search in www.iswarchandraworld.blogspot.com

Tuesday 14 April 2020

Odia Article ସେବେଳ ନା ଏବେଳ(୧୨)

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ସେବେଳ ନା ଏବେଳ(୧୨)

   ଭାସ୍କର ମଉସାଙ୍କ ବୟସ ଆଜି ସତୁରୀ । ଭୂବନେଶ୍ୱରର ପଟିଆ ନନ୍ଦନକାନନ ରାସ୍ତାଠାରୁ ତାଙ୍କ ପୁଅ ନେଇଥିବା ଭଡାଘର ପାଖାପଖି ଦୁଇଶହ ମିଟର ହେବ । ଭଡାଘରଟି ଗୋଟିଏ ଆପାର୍ଟମେଣ୍ଟର ଚତୁର୍ଥ ମହଲା । ଦିନ ଯାକ ଘର ଭିତରେ ଏକୁଟିଆ ବସିବସି ବିରକ୍ତ ହୋଇ ଯାଇଥାନ୍ତି । ସକାଳ ୯ଟାରୁ ଆସି ଦିନ ୩ଟା୩୦ । ଘର ଭିତରଟାରେ ବସି କେତେ ଯେ ଟିଭି ଦେଖିବେ । କାହା ସାଥିରେ ଟିକିଏ ହସମଜା କଥା ହେବାକୁ ମଧ୍ୟ କେହି ନାହାନ୍ତି । ପୁଅ ବୋହୁ ଉଭୟ ଚାକିରୀଆ । ନାତିଟି ପଢୁଛି ସପ୍ତମ ଶ୍ରେଣୀରେ । ବୋହୁ ତା’ଅଫିସ୍‌ରୁ ଫେରିବା ସମୟରେ ନାତିକୁ ସାଙ୍ଗରେ ଆଣି ଘରେ ପହଞ୍ôଚଲା ବେଳକୁ ପାଖାପାଖି ସନ୍ଧ୍ୟା ପାଞ୍ଚଟା । ଆଉ ପୁଅର ଫେରିବାର ସମୟ ଠିକ୍ ନଥାଏ । ଭାସ୍କର ମଉସା ଘର ଭିତରୁ ବାହାରିଆସି ଘର ବାଲକୋନୀରେ ଚୌକି ଉପରେ ବସି ପଡନ୍ତି । ନେତ୍ର ଜୁଆଡିକି ବୁଲାନ୍ତି ଦେଖନ୍ତି ମାଳମାଳ କୋଠା । ଯେତେବେଳେ ପଟିଆ ନନ୍ଦନକାନନ ରାସ୍ତା ଉପରେ ନଜର ପଡିଯାଏ ସେ କିଛିକ୍ଷଣ ବିସ୍ମରି ଯାଆନ୍ତି ନିଜକୁ । କେତେ ବ୍ୟସ୍ତ ବିବ୍ରତ ଏଠି ଜୀବନ? ଖୁବ୍ ଯୋରରେ ସର୍ବେ ଦଉଡୁଥାନ୍ତି ନିଜ ନିଜ ଗନ୍ତବ୍ୟ ସ୍ଥଳକୁ । କିଏ ମଟର ସାଇକେଲ୍‌ରେ, କିଏ ଅଟୋରେ ପୁଣି କିଏ କାର୍‌ରେ ନଚେତ ବସରେ । କେହି କାହାକୁ ଏଠି ଅପେକ୍ଷା କରିଲା ପରି ମନେ ହେଉନାହିଁ । ଏଇ ପାଞ୍ଚବର୍ଷ ପୁଅ ପାଖରେ ରହିବା ଭିତରେ ସିଏ ବୁଝି ସାରିଛନ୍ତି ଯେ ଏଭଳିଆ ସହରରେ ପଇସା ଥିଲେ କେବଳ ବାପାମାଙ୍କୁ ଛାଡି ସବୁ ମିଳିପାରେ । ପଇସା ନଥିଲେ କେହି ପଚାରିନ୍ତିନିି । ତାଙ୍କ ବେଳର ଯୌଥ ପରିବାର ଏଠି ନାହିଁ କହିଲେ ଚଳେ । ସାହି ପଡିସାର ସଂଜ୍ଞା ଏଠି କିଛି ମାନେ ହିଁ ରଖେନା । ଏ ଘରେ ଯଦି ଚୋର ପସି ସବୁ କିଛି ଲୁଟି ନିଅନ୍ତି ପଡିଶା ଘର ଲୋକ କିଛି ଜାଣନ୍ତି ନାହିଁ । ଏ ଘରେ ଯଦି ମର୍ଡର ହୁଏ ଅବା କିଏ ମରିଯାଏ ପଡିଶା ଘର ଲୋକର କିଛି ଯାଏଆସେ ନାହିଁ । ଅଣୁ ପରିବାରରେ ଏ ମାନେ ଅଭ୍ୟସ୍ତ । ଏକାନ୍ତ ଜୀବନ ସତେଯେମିତି ଏଠି ସମସ୍ତଙ୍କୁ ଆଲିଙ୍ଗନ କରିସାରିଛି । ଭିଡ ଭିତରେ ମୁଁ ଭଳି ସମସ୍ତେ ଏକୁଟିଆ । ହାତରେ ସ୍ମାର୍ଟ ମୋବାଇଲ୍ ଟିଏ ଧରି ପକେଇଲେ ହଜିଯାଆନ୍ତି ସମ୍ପୂର୍ଣ୍ଣ ଏକାନ୍ତରେ । ନାହିଁ ଏଠି ନିଜ ପିତାମାତା, ଦାଦାଖୁଡି, ଜେଜେଜେଜେମାଙ୍କ ସହିତ ସପରିବାର ଏକାଠିରେ ମେଳିମେଳାପ ଓ ଭାବର ଆଦାନପ୍ରଦାନ । 
      ଏଠି ସମସ୍ତେ ସ୍ୱାର୍ଥପର । ସାହି ପଡିଶାର ବିପଦ ଆପଦରେ ଛିଡା ହେବା ଏକ କର୍ତ୍ତବ୍ୟ ବୋଲି ଏମାନଙ୍କୁ ଜଣା ନାହିଁ ।  ତାଙ୍କ ଗାଁ ଗୋବିନ୍ଦ ମାଷ୍ଟ୍ରେଙ୍କ ପୁଅ କଥା ଭାବିଲା ବେଳକୁ ଏ ସହରୀ ଜୀବନକୁ ସେ ସେତେ ଆଦରି ପାରୁନାହାନ୍ତି । ତାଙ୍କ ବିବେକ ତାଙ୍କ ଗୋଡକୁ ପଛକୁ ଟାଣୁଛି । ମାଷ୍ଟ୍ରେଙ୍କ ପୁଅ ଓକିଲାତି କରୁଛି । ଓକିଲାତିରେ ଭଲ ଦିପଇସା କମେଇଲାରୁ ବାପା ବୋଉଙ୍କୁ ଗାଁରେ ଛାଡିଦେଇ ନିଜ ସ୍ତ୍ରୀ ଓ ଦୁଇ ଝିଅକୁ ନେଇ ଏହି ସହରରେ ଭଡାଘରେ ରହୁଛି । ତା’ର ସେଦିନ କୋର୍ଟ ଛୁଟିଥିବାରୁ ଭଡାଘରେ ସମସ୍ତେ ଦିନ ଦ୍ୱିପହରଟାରେ ଖାଇପିଇ ବେଡରୁମ୍‌ରେ ଶୋଇ ଯାଇଥାନ୍ତି । ଚୋର ଆସି ବେଡରୁମ୍ ବାହାରୁ ତାଲା ପକାଇ ବାକି ସବୁଘର କଳାକନା ବୁଲେଇ ଛୁ । ନିଦ ଭାଙ୍ଗିଲା ବେଳକୁ ଦିନ ତିନିଟା । ଦୁଆର ଖୋଲିଲା ବେଳକୁ ବାହାରପଟୁ ତାଲା । କଣ କରିବ ସିଏ । ସେହି କଲୋନିରେ ଯେଉଁ ବ୍ୟକ୍ତି ମାନଙ୍କର ଫୋନନମ୍ବର ତା’ ପାଖରେ ଥିଲା ସମସ୍ତଙ୍କୁ ଲଗାଏ । ହେଲେ କେହି ଜଣେବି ବ୍ୟକ୍ତି ଫୋନ୍ ଉଠେଇ ନଥାନ୍ତି । ସେତେବେଳକୁ ଆସି ଚାରିଟା ହୋଇଯାଏ । ଘର ଭିତରେ ଝିଅ ସ୍ତ୍ରୀ ସମସ୍ତେ ଅସ୍ତବ୍ୟସ୍ତ । ସାଢେ ଚାରିଟା ବେଳକୁ ଅକସ୍ମାତ ତା’ର ଜଣେ ମହକିଲ ଆସି ଡାକିଲା ବେଳକୁ କବାଟ ତାଲା ଭଙ୍ଗାଯାଇ ସେମାନେ ବାହାରକୁ ବାହାରନ୍ତି । ପଡୋଶିମାନଙ୍କୁ ପଚାରିଲା ବେଳକୁ ସମସ୍ତଙ୍କର ଉତ୍ତର ଆସେ ଆମେ ସାଇଲେନ୍ସ ମୋଡରେ ମୋବାଇଲ୍ ରଖି ଦେଇଥିଲୁ । 
     ସତରେ କେତେ ଏକାନ୍ତ ଏ ସହର । ଏଠି କେହି କାହାର ନୁହେଁ । ମନେ ପଡିଲା ବେଳକୁ ତାଙ୍କ ଯବାନ ବେଳର ତାଙ୍କ ଗାଁର ଅଭିଜ୍ଞତା ସେ ହଜିଯାଆନ୍ତି କିଛିକ୍ଷଣ । ସେଦିନ ରାତିରେ ଚୋର ପଶିଲେ ତାଙ୍କ ଗାଁ ରାଧୁମିଶ୍ରଙ୍କ ଘରେ । ରାଧୁମିଶ୍ର ଓ ତାଙ୍କ ପତ୍ନୀଙ୍କୁ ବାହାର ପଟୁ ଦୁଆର ଦେଇ ଚୋରମାନେ ଚୋରି କରିବାରେ ଲାଗିଥାନ୍ତି । ହଠାତ୍ ତାଙ୍କ ସ୍ତ୍ରୀଙ୍କର ନିଦ ଭାଙ୍ଗିଯାଏା । ସେ ଜାଣିପାରି ଜୋରରେ ପାଟି କରି ଗହଳି କରନ୍ତି ଆରେ ଚୋର.... ଚୋର.... ଚୋର...... । ଗାଁ ଲୋକ ସମସ୍ତେ ଶଦ୍ଦମୁଣ୍ଡ ତଡାବାଡି, କଟୁରୀ, କୋଦାଳ, ସାବଳ ଆଦି ଧରି ଉଠି ପଡନ୍ତେ ଚୋର ମାନେ ନିଜର ପ୍ରାଣ ବିକଳରେ ବାନ୍ଧିଥିବା ଜିନିଷକୁ ଗାଡିଆରେ ଫୋପାଡି ପଳାନ୍ତି । ସବୁକିଛି ଉଦ୍ଧାର ହୁଏ । ଖାଲି ସେତିକି ନୁହେଁ ଗାଁ ରେ କାହାର ଦେହପା ସାଙ୍ଘାତିକ ହେଲେ ସାହି ପଡିଶା ସାହାଯ୍ୟର ହାତ ଅକୁଣ୍ଠ ବଢାଇ ଥାନ୍ତି । ନିସ୍ୱାର୍ଥପର ଭାବରେ ଅନ୍ୟର ଅସୁବିଧା ସମୟରେ ପରସ୍ପରକୁ ହୃଦୟର ସହ ସେବା କରିଥାନ୍ତି । ସେବେଳ ମାନଙ୍କରେ ଗାଁରେ ପ୍ରାୟ ସବୁ ପରିବାର ଯୌଥ କହିଲେ ଚଳେ । ପ୍ରତି ପରିବାରରେ ପିତାମାତା, ଦାଦାଖୁଡି, ଜେଜେଜେଜେମା ଓ ଛୁଆପିଲାଙ୍କ ଏକାଠି ଜୀବନ । ସେମାନଙ୍କ ଭିତରେ ମେଳିମେଳାପ ମଧ୍ୟ ଖୁବ୍ ଭଲ । ପର୍ବପର୍ବାଣୀରେତ ଏକାଠି ରହିବାର ଆନନ୍ଦ ସେମାନଙ୍କଠୁ ଶିଖିବା କଥା । ହେଲେ ଏ କି ପ୍ରକାର ଜୀବନ । ଏଠି  ଅକୁଣ୍ଠ ସାହାଯ୍ୟର ମାନେ ହିଁ ସ୍ୱାର୍ଥ ସର୍ବସ୍ୱ । କେବଳ ଅର୍ଥ ପଛରେ ଧାଇଁବା ଏଠି ନିଶା । ଏମିତି ଭାବୁ ଭାବୁ ଅବଚେତନ ମନରୁ ଲେଉଟିଲା ବେଳକୁ ସେ ସ୍ଥିର କରିପାରନ୍ତିନି ସତରେ ସେବେଳେ ଭଲଥିଲା ନା ଅଛି ଆଜିର ଏବେଳ । 

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS