search in www.iswarchandraworld.blogspot.com

Tuesday 14 April 2020

Odia Article ସେବେଳ ନା ଏବେଳ(୧୧)

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ସେବେଳ ନା ଏବେଳ(୧୧)

      ବାର୍ଦ୍ଧକ୍ୟ ରୋଗରେ ପିଡୀତ ଦାମ ମଉସା ଖଟଟା ଉପରେ ସେମିତି ପଡି ରହିଥାନ୍ତି । ମାତ୍ର ତାଙ୍କର ମାନସିକ ଚଞ୍ଚଳତା ସେମିତି କ୍ଷିଣ ହୋଇନଥାଏ । ସେଦିନ ଶେଯରୁ  ବହୁତ କଷ୍ଟରେ ଭୋର ପାଞ୍ଚଟାରୁ ଉଠି ଶୈାଚ ହୋଇ ଖଟ ଉପରେ ଗୋଟିଏ କଡକୁ ଆଉଜି ବସି ସେଦିନର ଖବରକାଗଜ ଟିକୁ ବଡବଡ ଚଷମାରେ ଅଣ୍ଡାଳୁଥାନ୍ତି । ସେପଟୁ ଶଦ୍ଦ ଶୁଭେ ବୋହୁଙ୍କର । ଆଜି ତୋ ଟିଫିନ୍‌ରେ ମ୍ୟାଗି ଓ ଗୋଟିଏ ପିଜା ଦେଇଛି । ତୁ ଲଞ୍ଚ୍ ଟାଇମରେ ଖାଇଦେବୁ । ଗୁଡୁର ଖୁସି କହିଲେ ନସରେ । ମାମା, ମ୍ୟାଗିରେ ତମେ ଭଲଭାବରେ ମସଲା ପକାଇଚ ଟି? ହଁ ହଁ ତୁ ଆଉ ଏତେ କଥା ପଚାରନା । ତୁ ନେଇକି ଯା । କିନ୍ତୁ ଠିକ୍ ସମୟରେ ଖାଇଦେବୁ ।  ତେଣେ ଖଟ ଉପରେ ଦାମ ମଉସା  କଣେଇ କଣେଇ ଚାହିଁବା  ଅପେକ୍ଷା ବୋହୁଙ୍କର ସେ କଥାକୁ ବେଶୀ କାନେଇ ଶୁଣୁଥାନ୍ତି । କୋଉ ଉପାଦାନରେ ଏମାନେ ଗଢା କେଜାଣି । ନଅ ବର୍ଷ ବୟସର ପୁଅର ଓଜନ ଆସି ୪୩ କିଲୋ । ପୁଣି ଦୁଇ ତିନି ମାସରେ ଥରେ ଲେଖାଏଁ ପେଟ କ’ଣ ହେବା ଥୟ । ଗ୍ୟାସ୍ ବଟିକା ନଖାଇଲା ପର୍ଯ୍ୟନ୍ତ ଆରାମ ନାହିଁ । ତଥାପି ଏମାନେ ବୁଝି ପାରୁନାହାଁନ୍ତି । ତିଆରି କରିବାକୁ ଭିଡ ପଡୁଛି ନା କ’ଣ କେଜାଣି? ଦୁଇରୁ ତିିନିମିନିଟ୍ ଭିତରେ ପ୍ରସ୍ତୁତ ହୋଇପାରୁଥିବା ଖାଦ୍ୟ ଅବା ବଜାରରେ ମିଳୁଥିବା ଖାଦ୍ୟ ଉପରେ ପୁରାପୁରି ନିର୍ଭରଶୀଳ । ଆଉ ସନ୍ଧ୍ୟାବେଳେ ପୁଅ ଘରକୁ ଫେରିଲା ବେଳକୁ ପିଜା, ପେଷ୍ଟ୍ରି ଓ କେକ୍ ସବୁ ସାଙ୍ଗରେ ନେଇକରି ଆସିବା ଏକ ନିତି ଦିନିଆ ଘଟଣା । ଆଉ ଅତିକମ୍‌ରେ ସପ୍ତାହକେ ଥରେ କିମ୍ବା ଦୁଇଥର ଯେତେବେଳେ ସମସ୍ତେ ବଜାର କିମ୍ବା ଯାନିଯାତ୍ରାକୁ ବୁଲିବାକୁ ଯାଉଛନ୍ତି ଫାଷ୍ଟପୁଡ୍ ବିନା ସତେଯେମିତି ବୁଲିବା ଅସମ୍ଭବ । ଗୁପ୍‌ଚୁପ୍‌, ଠୁଙ୍କାପୁରୀ, ଚିକେନ୍ ପକୋଡା, ପନିର ପକୋଡା, ଚାଟ୍ ଅବା ଦହିବରା ନିହାତି ପେଟରେ ପଡିବା ଦରକାର ନହେଲେ ଏମାନଙ୍କୁ ମେଳା ବୁଲିବା ପରି ଲାଗୁ ନାହିଁ । ହେଲେ ଏସବୁ ଖାଦ୍ୟ ପିଲାମାନଙ୍କୁ ଭବିଷ୍ୟତରେ କେଉଁ ପରି ଶାରିରୀକ ସ୍ୱାସ୍ଥ୍ୟ ପ୍ରଦାନ କରିବ ତାହା ସେମାନଙ୍କର ଚିନ୍ତା ହିଁ ନାହିଁ । ଯେଉଁ ଖାଦ୍ୟଗୁଡିକରେ ଭରପୁର ରାସାୟନିକ ରଙ୍ଗ, ଅପମିଶ୍ରିତ ମସଲା ଓ ପୋଡାତେଲ, ସେ ଖାଦ୍ୟ ଏ ଶରୀର ପାଇଁ ଜହର ସଙ୍ଗେ ସମାନ । ସିଏ ବା କ’ଣ କରିପାରିବେ । ଏ ବୃଦ୍ଧାବସ୍ଥାରେ ତାଙ୍କ କଥା କିଏ ବା ଶୁଣିବ । ଚାକିରୀଆ ପୁଅକୁ ଚାକିରୀଆ ବୋହୁ । ସେମାନେ ଖୁବ୍ ବୁଝିଲା ବାଲା । ଏମିତି ଭାବୁ ଭାବୁ ଧସେଇ ପସି ଯାଆନ୍ତି ନିଜ ପିଲାମାନଙ୍କୁ ଖୁଆଇଥିବା ଖାଦ୍ୟ ପସରାର ଆସର ଭିତରେ ।
     ସେ ତାଙ୍କର ପାଞ୍ଚପାଞ୍ଚଟା ପିଲାକୁ ଏଡେ ଏଡେ ବଡ ମଣିଷ କରି ଗଢି ତୋଳିଛନ୍ତି ହେଲେ ଏଭଳିଆ ଖାଦ୍ୟତ ଦେଇନଥିଲେ । ଶୀତ ହେଉ, ବର୍ଷାହେଉ, କୁହୁଡିହେଉ କି କାକର ହେଉ ମାଟି ହାଣ୍ଡିର ପଖାଳ, ଖାଲି କଡେଇରେ ଚାଉଳ ଭଜା, ମୁଗ, କୋଳଥ, ବିରିରଗଡା, ଗାଇ ଘିଅ, ଆଉ କ୍ଷୀର ଏ ସବୁ ଥିଲା ନିତିଦିନିଆ ଖାଦ୍ୟ । ସକାଳୁ ଉଠିଲା ବେଳକୁ ପିଲାଏ ଚାଟଶାଳୀକୁ ବାହାରିବା ପୂର୍ବରୁ ତାଙ୍କ ଘରଣୀ ସମସ୍ତଙ୍କୁ ଚାଉଳଭଜାରୁ ଗିନେ ଲେଖାଏଁ ଦେଇ ସେଥିରେ ପିଆଜ ଓ ଅଦାଗୁଣ୍ଡ ଟିିକେ ମିଶେଇ ଦେଉଥିଲେ । ସମସ୍ତେ ତାକୁ ଆନନ୍ଦରେ ଖାଇ ଚାଟଶାଳୀ ଯାଉଥିଲେ । ଆଉ ସେଠାରୁ ଫେରିବା ପରେ ଗାଧୋଇସାରି ସ୍କୁଲ୍‌କୁ ବାହାରିବା ପୂର୍ବରୁ କଂସାରେ ପଖାଳ ସହିତ ଟିକେ ଆଳୁ ଓ ଅନ୍ୟାନ୍ୟ ପରିବା ମିଶା ଭଜା ଅବା ବିରି, ମୁଗ କିମ୍ବା କୋଳଥ ରଗଡା ସହିତ ପିଆଜ ଓ ରସୁଣ ମିଶେଇ ପେଟ ପୁରା ଖାଇ ସମସ୍ତେ ବାହାରୁଥିଲେ ସ୍କୁଲକୁ । ସେଇ ପେଟପୁରା ପଖାଳ ଗଣ୍ଡକ ତାଙ୍କୁ ଦିନ ଚାରିଟା ପର୍ଯ୍ୟନ୍ତ ସ୍କୁଲରେ ସତେଜ ରଖୁଥିଲା । ଖେଳ କୁଦରେ କିଛି କମ୍ ନଜର ଆସୁ ନଥିଲେ । ଚାରିଟାରେ ସ୍କୁଲରୁ ଫେରିଲା ବେଳକୁ ଦ୍ୱିପ୍ରହରରେ ରନ୍ଧା ହୋଇ ରହିଥିବା ଶୁଖିଲା ଗରମଭାତ ସହିତ କୋଳଥ, ବିରି ଅବା ମୁଗଡାଲି ଓ ଅନ୍ୟ ତରକାରୀକୁ ସେମାନେ ମହା ଆନନ୍ଦରେ ପେଟପୁରା ଖାଉଥିଲେ । ଗାଁ ମୁଣ୍ଡ ପଡିଆକୁ ଖେଳିବା ପାଇଁ ବାହାରିଲା ବେଳକୁ କାନ୍ଧରେ ଚାଉଳଭଜାକୁ ଗାମୁଛା କାନିରେ ବାନ୍ଧି ବାହାରି ପଡୁଥିଲେ । ସଂଜରେ ଆସି ପାଠପଢି ରାତିରେ ଜଲଦି ଶୋଇବା ଆଗରୁ ସଜପଖାଳବି ଖାଉଥିଲେ । ବେଳେବେଳେ ଗାଁକୁ ବିକା ଆସୁଥିବା ଗରମ ଘୁଗୁନି, ଦହିବରା ଅବା ମହନିଭୋଗକୁ ସଜ ବରପତ୍ର ଠୋଲାରେ ଖାଇବାର ମଜାବି ନେଉଥିଲେ ଯେଉଁଥିରେ ନଥିଲା ଆଜିର ରାସାୟନିକ ରଙ୍ଗ, ଅପମିଶ୍ରିତ ମସଲା, ଅବା ପୋଡାତେଲ । ସେମାନଙ୍କୁ ଆଜିର ପିଲାଙ୍କ ଭଳିଆ ଏତେ ଥଣ୍ଡା, କାଶ, ଜ୍ୱର ହେଉନଥିଲା । ସେମାନଙ୍କ ଠାରେ ମେଦବହୁଳତା, ଡାଏବେଟିସ୍ ଅବା ଗ୍ୟାଷ୍ଟ୍ରିକ୍ ରୋଗ ଦେଖା ଯାଉନଥିଲା ।  
       ଅବଚେତନ ମନରେ ଏମିତି କଥାଗୁଡିକ ଭିତରେ ହଜିଯାଇଥିବା ସମୟରେ ବୋହୁଙ୍କର ଶଦ୍ଦ ଶୁଭେ ବାପା ମୁଁ ଅଫିସ୍ ଯାଉଛି । ଦୁଆରଟି ଆଉଜେଇ ଦେଇ ଯାଉଛି । ତୁମାପାଇଁ ଖାଦ୍ୟ ତୁମ ବେଡ୍ ପାଖରେ ଥୋଇ ଦେଇଛି । ଖାଇନେବ । ହଠାତ୍ ଦାମ ବାବୁ ଚେଙ୍ଗା ହୋଇ ପଡନ୍ତି । ଉତ୍ତରରେ ହଁ ଶଦ୍ଦଟିଏ ମାରି ମନେ ମନେ ଗୁଣନ ହରଣ କରି ଭାବିପାରନ୍ତିନି ସତରେ କେଉଁ ବେଳ ଭଲ ଥିଲା ସେବେଳ ନା ଅଛି ଆଜିର ଏବେଳ । 

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS