search in www.iswarchandraworld.blogspot.com

Tuesday 14 April 2020

Odia Article ସେବେଳ ନା ଏବେଳ(୯)

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ସେବେଳ ନା ଏବେଳ(୯)

       ସେଦିନ ଡାକ୍ତରଖାନାରେ ଝାଡାବାନ୍ତି ରୋଗୀମାନଙ୍କୁ ଲାଗିଥିବା ସାଲାଇନ୍ ଗୁଡିକୁ ଦେଖି ରଘୁଆ ମଉସା ହଠାତ୍ ଭାବି ବସନ୍ତି ତାଙ୍କ ପିଲାଦିନର ବାଡି କଥା । ବଡ ଭଉଣୀ ଯେତେବେଳେ ଦାଣ୍ଡ ଦୁଆରଟିକୁ ମେଲା କରିଦେଲା ଜେଜେବାପା ଖୁବ୍ ଜୋରରେ ବିରକ୍ତ ହୋଇ କହିଚାଲିଲେ, ତୋତେ ଥରେ କହିଲେ ଶୁଭିଲାନି ନା କ’ଣ? ବନ୍ଦ କର ଦୁଆର । ଗାଁରେ ବାଡି ପଡିଛି । ସକାଳ ପହରୁ ରାଧୁଆ, ବାବୁଲା ଆଉ ଶୈଳ ତିନିଜଣ ବାଡିରେ ଚାଲିଗଲେଣି । କେତେବେଳେ କାହାର କ’ଣ ହେବ କେହିି କହି ପାରିବେନି । ସେ ନିଉଛୁଣା ରାଧୁଆକୁ ମୁଁ କେତେଥର କହିଛି ତୁ ଜମାରୁ ରାତି ଅଧରେ ଦାଣ୍ଡକୁ ଉଠିବୁନ ସେ କ’ଣ ମୋ କଥା ମାନିଲା । ଆରେ ନିଶା ଗରଜୁଥିବା ବେଳେ ଗାଁ ଠାକୁରାଣୀଙ୍କ ଗାଁ ବୁଲା ବେଳ । ଯିଏ ତାଙ୍କ ସାମନାରେ ପଡେ ସେ କାହାକୁ ଛାଡନ୍ତି ନାହିଁ । ମାହାପ୍ରଭୁଙ୍କ ରଥ ବିଜେ ଆଉ ମାତ୍ର ଚାରି ଦିନ । ସବୁ ଦେବାଦେବୀ ବର୍ତ୍ତମାନ ପ୍ରତିକ୍ଷାରତ ରଥ ଦେଖିବାକୁ ଯିବାକୁ । ଏହି ଅବେଳାରେ କାଲି ନିଶା ରାତିରେ ସେ ରାଧୁଆ କୁଆଡେ ଦାଣ୍ଡକୁ ଏକ ଯାଇଥିଲା । ଫେରିଲା ପରେ ଝାଡା ବାନ୍ତି ଆରମ୍ଭ ଯେ ଆଉ କମିବାର ନାଁ ନେଉନି । ସକାଳୁ ଅକାଳେ ଚାଲିଗଲା । ତା’ପରେ ଆଉ ଦିଜଣ ବି ଚାଲିଗଲେଣି । ସମସ୍ତେ ମନେ ମନେ ସେହି ଗାଁ ଦେବତୀଙ୍କୁ ଡାକି ଚାଲିଛନ୍ତି । ତୁ ସେ ଦାଣ୍ଡ ଦୁଆରଟା କାହିଁକି ମେଲା କରି ପକଉଛୁ? ତୁ ଦୁଆର ବନ୍ଦ କରିଯା, ମୁଁ ଦାଣ୍ଡରେ ଅଛି । ଭଉଣୀ ସାଙ୍ଗେ ସାଙ୍ଗେ ଦାଣ୍ଡ ଦୁଆର ବନ୍ଦ କରିଦେଇ ମୋ ପାଖରେ ଆସି ଭୟରେ ବସିପଡିଲା । ଘରେ ସମସ୍ତେ ଭୟଭୀତ । ବାପା ମଧ୍ୟ ଉପର ମନରେ ସିନା ଟାଣ କଥା କହୁଥାନ୍ତି ହେଲେ ଭିତରେ ଭିତରେ ସିଏ ବି ଭୟଭିତ ଅବସ୍ଥାରେ ଥାଆନ୍ତି, ଯାହା ସେତେବେଳର ପିଲା ଦିନିଆ ମନ ହିସାବ କରୁଥାଏ । ତା’ପରଦିନ ସାହାସ ବାନ୍ଧି ଗାଁରୁ ପାଞ୍ଚ ଛଅ ଜଣ ବଡ ମଣିଷ ଗାଁମୁଣ୍ଡରେ ଠାକୁରାଣୀଙ୍କୁ ପଣା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି । ହରେ କୃଷ୍ଣ ହରେ ରାମ ମହାମନ୍ତ୍ର ଉଚ୍ଚାରଣ କରି ଗାଁ ମୁଣ୍ଡକୁ କୀର୍ତ୍ତନ ଯାଏ । ଆଗରେ ପୂଜାରୀ ଗୋସେଇଁ ପଣା ହାଣ୍ଡି ଓ ଝୁଣା ଧୂପ ଧରି ଯାଆନ୍ତି । ଗାଁ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୁଏ । ସେମାନେ ପଣା ଦେଇ ଫେରନ୍ତି ମାତ୍ର ଅନ୍ଧ ବିଶ୍ୱାସର  ଅଳିନ୍ଦରେ ସନ୍ଧ୍ୟା ବେଳକୁ ପୁଣି ନେତେଇ ବୋଉ ବାଡିରେ ଚାଲିଯାଏ । ଗାଁରେ କୋକୁଆ ଭୟ କହିଲେ ଅତ୍ୟୁକ୍ତି ହେବନି । ତିନିଦିନ ପର୍ଯ୍ୟନ୍ତ ସେମିତି ଗାଁରେ ଝାଡାବାନ୍ତି ଲାଗି ରହିଥାଏ । ବାଡିରେ ମୋଟ ଆଠଜଣ ଆରପାରିକୁ ଚାଲି ଯାଆନ୍ତି । କାହାର ପେଟରେ ଟିକେ ବାୟୁ ଖେଳିଗଲେ ତା’ଦେହ ଓ ମନରୁ ଅସୁମାରି ଝାଳ ଝରିପଡୁଥାଏ । ସମସ୍ତଙ୍କ ମନରେ ଅଜଣା ଆଶଙ୍କା କାଳେ ବାଡି ମୋତେବି ନେଇ ଯାଇପାରେ । ହେଲେ ଏତେ ସବୁ ଭୟର ବାତାବରଣରେବି ଜେଜେ ଜେମାଙ୍କ ସାହାସକୁ ସଲାମ କରାଯାଇପାରେ । ମୃତ୍ୟୁକୁ ଗଳାରେ ବାନ୍ଧି ବୁଲିବା ଭଳି ସେ ଥାନ୍ତି ସ୍ଥିତପ୍ରଜ୍ଞ । ବାସ୍ ମନରେ ଥାଏ, ପିଲାମାନଙ୍କର କିଛି ନହେଉ । ଯାହା ହେଉ ସେ ମାହାମାରୀ ହଇଜାର ଭୁତାଣୁ ଆପେ ଆପେ ଚାଲି ଯାଉ ଅବା ବିଧିର ଆଶୀର୍ବାଦରୁ ଗାଁର ପରିସ୍ଥିତି ସାମାନ୍ୟ ହୋଇ ଉଠେ । ଝାଡା ବାନ୍ତି  ଭୟରୁ ସମସ୍ତେ ଧୀରେ ଧୀରେ ଦୂରେଇ ଯାଆନ୍ତି ।
      ୟାରି ଭିତରେ ଆମେ ବଡ ହୋଇଯାଉ । ବିଜ୍ଞାନର ବିଭବରେ ମଣିଷ ବଳଶାଳୀ ହୋଇଉଠେ । ବାଡିର କାରଣ ଖୋଜି ଔଷଧ, ଇଞ୍ଜେକ୍ସନ୍ ଓ ସାଲାଇନ୍‌ର ଆବିଷ୍କାର କରେ । ମହାମାରୀ ହଇଜା ଉପରେ ବିଜୟ ପ୍ରାପ୍ତ କରି ବସେ । ଅନ୍ଧବିଶ୍ୱାସର ପରଦାକୁ ବିଜ୍ଞାନ ଧୀରେ ଧୀରେ ମଣିଷ ମୁହଁରୁ ହଟାଇ ଦିଏ । ବାଡି ପଡିବା ଯେ ଗ୍ରାମ ଦେବତୀଙ୍କ କୋପରୁ ନୁହେଁ ବରଂ ଅପରିଷ୍କାର ପାଣି ପିଇବାରୁ ହୁଏ ସେ ବୁଝିପାରେ । ଅପରିଷ୍କାର ପାଣିକୁ ପରିଷ୍କାର ଓ ଜୀବାଣୁମୁକ୍ତ କରି ପିଇବାର କଳା ଶିଖେ । କାହିଁ କେତେ ଆଗକୁ ମାଡି ଚାଲେ । ଦୂରସ୍ଥାନକୁ ପାଦରେ ଚାଲି ଚାଲି ଯିବା ପରିବର୍ତ୍ତେ ଉଦ୍ଭାବନ କରେ ସାଇକେଲ୍ ପରେପରେ ମଟର ଗାଡି । ଜଳ, ସ୍ଥଳ, ଆକାଶ ମାର୍ଗରେ ସହଜ ଓ କମ ସମୟରେ ଦୂର ସ୍ଥାନକୁ ଯାତାୟତ ପାଇଁ ଗଢି ବସେ କାହିଁ କେତେ ପ୍ରକାର ଯାନ । ମଣିଷ ନିିର୍ଭୀକ ହୋଇଉଠେ । ଆମେ ମଧ୍ୟ ଏହି ଗହଳି ଭିତରେ ସେ ବାଡିର କରାଳ ଭୟକୁ ଭୁଲି ବସୁ । ଆଉ ଆମ ଜୀବଦଶାରେ ଆମ ଗାଁରେ ସେ ଭଳି ବାଡି ପଡିବାର ଅବକାଶ ନାହିଁ ଜାଣି ଆମେ ସମସ୍ତେ ଭୟ ଶୂନ୍ୟ । ମାତ୍ର କେତେବେଳେବି ଅବଚେତନ ମନରେ ସେ ବାଡି ବେଳାର କରାଳ କାଳ କଥା ମନେ ପଡିଗଲେ ଦେହଟା ଆଉ ସେତେ ସିହରି ଯାଉନି । କିନ୍ତୁ ବାଡି ରୂପକ ମାହାମାରୀରୁ ନିସ୍ତାର ପାଇଥିବା ମନ ଯେତେବେଳେ ହଠାତ୍ ଗାଡିମାନଙ୍କର ଘଟୁଥିବା ମର୍ମନ୍ତୁଦ ଦୁର୍ଘଟଣା କଥା ମାନ ଶୁଣୁଛି । ସମୟେ ସମୟେ ଛାତି ଥରି ଉଠୁଛି । କେଉଁଠି ଗୋଟିଏ ଗାଁର ବଣ ଭୋଜି ପାଇଁ ତିରିଶ ଜଣ ଲୋକଙ୍କୁ ନେଇ ଯାଇଥିବା ବସ୍‌ଟି ଖାଇରେ ଖସି ସତେଇଶ ମୃତ ତ କେଉଁଠି ମା’ଙ୍କୁ ଦର୍ଶନ କରି ଗୋଟିଏ ପରିବାର ଫେରୁଥିବା ସମୟରେ ହୃଦୟ ବିଦାରକ ଦୁର୍ଘଟଣା ରେ ପୁରା ପରିବାର ସଫା । ପୁନଶ୍ଚ କେଉଁଠି ରାବଣ ପୋଡି ବାଣ ଶଦ୍ଦର ମଜା ନେଉଥିବା ସମୟରେ ଶହ ଶହ ମଣିଷ ଟ୍ରେନ୍ ଗାଡିର ଶିକାର ତ କେଉଁଠି ବସ୍ ନଦୀ ପୋଲରୁ ଖସି ପଡି ଅନେକ ମୃତ ଓ ଗୁରୁତର ଆହାତ ଖବର ସବୁ ହୃଦୟକୁ ଥରେଇ ଦଉଛି । ଭାବନା ରାଇଜରୁ ଓହ୍ଲେଇ ଆସିଲା ବେଳକୁ ରଘୁଆ ମଉସା ବୁଝି ପାରୁନଥାନ୍ତି ସତରେ ସେବେଳର ବାଡି ଆଉ ଏବେଳର ଗାଡି, ଏହି ଦୁଇଟି କଥାରେ କିଏ ଅଧିକ ଦୁଃଖ ଦାୟକ ସେ ବେଳର ବାଡି ନା ଏବେଳ ଗାଡି । 

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS