ଣ ଓ ରୋଗାକ୍ରାନ୍ତ । 
      ବହୁତ ଅସହ୍ୟ ପୀଡା ତାକୁ ହୁଏ । ମନେ ମନେ ସାରଥୀ ଉପରେ ବହୁତ ରାଗୁଥିଲେ ବି ଭାବେ ତା’ର ଆମେ ଆଉ କଣ ବା କରିପାରିବୁ । ତା’ର ନିଶ୍ଚୟ ସେମିତି ଅସୁବିଧା ଥିବ, ନଚେତ୍ ପଇସା ପଠେଇ ଦିଅନ୍ତା ଆଉ ଆସି ପାରନ୍ତାନି? ମନରେ ରାଗି କରି ମଧ୍ୟ ଭଗବାନଙ୍କୁ କହେ ପ୍ରଭୁ ସେ ଯେଉଁଠି ଅଛି ଭଲରେ ଥାଉ ।
       ଦିନ ସେତେବେଳକୁ ୪ଟା ହେଲାଣି । ହଠାତ୍ ତା ଆଖି ସାମନାରେ ଗୋଟିଏ ମଟର୍‌ସାଇକେଲ୍‌କୁ ଗଡେଇ ଗଡେଇ ଆଣୁଥିବା ଜଣେ ଲୋକ ନଜର ଆସେ । ସେ ଲୋକଟିର ବୟସ ପାଖାପାଖି ୪୦ ଖଣ୍ଡେ ହେବ । ଗାଡିଟି ପଙ୍କଚର୍ ହୋଇଯାଇଥିବାରୁ ସେ ହାଲିଆ ହୋଇ ଗାଡିଟି ପେଲିପେଲି ଆଣୁଥାଏ । ମଟର୍‌ସାଇକେଲ୍‌ଟିକୁ ସାଇକେଲ୍ ଦୋକାନ ସାମନାରେ ଠିଆ କରିଦେଇ ଶରତ ବସିଥିବା ବେଞ୍ଚ୍ ଉପରେ ଶରତ ପାଖରେ ବସିପଡେ । ଶରତ କହିବାକୁ ଲାଗେ ଏଇଠି ବସିପଡ । କଣ ଗାଡି ପଙ୍କ୍‌ଚର୍ ହୋଇଗଲା? ହଁ ମଉସା । ଏହି ୪୦୦ମିଟର ଦୂରରୁ ହିଁ ହୋଇଗଲା । କୁଆଡେ ଯିବକି ବାବୁ । ଏଇ ପାଖରେ ରାଧୁଆ ପଲ୍ଲୀ ଅଛି ସେହି ଗାଁକୁ ଯିବି । କାହା ଘରକୁ ଯିବ? ସତ୍ୟବାବୁଙ୍କ ଘରକୁ । ତୁମେ କେଉଠୁଁ ଆସିଥିଲ କି ବାବୁ? ମଉସା ଭୁବେନଶ୍ୱରରୁ । ଶରତ ଆଶ୍ଚର୍ଯ୍ୟ ହୋଇ ଭାବେ ଆମ ଗାଁର ଏ ସତ୍ୟବାବୁ କିଏ? ପଚାରି ବସେ, ସତ୍ୟବାବୁ ଭୁବନେଶ୍ୱରରେ କଣ ଚାକିରୀ କରନ୍ତି ନା କଣ? ନାହିଁ ମଉସା ସତ୍ୟବାବୁ ଜଣେ କଣ୍ଟ୍ରାକ୍ଟର୍ । ତାଙ୍କର ଗୋଟିଏ ଠିକା ସଂସ୍ଥା ଅଛି । ସେ ବହୁତ ଭଲ । ତାଙ୍କ ପାଖରେ ପରା ମୁଁ ଏଇ ତିନି ବର୍ଷ ହେବ ଚାକିରୀ କରୁଛି । ତାଙ୍କର ବହୁତ ଖାସ୍ ଲୋକ ମୁଁ । 
      କଣ କହିବି ମଉସା ସତ୍ୟବାବୁଙ୍କ ବୋଉଙ୍କ ଦେହ ବହୁତ ଖରାପ । ତାଙ୍କ ବଡଭାଇ କଣ ବହୁତ ପାଠ ପଢି ବମ୍ବେରେ ଚାକିରୀ କରିଥିଲେ ଯେ ଚାକିରୀ କଲାପରଠାରୁ ମାତ୍ର ଥରୁଟିଏ  ଘରକୁ ଆସିଥିଲେ ଆଉ ପଇସା ଦେଇଥିଲେ । ତା’ ପରଠାରୁ ସେ ସମ୍ପୂର୍ଣ୍ଣ ତାଙ୍କ ବାପାମାକୁ ଭୁଲିଗଲେ । ସତ୍ୟବାବୁ କୁହନ୍ତି ତାଙ୍କ ଭାଇ ଏମିତି ବଦଳିଗଲେଯେ ସିଆଡେ ପରା ଗୋଟିଏ ଝିଅକୁ ବାହା ହୋଇ ସିଆଡେ ରହିଗଲେ । ଘରେ ବି ଏକଥା ଆମ ସତ୍ୟବାବୁ ଏଇ ଯୋଗୁଁ ଜଣେଇ ନାହାନ୍ତି, ତାଙ୍କ ବାପା କୁଆଡେ ତାଙ୍କ ଗାଁର ମାମଲ୍‌ତକାର । ସେ କିନ୍ତୁ ସତ୍ୟବାବୁଙ୍କୁ ଜମା ଭଲ ପାଆନ୍ତିନି । ସେ ତାଙ୍କର ବଡପୁଅ ପାଇଁ ବହୁତ ଗର୍ବ ଅନୁଭବ କରନ୍ତି । କାରଣ ବଡ ପୁଅ ତାଙ୍କର ମାନମହତ ବଢେଇ ଦେଇଛି । ହେଲେ ମଉସା ତାଙ୍କ ବାପା ଜାଣି ନାହାନ୍ତି ଯେ ଆଜି ପର୍ଯ୍ୟନ୍ତ ତାଙ୍କ ବଡପୁଅ ମୋଟେ ହେଲେ ଟଙ୍କା ଘରକୁ ପଠାଇ ନାହାନ୍ତି । ତାଙ୍କ ବାପା ସତ୍ୟବାବୁଙ୍କ ପଇସା ନେବାଟା ସେତେ ଭଲ ପାଆନ୍ତିନି ବୋଲି ସବୁବେଳେ ସତ୍ୟବାବୁ ନିଜ ରୋଜଗାର ଟଙ୍କା ଦେଇ ଘରେ କୁହନ୍ତି ଭାଇ ପଠେଇଛି । ଯେବେ ବମ୍ବେ ଯାଇ ସବୁକିଛି ତାଙ୍କ ଭାଇଙ୍କ କମ୍ପାନୀରୁ ସତକଥା ବୁଝିସାରି ଫେରିଲେ ମୋରି ଆଗରେ ଥରେ ତାଙ୍କ ଭାଇ ସାଙ୍ଗରେ ଫୋନ୍‌ରେ କଥା ହୋଇଥିଲେ । ସେଦିନ ଫୋନ୍‌ରେ ତାଙ୍କ ଭାଇକୁ ବହୁତ ରାଗରେ ବିରକ୍ତ ହୋଇ ଅନେକ କଥା କହିଲେ । ତାଙ୍କ ଭାଇ ଫୋନ୍ କାଟିଦେଲା । ସତ୍ୟବାବୁ କିନ୍ତୁ ତା’ପରେ ବହୁତ କାନ୍ଦିଲେ । ଏବେ ତାଙ୍କ ବୋଉ, ଘରେ ତାଙ୍କ ଭାଇଙ୍କୁ ଝୁରି ଝୁରି ଶଯ୍ୟାସାୟୀ ହୋଇ ପଡିଛନ୍ତି ହେଲେ ତାଙ୍କ ଭାଇର ଦେଖାନାହିଁ । ସେ ଆଉ ଆସିବେନି ବୋଲି ମୋର ଧାରଣା ।
     କିନ୍ତୁ ମଉସା ଗୋଟିଏ କଥା ସତ୍ୟବାବୁଙ୍କ ଭଳିଆ ଯୋଗ୍ୟବନ୍ତ ପୁଅ ପାଇ ତାଙ୍କ ବାପା ନିଶ୍ଚୟ ନିଜକୁ ଧନ୍ୟ ମନେ କରୁଥିବେ । ମଉସା ଆପଣ ବିଶ୍ୱାସ କରିବେନି ତାଙ୍କ ବାପାବୋଉଙ୍କ ଖୁସି ପାଇଁ ସେ ସମ୍ପୂର୍ଣ୍ଣ ପାଗଳ । ଆଜି ସେ ଏତେ ବଡ ହୋଇଛନ୍ତି ହେଲେ ତାଙ୍କ ବାପାଙ୍କୁ ଏକଥା କହି ନାହାନ୍ତି । କାରଣ ତାଙ୍କ ବାପା ତାଙ୍କୁ କୁଆଡେ ଆଦ୍ୟୈ ଭଲ ପାଆନ୍ତିନି । ମୁଁ ଭାବିଛି ଆଜି ତାଙ୍କ ଘରକୁ ଗଲେ ତାଙ୍କ ବାପାଙ୍କୁ ସବୁ ସତକଥା କହିଦେବି । ମୁଁ ଜାଣେ ସତ୍ୟବାବୁ ମୋତେ ବହୁତ ଭଲ ପାଆନ୍ତି । ସେ ମୋତେ ରାଗିବେ ସିନା ମୋର ତାଙ୍କ ରାଗରେ ଟିକେବି ମନ ଦୁଃଖ ହେବନାହିଁ । 
       ହଉ ମଉସା ମୋତେ ଟିକେ ରାଧୁଆ ପଲ୍ଲୀକୁ ବାଟ କହିଦେବେ । ସେତେବେଳକୁ ସାଇକେଲ୍ ଦେକାନୀ ମଟରସାଇକେଲ୍ ଟାୟାର୍ ଖୋଲିବା ଆରମ୍ଭ କରୁଥାଏ । ଯାଇଁଲ ମଉସା ଆଜି ପରା ସତ୍ୟବାବୁଙ୍କ ବେଳ ଭଲ ନାହିଁ । ଘରେ ବୋଉ ଦେହ ଭଲ ନାହିଁ ବୋଲି ବ୍ୟାଙ୍କ୍‌ରୁ କାମ ଛିଡେଇ ଠିକ୍ ଦିନ  ଏକଟାରେ ମୋତେ କହିଲେ, ପୀତବାସ ଆଜି ଚାଲେ ଆମ ଗାଁ କୁ ଯିବା । ଦୁଇଜଣ ଯାକ ମଟର୍‌ସାଇକେଲ୍‌ରେ ଆସିଲା ବେଳକୁ ଗୋଟିଏ ଗାଈ ସାମନାକୁ ଆସିଗଲା । ସତ୍ୟବାବୁଙ୍କର ଡାହାଣ ହାତ ବିଷି ଆଙ୍ଗୁଠିଟା ଫାଟିଗଲା । ତାଙ୍କୁ ନେଇ ବ୍ୟାଣ୍ଡେଜ୍ କଲୁ । ହେଲେ ସେ କହିଲେ ପୀତବାସ ତୁ ମଟର୍‌ସାଇକେଲ୍‌ରେ ଚାଲେ କାରଣ ଗାଁରେ ମଟର୍‌ସାଇକେଲ୍ ନିହାତି ଦରକାର ହେବ । ମୁଁ କାର୍‌ରେ ଯାଉଛି । ସେ ଏଇନେ କାର୍‌ରେ ଆସି ଓହ୍ଲାଇବେ ।
     ଶରତର କଣ୍ଠଋଦ୍ଧ । ଆଖିରେ ଅସୁମାରି ଲୁହକୁ ସେ ଲୁଚେଇ ରଖିବାକୁ ଚେଷ୍ଟା କରୁଥାଏ । କଥା ଶୁଣିଲା ଭିତରେ ଛେପ କେତେଥର ଯେ ଢୋକି ସାରିଲାଣି ତାର ଆଉ ହିସାବ ତା’ପାଖରେ ନାହିଁ । ତତ୍‌କ୍ଷଣାତ୍ ଗୋଟିଏ ଧଳା ଇଣ୍ଡିଗୋ କାର୍ ଆସି ସାଇକେଲଲ୍ ଦେକାନ ସାମନ୍‌ାରେ ରହିଯାଏ । ପଛ ସିଟ୍‌ରୁ ଓହ୍ଲାଏ ସତ୍ୟ । ସତ୍ୟ ହଠାତ୍ ବାପାଙ୍କ ପାଖକୁ ଆସି ପଚାରେ ବାପା, ବୋଉ ଦେହ କେମିତି ଅଛି । ସତ୍ୟର ବାପା ସମ୍ବୋଧନ ଶୁଣି ପିତବାସ ସମ୍ପୂର୍ଣ୍ଣ ଭୟଭିତ ହୋଇ ପଡେ । ମନେମନେ ଭାବେ ସବୁ ସରିଗଲା । ଜଳଜଳ ହୋଇ ଶରତ ମୁହଁକୁ ଅନେଇ ରୁହେ । କିନ୍ତୁ ନିଜର ସୂକ୍ଷ୍ମ ଓ ସ୍ଥୁଳ ଚୈତନ୍ୟକୁ ସ୍ଥାଣୁ କରିଦେଇ ଶରତ ପଚାରେ ଆଙ୍ଗୁଠି କଣ ଫାଟି ଯାଇଛି । ସତ୍ୟ କହେ ନାହିଁ ବାପା ସେ କିଛି ହୋଇନି । ସାଇକେଲ୍ ଦୋକାନୀକୁ କହେ ତୁମେ ମଟର୍‌ସାଇକେଲ୍ ଠିକ୍ କରି ନେଇ ଆସିବ । ପିତବାସ ଓ ବାପାଙ୍କୁ କାର୍‌ରେ ବସେଇ ଡ୍ରାଇଭର କାର୍ ନେଇ ଘରେ ପହଞ୍ଚୋ ସତ୍ୟ ତରତରରେ ଘର ଭିତରକୁ  ଯାଇ ବୋଉ ପାଖରେ ବସି ପଡେ । ଶରତ ମଧ୍ୟ ସୁନା ପାଖରେ ବସିପଡି ସୁନା ମୁଣ୍ଡ ଉପରେ ହାତ ବୁଲାଇ ଆଣି କହେ ଦେଖ୍‌, ମୋ ଅଯୋଗ୍ୟ ପୁଅ ଆସିଛି । ଆଉ ଆଖିର ଲୁହକୁ ବାନ୍ଧି ରଖି ପାରେନି । ସତ୍ୟକୁ ତା’ମା ସୁନା ସହିତ ଜାବୁଡି ଧରି ବହୁତ କାନ୍ଦେ ଶରତ । ପୀତବାସ ଟିକେ ଦୂରରେ ଠିଆ ହୋଇଥାଏ ସତ ହେଲେ ତା’ ଆଖି ମଧ୍ୟ ଓଦା ନହୋଇ ରହିପାରେନି । 
     ତୁ ଜାଣିଛୁ ସୁନା, ମୋ ଅଯୋଗ୍ୟ ପୁଅ ଆଜି ଜଣେ ବହୁତ ବଡ ମଣଷ ହୋଇଯାଇଛି । ଖାଲି ବଡ ମଣିଷ ନୁହେଁ ସେ ଜଣେ ବହୁତ ଭଲ ହୋଇଯାଇଛି । ମୁଁ ଯେଉଁ ସବୁ ସ୍ୱପ୍ନ ମୋ ବଡପୁଅ ଭିତରେ ଦେଖିଥିଲି ଆଜି ମୋ ଆଯୋଗ୍ୟ ପୁଅ ସେ ସବୁ କରି ଦେଖେଇଛି । ତୋ ଜୀବନ ଧନ୍ୟ, ମୋ ଜୀବନ ବି ଆଜି ଧନ୍ୟ ହୋଇଯାଇଛି ଏଭଳି ଗୋଟିଏ ଆଯୋଗ୍ୟ ପୁଅ ପାଇ । ସମସ୍ତଙ୍କ ଆଖିରେ ଲୁହର ଉଚ୍ଛୁଳା ନଈ । ହେଲେ ସୁନା ସ୍ଥିର । ସତ୍ୟ ମୁଣ୍ଡରେ ସ୍ନେହରେ ହାତ ବୁଲେଇଆଣି କ୍ଷୀଣ କଣ୍ଠରେ କହିଛି ତୁମେ ଥା--ଅ------------------ା ତା’ର ପ୍ରାଣ ବାୟୁ ଚାଲିଯାଏ । ସତ୍ୟ ବାପାଙ୍କୁ ଯାବୋଡି ଧରି ଭେଁଭେଁ ହୋଇ କାନ୍ଦିବାରେ ଲାଗେ । ପାଖ ପଡୋଶି ଦଉଡି ଆସନ୍ତି ସମସ୍ତେ ବହୁ ମନଦୁଃଖ କରନ୍ତି । ଅନେକ କାନ୍ଦନ୍ତି ମଧ୍ୟ । ବନ୍ଧୁ କୁଟୁମ୍ବ ଆସନ୍ତି । ସମସ୍ତେ ଭାବନ୍ତି ବଡ ପୁଅ ଆସିଲେ କୋକେଇ ଯିବ । ହେଲେ ଶରତ ଏକ ଋଦ୍ଧ ଗଳାରେ କହେ ମୋର ଏଇ ଗୋଟିଏ ପୁଅ । ଚାଲ କୋକେଇ କାନ୍ଧାଅ । ଆଗରେ ଖଇ କଉଡି ବିଞ୍ôଚ ବିଞ୍ôଚ ଚାଲେ ଶରତ, ଆଉ ମନେ ମନେ ଭାବୁଥାଏ ଏ ସଂସାର ଘନଘଟାରେ ମଣିଷ ଚିହ୍ନିବା ପାଇଁ ମୁଁ ଗୋଟିଏ ଅଯୋଗ୍ୟ ।
                                                                
*******

OLD IS PLATINUM

 DETAILS OF MY EARLIER POSTS