ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮
ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮
ସେବେଳ ନା ଏବେଳ(୩)
ପିଲାବେଳେ ଜେଜେ, ଜେଜେମାଙ୍କ ଠାରୁ ଗପ ଶୁଣିବାକୁ କାହାକୁ ବା ଭଲନଲାଗେ? ରାତିରେ ଶୋଇବାକୁ ଯିବା ପୂର୍ବରୁ ହେଉ, ବୁଢିମା ପାଖରେ ଶୋଇ କରି ହେଉ କିମ୍ବା ସଞ୍ଜବେଳେ ପାଠ ପଢା ସରିଯିବା ପରେ ହେଉ ବୁଢିମା, ବୁଢାବାପାଙ୍କର ଗପର ଆଦର କହିଲେ ନସରେ । ସବୁଦିନ କାନ ସତେକି ଚାତକ ପରି ରହିଥାଏ ସେ ଗପ ଶୁଣିବା ପାଇଁ । ରାଜାରାଣୀ, ଅସୁର ଅସୁରୁଣୀ, ଶୁଆ ସାରୀ, ପରୀ ରାଇଜରଗପ ଅବା ଆଲିବାବା ଚାଲିସ୍ଚୋର ଭଳି ଗପ ସେତେବେଳେ ମନକୁ ଦିଏ ଅଭୁତ ଆନନ୍ଦ । ଗପ ଶୂଣିବା ସମୟରେ ମନ ହଜିଯାଏ ସେହି କଳ୍ପନାତିତ କଳ୍ପନାର ଦୁନିଆରେ । ରାଜକନ୍ୟାକୁ ପାଇବା ପାଇଁ ରାଜକୁମାରର ତେରନଇ ସାତଦରିଆ ପାରିହେବା, ଅଗନାଅଗନି ବନସ୍ତକୁ ଅତିକ୍ରମ କରିବା, ରାକ୍ଷସମାନଙ୍କର ମାୟାଜାଲରୁ ଚତୁରତାର ସହ ଖସି ସେମାନଙ୍କୁ ମାରିଦେବା, ଜଉଘୋଡାରେ ବସି ଆକାଶରେ ଉଡିବା ଭଳି ଗଳ୍ପ ଗୁଡିକରେ ଥିବା କଥା ପିଲାବେଳର ସେ କଅଁଳ ଓ ଚଞ୍ଚଳ ମନକୁ ବଶୀଭୁତ କରିବାରେ ସାମର୍ଥ୍ୟ ରଖେ । ବୁଢୀମାର ମୁହଁକୁ ଆବାକ୍ ଭଳି ଚାହିଁ ରହିଥାନ୍ତି ପିଲାମାନେ । ତା’ପରେ କଣ ହେବ? ଅସୁରୁଣିିର ମାୟାଜାଲରୁ କିପରି ରାଜକୁମାର ରକ୍ଷାପାଇବ? ସାତତାଳ ପଙ୍କରେ ଥିବା ପଦ୍ମଫୁଲକୁ କେମିତି ରାଜକୁମାର ଆଣିବ? ବାଟରେ କେଉଁଠି ରାଜକୁମାର ମରିଯିବନି ତ? ଏମିତି ଅନେକ ଆଶା ଆଶଙ୍କା ଆମର ସେ ପିଲାଦିନର ନିଷ୍କପଟ ମନକୁ ସ୍ତମ୍ଭୀଭୁତ କରିପକାଏ । ବେଳେବେଳେ ବୁଢୀମା, ବୁଢାବାପାଙ୍କର ମୂଲ୍ୟବୋଧ ଭିତ୍ତିକ ପୂରାଣର ଗଳ୍ପ ପିଲାବେଳର ସେ ନରମ ମାଟିର ମନକୁ ଏକ ସୁନ୍ଦର ମାନବର ମନ ପ୍ରଦାନ କରିବାରେ ଖୁବ୍ ବଳଶାଳୀ ହୋଇଥାଏ । ଶ୍ରବଣ କୁମାର ନିଜର ଅନ୍ଧ ବାପାମାଙ୍କୁ କାନ୍ଧରେ ଭାର କରି ସେମାନଙ୍କୁ ତୀର୍ଥ ଦର୍ଶନ କରେଇବା, ଏକଲବ୍ୟର ଗୁରୁ ଦକ୍ଷିଣା, ଅବୋଲକରା ଗଳ୍ପ ଅବା ପିତୃୁସତ୍ୟ ପାଳି ରାମଙ୍କ ବନବାସ ଆଦି ଗଲ୍ପ ଜାଣତରେ ଅବା ଅଜାଣତରେ ପିଲାବେଳର ସେ ନିଷ୍ପାପ ମନରେ ଗଭୀର ମୂଲ୍ୟ ବୋଧର ରେଖାପାତ କରେ । ଭବିଷ୍ୟତ ଜୀବନରେ ସେହିଭଳି ଆଦର୍ଶ ହେବାକୁ ସେ ଶାନ୍ତ ସରଳ ମନକୁ ନିଃସନ୍ଦେହ ଘୋର ପ୍ରଭାବିତ କରେ । ଏ ସମସ୍ତ କଥାକୁ ରାଘବ ମଉସା ମର୍ମେମର୍ମେ ଅନୁଭବ କରିଥିଲେ ମଧ୍ୟ ତିନିତିନିଟା ପୁଅଙ୍କର ପାଞ୍ଚଜଣ ନାତିନାତୁଣୀ ଥାଇ ସେ ଏପରି ମହତ୍ ଶିକ୍ଷାର ପ୍ରୟୋଗ କରିବାରେ ଅସମର୍ଥ ।
ସ୍ତ୍ରୀ ପରପାରିକୁ ଗଲା ପରଠାରୁ ରାଘବ ମଉସା ଆଉ ଗାଁରେ ଏକୁଟିଆ ରହିପାରନ୍ତିନି । ବାଧ୍ୟହୋଇ ରାଉରକେଲାରେ ରହୁଥିବା ସାନପୁଅ ପାଖରେ ରୁହନ୍ତି । ପୁଅ ବୋହୁ ଚାକିରୀଆ । ଗୋଟିଏ ବୋଲି ନାତି । ସେ ପଢୁଥାଏ ସ୍ଟାଣ୍ଡାର୍ଡ ସେଭେନ୍ରେ । ତା’ପାଇଁ ଏପରି ପାଠପଢା ରୋଟିନ୍ ହୋଇଥାଏ ଯେ ତାକୁ ସ୍କୁଲ୍ ଆଉ ଟ୍ୟୁସନ୍ରୁ ଫୁରୁସତ୍ ହିଁ ନଥାଏ । ସେ ଏକ ଯାନ୍ତ୍ରିକ ମାନବ ପରି ଚଳଚଞ୍ଚଳ ଥାଏ । ଯେତେବେଳେ ବି ରାତିରେ ନାତିର ପାଠପଢା ସରେ ସେ ତାଙ୍କ ପାଖରେ ବସିବାକୁ ବି ଅମଙ୍ଗ । ତା’ବ୍ୟବହାରରେ ମାନବିକ ଆବେଗ ସେ ଆଦୌ ଅନୁଭବ କରିପାରନ୍ତିନି । ପିତାମାତା, ଜେଜେଜେଜେମା, ଗୁରୁଜନ ଓ ଲଘୁଜନଙ୍କ ପ୍ରତି ଯେଉଁ ସ୍ନେହ, ମମତା, ପ୍ରିତି ରହିବା କଥା ସତେଯେପରି ତା’ପାଖରେ ଆଦୌ ନାହିଁ । ମନେମନେ ଭାବନ୍ତି ଏମିତି ହେବନି କେମିତି ଯେ? ଜନ୍ମ ପରଠାରୁ ନା ଜେଜେଜେଜେମାଙ୍କ ପାଖରେ ବସିଲା ନା ଭାଇଭଉଣୀ ପାଖରେ ବସିବାର ସୁଯୋଗ ପାଇଲା । ବାପାମାଙ୍କ ଚାକିରୀଆ ଜୀବନ ତାକୁ ତିନି ବର୍ଷରୁ ହିଁ ପ୍ଲେସ୍କୁଲ୍ରବାଟ ଦେଖେଇଲା । ସ୍ନେହମମତା ପାଇଲା କେଉଁଠୁ ଯେ ସ୍ନେହମମତା ଦେବ । ଏମିତି ଘାଣ୍ଟିଚକଟି ହେଉ ହେଉ ହଜି ଯାଆନ୍ତି ନିଜ ପିଲା ଦିନର ସ୍ମୃତିରେ । ମନେପଡେ ବାପା, ବଡବାପା, ଦାଦା ଓ ଛଅ ଜଣ ପିଲାଙ୍କୁ ନେଇ ମୋଟ ୧୪ଜଣ ସଦସ୍ୟରେ ତାଙ୍କ ପରିବାରଟି ଥାଏ ପରିପୂର୍ଣ୍ଣ । ବଡବାପା ଘରର ମୂରବୀ ହୋଇଥିଲେବି ଜେଜେ ଜେଜେମାଙ୍କ ଠାରୁ ଉପଦେଶ ନନେଇ କୌଣସି କାମରେ ଆଗାନ୍ତିନି । ସନ୍ଧ୍ୟା ହେଲେ ବଡବୋଉ ଆଉ ଖାସ୍ କରି ବୁଢୀମା ପାଖରେ ଆମେ ସୁନ୍ଦର ପ୍ରାର୍ଥନା ଟିଏ ପଢୁ । ଘର ମାତ୍ର ଦୁଇଘଣ୍ଟା ପାଠ ପଢିବା ପାଇଁ ଟିକେ ନିସ୍ତବ୍ଧ । ୟାରି ଭିତରେ ଜେଜେମା ଜେଜେବାପାଙ୍କୁ ଖୁଡି ଯାଇ ଅଧାଏ ଭାଗବତ ପଢି ଶୁଣାନ୍ତି । ଦିନେ ଦିନେ ଆମେମାନେ ମଧ୍ୟ ଭାଗବତ ଶୁଣିଥାଉ । ରାତି ୧୦ଟାରେ ଖାଇସାରିବା ମାତ୍ରେ ଆମ ୬ଜଣଙ୍କ ଭିତରୁ କିଏ ଯଦି ଶୋଇପଡିଥାଏ, ନଚେତ୍ ଅତିକମରେ ଚାରି ଜଣ ଯାଇ ବୁଢୀମା ବୁଢାବାପାଙ୍କ ଶୋଇବା ଘରେ ହାଜର ଗପ ଶୁଣିବା ପାଇଁ । ଯୌଥ ପରିବାର ଭିତରେ ମିଳିମିଶି ରହିବାର କଳା ଆମେ ଆପେ ଆପେ ଶିଖି ଯାଉଥିଲୁ । ବୁଢୀମାର ଗପରେ ଥିଲା ଚାରିତ୍ରିକ ମୂଲ୍ୟବୋଧ ଓ ଜୀବନ ଜିଇଁବାର କଳା । ଜେଜେଜେଜେମାଙ୍କ ଠାରୁ ପିଲାଦିନେ ଶୁଣିଥିବା ଗପ ତାଙ୍କୁ ଜୀବନରେ କେତେ ଯେ ପ୍ରଭାବିତ କରିଛି ତାହା ଅବର୍ଣ୍ଣନୀୟ ।
ସ୍ମୃତିର ବେଳା ଭୂମିରୁ ଫେରିଲା ବେଳକୁ ଦେଖନ୍ତି ଆଜି ସେବେଳ ଆଉ ନାହିଁ । ଭୋଗବାଦ ମୁହାଁ ଜୀବନ, ଜଗତୀକରଣ ପ୍ରକ୍ରିୟା ଓ କର୍ମନିଯୁକ୍ତି ଭିତ୍ତିକ ସ୍ଥାନାନ୍ତରଣର ଫନ୍ଦାରେ ଗାଁରେ ଥିବା ବଡବଡ ଯୌଥପରିବାର ଆଜି ଅଣୁ ପରିବାର ଯେଉଁଠି ଜେଜେବାପା ଜେଜେମାଙ୍କ ସ୍ଥାନ ହିଁ ନାହିଁ । ଗପ ଶୁଣିବେ କେଉଁଠୁ । ପିଲାମାନେ ଆଜି ଯୌଥପରିବାରରେ ଏକାଠି ରହି ମିଳାମିଶା ଜୀବନର ସେ ମଧୁରତାକୁ ଅନୁଭବ କରିପାରୁନାହାନ୍ତିି । ତା’ଠାରୁ ବଡ ବିଡମ୍ବନାର ବିଷୟ ଟି.ଭି. କମ୍ପ୍ୟୁଟର୍, ମୋବାଇଲ୍ ଓ ଇଣ୍ଟରନେଟ୍ର ଆବିର୍ଭାବ ପରଠାରୁ ହାତରେ ଖଣ୍ଡିଏ ଖଣ୍ଡିଏ ସ୍ମାର୍ଟ ମୋବାଇଲ ପଡିଯିବାଠାରୁ ଏକକ ପରିବାର ଆଜି ସମସ୍ତଙ୍କୁ ଏକଲା ଜୀବନ ଅର୍ପଣ କରିସାରିଲାଣି । ପୁଅ ଗୋଟିଏ ଘରେ ମୋବାଇଲ୍ରେ ଗେମ୍ ଖେଳୁଥିବା ବେଳେ ମା’ଦୂରଦର୍ଶନରେ ଧାରାବାହିକ ଦେଖିବାରେ ଅବା ମୋବାଇଲରେ କାହା ସହ ଚାଟିଂ କରିବାରେ ବ୍ୟସ୍ତ ତ ବାପାଙ୍କର ଅନ୍ୟ କାହା ସହ ମୋବାଇଲ୍ରେ ବାର୍ତ୍ତାଳାପ । ଏହି ସବୁ କଥା ଭାବିବା ବେଳକୁ ତାଙ୍କ ମନ ବହୁ ବ୍ୟଥିତ ହୋଇଉଠେ । ସେ ବୁଝି ପରନ୍ତିନି ୟାଙ୍କ ଭିତରୁ କିଏ ଭଲ ଥିଲା ସେବେଳ ନା ଅଛି ଆଜିର ଏବେଳ ।
*******
No comments:
Post a Comment