search in www.iswarchandraworld.blogspot.com

Tuesday 14 April 2020

Odia Article ସେବେଳ ନା ଏବେଳ(୧୦)

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ସେବେଳ ନା ଏବେଳ(୧୦)

      ଖାଦ୍ୟ ବିନା ଶରୀରର ଅସ୍ତିତ୍ୱ ହିଁ ଅସମ୍ଭବ । ଦାନା ଗଣ୍ଡେ ଏ ଅନ୍ନବ୍ରହ୍ମ ଭିତରେ ନ ପଶିଲେ ଶରୀର ନିସ୍ତେଜ । କାମ କରିବାକୁ ସମର୍ଥ ନୁହେଁ । ସେଦିନ ସକାଳୁ ସକାଳୁ ଚକରା ମଉସାଙ୍କ ବଡବୋହୁ ନେଇ ଆସିଥାଏ ୮କି ୧୦ ଖଣ୍ଡ ବିସ୍କୁଟ, ଟିକିଏ ମିକ୍ସଚର୍ ଓ ଚା କପେ । ହେଲେ ଏ ବୟସାଧିକ ପେଟକୁ ଏଭଳି ଖାଦ୍ୟ ଆଉ ଜମା ଭେଟଉନି । ଖାଇଲା ମାନେ ପେଟ ଫମ୍ପେଇଯାଉଛି । ଆଜିକାଲିକା ଗ୍ୟାସ୍ ରୋଗ ତାଙ୍କୁ ମାଡି ବସୁଛି । ସେହି ଗ୍ୟାସ୍ ଯନ୍ତ୍ରଣାରୁ ମୁକ୍ତି ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ବଡପୁଅ ଆଣି ଖଞ୍ଜି ଦେଇଛି ସକାଳୁ ଖାଲି ପେଟରେ ଗୋଟିଏ ଲେଖାଁଏ ଗ୍ୟାସ୍ ବଟିକା ଖାଇବାକୁ । ଠାକୁରଙ୍କ ତୁଳସୀ ପାଣି ପଛେ ବନ୍ଦ ହୋଇଯାଇ ପାରେ ହେଲେ ସକାଳୁ ସକାଳୁ ଦାନ୍ତଘଷି ଯଦି ଗ୍ୟାସ ବଟିକାଟି ନଖାଇଛନ୍ତି ତେବେ କଥା ସରିଲା । ଦିନ ସାରା ଅରଣ୍ୟରେ ଅଜଗର ସାପ ଖାଦ୍ୟ ଗିଳିଦେଇ ଗଛରେ ଗୁଡେଇ ତୁଡେଇ ହେଲା ଭଳିଆ ୟାଙ୍କର ଜୀବନ । ସାରା ଦିନ ପେଟକୁ ବାଡଉଥିବେ । ସମୟେ ସମୟେ ଚାପି ଧରୁଥିବେ । କେଉଁଥିରେ ହେଲେ ମନ ଲାଗୁନଥିବ । ଖାଇବାକୁ ଇଚ୍ଛା ହେଉ ନଥିବ । ଶରୀର ଅବଶ ଅବଶ ଲାଗୁଥିବ । ତେଣୁ ଗ୍ୟାସ୍ ବଟିକାଟି ଠାକୁରଙ୍କ ଛଡାତୁଳସୀ ପାଣି ଭାବି ଆଗ ଗିଳିପକାଇ ତା’ପରେ ଚା, ବିସ୍କୁଟ ଖାଆନ୍ତି । ସେଦିନ କିନ୍ତୁ ଖାଇବା ସମୟରେ ମନେ ମନେ ମଉସା  ଘାଣ୍ଟି ହେବା ଆରମ୍ଭ କରିଦେଇଛନ୍ତି । ଜୀବନରେ ଦୀର୍ଘ ୭୨ ବର୍ଷ ଅତିକ୍ରମ କରିଗଲେଣି । ଜୀବନର ଚତୁର୍ଥ ଅବସ୍ଥା । କେତେବେଳେ ଭଗବାନ ତାଙ୍କ ପାଖକୁ ନେଇଯିବେ ତା’ର ବି ଠିକ୍ ଠିକଣା ନାହିଁ । ହେଲେ ଆଜିର ଏ ଖାଦ୍ୟ ପଦାର୍ଥ ଦେଖି ସେ ମନେ ମନେ ବହୁତ ବ୍ୟତିବ୍ୟସ୍ତ ।
      ତାଙ୍କ ବେଳର ଖାଦ୍ୟ କଥା ମନେ ପକାଇ ଖୁବ୍ ମନଦୁଃଖ କରନ୍ତି । ପ୍ରତି ସକାଳ ଅବା ରାତିରେ ପଖାଳ ସହିତ ଆଳୁ ଚକଟାରେ ମିଶିଥିବା ବିରି, କୋଳଥ, ମୁଗରଗଡା, ଘରେ ତିଆରି ଆମ୍ବୁଲ ଅବା ତେନ୍ତୁଳି ସହିତ ପିଆଜ ଓ ରସୁଣର ଟିକେ ପାଣି କେତେଯେ ଶାନ୍ତି ଦେଉଥିଲା କହିବାର ନାହିଁ । ସେ ସବୁ ଖାଦ୍ୟ ଥିଲା ସମ୍ପୂର୍ଣ୍ଣ ସୁଦ୍ଧ । ରାସାୟନିକ ଦ୍ରବ୍ୟର ଗନ୍ଧ ବି ନଥିଲା ସେଥିରେ । ଦ୍ୱିପହର ଖାଦ୍ୟରେ ଗରମଭାତ ସହିତ ଗାଈ ଘିଅ ଅବା ନିତିଆନି, କୋଳଥ ଅବା ବିରି ଚୁରାଡାଲିରେ ଥିଲା ଭରପୁର ଭିଟାମିନ୍‌, ପ୍ରୋଟିନ୍ ଓ ଶ୍ୱେତସାର । ଦିନ ଯାକ ରଖୁଥିଲା ସେମାନଙ୍କୁ ସତେଜ ଓ କର୍ମଚଞ୍ଚଳ । ପେଟରେ ନଥିଲା ଗ୍ୟାସ୍‌ର ସମ୍ଭାବନା । ସକାଳର ଦାନ୍ତ ଘଷି ସାରିବା ପରେ ଘରର ସମସ୍ତ ସଦସ୍ୟଙ୍କର ଜଳଖିଆ ଥିଲା ଖାଲି କଡେଇରେ ଭଜାଯାଇଥିବା ଟାଣ ଚାଉଳଭଜା ଅବା ମୁଢି । ବୟସ୍କ ମାନଙ୍କର ଏହା ସହିତ ନାଲି ଚା, ଥିଲା ଅଭ୍ୟାସ । ଆଉ କ୍ଷେତକୁ କାମ ପାଇଁ ବାହାରିଲା ବେଳକୁ କଂସାଏ ପଖାଳ ଶରୀରରେ ଭରିଦେଉଥିଲା ବିଲରେ ଅଢେଇ ପହର କରି ଫେରିବା ପର୍ଯ୍ୟନ୍ତ ଅପର୍ଯ୍ୟାପ୍ତ ବଳ । କ୍ଷେତରେ ସୂର୍ଯ୍ୟଙ୍କର ସେ ନିଆଁ ପରି ତାତି ହେଉ, ବର୍ଷାର ମୂଷଳଧାର ହେଉ ଅବା ଶୀତଋତୁର ହାଡଭଙ୍ଗା ଶୀତ ହେଉ ସମସ୍ତଙ୍କୁ କାବୁ କରି ରଖିବାର ଶକ୍ତିଥିଲା ସେ କଂସାଏ ପଖାଳ ଭିତରେ । ସେତେବେଳ ଚାଉଳର ବାସ୍ନା ଥିଲା ନିଆରା । ଢିଙ୍କିକୁଟା ଅକାଣ୍ଡିଆ ଚାଉଳର ଶରୀର ପାଇଁ ଉପକାରୀ ଗୁଣ ସମସ୍ତେ ଜାଣନ୍ତି । 
      ସେ ବାରଶହ ବଇଆଳିଶ, ହଜାରେ ଚଉଦ, ନହରକଣ୍ଟା, ଗୋଲମୁଣ୍ଡି, ଦୁଇଶହ ଷାଠିଏ, ତୁଣ୍ଟି, ରତ୍ନଚିରା, ଖଣ୍ଡଗିରି ଉଚ୍ଚ ଉଚ୍ଚ ଧାନଗଛର କିସମ ବି ଆଉ ନାହିଁ । କ୍ଷେତମାନଙ୍କରେ ବୈଜ୍ଞାନିକ ପଦ୍ଧତିର ଆସୁଥିବା ବିହନରୁ ଜାତ କୋବିର ଆକାର ବି ତାଙ୍କ ଅମଳ କୋବିର ଆକାର ଠାରୁ ତିନିଚାରିଗୁଣ ପରି ବଡ ହୋଇ ଗଲାଣି । ଆଶ୍ଚର୍ଯ୍ୟର କଥା କୋଶଳା ବିଲରେ ଆଜି ସନ୍ଧ୍ୟା ଚାରିଟାରେ ଔଷଧ ଛିଞ୍ôଚ ଦେଲେ ତା’ପରଦିନ ଚାରିଟା ବେଳକୁ ଛନଛନିଆ ଶାଗ ଆଉ ହାଟରେ ବିକିବାକୁ ପୁରାପୁରି ଯୋଗ୍ୟ । ବାଇଗଣ ଗଛରେ ତ ଜନ୍ମରୁ ଔଷଧ ସିଞ୍ଚନ ନିହାତୀ ଜରୁରୀ, ନହେଲେ ବାଇଗଣକୁ ମଣିଷ ଖାଇବାତ ଦୂରର କଥା ଏମିତି ପୋକ ଚରିଯିବେଯେ ଗାଇଗୋରୁ ବି ଛଇଁ ବେନି । ଚାରି ପାଞ୍ଚ ଦିନର ଚମ ଧଡୁଧଡୁ ପରିବା ଉପରେ କି ରାସାୟନିକ ଦ୍ରବ୍ୟ ହାଟରେ ଦୋକାନୀ ମାନେ ଛଞ୍ôଚ ଦେଉଛନ୍ତି କେଜାଣି ଦେଖାଯାଉଛି ସତେଯେମିତି ତାଜା ତାଜା ଏଇନେ ଗଛରୁ ତୋଳା ହୋଇଛି । ପାଚିଲା କଦଳୀ ଓ ଆମ୍ବର କଥା ନକହିବା ଭଲ । ରାସାୟନିକ ଦ୍ରବ୍ୟ ସ୍ପ୍ରେର ଅଳ୍ପ କେଇ ଘଣ୍ଟା ପରେ ଭିତରୁ ସେମିତି ଟାଣ ଥାଉନା କାହିଁକି କଦଳୀର ସବୁଜ ଚୋପା ହଳଦିଆ କିଟିକିଟି ଓ ଆମ୍ବର ଚୋପା ଲାଲ୍ ଟହଟହ । ଫଳ ଭିତରେ ସେଓ ନିଜ ଉପରେ ଆମ ମଣିଷ ମାନଙ୍କ ଦ୍ୱାରା ଆଚ୍ଛାଦିତ ରାସାୟନିକ ଦ୍ରବ୍ୟର ପ୍ରଲେପରେ ଦୀର୍ଘଦିନ ଧରି ସତେଜ । 
     ବଞ୍ôଚବାପାଇଁ ତ ଖାଇବାକୁ ପଡିବ ।  ହେଲେ ପଇସା ରୋଜଗାର ଲୋଭରେ ବାରଘଣ୍ଟାରେ ଶାଗ ଗଛକୁ ବଡକରି ବାସି ପରିବାକୁ ସତେଜ କରି ଖାଇବା ଦ୍ୱାରା ଆମମାନଙ୍କର କେତେ ଯେ କ୍ଷତି ହେଉଛି ତାହା ଆଜିର ଡାକ୍ତରଖାନା ଓ ଔଷଧ ଦୋକାନ ମାନଙ୍କରେ ଭିଡ ହିଁ ଦର୍ଶାଉଛି । ସତେଯେମିତି ଏ ସମାଜର ସ୍ରୋତକୁ ବଦଳେଇ ହେବ ନାହିଁ । ବାସ୍ ମନ ଭିତରେ ଏହିପରି ଅର୍ନ୍ତଦ୍ୱନ୍ଦକୁ ନେଇ ଚକରା ମଉସା ବୁଝି ପାରନ୍ତିନି ସତରେ କିଏ ଭଲ ଥିଲା ସେବେଳ ନା ଅଛି ଆଜିର ଏବେଳ । 

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS