search in www.iswarchandraworld.blogspot.com

Tuesday 14 April 2020

Odia Article ସେବେଳ ନା ଏବେଳ(୬)

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ସେବେଳ ନା ଏବେଳ(୬)

      ଆଜି ଖବରକାଗଜରେ ଜଣେ ଶିକ୍ଷକ ମଦ୍ୟପାନ କରି ବିଦ୍ୟାଳୟରେ ଶୋଇଯିବାର ଖବର ପଢି ବୟସର ଅପରାହ୍ନରେ ଉପସ୍ଥିତ ସୀତାରାମ ବାବୁ ଖୁବ୍ ମର୍ମାହତ । କାହିଁକି ଏମିତି ସବୁ ଘଟୁଛି ଏହାର କାରଣ ମଧ୍ୟ ସେ ଖୋଜି ପାଇପାରୁ ନାହାନ୍ତି । ଜଣେ ଶିକ୍ଷକର ଅପକର୍ମ ସମସ୍ତ ଶିକ୍ଷକ ସମାଜକୁ କଳଙ୍କିତ କରିଦେଉଛି । ଏବର ଗଣମାଧ୍ୟମ ମଧ୍ୟ ସମାଜ ଉପରେ କୁପ୍ରଭାବ ପକଉଥିବା ଏଭଳି ଖବରକୁ ପ୍ରଚାର କରିବାରେ ଖୁବ୍ ବ୍ୟଗ୍ର । ସମସ୍ତ ଶିକ୍ଷକ କ’ଣ ଖରାପ? ଏବେ ମଧ୍ୟ ଆଗଭଳି ନିଷ୍ଠାବାନ ଓ କର୍ତ୍ତବ୍ୟ ପରାୟଣ ଶିକ୍ଷକ ଅନେକ ଅଛନ୍ତି । ଏମିତି ଭାବୁ ଭାବୁ ହଜି ଯାଆନ୍ତି କୋଡିଏ ବର୍ଷ ତଳେ ତାଙ୍କ ଗାଁ ସ୍କୁଲ୍‌ରେ ଥିବା ଦାମ ମାଷ୍ଟ୍ରେଙ୍କ କଥାରେ । ଦାମ ମାଷ୍ଟ୍ରେ ଥାନ୍ତି ଗାଁ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ । ବେଶଭୁଷାରେ ଅତିବ ସରଳ । ଧଳା ଧୋତିକୁ ଧଳା ସାର୍ଟ ଖଣ୍ଡେ ଭାରି ଭଲ ମାନେ । ନିଷ୍କପଟ ହୃଦୟ ଓ ସମୟାନୁବର୍ତ୍ତୀର ସେ ଥାନ୍ତି ମୂର୍ତ୍ତୀମନ୍ତ ପ୍ରତୀକ । ସେ କି ମନ୍ତ୍ର ଜାଣିଥିଲେ କେଜାଣି ଗାଁର ପ୍ରତି ଘରେ ତାଙ୍କର ବହୁତ ଆଦର ଓ ସମ୍ମାନ । ଗାଁର ଯେକୌଣସି ଯାନିଯାତ୍ରା, ଉତ୍ସବମହୋତ୍ସବ, ଓଷାବାହା, ପୁନିଅପରବ ଓ ନ୍ୟାୟନିସାପ ସତେଯେମିତ ତାଙ୍କ ଉପସ୍ଥିତି ବିନା ସମ୍ଭବ ହିଁ ନଥାଏ । 
      ନରିଆ ଝିଅ ବିବାହ କଥା ମନେ ପଡିଲେ ସିତାରାମବାବୁ ଦାମ ମାଷ୍ଟ୍ରେଙ୍କୁ ବହୁତ ମନେ ପକାନ୍ତି । ଗରିବ ନରିଆ ଝିଅର ଭୂବନେଶ୍ୱରରେ ରହୁଥିବା ଏତେବଡ ଖାନ୍‌ଦାନ୍ ଓ ଉଚ୍ଚଶିକ୍ଷିତ ଘରେ କ’ଣ ବିବାହ ହୋଇପାରିଥାନ୍ତା? ସେତେବେଳେ ପୁଅମାନେ ଯାଉନଥିଲେ ଝିଅ ଦେଖିବାକୁ । ବାପାମା ଯାହାକୁ ପସନ୍ଦ କଲେ ସିଏ ହେଉଥିଲା ବୋହୁ । ବାସ୍ ଦାମ ମାଷ୍ଟ୍ରେ ସେଦିନ ପୁଅର ବାପାମାଙ୍କୁ ଏପରି ସୁନ୍ଦର ଭାବରେ ନିଜର ଛାତ୍ରୀଥିବା ନରିଆ ଝିଅର ଚରିତ୍ର କଥା ବଖାଣିଲେ ଯେ ସେମାନେ ସଙ୍ଗେସଙ୍ଗେ ନରିଆ ଝିଅକୁ ବୋହୁ କରିବା ପାଇଁ ରାଜି । ସେମାନଙ୍କର ବିଶ୍ୱାସ ଦାମ ମାଷ୍ଟ୍ରେଙ୍କ ଉପରେ ଏତେ ହୋଇଗଲାଯେ ଶେଷରେ ପୁଅର ବାପା କହିଲେ ସାର୍ ଏ ବିବାହର ଆପଣଙ୍କୁ ଲାଗିଲା । ସତକୁ ସତ ସେଇଆ ହୁଏ । ଧରାବର ବିବାହର ହୁଏ । ବନ୍ଧୁ, ବରଯାତ୍ରୀଙ୍କ ଚର୍ଚ୍ଚାଠାରୁ ଆରମ୍ଭ କରି ଗାଁ ଭୋଜି ଓ ଝିଅଜ୍ୱାଇଁଙ୍କର ବିଦା ଏତେ ଶାନ୍ତି ଶୃଙ୍ଖଳାରେ ସେ ସମ୍ପନ୍ନ କରନ୍ତି ସତେଯେମିତି ସମସ୍ତେ ଭାବୁଥାନ୍ତି ଏତେବଡ କାମରେ ଏତେ ଶାନ୍ତି ଶୃଙ୍ଖଳା ସବୁ ସେଇ ଦାମ ମାଷ୍ଟ୍ରେଙ୍କ ପାଇଁ । 
      ଖାଲି ଦାମ ମାଷ୍ଟ୍ରେ କାହିଁକି ସେତେବେଳର ପ୍ରାୟ ସବୁ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ଅବା ସହକାରୀ ଶିକ୍ଷକ ମାନେ ସେମିତିକା ଥିଲେ । ସେମାନଙ୍କର ଗାଁରେ ଖୁବ୍ ଆଦର ଓ ସମ୍ମାନ ଥିଲା । ମାଷ୍ଟ୍ରେ ବା ସାର୍ ମାନେ ଗୁରୁର ପଦ ମର୍ଯ୍ୟାଦା ପାଉଥିଲେ । ଗାଁ ମାଷ୍ଟ୍ରେ ହିଁ ତାଙ୍କ ପିଲାମାନଙ୍କୁ ମଣିଷ କରିପାରିବେ, ଗ୍ରାମବାସୀଙ୍କର ଏହା ଥିଲା ଅଗାଧ ବିଶ୍ୱାସ । ମାଷ୍ଟ୍ରେଙ୍କ ପ୍ରତି ପିଲାମାନଙ୍କ ଯେତିକି ଭକ୍ତି ଥିଲା ତା’ଠାରୁ ଭୟ ଯଥେଷ୍ଟ ଅଧିକ ଥିଲା । ଘରେ କୌଣସି ପିଲା ଦୁଷ୍ଟାମି କରୁଥିଲେ ମା’ଅବା ବାପା କହୁଥିଲେ ରହ କାଲିଯାଇ ସ୍କୁଲ ସାର୍‌ଙ୍କୁ କହୁଛି । ଏତିକିରେ ପିଲା ବି ଶାନ୍ତ ହୋଇଯାଉଥିଲା । ଏମିତି ବି ଉଦାହରଣ ଥିଲା ପିଲା ବିଗିଡିଯିବାର ଅବସ୍ଥା ଉପୁଜିଲେ ବାପାଯାଇ ସ୍କୁଲସାର୍‌ଙ୍କୁ କହୁଥିଲେ ସାର୍ ଆପଣ ତା’ଆଖି ଦିଟାକୁ ଛାଡି ଆଉ ଯେଉଠିକି ବାଡେଇବେ ବାଡାନ୍ତୁ ହେଲେ ତାକୁ ସୁଧାରି ଦିଅନ୍ତୁ । ଗାଁ ଲୋକମାଙ୍କର ବିଶ୍ୱାସ ମଧ୍ୟ ଶିକ୍ଷକଙ୍କୁ ଆହୁରି ମାର୍ଜିତ ଓ ଶୃଙ୍ଖଳିତ ହେବା ପାଇଁ ବାଧ୍ୟ କରୁଥିଲା । 
       ଏବେ କିନ୍ତୁ ସେବେଳ ଆଉ ନାହିଁ । ସମୟ ସହିତ ସତେଯେମିତି ସବୁ ବଦଳି ଗଲାଣି । ଗାଁ ପ୍ରାଥମିକ ସ୍କୁଲ ମାଷ୍ଟ୍ରେ ବର୍ତ୍ତମାନ ସମାଜରେ ଗୁରୁ ପରିବର୍ତ୍ତେ ଜଣେଜଣେ ମର୍ଯ୍ୟାଦା ବିହୀନ ସରକାରୀ ଚାକିରୀଆ ଭାବେ ବିବେଚିତ । ତାଙ୍କ ହାତରୁ ବେତ ଛଡେଇ ନିଆ ଗଲାଣି । ସମାଜର ଚାଲିଚଳନ ପରିବର୍ତ୍ତନ ସହିତ ସେମାନଙ୍କର ବେଶଭୂଷା ମଧ୍ୟ ବଦଳିଗଲାଣି । କାଁ ଭାଁ କେତେକ ପ୍ରାଥମିକ ସ୍କୁଲର ମାଷ୍ଟ୍ରେଙ୍କୁ ଛାଡିଦେଲେ ଗାଁ ଲୋକମାନେ ଅନ୍ୟମାନଙ୍କୁ ଆଉ ସେ ଗୁରୁର ପଦର୍ମ୍ୟାଦା ଦେଉନାହାନ୍ତି । ପିଲାମାନଙ୍କ ମଧ୍ୟରେ ସ୍କୁଲ ମାଷ୍ଟ୍ରେଙ୍କ ପ୍ରତି ଭୟ ଆଉ କଡାକର ବି ନାହିଁ । ସେତେବେଳେ ପିଲାମାନେ ଡରୁଥିଲେ ମାଷ୍ଟ୍ରେଙ୍କୁ ହେଲେ ଏବେ ମାଷ୍ଟ୍ରେ ଡରୁଛନ୍ତି ପିଲାମାନଙ୍କୁ । ଗୁରୁଶିିଷ୍ୟର ପରମ୍ପରାରେ ଏବେ ଗୁରୁର ଗୁରୁତ୍ୱ ଆଉ ନାହିଁ କହିଲେ ଚଳେ । ଆଜି ଗୁରୁଶିଷ୍ୟ ସମ୍ପର୍କ ଏକ ସାଙ୍ଗ ସମ୍ପର୍କରେ ପରିଣତ । ସେତେବେଳର ପିତାମାତା ତାଙ୍କ ପିଲା କିପରି ପଢୁଛି ପଚାରୁଥିବା ବେଳେ ଏବର ପିତାମାତା ତାଙ୍କ ପିଲା ଠିକ୍ ସଂଖ୍ୟକ ଅଣ୍ଡା ପାଇଲା ନା ନାହିଁ ପଚାରିବାରେ ଅଭ୍ୟସ୍ତ । ବିଦ୍ୟାଳୟର ଖାଦ୍ୟ ଭଲ ହେଉଛି ନା ନାହିଁ ଏକଥା ଅଧିକ ପଚାରୁଛନ୍ତି । ସେବେଳର ମାଷ୍ଟ୍ରେ ନିଜ ବେତ ଛୁଏଇଁ ପିଲାମାନଙ୍କୁ ଭବିଷ୍ୟତରେ ମଦ ନପିଇବା ପାଇଁ ଶପଥ କରାଉଥିବା ବେଳେ ଏବେ ମାଷ୍ଟ୍ରେ ମଦ ପିଇ ଆସି ସ୍କୁଲରେ ଶୋଇ ଯାଉଥିବାର ବି ନଜିର ସାମନାକୁ ଆସୁଛି । ଏମିତି ଅନେକ କଥା ଭାବିବା ବେଳକୁ ମନ ଦୁଃଖରେ ଭାଙ୍ଗିପଡି ସୀତାରାମ ବାବୁ ବୁଝି ପାରନ୍ତିନି ସତରେ ସେବେଳ ଭଲଥିଲା ନା ଅଛି ଆଜିର ଏବେଳ ।

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS