ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮
ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮
ସେବେଳ ନା ଏବେଳ(୭)
ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ରୂପକ ତିନୋଟି ମୁଣ୍ଡୁଳା ବୁଲେଇ ଯେଉଁ ଦିନଠାରୁ ବହି ବସ୍ତାନିର ବ୍ୟାଗ୍ କାନ୍ଧରେ ଲଦାହୁଏ ସେହିଦିନଠାରୁ ବାଳୁତ ପଣିଆଟା ଅସଜଡା ଅସଜଡା ଲାଗେ । କେତେବେଳେ ମା’କୋଳରେ ତ କେତେବେଳେ ବାପାଙ୍କ କାନ୍ଧରେ ଅବା ଘର ଅଗଣା ଓ ଦାଣ୍ଡରେ ପ୍ରଜାପତି ପରି ଘୁରିବୁଲୁଥିବା ଶରୀର ହଠାତ୍ ଏକ ପରାଧୀନ ଦୁନିଆରେ ଧସେଇ ପସିଲା ପରି ଲାଗେ । ଯେତେବେଳେ ବିଦ୍ୟାଳୟ ଚାରିକାନ୍ଥ ଭିତରେ ନିଜକୁ ପାଏ, ମୁକ୍ତ ପିଲାଦିନଟା ପ୍ରଥମେ ପ୍ରଥମେ ଏକା ଏକା ଅନୁଭବ କରେ । ଘର କଥା ବାଉଳା କରେ । ବୋଉ କଥା ଓ ଭାଇଭଉଣୀଙ୍କ କଥା ମନେପଡେ । ଜମାରୁ ମନ ଲାଗେନି । ମାତ୍ର ଦିନ କେଇଟା ପରେ ଯେତେବେଳେ ନିଜପାଇଁ ଶ୍ରେଣୀରେ ଅବା ବିଦ୍ୟାଳୟରେ ସାଥୀ ଖୋଜିନିଏ ସେ ଅସଜଡା ମନଟା ଟିକେ ଟିକେ ହାଲୁକା ହାଲୁକା ଲାଗେ । ଯଦି ଗୁରୁ ହୃଦୟ ଜିଣିବାରେ ସଫଳ ହୋଇ ଯାଆନ୍ତି ଗୁରୁଙ୍କୁ ଅତି ନିଜର ମଣି ବସେ । ହେଲେ ସବୁ କଥା ଭିତରେ ବି କେତେକ ବ୍ୟତିକ୍ରମ ଶିଶୁଙ୍କୁ ଛାଡିଦେଲେ ପାଠ ନା ଶୁଣିଲେ ସେତେ ଭଲ ଲାଗେନି । ବିଦ୍ୟାଳୟର ଶୃଙ୍ଖଳା, ପାଠର ବୋଝ, ସାର୍ ଗୁରୁମା ମାନଙ୍କ ପ୍ରତି ଭୟ ଓ ବାପାମାଙ୍କର ଭଲ ପଢି ଭଲ ନମ୍ବର ରଖିବା ଆଶା ଖୁବ୍ ଚିନ୍ତା ଗ୍ରସ୍ତ କରେ । ସମସ୍ତଙ୍କ ତାଗିଦ ଭିତରେ ବାନ୍ଧିହୋଇ ନିଜକୁ ଏକ ବନ୍ଦୀ ଜୀବନ ବିତେଇଲା ପରି ମନେ ହୁଏ । ମାତ୍ର ଏ ସବୁ ସତ୍ୱୋ ଖେଳ ଅବା ବ୍ୟାଗ୍ ଛୁଟି ନାଁ ଶୁଣିଲେ ମନ ଆନନ୍ଦରେ ବିଭୋର ହୋଇ ଉଠେ । ସମୟେ ସମୟେ ଯେତେବେଳେ ସେହି ପରାଧୀନତାରେ ଅତୀଷ୍ଠ ଜୀବନ ଭିତରୁ ଟିକେ ବାହାରକୁ ଝାଙ୍କି ବଡ ଭାଇଭଉଣୀ ମାନଙ୍କୁ ଦେଖେ ଯେଉଁ ମାନେ କି ଚାକିରୀ ବାକିରୀ କରି ନିଜ ମନ ମୁତାବକ ବୁଲା ବୁଲି ସହିତ କାମ କରୁଥାନ୍ତି ସେତେବେଳେ ମନରେ ଏକ ଆବେଗ ସୃଷ୍ଟି ହୁଏ । ସେମାନଙ୍କ ଜୀବନ କେତେ ସୁନ୍ଦର? ନାହିଁ ତାଗିଦ୍ ନାହିଁ କାହାର ଆଦେଶ । ମନଖୋଲା ଖର୍ଚ୍ଚ ସହିତ ମନଇଚ୍ଛା ବୁଲିବାର ଏକ ସୁନ୍ଦର ସ୍ୱପ୍ନ ଦେଖି ବସେ । ମନେ ମନେ ଭାବି ବସେ ଖୁବ୍ ଯଲଦି ବଡ ହୋଇଯିବାଟା ହିଁ ଏ ବନ୍ଦୀ ଜୀବନରୁ ମୁକ୍ତି । ମାତ୍ର ପରବର୍ତ୍ତୀ ଜୀବନରେ ଅନୁଭବ କରେ ସେ ଛାତ୍ର ଜୀବନ ଭଳି ଅମୁଲ୍ୟ ମୁହୁର୍ତ୍ତ ଆଉ କେବେବି ଏ ଜୀବନ ଚକ୍ରରେ ଆସିପାରିବ ନାହିଁ । ଆଉ ତାହାହିଁ ଥିଲା ଏ ଜୀବଦଶାର ସର୍ବୋତ୍ତମ ଓ ସର୍ବୋକୃଷ୍ଟ ସମୟ ଯେଉଁଠି ନଥିଲା ସାଂସାରିକ ଦୁଃଖ ଓ ଅବସାଦ । ଏ ସବୁତ ଗଲା ସାର୍ବଜନୀନ ସତ୍ୟ ଓ ଆମ ମାନଙ୍କ ଜୀବନର ବାସ୍ତବତା । ମାତ୍ର ସମୟ ସହିତ ଏ ଛାତ୍ର ଜୀବନର ରଙ୍ଗ ଜାଣତରେ ହେଉ ଅବା ଅଜାଣତରେ ହେଉ ଖୁବ ବଦଳି ଯାଇଛି ।
ଦିନଥିଲା ଅଶିକ୍ଷା ଅନ୍ଧତ୍ୱରେ ଅନେକ ବାପା ମା’ ବୁଝିନଥିଲେ ମନୁଷ୍ୟ ଜୀବନରେ ଶିକ୍ଷାର ମହତ୍ତ୍ୱ । ଚାଟଶାଳୀର ଅବଧାନେ ଅକ୍ଷର ଲେଖିପାରିବା, ପଢିପାରିବା ସହିତ ଗାଣିତିକ ଚାରିସୁତ୍ର, ହରଗୁଣ ଫେଡମିଶା ଶିଖେଇଦେଲେ ପାଠ ପାଖାପାଖି ସରିଯାଉଥିଲା ବୋଲି ବିଶ୍ୱାସ ଥିଲା ପିତାମାତାଙ୍କର । ପରିବର୍ତ୍ତିତ ପରିସ୍ଥିତିରେ ଗାଁ ବିଦ୍ୟାଳୟର ସୃଷ୍ଟି ଓ ସେଥିରେ ଉପସ୍ଥିତ ମାଷ୍ଟ୍ରେ-ଆପଣେ ହେଲେ ଶିଶୁମାନଙ୍କର ଶିକ୍ଷାର ସ୍ରୋତ । ଶିକ୍ଷାର ମହତ୍ତ୍ୱକୁ ହୃଦୟଙ୍ଗମ କରାଇବାରେ ସେବେଳର ଗୁରୁମାନଙ୍କର ଭୁମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ଏହି ଅନ୍ତରାଳରେ ଛାତ୍ରଜୀବନର ବୃତ୍ତାନ୍ତ ଥିଲା ନିଆରା । ସେତେବେଳେ ବିଦ୍ୟାଳୟରେ ପିଲାମାନଙ୍କର ପୁସ୍ତକଗତ ଶିକ୍ଷା ଅପେକ୍ଷା ଚାରିତ୍ରିକ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିଲା । ପିଲାର ଚାରିତ୍ରିକ ଉତ୍ସୃଙ୍ଖଳକୁ ନା ପିତାମାତା, ନା ଶିକ୍ଷକ, ନା ସମାଜ ବରଦାସ୍ତ କରୁଥିଲା । ପିତାମାତା ସେମାନଙ୍କ ପିଲାମାନଙ୍କୁ ଜୀବନ ଜିଇଁବାର କଳା ଶିଖେଇବା ପାଇଁ ଶିକ୍ଷକଙ୍କୁ ଦେଇଥିଲେ ଅଖଣ୍ଡ କ୍ଷମତା । ଧରେଇଥିଲେ ବେତ, କରୁଥିଲେ ବିଶ୍ୱାସ ଓ ଥିଲା ତାଙ୍କର ଶିକ୍ଷକଙ୍କ ପ୍ରତି ନିସ୍କପଟ ଭକ୍ତି । ବିଦ୍ୟାଳୟ ଥିଲା ଶିଶୁମାନଙ୍କର ଚରିତ୍ର ନିର୍ମାଣର ସ୍ଥଳ । ପରନ୍ତୁ ଏ ସବୁର ପ୍ରାବଧାନ ଭିତରେ ବିଦ୍ୟାଳୟ ଥିଲା ଛାତ୍ର ପାଇଁ ଏକ ଭୟାଛନ୍ନ ସ୍ଥାନ । ଶିକ୍ଷକଙ୍କର ଭୟ ସହିତ ପାଠର ବୋଝ କେତେକ ପିଲାଙ୍କୁ ବିଦ୍ୟାଳୟ ବିମୂଖ କରାଉଥିଲା । କିନ୍ତୁ ବିଦ୍ୟାଳୟର ବାହାର ଜୀବନ ଥିଲା ମୁକ୍ତାକାଶ ବିହଙ୍ଗର ଜୀବନ ପରି । ବିଦ୍ୟାଳୟରୁ ଛୁଟି ମିଳିଯିବା କ୍ଷଣି ଗାଁଦାଣ୍ଡ, ଗହିର ଓ ପୋଖରୀ ଥିଲା ଅଖଣ୍ଡ ସ୍ୱର୍ଗସୁଖର ସ୍ଥାନ । ବାଟି, ଡାଗରପୁଆ, କବାଡି, ଛୁପନଛୁପା, ବାସ୍କେଟ୍, ବୋହୁଚୋରି, ଲୁଚକାଳି ଓ କ୍ରିକେଟ୍ ଖେଳରେ ମିଳୁଥିଲା ଅକଳନୀୟ ଆନନ୍ଦ । ଖୋଲା ପଡିଆରେ ଗୁଡି ଉଡେଇବା, ଗାଁ ପୋଖରୀରେ ଡୁବୁକି ମାରିବା, ଆମ୍ବ ଓ ଜାମୁ ଗଛକୁ ଟେକାମାରିବା ଆଦି ପ୍ରଦାନ କରୁଥିଲା ଜୀବନରେ ନୈସର୍ଗିକ ସୁଖ ।
ବର୍ତ୍ତମାନ କିନ୍ତୁ ତା’ନାହିଁ । ପିଲାମାନଙ୍କୁ ବେଳ ନାହିଁ । ସକାଳୁ ଟ୍ୟୁସନ୍ । ଟ୍ୟିୁସନ୍ ପରେ ସ୍କୁଲ୍ । ସ୍କୁଲରେ ମାଡର ଭୟନାହିଁ । ଭୋକରେ ଆଉଟୁ ପାଉଟୁ ହେବାର ପ୍ରଶ୍ନ ନାହିଁ । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ଆସର । ପାଠ ଚିନ୍ତା ସେତେ ମଧ୍ୟ ନାହିଁ । ପ୍ରଥମରୁ ଅଷ୍ଟମ ଆପେଆପେ ପାସ୍ । ତେଣୁ ସ୍କୁଲଯିବାଟା ଓ ପାଠପଢିବାଟା ଆଉ ଗୋଟେ ବୋଝ ହୋଇ ନାହିଁ । ଖେଳପାଇଁ ନାନାଦି ସରଞ୍ଜାମ ବିଦ୍ୟାଳୟରେ ଭରପୁର । ବିଦ୍ୟାଳୟର ବାହାର ଜୀବନ ମଧ୍ୟ ଖୁବ୍ ରଙ୍ଗୀନ୍ । ସ୍ମାର୍ଟ ଫୋନ୍, ଦୂରଦର୍ଶନ ଓ କମ୍ପ୍ୟୁଟର୍ ଆଦି ମନୋରଞ୍ଜନର ବଳିଷ୍ଠ ମାଧ୍ୟମ । ଆଜିର ଏ ପିଢୀ ପୂର୍ବପିଢୀଠାରୁ ଯଥେଷ୍ଟ ଚାଲାକ୍ ଓ ଚତୁର । ମାତ୍ର ଏସବୁ ସତ୍ତ୍ୱେ ସେବେଳ ଆଉ ଏବେଳର ପିଲାଙ୍କ ଭିତରେ ଯେଉଁ ଚାରିତ୍ରିକ ମୂଲ୍ୟବୋଧରେ ଫାଙ୍କ ତାହା ସହଜରେ ଗ୍ରହଣ କରି ହେଉନାହିଁ । ବ୍ୟସ୍ତତା ଓ ବିବ୍ରତତା ଭିତରେ ତୁଳନା କଲାବେଳକୁ ସମୟେ ସମୟେ ବୁଝି ହେଉନି ସତରେ ସେବେଳ ଥିଲା ଭଲ ନା ଅଛି ଆଜିର ଏବେଳ?
*******
No comments:
Post a Comment