search in www.iswarchandraworld.blogspot.com

Monday 13 April 2020

Odia article ସେବେଳ ନା ଏବେଳ(୧)

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ସେବେଳ ନା ଏବେଳ(୧) 

       ଜୀବନରେ ସବୁକଥା ମନେ ରହେ ନାହିଁ । ହେଲେ କିଛି କଥା ଭୂଲି ବି ହୁଏନି । ମନ ଭିତରେ କେତେକ ଘଟଣା ଏପରି ଛାପ ଛାଡିଯାଏ ଯେ ତାହା ଚିରଦିନ ପାଇଁ ସେମିତି ମନେ ରହିଥାଏ । ବିତାହୁଆ କେତେକ ପରିସ୍ଥିତି ଜୀବନକୁ ଆନ୍ଦୋଳିତ କରେ । ସେଦିନ ଆଉ ଏଦିନ ମଧ୍ୟରେ ଫରକ୍ ଟି ମନକୁ ଅସଜଡା କରିଦିଏ । ବେଳେବେଳେ ବୁଝିହୁଏନି ସେବେଳ ଭଲ ଥିଲା ନା ଆଜିର ଏବେଳ । 
      ପରକଥାରେ ରଙ୍ଗ ଦେଇ ଳେଖିଲେ ଭଲଲାଗେ ସତ ହେଲେ ନିଜ କଥାକୁ କାଳ୍ପନିକ ଚରିତ୍ର ମାଧ୍ୟମରେ କଲମରେ ଛାପିଲା ବେଳକୁ ଆତ୍ମା କଲମକୁ ଓହ୍ଲେଇ ଆସେ । ଆଉ ଆତ୍ମୀକ ପରିପ୍ରକାଶ ଅନ୍ୟ ଆତ୍ମାକୁ ଅଚିରେ ଆଲୀଙ୍ଗନ କରେ । ନେଇ ଚାଲେ ଝାପସା ଝାପସା ଜଣା ପଡୁଥିବା ସେ ନିଜର ବିତିଥିବା ଦିନମାନଙ୍କୁ । ମନେପଡେ ପିଲାଦିନର ଖେଳ । ଦାଣ୍ଡଧୂଳୀର ବାସ୍ନା, ଷଢେଇରେ ମାଟି ତାଡି ଚୁଲି ଆଉ ଘର କରିବାର ସେ ଅଭୁଲା ଶିଳ୍ପୀଚାତୁରୀ, କଙ୍କି ଆଉ ପ୍ରଜାପତି ଧରିବାର ସେ ଅସ୍ଫୁରନ୍ତ ଆନନ୍ଦ । ମା’ଠାରୁ ଶୁଣି ମନରେ ବାବନା ଭୁତର ଭୟ । ଖେଳରେ ଅନ୍ୟଠୁ ନିଜକୁ ଲୁଚେଇରଖିବାର ପ୍ରୟାସରେ ସେ ଘରର କବାଟକଣ, ଖଟତଳ, ମନ୍ଦୁରା ମଷିଣା ଘୋଡଣୀ ଅବା କଦଳୀ ଗଛର ମୂଳ ସବୁକିଛି ସେବେଳର ଜୀବନ ସର୍ବସ୍ୱ । ଜଡରେ ଜୀବନର ଉପସ୍ଥିତି ଅନୁଭବ କରେ ସେ ପିଲାବେଳ । କଣ୍ଡେଇକୁ ନିଜର ଜୀବନ୍ତ ପିଲା ବୋଲି ବିଚାରେ ସେ ନିଷ୍ପାପ ମନ । 
      ସେଦିନ ବନାରୀ ମଉସା ରବିବାର ଖବରକାଗଜରେ ‘ପିଲାଦିନ’ ଶୀର୍ଷକ କବିତାଟିଏ ପଢୁପଢୁ ହଜିଯାଆନ୍ତି ନିଜେ ସାକ୍ଷୀ ଥିବା ପିଲାଖେଳର ଏକ ଅଭୁଲା ସ୍ମୃତିରେ । ସେ ମୋଟା ମୋଟା ମାଟିକାନ୍ଥର ଦାଣ୍ଡ ଘରେ କିଶୁ ଆଉ ତା’ର ଦୁଇଜଣ ସାଙ୍ଗ ରୀତି ଓ ସୁକାର ଉପସ୍ଥିତି ସେ ଘରକୁ କୋଳାହଳମୟ କରିଦେଇଥାଏ । ବୟସ ସମସ୍ତଙ୍କର ସେହି ତିନି ବର୍ଷ ପାଖାପାଖି । କିଶୁ ହାତରେ ଥାଏ ଅତି ନିଜର ତା’ଝିଅ କଣ୍ଡେଇ ଟିଏ । କଣ୍ଡେଇଟିକୁ କୋଳରେ କିଶୁ ଶୋଇଦେଇ ଧୋରେ ବାଇଆ ଧୋ ନାନାବାୟା ଗୀତକୁ ମା’ଠାରୁ ମନେରଖି ଗାଇବାରେ ଲାଗିଥାଏ । ରୀତି ଓ ସୁକା ତାକୁ ଘେରି ବସିଥାନ୍ତି । ହଠାତ୍ ସୁକା କହେ ଆରେ କିଶୁ ଚାଲେ ବାପାବୋଉ ଖେଳ ଖେଳିବା । ରୀତି ବି ସାଙ୍ଗେ ସାଙ୍ଗେ ତା’କଥାରେ ହଁ ମିଶାଇ ତିନିଜଣ ନଥ୍ କିନା ବସି ପଡନ୍ତି ସେଇ ଘର ମାଟି ଚଟାଣ ଉପରେ । କିଶୁ, ସୁକାଠାରୁ ଟିକେ ଚେହେରାରେ ବଡ ଦିଶୁଥାଏ । ସୁକା, କିଶୁକୁ କହେ ତୁ ବାପା, ରୀତି ବୋଉ ଆଉ ତୋ କଣ୍ଡେଇଟି ତୁମ ଦିଜଣଙ୍କର ଝିଅ । କିଶୁ ପଚାରେ ତୁ କଣ ହେବୁ । ସୁକା ଉତ୍ତର ଦିଏ ମୁଁ ତୋ ସାନଭାଇ । ରୀତି ମୋର ନୂଆବୋଉ । ଆଉ କାହାକୁ ଫୁରସତ କାହିଁ? ସୁକାର ନାକରୁ ଅଳ୍ପ ଟିକେଟିକେ ବସଣୀ ବୋହୁଥାଏ । କିଶୁର ବି ସେଇ ଦଶା ହେଲେ ରୀତିଟି ପୁରା ସଫା ସାର୍ଟଟିଏ ପିନ୍ଧି ଭାରୀ ସୁନ୍ଦର ଦେଖାଯାଉଥାଏ । କିଶୁ ସଙ୍ଗେସଙ୍ଗେ ଘର ଭିତରୁ ବାପାଙ୍କର ଗୋଟିଏ ଗାମୁଛା ଓ ଦୁଇଟି ହଳୁଆପାଞ୍ଚଣ ନେଇ ଆସେ । ଦାଣ୍ଡଘର କଣରେ ପାଞ୍ଚଣର ଢେର ଦେଇ ଦୁଇଜଣ ଲାଗିଯଆନ୍ତି ଗାମୁଛା ଘେରରେ ଘରଟିଏ କରିବା ପାଇଁ । ତେଣେ ରୀତି ସେହି ଘରବାହାରେ ଷଢେଇ ଆଣି ଚୁଲି ପାରିବାରେ ଲାଗିପଡେ । ତାପରେ ତାଙ୍କ ଝିଅ ଶୋଇବା ପାଇଁ ମସିଣା ଖୋଜାଯାଏ । ଖୋଜୁ ଖୋଜୁ ଘରୁ ମିଳିଯାଏ ଗୋଟେ ଛିଣ୍ଡା କନା । ବାଃ, ଆଉ କଣ ଦରକାର । ରୀତି ଝିଅକୁ ନେଇ ଛିଣ୍ଡା କନାର ମସିଣା ଉପରେ ଶୋଇଦିଏ । ସୁକା ଚାଲେ କାଠ ଆଣିବାକୁ ଆଉ କିଶୁ ଯାଏ ବିଲ କାମରେ । ଏଣେ ରୀତି ଷଢେଇର ଚୁଲି ଉପରେ ରାନ୍ଧିବାକୁ ବସିପଡେ । କିଛି ସମୟ ପରେ କିଶୁ ଓ ସୁକା କାମରୁ ଫେରି ବଡ ଲୋକଭଳି ଥକାମାରି ବସିବାର ଅଭିନୟ କରୁଥାନ୍ତି । ରୀତି ସଙ୍ଗେ ସଙ୍ଗେ ପାଣି ଆଣି ତାଙ୍କୁ ପିଇବାକୁ ଦିିଏ । ଠିକ୍ ଏହି ସମୟରେ କେଜାଣି କାହିଁକି ରୀତି ଦୌଡିଯାଇ କଣ୍ଢେଇଟିକୁ ଉଠାଇ ଆଣି ଗେଲ କରିବାରେ ଲାଗିପଡେ । ମୋ ମା’ଟା କିଛି ଖାଇନି ଲୋ । ସେମିତି ସକାଳ ପହରୁ ଶୋଇଛି ଯେ ଶୋଇଛି । କାନ୍ଦ ନାହିଁ କି ବୋବା ନାହିଁ । ବାଡିପୋଷା ବିରାଡିଟି ଡେଇଁପଡିବାରୁ ମୋ ସୁନାର ନିଦ ଭାଙ୍ଗିଗଲା ।  କିଶୁ ଆଉ ସୁକା ଦୁଇଜଣ ରୀତିର ସେ ପ୍ରିତୀବୋଳା କଥାରେ ହଜିଯାଇ ବାପା ଓ ଦାଦା ହେବାର ମୁହୁର୍ତ୍ତକୁ ଅନୁଭବ କରୁଥାନ୍ତି । କି ଆବେଗଭରା ସେ ଦୃଶ୍ୟ ।  
      ଏମିତି ଅବଚେତନ ମନଭିତରୁ ବନାରୀମଉସା ବାହାରି ଆସିବା ପୂର୍ବରୁ ଏକ ବ୍ୟଗ୍ରତାର ଶଦ୍ଦ ମନକୁ ବିଚ୍ୟୁତ କରିଦିଏ । ଯାଇଁଲେ ବନାରୀବାବୁ ସକାଳୁ ଖବର କାଗଜରେ ପଢିଥିଲି ମୋବାଇଲ୍‌ରେ ବ୍ଲହ୍ୱେଲ୍ ଖେଳ ଖେଳି ବାରବର୍ଷ ବାଳକର ଆତ୍ମ ହତ୍ୟା ପୁଣି ଏବେ ଶୁଣିଲି ମୋର ସେ ସାଙ୍ଗ ଶ୍ୟାମପଦ ନାତିର ବୟସ ମାତ୍ର ଆଠବର୍ଷ, ହେଲେ ସବୁବେଳେ ସେ ମୋବାଇଲ୍ ଓ କମ୍ପୁଟରରେ ଗେମ୍ ଖେଳିଖେଳି ତା’ର ଆଖିରେ ଆଜି ଜଣେ ପଚାଶବର୍ଷ ବୟସ ପାଇଁ ଯେଉଁ ପାୱାର ଚଷମା ଦରକାର ସେହି ଚଷମା ସେ ଲଗେଇବାକୁ ଡାକ୍ତର ତାକୁ ପରାମର୍ଶ ଦେଇଛନ୍ତି । ଏକଥା ଶୁଣି ବନାରୀ ମଉସା ଭାବି ବସନ୍ତି ବାସ୍ତବରେ ଆଜିର ଏବେଳ ପୁରାପୂରି ବଦଳି ଗଲାଣି । ମାଟିର ସେ ମୋଟା କାନ୍ଥ ଥିବା ଘର ଆଉ ନାହିଁ କି ଯୈାଥପରିବାର ନାହିଁ । ପିଲାମାନଙ୍କ ଭିତରେ ସେପରି ଖେଳ ବି ଆଉ ଦେଖାଯାଉନି । ମୋବାଇଲ୍ ଗେମ୍‌, ଦୂରଦର୍ଶନ ଓ କମ୍ପୁଟର୍‌ରେ ଗେମ୍ ଖେଳିଖେଳି ସେମାନେ ଅବାସ୍ତବ ଦୁନିଆରେ ବୁଡିରହି ଜୀବନର ଆବଶ୍ୟକ ସେ ପ୍ରେମ ପ୍ରିତୀଭରା ହୃଦୟଠୁ ଦୂରେଇ ଯିବା ସହିତ ଅନେକ କିଛି ହରାଉଛନ୍ତି । ଏ ଦୁଇଟି ବେଳ ଭିତରେ ତୁଳନା କଲେ ବେଳେବେଳେ ବୁଝି ହେଉନିି ସତରେ କିଏ ଭଲ ଥିଲା ସେବେଳ ନା ଅଛି ଆଜିର ଏବେଳ ।
*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS