search in www.iswarchandraworld.blogspot.com

Wednesday, 28 April 2021

ଆମ ଲାଞ୍ଚୁଆ ପ୍ରବୃତିର ଜଡ

 


ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁଋଷ ପାଟଣା

ଭାଣପୁର, ପୁରୀ

ମୋ-୯୭୭୮୫୧୯୬୭୮

ଆମ ଲାଞ୍ଚୁଆ ପ୍ରବୃତିର ଜଡ

      ଲାଞ୍ଚ ଏକ ସାମାଜିକ କଳଙ୍କ ଲାଞ୍ଚ ନେବା ଯେତିକି ଘୃଣ୍ୟ ଲାଞ୍ଚ ଦେବାଟା ସେତିକି ସମତ୍ସର ଏହା ସମାଜର ସାମୁହିକ ପ୍ରଗତିର ଅନ୍ତରାୟ ମାନବୀୟ ମୂଲ୍ୟବୋଧର ପରିପନ୍ଥୀ ମନୁଷ୍ୟର ଲୋଭ, ମୋହ ଆସକ୍ତିରୁ ଏହାର ଜନ୍ମ ଏହା ନ୍ୟାୟର ଗଳାକାଟେ ଅନ୍ୟାୟର ବୀଜ ବୁଣେ କ୍ଷମତାର ଦୂରୁପଯୋଗର ଏହା ଏକ ମେଦସ୍ୱୀ କାରଣ ଥିଲାବାଲାକୁ ଜୟଯୁକ୍ତ କରାଏ ନିର୍ଦ୍ଧନ ପରାଜୟ ବରଣ କରେ ଲାଞ୍ଚୁଆକୁ  ବିତ୍ତଶାଳୀ କରେ ସମାଜରେ ଆର୍ଥୀକ ବୈଷମ୍ୟତାକୁ ବଢାଏ ଅନେକ ଶୋଷଣର ଶିକାର ହୁଅନ୍ତି

      ବିଶ୍ୱନିୟନ୍ତାଙ୍କ ସୃଷ୍ଟିରେ ସବୁ ମନୁଷ୍ୟ ସମାନ ନୁହେଁ କିଏ ଅଳ୍ପରେ ସନ୍ତୁଷ୍ଟ କିଏ ଅତ୍ୟନ୍ତରେ ମଧ୍ୟ ଅସନ୍ତୁଷ୍ଟ କିଏ ନ୍ୟାୟୋଚିତ ଧନ ଅର୍ଜ୍ଜନକୁ ଜୀବନରେ ଶ୍ରେୟ ମଣେତ କିଏ ବିତ୍ତ ପାଇଁ ଲାଞ୍ଚ ନେବା ପରି ଅନୌଚିତ୍ୟ ମାର୍ଗ ଆପଣାଏ କିଏ ଅନ୍ୟକୁ ଲାଞ୍ଚରେ ପ୍ରଲୋଭିତ କରି ସହଜରେ ନିଜର କାମ ହାସଲ କରିବାକୁ ନିଜର ପାରିବା ପଣିଆ ଭାବେତ କିଏ କାମ ପାଇଁ ଲାଞ୍ଚ ଦେବାର ନାଁ ଶୁଣିଲେ ଚିଡେ ତେବେ ଲାଞ୍ଚ ନେଉଥିବା ଲୋକକୁ ସମାଜ ଲାଞ୍ଚୁଆର ଦର୍ଜା ଦେଇଥିବା ବେଳେ ଲାଞ୍ଚ ଦେଉଥିବା ଲୋକକୁ କେହି ଚିହ୍ନନ୍ତି ନାହିଁ ମାତ୍ର ସମୟେ ସମୟେ ଲାଞ୍ଚୁଆ ମାନଙ୍କୁ କାଠଗଡାକୁ ଆସିବାକୁ ପଡେ ସରବ୍ୟର ପାତ୍ର ହୁଅନ୍ତି କଉଡି କାଞ୍ଚନର ପ୍ରାଚୁର୍ଯ୍ୟରେ ଜୀବନ ବିତେଇବା ପାଇଁ ଯେଉଁ ପଥ ଅନୁସରଣ କରିଥାନ୍ତି ତାହା କ୍ଷଣକେ ଦୁଃଖର ଦରିଆ ପାଲଟିଯାଏ

      ତେବେ ଗୋଟିଏ କଥା ବୁଝିହେଉନି ପ୍ରତିଦିନ ଲାଞ୍ଚ ନେଇ ଧରାପଡିବାର କଥା ପ୍ରାୟ ସବୁ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି ଧରା ପଡିଥିବା ଲାଞ୍ଚୁଆର ବିଷାଦଗ୍ରସ୍ତ ମୁହଁକୁ ନେତା, ମନ୍ତ୍ରୀ, ଜନପ୍ରତିନିଧି, ସରକାରୀ ବେସରକାରୀ ଚାକିରିଆ ସମସ୍ତେ ଦେଖୁଛନ୍ତି କିନ୍ତୁ କିଛିତ ପରିବର୍ତ୍ତନ ନାହିିଁ ପୁନଶ୍ଚ ନୂତନ ଲାଞ୍ଚୁଆ ଧରାପଡିବାର ଘଟଣା ସାମନାକୁ ଆସୁଛି ଆଶ୍ଚର୍ଯ୍ୟର କଥା ମହିଳାମାନେ ମଧ୍ୟ ଲାଞ୍ଚ ନେଇ ଧରାପଡିବାଟା ବହୁ ସମୟରେ ଦେଖାଯାଉଛି ସତେଯେମିତି ଲାଞ୍ଚନେଇ ଧରାପଡିବାଟା ଏକ ସାମାଜିକ ଅପବାଦ ବୋଲି କେତେକ ଭାବୁ ନାହାନ୍ତି ତେଣୁ ଏଭଳି ନିନ୍ଦ୍ୟ କାମ ଆମ ଦେଶରେ କାୟା ବିସ୍ତାର କରି ଚାଲିଛି ଯାହାର ପ୍ରମାଣ ସଦ୍ୟ ପ୍ରକାଶିତ ଆନ୍ଟିଗ୍ରାଫ୍ଟ ଗ୍ରୁୁପ୍ ଟ୍ରାନ୍ସପ୍ୟାରେନ୍ସି ଇଣ୍ଟରନ୍ୟାସ୍ନାଲ୍ ନାମକ ସଂଗଠନର ସର୍ଭେତଥ୍ୟରୁ ପ୍ରମାଣିତ ଉକ୍ତ ସର୍ଭେ ମୁତାବକ ଆମଦେଶ ଲାଞ୍ଚ ପ୍ରଦାନ କ୍ଷେତ୍ରରେ ବିଶ୍ୱରେ ସପ୍ତମ ସର୍ବମୋଟ ୬୯% ଭାରତୀୟ ଲାଞ୍ଚ ଦେଇଥାନ୍ତିି ସବୁଠାରୁ ଆଶ୍ଚର୍ଯ୍ୟ କଥା ଆମ ଦେଶର ଶାନ୍ତିଶୃଙ୍ଖଳା ରକ୍ଷାକାରୀ ପୁଲିସ ବିଭାଗରେ ୮୫% ପୁଲିସ ଲାଞ୍ଚୁଆ ତତ୍ସହିତ ୮୪% ସରକାରୀ କର୍ମଚାରୀ, ୭୯%ବ୍ୟବସାୟୀକ ଅଧିକାରୀ, ୭୮% ସ୍ଥାନୀୟ କାଉନସିଲର୍‌, ୭୬% ସାଂସଦ ୭୧% ଧର୍ମଗୁରୁ ମଧ୍ୟ ଲାଞ୍ଚୁଆ ଯେତେବେଳେ ଆମ ଦେଶର ପ୍ରତି ୧୦୦ ଜଣରେ ୬୯ ଜଣ ଲୋକ ଲାଞ୍ଚକୁ ନିଜ କର୍ମ ହାସଲର ମାଧ୍ୟମ କରିସାରିଲେଣି ତେବେ ଆମମାନଙ୍କ ଭିତରୁ ଅନେକଙ୍କ ଜୀବନ ଲାଞ୍ଚରେ ଗଢା ନୁହେଁତ ଆଉ ? 

      ତେବେ ଆମମାନଙ୍କର ଲାଞ୍ଚୁଆ ପ୍ରବୃତିର ଜଡ କେଉଁଠି? ଆମ ଶିକ୍ଷାରେ, ସଂସ୍କୃତିରେ ନା ପ୍ରଥା ପରମ୍ପରାରେ? କେଉଁ ଉତ୍ସରୁ ସମାଜ ବିରୋଧୀ ପ୍ରବୃତ୍ତି ଆମ ଜୀବନ ସହିତ ସଂସ୍ଳିଷ୍ଟ ହୋଇ ଯାଉଛି? ତେବେ ଆସନ୍ତୁ ଆମମାନଙ୍କ ଜୀବନକୁ ଟିକେ ବିଶ୍ଳେଷଣ କରିବା

    କଥାକୁ କେହି ଅସ୍ୱୀକାର କରିପାରିବେ ନାହିଁଯେ ଆମମାନଙ୍କ ମନ୍ଦସାନରେ ଜନ, ଧନ ଅବା ଯଶ ପ୍ରାପ୍ତିର ଆଶାରେ ହେଉ ଅବା ପ୍ରାପ୍ତିର ପରେ ହେଉ ଆମେ ଅନେକ ସମୟରେ ଆମ ବିଶ୍ୱାସର ଦେବାଦେବୀଙ୍କୁ ମାନସିକ, ଯାଚଣା ଦାନର ଆଳରେ ଲାଞ୍ଚ ଯାଚିଥାଉ ଏହା ଆମର ବିଶ୍ୱାସ ଅବା ଅନ୍ଧବିଶ୍ୱାସ ହୋଇପାରେ ମାତ୍ର ଏଭଳି ଲାଞ୍ଚଦେଇ ଆଶୀର୍ବାଦ ପ୍ରାପ୍ତ ହେବାର ପ୍ରବୃତ୍ତି ଆମେ ଆଦ୍ୟୈ ଛାଡି ପାରେନା ନାତିଟିଏ ଆଶୀର୍ବାଦ କଲେ ମାତୋ ମନ୍ଦିରରେ ବାନାଟିଏ ବାନ୍ଧିବୁ ବୋଲି ଜେଜେବାପା ଜେଜେମା ଲାଞ୍ଚ ଯାଚୁଥିବା ବେଳେ ପିଲାର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମାକେତେ ଦେବାଦେବୀଙ୍କୁ କେତେକଣ ମାନସିକ କରେ ପିଲା ବଡହେଲେ ସେ ମଧ୍ୟ ନିଜ ବିଶ୍ୱାସର ଠାକୁରଙ୍କୁ ଲାଞ୍ଚ ଦେବାକୁ ପଛାଏ ନାହିଁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା, ସାକ୍ଷାତକାର ମାନଙ୍କରେ ଉତ୍ତୀର୍ଣ୍ଣହେବା ଆଶାରେ ପିତା, ମାତା ପୁତ୍ର ସମସ୍ତେ ନିଜ ନିଜ ମନ ଭିତରେ ନିଜ ବିଶ୍ୱାସର ଠାକୁରଙ୍କୁ ଅନେକ ଲାଞ୍ଚ ଯାଚିଥାନ୍ତି ଖାଲି ସେତିକି ନୁହେଁ, ଜୀବନରେ ଲାଞ୍ଚକୁ ଘୃଣା କରୁଥିବା ବ୍ୟକ୍ତି ଯେତେବେଳେ ନିଜେ କୌଣସି ଦୂରାରୋଗରେ ପିଡୀତ ହୁଏ ଅଥବା ତା ସନ୍ତାନ ସନ୍ତତି ପିଡୀତ ହୋଇଥାନ୍ତି ଆରୋଗ୍ୟ ପାଇଁ ଭଗବାନଙ୍କୁ ବିଶ୍ୱାସ କରି ଅନେକ କିଛି ଲାଞ୍ଚ ଯାଚିଥାଏ ନିର୍ବାଚନରେ ଲଢୁଥିବା ବ୍ୟକ୍ତି ନିଜର ବିଜୟ ପାଇଁ ନିଜ ବିଶ୍ୱାସର ଦେବାଦେବୀଙ୍କୁ ଲାଞ୍ଚ ଯାଚିବା ଏକ ସାଧାରଣ ଘଟଣା ମୂଖ୍ୟମନ୍ତ୍ରୀ ଆସନ ପାଇଁ ନିଜର ଆରାଧ୍ୟ ଦେବତାଙ୍କୁ ଯାଚିଥିବା କେଇ କିଲୋ ସୁନା ଅବା ହାତୀ ଛୁଆ, ଆସନରେ ଅଧୀଷ୍ଠିତ ହେଲାପରେ ଦାନର ପରିଭାଷାରେ ଅର୍ପଣ କରିବା ଲାଞ୍ଚ ନୁହେଁତ ଆଉ କଣ?

      ପରିଶେଷରେ ଏତିକି କୁହା ଯାଇପାରେ, ଭଗବାନଙ୍କୁ ଲାଞ୍ଚ ଦେବାର ଅଭ୍ୟାସରେ ସାମାଜିକ ଜୀବନରେ ଲାଞ୍ଚ ଦେବାଟା ଆମର ଗୋଟିଏ ପ୍ରବୃତ୍ତିରେ ପରିଣତ ହୋଇଯାଏ ତେଣୁ ଆମ କାମଟି ଯେଉଁ ମଣିଷର କଲମରେ ଅବା ଆଦେଶରେ ହେବାର ଥାଏ ଆମେ ତାକୁ ଲାଞ୍ଚ ଯାଚୁ କିନ୍ତୁ ଆମେ ଭୁଲିବସୁ ଭଗବାନଙ୍କୁ ଲାଞ୍ଚ ଦେଲେ ଭଗବାନ କାହାପ୍ରତି ଅନ୍ୟାୟ କରନ୍ତି ନାହିଁ ମାତ୍ର ସେ ସମସ୍ତଙ୍କର ମଙ୍ଗଳ କରିଥାନ୍ତି ତେଣୁ ଆସନ୍ତୁ ସାମାଜିକ ଜୀବନରେ ଲାଞ୍ଚଦେବା ନେବା ଭଳି ଏକ ଘୃଣ୍ୟ ପ୍ରବୃତ୍ତିରୁ ମୁକ୍ତି ପାଇଁ ଆମର ମାନସିକତାକୁ ବଦଳେଇବା ଯାହାଦ୍ୱାରା ସମାଜର ମଙ୍ଗଳ ହେବ

 

*******

ନିଃସର୍ତ୍ତ ଓ ନିସ୍ୱାର୍ଥପର ସେବା

 


ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁଋଷ ପାଟଣା

ଭାଣପୁର, ପୁରୀ

ମୋ-୯୭୭୮୫୧୯୬୭୮

ନିଃସର୍ତ୍ତ ନିସ୍ୱାର୍ଥପର ସେବା

 ସେବାମୟ ସଂସାର ସେବା ବିନା ଜୀବଜଗତର ପୂର୍ବପିଢୀରୁ ପରପିଢୀ, ପରପିଢୀରୁ ଉତ୍ତରପିଢୀ ଗଡିଚାଲିବା ସମ୍ପୂର୍ଣ୍ଣ ଅସମ୍ଭବ ପ୍ରତିମୂହୁର୍ତ୍ତରେ ସଂସାର ଭିତରେ କିଏ କାହାରନା କାହାର ସେବା କରିଚାଲିଛି ଜଡଜୀବର, ଜୀବ ଜଡର ଜଡଜଡର ଅବା ଜୀବଜୀବର କିଏ ସେବା ସ୍ୱାର୍ଥରେ କରେ କିଏ ସର୍ତ୍ତରେ ହେଲେ କିଏ କରେ ନିସର୍ତ୍ତ ନିସ୍ୱାର୍ଥପର ଭାବରେ ହେଲେ  ସତକଥା ହେଉଛି ଜଗତର ପ୍ରତ୍ୟେକ ଉପାଦାନ ଜଡ ଅବା ଜୀବ ଉଭୟେ ତାଙ୍କ ଜୀବନକାଳ ଭିତରେ ଅନ୍ୟର କିଛି ନା କିଛି ସେବାରେ ଆସନ୍ତି ସେଥିପାଇଁ ଜୀବଜଗତରେ ସେ ଜୀବ ହେଉ ବା ନିର୍ଜୀବ ସମସ୍ତେ କାହାପାଇଁନା କାହାପାଇଁ ଉପକାରୀ

   ଗଛଟିଏ ମଞ୍ଜିରୁ ନିଜର ଆଦ୍ୟାବସ୍ଥାରେ ହିଁ ଅନ୍ୟର ସେବା ଲୋଡେ ତା ଚେର ପାଣିକୁ ଲୋଡିବା କ୍ଷଣି ବିନା ପ୍ରତିବାଦରେ ସେ ଆସି ତା ଚେରରେ ପ୍ରବେଶ କରେ ତା କିଛି କଥା କହିବା ପୂର୍ବରୁ ମାଟି ତା ଚେରକୁ ଯାବୁଡି ଧରି ତାକୁ ସଳଖ ରଖେ ବାୟୁ ମଣ୍ଡଳର ଅମ୍ଲଜାନ ବିନା ଛାଏଁ ତା ପ୍ରଶ୍ୱାସରେ ଯାଏ ଆଉ ଅଙ୍ଗାରକାମ୍ଳ ହୋଇ ତା ନିଶ୍ୱାସରେ ବାହାରି ଆସେ ଗଛଟିର ଖାଦ୍ୟ ପ୍ରସ୍ତୁତି ପାଇଁ ବାୟୁମଣ୍ଡଳରେ ଥିବା ଅଙ୍ଗାରକାମ୍ଳ ଅନାୟାସେ ତାପତ୍ର ଭିତରେ ପ୍ରବେଶ କରେ ସୂର୍ଯ୍ୟଙ୍କ କଥା ନକହିବା ହିଁ ଭଲ ସକଳ ଶକ୍ତିର ଆଧାର ସେବାର ସେ ହେଲେ ପରମ ପ୍ରତୀକ ନିଃସର୍ତ୍ତ ଆଉ ନିସ୍ୱାର୍ଥପର ସେବାର ସେ ହେଲେ ପ୍ରାରମ୍ଭରୁ ପ୍ରଳୟ ପର୍ଯ୍ୟନ୍ତ ଚଳନ୍ତି ପ୍ରତିମା ବିନା ଦ୍ୱିଧାରେ ଖୋଲିଦିଅନ୍ତି ନିଜ ଆଲୋକର ପସରା ଯେଉଁଥିରେ ପତ୍ର ରାନ୍ଧିଚାଲେ ନିଜ ସହିତ ସାରା ଜୀବଜଗତ ପାଇଁ ଖାଦ୍ୟ ଆକାଶ କଥା କଣ ବା କୁହାଯାଇପାରେ ମେଲି ଦେଇଛି ତା ବିଶାଳ ବକ୍ଷକୁ ସମସ୍ତଙ୍କ ପାଇଁ ବିନା ସର୍ତ୍ତ ବିନା ସ୍ୱାର୍ଥରେ

   ଜଳ ହିଁ ଜୀବନ ହେଲେ ଜଳରଜୀବନ ନାହିଁ ବାୟୁ ଜୀବନ ପାଇଁ ଅପରିହାର୍ଯ୍ୟ ହେଲେ ସେ ନିଜେ ନିର୍ଜୀବ ଉତ୍ତାପ ବିନା ଜୀବନ ଅସମ୍ଭବ ହେଲେ ଅଗ୍ନୀ ଜୀବନହୀନ ଆକାଶରେ ଜୀବ ଭରପୁର ହେଲେ ଆକାଶ ନିଜେ ଜଡ ମାଟିରେ ଜୀବନ ଅଛି ହେଲେ ମାଟି ନିଜେ ନିସ୍ତେଜ କି ବିଚିତ୍ରତା ନିର୍ଜୀବ ପଞ୍ଚମହାଭୂତର ନିଃସର୍ତ୍ତ ନିସ୍ୱାର୍ଥପର ସେବାରୁ ହିଁ ସଜୀବର ସର୍ଜନା, ବଂଶବିସ୍ତାର ବୃଦ୍ଧି କିନ୍ତୁ ବିଡମ୍ବନା, ଆମେ ସଂସାରର ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ ହୋଇ କେବେ ହେଜୁନୁ କିମ୍ବା ଭାବିବାକୁ ଆମ ପାଖରେ ସମୟ ହିଁ ନାହିଁ ଯେ ଆମେମାନେ କେବଳ କେତେକ ଜଡ ଆଉ ଜୀବ ମାନଙ୍କର ନିସର୍ତ୍ତ ନିସ୍ୱାର୍ଥପର ସେବାର ଶେଷ ଉତ୍ପାଦ

   ଆମେ ଆଜି ପ୍ରତ୍ୟେକ ଯେଉଁ ଅବସ୍ଥାରେ ଯେଉଁ ଭାବରେ ପହଞ୍ôଚଛେ ତା ପଛରେ ଯେଉଁମାନଙ୍କର ନିଃସର୍ତ୍ତ ନିସ୍ୱାର୍ଥପର ସେବା ଅଛି ଯଦି ତାର ଆମେ ତାଲିକା କରିବସୁ ତେବେ ତାହା ଏକ ଅତି ସୁଦୀର୍ଘ ତାଲିକା ହେବ ଏଥିରେ ଦ୍ୱିମତ ନାହିଁ ଯେମିତି ଘରର ସମସ୍ତ ନିର୍ଜୀବ ବସ୍ତୁ ଖଟ ଶୋଇବାକୁ, ଚଉକି ବସିବାକୁ, କଲମ ଲେଖିବାକୁ ବହି ପଢିବାକୁ ଏମିତି ଅନେକ...... ଏମାନଙ୍କର ନାହିଁ ଆମ ପାଖରେ କିଛି ସର୍ତ୍ତ ଆଉ ଆମଠାରୁ କିଛି ସ୍ୱାର୍ଥ ସେମାନଙ୍କ ଅସ୍ତିତ୍ୱ ଥିବା ପର୍ଯ୍ୟନ୍ତ କୌଣସି ନା କୌଣସି ପ୍ରକାରେ ନିଃସର୍ତ୍ତ ନିସ୍ୱାର୍ଥପର ଭାବରେ ଆମର ସେବା କରିଚାଲିଥାନ୍ତି ମାତ୍ର ଆମ ଜୀବନକୁ ଯଦି ଜନ୍ମରୁ ଅନୁଧ୍ୟାନ କରି ଆମେ କେଉଁ ମାନଙ୍କୁ କେତେ ଜଣଙ୍କୁ ନିଃସର୍ତ୍ତ ନିସ୍ୱାର୍ଥପର ଭାବରେ ସେବା କରିଛେ ଯଦି ଏକ ତାଲିକା କରେ ତେବେ ବୋଧହୁଏ ତାହା ଏକ କ୍ଷୁଦ୍ର ତାଲିକା ହେବ ହଁ, କାଁ ଭାଁ  କେତେଜଣ ମନିଷୀଙ୍କର ଲମ୍ବା ହୋଇପାରେ ଆମେମାନେ ଜୀବଜଗତର ସର୍ବଶ୍ରେଷ୍ଠ ଚତୁର ପ୍ରାଣୀ ପ୍ରାରବ୍ଧର ପୂଣ୍ୟ ପୁଞ୍ଜିରେ, ଅନେକ ଜନ୍ମ ପରେ ଏଇଟା ଆମର କୁଆଡେ ଦୁର୍ଲ୍ଲଭ ଅବତାର ହେଲେ ଭୋଗବାଦରେ ଆମେ ଏତେ ଅତିଷ୍ଠ ଯେ ସ୍ୱାର୍ଥ ଆଉ ସର୍ତ୍ତବିନା ସେବା ଆମ ଜୀବନର ପାଖମାଡୁନି ଜୀବନରେ ଶରୀର ଯେତେବେଳେ ଧୋଖା ଦେବା ଆରମ୍ଭକରେ ମନେପଡେ ସେବା ଭଗବାନଙ୍କ ଆଶୀର୍ବାଦ ପାଇଁ ଅନ୍ୟଥା ଜୀବନର ଅନ୍ୟ ସମୟରେ କେବଳ ପୂଣ୍ୟ ଅର୍ଜନ ଲାଳସାରେ ହେଉ ଅବା ପ୍ରତିବଦଳରେ କିଛି ସ୍ୱାର୍ଥ ହାସଲ୍ ପାଇଁ ହେଉ, ଆମେ ସେବା କରେ ହେଲେ ନିଃସର୍ତ୍ତ ନିସ୍ୱାର୍ଥପର ସେବାର ଛିଟା ପ୍ରାୟ ଆମ ଜୀବନରେ ଲାଗିନଥାଏ କହିଲେ ଚଳେ ଆଉ ଯେଉଁ ମାନଙ୍କ ଜୀବନରେ ଲାଗିଥାଏ ସେଇମାନଙ୍କ ଜୀବନ ହିଁ ଧନ୍ୟ

ତେବେ ଆସନ୍ତୁ ନା ଅମୂଲ୍ୟ ମାନବ ଜୀବନର କିଛିକ୍ଷଣକୁ ନିସର୍ତ୍ତ ନିସ୍ୱାର୍ଥପର ସେବାରେ ଭୂଷିତ କରି ଜଗତର କଲ୍ୟାଣ ସହିତ ନିଜ ଜୀବନକୁ ସାର୍ଥକ କରିବା

OLD IS PLATINUM

 DETAILS OF MY EARLIER POSTS