search in www.iswarchandraworld.blogspot.com

Tuesday 14 April 2020

Odia Article ସେବେଳ ନା ଏବେଳ(୮)

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ସେବେଳ ନା ଏବେଳ(୮)

      ହେଲୋ ଶୁଣୁଛ! ପୁଅ ସ୍କୁଲରୁ ଆସିଲା ପରଠାରୁ ତା’ ଦେହରେ ଜ୍ୱର । ଟିକେ କଣ ଖାଇଲାକି ନାହିଁ ଶୋଇଛି । ତମେ ଟିକେ ଜଲଦି ଅଫିସ୍‌ରୁ ଆସିଲେ ତାକୁ ଡାକ୍ତରଙ୍କ ପାଖକୁ ନେଇକି ଯିବା । ମହେଶର ଆଉକି ଅଫିସ୍‌ରେ ମନ । ସ୍ତ୍ରୀ ଶ୍ୟାମଳୀ ଯେତିକି ବ୍ୟସ୍ତତା ସହିତ କହେ ମହେଶ ଆହୁରି ବିବ୍ରତ ହୋଇ ପଡେ । ତରତର ହୋଇ ବଡ ବାବୁଙ୍କ ଠାରୁ ଅନୁୁମତି ଆଣି ଅଣନିଶ୍ୱାସୀ ହୋଇ ଘରକୁ ଫେରେ । ଦେଖେ ପୁଅ ଦେହରେ ତାତି । ଆଉ ଡେରି ନକରି ଉଭୟେ ନେଇଯାଆନ୍ତି ପୁଅକୁ ଡାକ୍ତରଙ୍କ ପାଖକୁ । ଡାକ୍ତରବାବୁ ବି ଆଣ୍ଟିବାୟୋଟିକ୍ ଠାରୁ ଆରମ୍ଭ କରି କଫ୍ ସିରପ୍ ପର୍ଯ୍ୟନ୍ତ ସବୁ ଦେଇ, ରକ୍ତ ପରୀକ୍ଷା ପାଇଁ ଲେଖି ଦିଅନ୍ତି । ପୁଅକୁ ନେଇ ଘରକୁ ଫେରନ୍ତି । 
      ପୁଅ ତାଙ୍କର ୪ର୍ଥ ଶ୍ରେଣୀରେ ପଢେ । ପୁଣି ଏକଇର ବଳା ବିଶିକେସନ । ପୁଅକୁ ଔଷଧ ଦିଅନ୍ତି ମାତ୍ର ପୁଅର ତାତି କମେ ନାହିଁ । ସେମିତି ରହେ । ମଝିରେ ମଝିରେ କାଶ, ଉଭୟେ ସ୍ୱାମୀ ସ୍ତ୍ରୀଙ୍କୁ ହଲଚଲ କରିଦେଉଥାଏ । ସହର ଭିତରେ ଘର । ମାଳମାଳ ଡାକ୍ତର ସହିତ ପୁଞ୍ଜାପୁଞ୍ଜା ଡାକ୍ତରଖାନା ତାଙ୍କ ହାତପାହାନ୍ତାରେ । ଏସବୁ ସେମାନଙ୍କ ମନରେ ଦମ୍ଭତ ଦେଇ ପାରନ୍ତା ମାତ୍ର ସେମାନଙ୍କର ଅଧୈର୍ଯ୍ୟ ସେମାନଙ୍କୁ ଶାନ୍ତି ପ୍ରଦାନ କରିପାରୁନଥାଏ । ମନରେ “କାଳେ”ଶଦ୍ଦଟି ସେମାନଙ୍କୁ ଅଜଣା ଭୟ ଭିତରକୁ ଓଟାରି ନେଉଥାଏ । ସ୍ୱାଇନ୍‌ଫ୍ଲୁ ଠାରୁ ଆରମ୍ଭ କରି ବ୍ରେନ୍ ମ୍ୟାଲେରିଆ ପର୍ଯ୍ୟନ୍ତ ପ୍ରାଣଘାତି ଜ୍ୱରମାନଙ୍କର କଥା ଯେତେବେଳେ ମନେପଡି ଯାଉଥାଏ ଉଭୟଙ୍କ ମନ ଭୟରେ ଶିହରୀ ଉଠୁଥାଏ । ମହେଶ ଓ ଶ୍ୟାମଳୀର ମନରେ କ୍ଷୋଭ, କି ଔଷଧ ଦେଲା କେଜାଣି ସେ ଡାକ୍ତର, ଜ୍ୱର ଟିକେ ହେଲେ କମୁନି । ସକାଳକୁ ଆବେଗ ପୂର୍ଣ୍ଣ ପ୍ରତିକ୍ଷା । ଭଲ ଡାକ୍ତରଙ୍କ ପାଖକୁ ନେଇ ଚିକିତ୍ସା କରେଇବେ । ଆରେ ଜ୍ୱର ଆରମ୍ଭ ହୋଇଛି, କିଛିତ ସମୟ ଲାଗିବ ଔଷଧ ତା’ର କାମ ଆରମ୍ଭ କରିବା ପାଇଁ । ପିତାମାତାଙ୍କର କର୍ତ୍ତବ୍ୟ କରି ବାକିତକ ପ୍ରକୃତି ଉପରେ ଛାଡି ଦେବା ଆମର ଧର୍ମ । ପ୍ରକୃତିଠାରୁ ଉଦ୍ଦ୍ୱର୍କୁ ଉଠି ସବୁ ଆମ ହାତମୁଠାକୁ ନେଇ ଆସିପାରିବାର ସାହାସ ହିଁ ଆମକୁ ଅଧୈର୍ଯ୍ୟ ଓ ଅଶାନ୍ତିର ବଳୟ ଭିତରେ ଘାଣ୍ଟେ ଚକଟେ ତାହା ସେମାନେ ଜାଣିପାରୁନଥାନ୍ତି । ଖାଲି ମହେଶ ଓ ଶ୍ୟାମଳୀ କାହିଁକି ପ୍ରାୟ ଆମେ ସମସ୍ତ ଶିକ୍ଷିତ ମାନଙ୍କର ବି ଏକା ଦଶା । 
       ଏତ ଗଲା ରୋଗ ବୈରାଗ କଥା । ଆମ ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ମଧ୍ୟ ଆମେ ଅନୁରୂପ ଆଚରଣ କରି ଚାଲିଛେ । ସତେଯେମିତି ପିଲା ଆମଦ୍ୱାରା ନିର୍ମିତ ଯନ୍ତ୍ରଟିଏ । ତା’ ପାଠକୁ ବାଟିବୁଟି ତାକୁ ପେଇଦେବା ପର୍ଯ୍ୟନ୍ତ ଆମେ ବିଧି ବ୍ୟବସ୍ଥା ତା’ପାଇଁ ବାଲ୍ୟ ଅବସ୍ଥାରୁ ହିଁ କରିଚାଲିଛେ । କେବେ ହେଜୁନେ ଆରେ ସୃଷ୍ଟିରେ ଷଠିଦୁଷି କାହାର ମସ୍ତିଷ୍କର ଛାଞ୍ଚ କିପରି ଗଢିଛି ତାହା ସେଇ ହିଁ ଜାଣନ୍ତି । କେତେ ପରିମାଣରେ ସେ ମସ୍ତିଷ୍କ ତଥ୍ୟ ସଂରକ୍ଷଣ କରି ରଖିପାରିବ, କେତେ ଚତୁର ଓ କ୍ରିୟାଶୀଳ ହେବ ତାହା ପୂର୍ବ ନିର୍ଦ୍ଧାରିତ । ସକାଳୁ ଟ୍ୟିୁସନ୍‌, ଦଶଟାରେ ସ୍କୁଲ୍‌, ପୁଣି ସନ୍ଧ୍ୟାରେ ଟ୍ୟୂସନ୍ ସବୁ କିଛି ଖଞ୍ଜି ଦେଉଛେ । କେବେ ଏକଥା ବି ଭାବୁନେ ମନୁଷ୍ୟର ମସ୍ତିଷ୍କ କେବଳ ପାଠ ନୁହେଁ ଏ ବିଶ୍ୱର ବିବିଧତା ଭଳି ସେ ମଧ୍ୟ ବିବିଧତାକୁ ଭଲପାଏ । ଡାଲି ତରକାରୀ ବିନା ଯେମିତି ଭାତ ଖାଇବାକୁ ଭଲଲାଗେ ନାହିଁ ସେମିତି ପାଠ ସହିତ ହସଖୁସି, ଖେଳକୁଦ, ମନୋରଞ୍ଜନ ଆଦି ତାହାର ନିତ୍ୟାନ୍ତ ଆବଶ୍ୟକ ।  ହେଲେ ସାମାଜିକ ପ୍ରତିଦ୍ୱନ୍ଦିତାରେ ଆମେ ସେ ସବୁକିଛି ଭୂଲିଯାଇ ହଡା ପଛରେ ତଡା ଗେଞ୍ଜି ହଳ କରେଇଲା ଭଳି ପିଲାଙ୍କ ପଛରେ ଲାଗି ରହଥାଉ କେବଳ ପାଠ ପଢିବା ପାଇଁ । ପରୀକ୍ଷାରେ ଆଶାନୁରୂପ ଫଳ ନମିଳିଲେ ମନର ସବୁ ସୁଖ ଶାନ୍ତି ନିମିଷକେ ହରେଇ ବସୁ । ବିଧି ଉପରେ ବିଶ୍ୱାସ ହରେଇ ବସି ସବୁକିଛି ନିଜ ନିୟନ୍ତ୍ରଣରେ ରଖିବାର ଉଦ୍ୟମ ଆମକୁ ପ୍ରତିମୁହୁର୍ତ୍ତରେ ଏକ ଅଶାନ୍ତିର ବାତାବରଣରେ ହିଁ ଆଉଟୁ ପାଉଟୁ କରିଚାଲିଛି ।  
      ମାତ୍ର ସେତେବେଳର କଥା ଥିଲା ଭିନ୍ନ । ଗଣ୍ଡାଏ ଦିଗଣ୍ଡା ପିଲାର ପିତାମାତା ହୋଇ ସୁଦ୍ଧା ସେମାନଙ୍କ ମନରେ ନଥିଲା ତିଳେମାତ୍ର ଚିନ୍ତାଦକ । ଜ୍ୱର ଝାଡାହେଲେ ପିତାମାତା ଏତେ ବ୍ୟସ୍ତ ବିବ୍ରତ ହୋଇ ପଡୁନଥିଲେ । ଗାଁ ବଇଦର ପଥି ଅବା ଚେରମୂଳିର ଉପଚାର ଉପରେ ଥିଲା ସେମାନଙ୍କର ଅଗାଧ ବିଶ୍ୱାସ । କୁଷ୍ଠ ଆଉ ଯକ୍ଷ୍ମା ଭଳି ରୋଗକୁ ବଡରୋଗ ବୋଲି ବିବେଚନା କରି ଆତ୍ମ ସର୍ମପଣ କରୁଥିଲେ ସମୟ ସାମନାରେ । ମାତ୍ର ଅଭାବ, ଅନାଟନ, ଦୁଃଖ, ରୋଗ ଓ ଭୟ ସେମାନଙ୍କୁ କସ୍ମିନ କାଳେ ଅଶାନ୍ତି ଭିତରକୁ ଟାଣିନେଇ ପାରୁନଥିଲା । ସେମାନେ ଥିଲେ ଟାଣୁଆ ମଣିଷ ଓ ସ୍ଥିତପ୍ରଜ୍ଞ । ସେମାନେ ବୁଝିଥିଲେ ଦୁଃଖ, ସୁଖ, ରୋଗ, ଭୟ ଜୀବନର ସହଚର୍ଯ୍ୟ ଓ ଏମାନଙ୍କ ବିନା ଜୀବନର ହିଁ ଅସ୍ତିତ୍ୱ ନାହିଁ । । କିଛି ନଥାଇ ସେମାନଙ୍କ ମନ ଓ ହୃଦୟରେ ଥିଲା ଶାନ୍ତି ଓ ଧୈର୍ଯ୍ୟ । ଆଜି ଆମେ ତାଙ୍କ ବିବେଚିତ ସମସ୍ତ ବଡରୋଗ ମାନଙ୍କ ଉପରେ ବିଜୟ ହାସଲ କରି ସାରି ମଧ୍ୟ ଆଜି ଅଶାନ୍ତ ଓ ଅଧୈର୍ଯ୍ୟ । ସେମାନେ ନିଜ ସନ୍ତାନ ସନ୍ତତିକୁ ଏତେ ପାଠ ନପଢାଇ ବି ତାଙ୍କରି ଔରଷରୁ ଜନ୍ମ ନେଇଥିଲେ ଏ ବିଶ୍ୱର ଅନେକ ଜ୍ଞାନୀ, ଗୁଣି ଓ ବିବେକି ମହାପୁରୁଷ ।  ଆଉ ଆମେ ଆଜି ସକଳ ପ୍ରଚେଷ୍ଟା କରି ଚାଲିଥିବା ସତ୍ୱେ କେତେ ଯେ ଜ୍ଞାନୀ, ଗୁଣୀ ଓ ବିବେକି ମଣିଷ ଜନ୍ମ ଦେଉଛେ ତାହା ସମାଜର ସ୍ରୋତ ହିଁ ବତାଉଛି । ଅବଚେତନ ମନ ଭିତରେ ଏମିତି ତୁଳନାତ୍ମକ ଭାବନା ଯେତେବେଳେ ଏ ମନକୁ ଆନ୍ଦୋଳିତ କରେ, ସମୟେ ସମୟେ ବୁଝି ହୁଏନି କିଏ ଭଲ ଥିଲା ସେବେଳ ନା ଅଛି ଆଜିର ଏବେଳ । 

******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS