search in www.iswarchandraworld.blogspot.com

Tuesday, 14 April 2020

Odia Article ସେବେଳ ନା ଏବେଳ(୬)

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ସେବେଳ ନା ଏବେଳ(୬)

      ଆଜି ଖବରକାଗଜରେ ଜଣେ ଶିକ୍ଷକ ମଦ୍ୟପାନ କରି ବିଦ୍ୟାଳୟରେ ଶୋଇଯିବାର ଖବର ପଢି ବୟସର ଅପରାହ୍ନରେ ଉପସ୍ଥିତ ସୀତାରାମ ବାବୁ ଖୁବ୍ ମର୍ମାହତ । କାହିଁକି ଏମିତି ସବୁ ଘଟୁଛି ଏହାର କାରଣ ମଧ୍ୟ ସେ ଖୋଜି ପାଇପାରୁ ନାହାନ୍ତି । ଜଣେ ଶିକ୍ଷକର ଅପକର୍ମ ସମସ୍ତ ଶିକ୍ଷକ ସମାଜକୁ କଳଙ୍କିତ କରିଦେଉଛି । ଏବର ଗଣମାଧ୍ୟମ ମଧ୍ୟ ସମାଜ ଉପରେ କୁପ୍ରଭାବ ପକଉଥିବା ଏଭଳି ଖବରକୁ ପ୍ରଚାର କରିବାରେ ଖୁବ୍ ବ୍ୟଗ୍ର । ସମସ୍ତ ଶିକ୍ଷକ କ’ଣ ଖରାପ? ଏବେ ମଧ୍ୟ ଆଗଭଳି ନିଷ୍ଠାବାନ ଓ କର୍ତ୍ତବ୍ୟ ପରାୟଣ ଶିକ୍ଷକ ଅନେକ ଅଛନ୍ତି । ଏମିତି ଭାବୁ ଭାବୁ ହଜି ଯାଆନ୍ତି କୋଡିଏ ବର୍ଷ ତଳେ ତାଙ୍କ ଗାଁ ସ୍କୁଲ୍‌ରେ ଥିବା ଦାମ ମାଷ୍ଟ୍ରେଙ୍କ କଥାରେ । ଦାମ ମାଷ୍ଟ୍ରେ ଥାନ୍ତି ଗାଁ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ । ବେଶଭୁଷାରେ ଅତିବ ସରଳ । ଧଳା ଧୋତିକୁ ଧଳା ସାର୍ଟ ଖଣ୍ଡେ ଭାରି ଭଲ ମାନେ । ନିଷ୍କପଟ ହୃଦୟ ଓ ସମୟାନୁବର୍ତ୍ତୀର ସେ ଥାନ୍ତି ମୂର୍ତ୍ତୀମନ୍ତ ପ୍ରତୀକ । ସେ କି ମନ୍ତ୍ର ଜାଣିଥିଲେ କେଜାଣି ଗାଁର ପ୍ରତି ଘରେ ତାଙ୍କର ବହୁତ ଆଦର ଓ ସମ୍ମାନ । ଗାଁର ଯେକୌଣସି ଯାନିଯାତ୍ରା, ଉତ୍ସବମହୋତ୍ସବ, ଓଷାବାହା, ପୁନିଅପରବ ଓ ନ୍ୟାୟନିସାପ ସତେଯେମିତ ତାଙ୍କ ଉପସ୍ଥିତି ବିନା ସମ୍ଭବ ହିଁ ନଥାଏ । 
      ନରିଆ ଝିଅ ବିବାହ କଥା ମନେ ପଡିଲେ ସିତାରାମବାବୁ ଦାମ ମାଷ୍ଟ୍ରେଙ୍କୁ ବହୁତ ମନେ ପକାନ୍ତି । ଗରିବ ନରିଆ ଝିଅର ଭୂବନେଶ୍ୱରରେ ରହୁଥିବା ଏତେବଡ ଖାନ୍‌ଦାନ୍ ଓ ଉଚ୍ଚଶିକ୍ଷିତ ଘରେ କ’ଣ ବିବାହ ହୋଇପାରିଥାନ୍ତା? ସେତେବେଳେ ପୁଅମାନେ ଯାଉନଥିଲେ ଝିଅ ଦେଖିବାକୁ । ବାପାମା ଯାହାକୁ ପସନ୍ଦ କଲେ ସିଏ ହେଉଥିଲା ବୋହୁ । ବାସ୍ ଦାମ ମାଷ୍ଟ୍ରେ ସେଦିନ ପୁଅର ବାପାମାଙ୍କୁ ଏପରି ସୁନ୍ଦର ଭାବରେ ନିଜର ଛାତ୍ରୀଥିବା ନରିଆ ଝିଅର ଚରିତ୍ର କଥା ବଖାଣିଲେ ଯେ ସେମାନେ ସଙ୍ଗେସଙ୍ଗେ ନରିଆ ଝିଅକୁ ବୋହୁ କରିବା ପାଇଁ ରାଜି । ସେମାନଙ୍କର ବିଶ୍ୱାସ ଦାମ ମାଷ୍ଟ୍ରେଙ୍କ ଉପରେ ଏତେ ହୋଇଗଲାଯେ ଶେଷରେ ପୁଅର ବାପା କହିଲେ ସାର୍ ଏ ବିବାହର ଆପଣଙ୍କୁ ଲାଗିଲା । ସତକୁ ସତ ସେଇଆ ହୁଏ । ଧରାବର ବିବାହର ହୁଏ । ବନ୍ଧୁ, ବରଯାତ୍ରୀଙ୍କ ଚର୍ଚ୍ଚାଠାରୁ ଆରମ୍ଭ କରି ଗାଁ ଭୋଜି ଓ ଝିଅଜ୍ୱାଇଁଙ୍କର ବିଦା ଏତେ ଶାନ୍ତି ଶୃଙ୍ଖଳାରେ ସେ ସମ୍ପନ୍ନ କରନ୍ତି ସତେଯେମିତି ସମସ୍ତେ ଭାବୁଥାନ୍ତି ଏତେବଡ କାମରେ ଏତେ ଶାନ୍ତି ଶୃଙ୍ଖଳା ସବୁ ସେଇ ଦାମ ମାଷ୍ଟ୍ରେଙ୍କ ପାଇଁ । 
      ଖାଲି ଦାମ ମାଷ୍ଟ୍ରେ କାହିଁକି ସେତେବେଳର ପ୍ରାୟ ସବୁ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ଅବା ସହକାରୀ ଶିକ୍ଷକ ମାନେ ସେମିତିକା ଥିଲେ । ସେମାନଙ୍କର ଗାଁରେ ଖୁବ୍ ଆଦର ଓ ସମ୍ମାନ ଥିଲା । ମାଷ୍ଟ୍ରେ ବା ସାର୍ ମାନେ ଗୁରୁର ପଦ ମର୍ଯ୍ୟାଦା ପାଉଥିଲେ । ଗାଁ ମାଷ୍ଟ୍ରେ ହିଁ ତାଙ୍କ ପିଲାମାନଙ୍କୁ ମଣିଷ କରିପାରିବେ, ଗ୍ରାମବାସୀଙ୍କର ଏହା ଥିଲା ଅଗାଧ ବିଶ୍ୱାସ । ମାଷ୍ଟ୍ରେଙ୍କ ପ୍ରତି ପିଲାମାନଙ୍କ ଯେତିକି ଭକ୍ତି ଥିଲା ତା’ଠାରୁ ଭୟ ଯଥେଷ୍ଟ ଅଧିକ ଥିଲା । ଘରେ କୌଣସି ପିଲା ଦୁଷ୍ଟାମି କରୁଥିଲେ ମା’ଅବା ବାପା କହୁଥିଲେ ରହ କାଲିଯାଇ ସ୍କୁଲ ସାର୍‌ଙ୍କୁ କହୁଛି । ଏତିକିରେ ପିଲା ବି ଶାନ୍ତ ହୋଇଯାଉଥିଲା । ଏମିତି ବି ଉଦାହରଣ ଥିଲା ପିଲା ବିଗିଡିଯିବାର ଅବସ୍ଥା ଉପୁଜିଲେ ବାପାଯାଇ ସ୍କୁଲସାର୍‌ଙ୍କୁ କହୁଥିଲେ ସାର୍ ଆପଣ ତା’ଆଖି ଦିଟାକୁ ଛାଡି ଆଉ ଯେଉଠିକି ବାଡେଇବେ ବାଡାନ୍ତୁ ହେଲେ ତାକୁ ସୁଧାରି ଦିଅନ୍ତୁ । ଗାଁ ଲୋକମାଙ୍କର ବିଶ୍ୱାସ ମଧ୍ୟ ଶିକ୍ଷକଙ୍କୁ ଆହୁରି ମାର୍ଜିତ ଓ ଶୃଙ୍ଖଳିତ ହେବା ପାଇଁ ବାଧ୍ୟ କରୁଥିଲା । 
       ଏବେ କିନ୍ତୁ ସେବେଳ ଆଉ ନାହିଁ । ସମୟ ସହିତ ସତେଯେମିତି ସବୁ ବଦଳି ଗଲାଣି । ଗାଁ ପ୍ରାଥମିକ ସ୍କୁଲ ମାଷ୍ଟ୍ରେ ବର୍ତ୍ତମାନ ସମାଜରେ ଗୁରୁ ପରିବର୍ତ୍ତେ ଜଣେଜଣେ ମର୍ଯ୍ୟାଦା ବିହୀନ ସରକାରୀ ଚାକିରୀଆ ଭାବେ ବିବେଚିତ । ତାଙ୍କ ହାତରୁ ବେତ ଛଡେଇ ନିଆ ଗଲାଣି । ସମାଜର ଚାଲିଚଳନ ପରିବର୍ତ୍ତନ ସହିତ ସେମାନଙ୍କର ବେଶଭୂଷା ମଧ୍ୟ ବଦଳିଗଲାଣି । କାଁ ଭାଁ କେତେକ ପ୍ରାଥମିକ ସ୍କୁଲର ମାଷ୍ଟ୍ରେଙ୍କୁ ଛାଡିଦେଲେ ଗାଁ ଲୋକମାନେ ଅନ୍ୟମାନଙ୍କୁ ଆଉ ସେ ଗୁରୁର ପଦର୍ମ୍ୟାଦା ଦେଉନାହାନ୍ତି । ପିଲାମାନଙ୍କ ମଧ୍ୟରେ ସ୍କୁଲ ମାଷ୍ଟ୍ରେଙ୍କ ପ୍ରତି ଭୟ ଆଉ କଡାକର ବି ନାହିଁ । ସେତେବେଳେ ପିଲାମାନେ ଡରୁଥିଲେ ମାଷ୍ଟ୍ରେଙ୍କୁ ହେଲେ ଏବେ ମାଷ୍ଟ୍ରେ ଡରୁଛନ୍ତି ପିଲାମାନଙ୍କୁ । ଗୁରୁଶିିଷ୍ୟର ପରମ୍ପରାରେ ଏବେ ଗୁରୁର ଗୁରୁତ୍ୱ ଆଉ ନାହିଁ କହିଲେ ଚଳେ । ଆଜି ଗୁରୁଶିଷ୍ୟ ସମ୍ପର୍କ ଏକ ସାଙ୍ଗ ସମ୍ପର୍କରେ ପରିଣତ । ସେତେବେଳର ପିତାମାତା ତାଙ୍କ ପିଲା କିପରି ପଢୁଛି ପଚାରୁଥିବା ବେଳେ ଏବର ପିତାମାତା ତାଙ୍କ ପିଲା ଠିକ୍ ସଂଖ୍ୟକ ଅଣ୍ଡା ପାଇଲା ନା ନାହିଁ ପଚାରିବାରେ ଅଭ୍ୟସ୍ତ । ବିଦ୍ୟାଳୟର ଖାଦ୍ୟ ଭଲ ହେଉଛି ନା ନାହିଁ ଏକଥା ଅଧିକ ପଚାରୁଛନ୍ତି । ସେବେଳର ମାଷ୍ଟ୍ରେ ନିଜ ବେତ ଛୁଏଇଁ ପିଲାମାନଙ୍କୁ ଭବିଷ୍ୟତରେ ମଦ ନପିଇବା ପାଇଁ ଶପଥ କରାଉଥିବା ବେଳେ ଏବେ ମାଷ୍ଟ୍ରେ ମଦ ପିଇ ଆସି ସ୍କୁଲରେ ଶୋଇ ଯାଉଥିବାର ବି ନଜିର ସାମନାକୁ ଆସୁଛି । ଏମିତି ଅନେକ କଥା ଭାବିବା ବେଳକୁ ମନ ଦୁଃଖରେ ଭାଙ୍ଗିପଡି ସୀତାରାମ ବାବୁ ବୁଝି ପାରନ୍ତିନି ସତରେ ସେବେଳ ଭଲଥିଲା ନା ଅଛି ଆଜିର ଏବେଳ ।

*******

Monday, 13 April 2020

Odia Article ସେବେଳ ନା ଏବେଳ(୫)

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ସେବେଳ ନା ଏବେଳ(୫)

       ଅଙ୍ଗଦବାବୁ ଖଟ ଉପରେ ବସି ବିଶ୍ରାମ ନେଉଥିବା ସମୟରେ ହଠାତ୍ କାନଟି ଲାଖେ ଧର୍ମପତ୍ନୀଙ୍କ ଫୋନ୍ ବାର୍ତ୍ତାଳପରେ । ପତ୍ନୀଙ୍କର ତାଙ୍କ ପିଉସୀ ଝିଅ ଭଉଣୀକୁ ପ୍ରଶ୍ନ ଥାଏ ଆଲୋ ଅପା, ବୋହୁ ଖବର କ’ଣ? ସବୁ ଭଲଟି । ସେପଟୁ କ’ଣ ଉତ୍ତର ଆସେ କେଜାଣି ଘରଣୀ ଉତ୍ତର ଦିଅନ୍ତି ହଁଲୋ ରମା ଆମମାନଙ୍କ ବେଳର କଥା କ’ଣ ଆଉ ଅଛି । ଏବର କଥା ସମ୍ପୂର୍ଣ୍ଣ ଭିନ୍ନ । ପିଲାଙ୍କର ମନ ଯେବେ ଚାହିଁବ ସେବେ ସେମାନେ ବାପାମା ହେବେ ନଚେତ୍ ନାହିଁ । ତେଣୁ ସେଥିରେ ଭାବିବାର କିଛି ନାହିଁ । ନାତିନାତୁଣୀ ପାଇଁ ଅପକ୍ଷୋ କରିବାକୁ ହିଁ ପଡିବ । ଚାଳିଶବର୍ଷ ତଳର ଓଡିଆରେ ସ୍ନାତକତ୍ତ୍ୱର ଅଙ୍ଗଦବାବୁ କିନ୍ତୁ ଖୁବ୍ ଖୁସ୍ ମିଜାଜ୍ ବାଲା ଓ ସାହିତ୍ୟ ଅନୁରାଗୀ । ପତ୍ନୀଙ୍କର ଏପରି ବାଣୀ ଶୁଣି ଟିକେ ମୁରୁକି ହସିଦେଇ ଭାବିବସନ୍ତି ସେ ଅନେକ ଉପନ୍ୟାସ, କବିତା, ଗୀତ ଓ ପ୍ରବନ୍ଧରେ ପଢିଛନ୍ତି ମାତୃତ୍ୱ ହିଁ ନାରୀ ଜୀବନର ସର୍ବଶ୍ରେଷ୍ଠ ଅଳଙ୍କାର । ପ୍ରତି ନାରୀର ଅନ୍ତରାତ୍ମା ମାତୃତ୍ୱ ପାଇଁ ଆନ୍ଦୋଳିତ । ମାତୃତ୍ୱର ସାନ୍ନିଧ୍ୟ ପାଇଁ ଗର୍ଭ କଷଣ ରୂପକ ମୃତୁବତ୍ ଯନ୍ତ୍ରଣାକୁ ସେ ସହର୍ଷ ଆଦରିନିଏ । ସମ୍ପର୍କ ଭିତରେ ମା’-ପିଲାର ସମ୍ପର୍କ ସର୍ବୋତ୍କୃଷ୍ଟ । ମା’ ପରି କେହି ହୋଇ ନାହିଁ କିମ୍ବା ହୋଇ ପାରିବ ନାହିଁ । ମା’ର ମମତା ଅମୁଲମୁଲ । ମା’ର ପରଷ ପାରିଜାତ ତୁଲ । ସର୍ବ ସ୍ୱଂହା ସେ, ମାତ୍ର ସନ୍ତାନର ଭୋକ ଆଉ ଦୁଃଖକୁ କେବେ ସହିପାରେନି । ସନ୍ତାନକୁ କୋଳରେଧରି ସ୍ତନ୍ୟପାନ କରେଇବାରେ ତାକୁ ମିଳେ ଅସ୍ଫୁରନ୍ତ ଆନନ୍ଦ । ସନ୍ତାନର ଖୁସି ପାଇଁ ସବୁ ଦୁଃଖକୁ ସେ ଖୁସିରେ ପିଇଯାଏ । ସନ୍ତାନର ମଙ୍ଗଳ କାମନା ତା’ର ଭକ୍ତି ନୈବେଦ୍ୟର ସର୍ବ ପ୍ରଥମ ନିବେଦନ । ତା’ପିଲା ପେଟ ଖାଲି ହେଲେ ତା’ଛାତି ଫାଟି ପଡେ । ତା’ସନ୍ତାନ ତା’ପାଇଁ ଜଗତରେ ସବୁଠୁ ସୁନ୍ଦର । ତା’ଶରୀରରେ ଲାଗିଥିବା ଦାଣ୍ଡର ଧୂଳି ତା’ପଣତକାନୀର ଚନ୍ଦନ । ତା’ପିଲା ତା’କୋଳରେ ଥିଲେ ତା’ର ଆନନ୍ଦ ଅକଳନୀୟ ଆଉ ସଂସାରରେ ନିଜକୁ ମଣେ ସବୁଠାରୁ ଭାଗ୍ୟବତୀ । 
       ମାତ୍ର କେମିତି ଏ ସମୟ ରଙ୍ଗ ବଦଳେଇଲା କେଜାଣି? ମାତୃତ୍ୱର ପରିଭାଷା ଓ ଅଭିବ୍ୟକ୍ତି ଆଜି ସତେଯେମିତି ପରିବର୍ତ୍ତିତ । ବୈବାହୀକ ଜୀବନର ଶାରିରୀକ ଉନ୍ମାଦନାକୁ ସ୍ୱାମୀ-ସ୍ତ୍ରୀ ଭରପୁର ଉପଭୋଗ କରିସାରିବା ପରେ ହିଁ ଉଭୟ ସ୍ଥିର କରୁଛନ୍ତି ମାତୃତ୍ୱ ଓ ପିତୃତ୍ୱର ସମୟ । ଅନେକ ସ୍ଥଳେ ଏହା ସେମାନଙ୍କ ମନ ମୁତାବକ ସମ୍ଭବ ହେଉଥିବା ବେଳେ କେତେକଙ୍କ କ୍ଷେତ୍ରରେ ତାହା ବ୍ୟତିକ୍ରମରେ ପରିଣତ ହେଉଛି । ମାତୃତ୍ୱ ଲାଭର ଛଅମାସ ପରେ ପୁନଶ୍ଚ ନିଜ କର୍ମରେ ଯୋଗ ଦେବା ନାରୀକୁ କରୁଛି ବ୍ୟଥିତ । ତେଣେ ପିଲା ମା’ର କୋଳରୁ ବଞ୍ôଚତ ଘରେ ଧାଇର କୋଳ ବରଣ କରୁଛି ଅବା ଅନ୍ୟ କୋଳରେ ରହିବାକୁ ବାଧ୍ୟ ହେଉଛି । ତିନି ବର୍ଷର ହେଲା ବେଳକୁ ପତି ପତ୍ନୀ ଦୁହେଁ ତାକୁ ନେଇ କେଉଁ ପ୍ଲେସ୍କୁଲରେ ଦାଖିଲା ଦେବା ଛଡା ତାଙ୍କ ପାଖରେ ବିକଳ୍ପ ନାହିଁ । ଏମିତି ବି କେତେକ ସ୍ଥଳେ ନିଜ ଯୌବନର ସ୍ୟୈନ୍ଦର୍ଯ୍ୟକୁ ପ୍ରାଧାନ୍ୟ ଦେଇ ମା’ଆଜି ନିଜ ଶିଶୁକୁ ସ୍ତନ୍ୟପାନରୁ ବଞ୍ôଚତ କରିବାରେ ପଛଉନି । ଶିଶୁଟିର ଶୈଶବର ସର୍ବାଙ୍ଗିନ ବିକାଶ ପାଇଁ ପ୍ରାକୃତିକ ଆବଶ୍ୟକତା ପରିବର୍ତ୍ତେ ଆଜିର ମା’ଭରପୁର ତାକୁ ମନୁଷ୍ୟକୃତ ପରିବେଶର ସାନ୍ନିଧ୍ୟ ଦେବାରେ ପ୍ରୟାସ କରୁଛି । ଆଜିର ନାରୀ ଆଉ ମାତୃତ୍ୱର ସେ ଜନ୍ମ କଷଣକୁ ସହିବାକୁ ସେତେ ପସନ୍ଦ କରୁନାହିଁ । ଶିଶୁ ଜନ୍ମର ନିଦ୍ଧିଷ୍ଟ ଦିନରେ ହିଁ ଡାକ୍ତରଖାନାରେ ସିଜରିଆନ୍ କରାଇ ସହଜରେ ଶିଶୁକୁ ଜନ୍ମ ଦେବାକୁ ଅନେକ ନାରୀ ମଧ୍ୟ ଗ୍ରହଣ କରିନେଉଛନ୍ତି । ସ୍ଥଳ ବିଶେଷରେ ନିଜର କର୍ମକ୍ଷେତ୍ରର ପଦମର୍ଯ୍ୟାଦା, ନିଜର ଚାହିଦାକୁ ବଜାଇ ରଖିବା ପାଇଁ ଅବା ନିଜର ଆକର୍ଷଣରେ ଦାଗ ନଦେବା ପାଇଁ ଅର୍ଥ ବଳରେ ବିଜ୍ଞାନର ବିଭବକୁ ପ୍ରୟୋଗ କରି “ସରୋଗେଟ୍ ମଦର” ପ୍ରକ୍ରିୟାରେ ନିଜ ମାତୃତ୍ୱକୁ ଜାହିର କରୁଛି । ମାତୃତ୍ୱର ସବୁ ସୀମା ଡେଇଁ କେତେକ ମା’ ନିଜ ସନ୍ତାନକୁ ନିଜ ସ୍ୱାର୍ଥ ପାଇଁ ବିକିବାକୁ ମଧ୍ୟ ପଛାଉ ନାହାନ୍ତି ।
      କିନ୍ତୁ ତାଙ୍କ ବେଳର କଥା ଥିଲା ନିଆରା । ବୋହୁ ହେବା ପରେ ସାଧାରଣତଃ ତା’ଜୀବନ କର୍ମକ୍ଷେତ୍ରର ପରିଧି ତା’ ପତିର ଘର ହିଁ ଥିଲା । ପତି ଆଶ୍ଳେଷର ଆସଙ୍ଗରେ ଏକ ଭଲ ବୋହୁର ମର୍ଯ୍ୟାଦାରେ ବଞ୍ôଚବା ପାଇଁ, ପତି ସହିତ ନିଜ ଶାଶୁ ଶଶୁରଙ୍କର ମନ ଭରି ସେବା ଓ ସର୍ବୋତ୍ତମ ଆକାକ୍ଷାଂ ଥିଲା ମାତୃତ୍ୱର ସାନ୍ନିଧ୍ୟ । ଘରର ସମସ୍ତ ସଦସ୍ୟ ତା’ମାତୃତ୍ୱକୁ ଚାତକ ପରି ଚାହିଁ ବସୁଥିଲେ । କେଉଁଦିନ ତାଙ୍କ ଅଗଣାରେ ନୂଆ ସନ୍ତାନଟିଏ ଆସିବ ସମସ୍ତଙ୍କର ଥିଲା ଇଚ୍ଛା । ନାରୀଟି ମଧ୍ୟ ଅତି ଆବେଗପୂର୍ଣ୍ଣ ଭାବରେ ଅପେକ୍ଷା କରିରହୁଥିଲା କେଉଁଦିନ ମଙ୍ଗଳମୟ ତା’କୋଳରେ ସନ୍ତାନଟିଏ ଦେବେ ଓ ତା’ନାରୀ ଜୀବନକୁ ସାର୍ଥକ କରିବେ । ମନେ ମନେ ଭାବି ବସୁଥିଲା ଯେଉଁଦିନ ତା’ପିଲାକୁ କୋଳରେ ଧରି ଅସୁମାରି ଗେଲ କରିବ । ତା’ ଅଝଟ ପଣିଆରେ ତା’ ମାତୃତ୍ୱକୁ ଜାହିର କରିବ । ବାଳୁତ ପଣିଆର ଚଗଲାମି ଘର ଅଗଣାକୁ ଚଳଚଞ୍ଚଳ କରିଦେବ । ଗୁଣ୍ଠୁଣି ହାତୀ ପରି ସେ ଚାଲୁଥିବ, ମୁଁ ତା’ପଛରେ ଗୋଡାଉଥିବି । ଘରର କେଉଁ ଅନ୍ଧିସନ୍ଧିରେ ଲୁଚିଥିବ ମୁଁ ତାକୁ ଖୋଜୁଥିବି । ଜିନିଷ ଭାଙ୍ଗୁଥିବ ମୁଁ ରାଗୁଥିବି । ସେ କାନ୍ଦୁଥିବ, ମୁଁ ତୁନଉ ଥିବି । ସେ ଧୂଳିମଳି ହେଉଥିବ ମୁଁ ପୋଛୁଥିବି । ଏହିପରି ଭାବନା ଛଡା ବୋହୁ ହେବା ପରେ ତା’ପାଖରେ ଆଉ ବିଶେଷ କିଛି ଚିନ୍ତା ନଥିଲା । ଯୌବନର ସ୍ୟୈନ୍ଦର୍ଯ୍ୟ ପାଇଁ ନିଜ ଶିଶୁକୁ ସ୍ତନ୍ୟପାନରୁ ବଞ୍ôଚତ କରିବା କଥା ତା’ସ୍ୱପ୍ନରେ ନଥିଲା । ଗଣ୍ଢାଗଣ୍ଢା ଛୁଆ ଜନ୍ମ କରି ଅଭାବ କଷଣରେ ଥାଇ ମଧ୍ୟ ମା’ନିଜ ଛୁଆକୁ କେବେ ବିକିବାକୁ ଚାହୁଁ ନଥିଲା । ତୁଳନାତ୍ମକ ରାଇଜରେ ପ୍ରବେଶ କରି ଏଦୁଇ କଥା ଭାବିଲା ବେଳକୁ ଅଙ୍ଗଦବାବୁ ବୁଝି ପାରୁନଥିଲେ ଏଦୁହିଁଙ୍କ ଭିତରୁ କିଏ ଭଲ ସେବେଳ-ନା-ଆଜିର ଏବେଳ ।

*******

Odia Article ସେବେଳ ନା ଏବେଳ(୪)

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ସେବେଳ ନା ଏବେଳ(୪) 

      ମାତୃତ୍ୱ ହିଁ ନାରୀ ଜୀବନର ସର୍ବ ଶ୍ରେଷ୍ଠ ଅଳଙ୍କାର ମାତ୍ର ବିହି କେତେକଙ୍କ ଭାଗ୍ୟରେ ମା’ ହେବାର ସୈାଭାଗ୍ୟ ହିଁ ଲେଖିନଥାଏ । କିଏ ସନ୍ତାନ ଜନ୍ମ ଦେଇ ମଧ୍ୟ ଦେବକୀ ଭଳି ସନ୍ତାନ ସ୍ନେହରୁ ହୁଏ ବଞ୍ôଚତ ତ ପୁଣି କିଏ ଯଶୋଦା ଭଳି ଜୀବନର ଉତ୍ତଙ୍ଗ ଉମଙ୍ଗକୁ ଅନୁଭବ କରେ ବାତ୍ସଲ୍ୟ ମମତାରେ । ସନ୍ତାନ ବିନା ଘର ଅଗଣା ଶୁନ୍‌ଶାନ୍‌, ଖାଁ ଖାଁ ଓ ଜୀବନ ବିରସ ହୋଇଉଠେ । ଜୀବ ରୂପେ ଜନ୍ମ ନେଇ ସାଂସାରିକ କର୍ତ୍ତବ୍ୟରୂପେ ପରପିଢୀକୁ ସର୍ଜ୍ଜନା ନକରିପାରିଲେ ଜୀବନର ଅପୂର୍ଣ୍ଣତା ମର୍ମେ ମର୍ମେ ଅନୁଭୁତ ହୁଏ । କେତେକ ବ୍ୟତିକ୍ରମକୁ ବାଦଦେଲେ ପ୍ରତି ନାରୀର ଅନ୍ତରାତ୍ମା ମାତୃତ୍ୱ ପାଇଁ ଆନ୍ଦୋଳିତ । ଗର୍ଭ ସଂଚାରର ପ୍ରଥମ ସନ୍ଦେଶରେ ନାରୀ ହୁଏ ଆତ୍ମହରା । ପରିବାରରେ ଖେଳିଯାଏ ଖୁସିର ଲହରୀ । ଆଗନ୍ତୁକ ଅପେକ୍ଷାରେ ସମସ୍ତେ ହୁଅନ୍ତି ହର୍ଷୋଲ୍ଲସିତ । ଦିନଥିଲା ଯେତେବେଳେ ନାରୀର ଶାରିରୀକ ପରିବର୍ତ୍ତନ ଓ ଲକ୍ଷଣର ପରିସ୍ଫୁଟ ବିନା ଜଣା ପଡୁନଥିଲା ଗର୍ଭସଂଚାରର ପ୍ରମାଣ, ମାତ୍ର ଏବେ ପର ଋତୁସ୍ରାବ ବନ୍ଦ ହୋଇଯିବାର ଏକ ସପ୍ତାହ ପରେ ପରେ ବିଜ୍ଞାନ ବଳରେ ଅନ୍ତଃସତ୍ୱା ହେବାର ପ୍ରମାଣ ହାତ ମୁଠାରେ । 
      ସାହିତ୍ୟିକ ଅବନୀବାବୁ ଚେତନରେ ଏମିତି ଭାବୁଭାବୁ ଆପେଆପେ ଚାଲିଯାଆନ୍ତି ଅବଚେତନ ଅବସ୍ଥାକୁ । ମନେପଡେ ସେତେବେଳେ ପଡୋଶି ବିଶୁଦାଦାଙ୍କ ଘରକୁ ତାଙ୍କର ଖୁବ୍ ଯିବାଆସିବା ଥାଏ । ବୀଣା ଖୁଡି ଗର୍ଭବତୀ ହେବାର ଦୁଇମାସ ପରେ ଦିନେ ସନ୍ଧ୍ୟା ବେଳକୁ ବୀଣା ଖୁଡିଙ୍କ ଶାଶୁ ତାଙ୍କ ବୋଉକୁ ଡାକି କୁହନ୍ତି ମା’ତୁ ଟିକେ ମୋ ବୀଣାକୁ ବୁଝେଇଦେ କେମିତି ଦେହପାର ଯତ୍ନ ନେବ । ବୋଉ ବୀଣା ଖୁଡିକୁ ଗୋଟିଏ ଆଡୁ ବୁଝେଇ ଚାଲେ । ଠିକ୍ ସମୟରେ ଖାଇବୁ । ବାରମ୍ବାର ଓ ଅଳ୍ପ ଅଳ୍ପ ଖାଇବୁ । ତଳୁ ଗରୁ ଜିନିଷ ଉଠିଆ ଉଠି କରିବୁନି । ଘରକାମ ଯେମିତି କରୁଛୁ ସେମିତି ଆରାମରେ କରିବୁ । କୈାଣସି କାମରେ ତରବରିଆ ହେବୁନି । ରାତିରେ ଏକୁଟିଆ ବାହରକୁ ଯିବୁନି । ସଜନା ଶାଗ ଓ ଛୁଇଁ, ମୁଗ, କୋଳଥ ଡାଲି ଟିକେ ଅଧିକ ଅଧିକ ଖାଇବୁ ଓ ସବୁଦିନ ରାତିରେ କ୍ଷୀର ପିଇ ଶୋଇବୁ କାରଣ ସେମାନେ ଶାକାହାରୀ ଥାନ୍ତି । ବୋଉର କଥା ସରୁ ସରୁ ଜେଜେ ମା କୁହନ୍ତି ସବୁଦିନ ସନ୍ଧ୍ୟା ବେଳେ ଅଧ୍ୟାୟ ଲେଖାଏଁ ଭାଗବତ ପଢ, ଗୀତା ଶୁଣୁ  ଯଦି ମନ ହେଉଛି ଝୋଟି ପକା ଇତ୍ୟାଦି । ସାତମାସ ବେଳକୁ ବୀଣା ଖୁଡିିଙ୍କ ବାପଘରୁ ମନସିଜ ଭାର ଆସେ । ତା’ପରେ ତ ପ୍ରାୟ ସବୁଦିନ ସବୁ ବନ୍ଧୁ ବାନ୍ଧବଙ୍କ ଘରୁ ଆସିଥିବା ତାଙ୍କ ଘରେ ଖାଲି ପିଠାପଣାର ଆସର । ଏମିତି ଦଶମାସ ପୁରି ଯାଏ । ସେଦିନ ସମୟ ସନ୍ଧ୍ୟା ସାତ ଘଟିକା । ବୀଣା ଖୁଡି ଜୋରରେ ଚିଲାନ୍ତି । ପଡୋଶୀ ମହିଳା ମାନେ ଦୌଡି ଯାଆନ୍ତି । ସେ ବି ତାଙ୍କ ବୋଉ ସାଙ୍ଗରେ ଦୈାଡନ୍ତି । ବୋଉ ତାଙ୍କୁ ବିରକ୍ତି ହୋଇ ଫେରି ଯିବାକୁ କହେ । ହେଲେ ସେ ଅମାନିଆ ହୋଇ ଦୂରରେ ରହି କେହି ତାଙ୍କୁ ନଦେଖିପାରିଲା ପରି ଦେଖନ୍ତି । ଦୁଇ ଜଣ ମହିଳା ହାତରେ କିଛି ପୁରୁଣା କପଡା ଧରି ବୀଣା ଖୁଡିକୁ ଢିଙ୍କି ପଡିଥିବା ଚାଳିଆକୁ ନେଇ ଯାଆନ୍ତି । ଦାଦା ଯାଇ ଗାଁ ଠାକୁରଙ୍କ କାଟପାଣି ନେଇ ଆସନ୍ତି । ବୀଣା ଖୁଡି ଖୁଣ୍ଟକୁ ଧରି ବହୁ କଷ୍ଟ ପାଉଥାନ୍ତି ଓ କିିଛି ସମୟ ପରେ କୁଆଁ କୁଆଁ ରାବ ଆସେ । କଣ ନା ପୁଅଟେ ହୋଇଛି । ସଙ୍ଗେ ସଙ୍ଗେ ଏନ୍ତୁଡି ଜଳା ହୁଏ । ଖଣ୍ଡେ ମୋଟା ଆମ୍ବକାଠ ଖଣ୍ଡକୁ ଗୋଟିଏ ବଡ ହାଣ୍ଡି ଭିତରେ ନିଆଁ ଲଗାଇ ଥୁଆହୁଏ । ଜେଜେମା ଜନ୍ମ ହୋଇଥିବା ପିଲାଟିକୁ ପ୍ରଥମେ ବୀଣା ଖୁଡିଙ୍କ କୋଳରେ ଦିଅନ୍ତି । ସେ କ୍ଷୀରପିଏ । ତା’ପରେ ଜେଜେମା ତାକୁ ଏନ୍ତୁଡି ନିଆଁରେ ସେକିବା ଆରମ୍ଭ କରିଦିଅନ୍ତି । ଘର ହସ ଖୁସିରେ ଫାଟିପଡେ । ତା’ପର ଦିନ ଦାଣ୍ଡ ଚାଳତଳେ ସିଜୁଗଛର ପତ୍ର ଲଗା ଛୋଟ ଡାଳ ଖଣ୍ଡେ ଆସି ଟଙ୍ଗା ହୁଏ ଯାହାକୁ ଦେଖି ଯୋଗୀ, ଚକୁଳିଆ ପଣ୍ଡା, ଜାନୁଘଣ୍ଟିଆ ଓ ଭିକାରୀ ଆଉ ଭିକ ମାଗନ୍ତି ନାହିଁ ଓ ଜାଣନ୍ତି ତାଙ୍କର ଛୁତିକିଆ । ଷଠିଘର ପର୍ଯ୍ୟନ୍ତ ଶାଶୁ ବୋହୁ ସେହି ଚାଳିଆରେ ରୁହନ୍ତି । ପିଲାର ଖୁବ୍ ତେଲ ମଲିସ ହୋଇଚାଲେ । 
   ଏହି ଭାବନାରେ ବୁଡିଥିବା ସମୟରେ ଡ୍ରଇଙ୍ଗ୍‌ରୁମରୁ ହଠାତ୍ ପଡୋଶୀ ଅନ୍ତର୍ଯ୍ୟାମୀବାବୁଙ୍କ ପତ୍ନୀ ତାଙ୍କ ଘରଣୀଙ୍କୁ ଏକ ବଡ ଶଦ୍ଦରେ କହୁଥାନ୍ତି ଯାଇଁଲ ଅପା, ବୋହୁ ରୀମାର ସିଜରିଆନ୍‌ରେ ଝିଅଟିଏ ହୋଇଛି । ଗର୍ଭରେ ଝିଅଟି କଣ ଅକଳିଆରେ ଥିଲାତ, ତେଣୁ ଡାକ୍ତର ଆଠମାସରେ ସିଜିରିଆନ୍ କରି କାଢିଦେଲେ । ଏବେ ପିଲାଟି ୧୦ ଦିନ ପର୍ଯ୍ୟନ୍ତ ଆଇ.ସି.ୟୁ.ରେ ରହିବ । ହଠାତ୍ ଚଳନ୍ତି ଦୁନିଆକୁ ଫେରିଆସି ଭାବନ୍ତି ଗର୍ଭ ସଂଚାର ପରଠାରୁ ପ୍ରତି ମାସରେ ମେଡିକାଲ ଚେକପ୍ ଓ ଡାକ୍ତରଙ୍କ ପରାମର୍ଶ । ଡାକ୍ତରଙ୍କ କହିବା ଅନୁଯାଇ ଖାଦ୍ୟର ବିବିଧତା । ବୋହୁ କାମ ନକରି ଡାକ୍ତରଙ୍କ ନିର୍ଦ୍ଦେଶ ମୁତାବକ ଛୋଟମୋଟ ବ୍ୟାୟାମ । ମନର ପ୍ରଫୁଲତା ପାଇଁ ଘର ଭିତର ଯାକ କୁନିକୁନି ଛୋଟ ପିଲାମାନଙ୍କର ସୁନ୍ଦର ଫଟୋଚିତ୍ର ଓ ବୋହୁ କୋଳରେ ଧରିବା ପାଇଁ ଛୋଟଛୋଟ ଟେଡି ବିଅର । ଡାକ୍ତରଙ୍କ ପରାମର୍ଶ ମୁତାବକ ଲୌହ ବଟିକା ଓ ଭିଟାମିନର ଯଥୋଚିତ ସେବନ । ଆଠମାସ ଭିତରେ ତିନିଥର ଅଲଟ୍ରାସାଉଣ୍ଡ୍ । ଘରେ ଯତ୍ନର ଅଭାବ ନାହିଁ । ପୁଣି ଏ କି ଦଶା । ଜନ୍ମ ପରେ ଏଠି ପିଲାର ନିଆଁରେ ସେକାସେକି ନାହିଁ  ଓ ତେଲ ମାଲିସ୍‌ର ବାରଣ । ଏମିତି ବି ନିର୍ଦ୍ଦାରିତ ସମୟର ଆଗରୁ ଜନ୍ମ ନେଉଥିବା କେତେକ ପିଲାଙ୍କୁ ନିମୋନିଆ, ଜଣ୍ଡିସ୍ ଓ ଡାଇବେଟିସ୍ ରୋଗ ମଧ୍ୟ ଆକ୍ରାନ୍ତ କରେ । ଜନ୍ମରୁ ଯଦି ଏତେ ରୋଗିଣା ତେବେ ବଡ ବେଳେ ଏମାନେ  କିପରି ହେବେ । ଏମିତି ଅତିତ ଓ ବର୍ତ୍ତମାନ ଭିତରେ ତଫାତ ଖୋଜୁ ଖୋଜୁ ସେ ଆଦ୍ୟୈ ବୁଝିପାରୁନଥାନ୍ତି କିଏ ଭଲ ଥିଲା ସେବେଳ ନା ଅଛି ଆଜିର ଏବେଳ ।

*******

Odia Article ସେବେଳ ନା ଏବେଳ(୩)

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ସେବେଳ ନା ଏବେଳ(୩) 

      ପିଲାବେଳେ ଜେଜେ, ଜେଜେମାଙ୍କ ଠାରୁ ଗପ ଶୁଣିବାକୁ କାହାକୁ ବା ଭଲନଲାଗେ? ରାତିରେ ଶୋଇବାକୁ ଯିବା ପୂର୍ବରୁ ହେଉ, ବୁଢିମା ପାଖରେ ଶୋଇ କରି ହେଉ କିମ୍ବା ସଞ୍ଜବେଳେ ପାଠ ପଢା ସରିଯିବା ପରେ ହେଉ ବୁଢିମା, ବୁଢାବାପାଙ୍କର ଗପର ଆଦର କହିଲେ ନସରେ । ସବୁଦିନ କାନ ସତେକି ଚାତକ ପରି ରହିଥାଏ ସେ ଗପ ଶୁଣିବା ପାଇଁ । ରାଜାରାଣୀ, ଅସୁର ଅସୁରୁଣୀ, ଶୁଆ ସାରୀ, ପରୀ ରାଇଜରଗପ ଅବା ଆଲିବାବା ଚାଲିସ୍‌ଚୋର ଭଳି ଗପ ସେତେବେଳେ ମନକୁ ଦିଏ ଅଭୁତ ଆନନ୍ଦ । ଗପ ଶୂଣିବା ସମୟରେ ମନ ହଜିଯାଏ ସେହି କଳ୍ପନାତିତ କଳ୍ପନାର ଦୁନିଆରେ । ରାଜକନ୍ୟାକୁ ପାଇବା ପାଇଁ ରାଜକୁମାରର ତେରନଇ ସାତଦରିଆ ପାରିହେବା, ଅଗନାଅଗନି ବନସ୍ତକୁ ଅତିକ୍ରମ କରିବା, ରାକ୍ଷସମାନଙ୍କର ମାୟାଜାଲରୁ ଚତୁରତାର ସହ ଖସି ସେମାନଙ୍କୁ ମାରିଦେବା, ଜଉଘୋଡାରେ ବସି ଆକାଶରେ ଉଡିବା ଭଳି ଗଳ୍ପ ଗୁଡିକରେ ଥିବା କଥା ପିଲାବେଳର ସେ କଅଁଳ ଓ ଚଞ୍ଚଳ ମନକୁ ବଶୀଭୁତ କରିବାରେ ସାମର୍ଥ୍ୟ ରଖେ । ବୁଢୀମାର ମୁହଁକୁ ଆବାକ୍ ଭଳି ଚାହିଁ ରହିଥାନ୍ତି ପିଲାମାନେ । ତା’ପରେ କଣ ହେବ? ଅସୁରୁଣିିର ମାୟାଜାଲରୁ କିପରି ରାଜକୁମାର ରକ୍ଷାପାଇବ? ସାତତାଳ ପଙ୍କରେ ଥିବା ପଦ୍ମଫୁଲକୁ କେମିତି ରାଜକୁମାର ଆଣିବ? ବାଟରେ କେଉଁଠି ରାଜକୁମାର ମରିଯିବନି ତ? ଏମିତି ଅନେକ ଆଶା ଆଶଙ୍କା ଆମର ସେ ପିଲାଦିନର ନିଷ୍କପଟ ମନକୁ ସ୍ତମ୍ଭୀଭୁତ କରିପକାଏ । ବେଳେବେଳେ ବୁଢୀମା, ବୁଢାବାପାଙ୍କର ମୂଲ୍ୟବୋଧ ଭିତ୍ତିକ ପୂରାଣର ଗଳ୍ପ ପିଲାବେଳର ସେ ନରମ ମାଟିର ମନକୁ ଏକ ସୁନ୍ଦର ମାନବର ମନ ପ୍ରଦାନ କରିବାରେ ଖୁବ୍ ବଳଶାଳୀ ହୋଇଥାଏ । ଶ୍ରବଣ କୁମାର ନିଜର ଅନ୍ଧ ବାପାମାଙ୍କୁ କାନ୍ଧରେ ଭାର କରି ସେମାନଙ୍କୁ ତୀର୍ଥ ଦର୍ଶନ କରେଇବା, ଏକଲବ୍ୟର ଗୁରୁ ଦକ୍ଷିଣା, ଅବୋଲକରା ଗଳ୍ପ ଅବା ପିତୃୁସତ୍ୟ ପାଳି ରାମଙ୍କ ବନବାସ ଆଦି ଗଲ୍ପ ଜାଣତରେ ଅବା ଅଜାଣତରେ ପିଲାବେଳର ସେ ନିଷ୍ପାପ ମନରେ ଗଭୀର ମୂଲ୍ୟ ବୋଧର ରେଖାପାତ କରେ । ଭବିଷ୍ୟତ ଜୀବନରେ ସେହିଭଳି ଆଦର୍ଶ ହେବାକୁ ସେ ଶାନ୍ତ ସରଳ ମନକୁ ନିଃସନ୍ଦେହ ଘୋର ପ୍ରଭାବିତ କରେ । ଏ ସମସ୍ତ କଥାକୁ ରାଘବ ମଉସା ମର୍ମେମର୍ମେ ଅନୁଭବ କରିଥିଲେ ମଧ୍ୟ ତିନିତିନିଟା ପୁଅଙ୍କର ପାଞ୍ଚଜଣ ନାତିନାତୁଣୀ ଥାଇ ସେ ଏପରି ମହତ୍ ଶିକ୍ଷାର ପ୍ରୟୋଗ କରିବାରେ ଅସମର୍ଥ ।
      ସ୍ତ୍ରୀ ପରପାରିକୁ ଗଲା ପରଠାରୁ ରାଘବ ମଉସା ଆଉ ଗାଁରେ ଏକୁଟିଆ ରହିପାରନ୍ତିନି । ବାଧ୍ୟହୋଇ ରାଉରକେଲାରେ ରହୁଥିବା ସାନପୁଅ ପାଖରେ ରୁହନ୍ତି । ପୁଅ ବୋହୁ ଚାକିରୀଆ । ଗୋଟିଏ ବୋଲି ନାତି । ସେ ପଢୁଥାଏ ସ୍ଟାଣ୍ଡାର୍ଡ ସେଭେନ୍‌ରେ । ତା’ପାଇଁ ଏପରି ପାଠପଢା ରୋଟିନ୍ ହୋଇଥାଏ ଯେ ତାକୁ ସ୍କୁଲ୍ ଆଉ ଟ୍ୟୁସନ୍‌ରୁ ଫୁରୁସତ୍ ହିଁ ନଥାଏ । ସେ ଏକ ଯାନ୍ତ୍ରିକ ମାନବ ପରି ଚଳଚଞ୍ଚଳ ଥାଏ । ଯେତେବେଳେ ବି ରାତିରେ ନାତିର ପାଠପଢା ସରେ ସେ ତାଙ୍କ ପାଖରେ ବସିବାକୁ ବି ଅମଙ୍ଗ । ତା’ବ୍ୟବହାରରେ ମାନବିକ ଆବେଗ ସେ ଆଦୌ ଅନୁଭବ କରିପାରନ୍ତିନି । ପିତାମାତା, ଜେଜେଜେଜେମା, ଗୁରୁଜନ ଓ ଲଘୁଜନଙ୍କ ପ୍ରତି ଯେଉଁ ସ୍ନେହ, ମମତା, ପ୍ରିତି ରହିବା କଥା ସତେଯେପରି ତା’ପାଖରେ ଆଦୌ ନାହିଁ । ମନେମନେ ଭାବନ୍ତି ଏମିତି ହେବନି କେମିତି ଯେ? ଜନ୍ମ ପରଠାରୁ ନା ଜେଜେଜେଜେମାଙ୍କ ପାଖରେ ବସିଲା ନା ଭାଇଭଉଣୀ ପାଖରେ ବସିବାର ସୁଯୋଗ ପାଇଲା । ବାପାମାଙ୍କ ଚାକିରୀଆ ଜୀବନ ତାକୁ ତିନି ବର୍ଷରୁ ହିଁ ପ୍ଲେସ୍କୁଲ୍‌ରବାଟ ଦେଖେଇଲା । ସ୍ନେହମମତା ପାଇଲା କେଉଁଠୁ ଯେ ସ୍ନେହମମତା ଦେବ । ଏମିତି ଘାଣ୍ଟିଚକଟି ହେଉ ହେଉ ହଜି ଯାଆନ୍ତି ନିଜ ପିଲା ଦିନର ସ୍ମୃତିରେ ।  ମନେପଡେ ବାପା, ବଡବାପା, ଦାଦା ଓ ଛଅ ଜଣ ପିଲାଙ୍କୁ ନେଇ ମୋଟ ୧୪ଜଣ ସଦସ୍ୟରେ ତାଙ୍କ ପରିବାରଟି ଥାଏ ପରିପୂର୍ଣ୍ଣ । ବଡବାପା ଘରର ମୂରବୀ ହୋଇଥିଲେବି ଜେଜେ ଜେଜେମାଙ୍କ ଠାରୁ ଉପଦେଶ ନନେଇ କୌଣସି କାମରେ ଆଗାନ୍ତିନି । ସନ୍ଧ୍ୟା ହେଲେ ବଡବୋଉ ଆଉ ଖାସ୍ କରି ବୁଢୀମା ପାଖରେ ଆମେ ସୁନ୍ଦର ପ୍ରାର୍ଥନା ଟିଏ ପଢୁ । ଘର ମାତ୍ର ଦୁଇଘଣ୍ଟା ପାଠ ପଢିବା ପାଇଁ ଟିକେ ନିସ୍ତବ୍ଧ । ୟାରି ଭିତରେ ଜେଜେମା ଜେଜେବାପାଙ୍କୁ ଖୁଡି ଯାଇ ଅଧାଏ ଭାଗବତ ପଢି ଶୁଣାନ୍ତି । ଦିନେ ଦିନେ ଆମେମାନେ ମଧ୍ୟ ଭାଗବତ ଶୁଣିଥାଉ । ରାତି ୧୦ଟାରେ ଖାଇସାରିବା ମାତ୍ରେ ଆମ ୬ଜଣଙ୍କ ଭିତରୁ କିଏ ଯଦି ଶୋଇପଡିଥାଏ, ନଚେତ୍ ଅତିକମରେ ଚାରି ଜଣ ଯାଇ ବୁଢୀମା ବୁଢାବାପାଙ୍କ ଶୋଇବା ଘରେ ହାଜର ଗପ ଶୁଣିବା ପାଇଁ । ଯୌଥ ପରିବାର ଭିତରେ ମିଳିମିଶି ରହିବାର କଳା ଆମେ ଆପେ ଆପେ ଶିଖି ଯାଉଥିଲୁ । ବୁଢୀମାର ଗପରେ ଥିଲା ଚାରିତ୍ରିକ ମୂଲ୍ୟବୋଧ ଓ ଜୀବନ ଜିଇଁବାର କଳା । ଜେଜେଜେଜେମାଙ୍କ ଠାରୁ ପିଲାଦିନେ ଶୁଣିଥିବା ଗପ ତାଙ୍କୁ ଜୀବନରେ କେତେ ଯେ ପ୍ରଭାବିତ କରିଛି ତାହା ଅବର୍ଣ୍ଣନୀୟ ।
      ସ୍ମୃତିର ବେଳା ଭୂମିରୁ ଫେରିଲା ବେଳକୁ ଦେଖନ୍ତି ଆଜି ସେବେଳ ଆଉ ନାହିଁ । ଭୋଗବାଦ ମୁହାଁ ଜୀବନ, ଜଗତୀକରଣ ପ୍ରକ୍ରିୟା ଓ କର୍ମନିଯୁକ୍ତି ଭିତ୍ତିକ ସ୍ଥାନାନ୍ତରଣର ଫନ୍ଦାରେ ଗାଁରେ ଥିବା ବଡବଡ ଯୌଥପରିବାର ଆଜି ଅଣୁ ପରିବାର ଯେଉଁଠି ଜେଜେବାପା ଜେଜେମାଙ୍କ ସ୍ଥାନ ହିଁ ନାହିଁ । ଗପ ଶୁଣିବେ କେଉଁଠୁ । ପିଲାମାନେ ଆଜି ଯୌଥପରିବାରରେ ଏକାଠି ରହି ମିଳାମିଶା ଜୀବନର ସେ ମଧୁରତାକୁ ଅନୁଭବ କରିପାରୁନାହାନ୍ତିି । ତା’ଠାରୁ ବଡ ବିଡମ୍ବନାର ବିଷୟ ଟି.ଭି. କମ୍ପ୍ୟୁଟର୍‌, ମୋବାଇଲ୍ ଓ ଇଣ୍ଟରନେଟ୍‌ର ଆବିର୍ଭାବ ପରଠାରୁ ହାତରେ ଖଣ୍ଡିଏ ଖଣ୍ଡିଏ ସ୍ମାର୍ଟ ମୋବାଇଲ ପଡିଯିବାଠାରୁ ଏକକ ପରିବାର ଆଜି ସମସ୍ତଙ୍କୁ ଏକଲା ଜୀବନ ଅର୍ପଣ କରିସାରିଲାଣି । ପୁଅ ଗୋଟିଏ ଘରେ ମୋବାଇଲ୍‌ରେ ଗେମ୍ ଖେଳୁଥିବା ବେଳେ ମା’ଦୂରଦର୍ଶନରେ ଧାରାବାହିକ ଦେଖିବାରେ ଅବା ମୋବାଇଲରେ କାହା ସହ ଚାଟିଂ କରିବାରେ ବ୍ୟସ୍ତ ତ ବାପାଙ୍କର ଅନ୍ୟ କାହା ସହ ମୋବାଇଲ୍‌ରେ ବାର୍ତ୍ତାଳାପ । ଏହି ସବୁ କଥା ଭାବିବା ବେଳକୁ ତାଙ୍କ ମନ ବହୁ ବ୍ୟଥିତ ହୋଇଉଠେ । ସେ ବୁଝି ପରନ୍ତିନି ୟାଙ୍କ ଭିତରୁ କିଏ ଭଲ ଥିଲା ସେବେଳ ନା ଅଛି ଆଜିର ଏବେଳ । 

*******     

Odia Article ସେବେଳ ନା ଏବେଳ(୨)

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ସେବେଳ ନା ଏବେଳ(୨) 

       ସେଦିନ ଗିରିଧାରୀ ବାବୁ ତାଙ୍କ ପୁଅଠାରୁ ବୁଝି ଜାଣିବାକୁ ପାଆନ୍ତି ଯେଉଁ ସ୍କୁଲରେ ନାତିର ନାମ ଲେଖା ହେବ ସ୍କୁଲଟିରେ ପ୍ରଥମେ ନାତିର ଗୋଟିଏ ପରୀକ୍ଷା ଏବଂ ତାଙ୍କ ପୁଅବୋହୁଙ୍କର ଗୋଟିଏ ସାକ୍ଷାତକାର ହେବ । ଯଦି ସେଥିରେ ଉଭୟ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ନାତିର ଦାଖିଲା ସମ୍ଭବ ନଚେତ୍ ନାହିଁ । ଗିରିଧାରୀବାବୁଙ୍କ ମନରେ ଟିକେ ଉତ୍କଣ୍ଠା ବଢିଯାଏ । ସେ ପୁଅକୁ କହି ନାତିର ଆଡମିଶନ୍ ପରିକ୍ଷା ଦିନ ପୁଅବୋହୁ ନାତିଙ୍କ ସହିତ ସ୍କୁଲକୁ ଯାଆନ୍ତି । ବିଦ୍ୟାଳୟ ପରିବେଶ ଥାଏ ଅତ୍ୟନ୍ତ ମନୋରମ । ବିଦ୍ୟାଳୟ ବଗିଚାର ପରିବେଶ ଦେଖି ଗିରିଧାରୀ ବାବୁ ଭାବୁଥାନ୍ତି, ଗଛଗୁଡିକୁ ସେମାନଙ୍କ ନିଜ ଇଚ୍ଛାରେ ବଢିବାକୁ ନଦେଇ ଏ ମାନବ ନିଜର ମନ ଅନୁସାରେ ସେମାନଙ୍କୁ କାଟିକୁଟି ଏକ ଯାନ୍ତ୍ରିକ ପ୍ରାକୃତିକ ପରିବେଶ ସୃଷ୍ଟି କରିଛି । ପହଞ୍ଚନ୍ତି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଅଫିସ୍‌ରେ । ପ୍ରଧାନ ଶିକ୍ଷକଙ୍କ ଅଫିସ୍‌ର ଚାକଚକ୍ୟ ମଧ୍ୟ ଖୁବ୍ ସୁନ୍ଦର ଥାଏ । ସେମାନେ ନମସ୍କାରଟିଏ ପକାଇ ତାଙ୍କ ଟେବୁଲ ସମ୍ମୁଖରେ ପଡିଥିବା ସୋଫା ଉପରେ ବସିପଡନ୍ତି । ଯଥୋଚିତ ଆନୁଗତ୍ୟ ପ୍ରଦର୍ଶନ ପରେ ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶ ମତେ ଅନ୍ୟ ଜଣେ ଶିକ୍ଷକ ଆସି ନାତି ଟୋକାକୁ ଗୋଟିଏ ପ୍ରଶ୍ନ କାଗଜ ଧରେଇ ଦେଇ ତାକୁ ଅନ୍ୟ ଏକ ଚୈାକି ଉପରେ ବସାଇ ଉତ୍ତର ଲେଖିବାକୁ କୁହନ୍ତି । ଗିରିଧାରୀବାବୁ ଅନୁଭବ କରନ୍ତି ତାଙ୍କ ପୁଅ ଭଳି ତାଙ୍କ ନାତିର ସେ ବେଳର ସେ ଭୟ ନଥାଏ । ସେ ଉତ୍ତର କରିସାରି ଖାତା ଦେଇ ଦିଏ । ନାତି ଟୋକର ଉତ୍ତର ଖାତା ଦେଖି ସାରିବା ପରେ ପ୍ରଧାନ ଶିକ୍ଷକ ତାଙ୍କ ପୁଅବୋହୁଙ୍କୁ ସେମାନଙ୍କର ଯୋଗ୍ୟତା ବିଷୟରେ ପଚାରନ୍ତି । କୁହନ୍ତି ପୁଅକୁ ଘରପାଠ ଯାହା ଦିଆଯିବ ପୁଅ ତାହା କଲା ନା ନାହିଁ ସେ ସବୁ ଆପଣଙ୍କର ଦାୟୀତ୍ୱ । ସଙ୍ଗେ ସଙ୍ଗେ ନାତିର ଆଡମିଶନ୍ ବି ହୋଇଯାଏ । ତା’ ପରେ ସେମାନେ ପ୍ରଧାନ ଶିକ୍ଷକଙ୍କଠାରୁ ମେଲାଣି ନେଇ ମନ ଖୁସିରେ ଘରକୁ ଫେରନ୍ତି । ଗିରିଧାରୀବାବୁ କିନ୍ତୁ ବଡ ବିସ୍ମିତ । ପ୍ରଥମ କରି ପିଲାଟି  ବିଦ୍ୟାଳୟକୁ ଯାଇଛି ହେଲେ ପ୍ରଧାନ ଶିକ୍ଷକ କେବଳ ଆରମ୍ଭରୁ ଖାଲି ପଚାରିଥିଲେ ‘ହ୍ୱାଟ ଇଜ୍ ଇଓର ନେମ୍‌’ ଓ ଶେଷରେ କହିଲେ ତୁମେ ଏଥର ସବୁଦିନ ବିଦ୍ୟାଳୟକୁ ଆସିବ । ଏ କି କଥା । ଏ କଣ ଗୁରୁ-ଶିଷ୍ୟ ହୃଦୟ ସର୍ମ୍ପକର କଥା । ମୋତେ ଯାହା ଜଣାପଡୁଛି କଟା ଯାଇ ସୁନ୍ଦର ଦିଶୁଥିବା ବଗିଚାର ଗଛଗୁଡିକ ପରି ନାତିଟୋକାର ଭବିଷ୍ୟତ । ଗାଡି ଭିତରେ ବସିବା ବେଳେ ଗିରିଧାରୀବାବୁ ଏମିତି ଭାବୁ ଭାବୁ ଅବଚେତନ ମନରେ ହଜିଯାଆନ୍ତି ନିଜର ପିଲାଦିନର ସ୍ମୁତିକୁ ।
     ଶ୍ରୀପଞ୍ଚମୀ ପୂର୍ବଦିନ ବାପା ହାଟରୁ ଗୋଟିଏ ମାଟି ସିଲଟ, ଦୁଦୁଖଡି, ସାନଭାଇ ଓ ମୋ ପାଇଁ ନୂଆ ସାର୍ଟ ଓ ପ୍ୟାଣ୍ଟ କିଣିକି ଆଣିଥାନ୍ତି କାରଣ ସାନ ଭାଇର ସେଦିନ ଖଡି ଅନୁକୂଳ ଥାଏ । ଶ୍ରୀପଞ୍ଚମୀ ଦିନ ୧୦ଟା ବେଳକୁ ଆମଦୁହିଁଙ୍କୁ ଗାଧୋଇପାଧୋଇ ନୂଆ ସାର୍ଟପ୍ୟାଣ୍ଟ ପିନ୍ଧାଇ ମୋ ବୋଉ ଆମକୁ ପ୍ରସ୍‌ୁତ କରିଦିଏ । ବାପା ମଧ୍ୟ ଅନୁରୂପ ନିତ୍ୟକର୍ମସାରି ଧଳା ଧୋତିଟିଏ ପିନ୍ଧି କାନ୍ଧରେ ବାନ୍ଧ ଗାମୁଛାଟିଏ ପକେଇ ଆମକୁ ନେଇ ସ୍କୁଲ ଚାଲନ୍ତି । ସେତେବେଳକୁ ପୂଜା ଆରମ୍ଭ ପ୍ରାୟ । ଆମେ ବିଦ୍ୟାଳୟ ହତା ଭିତରେ ପସିଲା ବେଳକୁ ବଳରାମ ସାର୍‌ଙ୍କ ନଜର ଆମ ଉପରେ ପଡେ । ବାପା ଓଳଗି ହୁଅନ୍ତି ଓ ଆମେ ସାର୍‌ଙ୍କ ପାଦଛୁଇଁ ପ୍ରଣାମ କରୁ । ମୋ ସାନଭାଇ ଭୟ ଓ ଲାଜରେ ଯେତେବେଳେ ଯାଉଥାଏ ବଳରାମ ସାର୍ ଚୌକୁରୁ ଉଠିପଡି ମୋ ସାନଭାଇ ଆଗରେ ବସି ପଡନ୍ତି । କୁହନ୍ତି ସୁନା ପିଲା, ଆଉ ତୋ ନାଁ କଣ ବାପା । ମୋ ସାନଭାଇ ପ୍ରତି ସାର୍‌ଙ୍କ ସେ ସ୍ନେହ ଓ ଆଦର ବୋଳା କଥାରେ ମୋ ସାନଭାଇ ଟିକେ ଆଶ୍ୱସ୍ତି ମଣେ ଓ ଉତ୍ତର ଦିଏ ବିଶ୍ୱନାଥ । ବଢିଆ ନାଁ ।  ସାର୍ ନିଜେ ତା’ହାତ ଧରି ନିଜ ଚଉକି ପାଖକୁ ନେଇ ଯାଆନ୍ତି ଆଉ ତାକୁ କୁହନ୍ତି ଆଜି ତୁମର ପାଠ ଅନୁକୂଳ ହେବ । ଆଜି ସରସ୍ୱତୀ ମାଙ୍କୁ ମୁଣ୍ଡିଆମାରି କହିବୁ ମା’ ମୋତେ ବହୁତ ପାଠ ଦିଅ । ମୁଁ ପାଖରେ ଛିଡା ହୋଇ ଦେଖୁଥାଏ ମୋ ସାର୍‌ଙ୍କ ଭଲପାଇବାକୁ । ମୋ ନିଜ ବାପା ମାଙ୍କ ପରି ଆଦର ସ୍ନେହ ମୋ ସାନଭାଇର ବିଦ୍ୟାଳୟ ଆସିବାର ଭୟକୁ ସମ୍ପୂର୍ଣ୍ଣ ଦୂର କରିଦିଏ । ସେଦିନ ଖଡି ଅନୁକୂଳ ଯଥାରୀତି ଆରମ୍ଭ ହୁଏ । ସାର୍ ମାଟିସିଲଟରେ ତିନୋଟି ମୁଣ୍ଡୁଳା ବୁଲାଇ ସାନ ଭାଇର ହାତଧରି ଲେଖାଇ କୁହନ୍ତି ବ୍ରହ୍ମା.., ବିଷ୍ଣୁ.., ମହେଶ୍ୱର...,ା  ସେହିଦିନଠାରୁ ମୋ ଭାଇ ପିଠିରେ ବହିବସ୍ତାନି ଲଦା ହେବା ଆରମ୍ଭ ହୁଏ । ବିଦ୍ୟାଳୟର ଚାରିକାନ୍ଥ ଓ ଗଛଲତାର ଗହଳ ପରିବେଶ ଭିତରେ ସେ ମୋରି ଭଳି ଆଗକୁ ଆଗକୁ ମାଡି ଚାଲେ ।
     ମାତ୍ର ସେ ସମୟ କେତେ ଯଲଦି ବଦଳିଗଲା ଜାଣି ହେଉନି । ନାତିକୁ ତିନିବର୍ଷ ନପୁରୁଣୁ ଓ ଖଡି ଅନୁକୂଳ ପୂର୍ବରୁ ତା’ ମା’ ଓ ବାପା ତାକୁ କାନ୍ଧରେ ପକାଇ କେତେ କଣ ଘୋଷେଇଦେଇଛନ୍ତି । ତିନି ବର୍ଷ ପୁରା ବେଳକୁ ପ୍ରାୟ ଅଢେଇଶହ ଇଂରାଜୀ ଶଦ୍ଦର ଅର୍ଥ କହିପାରୁଥିଲା ସେ । ସେବେଳ ଭଳି ଖଡି ଅନୁକୂଳର ପରମ୍ପରା ଆଉ ନାହିଁ କହିଲେ ଚଳେ । ପୁଅ ବୋହୁ ଏ ସରକାରୀ ବିଦ୍ୟାଳୟରେ ପୁଅକୁ ପଢାଇବାକୁ ନାପସନ୍ଦ କରି ତା’ର ଆଜି ଏ ଇଂରାଜୀ ମିଡିୟମ ସ୍କୁଲରେ ଦାଖିଲା ।
     ଅବଚେତନ ମନରୁ ବାହାରି ଆସିଲା ବେଳକୁ ସେ କିନ୍ତୁ ବୁଝି ପାରୁନଥାନ୍ତି ସେବେଳର ସେ ଖଡିଅନୁକୂଳ ଭିତରେ ପ୍ରକାଶ ପାଉଥିବା ଶିକ୍ଷକଙ୍କ ଛାତ୍ର ପ୍ରତି ସ୍ନେହ ପ୍ରିତୀ ଭରା ଆବେଗିକ ସମ୍ପର୍କ ନା ଏ ବେଳର ଶିଶୁ ଦାଖିଲାର ପରୀକ୍ଷା ଓ ପିତାମାତାଙ୍କର ସାକ୍ଷାତକାର ଏମାନଙ୍କ ଭିତରୁ କିଏ ଭଲ । କେଉଁ ବେଳରେ ଶିଶୁ ଭଲ ମଣିଷଟିଏ ହେବା ପାଇଁ ମାନବୀୟ ମୂଲ୍ୟବୋଧର ଆଧାର ଲୁକାୟିତ । ସତରେ କିଏ ଭଲ ଥିଲା ସେବେଳ ନା ଅଛି ଆଜିର ଏବେଳ । 

*******

Odia article ସେବେଳ ନା ଏବେଳ(୧)

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ସେବେଳ ନା ଏବେଳ(୧) 

       ଜୀବନରେ ସବୁକଥା ମନେ ରହେ ନାହିଁ । ହେଲେ କିଛି କଥା ଭୂଲି ବି ହୁଏନି । ମନ ଭିତରେ କେତେକ ଘଟଣା ଏପରି ଛାପ ଛାଡିଯାଏ ଯେ ତାହା ଚିରଦିନ ପାଇଁ ସେମିତି ମନେ ରହିଥାଏ । ବିତାହୁଆ କେତେକ ପରିସ୍ଥିତି ଜୀବନକୁ ଆନ୍ଦୋଳିତ କରେ । ସେଦିନ ଆଉ ଏଦିନ ମଧ୍ୟରେ ଫରକ୍ ଟି ମନକୁ ଅସଜଡା କରିଦିଏ । ବେଳେବେଳେ ବୁଝିହୁଏନି ସେବେଳ ଭଲ ଥିଲା ନା ଆଜିର ଏବେଳ । 
      ପରକଥାରେ ରଙ୍ଗ ଦେଇ ଳେଖିଲେ ଭଲଲାଗେ ସତ ହେଲେ ନିଜ କଥାକୁ କାଳ୍ପନିକ ଚରିତ୍ର ମାଧ୍ୟମରେ କଲମରେ ଛାପିଲା ବେଳକୁ ଆତ୍ମା କଲମକୁ ଓହ୍ଲେଇ ଆସେ । ଆଉ ଆତ୍ମୀକ ପରିପ୍ରକାଶ ଅନ୍ୟ ଆତ୍ମାକୁ ଅଚିରେ ଆଲୀଙ୍ଗନ କରେ । ନେଇ ଚାଲେ ଝାପସା ଝାପସା ଜଣା ପଡୁଥିବା ସେ ନିଜର ବିତିଥିବା ଦିନମାନଙ୍କୁ । ମନେପଡେ ପିଲାଦିନର ଖେଳ । ଦାଣ୍ଡଧୂଳୀର ବାସ୍ନା, ଷଢେଇରେ ମାଟି ତାଡି ଚୁଲି ଆଉ ଘର କରିବାର ସେ ଅଭୁଲା ଶିଳ୍ପୀଚାତୁରୀ, କଙ୍କି ଆଉ ପ୍ରଜାପତି ଧରିବାର ସେ ଅସ୍ଫୁରନ୍ତ ଆନନ୍ଦ । ମା’ଠାରୁ ଶୁଣି ମନରେ ବାବନା ଭୁତର ଭୟ । ଖେଳରେ ଅନ୍ୟଠୁ ନିଜକୁ ଲୁଚେଇରଖିବାର ପ୍ରୟାସରେ ସେ ଘରର କବାଟକଣ, ଖଟତଳ, ମନ୍ଦୁରା ମଷିଣା ଘୋଡଣୀ ଅବା କଦଳୀ ଗଛର ମୂଳ ସବୁକିଛି ସେବେଳର ଜୀବନ ସର୍ବସ୍ୱ । ଜଡରେ ଜୀବନର ଉପସ୍ଥିତି ଅନୁଭବ କରେ ସେ ପିଲାବେଳ । କଣ୍ଡେଇକୁ ନିଜର ଜୀବନ୍ତ ପିଲା ବୋଲି ବିଚାରେ ସେ ନିଷ୍ପାପ ମନ । 
      ସେଦିନ ବନାରୀ ମଉସା ରବିବାର ଖବରକାଗଜରେ ‘ପିଲାଦିନ’ ଶୀର୍ଷକ କବିତାଟିଏ ପଢୁପଢୁ ହଜିଯାଆନ୍ତି ନିଜେ ସାକ୍ଷୀ ଥିବା ପିଲାଖେଳର ଏକ ଅଭୁଲା ସ୍ମୃତିରେ । ସେ ମୋଟା ମୋଟା ମାଟିକାନ୍ଥର ଦାଣ୍ଡ ଘରେ କିଶୁ ଆଉ ତା’ର ଦୁଇଜଣ ସାଙ୍ଗ ରୀତି ଓ ସୁକାର ଉପସ୍ଥିତି ସେ ଘରକୁ କୋଳାହଳମୟ କରିଦେଇଥାଏ । ବୟସ ସମସ୍ତଙ୍କର ସେହି ତିନି ବର୍ଷ ପାଖାପାଖି । କିଶୁ ହାତରେ ଥାଏ ଅତି ନିଜର ତା’ଝିଅ କଣ୍ଡେଇ ଟିଏ । କଣ୍ଡେଇଟିକୁ କୋଳରେ କିଶୁ ଶୋଇଦେଇ ଧୋରେ ବାଇଆ ଧୋ ନାନାବାୟା ଗୀତକୁ ମା’ଠାରୁ ମନେରଖି ଗାଇବାରେ ଲାଗିଥାଏ । ରୀତି ଓ ସୁକା ତାକୁ ଘେରି ବସିଥାନ୍ତି । ହଠାତ୍ ସୁକା କହେ ଆରେ କିଶୁ ଚାଲେ ବାପାବୋଉ ଖେଳ ଖେଳିବା । ରୀତି ବି ସାଙ୍ଗେ ସାଙ୍ଗେ ତା’କଥାରେ ହଁ ମିଶାଇ ତିନିଜଣ ନଥ୍ କିନା ବସି ପଡନ୍ତି ସେଇ ଘର ମାଟି ଚଟାଣ ଉପରେ । କିଶୁ, ସୁକାଠାରୁ ଟିକେ ଚେହେରାରେ ବଡ ଦିଶୁଥାଏ । ସୁକା, କିଶୁକୁ କହେ ତୁ ବାପା, ରୀତି ବୋଉ ଆଉ ତୋ କଣ୍ଡେଇଟି ତୁମ ଦିଜଣଙ୍କର ଝିଅ । କିଶୁ ପଚାରେ ତୁ କଣ ହେବୁ । ସୁକା ଉତ୍ତର ଦିଏ ମୁଁ ତୋ ସାନଭାଇ । ରୀତି ମୋର ନୂଆବୋଉ । ଆଉ କାହାକୁ ଫୁରସତ କାହିଁ? ସୁକାର ନାକରୁ ଅଳ୍ପ ଟିକେଟିକେ ବସଣୀ ବୋହୁଥାଏ । କିଶୁର ବି ସେଇ ଦଶା ହେଲେ ରୀତିଟି ପୁରା ସଫା ସାର୍ଟଟିଏ ପିନ୍ଧି ଭାରୀ ସୁନ୍ଦର ଦେଖାଯାଉଥାଏ । କିଶୁ ସଙ୍ଗେସଙ୍ଗେ ଘର ଭିତରୁ ବାପାଙ୍କର ଗୋଟିଏ ଗାମୁଛା ଓ ଦୁଇଟି ହଳୁଆପାଞ୍ଚଣ ନେଇ ଆସେ । ଦାଣ୍ଡଘର କଣରେ ପାଞ୍ଚଣର ଢେର ଦେଇ ଦୁଇଜଣ ଲାଗିଯଆନ୍ତି ଗାମୁଛା ଘେରରେ ଘରଟିଏ କରିବା ପାଇଁ । ତେଣେ ରୀତି ସେହି ଘରବାହାରେ ଷଢେଇ ଆଣି ଚୁଲି ପାରିବାରେ ଲାଗିପଡେ । ତାପରେ ତାଙ୍କ ଝିଅ ଶୋଇବା ପାଇଁ ମସିଣା ଖୋଜାଯାଏ । ଖୋଜୁ ଖୋଜୁ ଘରୁ ମିଳିଯାଏ ଗୋଟେ ଛିଣ୍ଡା କନା । ବାଃ, ଆଉ କଣ ଦରକାର । ରୀତି ଝିଅକୁ ନେଇ ଛିଣ୍ଡା କନାର ମସିଣା ଉପରେ ଶୋଇଦିଏ । ସୁକା ଚାଲେ କାଠ ଆଣିବାକୁ ଆଉ କିଶୁ ଯାଏ ବିଲ କାମରେ । ଏଣେ ରୀତି ଷଢେଇର ଚୁଲି ଉପରେ ରାନ୍ଧିବାକୁ ବସିପଡେ । କିଛି ସମୟ ପରେ କିଶୁ ଓ ସୁକା କାମରୁ ଫେରି ବଡ ଲୋକଭଳି ଥକାମାରି ବସିବାର ଅଭିନୟ କରୁଥାନ୍ତି । ରୀତି ସଙ୍ଗେ ସଙ୍ଗେ ପାଣି ଆଣି ତାଙ୍କୁ ପିଇବାକୁ ଦିିଏ । ଠିକ୍ ଏହି ସମୟରେ କେଜାଣି କାହିଁକି ରୀତି ଦୌଡିଯାଇ କଣ୍ଢେଇଟିକୁ ଉଠାଇ ଆଣି ଗେଲ କରିବାରେ ଲାଗିପଡେ । ମୋ ମା’ଟା କିଛି ଖାଇନି ଲୋ । ସେମିତି ସକାଳ ପହରୁ ଶୋଇଛି ଯେ ଶୋଇଛି । କାନ୍ଦ ନାହିଁ କି ବୋବା ନାହିଁ । ବାଡିପୋଷା ବିରାଡିଟି ଡେଇଁପଡିବାରୁ ମୋ ସୁନାର ନିଦ ଭାଙ୍ଗିଗଲା ।  କିଶୁ ଆଉ ସୁକା ଦୁଇଜଣ ରୀତିର ସେ ପ୍ରିତୀବୋଳା କଥାରେ ହଜିଯାଇ ବାପା ଓ ଦାଦା ହେବାର ମୁହୁର୍ତ୍ତକୁ ଅନୁଭବ କରୁଥାନ୍ତି । କି ଆବେଗଭରା ସେ ଦୃଶ୍ୟ ।  
      ଏମିତି ଅବଚେତନ ମନଭିତରୁ ବନାରୀମଉସା ବାହାରି ଆସିବା ପୂର୍ବରୁ ଏକ ବ୍ୟଗ୍ରତାର ଶଦ୍ଦ ମନକୁ ବିଚ୍ୟୁତ କରିଦିଏ । ଯାଇଁଲେ ବନାରୀବାବୁ ସକାଳୁ ଖବର କାଗଜରେ ପଢିଥିଲି ମୋବାଇଲ୍‌ରେ ବ୍ଲହ୍ୱେଲ୍ ଖେଳ ଖେଳି ବାରବର୍ଷ ବାଳକର ଆତ୍ମ ହତ୍ୟା ପୁଣି ଏବେ ଶୁଣିଲି ମୋର ସେ ସାଙ୍ଗ ଶ୍ୟାମପଦ ନାତିର ବୟସ ମାତ୍ର ଆଠବର୍ଷ, ହେଲେ ସବୁବେଳେ ସେ ମୋବାଇଲ୍ ଓ କମ୍ପୁଟରରେ ଗେମ୍ ଖେଳିଖେଳି ତା’ର ଆଖିରେ ଆଜି ଜଣେ ପଚାଶବର୍ଷ ବୟସ ପାଇଁ ଯେଉଁ ପାୱାର ଚଷମା ଦରକାର ସେହି ଚଷମା ସେ ଲଗେଇବାକୁ ଡାକ୍ତର ତାକୁ ପରାମର୍ଶ ଦେଇଛନ୍ତି । ଏକଥା ଶୁଣି ବନାରୀ ମଉସା ଭାବି ବସନ୍ତି ବାସ୍ତବରେ ଆଜିର ଏବେଳ ପୁରାପୂରି ବଦଳି ଗଲାଣି । ମାଟିର ସେ ମୋଟା କାନ୍ଥ ଥିବା ଘର ଆଉ ନାହିଁ କି ଯୈାଥପରିବାର ନାହିଁ । ପିଲାମାନଙ୍କ ଭିତରେ ସେପରି ଖେଳ ବି ଆଉ ଦେଖାଯାଉନି । ମୋବାଇଲ୍ ଗେମ୍‌, ଦୂରଦର୍ଶନ ଓ କମ୍ପୁଟର୍‌ରେ ଗେମ୍ ଖେଳିଖେଳି ସେମାନେ ଅବାସ୍ତବ ଦୁନିଆରେ ବୁଡିରହି ଜୀବନର ଆବଶ୍ୟକ ସେ ପ୍ରେମ ପ୍ରିତୀଭରା ହୃଦୟଠୁ ଦୂରେଇ ଯିବା ସହିତ ଅନେକ କିଛି ହରାଉଛନ୍ତି । ଏ ଦୁଇଟି ବେଳ ଭିତରେ ତୁଳନା କଲେ ବେଳେବେଳେ ବୁଝି ହେଉନିି ସତରେ କିଏ ଭଲ ଥିଲା ସେବେଳ ନା ଅଛି ଆଜିର ଏବେଳ ।
*******

Odia Article ଭାରତରେ ଭୂତ

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ଭାରତରେ ଭୂତ

   ଦିନଥିଲା ଭୂତଥିଲେ ଗାଁ ମୁଣ୍ଡ ବରଗଛ, ଓସ୍ତଗଛ ଅବା ସାହାଡାଗଛରେ । ଶ୍ମଶାନରେଥିବା ବର ଅବା କେନ୍ଦୁ ଗଛରେ । ମଲା ମୁର୍ତିକାରେ ଦଶଦିନ ଧରି ଦିଆଯାଇଥିବା ହାଣ୍ଡି ପାଖରେ ଅବା ଖରାଦିନର ସେ ଶୁନ୍‌ଶାନ୍ ଉଦୁଉଦିଆ ଦ୍ୱିପ୍ରହରର ଆମ୍ବ ତୋଟାରେ । ନିଜ ପିଲାକୁ ଶୋଇବା ପାଇଁ ମା’ କହୁଥିବା କଥାରେ ଅବା ବୁଢୀ ମା’ର କାହାଣୀରେ । ଦିନେ ହେଲେ ଆଖିରେ ନଦେଖି ମଧ୍ୟ ମା’, ଜେଜେମା ଓ ଅନ୍ୟାନ ଗୁରୁଜନ ମାନଙ୍କ ମୁହଁରୁ ଭୂତର କଥା ଟାଣି ନେଉଥିଲା ଏକ ଅଜଣା ଭୟାଚ୍ଛନ୍ନ ଦୁନିଆକୁ । ବୁଢୀମାର କାହାଣୀରେ ଭୂତର ରୂପ ବର୍ଣ୍ଣନା ଭୂତ ପ୍ରତିଥିବା ଭୟକୁ ବହୁଗୁଣିତ କରି ଦେଉଥିଲା । ବଡବଡ ଦାନ୍ତ, ଲମ୍ବାଲମ୍ବା ନଖ, ଝାମ୍ପୁଲାଝାମ୍ପୁଲା ଚୁଟି, କଳାମଚମଚ ଶରୀର ଇତ୍ୟାଦି ଇତ୍ୟାଦି.. ସେ ବାଳୁତ ପଣିଆକୁ କରାଗ୍ରତ କରିବାପାଇଁ ଥିଲା ଯଥେଷ୍ଟ । ମା’ପାଇଁ ଥିଲା ଭୂତ ଶଦ୍ଦଟି ଏକ ଅମୋଘ ଅସ୍ତ୍ର ସଦୃଶ । ପିଲା ନିଦରେ ନଶୋଇ ମା’ କୋଳରେ ଅଝଟ ହେଲାବେଳେ ମା’ କହୁଥିଲା ଆଖିମୁଦି ଶୋଇପଡ ନହେଲେ ଭୂତ ଆସିବ । ମା’ ମୁହଁରୁ ଭୂତ କଥା ଶୁଣି ଭୟରେ ଆଖି ନିଦେଇ ଯାଉଥିଲା । ମା’ ଖୋଉଥିବା ବେଳେ ଆଗ୍ରହରେ ଖାଦ୍ୟ ନଖାଉଥିଲେ ମା’ କହୁଥିଲା ବେଗେବେଗେ ଖାଇଦେ ନହେଲେ ଭୁତ ଆସି ସବୁ ଖାଇଯିବ । ଭୁତ ଖାଇଦେବ ଶୁଣି ତରତରରେ ଖାଦ୍ୟ ବି ଖାଇ ହୋଇଯାଉଥିଲା । ଟିକେ ବଡ ହେଲା ପରେ ସାଥୀ ମେଳରେ ଗାଁ ମୁଣ୍ଡକୁ ଉଦୁଉଦିଆ ଦ୍ୱିପ୍ରହରରେ ଯିବାକୁ ମା’, ବାପା, ଜେଜେ, ଜେଜେମା ଆଦି ସମସ୍ତେ ବାରଣ କରୁଥିଲେ । ସତ କହିବାକୁ ଗଲେ ସେତେବେଳେ ଭାରତର ପ୍ରତ୍ୟେକ ଗ୍ରାମ୍ୟ ଜୀବନରେ ଏଭଳି ଅନ୍ଧ ବିଶ୍ୱାସରେ ଭୂତ ଥିଲେ । ମାତ୍ର ଏବେ ସମୟ ବଦଳି ଗଲାଣି । କେତେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଛାଡିଦେଲେ, ଦେଶର ଗ୍ରାମ୍ୟ ଜୀବନ ଆଜି କାହିଁ କେତେ ଆଗକୁ ମାଡି ଚାଲିଲାଣି । ଗାଁ ମୁଣ୍ଡରେ ଆଉ ବଡବଡ ବରଗଛ,  ଓସ୍ତଗଛ,  କଇଁଆଗଛ କି ସାହାଡାଗଛ ନାହିଁ । ଗାଁ ଶ୍ମଶାନରେ ସରକାରଙ୍କ ଦ୍ୱାରା ଗୋଡି ସିମେଣ୍ଟରେ ନିର୍ମିତ ମୁଣ୍ଡ ଟେକି ଠିଆ ହୋଇଛି ଶେଷ ଶଯ୍ୟା । ଶିକ୍ଷା ଆଜି ଜନମାନସରୁ ସେ ଭଳି ଅନ୍ଧବିଶ୍ୱାସର ଭୂତକୁ ଅନେକାଂଶରେ ଦ୍ୱରକୁ ଭଗେଇ ସାରିଲାଣି । ଶିକ୍ଷିତ ମା’ ଆଜି ତା’ର ଶିଶୁକୁ ଖୋଇବା ଓ ଶୋଇଦେବା ପାଇଁ ଭୂତ ଭୟ ଦେଖାଇବା ପରିବର୍ତ୍ତେ ଶୁଣେଇ ଦେଉଛି ମୋବାଇଲରେ ସୁନ୍ଦର ଗୀତ ଅବା ଦେଖାଇ ଦେଉଛି ମନଛୁଆଁ କାର୍ଟୁନ ସୋ । ମାତ୍ର ଏହାର ଅନ୍ତରାଳରେ, ବାସ୍ତବରେ ସ୍ଥିତି ନଥିବା ସେଭଳି ଅନ୍ଧବିଶ୍ୱାସର ଭୂତ ସତେଯେମିତି ଆଜିର ଭାରତର ଶିକ୍ଷିତ ଓ ସଭ୍ୟ ସମାଜରେ ବହୁବିଧ ରୂପାନ୍ତରିତ । କେତେ ପ୍ରକାର ଭୁତ ଯେ ଖବର କାଗଜ ପୃଷ୍ଠା ମଣ୍ଡନ କରୁଛି ତାହା ବଡ ବିସ୍ମୟ । ଭୁତ କମ୍ପାନୀ, ଭୂତ ଏନ୍‌.ଜି.ଓ, ଭୂତ ସ୍କୁଲ, ଭୁତ ଛାତ୍ର, ଭୂତ ଶିକ୍ଷକ, ଭୂତ ଭୋଟର୍‌, ଭୂତ ହିତାଧିକାରୀ, ଭୂତ ପେନ୍‌ସନ୍ ଭୋଗି, ଭୂତ ଶ୍ରମିକ, ଭୁତ ଉପଭୋକ୍ତା, ଇତ୍ୟାଦି ଇତ୍ୟାଦି...., ଏମିତି ଅନେକ ।  ଏମିତି କୈାଣସି ସରକାରଙ୍କ ଦ୍ୱାରା ପରିଚାଳିତ ଜନମଙ୍ଗଳକାରୀ ଯୋଜନା ନାହିଁ ଯେଉଁଥିରେ ଭୂତ ହିତାଧିକାରୀ ନଥିବେ । ଏଭଳି ଭୂତମାନଙ୍କର ସେଭଳି କାଳ୍ପନିକ ବଡବଡ ଦାନ୍ତ ଅବା ବିକଟାଳିଆ ଶରୀର ନଥାଏ ସିନା ହେଲେ ଏମାନେ ସାମାଜିକ ସାମ୍ୟତାକୁ ଗିଳି ପକଉଥିବା ରାକ୍ଷସ । ଗରୀବ ପାଇଁ ଉଦ୍ଧିଷ୍ଟ ଧନକୁ ଏମାନେ ଚଳୁ କରି ପକାନ୍ତି । ଏଭଳି ଭୁତମାନଙ୍କ ଭିତରେ ବଡ ଭୂତ ଓ ସାନଭୂତ ବି ଥାନ୍ତି । କେତେକ ସ୍ଥଳରେ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀର ମୃତ୍ୟୁ ପରେ ମଧ୍ୟ ଭୂତ ହିତାଧିକାରୀ ନାଁରେ ହଡପ ତ କେଉଁଠି ମନରେଗାରେ ଗାଁରେ ପୋଖରୀ ଖୋଳା ନହୋଇ ଭୂତ ପୋଖରୀ ନାଁରେ ପଇସା ହଡପ । କେଉଁଠି ବିଦ୍ୟାଳୟରେ ପିଲା ନଥାଇ ଭୂତ ପିଲାଙ୍କ ନାଁରେ ଭୂତ ସ୍କୁଲ ଚାଲିବା ଓ ମଧ୍ୟ୍ୟାହ୍ନ ଭୋଜନ ହଡପ ତ କେଉଁଠି ଭୂତ କମ୍ପାନୀ ନାଁରେ କୋଟିକୋଟି ଟଙ୍କା ହଡପ । ସ୍ୱଚ୍ଛ ଭାରତ ଅଭିଯାନରେ ତ ଗୋଟିଏ ପାଇଖାନାର ରଙ୍ଗକୁ ଲିଭେଇ ନୂତନରଙ୍ଗ ବୋଳି କେତେ ଯେ ଭୂତ ପାଇଖାନା ନିର୍ମାଣ ହୋଇଛି ତାହାର ହିସାବ କିଏ ବା କାଢି ପାରିବ ।  
  ମାତ୍ର ଏଭଳି ଭୂତଙ୍କ ଉପସ୍ଥିତି ଆଦ୍ୟୈ ଲୋକ ଲୋଚନକୁ ଆସୁନଥିଲା । ମାତ୍ର ସରକାରଙ୍କ ଆଧାର ସଂଯୋଗ ପ୍ରକ୍ରିୟାରେ ଏବେ ଜଣାପଡୁଛି ଏ ପ୍ରକାର ଭୁତ ଅତ୍ର, ତତ୍ର, ସର୍ବତ୍ର ବିଦ୍ୟମାନ । ଭୁତ ଅଛନ୍ତି ଭତ୍ତାରେ, ଭୂତ ଅଛନ୍ତି ଭାତରେ । ରାଜ୍ୟରେ ଏକ ଲକ୍ଷ୍ୟରୁ ଅଧିକ ଭୂତ ଛାତ୍ର ଛାତ୍ରୀ ଚିହ୍ନଟ ହେବା ସହିତ କେନ୍ଦ୍ର ସରକାରଙ୍କ ଏଲ୍‌.ପି.ଜି ସବ୍‌ସିଡି ଯୋଜନାରେ ବି କୋଟି କୋଟି ଭୂତ ଉପଭୋକ୍ତାଙ୍କ ଉପସ୍ଥିତି ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାରେ ଭୂତଙ୍କ ଉପସ୍ଥିତିକୁ ପ୍ରମାଣିତ କରୁଛି ।
   ସେ ବେଳର ମା’ ଜେଜେମା, ଗୁରୁଗୁରୁଜନଙ୍କ ଦ୍ୱାରା ସୃଷ୍ଟ ସେ କାଳ୍ପନିକ ଭୂତ ଥିଲା ସମାଜ ମଙ୍ଗଳକାରୀ । ମା’ ନିଜ ଶିଶୁକୁ ଭୟ ଦେଖାଇ ଶୋଇବା ପାଇଁ ନୁହେଁ ବରଂ ତା’ ପିଲା ଠିକ୍ ସମୟରେ ଶୋଉ, ଅଧିକ ଓ ଠିକ୍ ସମୟରେ ଖାଉ, ବାହାରେ ବୁଲି ଛତରା ନହେଉ, ଏଥିପାଇଁ ସେ ମନଗଢା ଭୂତକୁ ଆଣି ନିଜ ପିଲା ପାଖରେ ରଖୁଥିଲା ।  ମାତ୍ର ଏବେ ଏ ଯେଉଁ ଭୂତ ମାନେ ତିଆରି ହେଉଛନ୍ତି ସେମାନଙ୍କୁ ତିଆରି କରୁଥିବା ମଣିଷମାନେ ଖୁବ୍ ଚାଲାକ, ଧୃତ ଓ ଖଳ ପ୍ରକୃତିର । ଏହାଦ୍ୱାରା କେବଳ ସେମାନଙ୍କର ହିଁ ଲାଭ । ସରକାରୀ ତହବିଲ୍ ଖାଲି ହୋଇଯାଉ, ଭୂତଙ୍କ ନାଁରେ ଦେଶକୁ ଖୋଳ କରିବାକୁ ଏମାନେ ଟିକେ ବି କୁଣ୍ଠା ବୋଧ କରନ୍ତି ନାହିଁ । ଏଭଳି ଭୂତସବୁ ସମାଜ ପରିପନ୍ଥୀ । ଦେଶର ଆର୍ଥୀକ ପ୍ରଗତିର ଅନ୍ତରାୟ । ଏଭଳି ଭୂତମାନଙ୍କ ଉପସ୍ଥିତିରେ ଗରିବ ଗରିବ ହୋଇ ସେମିତି ରହିଥାଏ ମାତ୍ର ଧନୀର ଭଣ୍ଡାର ପୂର୍ଣ୍ଣ ହେବାରେ ଲାଗିଥାଏ । ଅର୍ଥନୈତିକ ତାରତମ୍ୟ ବଢିବାରେ ଲାଗେ । ଏମାନଙ୍କ ନିପାତରେ ହିଁ ଭାରତର ଭବିଷ୍ୟତ । ତେବେ ଆସନ୍ତୁନା ଏଭଳି ଭୁତ ମାନଙ୍କ ବିନାଶରେ ଲାଗିପଡିବା । 

*******

OLD IS PLATINUM

 DETAILS OF MY EARLIER POSTS