search in www.iswarchandraworld.blogspot.com

Monday 13 April 2020

Odia Article ସେବେଳ ନା ଏବେଳ(୪)

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ସେବେଳ ନା ଏବେଳ(୪) 

      ମାତୃତ୍ୱ ହିଁ ନାରୀ ଜୀବନର ସର୍ବ ଶ୍ରେଷ୍ଠ ଅଳଙ୍କାର ମାତ୍ର ବିହି କେତେକଙ୍କ ଭାଗ୍ୟରେ ମା’ ହେବାର ସୈାଭାଗ୍ୟ ହିଁ ଲେଖିନଥାଏ । କିଏ ସନ୍ତାନ ଜନ୍ମ ଦେଇ ମଧ୍ୟ ଦେବକୀ ଭଳି ସନ୍ତାନ ସ୍ନେହରୁ ହୁଏ ବଞ୍ôଚତ ତ ପୁଣି କିଏ ଯଶୋଦା ଭଳି ଜୀବନର ଉତ୍ତଙ୍ଗ ଉମଙ୍ଗକୁ ଅନୁଭବ କରେ ବାତ୍ସଲ୍ୟ ମମତାରେ । ସନ୍ତାନ ବିନା ଘର ଅଗଣା ଶୁନ୍‌ଶାନ୍‌, ଖାଁ ଖାଁ ଓ ଜୀବନ ବିରସ ହୋଇଉଠେ । ଜୀବ ରୂପେ ଜନ୍ମ ନେଇ ସାଂସାରିକ କର୍ତ୍ତବ୍ୟରୂପେ ପରପିଢୀକୁ ସର୍ଜ୍ଜନା ନକରିପାରିଲେ ଜୀବନର ଅପୂର୍ଣ୍ଣତା ମର୍ମେ ମର୍ମେ ଅନୁଭୁତ ହୁଏ । କେତେକ ବ୍ୟତିକ୍ରମକୁ ବାଦଦେଲେ ପ୍ରତି ନାରୀର ଅନ୍ତରାତ୍ମା ମାତୃତ୍ୱ ପାଇଁ ଆନ୍ଦୋଳିତ । ଗର୍ଭ ସଂଚାରର ପ୍ରଥମ ସନ୍ଦେଶରେ ନାରୀ ହୁଏ ଆତ୍ମହରା । ପରିବାରରେ ଖେଳିଯାଏ ଖୁସିର ଲହରୀ । ଆଗନ୍ତୁକ ଅପେକ୍ଷାରେ ସମସ୍ତେ ହୁଅନ୍ତି ହର୍ଷୋଲ୍ଲସିତ । ଦିନଥିଲା ଯେତେବେଳେ ନାରୀର ଶାରିରୀକ ପରିବର୍ତ୍ତନ ଓ ଲକ୍ଷଣର ପରିସ୍ଫୁଟ ବିନା ଜଣା ପଡୁନଥିଲା ଗର୍ଭସଂଚାରର ପ୍ରମାଣ, ମାତ୍ର ଏବେ ପର ଋତୁସ୍ରାବ ବନ୍ଦ ହୋଇଯିବାର ଏକ ସପ୍ତାହ ପରେ ପରେ ବିଜ୍ଞାନ ବଳରେ ଅନ୍ତଃସତ୍ୱା ହେବାର ପ୍ରମାଣ ହାତ ମୁଠାରେ । 
      ସାହିତ୍ୟିକ ଅବନୀବାବୁ ଚେତନରେ ଏମିତି ଭାବୁଭାବୁ ଆପେଆପେ ଚାଲିଯାଆନ୍ତି ଅବଚେତନ ଅବସ୍ଥାକୁ । ମନେପଡେ ସେତେବେଳେ ପଡୋଶି ବିଶୁଦାଦାଙ୍କ ଘରକୁ ତାଙ୍କର ଖୁବ୍ ଯିବାଆସିବା ଥାଏ । ବୀଣା ଖୁଡି ଗର୍ଭବତୀ ହେବାର ଦୁଇମାସ ପରେ ଦିନେ ସନ୍ଧ୍ୟା ବେଳକୁ ବୀଣା ଖୁଡିଙ୍କ ଶାଶୁ ତାଙ୍କ ବୋଉକୁ ଡାକି କୁହନ୍ତି ମା’ତୁ ଟିକେ ମୋ ବୀଣାକୁ ବୁଝେଇଦେ କେମିତି ଦେହପାର ଯତ୍ନ ନେବ । ବୋଉ ବୀଣା ଖୁଡିକୁ ଗୋଟିଏ ଆଡୁ ବୁଝେଇ ଚାଲେ । ଠିକ୍ ସମୟରେ ଖାଇବୁ । ବାରମ୍ବାର ଓ ଅଳ୍ପ ଅଳ୍ପ ଖାଇବୁ । ତଳୁ ଗରୁ ଜିନିଷ ଉଠିଆ ଉଠି କରିବୁନି । ଘରକାମ ଯେମିତି କରୁଛୁ ସେମିତି ଆରାମରେ କରିବୁ । କୈାଣସି କାମରେ ତରବରିଆ ହେବୁନି । ରାତିରେ ଏକୁଟିଆ ବାହରକୁ ଯିବୁନି । ସଜନା ଶାଗ ଓ ଛୁଇଁ, ମୁଗ, କୋଳଥ ଡାଲି ଟିକେ ଅଧିକ ଅଧିକ ଖାଇବୁ ଓ ସବୁଦିନ ରାତିରେ କ୍ଷୀର ପିଇ ଶୋଇବୁ କାରଣ ସେମାନେ ଶାକାହାରୀ ଥାନ୍ତି । ବୋଉର କଥା ସରୁ ସରୁ ଜେଜେ ମା କୁହନ୍ତି ସବୁଦିନ ସନ୍ଧ୍ୟା ବେଳେ ଅଧ୍ୟାୟ ଲେଖାଏଁ ଭାଗବତ ପଢ, ଗୀତା ଶୁଣୁ  ଯଦି ମନ ହେଉଛି ଝୋଟି ପକା ଇତ୍ୟାଦି । ସାତମାସ ବେଳକୁ ବୀଣା ଖୁଡିିଙ୍କ ବାପଘରୁ ମନସିଜ ଭାର ଆସେ । ତା’ପରେ ତ ପ୍ରାୟ ସବୁଦିନ ସବୁ ବନ୍ଧୁ ବାନ୍ଧବଙ୍କ ଘରୁ ଆସିଥିବା ତାଙ୍କ ଘରେ ଖାଲି ପିଠାପଣାର ଆସର । ଏମିତି ଦଶମାସ ପୁରି ଯାଏ । ସେଦିନ ସମୟ ସନ୍ଧ୍ୟା ସାତ ଘଟିକା । ବୀଣା ଖୁଡି ଜୋରରେ ଚିଲାନ୍ତି । ପଡୋଶୀ ମହିଳା ମାନେ ଦୌଡି ଯାଆନ୍ତି । ସେ ବି ତାଙ୍କ ବୋଉ ସାଙ୍ଗରେ ଦୈାଡନ୍ତି । ବୋଉ ତାଙ୍କୁ ବିରକ୍ତି ହୋଇ ଫେରି ଯିବାକୁ କହେ । ହେଲେ ସେ ଅମାନିଆ ହୋଇ ଦୂରରେ ରହି କେହି ତାଙ୍କୁ ନଦେଖିପାରିଲା ପରି ଦେଖନ୍ତି । ଦୁଇ ଜଣ ମହିଳା ହାତରେ କିଛି ପୁରୁଣା କପଡା ଧରି ବୀଣା ଖୁଡିକୁ ଢିଙ୍କି ପଡିଥିବା ଚାଳିଆକୁ ନେଇ ଯାଆନ୍ତି । ଦାଦା ଯାଇ ଗାଁ ଠାକୁରଙ୍କ କାଟପାଣି ନେଇ ଆସନ୍ତି । ବୀଣା ଖୁଡି ଖୁଣ୍ଟକୁ ଧରି ବହୁ କଷ୍ଟ ପାଉଥାନ୍ତି ଓ କିିଛି ସମୟ ପରେ କୁଆଁ କୁଆଁ ରାବ ଆସେ । କଣ ନା ପୁଅଟେ ହୋଇଛି । ସଙ୍ଗେ ସଙ୍ଗେ ଏନ୍ତୁଡି ଜଳା ହୁଏ । ଖଣ୍ଡେ ମୋଟା ଆମ୍ବକାଠ ଖଣ୍ଡକୁ ଗୋଟିଏ ବଡ ହାଣ୍ଡି ଭିତରେ ନିଆଁ ଲଗାଇ ଥୁଆହୁଏ । ଜେଜେମା ଜନ୍ମ ହୋଇଥିବା ପିଲାଟିକୁ ପ୍ରଥମେ ବୀଣା ଖୁଡିଙ୍କ କୋଳରେ ଦିଅନ୍ତି । ସେ କ୍ଷୀରପିଏ । ତା’ପରେ ଜେଜେମା ତାକୁ ଏନ୍ତୁଡି ନିଆଁରେ ସେକିବା ଆରମ୍ଭ କରିଦିଅନ୍ତି । ଘର ହସ ଖୁସିରେ ଫାଟିପଡେ । ତା’ପର ଦିନ ଦାଣ୍ଡ ଚାଳତଳେ ସିଜୁଗଛର ପତ୍ର ଲଗା ଛୋଟ ଡାଳ ଖଣ୍ଡେ ଆସି ଟଙ୍ଗା ହୁଏ ଯାହାକୁ ଦେଖି ଯୋଗୀ, ଚକୁଳିଆ ପଣ୍ଡା, ଜାନୁଘଣ୍ଟିଆ ଓ ଭିକାରୀ ଆଉ ଭିକ ମାଗନ୍ତି ନାହିଁ ଓ ଜାଣନ୍ତି ତାଙ୍କର ଛୁତିକିଆ । ଷଠିଘର ପର୍ଯ୍ୟନ୍ତ ଶାଶୁ ବୋହୁ ସେହି ଚାଳିଆରେ ରୁହନ୍ତି । ପିଲାର ଖୁବ୍ ତେଲ ମଲିସ ହୋଇଚାଲେ । 
   ଏହି ଭାବନାରେ ବୁଡିଥିବା ସମୟରେ ଡ୍ରଇଙ୍ଗ୍‌ରୁମରୁ ହଠାତ୍ ପଡୋଶୀ ଅନ୍ତର୍ଯ୍ୟାମୀବାବୁଙ୍କ ପତ୍ନୀ ତାଙ୍କ ଘରଣୀଙ୍କୁ ଏକ ବଡ ଶଦ୍ଦରେ କହୁଥାନ୍ତି ଯାଇଁଲ ଅପା, ବୋହୁ ରୀମାର ସିଜରିଆନ୍‌ରେ ଝିଅଟିଏ ହୋଇଛି । ଗର୍ଭରେ ଝିଅଟି କଣ ଅକଳିଆରେ ଥିଲାତ, ତେଣୁ ଡାକ୍ତର ଆଠମାସରେ ସିଜିରିଆନ୍ କରି କାଢିଦେଲେ । ଏବେ ପିଲାଟି ୧୦ ଦିନ ପର୍ଯ୍ୟନ୍ତ ଆଇ.ସି.ୟୁ.ରେ ରହିବ । ହଠାତ୍ ଚଳନ୍ତି ଦୁନିଆକୁ ଫେରିଆସି ଭାବନ୍ତି ଗର୍ଭ ସଂଚାର ପରଠାରୁ ପ୍ରତି ମାସରେ ମେଡିକାଲ ଚେକପ୍ ଓ ଡାକ୍ତରଙ୍କ ପରାମର୍ଶ । ଡାକ୍ତରଙ୍କ କହିବା ଅନୁଯାଇ ଖାଦ୍ୟର ବିବିଧତା । ବୋହୁ କାମ ନକରି ଡାକ୍ତରଙ୍କ ନିର୍ଦ୍ଦେଶ ମୁତାବକ ଛୋଟମୋଟ ବ୍ୟାୟାମ । ମନର ପ୍ରଫୁଲତା ପାଇଁ ଘର ଭିତର ଯାକ କୁନିକୁନି ଛୋଟ ପିଲାମାନଙ୍କର ସୁନ୍ଦର ଫଟୋଚିତ୍ର ଓ ବୋହୁ କୋଳରେ ଧରିବା ପାଇଁ ଛୋଟଛୋଟ ଟେଡି ବିଅର । ଡାକ୍ତରଙ୍କ ପରାମର୍ଶ ମୁତାବକ ଲୌହ ବଟିକା ଓ ଭିଟାମିନର ଯଥୋଚିତ ସେବନ । ଆଠମାସ ଭିତରେ ତିନିଥର ଅଲଟ୍ରାସାଉଣ୍ଡ୍ । ଘରେ ଯତ୍ନର ଅଭାବ ନାହିଁ । ପୁଣି ଏ କି ଦଶା । ଜନ୍ମ ପରେ ଏଠି ପିଲାର ନିଆଁରେ ସେକାସେକି ନାହିଁ  ଓ ତେଲ ମାଲିସ୍‌ର ବାରଣ । ଏମିତି ବି ନିର୍ଦ୍ଦାରିତ ସମୟର ଆଗରୁ ଜନ୍ମ ନେଉଥିବା କେତେକ ପିଲାଙ୍କୁ ନିମୋନିଆ, ଜଣ୍ଡିସ୍ ଓ ଡାଇବେଟିସ୍ ରୋଗ ମଧ୍ୟ ଆକ୍ରାନ୍ତ କରେ । ଜନ୍ମରୁ ଯଦି ଏତେ ରୋଗିଣା ତେବେ ବଡ ବେଳେ ଏମାନେ  କିପରି ହେବେ । ଏମିତି ଅତିତ ଓ ବର୍ତ୍ତମାନ ଭିତରେ ତଫାତ ଖୋଜୁ ଖୋଜୁ ସେ ଆଦ୍ୟୈ ବୁଝିପାରୁନଥାନ୍ତି କିଏ ଭଲ ଥିଲା ସେବେଳ ନା ଅଛି ଆଜିର ଏବେଳ ।

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS