search in www.iswarchandraworld.blogspot.com

Monday 13 April 2020

Odia Article ସେବେଳ ନା ଏବେଳ(୨)

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ସେବେଳ ନା ଏବେଳ(୨) 

       ସେଦିନ ଗିରିଧାରୀ ବାବୁ ତାଙ୍କ ପୁଅଠାରୁ ବୁଝି ଜାଣିବାକୁ ପାଆନ୍ତି ଯେଉଁ ସ୍କୁଲରେ ନାତିର ନାମ ଲେଖା ହେବ ସ୍କୁଲଟିରେ ପ୍ରଥମେ ନାତିର ଗୋଟିଏ ପରୀକ୍ଷା ଏବଂ ତାଙ୍କ ପୁଅବୋହୁଙ୍କର ଗୋଟିଏ ସାକ୍ଷାତକାର ହେବ । ଯଦି ସେଥିରେ ଉଭୟ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ନାତିର ଦାଖିଲା ସମ୍ଭବ ନଚେତ୍ ନାହିଁ । ଗିରିଧାରୀବାବୁଙ୍କ ମନରେ ଟିକେ ଉତ୍କଣ୍ଠା ବଢିଯାଏ । ସେ ପୁଅକୁ କହି ନାତିର ଆଡମିଶନ୍ ପରିକ୍ଷା ଦିନ ପୁଅବୋହୁ ନାତିଙ୍କ ସହିତ ସ୍କୁଲକୁ ଯାଆନ୍ତି । ବିଦ୍ୟାଳୟ ପରିବେଶ ଥାଏ ଅତ୍ୟନ୍ତ ମନୋରମ । ବିଦ୍ୟାଳୟ ବଗିଚାର ପରିବେଶ ଦେଖି ଗିରିଧାରୀ ବାବୁ ଭାବୁଥାନ୍ତି, ଗଛଗୁଡିକୁ ସେମାନଙ୍କ ନିଜ ଇଚ୍ଛାରେ ବଢିବାକୁ ନଦେଇ ଏ ମାନବ ନିଜର ମନ ଅନୁସାରେ ସେମାନଙ୍କୁ କାଟିକୁଟି ଏକ ଯାନ୍ତ୍ରିକ ପ୍ରାକୃତିକ ପରିବେଶ ସୃଷ୍ଟି କରିଛି । ପହଞ୍ଚନ୍ତି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଅଫିସ୍‌ରେ । ପ୍ରଧାନ ଶିକ୍ଷକଙ୍କ ଅଫିସ୍‌ର ଚାକଚକ୍ୟ ମଧ୍ୟ ଖୁବ୍ ସୁନ୍ଦର ଥାଏ । ସେମାନେ ନମସ୍କାରଟିଏ ପକାଇ ତାଙ୍କ ଟେବୁଲ ସମ୍ମୁଖରେ ପଡିଥିବା ସୋଫା ଉପରେ ବସିପଡନ୍ତି । ଯଥୋଚିତ ଆନୁଗତ୍ୟ ପ୍ରଦର୍ଶନ ପରେ ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶ ମତେ ଅନ୍ୟ ଜଣେ ଶିକ୍ଷକ ଆସି ନାତି ଟୋକାକୁ ଗୋଟିଏ ପ୍ରଶ୍ନ କାଗଜ ଧରେଇ ଦେଇ ତାକୁ ଅନ୍ୟ ଏକ ଚୈାକି ଉପରେ ବସାଇ ଉତ୍ତର ଲେଖିବାକୁ କୁହନ୍ତି । ଗିରିଧାରୀବାବୁ ଅନୁଭବ କରନ୍ତି ତାଙ୍କ ପୁଅ ଭଳି ତାଙ୍କ ନାତିର ସେ ବେଳର ସେ ଭୟ ନଥାଏ । ସେ ଉତ୍ତର କରିସାରି ଖାତା ଦେଇ ଦିଏ । ନାତି ଟୋକର ଉତ୍ତର ଖାତା ଦେଖି ସାରିବା ପରେ ପ୍ରଧାନ ଶିକ୍ଷକ ତାଙ୍କ ପୁଅବୋହୁଙ୍କୁ ସେମାନଙ୍କର ଯୋଗ୍ୟତା ବିଷୟରେ ପଚାରନ୍ତି । କୁହନ୍ତି ପୁଅକୁ ଘରପାଠ ଯାହା ଦିଆଯିବ ପୁଅ ତାହା କଲା ନା ନାହିଁ ସେ ସବୁ ଆପଣଙ୍କର ଦାୟୀତ୍ୱ । ସଙ୍ଗେ ସଙ୍ଗେ ନାତିର ଆଡମିଶନ୍ ବି ହୋଇଯାଏ । ତା’ ପରେ ସେମାନେ ପ୍ରଧାନ ଶିକ୍ଷକଙ୍କଠାରୁ ମେଲାଣି ନେଇ ମନ ଖୁସିରେ ଘରକୁ ଫେରନ୍ତି । ଗିରିଧାରୀବାବୁ କିନ୍ତୁ ବଡ ବିସ୍ମିତ । ପ୍ରଥମ କରି ପିଲାଟି  ବିଦ୍ୟାଳୟକୁ ଯାଇଛି ହେଲେ ପ୍ରଧାନ ଶିକ୍ଷକ କେବଳ ଆରମ୍ଭରୁ ଖାଲି ପଚାରିଥିଲେ ‘ହ୍ୱାଟ ଇଜ୍ ଇଓର ନେମ୍‌’ ଓ ଶେଷରେ କହିଲେ ତୁମେ ଏଥର ସବୁଦିନ ବିଦ୍ୟାଳୟକୁ ଆସିବ । ଏ କି କଥା । ଏ କଣ ଗୁରୁ-ଶିଷ୍ୟ ହୃଦୟ ସର୍ମ୍ପକର କଥା । ମୋତେ ଯାହା ଜଣାପଡୁଛି କଟା ଯାଇ ସୁନ୍ଦର ଦିଶୁଥିବା ବଗିଚାର ଗଛଗୁଡିକ ପରି ନାତିଟୋକାର ଭବିଷ୍ୟତ । ଗାଡି ଭିତରେ ବସିବା ବେଳେ ଗିରିଧାରୀବାବୁ ଏମିତି ଭାବୁ ଭାବୁ ଅବଚେତନ ମନରେ ହଜିଯାଆନ୍ତି ନିଜର ପିଲାଦିନର ସ୍ମୁତିକୁ ।
     ଶ୍ରୀପଞ୍ଚମୀ ପୂର୍ବଦିନ ବାପା ହାଟରୁ ଗୋଟିଏ ମାଟି ସିଲଟ, ଦୁଦୁଖଡି, ସାନଭାଇ ଓ ମୋ ପାଇଁ ନୂଆ ସାର୍ଟ ଓ ପ୍ୟାଣ୍ଟ କିଣିକି ଆଣିଥାନ୍ତି କାରଣ ସାନ ଭାଇର ସେଦିନ ଖଡି ଅନୁକୂଳ ଥାଏ । ଶ୍ରୀପଞ୍ଚମୀ ଦିନ ୧୦ଟା ବେଳକୁ ଆମଦୁହିଁଙ୍କୁ ଗାଧୋଇପାଧୋଇ ନୂଆ ସାର୍ଟପ୍ୟାଣ୍ଟ ପିନ୍ଧାଇ ମୋ ବୋଉ ଆମକୁ ପ୍ରସ୍‌ୁତ କରିଦିଏ । ବାପା ମଧ୍ୟ ଅନୁରୂପ ନିତ୍ୟକର୍ମସାରି ଧଳା ଧୋତିଟିଏ ପିନ୍ଧି କାନ୍ଧରେ ବାନ୍ଧ ଗାମୁଛାଟିଏ ପକେଇ ଆମକୁ ନେଇ ସ୍କୁଲ ଚାଲନ୍ତି । ସେତେବେଳକୁ ପୂଜା ଆରମ୍ଭ ପ୍ରାୟ । ଆମେ ବିଦ୍ୟାଳୟ ହତା ଭିତରେ ପସିଲା ବେଳକୁ ବଳରାମ ସାର୍‌ଙ୍କ ନଜର ଆମ ଉପରେ ପଡେ । ବାପା ଓଳଗି ହୁଅନ୍ତି ଓ ଆମେ ସାର୍‌ଙ୍କ ପାଦଛୁଇଁ ପ୍ରଣାମ କରୁ । ମୋ ସାନଭାଇ ଭୟ ଓ ଲାଜରେ ଯେତେବେଳେ ଯାଉଥାଏ ବଳରାମ ସାର୍ ଚୌକୁରୁ ଉଠିପଡି ମୋ ସାନଭାଇ ଆଗରେ ବସି ପଡନ୍ତି । କୁହନ୍ତି ସୁନା ପିଲା, ଆଉ ତୋ ନାଁ କଣ ବାପା । ମୋ ସାନଭାଇ ପ୍ରତି ସାର୍‌ଙ୍କ ସେ ସ୍ନେହ ଓ ଆଦର ବୋଳା କଥାରେ ମୋ ସାନଭାଇ ଟିକେ ଆଶ୍ୱସ୍ତି ମଣେ ଓ ଉତ୍ତର ଦିଏ ବିଶ୍ୱନାଥ । ବଢିଆ ନାଁ ।  ସାର୍ ନିଜେ ତା’ହାତ ଧରି ନିଜ ଚଉକି ପାଖକୁ ନେଇ ଯାଆନ୍ତି ଆଉ ତାକୁ କୁହନ୍ତି ଆଜି ତୁମର ପାଠ ଅନୁକୂଳ ହେବ । ଆଜି ସରସ୍ୱତୀ ମାଙ୍କୁ ମୁଣ୍ଡିଆମାରି କହିବୁ ମା’ ମୋତେ ବହୁତ ପାଠ ଦିଅ । ମୁଁ ପାଖରେ ଛିଡା ହୋଇ ଦେଖୁଥାଏ ମୋ ସାର୍‌ଙ୍କ ଭଲପାଇବାକୁ । ମୋ ନିଜ ବାପା ମାଙ୍କ ପରି ଆଦର ସ୍ନେହ ମୋ ସାନଭାଇର ବିଦ୍ୟାଳୟ ଆସିବାର ଭୟକୁ ସମ୍ପୂର୍ଣ୍ଣ ଦୂର କରିଦିଏ । ସେଦିନ ଖଡି ଅନୁକୂଳ ଯଥାରୀତି ଆରମ୍ଭ ହୁଏ । ସାର୍ ମାଟିସିଲଟରେ ତିନୋଟି ମୁଣ୍ଡୁଳା ବୁଲାଇ ସାନ ଭାଇର ହାତଧରି ଲେଖାଇ କୁହନ୍ତି ବ୍ରହ୍ମା.., ବିଷ୍ଣୁ.., ମହେଶ୍ୱର...,ା  ସେହିଦିନଠାରୁ ମୋ ଭାଇ ପିଠିରେ ବହିବସ୍ତାନି ଲଦା ହେବା ଆରମ୍ଭ ହୁଏ । ବିଦ୍ୟାଳୟର ଚାରିକାନ୍ଥ ଓ ଗଛଲତାର ଗହଳ ପରିବେଶ ଭିତରେ ସେ ମୋରି ଭଳି ଆଗକୁ ଆଗକୁ ମାଡି ଚାଲେ ।
     ମାତ୍ର ସେ ସମୟ କେତେ ଯଲଦି ବଦଳିଗଲା ଜାଣି ହେଉନି । ନାତିକୁ ତିନିବର୍ଷ ନପୁରୁଣୁ ଓ ଖଡି ଅନୁକୂଳ ପୂର୍ବରୁ ତା’ ମା’ ଓ ବାପା ତାକୁ କାନ୍ଧରେ ପକାଇ କେତେ କଣ ଘୋଷେଇଦେଇଛନ୍ତି । ତିନି ବର୍ଷ ପୁରା ବେଳକୁ ପ୍ରାୟ ଅଢେଇଶହ ଇଂରାଜୀ ଶଦ୍ଦର ଅର୍ଥ କହିପାରୁଥିଲା ସେ । ସେବେଳ ଭଳି ଖଡି ଅନୁକୂଳର ପରମ୍ପରା ଆଉ ନାହିଁ କହିଲେ ଚଳେ । ପୁଅ ବୋହୁ ଏ ସରକାରୀ ବିଦ୍ୟାଳୟରେ ପୁଅକୁ ପଢାଇବାକୁ ନାପସନ୍ଦ କରି ତା’ର ଆଜି ଏ ଇଂରାଜୀ ମିଡିୟମ ସ୍କୁଲରେ ଦାଖିଲା ।
     ଅବଚେତନ ମନରୁ ବାହାରି ଆସିଲା ବେଳକୁ ସେ କିନ୍ତୁ ବୁଝି ପାରୁନଥାନ୍ତି ସେବେଳର ସେ ଖଡିଅନୁକୂଳ ଭିତରେ ପ୍ରକାଶ ପାଉଥିବା ଶିକ୍ଷକଙ୍କ ଛାତ୍ର ପ୍ରତି ସ୍ନେହ ପ୍ରିତୀ ଭରା ଆବେଗିକ ସମ୍ପର୍କ ନା ଏ ବେଳର ଶିଶୁ ଦାଖିଲାର ପରୀକ୍ଷା ଓ ପିତାମାତାଙ୍କର ସାକ୍ଷାତକାର ଏମାନଙ୍କ ଭିତରୁ କିଏ ଭଲ । କେଉଁ ବେଳରେ ଶିଶୁ ଭଲ ମଣିଷଟିଏ ହେବା ପାଇଁ ମାନବୀୟ ମୂଲ୍ୟବୋଧର ଆଧାର ଲୁକାୟିତ । ସତରେ କିଏ ଭଲ ଥିଲା ସେବେଳ ନା ଅଛି ଆଜିର ଏବେଳ । 

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS